ତାଙ୍କର ବିବାହ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା, ଏହା ରେଖା ବୁଝିପାରିବାର ୧୦ ଦିନ ପୂର୍ବର କଥା। ଜଣେ ୧୫ ବର୍ଷ ବୟସ୍କ ଝିଅ ଯେତିକି ବିରୋଧ କରିପାରିବ ସେ ସେତିକି କରିଥିଲେ କିନ୍ତୁ ତାଙ୍କ ପିତାମାତା ଏ ମଧ୍ୟରୁ କୌଣସିଟିକୁ ଗୁରୁତ୍ୱର ସହ ଗ୍ରହଣ କଲେ ନାହିଁ । ତା’ର ମାଆ ଭାଗ୍ୟଶ୍ରୀ କୁହନ୍ତି, ‘‘ସେ କାନ୍ଦିଲା ଏବଂ କହିଲା ସେ ଆଉ ପଢ଼ିବାକୁ ଚାହେଁ ।’’

ବୟସର ବିଳମ୍ବିତ ୩୦ ଦଶକରେ ଥିବା ଭାଗ୍ୟଶ୍ରୀ ଏବଂ ତାଙ୍କ ସ୍ୱାମୀ ଅମର ତାଙ୍କ ପିଲାମାନଙ୍କ ସହ ମହାରାଷ୍ଟ୍ରର ବିଡ୍‌ ଜିଲ୍ଲାର ଏକ ଦରିଦ୍ର ଗ୍ରାମରେ ବାସ କରନ୍ତି । ପ୍ରତିବର୍ଷ ନଭେମ୍ବର ବେଳକୁ ସେମାନେ ଦକ୍ଷିଣ ମହାରାଷ୍ଟ୍ର କିମ୍ବା କର୍ଣ୍ଣାଟକକୁ ଆଖୁ କାଟିବା ପାଇଁ ଯାଆନ୍ତି । କ୍ଷେତରେ ଛଅ ମାସର କଠିନ ପରିଶ୍ରମ ପରେ ସେମାନେ ଟ. ୮୦,୦୦୦ ଆୟ କରନ୍ତି । ସେମାନଙ୍କ ନାମରେ କୌଣସି ଜମି ନଥିବାରୁ ଆଖୁ କାଟିବା ହେଉଛି ପରିବାର ପାଇଁ ଆୟର ଏକମାତ୍ର ଉତ୍ସ । ସେମାନେ ଦଳିତ ସମୂହ ମାତଙ୍ଗ ଜାତିର ।

ପ୍ରତ୍ୟେକ ଥର ତାଙ୍କ ପିତାମାତା ଯିବା ପରେ, ରେଖା ଏବଂ ତା’ର ୧୨ ଓ ୮ ବର୍ଷ ବୟସର ଭାଇଭଉଣୀ ସେମାନଙ୍କ ଜେଜେମାଆ (ସେ ଗତବର୍ଷ ମେ’ ମାସରେ ମୃତ୍ୟୁବରଣ କରିଥିଲେ)ଙ୍କ ଦାୟିତ୍ୱରେ ରୁହନ୍ତି । ସେମାନେ ଗାଁ ବାହାରେ ଥିବା ଏକ ସରକାରୀ ସ୍କୁଲ୍‌ରେ ପାଠ ପଢ଼ନ୍ତି । କିନ୍ତୁ ଯେତେବେଳେ ଏହି ମହାମାରୀ ମାର୍ଚ୍ଚ ୨୦୨୦ରେ ସ୍କୁଲ୍‌ଗୁଡ଼ିକ ବନ୍ଦ କରିବାକୁ ବାଧ୍ୟ କଲା, ୯ମ ଶ୍ରେଣୀରେ ପଢ଼ୁଥିବା ରେଖାଙ୍କୁ ଘରେ ରହିବାକୁ ହେଲା । ୫୦୦ ଦିନରୁ ଅଧିକ ଦିନ ହେବ ବିଡ୍‌ର ସ୍କୁଲ୍‌ଗୁଡ଼ିକ ବନ୍ଦ ହେବା ଜାରି ରହିଛି ।

ଭାଗ୍ୟଶ୍ରୀ କୁହନ୍ତି, ‘‘ଆମେ ବୁଝିଲୁ ଯେ ସ୍କୁଲ୍‌ଗୁଡ଼ିକ ଶୀଘ୍ର ଯେ କୌଣସି ସମୟରେ ଖୋଲିବ ନାହିଁ ।’’ ‘‘ଯେତେବେଳେ ସ୍କୁଲ୍ ଖୋଲା ଥିଲା, ଶିକ୍ଷକ ଓ ପିଲାମାନେ ଆଖପାଖରେ ଥିଲେ। ଗାଁରେ ଗହଳି ଚହଳି ଥିଲା। ସ୍କୁଲ୍ ବନ୍ଦ ହୋଇଯିବାରୁ ଆମେ ନିରାପତ୍ତା କାରଣରୁ ତା’କୁ ଛାଡ଼ି ଯାଇପାରିବୁ ନାହିଁ ।’’

ତେଣୁ ଭାଗ୍ୟଶ୍ରୀ ଏବଂ ଅମର ରେଖାଙ୍କୁ ୨୨ ବର୍ଷ ବୟସ୍କ ଆଦିତ୍ୟଙ୍କ ସହ ଗତ ବର୍ଷ ଜୁନ୍‌ ମାସରେ ବିବାହ କରାଇଦେଲେ । ତାଙ୍କ ପରିବାର ୩୦ କିଲୋମିଟର ଦୂରରେ ଥିବା ଏକ ଗ୍ରାମରେ ବାସ କରୁଥିଲେ । ଏବଂ ସେମାନେ ମଧ୍ୟ ଋତୁକାଳୀନ ପ୍ରବାସୀ ଶ୍ରମିକ ଥିଲେ । ନଭେମ୍ବର ୨୦୨୦ରେ, ଯେତେବେଳେ ଆଖୁ କଟା ଋତୁ ଆରମ୍ଭ ହେବାକୁ ଥିଲା, ରେଖା ଏବଂ ଆଦିତ୍ୟ ଦକ୍ଷିଣ ମହାରାଷ୍ଟ୍ରକୁ ଚାଲିଗଲେ – କେବଳ ତା’ର ନାମ ସ୍କୁଲ୍‌ ରେଜିଷ୍ଟରରେ ରହିଥିଲା।

ରେଖା ଏବଂ ତାଙ୍କଠାରୁ କମ୍‌ ବୟସର କିଶୋରୀ ଝିଅମାନଙ୍କୁ ଏହି ମହାମାରୀ କାରଣରୁ ବିବାହ ଆଡ଼କୁ ଠେଲି ଦିଆଯାଉଛି । ମାର୍ଚ୍ଚ ୨୦୨୧ରେ ପ୍ରକାଶିତ ହୋଇଥିବା ଭୋଭିଡ୍‌-୧୯ ଶିଶୁ ବିବାହ ବିପକ୍ଷରେ ଏକ ଅଗ୍ରଗତି ପ୍ରତି ବିପଦ ଶୀର୍ଷକ ଏକ ୟୁନିସେଫ୍ ରିପୋର୍ଟ ସତର୍କ କରାଇ ଦେଇଛି ଯେ ଏହି ଦଶକ ଶେଷ ସୁଦ୍ଧା ସାରା ବିଶ୍ୱରେ ଆଉ ୧୦ ନିୟୁତ ଝିଅ ବାଳିକାବଧୂ ହେବାର ବିପଦରେ ଥିବେ । ସ୍କୁଲ୍ ବନ୍ଦ ହେବା, ଦାରିଦ୍ର୍ୟ ବଢ଼ିବା, ପିତାମାତାଙ୍କ ମୃତ୍ୟୁ ଏବଂ କୋଭିଡ୍‌-୧୯ରୁ ସୃଷ୍ଟି ହୋଇଥିବା ଅନ୍ୟ କାରଣଗୁଡ଼ିକ ‘‘ପୂର୍ବରୁ ମଧ୍ୟ କଷ୍ଟକର ହୋଇଥିବା ନିୟୁତ ନିୟୁତ ଝିଅଙ୍କର ଅବସ୍ଥାକୁ ଆହୁରି ଖରାପ କରିଦେଉଛି’’ ।

ଗତ ୧୦ ବର୍ଷରେ, କମ୍‌ ବୟସରେ ବିବାହ କରିଥିବା ମହିଳାଙ୍କ ସଂଖ୍ୟା ୧୫ ପ୍ରତିଶତ ହ୍ରାସ ପାଇଥିଲା ଏବଂ ସାରା ବିଶ୍ୱରେ ୨୫ ନିୟୁତ ଶିଶୁ ବିଭାଗକୁ ଏଡ଼ାଇ ଦିଆଯାଇଥିଲା ବୋଲି ୟୁନିସେଫ୍‌ ସୂଚନା ଦେଇଛି । ଏହି ମହାମାରୀ ନିକଟ ବର୍ଷଗୁଡ଼ିକରେ ହୋଇଥିବା ଅଗ୍ରଗତିଗୁଡ଼ିକ ପାଇଁ ଏକ ବିପଦ ହୋଇଛି, ଏପରିକି ମହାରାଷ୍ଟ୍ରରେ ।

Activists and the police intercepting a child marriage in Beed
PHOTO • Courtesy: Tatwashil Kamble and Ashok Tangde

ସାମାଜିକ କର୍ମୀ ଏବଂ ପୋଲିସ ବିଡ୍‌ରେ ଏକ ନାବାଳିକା ବିବାହ ରୋକୁଛନ୍ତି

ମହାରାଷ୍ଟ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏପ୍ରିଲ୍‌ ୨୦୨୦ରୁ ଜୁନ୍ ୨୦୨୧ ମଧ୍ୟରେ ରାଜ୍ୟରେ ୭୮୦ ନାବାଳିକା ବିବାହକୁ ରୋକିଥିବା ରେକର୍ଡ କରାଯାଇଛି । ଏହା ଏକ ଆନୁମାନିକ ଆକଳନ, କୁହନ୍ତି ଟାଙ୍ଗଡେ ଏବଂ କାମ୍ବଲେ

୨୦୧୫ ରୁ ୨୦୨୦ ମଧ୍ୟରେ, ମହାରାଷ୍ଟ୍ରରେ ମହିଳାମାନଙ୍କ ମଧ୍ୟରେ ନାବାଳିକା ବିବାହରେ ୪ ପ୍ରତିଶତ ହ୍ରାସ ହୋଇଥିଲା । ୨୦୧୫-୧୬ ଜାତୀୟ ପରିବାର ସ୍ୱାସ୍ଥ୍ୟ ସଂରକ୍ଷଣ ( ଏନ୍‌ଏଫ୍‌ଏଚ୍‌ଏସ୍‌-୪ )ରୁ ଜଣାପଡ଼ିଛି ଯେ ୨୦-୨୪ ବର୍ଷ ବୟସର ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୨୬ ପ୍ରତିଶତ ସେମାନେ ମହିଳାଙ୍କ ପାଇଁ ବୈଧ ସର୍ବନିମ୍ନ ବିବାହ ବୟସ – ୧୮ ହେବା ପୂର୍ବରୁ ବିବାହ କରିଥିଲେ । ଏହି ଅନୁପାତ ୨୦୧୯-୨୦ ( ଏନ୍‌ଏଫ୍‌ଏଚ୍‌ଏସ୍‌-୫ ) ସର୍ବେକ୍ଷଣ ସମୟରେ ୨୨ ପ୍ରତିଶତ ଥିଲା । ଏହି ସମୟ ମଧ୍ୟରେ ୨୫-୨୯ ବୟସ ଗୋଷ୍ଠୀର ବିବାହିତ ପୁରୁଷମାନଙ୍କ ମଧ୍ୟରୁ ମାତ୍ର ୧୦.୫ ପ୍ରତିଶତ ପୁରୁଷମାନଙ୍କ ପାଇଁ ବୈଧ ସର୍ବନିମ୍ନ ବିବାହ ବୟସ – ୨୧ ହେବା ପୂର୍ବରୁ ବିବାହ କରିଥିଲେ ।

ତଥାପି, ଏହି ମହାମାରୀ ସମୟରେ ଶିଶୁ ଏବଂ କିଶୋର ବିବାହ ବୃଦ୍ଧି ପାଇଥିବା ସମ୍ପର୍କରେ ପ୍ରମାଣ ଥିବା ସତ୍ତ୍ୱେ ରାଜ୍ୟ ସରକାର ସେଗୁଡ଼ିକୁ ରୋକିବା ପାଇଁ ସକ୍ରିୟ ପଦକ୍ଷେପ ନେଇନାହାନ୍ତି । ବିଡ୍‌ର ଜଣେ ୩୪ ବର୍ଷ ବୟସ୍କ ସାମାଜିକ କର୍ମୀ, ତତ୍ୱଶୀଳ କାମ୍ବଲେ କୁହନ୍ତି, ଶିଶୁ ଏବଂ ଯୁବକମାନଙ୍କ ପ୍ରସଙ୍ଗରେ, ରାଜ୍ୟ ସରକାର ଅନ୍‌ଲାଇନ୍ କ୍ଲାସ ଉପରେ ଧ୍ୟାନ ଦେଉଛନ୍ତି, ଯାହାକି କେବଳ ସେହି ପିଲାମାନେ ପାଇପାରୁଛନ୍ତି ଯେଉଁମାନଙ୍କ ପିତାମାତା ସ୍ମାର୍ଟଫୋନ୍ ଏବଂ ଏକ ଭଲ ଇଣ୍ଟରନେଟ୍ ସଂଯୋଗ ସୁବିଧାର ଖର୍ଚ୍ଚ ବହନ କରିପାରିବେ ।

୨୦୧୭-୧୮ର ଜାତୀୟ ନମୁନା ସର୍ବେକ୍ଷଣ ରିପୋର୍ଟ ଦର୍ଶାଉଛି , ମହାରାଷ୍ଟ୍ରର ମାତ୍ର ୧୮.୫ ପ୍ରତିଶତ ଗ୍ରାମୀଣ ପରିବାରରେ ଇଣ୍ଟରନେଟ୍ ସୁବିଧା ଅଛି । ଗ୍ରାମୀଣ ମହାରାଷ୍ଟ୍ରର ପ୍ରାୟ ୧୭ ପ୍ରତିଶତ ବ୍ୟକ୍ତିବିଶେଷଙ୍କର (୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର) ଇଣ୍ଟରନେଟ୍ ବ୍ୟବହାରର ସାମର୍ଥ୍ୟ ରହିଛି, କିନ୍ତୁ ମହିଳାମାନଙ୍କ ମଧ୍ୟରେ ଏହି ଅନୁପାତ ୧୧ ପ୍ରତିଶତ ବୋଲି ଏହି ରିପୋର୍ଟ ପ୍ରକାଶ କରିଛି ।

ଇଣ୍ଟରନେଟ୍ ସୁବିଧା ପାଇପାରୁନଥିବା ଅଧିକାଂଶ ଶିଶୁ ଦରିଦ୍ର ସମୂହର, ଯେଉଁଠାରେ ଦାରିଦ୍ର୍ୟ ଏବଂ ସାମଗ୍ରୀଗତ ଅସୁରକ୍ଷା ପୂର୍ବରୁ ମଧ୍ୟ ଝିଅମାନଙ୍କୁ ଶୀଘ୍ର ବିବାହ କରିବା ଆଡ଼କୁ ଠେଲୁଛି। ଏବଂ ସ୍କୁଲ୍‌ଗୁଡ଼ିକ ବନ୍ଦ ହେବା ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି, ଯାହାକି ବିଡ୍‌ରେ ସୁସ୍ପଷ୍ଟ ହୋଇଛି ।

ବିଡ୍‌ରେ ୨୦-୨୪ ବର୍ଷ ବୟସର ପାଖାପାଖୀ ୪୪ ପ୍ରତିଶତ ମହିଳା ୨୦୧୯-୨୦ରେ କହିଥିଲେ ଯେ ସେମାନଙ୍କୁ ୧୮ ହେବା ପୂର୍ବରୁ ବିବାହ କରାଇ ଦିଆଯାଇଥିଲା (ଏନ୍‌ଏଫ୍‌ଏଚ୍‌ଏସ୍‌-୫) । ମୁଖ୍ୟ କାରଣ ହେଉଛି ଜିଲ୍ଲାରେ ମରୁଡ଼ି ଏବଂ କୃଷି ବିପର୍ଯ୍ୟୟ କାରଣରୁ ଦେଶାନ୍ତର କାମ ଉପରେ ଲୋକମାନଙ୍କର ନିର୍ଭରଶୀଳତା – ବିଶେଷକରି ଆଖୁ କାଟିବା ପରି ଋତୁକାଳୀନ କାମ ।

ଆଖୁ କାଟିବା ପାଇଁ ଶ୍ରମିକ ନିଯୁକ୍ତ କରୁଥିବା ଠିକାଦାରମାନେ ବିବାହିତ ଦମ୍ପତ୍ତିଙ୍କୁ ନିଯୁକ୍ତି ଦେବା ପାଇଁ ଅଧିକ ପସନ୍ଦ କରନ୍ତି, କାରଣ ଏହି କାର୍ଯ୍ୟ ଦୁଇ ଜଣ ଲୋକ ଏକାଠି କାମ କରିବା ଆବଶ୍ୟକ କରେ – ଜଣେ ଆଖୁ କାଟିବା ଏବଂ ଅନ୍ୟ ଜଣକ ବାନ୍ଧିବା ଏବଂ ଏହାକୁ ଟ୍ରାକ୍ଟରରେ ଲୋଡ୍‌ କରିବା । ଗୋଟିଏ ଦମ୍ପତ୍ତି ଗୋଟିଏ ଏକକ ଭାବରେ ବିବେଚନା କରାଯାଏ, ଯାହା ସେମାନଙ୍କୁ ଏହିପରି ଭାବରେ ଅର୍ଥ ପୈଠ କରିବା ସହଜ କରାଏ ଏବଂ ଦୁଇ ଜଣ ଅଣ- ସମ୍ପର୍କିତ ଶ୍ରମିକଙ୍କ ମଧ୍ୟରେ ବିବାଦକୁ ଏଡ଼ାଇଥାଏ । ଗୋଟିଏ ଝିଅ ବିବାହ କରିବା ପରେ ତା’ ସ୍ୱାମୀ ସହିତ ଯାଇପାରିବ ଏବଂ ଆୟ କରିପାରିବ । ଏହି କାରଣରୁ ପିତାମାତା ଅନୁଭବ କରନ୍ତି, ସେ ତା’ ସ୍ୱାମୀ ସହିତ ସୁରକ୍ଷିତ ରହିବ ଏବଂ ଏଥିସହିତ ଏହା ସେମାନଙ୍କର ଆର୍ଥିକ ଦାୟିତ୍ୱକୁ ମଧ୍ୟ କମ୍‌ କରିଦେବ ।

ଏହି ମହାମାରୀ ସମୟରେ ଆର୍ଥିକ ଭାବରେ ସଂଘର୍ଷ କରୁଥିବା ପିତାମାତା ସେମାନଙ୍କ ସନ୍ତାନ ଘରେ ରହିବା ପ୍ରତି ଦୁଇ ପ୍ରକାରେ ଉତ୍ତର ଦେଇଛନ୍ତି ବୋଲି କୁହନ୍ତି ତତ୍ୱଶୀଳ କାମ୍ୱଲେ, ‘‘ଯଦି ସେ ବାଳକ, ତେବେ ସେ ଶିଶୁ ଶ୍ରମିକ ହେବାକୁ ବାଧ୍ୟ କରାଯାଉଛି । ଝିଅ ପାଇଁ, ଏହା ନାବାଳିକା ବିବାହ ।’’ ଶିଶୁଙ୍କ ଆବଶ୍ୟକତାର ଯତ୍ନ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ଏକ ବୈଧାନିକ ଅନୁଷ୍ଠାନ ଶିଶୁ କଲ୍ୟାଣ କମିଟିର ଜଣେ ସଦସ୍ୟ ଭାବରେ କାମ୍ବଲେ ବିଡ୍‌ରେ ଅନେକ ଆଗୁଆ ବିବାହକୁ ରୋକିବାରେ ସାହାଯ୍ୟ କରିଛନ୍ତି ।

Girls as young as 12 are being married off by their parents to ease the family's financial burden
PHOTO • Labani Jangi

୧୨ ବର୍ଷ ବୟସ ପରି କମ୍‌ ବୟସର ଝିଅମାନଙ୍କୁ ମଧ୍ୟ ସେମାନଙ୍କ ବାପା ମାଆ ବିବାହ କରାଇ ଦେଇଛନ୍ତି ପରିବାରର ଆର୍ଥିକ ବୋଝ ହ୍ରାସ କରିବା ପାଇଁ

ନାବାଳିକା ବିବାହ ଏବଂ ଶିଶୁ ଶ୍ରମିକ ରୋକିବା ଦିଗରେ କାର୍ଯ୍ୟ କରୁଥିବା ବିଡ୍‌ ତାଲୁକାର ଶିଶୁ ସୁରକ୍ଷା କମିଟିର ଜଣେ ସଦସ୍ୟ ଅଶୋକ ଟାଙ୍ଗଡେଙ୍କ ସହ ମିଶି କାମ୍ବଲେ ମାର୍ଚ୍ଚ ୨୦୨୦ରେ କୋଭିଡ୍‌-୧୯ ବ୍ୟାପିବା ପରଠାରୁ ୧୦୦ରୁ ଅଧିକ ନାବାଳିକା ବିବାହ ବନ୍ଦ କରିଛନ୍ତି । ୫୩ ବର୍ଷୀୟ ଟାଙ୍ଗଡେ କୁହନ୍ତି, ‘‘ଆମେ ଯେତେ ଜଣଙ୍କୁ ଧରିପାରିଛୁ ସେଗୁଡ଼ିକ ମଧ୍ୟରୁ ଏହା ଗୋଟିଏ । ଆମେ ଜାଣିନୁ କେତେ ଜଣ ଖସି ଯାଇଛନ୍ତି ।’’

ଏହି ମହାମାରୀରେ ଲୋକମାନଙ୍କର କ୍ରୟଶକ୍ତି କମିବା ନାବାଳିକା ବିବାହରେ ଏକ ଭୂମିକା ଗ୍ରହଣ କରିଛି । ଟାଙ୍ଗଡେ କୁହନ୍ତି, ‘‘ବରର ପିତାମାତା ଉଚ୍ଚ ଯୌତୁକ ମାଗୁନାହାନ୍ତି । ବିବାହ ଶସ୍ତା ହୋଇଯାଇଛି । ଆପଣ କେବଳ ନିକଟସ୍ଥ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରିପାରିବେ କିନ୍ତୁ ଅଧିକ ଗହଳିକୁ ବର୍ତ୍ତମାନ ଅନୁମତି ଦିଆଯାଉ ନାହିଁ ।’’

ଅନ୍ୟ ପକ୍ଷରେ, ମହାମାରୀ କାରଣରୁ ବୃଦ୍ଧି ପାଇଥିବା ମୃତ୍ୟୁ ସଂଖ୍ୟା ପିତାମାତାଙ୍କୁ ଯଦି ସେମାନେ ମରିଯାଆନ୍ତି ତେବେ ସେମାନଙ୍କ ଝିଅମାନଙ୍କ ଭାଗ୍ୟ କ’ଣ ହେବ ସେହି ଭୟ ଦେଖାଉଛି । ଟାଙ୍ଗଡେ କୁହନ୍ତି, ‘‘ଏସବୁ ନାବାଳିକା ବିବାହ ବୃଦ୍ଧି କରିବା ଦିଗରେ ଯୋଗଦାନ ଦେଇଛି । କିଛି ଝିଅଙ୍କର ୧୨ ବର୍ଷ ପରି କମ୍‌ ବୟସରେ ମଧ୍ୟ ବିବାହ ହେଉଛି ।’’

ମହାରାଷ୍ଟ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏପ୍ରିଲ୍ ୨୦୨୦ରୁ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ୭୮୦ ନାବାଳିକା ବିବାହ ରୋକାଯାଇଥିବା ସୂଚିତ କରୁଛି । ଏହା ଏକ ଆନୁମାନିକ ଆକଳନ ବୋଲି ଟାଙ୍ଗଡେ ଏବଂ କାମ୍ବଲେ କୁହନ୍ତି । ବିଡ୍‌ରେ ଅଧିକାରିକ ଗଣନା ୪୦ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ସେମାନେ କୁହନ୍ତି – ଏହା ସେମାନେ ସେହି ସମୟରେ ରୋକିଥିବା ବିବାହ ସଂଖ୍ୟାଠାରୁ ଅନେକ କମ୍‌ ।

ଏପରିକି ଏହି ଆନୁମାନିକ ଆକଳନ ମହାମାରୀ ସମୟରେ ଶିଶୁ ଏବଂ କିଶୋର ବିବାହ ବୃଦ୍ଧି ସମ୍ପର୍କରେ ଏକ ଚେତାବନୀ ସୃଷ୍ଟି କରିଛି । ଜାନୁଆରୀ ୨୦୧୯ରୁ ସେପ୍ଟେମ୍ବର ୨୦୧୯ ମଧ୍ୟରେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ୧୮୭ ନାବାଳିକା ବିବାହ ରୋକାଯାଇଥିଲା । ଏହା କୋଭିଡ୍‌-୧୯ ବ୍ୟାପିବା ପରେ ରୋକାଯାଇଥିବା ନାବାଳିକା ବିବାହର ମାସିକ ହାରାହାରିରେ ୧୫୦ ପ୍ରତିଶତ ବୃଦ୍ଧି ସୂଚିତ କରୁଛି ।

ବିବାହ ବନ୍ଦ କରିବା ପାଇଁ କାମ୍ବଲେ ଏବଂ ଟାଙ୍ଗଡେ ଇନ୍‌ଫର୍ମରମାନଙ୍କ ଉପରେ ନିର୍ଭର କରନ୍ତି । କାମ୍ବଲେ କୁହନ୍ତି, ‘‘ଆଶାକର୍ମୀମାନେ କିମ୍ବା ସେହି ଗ୍ରାମରେ ଥିବା ଗ୍ରାମସେବକମାନେ ଆମକୁ ସୂଚନା ଦିଅନ୍ତି । କିନ୍ତୁ ସେମାନେ ମଧ୍ୟ ଅନେକ ସମୟରେ ଭୟ କରନ୍ତି କାରଣ ସେମାନେ ସେହି ଗ୍ରାମରେ ବାସ କରନ୍ତି । ଯଦି ବିବାହ କରାଉଥିବା ପରିବାର ଜାଣିପାରନ୍ତି ସେମାନେ ଇନ୍‌ଫର୍ମରଙ୍କର ଜୀବନକୁ କଷ୍ଟକର କରିଦେଇପାରନ୍ତି ।’’

Left: A file photo of Tatwashil Kamble with a few homeless children. Right: Kamble and Ashok Tangde (right) at a Pardhi colony in Beed after distributing ration kits
PHOTO • Courtesy: Tatwashil Kamble and Ashok Tangde
Left: A file photo of Tatwashil Kamble with a few homeless children. Right: Kamble and Ashok Tangde (right) at a Pardhi colony in Beed after distributing ration kits
PHOTO • Courtesy: Tatwashil Kamble and Ashok Tangde

ବାମ : କେତେ ଜଣ ଗୃହହୀନ ଶିଶୁଙ୍କ ସହିତ ତତ୍ୱଶୀଳ କାମ୍ବଲେ ଏକ ଫାଇଲ୍ ଫଟୋରେ । ଡାହାଣ : ରାସନ କିଟ୍ ବିତରଣ କରିବା ପରେ ବିଡ୍‌ର ପାର୍‌ଧି କଲୋନୀରେ କାମ୍ବଲେ ଏବଂ ଅଶୋକ ଟାଙ୍ଗଡେ ( ଡାହାଣ )

ଟାଙ୍ଗଡେ ଏହା ମଧ୍ୟ କୁହନ୍ତି ଗ୍ରାମ ବିବାଦ ମଧ୍ୟ ଏକ ଭୂମିକା ନିର୍ବାହ କରେ । ‘‘ବେଳେ ବେଳେ ଏକ ବିରୋଧୀ ଗୋଷ୍ଠୀର ଜଣେ ବ୍ୟକ୍ତି ସୂଚନା ପ୍ରଘଟ କରିଦେଇପାରନ୍ତି । ବେଳେ ବେଳେ ବିବାହ କରୁଥିବା ଝିଅକୁ ଭଲ ପାଉଥିବା ଜଣେ ପୁଅ ମଧ୍ୟ ଆମକୁ ସୂଚନା ଦିଅନ୍ତି।’’

ଏହି ସୂଚନା କେବଳ ଗୋଟିଏ ବିବାହ ରୋକିବା ଦିଗରେ ପ୍ରଥମ ସୋପାନ। ସମ୍ପୃକ୍ତ ଥିବା ପରିବାରଗୁଡ଼ିକ ରକ୍ଷା ପାଇବା ପାଇଁ ଭିନ୍ନ ଭିନ୍ନ ଉପାୟ ଗ୍ରହଣ କରନ୍ତି, ବେଳେ ବେଳେ ରାଜନୈତିକ ପ୍ରଭାବ ବ୍ୟବହାର କରି । କାମ୍ବଲେ କୁହନ୍ତି, ‘‘ଆମକୁ ଧମକା ଯାଇଛି ଏବଂ ଆକ୍ରମଣ କରାଯାଇଛି । ଲୋକମାନେ ଆମକୁ ଲାଞ୍ଚ ଦେବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଆମେ ସବୁବେଳେ ପୋଲିସକୁ ସତର୍କ କରିଦେଉ । କିଛି ଲୋକ ଶୀଘ୍ର ମାନିଯାଆନ୍ତି । ଅନ୍ୟମାନେ ବିନା ଝଗଡ଼ାରେ ମାନନ୍ତି ନାହିଁ ।’’

ଅକ୍ଟୋବର ୨୦୨୦ରେ କାମ୍ବଲେ ଏବଂ ଟାଙ୍ଗଡେ ୧୬ ବର୍ଷ ବୟସ୍କା ସ୍ମିତାର ବିବାହ ସମ୍ପର୍କରେ ଏହାର ଗୋଟିଏ ଦିନ ପୂର୍ବରୁ ଜାଣିଲେ । ସେହି ଦିନ ସେମାନେ ବିଡ୍‌ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂର ଉକ୍ତ ସ୍ଥାନରେ ବିବାହ ରୀତିନୀତି ଆରମ୍ଭ ହେବା ପୂର୍ବରୁ ପହଞ୍ଚିଥିଲେ । କିନ୍ତୁ ତା’ର ପିତା ବିଠଲ ବନ୍ଦ କରିବାକୁ ମନା କଲେ । ଟାଙ୍ଗଡେ କୁହନ୍ତି, ‘‘ସେ ଚିତ୍କାର କଲେ, ‘ସେ ମୋ ଝିଅ, ଏବଂ ମୁଁ ତାହା ସହ ଯାହା ଇଛା ତାହା କରିପାରିବି । ଯାହା ଚାଲିଛି ତା’ର ଗମ୍ଭୀରତା ବୁଝିବା ପାଇଁ ତାଙ୍କୁ କିଛି ସମୟ ଲାଗିଲା । ଆମେ ତାଙ୍କୁ ପୋଲିସ ଷ୍ଟେସନକୁ ନେଇଗଲୁ ଏବଂ ତାଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କଲୁ ।’’

ସ୍ମିତାର ଦାଦା କିଶୋର କୁହନ୍ତି ସେ ଗୋଟିଏ ଭଲ ଛାତ୍ରୀ । ‘‘କିନ୍ତୁ ତା’ର ପିତାମାତା ସ୍କୁଲ୍‌କୁ ଯାଇନଥିଲେ ତେଣୁ ସେମାନେ ଏହାର ଗୁରୁତ୍ୱ କେବେ ବୁଝିନଥିଲେ । ମହାମାରୀ ଯୋଗୁଁ ସେମାନେ ଦୁଇ ବେଳା ଭୋଜନ ପାଇଁ ସଂଘର୍ଷ କରୁଥିଲେ ।’’ ବିଠଲ ଏବଂ ତାଙ୍କର ପତ୍ନୀ ପୂଜା ଉଭୟେ ବୟସର ୩୦ ଦଶକରେ, ସେମାନେ ଇଟାଭାଟିରେ କାମ କରନ୍ତି, ଚାରି ମାସ ଏକାଠି କାମ କରିବାରେ ଟ. ୨୦,୦୦୦ ରୋଜଗାର କରନ୍ତି । କିଶୋର କୁହନ୍ତି, ‘‘ଶ୍ରମିକ କାମ କମ୍‌ ହୋଇଯାଇଛି । ସ୍ମିତାର ବିବାହ କରାଇଦେବାର ଅର୍ଥ ହେଉଛି ପ୍ରତିଦିନ ଦୁଇଟି ଭୋଜନର ଚିନ୍ତା କମିଯିବା ।’’

କାମ୍ବଲେ ଏବଂ ଟାଙ୍ଗଡେଙ୍କ ପାଇଁ ଏକ ମୁଖ୍ୟ ଆହ୍ୱାନ ହେଉଛି ସେହି ପରିବାର ପୁଣି ଥରେ ବିବାହ ବ୍ୟବସ୍ଥା କରିବାକୁ ଚେଷ୍ଟା ନ କରିବା ସମ୍ପର୍କରେ ନିଶ୍ଚିତ ହେବା । ‘‘ସାଧାରଣତଃ ବିବାହ କରିବା ଉଦ୍ୟମ କରାଯାଉଥିବା ଝିଅ ସ୍କୁଲ୍ ଆସିବା ବନ୍ଦ କରିବା ସମ୍ପର୍କରେ ସ୍କୁଲ୍ ଶିକ୍ଷକମାନେ ଆମକୁ ସୂଚନା ଦିଅନ୍ତି ଏବଂ ଆମେ ସେହି ଅନୁଯାୟୀ କାମ କରୁ । କିନ୍ତୁ ସ୍କୁଲ୍‌ଗୁଡ଼ିକ ବନ୍ଦ ହୋଇଥିବାରୁ ସେମାନଙ୍କୁ ଠାବ କରିବା କଷ୍ଟକର ହୋଇଯାଉଛି ।’’

ବିଠଲଙ୍କୁ ପ୍ରତି ଦୁଇ ମାସରେ ପୋଲିସ ଷ୍ଟେସନରେ ହାଜିରା ଦେବାକୁ କୁହାଯାଇଛି । ଟାଙ୍ଗଡେ କୁହନ୍ତି, ‘‘ଆମେ ତାଙ୍କୁ ବିଶ୍ୱାସ କରିପାରିବୁ ନାହିଁ ।’’ କାରଣ ସେମାନେ ବ୍ୟସ୍ତ ଯେ ହୁଏତ ସେ ନିଜର କମ୍‌ ବୟସର ଝିଅକୁ ପୁଣି ଥରେ ବିବାହ କରାଇବାକୁ ଚେଷ୍ଟା କରିପାରନ୍ତି ।

Left: Ashok Tangde and Tatwashil Kamble (right) with a retired migrant worker (centre). Right: Kamble talking to students about child marriage
PHOTO • Courtesy: Tatwashil Kamble and Ashok Tangde
Left: Ashok Tangde and Tatwashil Kamble (right) with a retired migrant worker (centre). Right: Kamble talking to students about child marriage
PHOTO • Courtesy: Tatwashil Kamble and Ashok Tangde

ବାମ : ଅଶୋକ ଟାଙ୍ଗଡେ ଏବଂ ତତ୍ୱଶିଳ କାମ୍ବଲେ ( ଡାହାଣ ) ଜଣେ ଅବସରପ୍ରାପ୍ତ ପ୍ରବାସୀ ଶ୍ରମିକ ( ମଝି ) ଙ୍କ ସହ । ଡାହାଣ : କାମ୍ବଲେ ନାବାଳିକା ବିବାହ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରୁଛନ୍ତି

ବିବାହ ବନ୍ଦ କରାଯିବା ପରେ ସ୍ମିତା ତିନି ମାସ କିଶୋରଙ୍କ ଘରକୁ ରହିବାକୁ ଯାଇଥିଲେ । ସେହି ସମୟରେ ସେ ସାଧାରଣତଃ ଚୁପ୍‌ ରହୁଥିଲା । ତା’ର ଦାଦା କୁହନ୍ତି, ‘‘ସେ ଅଧିକ କହୁନଥିଲା ଏବଂ ନିଜ ଭିତରେ ମଗ୍ନ ରହୁଥିଲା । ସେ ତା’ର କାମ କରୁଥିଲା, ଖବରକାଗଜ ପଢ଼ୁଥିଲା ଏବଂ ଘରେ ଆମକୁ ସାହାଯ୍ୟ କରୁଥିଲା । ସେ ଏତେ ଶୀଘ୍ର ବିବାହ କରିବାକୁ କେବେବି ଆଗ୍ରହୀ ନଥିଲା ।’’

ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ହୋଇଥିବା ଅଧ୍ୟୟନ ମାତୃ ମୃତ୍ୟୁ ଉପରେ ନାବାଳିକା ବିବାହର ପ୍ରଭାବ ସମେତ ଶୀଘ୍ର ବିବାହର ପ୍ରତିକୂଳ ପ୍ରଭାବର ଦଲିଲ୍‌କରଣ କରିଛି । ଶିଶୁ ଅଧିକାର ସୁରକ୍ଷା ନିମନ୍ତେ ଜାତୀୟ କମିଶନ୍‌ ଦ୍ୱାରା ପ୍ରସ୍ତୁତ ୨୦୧୧ ଜନଗଣନା ଉପରେ ଆଧାରିତ ଏକ ରିପୋର୍ଟ, ଭାରତରେ ନାବାଳିକା ବିବାହର ଏକ ପରିସଂଖ୍ୟାନଗତ ଏକ ବିଶ୍ଳେଷଣ , ସୂଚିତ କରେ ଯେ ୨୦-୨୪ ବର୍ଷ ବୟସ ଗୋଷ୍ଠୀର ମହିଳାମାନଙ୍କ ତୁଳନାରେ ୧୦ରୁ ୧୪ ବର୍ଷ ମଧ୍ୟରେ ଝିଅମାନେ ଗର୍ଭାବସ୍ଥା ଏବଂ ପ୍ରସବ ସମୟରେ ମୃତ୍ୟୁବରଣ କରିବାର ପାଞ୍ଚ ଗୁଣ ଅଧିକ ଆଶଙ୍କା ରହିଛି । ଏବଂ ଯଦି ଗର୍ଭାବସ୍ଥା ସମୟରେ କିମ୍ବା ଏହା ପୂର୍ବରୁ ମାଆମାନେ କୁପୋଷଣର ଶିକାର ହୋଇଥା’ନ୍ତି ତେବେ ଜନ୍ମ ହେଉଥିବା ଶିଶୁ କୁପୋଷିତ ହୋଇଥା’ନ୍ତି ।

ରେଖାଙ୍କ ମାମଲାରେ କୁପୋଷଣର ଏକ ସଂକେତ ଶାରୀରିକ ଦୁର୍ବଳତା ତାଙ୍କ ଶାଶୂଘର ଲୋକମାନେ ତା’କୁ ତା’ ପିତାମାତାଙ୍କ ପାଖକୁ ପଠାଇ ଦେବା ମୁଖ୍ୟ କାରଣ ଥିଲା । ଭାଗ୍ୟଶ୍ରୀ କୁହନ୍ତି, ‘‘ଜାନୁଆରୀ ୨୦୨୧ରେ, ସେ ତା’ର ସ୍ୱାମୀ ସହିତ ଯିବାର ଦୁଇରୁ ତିନି ମାସ ପରେ ସେ ଘରକୁ ଫେରିଆସିଲା।’’

ଆଖୁ କାଟିବା ଏବଂ ୨୫ କେଜିରୁ ଅଧିକ ଓଜନର ବିଡ଼ା ମୁଣ୍ଡରେ ବୋହିବା କମ୍‌ ଓଜନ ବିଶିଷ୍ଟ ରେଖା ପାଇଁ କଷ୍ଟକର ଥିଲା, ଭାଗ୍ୟଶ୍ରୀ କୁହନ୍ତି, ‘‘ସେ ଏହି ହାଡ଼ଭଙ୍ଗା ପରିଶ୍ରମ କାମ କରିପାରିନଥିଲା । ଏହା ତା’ ସ୍ୱାମୀର ଆୟକୁ ପ୍ରଭାବିତ କରିଥିଲା । ତେଣୁ ତା’ର ଶାଶୂଘର ବିବାହ ଶେଷ କରିଦେଲେ ଏବଂ ତା’କୁ ପଠାଇ ଦେଲେ ।’’

ରେଖା ଫେରିବାର କିଛି ଦିନ ପର୍ଯ୍ୟନ୍ତ ଘରେ ରହିଥିଲେ । ତା’ର ମାଆ କୁହନ୍ତି, ‘‘କିନ୍ତୁ ଯେତେବେଳେ କୌଣସି ଝିଅ ବିବାହର କିଛି ମାସ ପରେ ଘରକୁ ଫେରିଆସେ ଗାଁ ଲୋକମାନେ ପ୍ରଶ୍ନ ପଚାରନ୍ତି । ତେଣୁ ସେ ଅଧିକାଂଶ ସମୟରେ ଜଣେ ପିଉସିଙ୍କ ସହ ରହୁଛି ।’’

ଆଖୁ କଟାର ଆଉ ଏକ ଋତୁ ଆସୁଛି ଏବଂ ଭାଗ୍ୟଶ୍ରୀ ଓ ଅମର ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ରେଖାର ଭବିଷ୍ୟତର ଯୋଜନା ପୁଣି ଥରେ ହେଉଛି । ଏକମାତ୍ର ଫରକ୍‌ ହେଉଛି ଯେ ରେଖା ଏଥର ବିରୋଧ କରୁନି – ସେ ପୁଣି ଥରେ ବିବାହ କରିବାକୁ ରାଜି ହୋଇଯାଇଛି ।

ଏହି କାହାଣୀରେ ପିଲାମାନେ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କ ନାମ ଗୋପନୀୟତାର ରକ୍ଷା ପାଇଁ ପରିବର୍ତ୍ତନ କରାଯାଇଛି ।

ଏହି କାହାଣୀ ପୁଲିଜର୍‌ ସେଣ୍ଟର ଦ୍ୱାରା ସମର୍ଥିତ ଏକ ସିରିଜ୍‌ର ଅଂଶ ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Illustrations : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE