“ପୋଲିସ ଆମକୁ ଘର ଭିତରେ ରହିବାକୁ କହିଥିଲା । ତେଜରାତି କି ଆଉ କିଛି ଅତ୍ୟାବଶ୍ୟକ ଜିନିଷ ପାଇଁ ଯେତେବେଳେ ବି ଘରୁ ବାହାରକୁ ଗୋଡ଼ କାଢ଼ିଲୁ, ପୋଲିସ ଆମକୁ ମାଡ଼ ମାରି ଆମ ବସାଘରକୁ ପଠାଇ ଦେଉଥିଲା । ଏମିତି କି ରାତିରେ ପରିସ୍ରା କରିବାକୁ ବାହାରିଲା ବେଳକୁ ବି ସେମାନେ ସେଠାରେ ଥିଲେ, ଆମ ଉପରେ ଝାମ୍ପି ପଡ଼ିବାକୁ ଅପେକ୍ଷା କରିଥିଲେ ।” ମୁମ୍ବାଇରେ କୋଭିଡ୍‌-୧୯ କାରଣରୁ ଜାରି ଲକ୍‌ଡାଉନ୍‌ର ପ୍ରଥମ କେଇ ଦିନର କଥା ମନେ ପକାଇ ଏହା କହନ୍ତି ଡୋଲାରାମ ।

ମାର୍ଚ୍ଚ ୨୫ ତାରିଖ ସକାଳେ ଲକ୍‌ଡାଉନ୍‌ ସଂପର୍କରେ ଶୁଣିବା ପରେ ଡୋଲାରାମ ଓ ତାଙ୍କ ସାଥୀ ଶ୍ରମିକମାନେ ମଲାଡ଼ସ୍ଥିତ କାର୍ଯ୍ୟସ୍ଥଳରୁ ବୋରିଭାଲିରେ ଥିବା ସେମାନଙ୍କ ବସାଘରକୁ ଫେରି ଆସିଥିଲେ । ଛଅ ଦିନ ପାଇଁ ସେମାନେ ସେଇ ସଂକୀର୍ଣ୍ଣ କୋଠରିରେ ରହିଲେ, ଯେଉଁ କୋଠରିରେ ଜଣ ପିଛା ମାସକୁ ୧,୦୦୦ ଟଙ୍କା ଭଡ଼ା ଦେଇ ସେମାନେ ୧୫ ଜଣ ରହୁଥିଲେ । ଆଶା କରୁଥିଲେ, ଖୁବ୍‌ ଶୀଘ୍ର ସ୍ଥିତି ବଦଳିଯିବ । ଦେଖୁ ଦେଖୁ ସେମାନଙ୍କର ଖାଦ୍ୟ ସରିଯିବାରେ ଲାଗିଲା । ତେଣୁ ୩୭ ବର୍ଷୀୟ ଡୋଲାରାମ ଏବଂ ଅନ୍ୟମାନେ ରାଜସ୍ଥାନର ବିଭିନ୍ନ ଗାଁରେ ଥିବା ନିଜ ନିଜ ଘରକୁ ଫେରିଯିବାକୁ ସ୍ଥିର କଲେ ।

ଫୋନ୍‌ରେ ଆମ ସହ କଥାବାର୍ତ୍ତା କରି ଡୋଲାରାମ କହନ୍ତି, “ମୁମ୍ବାଇରେ କିଛି କାମ ନଥିଲା । ହୋଲି ପରେ ଆମେ (ଆମ ଗାଁରୁ) ଫେରି ଆସିଥିବାରୁ ଆମ ପାଖରେବେଶୀ ଟଙ୍କା ବି ନଥିଲା । ତେଣୁ ମୁମ୍ବାଇ ସହରରେ ରହିବାର କିଛି କାରଣ ନଥିଲା ।”ସହର ଛାଡ଼ିବା ପୂର୍ବରୁ ତାଙ୍କ ପାଞ୍ଚ ବର୍ଷର ପୁଅ ରୋଗରେ ପଡ଼ିଛି ବୋଲି ସେ ଖବର ପାଇଥିଲେ । ତାଙ୍କ ସ୍ତ୍ରୀ, ସୁନ୍ଦର, ଏବଂ ଅନ୍ୟ ସଂପର୍କୀୟମାନେ ପିଲାଟିକୁ ହାସପାତାଳ ନେଇଥିଲେ, ତା’ପରେ ଭୋପା ବା ସ୍ଥାନୀୟ ପାରମ୍ପରିକ ଚିକିତ୍ସକଙ୍କ ପାଖକୁ ନେଇଥିଲେ, କିନ୍ତୁ ତା’ର ଅବସ୍ଥା ସୁଧୁରି ନଥିଲା ।

ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଥିବା ତାଙ୍କ ଗାଁ ବରୋଲିୟାରେ ହୋଲି ପର୍ବ (ମାର୍ଚ୍ଚ ୯-୧୦) ପାଳନର କିଛି ଦିନ ପରେ ଡୋଲାରାମ ମୁମ୍ବାଇକୁ ଫେରିଥିଲେ । ଜୀବିକା ଅର୍ଜନ ପାଇଁ ସେ ବର୍ଷକରେ ୮-୯ ମାସ ତାଙ୍କ ଗାଁଠାରୁ ଦୂରରେ, ସାଲୁମ୍ବର ବ୍ଲକ୍‌ରେ ରହନ୍ତି । ରାଜସ୍ଥାନର ବିଭିନ୍ନ ସହରକୁ କିମ୍ବା ସୁଦୂର ଗୋଆ, ପୁଣେ ଏବଂ ଗୁଜରାଟକୁ ଯାଇ ଗତ ୧୫ ବର୍ଷ ହେଲା ସେ ବିଭିନ୍ନ ନିର୍ମାଣ ସ୍ଥଳରେ ରାଜମିସ୍ତ୍ରୀ ରୂପେ କାମ କରିଆସୁଛନ୍ତି । ଦୁଇ ବର୍ଷ ହେଲା ସେ ମୁମ୍ବାଇକୁ ଆସୁଛନ୍ତି । ଏବେ ନିକଟରେ ସେ ମାର୍ବଲ୍‌ ପାଲିସ କାମ କରି ମାସକୁ ୧୨,୦୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ସେଥିରୁ ୭,୦୦୦-୮,୦୦୦ ଟଙ୍କା ଘରକୁ ପଠାଉଥିଲେ । ବର୍ଷକୁ ଦୁଇ ଥର, ହୋଲି ସମୟରେ ଏବଂ ଅକ୍‌ଟୋବର-ନଭେମ୍ବର ମାସରେ, ସେ ଘରକୁ ଯାଆନ୍ତି ଏବଂ ପ୍ରତି ଥର୧୫ରୁ ୩୦ ଦିନ ଯାଏ ରହନ୍ତି ।

ନିକଟରେ ମୁମ୍ବାଇରୁ ବରୋଲିୟା ଗାଁ ଯାଏ ତାଙ୍କର ଯାତ୍ରା, କେବଳ ଯେଭିନ୍ନ ସମୟର ଥିଲା ତାହା ନୁହେଁ, ବରଂ କଷ୍ଟକର ମଧ୍ୟ ଥିଲା। ଲକ୍‌ଡାଉନ୍‌ ଆରମ୍ଭ ହେବାର ଛଅ ଦିନ ପରେ ମାର୍ଚ୍ଚ ୩୧ ତାରିଖ ଦିନ ସେ ଓ ଅନ୍ୟମାନେ ମୁମ୍ବାଇରୁ ବାହାରିଲେ । ସେ କହନ୍ତି, “ରାଜସ୍ଥାନରେ ଆମ ଗାଁକୁ ଯିବା ପାଇଁ ଆମେ ଉଣେଇଶ ଜଣ ୨୦,୦୦୦ ଟଙ୍କାରେ ଗୋଟିଏ ଟ୍ୟାକ୍‌ସି ଭଡ଼ାରେ ନେଲୁ । କିନ୍ତୁ, ପୋଲିସ ଆମକୁ ମହାରାଷ୍ଟ୍ର ସୀମାରୁ ଫେରାଇ ଦେଲା ଏବଂ ମୁମ୍ବାଇରେ ବନ୍ଦ କରି ରଖିଦେଲା ।”

Young men wait for contractors at the labour naka in Udaipur. At least one male from most of the families in the district migrates for work (file photos)
PHOTO • Manish Shukla
Young men wait for contractors at the labour naka in Udaipur. At least one male from most of the families in the district migrates for work (file photos)
PHOTO • Jyoti Patil

ଉଦୟପୁରର ଶ୍ରମିକ ନାକା ନିକଟରେ ଯୁବକମାନେ ଠିକାଦାରଙ୍କୁ ଅପେକ୍ଷା କରନ୍ତି । ଜିଲ୍ଲାର ଅଧିକାଂଶ ଘରୁ ଅନ୍ତତଃ ଜଣେ ପୁରୁଷ ଲୋକ କାମ ପାଇଁ ବାହାରକୁ ଯାଆନ୍ତି (ଫାଇଲ୍‌ ଫଟୋ)

ଏଥିରେ ବିଚଳିତ ନହୋଇ, ସେମାନେ ପୁଣି ଏପ୍ରିଲ ୧ ତାରିଖ ସକାଳ ୫ଟାରେ ମୁମ୍ବାଇରୁ ବାହାରିଲେ । ଏଥର ସେମାନେ ଦୁଇ ଦୁଇ ଜଣ ହୋଇ ପାଦରେ ଚାଲି ମହାରାଷ୍ଟ୍ର-ଗୁଜରାଟ ସୀମା ଯାଏ ଆଗେଇବାରେ ଲାଗିଲେ । ସାଙ୍ଗରେ ସେମାନେ ଶୁଖିଲା ଚପାତି ନେଇଥିଲେ, ଯାହା କି ଦିନକରୁ କମ୍‌ ସମୟ ଭିତରେ ସରିଗଲା । ପରଦିନ ସେମାନେ ଯେତେବେଳେ ସୁରତରେ ପହଞ୍ଚିଲେ ସେଠାକାର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା । ଘରକୁ ଫେରିଯିବା ଲାଗି ଅନୁମତି ଦାବିରେ ପ୍ରବାସୀ ଶ୍ରମିକମାନେ ଆନ୍ଦୋଳନ କରୁଥିଲେ । ସେ କହନ୍ତି, ସୁରତର ପୋଲିସମାନେ ସାହାଯ୍ୟ କରିଥିଲେ, ସେମାନଙ୍କୁ ଚା’ ଓ ବିସ୍କୁଟ ଦେଇଥିଲେ । ଏମିତି କି ସେମାନଙ୍କୁ ଟ୍ରକ୍‌ରେ ବସାଇ ୩୮୦ କିଲୋମିଟର ଦୂର ରାଜସ୍ଥାନ ସୀମା ନିକଟ ବାଂଶୱାଡ଼ାକୁ ପଠାଇବାର ବ୍ୟବସ୍ଥା କରିଦେଇଥିଲେ ।

ସୀମାବର୍ତ୍ତୀ ବାଂଶୱାଡ଼ାରେ ସେମାନଙ୍କ ଶରୀରରେ ଜ୍ଵର ଅଛି କି ନାହିଁ ଜାଣିବା ଲାଗି ସ୍ଥାନୀୟ ସରକାରୀ ଅଧିକାରୀମାନଙ୍କ ଦ୍ଵାରା ସେମାନଙ୍କର ସ୍କ୍ରିନିଂ କରାଗଲା ଏବଂ ଯିବାକୁ ଅନୁମତି ଦିଆଗଲା । ଡୋଲାରାମ କହନ୍ତି, “ଆମକୁ ସେଠାରେ ଗ୍ଲୁକୋଜ୍‌ ବିସ୍କୁଟ୍‌ ଦିଆଗଲା । ଆମେ କିଛି ଖାଇଲୁ, ଆଉ କିଛି ବାଟ ପାଇଁ ରଖିଲୁ ।” ସେଠାରୁ ସେ ୬୩ କିଲୋମିଟର ଦୂର ଅସ୍‌ପୁର ଯାଏଁ ଚାଲି ଚାଲି ଗଲେ ଏବଂ ରାତିରେ ଏକ ଧର୍ମଶାଳାରେ ରହିଲେ । ତା’ପରେ ସେ ପରିବା ନେଉଥିବା ଏକ ପିକ୍‌-ଅପ୍‌ ଟ୍ରକ୍‌ରେ ସାଲୁମ୍ବର ଯାଏଁ ଗଲେ ଏବଂ ସେହି ୨୪ କିଲୋମିଟର ଯାତ୍ରା ପାଇଁ ଟ୍ରକ୍‌ବାଲା ତାଙ୍କଠାରୁ ପଇସା ନେଲେ ନାହିଁ । ଶେଷରେ, ଏପ୍ରିଲ ୫ ତାରିଖ ସନ୍ଧ୍ୟା ୭ଟାରେ, ସାଲୁମ୍ବରରୁ ୧୪ କିଲୋମିଟର ଦୂର ତାଙ୍କ ଗାଁ ବରୋଲିୟାରେ ସେ ପହଞ୍ଚିଲେ ।

ସେ ମନେ ପକାନ୍ତି ଯେ, ବାଂଶୱାଡ଼ାରେ କେତେକ ପୋଲିସ ତାଙ୍କୁ ଓ ତାଙ୍କ ସାଥୀମାନଙ୍କୁ ‘ରୋଗ ବାହକ’ (କରୋନା ଭାଇରସ୍‌ର) ବୋଲି କହିଥିଲେ । ସେ କହନ୍ତି, “ଆମର (ଜ୍ଵର ପାଇଁ) ପରୀକ୍ଷା ତ କରାଗଲା । ମୁଁ ବୁଝିପାରୁନି ଆମ ପ୍ରତି କାହିଁକି ସେମିତି ଭେଦଭାବ ପ୍ରଦର୍ଶନ କରାଯାଉଥିଲା ।”

ଘରେ ପହଞ୍ଚିବା ପରେ ଡୋଲାରାମଙ୍କ ଦୁଃଖ କଷ୍ଟର ଅବସାନ ଘଟି ନଥିଲା । ସେ ତାଙ୍କ ଅସୁସ୍ଥ ପୁଅକୁ ବରୋଲିୟାରୁ ୫-୬ କିଲୋମିଟର ଦୂର ମାଲପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ । ଏପ୍ରିଲ ୬ ତାରିଖ ଦିନ ତାଙ୍କ ସହ କଥାବାର୍ତ୍ତା କରିବା ବେଳେ ସେ ଆମକୁ କହିଲେ, “ମୋ ପୁଅକୁ ଭୀଷଣ ଜ୍ଵର ହେଉଥିଲା । ଗତକାଲି ମୁଁ ଓ ମୋ ସ୍ତ୍ରୀ ତାକୁ ହାସପାତାଳ ନେବା ବେଳେ ପୋଲିସ ଆମ ଉପରେ ଆକ୍ରମଣ ଆରମ୍ଭ କରିଦେଲା ଏବଂ ଫେରି ଯିବାକୁ କହିଲା । ଆମେ ହାସପାତାଳ ଯାଉଛୁ ବୋଲି କହିବା ପରେ ହିଁ ସେମାନେ ଆମକୁ ଯିବାକୁ ଦେଇଥିଲେ ।” ହାସପାତାଳରେ ବି ତାଙ୍କ ପୁଅ ବିଷୟରେ କେହି ପଚାରିଲେ ନାହିଁ । “ହାସପାତାଳରେ ସେତେବେଳେ ବହୁତ ଲୋକ ଥିଲେ । ଡାକ୍ତର ଆମ ପୁଅକୁ ଠିକ୍‌ ଭାବରେ ଚାହିଁଲେ ବି ନାହିଁ ଏବଂ ଆମକୁ ଫେରି ଯିବାକୁ କହିଲେ ।”

ତିନି ଦିନ ପରେ ପିଲାଟି ମରିଗଲା ଏବଂ ତା’ର ରୋଗ ସେମିତି ଅଚିହ୍ନା ହୋଇ ରହିଗଲା । ଭୀଷଣ ମାନସିକ ଆଘାତ ପାଇ କିଛି ଦିନ ଧରି କଥା କହିପାରି ନଥିବା ବାପା ଜଣକ ଏବେ ଆମକୁ କହନ୍ତି, “ଏଥିରେ କେହି କିଛି କରିପାରିଲେନି । ଏମିତି କି ଭୋପା ଓ ଡାକ୍ତରମାନେ ବି କିଛି କରିପାରିଲେନି । ଆମେ ତାକୁ ବଞ୍ଚାଇବା ପାଇଁ ଯାହା କିଛି ସମ୍ଭବ ,ସବୁ କଲୁ, କିନ୍ତୁ ପାରିଲୁ ନାହିଁ ।” ତାଙ୍କ ପରିବାର ଲୋକେ ବିଶ୍ଵାସ କରନ୍ତି ଯେ ପିଲାଟିକୁ କୌଣସି ଦୁଷ୍ଟାତ୍ମା ଗ୍ରାସ କରିଥିଲା ।

Many labourers from Udaipur district, who migrate to different parts of the country, are stranded because of the lockdown (file photo)
PHOTO • Manish Shukla

ଲକ୍‌ଡାଉନ୍‌ କାରଣରୁ ଉଦୟପୁର ଜିଲ୍ଲାରୁ ଦେଶର ବିଭିନ୍ନ ଭାଗକୁ କାମ କରିବା ଲାଗି ଯାଇଥିବା ବହୁ ଶ୍ରମିକ ଏବେ ଫସି ରହିଛନ୍ତି (ଫାଇଲ ଫଟୋ)

ବରୋଲିୟା ଗାଁର ଲୋକସଂଖ୍ୟା ୧,୧୪୯ ଏବଂ ପ୍ରାୟ ସମସ୍ତେ ମୀନା (ମିନା ମଧ୍ୟ ଲେଖାଯାଏ) ସଂପ୍ରଦାୟର, ଯାହାକି ଏକ ଅଧିସୂଚିତ ଜନଜାତି । ଗାଁର ମୋଟ ଜନସଂଖ୍ୟାର ୯୯.୫୬ ପ୍ରତିଶତ ଏହି ସଂପ୍ରଦାୟର । ଡୋଲାରାମଙ୍କ ଭଳି, ଅନ୍ୟ ରାଜ୍ୟରେ ଶ୍ରମିକ ରୂପେ କାମ କରିବାକୁ ଯାଉଥିବା ପୁରୁଷଙ୍କ ପାଖରୁ ହିଁ ଗାଁର ସମୁଦାୟ ଆୟର ବଡ଼ ଭାଗ ଆସିଥାଏ । ରାଜସ୍ଥାନର ପ୍ରବାସୀ ଶ୍ରମିକଙ୍କ ସହିତ କାର୍ଯ୍ୟରତ ଆଜୀବିକା ବ୍ୟୁରୋ ନାମକ ଏକ ସଂଗଠନ ପକ୍ଷରୁ ନିକଟରେ ସାଲୁମ୍ବର ବ୍ଲକ୍‌ରେ କରାଯାଇଥିବା ଅନୁଧ୍ୟାନରୁ ଜଣାଯାଏ ଯେ, ଗାଁର ୭୦ ପ୍ରତିଶତ ପରିବାରରୁ ଅନ୍ତତଃ ଜଣେ ଲେଖାଏଁ ପୁରୁଷ ବାହାର ରାଜ୍ୟକୁ କାମ କରିବାକୁ ଯାଆନ୍ତି । ସେମାନେ ପଠାଉଥିବା ଅର୍ଥ ଏହି ସବୁ ପରିବାରର ମୋଟ ଆୟର ୬୦ ପ୍ରତିଶତ ହୋଇଥାଏ । ସାଧାରଣତଃ, ମହିଳା ଓ ଯୁବତୀମାନେ ସାଲୁମ୍ବରର ବିଭିନ୍ନ ସ୍ଥାନୀୟ ନିର୍ମାଣ ସ୍ଥଳୀରେ କାମ କରନ୍ତି ।

ଲକ୍‌ଡାଉନ୍‌ ଯୋଗୁଁ ସାରା ଦେଶର ସବୁ ରାଜ୍ୟ ନିଜ ନିଜର ସୀମା ସିଲ୍‌ କରିଦେବାରୁ ଏବଂ ଅନ୍ତଃ-ରାଜ୍ୟ ଗମନାଗମନ ବାତିଲ କରିଦେବାରୁ ରାଜସ୍ଥାନର ହଜାର ହଜାର  ପ୍ରବାସୀ ଶ୍ରମିକ ବିଭିନ୍ନ ସ୍ଥାନରେ ଅଟକି ରହିଗଲେ । ମାର୍ଚ୍ଚ ୨୫ ତାରିଖରେ ପ୍ରକାଶିତ ଇକୋନୋମିକ୍‌ ଟାଇମ୍‌ସର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଅହମ୍ମଦାବାଦରେ ରହୁଥିବା ରାଜସ୍ଥାନର ୫୦,୦୦୦ରୁ ଅଧିକ ଶ୍ରମିକ ନିଜ ନିଜ ଘରକୁ ଫେରିବା ପାଇଁ ପାଦରେ ଚାଲିବା ଆରମ୍ଭ କରିଦେଇଛନ୍ତି ।

ସେମାନଙ୍କ ମଧ୍ୟରେ ୧୪ ବର୍ଷର ମୁକେଶ (ପରିବର୍ତ୍ତିତ ନାମ) ବି ଥିଲା, ଯିଏ କି ଲକ୍‌ଡାଉନ୍‌ ଯୋଗୁଁ ବରୋଲିୟାକୁ ଫେରିଆସିଥିଲା । ଅହମ୍ମଦାବାଦର ଏକ ଭୋଜନାଳୟରେ ସେ କାମ କରୁଥିଲା ଏବଂ ଚପାତି  ତିଆରି କରି ମାସକୁ ୮,୦୦୦ ଟଙ୍କା ରୋଜଗାର କରୁଥିଲା । ମୁକେଶ ହିଁ ତାଙ୍କ ପରିବାରର ମୁଖ୍ୟ ରୋଜଗାରିଆ ସଦସ୍ୟ । ତା’ର ବିଧବା ମାଆ ରାମଲି (ପରିବର୍ତ୍ତିତ ନାମ) ଯକ୍ଷ୍ମା ରୋଗରେ ପୀଡ଼ିତା । ସେ ବିଭିନ୍ନ ସ୍ଥାନୀୟ ନିର୍ମାଣ ସ୍ଥଳୀରେ ଦିନ ମଜୁରି ଭିତ୍ତିରେ କାମ କରନ୍ତି, କିନ୍ତୁ ଦୀର୍ଘ ସମୟ ଧରି ପରିଶ୍ରମ କରିବାକୁ ସକ୍ଷମ ନୁହଁନ୍ତି । ମୁକେଶର ଚାରି ଭାଇଭଉଣୀ ଅଛନ୍ତି । ସେ କହେ, “ମୁଁ ଜାଣିଛି ମୋର ବୟସ ହୋଇନାହିଁ (ନାବାଳକ), କିନ୍ତୁ ମୋତେ କାମ କରିବାକୁ ହିଁ ପଡ଼ିବ । ଆଉ କିଛି ଉପାୟ ନାହିଁ ।”

“ଆମ ପାଖରେ ପଇସା ନାହିଁ କି କାମ ନାହିଁ । ଆମେ ଆଉ କ’ଣ ବା କରିବୁ?” ମୀନା ଜନଜାତି ସଂପ୍ରଦାୟର ୪୦ବର୍ଷୀୟା ରାମଲି ପଚାରନ୍ତି । ଆମ ସହ ଫୋନ୍‌ରେ କଥା ହେବା ସମୟରେ ସେ କହନ୍ତି, “ଆମର ଛୋଟ ଛୋଟ ପିଲାମାନଙ୍କୁ ଖୁଆଇବା ପାଇଁ ଏବଂ ଋଣ ଶୁଝିବା ପାଇଁ ଆମକୁ ଏବେ ମଧ୍ୟ କାମ କରି କିଛି ପଇସା ରୋଜଗାର କରିବାକୁ ପଡ଼ିବ । ସରକାର ଆମକୁ କିଛି ହେଲେ ଦେବାକୁ ଯାଉନାହାନ୍ତି ।”

ଲକ୍‌ଡାଉନ୍‌ ସମୟରେ କୌଣସି ନିର୍ମାଣ କାମ ହେଉ ନଥିବାରୁ, ନିକଟବର୍ତ୍ତୀ ଏକ ପଲ୍ଲୀ ଗାଁର ଚାଷଜମିରେ କାମ କରିବାକୁ ରାମଲି ବାଧ୍ୟ ହେଲେ । କିନ୍ତୁ ଔଷଧପତ୍ର ସରିଯିବାରୁ ଏବଂ ଅସୁସ୍ଥ ହୋଇପଡ଼ିବାରୁ ୨-୩ ଦିନ ପରେ ସେ କାମକୁ ଯିବା ବନ୍ଦ କରିଦେଲେ। ସେ କହନ୍ତି ଯେ, ‘ସବୁଠୁ ଅଧିକ ଦୁର୍ବଳ ପରିବାର’ ଲୋକଙ୍କୁ ବିତରଣ କରାଯାଉଥିବା ରାଜ୍ୟ ସରକାରଙ୍କ ସହାୟତା ପ୍ୟାକେଜ୍‌ ଅନ୍ତର୍ଗତ ଖାଦ୍ୟ ସାମଗ୍ରୀ ପାଇବା ପାଇଁ ତାଙ୍କୁ ଗ୍ରାମ ପଞ୍ଚାୟତ ସହ ଲଢ଼ିବାକୁ ପଡ଼ିଥିଲା । ତାଙ୍କ ନାଁ ସେହି ତାଲିକାରେ ସ୍ଥାନ ପାଇ ନଥିଲା, କାରଣ ସଡ଼କଠାରୁ ଦୂରରେ ଏବଂ ଜଙ୍ଗଲ ନିକଟରେ ଥିବା ତାଙ୍କ ଘର ଅବସ୍ଥା ଦେଖିବାକୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟାଳୟର ସଚିବ କେବେହେଲେ ଆସି ନଥିଲେ ।

Left: Mukesh and Ramli at home in Baroliya.'We have to work even now,' says Ramli. Right: Women in Baroliya usually work at local construction sites (file photo)
PHOTO • Dharmendra
Left: Mukesh and Ramli at home in Baroliya.'We have to work even now,' says Ramli. Right: Women in Baroliya usually work at local construction sites (file photo)
PHOTO • Noel

ବାମ: ବରୋଲିୟାରେ ମୁକେଶ ଓ ରାମଲିଙ୍କ ଘର । ରାମଲି କହନ୍ତି, ‘ଆମକୁ ଏବେ ବି କାମ କରିବାକୁ ପଡ଼ିବ’ । ଡାହାଣ: ବରୋଲିୟାର ମହିଳାମାନେ ସାଧାରଣତଃ ବିଭନ୍ନ ସ୍ଥାନୀୟ ନିର୍ମାଣ ସ୍ଥଳୀରେ କାମ କରନ୍ତି (ଫାଇଲ ଫଟୋ)

ଶେଷରେ ରାମଲି ଓ ମୁକେଶ ଯେତେବେଳେ ଖାଦ୍ୟ ସାମଗ୍ରୀ ପାଇଲେ, ପ୍ୟାକେଟ୍‌ରେ ପୂରା ସାମଗ୍ରୀ ନଥିଲା । ମୁକେଶ ଆମକୁ କହେ, “ଆମକୁ ଗହମ କିମ୍ବା ଚାଉଳ ମିଳିନାହିଁ । କିନ୍ତୁ ଏଥିପାଇଁ କାହାକୁ କହିବାକୁ ହେବ ମୁଁ ଜାଣିନି ।” ତାଙ୍କ ଭାଗରେ ପଡ଼ିଥିଲା କେବଳ ୫୦୦ ଗ୍ରାମ ଲେଖାଏଁ ଚିନି ଓ ତେଲ, ୧୦୦ ଗ୍ରାମ ଲଙ୍କାଗୁଣ୍ଡ ଏବଂ ଅଳ୍ପ କିଛି ଅନ୍ୟ ମସଲା । ନିୟମ ମୁତାବକ ସହାୟତା ସାମଗ୍ରୀର ଏହି ପ୍ୟାକେଟ୍‌ରେ ୧ କିଲୋ ଲେଖାଏଁ ଚିନି ଓ ତେଲ, ୫ କିଲୋ ଲେଖାଏଁ ଗହମ ଏବଂ ଚାଉଳ, ଏବଂ କିଛି ମସଲା ରହିବା କଥା ।

ବାରୋଲିୟାରୁ ୬୦ କିଲୋମିଟର ଦୂର ଡୁଙ୍ଗରପୁର ଜିଲ୍ଲାର ସାଗୱାନ ବ୍ଲକ୍‌ ଅନ୍ତର୍ଗତ ତାମତିୟା ଗାଁର ଜଣେ ସାମାଜିକ କର୍ମୀ,୪୩ ବର୍ଷୀୟ ଶଙ୍କର ଲାଲ ମୀନା କହନ୍ତି, “ସରକାରଙ୍କ ଘୋଷଣା ମୁତାବକ ଆମକୁ ଆଗୁଆ ଏ ମାସର ଖାଦ୍ୟ ସାମଗ୍ରୀ ଦେଇ ଦିଆଯାଇଛି । ଏଥିରେ କେବଳ ଜଣ ପିଛା ପାଞ୍ଚ କିଲୋ ଗହମ ରହିଛି ଏବଂ ଆଉ କୌଣସି ଜିନିଷ ନାହିଁ । ଆସନ୍ତା ପାଞ୍ଚ ଦିନ ଭିତରେ ଏହି ପାଞ୍ଚ କିଲୋ ସାମଗ୍ରୀ ସରିଯିବ ।”

ଶଙ୍କର ଆହୁରି କହନ୍ତି ଯେ ଦୁର୍ନୀତିଗ୍ରସ୍ତ ରାସନ ଡିଲରମାନେ ପରିସ୍ଥିତିକୁ ଅଧିକ ବିଗାଡ଼ି ଦେଉଛନ୍ତି । “ଆମ ପଲ୍ଲୀରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ଆସୁଥିବା ରାସନ ଡିଲର ଏବେ ବି ଓଜନ କରିବା ବେଳେ ସବୁ ସାମଗ୍ରୀରୁ କିଲେ କି ଦୁଇ କିଲୋ ହଡ଼ପ କରି ନେଉଛି । ଆମେ ଜାଣିଛୁ ଯେ ସେ ଚୋରି କରୁଛି, କିନ୍ତୁ ଆମେ ଆଉ କ’ଣ ବା କହିପାରିବୁ ? ଗାଁର ଅନ୍ୟ କିରାନା ଦୋକାନୀମାନେ ସେଇ ଏକା ଜିନିଷ ପାଇଁ ଦୁଇ ଗୁଣ ଦର ନେଉଛନ୍ତି ।”

ତେଣେ ବରୋଲିୟାରେ, ବିକଳ୍ପ ଜୀବିକାର ସନ୍ଧାନ ପାଇଁ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଲକ୍‌ଡାଉନ୍‌ ଯୋଗୁଁ ସବୁ ସ୍ଥାନରେ ନିର୍ମାଣ କାମ ବନ୍ଦ ରହିଥିବା ବେଳେ ୩୫,୦୦୦ ଟଙ୍କାର ଋଣ କିପରି ଶୁଝିବେ ବୋଲି ଡୋଲାରାମ ଚିନ୍ତିତ । ତାଙ୍କ ନିଜର କିଛି ହେଲେ ଜମିବାଡ଼ି ନାହିଁ । ପୁଅର ଚିକିତ୍ସା ପାଇଁ ସେ ଏହି ଟଙ୍କା ବିଭିନ୍ନ ସଂପର୍କୀୟଙ୍କ ପାଖରୁ, ବନ୍ଧୁମାନଙ୍କ ପାଖରୁ ଏମିତି କି ଘରକୁ ଫେରିବା ପାଇଁ ମୁମ୍ବାଇର ଜଣେ ଦୋକାନୀଙ୍କ ପାଖରୁ କରଜ ନେଇଥିଲେ । ଏପ୍ରିଲ ୧୨  ତାରିଖ ଦିନ ଏକ ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଗଲା ପରେ ତାଙ୍କ ଦୁର୍ଦ୍ଦଶା ଆହୁରି ବଢ଼ି ଯାଇଛି ଏବଂ କେବେ ସେ କାମ କରିବାକୁ ସକ୍ଷମ ହେବେ ସେକଥା ଜାଣିନାହାନ୍ତି ।

ରୋଜଗାର ପନ୍ଥା ହରାଇଥିବାରୁ ତାଙ୍କ ପରିବାରର ଦୁଃଖକଷ୍ଟ ଆହୁରି ଘନେଇବ ବୋଲି ରାମଲି ଆଶଙ୍କା କରନ୍ତି । ଘରୋଇ ଋଣଦାତାଙ୍କ ନିକଟରୁ ସେ ନେଇଥିବା ଚାରିଟି ଋଣ ବାବଦରେ ମୋଟ ୧୦,୦୦୦ ଟଙ୍କା ତାଙ୍କୁ ଶୁଝିବାକୁ ପଡ଼ିବ । ତାଙ୍କ ଚିକିତ୍ସା ପାଇଁ, ଘର ମରାମତି କରିବାକୁ ଏବଂ ତାଙ୍କର ଜଣେ ପିଲା ଯେତେବେଳେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲା, ସେତେବେଳେ ସେ ଏହି ସବୁ ଋଣ କରିଥିଲେ । ପୂର୍ବରୁ କରିଥିବା ଅନ୍ୟ ଋଣ ଶୁଝିବା ପାଇଁ ସେ ଶେଷ ଋଣଟି କରିଥିଲେ ।

ସେମାନେ ହରାଇଥିବା ସମୟ ଏବଂ ମଜୁରିକୁ କେମିତି ଭରଣା କରିବେ ବୋଲି କୌଣସି ଧାରଣା କରିପାରି ନଥିବା ଡୋଲାରାମ, ମୁକେଶ ଏବଂ ରାମଲି ଏବେ ଏକ ନିହାତି ଅନିଶ୍ଚିତ ବର୍ଷକୁ ଚାହିଁ ରହିଛନ୍ତି । ଡୋଲାରାମ କହନ୍ତି, “ହୋଲି ସମୟରେ ମୁଁ ସଞ୍ଚୟ କରି ରଖିଥିବା ଟଙ୍କାର ଅଧିକାଂଶ ଭାଗ ଖର୍ଚ୍ଚ କରିଦେଇଥିଲି । କୌଣସି ପ୍ରକାରେ ଆମେ ଘରକୁ ଫେରିଆସିବା ପାଇଁ ଟଙ୍କା ଯୋଗାଡ଼ କରିପାରିଲୁ । ଠିକାଦାର ବି କୌଣସି ଅଗ୍ରୀମ ପାଉଣା ଦେବାକୁ ମନା କରିଦେଲେ । ଦେଖାଯାଉ, ଏଣିକି ଆଗକୁ କ’ଣ ହେଉଛି । ”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Drishti Agarwal and Preema Dhurve

Drishti Agarwal and Preema Dhurve work with Aajeevika Bureau, a specialised non-profit initiative that provides services, support and security to rural, seasonal migrant workers.

Other stories by Drishti Agarwal and Preema Dhurve