“ଦିନବେଳା ମୁଁ ମୋ ପିଲାମାନଙ୍କୁ ଶୁଆଇ ଦିଏ ଏବଂ ସେମାନେ ଘର ଭିତରେ ରହିଛନ୍ତି ବୋଲି ନିଶ୍ଚିତ କରିନିଏ । ଏହି ଉପାୟରେ ଅନ୍ୟ ପିଲାମାନଙ୍କ ଖାଦ୍ୟ ଖାଇବା ଦେଖିବାରୁ ମୁଁ ସେମାନଙ୍କୁ ଦୂରେଇ ରଖେ ।” ଏପ୍ରିଲ ୧୪ ତାରିଖ ଦିନ ଆମ କଥାବାର୍ତ୍ତା ସମୟରେ ଦେବୀ କନକରାଜ (ପରିବର୍ତ୍ତିତ ନାମ) ମୋତେ ଏହା କହିଥିଲେ । ସେଦିନ ତାଙ୍କ ପାଖରେ ଆଉ ଦୁଇ ଦିନ ପାଇଁ ଖାଦ୍ୟ ସାମଗ୍ରୀ ରହିଥିଲା । ସେ କହିଲେ, “ସେମାନଙ୍କୁ ମୁଁ ଯଥେଷ୍ଟ ଖାଇବାକୁ ଦେଇପାରୁନାହିଁ । ସାହାଯ୍ୟ ଲୋଡ଼ିବାକୁ ବି ମୋର କେହି ନାହାନ୍ତି ।”

ତାମିଲ ନାଡୁର ବିରୁଧୁନଗର ଜିଲ୍ଲାରେ ଅବସ୍ଥିତ ଏଡ଼ାୟାପୋଟ୍ଟଲପଟ୍ଟି ବସ୍ତିରେ ରହୁଥିବା ଦାରିଦ୍ର୍ୟ ପ୍ରପୀଡ଼ିତ ଏବଂ ଅଧିସୂଚିତ ଜାତି ରୁପେ ତାଲିକାଭୁକ୍ତ, ଅରୁନ୍ଥାଥିୟାର ସଂପ୍ରଦାୟର ଅନେକ ମହିଳାଙ୍କ ଭଳି ୨୮ ବର୍ଷୀୟା ଦେବୀ ମଧ୍ୟ ସେଠାରୁ ପ୍ରାୟ ୨୫ କିଲୋମିଟର ଦୂର ଶିବକାଶୀ ସହରର ଏକ ବାଣ ତିଆରି କାରଖାନାରେ, ସାପ୍ତାହିକ ମଜୁରି ଭିତ୍ତିରେ କାମ କରନ୍ତି । ମାର୍ଚ୍ଚ ୨୪ ତାରିଖ ଦିନ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଜାରି ହେବା ପର୍ଯ୍ୟନ୍ତ, ସେ ରକେଟ୍‌ ନଳିରେ ଏବଂ କାଗଜ ଖୋଳରେ ବାରୁଦ ଭରିବା ଭଳି ଅତି ବିପଜ୍ଜନକ କାର୍ଯ୍ୟ କରି ଦିନକୁ ୨୫୦ ଟଙ୍କା ରୋଜଗାର କରୁଥିଲେ ।

ଏପ୍ରିଲ ମାସ ଆରମ୍ଭରୁ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ସହାୟତା ବାବଦରେ ଦେବୀଙ୍କୁ ୧୫ କିଲୋ ଚାଉଳ, ଏକ କିଲୋ ଡାଲି ମିଳିଥିଲା, କିନ୍ତୁ ତାହା ଖୁବ୍‌ ଶୀଘ୍ର ସରିଆସିଲା । ମୋତେ ସେକହିଥିଲେ, “ଆମେ (ତାଙ୍କ ପରିବାର) ସରକାରଙ୍କ ପାଖରୁ ୧,୦୦୦ ଟଙ୍କା ବି ପାଇଥିଲୁ । ଏହାକୁ ପରିବାପତ୍ର ଏବଂତେଜରାତି ଜିନିଷ କିଣାରେ ଖର୍ଚ୍ଚ କରିଦେଲୁ । ସରକାରୀ ରାସନ ଦୋକାନ ଆମକୁ ତେଲ ଦେଲା ନାହିଁ । ମୁଁ ଏବେ ମାପିଚୁପି ଖାଦ୍ୟ ତିଆରି କରୁଛି, ଦିନକୁ କେବଳ ଦୁଇ ବେଳା ଭୋଜନ ।”

ମେ ମାସ ଆରମ୍ଭରୁ ଦେବୀଙ୍କ ପରିବାରକୁ ୩୦ କିଲୋ ଚାଉଳ, ୧ କିଲୋ ଡାଲି, ଗୋଟିଏ ଲିଟର ତେଲ ଓ ୨ କିଲୋ ଚିନି ମିଳିଥିଲା । ଦୁଇ ସପ୍ତାହ ପରେ, ଅଳ୍ପ କିଛି ଚାଉଳ ଯାହା ବଳିଥିଲା । ସେ କହିଲେ, “ପରିବାପତ୍ର ଏବଂ ତେଜରାତି ଜିନିଷ କିଣିବାକୁ ପଇସା ନାହିଁ । ଏବେ ଆମେ କେବଳ ଭାତ ଓ ଆଚାର ଖାଉଛୁ ।”

ଜିଲ୍ଲାରେ ଅଳ୍ପସଂଖ୍ୟକ କୋଭିଡ୍‌-୧୯ ସଂକ୍ରମଣ ମାମଲାର ରିପୋର୍ଟ ମିଳିଥିବାରୁ, ମେ ୧୮ ତାରିଖ ଦିନ ବିରୁଧୁନଗରରେ ଲକ୍‌ଡାଉନ୍‌ କୋହଳ କରାଗଲା । ସେଦିନ ଦେବୀ କାମ କରିବାକୁ ଗଲେ ଏବଂ ୧୨, ୧୦ ଓ ୮ ବର୍ଷ ବୟସର ତାଙ୍କ ତିନି ଝିଅଙ୍କୁ ଖାଦ୍ୟ ଦେବା ପାଇଁ ଟଙ୍କା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ତାଙ୍କ ସ୍ଵାମୀ, ୩୦ ବର୍ଷ ବୟସର ଆର୍‌.କନକରାଜ (ପରିବର୍ତ୍ତିତ ନାମ) ଜୀବିକା ଅର୍ଜନ ପାଇଁ ଟ୍ରକ୍‌ ଚଳାନ୍ତି ଏବଂ ନିଜ ରୋଜଗାରର ବଡ଼ ଭାଗ ମଦ ପିଇବାରେ ଖର୍ଚ୍ଚ କରିଦିଅନ୍ତି ।

Devi Kanakaraj struggled to feed her daughters during the lockdown, when the fireworks factory she worked at was shut

ଲକ୍‌ଡାଉନ୍‌ ସମୟରେ, ଯେଉଁ ବାଣ କାରଖାନାରେ ସେ କାମ କରୁଥିଲେ ତାହା ବନ୍ଦ ହୋଇଯିବାରୁ ନିଜର ତିନି ଝିଅଙ୍କୁ ଖୁଆଇବା ପାଇଁ ଦେବୀ କନକରାଜ ସଂଘର୍ଷ କରୁଥିଲେ

ଚାରି ବର୍ଷରୁ ଅଧିକ ସମୟ ହେଲା ଦେବୀ ସେହି ବାଣ କାରଖାନାରେ କାମ କରିଆସୁଛନ୍ତି । ବିରୁଧୁନଗର ଜିଲ୍ଲାର ଶିବକାଶୀ ପୌରାଞ୍ଚଳ ଓ ଆଖପାଖରେ ଅବସ୍ଥିତ ଛୋଟବଡ଼ ପ୍ରାୟ ୯୦୦ଟି କାରଖାନାରୁ ତାହା ଗୋଟିଏ । ଶ୍ରୀବିଲ୍ଲିପୁଥୁର ତାଲୁକର ପଡ଼ିକ୍କାଶୁ ବୈଥାନପଟ୍ଟି ପଞ୍ଚାୟତର ଏକ ଅଂଶ,ଏଡ଼ାୟାପୋଟ୍ଟଲପଟ୍ଟି ବସ୍ତିରେ ରହୁଥିବା ୫୫୪ ଜଣ ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ଏହି ସବୁ କାରଖାନାରେ କାମ କରନ୍ତି । ସେଠାରେ ସେମାନଙ୍କୁ ବର୍ଷକରେ ନିଶ୍ଚିତ ଭାବରେ ପ୍ରାୟ ଛଅ ମାସ କାମ ମିଳିଯାଏ ।

ଦେବୀ କହନ୍ତି, “ପ୍ରତି ଶନିବାର ଦିନ ମୁଁ ୭୦୦-୮୦୦ ଟଙ୍କା ନେଇ ଘରକୁ ଯାଉଥିଲି ।” ଭବିଷ୍ୟନିଧି ପାଣ୍ଠିରେ ଜମା, କର୍ମଚାରୀଙ୍କ ରାଜ୍ୟବୀମା ଯୋଜନା ଏବଂ ଶ୍ରମିକ ଠିକାଦାରଙ୍କ ପାଖରୁ ନେଇଥିବା ଅଗ୍ରୀମ ବାବଦ ଦେୟ କଟିବା ପରେ ଏହି ଟଙ୍କା ମିଳୁଥିଲା । ସେ ଆହୁରି କହନ୍ତି, “ଲକ୍‌ଡାଉନ୍‌ ଯୋଗୁଁ ମୋ ପରିବାର ଚଳାଇବା ପାଇଁ ମୋ ପାଖରେ କୌଣସି ଆୟ ପନ୍ଥା ରହିଲା ନାହିଁ ।” ବିରୁଧୁନଗରରେ ଲକ୍‌ଡାଉନ୍‌ ଜାରି ସମୟରେ, ମାର୍ଚ୍ଚ ୨୫ରୁ ମେ ୧୮ ତାରିଖ ପର୍ଯ୍ୟନ୍ତ, ଦେବୀଙ୍କର କୌଣସି ରୋଜଗାର ନଥିଲା କି ତାଙ୍କ କାରଖାନାରୁ ଆର୍ଥିକ ସହାୟତା ମିଳି ନଥିଲା ।

ଲକ୍‌ଡାଉନ୍‌ କୋହଳ ହେବା ପରେ, ଶିବକାଶୀର ଛୋଟ ଛୋଟ ବାଣ କାରଖାନାଗୁଡ଼ିକ ସବୁ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କଲେ । ହେଲେ, ଦେବୀ ଯେଉଁ କାରଖାନାରେ କାମ କରୁଥିଲେ, ସେହିଭଳି ୫୦ରୁ ଅଧିକ କର୍ମଚାରୀ ଥିବା କାରଖାନାଗୁଡ଼ିକ, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କଲେ । ଦେବୀଙ୍କ କାରଖାନାରେ ପ୍ରତି କର୍ମଚାରୀଙ୍କୁ ସପ୍ତାହରେ କେବଳ ଦୁଇ ଦିନ କାମ କରିବାକୁ ଅନୁମତି ଦିଆଗଲା । ତେଣୁ ମେ ୧୮ ତାରିଖଠାରୁ ଦେବୀ ଚାରି ଦିନ କାମ କରିଥିଲେ । କାମ ପୁଣି ଆରମ୍ଭ କରିବା ସମୟରେ, ଦୁଇ ଦିନର ଅଗ୍ରୀମ ମଜୁରି ବାବଦରେ ତାଙ୍କୁ ୫୦୦ ଟଙ୍କା ମିଳିଥିଲା ଏବଂ ମେ ୩୦ ତାରିଖ ଦିନ ତାଙ୍କୁ ଆଉ ୫୦୦ ଟଙ୍କା ମିଳିଲା ।

ବାଣ କାରଖାନାରେ କାମ ଆରମ୍ଭ କରିବା ପୂର୍ବରୁ ଦେବୀ ଏକ ସୂତାକଳରେ କାମ କରୁଥିଲେ ଏବଂ ସେଠାରୁ ଦିନକୁ ୧୮୦ ଟଙ୍କା ରୋଜଗାର କରୁଥିଲେ । ବିରୁଧୁନଗର ଜିଲ୍ଲାରେ ବାଣ ଶିଳ୍ପ ହିଁ ଅନ୍ୟତମ ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା, କାରଣ ଶୁଷ୍କ ଜଳବାୟୁ ବିଶିଷ୍ଟ ଏହି ଜିଲ୍ଲାର ଅଳ୍ପ କେତେକ ଭାଗରେ ହିଁ ଚାଷବାସ ହୁଏ । ଏଠାରେ ଥିବା ଅଳ୍ପ କେତେକ ସୂତାକଳ ମଧ୍ୟ ନିଯୁକ୍ତି ସୁଯୋଗର ଅନ୍ୟ ଏକ ପ୍ରମୁଖ ଉତ୍ସ ।

‘ତାମିଲନାଡୁ ଫାୟାରୱାର୍କସ ଇଣ୍ଡଷ୍ଟ୍ରିଜ୍‌ ୱାର୍କର୍ସ ପ୍ରୋଟେକ୍ସନ ଆସୋସିଏସନ୍‌’ର ସଂପାଦକ ମୁଥୁକ୍ରିଷ୍ଣନ ଏ. କହନ୍ତି. ଶିବକାଶୀର ବିଭିନ୍ନ କାରଖାନାରେ ପ୍ରାୟ ୩ ଲକ୍ଷ କର୍ମଚାରୀ ବାଣ ତିଆରିରେ ସଂପୃକ୍ତ ଏବଂ ଅନ୍ୟୂନ ୪-୫ ଲକ୍ଷ ଲୋକ ବିଭିନ୍ନ ଆନୁସଙ୍ଗିକ ଶିଳ୍ପ ସଂସ୍ଥାରେ କାମ କରନ୍ତି । ଶିବକାଶୀରେ ସେ ଚଳାଉଥିବା ଏକ ବାଣ କାରଖାନାରେ ୫୦ ଜଣ କର୍ମଚାରୀ ନିଯୁକ୍ତି ପାଇଛନ୍ତି ।

ଅରୁନ୍ଥାଥିୟାର ସଂପ୍ରଦାୟର ଅଧାରୁ ଅଧିକ ଲୋକ ଏହି ସବୁ କାରଖାନାରେ କାମ କରନ୍ତି । ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ମହିଳା। ଏଡ଼ାୟାପୋଟ୍ଟଲପଟ୍ଟିରେ ରହୁଥିବା ତାମିଲନାଡୁ ଲେବର ରାଇଟ୍‌ସ ଫେଡେରେସନ (TNLRF)ର ରାଜ୍ୟ ସଂଯୋଜକ ପୁନ୍ନୁଚାମୀ ଏମ୍‌. କହନ୍ତି, “ଏହି ସଂପ୍ରଦାୟର କର୍ମଚାରୀମାନେ ହିଁ ବାଣ କାରଖାନାରେ ସବୁଠାରୁ ବିପଜ୍ଜନକ କାମ କରନ୍ତି । ସେମାନେ ନଳିଗୁଡ଼ିକରେ ରାସାୟନିକ ଦ୍ରବ୍ୟ (ବାରୁଦ) ଭର୍ତ୍ତି କରନ୍ତି, ଯେଉଁଥିରେ କି ଦୁର୍ଘଟଣା ଘଟିବାର ଆଶଙ୍କା ଅଧିକ ।”

ଲକ୍‌ଡାଉନ୍‌ ପୂର୍ବରୁ, ଦେବୀ ସପ୍ତାହକୁ ୩ରୁ ୫ ଦିନ, ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ, କାରଖାନାରେ  କାମ କରୁଥିଲେ । ସେ କହନ୍ତି, “ଆମକୁ ନେବା ପାଇଁ ସେମାନେ ସକାଳ ୭ଟାରେ ଗାଡ଼ି ପଠାନ୍ତି ଏବଂ ସନ୍ଧ୍ୟା ୬ଟା ସୁଦ୍ଧା ପୁଣି ଘରେ ପହଞ୍ଚାଇ ଦିଅନ୍ତି ।” ବର୍ଷାଦିନେ (ଜୁନ୍‌ରୁ ଅଗଷ୍ଟ ପର୍ଯ୍ୟନ୍ତ) କିମ୍ବା ପାଖରେ ଥିବା କୌଣସି କାରଖାନାରେ ଦୁର୍ଘଟଣା ଘଟିଲେ କାରଖାନା ବନ୍ଦ ରହେ । ସେ କହନ୍ତି, “ମୋ ପାଖରେ ଏହି କାମ ନଥିବା ସମୟରେ ମୁଁ କପା କ୍ଷେତକୁ ଯାଏ ଏବଂ ଦିନକୁ ୧୫୦ ଟଙ୍କା ରୋଜଗାର କରେ । ଜାନୁଆରୀରୁ ମାର୍ଚ୍ଚ ଯାଏ, ଦେବୀ ସପ୍ତାହକୁ ୨-୩ ଦିନ କ୍ଷେତରେ କାମ କରିବା ବ୍ୟତୀତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ (ମନରେଗା) ଅନ୍ତର୍ଗତ ପ୍ରକଳ୍ପରେ ମଧ୍ୟ କାମ କରନ୍ତି ।

More than half of the people living in Edayapottalpatti hamlet work at the fireworks factories in Sivakasi

ଏଡ଼ାୟାପୋଟ୍ଟଲପଟ୍ଟି ବସ୍ତିରେ ରହୁଥିବା ଅଧାରୁ ଅଧିକ ଲୋକ ଶିବକାଶୀର ବିଭିନ୍ନ ବାଣ କାରଖାନାରେ କାମ କରନ୍ତି

ଦେବୀ ଓ ଅନ୍ୟ କର୍ମଚାରୀମାନେ ବାଣ କାରଖାନାରେ ଯେତିକି ଦିନ କାମ କରନ୍ତି ସେତିକି ଦିନର ମଜୁରି ପାଆନ୍ତି । ଲକ୍‌ଡାଉନ୍‌ ପୂର୍ବରୁ ପ୍ରତି ମାସ ଆରମ୍ଭରେ ସେମାନଙ୍କୁ ଅଗ୍ରୀମ ଅର୍ଥ ପ୍ରଦାନ କରାଯାଉଥିଲା । ଦେବୀଙ୍କୁ ୧୦,୦୦୦ ଟଙ୍କା ମିଳିଯାଉଥିଲା । ପ୍ରତି ସପ୍ତାହରେ ସେ ଯେତିକି ଦିନ ପାଇଁ କାମ କରୁଥିଲେ, ସେଥିରୁ ବଳକା ଅଗ୍ରୀମ ରାଶି ପରିଶୋଧ ବାବଦରେ କିଛି ଦେବାକୁ ପଡୁଥିଲା । ତେବେ ସେ ଲକ୍‌ଡାଉନ୍‌ ସମୟରେ କୌଣସି ଅଗ୍ରୀମ ଟଙ୍କା ନେଇନାହାନ୍ତି ଏବଂ ଅନ୍ୟ ଯେଉଁମାନେ ନେଇଥିଲେ ସେମାନଙ୍କୁ ଏବେ ତାହା ଶୁଝିବାକୁ ପଡ଼ିବ ।

ମୁଥୁକ୍ରିଷ୍ଣନ କହନ୍ତି, “ସେମାନେ ଯେତିକି ଦିନ କାମ କରନ୍ତି ଆମେ ସେତିକି ଦିନର ପାଉଣା ଦେଉ । ମୋ କାରଖାନା ଏବେ ସବୁ କର୍ମଚାରୀଙ୍କୁ ନେଇ ଚାଲୁଛି (ମେ ୧୮ରୁ) । ମୁଁ ସେମାନଙ୍କୁ ସାପ୍ତାହିକ ମଜୁରି ଦେବା ଆରମ୍ଭ କରିଦେଇଛି । ମହିଳାମାନଙ୍କୁ ୩୫୦ ଟଙ୍କା ଏବଂ ପୁରୁଷମାନଙ୍କୁ ୪୫୦ରୁ ୫୦୦ ଟଙ୍କା ହିସାବରେ ଦିଆଯାଉଛି ।”

କିନ୍ତୁ ଏହି କାରଖାନାକୁ ବେଶୀ ଦିନ ଚଳାଇ ପାରିବେ ବୋଲି ମୁଥୁକ୍ରିଷ୍ଣନ ନିଶ୍ଚିତ ନୁହଁନ୍ତି । ସେ କହନ୍ତି, “ତିଆରି ସରିବା ମାତ୍ରକେ ଆମର ସବୁ ଜିନିଷ ବାହାରକୁ ନେଇଯିବାକୁ ହୁଏ ’’। “ଅତି କମ୍‌ରେ ସପ୍ତାହକୁ ଥରେ ଆମକୁ ବାଣ ପଠାଇବାକୁ ପଡ଼େ । କାରଣ, ରାଜ୍ୟ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ଲକ୍‌ଡାଉନ୍‌ ରହିଥିବା ଯୋଗୁଁ ସଂପୂର୍ଣ୍ଣ ପରିବହନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନାହିଁ ଏବଂ ବାଣ ସବୁ ଗଦା ହେବାରେ ଲାଗିଛି । ଆମେ କେବଳ ଆଉ ଦୁଇ ସପ୍ତାହ ଯାଏ ଚଳାଇ ପାରିବୁ । ଯଦି ପ୍ରସ୍ତୁତ  ସାମଗ୍ରୀ ପରିବହନ ହୋଇ ନପାରେ, ତେବେ ବାଣ କାରଖାନାକୁ ବନ୍ଦ କରିବାକୁ ପଡ଼ିବ ।” ମେ ୨୫ ତାରିଖ ଦିନ ସେ ମୋତେ ଏହା କହିଥିଲେ ।

ଅନ୍ୟ ଏକ କାରଣରୁ ୨୦୧୯ ମସିହାରେ ଚାରି ମାସ ପାଇଁ ସବୁ କାରଖାନା ବନ୍ଦ ରହିଥିଲା । କେବଳ କମ୍‌ ପ୍ରଦୂଷଣ କରୁଥିବା ବାଣ ତିଆରି ଲାଗି ୨୦୧୮ ଅକ୍ଟୋବରରେ ସୁପ୍ରିମ କୋର୍ଟଙ୍କ ରାୟରେ ଅନୁମତି ଦିଆଯାଇଥିଲା ।

ଏ ବର୍ଷ ଭଲ ସମୟ ଆସିବ ବୋଲି ଦେବୀ ଆଶା କରିଥିଲେ, କିନ୍ତୁ ଏପ୍ରିଲ ମଧ୍ୟ ଭାଗ ବେଳକୁ ସ୍ଥାନୀୟ ଦୋକାନଗୁଡ଼ିକରୁ ତେଜରାତି ସାମଗ୍ରୀ କିଣା ବାବଦରେ ତାଙ୍କ ଉପରେ ବହୁ ଅଧିକ ଟଙ୍କା ବାକି ରହିଥିଲା ।

ଲକ୍‌ଡାଉନ ସମୟରେ ଦେବୀ ଓ ତାଙ୍କ ପରିବାରକୁ ଖାଦ୍ୟ ଦେବା ଲାଗି ସରକାରଙ୍କ ଦ୍ଵାରା ପରିଚାଳିତ ଗୋଷ୍ଠୀ-ରନ୍ଧାଘର ଖୋଲି ନଥିଲା । କୌଣସିମତେ TNLRF ଭଳି କେତେକ ସଂଗଠନ ଅଳ୍ପ କେତେକ କର୍ମଚାରୀଙ୍କୁ ଖାଦ୍ୟ ବଣ୍ଟନ କରିପାରିଥିଲେ । ପୋନ୍ନୁଚାମୀ କହନ୍ତ, “ଆମେ ୪୪ଟି ପରିବାରକୁ(ଅଭାବଗ୍ରସ୍ତ) ଚିହ୍ନଟ କରିଥିଲୁ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲୁ ।”

ଏହି ସଂକଟର ମୁକାବିଲା ଲାଗି କୌଣସି ପଞ୍ଚାୟତକୁ ବି ସ୍ଵତନ୍ତ୍ର ପାଣ୍ଠି ମିଳି ନଥିଲା । ପଡ଼ିକ୍କାଶୁବୈଥାନପଟ୍ଟି ପଞ୍ଚାୟତ ସଭାପତି ଏ. ମୁରୁଗେସନ ରାଜ୍ୟ ସରକାରଙ୍କ ତରଫରୁ-ପାଣି ଓ ପରିମଳ, ଏବଂ ଗ୍ରାମ୍ୟ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ବାବଦରେ-ପ୍ରତି ତିନି ମାସରେ ମିଳୁଥିବା ପାଣ୍ଠିକୁ ପରିମଳ କର୍ମଚାରୀଙ୍କ ପାଉଣା ଏବଂ ସେମାନଙ୍କୁ ଖାଦ୍ୟ ଦେବାରେ ଖର୍ଚ୍ଚ କରିଥିଲେ । ମୁରୁଗେସନ କହନ୍ତି, ଖାଦ୍ୟ ସାମଗ୍ରୀ ବାଣ୍ଟିବାରେ ସେ ନିଜ ହାତରୁ ୩୦,୦୦୦ରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ।

Rani M. has no income since the lockdown began in March. She is physically and verbally abused by her alcoholic husband

ମାର୍ଚ୍ଚରେ ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ରାନୀ ଏମ.ଙ୍କର କୌଣସି ରୋଜଗାର ନାହିଁ । ସେ ତାଙ୍କ ନିଶାଖୋର ପତିଙ୍କ ଦ୍ଵାରା ଶାରୀରିକ ଓ ବାଚନିକ ଶୋଷଣର ଶିକାର ହୋଇଛନ୍ତି ।

ବିରୁଧୁନଗରର ଅନେକ ଗାଁରେ ବହୁ ମହିଳା ଏବେ ଆଉ ଏକ ସମସ୍ୟା ସହ ସଂଘର୍ଷ କରୁଛନ୍ତି- ତା ହେଲା ମହିଳାଙ୍କ ବିରୋଧରେ ହିଂସା ବଢ଼ିବାରେ ଲାଗିଛି ।

ଲକ୍‌ଡାଉନ ଯେତେବେଳେ କୋହଳ ହେଲା, ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଏବଂ ତାମିଲନାଡୁ ରାଜ୍ୟ ବିପଣନ ନିଗମ (TASMAC) ଦ୍ଵାରା ପରିଚାଳିତ ମଦ ଦୋକାନଗୁଡ଼ିକ ବି ଖୋଲିଲା । ପୁନ୍ନୁଚାମୀ କହନ୍ତି, “TASMACର ମଦ ଦୋକାନଗୁଡ଼ିକ ଖୋଲିବା ପରଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନର ମହିଳାମାନଙ୍କ ପାଖରୁ ଦୈନିକ ଅତି କମ୍‌ରେ୧୦ଟି ଘରୋଇ ହିଂସା ସଂପର୍କିତ ଅଭିଯୋଗ ‘ତାମିଲନାଡୁ ଲେବର ରାଇଟ୍‌ସ ଫେଡେରସନ୍‌’କୁ ମିଳିବାରେ ଲାଗିଛି । TASMAC ବନ୍ଦ କରାଇବା ଦାବିରେ ଆମେମାନେ ମେ ୨୫ ତାରିଖରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲୁ ।” ଅଭିଯାନର ପ୍ରଥମ ଚାରି ଦିନରେ ଜିଲ୍ଲାର ୨୦୦ରୁ ଅଧିକ ମହିଳା ଏଥିରେ ଦସ୍ତଖତ କରିଥିଲେ ।

ଦେବୀ କହନ୍ତି ଯେ, ମଦ ଦୋକାନ ଖୋଲିବା ପରଠାରୁ ତାଙ୍କ ମଦ୍ୟପ ସ୍ଵାମୀ ପ୍ରତି ରାତିରେ ତାଙ୍କ ସହ ଝଗଡ଼ା କରିଆସୁଛନ୍ତି । ଦୁଃଖରେ ସେ କହନ୍ତି, “ମଦ ପିଇବା ପାଇଁ ତାଙ୍କୁ କେହି ଜଣେ ସାଙ୍ଗ ମିଳିଗଲେ ସେ ତାଙ୍କର ପୂରା ରୋଜଗାରକୁ ମଦରେ ଖର୍ଚ୍ଚ କରିଦିଅନ୍ତି । ଆଉ ଘରକୁ ଫେରି ଆସିଲେ, ସେ ମୋତେ ମାରଧର କରନ୍ତି । ମୁଁ ତାଙ୍କର ଶାରୀରିକ ଯାତନା ସହିପାରିବି, କିନ୍ତୁ ସେ ଏତେ ନିର୍ମମ ଭାବେ କଥା କହନ୍ତି ଯେ, ମୁଁ ଆତ୍ମହତ୍ୟା କରି ମରିଯିବାକୁ ଚାହେଁ ।”

ଦେବୀଙ୍କୁ ୧୬ ବର୍ଷ ହେବା ମାତ୍ରକେ ତାଙ୍କର ବାହାଘର ହୋଇଯାଇଥିଲା । ଦୁଇ ବର୍ଷ ପରେ, ତାଙ୍କ ସ୍ଵାମୀ ମଦ ପିଇବା ଆରମ୍ଭ କରିବା ସହିତ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଗଲା । ସେ କହନ୍ତି, “ମୋ ପିଲାମାନଙ୍କ ପାଇଁ ମୁଁ ଏହି ହିଂସାକୁ ବରଦାସ୍ତ କରିଚାଲିଛି । ମୁଁ ମୋ ଝିଅମାନଙ୍କୁ ଭଲ ଶିକ୍ଷା ଦେବାକୁ ଚାହୁଁଛି । ଲୋକେ କହନ୍ତି, ପିଲାମାନେ ବଡ଼ ହେଲେ ସବୁ କିଛି ଠିକ୍‌ ହୋଇଯିବ ।” ତାଙ୍କ ଭଉଣୀମାନେ ବି ନିଶାଖୋର ସ୍ଵାମୀମାନଙ୍କୁ ବାହା ହୋଇଛନ୍ତି । “ସେମାନେ ମଧ୍ୟ ବଞ୍ଚି ରହିବାକୁ ସଂଘର୍ଷ କରୁଛନ୍ତି ।”

ବିରୁଧୁନଗରର ଅନେକ ମହିଳା ନିଶାଖୋର ସ୍ଵାମୀମାନଙ୍କ ଦ୍ଵାରା ଘୋର ମାନସିକ ଦୁଶ୍ଚିନ୍ତାର ସମ୍ମୁଖୀନ ହୋଇଥିବା କାରଣରୁ ସେମାନଙ୍କ ଉପରେ ଆର୍ଥିକ ଦୁଃସ୍ଥିତି ଏବଂ ପାରିବାରିକ କଳହର ବୋଝ ପଡ଼ିଛି । ଏଡ଼ାୟାପୋଟ୍ଟଲପଟ୍ଟି ସରକାରୀ ସ୍କୁଲ୍‌ରେ ଠିକାରେ ଝାଡୁଦାର କାମ କରୁଥିବା ରାନୀ ଏମ୍‌. (ପରିବର୍ତ୍ତିତ ନାମ) କହନ୍ତି, “ମୋ ସ୍ଵାମୀ (ଲକ୍‌ଡାଉନ୍‌ ସମୟରେ) କାମ ପାଇପାରିଲେନି ଏବଂ ତାଙ୍କ ପାଖରେ ପଇସା ନଥିଲା । ପ୍ରତିଥର ଆମର କଥାବାର୍ତ୍ତା ବେଳେ ସେ ରାଗିଯାଆନ୍ତି ।”

ରାନୀଙ୍କ ସ୍ଵାମୀ ଗୋଟିଏ ମରାମତି ଦୋକାନରେ କାମ କରନ୍ତି । ତାଙ୍କ ପାଖରେ କାମ ଥିବା ସମୟରେ ସେ ଦିନକୁ ପ୍ରାୟ ୫୦୦ ଟଙ୍କା ରୋଜଗାର କରନ୍ତି ଏବଂ ଏଥିରୁ ଅଧିକାଂଶ ଭାଗ ଟଙ୍କା ମଦରେ ଖର୍ଚ୍ଚ କରିଦିଅନ୍ତି । ରାନୀ କହନ୍ତି, “ସେ ମତେ ସବୁବେଳେ ଟଙ୍କା ମାଗନ୍ତି ଏବଂ ମୋର ଯେ କୌଣସି କାମରେ ଦୋଷତ୍ରୁଟି ଖୋଜନ୍ତି । ସେ ମୋତେ ସବୁବେଳେ ପିଟନ୍ତି । ମୋର ତିନି ପିଲାଙ୍କ ପାଇଁ ମୁଁ ତାଙ୍କ ସହିତ ରହିଛି ।”

ରାନୀଙ୍କ ପାଖରେ ଖାଉଟି କାର୍ଡ ନଥିବାରୁ ଲକ୍‌ଡାଉନ୍‌ ସମୟରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନଗଦ ଟଙ୍କା ଓ ଖାଦ୍ୟ ସାମଗ୍ରୀ ପାଇବାରୁ ସେ ବଞ୍ଚିତ ହୋଇଥିଲେ । ସ୍କୁଲ ପୁଣି ନ ଖୋଲିଲା ଯାଏଁ ତାଙ୍କ ପାଖରେ କାମ ନାହିଁ କି ରୋଜଗାର ନାହିଁ ।

ତାଙ୍କ ପଡ଼ୋଶୀ, ଜି.କାମାଚି ମଧ୍ୟ ତାଙ୍କ ସ୍ଵାମୀଙ୍କ ଭୟରେ ସବୁ ରାତି କାଟନ୍ତି । ମଦ ପିଇବା ପାଇଁ ଟଙ୍କା ଦାବି କରି ତାଙ୍କ ସ୍ଵାମୀ ତାଙ୍କୁ ଗାଳି ଦେବା ସହିତ ମାଡ଼ ମାରି ଆସୁଛନ୍ତି । ମଦ କିଣିବା ପାଇଁ ଟଙ୍କା ଦେବାକୁ ମନା କରିବାରୁ ସେ କାମାଚିଙ୍କ ସାଇକେଲ ବି ବିକିଦେଲେ ।

ଋଣ ପରିଶୋଧ ବାବଦରେ ଟଙ୍କା ଆଦାୟ କରିବା ଲାଗି ଚଢ଼ା ସୁଧହାରରେ ଋଣ ଦେଇଥିବା ସାହୁକାରମାନଙ୍କ ଘନ ଘନ ଗସ୍ତ ମହିଳାମାନଙ୍କ ସମସ୍ୟାକୁ ବହୁଗୁଣିତ କରିଛି । ଦେବୀଙ୍କ ଋଣ ପରିମାଣ ୨ ଲକ୍ଷ ଟଙ୍କାରୁ ଅଧିକ- ଏହାର ଅଧିକାଂଶ ଭାଗ ସେ ଘର ମରାମତି ପାଇଁ ନେଇଥିଲେ । ମେ ୩୦ ତାରିଖ ଦିନ ସେ ମଜୁରି ବାବଦରେ ପାଇଥିବା ୫୦୦ ଟଙ୍କା ଖାଦ୍ୟ ପାଇଁ ଖର୍ଚ୍ଚ ହେବ ନାହିଁ, ସେ କହନ୍ତି, “ଏହା ମୋର ଋଣ ପରିଶୋଧ ବାବଦରେ ଯିବ ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

S. Senthalir

ଏସ୍‌.ସେନ୍ଥାଲିର ଚେନ୍ନାଇର ଜଣେ ସ୍ଵାଧୀନ ସାମ୍ବାଦିକା ଏବଂ ୨୦୨୦ର PARI ଫେଲୋ । ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହ୍ୟୁମାନ ସେଟ୍‌ଲମେଣ୍ଟସରେ ସେ ଜଣେ କନ୍‌ସଲ୍‌ଟାଣ୍ଟ ।

Other stories by S. Senthalir