୪୮ ବର୍ଷ ବୟସ୍କ ଅନୁସୟା କୁମାରେ କହିଲେ, ‘‘ସେମାନେ ମଝି ରାତିରେ ଆମ ଗାଁକୁ ପ୍ରବେଶ କଲେ ଏବଂ ଆମ ଫସଲଗୁଡ଼ିକ ନଷ୍ଟ କରିଦେଲେ । ରାତାରାତି ସେମାନେ ଆମଠାରୁ ଆମ ଜମି ନେଇଗଲେ ଏବଂ ଏହା ଉପରେ ସେଡ୍‌ ତିଆରି କରିଦେଲେ ।’’ ଫେବୃଆରୀ ୨୦୨୦ରେ ତାଙ୍କ ପରିବାର କେମିତି ମହାରାଷ୍ଟ୍ରର ନାନ୍ଦେଦ୍‌ ଜିଲ୍ଲାର ସରଖାନୀ ଗ୍ରାମରେ ଥିବା ସେମାନଙ୍କର ଆଠ ଏକର ଜମିର ଏକ ମୁଖ୍ୟ ଭାଗ ହରାଇଥିଲେ ତାହା ବର୍ଣ୍ଣନା କରିଥିଲେ ।

ଗୋଣ୍ଡ ଆଦିବାସୀ ସମୂହର ଅଂଶ ହୋଇଥିବା ଅନୁସୟା ବିଶ୍ୱାସ କରନ୍ତି ଯେ, କେତେକ ସ୍ଥାନୀୟ ଅଣଆଦିବାସୀ ବ୍ୟବସାୟୀ ସେମାନଙ୍କ ପରିବାରର ଜମି ଚୋରାଇନେବା ପାଇଁ ଗୁଣ୍ଡାମାନଙ୍କୁ ପଇସା ଦେଇଥିଲେ । ‘‘ଏହି ଲୋକମାନେ ନକଲି ଦସ୍ତାବିଜ୍ ତିଆରି କରିଥିଲେ ଏବଂ ଆମ ଜମି ଅଣଆଦିବାସୀ ଲୋକଙ୍କୁ ବିକ୍ରି କରିଦେଲେ । ସାତ ବାରା [7/12; ଜମି ସ୍ୱତ୍ତ୍ୱାଧିକାର ରେକର୍ଡ] ଏବେବି ଆମ ନାମରେ ଅଛି ।’’ ତାଙ୍କ ପରିବାର କପା, ମୁଗ, ହରଡ଼ ଏବଂ ଗହମ ଏହି ଜମିରେ ଚାଷ କରନ୍ତି ।

ଅନୁସୟା କୁହନ୍ତି, ‘‘କୋଭିଡ୍ [ଲକ୍‌ଡାଉନ୍‌] ସମୟରେ ଆମର ଯେଉଁ ଅଳ୍ପ କିଛି ଜମି ବାକି ଅଛି ସେଥିରେ ଯେଉଁ ଫସଲ କରିଥିଲୁ ସେଥିରେ ବଞ୍ଚିଗଲୁ । ଗତ ମାସ [ଡିସେମ୍ବର ୨୦୨୦]ରେ ସେମାନେ ତାହା ମଧ୍ୟ ନେଇଗଲେ’’ । ସରଖାନୀରେ ଜମି ହରାଇଥିବା ବ୍ୟକ୍ତି କେବଳ ଅନୁସୟା ନୁହଁନ୍ତି । ୩୨୫୦ ଜନସଂଖ୍ୟା ବିଶିଷ୍ଟ (୨୦୧୧ ଜଣନଗଣନା) ଏହି ଗାଁର ୯୦୦ ଜଣ ଆଦିବାସୀଙ୍କ ଭିତରୁ ପ୍ରାୟ ୨୦୦ ଜଣ ସେମାନଙ୍କର ଜମି ହରାଇଛନ୍ତି । ସେମାନେ ଜାନୁଆରୀ ମାସ ଆରମ୍ଭରୁ ପ୍ରତିଦିନ ସ୍ଥାନୀୟ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ବାହାରେ ଧାରଣାରେ ବସି ଆସୁଛନ୍ତି ।

ନିଜର ପାଦକୁ ତାଙ୍କ ଦୁଇ ହାତରେ ଘଷି ଅନୁସୟା କହିଥିଲେ, ‘‘ଆମେ ଗୋଟିଏ ମାସ ହେବ ପଞ୍ଚାୟତ କାର୍ଯ୍ୟାଳୟଠାରେ ବିକ୍ଷୋଭ କରୁଛୁ । ଆମ ଗୋଡ଼ କାଟୁଛି ।’’ ଜାନୁଆରୀ ୨୩ର ରାତି ପ୍ରାୟ ୯ଟା ହୋଇଥିଲା ଏବଂ ସେ ବାଜରା ରୁଟି ଏବଂ ରସୁଣ ଚଟଣୀ ରାତ୍ର ଭୋଜନ ଭାବରେ ଖାଇସାରିଥିଲେ । ସେ ଏବଂ ଅନ୍ୟ କେତେ ଜଣ ମହିଳା ଇଗତପୁରୀର ଘଣ୍ଟାଦେବୀ ମନ୍ଦିର ଭିତରେ ରାତି ପାଇଁ ମୋଟା କମ୍ବଳ ବିଛାଇ ସାରିଥିଲେ ।

ଏହି ମହିଳାମାନେ ତିନି ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ କରିବା ପାଇଁ ନାସିକ୍‌ରୁ ମୁମ୍ବାଇ ଯାଉଥିବା ଏକ ଗାଡ଼ି ଜଥା (ଶୋଭାଯାତ୍ରା)ର ଅଂଶ ଥିଲେ । ସେମାନେ ସେମାନଙ୍କର ଅନେକ ସଂଘର୍ଷ ଉପରେ ଆଲୋକପାତ କରିବା ପାଇଁ ଯାଉଥିଲେ ।

PHOTO • Shraddha Agarwal

ଉପର ବାମ : ନାନ୍ଦେଦ୍‌ ଜିଲ୍ଲାରେ ଥିବା ସରଖାନୀ ଗ୍ରାମରୁ ଅନୁସୟା କୁମାରେ ( ବାମ ) ଏବଂ ସରଜାବାଇ ଆଡେ ( ଡାହାଣ ), ଉପର ଡାହାଣ : ଜଥା ରାତି ପାଇଁ ଇଗତପୁରୀ ଘଣ୍ଟାଦେବୀ ମନ୍ଦିରରେ ଅଟକି ଥିଲା । ତଳ : ହଜାର ହଜାର କୃଷକ ଏବଂ କୃଷି ଶ୍ରମିକ ନାସିକ୍‌ରୁ ମୁମ୍ବାଇ ଅଟୋ , ଜିପ୍‌ , ଏବଂ ପିକ୍‌ଅପ୍‌ ଟ୍ରକ୍‌ରେ ନାସିକ୍‌ରୁ ମୁମ୍ବାଇ ଆସିଥିଲେ

ଜାନୁଆରୀ ୨୨ ଅପରାହ୍ଣରେ ଅନୁସୟା ଏବଂ  ଆଉ ୪୯ ଜଣ ଆଦିବାସୀ ଜିପ୍‌, ଏବଂ ଟେମ୍ପୋଗୁଡ଼ିକରେ କିନୱତ୍‌ ତାଲୁକାରେ ଥିବା ସେମାନଙ୍କର ଗ୍ରାମ ଛାଡ଼ିଥିଲେ । ୧୮ ଘଣ୍ଟାରେ ୫୪୦ କିଲୋମିଟର ଯାତ୍ରା କରିବା ପରେ ସେମାନେ ପରଦିନ ସକାଳେ ୪ଟା ସମୟରେ ନାସିକ୍‌ରେ ପହଞ୍ଚିଥିଲେ । ସେଠାରେ ସେମାନେ ହଜାର ହଜାର କୃଷକ ଏବଂ କୃଷି ଶ୍ରମିକଙ୍କ ସହ ଯୋଗ ଦେଲେ ଯେଉଁମାନେ ଜାନୁଆରୀ ୨୩ରେ ୧୮୦ କିଲୋମିଟର ଦୂରରେ ଥିବା ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନକୁ ଯିବା ପାଇଁ ବାହାରିବେ ।

ଘଣ୍ଟାଦେବୀ ମନ୍ଦିରରେ ସେହି ରାତିରେ ସରଖାନୀରୁ ଆସିଥିବା ସରଜବାଇ ଆଡେ ମଧ୍ୟ କ୍ଳାନ୍ତି ବିଷୟରେ କହୁଥିଲେ । ‘‘ମୋ ପିଠି ଏବଂ ଗୋଡ଼ରେ ଯନ୍ତ୍ରଣା ହେଉଛି । ଆମ ଗାଁରେ ଯେଉଁ ପ୍ରତିବାଦ ଚାଲିଛି ସେ ସମ୍ପର୍କରେ ସରକାରଙ୍କୁ ଜଣାଇବା ପାଇଁ ଆମେ ଏହି ଜଥାରେ ଆସିଛୁ । ଆମେ ଏକ ମାସ ହେବ ଆମ ଜମି ପାଇଁ ସଂଘର୍ଷ କରୁଛୁ, ଆମେ କ୍ଳାନ୍ତ ହୋଇଯାଇଛୁ କିନ୍ତୁ ଆମେ ଆମର ଜମି ଅଧିକାର ନିମନ୍ତେ ଆମର ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷ କରିବୁ,’’ ଏହା କହିଥିଲେ ୫୩ ବର୍ଷ ବୟସ୍କ ସରଜାବାଇ ।

ସେ ଏବଂ ତାଙ୍କ ପରିବାର ସେମାନଙ୍କର ତିନି ଏକର ଜମିରେ ସାଧାରଣତଃ ହରଡ଼ ଏବଂ ପରିବା ଚାଷ କରନ୍ତି । ସେ କହିଥିଲେ, ‘‘ସେମାନେ ଆମ ଫସଲ ନଷ୍ଟ କରିଦେଲେ ଏବଂ ସେଡ୍‌ ଲଗାଇଦେଲେ । ଯଦିଓ ଏହା କୃଷି ଜମି ସେମାନେ ଏହାକୁ ଅଣକୃଷି ଦର୍ଶାଇ ଦଲିଲ୍‌ ତିଆରି କରିଦେଇଥିଲେ ।’’

ସରଖାନୀର ଆଦିବାସୀମାନଙ୍କ ନିକଟରେ ସେମାନଙ୍କ ଜମି ମାଲିକାନା ପ୍ରମାଣ କରିବା ପାଇଁ ସମସ୍ତ ବୈଧ ଦଲିଲ୍‌ ରହିଛି ବୋଲି ସରଜବାଇ କହିଥିଲେ । ‘‘ଏହା ଆଇନଗତ ଭାବରେ ଆମ ଜମି । ଆମେ ନାନ୍ଦେଦ୍‌ରେ ଜିଲ୍ଲାପାଳଙ୍କୁ ଏକ ବିଜ୍ଞପ୍ତି ପ୍ରଦାନ କରିଛୁ ଏବଂ କିନୱାତ୍‌ରେ ତହସିଲଦାରଙ୍କ ନିକଟରେ ସମସ୍ତ ଦଲିଲ୍ ଉପସ୍ଥାପନା କରିଛୁ । ୧୦ ଦିନ ପାଇଁ ସେ [ଜିଲ୍ଲାପାଳ] ଗାଁର ସମସ୍ୟାଗୁଡ଼ିକ ବୁଝିବା ପାଇଁ ମଧ୍ୟ ଆସିନଥିଲେ । ଆମେ ମାସେ ଅପେକ୍ଷା କଲୁ ଏବଂ ଏହା ପରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଲୁ ।’’

‘‘ଆମେ ଜଥାରେ ଆସିବା ପୂର୍ବରୁ, ଆମେ ଆମର ଶପଥ  ପତ୍ର [ସତ୍ୟପାଠ] ଗ୍ରାମସେବକ, ତହସିଲଦାର ଏବଂ ଜିଲ୍ଲାପାଳଙ୍କୁ ଦେଇଥିଲୁ’’ ବୋଲି କହିଥିଲେ ଅନୁସୟା । ଏହି ସତ୍ୟପାଠରେ ଆଦିବାସୀ କୃଷକମାନେ କହିଥିଲେ ଯେ ସେମାନେ ହେଉଛନ୍ତି ସେମାନଙ୍କ ଜମିର ପ୍ରକୃତ ମାଲିକ ଏବଂ ପ୍ରମାଣ ଭାବରେ ଜମି ରେକର୍ଡଗୁଡ଼ିକ ଦାଖଲ କରିଥିଲେ । ସେ କହିଥିଲେ, ‘‘ସାରା ଦିନ ଆମେ [ପଞ୍ଚାୟତ କାର୍ଯ୍ୟାଳୟ] ବାହାରେ ବସୁଛୁ । ଆମେ ସେଠାରେ ଖାଉ ଏବଂ ଶୋଉ ଏବଂ ଘରକୁ ଗାଧୋଇବା ଏବଂ କିଛି ଖାଦ୍ୟ ନେବା ପାଇଁ ଆସୁ । ଆମେ ପଚାରିବାକୁ ଚାହୁଁ ଆଦିବାସୀମାନଙ୍କର ସମସ୍ୟା ଜାଣିବା ପରେ ମଧ୍ୟ, ସେମାନେ ଆମର ଜମିକୁ ଅଣଆଦିବାସୀ ଲୋକଙ୍କୁ ଦେବେ କି ।’’

Farmers of Maharashtra sat in protest against the three new farm laws in Mumbai. The Adivasi farmers spoke up about their struggles at home
PHOTO • Sanket Jain
Farmers of Maharashtra sat in protest against the three new farm laws in Mumbai. The Adivasi farmers spoke up about their struggles at home
PHOTO • Riya Behl

ମହାରାଷ୍ଟ୍ରର କୃଷକମାନେ ନୂତନ ଫାର୍ମ ବିଲ୍ ବିରୋଧରେ ଏକ ପ୍ରତିବାଦରେ ମୁମ୍ବାଇରେ ବସିଥିଲେ । ଆଦିବାସୀ କୃଷକମାନେ ନିଜର ଗାଁରେ ସେମାନଙ୍କ ସମସ୍ୟା ସମ୍ପର୍କରେ ପାଟି ଖୋଲିଥିଲେ

ଜାନୁଆରୀ ୨୪ରେ ଆଜାଦ୍ ମଇଦାନରେ ପହଞ୍ଚିବା ପରେ, ଅନୁସୟା ଏବଂ ସରଜାବାଇ ସମ୍ୟୁକ୍ତ କ୍ଷେତକାରୀ କାମଗାର୍‌ ମୋର୍ଚ୍ଚା ଦ୍ୱାରା ଜାନୁଆରୀ ୨୪- ୨୬ରେ ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ କରିବା ପାଇଁ ଆୟୋଜିତ ବୈଠକରେ ଅଂଶଗ୍ରହଣ କରିଥିଲେ । ମହାରାଷ୍ଟ୍ରର ୨୧ଟି ଜିଲ୍ଲାର କୃଷକମାନେ ଏହି ପ୍ରତିବାଦ ପାଇଁ ମୁମ୍ବାଇକୁ ଆସିଥିଲେ । ସେମାନେ ଦିଲ୍ଲୀ ସୀମାରେ ଥିବା କୃଷକମାନଙ୍କ ପାଇଁ ସେମାନଙ୍କର ସମର୍ଥନ ପ୍ରକାଶ କରିଥିଲେ ଯେଉଁମାନେ ଜାନୁଆରୀ ୨୬ରେ ଏକ ଟ୍ରାକ୍ଟର ଶୋଭାଯାତ୍ରା ଆରମ୍ଭ କରିଥିଲେ ।

ନଭେମ୍ବର ୨୬ରୁ, ମୁଖ୍ୟତଃ ପଞ୍ଜାବ ଏବଂ ହରିୟାଣାରୁ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ପ୍ରବେଶ ଦ୍ୱାରରେ ଅଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ଅଧ୍ୟାଦେଶ ଭାବରେ ଜୁନ୍ ୫, ୨୦୨୦ରେ ଜାରି ହୋଇଥିବା, ଏହା ପରେ ସେପ୍ଟେମ୍ବର ୧୪ରେ ସଂସଦରେ ଫାର୍ମ ବିଲ୍ ଭାବରେ ଉପସ୍ଥାପିତ ହୋଇଥିଲା ଏବଂ ସେହି ମାସର ୨୦ ତାରିଖରେ ଏକ ଆଇନ ହେବା ପାଇଁ ପଠାଇ ଦିଆଯାଇଥିଲା ।

ଏହି ନିୟମଗୁଡ଼ିକ ହେଉଛି ‘‘କୃଷକ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ସମ୍ବର୍ଦ୍ଧନା ଏବଂ ସୁବିଧା) ଅଧିନିୟମ, ୨୦୨୦ ; ଦର ଆଶ୍ୱାସନା ଏବଂ କୃଷି ସେବା ଅଧିନିୟମ, ୨୦୨୦ ଉପରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅଧିନିୟମ, ୨୦୨୦

କୃଷକମାନେ ଏହି ଆଇନଗୁଡ଼ିକ ବୃହତ୍‌ କର୍ପୋରେଟ୍‌ଗୁଡ଼ିକ ନିମନ୍ତେ କୃଷକ ଏବଂ କୃଷି ଉପରେ ଆହୁରି ଅଧିକ କ୍ଷମତା ପାଇଁ ସ୍ଥାନ ବିସ୍ତାର କରିବା ଦ୍ୱାରା ସେମାନଙ୍କ ଜୀବନ ଜୀବିକା ପ୍ରତି ବିଧ୍ୱସ୍ତକାରୀ ହେବ ବୋଲି ମନେକରନ୍ତି । ସେମାନେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି), କୃଷିଜାତ ସାମଗ୍ରୀ ବିପଣନ କମିଟି (ଏପିଏମ୍‌ସି), ରାଜ୍ୟ ସରକାରଙ୍କ କ୍ରୟ ଏବଂ ଆହୁରି ଅନେକଗୁଡ଼ିକ ସମେତ କୃଷକମାନଙ୍କ ପାଇଁ ସହଯୋଗର ମୁଖ୍ୟ ସ୍ୱରୂପଗୁଡ଼ିକୁ ମଧ୍ୟ ଦୁର୍ବଳ କରନ୍ତି । ଏହି ଆଇନଗୁଡ଼ିକ ସେଗୁଡ଼ିକ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨କୁ ଦୁର୍ବଳ କରି ସମସ୍ତ ନାଗରିକଙ୍କ ଆଇନଗତ ସହଯୋଗର ଅଧିକାରକୁ ନିଷ୍କ୍ରିୟ କରି ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭାବରେ ସମାଲୋଚନା କରାଯାଉଛି ।

ସରଖାନୀର ଆଦିବାସୀ କୃଷକମାନେ ମୁମ୍ବାଇରେ ସେମାନଙ୍କର ସଂଘର୍ଷର ପ୍ରତିନିଧିତ୍ୱ କରୁଥିବା ବେଳେ, ପ୍ରାୟ ୧୫୦ ଜଣ ପଞ୍ଚାୟତ କାର୍ଯ୍ୟାଳୟ ବାହାରେ ସେମାନଙ୍କର ଦିବାରାତ୍ର ପ୍ରତିବାଦ ଜାରି ରଖିବା ପାଇଁ ସେଠାରେ ରହିଥିଲେ । ଅନୁସୟା କହିଥିଲେ, ‘‘ଆମେ ଆଦିବାସୀମାନଙ୍କର ସ୍ୱର ଶୁଣାଯିବା ପାଇଁ ମୁମ୍ବାଇରେ ଅଛୁ ଏବଂ ଆମ୍ଭେମାନେ ନ୍ୟାୟ ପାଇବା ପର୍ଯ୍ୟନ୍ତ ପ୍ରତିବାଦ କରିବା ଜାରି ରଖିବୁ ।’’

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Shraddha Agarwal

Shraddha Agarwal is a reporter and content editor at the People’s Archive of Rural India.

Other stories by Shraddha Agarwal