“ଗୋଟିଏକୁର୍ତ୍ତା (ଏକ ନାମକରା ବ୍ରାଣ୍ଡ୍‌ ଦ୍ୱାରା ବିକ୍ରି ହେଉଥିବା) ଉପରେ ଥିବା ଟ୍ୟାଗ୍‌ର ଏହି ଫଟୋକୁ ଦେଖନ୍ତୁ, ଯେଉଁଥିରେ ‘ଟୋଡ଼ା ଏମ୍ବ୍ରୟଡରୀ’ କଥା କୁହାଯାଇଛି । କପଡ଼ା ଉପରେ ଏକ ଛାପାଚିହ୍ନ ଲଗାଇ ଦିଆଯାଇଛି ! ଏବଂ ସେମାନେ ଠିକ୍‌ ତଥ୍ୟଦେବାକୁ ବି ଉଚିତ ମଣିନାହାନ୍ତି। ଏହି ଏମ୍ବ୍ରୟଡରୀକୁ ବର୍ଣ୍ଣନା କରିବାକୁ ‘ପୁଖୁର’ ଏବଂ  ଅନ୍ୟ କେତେକ ଶବ୍ଦ ବ୍ୟବହାର କରାଯାଇଛି, ଯାହାକି ଆମ ଭାଷାରେ ହିଁ ନାହିଁ ,” ଏହା କହନ୍ତି, ବାସମଲ୍ଲୀ କେ. ।

ଟୋଡ଼ା ଭାଷାରେ, ଏହି ସଂପ୍ରଦାୟର ଛୁଞ୍ଚିକାମକୁ ପୋହୋର ବୋଲି କୁହାଯାଏ । ତାମିଲନାଡୁ ନୀଳଗିରି ଜିଲ୍ଲାର କୁନ୍ଦାହ୍‌ ତାଲୁକାର କାରିକାଦମୁଣ୍ଡ ପଲ୍ଲୀରେ ରହନ୍ତି ୬୦ରୁ ଅଧିକ ବର୍ଷର ପୁରୁଖା ଛୁଞ୍ଚିକାମ ବା ଏମ୍ବ୍ରୟଡରୀ କାରିଗର ବାସମଲ୍ଲୀ । ପ୍ରାୟ ୧୬ କିଲୋମିଟର ଦୂର ଉଟି (ଉଧାଗମଣ୍ଡଳମ୍‌) ସହରରେ ଟୋଡ଼ା ଏମ୍ବ୍ରୟଡରୀ ସାମଗ୍ରୀ ଦୋକାନ ଚଳାଉଥିବା ଶୀଲା ପାୱେଲ ମଧ୍ୟ ଅନ୍ୟ ଏକ ଜଣାଶୁଣା ବିକ୍ରେତାଙ୍କ ଦ୍ୱାରା ଅନ୍‌ଲାଇନ୍‌ରେ ମାତ୍ର ୨,୫୦୦ ଟଙ୍କାରେ ‘ଟୋଡ଼ା’ ଶାଢ଼ି ବିକ୍ରି ହେଉଥିବା କଥାକୁ ବିଶ୍ୱାସ କରିପାରନ୍ତି ନାହିଁ । ସେ ତୁରନ୍ତ ଏହା କିଣିବାକୁ ଅର୍ଡର କରନ୍ତି। “ବିଜ୍ଞାପନରେ ଏହାକୁ ତାମିଲନାଡୁର କୁଶଳୀ ମହିଳାଙ୍କ ହାତରେ ‘ଟୋଡ଼ା’ ଏମ୍ବ୍ରୟଡରୀ କରାଯାଇଥିବା ଶାଢ଼ି ବୋଲି ଦର୍ଶାଯାଇଥିଲା’ । ମୁଁ ଜାଣିବାକୁ ଚାହିଁଲି ଯେ, କେମିତି ସେମାନେ ଏହାର ଦର ଏତେ କମ୍‌ କରିପାରିଲେ ଏବଂ ଏହା କେଉଁଠି ତିଆରି ହୋଇଥିଲା।”

କିଛି ଦିନ ମଧ୍ୟରେ ଶାଢ଼ି ପହଞ୍ଚାଇ ଦିଆଗଲା । ଶୀଲା କହନ୍ତି, “ମୁଁ ଦେଖିଲି ଯେ ଏହା ମେସିନ୍‌ରେ ଏମ୍ବ୍ରୟଡରୀ କରାଯାଇଥିଲା ଏବଂ ଏହାର ପଛପଟେ ବାହାରିଥିବା ଅଲରା ସୂତାକୁ ଢାଙ୍କିବା ପାଇଁ ଖଣ୍ଡେ କନା ଲଗାଇ ଦିଆଯାଇଥିଲା’’ । ‘‘ହଁ, ଏମ୍ବ୍ରୟଡରୀ କଳା ଓ ଲାଲ ରଙ୍ଗରେ ହୋଇଥିଲା, ଏବଂ ତାହା ହିଁ ଥିଲା ଏକମାତ୍ର ସମାନତା ।”

ଟୋଡ଼ା ସଂପ୍ରଦାୟର ମହିଳାଙ୍କ ଦ୍ୱାରା କରାଯାଉଥିବା ପାରମ୍ପରିକ ଛୁଞ୍ଚିକାମରେ ସାଦା ଧଳା ସୂତା କପଡ଼ା ଉପରେ ସ୍ୱତନ୍ତ୍ର ଲାଲ ଓ କଳା (କେବେ କେମିତି ନୀଳ) ରଙ୍ଗର ସୂତାରେ ଜ୍ୟାମିତିକ ଡିଜାଇନ୍‌ କରାଯାଏ। ପାରମ୍ପରିକ ଟୋଡ଼ା ପୋଷାକ ହେଉଛି ଏକ ସ୍ୱତନ୍ତ୍ର ଶାଲ୍‌, ଯାହାର ନାଁ ପୁତୁକୁଲି । ଏକ ଭବ୍ୟ ପରିଧାନ ରୂପେ ବିବେଚିତ ଏହି ଶାଲ୍‌କୁ କେବଳ ମନ୍ଦିରକୁ ଯିବା ବେଳେ ଏବଂ ପର୍ବପର୍ବାଣୀ ଭଳି ବିଶେଷ ଅବସରରେ ପିନ୍ଧାଯାଏ ଏବଂ ଶେଷରେ ଏହା ଏକ ଆବରଣ ରୂପେ ବ୍ୟବହୃତ ହୁଏ । ପାଖାପାଖି ୧୯୪୦ ଦଶନ୍ଧିରେ ଟୋଡ଼ା ମହିଳାମାନେ ବ୍ରିଟିଶ୍‌ କ୍ରେତାମାନଙ୍କ ବରାଦ ମୁତାବକ ଟେବଲ୍‌କ୍ଲଥ୍, ବ୍ୟାଗ ଓ ଅନ୍ୟ ସାମଗ୍ରୀ ତିଆରି କରିବା ଆରମ୍ଭ କଲେ । ପରବର୍ତ୍ତୀ ବହୁ ଦଶନ୍ଧି ଧରି ଏହି ସାମଗ୍ରୀଗୁଡ଼ିକ କେବଳ ଯେଉଁମାନେ ବରାଦ ଦେଉଥିଲେ ସେମାନଙ୍କୁ ହିଁ ବିକିବାରେ ସୀମିତ ଥିଲା । ଅତୀତରେ ଏଥିରେ କେବଳ କପାସୂତା ବ୍ୟବହୃତ ହେଉଥିଲା । କିନ୍ତୁ ଏବେ ବହୁ ଟୋଡ଼ା ମହିଳା ଉଲ୍‌ ସୂତା ବ୍ୟବହାର କରୁଛନ୍ତି । କାରଣ, ସେମାନେ କହନ୍ତି ଯେ ଏଥିରେ ଖର୍ଚ୍ଚ କମ୍‌ ଏବଂ ଶୀଘ୍ର କାମ କରିହୁଏ ।

Toda Embroidery. T. Aradkuttan and U. Devikili dressed in their putukulis (traditional shawls embroidered only by Toda women), outside their home in Bhikapatimand, Kukkal, Ooty taluk
PHOTO • Priti David

କପାସୂତା ବ୍ୟବହାର କରାଯାଇଥିବା ପୁରାତନ ଶୈଳୀର ଟୋଡ଼ା ଏମ୍ବ୍ରୟଡରୀ । ଟୋଡ଼ା କାରିଗରମାନେ କହନ୍ତି ଯେ ସେମାନେ ପ୍ରକୃତିରୁ ପ୍ରେରଣା ପାଇଥାଆନ୍ତି ଏବଂ ଏହାର ରଙ୍ଗଗୁଡ଼ିକ ମାନବ ଜୀବନର ଭିନ୍ନ ଭିନ୍ନ ପର୍ଯ୍ୟାୟର ସଂକେତ ଦିଅନ୍ତି । ତଳ ଡାହାଣ: ଉଟି ତାଲୁକାର ଭିକାପାଟିମାଣ୍ଡ ପଲ୍ଲୀରେ ପୁଟୁକୁଲି(କେବଳ ଟୋଡ଼ା ମହିଳାଙ୍କ ଦ୍ୱାରା ଛୁଞ୍ଚିକାମ କରାଯାଇଥିବା ପାରମ୍ପରିକ ଶାଲ୍‌) ବୁଣୁଛନ୍ତି ଟି. ଅରଡ଼କୁଟ୍ଟନ୍‌ ଏବଂ ୟୁ.ଦେବୀକିଲି

ବାସମଲ୍ଲୀଙ୍କ ଭାଉଜ ୫୪ ବର୍ଷୀୟା ସିମ୍ମାବାଣୀ ପି. କହନ୍ତି, “ଏମତି ବି ଏହା ଅତି ଜଟିଳ (କାମ) ଏବଂ ଆଖି ଉପରେ ଚାପ ପଡ଼ିଥାଏ, ତେଣୁ ଜଣେ ଦିନକୁ କେବଳ ତିନିରୁ ଚାରି ଘଣ୍ଟା କାମ କରିପାରେ ।” ଏହାର କୌଣସି ଅଙ୍କାଯାଇଥିବା ଡିଜାଇନ୍‌ ନାହିଁ ଏବଂ କପଡ଼ାର ଲମ୍ବସୂତା ଓ ଭରଣିକୁ ଛୁଞ୍ଚିକାମ କାରିଗରମାନେ ଏକଜାଲି ରୂପେ ବ୍ୟବହାର କରନ୍ତି । କେତେକ ଜାଗାରେ ଖୁବ୍‌ ଆଣ୍ଟରେ ସିଲେଇ କରାଯାଏ ଏବଂ ଅନ୍ୟ କେତେକରେ ଡିଜାଇନର ଅଂଶ ଭାବରେ ସୂତାର ଗୁଚ୍ଛ ଝୁଲୁଥାଏ। ଉଭୟ ପଟରେ ଟୋଡ଼ା ଏମ୍ବ୍ରୟଡରୀ ଏତେ ସୁନ୍ଦର ଭାବେ ହୋଇଥାଏ ଯେ କପଡାର ଓଲଟା ପଟ ବୋଲି କିଛି ନଥାଏ । ଯାହାକି ଟୋଡ଼ା କାରିଗରମାନଙ୍କ ପାଇଁ ବେଶ୍‌ ଗର୍ବର କଥା ।

“ଗୋଟିଏ ଛଅ ଫୁଟ ଲମ୍ବା ଶାଢ଼ି ଉପରେ ଏମ୍ବ୍ରୟଡରୀ କରିବାକୁ ଅତି କମ୍‌ରେ ଛଅ ସପ୍ତାହ ଲାଗେ ଏବଂ ଏହା ଅନ୍ୟୂନ ୭,୦୦୦ ଟଙ୍କାରେ ବିକ୍ରି ହୁଏ । ଗୋଟିଏ ଅସଲି ଶାଢ଼ିକୁ୨,୫୦୦-୩,୦୦୦ ଟଙ୍କାରେ ବିକିବା ଆର୍ଥିକ ଦୃଷ୍ଟିରୁ ସମ୍ଭବ ନୁହେଁ,” ଶୀଲା ବୁଝାଇ ଦିଅନ୍ତି ।

ବଡ଼ ବଡ଼ ବ୍ରାଣ୍ଡ୍ରେ ଦିଆଯାଉଥିବା ବର୍ଣ୍ଣନା କେବଳ ଯେ ବିଭ୍ରାନ୍ତିକର ତାହା ନୁହେଁ, ଏହା ଆଇନର ଉଲ୍ଲଂଘନ ମଧ୍ୟ । ୨୦୧୩ ମସିହାରେ ଟୋଡ଼ା ଏମ୍ବ୍ରୟଡରୀକୁ ଜିଆଇ (ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌) ପ୍ରମାଣପତ୍ର ମିଳିଲା। ଗୋଟିଏ ସଂପ୍ରଦାୟର କିମ୍ବା ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତକାରୀଙ୍କର ବ୍ୟବସାୟ ଓ କାରିଗରୀ ସଂପର୍କିତ ପାରମ୍ପରିକ ଜ୍ଞାନର ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଜିଆଇ ପ୍ରଦାନ କରାଯାଏ । ଏହା ବୌଦ୍ଧିକ ସଂପଦର ଅଧିକାର ସଦୃଶ । ଟୋଡ଼ା ଏମ୍ବ୍ରୟଡରୀକୁ ଜିଆଇ ମାନ୍ୟତାର ଅର୍ଥ ନୀଳଗିରି ଜିଲ୍ଲା ବାହାରେ ଏଭଳି କୌଣସି ସାମଗ୍ରୀ ପ୍ରସ୍ତୁତ କରିବା ଆଇନର ଏକ ଉଲ୍ଲଂଘନ । ଠିକ୍‌ ସେମିତି, ହାତରେ କରାଯାଉ ନ ଥିବା କୌଣସି ଉତ୍ପାଦନ ପ୍ରକ୍ରିୟା ବି ଏକ ଉଲ୍ଲଂଘନ । ଟୋଡ଼ା ଏମ୍ବ୍ରୟଡରୀର ଜିଆଇ ସ୍ୱତ୍ୱ ମିଳିତ ଭାବେ ପମ୍ପୁହର (ତାମିଲ ନାଡୁ ହସ୍ତଶିଳ୍ପ ଉନ୍ନୟନ ନିଗମ), କୀଷ୍ଟୋନ୍‌ ଫାଉଣ୍ଡେସନ୍‌ (ନୀଳଗିରିରେ କାର୍ଯ୍ୟରତ ଏକ ଅଣ-ସରକାରୀ ସଂସ୍ଥା) ଏବଂ ଟୋଡ଼ା ନାଲାଭାଜ୍‌ଭୁ ସଂଗମ (କୁନୁରରେ ଅବସ୍ଥିତ କେତେକ ଟୋଡ଼ା କାରିଗର ଏବଂ ଜଣେ ଅଣ-ଟୋଡ଼ା ଦନ୍ତ ଚିକିତ୍ସକଙ୍କର ଏକ ସଂଗଠନ) ପାଖରେ ରହିଛି ।

ବାସମଲ୍ଲୀ କହନ୍ତି, ଜିଆଇ ସତ୍ତ୍ୱେ, “ନୀଳଗିରି ବାହାରେ ଥିବା ବଡ଼ ବଡ଼ କମ୍ପାନି ମେସିନ୍‌ ବ୍ୟବହାର କରି କିମ୍ବା ଛାପାକାମ ଭାବେ ଆମ ଏମ୍ବ୍ରୟଡରୀର ନକଲ କରୁଛନ୍ତି ଏବଂ ଏହାକୁ ‘ଟୋଡ଼ା ଏମ୍ବ୍ରୟଡରୀ’ ବୋଲି କହୁଛନ୍ତି। ସେମାନେ ଏହା କେମିତି କରିପାରିବେ?”

Simmavani - : Toda embroidery has switched from cotton thread to wool, cheaper and easier to do
PHOTO • Priti David
Sheela Powell of Shalom
PHOTO • Priti David

ବାମ:ସିମ୍ମାବାଣୀ ପି. କହନ୍ତି, ଟୋଡ଼ା ଏମ୍ବ୍ରୟଡରୀ କପାସୂତା ଛାଡ଼ି ଉଲ୍‌ରେ ହେଲାଣି, ଯାହାକି ଶସ୍ତା ଏବଂ ଯେଉଁଥିରେ କାମ କରିବା ସହଜ । ଡାହାଣ:ଏକ ଜଣାଶୁଣା ବିକ୍ରେତାଙ୍କ ଦ୍ୱାରା ଅନ୍‌ଲାଇନ୍‌ରେ ମାତ୍ର ୨,୫୦୦ ଟଙ୍କାରେ ‘ଟୋଡ଼ା’ ଶାଢ଼ି ବିକ୍ରି ହେଉଥିବା ଦେଖି ବିଶ୍ୱାସ କରିପାରିଲେ ନାହିଁ ଟୋଡ଼ା ଏମ୍ବ୍ରୟଡରୀ ସାମଗ୍ରୀ ଦୋକାନ ଚଳାଉଥିବା ଶୀଲା ପାୱେଲ

କେବଳ ବଡ଼ ବଡ଼ କମ୍ପାନି ନୁହଁନ୍ତି, ଅନ୍ୟ କାରିଗରମାନେ ମଧ୍ୟ ଏହି ଅବୈଧ ଉଲ୍ଲଂଘନ କରୁଛନ୍ତି । ଜୟପୁରରେ ଆୟୋଜିତ ଏକ ହସ୍ତଶିଳ୍ପ ପ୍ରଦର୍ଶନୀର ଅନ୍ୟ ଏକ ଷ୍ଟଲ୍‌ରେ ଉଲ୍‌ ଶାଲ୍‌ ଉପରେ ଟୋଡ଼ା ଡିଜାଇନ୍‌ ହୋଇଥିବା ଦେଖିଲେ ବାସମଲ୍ଲୀ । ସେ କହନ୍ତି, “ସେମାନେ ସେଇ ଏକା ଜିନିଷକୁ ଅଧା ଦାମରେ ବିକୁଥିବା ବେଳେ ତୁମର ଜିନିଷଗୁଡ଼ିକ ଏତେ ମହଙ୍ଗା କାହିଁକି ବୋଲି କହି ଜଣେ ଗ୍ରାହକ ମୋ ସହିତ ଝଗଡ଼ା କରିବାକୁ ଆସିଲେ।’’ ଏଗୁଡ଼ିକରେ (ଅନ୍ୟ ଷ୍ଟଲ୍‌ରେ ଥିବା ସାମଗ୍ରୀ) ହାତରେ ଏମ୍ବ୍ରୟଡରୀ କରାଯାଇନାହିଁ, କିନ୍ତୁ ଛପାକାମରେ ପ୍ରତିରୂପ ଲଗାଯାଇଛି, (ତେଣୁ) ଏହା ବେଶ୍‌ ଶସ୍ତା ।”

ସଂପ୍ରଦାୟ ଭିତରେ ଆଉ ଏକ ଆଶଙ୍କା ଲାଗି ରହିଛି ଯେ ଅଣ-ଟୋଡ଼ାମାନେ ଏହି ଏମ୍ବ୍ରୟଡରୀ କୌଶଳକୁ ହାତେଇ ନେଉଛନ୍ତି କାରଣ, ଟୋଡ଼ାମାନଙ୍କ ସଂଖ୍ୟା କମ୍‌ । ନୀଳଗିରିର ୧୨୫ଟି ଟୋଡ଼ା ପଲ୍ଲୀର ୫୩୮ଟି ପରିବାରରେ ରହୁଛନ୍ତି ୨୦୦୨ ଜଣ ଲୋକ (୨୦୧୧ ଜନଗଣନା ଅନୁସାରେ)। ସେମାନଙ୍କ ନିଜସ୍ୱ ଆକଳନ ଅନୁସାରେ ସେମାନଙ୍କ ସଂପ୍ରଦାୟର ପ୍ରାୟ ୩୦୦ ମହିଳା ପୋହୋର ଅଭ୍ୟାସ କରନ୍ତି । କିନ୍ତୁ ଏହା ପ୍ରତି ଯୁବ ପିଢ଼ିର ମହିଳାମାନଙ୍କ ଆଗ୍ରହ କମିବାରେ ଲାଗିଥିବାରୁ ଏହି ହସ୍ତଶିଳ୍ପର ଭବିଷ୍ୟତ ଏବେ ସଂକଟରେ ପଡ଼ିଛି ।

କୁନୁର ତାଲୁକାରେ ନେଡ଼ିମୁଣ୍ଡ ଟୋଡ଼ା ପଲ୍ଲୀର ୨୩ ବର୍ଷ ବୟସ୍କ କାରିଗର ଏନ୍‌.ସତ୍ୟାସିନ୍‌ଙ୍କ ଦୁଃସ୍ଥିତି ହିଁ ତାଙ୍କ ଭଳି ଅନେକଙ୍କ ଅବସ୍ଥା ବୟାନ କରେ: “କାମ ବହୁତ ଏବଂ ଏଥିରେ ବହୁତ ସମୟ ଲାଗେ । ଜଣେ (ଚା’) ବଗିଚାକ୍ଷେତ୍ରର ଶ୍ରମିକ ଭାବେ ମୁଁ ଦିନକୁ ୩୦୦ ଟଙ୍କା କି ତାଠାରୁ ଅଧିକ ରୋଜଗାର କରିପାରିବି । କିନ୍ତୁ ଏହି କାମରେ ମୁଁ ଦିନକୁ ଦୁଇରୁ ଛ’ ଘଣ୍ଟା ପର୍ଯ୍ୟନ୍ତ ଲାଗିଲେ ମାସ ଶେଷରେ ପ୍ରାୟ ୨,୦୦୦ ଟଙ୍କା ମାତ୍ର ପାଇପାରିବି ।”

ଶୀଲା (ଯେ ନିଜେ ଟୋଡ଼ା ସଂପ୍ରଦାୟର ନୁହଁନ୍ତି) ଚଳାଉଥିବା ଟୋଡ଼ା ସାମଗ୍ରୀ ଦୋକାନ ଶାଲୋମ୍‌ରେ ସତ୍ୟାସିନ୍‌ କାମ କରନ୍ତି । ଅଣ-ଟୋଡ଼ା ସଂପ୍ରଦାୟର ମହିଳାମାନଙ୍କୁ ନିଯୁକ୍ତି ଦେଉଥିବାରୁ କେତେକ ଟୋଡ଼ା ବ୍ୟକ୍ତି ଶାଲୋମ୍‌କୁ ମଧ୍ୟ ସମାଲୋଚନା କରନ୍ତି । “ସେମାନେ ସିଲେଇ କରିବା, ମାଳି କି ସୂତାର ଗୁଚ୍ଛ ଲଗାଇବା ଭଳି ଆନୁସଙ୍ଗିକ କାମ କରନ୍ତି, କିନ୍ତୁ ଏମ୍ବ୍ରୟଡରୀ କରନ୍ତି ନାହିଁ ।” ଶୀଲା ଯୁକ୍ତି ବାଢ଼ନ୍ତି, “ଏକଥା ମୁଁ ଜାଣିଛି ଯେ, ଯେକେହି ଏହି ହସ୍ତଶିଳ୍ପ କରି ବସିଲେ ଏହାର ମୂଲ୍ୟ କିଛିଟା ହ୍ରାସ ପାଇବ । କିନ୍ତୁ ବର୍ତ୍ତମାନ ପାଇଁ ଏହା ବେଶ ମୂଲ୍ୟବାନ୍‌, କାରଣ ଏହା ଏତେ ଅଳ୍ପ । ବର୍ଷକୁ ଏତେ ବେଶୀ ସାମଗ୍ରୀ ତିଆରି ହୁଏ ଏବଂ ପ୍ରତିଟି ସାମଗ୍ରୀ ସ୍ୱତନ୍ତ୍ର । କିନ୍ତୁ ଏହି କାମ କରାଇବା ଏବଂ ଏହାକୁ ଜାରି ରଖିବା ହିଁ ବଡ଼କଥା ।”

Sathyasin
PHOTO • Priti David
Vasamalli is a member of the State Tribal Welfare Board since 2008, Vasamalli is also one of the six authors of ‘Maria Horigal’, (‘Enduring voices of the Todas’) 50 songs and 50 folk tales, published by the Sahitya Akademi in 2017
PHOTO • Priti David

ବାମ: ଏନ୍‌.ସତ୍ୟାସିନ୍‌ଙ୍କ ଦୁଃସ୍ଥିତି ହିଁ ତାଙ୍କ ଭଳି ଅନେକ ଅଳ୍ପବୟସ୍କା ଟୋଡ଼ା ମହିଳାଙ୍କ ଅବସ୍ଥା ମଧ୍ୟ ବୟାନ କରେ। ଡାହାଣ: ବାସମଲ୍ଲୀ କେ. କହନ୍ତି, “ନୀଳଗିରି ବାହାରେ ଥିବା ବଡ଼ ବଡ଼ କମ୍ପାନି ମେସିନ୍‌ ବ୍ୟବହାର କରି କିମ୍ବା ଛାପାକାମ ଭାବେ ଆମ ଏମ୍ବ୍ରୟଡରୀର ନକଲ କରୁଛନ୍ତି ଏବଂ ଏହାକୁ ‘ଟୋଡ଼ା ଏମ୍ବ୍ରୟଡରୀ’ ବୋଲି କହୁଛନ୍ତି । ସେମାନେ ଏହା କେମିତି କରିପାରିବେ ?”

ଏହି ଦୋକାନ ୨୦୦୫ରେ ଆରମ୍ଭ ହୋଇଥିଲା ଏବଂ ଏଥିରେ ୨୨୦ ଜଣ ଟୋଡ଼ା ମହିଳା କାମ କରୁଛନ୍ତି । ସେମାନେ କପଡ଼ା ଉପରେ ଏମ୍ବ୍ରୟଡରୀ କରି ଏହାକୁ ଶାଢ଼ି, ଶାଲ୍‌, ବ୍ୟାଗ୍‌ ଓ ଅନ୍ୟ ପରିଧାନର ରୂପ ଦିଅନ୍ତି । ଶୀଲା କହନ୍ତି ଯେ, ୭,୦୦୦ ଟଙ୍କାରେ ବିକ୍ରି ହେଉଥିବା ପ୍ରତି ଶାଢ଼ିରୁ ୫,୦୦୦ ଟଙ୍କା କାରିଗର ପାଆନ୍ତି ଏବଂ ଅବଶିଷ୍ଟ ଟଙ୍କା ଜିନିଷପତ୍ର କିଣା ଏବଂ ବିପଣନ ବାବଦରେ ଖର୍ଚ୍ଚ ହୁଏ । ସେମାନେ ହାତକୁ ନେଉଥିବା କାମ ଉପରେ ନିର୍ଭର କରି, ଅଧିକାଂଶ ଅଭିଜ୍ଞ କାରିଗର ମାସକୁ ହାରାହାରି  ୪,୦୦୦ରୁ ୧୬,୦୦୦ ଟଙ୍କା ରୋଜଗାର କରନ୍ତି । ୨୦୧୭-୨୦୧୮ରେ ଶାଲୋମ୍‌ ୩୫ ଲକ୍ଷ ଟଙ୍କାର କାରବାର କରିଥିଲା ଏବଂ ବଜାରରେ ଏହି ସାମଗ୍ରୀର ବିକ୍ରି ବୃଦ୍ଧି ଦିଗରେ ସହାୟକ ହେଉଛି ବୋଲି ଏହାକୁ ନୀଳଗିରିର ଅନେକ ବ୍ୟକ୍ତି ଶ୍ରେୟ ଦିଅନ୍ତି ।

ଅପରିହାର୍ଯ୍ୟ ସ୍ଥିତିକୁ ସ୍ୱୀକାର କରିବା ସହ ସହଜ ଢଙ୍ଗରେ ବାସମଲ୍ଲୀ କହନ୍ତି, “ଯଦି ଅଣ-ଟୋଡ଼ାମାନେ ଏହାକୁ କରିବେ ଏହାର ମୂଲ୍ୟ ହ୍ରାସ ପାଇବ । ଅନ୍ୟପକ୍ଷରେ ଯଦି ଅଧିକରୁ ଅଧିକ ଲୋକ ଏହା ନ କରନ୍ତି, ତେବେ ଏହା ସଂପୂର୍ଣ୍ଣ ଲୋପ ପାଇଯିବ ।”

୮୪ ପ୍ରତିଶତ ଭଳି ଉଚ୍ଚ ସାକ୍ଷରତା ହାର ଥିବା ଟୋଡ଼ା ସଂପ୍ରଦାୟର ଲୋକେ ଏବେ ବ୍ୟାଙ୍କ୍‌ ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଏବଂ ପ୍ରାୟତଃ ସେମାନଙ୍କ ସ୍ଥିତି ସ୍ୱଚ୍ଛଳ ବୋଲି ଧରିନିଆଯାଏ । ବାସମଲ୍ଲୀ ମଧ୍ୟ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ତାମିଲନାଡୁ ଆଦିବାସୀ କଲ୍ୟାଣ ବୋର୍ଡର ଜଣେ ସଦସ୍ୟା ଏବଂ ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ପୁସ୍ତକର ରଚୟିତା ।

ସେ କହନ୍ତି, “ଏହା ଆମ ଟୋଡ଼ା ମହିଳାମାନଙ୍କ ପାଇଁ ଚିନ୍ତାର ବିଷୟ ! କିଏ ଏମ୍ବ୍ରୟଡରୀ କରୁଛି ଏବଂ କିଏ ନକଲ କରୁଛି, ସେ ଦିଗରେ ପୁରୁଷମାନେ ମୁଣ୍ଡ ଖେଳାନ୍ତି ନାହିଁ ।’’ ‘‘(ଆମ ହାତରେ ଏମ୍ବ୍ରୟଡରୀ କରାଯାଇଥିବା ସାମଗ୍ରୀ) ବିକ୍ରି କରିବା ଏବଂ ବ୍ୟବସାୟ କରିବା ଆମ ସଂସ୍କୃତିରେ ଏକ ପାରମ୍ପରିକ ବିଷୟ ନୁହେଁ । ତେଣୁ ପୁରୁଷମାନେ ଏ ବିଷୟକୁ ଗୁରୁତ୍ୱ ଦିଅନ୍ତି ନାହିଁ । କିନ୍ତୁ ଆମ ମହିଳାମାନଙ୍କ ପାଇଁ ଏହା ଉଭୟ-ଆମକୁ ଆମ ସାଂସ୍କୃତିକ ଅଧିକାରର ସୁରକ୍ଷା କରିବାକୁ ହେବ ଏବଂ ତା ସହିତ ଆର୍ଥିକ କ୍ଷତିରୁ ବର୍ତ୍ତିବାକୁ ହେବ ।’’

ଟୋଡ଼ା ଏମ୍ବ୍ରୟଡରୀ ସଂକଟର ମୁକାବିଲା ପାଇଁ ଟୋଡ଼ା କାରିଗରମାନଙ୍କର ଏକ ସର୍ବମାନ୍ୟ ସଂଗଠନ ନାହିଁ । ଯାହା ଫଳରେ ଏସବୁ ପ୍ରସଙ୍ଗର ସମାଧାନ ହୋଇପାରୁନାହିଁ । ବାସମଲ୍ଲୀ କହନ୍ତି, “ଗୋଟିଏ ସଂପ୍ରଦାୟ ହେଲେ ବି ଆମେ ବିକ୍ଷିପ୍ତ ଭାବେ ରହିଛୁ’’। ‘‘ଏକାଧିକ ସଂଗଠନ ରହିଛି ଏବଂ ଏହା ଅତି ରାଜନୈତିକ ହୋଇଯାଇଛି। ମୁଁ ଅନେକ ସଂଗଠନର ସଦସ୍ୟା, କିନ୍ତୁ ଏ କ୍ଷେତ୍ରରେ ସମସ୍ତଙ୍କୁ ମୁଁ ବି ଏକାଠି କରିବାରେ ଅକ୍ଷମ । ଆମର ସହାୟତା ଦରକାର ।”

Toda-GI135-Certificate of Registration
PHOTO • Priti David
Siyahi, a brand that copies Toda embroidery and sells it online. It's not an original Toda embroidered product.
PHOTO • Priti David
Machine embroidery front
PHOTO • Priti David

ବାମ: ଟୋଡ଼ା ଏମ୍ବ୍ରୟଡରୀର ଜିଆଇ ପ୍ରମାଣପତ୍ର । ମଝି ଏବଂ ଡାହାଣ: ବଡ଼ ବଡ଼ ବ୍ରାଣ୍ଡ୍‌ର କମ୍ପାନି ନକଲି ଟୋଡ଼ା ଏମ୍ବ୍ରୟଡରୀ ସାମଗ୍ରୀ ବିକୁଛନ୍ତି

ଇତିମଧ୍ୟରେ, ଟୋଡ଼ା ଏମ୍ବ୍ରୟଡରୀର ଜିଆଇ ନିମନ୍ତେ କୀଷ୍ଟୋନ୍‌ ଫାଉଣ୍ଡେସନ୍‌ ଦ୍ୱାରା ନିୟୋଜିତ, ବୌଦ୍ଧିକ ସଂପଦ ଅଧିକାର, ପେଟେଣ୍ଟ୍‌ ଏବଂ କପିରାଇଟ୍‌ ଆଇନ ବିଶେଷଜ୍ଞ ବେଙ୍ଗାଲୁରୁର ଆଇନଜୀବୀ ଜାହେଦା ମୁଲ୍ଲାଙ୍କର କୌଣସି ସନ୍ଦେହ ନାହିଁ ଯେ ଏହା ଏକ ଆଇନଗତ ମାମଲା । ସେ କହନ୍ତି, “ଟୋଡ଼ା ଏମ୍ବ୍ରୟଡରୀରେ ‘ପ୍ରସ୍ତୁତି ପ୍ରଣାଳୀ’ କହିଲେ କେବଳ ହାତରେ କରାଯାଇଥିବା ଏମ୍ବ୍ରୟଡରୀକୁ ହିଁ ବୁଝାଏ’’ । ‘‘ଯଦି ଏହା ମେସିନ୍‌ ଭଳି ଅନ୍ୟ କୌଣସି ଉପାୟରେ କରାଯାଏ ତେବେ ଏହାକୁ ‘ଟୋଡ଼ା ଏମ୍ବ୍ରୟଡରୀ’ ବୋଲି କହିବା ଆଦୌ ଠିକ୍‌ ନୁହେଁ । ଅନ୍ୟ ଭାଷାରେ ମେସିନ୍‌ରେ ଏମ୍ବ୍ରୟଡରୀ କରାଯାଇଥିବା ସାମଗ୍ରୀକୁ ‘ଟୋଡ଼ା ଏମ୍ବ୍ରୟଡରୀ’ ବୋଲି କହି ବିକ୍ରି କରିବା ଆଇନ ଉଲ୍ଲଂଘନ ସହ ସମାନ । ପଞ୍ଜୀକରଣର ପ୍ରକ୍ରିୟାର ଅଂଶ ଭାବରେ କେତେକ ସ୍ୱତନ୍ତ୍ର ଡିଜାଇନ୍‌ ମଧ୍ୟ ପଞ୍ଜୀକୃତ ହୋଇଛି ।”

ସେ ଆହୁରି କହନ୍ତି,  ଯାହାହେଲେ ବି ଅନ୍ତିମ ଉପଭୋକ୍ତାଙ୍କ ମଧ୍ୟରେ ସଚେତନତା ପାଇଁ ଏହାକୁ ଲାଗୁ କରିବା ଓ ପ୍ରଚାର କରିବା ଲାଗି ବାହୁବଳ ଦରକାର । ଜିଆଇ ମାନ୍ୟତାଧାରୀ ଏବଂ ପ୍ରକୃତ ଉତ୍ପାଦକମାନେ (ଜିଆଇ ପ୍ରମାଣପତ୍ରରେ ‘ଅଧିକୃତ ବ୍ୟବହାରକାରୀ’ ବୋଲି କୁହାଯାଇଥିବା) ଏଭଳି ନକଲି ସାମଗ୍ରୀ ବିକ୍ରି ଦ୍ୱାରା ପ୍ରଭାବିତ ହୁଅନ୍ତି ଏବଂ ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ  (ସେହି ଅଞ୍ଚଳ ପରିସରଭୁକ୍ତ ହାଇକୋର୍ଟରେ)ଆଇନ ଅବମାନନା ମାମଲା ଦାୟର କରିବା ଦରକାର ।

ଏହି ଲେଖାରେ ଉଲ୍ଲିଖିତ ତଥାକଥିତ ଟୋଡ଼ା ଏମ୍ବ୍ରୟଡରୀ ବେପାର କରୁଥିବା ଦୁଇଟି ବ୍ରାଣ୍ଡ୍‌ ହେଲା ରିଲାଏନ୍‌ସ ଟ୍ରେଣ୍ଡସ୍‌ର ସିୟାହୀ ଏବଂ ଟିଜୋରି ଡଟ୍‌ କମ୍‌ । ୱେବ୍‌ସାଇଟ୍‌ରେ ଉତ୍ପାଦ ସଂପର୍କରେ ଥିବା ବର୍ଣ୍ଣନାକୁ ସ୍ପଷ୍ଟ କରିବା ପାଇଁ ବାରମ୍ବାର ଇ-ମେଲ୍‌  ପଠାଇବା ସତ୍ତ୍ୱେ ଟିଜୋରି କୌଣସି ଉତ୍ତର ଦେଲାନାହିଁ ।

ଏହି ରିପୋର୍ଟରଙ୍କ ଦ୍ୱାରା ପ୍ରେରିତ ଏକ ଇ-ମେଲ୍‌ର ଉତ୍ତରରେ କଷ୍ଟମର୍‌କେଆର୍‌@ରିଲାଏନ୍‌ସଟ୍ରେଣ୍ଡସ୍‌ ଡଟ୍‌ କମ୍‌ ଲେଖିଲା: “ପାରମ୍ପରିକ ଭାରତୀୟ ହସ୍ତଶିଳ୍ପ ଦ୍ୱାରା ଅନୁପ୍ରେରିତ ଏକ ବ୍ରାଣ୍ଡ୍‌ ହେଉଛି ସିୟାହୀ । ଆମେ ହସ୍ତଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପ୍ରକୃତ ସାମଗ୍ରୀ ତିଆରି କରୁନାହିଁ । ସମସ୍ତ ଏମ୍ବ୍ରୟଡରୀ ମେସିନ୍‌ରେ କରାଯାଇଛି । କାରଖାନାରେ କମ୍ପ୍ୟୁଟରଚାଳିତ ଏମ୍ବ୍ରୟଡରୀ ମେସିନ୍‌ ଦ୍ୱାରା ସମସ୍ତ ଏମ୍ବ୍ରୟଡରୀ କରାଯାଇଛି । ଟୋଡ଼ା ଶାଲ୍‌ରୁ ପ୍ରେରଣା ନିଆଯାଇଛି । ”

କିନ୍ତୁ ବାସମଲ୍ଲୀ ଏଥିରେ ଆଶ୍ୱସ୍ତ ନୁହଁନ୍ତି । ସେ କହନ୍ତି, “ଆମ ଡିଜାଇନ୍‌ର ନକଲ କରିବା ଏବଂ ଆମ ନାଁ ବ୍ୟବହାର କରିବା ଠିକ୍‌ ନୁହେଁ ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Priti David

ପ୍ରୀତି ଡେଭିଡ୍ ବେଙ୍ଗାଲୁରୁ ଅଞ୍ଚଳର ଜଣେ ଲେଖିକା, ସଂପାଦିକା ଏବଂ ଶିକ୍ଷୟିତ୍ରୀ। ଲୋକେ ଭୁଲି ଯାଉଥିବା କାହାଣୀ ସଂଗ୍ରହ କରିବା ତାଙ୍କର ରୁଚି, ଏବଂ ସେ ଜଣେ ପରି ସ୍ୱେଛାସେବୀ।

Other stories by Priti David