ଶୁରୁ ଶୁରୁ ମେଁ ଏକ ନଙ୍ଗ ବନାନେ ମେଁ ଆଧି କଲକ ଲଗତି ଥୀ ମେରୀ (ଆଗରୁ ଗୋଟିଏ ଚାଲୁଣୀ କରିବାକୁ ମୋତେ ଅଧା ଘଣ୍ଟା ଲାଗୁଥିଲା]।” ଚାଲୁଣୀ ତିଆରି କରିବାକୁ ଥିବା କଟାଖଣ୍ଡଗୁଡ଼ିକୁ ଆଙ୍ଗୁଠି ଅଗରେ ଯୋଡ଼ିବା ବେଳେ ମହମଦ ଭାଇ କହନ୍ତି । ଏଥିରେ ତାଙ୍କ ହାତ କଟିଯିବାର ଆଶଙ୍କା ତ ରହିଛି, ହେଲେ ସମୟ ବିତିବା ସହିତ ଅନୁଭୂତି ହାସଲ ଯୋଗୁଁ ତାଙ୍କ ପାଇଁ ଏହି କାମ ସହଜ ହୋଇଯାଇଛି । ସେ ଏକ ଅଲଗା ପ୍ରକାରର ହିନ୍ଦୀ କହନ୍ତି, ଯାହା କି ସାଧାରଣତଃ ଗୁଜରାଟର ମୁସଲମାନ ଲୋକେ କହିଥାଆନ୍ତି ଏବଂ ଏଥିରେ କେତେକ ଗୁଜରାଟୀ ଶବ୍ଦର ଛିଟା ରହିଥାଏ । “ ଏକ ମହିନା ତକଲିଫ ପଡ଼ି ମେରେ କୋ । ଅବ ଏକ ନଙ୍ଗ ପାଞ୍ଚ ମିନିଟ୍ ମେଁ ବନ ଜାତା ହୈ (ଥରେ ଏଥିରେ ଅଭ୍ୟସ୍ତ ହୋଇଗଲା ପରେ ଏବେ ମୁଁ ଏହାକୁ ଶୀଘ୍ର ଶୀଘ୍ର କରିପାରୁଛି । ମାସେ ଖଣ୍ଡେ ଟିକେ କଷ୍ଟ ହେଲା, ହେଲେ ଏବେ ମୁଁ ପାଞ୍ଚ ମିନିଟରେ ଗୋଟିଏ କରିପାରୁଛି),” ଅଳ୍ପ ହସି ସେ କହନ୍ତି ।

ଆମେ ଅହମଦାବାଦରେ ଥିବା କୁତବୀ ବିଲଡିଂର ସେହି ୧୦x୧୦ ଆକାରର କୋଠରିରେ ବସିଛୁ, ଯେଉଁଥିରେ ରହନ୍ତି ୪୩ ବର୍ଷୀୟ ମହମଦ ଚାରଣାୱାଲା ଏବଂ ତାଙ୍କ ୭୬ ବର୍ଷୀୟା ଅମ୍ମି (ମାଆ) ରୁକୈୟା ମୌଝୁସଇନି । ମୁସଲମାନ କର୍ମଜୀବୀ ଶ୍ରେଣୀର ଲୋକେ ରହୁଥିବା ଅହମଦାବାଦର କାଳୁପୁର ଷ୍ଟେସନ ନିକଟ ଦାଉଦୀ ଭୋରା ରୋଜା ନାମକ ଏହି ଚାଲ ର ଦୁଇ ମହଲା କୋଠାରେ ଥିବା ୨୪ଟି ଘର ଭିତରୁ ଗୋଟିକରେ ସେମାନେ ରହନ୍ତି । ଅତ୍ୟାଧୁନିକ ରେଳ ଷ୍ଟେସନ ଆରପଟକୁ ଯାଆନ୍ତୁ ଏବଂ ଆପଣ ପହଞ୍ଚି ଯିବେ ଅହମଦାବାଦ ପୁରୁଣା ସହରରେ ।

ଏ ଅଞ୍ଚଳର ଗଳିକନ୍ଦି ଦେଇ ଆଗକୁ ଚାଲିଲେ, ସେଠାକାର ଖାଦ୍ୟ, କଳିକଜିଆ ଏବଂ କେବେ କେମିତି ଶୁଭୁଥିବା ଗାଳିଗୁଲଜ, ମନ୍ଥର ଗତିରେ ଚାଲୁଥିବା ଗାଡ଼ିମଟର ଭିତର ଦେଇ ଆପଣ ପହଞ୍ଚି ଯିବେ ବୁଢ଼ିଆଣୀ ଜାଲ ଭଳି ଏଣିକି ତେଣିକି ଲମ୍ବି ଯାଇଥିବା ଅନେକ ରାସ୍ତା ପାଖରେ – କେଉଁଟି କୋଣେଇ କରି ଯାଇଥିବ ତ ଆଉ କେଉଁଟି ଡାହାଣକୁ ବଙ୍କେଇ ଯାଇଥିବ, ସେମିତି ବାଁ ପଟକୁ ଲମ୍ବି ଯାଇଥିବ ଏକମୁହାଁ ରାସ୍ତାଟିଏ, ଆଉ ଗୋଟିଏ ଅଙ୍କେଇ ବଙ୍କେଇ ଯିବା ପରେ ସିଧା ହୋଇଯାଇଥିବ ଏବଂ ଅନ୍ୟ ଏକ ରାସ୍ତା ସହିତ ମିଶିଯାଇଥିବ । ଶେଷୋକ୍ତ ରାସ୍ତାଟିରେ ଯାଇ ଆପଣ ପହଞ୍ଚିବେ କୁତବୀ ବିଲଡିଂରେ, ଯାହାର ମାଲିକାନା ରହିଛି ଦାଉଦି ଭୋରାଙ୍କ ରୋଜାର ଭୋରା ଟ୍ରଷ୍ଟ ହାତରେ ଏବଂ ଯେଉଁଠି ରହନ୍ତି ମୋଟ ୧୧୦ଟି ପରିବାର ।

ସପ୍ତାହରେ ତିନି ଦିନ, ତାଙ୍କ କାଠ ଠେଲାଗାଡ଼ିକୁ ଠେଲି ଠେଲି ମହମଦ ଭାଇ ଏଠାରୁ ପ୍ରାୟ ୩୦ କିଲୋମିଟର ଚାଲି ଚାଲି ସହର ଭିତରେ ଘୂରି ବୁଲନ୍ତି । ସକାଳ ଛଅଟାରେ ସେ ଯାତ୍ରା ଆରମ୍ଭ କରନ୍ତି । “ଯେଉଁ ସବୁ ଜାଗାକୁ ତା’ର ବାପା ଯାଉଥିଲେ!”, ଚୁନ୍ନିରେ ନିଜ ମୁହଁ ପୋଛୁ ପୋଛୁ ସ୍ୱାମୀଙ୍କ କଥା ମନେ ପକାଇ ବଡ଼ପାଟିରେ ରୁକୈୟା କହନ୍ତି । “ସେ ନଈ ଡେଇଁ ଆହୁରି ଆଗକୁ ଯାଉଥିଲେ, ସାବରମତୀ ଆର ପଟକୁ ଏବଂ ରାତି ୯ଟା କି ୧୦ଟା ବେଳକୁ ଡେରିରେ ଘରକୁ ଫେରୁଥିଲେ ।” ୨୦୨୩  ଫେବ୍ରୁଆରୀରେ ଆବ୍ବା ମୌଝୁସଇନି ପ୍ରାଣ ହରାଇଲେ । ସେତେବେଳେ ତାଙ୍କୁ ୭୯ ବର୍ଷ ହୋଇଥିଲା ।

Mohamad Charnawala.
PHOTO • Umesh Solanki
His mother Ruqaiya Moiz Charnawala
PHOTO • Umesh Solanki

ବାମ : ମହମଦ ଚାରଣାୱାଲା। ଡାହାଣ : ତାଙ୍କ ମାଆ ରୁକୈୟା ମୋଇଜ ଚାରଣାୱାଲା

Left: Sieves and mesh to be placed in the sieves are all over his kitchen floor.
PHOTO • Umesh Solanki
Right: Mohamad bhai, checking his work
PHOTO • Umesh Solanki

ବାମ ; ରନ୍ଧାଘର ସାରା ପଡ଼ି ରହିଛି ଚାଲୁଣୀ ଏବଂ ସେଥିରେ ଲାଗୁଥିବା ଜାଲି ଡାହାଣ : ମହମଦ ଭାଇ ନିଜ କାମକୁ ପରଖି ନେଉଛନ୍ତି

ନା, ମହମଦ ଭାଇ ତାଙ୍କ ବାପାଙ୍କ ପାଖରୁ ଏହି କାରିଗରୀ ଶିଖି ନଥିଲେ । “ ହୋ ଗୟୀ ହିମତ ତୋ କର ଲିୟା (ମୋର ସାହସ ହେଲା ତ ଚେଷ୍ଟା କଲି ଆଉ କରି ଚାଲିଲି),” ସେ କହନ୍ତି । ସେ ଏଗୁଡ଼ିକ (ଚାଲୁଣୀଗୁଡ଼ିକ) ଘରେ ତିଆରି କରୁଥିବା ବେଳେ ମୁଁ ଦେଖୁଥିଲି । କିନ୍ତୁ ସେ ବଞ୍ଚି ଥିବା ବେଳେ ମୁଁ ଗୋଟିଏ ହେଲେ ଚାଲୁଣୀରେ ହାତ ବି ମାରିନି । ମୁଁ ଭାବୁଛି, ମୁଁ ଦେଖି ଦେଖି ଶିଖିଲି ।” ତାଙ୍କ ବାପା ତାଙ୍କ ମାମୁଙ୍କ ଚା’ ଦୋକାନରେ କାମ କରୁଥିଲେ କିନ୍ତୁ ଥରେ ଝଗଡ଼ା ହେବା ପରେ ସେ ଚାଲୁଣୀ ତିଆରି ଆରମ୍ଭ କଲେ । ପୁରୁଣା କଥା ମନେ ପକାଇ ମହମଦ ଭାଇ କହନ୍ତି “୧୯୭୪ରୁ ଆମେ ସାରସପୁରକୁ ଚାଲି ଆସିଲା ପରେ ମୋ ବାପା ତାଙ୍କ ଠେଲାଗାଡ଼ି ନେଇ ଯାଉଥିଲେ,” ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସେ ତାହା ହିଁ କରୁଥିଲେ ।

ତଥାପି, ଏ କାମରେ ମହମଦ ଭାଇ ନୂଆ ଲୋକ । ବାପାଙ୍କ ମୃତ୍ୟୁର ପାଞ୍ଚ ମାସ ପରେ ହିଁ ସେ ଏହି କାମ ଆରମ୍ଭ କଲେ । ଏବଂ ସେ ସପ୍ତାହରେ ତିନି ଦିନ ସେ ଏହି କାମ କରନ୍ତି । “ଅନ୍ୟ ଦିନରେ ମୁଁ ବଡ଼ ବଡ଼ କାରଖାନାରେ ବ୍ୟବହାର କରାଯାଉଥିବା ଡିଜେଲ, ପେଟ୍ରୋଲ, ଗ୍ୟାସ୍  ପାଇଁ ଥିବା ୨୦୦ରୁ ୨୫୦ କିଲୋଗ୍ରାମ ଭଲଭ (ଯନ୍ତ୍ରବିଶେଷ)ଗୁଡ଼ିକୁ ରଙ୍ଗ କରେ । ମୁଁ ସକାଳ ୯ଟାରୁ ଯାଇ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ କାମ କରେ ଏବଂ ମଝିରେ, ଦିପହରେ ଖାଇବା ପାଇଁ ଯାହା ଅଧା ଘଣ୍ଟା ମିଳେ । ଏଥିରୁ ମୁଁ ଦିନକୁ ୪୦୦ ଟଙ୍କା ପାଏ ।” ଚାଲୁଣୀ ମରାମତି କାମରୁ ତାଙ୍କୁ ବେଶୀ ପଇସା ମିଳେ ନାହିଁ । “ କୋଇ ଦିନ ସୌ ଆୟେ, କୋଇ ଦିନ ପାଞ୍ଚଶୋ ଭି ଲେ କେ ଆୟେ । କୋଇ ଦିନ ନେହିଁ ଭି ଲାୟେ । କୋଇ ନକ୍କି ନେହିଁ (କେବେ ମୋତେ ୧୦୦ ଟଙ୍କା ମିଳେ ତ ଆଉ କେବେ ୫୦୦ ଟଙ୍କା, କେବେ କେବେ କିଛି ହେଲେ ମିଳେ ନାହିଁ । ଏଥିରେ କିଛି ଠିକ୍ ନାହିଁ),” ସେ କହନ୍ତି ।

ତା’ହେଲେ ସେ ସପ୍ତାହର ସବୁଦିନ ଭଲଭରେ ରଙ୍ଗ ଦେବା କାମ କରୁନାହାନ୍ତି କାହିଁକି ?

“ଆପଣ ଯଦି କୌଣସି ବ୍ୟବସାୟ କରୁଛନ୍ତି, ଏଥିରେ ଆଗକୁ ବଢ଼ିବାକୁ ଏବଂ ଉନ୍ନତି କରିବାକୁ ଆଶା ରଖିବେ । ଅନ୍ୟ କଥାଟି ହେଲା ଚାକିରି, ସକାଳେ ଯାଇ ରାତିରେ ଫେରିବେ ।” ସେ କ୍ଳାନ୍ତ ଶ୍ରାନ୍ତ ଦେଖାଯାଆନ୍ତି, ଆଉ ଆଶାବାଦୀ ବି ।

“ମୁଁ ୭ମ ଶ୍ରେଣୀ ଯାଏ ପଢ଼ିଲି । ମୋର ୮ମ ଶ୍ରେଣୀରେ ନାମଲେଖା ବି ହୋଇଥିଲା । ହେଲେ ସେହି ସମୟରେ ଦଙ୍ଗା ଆରମ୍ଭ ହୋଇଗଲା । ମୁଁ ଆଉ ସ୍କୁଲକୁ ଫେରି ପାରିଲି ନାହିଁ । ସେବେଠାରୁ କାମ କରିବା ଆରମ୍ଭ କଲି । ପ୍ରାଇମସ୍ ଷ୍ଟୋଭ ମରାମତି କରୁଥିବା ଗୋଟିଏ ଦୋକାନରେ ଦିନକୁ ୫ ଟଙ୍କା ମଜୁରିରେ କାମ କଲି । ମୁଁ କିରାସିନି ପମ୍ପ, ୱେଲଡିଂ ରଡ୍ ବି ତିଆରି କଲି । ଆହୁରି ବହୁତ ଜିନିଷ କଲି,” ସେ କହନ୍ତି । ଚାଲୁଣୀ ମରାମତି ଓ ତିଆରି ତାଙ୍କର ସର୍ବଶେଷ ପ୍ରୟାସ ।

ଅହମଦାବାଦରେ ଏବଂ ଅନ୍ୟାନ୍ୟ ସହରରେ ଅନେକ ଚାଲୁଣୀ ମରାମତି କାରିଗର ଅଛନ୍ତି । ହେଲେ ମହମଦ ଭାଇଙ୍କ ଭଳି ଘରକୁ ଘର ବୁଲି କେହି ମରାମତି କରନ୍ତିନି । “ପ୍ରଥମେ କେବଳ ମୋ ବାପା ଏହା କରୁଥିଲେ, ଏବଂ ଏବେ ମୁଁ କରୁଛି । ଆଉ କେହି ମରାମତି କରିବା ପାଇଁ ଠେଲାଗାଡ଼ି ନେଇ ବୁଲୁଥିବା କଥା ମୁଁ ଜାଣିନି । ଏମିତି କାହାରି ବିଷୟରେ ଶୁଣିନି । କାହାରିକୁ ଦେଖିନି । ଏମିତି ଗୋଟିଏ ଠେଲାଗାଡ଼ି ନେଇ ବୁଲିବାରେ ମୁଁ ହେଉଛି ଏକମାତ୍ର ଲୋକ,” ସେ କହନ୍ତି ।

ତାଙ୍କର ଏହି ଠେଲାଗାଡ଼ିରେ ଥାଏ କେତେକ ଲୁହା ଜାଲି- ସରୁ ଓ ମୋଟା ଭଳି ଭିନ୍ନ ଭିନ୍ନ ଆକାର ଓ କ୍ଷମତାର, କେତେକ ପୁରୁଣା ଚାଲୁଣୀ, ଗୋଟିଏ ଛେଣି, କେତେକ ରିପିଟ୍ କଣ୍ଟା, ଗୋଟିଏ ପ୍ଲାୟର, ପ୍ରାୟ ବଡ଼ ଆକାରର ଗୋଟିଏ କଇଁଚି, କେଇଟି ହାତୁଡ଼ି, ଏବଂ ପ୍ରାୟ ତିନି ଫୁଟ ଲମ୍ବର ଖଣ୍ଡେ ରେଳ ଧାରଣା । କେବେ କୁର୍ତ୍ତା ପାଇଜାମାରେ ତ ଆଉ କେବେ ପ୍ୟାଣ୍ଟ ସାର୍ଟରେ, ପାଦରେ ହଳେ ସ୍ଲିପର ପିନ୍ଧି, ମୁହଁ ପୋଛିବା ଲାଗି କାନ୍ଧରେ ଗାମୁଛାଟିଏ ପକାଇ ସେ ତାଙ୍କର ଏହି ୧୦୦ କିଲୋଗ୍ରାମ ଓଜନର ଠେଲାଗାଡ଼ିକୁ ଠେଲି ଠେଲି ସହରର ଗଳିକନ୍ଦିରେ ବୁଲନ୍ତି ।

Mohamad bhai pushing his repairing cart through lanes in Saraspur
PHOTO • Umesh Solanki
Mohamad bhai pushing his repairing cart through lanes in Saraspur
PHOTO • Umesh Solanki

ସାରସପୁରର ଗଳିକନ୍ଦିରେ ଠେଲାଗାଡ଼ି ଠେଲି ଠେଲି ବୁଲୁଛନ୍ତି ମହମଦ ଭାଇ

ଗୋଟିଏ ଚାଲୁଣୀ ତିଆରି କରିବା ଲାଗି ଏକାଧିକ ଥର ବଜାର ଯିବାକୁ ପଡ଼େ । ମହମଦ ଭାଇ ପ୍ରଥମେ ବଜାରରୁ ଟିଣ ଚାଦର କିଣନ୍ତି, ଆବଶ୍ୟକ ଲମ୍ବା ଓ ଚଉଡ଼ା ଅନୁସାରେ ତାହାକୁ କାଟି ଦିଅନ୍ତି । ତା’ପରେ ସେଗୁଡ଼ିକୁ ବଙ୍କେଇବା ଏବଂ ଚାଲୁଣୀର ଗୋଲେଇ ପାଇଁ ସମତଳ ଟିଣକାଠି ତିଆରି କରିବା ପାଇଁ ସେ ସେଗୁଡ଼ିକୁ ନେଇ ବଜାରରେ ଥିବା ଏକ ‘ପ୍ରେସ୍’କୁ ଯାଆନ୍ତି । ସେ ଯାହାକୁ ‘ପ୍ରେସ୍’ ବୋଲି କହନ୍ତି, ତାହା ହେଉଛି ଛୋଟ ଦୋକାନଟିଏ, ଯେଉଁଠି ଲୁହାର ଚଦରକୁ କଟାଯାଏ ଏବଂ ପ୍ରେସ୍ କରାଯାଏ ବା ଚାପି ସମାନ କରିଦିଆଯାଏ ।

ଘରେ ସେ ସେହି କାଠିଗୁଡ଼ିକରେ ସଂଯୋଗ କରିବା ଲାଗି ଚିହ୍ନ ଦେଇ ରିପିଟ୍ କଣ୍ଟା ଲଗାନ୍ତି ଏବଂ ପୁଣି ବଜାରକୁ ଯାଆନ୍ତି । ଏଥର ସେ ଯାଆନ୍ତି “ କୋର-କନ୍ଦୋରୋ ” ପାଇଁ – ଏହା ଏକ ପ୍ରକ୍ରିୟା, ଯେଉଁଥିରେ ସେମାନେ ଚାଲୁଣୀ ପାଇଁ ଫ୍ରେମ୍ ବା ଢାଞ୍ଚା ଏବଂ ଏହାର ଜାଲିର ଗୋଲେଇ ପ୍ରସ୍ତୁତ କରନ୍ତି । ଘରକୁ ଫେରି ଆସିଲେ ସେ ସେହି ତାରବୁଣା ଜାଲିକୁ ନେଇ ରିପିଟ୍ କଣ୍ଟାରେ ଗୋଲାକାର ଫ୍ରେମ୍ ସହିତ ଯୋଡ଼ି ଦିଅନ୍ତି ।

“ପପକର୍ନ୍, ମୁଢ଼ି, ବୁଟ ବା ଚଣାଭଜା ଏବଂ ଗୁଆ ପ୍ରଭୃତି ଚଲେଇବା ପାଇଁ ଓସାରିଆ ଜାଲି ବ୍ୟବହାର କରାଯାଏ । ବଡ଼ ବଡ଼ ଛିଦ୍ର ଥିବା ଏହି ଚାଲୁଣୀକୁ ଆମେ ‘ନମ୍ବର ୫’ ବୋଲି କହୁ । ବାକି ସବୁ ନିତିଦିନ କାମରେ ଲାଗୁଥିବା ‘ଚାଲୁ ଜିନିଷ’, ଯେଉଁଗୁଡ଼ିକ ଗହମ, ଚାଉଳ, ଯଅ ଏବଂ ଆଉ ଅନ୍ୟାନ୍ୟ ଶସ୍ୟ ଚଲାଇବାରେ ଲାଗେ,” ବଡ଼ ଚାଲୁଣୀଟିଏକୁ ମୋ ଆଗରେ ଧରି ମହମଦ ଭାଇ କହନ୍ତି । “ଗୋଟିଏ ନୂଆ ଚାଲୁଣୀକୁ ମୁଁ ୭୦ ଟଙ୍କାରେ ବିକେ । ଚାଳିଶ କି ପଇଁଚାଳିଶ ଟଙ୍କାରେ ମୁଁ ପୁରୁଣା ଚାଲୁଣୀକୁ ମରାମତି କରିଦେଇପାରେ । ଜାଲିର ଗୁଣମାନ ଉପରେ ସବୁକିଛି ନିର୍ଭର କରେ ।”

ଚାଲୁଣୀକୁ ଚିହ୍ନିବା ପାଇଁ ଏହାର ଆକାର ସହିତ ତାରଜାଲିର ଗୁଣମାନ ନିରୂପଣ କରାଯାଏ, ସେ ବୁଝାଇ ଦିଅନ୍ତି । “ସେଗୁଡ଼ିକ ଭିନ୍ନ ଭିନ୍ନ ଆକାରରେ ମିଳିଥାଏ - ୧୦’, ୧୨’, ୧୩’, ୧୫’ କିମ୍ବା ୧୬’ ବ୍ୟାସ ବିଶିଷ୍ଟ ଏବଂ ପ୍ରତିଟିରେ ଭିନ୍ନ ଭିନ୍ନ ପ୍ରକାରର ଜାଲି ବି ଲାଗିଥାଏ,” ସେ ବୁଝାଇ କହନ୍ତି ।

“ଗୋଟିଏ ୩୦ ମିଟର ଲମ୍ବା ତାରବୁଣା ଜାଲିର ଦାମ ପ୍ରାୟ ୪୦୦୦ ଟଙ୍କା । ଘରେ ବ୍ୟବହାର କରାଯାଉଥିବା ଗୋଟିଏ ସାଧାରଣ ଚାଲୁଣୀକୁ ମୁଁ ୧୦ରୁ ୪୦ ଟଙ୍କାରେ ବିକ୍ରି କରେ । ନମ୍ବର ୧୨ ପାଇଁ ହୁଏତ ମୁଁ ୭୦ କି ୮୦ ଟଙ୍କା ନେଇପାରେ, ଏସବୁ ଗରାଖଙ୍କ ଉପରେ ନିର୍ଭର କରେ । ଏହାକୁ ୯୦ରୁ ୧୦୦ ଟଙ୍କାରେ ନେବା ପାଇଁ ବି ଗରାଖ ଅଛନ୍ତି ।”

ଚାଲୁଣୀ ପାଇଁ କଞ୍ଚାମାଲ କିଣିବାକୁ ପ୍ରତି କେଇ ମାସରେ ଥରେ ସେ ୩୫,୦୦୦ ଟଙ୍କା ଖର୍ଚ୍ଚ କରନ୍ତି । ମାସକୁ ତାଙ୍କର ଆୟ ଛଅରୁ ସାତ ହଜାର ଟଙ୍କା ହୋଇଥାଏ । ବହୁତ ବେଶୀ ଖର୍ଚ୍ଚ କରିବାକୁ ପଡ଼େ, ଦୀର୍ଘଶ୍ୱାସ ଛାଡ଼ି ସେ କହନ୍ତି । “ଆମ ଘରେ ଆମେ ମାତ୍ର ଦୁଇ ଜଣ । ତଥାପି, ଯାହା ମୁଁ ଘରକୁ ଆଣେ, ପ୍ରାୟ ସବୁ ଖର୍ଚ୍ଚ ହୋଇଯାଏ ।” ହଠାତ ସେ ଅଳ୍ପ ହସନ୍ତି ଏବଂ କହନ୍ତି, “ରବିବାର ଦିନ ମୁଁ କାମ କରିବାକୁ ଯାଏନାହିଁ । ଗୋଟିଏ ଦିନ ବିଶ୍ରାମ ନିଏ ।”

Mohamad bhai with his a door-to-door repairing service cart on the Anil Starch road in Bapunagar, Ahmedabad
PHOTO • Umesh Solanki

ଅହମଦାବାଦ ବାପୁନଗରର ଅନିଲ ଷ୍ଟାର୍କ ରୋଡରେ ତାଙ୍କ ଠେଲାଗାଡ଼ି ସହିତ ଘରକୁ ଘର ବୁଲି ଚାଲୁଣୀ ମରାମତି କରନ୍ତି ମହମଦ ଭାଇ

'First it was only my father and now it is me. I do not know of anyone else who runs a repair servicing cart,' he says
PHOTO • Umesh Solanki

‘ପ୍ରଥମେ କେବଳ ମୋ ବାପା ଥିଲେ ଏବଂ ଏବେ ମୁଁ । ଏମିତି ମରାମତି କରିବାକୁ ଠେଲାଗାଡ଼ି ନେଉଥିବା ଅନ୍ୟ କାହାରି ସଂପର୍କରେ ମୁଁ ଜାଣିନି,’ ସେ କହନ୍ତି

He walks from his home for about 30 kilometres, pushing his wooden cart across the city, every three days a week
PHOTO • Umesh Solanki

ପ୍ରତି ସପ୍ତାହରେ ତିନି ଦିନ, ସେ ଘରୁ ବାହାରି ତାଙ୍କ କାଠ ତିଆରି ଠେଲାଗାଡ଼ିକୁ ଠେଲି ଠେଲି ସହର ଭିତରେ ପ୍ରାୟ ୩୦ କିଲୋମିଟର ଚାଲି ଚାଲି ବୁଲନ୍ତି

Mohamad bhai earns litte from repairing sieves. 'Some days I bring 100 rupees, some days I may bring 500 rupees, someday there will be nothing at all. Nothing is fixed'
PHOTO • Umesh Solanki

ମରାମତି କାମରୁ ମହମଦ ଭାଇଙ୍କର ଖୁବ୍ ଅଳ୍ପ ରୋଜଗାର ହୁଏ । ଦିନେ ଦିନେ ମୁଁ ୧୦୦ ଟଙ୍କା ପାଏ, ଆଉ କେବେ ୫୦୦ ଟଙ୍କା, କେବେକେବେ କିଛି ହେଲେ ମିଳେନାହିଁ । କିଛି ଠିକ୍ ନାହିଁ’

What Mohamad bhai makes from repairing sieves can depend from customer to customer.  'For No. 12 I may charge rupees 70 or 80, it all depends on the customer. There are those who are willing to give me 90 or 100 also'
PHOTO • Umesh Solanki

ଚାଲୁଣୀ ମରାମତି କରି ମହମଦ ଭାଇ ଯାହା ରୋଜଗାର କରନ୍ତି ତାହା ଗରାଖଙ୍କ ଭିନ୍ନତା ଉପରେ ନିର୍ଭର କରିଥାଏ । ‘ନମ୍ବର ୧୨ ପାଇଁ ମୁଁ  ୭୦ କି ୮୦ ଟଙ୍କା ନିଏ, ଏହା ଗ୍ରାହକଙ୍କ ଉପରେ ନିର୍ଭର କରେ। ଏହି କାମ ପାଇଁ ୯୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଦେବା ଭଳି ଗରାଖ ବି ଅଛନ୍ତି’

Seventy-five-year-old Shabbir H. Dahodwala in the press, folding and pressing the tin sheets
PHOTO • Umesh Solanki

‘ପ୍ରେସ୍’ରେ ଟିଣ ଚାଦରକୁ ଭାଙ୍ଗ କରିବା ଏବଂ ପ୍ରେସ୍ କରିବା ବା ଚାପ ଦେବା କାମ କରୁଛନ୍ତି ପଞ୍ଚସ୍ତରୀ ବର୍ଷ ବୟସ୍କ ଶବ୍ବୀର ଏଚ୍. ଦାହୋଡ଼ୱାଲା

Mohamad bhai Charnawala, 'I don’t go to work anywhere on a Sunday. One day I rest'
PHOTO • Umesh Solanki

ମହମଦ ଭାଇ ଚାରଣାୱାଲା, ‘ରବିବାର ଦିନ ମୁଁ କୋଉଠିକି ହେଲେ କାମ କରିବାକୁ ଯାଏ ନାହିଁ । ଦିନଟିଏ ମୁଁ ବିଶ୍ରାମ ନିଏ’

ଅନୁବାଦ : ଓଡ଼ିଶାଲାଇଭ୍‍

Umesh Solanki

Umesh Solanki is an Ahmedabad-based photographer, documentary filmmaker and writer, with a master’s in Journalism. He loves a nomadic existence. He has three published collections of poetry, one novel-in-verse, a novel and a collection of creative non-fiction to his credit.

Other stories by Umesh Solanki
Editor : Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE