‘‘ମୋର ମନେ ଅଛି ଆମ ଘର ଛାତ ଉପରୁ ମୂଷାଗୁଡ଼ିକ ଖସିପଡ଼ି ମୃତ୍ୟୁବରଣ କରୁଥିଲେ। ମୋ ପାଇଁ ଏହା ସବୁଠୁ ଅଶୁଭସୂଚକ ଦୃଶ୍ୟ ଥିଲା। ଆଜି ଏକଥା ଭାବିଲେ ଆମକୁ ହସ ଲାଗିପାରେ, କିନ୍ତୁ ଏମିତି ଦିନ ଥିଲା ଯେତେବେଳେ ଛାତରୁ ମୂଷା ଖସିବା ପରେ ଆମେ ଘର ଛାଡ଼ିବାକୁ ବାଧ୍ୟ ହେଉଥିଲୁ, ଆମେ କେବେ ଫେରିବୁ ଜାଣୁନଥିଲୁ।’’

କୋଏମ୍ବାଟୁର କଲାପଟ୍ଟୀର ବାସିନ୍ଦା ଏ. କୁଳନ୍ଦେଇଅମ୍ମାଲଙ୍କ ମନରେ ଅତୀତର ଏ ସ୍ମୃତି ସମ୍ପୂର୍ଣ୍ଣ ଜୀବନ୍ତ ଓ ସତେଜ ରହିଛି। ଏବେ ତାଙ୍କୁ ୮୦ ପାଖାପାଖି ବୟସ ହେବ, ସେ କିଶୋରାବସ୍ଥାରେ ସୁଦ୍ଧା ପହଞ୍ଚିନଥିଲେ, ୧୯୪୦ ମସିହାରେ ଶେଷ ଥର ପାଇଁ ତାମିଲନାଡ଼ୁ ସହରରେ ପ୍ଲେଗ୍‌ ବ୍ୟାପିଥିଲା।

ମହାମାରୀ କୋଏମ୍ବାଟୁର ସହର ପାଇଁ ଦୁର୍ଭାଗ୍ୟ ହୋଇ ରହିଆସିଛି। ବସନ୍ତଠାରୁ ଆରମ୍ଭ କରି ପ୍ଲେଗ୍ ପର୍ଯ୍ୟନ୍ତ ପୁଣି ହଇଜା ପ୍ରକୋପ-ଏସବୁ ରୋଗ ସବୁଆଡ଼େ ଥିଲେ ବି ଏହି ଅଞ୍ଚଳରେ ଯେମିତି କେନ୍ଦ୍ରିତ ହୋଇ ରହିଛି। ‘ପ୍ଲେଗ୍ ମାରିଅମ୍ମନ’ (‘କଳା ମାରିଅମ୍ମନ’ ନାମରେ ମଧ୍ୟ ପରିଚିତ) ମନ୍ଦିର ପ୍ରାୟ ସ୍ଥାନରେ ଦେଖିବାକୁ ମିଳିଥାଏ। ଏ ସହରରେ ସେଥିମଧ୍ୟରୁ ୧୬ଟି ରହିଛି।

ତେବେ, କୋଭିଡ-୧୯ ମହାମାରୀ ଆସିବା ପରେ ‘କରୋନା ଦେବୀ’ ମନ୍ଦିର ମଧ୍ୟ ମୁଣ୍ଡ ଟେକିଛି। ତଥାପି ପ୍ଲେଗ୍‌ ମାରିଅମ୍ମନ ଦେବୀଙ୍କ ନିକଟକୁ ଏବେ ବି ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। ପଡ଼ୋଶୀ ତିରୁପ୍ପୁର ଜିଲ୍ଲାରେ ମଧ୍ୟ କେତେକ ମନ୍ଦିର ରହିଛି ଯେଉଁଠି ଏବେ ବି ପର୍ବପର୍ବାଣୀ ଆୟୋଜିତ ହେଉଛି ଏବଂ ଭକ୍ତମାନେ ଆସୁଛନ୍ତି।

୧୯୦୩ରୁ ୧୯୪୨ ମଧ୍ୟରେ କୋଏମ୍ବାଟୁର ସହର ଅତିକମ୍‌ରେ ୧୦ ଥର ପ୍ଲେଗ୍‌ ଲହରୀର ଶିକାର ହୋଇଥିଲା, ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ବହୁ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା, ସହରର ମିଳିତ ସ୍ମୃତିରେ ଏବେ ବି ପ୍ଲେଗ୍‌ ଜୀବନ୍ତ ହୋଇ ରହିଛି। କୁଳନ୍ଦେଇଅମ୍ମାଲଙ୍କ ଭଳି ସହରର ବୃଦ୍ଧ ଲୋକମାନଙ୍କ ମନରେ ପ୍ଲେଗ୍‌ ଏକ କଳା ଇତିହାସ ହୋଇ ଜୀବନ୍ତ ରହିଛି।

କୋଳାହଳପୂର୍ଣ୍ଣ ଟାଉନ ହଲ୍‌ ଅଞ୍ଚଳରେ, ଏକ ବ୍ୟସ୍ତ ସନ୍ଧ୍ୟାରେ ଜଣେ ଫୁଲ ବିକ୍ରେତା ପ୍ଲେଗ୍‌ ମାରିଅମ୍ମନ ମନ୍ଦିର ବାହାରେ ବସିରହିବା ବୋଧହୁଏ ସବୁଠୁ ସାଧାରଣ ଦୃଶ୍ୟ। ୪୦ ବର୍ଷୀୟା କନାମ୍ମାଲଙ୍କ ଆଖି ଓ ହାତ ନିଖୁଣ ଭାବେ ଫୁଲ ହାର ଗୁନ୍ଥିବାରେ ବ୍ୟସ୍ତ ରହିଛି। ଅନ୍ୟତ୍ର ନଚାହିଁ ସେ କୁହନ୍ତି, ‘‘ଆଜି ହେଉଛି ଶୁକ୍ରବାର। ‘‘ଅଧିକ ଭିଡ଼ ହେବ ଲାଗୁଛି’’।

‘‘ତୁମେ ଜାଣ, ସେ ଶକ୍ତିଶାଳୀ। ଏବେ କରୋନା ଦେବୀ ମନ୍ଦିର ପ୍ରତିଷ୍ଠା ହେଲେ ସୁଦ୍ଧା ଆମ ପାଇଁ କଳା ମାରିଅମ୍ମନ ମନ୍ଦିର ବଡ଼। ଆମେ ବିଶେଷ କରି ଅସୁସ୍ଥ ହେବା ସମୟରେ, ଅନ୍ୟ ସାଧାରଣ ସମୟରେ ମଧ୍ୟ ତାଙ୍କୁ ପୂଜା କରିବା ଜାରି ରଖିବୁ।’’ ତାଙ୍କ ପାଇଁ ‘ସାଧାରଣ ପ୍ରାର୍ଥନା’ର ଅର୍ଥ – ସମୃଦ୍ଧି, ସଫଳତା ଓ ଦୀର୍ଘ ଜୀବନ ପାଇଁ ପୂଜାର୍ଚ୍ଚନା। ପ୍ଲେଗ ଯୁଗ ଶେଷ ହେବାର ପ୍ରାୟ ଚାରି ଦଶନ୍ଧି ପରେ କନାମ୍ମାଲ ଜନ୍ମ ନେଇଥିଲେ। କିନ୍ତୁ ତାଙ୍କ ପିଢ଼ିର ଅଧିକାଂଶ ଲୋକ ସମସ୍ୟାରୁ ମୁକ୍ତି ପାଇବା ଲାଗି ମାରିଅମ୍ମନ ମନ୍ଦିରକୁ ଚାଲିଆସନ୍ତି।

The Plague Mariamman temple in Coimbatore’s Town Hall area is 150 years old.
PHOTO • Kavitha Muralidharan
Devotees believe that the deity can cure them when they fall sick
PHOTO • Kavitha Muralidharan

ବାମ : କୋଏମ୍ବାଟୁରର ଟାଉନ ହଲ୍‌ ଅଞ୍ଚଳରେ ଥିବା ପ୍ଲେଗ୍‌ ମାରିଅମ୍ମନ ମନ୍ଦିର ୧୫୦ ବର୍ଷ ପୁରୁଣା। ଡାହାଣ : ଭକ୍ତମାନଙ୍କର ବିଶ୍ୱାସ ରହିଛି ଯେ ସେମାନେ ଅସୁସ୍ଥ ହେଲେ ଦେବୀ ସେମାନଙ୍କୁ ସୁସ୍ଥ କରି ଦେଇପାରନ୍ତି

ପ୍ଲେଗର ପ୍ରଭାବ ଏତେ ଥିଲା ଯେ ଏହା କୋଏମ୍ବାଟୁରର ସାଂସ୍କୃତିକ ମାନବ ଭୂଗୋଳର ଗୋଟିଏ ଭାଗ ନିର୍ମାଣ କରିଥିଲା। ‘‘ସହରର ମୂଳବାସିନ୍ଦାମାନେ ପ୍ଲେଗ ଦ୍ୱାରା କେବଳ ପ୍ରଭାବିତ ହୋଇନଥିଲେ ବରଂ ସେମାନେ ଏ ମହାମାରୀର ଶିକାର ମଧ୍ୟ ହୋଇଥିଲେ। କୋଏମ୍ବାଟୁରର ଜଣେ ଲେଖକ ସି.ଆର. ଏଲାନଗୋବନ କୁହନ୍ତି, ଆପଣ ଏମିତି ଜଣେ ପରିବାରକୁ ପାଇବେ ନାହିଁ ଯିଏ ପ୍ଲେଗ ଦ୍ୱାରା ପ୍ରଭାବିତ ହୋଇନଥିବେ’’।

୧୯୬୧ ମସିହାର ଜିଲ୍ଲା ଜନଗଣନା ପୁସ୍ତିକା ଅନୁଯାୟୀ , ପ୍ଲେଗ ରୋଗର ଏକାଧିକ ଲହରୀ ଆସି କୋଏମ୍ବାଟୁରରେ ୧୯୦୯ ମସିହାରେ ୫,୫୮୨ ହଜାର ଏବଂ ୧୯୨୦ ମସିହାରେ ୩,୮୬୯ ଜଣ ମୃତ୍ୟୁବରଣ କରିଥିଲେ। ଅନ୍ୟ ରିପୋର୍ଟରୁ ସୂଚନା ମିଳିଥାଏ ଯେ ୧୯୧୧ରେ ପ୍ଲେଗ୍‌ ସଂକ୍ରମଣ ବ୍ୟାପିବା କାରଣରୁ ସେହି ବର୍ଷ କୋଏମ୍ବାଟୁର ସହରର ଜନସଂଖ୍ୟା ୪୭,୦୦୦କୁ ହ୍ରାସ ପାଇଥିଲା। ୧୯୦୧ରେ ମୋଟ୍‌ ୫୩,୦୦୦ ଜନସଂଖ୍ୟା ଥିବା ସହରରେ ବହୁସଂଖ୍ୟକ ଲୋକ ମୃତ୍ୟୁବରଣ କରିଥିଲେ।

ଏଲାନଗୋବନ କୁହନ୍ତି, ତାଙ୍କ ନିଜର ପରିବାର ‘‘ବିନା କ୍ଷତିରେ’’ ସହରକୁ ନିରାପଦ ଭାବେ ଫେରିବା ଲାଗି ଆଶା କରିବା ପୂର୍ବରୁ କୋଏମ୍ବାଟୁର ସହର ଛାଡ଼ି ଅଧିକାଂଶ ସମୟରେ ‘‘ଜଙ୍ଗଲରେ ରହିବାକୁ’’ ଚାଲିଯାଉଥିଲେ। ବର୍ତ୍ତମାନ ସମୟରେ ସେପରି ଏକ ଆଶା କରିବା ପ୍ରାୟତଃ ବୃଥା।

ଜିଲ୍ଲାର ମାନବ ଭୂଗୋଳ କ୍ଷେତ୍ରରେ ବିଶେଷ ଆଗ୍ରହ ଥିବା କୋଏମ୍ବାଟୁରରେ ଅବସ୍ଥାପିତ କୀଟବିଜ୍ଞାନୀ ପି. ଶିବ କୁମାର କୁହନ୍ତି, ‘‘ସେହି ଅନ୍ଧକାରମୟ ସମୟରେ, କୌଣସି ଚିକିତ୍ସା ସହାୟତା ଉପଲବ୍ଧ ନଥିଲା, ତେଣୁ ଲୋକମାନେ ଈଶ୍ୱରବିଶ୍ୱାସୀ ହୋଇପଡ଼ିଥିଲେ।’’

ସେହି ଆଶା, ଯେପରିକି ଅଧିକାଂଶ କ୍ଷେତ୍ରରେ ଘଟିଥାଏ, ଭୟ ଓ ନିରାଶା ସହ ମଧ୍ୟ ବାନ୍ଧି ହୋଇ ରହିଥିଲା। ୧୯୨୭ ମସିହାର କଥା, ସହର ପ୍ଲେଗ୍‌ ଯୁଗର ମଧ୍ୟ ଭାଗରେ ରହିଥାଏ, ଏହି ସମୟରେ ଦାର୍ଶନିକ ବର୍ଟାଣ୍ଡ ରୁସେଲ ଘୋଷଣା କଲେ ଯେ, ଧର୍ମ ‘‘ପ୍ରାଥମିକ ଭାବେ ଏବଂ ମୁଖ୍ୟତଃ ଭୟ ଉପରେ ଆଧାରିତ’’। ଏହା ଆଂଶିକ ଭାବେ ଏକ ଅଜଣା ଭୟ ଏବଂ କେତେକାଂଶରେ ଏକ ଭାବନା ଉପରେ ଆଧାରିତ ଥିଲା ଯେ ତୁମର ଜଣେ ବଡ଼ ଭାଇ ଅଛନ୍ତି ଯିଏକି ତୁମ ସହ ସମସ୍ୟା ଓ ସଙ୍କଟ ସମୟରେ ଛିଡ଼ା ହୋଇ ରହିଛନ୍ତି।’’

ଏହିସବୁ ଭିନ୍ନ ଭିନ୍ନ କାରଣରୁ ଦେବୀଙ୍କ ପ୍ରତି ସମର୍ପିତ ୧୬ଟି ମନ୍ଦିର ଗଢ଼ି ଉଠିଥିଲା- ଯାହାଙ୍କର ଲୋକପ୍ରିୟ ନାମ ମଧ୍ୟ କ୍ରମେ ବଦଳିଥିଲା। ଏଲାନଗୋବନ କୁହନ୍ତି, ‘‘ଲୋକମାନେ ପ୍ଲେଗ୍‌ ମାରିଅମ୍ମନଙ୍କୁ କଳା ମାରିଅମ୍ମନ ବୋଲି ସମ୍ବୋଧନ କଲେ, କାରଣ ତାମିଲ ଭାଷାରେ ମାରି ଅର୍ଥ କଳା, ତେଣୁ ଏପରି ପରିବର୍ତ୍ତନ ଆପେ ଆପେ ଘଟିଥିଲା।’’

ଏପରିକି ଇତିହାସର ଛାଇରେ ପ୍ଲେଗ୍‌ର ସ୍ମୃତି ବିସ୍ମୃତ ହୋଇଚାଲିଲେ ସୁଦ୍ଧା, ବିଭିନ୍ନ ମାର୍ଗରେ ଏହାର ପ୍ରଭାବ ଗୋଟିଏ ପରେ ଗୋଟିଏ ପିଢ଼ିକୁ ରୂପାନ୍ତରିତ ହୋଇଚାଲିଥିଲା।

People turn to Plague Mariamman for prosperity and long life, but they also seek relief from diseases like chicken pox, skin ailments, viral infections, and now Covid-19
PHOTO • Kavitha Muralidharan

ଲୋକମାନେ ସଙ୍କଟରୁ ମୁକ୍ତି, ସମୃଦ୍ଧି ଏବଂ ଦୀର୍ଘଜୀବନର ଆଶା ନେଇ ପ୍ଲେଗ୍‌ ମାରିଅମ୍ମନଙ୍କ ପାଖକୁ ଆସିଥାନ୍ତି। ହାଡ଼ଫୁଟି, ଚର୍ମରୋଗ, ଭୂତାଣୁ ସଂକ୍ରମଣ ଏବଂ ଏବେ କୋଭିଡ-୧୯ ଭଳି ରୋଗରୁ ମୁକ୍ତି ପାଇବା ଲାଗି ସେମାନେ ଦେବୀଙ୍କୁ ପୂଜା କରିଥାନ୍ତି

କୋଏମ୍ବାଟୁରର ବାସିନ୍ଦା ନିକିଲା ସି. (୩୨) କୁହନ୍ତି, ‘‘ମୋର ମନେ ପଡ଼ୁଛି ମୁଁ ଅସୁସ୍ଥ ହୋଇପଡ଼ିଲେ ମୋର ମାତାପିତା ମୋତେ ମନ୍ଦିରକୁ ନେଇଯାଆନ୍ତି। ମୋର ଜେଜେ ମା’ ନିୟମିତ ମନ୍ଦିରକୁ ଯାଉଥିଲେ। ମନ୍ଦିରରେ ଥିବା ପବିତ୍ର ଜଳ ରୋଗ ଦୂର କରିବାରେ ସହାୟକ ହୋଇଥାଏ ବୋଲି ମୋ ମା’ ବାପାଙ୍କ ମନରେ ବିଶ୍ୱାସ ରହିଥିଲା। ସେମାନେ ମଧ୍ୟ ଦେବୀଙ୍କୁ ପୂଜା କରୁଥିଲେ। ଆଜି ମୋର ଝିଅ ଅସୁସ୍ଥ ହୋଇପଡ଼ିଲେ, ମୁଁ ମଧ୍ୟ ତାହା କରିଥାଏ। ମୁଁ ତା’କୁ ସେଠାକୁ ନେଇଯାଏ ଏବଂ ପୂଜା କରିସାରି ପବିତ୍ର ଜଳ ସିଞ୍ଚନ କରିଥାଏ। ମୁଁ ମୋ ମାତାପିତାଙ୍କ ଭଳି ନିୟମିତ ଏହି କାମ କରେ ନାହିଁ। କିନ୍ତୁ ମୁଁ ଏପରି କରିଥାଏ। ଏ ସହର ବାସିନ୍ଦାଙ୍କ ପାଇଁ ଏହା ଜୀବନର ଏକ ଅଂଶବିଶେଷ।’’

*****

ଟାଉନ ହଲ୍ ଅଞ୍ଚଳରେ ଥିବା ପ୍ଲେଗ୍‌ ମାରିଅମ୍ମନ ମନ୍ଦିରଠାରେ ୪୨ ବର୍ଷ ବୟସ୍କ ଏମ. ରାଜେଶ କୁମାର କୁହନ୍ତି ଯେ ‘‘ମୁଁ ଏଠାରେ ଚତୁର୍ଥ ପିଢ଼ିର ପୂଜକ ଭାବେ କାମ କରୁଛି। ଲୋକମାନେ ଏଠାକୁ ହାଡ଼ଫୁଟି, ଚର୍ମ ରୋଗ, କୋଭିଡ-୧୯ ଏବଂ ଭୂତାଣୁ ସଂକ୍ରମଣରୁ ମୁକ୍ତି ପାଇବା ଲାଗି ପୂଜା କରିବାକୁ ଆସନ୍ତି। ଏହି ଦେବୀ ଏପରି ରୋଗରୁ ମୁକ୍ତି ଦେଇଥାନ୍ତି ବୋଲି ଲୋକମାନଙ୍କ ମନରେ ଏକ ବିଶ୍ୱାସ ରହିଛି।’’

‘‘ଏ ମନ୍ଦିର ଗତ ୧୫୦ ବର୍ଷ ଧରି ରହିଛି। (୧୯୦୩-୧୯୪୨) ମଧ୍ୟରେ ଯେତେବେଳେ କୋଏମ୍ବାଟୁରରେ ପ୍ଲେଗ୍‌ ରୋଗ ବ୍ୟାପିଲା ମୋର ଅଣ ଜେଜେବାପା ଏଠାରେ ପ୍ଲେଗ ମାରିଅମ୍ମନଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଲେ। ଏହାପରେ, ମୋର ଜେଜେବାପା ଏବଂ ମୋର ବାପା ଏହାକୁ ପୂଜା କରିଥିଲେ। ଆଜି ମୁଁ କରୁଛି। ସେବେଠାରୁ, ଦେବୀଙ୍କ କରୁଣା ଦୃଷ୍ଟିରେ ଥିବା କୌଣସି ସ୍ଥାନରେ କେବେବି ପ୍ଲେଗ୍‌ ବ୍ୟାପିନାହିଁ। ତେଣୁ ଲୋକମାନଙ୍କ ମନରେ ତାଙ୍କ ପ୍ରତି ବିଶ୍ୱାସ ରହିଛି।’’

କୋଏମ୍ବାଟୁରର ସାଇବାବା କଲୋନୀରେ ଥିବା ମନ୍ଦିରକୁ ନେଇ ମଧ୍ୟ ଅନୁରୂପ ଏକ କାହାଣୀ ରହିଛି। ଏଠାରେ ଥିବା ପ୍ଲେଗ୍‌ ମାରିଅମ୍ମାନ ମନ୍ଦିରର ପରିଚାଳନା କମିଟି ସଦସ୍ୟ ୬୩ ବର୍ଷ ବୟସ୍କ ଭି.ଜି. ରାଜଶେଖରନ କୁହନ୍ତି, ‘‘ଏହି ମନ୍ଦିର ମୂଳତଃ ୧୫୦ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା।’’ ପ୍ଲେଗ୍‌ ରୋଗ ବ୍ୟାପିବା ପୂର୍ବରୁ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା।

ରୋଚକ କଥା ହେଉଛି, ଏହି ଦୁଇଟି ମନ୍ଦିର ଏବଂ ଏପରି ଅନ୍ୟମନ୍ଦିରଗୁଡ଼ିକ, ମାରିଅମ୍ମନ ମନ୍ଦିର ନାମରେ ପ୍ରସିଦ୍ଧ-କିନ୍ତୁ ଏଠାରେ ଦେବୀଙ୍କୁ ଅନ୍ୟ ରୂପ କିମ୍ବା ଅବତାରରେ ପୂଜା କରାଯାଇଥାଏ। ଯେତେବେଳେ ପ୍ଲେଗ୍‌ ରୋଗ ଏହି ଅଞ୍ଚଳରେ ବ୍ୟାପିଥିଲା, ଏହାର ଉଦ୍ଭବରେ ତାଣ୍ଡବ ସୃଷ୍ଟି ହୋଇଥିଲା, ଏହି ସମୟରେ ପଥରରେ ନିର୍ମିତ ଦେବୀଙ୍କ ଅତିରିକ୍ତ ମୂର୍ତ୍ତିକୁ ପ୍ଲେଗ୍‌ ମାରିଅମ୍ମନ ନାମରେ ସ୍ଥାପିତ କରାଗଲା।

ରାଜଶେଖରନ୍‌ ସେବା କରୁଥିବା ମନ୍ଦିର ପ୍ରତିଷ୍ଠା ହେବାର ପ୍ରାୟତଃ ତିନି ଦଶନ୍ଧି ପରେ ସହରରେ ପ୍ଲେଗ୍‌ ବ୍ୟାପିଥିଲା। ଏ ସମ୍ପର୍କରେ ସେ କୁହନ୍ତି, ‘‘ପ୍ରତି ପରିବାରରେ ପାଖାପାଖି ପାଞ୍ଚରୁ ଛଅ ଜଣ ଲୋକ ପ୍ରାଣ ହରାଇଲେ। ପରିବାର ସଦସ୍ୟଙ୍କର ମୃତ୍ୟୁ କିମ୍ବା ପ୍ଲେଗ୍‌ ବ୍ୟାପିବା ପରେ ଛାତରୁ ଯେତେବେଳେ ମୂଷାଗୁଡ଼ିକ ଖସିପଡ଼ିଲେ ଲୋକମାନେ ସେମାନଙ୍କର ଘର ଛାଡ଼ି ଚାଲିଗଲେ। ସେମାନେ ଘରକୁ ଫେରିବା ଲାଗି ଚାରିରୁ ପାଞ୍ଚ ମାସ ଲାଗିଲା।’’

V.G. Rajasekaran is an administrative committee member of the Plague Mariamman shrine in Coimbatore’s Saibaba Colony.
PHOTO • Kavitha Muralidharan
The temple existed from before the plague outbreaks in early to mid-20th century
PHOTO • Kavitha Muralidharan

ବାମ : କୋଏମ୍ବାଟୁର ସାଇବାବା କଲୋନୀସ୍ଥିତ ପ୍ଲେଗ୍‌ ମାରିଅମ୍ମନ ପୀଠର ପ୍ରଶାସନିକ କମିଟି ସଦସ୍ୟ ଭି.ଜି. ରାଜଶେଖରନ। ଡାହାଣ : ବିଂଶ ଶତାବ୍ଦୀରେ ପ୍ଲେଗ୍‌ ବ୍ୟାପିବା ପୂର୍ବରୁ ଏହି ପୀଠ ପ୍ରତିଷ୍ଠା କରାଯାଇଥିଲା

ସେତେବେଳେ ସାଇବାବା କଲୋନୀ ଏକ ଛୋଟ ଗାଁ ଥିଲା। ସେଠାକାର ବାସିନ୍ଦାମାନେ ପ୍ଲେଗରୁ ସୁସ୍ଥ ହେବା ଲାଗି ଏକ ପୃଥକ ମୂର୍ତ୍ତି ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଲେ ଏବଂ ତାଙ୍କୁ ପ୍ଲେଗ୍ ମାରିଅମ୍ମନ ନାମରେ ପୂଜା କରିବାକୁ ଆରମ୍ଭ କଲେ। ‘‘ଆମ ପରିବାରରେ ଦୁଇ ଜଣ ସଦସ୍ୟ ପ୍ରାଣ ହରାଇଥିଲେ। ଯେତେବେଳେ ମୋର କକା ଅସୁସ୍ଥ ହୋଇପଡ଼ିଲେ, ମୋର ଜେଜେ ମା’ ତାଙ୍କୁ ମନ୍ଦିରକୁ ନେଇଆସିଲେ, ପ୍ଲେଗ୍‌ ମାରିଅମ୍ମନ ଦେବୀଙ୍କ ଆଗରେ ଶୁଆଇଦେଲେ ଏବଂ ତାଙ୍କ ଉପରେ ନିମ୍ବ ଓ ହଳଦୀ ପ୍ରୟୋଗ କଲେ। ସେ ସୁସ୍ଥ ହୋଇଗଲେ।’’

ସେବେଠାରୁ ସେହିଁ ଗାଁ ଓ ଅନ୍ୟ ଗାଁ (ଏବେ କୋଏମ୍ବାଟୁର ସହରର ଅଂଶବିଶେଷ) ର ଲୋକମାନେ ବିଶ୍ୱାସ କଲେ ଯେ ଦେବୀ ମାରିଅମ୍ମାନଙ୍କୁ ପୂଜା କରିବା ଫଳରେ ସେମାନେ ପ୍ଲେଗ୍‌ ରୋଗରୁ ମୁକ୍ତି ପାଇପାରିବେ।

ଏଲାନଗୋବନ କୁହନ୍ତି, ଖାସ ଏହି କାରଣରୁ ପ୍ଲେଗ୍‌ ମାରିଅମ୍ମନ ଦେବୀଙ୍କ ପୀଠ ଏତେ ଅଧିକ ସଂଖ୍ୟାରେ ପାଖ ପାଖ ହୋଇ ଗଢ଼ି ଉଠିଲା। ‘‘ଏକ ଶତାବ୍ଦୀ ପୂର୍ବରୁ ସାଇବାବା କଲୋନୀ, ପୀଲାମେଡୁ, ପାପ୍ପାନେଇକେନପାଲାୟାମ, ଟାଉନହଲ ଏବଂ ଅନ୍ୟ ସ୍ଥାନଗୁଡ଼ିକ ଭିନ୍ନ ଭିନ୍ନ ଗ୍ରାମ ଥିଲା। ଆଜି ସେଗୁଡ଼ିକ କୋଏମ୍ବାଟୁର ସହରର ଅଂଶବିଶେଷ ପାଲଟିଛନ୍ତି।’’

ତାମିଲ ସାଂସ୍କୃତିକ ଇତିହାସର ଲେଖକ ଏବଂ ଐତିହାସିକ ଷ୍ଟାଲିନ୍‌ ରାଜଙ୍ଗମ୍‌ କୁହନ୍ତି, ପ୍ଲେଗ୍‌ ମାରିଅମ୍ମନଙ୍କ ପୂଜା ‘‘ଅତ୍ୟନ୍ତ ପ୍ରାକୃତିକ ଘଟଣାକ୍ରମ, ଏବଂ ପ୍ରଳୟ ସୃଷ୍ଟି କରିଥିବା ଏକ ରୋଗର ପ୍ରତିକ୍ରିୟା ଥିଲା। ଏହାପଛରେ ଥିବା ବିଶ୍ୱାସଟି ହେଉଛି : ଆପଣ ନିଜ ସମସ୍ୟା, ନିଜର ଚିନ୍ତା ଦୂର କରିବା ଲାଗି ଭଗବାନଙ୍କ ଉପରେ ଆସ୍ଥା ରଖିଛନ୍ତି। ଅସୁସ୍ଥତା ମାନବ ସମାଜର ସବୁଠୁ ବଡ଼ ସମସ୍ୟା। ତେଣୁ, ସ୍ଵାଭାବିକ ଭାବେ, ରୋଗରୁ ମୁକ୍ତି ପାଇବା ଲାଗି ଭଗବାନଙ୍କ ପ୍ରତି ଆସ୍ଥା କେନ୍ଦ୍ରିତ ହୋଇଛି।’’

ରାଜଙ୍ଗମ ଆହୁରି କୁହନ୍ତି, ‘‘ଖ୍ରୀଷ୍ଟ ଏବଂ ଇସଲାମ ଧର୍ମରେ ମଧ୍ୟ ଏହା ଏକ ସାଧାରଣ କଥା। ଅସୁସ୍ଥ ଶିଶୁମାନଙ୍କୁ ମସଜିଦ୍‌ରେ ଚିକିତ୍ସା କରାଯାଏ। ଖ୍ରୀଷ୍ଟ ଧର୍ମରେ ଆମେ, ଆରୋଗ୍ୟ ମଦା (ରୋଗରୁ ମୁକ୍ତି ପ୍ରଦାନକାରୀ ମାତା)ଙ୍କୁ ପୂଜା କରୁଛୁ। ବୌଦ୍ଧ ଭିକ୍ଷୁ ମାନେ ମଧ୍ୟ ଔଷଧ ପ୍ରସ୍ତୁତ କରୁଥିବା ଆମେ ଜାଣିଛୁ। ତାମିଲନାଡ଼ୁରେ, ସିଦ୍ଧର ମାନେ ଥିବା ଆମେ ଜାଣିଛୁ, ଯେଉଁମାନେ ମୂଳତଃ ଚିକିତ୍ସକ ଥିଲେ। ଏହି କାରଣରୁ ଚିକିତ୍ସା ଶାସ୍ତ୍ରରେ ସିଦ୍ଧ ବିଭାଗ ରହିଛି’’।

ତାମିଲନାଡ଼ୁର ପ୍ରାୟ ପ୍ରତ୍ୟେକ ଗ୍ରାମରେ ମାରିଅମ୍ମନ ମନ୍ଦିର ରହିଛି। କେତେକ ଅଞ୍ଚଳରେ ସେ ଭିନ୍ନ ନାମରେ ପୂଜା ପାଉଛନ୍ତି, କିନ୍ତୁ ତାଙ୍କର ପୀଠ ସବୁସ୍ଥାନରେ ରହିଛି। ନିର୍ଦ୍ଦିଷ୍ଟ ଭଗବାନ ଏବଂ ଆରୋଗ୍ୟ ପ୍ରଦାନ କରିବା ଲାଗି ତାଙ୍କର ପ୍ରଭାବ ଓ କ୍ଷମତାର ନିର୍ଦ୍ଦିଷ୍ଟ ବିଚାର କେବଳ ଗୋଟିଏ ଧର୍ମ କିମ୍ବା ଗୋଟିଏ ଦେଶରେ ସୀମିତ ନୁହେଁ। ନିକଟ ଦଶନ୍ଧିରେ ସମଗ୍ର ବିଶ୍ୱରେ ପଣ୍ଡିତମାନେ ପ୍ଲେଗ୍‌ ଏବଂ ମହାମାରୀର ମୁକାବିଲା ଲାଗି ଧାର୍ମିକ ପ୍ରତିକାରକୁ ଅଧିକ ଗମ୍ଭୀରତାର ସହ ଗ୍ରହଣ କରିଥିବା ଦେଖିବାକୁ ମିଳିଥାଏ।

A temple in the Pappanaickenpudur neighbourhood of Coimbatore. Painted in red, the words at the entrance say, Arulmigu Plague Mariamman Kovil ('temple of the compassionate Plague Mariamman')
PHOTO • Kavitha Muralidharan

କୋଏମ୍ବାଟୁର ନିକଟରେ ଥିବା ପାପ୍ପାନାଏକେନପୁଦୁରରେ ଏକ ମନ୍ଦିର। ଏହାର ପ୍ରବେଶ ପଥରେ ନାଲି ରଙ୍ଗରେ ଲେଖା ହୋଇଛି ‘ଆରୁଲମିଗୁ ପ୍ଲେଗ୍‌ ମାରିଆମ୍ମନ କୋଭିଲ’ (କରୁଣାମୟୀ ପ୍ଲେଗ୍‌ ମାରିଅମ୍ମନଙ୍କ ମନ୍ଦିର)

ଏ ସମ୍ପର୍କରେ ଐତିହାସିକ ଡୁଆନ ଜେ. ଓଶିମ୍‌ ୨୦୦୮ରେ ପ୍ରକାଶିତ ତାଙ୍କର ଲେଖା, ‘ରିଲିଜିଅନ୍‌ ଆଣ୍ଡ ଏପିଡେମିକ୍‌ ଡିଜିଜ୍‌’ (ଧର୍ମ ଏବଂ ମହାମାରୀ ରୋଗ) ଲେଖିଛନ୍ତି : ମହାମାରୀର ମୁକାବିଲା ପାଇଁ “କୌଣସି ଏକକ କିମ୍ବା ଆନୁମାନିକ ଧାର୍ମିକ ପ୍ରତିକାର ନାହିଁ। ଅନ୍ୟପଟେ ଧାର୍ମିକ ପ୍ରତିକାରକୁ ସବୁବେଳେ ସର୍ବନାଶକାରୀ ବୋଲି ଭାବିବା ମଧ୍ୟ ଠିକ୍‌ ହେବ ନାହିଁ। ତେଣୁ ଲିଙ୍ଗ, ଶ୍ରେଣୀ କିମ୍ବା ସମ୍ପ୍ରଦାୟ ଭଳି ବିଶ୍ଳେଷଣର ଏକ ବର୍ଗ ଭାବେ ଧର୍ମକୁ ମାନ୍ୟତା ଦେବା ଭଲ ହେବ। ଧାର୍ମିକ ମାଧ୍ୟମରେ ମହାମାରୀର ପ୍ରତିକାରକୁ ଏକ ଢାଞ୍ଚା ଭାବେ ଦେଖାଯିବା ଉଚିତ, ଯାହା ନିରନ୍ତର ପରିବର୍ତ୍ତିତ ଏକ ପରିଦୃଶ୍ୟ ହୋଇଥାଏ। ରୋଗର ପ୍ରତିକାର ଏବଂ ମାନବ ମୁକାବିଲାର ଅଧ୍ୟୟନ କରିବା ଲାଗି ଏହି ଢାଞ୍ଚାକୁ ଗ୍ରହଣ କରାଯିବା ଆବଶ୍ୟକ।’’

*****

ବାର୍ଷିକ ଅମ୍ମାନ ତିରୁବିଳାସ (ମାରିଅମ୍ମନଙ୍କ ପର୍ବ) ଆଜି ମଧ୍ୟ ତାମିଲନାଡ଼ୁରେ ଅଧିକାଂଶ ସ୍ଥାନରେ ପାଳନ କରାଯାଏ। ଜନ ସ୍ୱାସ୍ଥ୍ୟ ଏବଂ ଧାର୍ମିକ ଆସ୍ଥା ମଧ୍ୟରେ ରହିଥିବା ସମ୍ପର୍କକୁ ବୁଝିବା ଲାଗି ଏହା ଏକ ଦୃଢ଼ ପ୍ରମାଣ ଦେଇଥାଏ ବୋଲି ଷ୍ଟାଲିନ ରାଜଙ୍ଗମ୍‌ କୁହନ୍ତି।  ତାମିଲ ମାସ ଆଦି (ଜୁଲାଇ ମଧ୍ୟଭାଗରୁ ଅଗଷ୍ଟ ମଧ୍ୟ ଭାଗ ପର୍ଯ୍ୟନ୍ତ) ସମୟରେ ଏହି ପାର୍ବଣ ସମ୍ପୂର୍ଣ୍ଣ ତାମିଲନାଡ଼ୁ ରାଜ୍ୟରେ ଥିବା ଅମ୍ମାନ ମନ୍ଦିରରେ ପାଳନ କରାଯାଇଥାଏ।

‘‘ପୂର୍ବବର୍ତ୍ତୀ ମାସ – ଛିତିରେଇ, ୱେଗାସୀ ଏବଂ ଆନି (ଯଥାକ୍ରମେ ଏପ୍ରିଲ ମଧ୍ୟଭାଗରୁ ମେ ମଧ୍ୟଭାଗ, ମେ ମଧ୍ୟ ଭାଗରୁ ଜୁନ ମଧ୍ୟଭାଗ ଏବଂ ଜୁନ ମଧ୍ୟଭାଗରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ)ରେ ତାମିଲନାଡ଼ୁରେ ବିଶେଷ ଗରମ ଅନୁଭୂତ ହୋଇଥାଏ,’’ ବୋଲି ରାଜଙ୍ଗମ କହିଛନ୍ତି। ‘‘ମାଟି ଶୁଖିଲା ଏବଂ ଶରୀର ଶୁଖିଲା ଥାଏ। ଏହି ଶୁଷ୍କତା ଅମ୍ମାଇ (ହାଡ଼ଫୁଟି/ବସନ୍ତ) ନାମକ ରୋଗ ସୃଷ୍ଟି କରିଥାଏ। ଉଭୟର ଚିକିତ୍ସା ପାଇଁ ଶୀତଳତା ଆବଶ୍ୟକ। ତିରୁବିଳାସ ଏଥିପାଇଁ ପାଳନ କରାଯାଇଥାଏ।’’

ଏପରିକି ମିଳିମିଳା ଓ ହାଡ଼ଫୁଟିରୁ ଦୈବିକ ସୁରକ୍ଷା ପାଇବା ଲାଗି ‘ମୁତୁ ମାରିଅମ୍ମନ’ (ଦେବୀଙ୍କର ଆଉ ଏକ ରୂପ)ଙ୍କୁ ପୂଜା କରାଯାଇଥାଏ। ‘‘ଏହି ରୋଗ ଚର୍ମକୁ ଆକ୍ରାନ୍ତ କରୁଥିବାରୁ, ଦେବୀଙ୍କୁ ମୁତୁ ମାରିଅମ୍ମାନ କୁହାଯାଏ, ତାମିଲ ଭାଷାରେ ‘ମୁତୁ’ର ଅର୍ଥ ହେଉଛି ମୋତି। ହାଡ଼ଫୁଟି ଓ ମିଳିମିଳାରୁ ଚିକିତ୍ସା ଲାଗି ଚିକିତ୍ସା ବିଜ୍ଞାନ ବିଶେଷ ଅଗ୍ରଗତି କରିସାରିଲାଣି, ତଥାପି ଏହି ମନ୍ଦିର ଭିଡ଼ ଆକୃଷ୍ଟ କରିଥାଏ।’’

ଏହି ପର୍ବ ସହ ଜଡ଼ିତ କେତେକ ପ୍ରଥା ବିଷୟରେ ମଧ୍ୟ ରାଜଙ୍ଗମ ସୂଚନା ଦେଇଥାନ୍ତି ଯାହାର ବୈଜ୍ଞାନିକ ମୂଲ୍ୟ ରହିନଥିଲେ ମଧ୍ୟ ଔଷଧିୟ ଗୁଣ ରହିଛି। ‘‘ଗାଁରେ ଥରେ ତିରୁବିଳା ଘୋଷଣା କରାଯିବା ପରେ କାପୁ କଟ୍ଟୁତାଲ ନାମକ ପ୍ରଥା ପାଳନ କରାଯାଇଥାଏ, ଏହାକୁ ପାଳନ କରାଯିବା ସମୟରେ ଲୋକମାନେ ଗାଁ ବାହାରକୁ ବାହାରିପାରିବେ ନାହିଁ। ସେମାନଙ୍କୁ ନିଜ ପରିବାରରେ, ସେମାନଙ୍କ ପଡ଼ାରେ ଏବଂ ଗାଁରେ ସ୍ଵଚ୍ଛତା ବଜାୟ ରଖିବାକୁ ହୋଇଥାଏ। ନିମ୍ବ ପତ୍ରକୁ ବିଶୋଧକ ଭାବେ ଏହି ପାର୍ବଣ ସମୟରେ ପ୍ରୟୋଗ କରାଯାଇଥାଏ।’’

ରାଜଙ୍ଗମ କୁହନ୍ତି, ବୈଜ୍ଞାନିକ ସମୁଦାୟ ଏବେ ସୁଦ୍ଧା କୋଭିଡ-୧୯ର ସ୍ଥାୟୀ ସମାଧାନ ସନ୍ଧାନରେ ରହିଛନ୍ତି। ହେଲେ ଏଥିପାଇଁ ଘୋଷଣା କରାଯାଇଥିବା ମାର୍ଗଦର୍ଶିକାରେ ଏପରି କିଛି କଟକଣା ରହିଛି ଯାହା ସେହି ପାର୍ବଣର ନିୟମ ସହ ସମାନ। ‘‘ସେଥିରେ ଶାରୀରିକ ଦୂରତା ଏବଂ ସ୍ଵଚ୍ଛତା ପାଇଁ ସାନିଟାଇଜର ବ୍ୟବହାର କଥା କୁହାଯାଇଛି। ଆହୁରି କେତେକ କ୍ଷେତ୍ରରେ, ଲୋକମାନେ ନିମ୍ବ ପତ୍ର ବ୍ୟବହାର କରିଥାନ୍ତି କାରଣ କୋଭିଡ ହେଲେ କ’ଣ କରିବାକୁ ହେବ ସେମାନେ ଜାଣନ୍ତି ନାହିଁ।’’

ସଙ୍ଗରୋଧ ଏବଂ କେତେକ ପ୍ରକାରର ସାନିଟାଇଜର ବ୍ୟବହାର କରାଯିବାର ବିଚାର ସର୍ବବ୍ୟାପୀ। କୋଭିଡ ମହାମାରୀ ବ୍ୟାପିବା ସମୟରେ ଓଡ଼ିଶାର ଜନ-ସ୍ୱାସ୍ଥ୍ୟ ଅଧିକାରୀମାନେ ସଙ୍ଗରୋଧ ଏବଂ ଶାରୀରିକ ଦୂରତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ଲାଗି ପୁରୀ ଜଗନ୍ନାଥଙ୍କ ଉଦାହରଣ ଦେଇଥିଲେ। ଭଗବାନ ଜଗନ୍ନାଥ ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ନିଜକୁ କିପରି ଅଣସର ଘରେ (ପୃଥକବାସ ଗୃହରେ) ବନ୍ଦ କରି ଦେଇଥାନ୍ତି ସେ ସମ୍ପର୍କରେ କର୍ତ୍ତୃପକ୍ଷ ଦର୍ଶାଇଥିଲେ।

The doorway of a Plague Mariamman temple in Coimbatore’s Peelameedu area
PHOTO • Kavitha Muralidharan

କୋଏମ୍ବାଟୁରର ପୀଲାମେଡ଼ୁ ଅଞ୍ଚଳରେ ଥିବା ଏକ ପ୍ଲେଗ୍‌ ମାରିଅମ୍ମନ ମନ୍ଦିରର ପ୍ରବେଶପଥ

ନ୍ୟୁୟର୍କସ୍ଥିତ ସିଏନା ବିଶ୍ୱବିଦ୍ୟାଳୟର ଧାର୍ମିକ ଅଧ୍ୟୟନ ବିଭାଗ ଲେଖକ ଏବଂ ସହଯୋଗୀ ପ୍ରାଧ୍ୟାପକ ଏସ ପେରୁନଦେବୀ କୁହନ୍ତି, ‘‘ଦେବୀ ପୂଜା ଏବଂ ରୋଗ ମୁକାବିଲାର ବିଚାର ଏତେ ବ୍ୟାପକ ଯେ କର୍ଣ୍ଣାଟକରେ ଏକ ଅମ୍ମାନ ମନ୍ଦିର ଏଡ୍ସ ରୋଗ ପ୍ରତି ସମର୍ପିତ।’’

ସେ ଆହୁରି କୁହନ୍ତି, ମାରିଅମ୍ମନଙ୍କୁ ପୂଜା କରିବା ଏକ ‘‘ଅତ୍ୟନ୍ତ ବିସ୍ତୃତ ବିଚାର... ଏପରିକି, ତାମିଲ ଭାଷାରେ ମାରୀ ର ଅର୍ଥ ହେଉଛି ବର୍ଷା। ମୁଲାଇପରୀ ଭଳି କେତେକ ପାର୍ବଣ (ଏକ କୃଷି ପର୍ବ)ରେ ମାରିଅମ୍ମନଙ୍କୁ ଫସଲର ଦେବୀ ଭାବେ ପୂଜା କରାଯାଇଥାଏ। କେତେକ କ୍ଷେତ୍ରରେ ତାଙ୍କୁ ରତ୍ନ ରୂପରେ ପୂଜା କରାଯାଏ। ତେଣୁ, ତାଙ୍କୁ ରୋଗ ପ୍ରଦାନକାରୀ ଦେବୀ, ରୋଗ ଏବଂ ରୋଗରୁ ମୁକ୍ତି ପ୍ରଦାନ କରୁଥିବା ଦେବୀଙ୍କ ରୂପରେ ପୂଜା କରାଯାଇଥାଏ। ପ୍ଲେଗ୍‌ ମାମଲାରେ ଏପରି କିଛି ହୋଇଥିଲା।’’ କିନ୍ତୁ ପେରୁନଦେବୀ ଏହି ରୋଗର ଅବାସ୍ତବ ମୁକାବିଲା ଠାରୁ ସତର୍କ ରହିବାକୁ ଚେତାଇ ଦେଇଥାନ୍ତି। ସେ କୁହନ୍ତି, ‘‘ମାରିଅମ୍ମନଙ୍କୁ ନେଇ ରହିଥିବା ଲୋକକଥାରେ ରୋଗକୁ ଜୀବନର ଏକ ଅଂଶବିଶେଷ ଭାବେ ଗ୍ରହଣ କରାଯିବା ସହ ଏହାର ସମାଧାନ ଲାଗି ଚେଷ୍ଟା କରିବାର ବିଚାର ଭାବେ ଗ୍ରହଣ କରାଯାଇଛି।’’

*****

ତେଣୁ ମାରିଅମ୍ମନ କିଏ?

ଏହି ଦ୍ରାବିଡ଼ୀୟ ଦେବୀ ଅନେକ ଦିନ ଧରି ଗବେଷକ, ଐତିହାସିକ ଏବଂ ଲୋକ କଥାକାରଙ୍କୁ ଆକୃଷ୍ଟ କରିଆସିଛି।

ତାମିଲନାଡ଼ୁର ଗ୍ରାମାଞ୍ଚଳରେ ମାରିଅମ୍ମନ ବୋଧହୁଏ ସବୁଠୁ ଲୋକପ୍ରିୟ ଦେବୀ, ଏଠାରେ ତାଙ୍କୁ ରକ୍ଷାକାରିଣୀ ଦେବୀ ରୂପରେ ପୂଜା କରାଯାଇଥାଏ। ଭିନ୍ନ ଭିନ୍ନ ଉତ୍ସରୁ ଏହି ଦେବୀଙ୍କ ବିଷୟରେ ଅଲଗା ଅଲଗା କାହାଣୀ ଶୁଣିବାକୁ ମିଳିଥାଏ।

କେତେଜଣ ଐତିହାସିକ ତାଙ୍କୁ ବୌଦ୍ଧ ପରମ୍ପରା ସହ ଯୋଡ଼ିଥାନ୍ତି ଏବଂ ତାଙ୍କୁ ନାଗାପଟ୍ଟିନମର ଜଣେ ବୌଦ୍ଧ ତପସ୍ୱିନୀ ଭାବେ ଗ୍ରହଣ କରିଥାନ୍ତି। ରୋଗଗ୍ରସ୍ତ ହେବା ପରେ, ବିଶେଷ କରି ବସନ୍ତ ରୋଗରେ ପୀଡ଼ିତ ଲୋକମାନେ ରୋଗମୁକ୍ତି ପାଇଁ ତାଙ୍କ ପାଖକୁ ଆସୁଥିଲେ ବୋଲି କୁହାଯାଏ। ସେ ଲୋକମାନଙ୍କୁ ବୁଦ୍ଧଙ୍କ ଉପରେ ଆସ୍ଥା ରଖିବାକୁ କହୁଥିଲେ ଏବଂ ଅଧିକାଂଶ ଲୋକଙ୍କୁ ନିମ୍ବ ପତ୍ର ମଲମ ଏବଂ ପ୍ରାର୍ଥନା ସହାୟତାରେ ଚିକିତ୍ସା କରୁଥିଲେ- ଏବଂ ପରିଷ୍କାର, ପରିଚ୍ଛନ୍ନ ରହିବା ସହ ଦାନପୁଣ୍ୟ କରିବା ଲାଗି ପରାମର୍ଶ ଦେଇ- ସୁସ୍ଥ କରି ଦେଉଥିଲେ। ନିର୍ବାଣ ପ୍ରାପ୍ତ କରିବା ପରେ ଲୋକମାନେ ତାଙ୍କର ମୂର୍ତ୍ତି ନିର୍ମାଣ କଲେ, ଏବଂ ଏହି ଠାରୁ ହିଁ ମାରିଅମ୍ମନଙ୍କୁ ପୂଜା କରିବାର ପରମ୍ପରା ଆରମ୍ଭ ହୋଇଥିଲା।

ତାଙ୍କୁ ନେଇ ଆଉ କେତେକ କିମ୍ବଦନ୍ତୀ ମଧ୍ୟ ରହିଛି। ପର୍ତ୍ତୁଗିଜ୍‌ମାନଙ୍କୁ ନେଇ ମଧ୍ୟ ଏକ କାହାଣୀ ରହିଛି। ସେମାନେ ଯେତେବେଳେ ନାଗାପଟ୍ଟିନମକୁ ଆସିଥିଲେ, ଦେବୀଙ୍କୁ ମାର୍ଯ୍ୟାମ୍ମାନ ନାମ ଦେଇ ସେ ଖ୍ରୀଷ୍ଟ ଧର୍ମର ଦେବୀ ବୋଲି ଦାବି କରିଥିଲେ।

Wall panels in the inner sanctum in Peelamedu temple give the details of consecration ceremonies performed in 1990 and 2018.
PHOTO • Kavitha Muralidharan
Stone figures representing three goddesses in the temple: (from the left) Panniyariamman, Plague Mariamman and Badrakaliamman
PHOTO • Kavitha Muralidharan

ବାମ : ପୀଲାମେଡ଼ୁ ମନ୍ଦିରରର ଗର୍ଭଗୃହର ଦୁଇ ପାର୍ଶ୍ୱରେ ଥିବା ଫଳକରେ ୧୯୯୦ ଏବଂ ୨୦୧୮ରେ ହୋଇଥିବା ପ୍ରତିଷ୍ଠା ସମାରୋହର ବିବରଣୀ ଲିପିବଦ୍ଧ ରହିଛି । ଡାହାଣ : ମନ୍ଦିର ଭିତରେ ଦେବୀଙ୍କର ତିନୋଟି ମୂର୍ତ୍ତି । ବାମରୁ : ପନ୍ନିୟାରିଅମ୍ମନ ପ୍ଲେଗ୍‌ ମାରିଅମ୍ମନ ଏବଂ ଭଦ୍ରକାଲିଅମ୍ମନ

ଆଉ କିଛି ଲୋକ ତାଙ୍କୁ ଶୀତଳା ଦେବୀଙ୍କ ଭଳି ଜଣେ ଦେବୀ ବୋଲି ଅଭିହିତ କରିଥାନ୍ତି। ଉତ୍ତର ଭାରତରେ ବସନ୍ତ ଏବଂ ଅନ୍ୟ ସଂକ୍ରାମକ ରୋଗରୁ ମୁକ୍ତି ପାଇବା ଲାଗି ଶୀତଳା ଦେବୀଙ୍କୁ ପୂଜା କରାଯାଇଥାଏ। ଶୀତଳା (ସଂସ୍କୃତରେ ଏହାର ଅର୍ଥ ହେଉଛି ‘ଯିଏ ଶୀତଳତା ପ୍ରଦାନ କରିଥାନ୍ତି’) ଦେବୀଙ୍କୁ ଭଗବାନ ଶିବଙ୍କ ପତ୍ନୀ ପାର୍ବତୀଙ୍କ ଏକ ଅବତାର ଭାବେ ପୂଜା କରାଯାଇଥାଏ।

କିନ୍ତୁ ବିଗତ କିଛି ଦଶନ୍ଧି ଧରି ହୋଇଥିବା ଗବେଷଣାରୁ ପ୍ରମାଣ ମିଳିଥାଏ ଯେ ସେ ହେଉଛନ୍ତି ଗ୍ରାମୀଣ ଲୋକମାନଙ୍କର ଦେବୀ, ଯାହାଙ୍କୁ ଦଳିତ ଓ ନିମ୍ନ ଜାତିର ଲୋକମାନେ ପୂଜା କରିଥାନ୍ତି-ବାସ୍ତବରେ, ସେ ଦଳିତ ସମୁଦାୟର ଦେବୀ।

ସ୍ୱାଭାବିକ ଭାବେ, ଦୀର୍ଘ ଦିନ ଧରି ଦେବୀ ମାରିଅମ୍ମନଙ୍କ ଶକ୍ତି ଏବଂ ତାଙ୍କର ମହିମା, ଉଚ୍ଚଜାତିର ଲୋକମାନେ ମଧ୍ୟ ତାଙ୍କୁ ପୂଜା କରୁଛନ୍ତି ଏବଂ ମାନ୍ୟତା ଦେଇଛନ୍ତି।

୧୯୮୦ରେ, ଐତିହାସିକ ଏବଂ ଲେଖକ କେ. ଆର. ହନୁମନ୍ତନ ତାଙ୍କର ଲେଖା, ‘ଦ ମାରିଅମ୍ମାନ କଲ୍ଟ ଅଫ ତାମିଲନାଡ଼ୁ (ତାମିଲନାଡ଼ୁର ମାରିଅମ୍ମାନ ସଂସ୍କୃତି)ରେ ଉଲ୍ଲେଖ କରିଛନ୍ତି : ‘‘ମାରିଅମ୍ମନ ହେଉଛନ୍ତି ତାମିଲନାଡ଼ୁର ଜଣେ ପ୍ରାଚୀନ ଦେବୀ ଯାହାଙ୍କୁ ରାଜ୍ୟର ଆଦିମ ବାସିନ୍ଦାମାନେ ପୂଜା କରୁଥିଲେ...। ପାରିୟାଃ (ପାରାଇୟାର, ଏକ ଅନୁସୂଚିତ ଜାତି), ସମୁଦାୟ ସହ ଦେବୀଙ୍କର ସମ୍ପର୍କ ରହିଛି, ଯେଉଁମାନଙ୍କୁ ତାମିଲନାଡ଼ୁର ଦ୍ରାବିଡ଼ୀୟ ଲୋକମାନଙ୍କର ସବୁଠୁ ପ୍ରାଚୀନ ପ୍ରତିନିଧି ଭାବେ ବିବେଚନା କରାଯାଏ ଏବଂ ଏମାନେ ତତ୍କାଳୀନ ସମୟରେ ‘ଅସ୍ମୃଶ୍ୟ’ ଥିଲେ।

ହନୁମନ୍ତନ କୁହନ୍ତି, ‘‘ଦେବୀ ପୂଜା ପାଉଥିବା ଅଧିକାଂଶ ମନ୍ଦିରରେ ପାରାଇୟାର ସମ୍ପ୍ରଦାୟର ଲୋକମାନେ ଦୀର୍ଘ ଦିନ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ଉଦାହରଣ ସ୍ଵରୁପ, ଚେନ୍ନାଇ ନିକଟସ୍ଥ ତିରୁଭରକଡ଼ୁସ୍ଥିତ କରୁ ମାରିଅମ୍ମନ ମନ୍ଦିର। ମୂଳ ପୂଜକମାନେ ପାରାଇୟାର ଥିଲେ। କିନ୍ତୁ ଯେତେବେଳେ ଧାର୍ମିକ ଦେବୋତ୍ତର ଆଇନ (୧୮୬୩) ଲାଗୁ ହେବା ପରେ ସେମାନଙ୍କ ସ୍ଥାନରେ ବ୍ରାହ୍ମଣମାନେ ପୂଜା କଲେ।’’ ଏହି ବ୍ରିଟିଶ ସାମ୍ରାଜ୍ୟବାଦୀ ଆଇନ ଉଚ୍ଚଜାତିର ଲୋକମାନଙ୍କୁ ସେହିସବୁ ମନ୍ଦିର ଉପରେ ପ୍ରଭାବ ବିସ୍ତାର କରିବା ଲାଗି ଆଇନଗତ ମଞ୍ଜୁରି ପ୍ରଦାନ କଲା ଯେଉଁଠି ପୂର୍ବରୁ ବଞ୍ଚିତ ସମୁଦାୟର ଲୋକମାନେ ପୂଜା କାର୍ଯ୍ୟ ପରିଚାଳନା କରୁଥିଲେ। ଏହି ଅନ୍ୟାୟପୂର୍ଣ୍ଣ ଆଇନକୁ ଉଚ୍ଛେଦ କରିବା ଲାଗି ପ୍ରୟାସ ସ୍ଵରୁପ ତାମିଲନାଡ଼ୁ ଭଳି ରାଜ୍ୟ ନିଜସ୍ଵ ଆଇନ ପ୍ରଣୟନ କଲେ।

*****

ଆଉ ଏବେ ଏକ ‘କରୋନା ଦେବୀ’ ମନ୍ଦିର? ସତରେ?

ତେବେ, ହଁ, ବୋଲି କୁହନ୍ତି କୋଏମ୍ବାଟୁର ସହର ଉପକଣ୍ଠ ଇରୁଗୁରଠାରେ ଥିବା ଏହି ମନ୍ଦିରର ପରିଚାଳକ ଆନନ୍ଦ ଭାରତୀ। ସେ କୁହନ୍ତି, ‘‘ପ୍ଲେଗ୍‌ ମାରିଅମ୍ମନଙ୍କୁ ପୂଜା କରିବା ଭଳି ଏଠାରେ ଦେବୀଙ୍କୁ ପୂଜା କରାଯାଉଛି। ପୂର୍ବରୁ ରହିଥିବା ଏକ ପୀଠରେ ଆମେ ଯେତେବେଳେ କରୋନା ଦେବୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଲୁ, ରୋଗ ସଂକ୍ରମଣ ଶୀର୍ଷ ସ୍ତରରେ ରହିଥିଲା। କେବଳ ପ୍ରାର୍ଥନା ହିଁ ଆମକୁ ସୁରକ୍ଷା ଦେଇ ପାରିବ ବୋଲି ଆମେ ବିଶ୍ୱାସ କରୁ।’’

ତେଣୁ ୨୦୨୦ ମସିହାର ବିଳମ୍ବିତ ସମୟରେ ଯେତେବେଳେ କୋଭିଡ-୧୯ ବ୍ୟାପିଲା, କୋଏମ୍ବାଟୁର ଦେଶର ଅଳ୍ପ କେତୋଟି ସ୍ଥାନ ମଧ୍ୟରେ ସାମିଲ ଥିଲା, ଯେଉଁଠି ଏହି ରୋଗ ପାଇଁ ପୂଜାର୍ଚ୍ଚନା ବୃଦ୍ଧି ପାଇଥିଲା।

କିନ୍ତୁ ଦେବୀ? କାହିଁକି କରୋନା ମାରିଅମ୍ମନ ନୁହନ୍ତି, ଆମେ ପଚାରିଲୁ? ଏହି ଶବ୍ଦକୁ ଯୋଡ଼ିବାରେ କେତେକ ଶାବ୍ଦିକ ବିନ୍ୟାସ ରହିଛି। ମାରିଅମ୍ମନ ଶବ୍ଦକୁ ପ୍ଲେଗ୍‌ ସହିତ ଯୋଡ଼ିବା ଠିକ୍‌ ଲାଗୁଛି କିନ୍ତୁ କରୋନା ସହ ନୁହେଁ। ତେଣୁ ଆମେ ତାଙ୍କୁ ଦେବୀ ରୂପରେ ସମ୍ବୋଧନ କରିବା ଲାଗି ନିଷ୍ପତ୍ତି ନେଲୁ।

There is a Mariamman temple in almost every village of Tamil Nadu. She may have a different name in some regions, but her shrines are there

ତାମିଲନାଡ଼ୁର ପ୍ରାୟ ପ୍ରତ୍ୟେକ ଗ୍ରାମରେ ମାରିଅମ୍ମନ ମନ୍ଦିର ରହିଛି। କେତେକ ଅଞ୍ଚଳରେ ସେ ଭିନ୍ନ ନାମରେ ପୂଜା ପାଉଛନ୍ତି, କିନ୍ତୁ ତାଙ୍କର ପୀଠ ସବୁସ୍ଥାନରେ ରହିଛି

ଆଧୁନିକ ଚିକିତ୍ସା ବିଜ୍ଞାନ ଯେତେ ଅଗ୍ରଗତି କଲେ ସୁଦ୍ଧା, ସ୍ୱାସ୍ଥ୍ୟ ପ୍ରସଙ୍ଗର ମୁକାବିଲା କରିବା ଲାଗି ଲୋକମାନେ ଏବେ ବି ଦେବୀ ପୂଜା ଏବଂ ତତସଂକ୍ରାନ୍ତ ପ୍ରଥା ସହ ଯୋଡ଼ି ହୋଇ ରହିଛନ୍ତି।

କିନ୍ତୁ ପ୍ଲେଗ୍‌ ମାରିଅମ୍ମନ ମନ୍ଦିରଠାରୁ ଭିନ୍ନ, କରୋନା ଦେବୀ ମନ୍ଦିର, ପ୍ରତିଷ୍ଠା ହେବା ଦିନଠାରୁ ଲକଡାଉନ କାରଣରୁ ଲୋକମାନେ ବ୍ୟକ୍ତିଗତ ଭାବେ ଆସି ପୂଜା କରିବା ଲାଗି ଅନୁମତି ପାଇପାରୁନାହାନ୍ତି। ସ୍ପଷ୍ଟ ଭାବେ କହିଲେ, ଏହି ପ୍ରାଣଘାତୀ ଭୂତାଣୁକୁ ନେଇ ଗଢ଼ି ଉଠିଥିବା ମନ୍ଦିରରେ କେବଳ ଦେବୀଙ୍କୁ ନୁହେଁ ବରଂ ମହାମାରୀ କଟକଣାକୁ ମଧ୍ୟ ଦୈବିକ ଭାବେ ଗ୍ରହଣ କରାଯାଇଛି। ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଏଠାରେ ୪୮ ଦିନ ଧରି ଯଜ୍ଞ କରାଯାଇଥିଲା ଏବଂ ଏହାପରେ କରୋନା ଦେବୀଙ୍କ ମାଟି ମୂର୍ତ୍ତିକୁ ଏକ ନଦୀରେ ବିସର୍ଜନ କରାଯାଇଥିଲା। ବର୍ତ୍ତମାନ ଏହି ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି, କିନ୍ତୁ ଏଠାରେ ପୂଜା ପାଇଁ ମୂର୍ତ୍ତି ନଥିବାରୁ ଲୋକମାନେ ନିରୁତ୍ସାହିତ ହୋଇପାରନ୍ତି।

ପ୍ଲେଗ ମାରିଅମ୍ମନ ମନ୍ଦିର ଭଳି କରୋନା ଦେବୀ ମନ୍ଦିର ମଧ୍ୟ କୋଏମ୍ବାଟୁର ଲୋକାଚାରର ଅଂଶବିଶେଷ ହେବାର ବିଚାରକୁ ଏଲାନଗୋବନଙ୍କ ପରି ଲେଖକ ସମ୍ପୂର୍ଣ୍ଣ ଖାରଜ କରି ଦେଇଥାନ୍ତି। ‘‘ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରଚାର ଲାଗି ଉଦ୍ଦିଷ୍ଟ। ପ୍ଲେଗ ମାରିଅମ୍ମନ ମନ୍ଦିର ସହ ଏହାର କୌଣସି ସମ୍ପର୍କ ନାହିଁ, ଆପଣ ଏ ଦୁଇଟି ମଧ୍ୟରେ ତୁଳନା କରିପାରିବେ ନାହିଁ। ପ୍ଲେଗ୍‌ ମାରିଅମ୍ମାନ ମନ୍ଦିର କୋଏମ୍ବାଟୁର ଇତିହାସ ଓ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ।’’

ପ୍ଲେଗ୍‌ର ସ୍ମୃତି ପ୍ରାୟତଃ ନିଶ୍ଚିହ୍ନ ହେବାକୁ ବସିଥିଲେ ମଧ୍ୟ ପ୍ଲେଗ୍ ମାରିଅମ୍ମନ ମନ୍ଦିରକୁ ଏବେ ସୁଦ୍ଧା ବହୁସଂଖ୍ୟକ ଶ୍ରଦ୍ଧାଳୁ ପୂଜା କରିବାକୁ ଆସୁଛନ୍ତି। ୨୦୧୯ରେ କୋଭିଡ ୧୯ ମହାମାରୀ ଆସିବାର ଠିକ ପୂର୍ବରୁ, ପାପ୍ପାନାଇକେନ ପାଲାୟମରେ ଥିବା ପ୍ଲେଗ ମାରିଅମ୍ମନ ମନ୍ଦିରରେ ପର୍ବ ଚାଲିଥିବା ସମୟରେ ଦେବୀଙ୍କର ମୂର୍ତ୍ତି ଉପରେ ଏକ ଶୁଆ ଆସି ବସିଥିଲା, ଏହା ଭକ୍ତମାନଙ୍କୁ ଆଶଙ୍କାଗ୍ରସ୍ତ କରିପକାଇଥିଲା।

ସ୍ଥାନୀୟ ସୂଚନା ଅନୁଯାୟୀ, ଏହି ‘ଘଟଣା’ ବହୁ ସମୟ ଧରି ଚାଲିଥିଲା, ଏହାକୁ ଦେଖିବା ଲାଗି ମନ୍ଦିରକୁ ବହୁସଂଖ୍ୟାରେ ଲୋକ ଆସିଥିଲେ। ଏଲାନଗୋବନ କୁହନ୍ତି, ‘‘ମାରିଅମ୍ମାନ ହେଉଛନ୍ତି ଗ୍ରାମଦେବୀ। ଉଦାହରଣ ସ୍ୱରୂପ, ଟାଉନ୍ ହଲରେ କୋନିୟମ୍ମନ୍ ମନ୍ଦିର ପର୍ବ ପାଇଁ ପବିତ୍ର ଅଗ୍ନି କୁଣ୍ଡ ସେହି ଅଞ୍ଚଳରେ ପ୍ଲେଗ୍ ମାରିଅମ୍ମନ ମନ୍ଦିରରେ ନିର୍ମିତ ହୋଇଥାଏ। ଏହି ପରମ୍ପରା ପରସ୍ପର ସହ ସଂଯୁକ୍ତ। କୋନିୟମ୍ମନଙ୍କୁ କୋଏମ୍ବାଟୁରର ରକ୍ଷାକାରିଣୀ ଦେବୀ ଭାବେ ବିବେଚନା କରାଯାଇଥାଏ।’’

ଆଧୁନିକ ପିଢ଼ିର ଅଧିକାଂଶ ଲୋକ ଏପରି ଜଟିଳ ଇତିହାସ ଓ ଲୋକକଥା ସମ୍ପର୍କରେ ଭଲ ଭାବେ ଅବଗତ ନୁହନ୍ତି। ତଥାପି, ଏହି ପୀଠଗୁଡ଼ିକ ସେମାନଙ୍କ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରିଥାନ୍ତି। କୋଏମ୍ବାଟୁରର ୨୮ ବର୍ଷୀୟ ଏଣ୍ଟରପ୍ରିନିଓର ବା ଉଦ୍ୟୋଗୀ ଆର ନରେନ୍ କୁହନ୍ତି, “ସତରେ ଏସବୁ ମନ୍ଦିର ପଛରେ ଏଭଳି ଇତିହାସ ରହିଛି ବୋଲି ମୁଁ କେବେ ବି ଜାଣିନଥିଲି’’। ‘‘ମୁଁ ମୋ ମା’ଙ୍କ ସହିତ ନିୟମିତ ଏହି ମନ୍ଦିରକୁ ଯାଇଥାଏ ଏବଂ ଭବିଷ୍ୟତରେ ମଧ୍ୟ ଯିବା ଜାରି ରଖିବି। ମୋ ପାଇଁ କିଛି ବଦଳିନାହିଁ। କିମ୍ବା, ମୁଁ ଏଥିପ୍ରତି ଅଧିକ ପ୍ରଭାବିତ ହୋଇଯାଇଛି।’’

କବିତା ମୁରଲୀଧରନ ଠାକୁର ଫ୍ୟାମିଲି ଫାଉଣ୍ଡେସନର ଅନୁଦାନରେ ଏକ ନିରପେକ୍ଷ ସାମ୍ବାଦିକତା ମାଧ୍ୟମରେ ଜନସ୍ୱାସ୍ଥ୍ୟ ଏବଂ ନାଗରିକ ସ୍ୱାଧୀନତା ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଥାନ୍ତି। ଏହି ରିପୋର୍ଟ ର ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନର କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍‍

Kavitha Muralidharan

Kavitha Muralidharan is a Chennai-based independent journalist and translator. She was earlier the editor of 'India Today' (Tamil) and prior to that headed the reporting section of 'The Hindu' (Tamil). She is a PARI volunteer.

Other stories by Kavitha Muralidharan
Illustrations : Priyanka Borar

Priyanka Borar is a new media artist experimenting with technology to discover new forms of meaning and expression. She likes to design experiences for learning and play. As much as she enjoys juggling with interactive media she feels at home with the traditional pen and paper.

Other stories by Priyanka Borar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE