ଜୁନ ୨୨ ତାରିଖ ଅପରାହ୍ଣ ୨ଟା ସମୟରେ ଦିଲିପ ୱାଘ କାମ ପାଇଁ ଘରୁ ବାହାରିବା ବେଳେ ସବୁଦିନ ପରି ପତ୍ନୀ ମଙ୍ଗଲ ଓ ଝିଅ ରୋଶନୀଙ୍କୁ ହାତ ହଲାଇ ବିଦାୟ ନେଇଥିଲେ। ଏହାର ଦୁଇ ଦିନ ପରେ ସେ ଯେତେବେଳେ ଉଭୟଙ୍କୁ ଦେଖିଲେ, ଦୁହିଁଙ୍କ ମୃତଦେହ ସ୍ଥାନୀୟ ଡାକ୍ତରଖାନାରେ ଧଳା କପଡ଼ାରେ ଗୁଡ଼ା ହୋଇଥିଲା। 

ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ଉପାନ୍ତ ଆଦିବାସୀ ପଡ଼ା କାଦବ୍ୟଛିମାଲିରେ ଥିବା ଅଳ୍ପ ଆଲୋକିତ କୁଡ଼ିଆରେ ବସିଥିବା ସମୟରେ ସେ କହିଥିଲେ, “ସେଦିନ ସନ୍ଧ୍ୟାରେ ମୁଁ ଯେବେ ଫେରିଲି, ସେମାନଙ୍କୁ ପାଇଲି ନାହିଁ।”

ସେମାନେ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଭାବି ଦିଲିପ ନିଜର ୩୦ ବର୍ଷୀୟା ପତ୍ନୀ ମଙ୍ଗଲ ଓ ତିନି ବର୍ଷର ଝିଅ ରୋଶନୀକୁ ଗାଁ ଆଖପାଖରେ ଖୋଜିବାକୁ ଲାଗିଲେ। ସେ ନିଜର ବଡ଼ ଝିଅ ନନ୍ଦିନୀ (୭)ଙ୍କୁ ପଚାରିଲେ। “କିନ୍ତୁ ସେ କିଛି ଜାଣିନଥିଲେ”, ଦିଲିପ (୩୫) କୁହନ୍ତି। “ସେଦିନ ରାତିରେ ସେମାନେ ନଫେରିବାରୁ, ମୁଁ ଭାରି ବ୍ୟସ୍ତ ହୋଇପଡ଼ିଲି”।

ପରଦିନ ସକାଳେ ନିଜ ପଡ଼ା ବାହାରେ ମଧ୍ୟ ଦିଲିପ ବ୍ୟାକୁଳ ହୋଇ ସେମାନଙ୍କୁ ଖୋଜିବା ଆରମ୍ଭ କଲେ। ପାଦରେ ଚାଲି ଚାଲି ସେ ଆଖପାଖ ପଡ଼ାରେ ଖୋଜିଲେ-କିନ୍ତୁ ସେମାନଙ୍କୁ ପାଇଲେ ନାହିଁ। “ଅପରାହ୍ଣରେ, ମୁଁ ପଡ଼ୋଶୀ ଗ୍ରାମରେ ରହୁଥିବା ମଙ୍ଗଲଙ୍କ ଖୁଡ଼ିଙ୍କୁ ଭେଟିଲି, ସେ କିଛି ଜାଣିଛନ୍ତି କି’ ବୋଲି ପଚାରିଲି। କିନ୍ତୁ ସେ କିଛି ଜାଣିନଥିଲେ,” ନିଜ ଘରର ଓଦା କାନ୍ଥ ପାଖରେ ଥୁଆ ହୋଇଥିବା ଖାଲି ମାଠିଆ ପାଖରେ ବସିଥିବା ଦିଲିପ କହିଥିଲେ।

କାତକରୀ ସମୁଦାୟର ଦିଲିପ ସେଦିନ ରାତିରେ ଘରକୁ ଫେରିଥିଲେ-କିନ୍ତୁ ମଙ୍ଗଲ ଓ ରୋଶନୀଙ୍କର କିଛି ସନ୍ଧାନ ମିଳିନଥିଲା। କେବଳ ନନ୍ଦିନୀ ସେଠାରେ ଥିଲେ। ପରଦିନ ସକାଳେ, ଜୁନ ୨୪ ତାରିଖରେ, ସେ ନୂଆ ଆଶା ନେଇ ଖୋଜିବା ଜାରି ରଖିଲେ। ସେ ଭାବୁଥିଲେ କେଉଁଠି ହେଲେ ସେମାନଙ୍କୁ ପାଇଯିବେ। କିନ୍ତୁ ଅପରାହ୍ଣ ସୁଦ୍ଧା ସେ କାହାରିକୁ ପାଇଲେ ନାହିଁ। ସେମାନଙ୍କ ବିଷୟରେ ତାଙ୍କୁ ଆଶାନୁରୂପ କୌଣସି ସୂଚନା ମିଳିଲା ନାହିଁ।

କାଦବ୍ୟାଛିମାଲି ଠାରୁ ଚାରି କିମି ଦୂର ଜୌହର ତାଲୁକା ଅନ୍ତର୍ଗତ ଦେହାରେ ରାଜସ୍ୱ ଗାଁରେ ଜଣେ ମହିଳା ଓ ଅନ୍ୟ ଜଣେ ଝିଅ ଜଙ୍ଗଲରେ ମରି ପଡ଼ିଥିବାର ଖବର ମିଳିଲା। ସେମାନଙ୍କ ଫଟୋ ହ୍ୱାଟ୍ସଆପରେ ଘୂରି ବୁଲୁଥିଲା। ଗାଁ ବାହାରେ ଦିଲିପ ଜଣେ ବାଳକକୁ ଭେଟିଲେ ଯାହାଙ୍କ ଫୋନରେ ଉକ୍ତ ଫଟୋଗୁଡ଼ିକ ଥିଲା। “ଯେତେବେଳେ ସେ ମୋତେ ସେହି ଫଟୋଗୁଡ଼ିକୁ ଦେଖାଇଲେ, ମୁଁ କହିଲି ସେ ମୋ ସ୍ତ୍ରୀ ଓ ଝିଅ,” ଦିଲିପ ମନେ ପକାଇ କହିଥିଲେ।

Nandini (left), Dilip Wagh's elder daughter, keeps crying looking at the photos of her deceased mother Mangal, and sister Roshni
PHOTO • Parth M.N.
Nandini (left), Dilip Wagh's elder daughter, keeps crying looking at the photos of her deceased mother Mangal, and sister Roshni
PHOTO • Parth M.N.

ନନ୍ଦିନୀ (ବାମ), ଦିଲିପ ୱାଘଙ୍କ ବଡ଼ ଝିଅ, ନିଜ ମା’ ମଙ୍ଗଲ ଓ ଭଉଣୀ ରୋଶନୀଙ୍କ ସେହି ଫଟୋଗୁଡ଼ିକୁ ଦେଖି କାନ୍ଦୁଛନ୍ତି

ମଙ୍ଗଲ ପ୍ରଥମେ ନିଜ ଶାଢ଼ିରେ ଝିଅ ରୋଶନୀକୁ ଚାପି ମାରି ଦେବା ପରେ ନିଜେ ଗଛରେ ଝୁଲି ଆତ୍ମହତ୍ୟା କରିଥିଲେ। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଜୌହରରେ ଥିବା ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲେ ସେଠାରୁ ଦିଲିପ ଉଭୟଙ୍କ ଶବ ଆଣିଥିଲେ।

ଘର ଭିତରେ ଚାଳକୁ ସୁରକ୍ଷା ଦେଉଥିବା ଏକମାତ୍ର କାଠ ରୁଅରେ ଏବେ ମଙ୍ଗଲ ଓ ରୋଶନୀଙ୍କ ଛୋଟିଆ ଫଟୋଟିଏ ଝୁଲୁଥିଲା। ପବନ ଧୀର ହୋଇଯାଇଥିବା କାରଣରୁ ମାଟିର ସୁଗନ୍ଧ ହଜିଯାଇଥିଲା, ଯାହାକି ସାଧାରଣତଃ ମୌସୁମୀ ଋତୁରେ ଘଟିଥାଏ। କିଛି ପାଣି ଘର ଭିତରେ ତଳକୁ ପଡ଼ୁଥିବା ବେଳେ ଆଉ କିଛି ଚାଳ ଉପର ଦେଇ କୁଡ଼ିଆ ବାହାରକୁ ଖସିଯାଉଥିଲା।

ଦିଲିପ କୁହନ୍ତି, “ଆମର ଚାଷ ଜମି ନାହିଁ, ଆମେ [ଦିନ ମଜୁରି]ରୁ ଯାହା ରୋଜଗାର କରିଥାଉ, ଯାହାକି ଲକଡାଉନ କାରଣରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା। ଆମ ପାଖରେ ରାସନ ଥିଲା, କିନ୍ତୁ ଘରେ ଟଙ୍କା ନଥିଲା। ଗତ ୧୫ ଦିନରୁ ଅଧିକ ସମୟ ଧରି, ମୋତେ ଚାଷ ଜମିରେ ମଝିରେ ମଝିରେ କାମ ମିଳୁଥିଲା, କିନ୍ତୁ ଏହା ଚଳିବା ପାଇଁ ଯଥେଷ୍ଟ ହେଉନଥିଲା। ଏପରି ପରିସ୍ଥିତିକୁ ନେଇ ସେ ଭାରି ଚିନ୍ତାରେ ରହୁଥିଲା।”

ମହାରାଷ୍ଟ୍ରର ଗରିବ ଆଦିବାସୀ ସମୁଦାୟଙ୍କ ମଧ୍ୟରେ କାତକରୀ ଜନଜାତି ସବୁଠୁ ବଞ୍ଚିତ ବର୍ଗ ଭାବେ ରହିଆସିଛନ୍ତି। ରାଜ୍ୟରେ ୪୭ଟି ଅନୁସୂଚିତ ଜନଜାତି ସମୁଦାୟ ବସବାସ କରିଥାନ୍ତି। ଏମାନଙ୍କ ମଧ୍ୟରେ କାତକରୀଙ୍କ ସମେତ ତିନୋଟି ଜନଜାତି ସମୁଦାୟକୁ ବିଶେଷ ଦୁର୍ବଳ ଜନଜାତି ସମୁଦାୟ (ପିଭିଟିଜିଏସ) ମାନ୍ୟତା ମିଳିଛି।

ବ୍ରିଟିଶ ଅମଳରୁ କାତକରୀମାନେ ବଞ୍ଚିତ ସମୁଦାୟ ଭାବେ ରହିଆସିଛନ୍ତି। ବ୍ରିଟିଶ ସରକାର ଏମାନଙ୍କୁ ଅପରାଧୀ ଜନଜାତି ଆଇନ, ୧୮୭୧ରେ ଅନ୍ତର୍ଭୂକ୍ତ କରିଦେଇଥିଲେ। ବିଦେଶୀ ସରକାର ଏମାନଙ୍କ ସମେତ ଭାରତର ୨୦୦ଟି ଆଦିବାସୀ ସମୁଦାୟକୁ ଜନ୍ମଗତ ଅପରାଧୀ ଭାବେ ଘୋଷଣା କରିଥିଲେ। ଏହା ସେମାନଙ୍କ ଗତିବିଧିକୁ ନିଷିଦ୍ଧ କରିଥିଲା, ସେମାନଙ୍କୁ କାମ ମିଳିଲା ନାହିଁ, ଏବଂ ସେମାନେ ଅସରନ୍ତି ଉତ୍ପୀଡ଼ନ ଓ ଭେଦଭାବର ଶିକାର ହେଲେ। ସ୍ୱାଧୀନତା ପରେ ଏହି ଆଇନକୁ ଉଚ୍ଛେଦ କରାଗଲା ଏବଂ  ‘ଅପରାଧୀ ଜନଜାତି’ ତାଲିକାକୁ ୧୯୫୨ରେ ବିଜ୍ଞପ୍ତି ଜରିଆରେ ହଟାଇ ଦିଆଗଲା। ଫଳରେ କାତକରୀ ଏବଂ ଅନ୍ୟ ଜନଜାତିଗୁଡ଼ିକର ନିରପରାଧୀକରଣ ହେଲା। କିନ୍ତୁ ସେମାନଙ୍କ ପ୍ରତି ହେଉଥିବା ଭେଦଭାବ ଦୂର ହେଲା ନାହିଁ।

କାତକରୀମାନେ ମୁଖ୍ୟତଃ ବନବାସୀ ଓ ଭୂମିହୀନ। ସେମାନେ ସାଧାରଣ ମଜୁରି ଉପରେ ନିର୍ଭର କରିଥାନ୍ତି। କାଦବ୍ୟାଚ୍ଛିମାଲିର କାହାଣୀ ମଧ୍ୟ ସମାନ।  ୱାଘଙ୍କ ପଡ଼ୋଶୀ ଦୀପକ ଭୋଏର କୁହନ୍ତି, “ଏଠାକାର ବାସିନ୍ଦାମାନେ ଏକ ଚିରସ୍ଥାୟୀ ଅନିଶ୍ଚିତତା ମଧ୍ୟ ଦେଇ ଗତି କରିଥାନ୍ତି। ପ୍ରବାସ କରିବା ବ୍ୟତୀତ ଲୋକମାନଙ୍କ ନିକଟରେ ଆଉ କିଛି ଚାରା ନାହିଁ। ମୌସୁମୀ ଋତୁରେ ଲୋକମାନଙ୍କ ଚାଷ ଜମିରେ ଅଳ୍ପ କିଛି କିଛି କାମ ମିଳିଥାଏ। ମୌସୁମୀ ଚାଲିଗଲେ, ଏଠାକାର ସବୁଘରେ ତାଲା ପଡ଼ିଯାଇଥାଏ।”

The lane to Dilip's house (left) in Kadvyachimali hamlet (right), with houses whose residents migrate for work every year
PHOTO • Parth M.N.
The lane to Dilip's house (left) in Kadvyachimali hamlet (right), with houses whose residents migrate for work every year
PHOTO • Parth M.N.

କାଦବ୍ୟାଛିମାଲି ପଡ଼ା (ଡାହାଣ)ରେ ଦିଲିପଙ୍କ ଘରକୁ ଯାଇଥିବା ଗଳି(ବାମ), ଏଠାରେ ଥିବା ଅଧିକାଂଶ ଘରର ବାସିନ୍ଦାମାନେ ପ୍ରତିବର୍ଷ ପ୍ରବାସୀ ଶ୍ରମିକ ଭାବେ କାମ କରିବା ଲାଗି ବାହାରକୁ ଯାଇଥାନ୍ତି।

ଦୀପକ, ଗାଁଠାରୁ ୩୫ କିମି ଦୂର ଜୌହର ସହରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିବା ଲାଗି ପ୍ରବାସ କରିଥିବାରୁ ଗାଁରେ ଅନ୍ୟମାନଙ୍କ ଠାରୁ ସେ ଅପେକ୍ଷାକୃତ ଭଲରେ ଚଳିଥାନ୍ତି। “ଅଧିକାଂଶ ଲୋକ ଇଟାଭାଟି କିମ୍ବା ନିର୍ମାଣ କ୍ଷେତ୍ରରେ କାମ କରିବା ଲାଗି ପ୍ରବାସ କରିଥାନ୍ତି”, ବୋଲି ସେ କୁହନ୍ତି। “କେବଳ ବଞ୍ଚିବା କଥା-ନିଜେ ଓ ନିଜ ପରିବାର ଯେପରି ଗୋଟିଏ ଦିନ ଉପବାସ ନରୁହନ୍ତି ତାହା ସୁନିଶ୍ଚିତ କରିବାକୁ ହୋଇଥାଏ। ଶ୍ରମିକଙ୍କ ପାଇଁ ରୋଜଗାର ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି। କାରଣ ସମାନ କାମ କରିବା ଲାଗି ବହୁସଂଖ୍ୟକ ଲୋକ ଆସୁଛନ୍ତି। ତେଣୁ ମାଲିକ ଯାହା କହୁଛନ୍ତି ତାହା କରିବାକୁ ହୋଇଥାଏ ଏବଂ ଯେତିକି ଟଙ୍କା ଦେଉଛନ୍ତି ନେବାକୁ ହୋଇଥାଏ। ଅନ୍ୟଥା ଚାକିରି ଚାଲିଯାଇପାରେ।”

ଲକଡାଉନ କାରଣରୁ ଏବେ ଘରେ ବସିଥିବା ଦୀପକ ଦେଖୁଛନ୍ତି, ପ୍ରତ୍ୟେକ ଗ୍ରାମବାସୀ ସମାନ ନୌକାର ଅଭିଯାତ୍ରୀ ପାଲଟିଛନ୍ତି। “ମଙ୍ଗଲ ଆତ୍ମହତ୍ୟା କଲେ, କିନ୍ତୁ ଗାଁଟା ସାରା ଲୋକ ସମାନ ପରିସ୍ଥିତି ଦେଇ ଗତି କରୁଛନ୍ତି,” ସେ କୁହନ୍ତି। “କାମରେ ଅନିଶ୍ଚିତତାକୁ ନେଇ ପ୍ରତ୍ୟେକ ଲୋକ ଚାପ ଓ ଅବସାଦ ମଧ୍ୟରେ ରହିଛନ୍ତି। ପ୍ରତ୍ୟେକ ବର୍ଷ, ଏହି ତାଲୁକାରେ ସମାନ ଘଟଣା ଘଟୁଛି। ଚଳିତ ବର୍ଷ, ଲକଡାଉନ ସେମାନଙ୍କ ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି।”

ଦିଲିପ ୱାଘ କହିଥିଲେ, “ଉତ୍କଟ ଦାରିଦ୍ର୍ୟ ଏବଂ ଅନିଶ୍ଚିତ ଭବିଷ୍ୟତ ବୋଧେ ମଙ୍ଗଲଙ୍କୁ ଏପରି କରିବାକୁ ବାଧ୍ୟ କରିଥିଲା। ସେ ବୋଧେ ଭାବିଥିଲେ ପୋଷିବାକୁ ଆଉ ଦୁଇଟି ପେଟ କମିଯିବ। ନନ୍ଦିନୀ ସେମାନଙ୍କ ଫଟୋକୁ ଦେଖି କାନ୍ଦିବାରେ ଲାଗିଛି।” 

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ବିଧାୟକ ଏବଂ ରାଜ୍ୟରେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାର ସମୀକ୍ଷା ପାଇଁ ଗଠିତ ସମିତିର ଅଧ୍ୟକ୍ଷ ବିବେକ ପଣ୍ଡିତ ଆତ୍ମହତ୍ୟା ଘଟଣା ପରେ ପରିବାର ଲୋକମାନଙ୍କୁ ଭେଟିବା ଲାଗି ଯାଇଥିଲେ। “ଦାରିଦ୍ର୍ୟ ଏବଂ ଅବସାଦ କାରଣରୁ ଏହି ଘଟଣା ଘଟିଥିବା ପ୍ରମାଣ କରିବା ଲାଗି ଅଧିକାରୀମାନେ ସବୁମତେ ଚେଷ୍ଟା କରୁଛନ୍ତି” ବୋଲି ସେ କହିଥିଲେ।

“ସରକାର ଯଦି ପରିସ୍ଥିତିକୁ ଗୁରୁତର ଭାବେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତା’ହେଲେ ଏପରି ପରିସ୍ଥିତି ଦେଖାଦେବା ନିଶ୍ଚିତ ବୋଲି ମୁଁ ମାର୍ଚ୍ଚରେ ହିଁ ଚେତାବନୀ ଦେଇଥିଲି। ସେ (ମଙ୍ଗଲ) ଦାରିଦ୍ର୍ୟର ଶିକାର ହେଲେ।”

ବର୍ଷା ଜଳ ବୁନ୍ଦାରେ ଚମକୁ ଥିବା ସବୁଜ କ୍ଷେତ ଘେରି ରହିଥିବା କାଦବ୍ୟାଛିମାଲି ପଡ଼ାର ୭୦ପରିବାରରେ କାହା ପାଖରେ ମଧ୍ୟ ଖଣ୍ଡିଏ ଚାଷ ଜମି ନାହିଁ। 

Dilip and his family used to work at a brick kiln in Bhiwandi for six months every year; now, only his daughter Nandini remains
PHOTO • Parth M.N.
Dilip and his family used to work at a brick kiln in Bhiwandi for six months every year; now, only his daughter Nandini remains
PHOTO • Parth M.N.

ଦିଲିପ ଓ ତାଙ୍କର ପରିବାର ପ୍ରତିବର୍ଷ ୬ ମାସ ପାଇଁ ଭିୱାଣ୍ଡିରେ ଥିବା ଇଟାଭାଟିରେ କାମ କରିଥାନ୍ତି; ଏବେ ତାଙ୍କ ପରିବାରରେ କେବଳ ନନ୍ଦିନୀ ରହିବେ

ପ୍ରତିବର୍ଷ ଦିଲିପ ୱାଘ ପରିବାର ସହିତ ନିଜ ପଡ଼ାଠାରୁ ୧୦୦ କିମି ଦୂର ଭିୱାଣ୍ଡିରେ ପ୍ରତିବର୍ଷ ଛଅ ମାସ ପାଇଁ ଇଟାଭାଟିରେ କାମ କରିବାକୁ ଯାଇଥାନ୍ତି। “ଦିପାବଳୀ ପରେ ପାଖାପାଖି ନଭେମ୍ବର ଆଡ଼କୁ ଆମେ ଘର ଛାଡ଼ି ଦେଇଥାଉ,” ସେ କହିଥିଲେ। “ଆମେ ଫେରିବା ପରେ ମୁଁ ଓ ମୋ ସ୍ତ୍ରୀ ଜୌହର ସହରରେ ଏବଂ ଆଖପାଖ ଗାଁରେ ଛୋଟମୋଟ କାମ ଖୋଜିଥାଉ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୪ ତାରିଖରେ ଯେତେବେଳେ ସାରା ଦେଶରେ ଲକଡାଉନ ଘୋଷଣା କଲେ, ଦିଲିପ, ମଙ୍ଗଲ ଓ ସେମାନଙ୍କ ଦୁଇ ଭଉଣୀ ଇଟାଭାଟିରେ କାମ କରୁଥିଲେ। “ତୁରନ୍ତ କାମ ବନ୍ଦ ହୋଇଗଲା ଏବଂ ଆମେ ସେଠାରେ ଏକ ମାସ ପର୍ଯ୍ୟନ୍ତ ରହିଲୁ,” ସେ କହିଥିଲେ। “ମେ ପ୍ରଥମ ସପ୍ତାହରେ ଆମେ ଘରକୁ ଫେରିଲୁ। ଆମେ କିଛି ଘଣ୍ଟା ପର୍ଯ୍ୟନ୍ତ ଚାଲିବା ପରେ ରାସ୍ତାରେ ଗୋଟିଏ ଅଟୋ ପାଇଲୁ। ଡ୍ରାଇଭରକୁ ୨୦୦୦ ଟଙ୍କା ଦେଇ ଘରକୁ ଫେରିଲୁ।”

କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଲକଡାଉନ ଲାଗୁ ହୋଇଥିଲା। କିନ୍ତୁ କ୍ଷୁଧାର ସୀମାରେ ଥିବା ଦିଲିପ ଓ ମଙ୍ଗଲଙ୍କ ଭଳି ଅଗଣିତ ଶ୍ରମିକମାନଙ୍କ ପରିସ୍ଥିତିକୁ ଏହା ଅତ୍ୟନ୍ତ ସଙ୍ଗୀନ କରି ଦେଇଥିଲା।

ଏହି ସଙ୍କଟ ସମୟରେ ଶ୍ରମିକ ଠିକାଦାରମାନେ ସେମାନଙ୍କ ଶ୍ରମିକମାନଙ୍କୁ ବାହାର କରି ଦେଇଥିଲେ। ଇଟାଭାଟିରେ ଛଅ ମାସ ପର୍ଯ୍ୟନ୍ତ ଅକ୍ଳାନ୍ତ ପରିଶ୍ରମ କରୁଥିଲେ ମଧ୍ୟ ଦିଲିପ ଓ ମଙ୍ଗଳଙ୍କୁ କେବେହେଲେ ସେମାନଙ୍କର ସମ୍ପୂର୍ଣ୍ଣ ପାଉଣା ମିଳୁନଥିଲା।

କାମ ଶେଷରେ ଇଟାଭାଟି ମାଲିକ ସେମାନଙ୍କୁ ୧୮୦୦୦ ଟଙ୍କା ପାରିଶ୍ରମିକ ଦେବା କଥା। ଇଟା ପୋଡ଼ା ଋତୁ ଆରମ୍ଭରୁ ସେମାନଙ୍କୁ ଅଗ୍ରୀମ ଆକାରରେ ୭୦୦୦ ଟଙ୍କା ଦେଇଥିବାରୁ ମାଲିକ ସେତିକି ଟଙ୍କା କାଟି ବାକି ଟଙ୍କା ଦେବାର ଥିଲା। କିନ୍ତୁ ସେ ପୁଣି ୬୦୦୦ ଟଙ୍କା କାଟି ଦେଲେ। ଦିଲିପ କୁହନ୍ତି, “ଆମେ ସେହି ଟଙ୍କା (ଅବଶିଷ୍ଟ ୧୨,୦୦୦ ଟଙ୍କା)କୁ ଲକଡାଉନ ସମୟରେ ବଞ୍ଚିବା ଲାଗି ବିନିଯୋଗ କଲୁ। ଏବେ ଧୀରେ ଧୀରେ ସବୁକିଛି ଖୋଲୁଥିଲେ ମଧ୍ୟ ଆମକୁ ସେତେ କାମ ମିଳୁନାହିଁ। ଯାହା ମୋ ପତ୍ନୀଙ୍କୁ ଚିନ୍ତାରେ ପକାଉଥିଲା।”

ଦିଲିପ କହିଥିଲେ, ଏହି ଦୁଃଖଦ ଘଟଣା ଘଟିବା ପରେ ଇଟା ଭାଟି ମାଲିକ ଅବଶିଷ୍ଟ ୬୦୦୦ ଟଙ୍କା ଦେଇଥିଲେ। “ଯଦି ଏହା ସେ କିଛିଦିନ ଆଗରୁ ଦେଇଥାନ୍ତେ ମୁଁ ସେହି ଟଙ୍କାକୁ ମଙ୍ଗଲ ଓ ରୋଶନିଙ୍କ ଅନ୍ତିମ ସଂସ୍କାରରେ ବିନିଯୋଗ କରିପାରିଥାନ୍ତି। ସେମାନଙ୍କୁ ସମ୍ମାନପୂର୍ଣ୍ଣ ଅନ୍ତିମ ବିଦାୟ ଜଣାଇବା ଲାଗି ମୋତେ ଋଣ ଆଣିବାକୁ ପଡ଼ିଲା’’।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.