ତାଙ୍କ ବିବାହର ୬ ମାସ ପୂର୍ବରୁ ଏହା ଆରମ୍ଭ ହେଲା। କିନ୍ତୁ ଜ୍ୱର, ଶାରୀରିକ ପୀଡ଼ା, ଦୁର୍ବଳତା ଏବଂ ଓଜନ ହ୍ରାସ ବିଦ୍ୟାପତି ଭଗତଙ୍କ ସ୍ୱାସ୍ଥ୍ୟକୁ ଗ୍ରାସ କରିବା ପରେ ବି ଏହାକୁ ସେଭଳି ଗୁରୁତର ସହ ବିଚାର କରଗଲା ନାହିଁ କି ଚିକିତ୍ସାର ଆବଶ୍ୟକତା ଥିବା ମନେ କରାଗଲା ନାହିଁ । ଏଭଳି ଏକ ଦେଶରେ ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ, ଯେଉଁଠି ଜିଡିପିର ମାତ୍ର ୧.୦୨ ପ୍ରତିଶତ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହୁଏ। ତା ପରେ ସେ ଜଣେ ମହିଳା - ଏହା ଏଭଳି ଏକ ସମାଜ ଯେଉଁଠି ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଚିକିତ୍ସା ପାଇଁ ପରିବାରମାନେ ଖୁବ୍ ଅଧିକ ଯତ୍ନଶୀଳ ହୋଇପଡ଼ନ୍ତି।

ବିଦ୍ୟାପତି କହିଲେ, ‘‘୨୦୧୩ରେ ତାଙ୍କର ବାହାଘର ହେଲା। ଏହାକୁ ସ୍ଥଗିତ ରଖାଯାଇ ପାରିଲା ନାହିଁ। ବାହାଘରର ଗୋଟେ ମାସ ପରେ ସ୍ୱାସ୍ଥ୍ୟ ପରୀକ୍ଷା ହେବାରୁ କାଲା-ଆଜର ସଂକ୍ରମିତ ହୋଇଥିବା ଜଣାପଡ଼ିଲା। ମୋ ସ୍ୱାମୀଙ୍କୁ ଅନ୍ୟତ୍ର ବିବାହ ପାଇଁ ମୋ ଶାଶୁ ଘରର ଲୋକମାନେ ପ୍ରବର୍ତ୍ତାଇଲେ।’’ ବିଦ୍ୟାପତିଙ୍କୁ ଏବେ ୨୫ ବର୍ଷ ଏବଂ ସେ ବଞ୍ଚିଛନ୍ତି। ତେବେ ଗତ ଦୁଇ ବର୍ଷ ହେବ ସେ ତାଙ୍କ ବାପ ଘରେ ଅଛନ୍ତି। ବିହାର ଶରନ ଜିଲ୍ଲାର ଦରିଆପୁର ବ୍ଳକର ବେଲା ଗାଁରେ ତାଙ୍କ ବାପ ଘର।

Vidyapati Rai, 25, displays almost no signs of PKDL yet has been abandoned by her husband
PHOTO • Drugs for Neglected Diseases Initiative (DNDi)

ବିଦ୍ୟାପତି କହିଲେ, ‘ମୋ ମୁହଁ କଳା ପଡ଼ିଗଲା, ତା ପରେ ମୋ ଓଠତଳ ଏବଂ ତା ପରେ ବେକ

ବିଜ୍ଞାନ ଶବ୍ଦରେ ବିଦ୍ୟାପତିଙ୍କ ରୋଗର ନାଁ ଭିସେରାଲ ଲେସମାନିଆସିସ୍ (ଭିଏଲ)। ଏହା ଏକ ଭୂତାଣୁ ଜନିତ ରୋଗ ଯାହା ଧୂଳିମାଛି କାମୁଡିବା ଦ୍ୱାରା ହୋଇଥାଏ। ଧୂଳିମାଛିର ଆକାର ଗୋଟିଏ ମଶାର ଏକ ତୃତୀୟାଂଶ। ଘରର ଅସ୍ୱାସ୍ଥ୍ୟକର ପରିବେଶ, ସନ୍ତସନ୍ତିଆ, ଥଣ୍ଡା ଜଳବାୟୁ ଏବଂ ଅନାବନା ଗଛ ଥିବା ପରିବେଶରେ ଏହାର ବଂଶବୃଦ୍ଧି ହୋଇଥାଏ। ଏହି ରୋଗ ଆରମ୍ଭ ହେଲେ ପ୍ରଥମେ ଅସ୍ଥିମଜ୍ଜା, ପ୍ଳୀହା ଏବଂ ଯକୃତ ଉପରେ ପ୍ରଭାବ ପକାଇଥାଏ। କିଛି ମାସ ବା କିଛି ବର୍ଷ ପରେ ଚର୍ମ ଉପରେ ଘା ଆକାରରେ ଏହାର ପରିପ୍ରକାଶ ହୋଇଥାଏ। ଏକ ବିଶ୍ୱ ସ୍ତରୀରେ ସଂଗଠନ ଡ୍ରଗ୍‌ସ୍ ଫର ନେଗଲେକ୍‌ଟେଡ୍ ଡିଜିଜ୍ ଇନିସିଏଟିଭ୍ (ଡିଏନଡିଆଇ) ଦ୍ୱାରା  ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଏସିଆ​‌ରେ ଭିଏଲ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫ ରୁ ୧୦ ପ୍ରତିଶତଙ୍କ ଦେହରେ ଏଭଳି ଘା ହୋଇଥାଏ।

ବିଶ୍ୱବ୍ୟାପୀ ମାନବୀୟ କାର୍ଯ୍ୟ କରୁଥିବା ଏନଜିଓର ଡାକ୍ତରମାନେ କହନ୍ତି, “କାଲା-ଆଜର ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ହତ୍ୟାକାରୀ ... କେବଳ ମ୍ୟାଲେରିଆ ଏହାଠାରୁ ଅଧିକ ଘାତକ।’’ ଯଦିଓ କିଛି ଦଶନ୍ଧି ଧରି ଏହା ହ୍ରାସ ପାଇଛି, ତେବେ ଏହାର ‘ମୂଳୋତ୍ପାଟନ’ ଦିଗରେ ଦେଶର ଅନେକ ଡେଡଲାଇନ - ୨୦୧୦, ୨୦୧୫ ଏବଂ ୨୦୧୭ ‘ଫେଲମାରିଛି’ ।

ଅଧିକାଂଶ ସମୟରେ ଚିକିତ୍ସା କରାନଗଲେ ଭିଏଲ ଘାତକ ହୋଇଥାଏ। ଚର୍ମ ଉପରେ ଏହାର ପ୍ରଭାବ (ପୋଷ୍ଟ କଲା-ଆଜର ଡର୍ମାଲ ଲେସମାନିଆସିସ୍, ବା ପିକେଡିଏଲ୍) ମୃତ୍ୟୁର କାରଣ ନହୋଇ ଚେହେରାକୁ ସାଂଘାତିକ ଭାବେ ବିକୃତ କରିଦିଏ। ପରିଣାମସ୍ୱରୂପ ଏହା ମଣିଷକୁ କଳଙ୍କ, ଲଜ୍ଜା ଏବଂ ନିସଙ୍ଗତା ଦେଇଥାଏ - ଯାହା ବିଦ୍ୟାପତିଙ୍କ କ୍ଷେତ୍ରରେ ହୋଇଛି।

ଶରନ ସ୍ଥିତ ତାଙ୍କ ବାପ ଘରେ ରହୁଥିବା ବିଦ୍ୟାପତି କହିଲେ, ‘‘ପ୍ରଥମେ ମୋ ମୁହଁ କଳା ପଡ଼ିଗଲା, ତା ପରେ ଓଠ ତଳ, ଏବଂ ପରେ ବେକ। ’’ - ଏ ହେଉଛି ବିହାରର ସବୁଠୁ ଅଧିକ କାଲା-ଆଜର ଚିହ୍ନଟ ହୋଇଥିବା ଜିଲ୍ଲା।  

ତାଙ୍କ ସ୍ୱାମୀ ରାଜୁ ଭଗତ ଜଣେ ରାଜମିସ୍ତ୍ରୀ। ସେ ବର୍ଷରେ କିଛି ସମୟ କାମ ପାଇଁ ବେଙ୍ଗଲୁରୁ ଯାଆନ୍ତି। ତାଙ୍କ ବାପା ମାଆ ପ୍ରବର୍ତ୍ତାଇବା ପରେ ବି ସେ ତାଙ୍କୁ ଛାଡିବେନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ନା ତାଙ୍କୁ ବେଙ୍ଗାଲୁରୁ ନେଉଛନ୍ତି ନା ବିହାର ସ୍ଥିତ ତାଙ୍କ ନିଜ ଘରକୁ। ତାର କାରଣ ଦର୍ଶାନ୍ତି ଯେ, ‘‘ଏଠି ତମର ଦେଖାଶୁଣା କିଏ କରିବ ? ବରଂ ସୁସ୍ଥ ହେବା ପର୍ଯ୍ୟନ୍ତ ମା’ଙ୍କ ପାଖରେ ରହିଥାଅ।’’ ତଥାପି ସେ ସବୁବେଳେ ଫୁରୁସତ ପାଇଲେ ଆସନ୍ତି। ଆଉ ତାଙ୍କ ସହ ମିଶିବାକୁ କୁହନ୍ତି। ଏହାର ପରିଣାମ ସ୍ୱରୂପ ସେ ଦୁଇଥର ଗର୍ଭବତୀ ହୋଇଛନ୍ତି। ପ୍ରଥମେ ମୃତ ପୁତ୍ର ସନ୍ତାନଟିଏ ଜନ୍ମ କରିଥିଲେ। ଦ୍ୱିତୀୟ ଥର ସେ ଝିଅଟିଏ ଜନ୍ମ ଦେଇଥିଲେ। କିନ୍ତୁ ସେ ମାତ୍ର କେଇଘଣ୍ଟା ବଞ୍ଚିଥିଲା। ବିଦ୍ୟାପତି ରୋଗ ପାଇଁ ଯେଉଁ ଚିକିତ୍ସା ଗ୍ରହଣ କରୁଥିଲେ ଏହା ତାର ପ୍ରତିକ୍ରିୟା ଯୋଗୁଁ ହୋଇଥାଇପାରେ। 

The Sand fly which causes kala-azar thrives in dense vegetation and moist temperatures
PHOTO • Drugs for Neglected Diseases Initiative (DNDi)
Asmat Ali, 19 has lived with PKDL for 9 years but treatment is not on his list of priorities
PHOTO • Drugs for Neglected Diseases Initiative (DNDi)

ଆର୍ଦ୍ର ତାପମାତ୍ରା ଏବଂ ଅନାବନା ଗଛଲତା ଥିବା ସ୍ଥାନ ହେଉଛି କାଲା-ଆଜର ବାହକ ଧୂଳିମାଛିର ବାସସ୍ଥଳୀ। ଆସମତ ଅଲୀ (ଦକ୍ଷିଣ) ପିକେଡିଏଲ ଯନ୍ତ୍ରଣାକୁ ନେଇ ୯ ବର୍ଷ ହେଲା ବଞ୍ଚିଛନ୍ତି; ମୁହଁରେ ବହୁ ସଂଖ୍ୟାରେ ଘା ଏବଂ ଖୁବ୍ ଗଭୀର, ସେ କିନ୍ତୁ ଅନେକ ନିରବ। 

ଭଗତ ତାଙ୍କ ସ୍ୱାମୀଙ୍କ ଠାରୁ ଗାଳି ଶୁଣନ୍ତି, ବଡ ଯାଆ ଅପମାନିତ କରନ୍ତି। ବେଳେବେଳେ ଏହା ‘ଅଭିଶାପ’ ବୋଲି କୁହନ୍ତି, ତଥାପି ପିଲାଟିଏ ତାଙ୍କର ଏହି ଦାଗକୁ ଲିଭାଇଦେବ ବୋଲି ସେ ବିଶ୍ୱାସ କରନ୍ତି। ସେ ଗୁଣୁଗୁଣୁ ହୋଇ କହିଲେ, ‘‘ମୋ ଭଳି ଜଣେ ଅଶିକ୍ଷିତା ମହିଳା କଣ କରିପାରିବ। ଯଦି ପିଲାଟିଏ ଥାଆନ୍ତା, ଭଲ ହେଇଥାନ୍ତା।’’

ବିହାର ହେଉଛି ଦେଶର କାଲା-ଆଜାରର ଉତ୍ପତ୍ତି ସ୍ଥଳ। ଜାତୀୟ ଭେକ୍ଟର ବର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ୍ ପ୍ରୋଗ୍ରାମ୍‌ରୁ ମିଳିଥିବା ଶେଷ ସଂଖ୍ୟା ଅନୁସାରେ, ୨୦୧୮ରେ ଦେଶରେ ଚିହ୍ନଟ ହୋଇଥିବା ୩,୮୩୭ ଜଣ ରୋଗୀଙ୍କ ମଧ୍ୟରୁ ପ୍ରତି ପାଞ୍ଚ ଜଣରେ ଚାରି ଜଣ ବିହାର ରାଜ୍ୟର। ସାମାଜିକ-ଆର୍ଥିକ କ୍ଷେତ୍ରରେ ଦେଶର ସବୁଠୁ ଅନଗ୍ରସର ରାଜ୍ୟମାନଙ୍କ ମଧ୍ୟରେ ବିହାର ଅନ୍ୟତମ, ଏବଂ ଏହା ଉପରେ ରାଜ୍ୟ ଗୁରୁତ୍ଵ ଦେଇନି। ପିକେଡିଏଲ୍‌ର ପରିଣତି ମହିଳାମାନେ ଭୋଗନ୍ତି।

୧୯ ବର୍ଷୀୟ ଅସମତ ଅଲୀ ଜଣେ ଟେମ୍ପୋ ଚାଳକ। ତାଙ୍କ ଘର ରେଭେଲଗଞ୍ଜ ବ୍ଲକ୍‌ର ମୋବାରକପୁର ଗାଁରେ - ଯେଉଁଠି ବିଦ୍ୟାପତିଙ୍କ ସ୍ୱାମୀଙ୍କ ଘର - ଯେଉଁଠି ତାଙ୍କ ସୁରକ୍ଷା ପାଇଁ କେହି ନାହାନ୍ତି। ବିଦ୍ୟାପତିଙ୍କ ଠାରୁ ତାଙ୍କ ମୁହଁର ଘା ସଂଖ୍ୟା ଅଧିକ ଏବଂ ଗଭୀର। ସେ କହନ୍ତି, ଏହି ଯନ୍ତ୍ରଣାକୁ ନେଇ ସେ ୯ ବର୍ଷ ହେଲା ବଞ୍ଚିଛନ୍ତି, ତଥାପି ତାଙ୍କ ଚିକିତ୍ସା ପାଇଁ ପ୍ରାଥମିକତା ଦିଆଯାଇନି। ସେ ଖୁବ୍ ଶାନ୍ତ ଭାବେ କହିଲେ, ‘‘ତଥାପି କାମ କରିବାକୁ ପଡ଼ିବ।’’ ଏହି ରୋଗର ଶିକାର ହୋଇଥିବା ତାଙ୍କର ଜଣେ ପଡୋଶୀ ଝିଅର କାହାଣୀ ଶୁଣାଇଲେ, ଯାହାର ଚିକିତ୍ସା ଆବଶ୍ୟକ। ସେ କହିଲେ, ‘‘କିଏ ତାକୁ ବାହା ହେବାକୁ ଚାହିଁବ ?’’

ବିବାହିତା ହେଉ କି ଅବିବାହିତା, ମହିଳାଙ୍କ ଚିକିତ୍ସା ପାଇଁ ଲିଙ୍ଗଗତ ପକ୍ଷପାତିତା ଏକ ସମସ୍ୟା। 

Lalmati Devi, 51, discontinued treatment as she found it physically uncomfortable
PHOTO • Drugs for Neglected Diseases Initiative (DNDi)

ଲାଲମତି ଦେବୀ କହନ୍ତି, ‘ପ୍ରଥମେ ମୋ ମୁହଁରେ ଆରମ୍ଭ ହେଲା, ତା ପରେ ମାଡ଼ିଗଲା... ’

ବିହାର ହେଉଛି ଦେଶରେ କାଲା-ଆଜରର ଉତ୍ସତ୍ତି ସ୍ଥଳ। ନେସନାଲ ଭେକ୍ଟର ବର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ ପ୍ରୋଗ୍ରାମ ତଥ୍ୟ ଅନୁଯାୟୀ ୨୦୧୮ରେ ଚିହ୍ନଟ ହୋଇଥିବା ୩,୮୩୭ ଜଣ ରୋଗୀଙ୍କ ମଧ୍ୟରୁ ପ୍ରତି ୫ ଜଣରେ ୪ଜଣ ବିହାର ରାଜ୍ୟର।

୫୧ ବର୍ଷୀୟା ଲାଲମତୀ ଦେବୀଙ୍କର (ଉପରେ ଥିବା କଭର ଫଟୋ) ୩୦ ବର୍ଷର ବୈବାହିକ ଜୀବନ, ୪ଟି ପିଲା। ତାଙ୍କ ସ୍ୱାସ୍ଥ୍ୟ ପାଇଁ କାହାର ନିଘା ନାହିଁ। ତାଙ୍କ ଘର ଶରନ ଜିଲ୍ଲା ପର୍ସା ବ୍ଲକ୍‌ର ଭେଲ୍‌ଦି ଗାଁରେ। ୬ ମାସ ପୂର୍ବରୁ ତାଙ୍କ ଦେହରେ ଜର ଆସିଲା। ତାଙ୍କ ସ୍ୱାମୀ ରାଜଦେବ ରାୟ କହନ୍ତି ସେ ତାଙ୍କ କାମରେ ବ୍ୟସ୍ତ ରହୁଥିବାରୁ (କି ପ୍ରକାର କାମ ନିର୍ଦ୍ଦିଷ୍ଟ ଭାବେ କହିଲେନି) ଡାକ୍ତର ପାଖକୁ ନେଇ ପାରିଲେନି। କ୍ୱାକ୍ ଏବଂ ଗାଁରେ ରହୁଥିବା ଆତ୍ମଘୋଷିତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ତାଙ୍କୁ ଛାଡି ଦିଆଗଲା।

ଅନେକ ସମୟ ତାଙ୍କ ପଛରେ ପଡ଼ିବା ପରେ ସେ କହିଲେ, ‘‘ପ୍ରଥମେ କିଛି ଲୋକ କହିଲେ ଏହା ଏକ ଆଲର୍ଜି ଏବଂ ଆପେ ଆପେ ଭଲ ହୋଇଯିବ। ପ୍ରଥମେ ମୋ ମୁହଁରେ ଆରମ୍ଭ ହେଲା, ତା ପରେ ଗୋଡ଼ ଏବଂ ପାକସ୍ଥଳୀକୁ ବ୍ୟାପିଲା। ମୋ ଦୁଃଖରେ ଗାଁ ଲୋକେ ହସୁଛନ୍ତି।’’ ଯଦିଓ ଲାଲମତୀଙ୍କ ପରିବାର କାଲା-ଆଜାର ସଂପର୍କରେ ଅଜଣା ନଥିଲେ। ୪ ବର୍ଷ ପୂର୍ବରୁ ତାଙ୍କ ସାନ ପୁଅ ଏଥିରେ ସଂକ୍ରମିତ ହୋଇଥିଲା। ରାଜଦୀପ ଗର୍ବର ସହ ଘୋଷଣା କଲେ, ‘‘ମୁଁ ତାକୁ ଡାକ୍ତରଙ୍କ ପାଖକୁ ନେଇଥିଲି। ସେ ବର୍ତ୍ତମାନ ପୂରା ଆରୋଗ୍ୟ। ତଥାପି ତାଙ୍କ ସ୍ତ୍ରୀଙ୍କର ଯେତେବେଳେ ରୋଗ ନିରୂପଣ ହେଲା ଏବଂ ଚିକିତ୍ସା ହେଲା ସେତେବେଳେ ତାଙ୍କୁ ବିଶ୍ରାମ ନମିଳିବାରୁ ଚିକିତ୍ସାରେ ବ୍ୟାଘାତ ହେଲା। ତାଙ୍କ ସ୍ୱାମୀ ଏଥିରେ ଆଦୌ ଚିନ୍ତିତ ନଥିଲେ। ଏଥିରେ ନିଜର କୌଣସି ସଂପୃକ୍ତି ନଥିବା ଭଳି କହିଲେ, ‘‘ସେ ଔଷଧ ଖାଇଲେ ଭଲ ହୋଇଯିବେ।’’ ଏଭଳି ଦୀର୍ଘ, ବିଷାକ୍ତ ଏବଂ ଯନ୍ତ୍ରଣାଦାୟକ ପିକେଡିଏଲ ଚିକିତ୍ସା ପାଇଁ ପରିବାରର ସହଯୋଗ ଆବଶ୍ୟକ ଥାଏ, ଯେଭଳି ଅନୁଭବ ହେବ ଯେ ତାଙ୍କର କିଛି ହୋଇନି।

୨୦୨୦ ସୁଦ୍ଧା କାଲା-ଆଜରକୁ ସଂପୂର୍ଣ୍ଣ ଦୂରିକରଣ କରିବା ପାଇଁ ବିହାର ପ୍ରତିଶ୍ରୁତିବଦ୍ଧ। ଡିଏନଡିଆଇ ଇଣ୍ଡିଆର ନିର୍ଦ୍ଦେଶକ ସୁମନ ରିଜଲ କହନ୍ତି ‘‘ମହିଳା ଓ ଶିଶୁଙ୍କ ଭଳି ଅସୁରକ୍ଷିତ ବର୍ଗଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇପାରିଲେ ଟାର୍ଗେଟରେ ପହଞ୍ଚି ହେବ।’’ ପ୍ରତିଶ୍ରୁତି ପୂରଣ କରିବାକୁ ହେଲେ ବିହାରକୁ ଏହି ବାଟରେ ଯିବାକୁ ପଡ଼ିବ। ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ଭେଦଭାବ, ଅବହେଳା ଏବଂ ଅନାଗ୍ରହ ବିରୋଧରେ ସଂଘର୍ଷ କରିବାକୁ ହେବ। ତାଙ୍କୁ ଏକାକୀ ଛଡ଼ା ଯାଇପାରିବ ନାହିଁ। 

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Other stories by Puja Awasthi