‘‘ତିନ ଆନି ଦୋନ୍‌ କିତ୍ତି ? [ତିନି ଯୁକ୍ତ ଦୁଇ କେତେ ?]’’, ପ୍ରତିଭା ହିଲିମ୍‌ ପଚାରନ୍ତି। ତାଙ୍କ ସାମ୍ନାରେ ତଳେ ୭-୯ ବର୍ଷ ବୟସ ଶ୍ରେଣୀର ପ୍ରାୟ ୧୦ଜଣ ଶିଶୁ ବସିଛନ୍ତି । ସେମାନେ ଉତ୍ତର ଦେଲେ ନାହିଁ। ସେ ଗୋଟିଏ ଚକ୍‌ ବୋର୍ଡରେ ଲେଖନ୍ତି, ପିଲାମାନଙ୍କ ଆଡ଼କୁ  ଫେରି ଦେଖନ୍ତି ଏବଂ ତାଙ୍କ ବାହୁକୁ ସେମାନଙ୍କ ଆଡ଼କୁ ସଂକେତ ଦେଇ ଏବଂ ତାଙ୍କ ମୁଣ୍ଡକୁ ସାମାନ୍ୟ ଅଣେଇ ପୁନରାବୃତ୍ତି କରନ୍ତି ‘‘ପାଞ୍ଚ୍‌ [ପାଞ୍ଚ] ।’’

ପ୍ରତିଭା ରବର ସୋଲ୍‌ ଥିବା ଚମଡ଼ା ଏବଂ ଷ୍ଟିଲ୍‌ର ଷ୍ଟମ୍ପ ପ୍ରୋଟେକ୍ଟର ସାହାଯ୍ୟରେ ଛିଡ଼ା ହୋଇଛନ୍ତି, ଯାହାକି ତାଙ୍କର ଉଭୟ ଆଣ୍ଠୁରେ ସଂଯୁକ୍ତ ହୋଇଛି । ଖଣ୍ଡେ ଧଳା ଚକ୍‌ ତାଙ୍କ କହୁଣୀ ପାଖରେ ବନ୍ଧା ହୋଇଛି ।

‘ସ୍କୁଲ୍‌’ ଆଗେଇ ଚାଲିଛି । ଏବଂ ଏହା ପଲଘର ଜିଲ୍ଲାର କାରହେ ଗ୍ରାମରେ ହିଲିମ୍‌ ପରିବାରର ତିନି-କୋଠରୀ ବିଶିଷ୍ଟ ସିମେଣ୍ଟ ଘରେ ଚାଲିଛି। ଏଠାରେ  ଚଳିତବର୍ଷ ଜୁଲାଇ ୨୦ ତାରିଖରୁ ପ୍ରତିଭା ମହରାଷ୍ଟ୍ରର ପଲଘର ଜିଲ୍ଲାର ବିକ୍ରମଗଡ଼ ତାଲୁକାରେ ଥିବା ଏହି ଗ୍ରାମରେ ପ୍ରାୟ ୩୦ଜଣ ଆଦିବାସୀ ପିଲାଙ୍କୁ  ଇଂରାଜୀ, ଇତିହାସ, ମରାଠୀ ଏବଂ ଗଣିତ ପଢ଼ାଉଛନ୍ତି। ୧,୩୭୮ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଏହି ପିଲାମାନେ ଜିଲ୍ଲା ପରିଷଦ ବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ପାଠ୍ୟପୁସ୍ତକ ଧରି ପୂର୍ବାହ୍ନ ୧୦ଟାରୁ ପୂର୍ବାହ୍ନ ୧ଟା ପର୍ଯ୍ୟନ୍ତ ଦଳ ଦଳ ହୋଇ ଆସନ୍ତି।

ଜଣେ ଛାତ୍ର ତାଙ୍କ ହାତରେ ଏକ ଭେଲ୍‌କ୍ରୋ ଷ୍ଟ୍ରାପ୍‌ ବ୍ୟବହାର କରି ଗୋଟିଏ ଚକ୍‌ ଲଗାଇବାରେ ସାହାଯ୍ୟ କରିବା ସମୟରେ ପ୍ରତିଭା କୁହନ୍ତି, ‘‘ଅସ୍ତ୍ରୋପଚାର ପରଠାରୁ ପ୍ରତ୍ୟେକ ଛୋଟ କାମ କରିବା ସମ୍ପୂର୍ଣ୍ଣ ହେବା ପାଇଁ ଅଧିକ ସମୟ ଯାଉଛି ଏପରିକି ଏଥିରେ ଲେଖିବା ମଧ୍ୟ କଷ୍ଟକର।’’

ଗତବର୍ଷ ପର୍ଯ୍ୟନ୍ତ ଓ୍ୱର୍ଲି ଆଦିବାସୀ ସମୂହରୁ ଆସିଥିବା ପ୍ରତିଭା ହିଲିମ୍‌ ୮୦ ବର୍ଷ ହେବ ସ୍ଥାନୀୟ ଜିଲ୍ଲା ପରିଷଦ (ଜେପି) ସ୍କୁଲମାନଙ୍କରେ ଶିକ୍ଷାଦାନ କରୁଥିଲେ। ୨୦ ବର୍ଷ ବୟସରେ ବିବାହ କରିବା ପରେ ସେ କାରହେଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ଭିଓ୍ୱାଣ୍ଡି ସହରକୁ ଚାଲିଯାଇଥିଲେ। ସେଠାରେ ତାଙ୍କ ସ୍ୱାମୀ ପାଣ୍ଡୁରଙ୍ଗ ହିଲିମ୍‌, ୫୦ କାମ କରୁଥିଲେ। ବର୍ତ୍ତମାନ ସେ ରାଜ୍ୟ ଜଳସେଚନ କାର୍ଯ୍ୟାଳୟରେ ଜଣେ ବରିଷ୍ଠ କିରାଣି। ଯେତେବେଳେ ସେ ୨୦୧୫ରେ ନିକଟସ୍ଥ ଥାନେ ଜିଲ୍ଲାରେ ଥିବା କଲ୍‌ଓ୍ୱା ସହରକୁ ବଦଳି ହୋଇଯାଇଥିଲେ, ପ୍ରତିଭା ଶିକ୍ଷାଦାନ ଜାରି ରଖିବା ପାଇଁ ସେଠାରୁ ଭିଓ୍ୱାଣ୍ଡିକୁ ଯାତାୟତ କରୁଥିଲେ ।

ଜୁନ୍‌ ୨୦୧୯ରେ ସେ ଭିଓ୍ୱାଣ୍ଡିରେ ଏକ ନୂତନ ଜେପି ସ୍କୁଲ୍‌ରେ କାମ କରିବା ଆରମ୍ଭ କରିବା ପରେ ପରେ ସେ କାରହେ ରେ ଥିବା ହିଲିମ୍‌ ପରିବାର ଘରକୁ ଯାଇଥିଲେ, ଯାହାକି ସେ ସାଧାରଣତଃ ମାସରେ ଥରେ କରୁଥିଲେ । ସେହି ମାସରେ ୫୦ ବର୍ଷ ବୟସ୍କ ପ୍ରତିଭାଙ୍କର ଗାଙ୍ଗରିନ୍‌ ଚିହ୍ନଟ ହୋଇଥିଲା। ଏହି ଅବସ୍ଥା ସେତେବେଳେ ହୁଏ ଯେତେବେଳେ ଶରୀରର ଟିସୁଗୁଡ଼ିକ ମୃତ୍ୟୁବରଣ କରନ୍ତି । ଏହା ସାଧାରଣତଃ ଏକ ଅନ୍ତଃର୍ନିହିତ ରୋଗ, ଆଘାତ କିମ୍ବା ସଂକ୍ରମଣ କାରଣରୁ ରକ୍ତ ଯୋଗାଣରେ ହାନିକାରଣରୁ ହୋଇଥାଏ ।

ଏହା ପରେ, ତାଙ୍କର କହୁଣୀ ତଳକୁ ତାଙ୍କର ଦୁଇ ବାହୁ ଏବଂ ଆଣ୍ଠୁ ତଳକୁ ତାଙ୍କର ଦୁଇ ଗୋଡ଼ କଟିବାକୁ ହୋଇଥିଲା ।

PHOTO • Shraddha Agarwal

ପ୍ରତିଭା ହିଲିମ୍‌ଙ୍କ ଘରେ କାର୍ହେ ଗ୍ରାମରେ ‘ସ୍କୁଲ୍‌’ ଆଗେଇ ଚାଲିଛି ଏବଂ ସେ ଷ୍ଟମ୍ପ ପ୍ରୋଟେକ୍ଟରଗୁଡ଼ିକ ସହାୟତାରେ ଚଲାବୁଲା କରୁଛନ୍ତି ଏବଂ ତାଙ୍କ ବାହୁରେ ବନ୍ଧା ଯାଇଥିବା ଚକ୍‌ ଦ୍ୱାରା ଲେଖୁଛନ୍ତି

ପ୍ରତିଭା କୁହନ୍ତି, ‘‘ମୁଁ କେବେ କଳ୍ପନା କରିନଥିଲି ମୋର ଏମିତି ହେବ । ମୁଁ ଏଠାରେ ଥିଲି [କାର୍ହେରେ] ଯେତେବେଳେ ମୋତେ ହଠାତ୍‌ ଖୁବ୍‌ ଜ୍ୱର ହେଲା’’ ଏହା ଜୁନ୍‌ ୧୬, ୨୦୧୯ର ପ୍ରାୟ ରାତି ୮ଟା ଥିଲା । ‘‘ମୁଁ ଜ୍ୱର ଭଲ ହୋଇଯିବ ଭାବି ପାରାସିଟାମଲ୍‌ ଖାଇଲି । କିନ୍ତୁ ତା’ ପରଦିନ ସକାଳେ ମୁଁ ଖୁବ୍‌ ଅସୁସ୍ଥ ଅନୁଭବ କଲି । ମୋ ପୁଅ ଏବଂ ସ୍ୱାମୀ ଗୋଟିଏ ଡାକ୍ତରଖାନାକୁ ନେଇଗଲେ । ଏହା ମୋର ମନେ ନାହିଁ । ମୁଁ  ପୁରା ଗୋଟିଏ ଦିନ ପାଇଁ ଚେତା ହରାଇଥିଲି ।’’

ଜୁନ୍‌ ୧୭ ସକାଳେ ତାଙ୍କୁ ୧୨୦ କିଲୋମିଟର ଦୂରରେ କଲ୍‌ୱାରେ ଥିବା ଏକ ଘରୋଇ ଗ୍ରାମୀଣ ଡାକ୍ତରଖାନାକୁ ତାଙ୍କ ପରିବାରର କାର୍‌ରେ ନିଆଯାଇଥିଲା। ପ୍ରତିଭା କୁହନ୍ତି, ‘‘ସେଠାରେ ଡାକ୍ତରମାନେ ମୋ ସ୍ୱାମୀଙ୍କୁ କହିଲେ ମୋ ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଏବଂ ମୋତେ ତୁରନ୍ତ ଥାନେରେ ଏକ ଘରୋଇ ଡାକ୍ତରଖାନାକୁ ନିଆଯିବା ଆବଶ୍ୟକ ।’’ ସେହି ଦିନ, ତାଙ୍କ ପରିବାର ଏକ ଆମ୍ବୁଲାନ୍ସରେ ତାଙ୍କୁ ସେଠାକୁ ନେଇଗଲେ ।

ପ୍ରତିଭା କୁହନ୍ତି, ‘‘ଶେଷରେ ଯେତେବେଳେ ମୁଁ ଉଠିଲି, ମୁଁ ହୃଦୟଙ୍ଗମ କଲି ମୁଁ ଏକ ଡାକ୍ତରଖାନାରେ ଅଛି । ଡାକ୍ତର ମୋତେ କହିଲେ ମୋତେ ଡେଙ୍ଗୁ ଜ୍ୱର ହୋଇଛି । ସେ ମୋତେ ପଚାରିଲେ କ୍ଷେତରେ କାମ କରିବା ସମୟରେ କିଛି ଘଟିଥିଲା କି? କିନ୍ତୁ କିଛି ଘଟିନଥିଲା । ଆମେ ସପ୍ତାହନ୍ତରେ ଯେତେବେଳେ ବାବାଙ୍କୁ ଭେଟିବାକୁ ଆସୁ ଆମେ ସବୁବେଳେ କ୍ଷେତରେ କାମ କରୁ । ସେ ବୟସ୍କ ତେଣୁ ଆମେ ସାହାଯ୍ୟ କରୁ ଏବଂ ଆମ ଜମିରେ ଧାନ ରୋଇ ଥାଉ ।’’ ପାଣ୍ଡୁରଙ୍ଗଙ୍କ ବାପାଙ୍କର କାର୍ହେ ଗ୍ରାମରେ ଚାରି ଏକର ଜମି ଅଛି ଯେଉଁଥିରେ ତାଙ୍କ ପରିବାର ଧାନ, ବାଜରା, ଚଣା, ହରଡ଼ ଚାଷ କରିଥାନ୍ତି । ପ୍ରତିଭା କୁହନ୍ତି, ‘‘ତେବେ ଅନିୟମିତ ବର୍ଷା ଯୋଗୁଁ ଆମେ କ୍ଷେତରେ ଅଧିକ କାମ କରିବା ବନ୍ଦ କରିଦେଇଛୁ ।’’

ଜୁନ୍ ୧୯ରେ, ଥାନେରେ ଘରୋଇ ଡାକ୍ତରଖାନାରେ ଥିବା ସମୟରେ ସେ ତାଙ୍କ ହାତ ଏବଂ ଗୋଡ଼ କଳା ପଡ଼ିଯାଉଥିବା ଲକ୍ଷ୍ୟ କରିଥିଲେ । ‘‘ଯେତେବେଳେ ଡାକ୍ତରମାନେ କହିଲେ କ୍ଷେତରେ କୌଣସି ପୋକଜୋକ କାମୁଡ଼ି ଦେଇଥାଇପାରନ୍ତି, ମୁଁ ସେମାନଙ୍କୁ ବିଶ୍ୱାସ କଲି ନାହିଁ । କିନ୍ତୁ ଜ୍ୱର ବଢ଼ିବାରେ ଲାଗିଲା ଏବଂ ମୋ ଦେହ ଅତ୍ୟନ୍ତ ଖରାପ ଲାଗିଲା । ମୁଁ ମଧ୍ୟ ମୋର ଉଭୟ ଗୋଡ଼ ଏବଂ ଏହି [ଡାହାଣ] ହାତରେ ପୋଡ଼ିବା ପରି ଅନୁଭବ ପାଇଲି । ପ୍ରଥମେ ସେମାନେ [ଡାକ୍ତରମାନେ] କହିଲେ ମୁଁ ଭଲ ହୋଇଯିବି । କିନ୍ତୁ ଏହା ପର ରାତିରେ ମୋ ହାତ ଏବଂ ଗୋଡ଼ ବରଫ ପରି ଥଣ୍ଡା ହୋଇଗଲା । ମୁଁ ଚିତ୍କାର କଲି । ଏହା ପରେ ମୁଁ ୧୯ ଦିନ ପର୍ଯ୍ୟନ୍ତ ଚିତ୍କାର କଲି । ମୋ ହାତ ତୁଳନାରେ ଗୋଡ଼ଗୁଡ଼ିକ ଅଧିକ ଜଳୁଥିଲା ଏବଂ ଯନ୍ତ୍ରଣା ହେଉଥିଲା ।’’

ତିନି ଦିନ ପରେ, ପ୍ରତିଭାଙ୍କଠାରେ ଗାଙ୍ଗ୍ରିନ୍‌ ଚିହ୍ନଟ ହୋଇଥିଲା। ‘‘ପ୍ରଥମେ ଡାକ୍ତରମାନେ ମଧ୍ୟ ଜାଣିପାରିଲେ ନାହିଁ ଏହା କିପରି ହେଲା । ସେମାନେ ଅନେକ ପରୀକ୍ଷା କଲେ ମୋ ଜ୍ୱର ତଳକୁ  ଓହ୍ଲାଉନଥିଲା ଏବଂ ମୁଁ ଏତେ ଯନ୍ତ୍ରଣା ଭୋଗୁଥିଲି । ମୋ ଗୋଡ଼ ପୋଡ଼ୁଥିବାରୁ ମୁଁ କାନ୍ଦୁଥିଲି । ଗୋଟିଏ ସପ୍ତାହ ପରେ ସେମାନେ କହିଲେ ଏବେ ମୁଁ ଭଲ ହୋଇଯିବି କାରଣ ମୋ ବାମ ଗୋଡ଼ର ତିନୋଟି ଆଙ୍ଗୁଠି ଏ ପର୍ଯ୍ୟନ୍ତ ଚାଲୁଛି । ମୋ ସ୍ୱାମୀ ସମ୍ପୂର୍ଣ୍ଣ ବୋକା ପାଲଟିଗଲେ। ସେ ଜାଣିନଥିଲେ କ’ଣ କରିବାକୁ ହେବ। ମୋ ପୁଅ ସବୁକିଛିର ଦାୟିତ୍ୱ ନେଲା।’’

'When the doctors first told me about the operation I went into shock... Since then, every small task takes longer to complete. Even writing with this chalk is difficult'
PHOTO • Shraddha Agarwal
'When the doctors first told me about the operation I went into shock... Since then, every small task takes longer to complete. Even writing with this chalk is difficult'
PHOTO • Shraddha Agarwal

‘ଡାକ୍ତରମାନେ ଯେତେବେଳେ ପ୍ରଥମେ ଅସ୍ତ୍ରୋପଚାର ବିଷୟରେ କହିଲେ ମୁଁ ଅବାକ୍‌ ହୋଇଗଲି … ସେବେଠାରୁ ପ୍ରତ୍ୟେକ ଛୋଟ କାମ ସମ୍ପୂର୍ଣ୍ଣ ହେବା ପାଇଁ ଅଧିକ ସମୟ ଲାଗୁଛି । ଏପରିକି ଏହି ଚକ୍‌ରେ ଲେଖିବା ମଧ୍ୟ କଷ୍ଟକର’


ସେମାନଙ୍କର ୨୭ ବର୍ଷ ବୟସ୍କ ପୁଅ ସୁମିତ, ଜଣେ ସିଭିଲ୍ ଇଞ୍ଜିନିୟର୍‌, କାମରୁ ଅଧିକ ଦିନ ଛୁଟି ପାଇବାକୁ ଅସମର୍ଥ ହେବାରୁ ତାଙ୍କ ମାଆ ଡାକ୍ତରଖାନାରେ ରହିବା ପରେ ମୁମ୍ବାଇରେ ଏକ ନିର୍ମାଣ କମ୍ପାନୀରେ କରୁଥିବା କାମ ଛାଡ଼ିଦେଲେ । ପ୍ରତିଭା ମନେପକାନ୍ତି, ‘‘ସେ ମୋ ଅସ୍ତ୍ରୋପଚାର ସମ୍ପର୍କରେ ସମସ୍ତ ନିଷ୍ପତ୍ତି ନେଲା । ସମସ୍ତ କାଗଜପତ୍ରରେ ଦସ୍ତଖତ କଲା । ସେ ମୋତେ ଖୁଆଇଲା, ଗାଧୋଇ ଦେଲା, ମୋ ପୁଅ ସବୁକିଛି କଲା ।’’ ସେହି ବର୍ଷ ଜୁନ୍‌ ମାସର ଶେଷ ସୁଦ୍ଧା ଥାନେରେ ଥିବା ଡାକ୍ତରଖାନାର ଡାକ୍ତରମାନେ ତାଙ୍କ ଡାହାଣ ହାତ କାଟିବାକୁ ବାଧ୍ୟ ହେଲେ । ସୁମିତ ଦାଗଗୁଡ଼ିକ ଆଡ଼କୁ ନିର୍ଦ୍ଦେଶ କରି କୁହନ୍ତି, ‘‘ସେହି ଅସ୍ତ୍ରୋପଚାର ଠିକ୍‌ ହେଲା ନାହିଁ । ସେମାନେ ତାଙ୍କ ଡାହାଣ ହାତକୁ ଖୁବ୍‌ ଖରାପ ଭାବରେ କାଟିଲେ । ସେମାନେ ଗୋଟିଏ ହାତରେ ଅସ୍ତ୍ରୋପଚାର କରିବା ପାଇଁ ୩.୫ ଲକ୍ଷ ଦାବି କଲେ ଏବଂ ତାହା ମଧ୍ୟ ଠିକ୍‌ ଭାବରେ କଲେ ନାହିଁ । ସେ ପ୍ରାୟତଃ ଯନ୍ତ୍ରଣାରେ ଖୁବ୍‌ କାନ୍ଦୁଥିଲେ । ମୋ ବାପା କହିଲେ ଆମେ ଏହି ଡାକ୍ତରଖାନାର ଖର୍ଚ୍ଚ ଆଉ ସମ୍ଭାଳି ପାରିବା ନାହିଁ ।’’

ଭିୱାଣ୍ଡିରେ ଥିବା ଜେପି ବିଦ୍ୟାଳୟ ପ୍ରତିଭାଙ୍କୁ ଖର୍ଚ୍ଚଗୁଡ଼ିକରୁ କିଛି ତୁଲାଇବା ପାଇଁ ତିନି ମାସର ଦରମା ଦେଇଥିଲା – ତାଙ୍କର ହାରାହାରି ଦରମା ମାସକୁ ପ୍ରାୟ ଟ. ୪୦,୦୦୦ ଥିଲା । ପ୍ରତିଭା କୁହନ୍ତି, ‘‘ଆମେ ସେହି ଡାକ୍ତରଖାନା [ଥାନେ]ରେ ଏତେ ଟଙ୍କା ହରାଇଲୁ । ସେମାନେ ୨୦ ଦିନ ପାଇଁ ଆମଠାରୁ ପ୍ରାୟ ୧୩ ଲକ୍ଷ ଦାବି କଲେ । ମୋ ଭାଇ ଆମକୁ କିଛି ଉଦ୍ଧାର ଦେଲା ଏବଂ ସ୍କୁଲ୍‌ରୁ ମୋ ସାଙ୍ଗମାନେ ମଧ୍ୟ ଆମକୁ ସାହାଯ୍ୟ କଲେ । ଆମ ପାଖରେ ଆଉ କିଛି ନଥିଲା । ମୋ ସ୍ୱାମୀ ମଧ୍ୟ ଗୋଟିଏ ଋଣ କଲେ ।’’

ଜୁଲାଇ ୧୨ ବେଳକୁ ସେମାନେ ଯେତେ ଖର୍ଚ୍ଚ କରିପାରିଥାନ୍ତେ ତାହା କରିସାରିବା ପରେ ପ୍ରତିଭାଙ୍କ ପରିବାର ତାଙ୍କୁ ଦକ୍ଷିଣ ମୁମ୍ବାଇରେ ସରକାର ପରିଚାଳିତ ଜେଜେ ଡାକ୍ତରଖାନାକୁ ଆଣିଲେ, ଯେଉଁଠାରେ ସେ ପ୍ରାୟ ଏକ ମାସ ରହିଥିଲେ । ସେ ମନେପକାନ୍ତି, ‘‘ଜେଜେକୁ ଆସିବା ପରେ ମଧ୍ୟ ମୋ ଗୁଡ଼ଗୁଡ଼ିକର ଯନ୍ତ୍ରଣା ହେଉଥିଲା । କେହି ମୋ ଗୋଡ଼ ଛୁଇଁଦେଲେ ମୁଁ ଚିତ୍କାର କରୁଥିଲି। ମୁଁ ୯ ଦିନ ପାଇଁ କିଛି ଖାଇପାରିଲି ନାହିଁ । ମୁଁ ଶୋଇପାରିଲି ନାହିଁ ଏବଂ ମୋର ଗୋଡ଼ଗୁଡ଼ିକ ଏତେ ପୋଡ଼ୁଥିଲା । ଡାକ୍ତରମାନେ ମୋତେ ୨-୩ ଦିନ ନିରୀକ୍ଷଣରେ ରଖିଲେ ଏବଂ ଏହା ପରେ ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନେଲେ ।’’

ଜୁଲାଇ ୧୫ରେ ସେହି ପାଞ୍ଚ ଘଣ୍ଟାର ଅସ୍ତ୍ରୋପଚାରରେ ତାଙ୍କର ବଳକା ତିନୋଟିଯାକ ଏକ ବାହୁ – ବାମ ହାତ ଏବଂ ଉଭୟ ଗୋଡ଼ ମଧ୍ୟ କଟା ହେଲା ।

ପ୍ରତିଭା କୁହନ୍ତି, ‘‘ଯେତେବେଳେ ଡାକ୍ତରମାନେ ମୋତେ ଏହି ଅସ୍ତ୍ରୋପଚାର ବିଷୟରେ କହିଲେ ମୁଁ ଅବାକ୍‌ ହୋଇଗଲି । ମୁଁ ମୋ ଭବିଷ୍ୟତ ବିଷୟରେ ଚିନ୍ତା କଲି ଏବଂ ମୁଁ ଆଉ ପାଠ ପଢ଼ାଇବା ପାଇଁ ସ୍କୁଲ୍‌କୁ ଯାଇପାରିବି ନାହିଁ ତାହା ମଧ୍ୟ ଚିନ୍ତା କଲି । ମୋତେ ଘରେ ରହିବାକୁ ହେବ ଏବଂ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ ହେବାକୁ ହେବ । ମୁଁ ଆଉ ରାନ୍ଧିବାକୁ ସକ୍ଷମ ହେବି ନାହିଁ ଏହା ଚିନ୍ତା କରି ମୁଁ କାନ୍ଦିବାକୁ ଆରମ୍ଭ କଲି କିନ୍ତୁ ମୋ ସମ୍ପର୍କୀୟ ଏବଂ ସାଙ୍ଗସାଥୀମାନେ ମୋ ପାଖକୁ ପ୍ରତିଦିନ ଆସୁଥିଲେ। ସେମାନେ ମୋତେ ଖୁବ୍ ସାହସ ଦେଲେ । ଏପରିକି ଡାକ୍ତରମାନେ ମଧ୍ୟ ମୋତେ କହିଲେ ଯେ ନକଲି ଅଙ୍ଗ ଦ୍ୱାରା ମୁଁ ସ୍କୁଲ ଯିବାକୁ ଏବଂ ସବୁକିଛି ପୂର୍ବପରି କରିବାକୁ ସକ୍ଷମ ହେବି । ସେମାନେ ମୋ ପାଇଁ ଏହା ସହଜ କରିଦେଇଥିଲେ । ମୁଁ ଖୁବ୍‌ ଭୟଭୀତ ଥିଲି କିନ୍ତୁ ମୋ ପିତାମାତା ମଧ୍ୟ ମୋତେ ସାହସ ଦେଲେ ଏବଂ ମୋ ଅସ୍ତ୍ରୋପଚାର ପରେ ମୋତେ ସାହାଯ୍ୟ କଲେ। ମୁଁ ସେମାନଙ୍କ ପାଖରେ ଅନେକ ଋଣୀ ।’’

Pratibha Hilim with her son Sumeet and daughter Madhuri, who says, 'We tell her we are there for you. We children will become your arms and legs'
PHOTO • Shraddha Agarwal
Pratibha Hilim with her son Sumeet and daughter Madhuri, who says, 'We tell her we are there for you. We children will become your arms and legs'
PHOTO • Shraddha Agarwal

ପ୍ରତିଭା ହିଲିମ୍‌ ତାଙ୍କ ପୁଅ ସୁମିତ ଏବଂ ଝିଅ ମାଧୁରୀ ସହିତ ସେ କୁହନ୍ତି, ‘‘ଆମେ ତାଙ୍କୁ କହୁ ଆମେ ତୁମ ପାଇଁ ଅଛୁ । ଆମେ ପିଲାମାନେ ତୁମର ହାତ ଏବଂ ଗୋଡ଼ ହେବୁ’

ଅଗଷ୍ଟ ୧୧, ୨୦୧୯ରେ ଜେଜେ ଡାକ୍ତରଖାନାରୁ ସେ ଡିସ୍‌ଚାର୍ଜ ହେବା ପରେ ପ୍ରତିଭା ତାଙ୍କ ମାଆ ସୁନିତା ୱାଘ, ୬୫ଙ୍କ ସହ ରହିବାକୁ ଗଲେ । ସେ ଜଣେ କୃଷକ ଏବଂ ଗୃହିଣୀ । ପ୍ରତିଭାଙ୍କ ପିତାମାତାଙ୍କର ପଲଘର ଜିଲ୍ଲାର ଜହାର ତାଲୁକାରେ ଚଲଟୱାଡ ଗାଁରେ ଛଅ ଏକର ଜମି ଅଛି ଏବଂ ସେମାନେ ଧାନ, ଯଅ, ଚଣା ଏବଂ ବାଜରା ଚାଷ କରନ୍ତି । ତାଙ୍କର ୭୫ ବର୍ଷ ବୟସ୍କ ବାପା, ଅରବିନ୍ଦ ୱାଘ ଏ ପର୍ଯ୍ୟନ୍ତ କେଇ ଜଣ କୃଷି ଶ୍ରମିକଙ୍କ ସହିତ କ୍ଷେତରେ କାମ କରନ୍ତି । ପ୍ରତିଭା ତାଙ୍କ ପରିବାର ଲକ୍‌ଡାଉନ୍‌ କାରଣରୁ କାର୍ହେ ଗ୍ରାମକୁ ଫେରିବା ପର୍ଯ୍ୟନ୍ତ ଚଲଟୱାଡରେ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରହିଲେ । (ଏହି ବର୍ଷ ସେପ୍ଟେମ୍ବରରେ ତାଙ୍କ ସ୍ୱାମୀ ଗାଁରେ ରହିବା ପାଇଁ କାର୍ହେକୁ ଫେରିଆସିଲେ ଏବଂ ଜହାର ତାଲୁକାରେ ଥିବା ଜଳସେଚନ କାର୍ଯ୍ୟାଳୟକୁ କାମ ପାଇଁ ମୋଟରବାଇକ୍‌ରେ ଯିବା ଆସିବା କରନ୍ତି ) ।

ଗତ ବର୍ଷ ପ୍ରତିଭାଙ୍କୁ ଫଲୋ-ଅପ୍‌ ଯାଞ୍ଚଗୁଡ଼ିକ ଏବଂ ପରୀକ୍ଷାଗୁଡ଼ିକ ପାଇଁ ଜେଜେ ଡାକ୍ତରଖାନାକୁ ୩-୪ ଥର ଯିବାକୁ ହୋଇଥିଲା। ଫେବୃଆରୀ ୨୦୨୦ରେ  ସେ ଦକ୍ଷିଣ ମୁମ୍ବାଇରେ ହାଜିଅଲ୍ଲିଠାରେ ଥିବା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଶାରୀରିକ ଔଷଧ ଏବଂ ପୁନର୍ବାସ ଅନୁଷ୍ଠାନରେ ପ୍ରାକ୍‌ ପ୍ରୋସ୍ଥେଟିକ୍ ଫିଜିଓଥେରାପି ଆରମ୍ଭ କରିଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ଡାହାଣ ହାତ ଉପଶମ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ। ଏହି କେନ୍ଦ୍ର ଚଲଟୱାଡରୁ ପ୍ରାୟ ୧୬୦ କିଲୋମିଟର ଏବଂ ତାଙ୍କ ପୁଅ ସୁମିତ ଦିନେ ଛଡ଼ା ଦିନେ ତାଙ୍କୁ ସେଠାକୁ ଗାଡ଼ି ଚଳାଇ ନେଉଥିଲେ; ଗୋଟିଏ ପାଖ ପାଇଁ ଏହି ଯାତ୍ରା ଚାରି ଘଣ୍ଟା ସମୟ ନେଉଥିଲା । ପ୍ରତିଭା ମନେପକାଇ କୁହନ୍ତି, ‘‘ସେମାନେ ମୋତେ ମୋର ସମସ୍ତ ଆଘାତ ଉପଶମ ହେବା ପରେ ଥେରାପି ପାଇଁ ଆସିବାକୁ କହିଥିଲେ । କିନ୍ତୁ ମୋ ଡାହାଣ ହାତ ପ୍ରାୟ ପ୍ରତିଦିନ [ମାସ ମାସ ପର୍ଯ୍ୟନ୍ତ] ଯନ୍ତ୍ରଣା ଦେଉଥିଲା । ମୋ ଝିଅ ମାଧୁରୀ ସମସ୍ତ ଘର କାମର ଦାୟିତ୍ୱ ନେଲା ଏବଂ ଏପରିକି ଏବେ ତାହା ହାତରେ ମୋତେ ଖୁଆଇଦିଏ । ମୁଁ ଫିତା ବାନ୍ଧି ଖାଇବାକୁ ଚେଷ୍ଟା କଲି କିନ୍ତୁ ଚାମଚ ପଡ଼ିଯାଏ ।’’

ପ୍ରତିଭାଙ୍କ ସାନ ଝିଅ, ୨୫ ବର୍ଷ ବୟସ୍କା ମାଧୁରୀ, ସାୱନ୍ତୱାଡି ତାଲିକାରେ ଥିବା ଏକ ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦିକ ଔଷଧ ଅଧ୍ୟୟନ କରୁଛନ୍ତି । ୨୦୧୯ ଜୁଲାଇରେ ଜେଜେ ଡାକ୍ତରଖାନାରେ ପ୍ରତିଭାଙ୍କ ଅସ୍ତ୍ରୋପଚାର ସମୟରେ ତାଙ୍କ ପରୀକ୍ଷା ଚାଲିଥିଲା ଏବଂ ସେ ତାଙ୍କ ମାଆଙ୍କ ପାଖରେ ରହିବାକୁ ଅସମର୍ଥ ହୋଇଥିଲେ। ସେ କୁହନ୍ତି, ‘‘କିନ୍ତୁ ଭଗବାନ [ଈଶ୍ୱର] ଆମ ପାଇଁ ମୋ ମାଆଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେଇଛନ୍ତି । ଏବେ ସେ ଏହା ସହ ଲଢ଼ିବାରେ ସାହାଯ୍ୟ କରିବା ପାଇଁ ମୁଁ ସବୁକିଛି କରିବି । ଅନେକ ଦିନ ସେ ତାଙ୍କ ହାତ ଏବଂ ଗୋଡ଼ ତାଙ୍କଠାରୁ ଚାଲିଯାଇଥିବାରୁ ଖୁବ୍‌ କାନ୍ଦନ୍ତି । ଅତୀତରେ ସେ ଆମ ପାଇଁ ଏତେ କିଛି କରିଛନ୍ତି – ବର୍ତ୍ତମାନ ଏହା ଆମର ପାଳି । ଆମେ ତାଙ୍କୁ କହୁ ଆମେ ତୁମ ପାଇଁ ଅଛୁ । ଆମେ ପିଲାମାନେ ତୁମର ହାତ ଏବଂ ଗୋଡ଼ ହେବୁ ।’’ ପ୍ରତିଭାଙ୍କ ବଡ଼ ଝିଅ ପ୍ରନାଲି ଦାରୋଥେ, ୨୯ ଜଣେ ସହକାରୀ କୃଷି ଅଧିକାରୀ ଭାବରେ ଜିଲ୍ଲା କୃଷି କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି ଏବଂ ତାଙ୍କର ଏକ ବର୍ଷ ବୟସର ଗୋଟିଏ ପୁଅ ଅଛି ।

ପ୍ରତିଭା ଏବଂ ତାଙ୍କ ପରିବାର ବର୍ତ୍ତମାନ ଉତ୍କଣ୍ଠାର ସହ ହାଜି ଅଲ୍ଲି କେନ୍ଦ୍ରରୁ ପ୍ରୋସ୍ଥେଟିକ୍‌ ଅଙ୍ଗ ଆସିବାକୁ ଅପେକ୍ଷା କରିଛନ୍ତି – ସେଠାରୁ ସେ ତାଙ୍କର ଷ୍ଟମ୍ପ ପ୍ରୋଟେକ୍ଟର ମଧ୍ୟ ପାଇଛନ୍ତି । ସେ କୁହନ୍ତି, ‘‘ମୁଁ ଗତ ମାର୍ଚ୍ଚ ମାସରେ ମୋର ହାତ ଏବଂ ଗୋଡ଼ଗୁଡ଼ିକ [ପ୍ରୋସ୍ଥେଟିକ୍‌] ପାଇଥାନ୍ତି । ସେମାନେ ସେଗୁଡ଼ିକୁ ମୋ ଆକାରରେ ତିଆରି କରିଛନ୍ତି ଏବଂ ସେଠାରେ ରଖିଛନ୍ତି । କିନ୍ତୁ ଡାକ୍ତର ଆମକୁ କେଇ ମାସ ପରେ [ଲକ୍‌ଡାଉନ୍‌ କାରଣରୁ] ଆସିବାକୁ କହିଲେ । ଯେତେବେଳେ କେନ୍ଦ୍ର ଖୋଲିବ ମୁଁ ଆଉ ଥରେ ମୋର ତାଲିମ୍‌ ପାଇବି ଏବଂ ଏହା ପରେ ସେମାନେ ମୋର ଉଭୟ ହାତ ଏବଂ ଗୋଡ଼ ସଂଯୁକ୍ତ କରିବେ ।’’

Some of Pratibha's students: 'Their parents are really poor. How will they get a phone for online education?' she asks. 'School has always been my whole world. Being with kids also helps me feel like I am normal again'
PHOTO • Shraddha Agarwal

ପ୍ରତିଭାଙ୍କର କିଛି ଛାତ୍ରଛାତ୍ରୀ: ‘ସେମାନଙ୍କ ପିତାମାତା ପ୍ରକୃତରେ ଦରିଦ୍ର । ସେମାନେ କିପରି ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ଫୋନ୍‌ ପାଇବେ?’ ବୋଲି ସେ ପଚାରନ୍ତି । ‘ସ୍କୁଲ୍‌ ସବୁବେଳେ ମୋର ସମ୍ପୂର୍ଣ୍ଣ ଦୁନିଆ ହୋଇରହିଛି । ମୋ ପିଲାମାନଙ୍କ ସହିତ ରହିବା ମଧ୍ୟ ମୁଁ ଆଉ ଥରେ ସ୍ୱାଭାବିକ ହୋଇଯିବି ବୋଲି ଅନୁଭବ ଦେଉଛି’

ଜାନୁଆରୀଠାରୁ, ତାଙ୍କର ଦୁଇ ଗୋଡ଼ରେ ନି’ ପ୍ୟାଡ୍‌ ସଂଯୁକ୍ତ କରି ଚାଲୁଛନ୍ତି । ‘‘ସେହି କେନ୍ଦ୍ର ଏହା ଦେଇଥିଲା କାରଣ ଏହା ମୋର ଚାଲିବାକୁ ସହଜ କରିବ [ପ୍ରୋସ୍ଥେଟିକ୍ ଅଙ୍ଗ ସହିତ] ଏବଂ ମୋର ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିବ । ଆରମ୍ଭରେ ଏହା ଖୁବ୍‌ କାଟୁଥିଲା । ଏଥିରେ ଚାଲିବା ପାଇଁ ଅଭ୍ୟସ୍ତ ହେବାକୁ ଗୋଟିଏ ମାସ ସମୟ ଲାଗିଲା’’ ବୋଲି ସେ କୁହନ୍ତି । ଏହି ପୁନର୍ବାସ କେନ୍ଦ୍ର ତାଙ୍କୁ ପ୍ରୋସ୍ଥେଟିକ୍‌ ବ୍ୟବହାର କରି କିପରି ବସିବାକୁ, ଛିଡ଼ା ହେବାକୁ ଏବଂ ମୌଳିକ ଚଳାଚଳ କରିବାକୁ ହେବ ତା’ ପୁଣି ଥରେ ଶିଖାଇବାରେ ସାହାଯ୍ୟ କରିଛି  ଏବଂ ମାଂସପେଶୀଗୁଡ଼ିକୁ ଦୃଢ଼ କରିବା ପାଇଁ ଯୋଗ ଏବଂ ଅନ୍ୟାନ୍ୟ ବ୍ୟାୟାମ କରିବା ତାଙ୍କୁ ଶିଖାଇଛି । ଏହି କେନ୍ଦ୍ରରେ ଭେଲ୍‌କ୍ରୋଷ୍ଟ୍ରାପ୍‌ ବ୍ୟବହାର କରି ତାଙ୍କ ବାହୁରେ କିପରି ଏକ ଚାମଚ, କଲମ କିମ୍ବା ଚକ୍‌ ଟେକିବାକୁ ହେବ ତାଙ୍କୁ ଶିଖାଯାଇଛି ।

ଗତ ବର୍ଷ ଅଙ୍ଗ କଟାଯିବା ପରେ ଜେଡ୍‌ପି ସ୍କୁଲ୍‌ରେ ଜଣେ ଶିକ୍ଷକ ଭାବରେ ତାଙ୍କର କାର୍ଯ୍ୟ ଅଟକି ଯାଇଥିଲା ଏବଂ ଏହା ପରେ ମାର୍ଚ୍ଚରେ କୋଭିଡ୍‌- ୧୯ ଲକ୍‌ଡାଉନ୍‌ ଆସିଲା। ସେ ହୃଦୟଙ୍ଗମ କଲେ ଯେ ଗାଁର ପିଲାମାନେ ଲକ୍‌ଡାଉନ୍‌ ସମୟରେ ପାଠ ପଢ଼ିବାକୁ ସଂଘର୍ଷ କରୁଥିଲେ । ସେମାନେ ଏପଟସେପଟ ବୁଲିବା କିମ୍ବା ଜମିରେ କାମ କରିବା ସେ ଦେଖୁଥିଲେ । ସେ କୁହନ୍ତି, ‘‘ଏମାନେ ଗରିବ ଲୋକ । ସେମାନେ ଅନ୍‌ଲାଇନ୍‌ ପାଠପଢ଼ା ବୁଝନ୍ତି ନାହିଁ । ସେମାନଙ୍କ ପିତାମାତା ପ୍ରକୃତରେ ଗରିବ । ସେମାନେ ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ଗୋଟିଏ ଫୋନ୍‌ କେଉଁଠାରୁ ପାଇବେ ?’’

ତେଣୁ ପ୍ରତିଭା ପିଲାମାନଙ୍କୁ ମାଗଣାରେ ପଢ଼ାଇବାକୁ ନିଷ୍ପତ୍ତି ନେଲେ । ‘‘ଆଦିବାସୀ ପିଲାମାନଙ୍କର ଅବସ୍ଥା ଏଠାରେ ଖୁବ୍‌ ଖରାପ। ସେମାନେ ଦିନରେ ଦି ଓଳି ମଧ୍ୟ ଖାଇବାକୁ ପାଆନ୍ତି ନାହିଁ, ବେଳେ ବେଳେ ଭୋକରେ ଆସିଥିବା ପିଲାମାନଙ୍କ ପାଇଁ ମୋ ଝିଅ ରୋଷେଇ କରେ । ଆମେ ସାଧାରଣତଃ ସେମାନଙ୍କୁ କଦଳୀ ଦେଉ କିନ୍ତୁ ବିଶେଷ ଦିନମାନଙ୍କରେ ଆମେ ସେମାନଙ୍କୁ ଫାର୍‌ସନ୍‌ ଏବଂ ଚକୋଲେଟ୍ ଦେଉ ।’’

ସେ ଯୋଗ କରନ୍ତି, କିନ୍ତୁ ‘‘ଅନେକେ [ପିଲାମାନେ] ମଧ୍ୟ ଅମଳ ଋତୁ କାରଣରୁ ଆସିବା ବନ୍ଦ କରିଦେଇଛନ୍ତି [ତାଙ୍କ ଘରେ ପାଠ ପଢ଼ିବାକୁ] । ସେମାନଙ୍କ ପିତାମାତା ସେମାନଙ୍କୁ ଜମିକୁ ନେଇଯାଆନ୍ତି କିମ୍ବା ପିଲାମାନେ ସେମାନଙ୍କର ସାନ ଭାଇଭଉଣୀଙ୍କର ଯତ୍ନ ନେବାକୁ ଘରେ ରୁହନ୍ତି । ଯଦି ମୋର ଗୋଡ଼ ଥାଆନ୍ତା ମୁଁ ଏହି ଗାଁର ଗୋଟି ଗୋଟି ଘରକୁ ଯାଉଥାନ୍ତି ଏବଂ ସେମାନଙ୍କ ପିଲାମାନଙ୍କୁ ମୋ ପାଖକୁ ପଠାଇବା ପାଇଁ ପିତାମାତାଙ୍କୁ ବାଧ୍ୟ କରନ୍ତି ।’’

ଅଗଷ୍ଟ ୨୦୨୦ରେ ପ୍ରତିଭା ଭିୱାଣ୍ଡି ଜେଡ୍‌ପି ସ୍କୁଲ୍‌ରୁ କାର୍ହେ ଗ୍ରାମକୁ ବଦଳି କରିବା ପାଇଁ ଆବେଦନ କରିଥିଲେ – ତାଙ୍କର ସେହି ଚାକିରି ଏବେବି ଅଛି ଏବଂ ଅଗଷ୍ଟ ୨୦୧୯ରୁ ତିନି ମାସର ଦରମା ପାଇବା ପରେ ସେ ଏବେ ବେତନହୀନ ଛୁଟିରେ ଅଛନ୍ତି । ସେ କୁହନ୍ତି, ‘‘ସ୍କୁଲ୍‌ଗୁଡ଼ିକ ନ ଖୋଲିବା ପର୍ଯ୍ୟନ୍ତ ମୁଁ ମୋ ଘରେ ପିଲାମାନଙ୍କୁ ପଢ଼ାଇବା ଜାରି ରଖିବି ।’’ ପ୍ରୋସ୍ଥେଟିକ୍‌ ଅଙ୍ଗ ତାଙ୍କୁ ତାଙ୍କର କାମ ପୁଣି ଆରମ୍ଭ କରିବାରେ ସାହାଯ୍ୟ କରିବ ବୋଲି ସେ ନିଶ୍ଚିତ ।

ସେ କୁହନ୍ତି, ‘‘ମୁଁ ମୋ ନିଜ ପାଦରେ ଛିଡ଼ା ହେବା ପାଇଁ ଚାହେଁ। ମୁଁ ସ୍କୁଲ୍ ଫେରିଯିବାକୁ ଏବଂ ପାଠ ପଢ଼ାଇବାକୁ ଚାହେଁ । ମୁଁ ମୋ ନିଜ କାମ କରିବାକୁ ଚାହେଁ।’’ ଏଥିସହିତ ପ୍ରତିଭା କୁହନ୍ତି, ‘‘ସ୍କୁଲ୍ ସବୁବେଳେ ମୋ ପାଇଁ ସମ୍ପୂର୍ଣ୍ଣ ଦୁନିଆଁ ହୋଇଛି । ପିଲାମାନଙ୍କ ସହିତ ରହିବା ମୁଁ ପୁଣି ଥରେ ସ୍ୱାଭାବିକ ବୋଲି ଅନୁଭବ କରିବାରେ ସାହାଯ୍ୟ କରିବ । ସେ ସ୍ୱତଃସ୍ଫୁତ ଭାବରେ ସାମ୍ନା ଦ୍ୱାର ନିକଟରେ ମୋତେ ବାଟେଇ ଦେବାକୁ ଉଠିବାକୁ ଚେଷ୍ଟା କରନ୍ତି । କିନ୍ତୁ ତାଙ୍କ ନି’ ପ୍ୟାଡ୍‌ଗୁଡ଼ିକ ସଂଯୁକ୍ତ ହୋଇନଥିଲା ଏବଂ ସେ ତାଙ୍କର ସନ୍ତୁଳନ ହରାଇଲେ ପ୍ରାୟ ପଡ଼ିଯିବା ପରି ହେଲେ । ସେ କୌଣସି ମତେ ତାଙ୍କ ସନ୍ତୁଳନ ରକ୍ଷା କଲେ, ଖୁବ୍‌ ମନଦୁଃଖ କରିବା ପରି ଦେଖାଯାଉଥିଲେ । ସୋଫାରେ ପଛକୁ ଘୁଞ୍ଚି ଏବଂ ବିଦାୟ ଜଣାଇ ସେ କୁହନ୍ତି, ‘‘ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ଆସିବେ ଆମ ସହ ଭୋଜନ କରିବେ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Shraddha Agarwal

Shraddha Agarwal is a Reporter and Content Editor at the People’s Archive of Rural India.

Other stories by Shraddha Agarwal
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE