html ଲକଡାଉନ ସଡ଼କରେ ଜମଲୋଙ୍କ ଶେଷ ଯାତ୍ରା

ଜମଲୋର ବୟସ ୧୨ ବର୍ଷ ଥିଲା। ଗତ ଫେବୃଆରୀ ମାସରେ ସେ ତେଲଙ୍ଗାନାର ଲଙ୍କା କ୍ଷେତରେ କାମ କରିବାକୁ ଯାଇଥିଲା। ଲକଡାଉନ୍‌ ଜାରି ହେବା ପରେ ସେ ଅନ୍ୟ ଶ୍ରମିକମାନଙ୍କ ସହିତ ଘରକୁ ଫେରୁଥିଲା। କିନ୍ତୁ ଲଗାତାର ୩ ଦିନ ଚାଲିବା ପରେ ଏପ୍ରିଲ ୧୮ ତାରିଖରେ ପ୍ରାଣ ହରାଇଥିଲେ।

“ଆମକୁ ନକହି ସେ ନିଜ ସାଙ୍ଗ ଓ ଅନ୍ୟ ଗ୍ରାମବାସୀଙ୍କ ସହିତ ଗାଁ ଛାଡ଼ି ଚାଲିଯାଇଥିଲା। ଆମେ ପରଦିନ ଏ ସମ୍ପର୍କରେ ଜାଣିବାକୁ ପାଇଲୁ,” ତାଙ୍କ ମା’ ସୁକମତୀ ମଡକମ କୁହନ୍ତି। ତାଙ୍କ ପରିବାର ମଜୁରିଆ ଆଦିବାସୀ ସମ୍ପ୍ରଦାୟର ।

ଛତିଶଗଡ଼ର ବସ୍ତର କ୍ଷେତ୍ର ଅନ୍ତର୍ଗତ ବିଜାପୁର ଜିଲ୍ଲାର ଆଦେଡ ଗ୍ରାମକୁ ଏହି ୧୨ ବର୍ଷୀୟ ବାଳିକା ଫେରୁଥିଲା। ତେଲଙ୍ଗାନାର ମୁଲୁଗୁ ଜିଲ୍ଲାରେ ଥିବା କାନ୍ନାଇଗୁଡେମ ଗ୍ରାମ ନିକଟରେ ଥିବା ଲଙ୍କା କ୍ଷେତରେ କାମ କରିବା ଲାଗି ଅନ୍ୟ ୧୧ ଜଣ ଶ୍ରମିକମାନଙ୍କ ସହିତ ସେ ଯାଇଥିଲା, ଏମାନଙ୍କ ମଧ୍ୟରେ କିଛି ପିଲା ମଧ୍ୟ ଥିଲେ। (ଉପରେ ଦିଆଯାଇଥିବା କଭର ଫଟୋରେ ସେଭଳି ଏକ ଦଳ ମେ ୭ ତାରିଖରେ ରାସ୍ତାରେ ଚାଲି ଆସୁଥିବାର ଦୃଶ୍ୟ)। ସେଠାରେ ସୋମାନେ ଲଙ୍କା ତୋଳୁଥିଲେ, ସେମାନଙ୍କୁ ଦୈନିକ ୨୦୦ଟଙ୍କା କିମ୍ବା ପୂର୍ବ ବ୍ୟବସ୍ଥିତ ପଇଠ ଆକାରରେ ଲଙ୍କା ବସ୍ତା ମିଳୁଥିଲା। (ଲଙ୍କା କ୍ଷେତରେ ଥିବା ପିଲାମାନେ)

“ଜମଲୋ ନିଜ ସାଙ୍ଗ ଏବଂ ଅନ୍ୟ ଗ୍ରାମବାସୀଙ୍କ ସହିତ କାମ କରିବାକୁ ଯାଇଥିଲା। କିନ୍ତୁ ଯେତେବେଳେ କାମ ବନ୍ଦ ହୋଇଗଲା, ସେମାନେ ଫେରୁଥିଲେ। ସେମାନେ ଯେତେବେଳେ ପେରୁରୁ ଗ୍ରାମ (ମୁଲୁଗୁ ଜିଲ୍ଲା ଅନ୍ତର୍ଗତ) ଛାଡ଼ିଲେ ମୁଁ ତା’ଠାରୁ ଏକ ଫୋନ୍‌ କଲ୍‌ ପାଇଥିଲି। ଏହାପରେ ଶେଷଥର ପାଇଁ ଅନ୍ୟ ଗ୍ରାମବାସୀମାନେ ମୋତେ ଫୋନ୍‌ କଲେ ଏବଂ ମୋ ପିଲାର ମରିବା ଖବର ଦେଲେ”, କହିଛନ୍ତି ଜମଲୋଙ୍କ ବାପା ଆନ୍ଦୋରାମ।  ସେ ଓ ସୁକମତି ଆଦେଡ ଗ୍ରାମର ଅନ୍ୟ ଆଦିବାସୀ ବାସିନ୍ଦାଙ୍କ ଭଳି ଜଙ୍ଗଲ ଜାତ ସାମଗ୍ରୀ ସଂଗ୍ରହ, ଛୋଟ ଛୋଟ ଜମିରେ ଧାନ, ଚଣା ଏବଂ ଅନ୍ୟ ଫସଲ ଚାଷ କରି, ଏବଂ କୃଷି ଶ୍ରମିକ କିମ୍ବା ଏମଜିଏନଆରଇଜିଏ ଶ୍ରମିକ ଭାବେ କାମ କରି ଜୀବନ ନିର୍ବାହ କରିଥାନ୍ତି।

“ଦୁଇ ମାସ ପୂର୍ବେ, ଜମଲୋ ଶ୍ରମିକ ଭାବେ କାମ କରିବାକୁ ତେଲେଙ୍ଗାନାକୁ ଯାଇଥିଲା। କିନ୍ତୁ ଲକଡାଉନ୍‌ ଲାଗୁ ହେବା କାରଣରୁ କାମ ବନ୍ଦ ହୋଇଗଲା। ଶ୍ରମିକମାନେ ସେମାନଙ୍କ ଘରକୁ ଫେରିବା ଲାଗି ବ୍ୟାକୁଳ ହେଉଥିଲେ। ପାଖରେ ଯେତିକି ଟଙ୍କା ଥିଲା ସବୁ ସରିଯାଇଥିଲା ଏବଂ ସେମାନଙ୍କ ଠିକାଦାର ସେମାନଙ୍କୁ ଫେରିଯିବା ଲାଗି କହିଥିଲା”, କୁହନ୍ତି ବିଜାପୁରର ସାମ୍ବାଦିକ ପୁଷ୍ପା ଉସେଣ୍ଡି ରୋକଡେ। ପୁଷ୍ପା ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟର ଏବଂ ସେ ଜଗଦଲପୁରର ଏକ ସମ୍ବାଦପତ୍ର ପାଇଁ ଖବର ସଂଗ୍ରହ କରିଥାନ୍ତି।
Sukmati with her younger daughter Sarita and infant son; she and Andoram Madkam had eight children; five have died, including Jamlo
PHOTO • Kamlesh Painkra
Sukmati with her younger daughter Sarita and infant son; she and Andoram Madkam had eight children; five have died, including Jamlo
PHOTO • Kamlesh Painkra

ସାନ ଝିଅ ସରିତା ଓ ଶିଶୁପୁତ୍ର ସହିତ ସୁକମତି (ବାମ; ତାଙ୍କର ଓ ଆନ୍ଦୋରାମ ମାଡ଼କାମଙ୍କର ୮ ଜଣ ପିଲାଙ୍କ ମଧ୍ୟରୁ ଜମଲୋ (ଡାହାଣ)ଙ୍କୁ ମିଶାଇ ୫ ଜଣ ମୃତ୍ୟୁବରଣ କରିସାରିଛନ୍ତି

ଲକଡାଉନ୍‌ ସମୟରେ ଯାତାୟାତର କୌଣସି ମାର୍ଗ ନଥିବାରୁ ଶ୍ରମିକମାନେ ୧୭୦-୨୦୦ କିମି ଦୂର (ଭିନ୍ନ ଭିନ୍ନ ମାର୍ଗ ଉପରେ ଆଧାରିତ ଦୂରତା) କାନ୍ନାଗୁଡେମରୁ ଆଦେଡ ଗ୍ରାମକୁ ଚାଲି ଚାଲି ଫେରିବା ଆରମ୍ଭ କରିଥିଲେ। ସେମାନେ ଏପ୍ରିଲ ୧୬ ତାରିଖରେ ଜଙ୍ଗଲ ରାସ୍ତା ଦେଇ ଚାଲିବା ଆରମ୍ଭ କରିଥିଲେ, କାରଣ ମୁଖ୍ୟ ରାସ୍ତା ବନ୍ଦ ଥିଲା। ଫେରିବା ସମୟରେ ରାତି ହେଲେ ସେମାନେ ଗାଁ କିମ୍ବା ଜଙ୍ଗଲରେ ଶୋଇ ପଡ଼ୁଥିଲେ। ଏହା ବେଶ ଯନ୍ତ୍ରଣାଦାୟକ ଯାତ୍ରା ଥିଲା କିନ୍ତୁ ମାତ୍ର ୩ ଦିନରେ ସେମାନେ ୧୦୦ କିମି ଦୂରତା ଅତିକ୍ରମ କରିସାରିଥିଲେ।

ଏପ୍ରିଲ ୧୮ ତାରିଖ ସକାଳ ପ୍ରାୟ ୯ଟା ବେଳକୁ ଚାଲି ଚାଲି ଫେରୁଥିବା ଶ୍ରମିକମାନଙ୍କ ପାଦ ଥକି ଯାଇଥିଲା, ଘର ଆଉ ୬୦ କିମି ବାକି ଥିଲା, ଏହି ସମୟରେ ଜମଲୋଙ୍କ ପ୍ରାଣହାନି ଘଟିଥିଲା। କେତେକ ଖବରରୁ ଜଣାଯାଇଛି ଯେ ତାଙ୍କର ପେଟ ଯନ୍ତ୍ରଣା ଓ ମୁଣ୍ଡବ୍ୟଥା ହେଉଥିଲା ଏବଂ ସେ ପଡ଼ିଯିବାରୁ ତାଙ୍କର ଏକ ହାଡ଼ ଭାଙ୍ଗିଯାଇଥିଲା। ତେବେ ପ୍ରକୃତ ଡାକ୍ତରୀ ରିପୋର୍ଟ ଆମ ପାଖରେ ନଥିଲା।

“ସେ ଏକ ଛୋଟ ଝିଅ ଥିଲା ଏବଂ ତିନି ଦିନ ପର୍ଯ୍ୟନ୍ତ ବହୁତ ବାଟ ଚାଲିସାରିଥିଲା (ପାଖାପାଖି ୧୪୦ କମି)। ଘରେ ପହଞ୍ଚିବାକୁ ଆଉ ୫୫ରୁ ୬୦ କିମି ବାକି ଥିବା ସମୟରେ ସେ ପଡ଼ିଯାଇ ପ୍ରାଣ ହରାଇଥିଲା”, ବୋଲି ଆମକୁ ଫୋନ୍‌ ଯୋଗେ କହିଛନ୍ତି ବିଜାପୁରର ମୁଖ୍ୟ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଅଧିକାରୀ ଡା. ବି. ଆର. ପୂଜାରୀ। “ଥକାପଣ ଓ ମାଂସପେଶୀ ଥକିଯିବା କାରଣରୁ ସେ ପ୍ରାଣ ହରାଇଥାଇପାରନ୍ତି, ଯାହାକି ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡ଼ିନପାରେ। ସେ ମଧ୍ୟ ପୂର୍ବ ଦିନ ରାସ୍ତାରେ ପଡ଼ି, ଆଘାତପ୍ରାପ୍ତ ହୋଇଥିବା ଅନ୍ୟ ଶ୍ରମିକମାନେ କହିଛନ୍ତି”।

ଡା. ପୂଜାରୀ ତାଙ୍କର ମୃତ୍ୟୁ ସମ୍ପର୍କରେ ଦିନ ପ୍ରାୟ ୧୧ଟା ସମୟରେ ଖବର ପାଇଥିଲେ । “ମୁଁ ଯେତେବେଳେ ଏକ ଆମ୍ବୁଲାନ୍ସ ପଠାଇଲି ସେମାନେ ଶବ ସହିତ ପାଖାପାଖି ୫-୬ କିମି ଚାଲି ଆସିସାରିଥିଲେ,” ସେ କୁହନ୍ତି। ବିଜାପୁର ଜିଲ୍ଲା ଡାକ୍ତରଖାନାକୁ ଜମଲୋଙ୍କ ମୃତଦେହ ଆଣିବା ଲାଗି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ଉସୁର)ରୁ ଆମ୍ବୁଲାନ୍ସ ପଠାଯାଇଥିଲା। “ଦଳର ଅନ୍ୟ ୧୧ ଜଣ ଶ୍ରମିକମାନଙ୍କୁ କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ,  ସଙ୍ଗରୋଧକୁ ପଠାଯାଇଥିଲା”, ଏହି ଘଟଣା ପରେ ଡାକ୍ତର ପୂଜାରୀ ଗଣମାଧ୍ୟମକୁ କହିଛନ୍ତି।

ଭାରତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲକଡାଉନ୍‌ର ଘାତକ ପ୍ରଭାବ ସମ୍ପର୍କରେ ସାଧାରଣରେ ଖବର ପ୍ରକାଶ ପାଇବା କଷ୍ଟକର ଥିଲା କିନ୍ତୁ ଜମଲୋ ମାଡ଼କାମଙ୍କ ଗାହାଣୀ ଗଣମାଧ୍ୟରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା।

Jamlo's parents, Sukmati and Andoram; the family are Muria Adivasis
PHOTO • Vihan Durgam

ଜମଲୋଙ୍କ ମାତାପିତା, ସୁକମତି ଓ ଆନ୍ଦୋରାମ, ଏମାନେ ମୁରିଆ ଆଦିବାସୀ ପରିବାରର

ରାସ୍ତାରେ ପ୍ରାଣ ହରାଇଥିବା ଜମଲୋ ଜଣେ ପ୍ରବାସୀ ଶ୍ରମିକ ହୋଇଥିବାରୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ତାଙ୍କର କରୋନା ଭୂତାଣୁ ପରୀକ୍ଷା କରିଥିଲେ। ଶନିବାର (ଏପ୍ରିଲ ୧୮) ତାରିଖ ସକାଳେ ତାଙ୍କର ନମୁନା ପରୀକ୍ଷା ପାଇଁ ଜଗଦଳପୁରକୁ ପଠାଯାଇଥିଲା ଏବଂ ରବିବାର ସନ୍ଧ୍ୟାରେ ରିପୋର୍ଟ ନେଗେଟିଭ ଆସିଥିଲା ବୋଲି ଡା. ପୂଜାରୀ ଗଣମାଧ୍ୟମକୁ କହିଛନ୍ତି। ବ୍ୟବଚ୍ଛେଦ ପ୍ରକ୍ରିୟା ସରିବା ପରେ ସୋମବାର ଦିନ ତାଙ୍କର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

“ମୁଁ ଆଠ ଜଣ ପିଲାଙ୍କୁ ଜନ୍ମ ଦେଇଥିଲି । ସେମାନଙ୍କ ମଧ୍ୟରୁ୪  ଜଣ ଆଣ୍ଠେଇବା ବୟସରେ ଆରପାରିକୁ ଚାଲିଗଲେ । ଏବେ ଜମଲୋ ମଧ୍ୟ ଚାଲିଗଲା,” ଏହି ସ୍ତମ୍ଭର ସହ ଲେଖକ କମଳେଶ ପାଇଁକ୍ରା (ସେ ବିଜାପୁର ଅଞ୍ଚଳର ଜଣେ ସାମ୍ବାଦିକ ଯିଏକି ଉତ୍ତର ଛତିଶଗଡ଼ର କଅଁର ଆଦିବାସୀ ସମ୍ପ୍ରଦାୟର)ଙ୍କୁ ତା’ର ମା’ ସୁକମତି ଦେବୀ କହିଛନ୍ତି।

ସୁକମତି ଓ ଆନ୍ଦୋରାମଙ୍କର ଆଉ ତିନି ଜଣ ପିଲା ରହିଛନ୍ତି ।  ସେମାନଙ୍କ ମଧ୍ୟରୁ ବୁଧରାମ (୧୪) କିଛି ଦିନ ପୂର୍ବରୁ ପାଠପଢ଼ା ଛାଡ଼ି ଦେଇଛି । ଆମେ (ପାଇଁକ୍ରାଙ୍କ ସହିତ) ଯେତେବେଳେ ଜମଲୋଙ୍କ ଗାଁକୁ ଯାଇଥିଲୁ ସେ କେନ୍ଦୁ ପତ୍ର ବାନ୍ଧିବା ଲାଗି ରଶି ତିଆରି କରିବା ନିମନ୍ତେ ଗଛ ଛାଲି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲା। ତାଙ୍କର ୬ ବର୍ଷୀୟା ସାନ ଝିଅ ସରିତା ଗାଁ ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢ଼ୁଛି, ସେ ଗାଁରେ ଥିବା ନଳକୂଅ ନିକଟରେ ଗାଧୋଉ ଥିଲା। ସେମାନଙ୍କର ଦୁଇ ବର୍ଷର ଭାଇ ଘରେ ମା’ ସହିତ ଥିଲା।

ମାଡ଼କାମ ପରିବାର ୧୦-୧୨ ବର୍ଷ ହେବ ରାସନ କାର୍ଡରୁ ବଞ୍ଚିତ ଅଛନ୍ତି। ପୂର୍ବରୁ ସେମାନଙ୍କ ପାଖରେ ଥିବା ରାସନ କାର୍ଡ ବୈଷୟିକ କାରଣରୁ ବାତିଲ ହୋଇଯାଇଛି। ଅଳ୍ପ ରୋଜଗାରରେ ସେମାନେ ନିକଟସ୍ଥ ଖୋଲା ବଜାରରୁ ଅଧିକ ଦର ଦେଇ ଚାଉଳ ଓ ଅନ୍ୟ ଜରୁରି ସାମଗ୍ରୀ କିଣିଥାଆନ୍ତି। ଜମଲୋ ମୃତ୍ୟୁବରଣ କରିବା ପରେ ସେମାନଙ୍କୁ ଏକ ନୂଆ ବିପିଏଲ (ଦାରିଦ୍ର୍ୟ ସୀମା ରେଖା ତଳେ) କାର୍ଡ ମିଳିଛି। ଏଥିରେ ମଧ୍ୟ ଭୁଲ ରହିଛି- ଏଥିରେ ମାଡ଼କାମ ପରିବାରର ୪ ଜଣ ସଦସ୍ୟ ଥିବା ଉଲ୍ଲେଖ ରହିଛି, ଯଦିଓ ସେମାନେ ୫ ଜଣ। ବୁଦ୍ଧରାମ ଏବଂ ସରିତାଙ୍କ ବୟସ ଭୁଲ ତାଲିକାଭୁକ୍ତ | (ଜାମଲୋଙ୍କ ଆଧାର କାର୍ଡରେ ମଧ୍ୟ ତାଙ୍କ ନାମ ଇଂରାଜୀରେ ଜୀତା ମାଡକାମି ଭାବରେ ଭୁଲ ଭାବରେ ଉଲ୍ଲେଖ କରାଯାଇଥିଲା।)

ଜମଲୋ ଗାଁ ସ୍କୁଲରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲା, କିନ୍ତୁ ତା’ ପରେ ଘରେ ଥିବା ୪ଟି ବଳଦ (ସେଥିମଧ୍ୟରୁ ଗୋଟିଏ ନିକଟରେ ପ୍ରାଣ ହରାଇଛି) ଚରାଇବାକୁ ପାଠପଢ଼ା ଛାଡ଼ି ଦେଇଥିଲା। ତାଙ୍କ ପରିବାର କିଛି କୁକୁଡ଼ା ମଧ୍ୟ ପାଳିଛନ୍ତି।

ତାଙ୍କ ଗ୍ରାମ ଆଦେଡ଼- ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ୪୦୦କିମି ଦୂର ଉପାନ୍ତ ଅଞ୍ଚଳରେ ରହିଛି। ଆଦେଡ଼ରେ ପହଞ୍ଚିବାକୁ ହେଲେ ଆପଣଙ୍କୁ ବିଜାପୁର ଠାରୁ ୩୦ କିମି ଦୂର ପକ୍କା ରାସ୍ତା ଦେଇ ତୋୟନାର ଗାଁରେ ପହଞ୍ଚିବାକୁ ପଡ଼ିଥାଏ। ଏହାପରେ ମାଟି ରାସ୍ତାରେ ଯିବାକୁ ପଡ଼ିଥାଏ ଏବଂ ବାଟରେ ଦୁଇଟି ଝରଣା ପାର କରିବାକୁ ହୁଏ।

Jamlo's parents, Sukmati and Andoram; the family are Muria Adivasis
PHOTO • Venketesh Jatavati

ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଲଙ୍କା କ୍ଷେତରୁ ପାଦରେ ଚାଲି ଚାଲି ଫେରୁଛନ୍ତି ଓଡ଼ିଶା ଓ ଛତିଶଗଡ଼ର ଶ୍ରମିକ

ଆଦେଡ଼ ଗ୍ରାମରେ ୪୨ ପରିବାର ରହିଛନ୍ତି, ଏହା ମୋର୍ମଡେ ଗ୍ରାମ ପଞ୍ଚାୟତ ଅଧୀନରେ ଆସିଥାଏ ବୋଲି କୁହନ୍ତି ୱାର୍ଡ ସଦସ୍ୟ ତଥା ମାଦିଆ ଆଦିବାସୀ ସମ୍ପ୍ରଦାୟର ବୁଧରାମ କବାସୀ।  ଗାଁରେ ମୁଖ୍ୟତଃ ୪ଟି ସମ୍ପ୍ରଦାୟର ଲୋକମାନେ ବାସ କରନ୍ତି- ମୁରିଆ ଓ ମାଦିଆ ଆଦିବାସୀ ଏବଂ କାଲାର ଓ ରାଉତ ଅନ୍ୟାନ୍ୟ ପଛୁଆ ବର୍ଗ ସମୁଦାୟ।

“ଜମଲୋକୁ ମାତ୍ର ୧୨ ବର୍ଷ ହୋଇଥିଲା ଓ ସେ ଆନ୍ଧ୍ରା (ତେଲଙ୍ଗାନା)କୁ ପ୍ରଥମ ଥର ପାଇଁ ଲଙ୍କା ତୋଳିବାକୁ ଯାଇଥିଲା। ଏ ଗାଁର ଲୋକମାନେ ସାଧାରଣତଃ କାମ ପାଇଁ ଅନ୍ୟ ରାଜ୍ୟକୁ ଯାଇନଥାନ୍ତି। ତେବେ ସେମାନେ ତୋୟନାର କିମ୍ବା ବିଜାପୁରକୁ ଯାଇଥାନ୍ତି”, ବୁଧରାମ କୁହନ୍ତି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଜମଲୋଙ୍କ ମୃତ୍ୟୁ ଘଟଣାକୁ ଗୁରୁତର ସହିତ ନେଇଥିଲେ। ଏପ୍ରିଲ ୨୧ ତାରିଖରେ ଏକ ଟୁଇଟ କରି ସେ କହିଥିଲେ, “ବିଜାପୁରର ୧୨ ବର୍ଷୀୟା ବାଳିକା ଜମଲୋ ମଡ଼କାମଙ୍କ ଦୁଃଖଦ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ। ଏହି ସଙ୍କଟ ସମୟରେ ମୁଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଏବଂ ସ୍ୱେଚ୍ଛାକୃତ ଅନୁଦାନରୁ ୪ ଲକ୍ଷ ଟଙ୍କା ଦେଉଛି। ଏହି ପ୍ରସଙ୍ଗରେ ତଦନ୍ତ କରି ରିପୋର୍ଟ ଦେବାକୁ ବିଜାପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି”।

ଶ୍ରମ ବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଛି। ଜମଲୋ ଗାଁର ଜଣେ ମହିଳା ଏବଂ ତେଲଙ୍ଗାନାର କାନ୍ନାଇଗୁଡେମ ଗ୍ରାମର ଜଣେ ଶ୍ରମିକ ଠିକାଦାର ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଠିକାଦାର ଭାବେ ପଞ୍ଜିକୃତ ନହୋଇ ସୁଦ୍ଧା ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ଓ ଶିଶୁ ଶ୍ରମିକ ଚାଲାଣ ଅଭିଯୋଗରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଛତିଶଗଡ଼ର ସୀମାବର୍ତ୍ତୀ ବିଜାପୁର, ସୁକମା ଓ ଦାନ୍ତେୱାଡାର ଅଧିକାଂଶ ଲୋକ କାମ ସନ୍ଧାନରେ ବାହାରକୁ ଚାଲିଯାଇଥାନ୍ତି – ଏମାନଙ୍କ ମଧ୍ୟରୁ କେତେକ ନକ୍ସଲ ଆନ୍ଦୋଳନ ଯୋଗୁଁ ପ୍ରଭାବିତ, ସମସ୍ତେ ଜୀବିକା ସନ୍ଧାନରେ ରହିଛନ୍ତି । ସେମାନେ ସାଧାରଣତଃ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ବଡ଼ ବଡ଼ ଲଙ୍କା କ୍ଷେତରେ କାମ କରିବାକୁ ଯାଇଥାନ୍ତି। ଲଙ୍କା ସେମାନଙ୍କ ଖାଦ୍ୟରେ ଏକ ପ୍ରମୁଖ ଉପାଦାନ, ତେଣୁ ଅନେକ ମଜୁରି ହିସାବରେ ଗାଁକୁ ଲଙ୍କା ନେଇ ଆସିଥାନ୍ତି।

ନିଜ ପରିବାର ପାଇଁ କିଛି ଆଣିବା ଆଶାରେ ଜମଲୋ ମଧ୍ୟ ଯାଇଥିଲା । କିନ୍ତୁ ଏହି ୧୨ ବର୍ଷୀୟା ବାଳିକା ପାଇଁ ଘରକୁ ଫେରିବାର ରାସ୍ତା ଖୁବ ଲମ୍ବା ପ୍ରମାଣିତ ହେଲା।

ଅନୁବାଦ: ଓଡ଼ିଶାଲାଇଭ୍‍


This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Purusottam Thakur
purusottam25@gmail.com

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur
Kamlesh Painkra

Kamlesh Painkra is a journalist based in Bijapur, Chhattisgarh; he works with the ‘Navbharat’ Hindi daily.

Other stories by Kamlesh Painkra