ସେ କଥା ହେବା ଆରମ୍ଭ କରିଥାନ୍ତି, କିନ୍ତୁ ମଝିରେ ମଝିରେ ରହି ଯାଉଥାନ୍ତି । ଦୀର୍ଘଶ୍ୱାସ ନେଇ ପୁଣିଥରେ ଚେଷ୍ଟା କରୁଥାନ୍ତି। କିନ୍ତୁ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥାଏ । ସେ ତଳକୁ ଚାହିଁଥାନ୍ତି ଓ ତାଙ୍କ ଓଠ ଥରୁଥାଏ । ପ୍ରାୟ ବର୍ଷେ ହେବ ଅନୀତା ସିଂହ ସାହସର ସହ ଜୀବନ ନିର୍ବାହ କରି ଆସୁଛନ୍ତି। କିନ୍ତୁ ସ୍ୱାମୀଙ୍କ କଥା ମନେ ପଡ଼ିଲେ ସେ ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି । ୩୩ ବର୍ଷୀୟା ଅନୀତା କୁହନ୍ତି, ‘‘ଆମର ଏକ ଛୋଟ ସୁଖୀ ପରିବାର ଥିଲା । ମୋ ସ୍ୱାମୀ ହିଁ ଆମର ସମ୍ବଳ ଥିଲେ।’’

ଅନୀତାଙ୍କ ସ୍ୱାମୀ, ୪୨ ବର୍ଷୀୟ ଜୟକର୍ଣ୍ଣ ସିଂହ ଉତ୍ତର ପ୍ରଦେଶର ବୁଲନ୍ଦଶହର ସହରଠାରୁ ୨୦ କିଲୋମିଟର ଦୂର ଲଖୋଟି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ । ଏପ୍ରିଲ ୨୦୨୧ର ପ୍ରଥମ ସପ୍ତାହରେ ତାଙ୍କ ଠାରେ କୋଭିଡ ୧୯ର ଲକ୍ଷଣ ଦେଖାଦେଇଥିଲା। ସହରରେ ଆମେ ଯେତେବେଳେ ଅନୀତାଙ୍କୁ ତାଙ୍କ ଘରେ ଭେଟିଥିଲୁ, ଅନୀତା କହିଥିଲେ, ‘‘ତାଙ୍କ ସ୍ୱାମୀଙ୍କୁ କାଶ, ସର୍ଦ୍ଦି ଓ ଜ୍ୱର ଥିଲା । ଦ୍ଵିତୀୟ ଲହରୀ ସମୟରେ ମଧ୍ୟ ଶିକ୍ଷକମାନଙ୍କୁ ସ୍କୁଲ ଯିବା ଲାଗି କୁହାଯାଇଥିଲା। ସେ ବୋଧହୁଏ ସେହି ସମୟରେ ହିଁ ସଂକ୍ରମିତ ହୋଇଥିଲେ।’’

୨୦ ଏପ୍ରିଲ, ୨୦୨୧ରେ, ଜୟକର୍ଣ୍ଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଲା, ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଲା । ହେଲେ ସେତେବେଳେ ସହରର କୌଣସି ଡାକ୍ତରଖାନାରେ ଅକ୍ସିଜେନ୍‌ ଶଯ୍ୟା ଉପଲବ୍ଧ ନଥିଲା। ଅନୀତା ସେହିଦିନ ବିଷୟରେ ସ୍ମରଣ କରି କୁହନ୍ତି, ‘‘ମୁଁ ଅନେକ ଡାକ୍ତରଖାନାରେ ସହାୟତା ପାଇଁ ଅନୁରୋଧ କଲି, କିନ୍ତୁ ମୋତ ସଫା ସଫା ମନା କରି ଦିଆଗଲା। ଆମେ ଚାରି ଆଡ଼କୁ ଫୋନ୍‌ କଲୁ, କାରଣ ତାଙ୍କର ସ୍ୱାସ୍ଥାବସ୍ଥା ଖୁବ୍‌ ଗମ୍ଭୀର ହୋଇଯାଇଥିଲା। ହେଲେ କୌଣସି ସ୍ଥାନରୁ କିଛି ସହାୟତା ମିଳିଲା ନାହିଁ । ଘରେ ହିଁ ଆମେ ତାଙ୍କର ଚିକିତ୍ସା ଜାରି ରଖିଲୁ।’’

ଜଣେ ସ୍ଥାନୀୟ ଡାକ୍ତର ଜୟକର୍ଣ୍ଣଙ୍କ ଜ୍ୱର ଓ କାଶର ଚିକିତ୍ସା କରିଥିଲେ। ଅନୀତାଙ୍କ ଆତ୍ମୀୟ ସ୍ୱଜନମାନେ କୌଣସି ପ୍ରକାର ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କରି ଦେଇଥିଲେ। ଅନୀତା କୁହନ୍ତି, ‘‘ଏହାକୁ କିଭଳି ବ୍ୟବହାର କରିବାକୁ ହେବ ଆମକୁ ଜଣାନଥିଲା। ଆମକୁ ନିଜ ଚେଷ୍ଟାରେ ହିଁ ଏହା କରିବାର ଥିଲା। କିନ୍ତୁ ଆମେ ଡାକ୍ତରଖାନାରେ ଶଯ୍ୟାଟିଏ ମିଳିଯିବାର ଆଶାରେ ସନ୍ଧାନ ଜାରି ରଖିଲୁ।’’

ବିଶେଷ କରି ଗାଁ ଓ ଛୋଟ ସହରାଞ୍ଚଳ ଭାରତରେ ସରକାରୀ ସ୍ୱାସ୍ଥ୍ୟ ସେବା କେତେ ଦୁର୍ବଳ ତାହା ମହାମାରୀ ପ୍ରମାଣିତ କରିଛି । ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ ପ୍ରତି ଦୃଷ୍ଟି ପକାଇଲେ ୨୦୧୫-୧୬ରେ ଏହା ଜିଡିପିର ମାତ୍ର ୧.୦୨ ପ୍ରତିଶତ ଥିଲା। ଏହା ସରକାରୀ ସ୍ୱାସ୍ଥ୍ୟସେବା ଉପରେ ନିର୍ଭର କରୁଥିବା ଲୋକମାନଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା। ନ୍ୟାସନାଲ ହେଲ୍‌ଥ୍‌ ପ୍ରୋଫାଇଲ୍‌ ୨୦୧୭ର ରିପୋର୍ଟ ଅନୁଯାୟୀ, ଦେଶରେ ୧୦,୧୮୯ ଲୋକଙ୍କ ପାଇଁ ଜଣେ ସରକାରୀ ଏଲୋପାଥି ଡାକ୍ତର ଥିଲେ। ପ୍ରତ୍ୟେକ ୯୦,୩୪୩ ଜଣ ଲୋକଙ୍କ ପାଇଁ ଗୋଟିଏ ସରକାରୀ ଡାକ୍ତରଖାନା ଥିଲା।

PHOTO • Parth M.N.

ବୁଲନ୍ଦଶହର ସହରରେ ଥିବା ନିଜ ଘରେ ଅନୀତା ସିଂହ । ୨୦୨୧ରେ ସ୍ୱାମୀଙ୍କର ମୃତ୍ୟୁ ପରେ ସେ ଅତି ସାହସର ସହିତ ଜୀବନ ବିତାଇ ଆସୁଛନ୍ତି

ବିଗତ ବର୍ଷ ଜୁଲାଇରେ ଅକ୍ସଫାମ୍‌ ଇଣ୍ଡିଆ ଦ୍ଵାରା ପ୍ରକାଶିତ ଅସମାନତା ରିପୋର୍ଟ ୨୦୨୧ : ଇଣ୍ଡିଆଜ୍‌ ଅନଇକ୍ଵାଲ ହେଲଥକେୟାର ଷ୍ଟୋରୀରେ ଦର୍ଶାଯାଇଛି ଯେ ୨୦୨୦ ବର୍ଷରେ ଦେଶର ପ୍ରତି ୧୦,୦୦୦ ଲୋକଙ୍କ ପାଇଁ କେବଳ ୫ଟି ଡାକ୍ତରଖାନା ଶଯ୍ୟା ଏବଂ ୮.୬ ଜଣ ଡାକ୍ତର ରହିଥିଲେ। ଏବଂ ଗ୍ରାମୀଣ ଭାରତରେ, ଦେଶର ୭୦ ପ୍ରତିଶତ ଜନସଂଖ୍ୟା ରହିଥାନ୍ତି। ମାତ୍ର ଏଠାରେ ଦେଶର ସମସ୍ତ ଡାକ୍ତରଖାନାର ସମସ୍ତ ଶଯ୍ୟା ମଧ୍ୟରୁ କେବଳ ୪୦ ପ୍ରତିଶତ ଭାଗ ରହିଥିଲା।

ଜୟକର୍ଣ୍ଣ ମୃତ୍ୟୁବରଣ କରିବା ପରେ ଅନୀତାଙ୍କ ଡାକ୍ତରଖାନା ଶଯ୍ୟା ସନ୍ଧାନ ଶେଷ ହୋଇଯାଇଥିଲା। ୨୬ ଏପ୍ରିଲ, ୨୦୨୧ରେ ଶ୍ୱାସକ୍ରିୟାରେ କଷ୍ଟ ହେବା ଏବଂ ଅକ୍ସିଜେନ ଅଭାବ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁଇ ଦିନ ପରେ ତାଙ୍କୁ ନିର୍ବାଚନ ଡ୍ୟୁଟିରେ ଯିବାର ଥିଲା। ସେତେବେଳେ ମହାମାରୀ ଚରମ ସୀମାରେ ଥିଲା, ଏହା ସତ୍ତ୍ୱେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ।

ୟୁପିର ପଞ୍ଚାୟତ ନିର୍ବାଚନର ବାଧ୍ୟତାମୂଳକ ଡ୍ୟୁଟି (୧୫-୨୯ ଏପ୍ରିଲ, ୨୦୨୧) ରେ ନିୟୋଜିତ ଲୋକମାନଙ୍କୁ ଏହାର ଭାରୀ ମୂଲ୍ୟ ଦେବାକୁ ପଡ଼ିଥିଲା। ମେ ମାସର ମଧ୍ୟ ଭାଗ ସୁଦ୍ଧା, କୋଭିଡ – ୧୯ ବା ‘କୋଭିଡ ଭଳି’ ଲକ୍ଷଣ ଯୋଗୁଁ ଅତିକମ୍‌ରେ ୧୬୨୧ ଜଣ ସ୍କୁଲ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା।

ରାଜ୍ୟ ସରକାର ପ୍ରତ୍ୟେକ ପରିବାର ପାଇଁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ। କିନ୍ତୁ ଅନୀତାଙ୍କୁ କୌଣସି କ୍ଷତିପୂରଣ ମିଳିଲା ନାହିଁ, କାରଣ ଡ୍ୟୁଟିକୁ ଯିବାର ଦୁଇ ଦିନ ପୂର୍ବରୁ ଜୟକର୍ଣ୍ଣଙ୍କର ମୃତ୍ୟୁ ଘଟିଥିଲା । ସେ କୁହନ୍ତି, ‘‘ଏହା ଠିକ୍‌ ନୁହେଁ।’’ ଏତିକି କହି ସେ ଭାଙ୍ଗି ପଡ଼ୁଥାନ୍ତି । ‘‘ସେ ଜଣେ ସଚ୍ଚୋଟ ସରକାରୀ କର୍ମଚାରୀ ଥିଲେ । ହେଲେ ଆମକୁ ଏମିତି ଫଳ ମିଳୁଛି? ମୁଁ ମୋ ପିଲାମାନଙ୍କର ଯତ୍ନ କେମିତି ନେବି? ମୁଁ ସେମାନଙ୍କର ଭଲ ଚାହୁଁଛି । କିନ୍ତୁ ଟଙ୍କା ବିନା ମୁଁ କିଛି କରିପାରିବି ନାହିଁ।’’

ଜୟକର୍ଣ୍ଣଙ୍କ ମାସିକ ଦରମା ୭୦,୦୦୦ଟଙ୍କା ଥିଲା। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପରେ, ଅନୀତାଙ୍କୁ ବୁଲନ୍ଦଶହର ସହରରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଅନୁକମ୍ପାମୂଳକ ଚାକିରି ମିଳିଛି। ସେ କୁହନ୍ତି, ‘‘ମୋ ଦରମା ୨୦,୦୦୦ଟଙ୍କା।’’ ଜୟକର୍ଣ୍ଣଙ୍କ ମୃତ୍ୟୁପରେ ତାଙ୍କର ୭ ବର୍ଷର ଝିଅ ଅଞ୍ଜଳି ଏବଂ ୧୦ ବର୍ଷର ପୁଅ ଭାସ୍କର ସ୍କୁଲ ଯାଉନାହାନ୍ତି। ଅନୀତା କୁହନ୍ତି, ‘‘ଘର ଚଳାଇବା ପାଇଁ ମୋତେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି।’’

PHOTO • Parth M.N.

ଅନୀତାଙ୍କ ପାଖରେ ଚାକିରି ଅଛି, କିନ୍ତୁ ସେ ନିଜର ପରଲୋକଗତ ସ୍ଵାମୀଙ୍କ ବେତନ ତୁଳନାରେ ମାତ୍ର ଅଳ୍ପ କିଛି ଭାଗ ରୋଜଗାର କରିପାରୁଛନ୍ତି। ଅନୀତା କୁହନ୍ତି, 'ମୋତେ ଘର ଚଳାଇବା ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି’

ଜାନୁଆରୀ ୨୦୨୨ରେ ଜାରି ହୋଇଥିବା ଅକ୍ସଫାମ୍‌ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଇନଇକ୍ଵାଲିଟି କିଲ୍ସ ଅନୁଯାୟୀ, ମହାମାରୀ ଆରମ୍ଭରୁ ହିଁ ଭାରତର ୮୪ ପ୍ରତିଶତ ପରିବାରଙ୍କ ରୋଜଗାର ହ୍ରାସ ପାଇଛି। ମାର୍ଚ୍ଚ ୨୦୨୧ରେ, ଆମେରିକାସ୍ଥିତ ପ୍ୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପ୍ରକାଶିତ ଏକ ଅଧ୍ୟୟନ ରେ ଦର୍ଶାଯାଇଛି ଯେ, ୨୦୨୦ରେ ଭାରତର ପାଖାପାଖି ୩୨ କୋଟି ମଧ୍ୟବିତ୍ତ ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲି ଯାଇଛନ୍ତି । ଅନୁରୂପ ଭାବେ, ଦିନକୁ ୨ ଆମେରିକୀୟ ଡଲାର କିମ୍ବା ତା’ଠାରୁ କମ୍‌ ଆୟ କରୁଥିବା ଗରିବ ଲୋକଙ୍କ ସଂଖ୍ୟା ୭ କୋଟି ୫୦ ଲକ୍ଷ ବୃଦ୍ଧି ପାଇଛି ।

ମାର୍ଚ୍ଚ ୨୦୨୦ରେ, ଅଚାନକ ସାରା ଦେଶରେ କୋଭିଡ ଲକ୍‌ ଡାଉନ ଲାଗୁ ହେବା କାରଣରୁ ଚାକିରି ଚାଲିଯିବା ସହିତ, ସରକାରୀ ସ୍ୱାସ୍ଥ୍ୟ ସେବା ଉପରେ ସଙ୍କଟ ଘନେଇ ଯାଇଥିଲା। ଫଳରେ ସାରା ଦେଶରେ ପରିବାରଗୁଡ଼ିକର କ୍ରୟଶକ୍ତି ହ୍ରାସ ପାଇଥିଲା। ସରକାରୀ ସ୍ୱାସ୍ଥ୍ୟସେବା ଯେତେବେଳେ କୋଭିଡ -୧୯ ମହାମାରୀ ଯୋଗୁଁ ଚାପରେ ଥିଲା, ବିଭିନ୍ନ ପରିବାରକୁ ଘରୋଇ ସ୍ୱାସ୍ଥ୍ୟସେବା ଉପରେ ନିର୍ଭର କରିବାକୁ ପଡ଼ିଲା, ମାତ୍ର ସେମାନେ ଏହି ଖର୍ଚ୍ଚ ତୁଲାଇବାକୁ ଅକ୍ଷମ ଥିଲେ ।

ରେଖା ଦେବୀଙ୍କ ପରିବାର ସେମାନଙ୍କ ମଧ୍ୟରୁ ଗୋଟିଏ ଥିଲା। ଏପ୍ରିଲ ୨୦୨୧ରେ ତାଙ୍କର ୨୪ ବର୍ଷୀୟା ଭାଉଜ ସରିତାଙ୍କୁ ବାରାଣାସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଠିକ୍‌ ଭାବେ ଚିକିତ୍ସା ହୋଇପାରିଲା ନାହିଁ । ପରେ ରେଖା ତାଙ୍କୁ ସେଠାରୁ ଡିସଚାର୍ଜ କରାଇ ନେଲେ। ଚନ୍ଦୌଲି ଜିଲ୍ଲାର ତେନ୍ଦୁଆ ଗ୍ରାମରେ ନିଜ କୁଡ଼ିଆ ବାହାରେ ବସିଥିବା ୩୬ ବର୍ଷୀୟା ରେଖା କୁହନ୍ତି, ‘‘ଆମ ଚାରି ପାଖରେ ଲୋକମାନେ ମୃତ୍ୟୁବରଣ କରୁଥିଲେ । ସରିତାଙ୍କୁ କୋଭିଡ ହୋଇନଥିଲା । କିନ୍ତୁ ତାଙ୍କ ପେଟ ଯନ୍ତ୍ରଣା କମୁନଥିଲା । ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ଅଧିକ ହୋଇଥିବା କାରଣରୁ କେହି ଡାକ୍ତର ତାଙ୍କ ପ୍ରତି ଧ୍ୟାନ ଦେଉନଥିଲେ। ସେ କେବଳ ଶଯ୍ୟାରେ ପଡ଼ି ରହିଥିଲେ । ତାଙ୍କ ଚାରି ପାଖରେ କ’ଣ ଘଟୁଥିଲା ସେ ଜାଣିପାରୁନଥିଲେ।’’

ବିଏଚୟୁ ଡାକ୍ତରଖାନାକୁ ନେବା ପୂର୍ବରୁ ସରିତା ଗୋଟିଏ ସପ୍ତାହ ଧରି ଅସୁସ୍ଥ ଥିଲେ। ତାଙ୍କର ୨୬ ବର୍ଷୀୟ ସ୍ୱାମୀ ଗୌତମ ପୂର୍ବରୁ ସୋନଭଦ୍ରର ଏକ ଘରୋଇ ଡାକ୍ତରଖାନାକୁ ତାଙ୍କୁ ନେଇଯାଇଥିଲେ, ଯେଉଁଠି ସେ ରହୁଥିଲେ। ତେନ୍ଦୁଆଠାରୁ ପାଖାପାଖି ୩୦ କିଲୋମିଟର ଦୂର, ଏହି ସ୍ଥାନ ଚନ୍ଦୌଲିର ନୌଗଡ଼ ବ୍ଲକରେ ରହିଛି। ରେଖା କୁହନ୍ତି, ‘‘ସେହି ଡାକ୍ତରଖାନା ତାଙ୍କୁ ଗୋଟିଏ ଦିନ ରଖିଥିଲା ଓ ୧୨,୦୦୦ ଟଙ୍କା ନେଲା। ଏହା ପରେ ତାଙ୍କୁ  ଚିକିତ୍ସା ପାଇଁ ଅନ୍ୟତ୍ର ନିଆଯିବାର ଆବଶ୍ୟକତା ରହିଛି ବୋଲି ସେହି ଡାକ୍ତରଖାନା ପକ୍ଷରୁ କୁହାଗଲା। ହେଲେ ଗୌତମ ସେପରି କରିବାକୁ ମନା କଲେ। ସେ ଯେକୌଣସି ସମୟରେ ମୃତ୍ୟୁବରଣ କରିପାରନ୍ତି ବୋଲି ଡାକ୍ତରଖାନା ପକ୍ଷରୁ କୁହାଗଲା। ଏଥିରେ ଗୌତମ ଡରିଗଲେ ଏବଂ ତୁରନ୍ତ ମୋ ପାଖକୁ ତାଙ୍କୁ ନେଇ ଆସିଲେ। ଆମେ ତୁରନ୍ତ ବିଏଚୟୁରେ ପହଞ୍ଚିଲୁ।’’

PHOTO • Parth M.N.

ତାଙ୍କ ଭାଉଜଙ୍କ ଚିକିତ୍ସାରେ ଏତେ ଟଙ୍କା ଖର୍ଚ୍ଚ ହୋଇଯିବ ବୋଲି ରେଖା ଦେବୀ କେବେ ବି ଭାବିନଥିଲେ। ‘ତାଙ୍କର ଚିକିତ୍ସା ବାବଦରେ ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଲ'

ବାରାଣାସୀର ଏହି ଡାକ୍ତରଖାନା ତେନ୍ଦୁଆଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ରହିଛି। ଗୌତମ ଏବଂ ରେଖା ସେଠାରେ ପହଞ୍ଚିବା ଲାଗି ୬,୫୦୦ ଟଙ୍କା ଗାଡ଼ି ଭଡ଼ା ଦେଇଥିଲେ । ବିଏଚୟୁ ଡାକ୍ତରଖାନାରୁ ସରିତାଙ୍କୁ ଡିସଚାର୍ଜ କରିବା ପରେ ସେମାନେ ତାଙ୍କୁ ଚକିଆ ନେଇଗଲେ, ଯାହାକି ବାରାଣାସୀ ଏବଂ ନୌଗଡ଼ ବ୍ଲକ୍‌ ମଧ୍ୟ ଭାଗରେ ଥିଲା। ସେଠାରେ ପହଞ୍ଚିବା ପାଇଁ ତାଙ୍କୁ ୩,୫୦୦ ଟଙ୍କା ଖର୍ଚ୍ଚ ଲାଗିଥିଲା । ରେଖା ଜାଣିନଥିଲେ ଯେ ‘ପେଟ ଯନ୍ତ୍ରଣା’ ଛଡ଼ା ତାଙ୍କ ଭାଉଜଙ୍କର ଅନ୍ୟ କେଉଁ ରୋଗ ଥିଲା। ସେ କୁହନ୍ତି, ‘‘ଚକିଆରେ ଏକ ଘରୋଇ ଡାକ୍ତରଖାନାରେ ଆମେ ତାଙ୍କୁ ଭର୍ତ୍ତି କଲୁ ଏବଂ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ତାଙ୍କର ସେଠାରେ ଚିକିତ୍ସା ଚାଲିଲା ଓ ସେ ଠିକ୍‌ ହୋଇଗଲେ। କିନ୍ତୁ ଚିକିତ୍ସା ଖର୍ଚ୍ଚ ଏକ ଲକ୍ଷ ଟଙ୍କା ଛୁଇଁ ଯାଇଥିଲା।’’

ରେଖା ଓ ତାଙ୍କ ପରିବାର ଜାଟୱ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି, ସେମାନଙ୍କୁ ଉତ୍ତରପ୍ରଦେଶରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ କରାଯାଇଛି । ସେମାନେ ଚାଷ ଜମିରେ ମଜୁରିଆ କାମ କରିଥାନ୍ତି ଏବଂ ଦିନକୁ ୨୦୦ ଟଙ୍କା ରୋଜଗାର କରନ୍ତି। ଗୌତମ ସୋନଭଦ୍ରର ଏକ ପଥର ଖଣିରେ କାମ କରିଥାନ୍ତି ଏବଂ ଦିନକୁ ୨୫୦ ଟଙ୍କା ମଜୁରି ପାଆନ୍ତି। ରେଖା କୁହନ୍ତି, ‘‘ଲକଡାଉନ (ମାର୍ଚ୍ଚ ୨୦୨୦) ପରେ ତାଙ୍କୁ ଖୁବ୍‌ କମ୍‌ କାମ ମିଳୁଛି । ଅନେକ ଦିନ ହେବ ଆମର କୌଣସି ରୋଜଗାର ନାହିଁ।’’ ସେ କୁହନ୍ତି, ପରିସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଲକଡାଉନ ସମୟରେ, ନିୟମ ଭାଙ୍ଗି, ଆମକୁ ଗୋପନୀୟ ଭାବେ ଖଣିରେ କାମ କରିବାକୁ ପଡ଼ିଥିଲା। ‘‘ଆମେ ମୁଖ୍ୟତଃ ସରକାର ଏବଂ ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ମିଳୁଥିବା ମାଗଣା ରାସନ ଖାଇ ବଞ୍ଚି ରହିଥିଲୁ। ସରିତାଙ୍କ ରୋଗ ପାଇଁ ଆମକୁ ଏତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଆମେ କେବେ ବି ଭାବିନଥିଲୁ।’’

ନଭେମ୍ବର ୨୦୨୧ରେ, ଅକ୍ସଫାମ ଇଣ୍ଡିଆର ଏକ ସର୍ବେକ୍ଷଣ ରିପୋର୍ଟ- ଭାରତରେ ରୋଗୀଙ୍କ ଅଧିକାର ସଂରକ୍ଷଣ (ସିକ୍ୟୋରିଂ ରାଇଟ୍ସ ଅଫ୍‌ ପେସେଣ୍ଟସ୍‌ ଇନ୍‌ ଇଣ୍ଡିଆ)ରୁ ଜଣାପଡ଼ିଛି ଯେ, ଉତ୍ତର ପ୍ରଦେଶରେ ୪୭୨ ଜଣ ଉତ୍ତରଦାତାମାନଙ୍କ ମଧ୍ୟରୁ ୬୧.୪୭ ପ୍ରତିଶତ ଲୋକଙ୍କୁ ଚିକିତ୍ସାର ଆନୁମାନିକ ଖର୍ଚ୍ଚ ବିଷୟରେ କୁହାଯାଇନଥିଲା। ସାରା ଦେଶରେ ପ୍ରାୟ ୩,୮୯୦ ଜଣ ଉତ୍ତରଦାତାମାନଙ୍କ ମଧ୍ୟରୁ ୫୮ ପ୍ରତିଶତ ଏହା ହିଁ ଅନୁଭବ କରୁଥିଲେ, ଏହା ରୋଗୀଙ୍କ ଅଧିକାରର ଉଲ୍ଲଙ୍ଘନ ଥିଲା। ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା, ରୋଗୀଙ୍କ ଅଧିକାରକୁ ନେଇ ୧୭-ପଏଣ୍ଟ ଚାର୍ଟର ଅନୁଯାୟୀ, ‘‘ଜଣେ ରୋଗୀ ଏବଂ ତାଙ୍କର ଚିକିତ୍ସା କରାଉଥିବା ଆତ୍ମୀୟ ସ୍ୱଜନମାନଙ୍କୁ ଡାକ୍ତରଖାନା ପକ୍ଷରୁ ନିଆଯାଉଥିବା ଶୁଳ୍କର ସବିଶେଷ ସୂଚନା ପାଇବାର ଅଧିକାର ରହିଛି।’’

ସରିତାଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବା ଲାଗି ରେଖାଙ୍କୁ ନିଜର ଦୁଇ ଏକର ଚାଷ ଜମିର ଏକ ତୃତୀୟାଂଶ ଭାଗ ଏବଂ କିଛି ଗହଣା ବନ୍ଧା ରଖିବାକୁ ପଡ଼ିଲା। ସେ କୁହନ୍ତି, ‘‘ସାହୁକାର ଆମଠାରୁ ମାସିକ ୧୦ ପ୍ରତିଶତ ସୁଧ ଅସୁଲ କରୁଛି। ଆମେ କେବଳ ସୁଧ ପରିଶୋଧ କରୁଛୁ, ମୂଳଧନ (୫୦,୦୦୦) ସୁଝିବାକୁ ବାକି ଅଛି। ଋଣ ବୋଝରୁ ଆମକୁ କେବେ ମୁକ୍ତି ମିଳିବ ଜାଣିନାହୁଁ।’’

PHOTO • Parth M.N.

ଚନ୍ଦୌଲି ଜିଲ୍ଲାର ତେନ୍ଦୁଆ ଗାଁରେ ନିଜ ଚାଷ ଜମିରେ ରେଖା ବସିଛନ୍ତି। ଘରୋଇ ଡାକ୍ତରଖାନାର ବିଲ୍‌ ପରିଶୋଧ କରିବା ଲାଗି ସେ ତାଙ୍କ ଜମିର ଗୋଟିଏ ଭାଗ ବନ୍ଧା ପକାଇଛନ୍ତି

ମହାମାରୀର ପ୍ରଥମ ତିନି ମାସ (ଏପ୍ରିଲରୁ ଜୁନ୍‌ ୨୦୨୦)ରେ ହିଁ ଉତ୍ତର ପ୍ରଦେଶର ଅଧିକାଂଶ ଗ୍ରାମରେ ଲୋକମାନଙ୍କର ଋଣ ଭାର ୮୩ ପ୍ରତିଶତ ବୃଦ୍ଧି ପାଇଛି। ତୃଣମୂଳ ସ୍ତରରେ କାମ କରୁଥିବା ସଂଗଠନଗୁଡ଼ିକର ଏକ ମହାସଂଘ ‘କଲେକ୍ଟ’ ପକ୍ଷରୁ ନଅଟି ଜିଲ୍ଲାକୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। ଏଥିରୁ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଥିଲା ଯେ ଜୁଲାଇ-ସେପ୍ଟେମ୍ବର ଏବଂ ଅକ୍ଟୋବର-ଡିସେମ୍ବର ୨୦୨୦ରେ ଋଣଭାର ଯଥାକ୍ରମେ ୮୭ ଏବଂ ୮୦ ପ୍ରତିଶତ ବୃଦ୍ଧି ପାଇଥିଲା।

୬୫ ବର୍ଷୀୟ ମୁସ୍ତାକିମ୍‌ ଶେଖ୍‌ଙ୍କର ଭାଗ୍ୟ ଖରାପ ଥିଲା।

ଗାଜୀପୁର ଜିଲ୍ଲାର ଜଲାଲାବାଦ ଗାଁରେ ଗୋଟିଏ ଏକର ଜମି ଥିବା କ୍ଷୁଦ୍ର ଚାଷୀ, ମୁସ୍ତାକିମଙ୍କୁ ମାର୍ଚ୍ଚ ୨୦୨୦ରେ କୋଭିଡ-୧୯ ବ୍ୟାପିବାର କିଛିଦିନ ପୂର୍ବରୁ ପକ୍ଷାଘାତ ହୋଇଥିଲା। ଏହି କାରଣରୁ ତାଙ୍କ ଶରୀରର ବାମ ଭାଗ ଦୁର୍ବଳ ହୋଇଗଲା, ସେ ବାଧ୍ୟ ହୋଇ ଛୋଟେଇ ଛୋଟେଇ ଚାଲିଲେ। ସେ କୁହନ୍ତି, ‘‘ମୋତେ ଚାଲିବା ପାଇଁ ଏକ ଆଶ୍ରା ବାଡ଼ିର ଆବଶ୍ୟକତା ରହିଛି। କିନ୍ତୁ ଭଲ ଭାବେ ବାମ ହାତରେ ବାଡ଼ି ଧରିବା ପାଇଁ ମୋତେ ଅତି କଷ୍ଟ ହେଉଛି ।’’

ସେ ଆଉ ନିଜର ଚାଷ ଜମିରେ କାମ କରିପାରୁନାହାନ୍ତି, ଅନ୍ୟ କୌଣସି ମଜୁରି କାମ ମଧ୍ୟ ସେ କରିପାରିବେ ନାହିଁ । ମୁସ୍ତାକିମ୍‌ କୁହନ୍ତି, ‘‘ଏ ରୋଗ ମୋତେ ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ମିଳୁଥିବା ୧୦୦୦ ଟଙ୍କାର ଭତ୍ତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ କରି ଦେଲା। ଏଭଳି ପରିସ୍ଥିତିରେ ମୋତେ କେହି ସୁଦ୍ଧା ଟଙ୍କା ଉଧାର ଦେଉନଥିଲେ। କାରଣ ସେମାନେ ଜାଣିଥିଲେ ଯେ ମୁଁ ଆଦୌ ରୋଜଗାର କରିପାରିବି ନାହିଁ ଏବଂ ସେମାନଙ୍କର ଉଧାର ସୁଝିପାରିବି ନାହିଁ। ନ୍ୟାସନାଲ ହେଲ୍‌ଥ୍‌ ପ୍ରୋଫାଇଲ ୨୦୨୦ ଅନୁଯାୟୀ, ଗ୍ରାମୀଣ ଉତ୍ତର ପ୍ରଦେଶରେ 99.5 ପ୍ରତିଶତ ଲୋକଙ୍କର ସ୍ୱାସ୍ଥ୍ୟ ବୀମା କିମ୍ବା ସ୍ୱାସ୍ଥ୍ୟ ଉପରେ ବ୍ୟୟ ପାଇଁ କୌଣସି ସହାୟତା ନାହିଁ।

ଯେତେବେଳେ ମୁସ୍ତାକିମଙ୍କର ୫୫ ବର୍ଷୀୟା ପତ୍ନୀ ସାୟରୁନ୍‌ଙ୍କୁ ଷ୍ଟ୍ରୋକ୍‌ ହେଲା, ସେ ସନ୍ଦେହ କଲେ ଯେ ଏହା ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବ। ସେ ତାଙ୍କର ଚିକିତ୍ସା କରିବା ଲାଗି ବିଶେଷ କିଛି କରିପାରିଲେ ନାହିଁ। ସେ କୁହନ୍ତି, ‘‘ସେ ଏକ ଧକ୍କା ପାଇ ତଳେ ପଡ଼ିଗଲେ। ତାଙ୍କର ମେରୁଦଣ୍ଡ ହାଡ଼ ଯଥେଷ୍ଟ କ୍ଷତିଗ୍ରସ୍ତ ହେଲା।’’ ଏହା ଏପ୍ରିଲ ୨୦୨୦ର କଥା, ସେତେବେଳେ ଦେଶରେ ମହାମାରୀ ଦ୍ରୁତ ଗତିରେ ସଂକ୍ରମିତ ହେଉଥିଲା। ‘‘ମୁଁ ତା’କୁ ଆଜମଗଡ଼ର ଏକ ସରକାରୀ ଡାକ୍ତରଖାନାକୁ ନେଇଗଲି। କିନ୍ତୁ ସେହି ଡାକ୍ତରଖାନା ଏକ କୋଭିଡ କେନ୍ଦ୍ରରେ ପରିବର୍ତ୍ତିତ ହୋଇଯାଇଥିଲା।’’

PHOTO • Parth M.N.

ମୁସ୍ତାକିମ୍ ଶେଖ, ଗାଜିପୁର ଜିଲ୍ଲାର ନିଜ ଗ୍ରାମରେ। ପକ୍ଷାଘାତ ହେବା କାରଣରୁ ଏହି ଚାଷୀ ଜଣଙ୍କ ସମ୍ପୂର୍ଣ୍ଣ ଭାବେ, ରାଜ୍ୟ ସରକାରଙ୍କଠାରୁ ମିଳୁଥିବା ଭତ୍ତା ଉପରେ ନିର୍ଭର କରି ଚଳୁଛନ୍ତି

ଆଜମଗଡ଼ ଡାକ୍ତରଖାନା ୩୦ କିଲୋମିଟର ଦୂର ଥିଲା। ଭଡ଼ା ଗାଡ଼ିରେ ସେଠାରେ ପହଞ୍ଚିବା ଲାଗି ୩,୦୦୦ ଟଙ୍କା ଖର୍ଚ୍ଚ ହେଲା। ସେ କୁହନ୍ତି, ‘‘ଆମକୁ ବାରାଣାସୀ ଯିବାର ଥିଲା, କାରଣ ଗାଜୀପୁର ସରକାରୀ ଡାକ୍ତରଖାନାରେ କୌଣସି ସୁବିଧା ନଥିଲା। ସେଠାକୁ (ବାରାଣାସୀକୁ) ଯିବା ଲାଗି ମୋତେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା, ମୋ ପାଖରେ ସେତିକି ଟଙ୍କା ନଥିଲା। ମୁଁ ମୋ ବନ୍ଧୁମାନଙ୍କୁ ଘରୋଇ ଡାକ୍ତରଖାନା ବିଷୟରେ ପଚାରିଲି, କିନ୍ତୁ ମୁଁ ବୁଝିପାରିଲି ଯେ ଏତେ ଟଙ୍କା ମୁଁ ଖର୍ଚ୍ଚ କରିପାରିବି ନାହିଁ।’’

ମୁସ୍ତାକିମ, ସାୟରୁନଙ୍କୁ ଜଖନିୟା ବ୍ଲକରେ ଥିବା ନିଜ ଗାଁକୁ ଫେରାଇ ଆଣିଲେ ଏବଂ ସ୍ଥାନୀୟ ସ୍ତରରେ ତାଙ୍କର ଚିକିତ୍ସା କରିବା ଲାଗି ନିଷ୍ପତ୍ତି ନେଲେ। ମୁସ୍ତାକିମ୍‌ ଆହୁରି କହିଥିଲେ, ‘‘ସେ (ସାୟରୁନ୍‌) ମଧ୍ୟ କହିଲେ ଯେ ତାହା ହିଁ ଠିକ୍‌ ହେବ। ଗାଁର ଝୋଲା ଛାପ୍‌ (କ୍ଵାକ) ଡାକ୍ତର ତାଙ୍କୁ ଔଷଧ ଦେଲେ।’’

ସରକାରୀ ଡାକ୍ତରଙ୍କ ପରିବର୍ତ୍ତେ ଗାଁ ଲୋକମାନେ ଝୋଲା ଛାପ୍ ଡାକ୍ତରଙ୍କ ଉପରେ ଅଧିକ ଭରସା କରିଥାନ୍ତି । ମୁସ୍ତାକିମ୍‌ କୁହନ୍ତି, ‘‘ ଝୋଲା – ଛାପ ଡାକ୍ତର ଆମ ସହ ଭଲ ବ୍ୟବହାର କରିଥାନ୍ତି ଏବଂ ଆମ ପ୍ରଶ୍ନର ଉତ୍ତର ଦେଇଥାନ୍ତି । ଯେତେବେଳେ ଅନ୍ୟ ଡାକ୍ତରମାନେ ଆମ ପାଖକୁ ଆସିବାକୁ ଭୟ କରୁଥିଲେ, ସେତେବେଳେ ସେମାନେ ଆମ ପାଖକୁ ଆସୁଥିଲେ।’’ ତେବେ, ଝୋଲା ଛାପ୍‌ ଡାକ୍ତରଙ୍କ ପାଖରେ କୌଣସି ପ୍ରକାର ଚିକିତ୍ସକୀୟ ପ୍ରଶିକ୍ଷଣ ନଥାଏ।

ଅକ୍ଟୋବର ୨୦୨୦ରେ, ଷ୍ଟ୍ରୋକ୍‌ ହେବାର ପ୍ରାୟ ଛଅ ମାସ ପରେ, ସଠିକ୍‌ ଚିକିତ୍ସା ଅଭାବରୁ ଗୋଟିଏ ବଖରା ଥିବା ତାଙ୍କ କୁଡ଼ିଆ ଘରେ ସାୟରୁନଙ୍କ ମୃତ୍ୟୁ ଘଟିଥିଲା। ନାନା ସମସ୍ୟା ସହ ସଂଘର୍ଷ କରି ସାରିବା ପରେ ମୁସ୍ତାକିମ୍‌ ଏବେ ନିଜକୁ ସମ୍ଭାଳି ନେଇଛନ୍ତି। ସେ କୁହନ୍ତି, ‘‘ଯେଉଁ ଲୋକମାନେ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି, ସେମାନେ ଅଶାନ୍ତି ଓ ଅସ୍ଥିରତା ମଧ୍ୟ ଦେଇ ଗତି କରିଛନ୍ତି। ମୋ ପତ୍ନୀଙ୍କ ମୃତ୍ୟୁ ତା’ଠାରୁ ଅନେକଗୁଣରେ ଶାନ୍ତିପୂର୍ଣ୍ଣ ଥିଲା।’’

ଠାକୁର ଫ୍ୟାମିଲି ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ନିରପେକ୍ଷ ସାମ୍ବାଦିକତା ଅନୁଦାନ ଜରିଆରେ ପାର୍ଥ ଏମ.ଏନ. ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ନାଗରିକ ସ୍ୱାଧୀନତା ପ୍ରସଙ୍ଗରେ ରିପୋର୍ଟିଂ କରିଥାନ୍ତି । ଏହି ରିପୋର୍ଟେଜ୍‌ର ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନର କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ନାହିଁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE