“ଆମ ଜୀବନ ଜୁଆଖେଳ ଭଳି । ଭଗବାନ ହିଁ ଜାଣନ୍ତି ଯେ ଗତ ଦୁଇ ବର୍ଷରେ ଆମ ଉପରେ କଣ ବିତିଛି । ଲୋକ କଳାକାର ଭାବେ ଗତ ୪୭ ବର୍ଷରେ ପ୍ରଥମ ଥର ପାଇଁ ଏପରି ହୋଇଛି ଯେତେବେଳେ ଆମେ ଏହି ଦୁଇ ବର୍ଷରେ ଆମର ପେଟ ପୋଷିବାକୁ ମଧ୍ୟ ଅସମର୍ଥ ହୋଇଗଲୁ’’ ବୋଲି ବି. ଥର୍ମା କୁହନ୍ତି ।

୬୦ ବର୍ଷୀୟ ଥର୍ମା ଆମ୍ମା ଜଣେ ନାରୀ କିନ୍ନର ଲୋକ କଳାକାର, ଯିଏ ତାମିଲନାଡୁର ମଦୁରାଇ ସହରରେ ରୁହନ୍ତି । “ଆମକୁ ଏକ ନର୍ଦ୍ଦିଷ୍ଟ ବେତନ ମିଳେନି,” ବୋଲି ମଧ୍ୟ ସେ କୁହନ୍ତି । “ଆଉ, ଏହି କରୋନା (ମହାମାରୀ) କାରଣରୁ ଆମେ ଆମ ଜୀବିକାର୍ଜନର କିଛି ସୁଯୋଗ ମଧ୍ୟ ହରାଇଛୁ’’।

ମଦୁରାଇ ଜିଲ୍ଲାର ନାରୀ କିନ୍ନର ଲୋକ କଳାକାରଙ୍କ ପାଇଁ ବର୍ଷର ପ୍ରଥମ ଛଅ ମାସ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ସମୟରେ, ଗ୍ରାମଗୁଡିକରେ ଅନେକ ସ୍ଥାନୀୟ ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ ଓ ମନ୍ଦିରଗୁଡିକରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ହେଲେ, ଏହି ତାଲାବନ୍ଦ ସମୟରେ ଗୋଟିଏ ସ୍ଥାନରେ ବହୁସଂଖ୍ୟକ ଲୋକ ଏକାଠି ହେବାଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ରାଜ୍ୟରେ କିନ୍ନର କଳାକାରମାନେ ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି। ସେଠାରେ ତାଙ୍କ ଭଳି ପ୍ରାୟ ୫୦୦ଜଣ ଅଛନ୍ତି, ବୋଲି ୬୦ ବର୍ଷ ବୟସ୍କ ଥର୍ମା ଆମ୍ମା (ସାଧାରଣତଃ ଲୋକମାନେ ଯେଉଁ ନାମରେ ତାଙ୍କୁ ସମ୍ବୋନ୍ଧିତ କରିଥାନ୍ତି), ଯିଏକି ନାରୀ କିନ୍ନର ନାଟକ ଓ ଲୋକ କଳାର ପ୍ରାଦେଶିକ ସଂଗଠନର ସେକ୍ରେଟେରୀ ଅଛନ୍ତି, ଆକଳନ କରି କୁହନ୍ତି ।

ଥର୍ମା ଆମ୍ମା ମଦୁରାଇ ରେଳ ଷ୍ଟେସନ୍‌ ପାଖରେ ଏକ ଭଡ଼ା ଘରେ ଫୁଲ ବିକାଳି ଭାବେ କାମ କରୁଥିବା ନିଜର ଜଣେ ପୁତୁରା ଓ ତାଙ୍କର ଦୁଇ ପିଲାଙ୍କ ସହିତ ମିଶି ରୁହନ୍ତି । ମଦୁରାଇ ସହର, ଯେଉଁଠାରେ ତାଙ୍କର ବାପାମା ଦିନ ମଜୁରିଆ ଭାବେ କାମ କରୁଥିଲେ, ବଡ ହେବା ସହିତ ସେ ଅନ୍ୟ ନାରୀ କିନ୍ନରମାନଙ୍କୁ ବିଭିନ୍ନ ମନ୍ଦିର ଓ ଆଖପାଖ ଗ୍ରାମରେ ପାଳନ ହେଉଥିବା ପର୍ବପର୍ବାଣୀରେ ସେମାନଙ୍କ କଳା ପ୍ରଦର୍ଶନ କରୁଥିବା ଦେଖୁଥିଲେ ।

PHOTO • M. Palani Kumar

ଥର୍ମା ଆମ୍ମା ମଦୁରାଇସ୍ଥିତ ତାଙ୍କ ପ୍ରକୋଷ୍ଠରେ : ‘ ଆମକୁ ଏକ ନିର୍ଦ୍ଦିଷ୍ଟ ବେତନ ମିଳନି । ଆଉ , ଏହି କରୋନା ( ମହାମାରୀ ) କାରଣରୁ ଆମେ ଆମ ଜୀବିକାର୍ଜନର କିଛି ସୁଯୋଗ ମଧ୍ୟ ହରାଇଛୁ

ସେ ୧୪ ବର୍ଷ ବୟସରେ ଗାଇବା ଆରମ୍ଭ କରିଥିଲେ । “ଧନୀ ଲୋକମାନେ ଆମକୁ ସେମାନଙ୍କ ପରିବାରରେ ହେଉଥିବା ଶୁଦ୍ଧିକ୍ରିୟାରେ ଗାଇବାକୁ ଆମନ୍ତ୍ରଣ କରୁଥିଲେ ବୋଲି ଥର୍ମା ଆମ୍ମା କୁହନ୍ତି । (ସେ ତାଙ୍କ ସମ୍ପ୍ରଦାୟ ଉଦ୍ଦେଶ୍ୟରେ କହିବା ବେଳେ କିନ୍ନରମାନଙ୍କ ପାଇଁ ତାମିଲ ଶଦ୍ଦ ଥିରୁନଙ୍ଗାଇ ବ୍ୟବହାର କରନ୍ତି) “ଆମମାନଙ୍କୁ ଓପ୍ପାରି (ଶୋକଗୀତ) ଗାଇବାକୁ ଓ ମରାଦି ପାଟୁ ( ଛାତି ବାଡେଇବା) ପାଇଁପଇସା ମିଳୁଥିଲା । ଆଉ, ଏହିପରି ମୁଁ ଲୋକ କଳାକାର ଭାବେ କାମ କରିବାକୁ ଆରମ୍ଭ କଲି।’’

ସେହି ସମୟରେ, ଚାରିଜଣ କିନ୍ନର କଳାକାରଙ୍କ ଗୋଟିଏ ଦଳକୁ ୧୦୧ଟଙ୍କା ପାରିଶ୍ରମିକ ଦିଆଯାଉଥିଲା । ଥର୍ମା ଅମ୍ମା ୨୦୨୦ରେ ତାଲାବନ୍ଦ ଆରମ୍ଭ ହେବା ପର୍ଯ୍ୟନ୍ତ ବେଳେ ବେଳେ ଏହି କାମ କରୁଥିଲେ, ସେତେବେଳେ ଜଣେ ବ୍ୟକ୍ତି ୬୦୦ଟଙ୍କା ଉପାର୍ଜନ କରିପାରୁଥିଲା ।

ସେ ୧୯୭୦ରେ ଜଣେ ବରିଷ୍ଠ କଳାକାରଙ୍କଠାରୁ ତାଲତ୍ତୁ (ନାନାବାୟା ଗୀତ) ଓ ନାଟୁପୁରା ପାଟୁ (ଲୋକ ଗୀତ) ମଧ୍ୟ ଶିଖିଲେ । ଆଉ, ଧୀରେ ଧୀରେ ସେ ଅନ୍ୟମାନଙ୍କ ପ୍ରଦର୍ଶନ ଦେଖି ଦେଖି ରାଜା ରାଣୀ ଆଟ୍ଟମ – ଗ୍ରାମୀଣ ତାମିଲନାଡୁରେ ପର୍ବପର୍ବାଣୀରେ ପ୍ରଦର୍ଶିତ ହେଉଥିବା ଏକ ପ୍ରକାରର ନୃତ୍ୟନାଟିକା - ରେ ରାଣୀ ଭୂମିକାରେ ଅଭିନୟ କରିବା ଆରମ୍ଭ କଲେ ।

ଥର୍ମା ଆମ୍ମା ମନେପକାଇ କୁହନ୍ତି ଯେ “ସତୁରି ଦଶକରେ ସମସ୍ତ ଚାରିଟି ଚରିତ୍ରରେ (ଏହି ନୃତ୍ୟ-ନାଟିକାରେ) ପୁରୁଷମାନେ ଅଭିନୟ କରୁଥିଲେ, ରାଜା ରାଣୀଠାରୁ ଆରମ୍ଭ କରି ବିଦୂଷକ ପର୍ଯ୍ୟନ୍ତ । ସେ ଆଉ ତିନିଜଣଙ୍କ ସହିତ ମିଶି ଏକ ଦଳ ଗଠନ କଲେ ଓ ପ୍ରଥମଥର ପାଇଁ ଏକ ଗ୍ରାମରେ ସମ୍ପୂର୍ଣ୍ଣ ଭାବେ ନାରୀ କିନ୍ନରଙ୍କ ଦ୍ୱାରା ଅଭିନୀତ ଏକ ରାଜା ରାଣୀ ଆଟ୍ଟମ କାର୍ଯ୍ୟକ୍ରମ ପ୍ରଦର୍ଶନ କଲେ ବୋଲି ସେ କୁହନ୍ତି ।

A selfie of Tharma Amma taken 10 years ago in Chennai. Even applying for a pension is very difficult for trans persons, she says
PHOTO • M. Palani Kumar
A selfie of Tharma Amma taken 10 years ago in Chennai. Even applying for a pension is very difficult for trans persons, she says
PHOTO • M. Palani Kumar

ଦଶ ବର୍ଷ ପୂର୍ବେ ଚେନ୍ନାଇରେ ଉଠାଯାଇଥିବା ଥର୍ମା ଅମ୍ମାଙ୍କର ଏକ ସେଲ୍‌ଫି। ଏପରିକି କିନ୍ନରମାନେ ଭତ୍ତା ପାଇଁ ଆବେଦନ କରିବା ବେଳେ ମଧ୍ୟ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି

ସ୍ଥାନୀୟ ଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ ସେ କରଗାଟ୍ଟମ୍‌ ମଧ୍ୟ ଶିଖିଲେ ଯେଉଁଥିରେ ମୁଣ୍ଡ ଉପରେ ଏକ ପାତ୍ର ଧାରଣ କରିବା ସହ ସନ୍ତୁଳନ ରକ୍ଷା କରି ନୃତ୍ୟ କରାଯାଇଥାଏ । “ଏହା ଯୋଗୁଁ ମୋତେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଏପରିକି ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମଗୁଡିକରେ ଅଭିନୟ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଲା,” ବୋଲି ସେ କୁହନ୍ତି ।

ପରେ, ସେ ନିଜ ଦକ୍ଷତାର ପରିସର ବଢାଇବା ସହିତ ଅନ୍ୟ କଳାତ୍ମକ କାର୍ଯ୍ୟକ୍ରମ ଯେପରିକି ମାଦୁ ଆଟ୍ଟମ (ଯେଉଁଥିରେ କଳାକାର ଗାଇ ଭଳି ଦେଖାଯାଉଥିବା ଏକ ପୋଷାକ ପିନ୍ଧି ଲୋକ ସଂଗୀତ ତାଳେ ତାଳେ ନୃତ୍ୟ କରିଥାଏ), ମୈୟିଲ୍‌ ଆଟ୍ଟମ (ଯେଉଁଥିରେ ମୟୁର ଭଳି ପୋଷାକ ପିନ୍ଧି ଅଭିନୟ କରାଯାଏ) ଓ ପୋଇ କାଲ୍‌ କୁଡୁରାଇ ଆଟ୍ଟମ୍‌ ( ଯେଉଁଥିରେ ଘୋଡାର ମିଛ ଗୋଡ଼ ବେଶ ପିନ୍ଧି ନାଚ କରାଯାଏ) ଆଦିରେ ନିପୁଣତା ହାସଲ କଲେ । ଏହି କାର୍ଯ୍ୟକ୍ରମଗୁଡିକ ତାମିଲନାଡୁର ବିଭିନ୍ନ ଗ୍ରାମରେ ଆୟୋଜନ କରାଯାଉଥିଲା । “ମୁହଁରେ ପାଉଡର ଲଗାଇ ଆମେ (ଟାଲ୍‌କମ୍‌ ପାଉଡର୍‌) ପ୍ରାୟ ରାତି ୧୦ଟାରେ କଳା ପ୍ରଦର୍ଶନ ଆରମ୍ଭ କରୁଥିଲୁ ଓ ଏହା ପ୍ରାୟ ପରଦିନ ପୂର୍ବାହ୍ନ ୪ଘଣ୍ଟା ପର୍ଯ୍ୟନ୍ତ ଚାଲୁଥିଲା” ବୋଲି ଥର୍ମା ଆମ୍ମା କୁହନ୍ତି ।

ଜାନୁଆରିଠାରୁ ଜୁନ୍‌ – ଜୁଲାଇ ପର୍ଯ୍ୟନ୍ତ ପିକ୍‌ ସିଜନ୍‌ରେ ସେ ପ୍ରାପ୍ତ କରୁଥିବା ବିଭିନ୍ନ ନିମନ୍ତ୍ରଣ ଓ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରୁ, ପ୍ରତି ମାସରେ ସେ ମୋଟ ୮, ୦୦୦ – ୧୦,୦୦୦ ପର୍ଯ୍ୟନ୍ତ ଉପାର୍ଜନ କରୁଥିଲେ । ବର୍ଷର ବାକି ସମୟରେ ଥର୍ମା ଅମ୍ମା ମାସକୁ ୩,୦୦୦ଟଙ୍କା ଉପାର୍ଜନ କରିବାକୁ ସମର୍ଥ ହେଉଥିଲେ ।

ମହାମାରୀ ଜନିତ ତାଲାବନ୍ଦ କାରଣରୁ ସବୁକିଛି ବଦଳିଯାଇଛି । “ଏପରିକି ତାମିଲନାଡୁ ଇୟାଲ୍‌ ଇସାଇ ନାଟକ୍‌ ମନରମ୍‌ର ଏକ ରେଜିଷ୍ଟିକୃତ ସଦସ୍ୟ ହେବା ସତ୍ତ୍ୱେ କିଛି ଲାଭ ମିଳିଲାନି” ବୋଲି ସେ କୁହନ୍ତି। ଏହା –  ମ୍ୟୁଜିକ୍‌, ନୃତ୍ୟ, ନାଟକ ଓ ସାହିତ୍ୟର ତାମିଲନାଡୁ କେନ୍ଦ୍ର  - ହେଉଛି ରାଜ୍ୟ କଳା ଓ ସଂସ୍କୃତି ନିର୍ଦ୍ଦେଶାଳୟର ଏକ ୟୁନିଟ୍‌ । “ଉଭୟ ପୁରୁଷ ଓ ମହିଳା ଲୋକ କଳାକାରମାନେ  ସେମାନଙ୍କ ଭତ୍ତା ପାଇଁ ସହଜରେ ଆବେଦନ କରିପାରୁଥିବା ବେଳେ କିନ୍ନରମାନଙ୍କୁ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମୋର ଆବେଦନ ଅନେକ ଥର ଖାରିଜ ହୋଇଛି । ଅଧିକାରୀମାନେ ମୋତେ ଅନ୍ୟର ସୁପାରିଶ୍‌ ଆଣିବାକୁ କହୁଛନ୍ତି । ହେଲେ, କାହାଠାରୁ ଆଣିବାକୁ ହେବ, ତାହା ମୁଁ ଜାଣେନି ? ଯଦି ମୁଁ ଅଳ୍ପକିଛି ଲାଭ ପାଇପାରିଥାନ୍ତି, ତାହାହେଲେ ଏହିପରି ଭୟଙ୍କର ପରିସ୍ଥିତିରେ ତାହା ମୋ’ ପାଇଁ ଅତ୍ୟନ୍ତ ଉପକାରୀ ପ୍ରମାଣିତ ହୋଇଥାନ୍ତା। ଆମେମାନେ ଏବେ କେବଳ ରାସନ୍‌ ଚାଉଳ ରାନ୍ଧୁଛୁ, ପରିବା ଟିକେ କିଣିବା ପାଇଁ ମଧ୍ୟ ଆମ ପାଖରେ ପଇସା ନାହିଁ ।

*****

ମଦୁରାଇ ସହରଠାରୁ ୧୦ କିଲୋମିଟରରୁ କମ୍‌ ଦୂରତାରେ ଅବସ୍ଥିତ ଭିଲାନ୍‌ଗୁଡି ଟାଉନ୍‌ ନିବାସୀ ମାଗି ମଧ୍ୟ ସମଦଶା ଭୋଗୁଛନ୍ତି। ଗତବର୍ଷ ପର୍ଯ୍ୟନ୍ତ ସେ କୁମ୍‌ନି ପଟ୍ଟୁ ଗାଇ ଜିବୀକାର୍ଜନ କରିବାକୁ ମଦୁରାଇ ଓ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ । ସେ ହେଉଛନ୍ତି ରାଜ୍ୟର ସେହି ନାରୀ କିନ୍ନରମାନଙ୍କ ମଧ୍ୟରୁ ଜଣେ ଯିଏ ବୀଜ ବୁଣାଯିବା ପରେ ଅଙ୍କୁରୋଦ୍‌ଗମ ସମୟରେ ପାଳନ ହେଉଥିବା ଉତ୍ସବରେ ପାରମ୍ପରିକ ଗୀତ ଗାଇବାକୁ ଯାଇଥାନ୍ତି ।

PHOTO • M. Palani Kumar

ବନ୍ଧୁ ଓ ସହକର୍ମୀମାନଙ୍କ ସହିତ ମାଗି ( କ୍ୟାମେରା କୁ ପଛ କରି ) ମଦୁରାଇ ସ୍ଥିତ ତାଙ୍କ ପ୍ରକୋଷ୍ଠରେ : ସାଳିନୀ ( ବାମ ), ବବ୍ୟସ୍ରି ( ସାଳିନୀ ପଛରେ ), ଅରସି ( ହଳଦିଆ କୁର୍ତ୍ତାରେ ), କେ . ସ୍ୱସ୍ତିକା ( ଆରସି ପରେ ), ସିଫାନା ( ଆରସି ପଛରେ ) ଜୁଲାଇରେ ଆମନ୍ତ୍ରଣ ଓ ପ୍ରଦର୍ଶନର ଋତୁ ବନ୍ଦ ହେବା ସହିତ ବର୍ଷର ବାକି ସମୟରେ ତାଙ୍କ ପାଖରେ କାମ କରିବା ପାଇଁ ବିଶେଷ ସୁଯୋଗ ନଥାଏ

“ମୁଁ ଏକ ନାରୀ କିନ୍ନର ହୋଇଥିବାରୁ ମୋତେ ଗୃହ [ ମଦୁରାଇ ଟାଉନ୍‌ରେ: ତାଙ୍କ ବାପା ମା’ ଆଖପାଖ ଗ୍ରାମରେ କୃଷି ଶ୍ରମିକ ଭାବେ କାମ କରୁଥିଲେ] ତ୍ୟାଗ କରିବାକୁ ପଡିଲା” ବୋଲି ୩୦ ବର୍ଷ ବୟସ୍କ ମାଗି ( ଯେଉଁନାମ ସେ ବ୍ୟବହାର କରନ୍ତି) କୁହନ୍ତି। “ସେହି ସମୟରେ ମୋତେ ୨୨ବର୍ଷ ହୋଇଥିଲା । ମୋର ଜଣେ ବନ୍ଧୁ ମୋତେ ମୁଲୈପରୀ ପର୍ବକୁ ନେଇଗଲେ, ଯେଉଁଠାରେ ମୁଁ କୁମ୍ମି ପାଟୁ ଶିଖିବା ଆରମ୍ଭ କଲି’’।

ଭିଲାଙ୍ଗୁଡି ସାହି ଯେଉଁଠାରେ ମାଗି ତାଙ୍କ ସମ୍ପ୍ରଦାୟର ପ୍ରାୟ ୨୫ଜଣ ଟ୍ରାନ୍ସ ମହିଳାଙ୍କ ସହିତ ମିଶି ରୁହନ୍ତି, ସେମାନଙ୍କ ମଧ୍ୟରୁ କେବଳ ଦୁଇଜଣ ମାତ୍ର କୁମ୍ମି ପାଟୁ ଗାଇ ପାରନ୍ତି, ବୋଲି ସେ କୁହନ୍ତି । ତାମିଲନାଡୁରେ ପ୍ରତିବର୍ଷ ଜୁଲାଇରେ ୧୦ଦିନ ବ୍ୟାପି ପାଳନ କରାଯାଉଥିବା ଏହି ପର୍ବରେ, ଏହି ଗୀତ ହେଉଛି ଗ୍ରାମ ଦେବୀଙ୍କ ପାଖରେ ବର୍ଷା, ମାଟିର ଉର୍ବରତା ଓ ଭଲ ଅମଳ ପାଇଁ ଅର୍ପଣ କରାଯାଉଥିବା ଏକ ପ୍ରାର୍ଥନା – ନୈବେଦ୍ୟ । “ଏହି ପର୍ବରେ ଆମକୁ ଅତିକମ୍‌ରେ ୪,୦୦୦ - ୫,୦୦୦ଟଙ୍କା ପାରିଶ୍ରମିକ ମିଳିଯାଏ’’ ବୋଲି ମାଗି କୁହନ୍ତି । “ଏହାସହିତ ବିଭିନ୍ନ ମନ୍ଦିରରେ ମଧ୍ୟ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଥାଏ, ହେଲେ ତାହା ନିଶ୍ଚିତ ନୁହେଁ ।

ହେଲେ, ୨୦୨୦ରେ ଏହି ପର୍ବ ଅନୁଷ୍ଠିତ ହୋଇନଥିଲା କି ଚଳିତ ମାସରେ ମଧ୍ୟ ହେଲାନି । ଆଉ, ଗତବର୍ଷ ମାର୍ଚ୍ଚରେ ତାଲାବନ୍ଦ ଆରମ୍ଭ ହେବାଠାରୁ, ମାଗି ଅନ୍ୟ କେତେକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବା ପାଇଁ କେବଳ ଅଳ୍ପ କିଛି ସ୍ଥାନକୁ ଯାତ୍ରା କରିଛନ୍ତି । “ଚଳିତ ବର୍ଷ, ଠିକ୍‌ ତାଲାବନ୍ଦ ପୂର୍ବରୁ ମଦୁରାଇର ଗୋଟିଏ ମନ୍ଦିରରେ ତିନିଦିନ ବ୍ୟାପି (ମାର୍ଚ୍ଚର ମଧ୍ୟଭାଗରେ) ପ୍ରଦର୍ଶନ କରିବାକୁ ଆମେ ଏକ ଏକ ସୁଯୋଗ ପାଇଥିଲୁ ବୋଲି ସେ କୁହନ୍ତି ।

ବର୍ତ୍ତମାନ, ଜୁଲାଇ ମାସରେ ନିମନ୍ତ୍ରଣ ଓ ପ୍ରଦର୍ଶନ ଋତୁ ହେବା ସହିତ,ମାଗି ଓ ତାଙ୍କ ସହକର୍ମୀମାନେ ବର୍ଷର ବାକି ସମୟରେ କାମ କରିବାକୁ ଆଶାତୀତ ଭାବେ କମ୍‌ ସୁଯୋଗ ପାଇବେ ।

At Magie's room, V. Arasi helping cook a meal: 'I had to leave home since I was a trans woman' says Magie (right)
PHOTO • M. Palani Kumar
At Magie's room, V. Arasi helping cook a meal: 'I had to leave home since I was a trans woman' says Magie (right)
PHOTO • M. Palani Kumar

ମାଗିଙ୍କ ପ୍ରକୋଷ୍ଠରେ , ଭି . ଆରସି ଭୋଜନ ପ୍ରସ୍ତୁତିରେ ସାହାଯ୍ୟ କରୁଛନ୍ତି : ‘ ମୁଁଜଣେ ନାରୀ କିନ୍ନର ହୋଇଥିବାରୁ ମୋତେ ଗୃହ ତ୍ୟାଗ କରିବାକୁ ପଡ଼ିଲା (ଡାହାଣ)

ଗତବର୍ଷ ତାଲାବନ୍ଦ ହେବା ପରଠାରୁ, ସ୍ୱେଚ୍ଛାସେବୀମାନେ ଅଳ୍ପ କେତେଥର କିଛି ରାସନ୍‌ ଦେଇଛନ୍ତି, ବୋଲି ମାଗି କୁହନ୍ତି । ଆଉ, କଳା ଓ ସଂସ୍କୃତି ନିର୍ଦ୍ଦେଶାଳୟରେ ମାଗି ରେଜିଷ୍ଟ୍ରିକୃତ ହୋଇଥିବାରୁ, ସେ ଚଳିତ ବର୍ଷ ମେ’ରେ ସରକାରଙ୍କ ଠାରୁ ୨୦୦୦ଟଙ୍କା ପାଇଥିଲେ । “ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ଏପରି ଅନେକ ଅଛନ୍ତି, ଯେଉଁମାନେ ଏହା ପାଇପାରିନାହାନ୍ତି,” ବୋଲି ସେ କୁହନ୍ତି ।

ଏହା କାର୍ଯ୍ୟକ୍ରମ ପ୍ରଦର୍ଶନର ସବୁଠାରୁ ଶୀର୍ଷ ସମୟ ହୋଇଥିଲେ ମଧ୍ୟ ତାଲାବନ୍ଦର ବହୁ ପୂର୍ବରୁ ନିମନ୍ତ୍ରଣ ଆସିବା ଧୀରେ ଧୀରେ କମି ଆସିଲାଣି, ବୋଲି ମାଗି କୁହନ୍ତି । “ଅଧିକରୁ ଅଧିକ ପୁରୁଷ ଓ ମହିଳା କୁମ୍ମି ଗୀତ ଶିଖୁଛନ୍ତି  ଓ ମନ୍ଦିର କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ଅଧିକ ପସନ୍ଦ କରାଯାଉଛି । ଅନେକ ସ୍ଥାନରେ, ଆମେ ନାରୀ କିନ୍ନର ହୋଇଥିବାରୁ ଆମ ସହିତ ଭେଦଭାବ କରାଯାଉଛି । ପୂର୍ବେ, ଏହି ପ୍ରକାରର କଳା କେବଳ ଲୋକ କଳାକାରମାନେ ପ୍ରଦର୍ଶନ କରୁଥିଲେ ଓ ଅନେକ ନାରୀ କିନ୍ନର ଏହା ସହିତ ଯୋଡି ହୋଇ ରହିଥିଲେ, ହେଲେ, ଏହାର ଜନପ୍ରିୟତା ବଢିବା ସହିତ ସୁଯୋଗ ଧୀରେ ଧୀରେ ହ୍ରାସ ପାଉଛି ।’’

*****

ମଦୁରାଇଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ପୁଡୁକ୍କୋଟ୍ଟାଇ ଜିଲ୍ଲାର ବୀରାଲିମଲାଇ ଟାଉନ୍‌ରେ ବର୍ଷା ମଧ୍ୟ ଗତ ୧୫ ମାସରୁ ଅଧିକ ସମୟ ହେବ ସଂଘର୍ଷ କରିଆସୁଛନ୍ତି । ଅତ୍ୟାବଶ୍ୟକ ଜିନିଷ କିଣିବାକୁ ପାଖରେ ପଇସା ନଥିବାରୁ ତାଙ୍କୁ ତାଙ୍କର ଛୋଟ ଭାଇ ଉପରେ ନିର୍ଭର କରିବାକୁ ପଡିଲା, ଯିଏକି ମେକାନିକାଲ୍‌ ଇଂଜିନିୟରିଂ କରି ଏକ ସ୍ଥାନୀୟ କମ୍ପାନିରେ କାମ କରୁଛନ୍ତି।

ମହାମାରୀ ପୂର୍ବରୁ, ୨୯ ବର୍ଷ ବୟସ୍କ ବର୍ଷା, ଯିଏ ମଦୁରାଇ କାମରାଜ ୟୁନିଭର୍ସିଟିରେ ଲୋକ କଳାରେ ପୋଷ୍ଟ-ଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ଅଧ୍ୟୟନ କରନ୍ତି, ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ଓ ମନ୍ଦିରଗୁଡିକରେ ରାତ୍ରି ସମୟରେ କଳା ପ୍ରଦର୍ଶନ କରି ନିଜର ଜୀବିକାର୍ଜନ କରୁଥିଲେ ଓ ଦିନରେ ଅଧ୍ୟୟନ କରୁଥିଲେ – ବିଶ୍ରାମ କରିବାକୁ କେବଳ ୨-୩ ଘଣ୍ଟା ସମୟ ପାଉଥିଲେ ।

Left: Varsha at her home in Pudukkottai district. Behind her is a portrait of her deceased father P. Karuppaiah, a daily wage farm labourer. Right: Varsha dressed as goddess Kali, with her mother K. Chitra and younger brother K. Thurairaj, near the family's house in Viralimalai
PHOTO • M. Palani Kumar
Left: Varsha at her home in Pudukkottai district. Behind her is a portrait of her deceased father P. Karuppaiah, a daily wage farm labourer. Right: Varsha dressed as goddess Kali, with her mother K. Chitra and younger brother K. Thurairaj, near the family's house in Viralimalai
PHOTO • M. Palani Kumar

ବାମ : ପୁ ଡ଼ୁକ୍କୋଟ୍ଟାଇ ସ୍ଥିତ ତାଙ୍କ ଗୃହରେ ବର୍ଷା । ତାଙ୍କ ପଛରେ କୃଷିଶ୍ରମିକ ଭାବେ କାମ  କରୁଥିବା ତାଙ୍କ ଦିବଙ୍ଗତ ବାପା ପି . କରୁପ୍ପିହାଙ୍କ ପୋଟ୍ରେ ଟ୍ ରହିଛି । ଡାହାଣ : ବର୍ଷା ଦେବୀ କାଳୀଙ୍କ ରୂପରେ , ତାଙ୍କ ମା କେ . ଚିତ୍ରା ଓ ସାନ ଭାଇ କେ . ଥୁରାଇରାଜଙ୍କ ସହିତ , ଭିରାଲିମଲାଇସ୍ଥିତ ତାଙ୍କର ପାରିବାରିକ ଗୃହ ପାଖରେ

ସେ କୁହନ୍ତି ଯେ ସେ ହେଉଛନ୍ତି କଟ୍ଟା କଲ୍‌ ଆଟ୍ଟମ୍‌ ପ୍ରଦର୍ଶନ କରିଥିବା ପ୍ରଥମ ନାରୀ କିନ୍ନର(ସେ ମୋତେ ଏକ ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ଏକ ଆଲେଖ୍ୟ ପଠାଇଥିଲେ, ଯେଉଁଥିରେ ଏହା କୁହାଯାଇଛି)‌। ଏଥିରେ ପ୍ରଦର୍ଶନକାରୀମାନେ ସେମାନଙ୍କ ଗୋଡ଼ରେ ଦୁଇଟି ଲମ୍ବା କାଠ ଗୋଡ଼ବାନ୍ଧି ମ୍ୟୁଜିକ୍‌ର ତାଳେ ତାଳେ ନାଚିଥାନ୍ତି । ନିଜର ଭାରସାମ୍ୟ ରକ୍ଷା କରି ଏପରି ନୃତ୍ୟ କରିବାକୁ ବହୁତ ଅନୁଭବ ଓ ଦକ୍ଷତାର ଆବଶ୍ୟକତା ରହିଛି ।

ବର୍ଷାଙ୍କ ଅଭିନୟ ଭଣ୍ଡାରରେ ଭରି ରହିଛି ଆହୁରି ଅନେକ ପ୍ରକାରର ନୃତ୍ୟ, ଯାହାମଧ୍ୟରୁ ଗୋଟିଏ ହେଉଛି ଥପ୍ପାଟ୍ଟମ ଯେଉଁଥିରେ ପ୍ରଦର୍ଶନକାରୀମାନେ ଥପ୍ପୁ ଏକ ପାରମ୍ପରିକ ଡ୍ରମ୍‌ ଯାହା ମୁଖ୍ୟତଃ ଦଳିତମାନେ ବଜାଇଥାନ୍ତି - ମ୍ୟୁଜିକ୍‌ ତାଳେତାଳେ ନୃତ୍ୟ କରିଥାନ୍ତି । ହେଲେ, ସେ କୁହନ୍ତି ଯେ ଦେଲ୍‌ଭିଗା ନାଦନମ୍‌ ( ଦେବିଙ୍କ ନାଚ) ହେଉଛି ତାଙ୍କର ସବୁଠାରୁ ପ୍ରିୟ । ସେ ତାମିଲନାଡୁର ଜଣେ ଜନପ୍ରିୟ ଲୋକ କଳାକାର ଓ ତାଙ୍କର ଅଭିନୟ ପ୍ରମୁଖ ତାମିଲ ଟେଲିଭିଜନ୍‌ ଚାନେଲ୍‌ରେ ପ୍ରସାରିତ ହୋଇଛି । ଅନେକ ସ୍ଥାନୀୟ ସଂଗଠନ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇଛନ୍ତି ଓ ପ୍ରଦର୍ଶନ କରିବାକୁ ବେଙ୍ଗାଲୁରୁ, ଚେନ୍ନାଇ ଓ ଦିଲ୍ଲୀ ତଥା ଦେଶର ଆହୁରି ଅନେକ ସ୍ଥାନକୁ ଗସ୍ତ କରିଛନ୍ତି ।

ବର୍ଷା (ସେ ଯେଉଁନାମ ବ୍ୟବହାର କରିବାକୁ ଚାହାନ୍ତି) ୨୦୧୮ରେ  ଗଠନ ହୋଇଥିବା ଅର୍ଦ୍ଧନାରୀ କଳାଇ କୁଲୁ, ଏକ ନାରୀ କିନ୍ନର କଳାକାର ଦଳର ସଂସ୍ଥାପକ ସଦସ୍ୟ ଅଟନ୍ତି, ଯାହାର ସାତଜଣ ସଦସ୍ୟ ମଦୁରାଇ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବସବାସ କରନ୍ତି । ପ୍ରଥମ ଓ ଦ୍ୱିତୀୟ କୋଭିଡ୍‌ ଲହରି ପୂର୍ବରୁ ସେ ଜାନୁଆରିରୁ ଜୁନ୍‌ ମଧ୍ୟରେ ଅତିକମ୍‌ରେ ୧୫ଟି ନିମନ୍ତ୍ରଣ ପାଉଥିଲେ। “ଆମେ ଅତିକମ୍‌ରେ ମାସକୁ ୧୦,୦୦୦ଟଙ୍କା (ପ୍ରତ୍ୟେକ) ଉପାର୍ଜନ କରିପାରୁଥିଲୁ,” ବୋଲି ବର୍ଷା କୁହନ୍ତି ।

“ମୋର କଳା ହେଉଛି ମୋର ଜୀବନ । “ଆମେ ପ୍ରଦର୍ଶନ କଲେ ଯାଇ ଖାଇବାକୁ ପାଇଥାଉ । ସେହି ପ୍ରଥମ ଛଅମାସରେ ଆମେ ଯାହା ଉପାର୍ଜନ କରୁ, ତାହା ଆମେ ପରବର୍ତ୍ତୀ ଛଅମାସରେ ଆମପାଇଁ ଖର୍ଚ୍ଚ କରିଥାଉ ।’’ତାଙ୍କ ପାଇଁ ତଥା ଅନ୍ୟ ଟ୍ରାନ୍ସ ମହିଳାଙ୍କ ପାଇଁ ସେମାନଙ୍କର ଉପାର୍ଜନ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାକୁ ପ୍ରାୟତଃ ପର୍ଯ୍ୟାପ୍ତ ହୋଇଯାଏ । “ହେଲେ, କେବେମଧ୍ୟ ସେଥିରୁ କିଛି ସଞ୍ଚୟ କରି ରଖିବା ସମ୍ଭବ ହୋଇପାରେନାହିଁ,” ବୋଲି ସେ କୁହନ୍ତି । “ସଞ୍ଚୟ କରିବାକୁ ଆମେ ଅସମର୍ଥ ହେବାର କାରଣ ହେଉଛି ଆମକୁ ବେଶପୋଷାକ, ଗସ୍ତ ଓ ଖାଦ୍ୟ ଆଦିର ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ । ଆମେ ଯେତେବେଳେ ଋଣ କରିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉ, ଆମର ଅନୁରୋଧ ଗ୍ରହଣ କରାଯାଏନାହିଁ । ଆମେ ଅନ୍ୟ କୌଣସି ବ୍ୟାଙ୍କରୁ ମଧ୍ୟ ଋଣ କରିବାକୁ ସମର୍ଥ ହେଇପାରୁନୁ (ଆବଶ୍ୟକ କାଗଜପତ୍ର ନଥିବାରୁ)। ଆମେ ଏପରି ଏକ ପରିସ୍ଥିତିରେ ଅଛୁ ଯେଉଁଠି ଆମେ ମାତ୍ର୧୦୦ଟଙ୍କାରେ ମଧ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛୁ’’।

Varsha, a popular folk artist in Tamil Nadu who has received awards (displayed in her room, right), says 'I have been sitting at home for the last two years'
PHOTO • M. Palani Kumar
Varsha, a popular folk artist in Tamil Nadu who has received awards (displayed in her room, right), says 'I have been sitting at home for the last two years'
PHOTO • M. Palani Kumar

ବର୍ଷା , ତାମିଲନାଡୁର ଜଣେ ଜନପ୍ରିୟ ଲୋକ କଳାକାର ଯିଏ ଅନେକ ପୁରସ୍କାର ପାଇଛନ୍ତି , ( ଡାହାଣରେ , ତାଙ୍କ ପ୍ରକୋଷ୍ଠରେ ପ୍ରଦର୍ଶିତ ହୋଇଛି ), କୁହନ୍ତି ମୁଁ ଗତ ଦୁଇ ବର୍ଷ ହେବ ଘରେ ବସି ରହିଛି

ବର୍ଷାଙ୍କୁ ପାଖାପାଖି ୧୦ବର୍ଷ ହୋଇଥିବା ବେଳେ ଓ ସେ ୫ମ ଶ୍ରେଣୀରେ ପଢିବାବେଳେ ପ୍ରଥମେ ସେ ଜଣେ କିନ୍ନର ବୋଲି ଜାଣିବାକୁ ପାଇଥିଲେ, ଆଉ ପ୍ରଥମଥର ପାଇଁ ୧୨ବର୍ଷରେ ଏକ ସ୍ଥାନୀୟ ପର୍ବ ପାଳନ ସମୟରେ ମଞ୍ଚ ଉପରେ ଲୋକ ନୃତ୍ୟ ପ୍ରସ୍ତୁତ କରିଥିଲେ । ହେଲେ, ବିଶ୍ୱବିଦ୍ୟାଳୟସ୍ତରରେ ଲୋକକଳା ପାଠ୍ୟକ୍ରମରେ ନାମ ଲେଖାଇବା ପରେ ଯାଇ ସେ ଏଥିରେ ଔପଚାରିକ ପ୍ରଶିକ୍ଷଣ ପାଇପାରିଥିଲେ ।

“ ମୋର ପରିବାର ମୋତେ ଗ୍ରହଣ କରିବାକୁ ମନାକଲା ଆଉ ୧୭ ବର୍ଷ ବୟସରେ ମୋତେ ଗୃହ ତ୍ୟାଗ କରିବାକୁ ପଡ଼ିଲା । ପରେ, କିନ୍ତୁ କେବଳ ଲୋକକଳାରେ ମୋର ପ୍ରବଳ ରୁଚି ରହିଥିବା ଦେଖି ମୋର ପରିବାର (ସମୟକ୍ରମେ) ମୋତେ ଗ୍ରହଣ କଲା,” ବୋଲି ବୀରଲିମଲାଇ ଗ୍ରାମରେ ନିଜ ମା’( ପୂର୍ବେ ଫାର୍ମ ଶ୍ରମିକ ଭାବେ କାମ କରୁଥିଲେ) ଓ ସାନଭାଇଙ୍କ ସହିତ ରହୁଥିବା ବର୍ଷା କୁହନ୍ତି ।

“ ହେଲେ, ଆଜିକୁ ଦୁଇ ବର୍ଷ ହେବ ମୁଁ ଘରେ ବସିରହିଛି (ମାର୍ଚ୍ଚ ୨୦୨୦ରେ ପ୍ରଥମ ତାଲାବନ୍ଦ ହେବା ପରଠାରୁ । ଆମେ କାହାଠାରୁ କୌଣସି ପ୍ରକାରର ରିଲିଫ୍‌ ମଧ୍ୟ ପାଇନାହୁଁ (କେବଳ କେତେକ ବନ୍ଧୁମାନଙ୍କ ବ୍ୟତୀତ) । ମୁଁ ସହାୟତା ପାଇବା ପାଇଁ ବିଭିନ୍ନ ଏନ୍‌ଜିଓ ଓ ବ୍ୟକ୍ତିବିଶେଷଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛି । ଏପରିକି ଯେଉଁମାନେ ଗତବର୍ଷ ଆମର ସହାୟତା କରିଥିଲେ, ସେମାନେ ଚଳିତ ବର୍ଷ ତାହା କରିବାକୁ ସମର୍ଥ ହୋଇପାରିଲେ ନାହିଁ,” ବୋଲି ସେ କୁହନ୍ତି । “ଗ୍ରାମାଞ୍ଚଳର କିନ୍ନର ଲୋକ କଳାକାରମାନେ ମଧ୍ୟ ସରକାରଙ୍କଠାରୁ କୌଣସି ପ୍ରକାର ଆର୍ଥିକ ସହାୟତା ପାଇନାହାନ୍ତି । ଗତ ବର୍ଷ ପରି, ଚଳିତ ବର୍ଷ ମଧ୍ୟ ଆମକୁ ବିନା କାମରେ ହନ୍ତସନ୍ତ ହେବାକୁ ଛାଡି ଦିଆଯାଇଛି । ଆମେମାନେ ଦୃଷ୍ଟିର ଅଗୋଚରରେ ରହିଯାଇଛୁ ।

ଏହି କାହାଣୀ ପାଇଁ ସମସ୍ତ ସାକ୍ଷାତ ଫୋନ୍‌ ମାଧ୍ୟମରେ କରାଯାଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Reporting : S. Senthalir

S. Senthalir is an independent journalist based in Ranibennur town of Haveri district in Karnataka, and a 2020 PARI Fellow.

Other stories by S. Senthalir
Photographs : M. Palani Kumar

M. Palani Kumar is a 2019 PARI Fellow, and a photographer who documents the lives of the marginalised. He was the cinematographer for ‘Kakoos’, a documentary on manual scavengers in Tamil Nadu by filmmaker Divya Bharathi.

Other stories by M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE