“ନର୍ଦ୍ଦମା ଗାତର ଗଭୀରତା ଥିଲା ପ୍ରାୟ ୨୦ ଫୁଟ୍। ପ୍ରଥମେ ପରେଶ ଭିତରକୁ ଗଲେ। ସେ ସେଥିରୁ ଦୁଇ କି ତିନି ବାଲଟି ମଇଳା ବାହାର କରିଲେ। ତା’ପରେ ସେ ଉପରକୁ ଆସିଲେ, କିଛି ସମୟ ବସି ରହିବା ପରେ ପୁଣି ଭିତରକୁ ଗଲେ। ଭିତରକୁ ଯିବା ମାତ୍ରେ ହିଁ ସେ ଚିତ୍କାର କରି ଉଠିଲେ....।

“କ’ଣ ଘଟିଗଲା, ଆମେ ଜାଣି ନଥିଲୁ। ତେଣୁ ଗଲସିଂ ଭାଇ ଭିତରକୁ ଗଲେ। କିନ୍ତୁ ପୁଣି ସବୁ ନିରବ ହୋଇଗଲା। ତା’ପରେ ଅନିପ ଭାଇ ଭିତରକୁ ଗଲେ। ତଥାପି, ଭିତରେ ଥିବା ତିନି ଜଣଙ୍କ ମଧ୍ୟରୁ କେହି କିଛି ହେଲେ କହିଲେନି । ତେଣୁ, ସେମାନେ ମୋତେ ଗୋଟିଏ ଦଉଡ଼ିରେ ବାନ୍ଧି ଭିତରକୁ ପଠାଇଲେ। ମୁଁ କାହାରି ଜଣକର ହାତ ଧରିପାରିଲି। ମୁଁ ଜାଣି ନଥିଲି ତାହା କାହାର ହାତ ଥିଲା । କିନ୍ତୁ ସେହି ହାତଟିକୁ ଧରିବା ମାତ୍ରେ ସେମାନେ ମୋତେ ଉପରକୁ ଟାଣି ଆଣିବାକୁ ଚେଷ୍ଟା କଲେ ଏବଂ ସେହି ସମୟରେ ହିଁ ମୁଁ ଅଚେତ ହୋଇଯାଇଥିଲି।” ନିଶ୍ୱାସ ନେବାକୁ ନ ଅଟକି ଗୋଟିଏ ଥରରେ ଏତକ କହିଦିଅନ୍ତି ଭବେଶ।

ଆମେ ଭବେଶଙ୍କୁ ସାକ୍ଷାତ କରିବା ବେଳକୁ ସେହି ଅଘଟଣକୁ ସପ୍ତାହ ବି ପୂରି ନଥିଲା, ଯେତେବେଳେ ନିଜ ଆଖି ଆଗରେ ତାଙ୍କ ଭାଇ ପରେଶଙ୍କ ସହିତ ଅନ୍ୟ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁକୁ ସେ ଦେଖିଥିଲେ। ସେହି ଦୁଃଖଦ ଘଟଣାର ବିବରଣୀ ମନେ ପକାଇବା ତାଙ୍କ ପକ୍ଷରେ ବେଶ୍ ଯନ୍ତ୍ରଣାଦାୟକ ଥିଲା। କହିଲା ସମୟରେ ତାଙ୍କ କଣ୍ଠରେ ଦୁଃଖ ଓ ବିଷାଦର ଛାପ ସ୍ପଷ୍ଟ ବାରି ହୋଇପଡୁଥିଲା।

ଗୁଜରାଟର ଦାହୋଦ ଜିଲ୍ଲା ଅନ୍ତର୍ଗତ ଖରସାଣା ଗାଁର ୨୦ ବର୍ଷୀୟ ଭବେଶ କଟାରାଙ୍କ ‘ସୌଭାଗ୍ୟ’ ଯେ ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଭରୁଚ ଜିଲ୍ଲାର ଦହେଜ ଗ୍ରାମ ପଞ୍ଚାୟତରେ ଏକ ବିଷାକ୍ତ ନର୍ଦ୍ଦମା ଗାତ ବା ଗଟର୍ ସଫା କରିବାକୁ ଯାଇଥିଲେ ପାଞ୍ଚ ଜଣ ଆଦିବାସୀ ଶ୍ରମିକ ଏବଂ ସେଠାରେ ସଂଘଟିତ ଦୁର୍ବିପାକରୁ ବର୍ତ୍ତି ଯାଇଥିବା ଦୁଇ ଜଣଙ୍କ ମଧ୍ୟରୁ ସେ ଥିଲେ ଜଣେ । ଅନ୍ୟ ଜଣକ ହେଲେ ସେହି ଦାହୋଦ ଜିଲ୍ଲା ଅନ୍ତର୍ଗତ ବାଲେନ୍ଦିୟା-ପେଠାପୁରର ୧୮ ବର୍ଷୀୟ ଜିଗ୍ନେଶ ପରମାର।

ସେମାନଙ୍କ ସହିତ କାମ କରୁଥିଲେ ଜିଗ୍ନେଶଙ୍କ ଗାଁର ୨୦ ବର୍ଷୀୟ ଅନିପ ପରମାର; ଦାହୋଦ ଜିଲ୍ଲା ଦାନ୍ତଗଡ଼-ଚାକଲିୟାର ୨୫ ବର୍ଷୀୟ ଗଲସିଂ ମୁନିୟା; ଏବଂ ଭବେଶଙ୍କ ସହ ଗାଁରେ ରହୁଥିବା ତାଙ୍କର ୨୪ ବର୍ଷୀୟ ଭାଇ ପରେଶ କଟାରା। ନର୍ଦ୍ଦମା ଗାତରେ ଶ୍ୱାସରୁଦ୍ଧ ହୋଇ ଏହି ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । (ଏଠାରେ ଦର୍ଶାଯାଇଥିବା ମୃତକମାନଙ୍କ ବୟସ ସେମାନଙ୍କର ଆଧାର କାର୍ଡରୁ ଉଦ୍ଧୃତ ଏବଂ ଏହାକୁ ଆନୁମାନିକ ବୟସ ବୋଲି ଧରି ନେବାକୁ ହେବ । ଅନେକ ସମୟରେ ଧୈର୍ଯ୍ୟହରା ତଳିଆ କର୍ମଚାରୀମାନଙ୍କ ଦ୍ୱାରା ହିଁ ଏହା ମନଇଚ୍ଛା ନିର୍ଦ୍ଧାରିତ ହୋଇଥାଏ।)

Bhavesh Katara was working in the same sewer chamber on the day when he watched his elder brother Paresh die in front of his eyes
PHOTO • Umesh Solanki

ସେଦିନ ଭବେଶ କଟାରା ସେହି ସମାନ ଗଟରରେ କାମ କରୁଥିଲେ ଯେଉଁଥିରେ ତାଙ୍କ ଆଖି ଆଗରେ ତାଙ୍କ ବଡ଼ଭାଇ ପରେଶ ପ୍ରାଣ ହରାଇଥିଲେ

Jignesh Parmar is the second lucky survivor, who was working in the adjoining chamber that day in Dahej. It was his first day at work
PHOTO • Umesh Solanki

ସୌଭାଗ୍ୟବଶତଃ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଦ୍ବିତୀୟ ଜଣକ ହେଲେ ଜିଗ୍ନେଶ ପରମାର, ଯେ କି ଦହେଜ ଗାଁରେ ସେହି ନର୍ଦ୍ଦମା ଗାତ ସଂଲଗ୍ନ ଅନ୍ୟ ଏକ ଗଟରରେ କାମ କରୁଥିଲେ। ସେଦିନ ସେ ପ୍ରଥମ ଥର ପାଇଁ କାମ କରିବାକୁ ଯାଇଥିଲେ

ହେଲେ, ୩୨୫ରୁ ୩୩୦ କିଲୋମିଟର ଦୂର ଭିନ୍ନ ଭିନ୍ନ ଗାଁରୁ ଆସିଥିବା ପାଞ୍ଚ ଜଣ ଆଦିବାସୀ ପୁରୁଷ ସେଦିନ ଦହେଜ ଗାଁରେ କ’ଣ କରୁଥିଲେ - ନର୍ଦ୍ଦମା ସଫା କରୁଥିଲେ ? ଯାହା ଜଣାପଡ଼ିଲା, ସେମାନଙ୍କ ଭିତରୁ ଦୁଇ ଜଣ ମାସିକ ପାଉଣା ଭିତ୍ତିରେ ଅନ୍ୟ ଏକ ଗ୍ରାମ ପଞ୍ଚାୟତରେ କାମ କରୁଥିଲେ। ଅନ୍ୟମାନେ ଠିକ୍ କେଉଁ ଧରଣର ଛୋଟମୋଟ କାମ କରି ନିଜ ନିଜ ପରିବାରର ଖର୍ଚ୍ଚ ତୁଲାଉଥିଲେ ସେ ସଂପର୍କରେ ସେମାନଙ୍କ ପରିବାର ଲୋକେ ବି ସ୍ପଷ୍ଟ ଭାବରେ ଜାଣି ନଥିଲେ। ସେମାନେ ସମସ୍ତେ ଥିଲେ ଭିଲ୍ ଆଦିବାସୀ ସଂପ୍ରଦାୟର ନିହାତି ନିଷ୍ପେଷିତ ବର୍ଗର ଯୁବକ ।

ଏହି ଅଘଟଣ ଘଟିଥିଲା ୨୦୨୩ ମସିହା ଏପ୍ରିଲ ୪ ତାରିଖ ଦିନ। ସେଦିନ ପାଖରେ ଥିବା ଆଉ ଏକ ନର୍ଦ୍ଦମା ଗର୍ତ୍ତରେ କାମ କରୁଥିଲେ ଜିଗ୍ନେଶ। ସେହି ଅଘଟଣ ସଂପର୍କରେ ମନେ ପକାଇ ସେ କହନ୍ତି, “ଜଣେ ଭିତରେ ଥିଲେ। ବିଷାକ୍ତ ବାଷ୍ପ ତାଙ୍କ ଶ୍ୱାସକ୍ରିୟାରେ ମିଶି ସାରିଥିଲା ଏବଂ ସେ ନିରୁପାୟ ହୋଇପଡ଼ିଥିଲେ। ଅନ୍ୟ ଜଣେ (ଗଲସିଂ) ତାଙ୍କୁ ରକ୍ଷା କରିବାକୁ ଭିତରକୁ ଯାଇଥିଲେ ଏବଂ ସେ ମଧ୍ୟ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିଥିଲେ। ସେ ଭିତରେ ହିଁ ପଡ଼ିଯାଇଥିଲେ। ସେ ଦୁଇ ଜଣଙ୍କୁ ବଞ୍ଚାଇବା ଲାଗି ଅନିପ ଭିତରକୁ ଗଲେ କିନ୍ତୁ ସେଠାରୁ ବାହାରୁଥିବା ବିଷାକ୍ତ ବାଷ୍ପର ଗନ୍ଧ ଖୁବ୍ ଉତ୍କଟ ଥିଲା। ସେ ମୁଣ୍ଡ ଘୂରିଲା ଭଳି ଅନୁଭବ କରିଥିଲେ ଏବଂ ଚେତା ହରାଇ ତଳେ ପଡ଼ିଯାଇଥିଲେ।”

ଜିଗ୍ନେଶ କହନ୍ତି, “ଆମେ ସେମାନଙ୍କୁ ରକ୍ଷା କରିବା ପାଇଁ ଚିତ୍କାର କରିଥିଲୁ। ସେହି ସମୟରେ ହିଁ ଗାଁ ଲୋକେ ଆସି ପହଞ୍ଚିଲେ। ସେମାନେ ପୋଲିସ ଓ ଦମକଳ ବାହିନୀକୁ ଡାକିଲେ। ଭବେଶକୁ ଯେତେବେଳେ ଭିତରକୁ ପଠାଗଲା, ସେ ମଧ୍ୟ ବିଷାକ୍ତ ବାଷ୍ପ ଯୋଗୁଁ ଅଚେତ ହୋଇ ପଡ଼ିଲେ। ସେମାନଙ୍କୁ ବାହାରକୁ ବାହାର କରିବା ପରେ ପ୍ରଥମେ ଭବେଶଙ୍କୁ ଥାନାକୁ ନିଆଗଲା। ତାଙ୍କର ଚେତା ଫେରିବା ପରେ ପୋଲିସ ତାଙ୍କୁ ଡାକ୍ତରଖାନାକୁ ନେଇଗଲେ।

ଡାକ୍ତରଖାନା ନେବା ପୂର୍ବରୁ ତାଙ୍କ ଚେତା ଫେରିବା ଯାଏଁ ସେମାନେ କାହିଁକି ଅପେକ୍ଷା କରିଥିଲେ ? ସେମାନଙ୍କ ମଧ୍ୟରୁ କାହାରି ପାଖରେ ଏ ପ୍ରଶ୍ନର ଉତ୍ତର ନଥିଲା। ହେଲେ, ଭବେଶଙ୍କ ଜୀବନ ରକ୍ଷା କରାଯାଇଥିଲା ।

*****

ଅନିପ ବିବାହ କରିବା ପୂର୍ବରୁ ବି ଦହେଜ ଗାଁରେ କାମ କରିଆସୁଥିଲେ । ୨୦୧୯ରେ ତାଙ୍କ ବିବାହର ଅବ୍ୟବହିତ ପରେ ପରେ ସ୍ତ୍ରୀ ରମିଲା ବେନ୍ ତାଙ୍କ ସହ ରହିବାକୁ ଆସିଲେ। ରମିଲା କହନ୍ତି, “ମୁଁ ଆଗୁଆ (କାମକୁ) ବାହାରି ଯାଏ, ସକାଳ ଆଠଟା ସୁଦ୍ଧା । ସେ ମଧ୍ୟାହ୍ନ ଭୋଜନ କରିବା ପରେ ଦିନ ୧୧ଟାରେ ଏକା ଏକା ଯାଆନ୍ତି ଏବଂ ତଲାତି ସାହେବ କିମ୍ବା ସରପଞ୍ଚ ଯାହା କିଛି କାମ କରିବାକୁ କହନ୍ତି, ତାହା କରନ୍ତି।” ଅନିପଙ୍କ ମୃତ୍ୟୁ ସମୟରେ ସେ କାହିଁକି ଆଖପାଖରେ ନଥିଲେ, ସେ କଥା ବୁଝାଇବାକୁ ଯାଇ ସେ ଏହା କହନ୍ତି ।

Ramila Ben Parmar, the wife of late Anip Bhai Parmar feels lost with a six months baby in the womb and no where to go
PHOTO • Umesh Solanki

ଗର୍ଭରେ ଛଅ ମାସର ଶିଶୁକୁ ଧରି ଏବେ ସେ କେଉଁଠିକି ଯିବେ ବୋଲି ଚିନ୍ତାରେ ପଡ଼ିଯାଇଛନ୍ତି  ପରଲୋକଗତ ଅନିପ ଭାଇ ପରମାରଙ୍କ ସ୍ତ୍ରୀ ରମିଲା ବେନ୍ ପରମାର

Anip's mother Vasali Ben Parmar.
PHOTO • Umesh Solanki
Anip's father Jhalu Bhai Parmar. None of the relatives of the workers had any idea about the nature of their work
PHOTO • Umesh Solanki

ବାମ : ଅନିପଙ୍କ ମାଆ ବସାଲି ବେନ୍ ପରମାର। ଡାହାଣ : ଅନିପଙ୍କ ବାପା ଝାଲୁ ଭାଇ ପରମାର। ଏହି ଶ୍ରମିକମାନଙ୍କର କୌଣସି ସଂପର୍କୀୟ ଜାଣିନାହାନ୍ତି ଯେ ସେମାନେ କେଉଁ ପ୍ରକାର କାମ କରୁଥିଲେ

ସେ କହନ୍ତି, “ଆଗରୁ ଆମେ ଏକାଠି ମିଶି ନର୍ଦ୍ଦମା ଗାତ ସଫା କରୁଥିଲୁ।  ମୋ ବାହାଘର ପରେ ଆମେ ଚାରି ମାସ ପାଇଁ ନର୍ଦ୍ଦମା କାମ କଲୁ। ତା’ପରେ ସେମାନେ ଆମକୁ ‘ଟ୍ରାକ୍ଟର କାମ’ କରିବାକୁ କହିଲେ। ଆମେ ଟ୍ରାକ୍ଟର ନେଇ ଗାଁ ସାରା ଘୂରି ବୁଲୁ ଏବଂ ଲୋକେ ଟ୍ରାକ୍ଟର ଟ୍ରଲିରେ ଅଳିଆ ଆବର୍ଜନା ପକାଇ ଦିଅନ୍ତି। ମୁଁ ସେହି ଆବର୍ଜନାକୁ ଅଲଗା ଅଲଗା କରେ। ଦହେଜରେ ଆମେ ବଡ଼ ବଡ଼ ନର୍ଦ୍ଦମା ଗାତ ବି ସଫା କରିଛୁ। ଆପଣ ବିରାଟ ବିରାଟ ଚ୍ୟାମ୍ବର ଥିବା ବେସରକାରୀ ନର୍ଦ୍ଦମା କଥା ଜାଣିଛନ୍ତି ତ ? ମୁଁ ଗୋଟିଏ ବାଲଟିରେ ରସି ବାନ୍ଧି ତାକୁ ଟାଣି ଟାଣି ନର୍ଦ୍ଦମାରୁ ଆବର୍ଜନା ବାହାର କରେ।” ତାଙ୍କ କାମ ସଂପର୍କରେ ବୁଝାଇବାକୁ ଯାଇ ସେ ଏହା କହନ୍ତି।

ରମିଲା ବେନ୍ କହନ୍ତି, “ସେମାନେ ପ୍ରତି ଦିନର କାମ ବାବଦରେ ୪୦୦ ଟଙ୍କା ଦେଉଥିଲେ । ଯେଉଁଦିନ ମୁଁ କାମକୁ ଯାଉଥିଲି ମୁଁ ବି ୪୦୦ ଟଙ୍କା ପାଉଥିଲି । ପ୍ରାୟ ଚାରି ମାସ ପରେ ସେମାନେ ଆମକୁ ମାସିକ ଦରମା ଦେବା ଆରମ୍ଭ କଲେ। ପ୍ରଥମେ ନଅ ହଜାର, ତା’ପରେ ବାର ଏବଂ ଶେଷରେ ପନ୍ଦର ହଜାର ଟଙ୍କା ।” ଗତ କିଛି ବର୍ଷ ହେଲା ଅନିପ ଓ ଗଲସିଂ ମାସିକ ପାଉଣା ଭିତ୍ତିରେ ଦହେଜ ଗ୍ରାମ ପଞ୍ଚାୟତରେ କାମ କରିଆସୁଥିଲେ। ସେମାନଙ୍କ ରହିବା ଲାଗି ପଞ୍ଚାୟତ ପକ୍ଷରୁ ଗୋଟିଏ କୋଠରି ବି ଦିଆଯାଇଥିଲା।

ସେମାନଙ୍କ ନିଯୁକ୍ତି ପୂର୍ବରୁ ସେମାନେ କୌଣସି ପ୍ରକାର ଲିଖିତ ରାଜିନାମାରେ ଦସ୍ତଖତ କରିଥିଲେ କି ?

ସେମାନଙ୍କ ସଂପର୍କୀୟମାନେ ଏ ସଂପର୍କରେ ନିଶ୍ଚିତ ଭାବରେ କିଛି ଜାଣିନାହାନ୍ତି। ମୃତ କର୍ମଚାରୀମାନେ ଗ୍ରାମ ପଞ୍ଚାୟତ ପକ୍ଷରୁ ନିୟୋଜିତ କୌଣସି ବେସରକାରୀ ଠିକାଦାରଙ୍କ ପାଖରେ କାମ କରୁଥିଲେ କି ନାହିଁ ସେ କଥା ବି କେହି ଜାଣି ନଥିଲେ। ସ୍ଥାୟୀ ହେଉ କିମ୍ବା ଅସ୍ଥାୟୀ, ଠିକା ଭିତ୍ତିରେ କାର୍ଯ୍ୟ କରିବା ଲାଗି ସେମାନେ ପଞ୍ଚାୟତ ସହିତ କୌଣସି ପ୍ରକାର ରାଜିନାମା କରିଥିଲେ କି ନାହିଁ ତାହା ବି କେହି ଜାଣି ନଥିଲେ।

ଅନିପଙ୍କ ବାପା ଝାଲୁ ଭାଇ କହନ୍ତି, “କୌଣସି ନା କୌଣସି ଏକ ସରକାରୀ ଚିହ୍ନ ଥିବା କାଗଜରେ କିଛି ହେଲେ ତ ଲେଖା ହୋଇଥିବ। କିନ୍ତୁ ତାହା ଅନିପର ପକେଟରେ ରହିଯାଇଥିବ।” ହେଲେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଭବେଶ ଓ ଜିଗ୍ନେଶଙ୍କ କଥା କ’ଣ ହେବ ? ସେମାନେ ତ ଅପେକ୍ଷାକୃତ ଭାବେ ନୂଆ କରି କାମରେ ଯୋଗ ଦେଇଥିଲେ । ଭବେଶ କହନ୍ତି, “କୌଣସି ଚିଠିପତ୍ରର ପ୍ରଶ୍ନ ଉଠି ନାହିଁ କି କେଉଁଥିରେ ହେଲେ ଦସ୍ତଖତ କରାଯାଇନି। ଆମକୁ ଡାକରା ଆସିଲା ଏବଂ ଆମେ ଗଲୁ।”

Deceased Paresh's mother Sapna Ben Katara
PHOTO • Umesh Solanki
Jignesh and his mother Kali Ben Parmar
PHOTO • Umesh Solanki

ବାମ : ମୃତ ପରେଶଙ୍କ ମାଆ ସପନା ବେନ କଟାରା। ଡାହାଣ : ଜିଗ୍ନେଶ ଏବଂ ତାଙ୍କ ମାଆ କାଳୀ ବେନ ପରମାର

Weeping relatives of Anip.
PHOTO • Umesh Solanki
Deceased Anip's father Jhalu Bhai Parmar, 'Panchayat work means we have to lift a pig’s carcass if that is what they ask us to do'
PHOTO • Umesh Solanki

ବାମ : କ୍ରନ୍ଦନରତ ଅନିପଙ୍କ ସଂପର୍କୀୟମାନେ । ଡାହାଣ : ମୃତ ଅନିପଙ୍କ ବାପା ଝାଲୁ ଭାଇ ପରମାର, ପଞ୍ଚାୟତର କାମ ହେଲେ ଆମକୁ ଯଦି ଘୁଷୁରୀର ମୃତଦେହ ଉଠାଇବାକୁ କୁହାଯିବ ଆମେ ତାହା ହିଁ କରିବୁ

ଏହି ଅଘଟଣ ଘଟିଲା ବେଳକୁ ଭବେଶ ସେଠାରେ ଦଶ ଦିନ ହେଲା କାମ କରୁଥିଲେ। ସେଦିନ କାମ କରିବା ଲାଗି ଜିଗ୍ନେଶ ଓ ପରେଶଙ୍କୁ ଡକା ହୋଇଥିଲା। ଏହା ଥିଲା ସେମାନଙ୍କର ପ୍ରଥମ ଦିନର କାମ। ସେମାନେ ସେଠାରେ କେଉଁ ଧରଣର କାମ କରିବାକୁ ଯାଇଛନ୍ତି, ସେ ସଂପର୍କରେ ସେମାନଙ୍କ ପରିବାରର କୌଣସି ସଦସ୍ୟଙ୍କର କିଛି ହେଲେ ଧାରଣା ନଥିଲା।

କୋହଭରା କଣ୍ଠରେ ପରେଶଙ୍କ ୫୧ ବର୍ଷୀୟା ମାଆ ସପନା ବେନ୍ କହିଥିଲେ: “ଘରୁ ବାହାରିବା ବେଳେ ପରେଶ କହିଥିଲା ପଞ୍ଚାୟତରେ କିଛି କାମ ଅଛି ଏବଂ ସେମାନେ ତାକୁ ସେଠାକୁ (ଦହେଜକୁ) ଡକାଇଛନ୍ତି। ତା’ର ଭାଇ (ଭବେଶ) ସେଠାରେ ଦଶ ଦିନ ଆଗରୁ କାମ କରୁଥିଲା। ଗଲସିଂ ଭାଇ ତାକୁ ଡାକିଥିଲେ। ଦିନକୁ ୫୦୦ ଟଙ୍କା ହିସାବରେ ମିଳିବ ବୋଲି ଉଭୟ ଭବେଶ ଓ ପରେଶ କହିଥିଲେ। କିନ୍ତୁ ସେମାନେ ଯେ ନର୍ଦ୍ଦମା ସଫା କରିବାକୁ ଯାଉଛନ୍ତି, ସେ କଥା କେହି ହେଲେ କହି ନଥିଲେ। କାମ ସାରିବାକୁ କେତେ ଦିନ ଲାଗିବ ବୋଲି ଆମେ କେମିତି ଜାଣିଥାଆନ୍ତୁ ? ସେଠି ସେମାନେ କି କାମ କରିବାକୁ ଯାଉଛନ୍ତି ସେକଥା ବି ଆମେ କେମିତି ଜାଣିଥାଆନ୍ତୁ ?” ସେ ପଚାରନ୍ତି।

ଗଲସିଂ ମୁନିୟାଙ୍କ ଘରେ ବି ସ୍ୱାମୀଙ୍କ କାମ ସଂପର୍କରେ କିଛି ହେଲେ ଜାଣି ନଥିଲେ ତାଙ୍କ ୨୬  ବର୍ଷୀୟା ସ୍ତ୍ରୀ କନିତା ବେନ୍। ସେ କହନ୍ତି, “ମୁଁ ଘରୁ ବାହାରକୁ ଯାଏ ନାହିଁ। ‘ମୁଁ ପଞ୍ଚାୟତରେ କାମ କରିବାକୁ ଯାଉଛି’ ବୋଲି ସେ କହନ୍ତି ଏବଂ ଘରୁ ଚାଲିଯାଆନ୍ତି। ସେ କି କାମ କରୁଛନ୍ତି, ସେ କଥା କେବେହେଲେ ମୋତେ କହିନାହାନ୍ତି। ନିଶ୍ଚିତ ଭାବରେ ସେ ସାତ ବର୍ଷ ହେଲା ଏହି କାମ କରିଆସୁଛନ୍ତି। କେବେହେଲେ ଏ ସଂପର୍କରେ ମୋ ସହିତ କଥାବାର୍ତ୍ତା କରିନାହାନ୍ତି, ଏମିତି କି ଘରକୁ ଫେରିବା ପରେ ବି ନୁହେଁ।” ସେ କହନ୍ତି।

କେବଳ ସେମାନେ ପଞ୍ଚାୟତରେ କାମ କରୁଥିବା କଥାକୁ ଛାଡ଼ି ଦେଲେ ପାଞ୍ଚଟି ପରିବାରର କୌଣସି ଜଣେ ହେଲେ ସଦସ୍ୟ ଜାଣି ନଥିଲେ ଯେ ସେମାନଙ୍କ ପୁଅ, ସ୍ୱାମୀ, ଭାଇ, କିମ୍ବା ପୁତୁରାମାନେ କି ପ୍ରକାରର କାମ କରୁଛନ୍ତି। ଅନିପଙ୍କ ମୃତ୍ୟୁ ପରେ ହିଁ ଝାଲୁ ଭାଇ ଜାଣିଲେ ଯେ ସେ କେଉଁ କାମ କରିଆସୁଥିଲେ। ସେମାନଙ୍କ ପାଇଁ ଅର୍ଥର ଆବଶ୍ୟକତା ଏତେ ବେଶୀ ଥିଲା ଯେ ସେ ଏହି କାମ କରିବାକୁ ବାଧ୍ୟ ହେଲେ ବୋଲି ତାଙ୍କୁ ଲାଗୁଥିଲା । ଝାଲୁ ଭାଇ କହନ୍ତି, “ପଂସାୟତନୁ କୋମ ଏତଲେ ଭୁନ୍ଦ ଉଠାବାଣୁ କେ ତୋ ଭୁନ୍ଦ ଉଠାବାଣୁ ପଡ଼େ। (ପଞ୍ଚାୟତର କାମ କହିଲେ ସେମାନେ ଯଦି ଘୁଷୁରୀର ଶବ ଉଠାଇବାକୁ କହିବେ ଆମକୁ ତାହା ଉଠାଇବାକୁ ପଡ଼ିବ)। ସେମାନେ ଯଦି ନର୍ଦ୍ଦମା ଗାତ ସଫା କରିବାକୁ କହିଲେ ଆମକୁ ତାହା ସଫା କରିବାକୁ ପଡ଼ିବ। ନହେଲେ ସେମାନେ ଆମକୁ କାମରେ ରଖାଇ ଦେବେନି। ସେମାନେ କହିବେ ଘରକୁ ଚାଲିଯାଅ।”

ଯେଉଁମାନେ ପ୍ରାଣ ହରାଇଲେ କିମ୍ବା ଯେଉଁମାନେ ନୂଆ କରି ଏହି କାମ କରିବାକୁ ଯାଇଥିଲେ ସେମାନେ କ’ଣ କି ପ୍ରକାରର କାମ କରିବାକୁ ହେବ ବୋଲି ଆଗରୁ ଜାଣିଥିଲେ କି ? ଭବେଶ ଓ ଜିଗ୍ନେଶ କହନ୍ତି ଯେ ସେମାନେ ଜାଣିଥିଲେ। ଭବେଶ କହନ୍ତି, “ସେମାନେ ଦିନକୁ ୫୦୦ ଟଙ୍କା ଦେବେ ବୋଲି ଗଲସିଂ ଭାଇ ମୋତେ କହିଲେ। ସେ କହିଥିଲେ ଯେ, ନର୍ଦ୍ଦମା ଗାତ ସଫା କରିବାକୁ ପଡ଼ିବ।” ଜିଗ୍ନେଶ ବି ଏଥିରେ ଏକମତ ହୁଅନ୍ତି ଏବଂ କଥା ଯୋଡ଼ି କହନ୍ତି, “ଅନିପ ମୋତେ ଡାକିଥିଲେ। ମୁଁ ଗଲି ଏବଂ ସକାଳୁ ସକାଳୁ ସେମାନେ ମୋତେ ସିଧା କାମରେ ଲଗାଇଦେଲେ।”

Left: Kanita Ben, wife of Galsing Bhai Munia has five daughters to look after.
PHOTO • Umesh Solanki
Galsing's sisters sit, grief-stricken, after having sung songs of mourning
PHOTO • Umesh Solanki

ବାମ : ଗଲସିଂ ଭାଇ ମୁନିୟାଙ୍କର ସ୍ତ୍ରୀ କନିତା ବେନଙ୍କ ଉପରେ ଏବେ ପାଞ୍ଚଟି ଝିଅଙ୍କ ପ୍ରତିପୋଷଣ ଦାୟିତ୍ବ। ଡାହାଣ : ଶୋକଗୀତ ଗାଇସାରିବା ପରେ ଦୁଃଖରେ ବସିଛନ୍ତି ଗଲସିଂଙ୍କ ଭଉଣୀ

Left: Galsing's father Varsing Bhai Munia.
PHOTO • Umesh Solanki
Galsing's mother Badudi Ben Munia
PHOTO • Umesh Solanki

ବାମ : ଗଲସିଂଙ୍କ ବାପା ବରସିଂ ଭାଇ ମୁନିଆ। ଡାହାଣ : ଗଲସିଂଙ୍କ ମାଆ ବାଦୁଡ଼ି ବେନ୍ ମୁନିଆ

ଜିଗ୍ନେଶଙ୍କୁ ବାଦ୍ ଦେଲେ ଆଉ କୌଣସି କର୍ମଚାରୀ ମାଧ୍ୟମିକ ସ୍କୁଲ ପଢ଼ାରୁ ଅଧିକ ପାଠ ପଢ଼ିନାହାନ୍ତି। ଜିଗ୍ନେଶ ଗୁଜରାଟି କାର୍ଯ୍ୟକ୍ରମରେ, ବହିରାଗତ ଛାତ୍ର ଭାବରେ ପ୍ରଥମ ବର୍ଷ ସ୍ନାତକ ଶ୍ରେଣୀରେ ପଢ଼ନ୍ତି। କିନ୍ତୁ ସେମାନେ ସମସ୍ତେ ଯେଉଁ ଗୋଟିଏ ବାସ୍ତବତାର ସମ୍ମୁଖୀନ ହୋଇଆସୁଥିଲେ, ତାହା ହେଲା, ଦାରିଦ୍ର୍ୟ କବଳରୁ ମୁକୁଳିବା ଲାଗି ନର୍ଦ୍ଦମା ଗାତ ଭିତରେ ପଶିବାକୁ ହିଁ ପଡ଼ିବ। ତେଣେ ଘରେ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ସହିତ ପିଲାଙ୍କୁ ପାଠ ପଢ଼ାଇବାର ଥିଲା।

*****

ସଫେଇ କର୍ମଚାରୀଙ୍କ ପାଇଁ ଜାତୀୟ କମିଶନ (NCSK) ପକ୍ଷରୁ ପ୍ରକାଶିତ ୨୦୨୨-୨୩ ମସିହା ବାର୍ଷିକ ରିପୋର୍ଟ ଅନୁସାରେ ୧୯୯୩ରୁ ୨୦୨୨ ମସିହା ଭିତରେ ଗୁଜରାଟରେ ବିପଜ୍ଜନକ ପରିସ୍ଥିତିରେ ନର୍ଦ୍ଦମା ସଫା କରୁଥିବା ବେଳେ ୧୫୩ ଜଣ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁ ପରେ ଏହା ଦ୍ୱିତୀୟ ସର୍ବାଧିକ ମୃତ୍ୟୁସଂଖ୍ୟା।  ତାମିଲନାଡୁରେ ସେହି ସମୟ ଭିତରେ ୨୨୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ହେଲେ, ପ୍ରକୃତ ମୃତ୍ୟୁସଂଖ୍ୟା ଏମିତି କି ସେପଟିକ୍ ଟାଙ୍କି ଓ ନର୍ଦ୍ଦମା ସଫେଇ କାର୍ଯ୍ୟରେ ନିୟୋଜିତ ଲୋକଙ୍କ ସଂଖ୍ୟା ସଂପର୍କରେ ପ୍ରାମାଣିକ ତଥ୍ୟ ଏବେ ବି ଅସ୍ପଷ୍ଟତା ଘେରରେ ରହିଛି । ସେ ଯାହାହେଉ, ରାଜ୍ୟ ବିଧାନସଭାରେ ଗୁଜରାଟର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ୨୦୨୧ରୁ ୨୦୨୩ ମସିହା ମଧ୍ୟରେ ୧୧ ଜଣ ପରିମଳ କର୍ମଚାରୀ ପ୍ରାଣ ହରାଇଛନ୍ତି । ୨୦୨୧ ଜାନୁଆରୀରୁ ୨୦୨୨ ଜାନୁଆରୀ ମାସ ଭିତରେ ସାତ ଜଣଙ୍କର ଏବଂ ୨୦୨୨ ଜାନୁଆରୀରୁ ୨୦୨୩ ଜାନୁଆରୀ ମାସ ଭିତରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଛି।

ଗତ ଦୁଇ ମାସ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାଣ ହରାଇଥିବା ଆଠ ଜଣ ପରିମଳ କର୍ମଚାରୀଙ୍କୁ ଆମେ ଯଦି ହିସାବକୁ ନେବା ତେବେ ମୋଟ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ। ସେଥିରେ ରହିବ ଗତ ମାର୍ଚ୍ଚ ମାସରେ ରାଜକୋଟରେ ଦୁଇ ଜଣ, ଏପ୍ରିଲରେ ଦହେଜରେ ତିନି ଜଣ (ଯାହା ଏହି ଲେଖାରେ ଦର୍ଶାଯାଇଛି)। ଏବଂ ସେହି ଏକା ମାସରେ ଅନ୍ୟ ଦୁଇ ଜଣ ଢୋଲକାରେ, ଏବଂ ଥରାଡ଼ରେ ଜଣେ ।

ସେମାନଙ୍କ ପାଖରେ କୌଣସି ସୁରକ୍ଷା ଉପକରଣ ଥିଲା କି ?

ଅନିପଙ୍କ ୨୧ ବର୍ଷୀୟା ସ୍ତ୍ରୀ ରମିଲା ବେନ୍ ଭରୁଚ ଥାନାରେ ଦେଇଥିବା ଏତଲାରେ ଏହାର ଉତ୍ତର ରହିଛି। “ସରପଞ୍ଚ ଜୟଦୀପସିଂହ ରାଣା ଏବଂ ନାଏବ ସରପଞ୍ଚଙ୍କ ସ୍ୱାମୀ ମହେଶ ଭାଇ ଗୋହିଲ ଜାଣିଥିଲେ ଯେ, ମୋ ସ୍ୱାମୀ ଏବଂ ତାଙ୍କ ସହିତ ଥିବା ଅନ୍ୟମାନେ ଯଦି କୌଣସି ସୁରକ୍ଷା ବ୍ୟବସ୍ଥା ବିନା ୨୦ ଫୁଟ୍ ଗଭୀର ଦୁର୍ଗନ୍ଧରେ ପରିପୂର୍ଣ୍ଣ ନର୍ଦ୍ଦମା ଗାତ ଭିତରକୁ ଯାଆନ୍ତି, ତେବେ ହୁଏତ ସେମାନଙ୍କର ମୃତ୍ୟୁ ହୋଇପାରେ। ତଥାପି ସେମାନଙ୍କୁ କୌଣସି ପ୍ରକାର ସୁରକ୍ଷା ପୋଷାକ ବା ଉପକରଣ ଯୋଗାଇ ଦିଆଯାଇ ନଥିଲା।” (ନାଏବ ସରପଞ୍ଚ ଜଣେ ମହିଳା। ଆଉ ସାଧାରଣତଃ ଏକ ରକ୍ଷଣଶୀଳ ସମାଜରେ ଯେମିତି ଦେଖାଯାଏ, ତାଙ୍କ ନାଁରେ ତାଙ୍କ ସ୍ୱାମୀ ହିଁ ସମସ୍ତ କ୍ଷମତା ଉପଯୋଗ କରୁଥିଲେ।)

Left: 'I have four brothers and six sisters. How do I go back to my parents?' asks Anip's wife, Ramila Ben Parmar.
PHOTO • Umesh Solanki
A photo of deceased Galsing Bhai
PHOTO • Umesh Solanki

ବାମ: ଅନିପଙ୍କ ସ୍ତ୍ରୀ ରମିଲା ବେନ୍ ପରମାର ପଚାରନ୍ତି, ‘ମୋର ଚାରି ଭାଇ ଏବଂ ଛଅ ଭଉଣୀ ଅଛନ୍ତି। ମୁଁ କେମିତି ଏବେ ମୋ ବାପାମାଆଙ୍କ ପାଖକୁ ଫେରିଯିବି ?’ ଡାହାଣ: ମୃତ ଗଲସିଂ ଭାଇଙ୍କର ଏକ ଫଟୋ

ପୂର୍ବରୁ ପ୍ରଣୀତ ମେହନ୍ତର ନିଯୁକ୍ତି ଏବଂ ଶୁଷ୍କ ପାଇଖାନା ନିର୍ମାଣ (ନିଷେଧ) ଆଇନ, ୧୯୯୩ ସଂପ୍ରସାରିତ ହୋଇ ମେହନ୍ତର ନିଯୁକ୍ତି ନିବାରଣ ଏବଂ ସେମାନଙ୍କ ଥଇଥାନ ଆଇନ, ୨୦୧୩ ରେ ପରିଣତ ହେବା ଦିନରୁ ହିଁ ଲୋକଙ୍କ ହାତରେ ନର୍ଦ୍ଦମା ଓ ସେପଟିକ୍ ଟାଙ୍କି ସଫା କରାଇବା ଉପରେ ନିଷେଧାଦେଶ ରହିଛି। ହେଲେ, ଏ ସବୁ କେବଳ କାଗଜପତ୍ରରେ ହିଁ ଥିଲା ଭଳି ଲାଗୁଛି। କାହିଁକି ନା ସେହି ସମାନ ଆଇନରେ ଲୋକଙ୍କ ହାତରେ ‘ବିପଦପୂର୍ଣ୍ଣ ଅବସ୍ଥାରେ ସଫେଇ’ ଏବଂ ସୁରକ୍ଷା ଉପକରଣ ଉପରେ ସେମାନଙ୍କ ଅଧିକାର ସଂପର୍କରେ କୁହାଯାଇଛି। ଆଇନ ଅନୁସାରେ ଯେଉଁ କ୍ଷେତ୍ରରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ନିଯୁକ୍ତିଦାତା ସୁରକ୍ଷା ଉପକରଣ ଏବଂ ଅନ୍ୟାନ୍ୟ ସଫେଇରେ ବ୍ୟବହୃତ ସାମଗ୍ରୀ ଯୋଗାଇ ନଦେବେ ତାହା ଜାମିନ ବିହୀନ ଅପରାଧ ରୂପେ ପରିଗଣିତ ହେବ।

ରମିଲା ବେନଙ୍କ ଏତଲାକ୍ରମେ ପୋଲିସ ଦହେଜ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା ଏବଂ ତୁରନ୍ତ ସେମାନେ ଜାମିନ ପାଇଁ ଆବେଦନ କରିଥିଲେ। ସେମାନଙ୍କ ଆବେଦନ ମଞ୍ଜୁର ହେଲା କି ନାହିଁ ସେ ସଂପର୍କରେ ମୃତବ୍ୟକ୍ତିମାନଙ୍କ ପରିବାର ଲୋକେ କିଛି ଜାଣି ନାହାନ୍ତି।

*****

ବାଷ୍ପରୁଦ୍ଧ କଣ୍ଠରେ ଗଲସିଂଙ୍କ ସ୍ତ୍ରୀ କନିତା ବେନ୍ କହନ୍ତି, “ଅଗଲ ପାଛଲ କୋଇ ନାଥ। ଆ ପାଞ୍ଚ ସୋକରା ସେ, କୋଇ ନାଥ ପାଲ ପୋଷ କରନାରା ମୋରେ”(“ମୋର ଆଉ କେହି ନାହାନ୍ତି। ଏହି ପାଞ୍ଚ ଜଣ ପିଲା ଅଛନ୍ତି। ସେ ଆମର, ପିଲାମାନଙ୍କର ଖାଇବାପିଇବା କଥା ବୁଝୁଥିଲେ। ଏବେ ତାହା କରିବାକୁ କେହି ନାହାନ୍ତି“)। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ତାଙ୍କର ପାଞ୍ଚ ଜଣ ଝିଅ ସହିତ ଶାଶୁଘରେ ରହୁଛନ୍ତି। ବଡ଼ ଝିଅ କିନାଲକୁ ଏବେ ୯ ବର୍ଷ ଏବଂ ସବା ସାନ ଝିଅ ସାରାକୁ ବର୍ଷେ ପୂରିନି। ଗଲସିଂଙ୍କ ମାଆ ୫୪ ବର୍ଷୀୟା ବାଦୁଡ଼ି ବେନ୍ କହନ୍ତି, “ମୋର ଚାରି ପୁଅ ଥିଲେ। ଦୁଇ ଜଣ ସୁରତରେ ଅଛନ୍ତି। ସେମାନେ କେବେ ବି ଆମ ପାଖକୁ ଆସନ୍ତି ନାହିଁ। ବଡ଼ ପୁଅ ଅଲଗା ରହେ। ସେ ଆମକୁ କାହିଁକି ଖାଇବାକୁ ଦେବ ? ଆମେ ସବା ସାନପୁଅ ଗଲସିଂ ପାଖରେ ରହିଆସୁଥିଲୁ। ଏବେ ସେ ଚାଲିଗଲା। ଏବେ ଆଉ ଆମର କିଏ ବା ଅଛି ?” ସେ ପଚାରନ୍ତି।

ମାତ୍ର ୨୧ ବର୍ଷ ବୟସରେ ଗର୍ଭରେ ଶିଶୁଟିଏ ଧରି ବିଧବା ହୋଇଥିବା ରମିଲା ବେନ୍ ବି ସମଦୁଃଖୀ। “ଏବେ ମୁଁ କେମିତି ବଞ୍ଚିବି ? ଆମ ଖାଇବା ପିଇବା କଥା କିଏ ବୁଝିବ ? ପରିବାରରେ ଅନ୍ୟମାନେ ଅଛନ୍ତି ସତ, ହେଲେ ଆମେ କେତେ ଦିନ ସେମାନଙ୍କ ଉପରେ ନିର୍ଭର କରିପାରିବୁ ?” ସେ ତାଙ୍କର ପାଞ୍ଚ ଜଣ ଦିଅର ଓ ଦେଢ଼ଶୂର, ଜଣେ ଭାଉଜ ଏବଂ ଅନିପଙ୍କ ବାପାମାଆଙ୍କୁ ଉପଲକ୍ଷ କରି ଏହା କହନ୍ତି।

“ଏବେ ମୁଁ ଏଇ ପିଲାଟି ପାଇଁ କ’ଣ କରିବି ? କିଏ ତା’ର ଯତ୍ନ ନେବ ? ମୋ ଭଳି ଏକୁଟିଆ ସ୍ତ୍ରୀ ଲୋକଟିଏ, ଗୁଜରାଟର କେଉଁଠିକି ଯିବ ?” ତାଙ୍କ ଘର ରାଜସ୍ଥାନରେ। କିନ୍ତୁ ସେ ସେଠାକୁ ଫେରି ଯାଇପାରିବେନି। “ମୋ ବାପା ଖୁବ୍ ବୁଢ଼ା ହୋଇଗଲେଣି ଏବଂ ସେ କିଛି କରିପାରିବେନି। ଏମିତି କି ଚାଷକାମ ବି କରିପାରିବେନି। ଆମ ପରିବାର ବହୁତ ବଡ଼ ଏବଂ ନାଁକୁ ମାତ୍ର ଯାହା କିଛି ଜମି ଅଛି। ମୋର ଚାରି ଭାଇ ଓ ଛଅ ଭଉଣୀ ଅଛନ୍ତି। ମୁଁ କେମିତି ମୋ ବାପାମାଆଙ୍କ ପାଖକୁ ଫେରିଯିବି ?” ଏକଥା କହିବା ବେଳେ ତାଙ୍କ ଆଖି ତାଙ୍କ ପେଟ ଉପରେ ଲାଖି ରହିଥାଏ। ଏବେ ତାଙ୍କ ଗର୍ଭଧାରଣର ଛଅ ମାସ ଚାଲିଛି ।

“ଅନିପ ମୋ ପାଇଁ ବହି ଆଣି ଦେଉଥିଲା,” ବୋଲି କହି କଥା ଆରମ୍ଭ କରନ୍ତି ତାଙ୍କ ଦଶ ବର୍ଷର ଭଉଣୀ ଜାଗୃତି। କିନ୍ତୁ କୋହରେ ବୁଡ଼ିଯାଏ ତାଙ୍କ କଣ୍ଠସ୍ୱର।

Left: Anip's photo outside his house.
PHOTO • Umesh Solanki
Right: Family members gathered at Anip's samadhi in the field for his funeral
PHOTO • Umesh Solanki

ବାମ : ତାଙ୍କ ଘର ବାହାରେ ଅନିପଙ୍କ ଫଟୋ। ଡାହାଣ : ଅନିପଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ସମାଧି ନିକଟରେ ରୁଣ୍ଡ ହୋଇଛନ୍ତି ପରିବର ଲୋକେ

Left: Sapna Ben, Bhavesh's son Dhruvit, and Bhavesh and Paresh's sister Bhavna Ben.
PHOTO • Umesh Solanki
Right: Sapna Ben Katara lying in the courtyard near the photo of deceased Paresh
PHOTO • Umesh Solanki

ବାମ : ସପନା ବେନ୍, ଭବେଶଙ୍କ ପୁଅ ଧ୍ରୁବିତ୍, ଏବଂ ଭବେଶ ଓ ପରେଶଙ୍କ ଭଉଣୀ ଭାବନା ବେନ୍। ଡାହାଣ : ମୃତ ପରେଶଙ୍କ ଫଟୋ ପାଖରେ ଅଗଣାରେ ପଡ଼ି ରହିଛନ୍ତି ସପନା ବେନ୍ କଟାରା

ପିଲାଦିନରୁ ହିଁ ବାପାଙ୍କୁ ହରାଇଥିଲେ ଭବେଶ ଓ ପରେଶ। ପରିବାରରେ ଅଛନ୍ତି ଅନ୍ୟ ତିନି ଭାଇ, ଦୁଇ ଭାଉଜ, ମାଆ ଓ ଜଣେ ସାନ ଭଉଣୀ। ତାଙ୍କ ଭଉଣୀ ୧୬ ବର୍ଷୀୟା ଭାବନା କହନ୍ତି, “ପରେଶ ମୋତେ ଖୁବ୍ ସ୍ନେହ କରୁଥିଲା। ମୁଁ ୧୨ ଶ୍ରେଣୀ ପାସ୍ କଲେ ମୋ ଇଚ୍ଛା ଯାହା ହେବ ତାହା କରିପାରିବି ବୋଲି ମୋ ଭାଇ ମୋତେ କହୁଥିଲା। ସେ ମୋତେ ଫୋନ୍ କିଣିଦେବ ବୋଲି ମଧ୍ୟ କହିଥିଲା।” ଏ ବର୍ଷ ସେ ୧୨ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଛନ୍ତି।

ସରକାରୀ କ୍ଷତିପୂରଣ ବାବଦରେ ଗଲସିଂ, ପରେଶ ଓ ଅନିପଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ମିଳିଥିବା ଜଣାପଡୁଥିଲା । ହେଲେ ସେମାନଙ୍କ ପରିବାର ସବୁ ଖୁବ୍ ବଡ଼ ଏବଂ ସେଥିରେ ବହୁତ ସଦସ୍ୟ ଅଛନ୍ତି। ସେମାନେ ତାଙ୍କର ସବୁଠାରୁ ରୋଜଗାରିଆ ସଦସ୍ୟଙ୍କୁ ହରାଇଛନ୍ତି। ଅଧିକନ୍ତୁ, କ୍ଷତିପୂରଣ ବାବଦ ସବୁ ଚେକ୍ ନିଶ୍ଚିତ ଭାବରେ ବିଧବା ସ୍ତ୍ରୀମାନଙ୍କ ନାଁରେ ଆସିଥିବ । ହେଲେ ସେହି ମହିଳାମାନେ ଟଙ୍କା ପହଞ୍ଚିବା ସଂପର୍କରେ କିଛି ହେଲେ ଜାଣି ନଥିଲେ। କେବଳ ପୁରୁଷମାନେ ଯାହା ଜାଣିଥିଲେ।

ପ୍ରକୃତି ସହିତ ଜୀବନ ବିତାଇ ଆସୁଥିବା ଗୋଟିଏ ଆଦିବାସୀ ସଂପ୍ରଦାୟର ଲୋକେ କେମିତି ଏଭଳି କାମ କରିବାରେ ଲାଗିଲେ ? ସେମାନଙ୍କର କ’ଣ କିଛି ହେଲେ ଜମିବାଡ଼ି ନଥିଲା ? ଜୀବିକା ଅର୍ଜନର ଅନ୍ୟ କୌଣସି ସୁଯୋଗ ନଥିଲା ?

ଅନିପଙ୍କ ମୋଟା ବାପା (ବଡ଼ବାପା-ବାପାଙ୍ଗ ବଡ଼ଭାଇ) କହନ୍ତି, “ଆମମାନଙ୍କ ପରିବାରରେ ଆମର ଅଳ୍ପ କିଛି ଜମି ଅଛି। ମୋ ପରିବାର କଥା କହିଲେ, ଆମ ପାଖରେ ହୁଏତ ଦଶ ଏକର ଜମି ଥାଇପାରେ, କିନ୍ତୁ ସେଥିରୁ ୩୦୦ ଲୋକଙ୍କ ପେଟକୁ ଦାନା ମିଳିବା ଦରକାର। ଏଥିରେ ଜଣେ କେମିତି ଚଳିବ ? ତେଣୁ ଶ୍ରମିକ ଭାବରେ କାମଧନ୍ଦା ଖୋଜିବା ଲାଗି ଯିବାକୁ ପଡ଼ିବ। ଆମ ଜମିରୁ ହୁଏତ ଆମେ ବଞ୍ଚି ରହିବା ପାଇଁ ଖାଦ୍ୟ ମିଳିଯାଇପାରେ, କିନ୍ତୁ ବିକିବା ପାଇଁ କିଛି ମିଳିବ ନାହିଁ।”

ଏଭଳି କାମ କରିବା ଯୋଗୁଁ ସେମାନେ ସେମାନଙ୍କ ସମାଜ ଆଖିରେ କଳଙ୍କିତ ହୁଅନ୍ତିନି କି ?

ପରେଶଙ୍କ ମୋଟା ବାପା ବାଚୁଭାଇ କଟାରା କହନ୍ତି, “ପ୍ରକୃତରେ ସାମାଜିକ କଳଙ୍କ ବୋଲି କିଛି ନ ଥିଲା । କିନ୍ତୁ ଏବେ ଏଭଳି ଏକ ଘଟଣା ଘଟିଯିବା ପରେ ଆମେ ଭାବୁଛୁ, ଆଗକୁ ଆମେ ଆଉ ଏଭଳି ମଇଳା କାମ କରିବୁନି।”

“ହେଲେ ଆଉ କେମିତି ବା ବଞ୍ଚି ରହିବୁ ...?”


ଏହି ଲେଖାଟି ମୂଳରୂପରେ ଲେଖକଙ୍କ ଦ୍ୱାରା ଗୁଜରାଟି ଭାଷାରେ ଲେଖା ଯାଇଥିଲା ଏବଂ ପ୍ରତିଷ୍ଠା ପାଣ୍ଡ୍ୟାଙ୍କ ଦ୍ୱାରା ଏହାର ଇଂରାଜୀ ଅନୁବାଦ କରାଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Umesh Solanki

Umesh Solanki is an Ahmedabad-based photographer, documentary filmmaker and writer, with a master’s in Journalism. He loves a nomadic existence. He has three published collections of poetry, one novel-in-verse, a novel and a collection of creative non-fiction to his credit.

Other stories by Umesh Solanki
Editor : Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE