ମଣିପୁରର ଚୁରଚନ୍ଦପୂର ଜିଲ୍ଲାରେ ତାଙ୍କ ଗାଁ ଲାଙ୍ଗଜାକୁ ଫେରିବା କଥା ଭାବିଲା ମାତ୍ରେ ଭୟରେ ଶିହରି ଉଠନ୍ତି ଖୁମା ଥିଏକ।  ୩୦ ବର୍ଷ ହେଲା ଲାଙ୍ଗଜା ଗାଁରେ ରହିଆସୁଥିଲେ ଏହି ୬୪ ବର୍ଷୀୟ କୃଷକ ଜଣକ। ତାଙ୍କ ଗାଁରେ ଭରି ରହିଥିଲା ପାରିବାରିକ ସୌହାର୍ଦ୍ଦ୍ୟର ଉଷ୍ମ ବାତାବରଣ ଏବଂ ତା’ରି ଭିତରେ ସେ ତାଙ୍କ ପୁଅକୁ ମଣିଷ କରିବାରେ ଲାଗି ପଡ଼ିଥିଲେ- ସ୍କୁଲକୁ ଯିବା ବେଳେ ତାକୁ ମଧ୍ୟାହ୍ନ ଭୋଜନ ଲାଗି ଖାଦ୍ୟ ପ୍ୟାକେଟ୍‌ କରି ଦେଉଥିଲେ, ଗାଁର ସମସ୍ତେ ମିଳିମିଶି ଧାନ କ୍ଷେତରେ କାମ କରୁଥିଲେ। ସେଇ ଗାଁରେ ହିଁ ସେ ପ୍ରଥମ ଥର ପାଇଁ ଜଣେ ଜେଜେବାପାର ଭୂମିକା ନେଇଥିଲେ। ଲାଙ୍ଗଜା ଥିଲା ତାଙ୍କର ପୃଥିବୀ। ଯେଉଁ ପୃଥିବୀରେ ସେ ଲଭିଥିଲେ ଅମାପ ଆତ୍ମତୃପ୍ତି।

ଏସବୁ ଥିଲା ୨୦୨୩ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ।

ସେ ଦିନ, ସେହି ଭୟାବହ ହିଂସାର ନିଆଁରେ ଜଳିଯାଇଥିଲା ତାଙ୍କ ଜୀବନକାଳର ଅନେକ ସୁମଧୁର ସ୍ମୃତି। ସେଦିନ ଖୁମାଙ୍କ ମନରେ ସୃଷ୍ଟି  ହୋଇଥିବା ସେହି ଭୟଙ୍କର ଦୃଶ୍ୟପଟ୍ଟକୁ ପାଶୋରି ପାରୁ ନଥିଲେ ସେ। ଏହି ଦୃଶ୍ୟ ହିଁ ତାଙ୍କୁ ଶୁଆଇ ଦେଉ ନଥିଲା। ଏହି ଦୃଶ୍ୟ ହିଁ ତାଙ୍କୁ ଶାନ୍ତିରେ ରହିବାକୁ ଦେଉ ନଥିଲା। ଏ ଦୃଶ୍ୟ ଥିଲା ଅତୀବ ଭୟାନକ। ଲାଙ୍ଗଜା ଗାଁର ପ୍ରବେଶ ପଥରେ, ବାଉଁଶ ବାଡ଼ ଉପରେ ଥୁଆ ହୋଇଥିଲା ତାଙ୍କ ପୁଅର କଟାମୁଣ୍ଡ।

ଖୁମାଙ୍କ ନିଜ ରାଜ୍ୟ, ଉତ୍ତର ପୂର୍ବ ଭାରତର ମଣିପୁରରେ  ୨୦୨୩ ମେ ୩ ତାରିଖରୁ ଲାଗି ରହିଛି ଜାତିଆଣ ହିଂସା। ମାର୍ଚ୍ଚ ଶେଷ ଭାଗରେ ମଣିପୁର ହାଇକୋର୍ଟ ଦେଇଥିବା ଏକ ରାୟରେ ରାଜ୍ୟର ସଂଖ୍ୟାଧିକ ମୈତେଇ ସଂପ୍ରଦାୟକୁ “ଆଦିବାସୀ ମାନ୍ୟତା” ପ୍ରଦାନ କରିଥିଲେ। ଏହି ରାୟ ବଳରେ ସେମାନେ ସରକାରଙ୍କ ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମର ସୁଯୋଗ ଏବଂ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ସୁବିଧା ପାଇଁ ହକ୍‌ଦାର ହୋଇଥିଲେ। ଏହା ଫଳରେ ସେମାନେ ମଧ୍ୟ ସଂଖ୍ୟାଧିକ କୁକି ସଂପ୍ରଦାୟର ଲୋକେ ବସବାସ କରୁଥିବା ପାହାଡ଼ିଆ ଅଞ୍ଚଳରେ ଜମି କିଣିବାର ଅଧିକାର ପାଇଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ସୁପ୍ରିମ କୋର୍ଟ ରହିତାଦେଶ ଜାରି କରିଥିଲେ।

ରାଜ୍ୟର ମୋଟ ଜନସଂଖ୍ୟାର ୨୮ ପ୍ରତିଶତ କୁକି ସଂପ୍ରଦାୟର। ସେମାନଙ୍କ ଧାରଣା ଯେ, ରାଜ୍ୟରେ ୫୩ ପ୍ରତିଶତ ମୈତେଇ ସଂପ୍ରଦାୟର ଲୋକ ଅଛନ୍ତି ଏବଂ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟରେ ସେମାନଙ୍କ ପତିଆରା ଅତି ମାତ୍ରାରେ ବଢ଼ିଯିବ।

Khuma Theik at his brother’s house, after his own home in the Kuki village of Langza was attacked and his son violently killed
PHOTO • Parth M.N.

କୁକି ସଂପ୍ରଦାୟର ଲାଙ୍ଗଜା ଗାଁରେ ଥିବା ତାଙ୍କ ଘର ଉପରେ ଆକ୍ରମଣ ଏବଂ ତାଙ୍କ ପୁଅକୁ ବର୍ବର ଭାବରେ ହତ୍ୟା କରାଯିବା ପରେ ନିଜ ଭାଇଙ୍କ ଘରେ ଅଛନ୍ତି ଖୁମା ଥେଇକ

ହାଇକୋର୍ଟଙ୍କ ଏହି ଆଦେଶ ପ୍ରତିବାଦରେ ମେ ମାସ ୩ ତାରିଖ ଦିନ ଚୁରଚନ୍ଦପୁର ଜିଲ୍ଲାରେ କୁକି ସଂପ୍ରଦାୟ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।

ଏହି ପ୍ରତିବାଦ ପରେ, ଚୁରଚନ୍ଦପୁରରେ ଥିବା ଏକ ଯୁଦ୍ଧ ସ୍ମାରକୀରେ ମୈତେଇ ଲୋକେ ନିଆଁ ଲଗାଇ ଦେଇଥିଲେ। ବ୍ରିଟିଶ ଔପନିବେଶିକ ଶାସନ ବିରୋଧରେ ୧୯୧୭ ମସିହାରେ ସଂଘଟିତ କୁକି ବିଦ୍ରୋହର ପ୍ରତୀକ ଥିଲା ଏହି ଯୁଦ୍ଧ ସ୍ମାରକୀ। ଏହା ପରେ ହିଂସା ବ୍ୟାପି ଯାଇଥିଲା ଏବଂ ପ୍ରଥମ ଚାରି ଦିନର ହିଂସାକାଣ୍ଡରେ ୬୦ ଜଣ ଲୋକଙ୍କୁ ହତ୍ୟା କରାଯାଇଥିଲା।

ବଣନିଆଁ ଭଳି ସାରା ରାଜ୍ୟରେ ବ୍ୟାପି ଯାଇଥିଲା ହିଂସାର ନିଆଁ। ଗଣ୍ଡଗୋଳ ସହିତ ଆରମ୍ଭ ହୋଇଯାଇଥିଲା ବର୍ବର ହତ୍ୟାକାଣ୍ଡ, ମୁଣ୍ଡକାଟି ହତ୍ୟା, ଗଣଧର୍ଷଣ ଏବଂ ଦଙ୍ଗା। ଏଥିରେ ଏ ପର୍ଯ୍ୟନ୍ତ ୧୯୦ ଜଣଙ୍କୁ ହତ୍ୟା କରାଗଲାଣି ଏବଂ ୬୦,୦୦୦ରୁ ଅଧିକ ଲୋକ ବାସଗୃହ ହରାଇ ସାରିଲେଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ କୁକି ସଂପ୍ରଦାୟର। ଗୃହଯୁଦ୍ଧର ଏହି ବାତାବରଣରେ, ପୋଲିସ ମୈତେଇ ସଂପ୍ରଦାୟର ଲୋକଙ୍କୁ  ହିଂସା ଲାଗି ଉସୁକାଉଛି ବୋଲି କୁକିମାନେ ଅଭିଯୋଗ କରିଛନ୍ତି।

ଉଭୟ ସଂପ୍ରଦାୟ ମଧ୍ୟରେ ପାରସ୍ପରିକ ବିଶ୍ୱାସ ତୁଟି ଯାଇଛି ଏବଂ ଉଭୟ ପକ୍ଷ ଶତ୍ରୁ ଆକ୍ରମଣରୁ ନିଜ ଗାଁକୁ ରକ୍ଷା କରିବା ଲାଗି ଗାଁ ଗାଁରେ ପ୍ରତିରକ୍ଷା ବାହିନୀ ଗଢ଼ିଛନ୍ତି। ଦିନେ ଯେଉଁମାନେ ପଡ଼ୋଶୀ ଥିଲେ, ଆଜି ସେମାନେ ଶତ୍ରୁ।

Barricades put up by paramilitary forces along the borders of Imphal and Churachandpur, Manipur
PHOTO • Parth M.N.

ମଣିପୁରର ଇମ୍ଫାଲ ଏବଂ ଚୁରଚନ୍ଦପୁର ସୀମାରେ ଅର୍ଦ୍ଧ ସାମରିକ ବାହିନୀ ପକ୍ଷରୁ ଗଠିତ ବ୍ୟାରିକେଡ୍‌

A home (left) and a shop (right) burned to the ground near the border of Imphal and Churachandpur, Manipur
PHOTO • Parth M.N.
A home (left) and a shop (right) burned to the ground near the border of Imphal and Churachandpur, Manipur
PHOTO • Parth M.N.

ମଣିପୁରର ଇମ୍ଫାଲ ଏବଂ ଚୁରଚନ୍ଦପୁର ସୀମାରେ ନିଆଁରେ ଧ୍ୱଂସ ହୋଇଯାଇଥିବା ଗୋଟିଏ ଘର (ବାମ) ଏବଂ ଦୋକାନ (ଡାହାଣ)

ଜୁଲାଇ ୨ ତାରିଖ ବଡ଼ି ଭୋରରେ, ଖୁମାଙ୍କ ୩୩ ବର୍ଷୀୟ ପୁଅ ଡେଭିଡ ଏବଂ ଅନ୍ୟ କେତେକ ଯୁବକ ଲାଙ୍ଗଜା ଗାଁ ସୀମାରେ ପହରା ଦେଉଥିବା ସମୟରେ ମୈତେଇ ସଂପ୍ରଦାୟର ସଶସ୍ତ୍ର ଲୋକେ ସେମାନଙ୍କ ଉପରେ ଆକ୍ରମଣ କରିଦେଇଥିଲେ। କୁକି ବହୁଳ ଚୁରଚନ୍ଦପୁର ଏବଂ ମୈତେଇ ବହୁଳ ଇମ୍ଫାଲ ଉପତ୍ୟକାର ସୀମାରେ ଅବସ୍ଥିତ ଲାଙ୍ଗଜା ଗାଁ। ତେଣୁ ଏହା ଏକ ସମ୍ବେଦନଶୀଳ ଅଞ୍ଚଳ ରୂପେ ପରିଗଣିତ।

ଆକ୍ରମଣରୁ ବର୍ତ୍ତିବା ଲାଗି ସେମାନଙ୍କ ପାଖରେ ସମୟ ନାହିଁ ବୋଲି ବୁଝିପାରି ଡେଭିଡ୍‌ ଗାଁ ଆଡ଼କୁ ଦୌଡ଼ିଲେ ଏବଂ ଜୀବନ ବଞ୍ଚାଇବା ଲାଗି ଦୌଡ଼ି ପଳାଇବାକୁ ଗାଁ ଲୋକଙ୍କୁ କହିବା ସହିତ ନିଜେ ସେହି ସଶସ୍ତ୍ର ଗୋଷ୍ଠୀର ମୁକାବିଲା କରିବାରେ ଲାଗିପଡ଼ିଲେ। ଖୁମା କହନ୍ତି, “ଆମେ ଘରୁ ଯାହା କିଛି ପାରିଲୁ, ହାତରେ ଧରି ପାହାଡ଼ ଅଭ୍ୟନ୍ତରକୁ ଧାଇଁଲୁ। ସେଠାରେ ଆମ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ ଥିଲା। ଆମ ପଛେ ପଛେ ସେ ପଳାଇ ଆସିବ ବୋଲି ଡେଭିଡ୍‌ କହିଥିଲା। ତା ପାଖରେ ସ୍କୁଟରଟିଏ ଥିଲା।”

ଡେଭିଡ୍ ଓ ଗାଁରେ ପହରା ଦେଉଥିବା ଅନ୍ୟ ଯୁବକମାନେ ମିଶି ଆକ୍ରମଣକାରୀଙ୍କ ପ୍ରବଳ ପ୍ରତିରୋଧ କରିବାରୁ ଆମକୁ ସେଠାରୁ ଖସି ପଳାଇବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିଗଲା। ହେଲେ ସ୍କୁଟର ପାଖରେ ପହଞ୍ଚିବା ପୂର୍ବରୁ ତାକୁ ସେମାନେ ଗୋଡ଼ାଇ ଗୋଡ଼ାଇ ଧରି ତଳେ ପକାଇ ଦେଲେ ଏବଂ ଗାଁ ଦାଣ୍ଡରେ ତା’ର ମୁଣ୍ଡ କାଟିଦେଲେ। ତା’ର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ନିଆଁରେ ପୋଡ଼ି ଦେଲେ।

ଖୁମା କହନ୍ତି, “ସେହି ଦିନରୁ ମୁଁ ଗଭୀର ମାନସିକ ଯନ୍ତ୍ରଣା ସହିତ ବଞ୍ଚି ରହିଛି।” ସେ ଏବେ ଚୁରଚନ୍ଦପୁର ଜିଲ୍ଲାର ଆଭ୍ୟନ୍ତରୀଣ ପାହାଡ଼ିଆ ଅଞ୍ଚଳରେ ତାଙ୍କ ଭାଇଙ୍କ ସହ ରହୁଛନ୍ତି। ସେ କହନ୍ତି, “ଅନେକ ସମୟରେ ମୁଁ ରାତି ଅଧରେ ଭୟରେ ଥରି ଥରି ଉଠିପଡ଼େ। ସେହି ଦିନରୁ ମୁଁ ଠିକ୍‌ ଭାବରେ ଶୋଇପାରିନାହିଁ। ଜଣେ ବ୍ୟକ୍ତି ମୋ ପୁଅର କଟାମୁଣ୍ଡକୁ ଧରି ଚାଲି ଚାଲି ଯାଉଥିବାର ଦୃଶ୍ୟକୁ ମୁଁ ଗୋଟିଏ ଫଟୋରେ ଦେଖିଛି। ସେହି ଦୃଶ୍ୟକୁ ମୁଁ ଭୁଲି ପାରୁନାହିଁ।”

The charred remains of vehicles set on fire near the Churachandpur-Imphal border
PHOTO • Parth M.N.
The charred remains of vehicles set on fire near the Churachandpur-Imphal border
PHOTO • Parth M.N.

ଚୁରଚନ୍ଦପୁର-ଇମ୍ଫାଲ ସୀମାରେ ନିଆଁରେ ପୋଡ଼ି ଯାଇଥିବା କେତେକ ଯାନବାହନର ଧ୍ୱଂସାବଶେଷ

Boishi at a relief camp in Churachandpur where she has taken shelter along with four of her children aged 3 to 12, after her village of Hao Khong Ching in the district of Kangpokpi came under attack
PHOTO • Parth M.N.

ହିଂସାକାଣ୍ଡରେ ପ୍ରାଣ ହରାଇଥିବା ନିଜ ପ୍ରିୟଜନଙ୍କ ସ୍ମୃତିରେ କୁକି ସଂପ୍ରଦାୟର ଲୋକେ ଚୁରଚନ୍ଦପୁରରେ ଗଢ଼ିଥିବା ସ୍ମାରକୀ ପ୍ରାଚୀର। ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମୃତଦେହ ଆଣିବା ସକାଶେ ସେମାନେ ଇମ୍ଫାଲର ବିଭିନ୍ନ ହାସପାତାଳକୁ ଯାଇପାରି ନଥିଲ ଏବଂ ଏହାକୁ ଦର୍ଶାଇବା ଲାଗି ସେଠାରେ ଖାଲି ଶବାଧାର ବା କଫିନ୍‌ଗୁଡ଼ିକୁ ରଖାଯାଇଛି

ସାରା ମଣିପୁରରେ ଖୁମାଙ୍କ ଭଳି ହଜାର ହଜାର ବାସଚ୍ୟୁତ ଲୋକ ଅଛନ୍ତି। ଏବେ ସେମାନେ ନିଜ ନିଜର ଘରକୁ ବି ଚିହ୍ନି ପାରୁନାହାନ୍ତି। ମାନସିକ ଯନ୍ତ୍ରଣା ବିଜଡ଼ିତ ସ୍ମୃତି ସହିତ ସମ୍ବଳ ଅଭାବ ସେମାନଙ୍କ ଦୁଃଖକୁ ବହୁଗୁଣିତ କରିଛି ଏବଂ ଏହି ଗୃହଯୁଦ୍ଧର ଶିକାର ହୋଇଥିବା ଲୋକେ ଏବେ ହୁଏତ ଦୟାଶୀଳ ସଂପର୍କୀୟମାନଙ୍କ ଘରେ ଆଶ୍ରୟ ନେଇଛନ୍ତି କିମ୍ବା ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ସହାୟତା ଶିବିରରେ ରହିବାକୁ ବାଧ୍ୟ ହୋଇଛନ୍ତି।

ଚୁରଚନ୍ଦପୁର ଜିଲ୍ଲାର ଲାମକା ତହସିଲ ଅନ୍ତର୍ଗତ ଲିଙ୍ଗସିଫାଇ ଗାଁରେ ସ୍ଥାପିତ ସହାୟତା ଶିବିରରେ ଆଶ୍ରୟ ନେଇଛନ୍ତି ୩୫ ବର୍ଷୀୟା ବୋଇଶି ଥାଙ୍ଗ ଏବଂ ତାଙ୍କ ସହିତ ଅଛନ୍ତି ୩ରୁ ୧୨ ବର୍ଷ ବୟସର ତାଙ୍କର ଚାରିଟି ସନ୍ତାନ। କାଙ୍ଗପୋକ୍‌ପି ଜିଲ୍ଲା ଅନ୍ତର୍ଗତ ହାଓ ଖୋଙ୍ଗ ଚିଙ୍ଗ ଗାଁର ତାଙ୍କ ଘର ଉପରେ ମେ ୩ ତାରିଖ ଦିନ ଆକ୍ରମଣ ହେବା ପରେ ସେ ଏହି ଶିବିରରେ ରହିଆସୁଛନ୍ତି। ସେ କହନ୍ତି, “ଆମ ଗାଁ ପାଖର ତିନିଟି ଗାଁକୁ ପୋଡ଼ି ଦେବା ପରେ ମୈତେଇ ସଂପ୍ରଦାୟର ଆକ୍ରମଣକାରୀମାନେ ଆମ ଆଡ଼କୁ ଆସୁଥିଲେ। ଆମ ପାଖରେ ବେଶୀ ସମୟ ନଥିଲା ଏବଂ ତେଣୁ, ମହିଳା ଓ ପିଲାମାନେ ପ୍ରଥମେ ଗାଁ ଛାଡ଼ି ପଳାନ୍ତୁ ବୋଲି ଆମକୁ କୁହାଗଲା।”

ଗାଁର ଅନ୍ୟ ପୁରୁଷମାନଙ୍କ ସହିତ ଗାଁରେ ରହିଗଲେ ତାଙ୍କ ସ୍ୱାମୀ, ୩୪ ବର୍ଷୀୟ ଲାଲ ଟିନ୍‌ ଥାଙ୍ଗ ଏବଂ ଗଭୀର ଜଙ୍ଗଲରେ ଥିବା ଏକ ନାଗା ଗାଁକୁ ଖସି ପଳାଇ ଆସିଲେ ବୋଇଶି। ସେଠାରେ ନାଗା ଅଧିବାସୀମାନେ ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ଆଶ୍ରୟ ଦେଲେ ଏବଂ ସ୍ୱାମୀଙ୍କ ଅପେକ୍ଷାରେ ସେ ସାରା ରାତି କାଟିଦେଲେ।

ନାଗା ସଂପ୍ରଦାୟର ଜଣେ ପୁରୁଷ ତାଙ୍କ ଗାଁକୁ ଯାଇ ଲାଲ ଟିନ୍‌ ଥାଙ୍ଗ ସୁରକ୍ଷିତ ଅଛନ୍ତି କି ନାହିଁ ଦେଖି ଆସିବେ ବୋଲି ତାଙ୍କୁ କହିଗଲେ। ହେଲେ, ଯେଉଁ ଆଶଙ୍କାରେ ବୋରିଶି କାଳ କାଟୁଥିଲେ, ସେ ସେହି ଖବର ନେଇ ଫେରିଲେ। ତାଙ୍କ ସ୍ୱାମୀଙ୍କୁ ସେମାନେ ଧରି ପକାଇଥିଲେ, ତାଙ୍କ ଉପରେ ଅତ୍ୟାଚାର କରିଥିଲେ ଏବଂ ତାଙ୍କୁ ଜୀଅନ୍ତା ପୋଡ଼ି ମାରିଦେଇଥିଲେ। ବୋରିଶି କହନ୍ତି, “ଦୁଃଖ କରିବାକୁ କିମ୍ବା ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ରୀତିନୀତି ପାଳନ କରିବାକୁ ମୋ ପାଖରେ ସମୟ ନଥିଲା’’। ‘‘ପ୍ରଥମେ ମୋ ପିଲାମାନଙ୍କୁ କେମିତି ସୁରକ୍ଷିତ ରଖିବି ବୋଲି ମୁଁ ଚିନ୍ତା କରୁଥିଲି। ପରଦିନ ସକାଳେ, ନାଗାମାନେ ମୋତେ ନେଇ ଗୋଟିଏ କୁକି ଗାଁ ପାଖରେ ଛାଡ଼ିଦେଇଥିଲେ ଏବଂ ସେଠାରୁ ମୁଁ ଚୁରଚନ୍ଦପୁରକୁ ଆସିଥିଲି। ମୁଁ ଯେ କେବେ ଆଉ ଘରକୁ ଫେରିବି ବୋଲି ଭାବି ପାରୁନି। ଆମ ଜୀବିକା ତୁଳନାରେ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ।”

ଗାଁରେ ବୋଇଶି ଏବଂ ତାଙ୍କ ସ୍ୱାମୀଙ୍କର ପାଞ୍ଚ ଏକର ଧାନ ଜମି ଥିଲା। ସେଥିରୁ ହିଁ ସେ ତାଙ୍କ ପରିବାରର ଗୁଜରାଣ ମେଣ୍ଟାଉଥିଲେ। ହେଲେ, ଏବେ ସେ ସେଠାକୁ ଫେରିବା କଥା କଳ୍ପନା ବି କରିପାରୁନାହାନ୍ତି। ଆଖପାଖ ଅଞ୍ଚଳରେ ମୈତେଇ ସଂପ୍ରଦାୟର ଲୋକେ ନଥିବାରୁ ଏବେ କୁକିମାନଙ୍କ ପାଇଁ ଚୁରଚନ୍ଦପୁର ନିରାପଦ ଅଞ୍ଚଳ ରୂପେ ବିବେଚିତ ହେଉଛି। ମୈତେଇ ଗାଁ ପାଖରେ ସାରା ଜୀବନ ବିତାଇଥିବା ବୋଇଶି, ଆଜି ସେମାନଙ୍କ ସହିତ ମିଳିମିଶି ରହିବା କଥା ଚିନ୍ତା କରିବା ମାତ୍ରେ ଭୟଭୀତ ହୋଇ ପଡୁଛନ୍ତି। ସେ କହନ୍ତି, “ଆମ ଗାଁ ଚାରିପଟେ ଅନେକ ମୈତେଇ ଗାଁ ରହିଥିଲା। ସେମାନେ ବଜାର ଚଳାଉଥିଲେ ଏବଂ ଆମେ ସେମାନଙ୍କର ଗରାଖ ଥିଲୁ। ଆମ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ରହିଥିଲା।”

Boishi at a relief camp in Churachandpur where she has taken shelter along with four of her children aged 3 to 12, after her village of Hao Khong Ching in the district of Kangpokpi came under attack
PHOTO • Parth M.N.

କାଙ୍ଗପୋକ୍‌ପି ଜିଲ୍ଲାରେ ତାଙ୍କ ଗାଁ ହାଓ ଖୋଙ୍ଗ ଚିଙ୍ଗ ଉପରେ ଆକ୍ରମଣ ହେବା ପରେ ୩ରୁ ୧୨ ବର୍ଷ ବୟସର ତାଙ୍କର ଚାରି ଜଣ ପିଲାଙ୍କ ସହିତ ଚୁରଚନ୍ଦପୁରର ସହାୟତା ଶିବିରରେ ଆଶ୍ରୟ ନେଇଛନ୍ତି ବୋଇଶି

ହେଲେ ଆଜି ମଣିପୁରର ଏହି ଦୁଇ ସଂପ୍ରଦାୟ ସଂପୂର୍ଣ୍ଣ ଭାବରେ ପାରସ୍ପରିକ ଆସ୍ଥା ହରାଇ ବସିଛନ୍ତି। ସାରା ରାଜ୍ୟ ଆଜି ଦୁଇ ଭାଗରେ ବିଭାଜିତ, ଗୋଟିଏ ପଟେ ଇମ୍ଫାଲ ଉପତ୍ୟକାରେ ମୈତେଇ ଏବଂ ଅନ୍ୟପଟେ ଉପତ୍ୟକାକୁ ଘେରି ରହିଥିବା ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ରହୁଛନ୍ତି କୁକି ସଂପ୍ରଦାୟ। ଜଣେ ଅନ୍ୟ ଜଣକର ଅଞ୍ଚଳକୁ ଯିବାକୁ ସାହସ କରିବା ମୃତ୍ୟୁଦଣ୍ଡ ସଦୃଶ। ଇମ୍ଫାଲର କୁକିବହୁଳ ଅଞ୍ଚଳ ସଂପୂର୍ଣ୍ଣ ଖାଲି ପଡ଼ିଛି। କୁକି ବହୁଳ ଜିଲ୍ଲାରେ ରହୁଥିବା ମୈତେଇମାନଙ୍କୁ ପାହାଡ଼ରୁ ଘଉଡ଼ାଇ ଦିଆଯାଇଛି।

ସେଦିନର କଥାକୁ ମନେ ପକାନ୍ତି ଇମ୍ଫାଲର ଏକ ମୈତେଇ ସହାୟତା ଶିବିରରେ ଆଶ୍ରୟ ନେଇଥିବା ୫୦ ବର୍ଷୀୟା ହେମା ବାତି ମୋଇରାଙ୍ଗଥେମ, ଯେଉଁଦିନ କୁକିମାନଙ୍କର ଏକ ଦଳ ତାଙ୍କ ସହର ମୋରେହ୍‌ ଉପରେ ଆକ୍ରମଣ କରିଥିଲେ ଏବଂ ସେ ତାଙ୍କ ପକ୍ଷାଘାତ ପୀଡ଼ିତ ଭାଇଙ୍କୁ ସାଙ୍ଗରେ ନେଇ ଖସି ପଳାଇ ଆସିଥିଲେ। ସେ କହନ୍ତି, “ମୋର ଗୋଟିଏ ବଖରାର ଘରକୁ ସେମାନେ ନିଆଁରେ ପୋଡ଼ି ଦେଲେ’’। ‘‘ମୋ ପୁତୁରା ପୋଲିସକୁ ଖବର ଦେଲା। ଆମକୁ ସେମାନେ ପୋଡ଼ି ମାରିଦେବା ପୂର୍ବରୁ ପୋଲିସ ଆସି ପହଞ୍ଚିବ ବୋଲି ଆମେ ଆଶା କରିଥିଲୁ।”

ଭାରତ-ମ୍ୟାନ୍‌ମାର ସୀମାରେ ଥିବା ମୋରେହ୍‌ ସହରରେ ମାଡ଼ି ଯାଇଥିଲେ କୁକି ଆକ୍ରମଣକାରୀମାନେ। କିନ୍ତୁ ତାଙ୍କ ଭାଇଙ୍କ ଶାରୀରିକ ଅକ୍ଷମତା କାରଣରୁ ହେମା ଦୌଡ଼ି ପଳାଇ ପାରି ନଥିଲେ। ସେ କହନ୍ତି, “ସେ ମୋତେ ଚାଲିଯିବାକୁ କହିଲେ, କିନ୍ତୁ ସେମିତି କରିଥିଲେ ମୁଁ ମୋ ନିଜକୁ କ୍ଷମା କରିପାରି ନଥାଆନ୍ତି।”

ଦୁର୍ଘଟଣାରେ ହେମାଙ୍କ ସ୍ୱାମୀ ପ୍ରାଣ ହରାଇବା ପରଠାରୁ ୧୦ ବର୍ଷ ହେଲା ସେମାନେ ଜଣେ ଅନ୍ୟ ଜଣକ ଘରେ ଏକାଠି ରହିଆସୁଛନ୍ତି। ଜଣକୁ ରକ୍ଷା କରିବା ଲାଗି ଅନ୍ୟ ଜଣକର ପ୍ରାଣବଳି କଥା ସେମାନେ କେବେହେଲେ ଭାବି ପାରିନାହାନ୍ତି। ଯାହା କିଛି ଘଟିବାର ଥିବ, ତାହା ସମସ୍ତ ତିନି ଜଣଙ୍କର ଘଟିବ ବୋଲି ସେମାନେ ସ୍ଥିର କରିନେଇଛନ୍ତି।

ପୋଲିସ ପହଞ୍ଚିଲା ପରେ ହେମା ଓ ତାଙ୍କ ପୁତୁରା ମିଶି ତାଙ୍କ ଭାଇଙ୍କୁ ଉଠାଇଲେ ଏବଂ ଜଳନ୍ତା ଘର ଭିତରୁ ଆଣି ପୋଲିସ ଗାଡ଼ିରେ ବସାଇଲେ।  ପୋଲିସ ସେମାନଙ୍କୁ ୧୧୦ କିଲୋମିଟର ଦୂର ଇମ୍ଫାଲରେ ସୁରକ୍ଷିତ ଭାବରେ ଛାଡ଼ିଦେଲା। ସେ କହନ୍ତି, “ସେହି ଦିନରୁ ମୁଁ ଏହି ସହାୟତା ଶିବିରରେ ରହିଆସୁଛି। ମୋ ପୁତୁରା ଓ ଭାଇ ଆମର ଜଣେ ସଂପର୍କୀୟଙ୍କ ଘରେ ଅଛନ୍ତି।”

Hema is now at a relief camp in Imphal. She escaped with her paralysed brother when her town, Moreh  was attacked by a Kuki mob
PHOTO • Parth M.N.

ଏବେ ହେମା ଇମ୍ଫାଲର ଏକ ସହାୟତା ଶିବିରରେ ଅଛନ୍ତି। ତାଙ୍କ ସହର ମୋରେହ୍‌ ଉପରେ କୁକି ସଂପ୍ରଦାୟ ଆକ୍ରମଣ କରିବା ସମୟରେ ସେ ତାଙ୍କ ପକ୍ଷାଘାତ ପୀଡ଼ିତ ଭାଇଙ୍କୁ ନେଇ ଖସି ପଳାଇ ଆସିଥିଲେ

ମୋରେହ୍‌ ସହରରେ ଏକ ତେଜରାତି ଦୋକାନ କରିଥିବା ହେମା ଏବେ ଦାତବ୍ୟ ଅନୁଷ୍ଠାନ ଉପରେ ନିର୍ଭର କରି ରହିଛନ୍ତି। ଅନ୍ୟ ୨୦ ଜଣ ଅପରିଚିତ ବ୍ୟକ୍ତିଙ୍କ ସହିତ ସେ ଏକ ଛାତ୍ରାବାସର ସାମୂହିକ ଶୟନାଗାର ଭଳି କୋଠରିରେ ଶୁଅନ୍ତି। ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଏକ ରନ୍ଧାଘରୁ ସେ ଖାଦ୍ୟ ଖାଆନ୍ତି ଏବଂ ଦାନରେ ମିଳିଥିବା ଲୁଗାପଟା ପିନ୍ଧନ୍ତି। ସେ କହନ୍ତି, “ମୋତେ ଏଠି ଏତେ ଭଲ ଲାଗୁନାହିଁ। ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ ମୋ ନିଜ ଉପରେ ନିର୍ଭର କରି ଚଳିଆସିଛି। ମୁଁ ମୋ ନିଜର ଏବଂ ମୋ ଭାଇଙ୍କ ଦେଖାରଖା କରି ଆସୁଛି। ଏଠି ଏମିତି କେତେ ଦିନ ରହିବାକୁ ପଡ଼ିବ, ସେ କଥା ମୁଁ ଜାଣିନି।”

ନିଜ ନିଜର ବାସଗୃହ, ଜୀବିକା ଏବଂ ପ୍ରିୟଜନଙ୍କୁ ହରାଇଥିବା ସାରା ମଣିପୁରର ନାଗରିକ ସମାଜ ଏବେ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରିବା ଆରମ୍ଭ କରିଛନ୍ତି।

ଏମିତି ନୁହେଁ ଯେ, ପ୍ରଥମ ଥର ପାଇଁ ସେ ନିଜର କୌଣସି ପ୍ରିୟଜନଙ୍କୁ ହରାଇଛନ୍ତି, ତଥାପି ପୁଅ ଡେଭିଡ୍‌ର ମୃତ୍ୟକୁ ସ୍ୱୀକାର କରିନେବା ଖୁମାଙ୍କ ପକ୍ଷରେ ଖୁବ୍‌ କଷ୍ଟକର କାମ। ପ୍ରାୟ ୩୦ ବର୍ଷ ତଳେ, ହଇଜାରେ ପୀଡ଼ିତ ତାଙ୍କ ଦୁଇ ବର୍ଷର ଝିଅର ମୃତ୍ୟୁ ହୋଇଥିଲା। ୨୫ ବର୍ଷ ତଳେ କର୍କଟ ରୋଗରେ ତାଙ୍କ ସ୍ତ୍ରୀ ପ୍ରାଣ ହରାଇଥିଲେ। ହେଲେ ଡେଭିଡ୍‌ଙ୍କ ମୃତ୍ୟୁରେ ତାଙ୍କ ଜୀବନରେ ବିରାଟ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଯୁବକ ଡେଭିଡ୍‌ ହିଁ ତାଙ୍କ ପାଇଁ ସବୁ କିଛି ଥିଲା।

ଡେଭିଡଙ୍କୁ ଖୁମା ନିଜ ପରିଶ୍ରମରେ ବଡ଼ କରିଥିଲେ। ସେ ତାଙ୍କ ସ୍କୁଲର ଅଭିଭାବକ-ଶିକ୍ଷକ ବୈଠକରେ ଯୋଗ ଦେଉଥିଲେ। ହାଇସ୍କୁଲ ଶିକ୍ଷା ସରିବା ପରେ ସେ କେଉଁ କଲେଜରେ ନାମ ଲେଖାଇବେ, ସେ ସଂପର୍କରେ ସେ ହିଁ ପରାମର୍ଶ ଦେଇଥିଲେ। ପ୍ରଥମ ଥର ପାଇଁ ଡେଭିଡ୍‌ ବିବାହ କରିବାକୁ ଚାହୁଁଥିବା କଥା କହିବା ସମୟରେ ସେ ସେଠାରେ ଉପସ୍ଥିତ ଥିଲେ।

ଏତେ ବର୍ଷ ଧରି ଏକାଠି ରହିବା ପରେ, ଶେଷରେ ତାଙ୍କ ପରିବାର ପୁଣି ଥରେ ବଢ଼ିବା ଆରମ୍ଭ କରିଥିଲା। ତିନି ବର୍ଷ ତଳେ ଡେଭିଡ ବିବାହ କରିଥିଲେ ଏବଂ ବର୍ଷକ ପରେ ତାଙ୍କର ପିଲାଟିଏ ଜନ୍ମ ନେଇଥିଲା। ଜଣେ ବରିଷ୍ଠ ନାଗରିକ ଭାବରେ ସେ ତାଙ୍କ ନାତି ସହିତ ଖେଳିବା ଏବଂ ତାକୁ ମଣିଷ କରି ଗଢ଼ି ତୋଳିବାରେ ସହାୟତା କରିବା କଥା କଳ୍ପନା କରିଥିଲେ। କିନ୍ତୁ, ପୁଣି ଥରେ ତାଙ୍କ ପରିବାର ଖଣ୍ଡ ଖଣ୍ଡ ହୋଇଗଲା। ଡେଭିଡଙ୍କ ସ୍ତ୍ରୀ ଓ ପିଲା ଅନ୍ୟ ଏକ ଗାଁରେ, ତାଙ୍କ ମାଆଙ୍କ ଘରେ ରହୁଛନ୍ତି। ଆଉ ଖୁମା ତାଙ୍କ ଭାଇଙ୍କ ସହିତ ରହୁଛନ୍ତି। ଏବେ ତାଙ୍କ ପାଖରେ କେବଳ ସ୍ମୃତି ଯାହା ରହିଛି। କିଛି ସେ ନିଜ ମନ ଭିତରେ ସାଇତି ରଖିବାକୁ ଚାହାଁନ୍ତି। କିନ୍ତୁ ଏଇ ଗୋଟିକରୁ ସେ ଦୂରେଇ ଯିବାକୁ ଚାହାଁନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE