ଏକ ନିର୍ଦ୍ଦିଷ୍ଟ ଇନ୍‌କମିଂ ଫୋନ୍‌ କଲ୍‌ର ଶବ୍ଦ ଶୁଣିବା ମାତ୍ରେ ଶୀତଳ ୱାଘ୍‌ମାରେଙ୍କ ମନରେ ଭିତ୍ତି ସଞ୍ଚାର ହେଉଛି । ଅନେକ ଦିନ ପର୍ଯ୍ୟନ୍ତ ସେ ଗ୍ରହଣ କରିବାକୁ ଚାହୁଁନଥିବା ଏକ ଫୋନ୍‌ ନମ୍ବର – ଯାହା ମାଇକ୍ରୋ ଫାଇନାନ୍ସ ସଂସ୍ଥା (ଏମ୍‌ଏଫ୍‌ଆଇ)ର ଜଣେ ରିକୋଭରୀ ଏଜେଣ୍ଟଙ୍କ ନମ୍ବର - ବ୍ୟତୀତ ଅନ୍ୟ ନମ୍ବରରେ ଫୋନ୍‌ ଆସିଲେ ଆଶ୍ୱସ୍ତ ହେଉଥିଲେ । “ସେମାନେ କରୋନା ଭୂତାଣୁ କଥା ଭାବୁନାହାନ୍ତି’’ ବୋଲି ୩୧ବର୍ଷ ବୟସ୍କ ଶୀତଳ କୁହନ୍ତି । ଦୟାବଶତଃ, ପ୍ରାୟ ଏକ ସପ୍ତାହ ହେବ ଏହି କଲ୍‌ ଆସିବା ପ୍ରାୟତଃ କମି ଯାଇଛି । ଶୀତଳ ଏହାର କାରଣ ବିଷୟରେ ନିଶ୍ଚିତ ଭାବେ କିଛି ଜାଣନ୍ତିନାହିଁ । ହେଲେ,‘‘ସେମାନେ ଯେକୌଣସି ସମୟରେ ପୁଣି ଆରମ୍ଭ କରିଦେବେ…”  ବୋଲି ସେ କୁହନ୍ତି ।

ୱାଘ୍‌ମାରେଙ୍କ ପରିବାର ସଦସ୍ୟମାନେ ଦିନ ମଜୁରିଆ ଭାବେ କାମ କରନ୍ତି ଓ ମହାରାଷ୍ଟ୍ରର କୃଷିବହୁଳ ଅଞ୍ଚଳ ମରାଠ୍‌ୱାଡାର ଓସ୍‌ମାନାବାଦ୍‌ରେ ରୁହନ୍ତି । ଜୁଲାଇ ୨୦୧୯ରେ ଶୀତଳଙ୍କ ମା’ ମଙ୍ଗଳ ଜନଲକ୍ଷ୍ମୀ ଫାଇନାନ୍‌ସିଆଲ୍‌ ସର୍ଭିସ୍‌ ନାମକ ଏକ ଏମ୍‌ଏଫ୍‌ଆଇରୁ ୬୦,୦୦୦ ଟଙ୍କା ଋଣ କରିଥିଲେ । “ ଆମେ ଏକ ସିଲେଇ ମେସିନ୍‌ କିଣିଲୁ ଓ ବ୍ଲାଉଜ୍‌ ସିଲେଇ, ଏମ୍ବ୍ରୋଡେରୀ ଓ ଅନ୍ୟାନ୍ୟ କାମ କରିବାକୁ ଆରମ୍ଭ କଲୁ,” ବୋଲି ୫୩ ବର୍ଷ-ବୟସ୍କ ମଙ୍ଗଳ କୁହନ୍ତି । “ମୋର ସ୍ୱାମୀ ଓ ମୋର ପୁଅ କୃଷି ଶ୍ରମିକ ଭାବେ କାମ କରନ୍ତି । ଆମର ନିଜସ୍ୱ ଜମି ନାହିଁ ।“

ସେବେଠାରୁ ୱାଘ୍‌ମରେଙ୍କ ପରିବାର  କେବେହେଲେ ୨୪ପ୍ରତିଶତ ସୁଧରେ ଆଣିଥିବା ଏହି ଲୋନ୍‌ର ୩,୨୩୦ ଟଙ୍କାର ମାସିକ କିସ୍ତି ପଇଠ କରିବାକୁ ଭୁଲିନି । “କିନ୍ତୁ ତାଲାବନ୍ଦ ହେବା ଦିନଠାରୁ ଆମେ କିଛି ମଧ୍ୟ ଉପାର୍ଜନ କରିବାକୁ ସମର୍ଥ ହୋଇପାରିନାହୁଁ,” ବୋଲି ଶୀତଳ କୁହନ୍ତି । “ଆମ ଆଖପାଖରେ କାହାପାଖରେ ମଧ୍ୟ ପଇସା ନାହିଁ । ତାଲାବନ୍ଦ ଯୋଗୁଁ ସମସ୍ତଙ୍କ କ୍ରୟ କ୍ଷମତା ହ୍ରାସ ପାଇଛି ।[ ଯାହା ମହାରାଷ୍ଟ୍ରରେ ମାର୍ଚ୍ଚ ୨୩ରେ ଆରମ୍ଭ ହୋଇଥିଲା] । କେହି ମଧ୍ୟ ଆମକୁ ଶ୍ରମିକ ଭାବେ ନିୟୋଜିତ କରୁନାହାନ୍ତି ଓ କେହି ମଧ୍ୟ ସେମାନଙ୍କ କପଡା ସିଲେଇ କରାଇବା ପାଇଁ ବ୍ୟୟ କରିବାକୁ ସକ୍ଷମ ନୁହନ୍ତି ।

ପରିସ୍ଥିତି ଯାହା ଥିଲେ ମଧ୍ୟ ଏମ୍‌ଏଫ୍‌ଆଇଗୁଡିକ ସେମାନଙ୍କ ଋଣକର୍ତ୍ତାଙ୍କୁ ଫୋନ୍‌ କରିବା ଓ କିସ୍ତି ପଇଠ କରିବା ପାଇଁ ସେମାନଙ୍କୁ ବାଧ୍ୟ କରିବା ବନ୍ଦ କରିନାହାନ୍ତି । “ଯାହାହେଲେ ମଧ୍ୟ କିସ୍ତି ଜମା କରିବାକୁ ହେବ ବୋଲି ସେମାନେ ଆମକୁ କହୁଛନ୍ତି,” ବୋଲି ଶୀତଳ କୁହନ୍ତି । “ତୁମେ ଯାହା କରିପାରିବ କର, କିନ୍ତୁ ମାସ ଶେଷରେ କିସ୍ତି ଜମା କର ବୋଲି ସେମାନେ କହୁଛନ୍ତି ।’’

Sheetal Waghmare's home: the family has not missed a single instalment of the 24 per cent interest loan. 'But we have made absolutely no money since the lockdown', says Sheetal
PHOTO • Sheetal Waghmare

ଶୀତଳ ୱାଘ୍‌ମାରେଙ୍କ ଘର: ୨୪ ପ୍ରତିଶତ ସୁଧ ହାରରେ ନେଇଥିବା ଋଣର ମାସିକ କିସ୍ତି ପଇଠ କରିବା ପରିବାର ଥରେ ମଧ୍ୟ ବନ୍ଦ କରିନି । ‘ହେଲେ ତାଲାବନ୍ଦ ହେବା ଠାରୁ ଆମର କିଛି ମଧ୍ୟ ଉପାର୍ଜନ ହୋଇପାରିନାହିଁ,’ ବୋଲି ଶୀତଳ କୁହନ୍ତି

ମଙ୍ଗଳଙ୍କୁ (ଶୀର୍ଷର ପ୍ରଚ୍ଛଦ ଫଟୋରେ) ୨୪ମାସରେ ସମସ୍ତ କିସ୍ତି ପଇଠ କରିବାକୁ ହେବ –  ଦୁଇ ବର୍ଷରେ ତାଙ୍କୁ ୭୭,୫୨୦ ଟଙ୍କା ପଇଠ କରିବାକୁ ହେବ । ଅଥଚ, ଏମ୍‌ଏଫ୍‌ଆଇ ପ୍ରକ୍ରିୟାକରଣ ଶୁଳ୍କ ଓ ଅନ୍ୟାନ୍ୟ ଚାର୍ଜ ବାବଦକୁ ଅର୍ଥ କାଟ କରିବା ପରେ, ସେ ଋଣ ବାବଦକୁ କେବଳ ୫୩୦୦୦ ଟଙ୍କା ପାଇଛନ୍ତି (ଯଦିଓ ସେ ୬୦,୦୦୦ଟଙ୍କା ଋଣ କରିଛନ୍ତି) ।

୫୩,୦୦୦ଟଙ୍କା ବିନିମୟରେ ୭୭,୫୨୦ ଟଙ୍କା ପରିଶୋଧ କରିବା ଅର୍ଥ ପ୍ରକୃତ ଋଣ ପରିମାଣ ତୁଳନାରେ ୪୬ ପ୍ରତିଶତ ଅଧିକ ପରିଶୋଧ କରିବା । ହେଲେ, ଏହା ମାଧ୍ୟମରେ ଋଣ ସହଜରେ ଉପଲବ୍ଧ ହେଉଥିବାରୁ ଅନେକ ଲୋକ ଏହିପରି ଋଣ ପାଇଁ ଆବେଦନ କରୁଛନ୍ତି, ବୋଲି କୃଷକ ନେତା ଓ ସ୍ୱାଭିମାନ ଶେତ୍‌କାରୀ ସଂଗଠନର ପ୍ରତିଷ୍ଠାତା ରାଜୁ ସେଟ୍ଟି କୁହନ୍ତି । ସେ ଓ ଅନ୍ୟମାନେ ଏମ୍‌ଏଫ୍‌ଆଇଗୁଡିକ ସାହାଯ୍ୟ ପ୍ରଦାନ କରିବା ଆଳରେ ଗରିବମାନଙ୍କ ଶୋଷଣ କରୁଥିବା ଲକ୍ଷ୍ୟ କରିଛନ୍ତି । ଏହି ଆର୍ଥିକ ସଂସ୍ଥାଗୁଡିକ – ଯାହା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିୟନ୍ତ୍ରଣରେ ଅଛନ୍ତି- ସାଧାରଣତଃ ନିମ୍ନ-ଆୟ ବର୍ଗର ପରିବାର ଓ ବ୍ୟକ୍ତିବିଶେଷ ଯେଉଁମାନେ ନିଜ ପାଇଁ କିଛି କାରବାର ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଋଣ ଯୋଗାଇଥାନ୍ତି ।

“ ଏଫ୍‌ଏମ୍‌ଆଇଗୁଡିକ ଭୂମିହୀନ ଶ୍ରମିକ, ସ୍ୱଳ୍ପକାଳୀନ ଠିକାଦାର, ନାମମାତ୍ର ଚାଷୀ ଓ ଏହିପରି ଅନ୍ୟମାନଙ୍କୁ ଲକ୍ଷ୍ୟରେ ରଖି କାମ କରିଥାନ୍ତି” ବୋଲି ସେଟ୍ଟି କୁହନ୍ତି । “ସେମାନଙ୍କ ପାଖରେ କୌଣସି ସହପାର୍ଶ୍ୱିକ ପ୍ରତିଭୂତି ନଥିବାରୁ ସାଧାରଣତଃ ବ୍ୟାଙ୍କ ସେମାନଙ୍କୁ ଋଣ ପ୍ରଦାନ କରିନଥାଏ । ଏମ୍‌ଏଫ୍‌ଆଇଗୁଡିକ କେବଳ ପରିଚୟ ପତ୍ର ପାଇଁ କୁହନ୍ତି ଓ ଯଥାଶୀଘ୍ର ଋଣ ପ୍ରଦାନ କରିଦିଅନ୍ତି । ଅଧିକାଂଶ ସାଧାରଣ ଲୋକ କୌଣସି ଏକ ନୂଆ କାମ ପାଇଁ ଯୋଜନା ପ୍ରସ୍ତୁତ କରିବାବେଳେ ସେମାନେ ଅଧିକ ବ୍ୟାକୁଳ ଓ ଆଶାବାଦୀ ଥାଆନ୍ତି ।’’

ୱାଘ୍‌ମାରେ ପରିବାର ମଧ୍ୟ ଏହିପରି ଆଶା ରଖିଥିଲେ । ସେମାନେ ଯେକୌଣସି ପ୍ରକାରେ ସେମାନଙ୍କ କିସ୍ତି ମଧ୍ୟ ଠିକ୍‌ ସମୟରେ ପଇଠ କରୁଥିଲେ । ହେଲେ, ଏପରି ଏକ ମହାମାରୀ ବ୍ୟାପିବ ବୋଲି କାହାକୁ ଜଣାଥିଲା?” ବୋଲି ଶୀତଳ, ଯାହାର ବାପା ବସନ୍ତ ଜଣେ ହୃଦ୍‌ରୋଗୀ, କୁହନ୍ତି । "ଦୁଇ ବର୍ଷ ପୂର୍ବେ ତାଙ୍କର ଏଞ୍ଜିଓପ୍ଲାଷ୍ଟି ହେବାର ଥିଲା ଓ ଆଜି ମଧ୍ୟ ତାଙ୍କୁ ତାଙ୍କର ନିୟମିତ ଔଷଧ ସେବନ କରିବାକୁ ପଡୁଛି । ସେ ଦିନସାରା ଘରେ ବସି ରୁହନ୍ତି ଓ ନ୍ୟୁଜ୍‌ ଦେଖନ୍ତି । କରୋନାଭୂତାଣୁ କାରଣରୁ ପରିସ୍ଥିତି ଗମ୍ଭୀର ହୋଇଯାଇଛି । ତାଲାବନ୍ଦ କାରଣରୁ ଲୋକମାନେ କିଭଳି କିଛି କାମଧନ୍ଦା ପାଇବେ ସେ ନେଇ ଚିନ୍ତିତ ଅଛନ୍ତି । ଆଉ ଆମେମାନେ ବାହାରକୁ ଯାଇପାରିବୁନାହିଁ କାରଣ ଯଦି ଆମେ ଭୂତାଣୁ ସଂକ୍ରମଣର ଶିକାର ହୋଇଯିବୁ ତାହାହେଲେ ଆମ ବାପାଙ୍କ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ ।

ନିଜ ପରିବାର, ବିଶେଷକରି ନିଜ ବାପାଙ୍କୁ ସୁରକ୍ଷିତ ରଖିବା ଯେ କେତେ ମହତ୍ତ୍ୱପୂର୍ଣ୍ଣ ତାହା ଶୀତଳ ଭଲଭାବେ ଜାଣନ୍ତି । ଏହି ପରିବାର – ସେମାନେ ମାହାର ସମ୍ପ୍ରଦାୟର- ଦଳିତ ବସ୍ତିରେ ରୁହନ୍ତି । ଏହି କଲୋନି ଦକ୍ଷିଣ ଓସ୍‌ମାନାବାଦର ଜିଲ୍ଲା ଡାକ୍ତରଖାନା-ଯେଉଁଠି ଜଟିଳ ସମସ୍ୟା ସମାଧାନ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଉପଲବ୍ଧ ନାହିଁ ତଥା ଯେଉଁଠାରୁ ରୋଗୀମାନଙ୍କୁ ସୋଲାପୁର ଟାଉନ୍‌ରେ ଥିବା ଜିଲ୍ଲା ଡାକ୍ତରଖାନାକୁ ରେଫର୍‌ କରାଯାଏ – ର ଠିକ୍‌ ପରେ ଅବସ୍ଥିତ, ପ୍ରାୟ ୭୦କିଲୋମିଟର ଦୂରରେ । “ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ସ୍ଥିତି ବିଷୟରେ ତ ଆପଣ ଜାଣନ୍ତି,” ବୋଲି ଶୀତଳ କୁହନ୍ତି । “ଆଉ ଏବେ ଡାକ୍ତରଖାନାଗୁଡିକରେ କରୋନାଭୂତାଣୁ ଜନିତ ସମସ୍ୟା ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଉଛି ’’।

Archana Hunde seeks an extension on paying her loan instalments
PHOTO • Sheetal Waghmare

ଅର୍ଚ୍ଚନା ହୁଣ୍ଡେ ତାଙ୍କର ଋଣ କିସ୍ତି ଜମା କରିବା ପାଇଁ କିଛି ଅଧିକ ସମୟ ଆବଶ୍ୟକ କରୁଛନ୍ତି

ସୋଲାପୁର ଜିଲ୍ଲାରେ କୋଭି଼ଡ୍‌- ୧୯ ଦ୍ୱାରା ୧୦୦ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବଢୁଥିବାରୁ ଅଧିକାରୀମାନେ ଏପ୍ରିଲ ୨୪  ମଧ୍ୟରାତ୍ରରୁ ସୋଲାପୁର୍‌ ଜିଲ୍ଲାକୁ ତିନିଦିନ ପାଇଁ ସିଲ୍‌ କରି ଦେଇଛନ୍ତି । ଏହାର ଅର୍ଥ ଏହା ଯେ ଯଦି ଓସ୍‌ମାନାବାଦ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଏ [ବର୍ତ୍ତମାନ ସୁଦ୍ଧା ଅଳ୍ପ କେତେଜଣ ଅଛନ୍ତି], ତାହାହେଲେ ରୋଗୀମାନେ ଆତ୍ମବିଶ୍ୱାସ ସହିତ ସୋଲାପୁର ଯିବା କଥା ମଧ୍ୟ ଭାବି ପାରିବେ ନାହିଁ,” ବୋଲି ଶୀତଳ କୁହନ୍ତି । “କିନ୍ତୁ ରିକୋଭରୀ ଏଜେଣ୍ଟମାନଙ୍କ ପାଇଁ ଏସବୁର କିଛି ଅର୍ଥ ନାହିଁ” । ମହାରାଷ୍ଟ୍ରରେ ପ୍ରାୟ ୪୨ରୁ ଅଧିକ ଏମ୍‌ଏଫ୍‌ଆଇ ରହିଥିବା କଥା ମହାରାଷ୍ଟ୍ରର ପୂର୍ବ କୃଷିମନ୍ତ୍ରୀ ଅନିଲ୍‌ ବଣ୍ଡେ ମୋତେ ଫୋନ୍‌ ମାଧ୍ୟମରେ ଜଣାଇଛନ୍ତି । ସେମାନେ ହଜାର ହଜାର କୋଟି ଟଙ୍କା ଋଣ ଆକାରରେ ଦେଉଥିବା ସେଟ୍ଟି ଆକଳନ କରନ୍ତି ।

“ସେମାନେ ବିଭିନ୍ନ ସମୟରେ ଲୋକମାନଙ୍କୁ ଭୟଭୀତ କରିବା ସହିତ ମହିଳା ଉତ୍ପୀଡନର ମଧ୍ୟ ଇତିହାସ ରହିଛି,” ବୋଲି ବଣ୍ଡେ କୁହନ୍ତି । “ସେମାନେ ଋଣକର୍ତ୍ତାଙ୍କ ଟ୍ରାକ୍ଟର ନେଇଯିବେ ବା ସେମାନଙ୍କ କୃଷି ଉତ୍ପାଦ ଜବତ କରିଦେବେ ବୋଲି କହି ସେମାନଙ୍କୁ ଭୟଭୀତ କରନ୍ତି । ମହାରାଷ୍ଟ୍ରରେ କେତୋଟି ଏମ୍‌ଏଫ୍‌ଆଇ କାର୍ଯ୍ୟ କରୁଛନ୍ତି ରାଜ୍ୟ ତାହାର ଯାଞ୍ଚ କରିବା ଉଚିତ ଓ  ଏକ ମହାମାରୀ ସମୟରେ ସେମାନଙ୍କ କାର୍ଯ୍ୟ ସମ୍ପାଦନା ଉପରେ ରୋକ୍‌ ଲଗାଇବା ଉଚିତ ।

ଗତ ଦଶନ୍ଧିରେ ମହାରାଷ୍ଟ୍ରରେ ୩୧ଟି କୋପରେଟିଭ୍‌ ବ୍ୟାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନ ଯୋଗୁଁ ଏମ୍‌ଏଫ୍‌ଆଇଗୁଡିକର ସଂଖ୍ୟା ଦ୍ରୁତ ଗତିରେ ବଢିବାକୁ ଲାଗିଲା । ଏହି ବ୍ୟାଙ୍କଗୁଡିକ ମଧ୍ୟରୁ ଅନେକ ୱିଲ୍‌ଫୁଲ୍‌ ଡିଫଲ୍‌ଟର୍‌ ଓ ତ୍ରୁଟିପୂର୍ଣ୍ଣ ପ୍ରବନ୍ଧନ ଯୋଗୁଁ ଋଣ ବିତରଣ କରିବାକୁ ସମର୍ଥ ହୋଇପାରିଲେ ନାହିଁ । ଋଣ କରିବା ପାଇଁ ଅନ୍ୟ ବିକଳ୍ପ ମଧ୍ୟରେ ଉଚ୍ଚ-ସୁଧ ହାରରେ ଋଣ ଦେଉଥିବା ସାହୁକାରମାନେ (ବେସରକାରୀ ଋଣଦାତା) ରହିଥିବାରୁ ଏମ୍‌ଏଫ୍‌ଆଇଗୁଡିକୁ ମଧ୍ୟବର୍ତ୍ତୀ ରାସ୍ତା ଭାବେ ଦେଖାଗଲା ବୋଲି ଅଲ୍‌ ଇଣ୍ଡିଆ ଏମ୍ପ୍ଲୋଇଜ୍‌ ବ୍ୟାଙ୍କ ଆସୋସିଏସନ୍‌ର ଯୁଗ୍ମ ସଚିବ ଦେବିଦାସ ତୁଲ୍‌ଜାପୁର୍‌କର୍‌ କୁହନ୍ତି । “ଆର୍‌ବିଆଇ ଜାଣିଶୁଣି ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡିକର ସମୃଦ୍ଧି ଓ ପରିସ୍ଥିତିର ଫାଇଦା ଉଠାଇବାକୁ ଛାଡି ଦେଇଛନ୍ତି,” ବୋଲି ସେ କହିଛନ୍ତି। “ସେମାନେ ଦଣ୍ଡମୁକ୍ତ ଅଟନ୍ତି, ସେମାନେ ଖିଲାପକାରୀଙ୍କୁ ଧମକ ଦିଅନ୍ତି ଓ ସାହୁକାର ଭାବେ କାର୍ଯ୍ୟ ସମ୍ପାଦନ କରନ୍ତି ଯାହା ବ୍ୟବସ୍ଥା ଦ୍ୱାରା ନ୍ୟାୟସଂଗତ ବୋଲି ଗ୍ରହଣ କରାଯାଇଛି ।

ଏପ୍ରିଲ ୭ରେ ଭାରତର ସମସ୍ତ ବ୍ୟାଙ୍କ ଉଭୟ ବେସରକାରୀ ଓ ରାଷ୍ଟ୍ରୀୟ ବ୍ୟାଙ୍କ କରୋନାଭୂତାଣୁ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା କଥା ବିଚାରକୁ ନେଇ ତିନମାସର ମୋରାଟୋରିଅମ୍‌ ସୁବିଧା ପ୍ରଦାନ କରିଛନ୍ତି । ହେଲେ,ଏମ୍‌ଏଫ୍‌ଆଇଗୁଡିକ ଅନ୍ୟ ସାଧାରଣ ଦିନଗୁଡିକ ଭଳି କାର୍ଯ୍ୟ କରୁଥିବା ଭଳି ମନେହେଉଛି ।

ଓସ୍‌ମାନାବାଦର ଜନଲକ୍ଷ୍ମୀ ଫାଇନାନ୍ସର ପ୍ରତିନିଧି ଏହି ରିପୋର୍ଟର କରିଥିବା ଏକାଧିକ କଲ୍‌ର କୌଣସି ଉତ୍ତର ଦେଇନାହାନ୍ତି ।

ମଙ୍ଗଳ ଋଣକର୍ତ୍ତାମାନଙ୍କର ଯେଉଁ ସ୍ୱୟଂ-ସହାୟକ ଗୋଷ୍ଠୀରେ ଅଛନ୍ତି, ସେ ଗୋଷ୍ଠୀରେ ଅର୍ଚନା ହୁଣ୍ଡେ ମଧ୍ୟ ଅଛନ୍ତି । ସେ ମଧ୍ୟ ମାହାର ସମ୍ପ୍ରଦାୟର, ଅନୁସୂଚୀତ ଜାତି ତାଲିକାଭୂକ୍ତ । ତାଙ୍କ ସ୍ୱାମୀ ପାଣ୍ଡୁରଙ୍ଗ, ୪୦, ହେଉଛନ୍ତି ଜଣେ କ୍ଷୁଦ୍ର ଠିକାଦାର ଯିଏ ଓସ୍‌ମାନାବାଦ ଟାଉନ୍‌ରେ ଥିବା ବିଭିନ୍ନ ନିର୍ମାଣ ସ୍ଥଳିକୁ ଆବଶ୍ୟକ କଞ୍ଚାମାଲ ଓ ଶ୍ରମିକ ଯୋଗାଇଥାନ୍ତି । ତାଲାବନ୍ଦ କାରଣରୁ ଏହି ନିର୍ମାଣ ସ୍ଥଳିଗୁଡିକରେ କାମ ବନ୍ଦ ଅଛି ଓ ପାଣ୍ଡୁରଙ୍ଗଙ୍କ ପାଖରେ କିଛି କାମ ନାହିଁ । “ଆମେ ନିୟମିତ ଭାବେ ଋଣ ପରିଶୋଧ କରି ଆସୁଛୁ,” ବୋଲି ୩୭ ବର୍ଷ ବୟସ୍କ ଅର୍ଚ୍ଚନା କୁହନ୍ତି । ଅର୍ଚ୍ଚନାଙ୍କ ଋଣର ପରିମାଣ ଓ କିସ୍ତି ମଙ୍ଗଳଙ୍କ ଋଣ ପରିମାଣ ଓ କିସ୍ତି ସହିତ ସମାନ । “ଆମେ ଋଣ ଛାଡ କରିବାକୁ କହୁନାହୁଁ । ଆମେ କେବଳ ସେମାନଙ୍କୁ ତିନିମାସ ସମୟ ଦେବାକୁ କହୁଛୁ । ଦୁଇ ବର୍ଷ ମଧ୍ୟରେ ସମସ୍ତ କିସ୍ତି ଶେଷ କରିବା ପରିବର୍ତ୍ତେ ଦୁଇବର୍ଷ ତିନିମାସରେ ପରିଶୋଧ କରିବାକୁ ଅନୁମତି ଦିଅନ୍ତୁ । ଆମେ କ’ଣ କିଛି ଅଧିକ ମାଗୁଛୁ କି?

The Waghmare family lives in the Dalit basti right next to the district hospital in south Osmanabad
PHOTO • Sheetal Waghmare

ୱାଘ୍‌ମାରେ ପରିବାର ଦକ୍ଷିଣ ଓସ୍‌ମାନାବାଦ ସ୍ଥିତ ଜିଲ୍ଲା ଡାକ୍ତରଖାନାର ଠିକ୍‌ ପରେ ଥିବା ଦଳିତ ବସ୍ତିରେ ରୁହନ୍ତି

ସରକାରଙ୍କ ତରଫରୁ ଅଗ୍ରୀମ ଭାବେ ଗହମ ଓ ଚାଉଳ ମିଳିଥିବାରୁ ଦଳିତ ବସ୍ତିରେ ରହୁଥିବା ପରିବାରଗୁଡିକୁ ତାଲାବନ୍ଦ ସମୟରେ ଭୋକଉପାସରେ ରହିବାକୁ ପଡୁନାହିଁ ବୋଲି ଅର୍ଚ୍ଚନା କୁହନ୍ତି । “ନଚେତ୍‌, ଆମେ ଖାଦ୍ୟ କିଣିବାକୁ ମଧ୍ୟ ସମର୍ଥ ହୋଇପାରି ନଥାନ୍ତୁ,” ବୋଲି ସେ କୁହନ୍ତି । “ମହିଳାଙ୍କ ଜନଧନ ଆକାଉଣ୍ଟରେ ୫୦୦ଟଙ୍କା ଜମା କରାଯିବ ବୋଲି ଅର୍ଥ ମନ୍ତ୍ରୀଙ୍କ ଘୋଷଣା ପରେ [ମାର୍ଚ୍ଚ ୨୬] କିଛି ନଗଦ ରାଶି ପାଇବା ପାଇଁ ସମସ୍ତେ ଏତେ ବ୍ୟାକୁଳ ହୋଇପଡିଛନ୍ତି ଯେ ଲୋକମାନେ ଭୋର୍‌ ସକାଳୁ ଧାଡିରେ ଠିଆ ହେବାକୁ ଆରମ୍ଭ କରୁଛନ୍ତି । ପ୍ରତିଦିନ ବ୍ୟାଙ୍କଗୁଡିକରେ ଜନଗହଳି ଦେଖାଯାଉଛି ।’’

ଓସ୍‌ମାନାବାଦ୍‌ ଠାରୁ ୫୮ କିଲୋମିଟର ଦୂରରେ ଅବସ୍ଥିତ ଲାଟୁରର ଖୁଣ୍ଟେଫଲ୍‌ ଗ୍ରାମରେ ମଧ୍ୟ ଏମ୍‌ଏଫ୍‌ଆଇ ସହିତ କାରବାର କରିବା ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି । ଏହି ଗ୍ରାମର ଅନେକ ଲୋକଙ୍କ ସହିତ ପଡୋଶୀ ମାଟେଫାଲ୍‌ ଗ୍ରାମର ମଧ୍ୟ ଅନେକ ଲୋକ ଏମ୍‌ଏଫ୍‌ଆଇଗୁଡିକରୁ ଋଣ ନେଇଥିବା ଜଣେ ସ୍ଥାନୀୟ କର୍ମୀ କୁହନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୩୫ ବର୍ଷ ବୟସ୍କ ବିକାଶ ସିନ୍ଧେ, ଯିଏ ଚଳିତ ବର୍ଷ ଫେବୃଆରୀରେ ୫୦,୦୦୦ ଟଙ୍କା ଋଣ କରିଛନ୍ତି । “ମୋର ୧.୫ ଏକର ଜମି ଅଛି” ବୋଲି ସେ କୁହନ୍ତି । ଭରଣପୋଷଣ ପାଇଁ ଏତିକି ଜମି ପର୍ଯ୍ୟାପ୍ତ ହେଉନଥିବାରୁ ମୁଁ ଶ୍ରମିକ ଭାବେ ମଧ୍ୟ କାମ କରେ । ଦୁଇ ମାସ ତଳେ ଗୋଟିଏ ଗାଈ କିଣିବାକୁ ଓ ଦୁଗ୍ଧ ଚାଷ ଆରମ୍ଭ କରିବାକୁ କିଛି ଟଙ୍କା ଋଣ କରିଥିଲି ।

ବର୍ତ୍ତମାନ, ତାଲାବନ୍ଦ ଯୋଗୁଁ ବିକାଶ ଯିଏ ତାଙ୍କର ସ୍ତ୍ରୀ ଓ ଦୁଇଟି ସନ୍ତାନ ସହିତ ରୁହନ୍ତି, ୩,୨୦୦ ଟଙ୍କାର ମାସିକ କିସ୍ତି ପଇଠ କରିବାକୁ ଅସମର୍ଥ ଅଟନ୍ତି । “ତାଲାବନ୍ଦ କାରଣରୁ ମୁଁ ମୋର ରବି  ଅମଳ ବିକ୍ରି କରିପାରିଲି ନାହିଁ” ବୋଲି ସେ କୁହନ୍ତି । “ଗହମ ଏବେ ମଧ୍ୟ ଜମିରେ ପଡି ରହିଛି । ଅମଳ ହୋଇଥିବା ଶସ୍ୟକୁ ମଣ୍ଡିରେ ପହଞ୍ଚାଇବା ପ୍ରାୟତଃ ସମ୍ଭବ ହୋଇପାରୁନି । ଏବେ ଆମେ କ’ଣ କରିବୁ?”

ଏହିପରି ମହାମାରୀ ସମୟରେ କୃଷକ ଓ ଶ୍ରମିକମାନେ ଯେପରି ଭୟବଶତଃ ପ୍ରଭାବିତ ନହେବେ ଓ ସର୍ବସ୍ୱାନ୍ତ ନହେବେ, ତାହା ନିଶ୍ଚିତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ । “ଏମ୍‌ଏଫ୍‌ଆଇଗୁଡିକ ଅନ୍ୟ କୌଣସି ଭାଷା ବୁଝି ପାରିବେନାହିଁ,” ବୋଲି ସେ କୁହନ୍ତି । “ସେମାନଙ୍କୁ ରାସ୍ତାକୁ ଆଣିବା ପାଇଁ ଆଇନ୍‌ର ସାହାରା ନେବାକୁ ହେବ ।

ମହାରାଷ୍ଟ୍ରର କୃଷି ମନ୍ତ୍ରୀ, ଦାଦା ଭୁସେ, ମତେ ଫୋନ୍‌ରେ କହିଛନ୍ତି ଯେ ଲୋକମାନେ ପାରମ୍ପରିକ ଅର୍ଥନୈତିକ ସଂସ୍ଥାରୁ ( ଯେପରିକି କୋପରେଟିଭ୍‌ ବ୍ୟାଙ୍କ) ଯେପରି ଋଣ ନିଅନ୍ତି ତାହା ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ କରୁଛନ୍ତି । “କିନ୍ତୁ ଏକଥା ମଧ୍ୟ ସତ ଏମ୍‌ଏଫ୍‌ଆଇଗୁଡିକ ସହଜରେ ଋଣ ପ୍ରଦାନ କରୁଥିବାରୁ ଅନେକ ଲୋକ ସେଠାରୁ ଋଣ ନେଉଛନ୍ତି । “ଏହାର ଯାଞ୍ଚ କରିବା ପାଇଁ ମୁଁ ଜିଲ୍ଲାପାଳମାନଙ୍କୁ କହିବି ଓ ଏନେଇ କ’ଣ କରାଯାଇ ପାରିବ ତାହା ଦେଖିବି ।

ସେପର୍ଯ୍ୟନ୍ତ ଶୀତଳ, ଅର୍ଚ୍ଚନା ଓ ବିକାଶଙ୍କ ପରି ଋଣକର୍ତ୍ତାଙ୍କୁ ଏମ୍‌ଏଫ୍‌ଆଇ ରିକଭରି ଏଜେଣ୍ଟଙ୍କ କଲ୍‌ କାଳେ ଆସିଥିବ ସେ ଭୟରେ ଜୀବନ ବିତେଇବାକୁ ହେବ । ଫୋନ୍‌ର ଘଣ୍ଟି କେତେବେଳେ ମଧ୍ୟ ବାଜିପାରେ ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE