ବାଲାସାହେବ ଲୋଂଢ଼େ ଆଦୌ କଳ୍ପନା କରି ନଥିଲେ ଯେ, ୨୦ ବର୍ଷରୁ ଅଧିକ ସମୟ ତଳେ ସେ ନେଇଥିବା ଏକ ନିଷ୍ପତ୍ତିର ପରିଣତି ତାଙ୍କୁ ଆଜି ଭୋଗିବାକୁ ପଡ଼ିବ। ମହାରାଷ୍ଟ୍ରର ପୁନେ ଜିଲ୍ଲା ଅନ୍ତର୍ଗତ ଫୁରସୁଙ୍ଗି ନାମକ ଛୋଟିଆ ସହରରେ, ଗୋଟିଏ ନାମମାତ୍ର ଚାଷୀ ପରିବାରରେ ଜନ୍ମ ନେଇଥିବା ଲୋଂଢ଼େ ପିଲାଟି ଦିନରୁ ହିଁ ତାଙ୍କ ଚାଷଜମିରେ କାମ ଆରମ୍ଭ କରିଥିଲେ। ସେମାନେ ଏଥିରେ ମୁଖ୍ୟତଃ କପା ଚାଷ କରୁଥିଲେ। ତାଙ୍କୁ ବୟସ ୧୮ ବର୍ଷ ହେବା ପରେ, ଡ୍ରାଇଭର ଭାବରେ କାମ କରି ନିଜର ରୋଜଗାର ବଢ଼ାଇବାକୁ ସେ ସ୍ଥିର କଲେ।
“ମୋର ଜଣେ ବନ୍ଧୁ ମୋତେ ଗୋରୁଗାଈ ପରିବହନ ବ୍ୟବସାୟ କରୁଥିବା ଗୋଟିଏ ମୁସଲମାନ ପରିବାର ସହିତ ଚିହ୍ନା କରାଇ ଦେଲେ,” ୪୮ ବର୍ଷୀୟ ଲୋଂଢ଼େ କହନ୍ତି। “ସେମାନେ ଡ୍ରାଇଭର ଦରକାର କରୁଥିଲେ, ତେଣୁ ମୁଁ ସେହି କାମ ଆରମ୍ଭ କଲି।”
ଲୋଂଢ଼େ ଥିଲେ ଜଣେ ଉଦ୍ୟମୀ ଯୁବକ ଏବଂ ଏହି ବ୍ୟବସାୟକୁ ସେ ଖୁବ ମନଧ୍ୟାନ ଦେଇ ଅନୁଧ୍ୟାନ କରିଥିଲେ। ପ୍ରାୟ ଗୋଟିଏ ଦଶନ୍ଧି ପରେ, ଲୋଂଢ଼େକୁ ଲାଗିଲା ଯେ, ଏଥିରେ ସେ ବହୁତ କିଛି ଶିଖିସାରିଛନ୍ତି ଏବଂ ଯଥେଷ୍ଟ ସଞ୍ଚୟ ମଧ୍ୟ କରିସାରିଛନ୍ତି।
“ମୁଁ ୮ ଲକ୍ଷ ଟଙ୍କା ଦେଇ ଗୋଟିଏ ପୁରୁଣା ଟ୍ରକ୍ କିଣିଲି ଏବଂ ତା’ ପରେ ବି ମୋ ପାଖରେ ଆହୁରି ୨ ଲକ୍ଷ ଟଙ୍କା ପୁଞ୍ଜି ଥିଲା,” ସେ କହନ୍ତି। “୧୦ ବର୍ଷ ଭିତରେ ବଜାରର ଅନେକ ଚାଷୀ ଓ ବ୍ୟବସାୟୀଙ୍କ ସହିତ ମୋର ସଂପର୍କ ଗଢ଼ି ଉଠିଥିଲା।”
ଲୋଂଢ଼େଙ୍କ ଉଦ୍ୟମ ଫଳପ୍ରଦ ହେଲା। ଫସଲର ବିକ୍ରି ମୂଲ୍ୟ ହ୍ରାସ, ଦରଦାମ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ଯେତେବେଳେ ଚାଷକାମରେ କ୍ଷତି ହେଉଥିଲା, ସେତେବେଳେ ଲୋଂଢ଼େଙ୍କ ଏହି ବ୍ୟବସାୟରୁ ହିଁ ତାଙ୍କ ପରିବାର ଚଳୁଥିଲା।
ତାଙ୍କ କାମ ଥିଲା ବେଶ୍ ସରଳ: ବିକିବାକୁ ଚାହୁଁଥିବା ଚାଷୀଙ୍କ ପାଖରୁ ଗୋରୁଗାଈ ନେଇ ବିଭିନ୍ନ ଗାଁର ସାପ୍ତାହିକ ହାଟରେ ପହଞ୍ଚାଇବା ଏବଂ ସେଠାରେ ସେମାନଙ୍କୁ କୌଣସି କଂସେଇଖାନାକୁ କିମ୍ବା ସେମାନଙ୍କୁ ନେବା ପାଇଁ ଚାହୁଁଥିବା ଅନ୍ୟ ଚାଷୀମାନଙ୍କୁ ବିକ୍ରି କରି ସେ ବାବଦ କମିଶନ ପାଇବା। ୨୦୧୪ରେ, ସେ ଏହି ବ୍ୟବସାୟ ଆରମ୍ଭ କରିବାର ପ୍ରାୟ ଦଶ ବର୍ଷ ପରେ, ତାଙ୍କର ଏହି କାରବାର ବଢ଼ାଇବାକୁ ସେ ଆଉ ଗୋଟିଏ ଟ୍ରକ୍ କିଣିଲେ।
ଲୋଂଢ଼େଙ୍କ କହିବା ଅନୁସାରେ, ସେତେବେଳେ ପେଟ୍ରୋଲ, ଗାଡ଼ିର ରକ୍ଷଣାବେକ୍ଷଣ ଏବଂ ଡ୍ରାଇଭରଙ୍କ ଦରମା ବାବଦ ଖର୍ଚ୍ଚ ବାଦ୍ ଦେଇ ତାଙ୍କର ମାସିକ ରୋଜଗାର ପ୍ରାୟ ୧ ଲକ୍ଷ ଟଙ୍କା ଆଖପାଖରେ ରହୁଥିଲା। ମୁସଲମାନ କୁରେଶୀ ସଂପ୍ରଦାୟର ଏକାଧିପତ୍ୟ ରହିଥିବା ଏହି କାରବାରକୁ ଆଦରି ନେଇଥିବା ଅଳ୍ପ କେଇ ଜଣ ହିନ୍ଦୁଙ୍କ ମଧ୍ୟରୁ ସେ ଥିଲେ ଜଣେ। କିନ୍ତୁ ଏଥିରେ ତାଙ୍କୁ କିଛି ଫରକ ପଡୁ ନଥିଲା। “ସେମାନେ ଉଦାରତାର ସହିତ ମୋତେ ସେମାନଙ୍କର ସମ୍ଭାବ୍ୟ ଗ୍ରାହକ ଓ କାରବାର ବିଷୟରେ କହୁଥିଲେ,” ସେ କହନ୍ତି। “ମୁଁ ଭାବିଲି, ମୋର ଏହି ବ୍ୟବସାୟ ଜମି ଯାଇଛି।”








