“ଗୀତାକୁ କଷ୍ଟ ହେଉଥିଲା, ତାକୁ ଜ୍ଵର ଆସିବା ଭଳି ଲାଗୁଥିଲା ଏବଂ ସେ ଅଚେତ ହୋଇଯାଉଥିଲା । ପରଦିନ ସକାଳକୁ ସେ ଖୁବ୍‌ ବାନ୍ତି କରୁଥିଲା-ମୁଁ ଡରି ଯାଇଥିଲି,”କହନ୍ତି ସତେନ୍ଦର ସିଂହ ।

ପରଦିନ, ରବିବାର, ମେ ୧୭ ତାରିଖ ସୁଦ୍ଧା, ସତେନ୍ଦର ଜାଣି ନଥିଲେ ଯେ କ’ଣ କରିବାକୁ ହେବ । ଗୋଟିଏ ଦାତବ୍ୟ ଟ୍ରଷ୍ଟରେ କାର୍ଯ୍ୟରତ ଜଣେ ଆମ୍ବୁଲାନ୍‌ସ ଡ୍ରାଇଭରଙ୍କୁ ସେ ଫୋନ୍‌ କଲେ ଏବଂ ସେମାନଙ୍କୁ ଟାଟା ମେମୋରିଆଲ ହସ୍‌ପିଟାଲରେ ପହଞ୍ଚାଇବାରେ ସାହାଯ୍ୟ କରିବାକୁ କହିଲେ । ସେମାନେ ସେଠାରେ ପହଞ୍ଚିବା ମାତ୍ରେ ଗୀତାଙ୍କୁ ଆଶୁ ଚିକିତ୍ସା ୱାର୍ଡକୁ ନିଆଗଲା ଏବଂ ଡାକ୍ତରମାନେ ତାଙ୍କର କୋଭିଡ୍‌-୧୯ ସଂକ୍ରମଣ ପରୀକ୍ଷା କଲେ । ସୋମବାର ଦିନ ଆସିଥିବା ତାଙ୍କ ପରୀକ୍ଷଣ ରିପୋର୍ଟରେ ପଜିଟିଭ୍‌ ବୋଲି ଜଣାପଡ଼ିଲା ।

ଗୀତାଙ୍କର ପାକସ୍ଥଳୀରେ କ୍ୟାନ୍‌ସର ହୋଇଥିଲା । ପ୍ରାୟ ଦୁଇ ସପ୍ତାହ ତଳେ ସେ ଓ ସତେନ୍ଦର, କେନ୍ଦ୍ରୀୟ ମୁମ୍ବାଇର ପାରେଲ ଅଞ୍ଚଳରେ ଥିବା ଟାଟା ଦାତବ୍ୟ ହାସପାତାଳ ନିକଟ ଫୁଟ୍‌ପାଥରେ ରହିବାକୁ ଆସିଥିଲେ। କିଛି ସପ୍ତାହ ପୂର୍ବରୁ ସେମାନେ ହାସପାତାଳଠାରୁ ପ୍ରାୟ ୫୦ କିଲୋମିଟର ଦୂର ଡୋମ୍ବିବାଲିରେ ଜଣେ ସଂପର୍କୀୟଙ୍କ ଘରେ ରହୁଥିଲେ। ଅନେକ କାକୁତିମିନତି ହେବା ପରେ ଏବଂ ଖାଦ୍ୟ ଓ ଘରଭଡ଼ା ବାବଦରେଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ହିଁ ସଂପର୍କୀୟଙ୍କ ଘରେ ରହିବା ବନ୍ଦୋବସ୍ତ ହୋଇପାରିଥିଲା ।

ନଭେମ୍ବର ମାସରେ ମହାରାଷ୍ଟ୍ରର କୋଲ୍ହାପୁର ଜିଲ୍ଲା ଅନ୍ତର୍ଗତ ଇଚଲକରଞ୍ଜି ସହରରୁ ମୁମ୍ବାଇକୁ ଆସିଥିଲେ ୪୦ ବର୍ଷୀୟା ଗୀତା ଓ ୪୨ ବର୍ଷୀୟ ସତେନ୍ଦର ସିଂହ । ଇଚଲକରଞ୍ଜିରେ ତାଙ୍କ ବଡ଼ଭାଇ ସୁରେନ୍ଦ୍ରଙ୍କ ସହିତ ରହୁଛନ୍ତି ସେମାନଙ୍କ ୧୬ ବର୍ଷର ପୁଅ ବାଦଲ ଏବଂ ୧୨ ବର୍ଷର ଝିଅ ଖୁସି । ପ୍ରାୟ ଏକ ଦଶନ୍ଧି ତଳେ, ଏହି ପରିବାର ବିହାରର ରୋହତାସ ଜିଲ୍ଲା ଅନ୍ତର୍ଗତ ଦିନାରା ବ୍ଲକ୍‌ର କନିୟାରି ଗାଁରୁ ମହାରାଷ୍ଟ୍ରରେ ରହିବାକୁ ଆସିଥିଲେ । ଗୀତାଙ୍କ ସହ ମୁମ୍ବାଇକୁ ଯିବା ପୂର୍ବରୁ ସତେନ୍ଦର ମାସକୁ ୭,୦୦୦ ଟଙ୍କା ଦରମାରେ ଏକ କଳତନ୍ତ କାରଖାନାରେ କାମ କରୁଥିଲେ ।

ମାର୍ଚ୍ଚରେ ଗୀତା ମୋତେ କହିଥିଲେ, “ଜଲ୍‌ଦି ଫେରିଆସିବୁ ବୋଲି ଆମେ ଆମ ପିଲାମାନଙ୍କୁ କହି ଆସିଥିଲୁ, କିନ୍ତୁ ଏବେ ଆମେ ଜାଣିନୁ ଯେ କେବେ ସେମାନଙ୍କ ମୁହଁ ଦେଖିବୁ ।”

ନଭେମ୍ବରରେ ଯେତେବେଳେ ସେମାନେ ମୁମ୍ବାଇ ଆସିଲେ, ଉତ୍ତର ମୁମ୍ବାଇର ଗୋରେଗାଓଁ ସହରତଳି ଅଞ୍ଚଳରେ ସତେନ୍ଦରଙ୍କ ଜଣେ ସଂପର୍କୀୟ ଭାଇଙ୍କ ଘରେ ରହିଲେ । କିନ୍ତୁ କୋଭିଡ୍‌-୧୯ ସଂକ୍ରମଣ ଭୟରେ ସଂପର୍କୀୟ ଜଣକ ସେମାନଙ୍କୁ ଚାଲିଯିବା ପାଇଁ କହିଲେ । ମାର୍ଚ୍ଚ ୨୦ରେ ମୁଁ ସେମାନଙ୍କୁ ଭେଟିବା ସମୟରେ ଗୀତା ମୋତେ କହିଥିଲେ, “ଆମେ ବିଭିନ୍ନ ଷ୍ଟେସନରେ ଏବଂ (ତା’ ପରେ) ଫୁଟ୍‌ପାଥରେ ରହୁଥିଲୁ।” ତା’ପରେ ସେମାନେ ଡୋମ୍ବିବାଲିକୁ ଚାଲିଯାଇଥିଲେ । (ମୁମ୍ବାଇ ଫୁଟ୍‌ପାଥରେ କର୍କଟ ଆକ୍ରାନ୍ତ ଲକ୍‌ଡାଉନ୍‌ ଦେଖନ୍ତୁ)
Satender and Geeta Singh lived on the footpath for two days, where rats scurry around, before shifting to their relative's place in Dombivali (left). They had moved back to the footpath outside Mumbai's Tata Memorial Hospital two weeks ago (right)
PHOTO • Aakanksha
Satender and Geeta Singh lived on the footpath for two days, where rats scurry around, before shifting to their relative's place in Dombivali (left). They had moved back to the footpath outside Mumbai's Tata Memorial Hospital two weeks ago (right)
PHOTO • Abhinay Lad

ଡୋମ୍ବିବାଲିରେ ସେମାନଙ୍କ ସଂପର୍କୀୟଙ୍କ ଘରକୁ (ବାମ) ଯିବା ପୂର୍ବରୁ ସତେନ୍ଦର ଓ ଗୀତା ସିଂହ ଦୁଇ ଦିନ କାଳ ଫୁଟ୍‌ପାଥରେ ରହିଥିଲେ, ଯେଉଁଠି ଚାରିଆଡ଼େ ମୂଷାମାନେ ବୁଲୁଥିଲେ । ଦୁଇ ସପ୍ତାହ ତଳେ ସେମାନେ ପୁଣି ଟାଟା ମେମୋରିଆଲ ହାସପାତାଳ ବାହାରେ ଥିବା ଫୁଟ୍‌ପାଥକୁ ଫେରି ଆସିଥିଲେ (ଡାହାଣ)

ମାର୍ଚ୍ଚ ଶେଷ ଭାଗରେ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ବି ହାସପାତାଳ ବାହାର ଫୁଟ୍‌ପାଥରେ ରୋଗୀ ଓ ସେମାନଙ୍କ ପରିବାର ରହୁଥିବା ସଂପର୍କରେ PARIରେ ଏକ ଲେଖା ପ୍ରକାଶିତ ହେବା ପରେ, ବ୍ୟକ୍ତିଗତ ଭାବେ କେତେକ ଦାତାଙ୍କ ପାଖରୁ ସେମାନଙ୍କୁ କିଛି ଅର୍ଥ ମିଳିଥିଲା । ଗୀତାଙ୍କ କେମୋଥେରାପି ଏବଂ ଡାକ୍ତରୀ ପରୀକ୍ଷଣ ନିମନ୍ତେ ସୁଦୂର ଡୋମ୍ବିବାଲିରୁ ଯାଇ ହାସପାତାଳରେ ପହଞ୍ଚିବା ଲାଗି ଗୋଟିଏ ଦାତବ୍ୟ ଟ୍ରଷ୍ଟ୍‌ ପକ୍ଷରୁ ଗୀତା ଓ ସତେନ୍ଦରଙ୍କୁ ଆମ୍ବୁଲାନ୍‌ସ ସହାୟତା ପ୍ରଦାନ କରାଗଲା ।

କିନ୍ତୁ ମୁମ୍ବାଇ ନଗରୀରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିବାରୁ ସେହି ଆମ୍ବୁଲାନ୍‌ସକୁ ଅନ୍ୟ ରୋଗୀଙ୍କ ନେବାଆଣିବାରେ ନିୟୋଜିତ କରାଗଲା। ସତେନ୍ଦର ଓ ଗୀତା ବସ୍‌ରେ ଯା’ଆସ କରିବା ଆରମ୍ଭ କଲେ। ଗୀତାଙ୍କ କେମୋଥେରାପି ପାଇଁ ଗତ ଦୁଇ ମାସ ଭିତରେ ସେମାନେ ପାରେଲକୁ ୭-୮ ଥର ଯାତ୍ରା କରିଥିଲେ । ଏବଂ ଡାକ୍ତରୀ ପରୀକ୍ଷା, ସିଟି ସ୍କାନିଂ ଏବଂ ଅନ୍ୟାନ୍ୟ ପରୀକ୍ଷଣ ପାଇଁ ଆହୁରି ଅନେକ ଥର ଯା’ଆସ କରିଥିଲେ ।

ଯିବାଆସିବା କରିବା ଖୁବ୍‌ କଷ୍ଟକର ଥିଲା । ସେମାନେ ସକାଳ ୬ଟା ୩୦ରେ ଘରୁ ବାହାରନ୍ତି, ରାଜ୍ୟ ପରିବହନ ବିଭାଗ ବସ୍‌ରେ ପାରେଲ ଯାଏ ଯାଆନ୍ତି, ସେଠାରୁ ‘ବେଷ୍ଟ୍‌’ ବସ୍‌ରେ ଯାଇ ସକାଳ ୯ଟା ୩୦ ପାଖାପାଖି ହାସପାତାଳରେ ପହଞ୍ଚନ୍ତି । କିନ୍ତୁ ଲକ୍‌ଡାଉନ୍‌ ସମୟରେ ଯାତ୍ରା କରିବା ସକାଶେ ଅନିବାର୍ଯ୍ୟ ହୋଇପଡ଼ିଥିବା ସ୍ଥାନୀୟ ପୋଲିସ ଚୌକିର ଅନୁମତି ପତ୍ର ନଥିବାରୁ ଅନେକ ଥର ସେମାନଙ୍କୁ ବସ୍‌ରୁ ବଳପୂର୍ବକ ଓହ୍ଲାଇ ଦିଆଯାଉଥିଲା ଏବଂ ସେତେବେଳେ ପରବର୍ତ୍ତୀ ବସ୍‌କୁ ଅପେକ୍ଷା କରିବାକୁ ପଡୁଥିବାରୁ ତାଙ୍କର ଯା’ଆସ ସମୟ ଆଉ ଘଣ୍ଟାଏ ବଢ଼ି ଯାଉଥିଲା । ସତେନ୍ଦର କହନ୍ତି, “ଆମକୁ ରାସ୍ତା ମଝିରେ ବସ୍‌ରୁ ଓହ୍ଲାଇ ଯିବାକୁ କୁହାଯାଉଥିଲା । ମୁଁ ହାସପାତାଳରୁ ଚିଠିଟିଏ ପାଇଥିଲି, କିନ୍ତୁ ବସ୍‌ କଣ୍ଡକ୍ଟର ସରକାରୀ ଅଫିସର ଦେଇଥିବା ପାସ୍‌ ଚାହୁଁଥିଲେ । ବସ୍‌ରେ ଜଣେ ରୋଗୀ ଯାଉ ବୋଲି କେହି ଚାହୁଁ ନଥିଲେ ।”

ସନ୍ଧ୍ୟାରେ ବି ସେଇ ଲମ୍ବା ଯାତ୍ରାର ପୁନରାବୃତ୍ତି ହେଉଥିଲା - ସେମାନେ ପ୍ରାୟ ସନ୍ଧ୍ୟା ୫ଟାରେ ବାହାରନ୍ତି ଏବଂ ଡୋମ୍ବିବାଲିରେ ପାଖାପାଖି ରାତି ୯ଟା ବେଳକୁ ହିଁ ପହଞ୍ଚନ୍ତି । ଅନେକ ସମୟରେ, ପାରେଲ ବସ୍‌ ଷ୍ଟପ୍‌ ଏବଂ ହାସପାତାଳ ଭିତରେ ଯିବାଆସିବା କରିବା ଲାଗି ସତେନ୍ଦର ଟ୍ୟାକ୍‌ସି ଡ୍ରାଇଭରମାନଙ୍କୁ ନିବେଦନ କରନ୍ତି । ଏମିତି ଯିବାଆସିବାରେ ଦିନକୁ ଅତି କମ୍‌ରେ ୫୦୦ ଟଙ୍କା ଖର୍ଚ୍ଚ ହୁଏ ବୋଲି ସେ କହନ୍ତି ।

ଗୀତାଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ହାସପାତାଳ ତୁଲାଏ ଏବଂ ବାକି ସତେନ୍ଦରଙ୍କ ସଞ୍ଚୟରୁ ଖର୍ଚ୍ଚ ହୁଏ। ତାଙ୍କ ହିସାବ ଅନୁସାରେ ଏ ପର୍ଯ୍ୟନ୍ତ ସେ ଅନ୍ୟୂନ ୨୦,୦୦୦ ଟଙ୍କା ଖର୍ଚ୍ଚ କରିସାରିଲେଣି ।

ସତେନ୍ଦର କହନ୍ତି, ଏପ୍ରିଲ ଶେଷ ଭାଗରେ ଗୀତାଙ୍କୁ ଦିଆଯାଉଥିବା ଏକ ଔଷଧର ଭୀଷଣ ପ୍ରତିକ୍ରିୟା ହେଲା, ତାଙ୍କ ଶରୀର ଉପରକୁ ଉଠିଲା ଭଳି ହେଲା ଏବଂ ସେ କିଛି ଖାଇପାରିଲେ ନାହିଁ । ତାଙ୍କ ଶରୀରରେ ଖାଦ୍ୟ ପ୍ରବେଶ କରାଇବା ଲାଗି ଡାକ୍ତରମାନେ ନାକରେ ଏକ ନଳି ଲଗାଇଲେ । ସେଥିରୁ ବି ବେଶୀ କିଛି ସୁଫଳ ମିଳିଲାନି ଏବଂ ଗୀତା ଏବେ ବି ଅଧିକ ଖାଦ୍ୟ ହଜମ କରିବାରେ ଅକ୍ଷମ । ସବୁଦିନ ଯା’ଆସ କରିବା ପ୍ରାୟ ଅସମ୍ଭବ ଥିଲା ଏବଂ ଏହାକୁ ଅବ୍ୟାହତ ରଖିବାରେ ଅସମର୍ଥ ହୋଇ ସତେନ୍ଦର ଆଖପାଖରେ ଏକ ଆଶ୍ରୟସ୍ଥଳ ଖୋଜିବା ଲାଗି ହାସପାତାଳ କର୍ମଚାରୀମାନଙ୍କୁ କହିଲେ। ସେ କହନ୍ତି, “କୌଣସି କୋଠରି ଖାଲି ନାହିଁ ବୋଲି ମତେ କୁହାଯାଇଥିଲା ।”

ଇଚଲକରଞ୍ଜିରେ ରହୁଥିବା ତାଙ୍କ ଭାଇଙ୍କ ସହାୟତାରେ ମେ ୫ ତାରିଖ ଦିନ, ସେ ଜଣେ ସରକାରୀ ଅଧିକାରୀଙ୍କଠାରୁ ଚିଠି ପାଇଲେ ଯେଉଁଥିରେ ସେମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳର ଆବଶ୍ୟକତା କଥା ଲେଖା ରହିଥିଲା । ସତେନ୍ଦର କହନ୍ତି, “ମୁଁ ଭାବିଲି ଏବେ ହୁଏତ କେହି ମୋ କଥା ଶୁଣିବେ ଏବଂ ମୋତେ ସାହାଯ୍ୟ କରିବେ, କିନ୍ତୁ ମୁଁ ଜାଣିନି, କ’ଣ କହିବି... । ”

For a while, a charitable trust offered ambulance assistance to Geeta and Satendar to reach the hospital from faraway Dombivali

କିଛି ଦିନ ପାଇଁ, ସୁଦୂର ଡୋମ୍ବିବାଲିରୁ ହାସପାତାଳ ଯାଏଁ ଯିବା ପାଇଁ ଗୀତା ଓ ସତେନ୍ଦରଙ୍କୁ ଏକ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍‌ସ ଯୋଗାଇ ଦିଆଗଲା

ଏହି ଦମ୍ପତିଙ୍କୁ ସହାୟତା କରିଆସୁଥିବା ଆମ୍ବୁଲାନ୍‌ସ ଡ୍ରାଇଭର ଅଭିନୟ ଲାଡ କହନ୍ତି, “ଆମେ ସେଇ ଚିଠିକୁ ନେଇ କେତେକ ଆଶ୍ରୟ ଗୃହକୁ ଗଲୁ, କିନ୍ତୁ କୌଣସି ନୂଆ ରୋଗୀଙ୍କୁ ନ ରଖିବା ପାଇଁ ବିଏମ୍‌ସି ଓ ପୋଲିସ କଡ଼ା ତାଗିଦ କରିଥିବା କଥା କହି ସେମାନେ ଆମକୁ ଫେରାଇ ଦେଲେ । ସେମାନଙ୍କର ବାଧ୍ୟବାଧକତା କଥା ବି ଆମେ ବୁଝିପାରୁଛୁ ।” 

ତା ପରେ ହିଁ, ଅନ୍ୟ କୌଣସି ବିକଳ୍ପ ଉପାୟ ନଥିବାରୁ ପ୍ରାୟ ୧୦ ଦିନ ତଳେ, ସତେନ୍ଦର ଓ ଗୀତା ଟାଟା ମେମୋରିଆଲ ହାସପାତାଳ ବାହାର ଫୁଟ୍‌ପାଥ୍‌ରେ ରହିବା ପାଇଁ ଫେରିଆସିଲେ । ପୂର୍ବରୁ ତାଙ୍କ ପାଇଁ ଆମ୍ବୁଲାନ୍‌ସ ବ୍ୟବସ୍ଥା କରିଥିବା ଦାତବ୍ୟ ଟ୍ରଷ୍ଟ୍‌ (ଜୀବନ ଜ୍ୟୋତି କ୍ୟାନ୍‌ସର ରିଲିଫ ଆଣ୍ଡ କେୟାର ଟ୍ରଷ୍ଟ୍‌) ହିଁ ସେମାନଙ୍କୁ ଖାଇବାକୁ ଦେଉଥିଲା ।

ଗୀତାଙ୍କର କୋଭିଡ୍‌-୧୯ ପରୀକ୍ଷଣ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ହାସପାତାଳର ପୃଥକ୍‌ବାସ କୋଠରିକୁ ନିଆଗଲା । ସତେନ୍ଦର କହିଲେ, “ଏମିତି କି ସେ ଚାଲି ପାରୁ ନଥିଲା । ମୁଁ ତାକୁ ଏଇ ଅବସ୍ଥାରେ ଛାଡ଼ି ପାରିବି ନାହିଁ । ତା ଦେହରେ ଏବେ ପାଇପ୍‌ଗୁଡ଼ିଏ ଲାଗିଛି ।”

ଟାଟା ମେମୋରିଆଲ ହାସପାତାଳଠାରୁ ପ୍ରାୟ ତିନି କିଲୋମିଟର ଦୂର କସ୍ତୁରବା ହାସପାତାଳରେ ପରୀକ୍ଷା କରାଇବାକୁ ତାଙ୍କୁ ମଧ୍ୟ କୁହାଗଲା । କିନ୍ତୁ ସେ ତାଙ୍କ ସ୍ତ୍ରୀ ସହ ରହିବା ଲାଗି ଅଡ଼ି ବସିଲେ । ମେ ୨୧ରେ ଟାଟା ହାସପାତାଳରେ ହିଁ ତାଙ୍କର ପରୀକ୍ଷଣ କରାଗଲା, ଏବଂ ମେ ୨୩ ତାରିଖ, ଶନିବାର ସନ୍ଧ୍ୟାରେ ପରୀକ୍ଷଣ ରିପୋର୍ଟ ଆସିଲା ଯେ ସେ ମଧ୍ୟ କୋଭିଡ୍‌-19 ରୋଗ ସଂକ୍ରମିତ ହୋଇଥିଲେ । ପୃଥକ୍‌ବାସ ୱାର୍ଡରେ ଗୀତାଙ୍କ ପାଖ ବେଡ୍‌ରେ ସତେନ୍ଦର ରହି ଆସୁଛନ୍ତି ।

ସେ ଦୁର୍ବଳ ଅନୁଭବ କରିଆସୁଛନ୍ତି ଏବଂ ଏଣେତେଣେ ଦୌଡ଼ାଦୌଡ଼ି କରିବା ଏବଂ ଅନେକ ରାତି ଅନିଦ୍ରା ରହିବା ଏହାର କାରଣ ବୋଲି କହନ୍ତି । ସେ କହନ୍ତି, “ମୁଁ ଭଲ ହୋଇଯିବି ।” ଗୀତା ନେଗେଟିଭ୍‌ ହେବା ପରେ ହିଁ ତାଙ୍କର ଅସ୍ତ୍ରୋପଚାର ସମ୍ଭବ ବୋଲି ତାଙ୍କୁ କୁହାଯାଇଛି ।

ଗୀତାଙ୍କ ଚିକିତ୍ସା କଥା ବୁଝୁଥିବା ହାସପାତାଳର ସର୍ଜିକାଲ ଅଙ୍କୋଲୋଜି ବିଭାଗର ସିନିଅର ରେସିଡେଣ୍ଟ ଡାକ୍ତର ଯୋଗେଶ ବାଂସୋଡ କହନ୍ତି ଯେ ତାଙ୍କର ସଂପୂର୍ଣ୍ଣ ଗାଷ୍ଟେରେକ୍ଟୋମୀ ସର୍ଜରୀ ବା ପାକସ୍ଥଳୀ ବାହାର କରିଦେବା ଲାଗି ଅସ୍ତ୍ରୋପଚାର, ଆବଶ୍ୟକ । ଫୋନ୍‌ରେ କଥା ହେବା ବେଳେ ସେ କହିଲେ, “ତାଙ୍କ ଶରୀରରେ ହେମୋଗ୍ଲୋବିନ୍‌ ଯେତିକି ରହିବା କଥା ତା’ର ଅଧା ବି ନାହିଁ । ଏତେ କମ୍‌ ସ୍ତରରେ ହେମୋଗ୍ଲୋବିନ୍‌ ଥିବା ବେଳେ ଅସ୍ତ୍ରୋପଚାର କରିବା ବିପଜ୍ଜନକ ହେବ। ତାଙ୍କ ଶ୍ଵାସନଳୀରେ ସଂକ୍ରମଣ ସମ୍ଭାବନା ବି ହ୍ରାସ ପାଇବା ଦରକାର । କୋଭିଡ୍‌ ତାଙ୍କର ବେଶୀ କ୍ଷତି ନକରୁ ବୋଲି ଆମେ କେବଳ ଆଶା କରିବା ।”

କୋଭିଡ୍‌-୧୯ ପରୀକ୍ଷଣ ଫଳାଫଳ ସଂପର୍କରେ ସତେନ୍ଦର ତାଙ୍କ ୧୬ ବର୍ଷୀୟ ପୁଅ ବାଦଲକୁ କହିଥିଲେ । ସେ କହନ୍ତି, “ମୁଁ ମୋ ଝିଅକୁ କହିଲେ, ସେ କିଛି ବୁଝିବନି ଏବଂ ଖାଲି କାନ୍ଦିବ । ସେ ଏବେ ଛୋଟପିଲା । ସେମାନେ ଆମକୁ ଦେଖିବାର କେଇ ମାସ ବିତିଗଲାଣି । ମୁଁ କହିଛି ଯେ ଆମେ ଶୀଘ୍ର ଫେରିଆସିବୁ । ମୁଁ ଜାଣିନି, ମୁଁ ମିଛ କହୁଛି କି ନାହିଁ... ।”

ସେଇ ଦିନ ଯାଏ ଘରର ସବୁକଥା ବୁଝିବ ବୋଲି ବାଦଲ ତା ବାପାଙ୍କୁ କଥା ଦେଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Aakanksha

ଆକାଂକ୍ଷା (ସେ କେବଳ ତାଙ୍କର ପ୍ରଥମ ନାମ ବ୍ୟବହାର କରିବାକୁ ପସନ୍ଦ କରନ୍ତି) ପରୀରେ ଆସିଷ୍ଟାଣ୍ଟ କଣ୍ଟେଣ୍ଟ କୋର୍ଡିନେଟର୍‌ ଭାବେ କାମ କରନ୍ତି ।

Other stories by Aakanksha