ରେହାନା ବିବି ଫେବୃଆରୀ ୭ ତାରିଖ, ୨୦୨୧ ସକାଳ ୧୦:୩୦ ସମୟରେ ତାଙ୍କ ସ୍ୱାମୀ ଅନସ ଶେଖଙ୍କୁ ଫୋନ ଲଗାଇଥିଲେ, କିନ୍ତୁ ଯୋଗାଯୋଗ ହୋଇନପାରିବା କାରଣରୁ ସେ ଏତେଟା ଚିନ୍ତିତ ହେଲେ ନାହିଁ। ସେ ମାତ୍ର ଦୁଇ ଘଣ୍ଟାରୁ କମ ସମୟ ତଳେ କଥା ହୋଇଥିଲେ। “ସେଦିନ ସକାଳେ ତାଙ୍କ ଜେଜେ ମା’ଙ୍କ ଦେହାନ୍ତ ହୋଇଥିଲା”, ରେହାନା କହିଥିଲେ, ଯିଏକି ଏହି ଖବର ଦେବା ଲାଗି ତାଙ୍କୁ ସକାଳ ୯ଟା ବେଳେ ଫୋନ କରିଥିଲେ।

“ସେ ଅନ୍ତିମ ସଂସ୍କାରକୁ ଆସିପାରିବେ ନାହିଁ। ସେଥିପାଇଁ ସମାଧି ଦେବା ସମୟରେ ସେ ମୋତେ ଭିଡ଼ିଓ କଲ କରିବା ଲାଗି କହିଛନ୍ତି”, ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ଭଗବାନପୁର ଗ୍ରାମରେ ଥିବା ନିଜର ବଖୁରିକିଆ ଝାଟିମାଟି ଘର ବାହାରେ ବସିଥିବା ୩୩ ବର୍ଷୀୟା ରେହାନା କହିଥିଲେ। ଅନସ ୧,୭୦୦  କିମିରୁ ଅଧିକ ଦୂର – ଉତ୍ତରାଖଣ୍ଡର ଗଢ଼ୱାଲର ପାର୍ବତ୍ୟାଞ୍ଚଳରେ ଥିଲେ। ରେହାନା ପୁଣିଥରେ ତାଙ୍କୁ ଫୋନ କଲେ, କିନ୍ତୁ ଲାଗିଲା ନାହିଁ।

ସେଦିନ ସକାଳେ ରେହାନାଙ୍କ ଦୁଇଟି ଫୋନ କଲ୍ ମଧ୍ୟରେ, ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବିପର୍ଯ୍ୟୟ ଘଟିଥିଲା। ନନ୍ଦା ଦେବୀ ଗ୍ଲେସିୟରର ଗୋଟିଏ ଖଣ୍ଡ ଭାଙ୍ଗି ଯାଇଥିଲା, ଏହି କାରଣରୁ ଅଳକାନନ୍ଦା, ଧୌଲି ଗଙ୍ଗା ଓ ଋଷି ଗଙ୍ଗା ନଦୀରେ ଜଳ ପ୍ରଳୟ ଆରମ୍ଭ ହୋଇଯାଇଥିଲା। ଭୀଷଣ ବନ୍ୟା କାରଣରୁ ଏସବୁ ନଦୀ କୂଳରେ ନିର୍ମିତ ଘର ଭାସି ଯାଇଥିଲା, ଅନେକ ଲୋକ ସେଥିରେ ଫସି ରହିଥିଲେ, ଯେଉଁମାନଙ୍କ ମଧ୍ୟରେ ଏହି କ୍ଷେତ୍ରରେ ଥିବା ଜଳବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ସାମିଲ ଥିଲେ।

ଅନସ ସେମାନଙ୍କ ମଧ୍ୟରୁ ଥିଲେ ଜଣେ। କିନ୍ତୁ ରେହାନା ଜାଣିନଥିଲେ। ସେ ଆହୁରି କିଛି ସମୟ ତାଙ୍କ ସ୍ୱାମୀଙ୍କୁ କଲ କଲେ। ତାଙ୍କ ମନକୁ ଚିନ୍ତା ଘାରିଲା, ଯାହା ତୁରନ୍ତ ଭୟରେ ପରିଣତ ହୋଇଗଲା। “ମୁଁ ବାରମ୍ବାର ଫୋନ କରିଚାଲିଲି”, ସେ କାନ୍ଦି କାନ୍ଦି କହିଥିଲେ। “ମୁଁ ଜାଣିନଥିଲି ଯେ ଆଉ କ’ଣ କରିବାକୁ ହେବ।”

Left: Rehna Bibi with a photo of her husband, Anas Shaikh, who's been missing since the Chamoli disaster. Right: Akram Shaikh works as a lineman in Kinnaur
PHOTO • Parth M.N.
Left: Rehna Bibi with a photo of her husband, Anas Shaikh, who's been missing since the Chamoli disaster. Right: Akram Shaikh works as a lineman in Kinnaur
PHOTO • Parth M.N.

ବାମ : ରେହାନା ବିବି ତାଙ୍କ ସ୍ୱାମୀ, ଅନସ ଶେଖଙ୍କ ଏକ ଫଟୋ ସହିତ, ଯିଏକି ଚମୋଲି ବିପର୍ଯ୍ୟୟ ପରଠାରୁ ନିଖୋଜ ହୋଇଯାଇଛନ୍ତି। ଡାହାଣ : ଅକ୍ରମ ଶେଖ କିନ୍ନୌରରେ ଜଣେ ଲାଇନମ୍ୟାନ ଭାବେ କାମ କରିଥାନ୍ତି।

ଚମୋଲିଠାରୁ ପାଖାପାଖି ୭୦୦ କିମି ଦୂର, ହିମାଚଳ ପ୍ରଦେଶର କିନ୍ନୌରରେ ଥିବା ଅନସଙ୍କ ସାନ ଭାଇ ଅକ୍ରମ ଶେଖ ଟିଭିରେ ଏହି ସମାଚାର ଦେଖିଲେ। “ବନ୍ୟାର ସ୍ଥାନ ସେହି ସ୍ଥାନଠାରୁ ଅଧିକ ଦୂରରେ ନଥିଲା, ଯେଉଁଠି ମୋ ଭାଇ କାମ କରୁଥିଲେ। ମୋତେ ଭୟଙ୍କର ବିପର୍ଯ୍ୟୟର ଭୟ ଘାରୁଥିଲା”, ସେ କହିଥାନ୍ତି।

ପରଦିନ, ୨୬ ବର୍ଷୀୟ ଅକ୍ରମ୍ କିନ୍ନୌର ଜିଲ୍ଲାର ତାପ୍ରି ଗ୍ରାମରୁ ଏକ ବସ୍ ଧରିଲେ ଏବଂ ରୈନୀ (ରୈନୀ ଚକଲତା ଗ୍ରାମ ନିକଟରେ) ଅଭିମୁଖେ ଯାତ୍ରା କଲେ। ସେଠାରେ ଋଷିଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ରହିଛି, ସେଇଠି ଅନସ କାମ କରିଥାନ୍ତି। ସେଠାରେ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଜୀବିତ ଲୋକମାନଙ୍କ ସନ୍ଧାନରେ ନିୟୋଜିତ ଥିଲା। “ମୋ ଭାଇଙ୍କ ସହିତ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ମୁଁ ଭେଟିଲି। ସେ ୫୭ ଜଣିଆ ଦଳରେ ଏକମାତ୍ର ବ୍ୟକ୍ତି ଭାବେ ଜୀବିତ ରହିଥିଲେ। ଅନ୍ୟ ଲୋକମା‍ନେ ଭାସି ଯାଇଥିଲେ।”

ଅକ୍ରମ ଚମୋଲିରୁ ହିଁ ରେହାନାଙ୍କୁ ଫୋନ କଲେ, କିନ୍ତୁ ତାଙ୍କୁ ଏହି ଖବର ଦେବା ଲାଗି ସାହସ ଜୁଟାଇପାରିଲେ ନାହିଁ। “ମୋତେ ଅନସଙ୍କ ଆଧାର କାର୍ଡର ଗୋଟିଏ କପି ଦରକାର ଥିଲା, ସେଥିପାଇଁ ମୁଁ ରେହାନାଙ୍କୁ କହିଲି ଯେ ସେ ମୋତେ ପଠାଇ ଦିଅନ୍ତୁ। ସେ ତୁରନ୍ତ ବୁଝିଗଲେ ଯେ ମୁଁ କାହିଁକି ତାହା ଚାହୁଁଥିଲି”, ସେ କହିଥିଲେ। “ମୋତେ ନିଜ ଭାଇଙ୍କ ବିଷୟରେ ପୁଲିସକୁ ସୂଚନା ଦେବାର ଥିଲା, କାଳେ ତାଙ୍କର ମୃତଦେହ ମିଳିଥିବ।”

୩୫ ବର୍ଷୀୟ ଅନସ, ଋଷିଗଙ୍ଗା ବିଦ୍ୟୁତ ପ୍ରକଳ୍ପର ଏକ ହାଇ ଭୋଲ୍ଟେଜ ଟ୍ରାନ୍ସମିସନ ଲାଇନରେ ଲାଇନମ୍ୟାନ ଭାବେ କାମ କରୁଥିଲେ। ସେ ପ୍ରତି ମାସ ୨୨,୦୦୦ ଟଙ୍କା ରୋଜଗାର କରୁଥିଲେ। ମାଲଦାର କଲିୟାଚକ-ତୃତୀୟ ବ୍ଲକରେ ନିଜ ଗ୍ରାମର ଅଧିକାଂଶ ପୁରୁଷଙ୍କ ଭଳି, ସେ ମଧ୍ୟ ୨୦ ବର୍ଷ ବୟସରୁ କାମ କରିବା ଲାଗି ପଳାୟନ କରିଥିଲେ ଏବଂ ପ୍ରତିବର୍ଷ କିଛି ଦିନ ପାଇଁ ଘରକୁ ଫେରୁଥିଲେ। ନିଖୋଜ ହୋଇଯିବା ପୂର୍ବରୁ, ସେ ୧୩ ମାସରେ ମାତ୍ର ଥରେ ଭଗବାନପୁର ଆସିଥିଲେ।

ଅକ୍ରମ କହିଥାନ୍ତି ଯେ ବିଦ୍ୟୁତ ପ୍ଲାଣ୍ଟରେ ଲାଇନମ୍ୟାନର କାମ ହେଉଛି ବିଦ୍ୟୁତ ଟାୱାର ବସାଇବା, ତାରଗୁଡ଼ିକୁ ଯାଞ୍ଚ କରିବା ଓ ଖରାପ ଥିଲେ ସଜାଡ଼ିବା। ଅକ୍ରମ ମଧ୍ୟ ଏହି କାମ କରୁଥିଲେ ଏବଂ ସେ ମାତ୍ର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବଢ଼ିଥିଲେ। ୨୦ ବର୍ଷ ହେବା ମାତ୍ରେ ସେ ବାହାରକୁ କାମ କରିବାକୁ ଯିବା ଲାଗି ଘର ଛାଡ଼ି ଦେଇଥିଲେ। “ଆମେ କାମ କରିବା ସମୟରେ ଶିଖିଥାଉ,” ସେ କହିଥିଲେ। ଏବେ ସେ କିନ୍ନୌରର ଜଳବିଦ୍ୟୁତ ପ୍ଲାଣ୍ଟରେ କାମ କରୁଛନ୍ତି ଏବଂ ପ୍ରତି ମାସ ୧୮,୦୦୦ ଟଙ୍କା ରୋଜଗାର କରୁଛନ୍ତି।

Rehna wants to support her children's studies by taking up a job
PHOTO • Parth M.N.

ରେହାନା ଚାକିରି କରି ନିଜ ପିଲାମାନଙ୍କୁ ପାଠପଢ଼ାରେ ସହଯୋଗ କରିବା ଲାଗି ଚାହୁଁଛନ୍ତି

ଭଗବାନପୁରର ପୁରୁଷମାନେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବିଦ୍ୟୁତ ପ୍ରକଳ୍ପରେ କାମ କରିବା ଲାଗି ବହୁବର୍ଷ ଧରି ପଳାୟନ କରିବାରେ ଲାଗିଛନ୍ତି। ୫୩ ବର୍ଷୀୟ ଅଖିମୁଦ୍ଦିନ ପାଖାପାଖି ୨୫ ବର୍ଷ ପୂର୍ବେ ଲାଇନମ୍ୟାନ ଭାବେ କାମ କରିବା ଆରମ୍ଭ କରିଥିଲେ। “ମୁଁ ହିମାଚଳ ପ୍ରଦେଶରେ ଥିଲି। ମୁଁ ଯେତେବେଳେ ପ୍ରଥମେ କାମ କରିବା ଆରମ୍ଭ କଲି ମୋତେ ଦିନକୁ ୨.୫୦ ଟଙ୍କା ମିଳୁଥିଲା”, ସେ କୁହନ୍ତି। “ଯେତିକି ହୋଇପାରିବ ଆମେ ସେତିକି ରୋଜଗାର କରିବା ଲାଗି ଚେଷ୍ଟା କରିଥାଉ। କିଛି ଟଙ୍କା ନିଜ ପାଖରେ ରଖିଥାଉ ଏବଂ ବାକି ଘରକୁ ପଠାଇ ଦେଇଥାଉ। ଯାହାଫଳରେ ପରିବାର ବଞ୍ଚି ରହିପାରିବେ”, ଶ୍ରମିକମାନଙ୍କୁ ନେଇ ତାଙ୍କ ପିଢ଼ି ଏକ ନେଟୱର୍କ ଗଢ଼ିଥିଲା ଯାହା ଅନସ ଓ ଅକ୍ରମଙ୍କୁ ସେମାନଙ୍କ ପଦଚିହ୍ନ ଅନୁସରଣ କରିବା ସହଜ କରିଥିଲା।

କିନ୍ତୁ ସେମାନଙ୍କ ଚାକିରି ବିପଦପୂର୍ଣ୍ଣ ଥିଲା। ଅକ୍ରମ ନିଜର ଅନେକ ବନ୍ଧୁମାନଙ୍କୁ ବିଦ୍ୟୁତ ଆଘାତ ପାଇ ମୃତ୍ୟୁବରଣ କରିବା ଏବଂ ଆହତ ହେବା ଦେଖିଥିଲେ। “ଏହା ଭୟାବହ ହୋଇଥାଏ। ଆମକୁ ସାଧାରଣ ସୁରକ୍ଷା ମିଳିଥାଏ। ଯେକୌଣସି ସମୟରେ କିଛି ବି ଘଟିପାରେ।” ଉଦାହରଣ ଭାବେ, ପ୍ରାକୃତିକ ବିପର୍ଯ୍ୟୟ ଯାହା ତାଙ୍କ ଭାଇଙ୍କୁ ଭସାଇ ନେଇଥିଲା (ଅନସ ଏବେ ସୁଦ୍ଧା ନିଖୋଜ ଅଛନ୍ତି; ତାଙ୍କର ମୃତଦେହ ମିଳିନାହିଁ)। “କିନ୍ତୁ ଆମ ପାଖରେ କୌଣସି ବିକଳ୍ପ ନାହିଁ। ଜୀବିତ ରହିବା ଲାଗି ଆମକୁ ରୋଜଗାର କରିବାକୁ ପଡ଼ିଥାଏ।” ମାଲଦାଠାରେ କୌଣସି କାମ ନାହିଁ। ଆମକୁ ଏଠାରୁ ପଳାୟନ କରିବାକୁ ପଡ଼ିବ।”

ମାଲଦା ଦେଶର ସବୁଠୁ ଗରିବ ଜିଲ୍ଲା ମଧ୍ୟରୁ ଅନ୍ୟତମ। ଏହାର ଗ୍ରାମୀଣ ଜନସଂଖ୍ୟାର ଏକ ବଡ଼ ବର୍ଗ ଭୂମିହୀନ ଏବଂ ମଜୁରି ଉପରେ ନିର୍ଭରଶୀଳ। “ଜିଲ୍ଲାରେ ରୋଜଗାରର ମୁଖ୍ୟ ଉତ୍ସ ହେଉଛି କୃଷି”, ମାଲଦାର ବରିଷ୍ଠ ସାମ୍ବାଦିକ, ଶୁଭ୍ରୋ ମୈତ୍ର କହିଥାନ୍ତି। “କିନ୍ତୁ ଲୋକମାନଙ୍କ ପାଖରେ ଛୋଟ ଏବଂ ଖୁବ କମ୍ ଜମି ରହିଛି। ସେଥିମଧ୍ୟରୁ ଅଧିକାଂଶ ଜମି ବନ୍ୟା ଜଳରେ ବୁଡ଼ିଯାଇଥାଏ। ଏହା କୃଷକମାନଙ୍କ ସମେତ କୃଷି ଶ୍ରମିକମାନଙ୍କ ଲାଗି ମଧ୍ୟ ଅସହନୀୟ।” ସେ ଆହୁରି କହିଥାନ୍ତି ଯେ ଜିଲ୍ଲାରେ କୌଣସି ଶିଳ୍ପ ନାହିଁ, ସେଥିପାଇଁ ଏଠାକାର ଲୋକମାନେ କାମ କରିବା ଲାଗି ରାଜ୍ୟ ବାହାରକୁ ଚାଲିଯାଇଥାନ୍ତି।

ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ୨୦୦୭ରେ ପ୍ରକାଶିତ, ଜିଲ୍ଲା ମାନବ ବିକାଶ ରିପୋର୍ଟ : ମାଲଦା , ଶ୍ରମିକମାନଙ୍କ ପ୍ରବାସ ଉପରେ ଆଲୋକପାତ କରିଥାଏ। ରିପୋର୍ଟରେ କୁହାଯାଇଛି ଯେ ଜଳ ସମ୍ପଦର ଅସନ୍ତୁଳିତ ବିତରଣ ଏବଂ ପ୍ରତିକୂଳ କୃଷି-ଜଳବାୟୁ ପରିସ୍ଥିତି ଜିଲ୍ଲାର କୃଷି ଶ୍ରମିକମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଆହୁରି ଧିମା ସହରୀକରଣ, ଶିଳ୍ପ ଗତିବିଧି ଅଭାବ ଓ ଗ୍ରାମୀଣ କ୍ଷେତ୍ରରେ କାମର ଋତୁକାଳୀନ ଅଭାବ ମଜୁରି ସ୍ତରକୁ ହ୍ରାସ କରି ଦେଇଛି, ଏହି କାରଣରୁ ଗରିବ ଶ୍ରମିକମାନେ କାମ ସନ୍ଧାନରେ ଦୂରକୁ ଯିବାକୁ ବାଧ୍ୟ ହୋଇଥାନ୍ତି।

ଏପ୍ରିଲ ପ୍ରଥମ ସପ୍ତାହରେ, ଦେଶରେ କୋଭିଡ-19 ମାମଲା ବୃଦ୍ଧି ପାଇବା ସତ୍ତ୍ୱେ, ୩୭ ବର୍ଷୀୟ ନୀରଜ ମଣ୍ଡଳ ଦିଲ୍ଲୀରେ ଉନ୍ନତ ରୋଜଗାର ସମ୍ଭାବନା ପାଇଁ ମାଲଦାରୁ ବାହାରିଥିଲେ। ସେ ମାଲଦାର ମାନିକଚକ ବ୍ଲକର ଭୂତନୀ ଦିୟାରା (ନଈ କୂଳରେ ଥିବା ଏକ ଦ୍ୱୀପ)ରେ ନିଜ ପତ୍ନୀ ଓ ଦୁଇ କିଶୋର ଶିଶୁଙ୍କୁ ଘରେ ଛାଡ଼ି ଆସିଥିଲେ। “ଆପଣ ଗୋଟିଏ ମାସ୍କ ପିନ୍ଧିଥାନ୍ତି ଓ ଜୀବନ ସହିତ ଆଗକୁ ବଢ଼ିଥାନ୍ତି”, ସେ କହିଥାନ୍ତି। “ଲକଡାଉନ (୨୦୨୦) ପରେ କାମ ମିଳିବା ଅତି ନଗଣ୍ୟ ଥିଲା। ସରକାର ଯାହା ଦେଲେ, ଆମେ ସେଥିରେ କାମ ଚଳାଇଲୁ, କିନ୍ତୁ ନଗଦ ଟଙ୍କା ନଥିଲା। ସେମିତିରେ ତ’ ମାଲଦାରେ କାମ କମ୍ ମିଳିଥାଏ।”

ନୀରଜଙ୍କୁ ମାଲଦାରେ ଦୈନିକ ମଜୁରି ଭାବେ ୨୦୦ ଟଙ୍କା ମିଳୁଥିଲା, କିନ୍ତୁ ଦିଲ୍ଲୀରେ ସେ ୫୦୦-୫୫୦ ଟଙ୍କା ରୋଜଗାର କରିପାରିବେ, ସେ କହିଥାନ୍ତି। “ଆପଣ ଅଧିକ ସଞ୍ଚୟ କରିପାରିବେ ଏବଂ ଘରକୁ ଟଙ୍କା ପଠାଇପାରିବେ”, ସେ କହିଥାନ୍ତି। “ନିଶ୍ଚିତ ଭାବେ, ମୋର ମୋ ପରିବାର କଥା ମନେ ପଡ଼ିବ ।  କେହି କେବେ ଖୁସିରେ ଘର ଛାଡ଼େ ନାହିଁ।”

Left: Niraj Mondol waiting to board the train to Delhi. Right: Gulnur Bibi says that her husband often doesn't find work in Maldah town
PHOTO • Parth M.N.
Left: Niraj Mondol waiting to board the train to Delhi. Right: Gulnur Bibi says that her husband often doesn't find work in Maldah town
PHOTO • Parth M.N.

ବାମ : ନୀରଜ ମଣ୍ଡଳ ଦିଲ୍ଲୀ ଯାଉଥିବା ଟ୍ରେନରେ ସବାର ହେବାକୁ ଅପେକ୍ଷା କରିଛନ୍ତି। ଡାହାଣ : ଗୁଲନୁର ବିବି କୁହନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ଅଧିକାଂଶ ସମୟରେ ମାଲଦା ସହରରେ କାମ ମିଳିନଥାଏ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି, କିନ୍ତୁ ନୀରଜ ଭୋଟ୍ ଦେବାର ସୁଯୋଗ ହରାଇଥିବାରୁ ସେତେଟା ଚିନ୍ତା ମଧ୍ୟ କରିନଥାନ୍ତି। “ତୃଣମୂଳ ସ୍ତରରେ କିଛି ମଧ୍ୟ ବଦଳିନଥାଏ”, ସେ କୁହନ୍ତି। “ମୋର ଯେତିକି ମନେ ଅଛି, ସବୁବେଳେ ଆମ ଗାଁ ଲୋକ କାମ ସନ୍ଧାନରେ ବାହାରକୁ ପଳାୟନ କରିଥାନ୍ତି। ଏହାକୁ ବନ୍ଦ କରିବା ଓ ରୋଜଗାର ସୃଷ୍ଟି କରିବା ଲାଗି କ’ଣ କରାଯାଇଛି? ମାଲଦାରେ କାମ କରୁଥିବା ଲୋକଙ୍କ ପରିବାର ଖୁବ କଷ୍ଟରେ ଚଳିଥାନ୍ତି ।”

ଗୁଲନୁର ବିବିଙ୍କ ସ୍ୱାମୀ, ୩୫ ବର୍ଷୀୟ ନଜମୁଲ୍ ଶେଖ ଏହାକୁ ଭଲ ଭାବେ ଜାଣନ୍ତି। ପାଖାପାଖି ୧୭,୪୦୦ ଲୋକଙ୍କ ଜନସଂଖ୍ୟା (୨୦୧୧ ଜନଗଣନା) ଥିବା ଗ୍ରାମ, ଭଗବାନପୁରରେ ଦୁର୍ଲଭ ମଣିଷଙ୍କ ମଧ୍ୟରୁ ସେ ଜଣେ, ଯିଏକି ଏଠାରୁ କେବେ ବାହାରକୁ ଯାଇନାହାନ୍ତି। ଗାଁରେ ପରିବାରର ମାଲିକାନାରେ ପାଖାପାଖି ପାଞ୍ଚ ଏକର ଜମି ରହିଛି, କିନ୍ତୁ ନଜମୁଲ ଏଠାରୁ ପାଖାପାଖି ୩୦ କିମି ଦୂର, ମାଲଦା ସହରର ନିର୍ମାଣସ୍ଥଳୀକୁ କାମ କରିବାକୁ ଯାଇଥାନ୍ତି। “ସେ ଦିନକୁ ପାଖାପାଖି ୨୦୦-୨୫୦ ଟଙ୍କା ରୋଜଗାର କରିଥାନ୍ତି”, ୩୦ ବର୍ଷୀୟ ଗୁଲନୁର କହିଥାନ୍ତି। “କିନ୍ତୁ କାମ ସବୁବେଳେ ମିଳିନଥାଏ। ସେ ଅଧିକାଂଶ ସମୟରେ ଟଙ୍କା ରୋଜଗାର କରିନପାରି ଖାଲି ହାତରେ ଘରକୁ ଫେରିଥାନ୍ତି।”

ନିକଟରେ ଗୁଲନୁରଙ୍କ ଏକ ଅପରେସନ ପାଇଁ ସେମାନଙ୍କୁ ୩୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। “ଏଥିପାଇଁ ଆମେ ଆମ ଜମିରୁ ଖଣ୍ଡେ ବିକ୍ରି କରି ଦେଇଥିଲୁ”, ସେ କୁହନ୍ତି। “ଆମ ପାଖରେ କୌଣସି ପ୍ରତିକୂଳ ପରିସ୍ଥିତି ପାଇଁ ଟଙ୍କା ନାହିଁ। ଆମେ ପିଲାମାନଙ୍କୁ ପଢ଼ାଇବୁ କେମିତି? ଗୁଲନୁର ଓ ନଜମୁଲଙ୍କର ତିନି ଝିଅ ଓ ଦୁଇ ପୁଅ ଅଛନ୍ତି, ଯେଉଁମାନଙ୍କ ବୟସ ୬ରୁ ୧୬ ବର୍ଷ ମଧ୍ୟରେ।

ଅନସ ନିଖୋଜ ହେବା ପୂର୍ବ ପର୍ଯ୍ୟନ୍ତ, ରେହାନାଙ୍କୁ ନିଜ ପିଲାମାନଙ୍କ ପାଠପଢ଼ା ସମ୍ପର୍କରେ ଚିନ୍ତା କରିବାକୁ ପଡ଼ିନଥିଲା। ତାଙ୍କ ଝିଅ ୧୬ ବର୍ଷୀୟ ନସରୀବା ଓ ପୁଅ ୧୫ବର୍ଷୀୟ ନସୀବ ସେମାନଙ୍କ ବାପା ପଠାଇଥିବା ଟଙ୍କାରେ ପାଠ ପଢ଼ି ପାରୁଥିଲେ। “ସେ ନିଜ ପାଇଁ କିଛି ବି ରଖୁନଥିଲେ”, ରେହାନା କୁହନ୍ତି। “ସେ ଦିନ ମଜୁରିଆ ଭାବେ କାମ କରୁଥିଲେ କିନ୍ତୁ ନିକଟରେ ତାଙ୍କୁ ସ୍ଥାୟୀ ପଦବୀ ମିଳିଥିଲା। ଆମେ ତାଙ୍କୁ ନେଇ ଗର୍ବ କରୁଥିଲୁ ।”

ଚମୋଲି ବିପର୍ଯ୍ୟୟକୁ ଦୁଇ ମାସରୁ ଅଧିକ ସମୟ ବିତିସାରିଲାଣି, କିନ୍ତୁ ଅନସଙ୍କ ଅନୁପସ୍ଥିତିର ଦୁଃଖ ଏବେ ବି ଦୂର ହୋଇନାହିଁ, ରେହାନା କୁହନ୍ତି। ପରିବାରକୁ ନିଜ ଭବିଷ୍ୟତ ବିଷୟରେ ଚିନ୍ତା କରିବାର ସମୟ ହିଁ ମିଳିନାହିଁ। ଗୃହିଣୀ ଥିବା ରେହାନା କୁହନ୍ତି ସେ ଅଙ୍ଗନବାଡ଼ି କିମ୍ବା ଗାଁର ସ୍ୱାସ୍ଥ୍ୟ କର୍ମୀ ହୋଇପାରିବେ। ସେ ଜାଣନ୍ତି ତାଙ୍କୁ ଚାକିରି ପାଇବା ଓ ପ୍ରଶିକ୍ଷିତ ହେବାର ଆବଶ୍ୟକତା ରହିଛି। “ମୋ ପିଲାମାନଙ୍କର ପାଠପଢ଼ା ବାଧିତ ହେଉ ବୋଲି ମୁଁ ଚାହୁଁନାହିଁ”, ସେ କୁହନ୍ତି। “ମୁଁ ଏହାକୁ ଜାରି ରଖିବା ଲାଗି ଯେକୌଣସି କାମ କରିପାରିବି”।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE