ବିଚାରପତି: ...କୁହ, ତୁମେ କାହିଁକି କାମ କରିନଥିଲ ?
ବ୍ରୋଡସ୍କି: ମୁଁ କାମ କରିଥିଲି। ମୁଁ ଅନେକ କବିତା ଲେଖିଥିଲି।

ବିଚାରପତି: ବ୍ରୋଡସ୍କି, ଅଦାଲତକୁ ଏହା ବୁଝାଇ ଦେଲେ ଭଲ ହେବ ଯେ, ଭିନ୍ନ ଭିନ୍ନ ଚାକିରି ମଝିରେ ତୁମ ପାଖରେ ଥିବା ବିରତି ସମୟରେ ତୁମେ କାହିଁକି କାମ କରି ନଥିଲ।
ବ୍ରୋଡସ୍କି: ମୁଁ କବିତା ଲେଖିଲି। ମୁଁ କାମ କରିଥିଲି।

୧୯୬୪ ମସିହାରେ, ଦୁଇଟି ବିଚାର ପ୍ରକ୍ରିୟାର ସୁଦୀର୍ଘ ଶୁଣାଣିର ବିବରଣୀକୁ ସୂକ୍ଷ୍ମାତିସୂକ୍ଷ୍ମ ଭାବରେ ରେକର୍ଡ କରିଥିବା ୨୩ ବର୍ଷୀୟ ରୁଷୀୟ କବି ଇଓସିଫ (ଯୋସେଫ) ଆଲେକଜାଣ୍ଡ୍ରୋବିଚ୍ ବ୍ରୋଡସ୍କି, ତାଙ୍କ ରାଷ୍ଟ୍ର ଏବଂ ଭବିଷ୍ୟତ ପିଢ଼ି ପାଇଁ କବିତାର ଉପଯୋଗିତାକୁ ବଳିଷ୍ଠ ଭାବରେ ଉପସ୍ଥାପନ କରନ୍ତି। କିନ୍ତୁ ବିଚାରପତି ଏଥିରେ ସମ୍ମତ ହୁଅନ୍ତି ନାହିଁ ଏବଂ ଦୁର୍ଭାବନାପୂର୍ଣ୍ଣ ସାମାଜିକ ପରମୁଖାପେକ୍ଷିତାର ପ୍ରଚାର ଅପରାଧରେ ବ୍ରୋଡସ୍କିଙ୍କୁ ପାଞ୍ଚ ବର୍ଷ ପାଇଁ ଦେଶ ଭିତରେ ନିର୍ବାସନ ସହିତ କଠୋର ପରିଶ୍ରମରେ ଦଣ୍ଡିତ କରନ୍ତି।

ଏବେ ଆମେ ଯେଉଁ ବର୍ଷକୁ ବିଦାୟ ଦେବାକୁ ଯାଉଛୁ, ସେହି ବର୍ଷରେ ‘ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ’ ଅଧିକରୁ ଅଧିକ ଗୀତ ପ୍ରକାଶ କରିଛି, ଅଧିକ ସଂଖ୍ୟକ ଗାୟକ ଓ ଗାୟିକାଙ୍କୁ ଲୋକଲୋଚନକୁ ଆଣିଛି ଏବଂ ଲୋକଗୀତର ଏକ ନୂତନ ଅଭିଲେଖାଗାର ସ୍ଥାପନ ସହିତ ପୂର୍ବ ସଂଗ୍ରହରେ ଅଧିକରୁ ଅଧିକ ଗୀତକୁ ସମ୍ମିଳିତ କରିଛି।

ତେବେ, ଆମେ କବିତାକୁ ଏତେ ବେଶୀ ଗୁରୁତ୍ୱ କାହିଁକି ପ୍ରଦାନ କରୁଛୁ ? ଏହା କ’ଣ ପ୍ରକୃତରେ ଏକ ‘କାମ’ ? କିମ୍ବା, ଯେମିତି କି ବ୍ରୋଡସ୍କିଙ୍କ ଉତ୍ପୀଡ଼କମାନେ ମତ ଦିଅନ୍ତି, ଏହା ଏକ ସାମାଜିକ ପରାଙ୍ଗପୁଷ୍ଟତା ?

ଯୁଗ ଯୁଗ ଧରି କବିତାର ଯଥାର୍ଥତା, ପ୍ରାସଙ୍ଗିକତା ଏବଂ ଜଣେ କବିଙ୍କ ‘କାମ’ର ମୂଲ୍ୟ ଉପରେ ପ୍ରଶ୍ନ ଉଠାଇବା ଉଭୟ ଦାର୍ଶନିକ ଓ ରାଜନୀତିଜ୍ଞମାନଙ୍କ ଚିରନ୍ତନ ଅଭ୍ୟାସ ରୂପେ ରହିଆସିଛି। ଶିକ୍ଷା ଜଗତର ଏବଂ ଏହା ବାହାରର ଅନେକ ବ୍ୟକ୍ତି ମଧ୍ୟ ଅତି ସହଜରେ ଏବଂ କ୍ଷୀପ୍ରତାର ସହିତ କବିତାକୁ ଏଡ଼ାଇ ଯାଆନ୍ତି ଏବଂ କବିତା ତୁଳନାରେ ଅନ୍ୟାନ୍ୟ ବୈଜ୍ଞାନିକ, ତଥ୍ୟଭିତ୍ତିକ ଶିକ୍ଷାଲାଭ ଧାରାକୁ ପ୍ରାଥମିକତା ଦିଅନ୍ତି। ତେଣୁ, କୌଣସି ଗ୍ରାମୀଣ ସାମ୍ବାଦିକତାର ଏକ କାର୍ଯ୍ୟକ୍ଷମ ଅଭିଲେଖାଗାରରେ ସମୃଦ୍ଧ କବିତା, ଗୀତ ଓ ସଙ୍ଗୀତର ଏକ ବିଭାଗକୁ ସ୍ଥାନିତ କରିବା ନିଶ୍ଚିତ ଭାବରେ ଏକ ଅନନ୍ୟ କାର୍ଯ୍ୟବିଶେଷ।

ସବୁ ପ୍ରକାରର ସୃଜନଶୀଳ ଅଭିବ୍ୟକ୍ତିକୁ ‘ପରୀ’ ଆଦରି ନେଇଥାଏ, କେବଳ ଏଥିପାଇଁ ନୁହେଁ ଯେ, ସେଥିରୁ ଭିନ୍ନ ଭିନ୍ନ କାହାଣୀର ସ୍ୱର ଶୁଭିଥାଏ, ବରଂ ଏଥିପାଇଁ ଯେ, ସେଥିରୁ ଗ୍ରାମୀଣ ଭାରତରେ ଲୋକଙ୍କ ଜୀବନ ଓ ଅନୁଭୂତି ସନ୍ନିବେଶିତ  ଗଳ୍ପକଥନର ନୂଆ ନୂଆ ଧାରା ପ୍ରଚଳିତ ହୋଇଥାଏ। ଠିକ୍ ଏହିଠାରେ ହିଁ ଆମେ ବ୍ୟକ୍ତିଗତ ଅନୁଭୂତି ଏବଂ ସାମୂହିକ ସ୍ମୃତିରେ ପରିମାର୍ଜିତ ସୃଜନଶୀଳ ପରିକଳ୍ପନାରେ ଭିନ୍ନ ଏକ ମାନବୀୟ ଜ୍ଞାନକୋଷର ସନ୍ଧାନ ପାଇଥାଉ, ଯାହା କି ଇତିହାସ କିମ୍ବା ସାମ୍ବାଦିକତାର ପରିସର ବହିର୍ଭୁକ୍ତ। ତଥାପି, ଆମ ସମୟର ରାଜନୈତିକ, ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ପ୍ରକ୍ରିୟା ସଂପର୍କିତ ନଥିପତ୍ର ଏବଂ ଅଭିଲେଖା ପ୍ରସ୍ତୁତିର ଅନ୍ୟ ଏକ ଧାରା ଜନଜୀବନ ସହିତ ଓତପ୍ରୋତ ଭାବେ ସଂପୃକ୍ତ।

ଏ ବର୍ଷ ‘ପରୀ’ ଅନେକ କଥିତ ଭାଷାରେ କବିତା ପ୍ରକାଶ କରିଛି – ଯେମିତି ପଚମାହାଲି ଭିଲି, ଇଂଲିଶ, ହିନ୍ଦୀ ଏବଂ ବାଂଲା। ଜଣେ ବ୍ୟକ୍ତିଙ୍କୁ ଅନୁଭୂତିର ଏକ ବୃହଦାକାର ଢାଞ୍ଚାରେ ସ୍ଥାନିତ କରି ତହିଁରୁ ପ୍ରାପ୍ତ ଏହି କବିତାଗୁଡ଼ିକ ଆମ ସମୟର ଅନେକ ବଳିଷ୍ଠ ଶବ୍ଦପ୍ରମାଣର ସମାହାର। କେତେକ କବିତାରେ ବ୍ୟକ୍ତିର ଅନୁଭୂତିରେ ମାନସିକ ଚାପ ଏବଂ ଦ୍ୱନ୍ଦ୍ୱ ପ୍ରତିଫଳିତ, ଯେମିତି କି ଗାଁକୁ ଆଡ଼େଇ ଦେଇଥିବା ଜଣେ ଆଦିବାସୀ ରେ, ଆଉ କେତେକର ଭାଷାରେ ପିତୃତାନ୍ତ୍ରିକ ପ୍ରାଧାନ୍ୟ ବିରୋଧରେ ସ୍ୱର ଉତ୍ତୋଳନ ଏବଂ ନୂଆ ଏକ ପ୍ରତିରୋଧର ଭାବ ପରିଲକ୍ଷିତ ହୁଏ, ଯେମିତି କି ଗୋଟିଏ ସୂତାରେ ଓହଳିଛି ଜୀବନ ଓ ଭାଷା ରେ। ସେହିଭଳି ଅନ୍ନଦାତା ଓ ସରକାର ବାହାଦୁର ଭଳି ଆଉ କେତେକ ଲେଖାରେ ଉନ୍ମୁକ୍ତ ହୁଏ ସ୍ୱେଚ୍ଛାଚାରୀର ପ୍ରତାରଣା ଏବଂ ଅନ୍ୟ କେତେକରେ, ଐତିହାସିକ ହେଉ କି ସାମୂହିକ, ଲୋକେ ନିର୍ଭୟରେ ସତ୍ୟର ଉନ୍ମୋଚନ କରନ୍ତି, ଯେମିତି କି ଗୋଟିଏ ପୁସ୍ତକ ଓ ତିନି ପଡ଼ୋଶୀଙ୍କ କାହାଣୀ ରେ।

ଲେଖାଲେଖି ଏକ ରାଜନୈତିକ କାମ, ଏବଂ କେହି ଯେବେ ଗ୍ରାଇଣ୍ଡମିଲସ ସଙ୍ଗସ ପ୍ରୋଜେକ୍ଟ ରେ ସ୍ଥାନ ପାଇଥିବା ଗୀତଗୁଡ଼ିକୁ ଶୁଣନ୍ତି, ସେତେବେଳେ ସେ ବୁଝିପାରନ୍ତି ଯେ, ଗୋଟିଏ କବିତା, ଗୋଟିଏ ଗୀତ, ଗୋଟିଏ ଓବି ରଚନା ଏକ ସାମୂହିକ ପ୍ରୟାସର, ନାରୀ ସମାଜର, ଏବଂ ପ୍ରତିବାଦର ନିଷ୍କର୍ଷ। ଏହି ଗୀତଗୁଡ଼ିକ ଜଣେ ବ୍ୟକ୍ତିର ସାଂସାରିକ ବିଚାରବୋଧ ଗଠନ ସହିତ ଚିରପ୍ରବାହମାନ ସମୟ, ସଂସ୍କୃତି ଓ ଭାବନାର ଭାଷାଗତ ସଂଶୋଧନର ଏକ ଧାରା। ସେମାନଙ୍କ ଆଖପାଖରେ ବିଦ୍ୟମାନ ଅବ୍ୟବହିତ ପୃଥିବୀର ବିଭିନ୍ନ ବିଷୟବସ୍ତୁକୁ କେନ୍ଦ୍ର କରି ଗ୍ରାମୀଣ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ୩,୦୦୦ରୁ ଅଧିକ ମହିଳାଙ୍କ ସ୍ୱରରେ ସଜ୍ଜିତ ୧,୦୦,୦୦୦ରୁ ଅଧିକ ଲୋକଗୀତର ଏହି ସମୃଦ୍ଧ ସଂଗ୍ରହରେ  ‘ପରୀ’ ଏ ବର୍ଷ ସାମିଲ କରିଛି ଆହୁରି ଅଧିକ ଚିତ୍ତାକର୍ଷକ ଏକ ଅଧ୍ୟାୟ।

‘ପରୀ’ରେ ଉପଲବ୍‌ଧ ଏହି ବିଭିନ୍ନତାକୁ ଏ ବର୍ଷ ବହୁଗୁଣିତ କରିଛି କଚ୍ଛୀ ଲୋକଗୀତର ଏକ ନୂତନ ମଲଟିମିଡିଆ ସଂଗ୍ରହ, ରଣର ସଙ୍ଗୀତ । କଚ୍ଛ ମହିଳା ବିକାଶ ସଂଗଠନ (KMVS) ନାମକ ଏକ ସଂଗଠନ ସହଯୋଗରେ ଆରମ୍ଭ କରାଯାଇଥିବା ଏହି ଲୋକଗୀତ ସଂଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରେ ସମ୍ମିଳିତ ହୋଇଛି ପ୍ରେମ, ଲାଳସା, ପରାଜୟ, ବିବାହ, ଭକ୍ତି, ମାତୃଭୂମି, ଲିଙ୍ଗ ସଚେତନତା, ଗାଣତାନ୍ତ୍ରିକ ଅଧିକାର ପ୍ରଭୃତି ବିଷୟବସ୍ତୁ ଆଧାରରେ ରଚିତ ବହୁ ଲୋକଗୀତ। ଏହା ସଙ୍ଗୀତର ଏଭଳି ଏକ ସଂଗ୍ରହାଳୟ, ଯାହା କି ଠିକ୍ ଆମ ଦେଶ ଭଳି ବିଭିନ୍ନତାରେ ପରିପୂର୍ଣ୍ଣ। ଆଗକୁ ଏହି ସଂଗ୍ରହରେ ସ୍ଥାନ ପାଇବ ଗୁଜରାଟର ୩୦୫ ଜଣ ତାଳବାଦ୍ୟ କଳାକାର, ଗାୟକ ଓ ବାଦ୍ୟଯନ୍ତ୍ର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଭିନ୍ନ ଭିନ୍ନ ୩୪୧ଟି ଲୋକଗୀତ। ଏକଦା କଚ୍ଛ କ୍ଷେତ୍ରରେ ସଚରାଚର ଅନୁଭୂତ ଏକ ମୌଖିକ ପରମ୍ପରାକୁ ଉଜ୍ଜୀବିତ କରୁଥିବା ଏହି ଲୋକଗୀତ ଏବେ ‘ପରୀ’ରେ ଉପଲବଧ।

କବିତା ଯେ କେବଳ ସମ୍ଭ୍ରାନ୍ତ ଶ୍ରେଣୀ ଏବଂ ଉଚ୍ଚ ଶିକ୍ଷିତ ବର୍ଗର ବିଳାସ ଏବଂ ଏହା କେବଳ ଭାଷାର ଏକ ଆଳଙ୍କାରିକ ପ୍ରବାହ ବୋଲି ବହୁଳ ପ୍ରଚଳିତ ମାନସିକତାର ପ୍ରତିରୋଧ କରେ ‘ପରୀ’ର କବିତା ସଂଗ୍ରହ। କବିତା ଓ ଲୋକଗୀତ ମଧ୍ୟରେ ପ୍ରଭେଦକୁ ଭୁଲି ଆମେ ଏହି ବିଭିନ୍ନତା ସମୃଦ୍ଧ ସାହିତ୍ୟିକ ପରମ୍ପରାର ବାସ୍ତବ ସ୍ରଷ୍ଟା ଓ ସଂରକ୍ଷକମାନଙ୍କ ପ୍ରୟାସକୁ ସ୍ୱୀକାର କରୁ। ସେମାନେ ହେଉଛନ୍ତି ସବୁ ବର୍ଗ, ଜାତି ଓ ଲିଙ୍ଗର ସାଧାରଣ ବ୍ୟକ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କାଡୁବାଇ ଖରାତ କିମ୍ବା ସାହିର ଦାଦୁ ସାଲଭେ, ଯେଉଁମାନେ କବିତାରେ ଶୁଣାନ୍ତି ସାଧାରଣ ଲୋକଙ୍କ ଦୁଃଖ ଓ ସଂଘର୍ଷର କାହାଣୀ ଏବଂ ଜନପ୍ରିୟ ରାଜନୀତିର କବିତାରେ କହନ୍ତି ସମାନତାର କଥା, ଆମ୍ବେଦକରଙ୍କ କଥା। ଶାନ୍ତିପୁରର  ଲଙ୍କାପଡ଼ା ନିବାସୀ ଜଣେ ସାଧାରଣ ପଇଡ଼ ବିକାଳି ସୁକୁମାର ବିଶ୍ୱାସ ସୁନ୍ଦର ସୁନ୍ଦର ଗୀତ ଗାଆନ୍ତି, ଯେଉଁଥିରେ ଭରି ରହିଥାଏ ରହସ୍ୟମୟ ଜ୍ଞାନର ଭଣ୍ଡାର। ନିଃସନ୍ଦେହରେ, ୧୯୭୧ର ବାଂଲାଦେଶ ଯୁଦ୍ଧ ପରେ ଭାରତକୁ ପଳାଇ ଆସିବା ସମୟର ନିଜ ଅନୁଭୂତିରୁ ଅନେକ ଉପାଦାନକୁ ସେ ଏଥିରେ ସାମିଲ କରିଛନ୍ତି। ସେହିଭଳି ସ୍ୱାଧୀନତା ସଂଗ୍ରାମ କାଳରେ ଭାରତବାସୀଙ୍କ ମନରେ ଗଭୀର ଆଶାବାଦ ସହିତ ବିଦ୍ୟମାନ ଅଗ୍ନିକଣାକୁ ଇନ୍ଧନ ଯୋଗାଉଥିବା ଗୀତ ଓ ସଙ୍ଗୀତକୁ ସ୍ମରଣ କରାଇ ଦିଅନ୍ତି ପଶ୍ଚିମ ବଙ୍ଗ ପିରା ଗାଁର ୯୭ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ ଲୋକ୍ଷୀକାନ୍ତୋ ମାହାତୋ ଏବଂ ତାଙ୍କ ଗୁରୁଗମ୍ଭୀର କଣ୍ଠସ୍ୱର।

କିନ୍ତୁ କିଏ କହେ ଯେ ଗୀତ ଓ କବିତା କେବଳ ଶବ୍ଦରେ ଲେଖାହୁଏ ? ‘ପରୀ’ରେ ଆମେ ପ୍ରକାଶ କରିଛୁ ନୂତନ ରଙ୍ଗ ଓ ଦୃଷ୍ଟିକୋଣ ସନ୍ନିବେଶିତ ନିହାତି ଭିନ୍ନ ଧରଣର ଧାଡ଼ିକୁ ନେଇ ରଚିତ ଅନେକ କବିତା। ଅନେକ କଳାକାର, ସେମାନଙ୍କ ନିଜସ୍ୱ ଶୈଳୀରେ ପ୍ରସ୍ତୁତ କରିଛନ୍ତି ଭାବ ଉଦ୍ରେକକାରୀ କବିତାର ଗୁଚ୍ଛ, ଯାହା ଏବେ ଆମ ଦ୍ୱାରା ପ୍ରକାଶିତ ଲେଖା ସମୂହର ଏକ ଅବିଚ୍ଛେଦ୍ୟ ଅଂଶବିଶେଷ।

‘ପରୀ’ର କଥାବର୍ଣ୍ଣନରେ ଚିତ୍ରସଜ୍ଜା କିଛି ନୂଆ କଥା ନୁହେଁ। ଆମେ ଏମିତି ଅନେକ ଲେଖା ପ୍ରକାଶ କରିଛୁ ଯେଉଁଥିରେ ଚିତ୍ରସଜ୍ଜାରୁ ହିଁ କାହାଣୀର ସତ୍ୟତା ଉନ୍ମୋଚିତ ହୋଇପାରିଛି । ଅନ୍ୟ କେତେକ ସମୟରେ, ଆମେ ନୈତିକତା କାରଣରୁ ଏହିଭଳି ଲେଖା ପ୍ରକାଶ କରିଛୁ, ଯେମିତି କି ନିଖୋଜ ହୋଇଯାଉଥିବା ପିଲାମାନେ … ଶୀର୍ଷକ ଲେଖାରେ ପ୍ରକାଶିତ। ଅନ୍ୟ ଏକ ଲେଖାରେ ଲେଖକ, ନିଜେ ଜଣେ ଚିତ୍ରକର ହୋଇଥିବାରୁ ସେ ଫଟୋ ବଦଳରେ ଚିତ୍ର ଉପଯୋଗ କରିବାକୁ ସ୍ଥିର କରିଛନ୍ତି ଏବଂ ଯାହା ଦ୍ୱାରା ତାଙ୍କ କାହାଣୀ ରେ ଫୁଟି ଉଠିଛି ଏକ ନୂତନ ଅର୍ଥପୂର୍ଣ୍ଣ ଭାବ ଏବଂ ଉଦଭାସିତ ହୋଇଛି ଏକ ନୂତନ ଶକ୍ତିର ଆଲୋକ। ହେଲେ ଯେତେବେଳେ କଳାକାରମାନେ ନିଜେ ନିଜେ ‘ପରୀ’ରେ ପ୍ରକାଶିତ କବି ବା ଗାୟକଙ୍କ ସଂପର୍କିତ କୌଣସି ଲେଖାରେ କେଇ ଧାଡ଼ି ଯୋଡ଼ିବାକୁ ଆଗେଇ ଆସିଛନ୍ତି, ସେତେବେଳେ ଏହି ସମୃଦ୍ଧ ସମାହାରରେ ଫୁଟି ଉଠିଛି ନୂତନ ଭାବଧାରାର ସତେଜ ଅନୁଭବ।

ଏବେ ଆସନ୍ତୁ, ଏବଂ ଅନୁଭବ କରନ୍ତୁ ଏହି ମନୋରମ ପୁଷ୍ପଗୁଚ୍ଛର ପ୍ରତିଟି ପାଖୁଡ଼ାର ମହକ।

ଏହି ଲେଖା ପାଇଁ ଚିତ୍ର ସଂପାଦନାରେ ସହାୟତା କରିଥିବାରୁ ରିକିନ ସାଙ୍କଲେଚାକୁ ଆମ ଟିମ୍ ଧନ୍ୟବାଦ ଜଣାଉଛି

ଯଦି ଆମ କାମ ପ୍ରତି ଆପଣଙ୍କର ଆଗ୍ରହ ରହିଛି ଏବଂ ଆପଣ ‘ପରୀ’ରେ ଆପଣଙ୍କ ଅବଦାନ ସାମିଲ କରିବାକୁ ଚାହାଁନ୍ତି, ତେବେ ଦୟାକରି ଆମକୁ at [email protected]. ମେଲ୍ ଆଇଡିରେ ଲେଖନ୍ତୁ। ଆମ ସହିତ କାମ କରିବା ଲାଗି ମୁକ୍ତବୃତ୍ତି ଏବଂ ସ୍ୱାଧୀନ ଲେଖକ, ରିପୋର୍ଟର, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା, ଅନୁବାଦକ, ସଂପାଦକ, ଚିତ୍ରଶିଳ୍ପୀ ଏବଂ ଗବେଷକମାନଙ୍କୁ ଆମେ ସ୍ୱାଗତ କରୁଛୁ।

‘ପରୀ’ ଏକ ଲାଭକାରକ ସଂସ୍ଥା ନୁହେଁ ଏବଂ ଆମର ବହୁଭାଷୀ ଅନଲାଇନ୍ ପତ୍ରିକା ଏବଂ ଅଭିଲେଖାଗାରକୁ ପସନ୍ଦ କରୁଥିବା ବ୍ୟକ୍ତିମାନଙ୍କ ଅବଦାନ ଉପରେ ଆମେ ନିର୍ଭର କରୁ। ଆପଣ ଯଦି ‘ପରୀ’କୁ କିଛି ଦାନ ଦେବାକୁ ଚାହାଁନ୍ତି, ତେବେ DONATE ଉପରେ କ୍ଲିକ୍ କରନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍‍

Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Joshua Bodhinetra

Joshua Bodhinetra has an MPhil in Comparative Literature from Jadavpur University, Kolkata. He is a translator for PARI, and a poet, art-writer, art-critic and social activist.

Other stories by Joshua Bodhinetra
Archana Shukla

Archana Shukla is a Content Editor at the People’s Archive of Rural India and works in the publishing team.

Other stories by Archana Shukla
Illustration : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE