ସେମାନେ ପଚାରିଲେ, ‘‘ ତୁମେ କୁକୁରକୁ ବାଡେଇଛ କି?’’ ସୁନନ୍ଦା ସାହୁ କିଛି ଉତ୍ତର ଦେବା ପୂର୍ବରୁ ଗୋଟିଏ କାଠଫାଳିଆ ତାଙ୍କ ମୁଣ୍ଡ ଉପରେ ବାଜିଲା । ତା ପରେ କ’ଣ ହେଲା ସେ କିଛି ଜାଣନ୍ତି ନାହିଁ । ଚେତା ଫେରିବା ପରେ ସେ ନିଜକୁ ଏକ ହସ୍ପିଟାଲରେ ପାଇଲେ ।

କୁକର କେବଳ ଏକ ବାହାନା ଥିଲା । ସେମାନେ କୁକୁରକୁ ପସନ୍ଦ କରୁନଥିଲେ । ଯେଉଁ ଭାଇମାନେ ସୁନନ୍ଦାଙ୍କ କେଶ କୁଣ୍ଡାଇ ଦେଉଥିଲେ ଏବଂ ତାଙ୍କୁ  କଣ୍ଢେଇ ବୋଲି ଡାକୁଥିଲେ ସେମାନେ ସୁନନ୍ଦା ଏହି ବୁଲା କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବାର ବହୁ ବର୍ଷ ପୂର୍ବରୁ ନିର୍ଦ୍ଦୟ ଅପରିଚିତ ପାଲଟିଯାଇଥିଲେ। ସୁନନ୍ଦା କହନ୍ତି,  ‘‘ସେମାନେ ସବୁଦିନ କହୁଥିଲେ, ମରିଯାଆ ନହେଲେ ପଳାଇ ଯା’ । କୁକୁର ରଖିବା ଯୋଗୁ ମୋର ଏକୁଟିଆ ପଣ କିଛି ମାତ୍ରାରେ କମି ଯାଇଥିଲା । ମୁଁ ତାକୁ କାଳୁ ବୋଲି ଡାକୁଥିଲି ।’’

୨୦୧୦ରେ ସୁନନ୍ଦା ଘରକୁ ଫେରିବାର ଛଅବର୍ଷ ପରେ ତାଙ୍କୁ ଏପରି ମାଡ଼ ମରାଯାଇଥିଲା । ତାର ଦୁଇ ମାସ ପୂର୍ବରୁ ତାଙ୍କର ବିଛଣାରେ ପଡ଼ିରହିଥିବା ବାପା କୃଷ୍ଣନନ୍ଦ ସାହୁଙ୍କର ପରଲୋକ ହୋଇଯାଇଥିଲା । ସେ ତାଙ୍କର ଦୁଇ ପୁଅ, ସେମାନଙ୍କର ପତ୍ନୀ ଓ ୩ ପିଲାଙ୍କ ଦ୍ୱାରା ନିଜ ଝିଅକୁ ଦିଆଯାଉଥିବା ନିର୍ଯାତନାକୁ ନିରବରେ ଦେଖିଥିଲେ । ତାଙ୍କର ପତ୍ନୀ କନକଲତା ମଧ୍ୟ ନିରବତା ଅବଲମ୍ବନ କରିଥିଲେ ।

ସୁନନ୍ଦାଙ୍କୁ ଏହା ସ୍ପଷ୍ଟ କରାଗଲା ଯେ ତାଙ୍କୁ ସ୍ୱାଗତ କରାଯାଉନାହିଁ  କିମ୍ବା ତାଙ୍କର ଆବଶ୍ୟକତା ନାହିଁ । ସେ କହନ୍ତି, ‘‘ ଏପରିକି ସେମାନେ ମୋତେ ସାବୁନ ଏବଂ ତେଲ ବି ଦେଲେନାହିଁ ।’’ ସମୟ ସମୟରେ ଖାଇବାକୁ ଦେଉଥିଲେ । ଏହାପରେ ତାଙ୍କ ବିଷୟରେ ଚିନ୍ତିତ ଜଣେ ପଡ଼ୋଶୀ ଜଣେ ସାମାଜିକ କର୍ମୀଙ୍କୁ ତାଙ୍କ ସଂପର୍କରେ ସୂଚନା ଦେଲେ । ସିଏ ସୁନନ୍ଦାଙ୍କୁ ଗାଁ ପଞ୍ଚାୟତରୁ ସାହାଯ୍ୟ ମାଗିବାକୁ ପ୍ରେରଣା ଦେଲେ । ଏହାପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାସିକ ୩୦୦ ଟଙ୍କା ଲେଖାଏଁ  ପରିତ୍ୟକ୍ତା ମହିଳା ଭାବେ ପେନସନ୍ ମିଳିଲା । ଏଥିସହିତ ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ମାସିକ ୨୫ କିଲୋ ଚାଉଳ ରିହାତି ଦରରେ ମିଳିଲା ।

ନିହାଲ ପ୍ରସାଦ ଗାଁରେ (ଓଡ଼ିଶାର ଢେଙ୍କାନାଳ ଜିଲ୍ଳାର ଗଁଦିଆ ତହସିଲ)ରେ ଅନେକ ଲୋକ ସୁନନ୍ଦାଙ୍କର ଭାଇଙ୍କ ସହ  ଆଲୋଚନା କରିବାକୁ ଉଦ୍ୟମ କରିଥିଲେ । ଜଣେ ଚିନ୍ତିତ ଗ୍ରାମବାସୀ ୪୫ ବର୍ଷୀୟ ରମେଶ ମହାନ୍ତି କହନ୍ତି, ‘‘ସେମାନେ କିଛି କରିନାହାନ୍ତି ।’’

ସୁନନ୍ଦାଙ୍କର ଭାଇମାନେ ତାଙ୍କ  ପ୍ରତି କୌଣସି ପ୍ରକାର ସହାନୁଭୂତି ପ୍ରଦର୍ଶନ କଲେନାହିଁ । ସେମାନେ ବିଶ୍ୱାସ କରୁଥିଲେ ଯେ ସୁନନ୍ଦା ପରିବାରର ସମ୍ମାନକୁ କ୍ଷୁର୍ଣ୍ଣ କରିଛନ୍ତି । ସୁନନ୍ଦା କହନ୍ତି,  ‘‘ଯଦି ସେମାନେ ମୋ ପାଇଁ କିଛି କରନ୍ତି ତା’ ହେଲେ ସେମାନଙ୍କର ପତ୍ନୀମାନେ ସେମାନଙ୍କୁ ଛାଡ଼ି ପଳାଇବା ପାଇଁ ଧମକ ଦେଇଥିଲେ ।’’

ଏହି ଦଣ୍ଡ ସୁନନ୍ଦାଙ୍କର ମୂଳ ଅପରାଧ ପ୍ରେମ ପାଇଁ ଥିଲା । କିନ୍ତୁ ଯେତେବେଳେ ସେ ଦ୍ୱିତୀୟ ଥର ଉଲ୍ଲଂଘନ କଲେ ସେମାନେ ତାଙ୍କ ସହିତ ଆହୁରି ନିର୍ଦ୍ଦୟ ବ୍ୟବହାର ପ୍ରଦର୍ଶନ ପାଇଁ ସିଦ୍ଧାନ୍ତ ନେଲେ ।

୨୦୧୬ ମସିହା ମେ ମାସରେ ସୁନନ୍ଦା ତାଙ୍କ ମୃତ ବାପାଙ୍କର ୯ ଏକର ଚାଷଜମିରୁ ନିଜର ଭାଗ ଦାବି କଲେ । ସେତେବେଳେ ସୁନନ୍ଦାଙ୍କୁ ୩୬ ବର୍ଷ ହୋଇଥିଲା ।  ତାଙ୍କର ମାମଲା ଖୁବ୍ ସାଧାରଣ ଥିଲା । ‘‘ମୋର ଦୁଇ ଭଉଣୀଙ୍କର ବିବାହ ପାଇଁ ଜମି ବିକ୍ରି ହୋଇଥିଲା । ଯେହେତୁ ମୁଁ ବିବାହ କରିନାହିଁ, ତେଣୁ ବଳକା ଜମିରେ ମୋର ସମାନ ଦାବି ରହିଛି ।’’

ସୁନନ୍ଦାଙ୍କର ଦାବି ଅଗ୍ରହଣୀୟ ଏବଂ ଅକ୍ଷମଣୀୟ ଥିଲା । ଏହା ହେଉଛି ଏକ ଦେଶ ଯେଉଁଠାରେ କୃଷିଭିତ୍ତିକ ଜନଗଣନା ୨୦୧୦-୨୦୧୧ର ସର୍ବ ଭାରତୀୟ ରିପୋର୍ଟରୁ ଜଣାପଡିଛି ଯେ, ମୋଟ ଜମି ମଧ୍ୟରୁ ପୁରୁଷଙ୍କ ମାଲିକାନାରେ ୮୭.୨ ପ୍ରତିଶତ ଜମି ରହିଛି (ବିଭିନ୍ନ ସଂସ୍ଥାର ଜମିକୁ ବାଦ୍ ଦେଲେ) । ମହିଳାଙ୍କ ନିକଟରେ ମାତ୍ର ୧୨.୮ ପ୍ରତିଶତ ଜମି ରହିଛି ।

ଭାଇମାନେ ତାଙ୍କୁ ଦିନେ  ଅପରାହ୍ନରେ ପିଟିଲେ । ସେ ରାଗ ରଖି କାଳୁକୁ ବାଡେଇଥିବାର ସେମାନେ ଅଭିଯୋଗ କଲେ । ସୁନନ୍ଦାଙ୍କୁ କାଠଫାଳିଆରେ ଆଘାତ କରିବା ସମୟରେ ସେମାନେ ଜୋର୍‌ରେ ପାଟିକଲେ, ‘‘ ଭବିଷ୍ୟତରେ ସେ ଆମକୁ ବାଡ଼େଇବା ଆରମ୍ଭ କରିବ।’’

PHOTO • Puja Awasthi

ଗାଁ କମ୍ୟୁନିଟି ସେଣ୍ଟରରେ ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା କୋଠରୀରେ ସୁନନ୍ଦା । (ଡାହାଣ)ପୋଷାକ ତିଆରି କରିବା ଲାଗି ସେ ଫେବ୍ରିକକୁ କାଟୁଛନ୍ତି ।

ସୁନନ୍ଦାଙ୍କ ମାମଲାର ସବିଶେଷ ତଥ୍ୟ ଏକ ପତଳା ଧୂସର ରଙ୍ଗର ଫାଇଲରେ ରହିଛି । ତାହା ତାଙ୍କ ଘରଠାରୁ ପ୍ରାୟ ୯୦ କିମି ଦୂରରେ ଢେଙ୍କାନାଳର ଏସପିଙ୍କ ଅଫିସରେ ଥିବା ମହିଳା ସହାୟତା କେନ୍ଦ୍ରରେ ଅଛି । ସେହି ଫାଇଲରେ ଥିବା ଏକ ମେଡିକାଲ ରିପୋର୍ଟ ଅନୁସାରେ ‘‘ସୁନନ୍ଦାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ବର୍ତ୍ତମାନ ତାଙ୍କର ମୁଣ୍ଡ ବୁଲାଉଥିବାରୁ ତାଙ୍କୁ ସିଟି ସ୍କାନ ପାଇଁ ପରାମର୍ଶ ଦିଆଯାଇଛି ।’’ ସେହି ରିପୋର୍ଟ ହେଉଛି କଟକସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର । ଢେଙ୍କାନାଳରେ ପ୍ରାଥମିକ ଚିକିତ୍ସା ପରେ ସୁନନ୍ଦାଙ୍କୁ ଏସସିବି ପଠାଯାଇଥିଲା ।

ଭାନୁମତୀ ପାଣି ନାମକ ଯେଉଁ ସାମାଜିକ କର୍ମୀ ସୁନନ୍ଦାଙ୍କୁ ଗାଁ ପଞ୍ଚାୟତର ଦ୍ୱାରସ୍ଥ ହେବାକୁ ସାହାଯ୍ୟ କଲେ  ସେ ଏହି କେନ୍ଦ୍ରରେ କାଉନସିଲର ଭାବେ କାମ କରନ୍ତି । ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ, ୨୦୦୫ ଅନୁସାରେ ଏହି କେନ୍ଦ୍ର ପ୍ରତିଷ୍ଠିତ ହୋଇଛି । କେନ୍ଦ୍ରରେ ଥିବା ଏକ ପୋଷ୍ଟର ଅନୁସାରେ ଏପ୍ରିଲ ୨୦୦୯ରେ ତାହା ଆରମ୍ଭ ହେବା ପରେ ମାର୍ଚ୍ଚ ୨୦୧୬ ମଧ୍ୟରେ ପ୍ରାୟ ୧,୨୧୨ ଜଣ ମହିଳା ଏହାର ସହାୟତା ନେଇ ସାରିଛନ୍ତି । ଆଇନରେ ଥିବା ବ୍ୟବସ୍ଥା ଅନୁସାରେ କାଉନସିଲିଂ ଏବଂ ଧ୍ୟାନ ମାଧ୍ୟମରେ ସେମାନଙ୍କୁ ଏହି ସହାୟତା କରାଯାଇଛି । ଖୁବ୍ କମ୍ ମହିଳା ଆନୁଷ୍ଠାନିକ ଭାବେ ପୁଲିସ କିମ୍ବା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି । ସୁନନ୍ଦାଙ୍କ ମାମଲାରେ ମାନସିକ ଓ ଶାରିରୀକ ନିର୍ଯାତନାକୁ ଦେଖି ଭାନୁମତୀ ତାଙ୍କ ପାଇଁ ଆଇନଗତ ସହାୟତାର ବ୍ୟବସ୍ଥା କଲେ । ସୁନନ୍ଦାଙ୍କର ଭାଇ ଓ ସେମାନଙ୍କର ସାବାଳକ ପିଲାମାନଙ୍କ ବିରୋଧରେ ଇଣ୍ଡିଆନ୍ ପେନାଲ କୋଡ୍‌ର ବିଭିନ୍ନ ଧାରା ଅନୁସାରେ ଏକ ମାମଲା ରୁଜୁ କରାଗଲା।

ସେହି ମାମଲା ଯୋଗୁ ସୁନନ୍ଦା ଓ ତାଙ୍କର ମା’ଙ୍କୁ ସେମାନଙ୍କର ୭ ଟି କୋଠରୀବିଶିଷ୍ଟ ଘରୁ ୨ଟି ବଳକା କୋଠରୀ ଦିଆଗଲା । ତାଙ୍କ ଭାଇମାନେ ଶାନ୍ତି ପାଇଁ ପ୍ରସ୍ତାବ ଦେଲେ । ଦୁଇ ଭଉଣୀ ସେମାନଙ୍କୁ ଓ ସୁନନ୍ଦାଙ୍କୁ ସମର୍ଥନ କରିବା ମଧ୍ୟରେ ଫଶି ଯାଇଥିଲେ । ସାମୟିକ ଭାବେ ଶାନ୍ତି ପ୍ରତିଷ୍ଠା ହେଲା ।

ସୁନନ୍ଦା କହନ୍ତି, “ ଯଦି ମୁଁ ମୋର ବିକଳ୍ପକୁ ପୂର୍ବରୁ ଜାଣିଥାନ୍ତି ତା’ ହେଲେ ଜୀବନ କିଛି ଭିନ୍ନ ହୋଇଥାନ୍ତା ।’’

ସେହି “ପୂର୍ବ’’ ସମୟ ହେଉଛି ମାର୍ଚ୍ଚ ୨୦୦୭ । ସେତେବେଳେ ୨୭ ବର୍ଷ ହୋଇଥିବା ସୁନନ୍ଦାଙ୍କୁ ବିଶ୍ୱଜିତ ଧଳ ନିର୍ଦ୍ଦୟ ଭାବେ ଆକ୍ରମଣ କରିଥିଲେ । ଏକଦା ଖୁବ୍ ସୌମ୍ୟ, ପରେ ନିରନ୍ତର  ଏବଂ ଶେଷରେ କ୍ରୋଧିତ ପ୍ରେମିକ ଜଣକ ସୁନନ୍ଦାଙ୍କୁ ସେ ଦଶମ ଶ୍ରେଣୀରେ ପଢୁଥିବା ସମୟରୁ ପିଛା କରି ଆସୁଥିଲେ । ସେ ସୁନନ୍ଦାଙ୍କ ଉଦ୍ଦେଶ୍ୟରେ ହ୍ୱିସିଲ ବଜାଉଥିଲେ, ତାଙ୍କ ଆଡକୁ ଚିଠି ଫିଙ୍ଗୁଥିଲେ, ତାଙ୍କ ମୁହଁ ଉପରକୁ ଟର୍ଚ୍ଚ ଲାଇଟ୍ ପକାଉଥିଲେ, ରାସ୍ତାରେ ସେ ଯାଉଥିବା ସମୟରେ ଗୀତ ଗାଉଥିଲେ । ଭୟଭୀତ ହୋଇ ସୁନନ୍ଦା ତାଙ୍କ ମା’ଙ୍କୁ ଏହା ଗୁପ୍ତ ଭାବରେ ଜଣାଇଥିଲେ । କିନ୍ତୁ ତାଙ୍କ ମା’ ଏଭଳି ବ୍ୟବହାର ପ୍ରଦର୍ଶନ ଭଲ ଉଦ୍ଦେଶ୍ୟରେ ହୋଇଥିବା କଥା କହିଲେ । ସୁନନ୍ଦା କହନ୍ତି, ‘‘ମୁଁ ତାଙ୍କର ଉପସ୍ଥିତିକୁ ଉପଭୋଗ କରିବା ଆରମ୍ଭ କଲି । ତାହା ମୋତେ ଖୁସି ଦେଲା।’’ ସେହି ଉତ୍ସାହବଶତଃ ସୁନନ୍ଦା ସେତେବେଳେ ବିଶ୍ୱଜିତ୍ ତାଙ୍କଠାରୁ ବୟସରେ ୨୦ ବର୍ଷ ବଡ଼ ବା ସେ ବେରୋଜଗାର ହୋଇଥିବା କଥା କିଛି ଚିନ୍ତା କଲେନାହିଁ ।

ତେବେ ସୁନନ୍ଦାଙ୍କର ସେହି ଉତ୍ସାହ ଚୁରଚୁର ହୋଇଗଲା ଯେତେବେଳେ ତାଙ୍କ ପରିବାର ଲୋକେ ପ୍ରଥମେ ବିବାହ କଥା ଉଠାଇଲେ । ସୁନନ୍ଦା ମନେପକାନ୍ତି, ‘‘ ତାଙ୍କର ଭଉଣୀ କହିଲେ କି ମୁଁ ଅସୁନ୍ଦର ଏବଂ ତାଙ୍କ ଭାଇକୁ ଫଶାଇ ଦେଇଛି ।’’ ଜଣେ ଅଳ୍ପ ବୟସର ଝିଅ ପାଇଁ ଯିଏକି ସେତେବେଳ ଯାଏ ବାପା ମା’ ଓ ଭାଇଭଉଣୀଙ୍କ ଦ୍ୱାରା ଗେହ୍ଲା ହେଉଥିଲା, ତା’ ପାଇଁ ଏହି କଥା ଅଗ୍ରହଣୀୟ ଥିଲା । ସେ ଧୀରେ ଧୀରେ କହିଲେ, ‘‘ ମୋତେ ଶୂନ୍ୟ ହୋଇଗଲା ଭଳି ଲାଗିଲା।’’ ବିଶ୍ୱଜିତ୍ ଦୃଢ ରହିଲେ, କିନ୍ତୁ ତା’ ପରଠାରୁ ସୁନନ୍ଦା ବି ପଛଘୁଞ୍ଚା ଦେଲେନାହିଁ ।

‘‘ ସେ ମୋତେ ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିବାକୁ ଉଦ୍ୟମ କଲେ । ଅନେକ ପୃଷ୍ଠାବ୍ୟାପୀ ଚିଠି ଲେଖି ମୋ’ ପାଇଁ ସବୁଦିନ ଅପେକ୍ଷା କରିବେ ବୋଲି କହିଲେ । ସେ ମୋ ବାପାଙ୍କ ପାଖକୁ ମଧ୍ୟ ମଧ୍ୟସ୍ଥି ପଠାଇଲେ, କିନ୍ତୁ ମୋର ଗଢଣ ପାଇଁ ମୋତେ ଅପମାନିତ କରିଥିବା ଏକ ପରିବାରରେ ବିବାହ ନ କରିବାକୁ ମୁଁ ସିଦ୍ଧାନ୍ତ ନେଇଥିଲି ।’
ସ୍ୱାଧୀନତା ସଂଗ୍ରାମୀ ଥିବା ଜେଜେବାପା ସୌର୍ଯ୍ୟଚରଣ ସାହୁଙ୍କ ସ୍ମୃତିକୁ ମନେ ପକାଇ ସେ ମନକୁ ଆହୁରି ଦୃଢ କଲେ । ସୁନନ୍ଦା କହନ୍ତି, ‘‘ ତାଙ୍କୁ ଲଜ୍ଜିତ କରିବା ଭଳି କୌଣସି କାମ କରିବାକୁ ମୁଁ କେବେହେଲେ ଚିନ୍ତା କରିନାହିଁ ।’’

ତେବେ ନିରନ୍ତର ଭାବେ ବିବାହ ପାଇଁ ମନା କରିବାରୁ ପ୍ରତିଶୋଧ ନେବାପାଇଁ ୨୦୦୭ରେ ତାଙ୍କ ଉପରେ ଆକ୍ରମଣ କରାଗଲା । ଦିନେ ରାତିରେ ସେ ଘରୁ ଶୌଚ ହେବାକୁ ନିକଟସ୍ଥ ବିଲକୁ ଯାଇଥିବାବେଳେ ତାଙ୍କର ଗଳାକୁ କେହି ଜଣେ ଜୋର୍‌ରେ ଧରିଥିବା ସେ ଅନୁଭବ କଲେ ।

PHOTO • Puja Awasthi

ସେ ଯେଉଁ ସିଲାଇ ମେସିନ୍ ବ୍ୟବହାର କରୁଛନ୍ତି ତାକୁ ଏକ ଦାତବ୍ୟ ସଂଗଠନ ତାଙ୍କୁ ଦେଇଛି । (ଡାହାଣ) ସିଲାଇ କରିସାରିଥିବା ଉତ୍ପାଦ

ଦୁଇ ଦିନ ପରେ ସେ ତାଙ୍କ ଘରଠାରୁ  ୪କିମି ଦୂରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜକୁ ପାଇଲେ ।  ସେ କହନ୍ତି, ‘‘ ମୋତେ ବଳାତ୍କାର କରାଯାଇଥିଲା କି ନାହିଁ ତାହା ମୋର ମନେନାହିଁ, କିନ୍ତୁ ମୋର ପୋଷାକପତ୍ର ଚିରି ଯାଇଥିଲା । ପୁଲିସ କିଛି ଶୁଣିବାକୁ ମନା କରିଦେଲା । ମୋର କୌଣସି ପରୀକ୍ଷା ମଧ୍ୟ କରାଗଲା ନାହିଁ ।’’ ସୁନନ୍ଦାଙ୍କର ନିଜ ପରିବାର ଲୋକେ ମଧ୍ୟ ପୁଲିସର ସହାୟତା ମାଗିବାର ଆବଶ୍ୟକତାକୁ ଏଡ଼ାଇଗଲେ ।  ସେମାନେ ତାଙ୍କୁ ବିଶ୍ୱଜିତଙ୍କୁ ବିବାହ କରିବାକୁ କହିଲେ । କାରଣ ତାଙ୍କର ଜିଦ୍ ଯୋଗୁ ନଷ୍ଟ ହୋଇଥିବା ତାଙ୍କ ପରିବାରର ସୁନାମକୁ ଭରଣା କରିବାର ତାହା ଏକମାତ୍ର ଉପାୟ ଥିଲା । ସୁନନ୍ଦାଙ୍କ ବିରୋଧରେ ବିଶ୍ୱଜିତଙ୍କର ଜବରଦସ୍ତ ପ୍ରବେଶ ଓ ସମ୍ପତ୍ତି ନଷ୍ଟ ଅଭିଯୋଗ ଯୋଗୁ ସୁନନ୍ଦାଙ୍କ ପରିବାର ଲୋକେ ଏଭଳି ପଦକ୍ଷେପ ନେଇଥିଲେ । ଏଭଳି ଅଭିଯୋଗ ଦ୍ୱାରା ସେମାନେ ମଧ୍ୟ ଏକୁଟିଆ ହୋଇଯିବେ ବୋଲି ଭୟ କରୁଥିଲେ ।

ପୁଲିସର ସହାୟତା ଓ ପରିବାରର ସମର୍ଥନ ଅଭାବରୁ ସୁନନ୍ଦା ବିଶ୍ୱଜିତ୍‌ଙ୍କୁ କାଠଗଡ଼ାରେ ଛିଡ଼ା କରାଇ ପାରିଲେ ନାହିଁ । ତାଙ୍କ ଉପରେ ଆକ୍ରମଣର ୨ ମାସ ପରେ ବିଶ୍ୱଜିତ୍ ଜଣେ ୧୮ ବର୍ଷର ଝିଅକୁ ବାହା ହୋଇଗଲେ ।

ସୁନନ୍ଦାଙ୍କୁ କିନ୍ତୁ ଇତିମଧ୍ୟରେ ତାଙ୍କର ଅନ୍ୟ ଭଉଣୀମାନେ ବାହାହେବାଯାଏ ଘରଠାରୁ ଦୂରରେ ରହିବାକୁ କୁହାଗଲା ।

ପରବର୍ତ୍ତୀ ୩ ବର୍ଷ ଯାଏ ସେ ଆଶ୍ରୟ ଗୃହ ଏବଂ ସଂପର୍କୀୟମାନଙ୍କ ଘରେ ଆଶ୍ରୟ ନେଲେ । ଏହି ସମୟରେ ତାଙ୍କ ପାଇଁ ଏକ ଆଶାର କିରଣ ସୃଷ୍ଟି ହେଲା । ପଡ଼ୋଶୀ ଯାଜପୁର ଜିଲ୍ଳାରେ ଜଣେ ସଂପର୍କୀୟଙ୍କ ଘରେ ରହିବା ସମୟରେ ସେ ସିଲାଇ ଶିଖିଲେ । ଏକ ଦାତବ୍ୟ ସଂଗଠନ ତାଙ୍କୁ ଏକ ସିଲାଇ ମେସିନ୍ ଦେଲା ।

ସେହି ମେସିନ୍ ଏବେ ଗାଁର କମ୍ୟୁନିଟି ସେଣ୍ଟର ସହିତ ଜଡ଼ିତ ଏକ ଧୂଳିପୂର୍ଣ୍ଣ ଘରେ ରହିଛି । ଜାନୁଆରୀ ୨୦୧୬ରେ ପଞ୍ଚାୟତ ପକ୍ଷରୁ ତାଙ୍କୁ ସେହି ସେଣ୍ଟରକୁ ବ୍ୟବହାର କରିବାକୁ ଅନୁମତି ଦିଆଯିବା ପରେ ତାହା ସୁନନ୍ଦାଙ୍କର ୱାର୍କସପ୍ ପାଲଟିଯାଇଛି । ସେଠାରେ ସେ ବ୍ଲାଉଜ୍ ଏବଂ ସାଲୱାର କାମିଜ ସେଟ୍ ସିଲାଇ କରୁଛନ୍ତି । ସେଥିରୁ କିଛି କାନ୍ଥରେ ଟଙ୍ଗାଇଛନ୍ତି । ବଳି ପଡୁଥିବା କପଡ଼ାରୁ ରଙ୍ଗ ଓ ପ୍ରିଣ୍ଟକୁ ମ୍ୟାଚିଂ କରି ସେ ଖୁବ୍ କଷ୍ଟରେ ଗୋଲାକୃତି ପାପୋଛ ମଧ୍ୟ ତିଆରି କରୁଛନ୍ତି ।

ଭଲ ଦିନମାନଙ୍କରେ ତାଙ୍କର ୨୦୦ ଟଙ୍କା ରୋଜଗାର ହୋଇଥାଏ । ଅନ୍ୟ ଦିନମାନଙ୍କରେ ସେ ମାତ୍ର ୨୫ ଟଙ୍କା ପାଇଥାନ୍ତି । । ଛେଳି ବିକ୍ରି କରି ସେ ରୋଜଗାର କରୁଥିବା ଅର୍ଥ ସହିତ ଏହାକୁ ମିଶାଇ ଦେଲେ ତାଙ୍କର ମାସିକ ରୋଜଗାର ପ୍ରାୟ ୩୦୦୦ ଟଙ୍କା ହୋଇଥାଏ। ସେହି ଅର୍ଥ ତାଙ୍କର ୭୫ ବର୍ଷୀୟା ମା’ଙ୍କର ଯତ୍ନ ନେବାପାଇଁ ଯଥେଷ୍ଟ, କିନ୍ତୁ ନିଜ ପାଇଁ ପୋଷାକପତ୍ର କିଣିବାକୁ ତାଙ୍କ ପାଖରେ ଅର୍ଥ ବଳେନାହିଁ । ସେ ଯେଉଁ କମଳା ରଙ୍ଗର ପୋଷାକ ଆଜି ପିନ୍ଧିଛନ୍ତି ତାହା ତାଙ୍କର ଜଣେ ଭଉଣୀଙ୍କଠାରୁ ମାଗି ଆଣିଛନ୍ତି ।

ବିବାହ ତାଙ୍କୁ ସମ୍ମାନ ଆଣିଦେବ ବୋଲି ତାଙ୍କ ମା’ କହିଆସୁଥିବାବେଳେ  ସେ ଏବେ ମଧ୍ୟ ବିବାହକୁ ଏଡ଼ାଇ ଆସୁଛନ୍ତି । ସୁନନ୍ଦା କହନ୍ତି, ‘‘ ବିବାହ ସୁଖର କୌଣସି ଗ୍ୟାରେଣ୍ଟି ନୁହେଁ ।’’

PHOTO • Puja Awasthi

ସୁନନ୍ଦାଙ୍କର ମା’ କନକଲତା ଯିଏକି ତାଙ୍କ ସହ ତାଙ୍କ ପାରିବାରିକ ଘରର ଦୁଇଟି ବଳକା କୋଠରୀରେ ରହୁଛନ୍ତି ।

ଯଦିଓ ପରିବାର ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଦେବା ସୁନନ୍ଦାଙ୍କୁ କଷ୍ଟ ଦେଇଛି, କିନ୍ତୁ ସେ କେବେହେଲେ ଅପରାଧବୋଧ ଅନୁଭବ କରିନାହାନ୍ତି । ସେ କହନ୍ତି, ‘‘ମୁଁ କିଛି ଭୁଲ୍ କରିନାହିଁ ।’’

ଥରେ ପୁଲିସ ମାମଲା ଶେଷ ହୋଇଗଲେ ସେ ତାଙ୍କର ଭାଗ ଜମି ପାଇଁ ଆଇନଗତ ଭାବେ ଲଢିବାକୁ ଯୋଜନା କରିଛନ୍ତି । ସେ ତାଙ୍କ ମା’ଙ୍କୁ ଏକ ଧାର୍ମିକ ଯାତ୍ରାରେ ନେବାକୁ ଚାହାନ୍ତି, ଗୋପାଳନ ପାଇଁ ସେ ଯୋଜନା କରିଛନ୍ତି ଏବଂ ନିଜର ପ୍ରିୟ ଫୁଲ ରଜନୀଗନ୍ଧା ଚାଷ କରିବାକୁ ବି ଆଶା ରଖିଛନ୍ତି । ସେ

ଆଉ କ’ଣ?
ସେ ମଧ୍ୟ ଏକ କୁକୁର ପାଳିବାକୁ ଇଚ୍ଛା ରଖିଛନ୍ତି । ସୁନନ୍ଦା କହିଲେ, ‘କାଳୁ ଭଳି କୁକୁର ପାଳିବି । ଗତବର୍ଷ ସେ ମରିଗଲା ।’’

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Puja Awasthi

Puja Awasthi is a freelance print and online journalist, and an aspiring photographer based in Lucknow. She loves yoga, travelling and all things handmade.

Other stories by Puja Awasthi