html ମାଣ୍ଡ୍ୟା : ନିର୍ବାଚନୀ ଇସ୍ତାହାର ଓ ଚାଷୀଙ୍କ ଦୁଃଖ

ଗନନଗୁରୁ ଗାଁର ଜଣେ ଚାଷୀ ସ୍ୱାମୀ କହନ୍ତି, ‘ରାଜନେତାମାନେ ସେମାନଙ୍କର ପ୍ରତିଶ୍ରୁତି କେବଳ ଟିଭିରେ ଦିଅନ୍ତି।’ ଗନନଗୁରୁ ମାଣ୍ଡ୍ୟା ଜିଲ୍ଲାର ଶ୍ରୀରଙ୍ଗାପାଟନା ତାଲୁକରେ ଅବସ୍ଥିତ। ସେଠାକାର ଲୋକସଂଖ୍ୟା ପ୍ରାୟ ୧,୫୦୦।

ମେ ୧୨ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ  ବିଧାନସଭା ନିର୍ବାଚନ ଦୌଡ଼ରେ ଇସ୍ତାହାର, ପ୍ରଚାର ଏବଂ ଟିଭି ଚ୍ୟାନେଲଗୁଡ଼ିକରେ ତୀବ୍ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଜନତା ଦଳ (ଜେଡିଏସ୍‌)ର ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି ଯେ, ସେମାନେ ବର୍ଷକ ମଧ୍ୟରେ ସବୁ ଚାଷୀଙ୍କ ଋଣ ଛାଡ଼ କରିବେ, ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରର ଋଣ ବି ଛାଡ଼ ହେବ। ଜାତୀୟ ଓ ସମବାୟ ବ୍ୟାଙ୍କଗୁଡ଼ିକରୁ ଚାଷୀମାନେ ନେଇଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିବାକୁ ଭାରତୀୟ ଜନତା ପାର୍ଟି (ବିଜେପି)ପ୍ରତିଶ୍ରୁତି ଦେଇଛି। କଂଗ୍ରେସ ଋଣ ଛାଡ଼ କରିବା ନେଇ କିଛି ଘୋଷଣା କରିନାହିଁ, କିନ୍ତୁ ଚାଷୀଙ୍କ ରୋଜଗାର ଦୁଇଗୁଣ ହେବ ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ (୨୦୧୮ରୁ ୨୦୨୩ ) ଜଳସେଚନ ବାବଦରେ ୧.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଏକ ଯୋଜନା ପ୍ରସ୍ତୁତ କରିବ ବୋଲି କହିଛି। ଯେତେବେଳେ କି ବିଜେପି ଓ ଜେଡିଏସ କହିଛନ୍ତି ଯେ ସେମାନେ ରାଜ୍ୟରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଜଳସେଚନ ପ୍ରକଳ୍ପ ବାବଦରେ ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ।

କିନ୍ତୁ ଗନନଗୁରୁ ଗାଁର ଚାଷୀମାନେ ମିଥ୍ୟା ପ୍ରତିଶ୍ରୁତି ଶୁଣି ଶୁଣି ଥକି ପଡ଼ିଛନ୍ତି। ସ୍ୱାମୀ କହନ୍ତି, ‘ଟିଭିରେ ପ୍ରତିଶ୍ରୁତି ଦେବା ଅପେକ୍ଷା ରାଜନେତାମାନେ କାବେରୀ ପ୍ରସଙ୍ଗର ସମାଧାନ କରିବା ଆବଶ୍ୟକ ଯେପରିକି ଆମେ ଆମର ଜମିରେ ଚାଷ କରିପାରିବୁ, ଲୋକମାନେ ଖାଦ୍ୟ ଖାଇପାରିବେ ଓ ବଞ୍ଚିପାରିବେ। (ଏହି ଗାଁର ଚାଷୀମାନେ ସେମାନଙ୍କ ନାଁର ପ୍ରଥମ ଶଦ୍ଧକୁ କେବଳ ବ୍ୟବହାର କରାଯିବାକୁ ଚାହିଁଥିଲେ)

Three farmers and a woman sitting in the front of a home
PHOTO • Vishaka George
A farmer sitting in front of a home
PHOTO • Vishaka George

ସ୍ୱାମୀ(ଡାହାଣ) କହନ୍ତି, ‘ରାଜନେତାମାନେ କେବଳ ଟିଭିରେ ପ୍ରତିଶ୍ରୁତି ଦିଅନ୍ତି।’ ପ୍ରତିଶ୍ରୁତି ଶୁଣି ଶୁଣି ଥକି ପଡ଼ିଥିବା ଗନନଗୁରୁର ଚାଷୀମାନେ କାବେରୀ ବିବାଦ ପ୍ରସଙ୍ଗର ସମାଧାନ ଏବଂ ଶେଷରେ ପାଣି ସେମାନଙ୍କ ନିକଟରେ ପହଞ୍ଚୁ ବୋଲି ଚାହାନ୍ତି।

ସାରା ଦିନର ପରିଶ୍ରମ ପରେ ସ୍ୱାମୀଙ୍କ ଘରର ବାରଣ୍ଡାରେ ଏକ ଆଜବେଷ୍ଟସ୍ ଛାତ ତଳେ ବସି ତିନି ଜଣ ଚାଷୀ ପ୍ରାୟ ଅପରାହ୍ନ ୩ଟା ସମୟରେ ଟିକେ ବିଶ୍ରାମ ନେଉଥିଲେ। ଆମର ଆଲୋଚନାକୁ ଦେଖି ଆହୁରି କିଛି ଚାଷୀ ସେମାନଙ୍କ ସହ ଯୋଗଦେଲେ। ସେମାନେ ଆମକୁ ପଚାରିଲେ, ‘ତୁମେ ଆମର ସୁନା ନା ଟଙ୍କା ଚାହୁଁଛ? ଆମେ ପୂର୍ବରୁ ବିଭିନ୍ନ ଦୁର୍ନୀତିରେ ପୀଡ଼ିତ।’ ତା’ ପରେ ସେମାନଙ୍କ ମଧ୍ୟରୁ ଜଣେ ନରସିଂହ କହିଲେ, ‘ଓଃ, ମିଡିଆ- ଯାହାକୁ ରାଜନେତାମାନେ ସେମାନଙ୍କର ବିରାଟ ପ୍ରତିଶ୍ରୁତି ଦେବାକୁ ଭଲ ପାଆନ୍ତି।’

କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଜଳ ବଣ୍ଟନକୁ ନେଇ ଦୀର୍ଘ ଦିନ ହେଲା ଚାଲିଥିବା କାବେରୀ ନଦୀ ବିବାଦର ପେଣ୍ଠସ୍ଥଳୀ ହେଉଛି ମାଣ୍ଡ୍ୟା।  ଏହାର ଚାଷଜମିର ଅଧା (କର୍ଣ୍ଣାଟକ ସରକାରଙ୍କ ମାନବ ବିକାଶ ରିପୋର୍ଟ ୨୦୧୪ ଅନୁସାରେ ଜିଲ୍ଳାର ମୋଟ ୫୨୪,୪୭୧ ହେକ୍ଟର ଚାଷଜମିରୁ ୩୨୪,୦୬୦ ହେକ୍ଟର) କୃଷ୍ଣରାଜା ସାଗର ଡ୍ୟାମରୁ ଜଳସେଚିତ ହୋଇଥାଏ। ୧୯୪୨ ମସିହାରେ ମାଣ୍ଡ୍ୟା ଜିଲ୍ଲାରେ କାବେରୀ ନଦୀ ଉପରେ ତାହା ନିର୍ମିତ ହୋଇଥିଲା। ଐତିହାସିକ ଭାବେ ହେମବତୀ ନଦୀ ମଧ୍ୟ ଏହି ଅଞ୍ଚଳର ଜଳସେଚନ ପାଇଁ ସହାୟକ ହୋଇଆସିଛି।

ଅଧିକ ଜଳ ଆବଶ୍ୟକ କରୁଥିବା ଶସ୍ୟ, ଭୂତଳ ଜଳର ଅଧିକଉତ୍ତୋଳନ, ବାଲି ଉତ୍ତୋଳନ ଏବଂ ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ଭଳି କାରଣ ଯୋଗୁ ଭୂତଳ ଜଳ ସ୍ତର କମିବା ଏବଂ ଦୁର୍ବଳ ମୌସୁମୀ କାରଣରୁ ସୃଷ୍ଟି ହେଉଥିବା ମରୁଡି ମାଣ୍ଡ୍ୟାର ଚାଷୀମାନଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି। କର୍ଣ୍ଣାଟକରେ ଏବେ ପଡ଼ିଥିବା ମରୁଡ଼ି  ଗତ ଚାରି ଦଶନ୍ଧି ମଧ୍ୟରେ ସବୁଠାରୁ ଉତ୍କଟ ବୋଲି କୁହାଯାଉଛି। ପ୍ରାୟ ୧.୮୧ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲା କର୍ଣ୍ଣାଟକର ସବୁଠାରୁ ଅଧିକ ଚାଷୀ ଆତ୍ମହତ୍ୟା କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ଗୋଟିଏ।

ଗନନଗୁରୁରେ ମରୁଡ଼ି ପ୍ରଭାବିତ ଜମିର ଠିକ୍ ବୀପରିତରେ ଚାଷୀମାନେ ଛାଇରେ ବସିଛନ୍ତି। ଯେପରିକି ଏହି କେନାଲଗୁଡ଼ିକ ସେମାନଙ୍କୁ  ଜଳସେଚିତ କରିଥାନ୍ତା, କିନ୍ତୁ ଏବେ ତାହା ଶୁଖିଲା।
Two men standing under a roof
PHOTO • Vishaka George
An old man and a young boy under the shade of a tree
PHOTO • Vishaka George

ବାମ: ଧାନଚାଷୀ ବେଲୁ (ଡାହାଣ) କହନ୍ତି କେନାଲଗୁଡ଼ିକରେ ଦୁଇ ମାସ ହେଲା ପାଣି ଆସିନାହିଁ। ଡାହାଣ: ଜଳସେଚନ ବା ବର୍ଷା ବିନା ଫସଲ କ’ଣ ହେବ ସେ ନେଇ ପୁଟ୍ଟେ ଗୌଡ଼ା ଚିନ୍ତିତ।

ଚାଷୀ ବେଲୁ କହନ୍ତି ‘ଗତ ଦୁଇ ମାସ ହେଲା ଆମ କେନାଲରେ ପାଣି ଆସିନାହିଁ। ଆମର ଧାନ ଚାଷ ନଷ୍ଟ ହୋଇଗଲାଣି।’ ସେ ମଧ୍ୟ ଦୁଇ ଏକର ଜମିରେ ଟମାଟୋ ଓ ମକା ଚାଷ କରୁଛନ୍ତି। ନରସିଂହ କହନ୍ତି, ‘କିଛି ଟଙ୍କା ଉପାର୍ଜନ ପାଇଁ ତେଣୁ ଆମେ ଗୃହପାଳିତ ପଶୁଙ୍କ ଉପରେ ନିର୍ଭର କରୁଛୁ। ଯେଉଁ ଖାଦ୍ୟଶସ୍ୟକୁ ଆମେ ସାଇତି ରଖିଥିଲୁ ତାକୁ ହିଁ ଖାଉଛୁ, କିନ୍ତୁ ତାହା ଶେଷ ହେବା ଯାଏ ଖାଇବୁ। ଆମେ କେବଳ ପାଣି ଚାହୁଁଛୁ - ଏହା ହିଁ ଏଠାରେ ଆମର ସବୁଠୁ ବଡ଼ ସମସ୍ୟା।’

ସ୍ୱାମୀ ଆହୁରି କହନ୍ତି, ‘ସମବାୟ ସୋସାଇଟିମାନଙ୍କରୁ ଟଙ୍କା ଉଧାର କରି ଆମେ ଚଳୁଛୁ। ସୁଧର ହାର ବେଶୀ ନୁହେଁ କିନ୍ତୁ ଏତେ କମ୍ ପାଣି ଯୋଗାଣ ଯୋଗୁ ଯେଉଁ ଅଳ୍ପ ଟଙ୍କା ବି ଆମେ ଋଣ କରିଛୁ ତାକୁ ଶୁଝିବା କଷ୍ଟକର ହେବ। ’

ନରସିଂହ ଆକଳନ କରନ୍ତି ଗାଁର କିଛି ଚାଷ ଜମିରେ ଘରୋଇ ଭାବେ ୬୦ଟି ବୋରୱେଲ ଖୋଳାଯାଇଛି, କିନ୍ତୁ ସେଠାକୁ ଖୁବ୍ କମ୍ ବିଦୁ୍ୟତ ଯୋଗାଣ ହେଉଛି। ୨୦୧୪ର ମାନବ ବିକାଶ ରିପୋର୍ଟରେ କୁହାଯାଇଛି ମାଣ୍ଡ୍ୟାର  ୮୩.୫୩ ପ୍ରତିଶତ ଘରକୁ ବିଦ୍ୟୁତ ଯୋଗାଣ ହୋଇଛି। କିନ୍ତୁ ଆମ ଘରକୁ  ମାତ୍ର ୨-୩ ଘଣ୍ଟା ପାଇଁ ବିଜୁଳି ଆସୁଛି ବୋଲି ଚାଷୀମାନେ କ୍ଷୋଭର ସହ କହନ୍ତି।

ଗନନଗୁରୁରୁ ୨୦ କିମି ଦୂର ପାଣ୍ଡବପୁରା ତାଲୁକର କ୍ୟାଥନାହାଲି ଗାଁର ବି. ପୁଟ୍ଟେ ଗୌଡ଼ା କହନ୍ତି, ‘ଗତ ୨୦ ଦିନ ହେଲା କେନାଲରୁ ପାଣି ଆସିନାହିଁ, ବର୍ଷା ବି ଭଲ ଭାବେ ହେଉନାହିଁ। ମୁଁ କିପରି ଭଲ ଧାନ ଅମଳ କରିପାରିବି? କ୍ୟାଥନାହାଲି ଗାଁରେ ପ୍ରାୟ ୨,୫୦୦ ଲୋକ ରହୁଛନ୍ତି। ପୁଟ୍ଟେ ଗୌଡ଼ାଙ୍କ ଭାଇ ସ୍ୱାମୀ ଗୌଡ଼ା କହନ୍ତି, ମୋର ଦୁଇ ଏକର ଜମି ଅଛି। ଗତ ପାଞ୍ଚ ମାସ ହେଲା, ମୁଁ ଧାନ ଚାଷରେ ପ୍ରାୟ ଲକ୍ଷେ ଟଙ୍କା ଖର୍ଚ୍ଚ କରିସାରିଛି। ମୂଲିଆ ମଜୁରୀ, ସାର ଏବଂ କାମ ବାବଦରେ ସେହି ଟଙ୍କା ଖର୍ଚ୍ଚ ହୋଇଛି। ମୁଁ ଚାଷ କରିବା ପାଇଁ ଏକ ସମବାୟ ସମିତିରୁ ଋଣ କରିଛି। ସୁଧର ହାର ବେଶୀ ନୁହେଁ, କିନ୍ତୁ ମୋତେ ତାକୁ ଶୁଝିବାକୁ ପଡ଼ିବ, ଠିକ୍‌ ନା? ଯଦି ବର୍ଷା ନ ହୁଏ ତା’ ହେଲେ ମୁଁ କିପରି ଋଣ ଶୁଝିବି?  କାବେରୀ ନଦୀର ପାଣି ଆମ ଜମିକୁ ଆସିବା ଏବଂ ପିଇବା ପାଇଁ କାବେରୀ ନଦୀ ଜଳ ବ୍ୟବହାର କରିବାକୁ ଆମେ ଚାହୁଁଛୁ।’

ନିର୍ବାଚନରେ ଜିତିବା ପରେ କିଏ ସେମାନଙ୍କର ଏହି ସବୁ ଅଭିଯୋଗକୁ ଠିକ୍ ଭାବେ ସମାଧାନ କରିପାରିବ ବୋଲି ପଚରାଯିବାରୁ ସ୍ୱାମୀ କହନ୍ତି, ‘ରାଜନେତାମାନଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି, କିନ୍ତୁ ସାଧାରଣ ଲୋକେ ସେମାନଙ୍କ ସାରା ଜୀବନ ମଧ୍ୟରେ କିଛି ଲକ୍ଷ ଟଙ୍କା ବି ଦେଖିପାରିବେ ନାହିଁ। ହୁଏତ ଯୁବକ, ଅଧିକ ଶିକ୍ଷିତ ଏବଂ କମ୍ ଦୁର୍ନୀତିଗ୍ରସ୍ତମାନେ ଏହାକୁ ପରିବର୍ତ୍ତନ କରିପାରିବେ।’ ଟିକେ ରହିଯାଇ ସେ ହୁଏତ ବୋଲି କହିଲେ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Vishaka George

Vishaka George is a Bengaluru-based reporter for PARI and our social media editor. She also works on the PARI for Schools project to teach school children about rural India through the stories published on PARI.

Other stories by Vishaka George