ଗାଜନ ବା ଚରକ ହେଉଛି ପଶ୍ଚିମବଙ୍ଗରେ ଏକ ସ୍ୱତନ୍ତ୍ର ପ୍ରକାରର ଶିବ ପୂଜା, ପାରମ୍ପରିକ ଭାବେ ଚୈତ୍ର ସଂକ୍ରାନ୍ତି, ଚୈତ୍ର ମାସର ଶେଷ ଦିନରେ ହୁଏ । ଗୋଟିଏ ସୁଖଦ ସଂଯୋଗ ଭାବେ, ଏହି ଦିନ, ଏପ୍ରିଲ ୧୪, ହେଉଛି ବାବା ସାହେବ ଆମ୍ବେଦକରଙ୍କ ଜନ୍ମଦିବସ ।

ପୁରୁଲିଆ ଜିଲ୍ଲା ରଘୁଡିହି ଗାଁରେ, ଯେଉଁଠାରେ ମୁଁ ଏହି ରୀତିନୀତି ଦେଖିଲି, ପୂଜା କରୁଥିବା ପାଞ୍ଚ ଭାଗରୁ ଚାରିଭାଗ ଲୋକ ଥିଲେ ବାଉରି, ହିନ୍ଦୁମାନଙ୍କ ମଧ୍ୟରେ ଦଳିତ ଜାତି, ଯେଉଁମାନେ ବାଙ୍କୁଡ଼ା ଏବଂ ବୀରଭୂମ ଜିଲ୍ଲାରେ ମଧ୍ୟ ରହନ୍ତି । ଅବଶିଷ୍ଟ ଭକ୍ତମାନେ ଥିଲେ ସୁନରହୀ (ମଦ ତିଆରି କରୁଥିବା ଲୋକେ), ଗୋୟାଲା (ଦୁଗ୍ଧଚାଷୀ) ଏବଂ କୁମୋର (କୁମ୍ଭାର) ଜାତିର । ଏମାନେ ସମସ୍ତେ ହେଉଛନ୍ତି ତଳ ଜାତିର ହିନ୍ଦୁ, ମିଦନାପୁର ଜିଲ୍ଲାରେ ପ୍ରମୁଖ କୃଷକ ଜାତି ମହିଷୟାସମାନେ ବି ଏହି ରୀତିନୀତିର ପାଳନ କରନ୍ତି ।

ଆମେ ସମସ୍ତେ ଯେମିତି ଦେଖିପାରୁଛନ୍ତି, ପୂଜାର ଏହି ରୂପ ତଳ ଜାତିର ସେହି ଲୋକଙ୍କ ପାଇଁ ଯେଉଁମାନେ ସାଧାରଣତଃ ବଞ୍ଚିତ, ତିରସ୍କୃତ ଓ ଭେଦଭାବର ଶିକାର ହୁଅନ୍ତି, ଶିବଙ୍କ ପ୍ରତି ନିଜର ଭକ୍ତି ଓ ଯନ୍ତ୍ରଣା ସହିବା ଦିଗରେ ସେମାନଙ୍କର ଅଦ୍ଭୁତ କ୍ଷମତାକୁ ପ୍ରଦର୍ଶିତ କରି ଅସ୍ଥାୟୀ ଭାବେ ସମାଜର ସମ୍ମାନ ହାସଲ କରିବା ପାଇଁ ଏକ ଦୁର୍ଲଭ ଅବସର ପ୍ରଦାନ କରେ ।

ସବୁ ଭକ୍ତମାନେ ଯୁବ ଥିଲେ, ଅଧିକାଂଶ କିଶୋର ଅବସ୍ଥାରେ ବା ୨୦ ଦଶକରେ ଥିଲେ । ଭକ୍ତମାନେ ବ୍ରହ୍ମଚର୍ଯ୍ୟ ଏବଂ ଉପବାସ ଲଗାତାର ୧୫ ଦିନ ପାଇଁ ରଖନ୍ତି, ପୁରା ସକାଳୁ ସଂଧ୍ୟା ଯାଏଁ ଗୋଟିଏ ବୁନ୍ଦା ବି ପାଣି ନ ପିଇ । କିନ୍ତୁ ରାତିରେ ସେମାନେ କିଛି ନିରାମିଷ ଖାଦ୍ୟ ଖାଆନ୍ତି, ନିର୍ଦ୍ଦିଷ୍ଟ ଭାବେ ଫଳ ଏବଂ କ୍ଷୀର ।

ଉପବାସର ଶେଷ ଦିନ ଚୈତ୍ର ସଂକ୍ରାନ୍ତି ଦିନ ଅପରାହ୍ନ ପ୍ରାୟ ୩ଟା ସମୟରେ ଗାଜନ ପାଳନ କରାଯାଇଥିଲା। ଗାଁ ବାହାରେ ଏକ ନିଛାଟିଆ ସ୍ଥାନରୁ ଭକ୍ତମାନେ ଏକ ଶୋଭାଯାତ୍ରାରେ ବୁଲୁଥିଲେ କିମ୍ବା ବାଉଁଶ ମେଢ଼ରେ ଏକ ବୁଲାଣି ରାସ୍ତାରେ ଶିବ ମନ୍ଦିର ସମ୍ମୁଖରେ ଥିବା ଏକ ପଡ଼ିଆକୁ ଯାଇଥିଲେ। ସେଠାରେ ଭକ୍ତମାନେ ଶିବଙ୍କ ପ୍ରତି ଭକ୍ତିଭାବରୁ ପ୍ରାପ୍ତ ହୋଇଥିବା ଶକ୍ତିର ପ୍ରଦର୍ଶନ ସହିତ ଗାଜନ ସମାପ୍ତ ହେଲା।

PHOTO • Madhabi Maity

ଏକ ଶୋଭାଯାତ୍ରା, ଯାହା ଲିମ୍ବ ପତ୍ରରେ ସଜ୍ଜତି ହୋଇଛି । କେତେକ ଭକ୍ତଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଉତ୍‌ଥାନର ପ୍ରତୀକ ଭାବେ ଉପରକୁ ଉଠାଯାଏ

ଭକ୍ତମାନଙ୍କ ମଧ୍ୟରେ ଗୋଟିଏ ସ୍ୱତନ୍ତ୍ର ଗୋଷ୍ଠୀ ଥିଲେ, ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଉରୀ, ଯେଉଁମାନେ ନିଜକୁ ଅତ୍ୟନ୍ତ ଯନ୍ତ୍ରଣା ଦେଉଥିଲେ । ଏହି ‘ପ୍ରଦର୍ଶନକାରୀମାନେ’ ଚାରିଦିନ ଧରି ବ୍ରହ୍ମଚର୍ଯ୍ୟ ଓ ଉପବାସରେ ଥିଲେ। ସେମାନେ କେବଳ ଅତି ସକାଳୁ ନେଇ ସଂଧ୍ୟା ପର୍ଯ୍ୟନ୍ତ ବିନା ଖାଦ୍ୟ ଓ ପାଣିରେ ରହୁଥିଲେ ତାହା ନୁହେଁ, ସେମାନେ ନିଜ ଛେପ ବି ଢୋକି ନ ଥିଲେ। ସେହି ପବିତ୍ର ଦିନରେ ସେମାନଙ୍କୁ ସନ୍ଥ ଭାବେ ଦେଖାଯାଏ, ଏବଂ ସେ ଅଞ୍ଚଳରେ ଦେଖାଯିବା ମାତ୍ରେ, ସେଠାରେ ନିରବତା ଛାଇଯାଏ; କେହି କଥା କୁହନ୍ତି ନାହିଁ। ମୁଁ ସମସ୍ତଙ୍କ ଆଖିରେ ସମ୍ମାନ ଓ ଆଶ୍ଚର୍ଯ୍ୟବୋଧ ଦେଖିଲି। ପ୍ରଦର୍ଶନକାରୀମାନେ ବି ଗଭୀର ସ୍ଥିରତା ବଜାୟ ରଖୁଥିଲେ ଏବଂ କିଛି କହୁ ନ ଥିଲେ। ସେମାନେ ଭଗବାନ ଶିବଙ୍କ ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀତ କରିଥିଲେ।

ପଡ଼ିଆରେ ପହଞ୍ଚିବା ପୂର୍ବରୁ ବହୁ କଳାକାରଙ୍କର ଶରୀର ଫୋଡ଼ା ଯାଇଥିଲା। ଅନ୍ୟମାନେ ଶିବ ମନ୍ଦିର ଆଗରେ ଫୋଡ଼ାଇଲେ। ଏହି ଫୋଡ଼ା କାମ ଦେଖିବା ପାଇଁ ମହିଳାମାନଙ୍କୁ ଅନୁମତି ନ ଥାଏ ଏବଂ ପ୍ରଦର୍ଶନକାରୀଙ୍କୁ ଛୁଇଁବା ନେଇ ଦୃଢ଼ ଭାବେ ମନା ହୋଇଥାଏ। ମନ୍ଦିର ସାମ୍ନାରେ ହୋଇଥିବା ଫୋଡ଼ା କାମ ମୁଁ ଦେଖିପାରିଲି, କିନ୍ତୁ ଦୂରରେ ଥିଲି। ଅଧିକାଂଶ ପ୍ରଦର୍ଶନକାରୀ ଗଭୀର ନିରବତା ଅବଲମ୍ବନ କରୁଥିଲେ ଏବଂ ସେମାନଙ୍କ ପ୍ରତିକ୍ରିୟାରେ କୌଣସି ପରିବର୍ତ୍ତନ ଦେଖାଉନଥିଲେ। ଅନ୍ୟମାନେ, ତଥାପି ସ୍ପଷ୍ଟଭାବେ ବ୍ୟଥିତ ଥିଲେ ।

PHOTO • Madhabi Maity

ଜଣେ ପ୍ରଦର୍ଶନକାରୀ ତାଙ୍କ ଜିଭରେ ଧାତବ ଖଣ୍ଡ ଫୋଡ଼ିଥାଆନ୍ତି । ଉଭୟଙ୍କ ଛାତିର ଚର୍ମରେ ପତଳା ରଡ଼ ଫୋଡ଼ା ଯାଇଥିଲା

PHOTO • Madhabi Maity

ଏହି ଦୁଇ ଜଣ ଭକ୍ତ ସେମାନଙ୍କ ବାହୁରେ ଧାତବ ଦଉଡ଼ିରେ ଫୋଡ଼ିଥିଲେ ଏବଂ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଦେହରୁ ରକ୍ତ ଝରୁଥିଲା। ଶୋଭାଯାତ୍ରାରେ ତାଙ୍କ ପଛରେ ଚାଲୁଥିବା ଅନ୍ୟମାନେ ନିରନ୍ତର ଭାବେ ଦଉଡ଼ି ଗୁଡ଼ିକୁ ଟାଣୁଥିଲେ

PHOTO • Madhabi Maity

ଏହି ଭକ୍ତମାନଙ୍କ ଦେହରେ ଲାଗିଥିବା ଧାତବ ଦଉଡ଼ିଗୁଡ଼ିକ ମଧ୍ୟ ସାମ୍ନାରୁ ଟଣାଯାଉଛି

PHOTO • Madhabi Maity

ପିଠି ଚର୍ମରେ ଧାତବ ରଡ୍ ଫୋଡ଼ା ହୋଇଥିବା ଜଣେ ଭକ୍ତ

PHOTO • Madhabi Maity

ଭକ୍ତମାନେ ବିରାଟ ମାଛଧରା କଣ୍ଟାରେ ଫୋଡ଼ା ଯାଇଛନ୍ତି ଯାହାକି ସ୍ୱ ତନ୍ତ୍ର ଭାବେ ଏହି ଉଦ୍ଦେଶ୍ୟରେ ନିର୍ମିତ ହୋଇଛି । ସେମାନେ ଦଉଡ଼ି ସାହାଯ୍ୟରେ ହୁକ୍‌ରେ ବନ୍ଧା ଯାଇଥିବା ଗୋଟିଏ ରିକ୍ସା ଟାଣିଲେ

PHOTO • Madhabi Maity

ମାଛଧରା କଣ୍ଟାରେ ଫୋଡ଼ା ହୋଇଥିବା ଭକ୍ତଙ୍କର ଆଉ ଏକ ଦୃଶ୍ୟ, ରିକ୍ସାକୁ ପ୍ରଦର୍ଶିତ କରୁଛି

PHOTO • Madhabi Maity

ହାତରେ ଲୁହା ରଡ୍ ଫୋଡ଼ା ହୋଇଥିବା ଜଣେ ଭକ୍ତ, ହାତରେ ଧୂପକାଠି ଧରିଛନ୍ତି ଗୁଲାଞ୍ଚା ଫୁଲର ଏକ ମାଳ ପିନ୍ଧିଛନ୍ତି

ପର୍ବ ଶେଷରେ, କେତେକ ବ୍ୟକ୍ତି ଜଣେ ପ୍ରଦର୍ଶନକାରୀ ଭକ୍ତଙ୍କୁ ଗୋଟିଏ ଲମ୍ବା କାଠ ଖୁଣ୍ଟ ଯାହାକୁ ଗାଜନ କୁହାଯାଏ, ତା’ର ଶେଷ ଭାଗରେ ବାନ୍ଧି ଦେଲେ। ଗାଜନ ସ୍ୱତନ୍ତ୍ର ଭାବେ ଏହି ରୀତିନୀତି ପାଇଁ ତିଆରି କରାଯାଇଛି ଏବଂ ସାବଧାନତାର ସହ ଗ୍ରାମବାସୀଙ୍କ ଦ୍ୱାରା ଯତ୍ନର ସହ ରଖାଯାଇଥାଏ କାରଣ ଏହା ସେମାନଙ୍କ ପାଇଁ ପବିତ୍ର। ତା’ପରେ ସହାୟକମାନେ ଜଣେ ଭକ୍ତଙ୍କର ଛାତି ଓ ଜଙ୍ଘରେ ଫୋଡ଼ି ଗୋଟିଏ ସାଇକେଲ୍‌ ବାନ୍ଧିଦେଲେ, ତାଙ୍କୁ ଉପରକୁ ଟେକିଲେ, ଏବଂ ତାଙ୍କୁ ପ୍ରାୟ ତିନି ଚାରି ଥର ବୁଲାଇଲେ।

PHOTO • Madhabi Maity
PHOTO • Madhabi Maity

ବାମ: ଜଣେ ଭକ୍ତ ଯାହାଙ୍କର ଫୋଡ଼ା ମାଧ୍ୟମରେ ଏକ ସାଇକେଲ୍‌ ଗୋଟିଏ ଖୁଣ୍ଟରେ ବନ୍ଧାଯାଇଛି। ଡାହାଣ : ଉପରକୁ ଉଠାଇ, ଭକ୍ତମାନେ ତାଙ୍କର ଛାତି ଏବଂ ଜଙ୍ଘରେ ଫୋଡ଼ା ମାଧ୍ୟମରେ ବନ୍ଧା ଯାଇଥିବା ସାଇକେଲର ଓଜନ ଉଠାଇବାରେ ସହାୟକ ହେଲେ। ଗୋଟିଏ ବିଡ଼ାରେ ବନ୍ଧା ଯାଇଥିବା ଖୁବ୍‌ ଲମ୍ବା ଦଉଡ଼ି, ତଳକୁ ଓହଳିଛି

ଉତ୍ସବ ପାଳନ ପରେ ମୁଁ କେତେକ ପ୍ରଦର୍ଶନକାରୀଙ୍କୁ ପଚାରିଲି ସେମାନେ ଯନ୍ତ୍ରଣା ଅନୁଭବ କଲେ କି। ସେମାନେ ହସିଲେ ଏବଂ ଉତ୍ତର ଦେଲେ ଯେ ଏହା ଦେଖଣାହାରୀଙ୍କ ପାଇଁ ଯନ୍ତ୍ରଣାଦାୟକ, କିନ୍ତୁ ଯେଉଁମାନେ ଏହା କରନ୍ତି ସେମାନଙ୍କ ପାଇଁ ନୁହେଁ। ସେମାନେ ବିଶ୍ୱାସ କରନ୍ତି ଭଗବାନ ଶିବଙ୍କର ଆଶୀର୍ବାଦରୁ ସେମାନଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳେ, ଏବଂ ସେମାନେ ଏହି ଆଶୀର୍ବାଦ ପାଇଛନ୍ତି। ସେମାନେ ବର୍ଷ ପରେ ବର୍ଷ ଏହି ରୂପରେ ପୂଜା କରିଆସୁଛନ୍ତି।

ଗୌତମ ବାଉରି ଏବଂ ଆଶିଷ ବାଉରି, ଉଭୟ ୨୨ ବର୍ଷର, ଏହି ରୀତିନୀତିକୁ ଯଥାକ୍ରମେ ଆଠ ବର୍ଷ ଓ ପାଞ୍ଚ ବର୍ଷ ହେଲା କରିଆସୁଛନ୍ତି। ଅଠର ବର୍ଷ ବୟସ୍କ ସତ୍ୟଜିତ୍‌ ବାଉରି, ପୁରୁଲିଆ ସର୍‌ବୋରି କଲେଜର ଜଣେ ଛାତ୍ର, ଜଣେ ପ୍ରଦର୍ଶନକାରୀ ମଧ୍ୟ ଏବଂ ସମାନ ଭାବେ ବିଶ୍ୱାସ କରନ୍ତି ଯେ ଶିବଙ୍କ ଆଶୀର୍ବାଦରୁ ତାଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳେ। ଏହି ଯୁବକ ଅନୁଭବ କରନ୍ତି ଯେ ତାଙ୍କର ପରାକ୍ରମ ଯନ୍ତ୍ରଣାଦାୟକ ବା ହାନିକାରକ ନୁହେଁ, ସେ ନିଜକୁ ଭଗବାନ ଶିବଙ୍କ ସାମ୍ନାରେ ସମର୍ପିତ କରିଦେଇଛନ୍ତି ଆଉ ପୂଣ୍ୟ ଅର୍ଜନ କରିଛନ୍ତି ।

PHOTO • Madhabi Maity

ପ୍ରଦର୍ଶନକାରୀ ଗୌତମ, ସତ୍ୟଜିତ୍‌ ଏବଂ ଆଶିଷ ବାଉରି

ଫୋଡ଼ାଇଥିବା ଏହି ପ୍ରଦର୍ଶନକାରୀମାନେ ନା ଟିକା ନେଇଛନ୍ତି ନା ଏହି ପର୍ବର ପୂର୍ବରୁ ବା ପରେ ସେମାନେ କୌଣସି ବିଧିବଦ୍ଧ ଔଷଧ ନିଅନ୍ତି। ସେମାନେ ନିଜର କ୍ଷତର ଚିକିତ୍ସା ପାଇଁ କେବଳ ଲିମ୍ବ ପତ୍ର ଏବଂ ହଳଦିର ଗୋଟିଏ ଲେପକୁ ଘରେ ତିଆରି ଘିଅ ସହ ମିଶାଇ ଲଗାନ୍ତି। ମୁଁ ଦେଖିଲି ଯେ ଏହି ଶୋଭାଯାତ୍ରାରେ ବି ଲିମ୍ବ ପତ୍ରରେ ସାଜସଜ୍ଜା କରାଯାଇଥିଲା। ଏବଂ ସେମାନେ ବ୍ୟବହାର କରିଥିବା ଫୁଲମାଳ କେବଳ ଗୁଲଞ୍ଚା ଫୁଲରେ ତିଆରି। ଲିମ୍ବ, ହଳଦି ଓ ଗୁଲଞ୍ଚା ହେଉଛି ଗ୍ରାମବାସୀଙ୍କ ଅନୁସାରେ ଔଷଧୀୟ ବୃକ୍ଷ ଏବଂ ଏହି ଗଛଗୁଡ଼ିକର ବହୁତ ବେଶୀ ଚିକିତ୍ସା ଗୁଣ ଅଛି ।

ଶୋଷିତ ଏବଂ ବିଭେଦର ଶିକାର ହେଉଥିବା ଲୋକ ଭାବେ ଏହି ପ୍ରଦର୍ଶନକାରୀଙ୍କର କଷ୍ଟ ସହିବାର ଅଭ୍ୟାସ ଥାଏ, କିନ୍ତୁ କେବଳ ଏମିତି ପର୍ବ ସମୟରେ ହିଁ ସମାଜ ଦ୍ୱାରା ଏମାନଙ୍କର ଯନ୍ତ୍ରଣା ସହିବାର କ୍ଷମତାକୁ ସ୍ୱୀକାର କରାଯାଏ ଆଉ ସେମାନଙ୍କୁ ସମ୍ମାନ ଦିଆଯାଏ। ଏହା ହେଉଛି ଏକମାତ୍ର ସମୟ ଯେତେବେଳେ ବାଉରିମାନେ ଉଚ୍ଚଜାତିର ହିନ୍ଦୁମାନଙ୍କଠାରୁ ସମ୍ମାନ ପାଇପାରିବେ, ଯେଉଁମାନେ ସାଧାରଣତଃ ସେମାନଙ୍କୁ ସେମାନଙ୍କର ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦିଅନ୍ତି ନାହିଁ, ଏମିତିକି ଏହି ଶିବମନ୍ଦିରକୁ ମଧ୍ୟ ନୁହେଁ ଯେଉଁଠାରେ ଏବେ ଏହି ପ୍ରଦର୍ଶନ ହେଲା। ତେବେ ଗାଜନ ପର୍ବ ସମୟରେ ସେମାନେ ଶୁଦ୍ଧ, ସ୍ପୃଶ୍ୟ ଏବଂ ସେମାନଙ୍କର ଜାତି ସତ୍ୱେ ସମାଜ ଦ୍ୱାରା ସମ୍ମାନିତ। ସମସ୍ତ ଭକ୍ତମାନେ ସେମାନଙ୍କର ବେକରେ ପବିତ୍ର ସୂତା ବାନ୍ଧିଥାଆନ୍ତି, ଯାହା ସମାଜ କେବଳ ବ୍ରାହ୍ମଣଙ୍କୁ ପିନ୍ଧିବାକୁ ଅନୁମତି ଦିଏ। ଏହା ପୂଜକଙ୍କ ଶକ୍ତିର ଚିହ୍ନ। ତେବେ ରୋଚକ କଥା ହେଲା ବ୍ରାହ୍ମଣମାନଙ୍କୁ ଏହି ଭକ୍ତ ହେବାର ଅନୁମତି ମିଳିନଥାଏ: ଏହି ମାନ୍ୟତା କେବଳ ନିମ୍ନ ଜାତିଗୁଡ଼ିକ ପାଇଁ ସଂରକ୍ଷିତ।

ଏହିପରି ଭାବରେ ଦଳିତମାନେ ନିଜ ଶରୀର ଉପରେ ସେମାନଙ୍କର ଶକ୍ତି ପାଳନ କରନ୍ତି - ଶେଷ ଜିନିଷ ଯାହା ପ୍ରକୃତରେ ସେମାନଙ୍କର ରହିଥାଏ - ଏବଂ ସେମାନେ ଉପାର୍ଜିତ କ୍ଷଣସ୍ଥାୟୀ ସ୍ୱାଧୀନତାକୁ ଉପଭୋଗ କରନ୍ତି ।

ମାଧବୀ ମଇତି ପଶ୍ଚିମବଙ୍ଗ ମିଦନାପୁର କଲେଜରେ ବଙ୍ଗଳା ବିଭାଗରେ ଆସୋସିଏଟ୍‌ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି ; ତାଙ୍କର ଆଗ୍ରହ ବିଷୟ ଭିତରେ ରହିଛି ଓମେନ୍ସ ଷ୍ଟଡିଜ୍‌, ଏବଂ ବେଙ୍ଗଲର କଥା ଓ ଭାଷା ।

ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE