‘‘ଆରେ! ତୁମେ ଏଠାରେ କ’ଣ କରୁଛ?’’ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ କଠୋର ସ୍ୱରରେ ସେ ପଚାରିଲେ ।

ତୁରନ୍ତ ମୁଁ ଅନୁଭବ କରିପାରିଲି ଯେ ମୁଁ ତାଙ୍କୁ ଯେଉଁ ସ୍ଥାନରେ ଭେଟିଲି ସେ ଉଚ୍ଚ ନଦୀ ତଟକୁ ବୋଧହୁଏ ଅଧିକ ଲୋକ ଯାଆନ୍ତି ନାହିଁ ।

ଅନିରୁଦ୍ଧ ସିଂ ପାତାର ନଦୀତଟରୁ ତଳକୁ ଓହ୍ଲାଇ ନଈ ଆଡ଼କୁ ଯାଉଥିଲେ, ଏହି ସମୟରେ ସେ ହଠାତ୍‌ ଅଟକି ଗଲେ ଏବଂ ପଛକୁ ବୁଲି ମୋତେ ଚେତାବନୀ ଦେଲେ : ‘‘ଏହି ସ୍ଥାନରେ ସେମାନେ ଶବ ପୋଡ଼ିଥାନ୍ତି । ଗତକାଲି କେହି ଜଣେ ପ୍ରାଣ ହରାଇଥିଲା । ସେଠି ଛିଡ଼ା ହୁଅ ନାହିଁ । ମୋ ସହିତ ଆସ !’’

ଯଥାର୍ଥ ନିର୍ଦ୍ଦେଶ, ମୁଁ ଭାବିଲି, ମୃତକମାନେ ଅର୍ଜିଥିବା ଏକାନ୍ତ ଅବସ୍ଥାରେ, ସେମାନଙ୍କୁ ବିଶ୍ରାମ ନେବାକୁ ଛାଡ଼ି ଦେବା  ଠିକ୍ ହେବ।

ଦୁଇ ମିଟର ଉଚ୍ଚା ନଈପଠାରୁ ତଳକୁ ଓହ୍ଲାଇବା ସମୟରେ ମୁଁ ତାଙ୍କୁ ଦେଖୁଥିଲି, ସେ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ଥିବା କାଙ୍ଗସବତୀ ନଦୀରେ ଆଣ୍ଠୁ ବୁଡ଼ିବା ଭଳି ଗଭୀର ପାଣିରେ ଚତୁରତାର ସହ ପ୍ରବେଶ କରୁଥିଲେ। ତାଙ୍କର ଗତି ସହିତ ତାଳ ଦେଇ, ମୁଁ ସେତିକି ଦ୍ରୁତ ଗତିରେ ନଈପଠାରେ ଚାଲୁଥିଲି ।

ତାଙ୍କର ଚପଳତା, ତାଙ୍କ ବୟସ ଉପରେ ନୁହେଁ ବରଂ ତାଙ୍କ କୌଶଳ ଉପରେ ନିର୍ଭରଶୀଳ ଥିଲା, ଯାହାକି ଅତି ପ୍ରେରଣାଦାୟୀ ଥିଲା। ତେବେ ୬୦ ପାଖାପାଖି ବୟସରେ ପହଞ୍ଚିଥିବା ସେହି ବ୍ୟକ୍ତିଙ୍କୁ ମୁଁ ସାହସ କରି ପଚାରିଲି, ‘‘ମଉସା, ଆପଣ ଏ ନଦୀରେ କ’ଣ କରୁଛନ୍ତି ?’’

ଅନିରୁଦ୍ଧ ନିଜ ଅଣ୍ଟାରେ ଥଳି ଆକାରରେ ବାନ୍ଧିଥିବା ଧଳା କପଡ଼ାକୁ ସାମାନ୍ୟ ହୁଗୁଳା କରି ସେ ଧରିଥିବା ଅନେକଗୁଡ଼ିଏ ମାଛ ମଧ୍ୟରୁ ଚିଙ୍ଗୁଡ଼ିଟିଏ ଅତି ସନ୍ତର୍ପଣରେ ବାହାର କରି ଦେଖାଇଲେ ଏବଂ ଶିଶୁସୁଲଭ ଉତ୍ସାହ ନେଇ କହିଲେ, ‘‘ଏ ଚିଙ୍ଗରି (ଚିଙ୍ଗୁଡ଼ି)କୁ ଦେଖୁଛ? ଏହା ଆଜି ଆମର (ତାଙ୍କ ପରିବାରର) ମଧ୍ୟାହ୍ନ ଭୋଜନ ହେବ। ଶୁଖ୍‌ନୋଲଙ୍କା ଏବଂ ରୋସୁନ ସହିତ ରନ୍ଧା ହୋଇଥିବା ଏହି ଚିଙ୍ଗୁରି ଗୋରମ ଭାତ ସହ ବହୁତ ଭଲ ଲାଗିଥାଏ।’’ ଶୁଖିଲା ଲଙ୍କା ଓ ରସୁଣ ସହିତ ରନ୍ଧା ହୋଇଥିବା ଚିଙ୍ଗୁଡ଼ି ଗରମ ଗରମ ଭାତ ସହିତ ଖାଇଲେ ବେଶ୍‌ ସୁଆଦିଆ ଲାଗିଥାଏ ।

Anirudhdha Singh Patar with his catch of prawns, which he stores in a waist pouch made of cloth
PHOTO • Smita Khator

ନିଜେ ଧରିଥିବା ଚିଙ୍ଗୁଡ଼ି ସହିତ ଅନିରୁଦ୍ଧ ସିଂ ପାତାର, ଏହାକୁ ସେ କପଡ଼ାରେ ତିଆରି ହୋଇଥିବା ଅଣ୍ଟା ଥଳିରେ ରଖିଥାନ୍ତି

ନିଜେ ଧରିଥିବା ଚିଙ୍ଗୁଡ଼ି ସହିତ ଅନିରୁଦ୍ଧ ସିଂ ପାତାର, ଏହାକୁ ସେ କପଡ଼ାରେ ତିଆରି ହୋଇଥିବା ଅଣ୍ଟା ଥଳିରେ ରଖିଥାନ୍ତି

ମାଛ ଏବଂ ଚିଙ୍ଗୁଡ଼ି ହାତରେ ଧରୁଥିବା ଜଣେ ବ୍ୟକ୍ତିଙ୍କ ପାଖରେ ଜାଲ ନଥିବାର କାରଣ ବେଶ୍‌ ସ୍ପଷ୍ଟ ଥିଲା। ‘‘ମୁଁ କେବେ ଜାଲ ବ୍ୟବହାର କରିନାହିଁ,’’ ସେ କହିଥିଲେ । ‘‘ମୁଁ ମୋ ହାତ ବ୍ୟବହାର କରିଛି । ମୁଁ ଜାଣେ ସେମାନେ (ମାଛ) କେଉଁଠି ଲୁଚିଛନ୍ତି ।’’ ନଦୀ ଆଡ଼କୁ ହାତ ଦେଖାଇ ସେ ପୁଣି କହିଲେ, ‘‘ଏହି ପଥର କଡ଼ ଏବଂ ନଈ ଭିତରେ ଥିବା ପାଣି ଘାସ ଓ ଶୈବାଳକୁ ଦେଖିପାରୁଛ? ଏହା ହେଉଛି ଚିଙ୍ଗୁଡ଼ିଙ୍କ ଘର ।’’

ମୁଁ ନଦୀ ପାଣିକୁ ନିରେଖି ଚାହିଁଲି ଏବଂ ଦେଖିଲି ଯେ, ଘାସ ଓ ଶୈବାଳ ଭିତରେ ନଈ ଚିଙ୍ଗୁଡ଼ିଗୁଡ଼ିକ ରହିଛନ୍ତି ଯାହା ବିଷୟରେ ଅନିରୁଦ୍ଧ କହୁଥିଲେ ।

ଆମେ ପୁଣିଥରେ ତାଙ୍କ ମଧ୍ୟାହ୍ନ ଭୋଜନ ବିଷୟରେ ଆଲୋଚନା କଲୁ, ତାଙ୍କ ଖାଇବା ପାଇଁ ଚାଉଳ କେଉଁଠୁ ଆସେ ସେ ସମ୍ପର୍କରେ ଅନିରୁଦ୍ଧ କହିଲେ । ‘‘ଆମ ପାଖରେ ଥିବା ଛୋଟ ଖଣ୍ଡେ ଜମିରେ ହାଡ଼ଭଙ୍ଗା ପରିଶ୍ରମ କରି ଧାନ ଅମଳ କଲେ ପରିବାର ପାଇଁ ଗୋଟିଏ ବର୍ଷର ଖୋରାକୀ (ଖାଇବା ପାଇଁ) ଚାଉଳ ଯୋଗାଡ଼ ହୋଇଥାଏ’’।

ତାଙ୍କ ପରିବାର ପୁରୁଲିଆର ପୁଞ୍ଚା ବ୍ଲକ ଅନ୍ତର୍ଗତ କାଇରା ଗ୍ରାମରେ ରୁହନ୍ତି, ସେମାନେ ପଶ୍ଚିମବଙ୍ଗରେ ଅନୁସୂଚିତ ଜନଜାତି ଭାବେ ପରିଚିତ ଭୂମିଜ ସମ୍ପ୍ରଦାୟର ଅଧିବାସୀ । ଗାଁର ମୋଟ ଜନସଂଖ୍ୟା ୨,୨୪୯ (୨୦୧୧ ଜନଗଣନା) ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଆଦିବାସୀ ଏବଂ ସେମାନେ ଖାଦ୍ୟ ପାଇଁ ନଦୀ ଉପରେ ନିର୍ଭରଶୀଳ ।

ଅନିରୁଦ୍ଧ ଧରିଥିବା ମାଛ ବିକ୍ରି କରନ୍ତି ନାହିଁ – ପରିବାର ଖାଇବା ପାଇଁ ସାଇତି ରଖିଥାନ୍ତି । ମାଛ ଧରିବା ତାଙ୍କ କାମ ନୁହେଁ ବୋଲି ସେ କୁହନ୍ତି । ତେବେ ମାଛ ଧରିବାକୁ ସେ ଭଲ ପାଆନ୍ତି । ‘‘ମୁଁ ଦୂର ସ୍ଥାନକୁ ରୋଜଗାର କରିବା ଲାଗି ଯାଏ’’, ଏହା କହିବା ସମୟରେ ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ । କାମ ସନ୍ଧାନରେ ତାଙ୍କୁ କେବେ ଉତ୍ତର ପ୍ରଦେଶ ତ’ ଆଉ କେବେ ମହାରାଷ୍ଟ୍ର ଯିବାକୁ ପଡ଼ିଥାଏ । ଅଧିକାଂଶ ସମୟରେ ସେ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି, ସେ ଅନ୍ୟ କାମ ମଧ୍ୟ କରିଥାନ୍ତି।

୨୦୨୦ ମସିହା କୋଭିଡ-୧୯ ଲକଡାଉନ ସମୟରେ ସେ ନାଗପୁରରେ ଅଟକି ଯାଇଥିଲେ । ‘‘ଏକ ଅଟ୍ଟାଳିକା ନିର୍ମାଣ କାମ କରିବା ଲାଗି ମୁଁ ସେଠାକୁ ଠିକାଦାରଙ୍କ (ଶ୍ରମିକ କଣ୍ଟ୍ରାକ୍ଟର) ସହ ଯାଇଥିଲି । ସେତେବେଳେ ଚଳିବା ଭାରି କଷ୍ଟ ଥିଲା,’’ ସେ ମନେ ପକାଇ କୁହନ୍ତି । ‘‘ବର୍ଷକ ପୂର୍ବରୁ ମୁଁ ଫେରି ଆସିଥିଲି ଏବଂ ବୟସ ବଢ଼ୁଥିବାରୁ ମୁଁ ଆଉ ବାହାରକୁ ଯିବି ନାହିଁ ବୋଲି ନିଷ୍ପତ୍ତି ନେଇଛି ।’’

ପ୍ରାୟ ୪୦ ବର୍ଷ ବୟସ୍କ କାଇରା ନିବାସୀ ଅମଲ ମାହୋତୋ କୁହନ୍ତି, ପୁରୁଲିଆ ଜିଲ୍ଲାର ପୁରୁଷମାନେ କାମ କରିବା ଲାଗି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କେରଳ ଏବଂ ଅନ୍ୟ ରାଜ୍ୟ ଏବଂ ରାଜ୍ୟ ଭିତରକୁ ମଧ୍ୟ ଯାଇଥାନ୍ତି । ସେମାନେ ବେଳେବେଳେ ପଶ୍ଚିମବଙ୍ଗର ଅନ୍ୟସ୍ଥାନକୁ ମଧ୍ୟ ଯାଇଥାନ୍ତି । ପେସାରେ ଶିକ୍ଷକ ତଥା ଏକ ସ୍ଥାନୀୟ ସମ୍ବାଦପତ୍ର ପାଇଁ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଅମଲ କୁହନ୍ତି, ଚାଷବାସ ଖର୍ଚ୍ଚ ପାଇଁ ନେଇଥିବା ଋଣ ସୁଝିବା ଲାଗି ସେମାନେ ବାହାରକୁ ଯିବା ଲାଗି ବାଧ୍ୟ ହୋଇଥାନ୍ତି । ସେମାନଙ୍କ ଅନୁପସ୍ଥିତିରେ, ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିବା ଲାଗି ମହିଳାମାନେ ଚାଷ ଜମିରେ କାମ କରିଥାନ୍ତି । ‘‘କମ୍‌ ଜମି ଥିବା ଆଦବାସୀ ପରିବାର ଏହି କୁଚକ୍ର ଭିତରେ ଘାଣ୍ଟି ହୋଇଥାନ୍ତି । ସେମାନେ ମହାଜନଙ୍କଠାରୁ ଟଙ୍କା ଉଧାର ନେଇଥାନ୍ତି,’’ ଅମୋଲ କହିଥିଲେ ।

Anirudhdha pointing to places where prawns take cover in the river.
PHOTO • Smita Khator
Wading the water in search of prawns, he says, ‘My father taught me the tricks of locating and catching them with my bare hands’
PHOTO • Smita Khator

ବାମ: ଚିଙ୍ଗୁଡ଼ି ନଦୀର ଯେଉଁ ସ୍ଥାନରେ ରହିଥାନ୍ତି ଅନିରୁଦ୍ଧ ସେହି ଆଡ଼କୁ ଇସାରା କରି ଦେଖାଇ ଦେଇଥିଲେ । ଡାହାଣ: ନଈ ପାଣିରେ ଚିଙ୍ଗୁଡ଼ି ଅଣ୍ଡାଳୁଥିବା ସମୟରେ ସେ କହିଥିଲେ, ‘ଖାଲି ହାତରେ ସେଗୁଡ଼ିକୁ ଠାବ କରିବା ଏବଂ ଧରିବାର କୌଶଳ ମୋ ବାପା ମୋତେ ଦେଖାଇ ଦେଇଥିଲେ’

ସାର ଓ ବିହନ ଭଳି କୃଷି ସାମଗ୍ରୀ କିଣିବା ଲାଗି ଅନିରୁଦ୍ଧ ଋଣ କରିଥିଲେ, ଯାହା ତାଙ୍କୁ ସୁଝିବାର ଥିଲା । ନାଗପୁରରେ ସେ ବାଲି ଓ ସିମେଣ୍ଟ ଗୋଳାଇବା ଏବଂ ଭାରୀ ଜିନିଷ ଉଠାଇବା କାମ କରି ସେ ଦିନକୁ ୩୦୦ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ କାଇରାରେ ମିଳୁଥିବା ଦିନ ମଜୁରି ଯଥେଷ୍ଟ ନୁହେଁ । ‘‘କାମ ନଥିଲେ ଆମକୁ ବସିବାକୁ ପଡ଼ିଥାଏ,’’ ସେ କୁହନ୍ତି । ବୁଣିବା କିମ୍ବା ଅମଳ କରିବା ଋତୁରେ ତାଙ୍କୁ ଯେତେବେଳେ ଚାଷ ଜମିରେ କାମ ମିଳିଥାଏ ସେ ଦିନକୁ ୨୦୦ ଟଙ୍କା କିମ୍ବା ତା’ଠାରୁ କମ୍‌ ରୋଜଗାର କରିଥାନ୍ତି । ‘‘ବେଳେବେଳେ ମୋତେ କାମ ମିଳିଥାଏ (କାଇରାରେ) ଯେତେବେଳେ ନଦୀ ‘ ରୟାଲିଟୀ’ ନେଇଥିବା ଲୋକମାନେ ଲରୀ ନେଇ ବାଲି ଖୋଳିବାକୁ ଆସିଥାନ୍ତି । ମୁଁ ନଦୀରୁ ବାଲି ଉଠାଇ ଲରୀରେ ଲୋଡ୍‌ କରିବା କାମ ପାଇଁ ୩୦୦ ଟଙ୍କା (ଦୈନିକ) ରୋଜଗାର କରିଥାଏ ।’’

ଅନିରୁଦ୍ଧଙ୍କ ପାଇଁ ‘ରୟାଲିଟୀ’ର ଅର୍ଥ ହେଉଛି ବାଲି ଖନନ ପାଇଁ କାଙ୍ଗସାବତୀ ନଦୀ ଶଯ୍ୟାକୁ ଲିଜ୍‌ରେ ନେବା । ଏଠାରେ ସମ୍ପୂର୍ଣ୍ଣ ଅବିଚାରିତ ଭାବେ ବାଲି ଖନନ କରାଯାଇଥାଏ ଏବଂ ଅନେକ ସମୟରେ ଦୀର୍ଘସ୍ଥାୟୀ ବାଲୁକା ଖନନ ମାର୍ଗଦର୍ଶିକାର ଉଲ୍ଲଙ୍ଘନ କରାଯାଇଥାଏ । ଗାଁ ଲୋକମାନେ କୁହନ୍ତି ଯେ, କ୍ଷମତାଶାଳୀ ରାଜନେତାଙ୍କ ପ୍ରୋତ୍ସାହନରେ ନଦୀଶଯ୍ୟାରୁ ଅନିୟନ୍ତ୍ରିତ ଭାବେ ବାଲି ଚୋରା ଚାଲାଣ ହୋଇଥାଏ । କିନ୍ତୁ ଏହି କାରବାର ଅନିରୁଦ୍ଧ ସିଂ ପାତାରଙ୍କ ଭଳି ଗ୍ରାମବାସୀଙ୍କ ପାଇଁ କିଛି ଦିନର ମଜୁରି ଯୋଗାଡ଼ କରି ଦେଇଥାଏ – ସେମାନେ ହୁଏତ’ ଏହା ବେଆଇନ କାମ ବୋଲି ଜାଣନ୍ତି ନାହିଁ ।

ତେବେ ପରିବେଶ ଉପରେ ‘‘ରୟାଲିଟୀ ବ୍ୟବସାୟ’’ର କୁପରିଣାମ ସମ୍ପର୍କରେ ସେ ସଚେତନ ଅଛନ୍ତି । ସେ କହିଥିଲେ, ‘‘ବିଶାଲ ଖୋତି ନଦୀର’’, ନଦୀ ଉପରେ ଭୟଙ୍କର କୁପରିଣାମ ପଡ଼ିଥାଏ । ‘‘ସେମାନେ ଯେଉଁ ବାଲି ଉଠାଇ ନିଅନ୍ତି ତାହା ଭରିବା ପାଇଁ ଅନେକ ବର୍ଷ ଲାଗିଥାଏ।’’

ଆଗକୁ ଅନିରୁଦ୍ଧ କହିଥିଲେ ଯେ, ‘‘ପୂର୍ବରୁ ନଦୀରେ ପ୍ରଚୁର ମାଛ ଥିଲେ । ସେ ବାନ୍‌ (ଚିତ୍ରିତ ଭାରତୀୟ ଇଲ୍‌ ମାଛ), ଶୋଲ (ଶେଉଳ ମାଛ) ଏବଂ ମାଗୁର ମାଛ ଆଦି କଥା କହିଥିଲେ । ‘‘ପୂର୍ବରୁ ଜେଲେସ (ମତ୍ସ୍ୟଜୀବୀ) ମାନେ ଆସି ଜାଲ ପକାଇ ମାଛ ଧରୁଥିଲେ । ଏବେ ସେମାନେ ଏଠାକୁ ଆସୁନାହାନ୍ତି । ସେମାନେ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡକୁ ଚାଲି ଯାଇଛନ୍ତି ।’’ ପ୍ଲାଷ୍ଟିକ, ଖାଲି ବୋତଲ, ଥର୍ମୋକୋଲ ପ୍ଲେଟ୍‌ ଫିଙ୍ଗି ନଦୀତଟକୁ ପ୍ରଦୂଷିତ କରୁଥିବା ‘‘ବଣଭୋଜି ଦଳ’’ ଉପରେ ସେ ଅସେନ୍ତାଷ ବ୍ୟକ୍ତ କରିଥିଲେ ।

ଚିଙ୍ଗୁଡ଼ି ସନ୍ଧାନରେ ସେ ଅତି ଆରାମରେ ପାଣିକୁ କାଟି ଚାଲୁଥିଲେ । ‘‘ଆମେ ପିଲା ଥିବା ସମୟରେ, ନଦୀରେ ପ୍ରଚୁର ପରିମାଣରେ ଚିଙ୍ଗରୀ (ଚିଙ୍ଗୁଡ଼ି) ଥିଲେ’’, ଅନିରୁଦ୍ଧ କହିଥିଲେ । ‘‘ଖାଲି ହାତରେ ସେମାନଙ୍କୁ ଠାବ କରିବା ଓ ଧରିବାର କୌଶଳ ମୋ ବାପା ମୋତେ ଶିଖାଇ ଦେଇଥିଲେ । ବାବା ଆମାର ବିରାଟ ମାଛୋବାଲା ଛିଲୋ (ମୋ ବାପା ଜଣେ ବଡ଼ ମାଛ ଧରାଳି ଥିଲେ)।

Kangsabati river, which flows through Kaira in Puruliya's Puncha block, is a major source of food for Adivasi families in the village
PHOTO • Smita Khator

ପୁରୁଲିଆର ପୁଞ୍ଚା ବ୍ଲକରେ ଥିବା କାଇରା ଦେଇ କାଙ୍ଗସାବତୀ ନଦୀ ପ୍ରବାହିତ ହୋଇ ଯାଇଛି, ଏହା ଗାଁର ଆଦିବାସୀ ପରିବାରଙ୍କ ପାଇଁ ଖାଦ୍ୟର ଏକ ବଡ଼ ଉତ୍ସ

ଗୋଟିଏ ପଟେ ଗୋଟିଏ ଚିଙ୍ଗରୀ ଧରୁ ଧରୁ ସେ କହିଥିଲେ, ‘‘ଚିଙ୍ଗୁଡ଼ି ସଫା କରିବା ପାଇଁ ଅଧିକ ସମୟ ଲାଗିଥାଏ, କିନ୍ତୁ ଏଗୁଡ଼ିକୁ ଖାଇବା ବେଶ ସୁସ୍ୱାଦୁ ହୋଇଥାଏ ।’’ ଏବେ କିନ୍ତୁ ଚିଙ୍ଗୁଡ଼ି କିମ୍ବା ନଦୀ ଆଉ ସେପରି ହୋଇ ରହିନାହିଁ ବୋଲି ସେ କହିଥିଲେ । ‘‘ନଦୀ ତଟରେ ସେମାନେ ଧାନ ଓ ସୋରିଷ ଚାଷ କରୁଥିବା କ୍ଷେତ ତୁମେ ଦେଖିପାରୁଛ? ସେଠାରେ ସେମାନେ ଫସଲରେ ନାନା ପ୍ରକାର ସାର ଓ କୀଟନାଶକ ପ୍ରୟୋଗ କରିଥାନ୍ତି । ପରେ ସିଞ୍ଚନ ପାତ୍ରକୁ ନଦୀ ଜଳରେ ଧୋଇଥାନ୍ତି । ଏଥିରେ ପାଣି ବିଷାକ୍ତ ହୋଇ ମାଛମାନେ ମରି ଯାଉଛନ୍ତି । ଚିଙ୍ଗରି ଆଉ ପର୍ଯ୍ୟାପ୍ତ ପରିମାଣରେ ମିଳୁନାହାନ୍ତି ...’’

କାଇରାରୁ ୫-୬ କିଲୋମିଟର ଦୂର ପିରା ଗାଁର ଶୁଭଙ୍କର ମାହାତୋ ନଦୀକୁ ଗାଧୋଇବା ପାଇଁ ଆସିଥିଲେ, ସେ ଅନିରୁଦ୍ଧଙ୍କ କଥାରେ ଏକମତ ହୋଇଥିଲେ । ‘‘ଏକଦା ଏହି ନଦୀ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର କୃଷିଜୀବୀ ଆଦିବାସୀମାନଙ୍କୁ ଜୀବିକା ଏବଂ ପ୍ରଚୁର ପରିମାଣର ପୁଷ୍ଟିସାର ଓ ଅନ୍ୟ ଜରୁରି ପୋଷକ ତତ୍ତ୍ୱ ଉଭୟ ଯୋଗାଇ ଦେଉଥିଲା, କାରଣ ଏମାନେ ଖାଦ୍ୟଶସ୍ୟ କିଣିବା ଲାଗି ଅସମର୍ଥ ଥିଲେ ।’’ ପୁରୁଲିଆ ରାଜ୍ୟର ସବୁଠୁ ଗରିବ ଜିଲ୍ଲା ବୋଲି ସେ ଉଲ୍ଲେଖ କରିଥିଲେ ।

୨୦୨୦ର ଏକ ଅଧ୍ୟୟନ ଅନୁଯାୟୀ, ପଶ୍ଚିମବଙ୍ଗରେ ସର୍ବାଧିକ ଦାରିଦ୍ର୍ୟ ପୁରୁଲିଆରେ ରହିଛି । ଏଠାକାର ମୋଟ ପରିବାର ମଧ୍ୟରୁ ୨୬ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି। ଶିକ୍ଷକ ଶୁଭଙ୍କର କହିଥିଲେ, ‘‘ଏଠାକାର ପରିବାର ଖାଦ୍ୟ ପାଇଁ ଜଙ୍ଗଲ ଓ ନଦୀ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ପ୍ରାକୃତିକ ସମ୍ପଦ ଏବେ ସରି ଆସିଲାଣି ।

ଅନିରୁଦ୍ଧ ଅଧିକ ଚିଙ୍ଗୁଡ଼ି ସନ୍ଧାନରେ ଥିବା ବେଳେ ତାଙ୍କ ପରିବାର ବିଷୟରେ ମୁଁ ତାଙ୍କୁ ପଚାରିଲି, ଯେଉଁମାନଙ୍କ ପାଇଁ ସେ ଏତେ କଷ୍ଟ କରି ଚିଙ୍ଗୁଡ଼ି ଧରିବା ଲାଗି ନିୟୋଜିତ ଥିଲେ । ସେ କହିଥିଲେ, ‘‘ମୋ ପତ୍ନୀ ଘରକରଣା ସହିତ ଚାଷ ଜମିରେ କାମ କରିଥାନ୍ତି । ମୋ ପୁଅ ମଧ୍ୟ ଆମ ଜମିରେ କାମ କରିଥାଏ ।’’ ପିଲାମାନଙ୍କ ବିଷୟରେ କହିବା ସମୟରେ ସେ ସାମାନ୍ୟ ଉତ୍ସାହିତ ହୋଇପଡ଼ିଥିଲେ । ‘‘ମୋ ତିନି ଝିଅମାନେ ବାହା ହୋଇସାରିଛନ୍ତି (ସେମାନେ ଅନ୍ୟତ୍ର ରହୁଛନ୍ତି) ମୋ ପାଖରେ ଏବେ ଗୋଟିଏ ପିଲା ଅଛି ଏବଂ ମୁଁ ତା’କୁ କୁଆଡ଼େ ଛାଡ଼ୁ ନାହିଁ (କାମ କରିବାକୁ), ମୁଁ ମଧ୍ୟ ଆଉ କୌଣସି ଦୂର ସ୍ଥାନକୁ ଯାଉନାହିଁ ।’’

ଅନିରୁଦ୍ଧଙ୍କଠାରୁ ବିଦାୟ ନେବା ସମୟରେ, ସେ କଷ୍ଟ କରି ଯୋଗାଡ଼ କରିଥିବା ଖାଦ୍ୟ ପରିବାର ଲୋକଙ୍କ ସହ ମିଶି ଖାଇବା କଥା ମୁଁ ମନରେ କଳ୍ପନା କରୁଥିଲି। ଏହି ସମୟରେ ବାଇବେଲର ଏକ ଉକ୍ତି ମୋର ମନେ ପଡ଼ିଲା, ‘‘ଯେଉଁ ସ୍ଥାନ ଦେଇ ନଦୀ ପ୍ରବାହିତ ହୋଇଥାଏ, ସେଠାରେ ଦଳବଦ୍ଧ ହୋଇ ରହୁଥିବା ପ୍ରତ୍ୟେକ ଜୀବଜନ୍ତୁ ଜୀବିତ ରହିଥାନ୍ତି, ଏବଂ ପ୍ରଚୁର ପରିମାଣରେ ମାଛ ମିଳିଥାଏ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Smita Khator

Smita Khator is the Translations Editor at People's Archive of Rural India (PARI). A Bangla translator herself, she has been working in the area of language and archives for a while. Originally from Murshidabad, she now lives in Kolkata and also writes on women's issues and labour.

Other stories by Smita Khator
Editor : Vishaka George

Vishaka George is Senior Editor at PARI. She reports on livelihoods and environmental issues. Vishaka heads PARI's Social Media functions and works in the Education team to take PARI's stories into the classroom and get students to document issues around them.

Other stories by Vishaka George
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE