ଘରପୁରୀରେ ତାଙ୍କ ଘର ନିକଟ ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ବେଳେ ଜୟଶ୍ରୀ ମହାତ୍ରେଙ୍କୁ କ’ଣ ଗୋଟିଏ କାମୁଡ଼ିଲା । ଦୁଇ ଜଣ ଝିଅଙ୍କର ମା’ ୪୩ ବର୍ଷୀୟା ଜୟଶ୍ରୀ ଏହାକୁ ଅଣଦେଖା କଲେ, ସମ୍ଭବତଃ ଏକ ଖେଣ୍ଟା ତାଙ୍କ ଦେହରେ ବାଜିଥିବା ସେ ଭାବିଥିଲେ । ଜାନୁଆରୀ ୨୦୨୦ର ସେହି ହାଲୁକା ଶୀତୁଆ ଅପରାହ୍ନରେ ସେ ସଂଗ୍ରହ କରିଥିବା ଜାଳେଣିକୁ ଧରି ଶୀଘ୍ର ଘର ଅଭିମୁଖେ ବାହାରିଲେ ।

କିଛି ସମୟ ପରେ ସେ ନିଜ ଘର ଦୁଆର ମୁହଁରେ ଛିଡ଼ା ହୋଇ ଜଣେ ସମ୍ପର୍କୀୟଙ୍କ ସହ କଥା ହେଉଥିବା ବେଳେ, ଭୂମିରେ ଟଳିପଡ଼ିଲେ । ପ୍ରାଥମିକ ଭାବେ, ନିକଟରେ ଥିବା ଲୋକେ ଅନୁମାନ କଲେ ଯେ ସେ ଉପବାସ କରିଥିବାରୁ ଦୁର୍ବଳତା ଯୋଗୁଁ ବେହୋସ ହୋଇଗଲେ ।

ଜୟଶ୍ରୀଙ୍କର ବଡ଼ ଝିଅ ୨୦ ବର୍ଷୀୟା ଭାବିକା ମନେପକାନ୍ତି, ‘‘ସେ ବେହୋସ ହୋଇଯାଇଥିବା ମୋତେ କୁହାଗଲା।’’ ସେ ବା ତାଙ୍କର ସାନ ଭଉଣୀ, ୧୪ ବର୍ଷୀୟା ଗୌରୀ ଏହି ଘଟଣା ଦେଖିନଥିଲେ, କାରଣ ସେମାନେ ଦୂରରେ ଜଣେ ସମ୍ପର୍କୀୟଙ୍କ ଘରେ ଥିଲେ। ସେମାନେ ଏ ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା ପଡ଼ୋଶୀ ଓ ସମ୍ପର୍କୀୟଙ୍କଠାରୁ ଶୁଣିଲେ ଏବଂ ସେମାନେ କହିଲେ ଯେ କିଛି ସମୟ ପରେ ଜୟଶ୍ରୀଙ୍କର ଚେତା ଫେରିବା ବେଳକୁ ତାଙ୍କର ହାତ ଥରୁଥିଲା । ଭାବିକା ଆହୁରି କହିଲେ, ‘‘କ’ଣ ହୋଇଥିଲା କେହି ଜାଣିନଥିଲେ ।’’

କେହି ଜଣେ ଏ ସମ୍ପର୍କରେ ଜୟଶ୍ରୀଙ୍କର ସ୍ୱାମୀ, ୫୩ ବର୍ଷୀୟ ମଧୁକର ମହାତ୍ରେଙ୍କୁ ଖବର ଦେବାକୁ ଧାଇଁଗଲେ, ଯିଏକି ଘରପୁରୀ ଦ୍ୱୀପରେ ଚଳାଉଥିବା ଏକ ଖାଦ୍ୟ ଦୋକାନରେ ଥିଲେ । ଆରବ ସାଗରରେ ଥିବା ଏହି ଦ୍ୱୀପ ପ୍ରସିଦ୍ଧ ଏଲିଫାଣ୍ଟା ଗୁମ୍ଫା ପାଇଁ ପରିଚିତ। ମୁମ୍ବାଇ ସହର ନିକଟବର୍ତ୍ତୀ ଏହି ପର୍ଯ୍ୟଟକ ଆକର୍ଷଣ କେନ୍ଦ୍ର ୟୁନେସ୍କୋ ଦ୍ୱାରା ମାନ୍ୟତାପ୍ରାପ୍ତ ଏକ ବିଶ୍ୱ ଐତିହ୍ୟ ସ୍ଥଳୀ- ଏଠାରେ ଥିବା ପ୍ରସ୍ତର କାରୁକାର୍ଯ୍ୟ ଷଷ୍ଠରୁ ଅଷ୍ଟମ ଶତାବ୍ଦୀର-ଏବଂ ଏଗୁଡ଼ିକ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଦ୍ୱୀପର ବାସିନ୍ଦା ରୋଜଗାର ପାଇଁ ପର୍ଯ୍ୟଟନ ଉପରେ ନିର୍ଭର କରନ୍ତି – ସେମାନେ ଟୋପି, ସନ୍ ଗ୍ଲାସ୍ , ସୋଭେନିୟର ଏବଂ ଖାଦ୍ୟ ପଦାର୍ଥ ବିକ୍ରି କରନ୍ତି; କେତେକ ବାସିନ୍ଦା ଗୁମ୍ଫାରେ ଗାଇଡ୍‌ ଭାବେ କାମ କରନ୍ତି ।

ପର୍ଯ୍ୟଟନ ମାନଚିତ୍ରରେ ଏହା ପ୍ରମୁଖ ସ୍ଥାନ ପାଇଥିବା ବେଳେ, ଦ୍ୱୀପରେ ଥିବା ଘରପୁରୀ ଗାଁ ଏକ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି  ମୌଳିକ ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ। ଦୁଇ ବର୍ଷ ପୂର୍ବରୁ ଗୋଟିଏ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା, କିନ୍ତୁ ଏଠାରେ କେହି ନାହାନ୍ତି । ଗାଁର ୧,୧୦୦ ବାସିନ୍ଦା ତିନିଟି ବସ୍ତି: ରାଜବନ୍ଦର, ଶେତବନ୍ଦର ଏବଂ ମୋରବନ୍ଦରରେ ରହନ୍ତି । ସ୍ୱାସ୍ଥ୍ୟସେବାର ଅଭାବ ସେମାନଙ୍କୁ ଚିକିତ୍ସା ପାଇଁ ଦୂର ସ୍ଥାନକୁ ନୌକାରେ ଯାତ୍ରା କରିବାକୁ ବାଧ୍ୟ କରେ। ଏହା କେବଳ ବ୍ୟୟବହୁଳ ତାହା ନୁହେଁ, ବରଂ ବେଳେବେଳେ ଚିକିତ୍ସା ମିଳିବାରେ ବିଳମ୍ବ ପ୍ରାଣଘାତକ ହୁଏ।

PHOTO • Aakanksha
PHOTO • Aakanksha

ବାମ: ଗୌରୀ ମହାତ୍ରେ, ୧୪, ତାଙ୍କର ଦିବଂଗତ ମା’ ଜୟଶ୍ରୀଙ୍କ ଦୋକାନରେ ଗହଣା ବିକ୍ରି କରୁଛନ୍ତି ଏବଂ ଏଲିଫାଣ୍ଟା ଗୁମ୍ଫାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଶାପୂର୍ଣ୍ଣ ଆଖିରେ ଚାହିଁଛନ୍ତି । ଡାହାଣ : ଘରପୁରୀ ଗାଁରେ ସ୍ୱାସ୍ଥ୍ୟ କେନ୍ଦ୍ର ଦୁଇ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା, କିନ୍ତୁ ଏହା ଖାଲି ରହିଛି ଏବଂ ଏଠାକୁ କେହି ଆସୁନାହାନ୍ତି

ମଧୁକର ତୁରନ୍ତ ଜୟଶ୍ରୀଙ୍କୁ ନେଇ ଉରନ ସହର ଅଭିମୁଖେ ନୌକାରେ ଯାତ୍ରା କରିବାକୁ ଜେଟିକୁ ଗଲେ। କିନ୍ତୁ ସେମାନେ ସେଠାରୁ ବାହାରିବା ପୂର୍ବରୁ ହିଁ ସେ ପ୍ରାଣ ହରାଇଲେ। ଶେଷ ମୁହୂର୍ତ୍ତରେ ତାଙ୍କ ପାଟିରୁ ଫେଣ ବାହାରୁଥିଲା, ଯାହା ସାପ କାମୁଡ଼ା ଆଡ଼କୁ ଇସାରା କରୁଥିଲା। ପାଖରେ ଥିବା ଲୋକେ ତାଙ୍କର ଡାହାଣ ହାତ ମଝି ଆଙ୍ଗୁଳିରେ ଚିହ୍ନ ଥିବା ଦେଖିଲେ ଯେଉଁଠାରେ ସାପର ଚୋଟ ତାଙ୍କ ଚର୍ମକୁ ଭେଦ କରିଥିଲା।

ଭାବିକା କହନ୍ତି, ସାପକାମୁଡ଼ା, ବିଛା ଦଂଶନ ଏବଂ କୀଟପତଙ୍ଗ କାମୁଡ଼ିବା ଏହି ଅଞ୍ଚଳରେ ସାଧାରଣ କଥା। ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲା ଉରନ ତାଲୁକାର ଏହି ଗାଁର ଲୋକେ, ଏଭଳି ଦଂଶନ ଫଳରେ ହୋଇଥିବା ଅନ୍ୟ ମୃତ୍ୟୁ କଥା ମନେ ପକାଇଲେ, ଯେଉଁମାନେକି ପ୍ରାଥମିକ ଚିକିତ୍ସା ପାଇପାରିନଥିଲେ ।

ଗତ ଏକ ଦଶନ୍ଧି ମଧ୍ୟରେ, ଦ୍ୱୀପରେ ଚିକିତ୍ସା ସୁବିଧାର ଅଭାବ ଫଳରେ ବହୁ ଜୀବନ ଯାଇଛି, ଯେଉଁଗୁଡ଼ିକ ଠିକ୍‌ ସମୟରେ ମେଡିକାଲ ସୁବିଧା ମିଳିଥିଲେ ଏଡାଇ ହୋଇପାରିଥାନ୍ତା। ପ୍ରକୃତରେ, ଦ୍ୱୀପର ଗାଁରେ କୌଣସି ଔଷଧ ଦୋକାନ ନାହିଁ, ଏବଂ ବାସିନ୍ଦାମାନେ ମୁଖ୍ୟ ଭୂମିକୁ ଯିବାବେଳେ ଯାହା କିଣି ଆଣିଥାଆନ୍ତି ସେଥିରେ ହିଁ ଚଳନ୍ତି । ଏବଂ ଘରପୁରୀରୁ ଯାତ୍ରା କରିବାର ଏକମାତ୍ର ବାଟ ହେଲା ଉରନ ତାଲୁକାର ଦକ୍ଷିଣକୁ ମୋରା ବନ୍ଦରକୁ ଯାଉଥିବା ଏକ ନୌକା ବା ନବି ମୁମ୍ବାଇର ପୂର୍ବକୁ ନାଭା ଗାଁକୁ ଯାଉଥିବା ଆଉ ଏକ ନୌକା। ଉଭୟ ଯାତ୍ରା ପ୍ରାୟ ଅଧ ଘଣ୍ଟା ସମୟ ଲାଗେ। ଦ୍ୱୀପର ପଶ୍ଚିମ ଭାଗରେ ଥିବା ଦକ୍ଷିଣ ମୁମ୍ବାଇର କୋଲାବାକୁ ନୌକ ଯାତ୍ରା ଏକ ଘଣ୍ଟା ସମୟ ନିଏ।

ଏଲିଫାଣ୍ଟା ଗୁମ୍ଫାରେ ପର୍ଯ୍ୟଟନ ଗାଇଡ୍‌ ଭାବେ କାମ କରୁଥିବା ୩୩ ବର୍ଷୀୟ ଦୈବତ ପାଟିଲ କହନ୍ତି, ‘‘ଗାଁରେ ଜଣେ ଡାକ୍ତର ବା ନର୍ସଙ୍କୁ ଦେଖିବାର ପ୍ରଶ୍ନ ନାହିଁ। ଆମେ ଘରୋଇ ଉପଚାର ବା କୌଣସି ଔଷଧ [ଘରେ ଥିବା] ବ୍ୟବହାର କରୁ।’’ ତାଙ୍କ ମା’ ବତ୍ସଲା ପାଟିଲ, ସ୍ମାରକ ଅଞ୍ଚଳରେ ଏକ ଉଠା ଦୋକାନରେ ଟୋପି ବିକ୍ରି କରି ମାସକୁ ପ୍ରାୟ ୬,୦୦୦ ଟଙ୍କା ଆୟ କରୁଥିଲେ। ମେ’ ୨୦୨୧ରେ କରୋନାର ଦ୍ୱିତୀୟ ଲହରୀ ସମୟରେ ଯେତେବେଳେ ତାଙ୍କଠାରେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହୋଇଥିବାର ଲକ୍ଷଣ ଦେଖାଗଲା, ବତ୍ସଲା ଯନ୍ତ୍ରଣା ଉପଶମ ଔଷଧ ଖାଇଲେ ଏବଂ ଭଲ ହେବାକୁ ଆଶା ରଖିଥିଲେ। କିଛି ଦିନ ପରେ ଯେତେବେଳେ ତାଙ୍କର ଶରୀର ଯନ୍ତ୍ରଣା କମ୍‌ ହେବା ଦେଖାଗଲା ନାହିଁ, ସେ ତାଙ୍କ ପୁଅ ସହ ନୌକାରେ ଗଲେ । ଦୈବତ କହନ୍ତି, ‘‘ନିହାତି ଖରାପ ସ୍ଥିତି ହେଲେ ଯାଇ ଆମେ ଦ୍ୱୀପ ଛାଡୁ।’’

PHOTO • Aakanksha
PHOTO • Aakanksha

ବାମ: ଏଲିଫାଣ୍ଟା ଗୁମ୍ଫା ନିକଟସ୍ଥ ସେମାନଙ୍କର ଖାଦ୍ୟ ପଦାର୍ଥ ଦୋକାନରେ ଭାବିକା ଏବଂ ଗୌରୀ ମହାତ୍ରେ । ୨୦୨୧ ଆରମ୍ଭରେ ସେମାନଙ୍କର ବାପା ମା’ ପ୍ରାଣ ହରାଇବା ପରଠାରୁ ସେମାନେ ଏହାକୁ ଚଳାଇ ଆସୁଛନ୍ତି । ଡାହାଣ: ସେମାନଙ୍କ ବାପା ମା’ଙ୍କର ଫଟୋ, ମଧୁକର (ବାମ) ଏବଂ ଜୟଶ୍ରୀ

ଘର ଛାଡ଼ିବାର ଏକ ଘଣ୍ଟା ପରେ, ବତ୍ସଲା ଓ ତାଙ୍କ ପୁଅ ରାଇଗଡ଼ର ପନଭେଲ୍‌ ତାଲୁକାର ଗଭନ ଗାଁରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ, ଯେଉଁଠାରେ ଏକ ରକ୍ତପରୀକ୍ଷାରୁ ଜଣାପଡ଼ିଲା ଯେ ତାଙ୍କର ହିମୋଗ୍ଲୋବିନ୍‌ କମ୍‌ ଥିଲା। ବତ୍ସଲା ଘରକୁ ଫେରିଲେ, କିନ୍ତୁ ପରଦିନ ତାଙ୍କର ଅବସ୍ଥା ଆହୁରି ଖରାପ ହୋଇଗଲା ଏବଂ ସେ ବାନ୍ତି କରିବାକୁ ଲାଗିଲେ। ଏଥର ବି ତାଙ୍କୁ ସମାନ ହସ୍ପିଟାଲକୁ ନିଆଗଲା, ଏବଂ ସେ ପହଞ୍ଚିବା ପରେ ଏକ ପରୀକ୍ଷାରୁ ତାଙ୍କର ଅକ୍ଲିଜେନ ସ୍ତର କମୁଥିବା ଜଣାପଡ଼ିଲା; ସେ କୋଭିଡ୍‌ - ୧୯ ପଜିଟିଭ୍‌ ଚିହ୍ନଟ ହେଲେ। ତାଙ୍କୁ ପନଭେଲ୍‌ ସହରରେ ଥିବା ଏକ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ଲାଗି ପଠାଇ ଦିଆଗଲା, ଯେଉଁଠାରେ ୧୦ ଦିନ ପରେ ସେ ପ୍ରାଣ ହରାଇଲେ। ଦୈବତ୍‌ କହନ୍ତି, ‘‘ତାଙ୍କର ଫୁସ୍‌ଫୁସ୍‌ ଅଚଳ ହୋଇଯାଇଥିବା ଡାକ୍ତର କହିଲେ।’’

ସ୍ଥାନୀୟ ଅଞ୍ଚଳରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସୁବିଧାରେ ଔଷଧ ମିଳିଥିଲେ ହୁଏତ ଉଭୟ ବତ୍ସଲା ଓ ଜୟଶ୍ରୀଙ୍କର ଜୀବନ ବଞ୍ଚିଯାଇପାରିଥାନ୍ତା ।

ଜୟଶ୍ରୀଙ୍କ ମୃତ୍ୟୁର ଏକ ମାସ ପରେ, ଭାବିକା ଏବଂ ଗୌରୀ ଅନାଥ ହୋଇଗଲେ ଯେତେବେଳେ ସେମାନଙ୍କର ବାପା ମଧୁକର ମଧ୍ୟ ପ୍ରାଣ ହରାଇଲେ। ଭଉଣୀମାନେ କହନ୍ତି ଯେ ସେ ହୃଦଘାତରେ ପ୍ରାଣ ହରାଇଲେ। ମଧୁକର ମଧୁମେହ ପାଇଁ ଔଷଧ ଖାଉଥିଲେ, ଏବଂ ଦିନେ ଭୋରରୁ, ଭାବିକା ଘର ବାହାରେ ତାଙ୍କୁ ବାନ୍ତି କରୁଥିବା ଦେଖିଲେ। ତାଙ୍କୁ ଜଳଭାଗ ପାର କରି ନେରୁଲସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ପରିବାରକୁ ସେହିଦିନ ସକାଳ ଯାଏଁ ଅପେକ୍ଷା କରିବାକୁ ପଡ଼ିଲା – ମୋରା ଯାଏଁ ନୌକାରେ ଯାତ୍ରା ଏବଂ ତା’ପରେ ନେରୁଲକୁ ସଡ଼କ ପଥରେ ଯାତ୍ରା ଏକ ଘଣ୍ଟାରୁ ଅଧିକ ସମୟ ଲାଗିଲା। ୨୦ ଦିନ ପରେ ୨୦୨୦ ଫେବ୍ରୁଆରୀ ୧୧ ତାରିଖରେ ସେ ପ୍ରାଣ ହରାଇଲେ ।

ମହାତ୍ରେ ପରିବାର ଏଗ୍ରି କୋଲି ସମ୍ପ୍ରଦାୟର ଅନ୍ତର୍ଭୁକ୍ତ, ଯାହାକି ମହାରାଷ୍ଟ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗରେ ତାଲିକାଭୁକ୍ତ। ଦୁଇ ଭଉଣୀ ଭାବିକା ଏବଂ ଗୌରୀ ବଞ୍ଚିବା ପାଇଁ ଏବେ ସେମାନଙ୍କ ବାପା ମା’ଙ୍କର ଦୋକାନ ଚଳାଉଛନ୍ତି।

*****

ଏଲିଫାଣ୍ଟା ଗୁମ୍ଫାକୁ ଦେଖିବା ପାଇଁ ଘରପୁରୀ ଜେଟିରେ ଓହ୍ଲାଉଥିବା ପର୍ଯ୍ୟଟକ, ସେମାନଙ୍କର ମନେ ରଖିବା ଭଳି ବସ୍ତୁ ଓ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଦେଇ ଅତିକ୍ରମ କରନ୍ତି। କଟା ଆମ୍ବ, କାକୁଡ଼ି ଓ ଚକୋଲେଟ୍‌ ପ୍ଲେଟ୍‌ ସଜା ହୋଇଥିବା ଏମିତି ହିଁ ଏକ ଦୋକାନ ୪୦ ବର୍ଷୀୟ ଶୈଳେଶ ମହାତ୍ରେ ଚଳାନ୍ତି – ଯାହାଙ୍କୁ ନିଜର ଚାରି ସଦସ୍ୟ ବିଶିଷ୍ଟ ପରିବାରର କାହାରିକୁ ଚିକିତ୍ସା ଆବଶ୍ୟକ ପଡ଼ିଲେ ଦୋକାନ ଖାଲି ରଖିବାକୁ ହୁଏ। ସେତେବେଳେ ତାଙ୍କୁ ଦିନକର କାମ ଏବଂ ମଜୁରୀ ହରାଇବାକୁ ପଡ଼େ। ନିକଟରେ ୨୦୨୧ ସେପ୍ଟେମ୍ବରରେ ଏପରି ହୋଇଥିଲା, ଯେତେବେଳେ ତାଙ୍କର ମା’, ୫୫ ବର୍ଷୀୟା ହୀରାବାଇ ମହାତ୍ରେ, ଏକ ଓଦା ପଥରରେ ଖସି ଗଲେ ଏବଂ ତାଙ୍କର ଗୋଡ଼ ଭାଙ୍ଗିଗଲା। ତାଙ୍କୁ କୌଣସି ଯନ୍ତ୍ରଣା ଉପଶମ ଔଷଧ ମିଳିପାରିଲା ନାହିଁ ଏବଂ ସେ ରାତିସାରା ଯନ୍ତ୍ରଣା ସହିଲେ। ପରଦିନ ନୌକାରେ ଉରନ ନେଇଯିବାକୁ ଶୈଳେଶ ତାଙ୍କୁ ବୋହି କରି ନେଲେ।

PHOTO • Aakanksha
PHOTO • Aakanksha

ବାମ : ଶୈଳେଶ ମହାତ୍ରେ କାମ କରୁଥିବା ଫଳ ଦୋକାନରେ, ଯାହା ଏଲିଫାଣ୍ଟା ଗୁମ୍ଫା ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ଓହ୍ଲାଉଥିବା ଜେଟି ନିକଟରେ ରହିଛି । ଡାହାଣ : ଶୈଳେଶଙ୍କ ମା’, ହୀରାବାଇ ମହାତ୍ରେ ଏକ ଓଦା ପଥରରେ ଖସିଯିବା ଯୋଗୁଁ ଯନ୍ତ୍ରଣା ପାଇଲେ । ଚିକିତ୍ସା ଏବଂ ଔଷଧ ପାଇଁ ଜଳଭାଗ ପାର କରିବାକୁ ତାଙ୍କୁ ପରଦିନ ସକାଳ ଯାଏଁ ଅପେକ୍ଷା କରିବାକୁ ପଡ଼ିଲା

ହୀରାବାଈ କହନ୍ତି, ‘‘ହସ୍ପିଟାଲ [ଉରନସ୍ଥିତ] ମୋର ଗୋଡ଼ ଅସ୍ତ୍ରୋପଚାର ପାଇଁ ୭୦,୦୦୦ ଟଙ୍କା ମାଗିଲା । ଆମ ପାଖରେ ଏତେ ଟଙ୍କା  ନ ଥିଲା, ତେଣୁ ଆମେ ପନଭେଲ୍‌ [ଏକ ଘଣ୍ଟାର ରାସ୍ତା ଦୂର] ଗଲୁ, ସେଠାରେ ମଧ୍ୟ ଚିକିତ୍ସା ପାଇଁ ସମାନ ରାଶି ମାଗିଲେ। ଆମେ ଶେଷରେ ଜେଜେ ହସ୍ପିଟାଲ[ମୁମ୍ବାଇରେ]ରେ ପହଞ୍ଚିଲୁ, ଯେଉଁଠାରେ ମୋତେ ମାଗଣାରେ ଚିକିତ୍ସା ମିଳିଲା। ସେଠାରେ ମୋର ଏହି ପ୍ଲାଷ୍ଟର କରାଗଲା।’’ ଶେଷରେ ମାଗଣା ଚିକିତ୍ସା ମିଳିବା, ଏବଂ କେବଳ ଔଷଧ ପାଇଁ ପଇଠ କରିବାକୁ ପଡ଼ିବା ସତ୍ୱେ, ପରିବାରକୁ ଚିକିତ୍ସା, ଔଷଧ ଏବଂ ଯାତ୍ରାରେ ୧୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା।

ଦ୍ୱୀପରେ କୌଣସି ବ୍ୟାଙ୍କ ନାହିଁ, ଗୋଟିଏ ଏଟିଏମ୍‌ ବି ନାହିଁ, ତେଣୁ ଶୈଳେଶଙ୍କୁ ସମ୍ପର୍କୀୟ ଓ ବନ୍ଧୁମାନଙ୍କଠାରୁ ଟଙ୍କା ଧାର କରିବାକୁ ପଡ଼ିଲା । ସେ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏବଂ ଦୋକାନରେ ସହାୟକ ଭାବେ ତାଙ୍କର କାମ ସେତେ ବେଶୀ ଆୟ ଦିଏ ନାହିଁ । ଏହି ପରିବାର ପୂର୍ବରୁ ହିଁ ୩୦,୦୦୦ ଟଙ୍କା (କୋଭିଡ୍‌-୧୯ ଚିକିତ୍ସା ପାଇଁ)ର ଚିକିତ୍ସା ଋଣରେ ଚିନ୍ତିତ ରହିଛି ।

ଗୋଡ଼ରେ ପ୍ଲାଷ୍ଟର ଥାଇ ଚାଲିବାକୁ ଅକ୍ଷମ ଥିବାରୁ ହୀରାବାଈ ଚିନ୍ତିତ ଥିଲେ। ସେ କହିଲେ, ‘‘ମୁଁ ଏହି ପ୍ଲାଷ୍ଟରକୁ ଲଗାତର ଦେଖୁଥିଲି ଏବଂ ଭାବୁଥିଲି ମୁଁ କେମିତି ମୁମ୍ବାଇ ଯିବି ଏବଂ ଏହାକୁ ପରୀକ୍ଷା କରାଇ ଖୋଲିବି।’’ ସେ ଆହୁରି କହିଲେ, ‘‘ଜଙ୍ଗଲ ସମଝ କର ଛୋଡ୍‌ ଦିଆ ହୈ [ଆମକୁ ଏହି ଜଙ୍ଗଲରେ ପରିତ୍ୟକ୍ତ କରିଦିଆଯାଇଛି]।’’

ତାଙ୍କ ମନର ଏହି ଭାବନା ଗାଁରେ ମଧ୍ୟ ବ୍ୟାପକ ଭାବେ ରହିଛି, ସରପଞ୍ଚ ବଲିରାମ ଠାକୁର ମଧ୍ୟ ସମାନ କଥା କହିଲେ, ଯିଏ ୨୦୧୭ରେ ଏଠାରେ ଏକ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ଉରନ ଜିଲ୍ଲା ପରିଷଦକୁ ଆବେଦନ କରିଥିଲେ । ସେ କହନ୍ତି, ‘‘ଶେଷରେ ୨୦୨୦ରେ ଶେତବନ୍ଦରରେ ଏହାର ନିର୍ମାଣ ହେଲା। କିନ୍ତୁ ଏଯାଏଁ ଏଠାରେ କେହି ଜଣେ ଡାକ୍ତର ନାହାନ୍ତି ।’’ ଗ୍ରାମୀଣ କ୍ଷେତ୍ରରେ ସର୍ବନିମ୍ନ ପ୍ରତିଶତ ଡାକ୍ତର ଥିବା ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଅନ୍ୟତମ – ଯେଉଁଠାରେ ରାଜ୍ୟର ମୋଟ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୮.୬ ପ୍ରତିଶତ ଗ୍ରାମାଞ୍ଚଳରେ କାମ କରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଯୁଗ୍ମ ଭାବେ ଭାରତର ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ୨୦୧୮ରେ ପ୍ରକାଶିତ ଏକ ରିପୋର୍ଟରେ ଏହା ଦର୍ଶାଯାଇଛି ।

ଏଠାରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅବସ୍ଥାପିତ କରିବାକୁ ବଲିରାମ ଦାବି କରିଆସୁଛନ୍ତି, କିନ୍ତୁ ସେ କହନ୍ତି, ‘‘ଏଠାରେ କେହି ବି ରହିବାକୁ ପ୍ରସ୍ତୁତ ନୁହନ୍ତି । କେବଳ ଆମେ ଏଠାକାର ଗ୍ରାମବାସୀ ନୁହନ୍ତି, ବରଂ ପର୍ଯ୍ୟଟକଙ୍କୁ ମଧ୍ୟ ଚିକିତ୍ସା ସୁବିଧା ଆବଶ୍ୟକ। ଥରେ ଜଣେ ପର୍ଯ୍ୟଟକ ପାହାଡ଼ ଚଢ଼ିବା ବେଳେ ଖସିପଡ଼ିଲେ ଏବଂ ତାଙ୍କୁ ତୁରନ୍ତ ମୁମ୍ବାଇ ନେବାକୁ ପଡ଼ିଲା।’’

PHOTO • Aakanksha
PHOTO • Aakanksha

ବାମ : ବଲିରାମ ଠାକୁର, ଘରପୁରୀର ସରପଞ୍ଚ, ଯିଏ ଗାଁରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା କରିବାକୁ ଉରନ ଜିଲ୍ଲା ପରିଷଦକୁ ଆବେଦନ କରିଥିଲେ। ‘ଏପର୍ଯ୍ୟନ୍ତ ଆମେ ଏଠାରେ ଜଣେ ଡାକ୍ତରଙ୍କ ରହିବାକୁ ଅପେକ୍ଷା କରିଛୁ’। ଡାହାଣ : ଦ୍ୱୀପର ବାସିନ୍ଦାଙ୍କ ପାଇଁ, କେଉଁଠାକୁ ଯିବା ପାଇଁ ଏକମାତ୍ର ମାଧ୍ୟମ ହେଲା ନୌକା

ଘରପୁରୀର ବାସିନ୍ଦାଙ୍କର ସ୍ୱାସ୍ଥ୍ୟ ଡାକ୍ତର ରାଜାରାମ ଭୋସ୍‌ଲେଙ୍କ ହାତରେ ନ୍ୟସ୍ତ, ଯିଏକି ୨୦୧୫ରୁ କୋପରୋଲି ଗାଁରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍ ସି)ରେ ଅବସ୍ଥାପିତ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟସେବା ଅଧୀନରେ ୫୫ଟି ଗାଁ ରହିଛି, ଏବଂ ତାଙ୍କ ପିଏଚ୍‌ସିରୁ ଘରପୁରୀକୁ ଯାତ୍ରା ଦେଢ଼ ଘଣ୍ଟା ସମୟ (ସଡ଼କ ଓ ନୌକା ମାଧ୍ୟମରେ) ନିଏ। ସେ କହିଲେ, ‘‘ଆମ ପାଖରେ ନର୍ସ ଅଛନ୍ତି ଯେଉଁମାନେ ସେଠାକୁ ମାସକୁ ଦୁଇ ଥର ଯାଆନ୍ତି ଏବଂ ଯଦି କୌଣସି ଜରୁରୀ ସ୍ଥିତି ଥାଏ ମୋତେ ସୂଚିତ କରାଯାଏ ।’’ ଏହାସହ ତାଙ୍କ ଅବଧି ମଧ୍ୟରେ କୌଣସି ଡାକ୍ତରୀ ଜରୁରୀସ୍ଥିତି ସମ୍ପର୍କରେ ସେ ଅବଗତ ନ ଥିବା କହିଲେ।

କୋପରୋଲି ପିଏଚ୍‌ସିର ନର୍ସମାନେ ଆସି ଘରପୁରୀର ଅଙ୍ଗନୱାଡ଼ି କେନ୍ଦ୍ର ବା ଗ୍ରାମ ପଞ୍ଚାୟତ ଅଫିସ୍‌ରେ ରୋଗୀଙ୍କୁ ଦେଖନ୍ତି। ଜଣେ ନର୍ସ ଓ ଆରୋଗ୍ୟ ସେବିକା ସାରିକା ଥାଲେ ୨୦୧୬ରୁ ଏହି ଗାଁ (ଏବଂ ଅନ୍ୟ ୧୫ଟି ଗାଁ) ଦାୟିତ୍ୱରେ ଅଛନ୍ତି । ସେ ପୋଲିଓ ବୁନ୍ଦା ଦେବାକୁ ମାସକୁ ଦୁଇ ଥର ଆସନ୍ତି ଏବଂ କମ୍‌ ବୟସ୍କ ମା’ ମାନଙ୍କୁ ଭେଟନ୍ତି ।

ସେ ଦର୍ଶାନ୍ତି, ‘‘ବର୍ଷା ଦିନରେ ଉଚ୍ଚ ଜୁଆର ଯୋଗୁଁ ନୌକା ଚଳାଚଳ କରୁନଥିବାରୁ ଏଠାରେ ପହଞ୍ଚିବା କଷ୍ଟକର ହୁଏ ।’’ ଘରପୁରୀରେ ରହିବା ତାଙ୍କ ପାଇଁ ଅସମ୍ଭବ, ସେ କହନ୍ତି, ‘‘ମୋର [ଛୋଟ] ପିଲା ଅଛନ୍ତି । ସେମାନେ କେଉଁଠାରେ ପଢ଼ିବେ ? ଏବଂ ମୁଁ ମୋର କାମ ପାଇଁ ଏଠାରୁ ଅନ୍ୟ ଗାଁଗୁଡ଼ିକୁ କେମିତି ଯାତ୍ରା କରିବି ?’’

ଘରପୁରୀରେ, ଅନ୍ୟ ସୁବିଧା ଯେମିତିକି ପାଣି ଏବଂ ବିଦ୍ୟୁତ୍‌ ଏବେ ନିକଟରେ ହିଁ ଉପଲବ୍ଧ ହୋଇଛି । ୨୦୧୮ ପର୍ଯ୍ୟନ୍ତ, ଦ୍ୱୀପରେ ବିଜୁଳି କେବଳ ମହାରାଷ୍ଟ୍ର ପର୍ଯ୍ୟଟନ ଉନ୍ନୟନ ନିଗମ (ଏମ୍‌ଟିଡିସି) ପକ୍ଷରୁ ଦିଆଯାଉଥିବା ଜେନେରେଟରଗୁଡ଼ିକ ମାଧ୍ୟମରେ ହିଁ ମିଳିପାରୁଥିଲା; ସେଗୁଡ଼ିକ ରାତି ୭ଟାରୁ ୧୦ଟା ମଧ୍ୟରେ ଚାଲୁଥିଲା । ପାଣି ସଂଯୋଗ ୨୦୧୯ରେ ଆସିଲା । ଦ୍ୱୀପରେ ଥିବା ଏକମାତ୍ର ସ୍କୁଲ ବନ୍ଦ ହୋଇଯାଇଛି ।

PHOTO • Aakanksha
PHOTO • Aakanksha

ବାମ : ସଂଧ୍ୟା ଭୋୟର ଦ୍ୱୀପରୁ ମୁମ୍ବାଇର ଏକ ହସ୍ପିଟାଲକୁ ଯିବା ବାଟରେ ଏକ ଦୋହଲୁଥିବା ନୌକାରେ ତାଙ୍କର ପ୍ରଥମ ପିଲାକୁ ଜନ୍ମ ଦେବା କଥା ମନେ ରଖିଛନ୍ତି । ଡାହାଣ : ଘରପୁରୀର ଜିଲ୍ଲା ପରିଷଦ ସ୍କୁଲ, ଯାହା ୨୦୨୨ ଏପ୍ରିଲରେ ବନ୍ଦ ହୋଇଗଲା

ଚିକିତ୍ସା ସୁବିଧାର ଅଭାବ ଯୋଗୁଁ, ଏହା ବିଚିତ୍ର ନୁହେଁ ଯେ ଗର୍ଭବତୀ ମହିଳାମାନେ ସେମାନଙ୍କର ପ୍ରସବର କିଛି ମାସ ପୂର୍ବରୁ ଗାଁ ଛାଡ଼ି ଦିଅନ୍ତି, କାରଣ ସେମାନେ କୌଣସି ବିପଦରେ ପଡ଼ିବାକୁ ଚାହାନ୍ତି ନାହିଁ । ବହୁ ସଂଖ୍ୟାରେ ଗର୍ଭବତୀ ସେମାନଙ୍କ ଗର୍ଭାବସ୍ଥାର ଶେଷ କିଛି ମାସରେ ଦ୍ୱୀପ ଛାଡ଼ି ଦିଅନ୍ତି, ଏବଂ ମୁଖ୍ୟ ଭୂମିରେ ଥିବା ନିଜର ସମ୍ପର୍କୀୟଙ୍କ ଘରକୁ ବା ଏକ ଭଡ଼ା ଘରକୁ ଚାଲିଯାଆନ୍ତି, ଉଭୟ ବିକଳ୍ପ କ୍ଷେତ୍ରରେ ସେମାନଙ୍କୁ ଅତିରିକ୍ତ ଖର୍ଚ୍ଚ କରିବାକୁ ହୁଏ । ଏମିତିକି ଯେଉଁମାନେ ରହିଯାଆନ୍ତି ସେମାନଙ୍କର କହିବା କଥା ହେଲା ସେମାନେ ଚିକିତ୍ସା ସୁବିଧା ଏବଂ ତାଜା ପନିପରିବା ଏବଂ ଡାଲି, ଯାହାକୁ ଗର୍ଭବତୀ ମହିଳା ଆବଶ୍ୟକ କରନ୍ତି ସେସବୁ ପାଆନ୍ତି ନାହିଁ ।

୨୦୨୦ର ଲକ୍‌ଡାଉନ୍‌ ସମୟରେ, ନୌକା ଚଳାଚଳ କରୁନଥିବାରୁ ପ୍ରସବ କରିବାକୁ ଥିବା ମହିଳାମାନେ ହସ୍ପିଟାଲରେ ପହଞ୍ଚିପାରିଲେ ନାହିଁ । ୨୬ ବର୍ଷୀୟା କ୍ରାନ୍ତି ଘାରଟ ସେତେବେଳେ ତିନି ମାସର ଗର୍ଭବତୀ ଥିଲେ ଯେତେବେଳେ ସେହି ବର୍ଷ ମାର୍ଚ୍ଚ ମାସରେ ଲକ୍‌ଡାଉନ୍‌ ଘୋଷଣା ହେଲା, ଏବଂ ସମସ୍ତ ପ୍ରକାର ପରିବହନ ବନ୍ଦ ହୋଇଗଲା । ସେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇପାରିଲେ ନାହିଁ ଏବଂ କହିଲେ ଯେ ବେଳେବେଳେ ଗର୍ଭାବସ୍ଥାଜନିତ କଷ୍ଟ ଅସହ୍ୟ ହେଉଥିଲା । ପରିସ୍ଥିତି ଉପରେ ନିଜର ବିରକ୍ତି ପ୍ରକାଶ କରି ସେ କହିଲେ, ‘‘ମୋତେ ମୋର ଅବସ୍ଥା ସମ୍ପର୍କରେ କହିବା ଲାଗି ଜଣେ ଡାକ୍ତରଙ୍କ ସହ ଫୋନ୍‌ ଯୋଗେ କଥା ହେବାକୁ ପଡୁଥିଲା ।’’

ସଂଧ୍ୟା ଭୋୟର ଦ୍ୱୀପରୁ ମୁମ୍ବାଇର ଏକ ହସ୍ପିଟାଲକୁ ଯିବା ବାଟରେ ଏକ ନୌକାରେ ତାଙ୍କର ପ୍ରଥମ ପିଲାକୁ ଜନ୍ମ ଦେବା କଥା ମନେ ରଖିଛନ୍ତି । ଏହା ୩୦ ବର୍ଷ ପୂର୍ବରୁ, ଏବଂ ସ୍ଥାନୀୟ ଧାଈ(ପାରମ୍ପରିକ ଧାଈ) ପିଲାକୁ ପ୍ରସବ କରାଇବାରେ ସଂଘର୍ଷ କରୁଥିଲେ । ଏକ ଦୋହଲୁଥିବା ନୌକାରେ ପ୍ରସବ କରିବା ସମ୍ପର୍କିତ ତାଙ୍କର ସ୍ମୃତି ବାବଦରେ ମନେ ପକାଇ ହସି ସେ କହନ୍ତି, ‘‘ମୁଁ ସବୁକିଛି ଈଶ୍ୱରଙ୍କ ଉପରେ ଛାଡ଼ି ଦେଇଥିଲି ।’’ ଏକ ଦଶକ ପୂର୍ବରୁ ଗାଁରେ ଦୁଇ ଜଣ ଧାଈ ଥିଲେ, କିନ୍ତୁ ସମୟ କ୍ରମେ, ସରକାରଙ୍କ ପକ୍ଷରୁ ଡାକ୍ତରଖାନାରେ ପ୍ରସବକୁ ଗୁରୁତ୍ୱ ଏବଂ ଆର୍ଥିକ ପ୍ରୋତ୍ସାହନ ଦିଆଯିବା ଫଳରେ, ସେମାନଙ୍କ ସେବାର ଚାହିଦା ବହୁଳ ଭାବେ କମିଯାଇଛି ।

PHOTO • Aakanksha
PHOTO • Aakanksha

ବାମ : କ୍ରାନ୍ତି ଘାରଟ ତାଙ୍କ ପିଲା ହିୟାଂଶ ସହିତ ସ୍ୱାମୀଙ୍କ ସହ ସେ ଚଳାଉଥିବା ଛୋଟ ଦୋକାନରେ । ଡାହାଣ : ଜେଟିର ଏକ ଦୃଶ୍ୟ ଯେଉଁଠାରୁ ଗ୍ରାମବାସୀ ମୁଖ୍ୟଭୂମିକୁ ଯିବା ପାଇଁ ନୌକାରେ ବସନ୍ତି

ଗାଁରେ ଗୋଟିଏ ଔଷଧ ଦୋକାନ ନ ଥିବା ଗାଁ ଲୋକଙ୍କୁ ଆଗୁଆ ଯୋଜନା କରିବାକୁ ବାଧ୍ୟ କରେ । ସେ କହିଲେ, ‘‘ଔଷଧ ମାତ୍ର ଦିନ କେଇଟା ପାଇଁ ଲେଖାଯାଇଥିଲେ ମଧ୍ୟ ମୁଁ ମାସକ ପାଇଁ ଆଣି ରଖେ, କାରଣ ପୁଣି ଔଷଧ ନେବା ପାଇଁ କେତେବେଳେ ହସ୍ପିଟାଲ ଆସିବୁ ତାହା ଆମକୁ ଜଣାନଥାଏ ।’’ କ୍ରାନ୍ତି ଏବଂ ତାଙ୍କ ସ୍ୱାମୀ ସୁରଜ, ଆଗ୍ରି କୋଲି ସମ୍ପ୍ରଦାୟର ଅଟନ୍ତି ଏବଂ ଘରପୁରୀରେ ଏକ ଛୋଟ ତେଜରାତି ଦୋକାନ ଚଳାନ୍ତି । କୋଭିଡ୍‌-୧୯ ଲକ୍‌ଡାଉନ୍‌ ପୂର୍ବରୁ, ସେମାନଙ୍କର ଆୟ ପ୍ରାୟ ୧୨,୦୦୦ ଟଙ୍କା ଥିଲା ।

ତାଙ୍କର ଗର୍ଭାବସ୍ଥାର ଷଷ୍ଠ ମାସରେ, କ୍ରାନ୍ତି ଉରନ ତାଲୁକା ଅଧୀନ ନବୀନ ସେଭା ଗାଁରେ ଥିବା ନିଜ ଭାଇଙ୍କ ଘରକୁ ଚାଲିଯାଇଥିଲେ । ସେ କହିଲେ, ‘‘ମୁଁ ପୂର୍ବରୁ ଯାଇନଥିଲି କାରଣ ମୁଁ ବେମାରୀ [କୋଭିଡ୍‌-୧୯]କୁ ନେଇ ଭୟ କରୁଥିଲି । ମୁଁ ଅନୁଭବ କଲି ଘରପୁରୀରେ ରହିବା ନିରାପଦ ଥିଲା, ଏବଂ ମୁଁ ମଧ୍ୟ ଭାଇ ଉପରେ ବୋଝ ହେବାକୁ ଚାହୁଁନଥିଲି ।’’

ଯେତେବେଳେ ସେ ଯାତ୍ରା କଲେ ସେ ନୌକା ଯାତ୍ରା ବାବଦକୁ ୩୦୦ ଟଙ୍କା ଖର୍ଚ୍ଚ କଲେ, ଯାହାକି ସାଧାରଣ ଭଡ଼ା ୩୦ ଟଙ୍କାଠାରୁ ୧୦ ଗୁଣା ଅଧିକ ଥିଲା । କୋଭିଡ୍‌-୧୯ କାରଣରୁ ଏକ ସରକାରୀ ହସ୍ପିଟାଲରେ ବିପଦ ଥିବା ଆଶଙ୍କା କରି, ତାଙ୍କ ପରିବାର ଏକ ଘରୋଇ ହସ୍ପିଟାଲକୁ ବାଛିଲେ ଏବଂ ସିଜରିଆନ୍‌ ଅସ୍ତ୍ରୋପଚାର ଏବଂ ଔଷଧ ଆଦିରେ ପ୍ରାୟ ୮୦,୦୦୦ ଟଙ୍କା ଖର୍ଚ୍ଚ କଲେ । କ୍ରାନ୍ତି କହିଲେ, ‘‘ଏହା ଡାକ୍ତରଙ୍କ ଫି, ପରୀକ୍ଷା ଏବଂ ଔଷଧ ବାବଦରେ ଖର୍ଚ୍ଚ ହେଲା ।’’ ସେ ଏବଂ ସୁରଜ ସେତେବେଳେ ନିଜର ସଞ୍ଚୟ ବ୍ୟବହାର କରିଦେଲେ ।

କ୍ରାନ୍ତି ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ), ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଯାଉଥିବା ମା’ମାନଙ୍କର ସ୍ୱାସ୍ଥ୍ୟରେ ସୁଧାର ପାଇଁ କେନ୍ଦ୍ର ସରକାରଙ୍କର ଏକ ମାତୃତ୍ୱ ଲାଭ ଯୋଜନା ପାଇଁ ଯୋଗ୍ୟ । ସେ ୫,୦୦୦ ଟଙ୍କା ପାଇବା ଉଚିତ କିନ୍ତୁ ୨୦୨୦ରେ ଏଥିପାଇଁ ଆବେଦନ କରି ସୁଦ୍ଧା, କ୍ରାନ୍ତି ଏଯାଏଁ ଏହା ପାଇନାହାନ୍ତି, ଯାହା ପ୍ରମାଣିତ କରୁଛି ଯେ ଘରପୁରୀର ବାସିନ୍ଦାଙ୍କ ପ୍ରତି ସରକାରୀ ଅବହେଳା ସ୍ୱାସ୍ଥ୍ୟସେବାର କୌଣସି ଗୋଟିଏ ଦିଗ ମଧ୍ୟରେ ସୀମିତ ନୁହେଁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Aakanksha

Aakanksha (she uses only her first name) is a Reporter and Content Editor at the People’s Archive of Rural India.

Other stories by Aakanksha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE