ମୋ ଜୀବନ ସାରା
ଦିନରାତି ମୁଁ ଏହି ଡଙ୍ଗା ବାହି ଆସୁଛି
ହେଲେ କୂଳ ଦିଶୁନାହିଁ।
ତେଣୁ କେତେ ବିଶାଳ ଏ ମହାସାଗର
ଏବଂ ସେଥିରେ ପୁଣି ଅନେକ ଝଡ଼;
କେହି ମୋତେ କହନ୍ତି ନାହିଁ ଯେ,
ଦିନେ ମୁଁ ଆରପଟେ ପହଞ୍ଚିବି
ତଥାପି ମୁଁ ଆହୁଲାକୁ ଥୋଇଦେଇ ପାରିବିନି,
ନା ପାରିବିନି

ଏବଂ ସେ ଥୋଇ ଦେଇ ନଥିଲେ, ଏମିତି କି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ, ଦୁରାରୋଗ୍ୟ ଫୁସ୍‌ଫୁସ୍‌ କ୍ୟାନସର ସହ ଲଢ଼େଇରେ ହାରିବା ନିଶ୍ଚିତ ଜାଣି ବି ଲଢ଼େଇ ଅବ୍ୟାହତ ରଖିଥିଲେ।

ତାହା ଥିଲା ଖୁବ୍‌ ଯନ୍ତ୍ରଣାଦାୟକ। ଅନେକ ସମୟରେ ତାଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହେଉଥିଲା। ଆଣ୍ଠୁଗଣ୍ଠି ବିନ୍ଧୁଥିଲା। ରକ୍ତହୀନତା, ଓଜନ ହାନି ଏବଂ ଆହୁରି ଅନେକ ସମସ୍ୟା ଉପୁଜୁଥିଲା। ବେଶୀ ସମୟ ଧରି ବସି ରହିଲେ ସଂପୂର୍ଣ୍ଣ ଚେତାଶୂନ୍ୟ ହେଲା ଭଳି ଅନୁଭବ କରୁଥିଲେ ସେ। ଅଥଚ, ତାଙ୍କ ହାସପାତାଳ କୋଠରିରେ ଆମକୁ ଦେଖା କରିବା ଏବଂ ତାଙ୍କ ଜୀବନ ଓ କବିତା ସଂପର୍କରେ କହିବା ଲାଗି ରାଜି ହେଲେ ବଜେସିଂହ ପାର୍ଗି।

ଜନ୍ମକାଳରୁ ହିଁ ଜୀବନ କେବେହେଲେ ତାଙ୍କ ପ୍ରତି ସଦୟ ହୋଇ ନଥିଲା। ତାଙ୍କ ଆଧାର କାର୍ଡ ଅନୁସାରେ ୧୯୬୩ ମସିହାରେ ଦାହୋଦର ଗରିବ ଭିଲ ଆଦିବାସୀ ସଂପ୍ରଦାୟରେ ସେ ଜନ୍ମ ନେଇଥିଲେ।

ଚିସକା ଭାଇ ଏବଂ ଚତୁରା ବେନ୍‌ଙ୍କ ବଡ଼ପୁଅ ଭାବରେ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ତାଙ୍କ ଅନୁଭୂତିକୁ ଏକତ୍ର କରି କବିତାର ଘୋଷା ଭଳି କେବଳ ଗୋଟିଏ ଶବ୍ଦର ପୁନରାବୃତ୍ତି କରନ୍ତି ବଜେସିଂହ, “ଦାରିଦ୍ର୍ୟ...ଦାରିଦ୍ର୍ୟ।” ଏକ ଛୋଟ ବିରାମ। ମୁହଁ ବୁଲାଇ ଅନ୍ୟ ଆଡ଼କୁ ଚାହାଁନ୍ତି, କୋଟରଗତ ଆଖି ଦୁଇଟିକୁ ମଳି ମଳି, ସମ୍ଭବତଃ ସେ ପିଲାଦିନର ସେହି ସବୁ ଅବିସ୍ମୃତ ଦୃଶ୍ୟରାଜିକୁ ଏଡ଼ାଇ ଯାଇ ପାରନ୍ତି ନାହିଁ, ଏବଂ ଜଣେ ଜିଦଖୋର ଦର୍ଶକ ସଦୃଶ ସେଗୁଡ଼ିକୁ ସେ ବାରମ୍ବାର ଦେଖି ଚାଲିଥାଆନ୍ତି। “ତାଙ୍କ ଘରେ କେବେ ବି ଖାଦ୍ୟ ପାଇଁ ପର୍ଯ୍ୟାପ୍ତ ପଇସା ନଥିଲା।”

ଏମିତି ଏ ଜୀବନର ଅନ୍ତ ହୋଇଯିବ
କିନ୍ତୁ ଏହି ନିତିଦିନିଆ ସମସ୍ୟାର ଅନ୍ତ ନାହିଁ।
ରୁଟିର ବ୍ୟାସାର୍ଦ୍ଧ ଖୁବ୍‌ ବଡ଼
ପୃଥିବୀର ବ୍ୟାସାର୍ଦ୍ଧଠାରୁ ବି।
ଆଉ କେହି ନୁହେଁ,
କେବଳ ସେମାନେ ଜାଣନ୍ତି
ଯେଉଁମାନେ ଭୋକ ସହ ଜୀଇଁଥା’ନ୍ତି
ଗୋଟିଏ ରୁଟିର ମାନେ କ’ଣ ଏବଂ
ତୁମକୁ କେତେଦୂର ନେଇଯିବ ଏସବୁ।

ଦାହୋଦର କାଇଜର ମେଡିକାଲ ନର୍ସିଂ ହୋମ୍‌ରେ, କେବଳ ଯନ୍ତ୍ରଣାର ଉପଶମ ପାଇଁ ଚିକିତ୍ସିତ ହେଉଥିବା ସମୟରେ ରୋଗଶଯ୍ୟାରୁ ହିଁ ଆମକୁ ତାଙ୍କ କବିତା ପଢ଼ି ଶୁଣାନ୍ତି ବଜେସିଂହ

ଏହି ଆଦିବାସୀ କବିଙ୍କର କବିତା ପାଠ ଶୁଣନ୍ତୁ

ମୁଁ ସେମିତି କହିବା ଉଚିତ ନୁହେଁ, କିନ୍ତୁ ଆମ ବାପାମାଆଙ୍କ ପାଇଁ ଆମେ ଗର୍ବ କରିପାରୁ ନଥିଲୁ,” ଅପରାଧ ସ୍ୱୀକାର କରିବା ଭଳି କହନ୍ତି ବଜେସିଂହ। ଏବଂ ଗଭୀର ଦୁଃଖ ଓ ଲଜ୍ଜାର ଓଜନିଆ ଆବରଣ ତଳେ ଆହୁରି ଦବିଯାଏ ତାଙ୍କର ଜୀର୍ଣ୍ଣଶୀର୍ଣ୍ଣ ଶରୀର। “ମୁଁ ଜାଣିଛି, ମୁଁ ଏଭଳି କଥା କହିବା ଉଚିତ ନୁହେଁ, କିନ୍ତୁ, ମୁଁ ଭାବୁଛି, ଏହା ଏମିତି ପାଟିରୁ ବାହାରି ଆସିଲା।” ଦାହୋଦର କାଇଜର ମେଡିକାଲ ନର୍ସିଂ ହୋମ୍‌ର ସେଇ ଛୋଟିଆ କୋଠରିର ଗୋଟିଏ କୋଣରେ ଟିଣ ଷ୍ଟୁଲ୍‌ଟିଏ ଉପରେ ବସିଥିବା ତାଙ୍କର ପ୍ରାୟ ୮୫ ବର୍ଷୀୟା ବୁଢ଼ୀ ମାଆଙ୍କ କାନକୁ ଭଲ ଶୁଭେ ନାହିଁ। “ମୁଁ କେବଳ ମୋ ବାପାମାଆଙ୍କୁ ସଂଘର୍ଷ କରୁଥିବା ଦେଖିଛି। ବାପା ଓ ମାଆ ଶ୍ରମିକ ଭାବରେ କ୍ଷେତରେ କାମ କରୁଥିଲେ।” ତାଙ୍କର ଦୁଇ ଭଉଣୀ, ଚାରି ଭାଇ, ଏବଂ ବାପାମାଆ ଗାଁରେ ଇଟାମାଟିରେ ତିଆରି ଗୋଟିଏ ବଖୁରିକିଆ ଛୋଟ ଘରେ ରହୁଥିଲେ। ଏମିତି କି ଚାକିରି ଖୋଜିବା ଲାଗି ବଜେସିଂହ ଇଟାୱା ଛାଡ଼ି ଅହମ୍ମଦାବାଦକୁ ଆସିବା ପରେ ସେ ମଧ୍ୟ ଥାଲତେଜ ଚାଲ୍‌ର କାନ୍ଥ ସଂଲଗ୍ନ ଏକ ଛୋଟିଆ ଗାତ ଭଳି ଭଡ଼ାଘରେ ରହୁଥିଲେ। ତାହା ଥିଲା ଏମିତି ଏକ ଜାଗା, ଯେଉଁଠାକୁ ତାଙ୍କ ଘନିଷ୍ଠ ବନ୍ଧୁମାନେ ବି କ୍ୱଚିତ୍‌ ଯାଉଥିଲେ।

ଯଦି ମୁଁ ଠିଆ ହୁଏ
ଛାତରେ ମୁଣ୍ଡ ବାଜେ
ଯଦି ମୁଁ ସଳଖି ଯାଏ
କାନ୍ଥରେ ଦେହ ବାଜେ
ଯେମିତି ହେଉ ପଛେ ମୁଁ ବିତାଇଲି ଏକ ଜୀବନକାଳ
ଏହିଠାରେ, ବନ୍ଦୀ ଭାବରେ
ଯାହା ମୋତେ ସାହା ହେଲା, ତାହା ଥିଲା
ମୋ ମା’ ଗର୍ଭରେ ମୋଡ଼ିହୋଇ ରହିବାର ଅଭ୍ୟାସ

ଅସହାୟତାର ଏ କାହାଣୀ ଏକୁଟିଆ ବଜେସିଂହଙ୍କର ନୁହେଁ, ବରଂ କବିଙ୍କ ପରିବାର ରହୁଥିବା ଅଞ୍ଚଳରେ ଏହା ଏକ ପୁରୁଣା ଓ ସାଧାରଣ କଥା। ଦାହୋଦ ଜିଲ୍ଲାର ୭୪ ପ୍ରତିଶତ ଲୋକ ଅଧିସୂଚିତ ଜନଜାତି ବର୍ଗର ଏବଂ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଚାଷବାସରୁ ଜୀବିକା ଅର୍ଜନ କରନ୍ତି। କିନ୍ତୁ ଛୋଟ ଛୋଟ ପ୍ଲଟ୍‌ରେ ବିଭକ୍ତ ଜମିର ଉତ୍ପାଦନକ୍ଷମତା କମ୍‌ ହୋଇଥିବାରୁ ଏବଂ ମୁଖ୍ୟତଃ ଶୁଷ୍କ ଓ ମରୁଡ଼ି ପ୍ରବଣ ଅଞ୍ଚଳ ହୋଇଥିବାରୁ ଚାଷକାମରୁ ପର୍ଯ୍ୟାପ୍ତ ରୋଜଗାର ହୁଏନାହିଁ। ଏବଂ ଏ ଅଞ୍ଚଳରେ ଦାରିଦ୍ର୍ୟର ହାର ସାରା ରାଜ୍ୟରେ ସର୍ବାଧିକ। ସଦ୍ୟତମ ବହୁବିଧ କାରଣ ଜନିତ ଦାରିଦ୍ର୍ୟ ସଂପର୍କିତ ସର୍ଭେର ଫଳାଫଳ ଅନୁସାରେ ଏହି ହାର ୩୮.୨୭ ପ୍ରତିଶତ।

“ଘନି ତକଲି କରି ନ ମୋଟା କରିୟା ସ ଏ ଲୋକନ୍‌ ଧନ୍ଧା କରି କରି ନ୍‌, ଜଣେ ମାଆ ଭାବରେ ତାଙ୍କ ଜୀବନର ଅନୁଭୂତି ସଂପର୍କରେ ବଜେସିଂହଙ୍କ ମାଆ ଚତୁରାବେନ କହନ୍ତି। ମଝୁରି କରିନ୍‌, ଘେର୍ନୁ କରିନ୍‌, ବିଝାନୁ କରିନ୍‌ ଖବ ଡୟୁ (ମୁଁ କଠିନ ପରିଶ୍ରମ କରିଛି। ଘରେ ଘରେ କାମ କରିଛି। ପର ପାଖରେ କାମ କରି କୌଣସିମତେ ସେମାନଙ୍କୁ ଆହାର ଦେଇଛି।)” ଅନେକ ସମୟରେ ସେମାନେ କେବଳ ଯଅ ଜାଉ ଖାଇ ଦିନ କାଟିଛନ୍ତି, ଭୋକପେଟରେ ସ୍କୁଲ ଯାଇଛନ୍ତି। ପିଲାମାନଙ୍କୁ ବଡ଼ କରିବା ଏତେ ସହଜ ନଥିଲା ବୋଲି ସେ କହନ୍ତି।

ଗୁଜରାଟର ବଞ୍ଚିତ ସଂପ୍ରଦାୟର ସ୍ୱର ପ୍ରତି ଉତ୍ସର୍ଗୀକୃତ ଏକ ପତ୍ରିକା ନିର୍ଧାର ର ୨୦୦୯ ସଂଖ୍ୟା ଲାଗି ସେ ଲେଖିଥିବା ଦୁଇଟି ଭାଗ ସମ୍ବଳିତ ଏକ ସ୍ମୃତିକଥାରେ ବଜେସିଂହ ଜଣେ ହୃଦୟବାନ ଆଦିବାସୀ ପରିବାର ସଂପର୍କରେ ବର୍ଣ୍ଣନା କରିଛନ୍ତି। ସେଦିନ ସନ୍ଧ୍ୟାରେ ତାଙ୍କ ଘରକୁ ଆସିଥିବା କେତେକ ଯୁବ ଅତିଥିଙ୍କ ଚର୍ଚ୍ଚା କରିବା ଲାଗି ଜୋଖୋ ଦାମୋର ଓ ତାଙ୍କ ପରିବାର ଉପାସରେ ରହନ୍ତି। ସେହି ଘଟଣା ସଂପର୍କରେ ସେ କହନ୍ତି, ସେଦିନ ସ୍କୁଲରୁ ଫେରିବା ବାଟରେ ପ୍ରବଳ ବର୍ଷା ଯୋଗୁଁ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ବାଳକ ଜୋଖାଙ୍କ ଘରେ ଆଶ୍ରୟ ନେଇଥିଲେ। ବଜେସିଂହ କହନ୍ତି, “ ଭାଦର୍ବୋ ଆମ ପାଇଁ ସର୍ବଦା ଅନାହାରର ମାସ।” ଭାଦର୍ବୋ ହେଉଛି ଗୁଜରାଟରେ ପ୍ରଚଳିତ ହିନ୍ଦୁ ବିକ୍ରମ ସମ୍ବତ କ୍ୟାଲେଣ୍ଡରର ଏକାଦଶ ମାସ। ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁସାରେ ସାଧାରଣତଃ ଏହା ସେପ୍ଟେମ୍ବର ମାସରେ ପଡ଼େ।

“ଘରେ ଗଚ୍ଛିତ ଥିବା ଶସ୍ୟ ସରିଆସିଥିବ; ତେଣେ କ୍ଷେତରେ ଯାହା ଥାଏ ତାହା ପାଚି ନଥାଏ, ଏବଂ ତେଣୁ, କ୍ଷେତରେ ସବୁଜିମା ଭରି ରହିଥିବା ସମୟରେ ଉପାସ ରହିବା ଥିଲା ଆମର ଦୁର୍ଭାଗ୍ୟ। ସେହି ସବୁ ମାସରେ କେବଳ ଅଳ୍ପ କେତେ ଜଣଙ୍କ ଘରେ ଦିନକୁ ଦୁଇ ବେଳା ଚୁଲି ଜଳୁଥିବା ଦେଖିବାକୁ ମିଳେ। ଆଉ ଯଦି ତା ପୂର୍ବ ବର୍ଷ ମରୁଡ଼ି ପଡ଼ିଥାଏ, ତେବେ ଅଧିକାଂଶ ପରିବାରକୁ ସିଝା କିମ୍ବା ଭଜା ମହୁଆ ଖାଇ ବଞ୍ଚିବାକୁ ପଡ଼େ। ଉତ୍କଟ ଦାରିଦ୍ର୍ୟ ଆମ ସଂପ୍ରଦାୟ ଉପରେ ଏଭଳି ଏକ ଅଭିଶାପ ଥିଲା ଯେ ଏହାକୁ ସାଙ୍ଗରେ ନେଇ ଆମେ ଜନ୍ମ ନେଇଥିଲୁ।”

Left: The poet’s house in his village Itawa, Dahod.
PHOTO • Umesh Solanki
Right: The poet in Kaizar Medical Nursing Home with his mother.
PHOTO • Umesh Solanki

ବାମ: ଦାହୋଦର ଇଟାୱା ଗାଁରେ କବିଙ୍କ ଘର। ଡାହାଣ: କାଇଜର ମେଡିକାଲ ନର୍ସିଂ ହୋମ୍‌ରେ ତାଙ୍କ ମାଆଙ୍କ ସହିତ କବି

କିନ୍ତୁ ସେ ସମୟର ଲୋକେ ଆଜିକାଲିର ପିଢ଼ି ଭଳି ନଥିଲେ ବୋଲି କହନ୍ତି ବଜେସିଂହ। ସେକାଳର ଲୋକେ ଭୋକ ଉପାସରେ ଶୁଖି ଶୁଖି ମରିଯିବେ ପଛେ, ନିଜ ଘର ଓ ଗାଁ ଛାଡ଼ି ଖେଡ଼ା, ବରୋଦା କିମ୍ବା ଅହମ୍ମଦାବାଦକୁ କାମ ଖୋଜିବାକୁ ପଳାଇ ଯିବେ ନାହିଁ। ତାଙ୍କ ସଂପ୍ରଦାୟରେ ଶିକ୍ଷା ଉପରେ ସେତେଟା ଗୁରୁତ୍ୱ ଦିଆଯାଉ ନଥିଲା। “ଆମେ ଗୋରୁଗାଈ ଚରାଇବାକୁ ଯାଉ କି ସ୍କୁଲକୁ ଯାଉ, ଦୁଇଟା ଯାକ ଏକାକଥା। ଏମିତି କି ଆମ ବାପାମାଆ ଓ ଶିକ୍ଷକମାନେ ବି କେବଳ ଗୋଟିଏ କଥା ଚାହୁଁଥିଲେ – ପିଲାଟା ପଢ଼ିବା ଲେଖିବା ଶିଖିଯାଉ। ସେଇତକ ହିଁ ସବୁ କିଛି। କିଏ ଆଉ ଏଠି ଅଧିକ ପଢ଼ି ରାଜା ହେବାକୁ ଚାହୁଁଛି !”

ଅଥଚ, ବଜେସିଂହଙ୍କ ଆଖିରେ ଥିଲା ସ୍ୱପ୍ନ – ଗଛମାନଙ୍କ ସହିତ ଉଡ଼ିବେ, ପକ୍ଷୀମାନଙ୍କ ସହିତ ଗପସପ କରିବେ, ପରୀମାନଙ୍କ ଡେଣାରେ ବସି ଉଡ଼ି ଉଡ଼ି ସମୁଦ୍ର ପାର କରିବେ। ତାଙ୍କ ମନରେ ଥିଲା ଅନେକ ଆଶା – ସମସ୍ୟାରେ ପଡ଼ିଲେ ଦେବଦେବୀ ତାଙ୍କୁ ଉଦ୍ଧାର କରିବେ, ସତ୍ୟର ବିଜୟ ଓ ମିଥ୍ୟାର ପରାଜୟ ଦେଖିବେ, ଭଗବାନଙ୍କୁ ବିନମ୍ର ବ୍ୟକ୍ତିଙ୍କ ସପକ୍ଷରେ ରହିଥିବା ଦେଖିବେ, ଠିକ୍‌ ଯେମିତି ତାଙ୍କ ଜେଜେବାପା ଶୁଣାଇଥିବା କାହାଣୀରେ ଘଟିଥାଏ। କିନ୍ତୁ, ଜୀବନଟା ରହିଗଲା, ସେହି କଳ୍ପିତ ସୁନ୍ଦର କାହାଣୀର ସଂପୂର୍ଣ୍ଣ ବିପରୀତ ଦିଗରେ।

ଏବଂ ତଥାପି ଏ ଆଶା
ଯାହାକୁ ପିଲାବେଳେ ମୋ ଭିତରେ ବୁଣିଥିଲେ ଜେଜେବାପା-
ସମ୍ଭବ ହେବ ବୋଲି କିଛିଟା ଚମତ୍କାର-
ସେମିତି ଅଟଳ ରହିଲା
ଏହି ଅସହ୍ୟ ଜୀବନକୁ
ଜୀଇଁବାର ତାହା ହିଁ କାରଣ
ଏମିତି କି ଆଜି, ଆଉ ସବୁଦିନ
ଏଇ ଆଶା ନେଇ
ହୁଏତ କିଛି ଚମତ୍କାର ଘଟିବାକୁ ଯାଉଛି

ସେହି ଆଶା ବଳରେ ହିଁ ସେ ତାଙ୍କ ଜୀବନ ସାରା ଶିକ୍ଷା ପାଇଁ ସଂଘର୍ଷ କରିଲେ। ଥରେ ଶିକ୍ଷା ଦିଗରେ ଚାଲିବା ଆରମ୍ଭ କରିବା ପରେ, ଅଚାନକ ଦିନେ ସଂଯୋଗବଶତଃ ସେ ତାଙ୍କର ଏହି ଆବେଗର ଅନୁସରଣ କରିବାରେ ଲାଗିଗଲେ। ଏହାର ଆକର୍ଷଣ ଏତେ ବେଶୀ ଥିଲା ଯେ ସ୍କୁଲରେ ପହଞ୍ଚିବା ପାଇଁ ଛଅରୁ ସାତ କିଲୋମିଟର ଚାଲି ଚାଲି ଯିବା ବେଳେ, କିମ୍ବା ଛାତ୍ରାବାସରେ ରହିବା ବେଳେ, କିମ୍ବା ଭୋକିଲା ପେଟରେ ଶୋଇବା ବେଳେ, କିମ୍ବା ଖାଦ୍ୟ ମାଗି ମାଗି ଘରକୁ ଘର ବୁଲିବା ବେଳେ, କିମ୍ବା ଅଧ୍ୟକ୍ଷଙ୍କ ପାଇଁ ମଦ ବୋତଲ କିଣିବା ବେଳେ, ସେ ଏହାର ପିଛା ଛାଡ଼ି ନଥିଲେ। ଶିକ୍ଷାଲାଭର ଏହି ଧାରାକୁ ଅବ୍ୟାହତ ରଖିବା ଲାଗି ସେ ଦୃଢ଼ମନସ୍କ ହୋଇଉଠିଲେ। ଯଦ୍ୟପି ତାଙ୍କ ଗାଁରେ ଉଚ୍ଚ ମାଧ୍ୟମିକ ସ୍କୁଲଟିଏ ନଥିଲା, ଦାହୋଦକୁ ଯା’ଆସ କରିବ ଲାଗି କୌଣସି ପରିବହନ ବ୍ୟବସ୍ଥା ନଥିଲା କି ଦାହୋଦରେ ଘରଭଡ଼ା ନେଇ ରହିବାକୁ ତାଙ୍କ ପାଖରେ ପଇସା ନଥିଲା। ସେତେବେଳେ ବି ସେ ଏହା କରି ଚାଲିଲେ, ଯେତେବେଳେ ନିଜ ଖର୍ଚ୍ଚ ତୁଲାଇବା ପାଇଁ ତାଙ୍କୁ ନିର୍ମାଣ ଶ୍ରମିକ ଭାବରେ କାମ କରିବାକୁ ପଡୁଥିଲା, ରେଳଷ୍ଟେସନର ପ୍ଲାଟ୍‌ଫର୍ମରେ ରାତି କାଟିବାକୁ ପଡୁଥିଲା, ଭୋକିଲା ପେଟରେ ଶୋଇବାକୁ ଏବଂ ଉଠିବାକୁ ପଡୁଥିଲା, ବୋର୍ଡ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେବା ପୂର୍ବରୁ ସର୍ବସାଧାରଣ ଶୌଚାଳୟ ବ୍ୟବହାର କରିବାକୁ ପଡୁଥିଲା।

ଜୀବନ ପାଖରେ ହାରି ନଯିବାକୁ ସେ ଦୃଢ଼ପ୍ରତିଜ୍ଞ ହୋଇସାରିଥିଲେ:

କେବେକେବେ ଜୀଇଁବା ବେଳେ
ମୋ ମୁଣ୍ଡ ଘୂରିଯାଏ
ହୃଦୟର ଗତି କିଛିଟା ଥମି ଯାଏ
ଏବଂ ମୁଁ ଅବଶ ହୋଇପଡ଼େ।
ତଥାପି ସବୁ ଥର
ମୋ ଭିତରେ ଉଙ୍କିମାରେ
ମୃତ୍ୟୂକୁ ଜୟ କରିବାର ଦୁର୍ବାର ଇଚ୍ଛା
ଏବଂ ମୁଁ ପୁଣି ମୋ ପାଦରେ ଠିଆହୋଇଥାଏ,
ପୁଣି ଥରେ, ଆଉ ଥରେ ବଞ୍ଚିବାର ପ୍ରସ୍ତୁତି ସହିତ

ତାଙ୍କର ପ୍ରକୃତ ଶିକ୍ଷା, ଏବଂ ତାଙ୍କ ଜୀବନର ସବୁଠାରୁ ଉପଭୋଗ୍ୟ ଅଧ୍ୟାୟ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ସେ ଗୁଜରାଟୀରେ ସ୍ନାତକ ଡିଗ୍ରୀ ପାଇବାକୁ ନବଜୀବନ ଆର୍ଟସ ଆଣ୍ଡ କମର୍ସ କଲେଜରେ ନାଁ ଲେଖାଇଲେ। ସେ ତାଙ୍କ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ ନାମ ପଞ୍ଜୀକରଣ କରାଇଲେ। ହେଲେ, ସ୍ନାତକୋତ୍ତର ଶିକ୍ଷାର ପ୍ରଥମ ବର୍ଷ ପରେ ବଜେସିଂହ ତାହାକୁ ଛାଡ଼ି ବି.ଇଡି ବା ଶିକ୍ଷାରେ ସ୍ନାତକ ଡିଗ୍ରୀ ପାଇଁ ପଢ଼ିବାକୁ ସ୍ଥିର କଲେ। ତାଙ୍କର ପଇସା ଦରକାର ହେଉଥିଲା ଏବଂ ସେ ଜଣେ ଶିକ୍ଷକ ହେବାକୁ ଚାହୁଁଥିଲେ। ବି.ଇଡି ଶିକ୍ଷା ସମାପନର ଠିକ୍‌ ପରେ ପରେ, ବଜେସିଂହ ହଠାତ୍‌ ଦିନେ ଏକ ସଶସ୍ତ୍ର ଗଣ୍ଡଗୋଳ ଘଟଣାର ଶିକାର ହେଲେ ଏବଂ କାହାରି ବନ୍ଧୁକରୁ ବାହାରିଥିବା ଗୋଟିଏ ଗୁଳି ଏହି ଯୁବ ଆଦିବାସୀ ଛାତ୍ରଙ୍କ ହନୁହାଡ଼ ଓ ବେକ ଭେଦି ଚାଲିଗଲା। ଏହି ଦୁର୍ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଲା ଏବଂ ଆଘାତରେ ତାଙ୍କ କଣ୍ଠସ୍ୱର ବି ଖରାପ ହୋଇଗଲା। ପରବର୍ତ୍ତୀ ସମୟରେ ଏହି ଆଘାତ ଆଦୌ ପ୍ରଶମିତ ହେଲା ନାହିଁ। ଏମିତି କି ସାତ ବର୍ଷର ଚିକିତ୍ସା, ୧୪ ଥର ଅସ୍ତ୍ରୋପଚାର ଏବଂ ଅପରିମିତ ପରିମାଣର ଋଣଭାର ପରେ ବି ଏଥିରୁ ନିଷ୍କୃତି ମିଳିଲା ନାହିଁ।

Born in a poor Adivasi family, Vajesinh lived a life of struggle, his battle with lung cancer in the last two years being the latest.
PHOTO • Umesh Solanki
Born in a poor Adivasi family, Vajesinh lived a life of struggle, his battle with lung cancer in the last two years being the latest.
PHOTO • Umesh Solanki

ଦରିଦ୍ର ଆଦିବାସୀ ପରିବାରରେ ଜନ୍ମ ନେଇଥିବା ବଜେସିଂହ ଏକ ସଂଘର୍ଷପୂର୍ଣ୍ଣ ଜୀବନ ବିତାଇଥିଲେ ଏବଂ ଏହି କ୍ରମରେ ଗତ ଦୁଇ ବର୍ଷ ଧରି ଫୁସ୍‌ଫୁସ୍‌ କର୍କଟ ସହିତ ତାଙ୍କର ଲଢ଼େଇ ଥିଲା ସର୍ବଶେଷ ସଂଘର୍ଷ

ତାଙ୍କ ପ୍ରତି ତାହା ଥିଲା ଏକ ଦ୍ୱେତ ଆଘାତ। ପ୍ରଥମତଃ ସେ ଏଭଳି ଏକ ସଂପ୍ରଦାୟରେ ଜନ୍ମ ନେଇଥିଲେ, ସମାଜରେ ଯାହାର ସ୍ୱର ଥିଲା ଅତି କ୍ଷୀଣ ଏବଂ ଦ୍ୱିତୀୟରେ ବ୍ୟକ୍ତିଗତ ଭାବରେ ତାଙ୍କ ପାଖରେ ଥିବା ତାଙ୍କ କଣ୍ଠସ୍ୱର ବି ଏବେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଜଣେ ଶିକ୍ଷକ ହେବା ଲାଗି ସେ ଦେଖି ଆସିଥିବା ସ୍ୱପ୍ନକୁ ପରିତ୍ୟାଗ କଲେ ଏବଂ ଜଣେ ଶ୍ରମିକ ପାଲଟିଗଲେ। ‘ସର୍ଦ୍ଦାର ପଟେଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନୋମିକ ଆଣ୍ଡ ସୋସିଆଲ ରିସର୍ଚ୍ଚ’ରେ ସେ ଠିକା କାମ କଲେ ଏବଂ ପରବର୍ତ୍ତୀ ସମୟରେ ‘ପ୍ରୁଫ୍‌ ରିଡିଂ’ ବା ଲେଖା ସଂଶୋଧନ କାମ କଲେ। ଜଣେ ପ୍ରୁଫ୍‌ରିଡର ଭାବେ କାମ କରିବା ସମୟରେ ହିଁ ସେ ତାଙ୍କ ପ୍ରଥମ ପ୍ରେମକୁ ଫେରି ପାଇଲେ - ଭାଷା। ଦୁଇ ଦଶନ୍ଧି ଧରି ଲେଖା ହୋଇଥିବା ଅନେକ ବିଷୟ ସେ ପଢ଼ିବାରେ ଲାଗିଲେ।

ଏବଂ ଏଥିରୁ ସେ କ’ଣ ଶିଖିଲେ ?

ଦୃଢ଼ତାର ସହିତ ସେ କହନ୍ତି, “ଭାଷା ସଂପର୍କରେ ମୁଁ କ’ଣ ଭାବେ, ସେକଥା ଆପଣଙ୍କୁ ଖୋଲାଖୋଲି କହି ରଖୁଛି। ଗୁଜରାଟୀ ସାହିତ୍ୟ ସମାଜ ଭାଷା ପ୍ରତି ସଂପୂର୍ଣ୍ଣ ଅବହେଳା କରିଆସୁଛି। କବିମାନେ ଶବ୍ଦ ପ୍ରୟୋଗ ପ୍ରତି ସମ୍ବେଦନଶୀଳ ନୁହଁନ୍ତି; ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଗଜଲ ଲେଖନ୍ତି ଏବଂ କେବଳ ଭାବପ୍ରବଣତା ଉପରେ ନଜର ରଖନ୍ତି। ସେମାନେ ଭାବନ୍ତି ଯେ ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶବ୍ଦ କଥା କହିଲେ, ସେ ସବୁ ତ ଆଗରୁ ରହିଛନ୍ତି।” ପ୍ରତିଟି ଶବ୍ଦରେ ନିହିତ ସୂକ୍ଷ୍ମ ଅର୍ଥକୁ ବୁଝିବା, ସେମାନଙ୍କୁ ସଜାଇବା ଏବଂ କୌଣସି ଅନୁଭୂତି ସଂପର୍କିତ ପରିପ୍ରକାଶରେ ଶକ୍ତିଶାଳୀ ଢଙ୍ଗରେ ଶବ୍ଦ ପ୍ରୟୋଗକୁ ବଜେସିଂହ ତାଙ୍କ ନିଜ କବିତାରେ ସ୍ଥାନ ଦେଲେ। ଦୁଇଟି ଭାଗରେ ରହିଥିବା ତାଙ୍କର କବିତା ସଂକଳନ ମୁଖ୍ୟଧାରାର ସାହିତ୍ୟ ପାଖରେ ନା ଆଦୃତ ହୋଇଛି ନା ସ୍ୱୀକୃତ।

“ମୁଁ ଭାବୁଛି ଆପଣ ଆହୁରି ନିୟମିତ ଓ ସୁସଂଗତ ଭାବରେ ଲେଖିବା ଆବଶ୍ୟକ,” ତାଙ୍କୁ ଜଣେ କବି ଭାବରେ ସ୍ୱୀକୃତି ନ ମିଳିବା ପଛରେ ରହିଥିବା ଯୌକ୍ତିକତାକୁ ଦର୍ଶାଇବାକୁ ଯାଇ ସେ କହନ୍ତି। “ମୁଁ ଗୋଟିଏ କି ଦୁଇଟି କବିତା ଲେଖିଲେ, କିଏ ବା କାହିଁକି ପଚାରିବ? ନିକଟରେ ଏହି ଦୁଇଟି କବିତା ସଂକଳନ ପ୍ରସ୍ତୁତ ହୋଇଛି। ମୁଁ ଖ୍ୟାତି ଅର୍ଜିବାକୁ ଲେଖେ ନାହିଁ। ମୁଁ ବି ନିୟମିତ ଭାବେ ଲେଖି ପାରିଲି ନାହିଁ। ଏମିତି କି ମୁଁ ଖୁବ୍‌ ଗମ୍ଭୀର ଭାବରେ ବି ଲେଖିଲି ନାହିଁ। ମୋତେ ଏହା ଲାଗେ। ଭୋକ ଆମ ଜୀବନ ସହ ଗୁନ୍ଥା ହୋଇ ରହିଛି। ତେଣୁ ମୁଁ ତା’ କଥା ଲେଖିଲି। ଠିକ୍‌ ଅର୍ଥରେ ଏହା ଥିଲା ଏକ ପ୍ରାକୃତିକ ଅଭିବ୍ୟକ୍ତି।” ଆମର ସଂପୂର୍ଣ୍ଣ ବାର୍ତ୍ତାଳାପ ଅବସରରେ ସେ ଯେମିତି ସଂକୋଚବୋଧରେ ନିଜେ ନିଜଠାରୁ ଦୂରେଇ ରହିଲେ – କାହାରି ଉପରେ ଦୋଷ ଲଦି ଦେଉ ନଥିଲେ, ପୁରୁଣା କ୍ଷତ ଦେଖାଇବାକୁ ଅରାଜି, ପ୍ରଚାର ସର୍ବସ୍ୱ ଦୁନିଆରେ ନିଜ ଭାଗର ଆଲୋକ ଖୋଜି ନେବାକୁ ଅନିଚ୍ଛୁକ। କିନ୍ତୁ ସେ ଖୁବ୍‌ ଭଲ ଭାବରେ ଜାଣିଥିଲେ ଯେ....

କେହି ଜଣେ ଗିଳିଦେଇଛି
ଆମ ଭାଗର ଆଲୋକକୁ
ତେଣୁ ଆମେ ସୂର୍ଯ୍ୟ ସହ ସାଥୀ ହୋଇ
ନିଜେ ନିଜକୁ ଜାଳିବାରେ ଲାଗିଛୁ
ସାରା ଜୀବନ ପାଇଁ,
ତଥାପି କାହିଁ କେଉଁଠି ତ
ଆଲୋକ ନାହିଁ।

ଜଣେ ପ୍ରୁଫ୍‌ରିଡର ଭାବେ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ତାଙ୍କ ପ୍ରତି ଭିନ୍ନ ଆଚରଣ ପଛରେ ଥିଲା କୁସଂସ୍କାର, ତାଙ୍କ ଦକ୍ଷତାର ଅବମୂଲ୍ୟାୟନ। ଥରେ, ଗୋଟିଏ ଗଣମାଧ୍ୟମ ସଂସ୍ଥାରେ ଚାକିରି ପାଇଁ ପ୍ରବେଶିକା ପରୀକ୍ଷାରେ ‘ଏ’ ଗ୍ରେଡ୍‌ ପାଇଥିଲେ ହେଁ ‘ସି’ ଗ୍ରେଡ୍‌ ପାଇଥିବା ପ୍ରାର୍ଥୀମାନଙ୍କ ତୁଳନାରେ ତାଙ୍କ ଦରମା ହାର ଖୁବ୍‌ କମ୍‌ ରଖାଯାଇ ଏକ ପଦବୀରେ ଯୋଗଦାନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ବଜେସିଂହଙ୍କୁ ଏହା ବାଧିଲା ଏବଂ ସେ ଏଭଳି ଏକ ନିଷ୍ପତ୍ତି ପଛରେ ଥିବା ନୀତିକୁ ନେଇ ପ୍ରଶ୍ନ ଉଠାଇଲେ। ଏବଂ ଶେଷରେ ସେ ସେହି ଚାକିରି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ।

Ocean deep as to drown this world, and these poems are paper boats'.
PHOTO • Umesh Solanki

‘ଏତେ ଗଭୀର ଏ ମହାସାଗର ଯେ ପୃଥିବୀ ଡୁବି ଯିବ, ଏବଂ ଏସବୁ କବିତା ତ କାଗଜ ଡଙ୍ଗା’

ଅହମ୍ମଦାବାଦରେ ସେ ଭିନ୍ନ ଭିନ୍ନ ଗଣମାଧ୍ୟମ ସଂସ୍ଥାରେ ନାମକୁ ମାତ୍ର ପାଉଣାରେ ଛୋଟମୋଟ ଚୁକ୍ତିଭିତ୍ତିକ କାମ କରିବାରେ ଲାଗିଲେ। ବଜେସିଂହଙ୍କ ସହ ପ୍ରଥମ ସାକ୍ଷାତ ସମୟରେ କିରୀଟ ପରମାର ‘ଅଭିଯାନ’ ପାଇଁ ଲେଖାଲେଖି କରୁଥିଲେ। ସେ କହନ୍ତି, “୨୦୦୮ରେ ମୁଁ ‘ଅଭିଯାନ’ରେ ଯୋଗ ଦେବା ସମୟରେ ବଜେସିଂହ ‘ସଂଭାବ ମିଡିଆ’ରେ କାମ କରୁଥିଲେ। ଆନୁଷ୍ଠାନିକ ଭାବେ ସେ ଥିଲେ ଜଣେ ପ୍ରୁଫ୍‌ରିଡର, କିନ୍ତୁ ଆମେ ଜାଣିଥିଲୁ ଯେ ଆମେ ଯେତେବେଳେ ତାଙ୍କୁ କୌଣସି ଲେଖା ଦେଉଥିଲୁ ସେ ତାହାର ସଂପାଦନା କରିଦେଉଥିଲେ। କୌଣସି ଲେଖାକୁ ଏକ ନିର୍ଦ୍ଦିଷ୍ଟ ଆକାର ଓ ରୂପରେଖ ପ୍ରଦାନ ନିମନ୍ତେ ସେ ତାହାର ବିଷୟବସ୍ତୁ ଉପରେ କାମ କରୁଥିଲେ। ଭାଷା ଉପରେ ତାଙ୍କର ଅଦ୍ଭୁତ ରକମର ଦକ୍ଷତା ଥିଲା। ହେଲେ କେବେ ବି ସେହି ବ୍ୟକ୍ତି ଜଣକ ନା ନିଜର ପ୍ରାପ୍ୟ ପାଇଲେ ନା ନିଜ ଯୋଗ୍ୟତା ମୁତାବକ ସୁଯୋଗ।”

‘ସଂଭାବ’ରେ କାମ କରି ସେ ମାସକୁ ଅତି ବେଶୀରେ ୬,୦୦୦ ଟଙ୍କା ରୋଜଗାର କରୁଥିଲେ। ଏତିକି ପଇସାରେ ନିଜ ପରିବାର ପୋଷିବା, ଭାଇଭଉଣୀଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ଏବଂ ଅହମ୍ମଦାବାଦ ଭଳି ସହରରେ ଜୀବନ କାଟିବା କୌଣସିମତେ ସମ୍ଭବ ନଥିଲା। ସେ ‘ଇମେଜ୍‌ ପବ୍ଲିକେସନ୍‌ସ’ ସଂସ୍ଥା ପାଇଁ ମୁକ୍ତବୃତ୍ତି ଭିତ୍ତିରେ କାମ କରିଲେ ଏବଂ ଦିନସାରା ଅଫିସ୍‌ରେ କାମ କରିବା ପରେ ସେ ଘରୁ କାମ କରିବା ଆରମ୍ଭ କଲେ।

“ସେ ମୋର ଜଣେ ଭାଇ ନଥିଲେ, ଆମ ବାପାଙ୍କ ମୃତ୍ୟୁ ପରେ ସେ ଥିଲେ ମୋର ବାପା,” ବୋଲି କହନ୍ତି ତାଙ୍କର ସବା ସାନଭାଇ ୩୭ ବର୍ଷୀୟ ମୁକେଶ ପାର୍ଗି। “ନିହାତି କଠିନ ସମୟରେ ବି ବଜେସିଂହ ମୋର ପାଠପଢ଼ା ବାବଦ ସବୁ ଖର୍ଚ୍ଚ ବହନ କରୁଥିଲେ। ମୋର ମନେ ଅଛି, ସେ ଥାଲତେଜ୍‌ର ଏକ ଛୋଟିଆ ଭଙ୍ଗା କୋଠରିରେ ରହୁଥିଲେ। ତାଙ୍କ କୋଠରିର ଟିଣଛାତ ଉପରେ ରାତିସାରା କୁକୁର ଦୌଡୁଥିଲେ। ସେ ଯେଉଁ ୫,୦୦୦-୬,୦୦୦ ଟଙ୍କା ରୋଜଗାର କରୁଥିଲେ, ସେଥିରେ ସେ ନିଜେ ଚଳିବା ବି କଷ୍ଟକର ଥିଲା। କିନ୍ତୁ ସେ ଆମ ପଢ଼ାଖର୍ଚ୍ଚ ତୁଲାଇବା ପାଇଁ ଅନ୍ୟ ଜାଗାରେ କାମ କରୁଥିଲେ। ଏକଥା ମୁଁ କେବେ ବି ଭୁଲିପାରିବିନି।”

ତାଙ୍କର ଶେଷ ପାଞ୍ଚ-ଛଅ ବର୍ଷରେ, ବଜେସିଂହ ପ୍ରୁଫ୍‌ରିଡିଂ ସେବା ଯୋଗାଉଥିବା ଅହମ୍ମଦାବାଦର ଏକ ଘରୋଇ କମ୍ପାନୀରେ ଯୋଗ ଦେଇଥିଲେ। ସେ କହନ୍ତି, “ଜୀବନର ଅଧିକାଂଶ ସମୟ ମୁଁ ଚୁକ୍ତିଭିତ୍ତିକ କାମ କରିଲି। ସବା ଶେଷରେ ଯେଉଁ କମ୍ପାନୀ ପାଇଁ କାମ କରୁଥିଲି ତାହା ହେଲା ‘ସିଗନେଟ୍‌ ଇନ୍‌ଫୋଟେକ୍’। ଏହି କମ୍ପାନୀ ସହିତ ଗାନ୍ଧିଜୀଙ୍କର ନବଜୀବନ ପ୍ରେସ୍‌ ଚୁକ୍ତି କରିଥିଲା ଏବଂ ମୁଁ ସେମାନଙ୍କ ଦ୍ୱାରା ପ୍ରକାଶିତ ବହି ପାଇଁ କାମ କରିବାରେ ଲାଗିଲି। ନବଜୀବନ ପୂର୍ବରୁ ମୁଁ ଅନ୍ୟ କେତେକ ପ୍ରକାଶନ ସଂସ୍ଥାରେ କାମ କରିଥିଲି।” ବଜେସିଂହ କହନ୍ତି, “କିନ୍ତୁ ଗୁଜରାଟର କୌଣସି ପ୍ରକାଶନ ସଂସ୍ଥାରେ ଜଣେ ପ୍ରୁଫ୍‌ରିଡର ପଦବୀ ପାଇଁ ସ୍ଥାୟୀ ଚାକିରି ନାହିଁ।”

ଜଣେ ବନ୍ଧୁ ଓ ଲେଖକ କିରୀଟ ପରମାରଙ୍କ ସହିତ ଏକ ବାର୍ତ୍ତାଳାପ ଅବସରରେ ସେ କହନ୍ତି, “ଗୁଜରାଟରେ ଭଲ ପ୍ରୁଫ୍‌ରିଡର ନ ମିଳିବାର ଅନ୍ୟତମ ମୁଖ୍ୟ କାରଣ ହେଲା ଯେ ଏଥିରେ ଅତି ଅଳ୍ପ ପାରିଶ୍ରମିକ ମିଳେ। ପ୍ରୁଫ୍‌ରିଡର ହେଉଛନ୍ତି ଜଣେ ଅଭିଭାବକ, ଭାଷାର ଜଣେ ପ୍ରବର୍ତ୍ତକ। କେମିତି ଆମେ ତାଙ୍କ କାମକୁ ସମ୍ମାନ ଦେବା ନାହିଁ ଏବଂ ସେମାନଙ୍କୁ ଉପଯୁକ୍ତ ପାଉଣା ଦେବା ନାହିଁ ? ଏବେ ଆମେ ବିଲୁପ୍ତପ୍ରାୟ ପ୍ରଜାତିର ପ୍ରାଣୀ ହେବାକୁ ଯାଉଛୁ। ଏବଂ ଏଥିରେ କ୍ଷତି କାହାର ହେବ, ଗୁଜରାଟୀ ଭାଷାର।” ବଜେସିଂହ ଗୁଜରାଟୀ ଗଣମାଧ୍ୟମ ସଂସ୍ଥାର ଦୟନୀୟ ଅବସ୍ଥା ଦେଖିଲେ। ସେମାନେ ଭାଷାକୁ ସମ୍ମାନ ଦିଅନ୍ତି ନାହିଁ ଏବଂ କେବଳ ଲେଖିପଢ଼ି ପାରୁଥିବା ଯେ କୌଣସି ବ୍ୟକ୍ତି ଜଣେ ପ୍ରୁଫ୍‌ରିଡର ହେବା ପାଇଁ ଉପଯୁକ୍ତ ବିବେଚିତ ହେଉଥିଲେ।

ବଜେସିଂହ କହନ୍ତି, “ସାହିତ୍ୟ ଜଗତରେ ଏମିତି ଏକ ଭ୍ରାନ୍ତ ଧାରଣା ପ୍ରଚଳିତ ଯେ ଜଣେ ପ୍ରୁଫ୍‌ରିଡର ପାଖରେ ଜ୍ଞାନ, ଦକ୍ଷତା ଏବଂ ସୃଜନଶୀଳତା ନଥାଏ।” ଅପରପକ୍ଷରେ ସେ ଗୁଜରାଟୀ ଭାଷାର ଅଭିଭାବକ ଭାବେ କାର୍ଯ୍ୟରତ ଥିଲେ। “ଗୁଜରାଟ ବିଦ୍ୟାପୀଠ” ପକ୍ଷରୁ ସାର୍ଥ ଜୋଡ଼ଣି କୋଷ (ଏକ ସୁପରିଚିତ ଶବ୍ଦକୋଷ)ର ଏକ ପରିଶିଷ୍ଟ ପ୍ରକାଶିତ ହେଲା, ଯେଉଁଥିରେ କି କୋଷ ରେ ସମ୍ମିଳିତ ହେବା ଲାଗି ୫,୦୦୦ ନୂଆ ଶବ୍ଦ ରହିଥିଲା।” ସେଦିନର କଥା ମନେ ପକାଇ କିରୀଟ ଭାଇ କହନ୍ତି, “ଆଉ ସେଥିରେ ଅନେକ ଅକ୍ଷମଣୀୟ ତ୍ରୁଟି ରହିଥିଲା। କେବଳ ବନାନରେ ନୁହେଁ, ତଥ୍ୟଗତ ପ୍ରମାଦ ଏବଂ ବିବରଣୀରେ ବି ତ୍ରୁଟି ରହିଥିଲା। ବଜେସିଂହ ସେସବୁକୁ ତନ୍ନ ତନ୍ନ କରି ପରୀକ୍ଷା କଲେ ଏବଂ ଏହାର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ପାଇଁ ତର୍କ କଲେ। ଗୁଜରାଟରେ ବଜେସିଂହ ଯେଉଁଭଳି କାମ କରୁଥିଲେ, ଆଉ କେହି ସେଭଳି କରୁଥିବା ମୁଁ ଦେଖିନାହିଁ। ସେ ମଧ୍ୟ ରାଜ୍ୟ ଶିକ୍ଷା ବୋର୍ଡ଼ ପକ୍ଷରୁ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ପାଇଁ ପ୍ରକାଶିତ ପଢ଼ାବହିରେ ଅନେକ ଭୁଲ ରହିଥିବା ସଂପର୍କରେ ଲେଖିଥିଲେ।

Vajesinh's relatives in mourning
PHOTO • Umesh Solanki

ବଜେସିଂହଙ୍କ ଶୋକାକୁଳ ସଂପର୍କୀୟମାନେ

Vajesinh's youngest brother, Mukesh Bhai Pargi on the left and his mother Chatura Ben Pargi on the right
PHOTO • Umesh Solanki
Vajesinh's youngest brother, Mukesh Bhai Pargi on the left and his mother Chatura Ben Pargi on the right
PHOTO • Umesh Solanki

ବାମରେ ବଜେସିଂହଙ୍କ ସବା ସାନଭାଇ, ମୁକେଶ ଭାଇ ପାର୍ଗି ଏବଂ ଡାହାଣରେ ତାଙ୍କ ମାଆ ଚତୁରା ବେନ ପାର୍ଗି

ତାଙ୍କର ସମସ୍ତ ଦକ୍ଷତା ଓ ପ୍ରତିଭା ସତ୍ତ୍ୱେ ଏ ଦୁନିଆ ତାଙ୍କ ପାଇଁ ଏକ ଶତ୍ରୁଭାବାପନ୍ନ ସ୍ଥାନର ରୂପ ନେଇଥିଲା। ତଥାପି ସେ ଆଶା ଓ ସହନଶୀଳତା ସଂପର୍କରେ ଲେଖିଲେ। ସେ ଜାଣିଥିଲେ ଯେ ତାଙ୍କୁ ତାଙ୍କ ନିଜ ସମ୍ବଳ ବଳରେ ରହିବାକୁ ହେବ। ବହୁ ଦିନ ତଳୁ ଭଗବାନଙ୍କ ଉପରୁ ସେ ଆସ୍ଥା ହରାଇ ସାରିଥିଲେ।

ମୁଁ ଜନ୍ମ ନେଲା ବେଳେ
ମୋର ଗୋଟିଏ ହାତରେ ଭୋକ଼
ଏବଂ ଅନ୍ୟଟିରେ ଥିଲା ପରିଶ୍ରମ,
ହେ ଭଗବାନ, ମୋତେ କୁହ,
ତୁମକୁ ପୂଜିବା ପାଇଁ
ତୃତୀୟ ହାତଟିଏ ଆଣିବି କେଉଁଠୁ?

ଅନେକ ସମୟରେ ବଜେସିଂହଙ୍କ ଜୀବନରୁ ଭଗବାନଙ୍କ ଅସ୍ତିତ୍ୱକୁ ଦୂରେଇ ଦେବା ପାଇଁ ଆସେ କବିତା। ସେ ଦୁଇଟି ଭାଗରେ ତାଙ୍କର କବିତା ପ୍ରକାଶ କରିଥିଲେ, ୨୦୧୯ରେ ‘ଆଗିୟାନୁ ଅଜ୍‌ୱାଳୁନ’ (ଜୁଳୁଜୁଳିଆ ପୋକର ଆଲୋକ) ଏବଂ ୨୦୨୨ରେ ‘ଝାକଳନା ମୋତି’ (କାକର ବିନ୍ଦୁର ମୋତି)। ତାଙ୍କ ମାତୃଭାଷା ପଞ୍ଚମାହାଲି ଭିଲି ରେ ମଧ୍ୟ କେତେକ କବିତା ପ୍ରକାଶ କରିଥିଲେ।

ଅନ୍ୟାୟ, ଶୋଷଣ, ଭେଦଭାବ ଏବଂ ଅତ୍ୟାଚାରର ଶିକାର ହୋଇ ବିତାଇଥିବା ଏକ ଜୀବନର ଶେଷରେ ବି ତାଙ୍କ କବିତାରେ ଘୃଣା କିମ୍ବା କ୍ରୋଧର ଲେଶମାତ୍ର ସଂକେତ ମିଳେ ନାହିଁ। କୌଣସି ଅଭିଯୋଗ ନାହିଁ। ସେ କହନ୍ତି, “କେଉଁଠି ମୁଁ ଅଭିଯୋଗ କରିଥାଆନ୍ତି ? ସମାଜ ଆଗରେ ? ଆମେ ସମାଜ ଆଗରେ ଅଭିଯୋଗ କରିପାରିବୁ ନାହିଁ, ସେମାନେ ଆମ ବେକ ମୋଡ଼ି ଦେବେ।”

କବିତା ମାଧ୍ୟମରେ ହିଁ ବ୍ୟକ୍ତିଗତ ସମସ୍ୟା ବିଜଡ଼ିତ ପରିସ୍ଥିତିରୁ ଉପରକୁ ଉଠି ସାରା ଜଗତର ମାନବିକ ସ୍ଥିତି ସଂପର୍କିତ ବାସ୍ତବ ସତ୍ୟ ସହ ନିଜକୁ ସଂଯୋଗ କରିବାର ସମ୍ଭାବନା ରହିଛି ବୋଲି ବଜେସିଂହ ଅନୁଭବ କରିଥିଲେ। ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ଆଦିବାସୀ ଓ ଦଳିତ ସାହିତ୍ୟର ବିଫଳତାର କାରଣ ହେଉଛି ଏଥିରେ ବିସ୍ତୃତିର ଅଭାବ। ସେ କହନ୍ତି, “ମୁଁ କେତେକ ଦଳିତ ସାହିତ୍ୟ ପଢ଼ିଛି ଏବଂ ସେଥିରେ ବୃହତ୍ତର ମାନବ ଜଗତ ସହିତ ଯୋଡ଼ି ହେବା ଲାଗି ଉପାଦାନର ଅଭାବ ଲକ୍ଷ୍ୟ କରିଛି। ଏହା କେବଳ ଅଭିଯୋଗ ସମ୍ବଳିତ ଏବଂ ଆମ ଉପରେ ହୋଇଥିବା ଅତ୍ୟାଚାର ସଂପର୍କିତ। ହେଲେ ଏଠାରୁ ଆମେ କୁଆଡ଼େ ଯିବୁ ? ଏଇମାତ୍ର ଆଦିବାସୀମାନେ ସ୍ୱର ଉଠାଇବା ଆରମ୍ଭ କରିଛନ୍ତି। ସେମାନେ ବି ନିଜ ନିଜ ଜୀବନ ସଂପର୍କରେ ବହୁତ କିଛି କହନ୍ତି। କିନ୍ତୁ ବୃହତ୍ତର ପ୍ରଶ୍ନଗୁଡ଼ିକୁ କେହି ପଚାରନ୍ତି ନାହିଁ।”

ଦାହୋଦର ଜଣେ କବି ଓ ଲେଖକ ପ୍ରବୀଣ ଭାଇ ଯାଦବ କହନ୍ତି, “ଛୋଟପିଲାରୁ ବଡ଼ ହେବା ପର୍ଯ୍ୟନ୍ତ ମୁଁ ଅନେକ ବହି ପଢ଼ିଛି ଏବଂ ସବୁବେଳେ ମୋ ମନରେ ପ୍ରଶ୍ନ ଉଠେ ଯେ, ସେଥିରେ କାହିଁକି ଆମ ସଂପ୍ରଦାୟ ଏବଂ ଆମ ଅଞ୍ଚଳର କବିମାନେ ସ୍ଥାନ ପାଇ ନାହାନ୍ତି। ୨୦୦୮ରେ ହିଁ ମୁଁ ପ୍ରଥମେ ଏକ କବିତା ସଂଗ୍ରହରେ ବଜେସିଂହଙ୍କ ନାଁ ଦେଖିଲି। ହେଲେ ସେହି ବ୍ୟକ୍ତିଙ୍କୁ ଖୋଜି ପାଇବା ଲାଗି ମୋତେ ଚାରି ବର୍ଷ ଲାଗିଗଲା ! ଆଉ ତାଙ୍କୁ ସାକ୍ଷାତ କରିବା ଲାଗି ଆଉ କିଛି ସମୟ। ସେ ମୁଶାୟରା ର କବି ନୁହନ୍ତି। ତାଙ୍କ କବିତାରେ ସେ କହନ୍ତି ଆମ ଯନ୍ତ୍ରଣାର ଏବଂ ନିଷ୍ପେଷିତ ଲୋକଙ୍କ ଜୀବନର କଥା।”

କଲେଜରେ ପଢ଼ିବା ବେଳରୁ ହିଁ ବଜେସିଂହ କବିତା ଲେଖିବା ଆରମ୍ଭ କରିଥିଲେ। ସେତେବେଳେ କୌଣସି ଗମ୍ଭୀର ବୌଦ୍ଧିକ ଚର୍ଚ୍ଚା କିମ୍ବା ପ୍ରଶିକ୍ଷଣ ପାଇଁ ସମୟ ନଥିଲା। ସେ ସମୟର ସ୍ଥିତି ବୁଝାଇବାକୁ ଯାଇ ସେ କହନ୍ତି,“ଦିନ ସାରା କବିତା ମୋ ମନ ଭିତରେ ମନ୍ଥି ହେଉଥିବ। ସେଗୁଡ଼ିକ ଥିଲା ସେହି ଅବିଶ୍ରାନ୍ତ ଭାବଧାରା, ଯାହା କେବେ କେବେ ଅଭିବ୍ୟକ୍ତିର ରୂପ ନେଉଥିଲା ତ ଆଉ କେବେ ଅପସରି ଯାଉଥିଲା। ଏ ପର୍ଯ୍ୟନ୍ତ ବି ଅକୁହା ରହିଯାଇଛି ଅନେକ ଭାବନା। ମୋ ମନରେ ମୁଁ ଏକ ଦୀର୍ଘ ପ୍ରକ୍ରିୟାକୁ ତ ସାଇତି ରଖିପାରିବିନି। ସେଥିପାଇଁ ମୁଁ ତା’ର ସେହିଭଳି ଏକ ରୂପକୁ ବାଛି ନେଲି ଏବଂ ତାକୁ ସେହି ରୂପରେ ସଜାଇଲି। ତଥାପି ଏବେ ବି ଲେଖା ନହୋଇ ରହିଛି ଅନେକ କବିତା।”

ଫୁସ୍‌ଫୁସ୍‌ କର୍କଟ ଭଳି ଏକ ମାରାତ୍ମକ ଅସୁସ୍ଥତା ଯୋଗୁଁ ଗତ ଦୁଇ ବର୍ଷ ଭିତରେ ତାଙ୍କର ଆହୁରି ଅନେକ କବିତା ଅଲିଖିତ ଅବସ୍ଥାରେ ରହିଯାଇଛି। ଏତେ ଦୁଃଖକଷ୍ଟ ଭିତରେ ବଜେସିଂହ ବିତାଇଥିବା ଜୀବନ ଏବଂ ପ୍ରତିକୂଳ ପରିସ୍ଥିତିରେ ତାଙ୍କ ସଫଳତା ଉପରେ ନଜର ପଡ଼ିବା ମାତ୍ରେ ହିଁ ବୁଝିହୁଏ ଯେ ଆଉ କେତେ କ’ଣ ଅଲିଖିତ ଅବସ୍ଥାରେ ରହିଯାଇଛି। କେବଳ ନିଜ ପାଇଁ ନୁହେଁ, ତାଙ୍କ ସଂପ୍ରଦାୟ ପାଇଁ ସେ ସାଇତି ରଖିଥିବା ‘ଜୁଳୁଜୁଳିଆ ପୋକର ଦୁକୁଦୁକୁ ଆଲୁଅ’ ବି ଅଲେଖା ରହିଗଲା। ଅଲେଖା ରହିଗଲା ଶାମୁକାର ସୁରକ୍ଷା କବଚ ବିନା ତାଙ୍କ ହାତ ପାପୁଲିରେ ବିକଶିତ ‘କାକରବିନ୍ଦୁର ମୋତି’। ଅଲେଖା ରହିଗଲା ଗୋଟିଏ ନିଷ୍ଠୁର, ନିର୍ଦ୍ଦୟ ପୃଥିବୀରେ ପ୍ରତିଧ୍ୱନିତ ସହାନୁଭୁତି ଓ ସହୃଦୟତା ଭରା ତାଙ୍କ ସ୍ୱରର ଅଲୌକିକ ଗୁଣାବଳୀ। ଆଉ ଅଲେଖା ରହିଗଲା ଆମ ଭାଷାରେ ଅନେକ ଶ୍ରେଷ୍ଠ କବିଙ୍କ ତାଲିକାରେ ବଜେସିଂହ ପାର୍ଗିଙ୍କ ନାଁ।

One of the finest proofreaders, and rather unappreciated Gujarati poets, Vajesinh fought his battles with life bravely and singlehandedly.
PHOTO • Umesh Solanki

ଜଣେ ଅନ୍ୟତମ ଶ୍ରେଷ୍ଠ ପ୍ରୁଫ୍‌ରିଡର ଏବଂ ଅନାଦୃତ ଗୁଜରାଟୀ କବି ବଜେସିଂହ, ସାହସର ସହିତ ଏବଂ ଏକା ଏକା ଜୀବନ ସଂଗ୍ରାମରେ ଲଢ଼ିଥିଲେ

ହେଲେ, ବଜେସିଂହ କେବେହେଲେ ଜଣେ ବିପ୍ଳବୀ କବି ନଥିଲେ। ତାଙ୍କ ଲାଗି ଶବ୍ଦ ନ ଥିଲା ଅଗ୍ନିକଣା।

ମୁଁ ଏଠି ପ୍ରତୀକ୍ଷାରେ ଲୋଟିଥାଏ
ସେହି ଝଲକାଏ ପବନ ପାଇଁ
ତ କ ଣ ହେଲା ଯଦି ମୁଁ ଗଦାଏ ପାଉଁଶ ହେଲି
ମୋ ଠାରେ ନାହିଁ ନିଆଁ
ଘାସ କେରାଏକୁ ଜାଳି ମୁଁ ପାରିବିନି
କିନ୍ତୁ ଏହା ନିଶ୍ଚିତ ଯେ ମୁଁ ସେମାନଙ୍କ ଆଖିରେ ପଶିଯିବି
ଏବଂ ପୋଡ଼ାଜଳା କରାଇପାରିବି
ଅନ୍ତତଃ ସେଥିରୁ ଗୋଟିଏକୁ ତ ମୁଁ
ଘଷି ଘଷି ଲାଲ କରିଦେବି

ଏବଂ ଏବେ, ଆମ ପାଖରେ ରହିଯାଇଛି ଆହୁରି ପ୍ରାୟ ୭୦ଟି ଅପ୍ରକାଶିତ କବିତା, ଆମ ଆଖିରେ ଏବଂ ବିବେକରେ ପୋଡ଼ାଜଳା କରାଇବାର ଆହୁରି ଅଧିକ ଶକ୍ତିଶାଳୀ ଉପାଦାନ ନେଇ, ଆମେ ବି ସେଇ ଝଲକାଏ ପବନ ପ୍ରତୀକ୍ଷାରେ।

ଝୁଲଡ଼ି *

ମୁଁ ଯେବେ ଛୋଟପିଲା ଥିଲି
ବାପା ଆଣିଦେଇଥିଲେ ଗୋଟିଏ ଝୁଲଡ଼ି
ଥରେ ଧୋଇଦେଲା ପରେ ଛୋଟ ହୋଇଗଲା
ରଙ୍ଗ ଛାଡ଼ିଗଲା,
ଏବଂ ସିଲେଇ ଢିଲା ହୋଇଗଲା।
ଆଉ ମୋତେ ଏହା ଭଲ ଲାଗିଲାନି।
ମୁଁ ରାଗ ଗରଗର ହେଲି-
ମୁଁ ଚାହେଁନି ପିନ୍ଧିବାକୁ ଏହି ଝୁଲଡ଼ି
ମା’ ମୋ ମୁଣ୍ଡ ଆଉଁସି ଦେଲା
ମୋତେ ବୁଝାଇବାରେ ଲାଗିଲା,
“ଚିରିଗଲା ଯାଏ ପିନ୍ଧିଥା’ରେ ପୁଅ।
ତା’ପରେ ନୂଆ ଗୋଟେ ଆଣିଦେବୁ, ଠିକ୍‌ ତ ? ”
ଆଜି ଏ ଶରୀର ସେମିତି ଝୁଲୁଛି
ସେହି ଝୁଲଡ଼ି ଭଳି, ଯାହାକୁ ମୁଁ ଘୃଣା କରିଥିଲି।
ଶରୀର ସାରା କୁଞ୍ଚନର ଚିହ୍ନ
ତରଳି ଯାଏ ହାଡ଼ର ଗଣ୍ଠି ସବୁ
ନିଃଶ୍ୱାସ ନେଲେ ମୁଁ ଥରି ଉଠେ
ଏବଂ ରାଗରେ ଗରଗର ହୁଏ ମୋ ମନ –
ମୁଁ ଆଉ ଚାହେଁନି ଏ ଶରୀର !
ଠିକ୍‌ ଯେବେ ମୁଁ ପିଞ୍ଜରା ଛାଡ଼ିବାକୁ ଚାହେଁ
ମୋର ମନେପଡ଼େ ମାଆ ଆଉ ତା’ର ମିଠାମିଠା କଥା
“ଚିରିଗଲା ଯାଏ ପିନ୍ଧିଥା’ରେ ପୁଅ!
ଥରେ ଏହା ଛାଡ଼ି ଚାଲିଗଲେ...

ତାଙ୍କର ଅପ୍ରକାଶିତ ଗୁଜରାଟୀ କବିତାରୁ ଅନୁଦିତ।
*ଝୁଲଡ଼ି ହେଉଛି ଆଦିବାସୀ ସଂପ୍ରଦାୟର ପିଲାମାନେ ଶରୀରର ଉପର ଭାଗରେ ପିନ୍ଧୁଥିବା ଏକ ପାରମ୍ପରିକ ଛୁଞ୍ଚିକାମ କରାଯାଇଥିବା ପୋଷାକ


ସଂସାର ଛାଡ଼ି ଚାଲିଯିବାର ମାତ୍ର କେଇ ଦିନ ପୂର୍ବରୁ ଆମ ସହ କଥାବାର୍ତ୍ତା କରିଥିବାରୁ ବଜେସିଂହ ପାର୍ଗିଙ୍କୁ ଏ ଲେଖକ ଗଭୀର କୃତଜ୍ଞତା ଜ୍ଞାପନ କରୁଛନ୍ତି। ଏହି ଲେଖା ପ୍ରସ୍ତୁତିରେ ସହାୟତା ନିମନ୍ତେ ମୁକେଶ ପାର୍ଗିଙ୍କୁ, କବି ଓ ସାମାଜିକ କର୍ମୀ କାଞ୍ଜି ପଟେଲଙ୍କୁ, ‘ନିର୍ଧାର’ର ସଂପାଦକ ଉମେଶ ସୋଲାଙ୍କିଙ୍କୁ, ବଜେସିଂହଙ୍କ ବନ୍ଧୁ ଏବଂ ଲେଖକ କୀରିଟ ପରମାରଙ୍କୁ ଏବଂ ଗଲାଲିୟାବାଡ଼ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ ସତୀଶ ପରମାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛନ୍ତି।

ଏହି ଲେଖାରେ ପ୍ରକାଶିତ ସବୁ କବିତା ବଜେସିଂହ ପାର୍ଗିଙ୍କ ଦ୍ୱାରା ଗୁଜରାଟୀ ଭାଷାରେ ଲେଖାଯାଇଛି ଏବଂ ପ୍ରତିଷ୍ଠା ପାଣ୍ଡେଙ୍କ ଦ୍ୱାରା ଇଂଲିଶରେ ଅନୁଦିତ ହୋଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Photos and Video : Umesh Solanki

Umesh Solanki is an Ahmedabad-based photographer, documentary filmmaker and writer, with a master’s in Journalism. He loves a nomadic existence. He has three published collections of poetry, one novel-in-verse, a novel and a collection of creative non-fiction to his credit.

Other stories by Umesh Solanki

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE