ଶିବପୂଜନ ପାଣ୍ଡେ ଅନ୍ୟ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କଠାରୁ ଫୋନ କଲ୍‌ ପାଇବା ପରେ ତୁରନ୍ତ ଏକ ତତ୍କାଳ ଟ୍ରେନ୍ ଟିକେଟ୍ ବୁକ୍ କରିଥିଲେ ଏବଂ ଉତ୍ତର ପ୍ରଦେଶର ମିର୍ଜାପୁର ଷ୍ଟେସନରୁ ଜୁଲାଇ ୪ ତାରିଖରେ ଟ୍ରେନ୍ ଧରିଥିଲେ।

ପରଦିନ ସେ ମୁମ୍ବାଇରେ ପହଞ୍ଚିଥିଲେ। ଏତେ ତରବର ହୋଇ ପହଞ୍ଚିବା ସତ୍ତ୍ୱେ ୬୩ ବର୍ଷୀୟ ଶିବପୂଜନ ତାଙ୍କ ଟ୍ୟାକ୍ସିକୁ ବଞ୍ଚାଇ ପାରିନଥିଲେ।

ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ ପକ୍ଷରୁ ଏହାକୁ ନିଲାମ କରି ଦିଆଯାଇଥିଲା।– ମହାମାରୀ ଜନିତ ଲକଡାଉନ କାରଣରୁ ଅନେକ ମାସ ପର୍ଯ୍ୟନ୍ତ ମହାନଗରର ବିମାନ ବନ୍ଦରରେ ବିନା ଯାତ୍ରୀରେ ପଡ଼ି ରହିଥିବା ୪୨ଟି ଟ୍ୟାକ୍ସି ମଧ୍ୟରୁ ଏହା ଥିଲା ଅନ୍ୟତମ।

ଏମିତି ଭାବେ ଶିବପୂଜନ ତାଙ୍କର ଜୀବିକା ହରାଇଲେ- ସେ ୧୯୮୭ ଠାରୁ ଟ୍ୟାକ୍ସି ଚଳାଇ ଆସୁଛନ୍ତି ଏବଂ ୨୦୦୯ରେ ଋଣ ନେଇ ସେ ନିଜର କଳା-ହଳଦିଆ ମାରୁତି ଓମ୍ନି କିଣିଥିଲେ।

“ଏହା କରିବା ପରେ ସେମାନେ କ’ଣ ପାଇଛନ୍ତି?” ଦିନେ ଅପରାହ୍ଣରେ ସହାର ବିମାନ ବନ୍ଦର ନିକଟବର୍ତ୍ତୀ ଫୁଟପାଥରେ ଛିଡ଼ା ହୋଇ ସେ ଅସନ୍ତୁଷ୍ଟ ହୋଇ ପଚାରିଥାନ୍ତି। “ଏହି କାମ କରି ମୁଁ ମୋ ସାରା ଜୀବନ ବିତାଇ ଦେଇଛି। ଆମ ପାଖରେ ଅଳ୍ପ ଯାହା କିଛି ଥିଲା ସେମାନେ ଛଡ଼ାଇ ନେଲେ। ବର୍ତ୍ତମାନ ସେମାନେ ଆମର ସବୁଠୁ ବଡ଼ କ୍ଷତି କରିଛନ୍ତି।”

ନିକଟରେ ସଞ୍ଜୟ ମାଲି ମଧ୍ୟ ଏପରି କଠୋର ଜୋରିମାନାର ଶିକାର ହୋଇଛନ୍ତି। ତାଙ୍କର ୱାଗନ ଆର ‘କୁଲ୍ କ୍ୟାବ’ ମାର୍ଚ୍ଚ ୨୦୨୦ ପରଠାରୁ ହିଁ ଉତ୍ତର ମୁମ୍ବାଇର ମରୋଲ ଇଲାକାସ୍ଥିତ ଆନ୍ନାୱାଡ଼ିର ଏକ ପାର୍କିଂରେ ଛିଡ଼ା ହୋଇଥିଲା, ଏହି ସ୍ଥାନ ସହାର ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ବେଶୀ ଦୂରରେ ନଥିଲା।

୨୯ ଜୁନ୍, ୨୦୨୧ ରାତିରେ ତାଙ୍କ କାରକୁ ପାର୍କିଂ ସ୍ଥଳରୁ ହଟାଇ ଦିଆଗଲା। ପରଦିନ ଜଣେ ବନ୍ଧୁ ତାଙ୍କୁ ସୂଚନା ଦେଲେ। ୪୨ ବର୍ଷୀୟ ସଞ୍ଜୟ କୁହନ୍ତି ଯେ, “ମୁଁ ଜାଣିନାହିଁ ଯେ କ’ଣ ହେବ”।

Despite the frantic dash back to Mumbai from UP,  Shivpujan Pandey (left) could not save his cab. Sanjay Mali (right) too faced the same penalty
PHOTO • Vishal Pandey
Despite the frantic dash back to Mumbai from UP,  Shivpujan Pandey (left) could not save his cab. Sanjay Mali (right) too faced the same penalty
PHOTO • Aakanksha

ଉତ୍ତର ପ୍ରଦେଶରୁ ମୁମ୍ବାଇ ଏତେ ତରବର ହୋଇ ପହଞ୍ଚିବା ସତ୍ତ୍ୱେ ଶିବପୂଜନ ପାଣ୍ଡେ (ବାମ) ତାଙ୍କ ଟ୍ୟାକ୍ସିକୁ ବଞ୍ଚାଇ ପାରିନଥିଲେ। ସଞ୍ଜୟ ମାଲି (ଡାହାଣ) ମଧ୍ୟ ଏଭଳି ସ୍ଥିତିର ସାମ୍ନା କରିଥିଲେ

ସେ ଏବଂ ଅନ୍ୟ ଟ୍ୟାକ୍ସି ଡ୍ରାଇଭରମାନେ ଅନୁମାନ କରନ୍ତି ଯେ, ମାର୍ଚ୍ଚ ୨୦୨୦ରେ ଲକଡାଉନ ଆରମ୍ଭ ହେବା ବେଳକୁ, ଏଠାରେ ପାଖାପାଖି ୧୦୦୦ ଟ୍ୟାକ୍ସି ଛିଡ଼ା ହେଉଥିଲା। ସଞ୍ଜୟ କୁହନ୍ତି, “ଆମେ କାମ ସମୟରେ ନିଜ ଟ୍ୟାକ୍ସି ଏଠାରୁ ନେଇ ଯାଉଥିଲୁ ଏବଂ କାମ ସରିବା ପରେ ପୁଣି ଥରେ ଏଠାରେ ଟ୍ୟାକ୍ସି ରଖି ଦେଉଥିଲୁ।” ସେ ବହୁ ବର୍ଷ ଧରି ଏଠାରେ ନିଜର ଟ୍ୟାକ୍ସି ଛିଡ଼ା କରୁଛନ୍ତି। ଡ୍ରାଇଭରମାନେ କୁହନ୍ତି ଯେ, ସେମାନଙ୍କ ସଂଘ ମାଧ୍ୟମରେ ଏହି ପାର୍କିଂ ସ୍ଥଳୀର ଚୟନ କରାଯାଇଥିଲା। ଏଥିପାଇଁ ବିମାନବନ୍ଦର ପ୍ରାଧିକରଣ ସେମାନଙ୍କଠାରୁ ଶୁଳ୍କ ନେଉନଥିଲା, କିନ୍ତୁ ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ଠାରୁ ନିଆଯାଉଥିବା ଟ୍ୟାକ୍ସି ଭଡ଼ାରେ ଅତିରିକ୍ତ ୭୦ ଟଙ୍କା ଯୋଡ଼ି ଦିଆଯାଉଥିଲା।

ମାର୍ଚ୍ଚ ୨୦୨୦ ଆରମ୍ଭରେ ସଞ୍ଜୟ ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲା ଅଧୀନ ଔରଇ ତାଲୁକା ଅନ୍ତର୍ଗତ ନିଜ ଗ୍ରାମ ଔରଙ୍ଗାବାଦକୁ ତାଙ୍କର ଇଲେକ୍ଟ୍ରିସିଆନ ଭାଇ ଏବଂ ଭଉଣୀଙ୍କ ବାହାଘର ପ୍ରସ୍ତୁତି ପାଇଁ ଯାଇଥିଲେ। ହଠାତ୍ ଲକଡାଉନ ଲାଗୁ ହୋଇଗଲା, ତେଣୁ ସେ ମୁମ୍ବାଇ ଫେରି ଆସିପାରିଲେ ନାହିଁ।

ଅନ୍ୟପଟେ ତାଙ୍କ ଟ୍ୟାକ୍ସି ଆନ୍ନାୱାଡ଼ିର ପାର୍କିଂ ସ୍ଥାନରେ ଛିଡ଼ା ହୋଇ ରହିଲା। ସେ ଭାବିଥିଲେ ଯେ ତାଙ୍କ ଗାଡ଼ି ସେଠାରେ ସୁରକ୍ଷିତ ରହିବ। ସେ କୁହନ୍ତି, “ଏମିତି ହେବ ବୋଲି ମୁଁ କେବେ ସୁଦ୍ଧା ଭାବିନଥିଲି। ଲକଡାଉନ ସମୟ ଥିଲା ଏବଂ ମୁଁ ସେତେବେଳେ ଅନ୍ୟ କିଛି ଭାବୁଥିଲି।”

୨୦୨୦ ଜାନୁଆରୀ ମାସରେ ସଞ୍ଜୟ ନିଜ ଟ୍ୟାକ୍ସି ବନ୍ଧକ ରଖି, ବାହାଘର ପାଇଁ ଏକ ଲକ୍ଷ ଟଙ୍କା ଋଣ ନେଇଥିଲେ। ଲକଡାଉନରେ ଚଳିବା ଲାଗି ତାଙ୍କ ପରିବାର ସଞ୍ଚିତ ଅର୍ଥ, ନିଜର ଛୋଟିଆ ଚାଷ ଜମିରେ ଲଗାଇଥିବା ଧାନ ଓ ଗହମ ଫସଲ ଏବଂ ଅନ୍ୟ ଛୋଟମୋଟ କରଜ ଉପରେ ନିର୍ଭର କରିଥିଲା।

ସଞ୍ଜୟଙ୍କ ଭଉଣୀ ବାହାଘର ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଘୁଞ୍ଚିଗଲା। ସେ ଗାଁରେ ହିଁ ଅଟକି ରହିଲେ । ମାର୍ଚ୍ଚ ୨୦୨୧ରେ ଫେରିବା ଲାଗି ତାଙ୍କର ଯୋଜନା ପୁଣିଥରେ ଘୁଞ୍ଚିଗଲା, କାରଣ ସେତେବେଳକୁ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇସାରିଥିଲା। ଚଳିତ ବର୍ଷ ମଇ ମାସ ଶେଷରେ ସଞ୍ଜୟ ଏବଂ ତାଙ୍କ ପରିବାର ମୁମ୍ବାଇ ଫେରି ଆସିଲା।

ଜୁନ ୪ ତାରିଖରେ ସେ ନିଜର ଟ୍ୟାକ୍ସି ଆଣିବା ପାଇଁ ଯିବା ବେଳେ ଆନ୍ନାୱାଡ଼ିର ପାର୍କିଂ ଗେଟ୍ ବନ୍ଦ ଥିବା ଦେଖିବାକୁ ପାଇଲେ। ସୁରକ୍ଷାକର୍ମୀମାନେ ତାଙ୍କୁ କହିଲେ ଯେ ଗେଟ୍ ଖୋଲିବା ଲାଗି ତାଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ଆଣିବାକୁ ହେବ। ପରଦିନ ୫ ଜୁନରେ ସଞ୍ଜୟ ବିମାନବନ୍ଦର ଟର୍ମିନାଲରେ ଥିବା ଅଫିସରେ ଏକ ଆବେଦନ ପତ୍ର ଜମା କଲେ। ସେଥିରେ ସେ ନିଜ ଅନୁପସ୍ଥିତିର କାରଣ ଏବଂ ବିବରଣୀ ପ୍ରଦାନ କଲେ। ନିଜ ଟ୍ୟାକ୍ସି ବାହାର କରିବା ଲାଗି ଅନୁମତି ମାଗିଲେ। ସେ ଏହାର ଫଟୋ କପି ସୁଦ୍ଧା ପ୍ରସ୍ତୁତ କରିନଥିଲେ। କାରଣ ତାଙ୍କ ଠାରୁ ତାଙ୍କର ଟ୍ୟାକ୍ସି ଛଡ଼ାଇ ନିଆଯିବ ବୋଲି ସେ ଚିନ୍ତା ମଧ୍ୟ କରିନଥିଲେ।

The Annawadi parking lot, not far from the Sahar international airport. Hundreds of taxis would be parked here when the lockdown began in March 2020
PHOTO • Aakanksha
The Annawadi parking lot, not far from the Sahar international airport. Hundreds of taxis would be parked here when the lockdown began in March 2020
PHOTO • Aakanksha

ଆନ୍ନାୱାଡ଼ି ପାର୍କିଂ ସ୍ଥାନ, ସହାର ଅନ୍ତର୍ଜାତୀୟ ବିମାନବନ୍ଦରର ଖୁବ ନିକଟରେ ରହିଛି, ମାର୍ଚ୍ଚ ୨୦୨୦ ରେ ଲକଡାଉନ ଆରମ୍ଭ ହେବା ପୂର୍ବରୁ ଏଠାରେ ଶହ ଶହ ଗାଡ଼ି ପାର୍କିଂ କରାଯାଉଥିଲା

ସେ ବିମାନବନ୍ଦର ଅଫିସ ଏବଂ ପାର୍କିଂ ସ୍ଥଳ, ଉଭୟ ସ୍ଥାନକୁ ତିନି ଚାରି ଥର ଗଲେ। ଏଥିପାଇଁ ସେ ଲୋକାଲ ଟ୍ରେନ୍ ଧରି ପାରିନଥାନ୍ତେ (ଲକଡାଉନ କାରଣରୁ କଟକଣା ଲାଗୁ ହୋଇଥିଲା) ଏବଂ ତାଙ୍କୁ ବସରେ ଯାତ୍ରା କରିବାକୁ ପଡ଼ିଥିଲା। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି  ବସ୍‌ ଅଧିକ ସମୟ ନେଇଥାଏ। ପ୍ରତ୍ୟେକ ଥର ତାଙ୍କୁ ପୁଣିଥରେ ଆସିବା ଲାଗି କୁହାଯାଉଥିଲା। ଶେଷରେ, ସେ କୁହନ୍ତି ଯେ ତାଙ୍କୁ ସୂଚନା ନଦେଇ ତାଙ୍କର ଟ୍ୟାକ୍ସି ନିଲାମ କରି ଦିଆଗଲା।

ସଞ୍ଜୟ ଏବଂ ଅନ୍ୟ ଟ୍ୟାକ୍ସି ଡ୍ରାଇଭର ଜୁନ ୩୦ ତାରିଖରେ ନିଜ ଅଭିଯୋଗ ଦାଖଲ କରିବା ଲାଗି ସହାର ପୁଲିସ ଷ୍ଟେସନକୁ ଯାଇଥିଲେ। ସଞ୍ଜୟ କୁହନ୍ତି, “ସେମାନେ କହିଲେ ଯେ ଆଇନଗତ ପ୍ରକ୍ରିୟାରେ ଏହା କରାଯାଇଛି। ତୁମମାନଙ୍କୁ ନୋଟିସ ପଠାଯିବା ସମୟରେ ହିଁ ଗାଡ଼ି ସେଠାରୁ ନେଇଯିବାର ଥିଲା। କିନ୍ତୁ ମୋତେ କେବେ କୌଣସି ନୋଟିସ ମିଳିନାହିଁ। ମୁଁ ମୋ ପଡ଼ୋଶୀମାନଙ୍କୁ (ମୁମ୍ବାଇରେ) ମଧ୍ୟ ପଚାରିଛି। ଯଦି ମୁଁ ଜାଣିଥାନ୍ତି, ତା’ହେଲେ ମୁଁ କ’ଣ ମୋର ଟ୍ୟାକ୍ସି ସେଠାରୁ ନେଇନଥାନ୍ତି?” ସେ ଆହୁରି କୁହନ୍ତି ଯେ, ଏତେବଡ଼ ଗୋଟିଏ ପଦକ୍ଷେପ ନେବା ପୂର୍ବରୁ ବିମାନବନ୍ଦର କର୍ତ୍ତୃପକ୍ଷ ଲକଡାଉନ ପରିସ୍ଥିତି ଉପରେ ଧ୍ୟାନ ଦେଇନଥିଲେ କି?

ସଞ୍ଜୟ ପୂର୍ବ କଥା ମନେ ପକାଇ କୁହନ୍ତି, “ମୋ ବାପା ନିଜ ରୋଜଗାରରୁ ଏହି ଟ୍ୟାକ୍ସି କିଣିଥିଲେ। ସେ ବହୁ ବର୍ଷ ପର୍ଯ୍ୟନ୍ତ ଇଏମଆଇ କିସ୍ତି ମଧ୍ୟ ଭରିଲେ।” ସଞ୍ଜୟ ପୂର୍ବରୁ ମେକାନିକ କାମ କରୁଥିଲେ, କିନ୍ତୁ ତାଙ୍କ ବାପା ବୟସ୍କ ହୋଇ ସାରିଥିବାରୁ ସେ ୨୦୧୪ରେ ଗାଡ଼ି ଚଲାଇବା ଆରମ୍ଭ କରିଥିଲେ।

ଗୋଟିଏ ପଟେ ସଞ୍ଜୟ ଏବଂ ଶିବପୂଜନ ନିଜ ଗାଡ଼ି ନିଲାମ ହେବା ପୂର୍ବରୁ ଥରୁଟିଏ ଦେଖି ସୁଦ୍ଧା ପାରିନଥିଲେ, ଅନ୍ୟପଟେ କୃଷ୍ଣକାନ୍ତ ପାଣ୍ଡେଙ୍କ ଆଖି ସାମ୍ନାରେ ହିଁ ତାଙ୍କର ଗାଡ଼ି ନିଲାମ ହୋଇଯାଇଥିଲା। ସେ ହିଁ ଉତ୍ତର ପ୍ରଦେଶରୁ ଶୀଘ୍ର ଫେରି ଆସିବା ଏବଂ ଟ୍ରେନ ସମୟସାରଣୀ ବିଷୟରେ ଶିବପୂଜନକୁ ସୂଚନା ଦେବାରେ ସହାୟତା କରିଥିଲେ। ସେ ୨୦୦୮ରେ ଇଣ୍ଡିଗୋ (କୁଲ କ୍ୟାବ) ଗାଡ଼ି ୪ ଲକ୍ଷ ଟଙ୍କା ଦେଇ କିଣିଥିଲେ, ଏଥିପାଇଁ ସେ ୫୪ ମାସ ପର୍ଯ୍ୟନ୍ତ ଇଏମଆଇ ଭରି ଚାଲିଥିଲେ।

୫୨ ବର୍ଷୀୟ କୃଷ୍ଣକାନ୍ତ ୨୯ ଜୁନ୍ ରାତି ବିଷୟରେ କୁହନ୍ତି ଯେ, “ମୁଁ ସେଦିନ ରାତିରେ ସେଠାରେ ହିଁ ଥିଲି। ମୋର ଏବଂ ଅନ୍ୟମାନଙ୍କ ଗାଡ଼ି ଗୋଟିଏ ପରେ ଗୋଟିଏ ଯାଉଥିବାର ଦେଖିଥିଲି। ମୁଁ କେବଳ ଛିଡ଼ା ହୋଇ ଦେଖୁଥିଲି, କିଛି କରି ପାରିବାର ସାମର୍ଥ୍ୟ ମୋ ଭିତରେ ନଥିଲା।” ଆମେ ଆନ୍ନାୱାଡ଼ିର ପାର୍କିଂ ସ୍ଥଳ ବାହାରେ ଛିଡ଼ା ହୋଇ କଥା ହେଉଥିଲୁ, ସେଠାରେ ଗେଟରେ ଏକ ବହୁତ ବଡ଼ ବୋର୍ଡ ଲାଗିଥିଲା : ‘ଏହି ସମ୍ପତ୍ତି ଭାରତୀୟ ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡକୁ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଛି।’

Krishnakant Pandey could not move out his taxi (which too was later auctioned) because he didn't have money to repair the engine, and had started plying his deceased brother’s dilapidated cab (right)
PHOTO • Aakanksha
Krishnakant Pandey could not move out his taxi (which too was later auctioned) because he didn't have money to repair the engine, and had started plying his deceased brother’s dilapidated cab (right)
PHOTO • Aakanksha

କୃଷ୍ଣକାନ୍ତ ପାଣ୍ଡେ ନିଜ ଟ୍ୟାକ୍ସିକୁ ସେଠାରୁ ବାହାର କରିପାରିଲେ ନାହିଁ (ଯାହାକୁ ପରେ ନିଲାମ କରି ଦିଆଯାଇଥିଲା), କାରଣ ତାଙ୍କ ପାଖରେ ଇଞ୍ଜିନ ମରାମତି କରିବା ଲାଗି ଟଙ୍କା ନଥିଲା ଏବଂ ସେ ନିଜର ମୃତ ଭାଇଙ୍କ ପୁରୁଣା ଟ୍ୟାକ୍ସି ଚଲାଇବା ଆରମ୍ଭ କରି ଦେଇଥିଲେ (ଡାହାଣ)

କୃଷ୍ଣକାନ୍ତ ଯେତେବେଳେ ନିଜ ଗାଡ଼ି ଛଡ଼ାଇ ନେବା ସମ୍ପର୍କରେ ସହାର ପୁଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଗଲେ, ସେ କୁହନ୍ତି ଯେ ତାଙ୍କ ଅଭିଯୋଗ କେହି ଶୁଣିଲେ ନାହିଁ। ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଥିବା ନିଜ ଗାଁରୁ ସେ ମାର୍ଚ୍ଚ ୨୦୨୧ରେ ଫେରିଥିଲେ। ଏହାପରେ ସେ ପାର୍କିଂ ସ୍ଥଳରୁ ଗାଡ଼ି ବାହାର କରି ମରାମତି କରିଥାନ୍ତେ। ସେ କୁହନ୍ତି, “ଲଗାତର ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିବା କାରଣରୁ ଗାଡ଼ିର ଇଞ୍ଜିନ କାମ କରିବା ବନ୍ଦ ହୋଇଯାଇଥିଲା। ମରାମତି ପାଇଁ ମୋତେ ଟଙ୍କା ଯୋଗାଡ଼ କରିବାର ଥିଲା। ଅନ୍ୟପଟେ ଗୋଟିଏ ବର୍ଷ ହେବ କେହି ଯାତ୍ରୀ ମିଳିନଥିଲେ।”

୨୦୨୦ ମାର୍ଚ୍ଚଠାରୁ ଆରମ୍ଭ କରି ଅକ୍ଟୋବର ପର୍ଯ୍ୟନ୍ତ, କୃଷ୍ଣକାନ୍ତ ମୁମ୍ବାଇରେ ହିଁ ରହିଥିଲେ। ସେ ଗତ ବର୍ଷ ଜୁଲାଇ-ଅଗଷ୍ଟ ମାସରେ କାମ କରିବା ଲାଗି ଚେଷ୍ଟା କରିଥିଲେ, କିନ୍ତୁ ବିମାନବନ୍ଦର ଅଞ୍ଚଳରେ କଡ଼ା କଟକଣା ଲାଗୁ ହୋଇଥିଲା। ନଭେମ୍ବରରେ ସେ ଲୌହ ଫେରିଗଲେ ଏବଂ ଚଳିତ ବର୍ଷ ମାର୍ଚ୍ଚରେ ପୁଣି ମୁମ୍ବାଇକୁ ଫେରିଥିଲେ। ଯଥାଶୀଘ୍ର, ପରବର୍ତ୍ତୀ ଲକଡାଉନ ଆରମ୍ଭ ହେଲା ଏବଂ ସେ କାମ କରିପାରିଲେ ନାହିଁ। ତାଙ୍କ ଗାଡ଼ି ଆନ୍ନାୱାଡ଼ି ପାର୍କିଂ ସ୍ଥଳରେ ଛିଡ଼ା ହୋଇ ରହିଥିଲା।

*****

ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (ଏମଆଇଏଏଲ) ପକ୍ଷରୁ କୁହାଯାଇଛି ଯେ ନିଲାମୀକୁ ଅଟକାଇବା ଅସମ୍ଭବ ଥିଲା। ଏମଆଇଏଏଲର କର୍ପୋରେଟ ଯୋଗାଯୋଗ ଅତିରିକ୍ତ ଉପସଭାପତି ଡ. ରଣଧୀର ଲାମ୍ବା କୁହନ୍ତି ଯେ, “ଏହି ନିଲାମୀ ସୁରକ୍ଷା ଦୃଷ୍ଟିରୁ କରାଯାଇଥିଲା, କାରଣ ବିମାନବନ୍ଦର ବେଶ ସମ୍ବେଦନଶୀଳ ଅଞ୍ଚଳରେ ରହିଛି। କେହି ଜଣେ ହେଲେ ଗୋଟିଏ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏଠାରେ ପରିତ୍ୟକ୍ତ ଭାବେ ନିଜର ଟ୍ୟାକ୍ସିକୁ ଛାଡ଼ିପାରିବ ନାହିଁ। ଶେଷରେ କହିବାକୁ ଗଲେ, ସରକାରୀ ଜମିକୁ ବିମାନବନ୍ଦର ଲିଜରେ ନେଇଛି, ଏବଂ ଏହାର ସୁରକ୍ଷା ଦାୟିତ୍ୱ ଆମର।”

ଲାମ୍ବା କୁହନ୍ତି ଯେ, ଯେଉଁମାନଙ୍କର ଗାଡ଼ି ଏହି ପାର୍କିଂ ସ୍ଥଳରେ ଦୀର୍ଘ ଦିନ ଧରି ଛିଡ଼ା ହୋଇ ରହିଥିଲା, ସେହି ୩୧୬  ଡ୍ରାଇଭରମାନଙ୍କୁ ତିନି ଥର ନୋଟିସ ପଠାଯାଇଥିଲା। ଗତ ବର୍ଷ ଡିସେମ୍ବରରେ ଗୋଟିଏ ଏବଂ ଆଉ ଏକ ଚଳିତ ବର୍ଷ ଫେବୃଆରୀରେ। ସେ କୁହନ୍ତି, “ଆମେ ଆରଟିଓ (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ) ସହ ଯୋଗାଯୋଗ କରି ଟ୍ୟାକ୍ସି ମାଲିକମାନଙ୍କ ନାମ ଏବଂ ସେମାନଙ୍କ ଠିକଣା ସଂଗ୍ରହ କରିଥିଲୁ। ଖବରକାଗଜରେ ମଧ୍ୟ ସର୍ବସାଧାରଣ ସୂଚନା ପ୍ରକାଶିତ କରାଯାଇଥିଲା।”

ଡ. ଲାମ୍ବା ଜୋର ଦେଇ କହିଛନ୍ତି ଯେ ଆରଟିଓ, ପୁଲିସ ଏବଂ ଟ୍ୟାକ୍ସି ସଂଘ ସମସ୍ତଙ୍କୁ ସୂଚନା ଦିଆଯାଇଥିଲା, “ଆମେ ସମସ୍ତଙ୍କ ସହିତ ଯୋଗାଯୋଗ କରିଥିଲୁ ଏବଂ ସମସ୍ତ ନିର୍ଦ୍ଦେଶ ଏବଂ ପ୍ରକ୍ରିୟାର ପାଳନ କରିଥିଲୁ।

ସଞ୍ଜୟ ପଠାଇଥିବା ପତ୍ର ବିଷୟରେ କ’ଣ ହେଲା? ଏହାର ଉତ୍ତରରେ ଲାମ୍ବା କୁହନ୍ତି ଯେ, “ଆମେ ଶେଷ ସମୟରେ ଆସିଥିବା ଡ୍ରାଇଭରମାନଙ୍କୁ ସହାୟତା କରିଛୁ, ଏବଂ ସେମାନଙ୍କୁ ଟ୍ୟାକ୍ସି ଫେରାଇ ଦେଇଛୁ। ବୋଧହୁଏ ଏହି ଡ୍ରାଇଭର ଭୁଲ ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଆମେ କେବେ ବି ତାଙ୍କ ପତ୍ର ପାଇନାହୁଁ।”

*****

Shivpujan Pandey with his deceased elder son Vishnu
PHOTO • Courtesy: Shivpujan Pandey

ଶିବପୂଜନ ପାଣ୍ଡେ ତାଙ୍କର ବଡ଼ ପୁଅ ବିଷ୍ଣୁଙ୍କ ସହିତ, ବିଷ୍ଣୁ ଏବେ ଆରପାରିକୁ ଚାଲିଯାଇଛନ୍ତି (ଫାଇଲ ଫଟୋ)

'ଜୀବନରେ ସବୁକିଛି ଧୀରେ ଧୀରେ ସ୍ୱାଭାବିକ ହେଉଥିଲା। ପୁଅ ବିଷ୍ଣୁର ଚାକିରି ଯୋଗୁଁ ଆମେ ୨୦୧୮ରେ ନାଲାସୋପାରାରେ ନିଜର ଛୋଟ ଫ୍ଲାଟ୍ ଟିଏ କିଣିପାରିଥିଲୁ। ମୁଁ ତାକୁ ନେଇ ଗର୍ବିତ ଥିଲି। କିନ୍ତୁ, ଏବେ ମୁଁ ମୋ ପୁଅକୁ ହରାଇସାରିଛି ଆହୁରି ପୁଣି ‘ଟ୍ୟାକ୍ସି ନିଲାମ’ ହୋଇଯାଇଛି'

ମାର୍ଚ୍ଚ ୨୦୨୦ରେ, ଲକଡାଉନ ଆରମ୍ଭ ହେବା ସମୟରେ, ଶିବପୂଜନ ପାଣ୍ଡେ କୌଣସି ପ୍ରକାରେ ଉତ୍ତର ପ୍ରଦେଶର ସନ୍ଥ ରବିଦାସ ନଗର (ଭଦୋହୀ) ଜିଲ୍ଲାର ଔରାଇ ତାଲୁକାରେ ଥିବା ନିଜ ଗ୍ରାମ ଭବିନୀପୁର ଉପରବାରରେ ପହଞ୍ଚି ଯାଇଥିଲେ। ତାଙ୍କ ସହିତ ତାଙ୍କର ଗୃହିଣୀ ପତ୍ନୀ ପୁଷ୍ପା, ଏବଂ ସାନପୁଅ ବିଶାଲ ଥିଲେ। ତାଙ୍କର ବଡ଼ ପୁଅ ବିଷ୍ଣୁ (୩୨) ନିଜ ପତ୍ନୀ ଏବଂ ଚାରି ବର୍ଷର ପୁଅ ସହିତ ଉତ୍ତର ମୁମ୍ବାଇର ନାଲାସୋପାରାରେ ନିଜ ଘରେ ରହିଥିଲେ। ସେ ଏକ ଫାର୍ମା କମ୍ପାନୀରେ କାମ କରୁଥିଲେ, କିନ୍ତୁ ମହାମାରୀ କାରଣରୁ ତାଙ୍କର ଚାକିରି ଚାଲିଗଲା।

ଜୁଲାଇ ୨୦୨୦ ଶେଷରେ, ଅଚାନକ ଥରିବା ଏବଂ ଅଚେତ ହୋଇଯିବା ଭଳି ଲକ୍ଷଣ କାରଣରୁ ତାଙ୍କର ଡାକ୍ତରୀ ଯାଞ୍ଚ କରାଯାଇଥିଲା। ସେ ବ୍ରେନ ହାମରେଜ୍‌ର ଶିକାର ହୋଇଥିଲେ ଜଣା ପଡ଼ିଥିଲା। ଶିବପୂଜନ କୁହନ୍ତି, “ଡାକ୍ତରମାନେ କହିଥିଲେ ଯେ ଅଧିକ ଚାପଗ୍ରସ୍ତ ହେବା ଯୋଗୁଁ ତାଙ୍କ ଅବସ୍ଥା ଏପରି ହୋଇଛି। ମୁଁ ଗାଁରେ ଥିଲି, କ’ଣ ହେଉଥିଲା ମୁଁ ଜାଣିନଥିଲି। ଫୋନରେ ସେ ଭଲ ଭାବେ କଥା ହେଉଥିଲା। ଆମେ ତୁରନ୍ତ ମୁମ୍ବାଇ ଚାଲିଆସିଲୁ।” ଏହାପରେ ଡାକ୍ତରଖାନାରେ ୩-୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଲାଗି ଶିବପୂଜନ ସ୍ଥାନୀୟ ଜଣେ ମହାଜନଙ୍କଠାରୁ ଟଙ୍କା ଉଧାର ନେଲେ ଏବଂ ଗାଁରେ ଥିବା ନିଜର ୫ ବିଘା ଜମି ମଧ୍ୟରୁ ୩ ବିଘା ଜମି ବନ୍ଧା ପକାଇଦେଲେ।

ଗତ ବର୍ଷ ଅଗଷ୍ଟ ପହିଲାରେ, ବିଷ୍ଣୁ ଆରପାରିକୁ ଚାଲିଗଲେ।

ଶିବପୂଜନ କୁହନ୍ତି, “ସେ ସବୁବେଳେ ମୋତେ କହୁଥିଲା, ଆପଣ ଗାଁକୁ ଫେରି ଯାଆନ୍ତୁ ଏବଂ ସେଠାରେ ବିଶ୍ରାମ ନିଅନ୍ତୁ। ଏବେ ସବୁ ଦାୟିତ୍ୱ ସେ ତୁଲାଇ ନେବ ବୋଲି କହୁଥିଲା। ମୁଁ ଅପେକ୍ଷା କରିଥିଲି ଯେ ବିଶାଲ କେବେ ଚାକିରି କରିବ ଓ ମୁଁ ବିଶ୍ରାମ ନେଇପାରିବି”। ୨୫ ବର୍ଷୀୟ ବିଶାଲଙ୍କ ପାଖରେ ଏମ୍‌କମ୍‌ ଡିଗ୍ରୀ ଥିଲା ଏବଂ ସେ ସରକାରୀ ଚାକିରି ସନ୍ଧାନରେ ରହିଥିଲେ। ଶିବପୂଜନ କୁହନ୍ତି, “କିନ୍ତୁ ଏହି ଘଟଣା ପରେ ଆମକୁ ମୁମ୍ବାଇ ଫେରି ଆସିବା ଲାଗି ଇଚ୍ଛା ହେଉନଥିଲା। ପୁଅ ନିଜ ଆଖି ସାମ୍ନାରେ ମୃତ୍ୟୁବରଣ କରିବା ସବୁଠୁ ଯନ୍ତ୍ରଣାଦାୟକ। ମୋ ପତ୍ନୀ ଏବେ ସୁଦ୍ଧା ସେ ଆଘାତରୁ ମୁକୁଳି ପାରିନାହିଁ।”

ଅନ୍ତିମ ସଂସ୍କାର ଲାଗି ପରିବାର ନିଜ ଗାଁକୁ ଫେରିଯାଇଥିଲା। ଏବଂ ଜୁଲାଇ ୨୦୨୧ରେ, କ୍ରିଷ୍ଣକାନ୍ତଙ୍କଠାରୁ ଟ୍ୟାକ୍ସି ନିଲାମ ସମ୍ପର୍କରେ ସୂଚନା ପାଇବା ପରେ ଶିବପୂଜନ ପୁଣିଥରେ ମୁମ୍ବାଇ ଆସିଥିଲେ।

ସେ କୁହନ୍ତି, “ଜୀବନରେ ସବୁକିଛି ଧୀରେ ଧୀରେ ସ୍ୱାଭାବିକ ହେଉଥିଲା। ପୁଅ ବିଷ୍ଣୁର ଚାକିରି ଯୋଗୁଁ ଆମେ ୨୦୧୮ରେ ନାଲାସୋପାରାରେ ନିଜର ଛୋଟ ଫ୍ଲାଟଟିଏ କିଣିପାରିଥିଲୁ। ମୁଁ ତାକୁ ନେଇ ଗର୍ବିତ ଥିଲି। କିନ୍ତୁ, ଏବେ ମୁଁ ମୋ ପୁଅକୁ ହରାଇସାରିଛି ଆହୁରି ପୁଣି ‘ଟ୍ୟାକ୍ସି ନିଲାମ’ ହୋଇଯାଇଛି”।

At the flyover leading to the international airport in Mumbai: 'This action [the auction] was taken from a security point of view as the airport is a sensitive place'
PHOTO • Aakanksha
At the flyover leading to the international airport in Mumbai: 'This action [the auction] was taken from a security point of view as the airport is a sensitive place'
PHOTO • Aakanksha

ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଆଡ଼କୁ ଯାଉଥିବା ଫ୍ଲାଇଓଭରରେ : ‘ଏହି ନିଲାମୀ ସୁରକ୍ଷା ଦୃଷ୍ଟିରୁ କରାଯାଇଥିଲା, କାରଣ ବିମାନବନ୍ଦର ଏକ ସମ୍ବେଦନଶୀଳ ଅଞ୍ଚଳ’

ଲକଡାଉନ ଆରମ୍ଭ ହେବା ପୂର୍ବରୁ ଶିବପୂଜନ ସକାଳ ୮ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନରୁ ଆସୁଥିବା ଯାତ୍ରୀମାନଙ୍କୁ ନେବାଆଣିବା କରି ମାସିକ ୧୦ରୁ ୧୨ ହଜାର ଟଙ୍କା ରୋଜଗାର କରି ନେଉଥିଲେ। ଏହାପରେ ପାର୍କିଂ ସ୍ଥଳରେ ଗାଡ଼ି ରଖି ସେ ଟ୍ରେନରେ ଘରକୁ ଫେରିଯାଉଥିଲେ। ଲକଡାଉନ ଆରମ୍ଭ ହେବା ପରଠାରୁ ସେ ମୁମ୍ବାଇରେ କାମ କରିନାହାନ୍ତି। ଗତ ମାସ ନିଲାମୀ ଖବର ଶୁଣି ସେ ତୁରନ୍ତ ମୁମ୍ବାଇ ଆସିଥିଲେ, କିନ୍ତୁ ପୁଣି ସେ ଗାଁକୁ ଫେରି ଯାଇଛନ୍ତି।

ଲକଡାଉନ ପୂର୍ବରୁ ସଞ୍ଜୟ ମାଲି ପାଖାପାଖି ୬୦୦ରୁ ୮୦୦ ଟଙ୍କା ରୋଜଗାର କରି ନେଉଥିଲେ। ନିଲାମୀରେ ନିଜ ଗାଡ଼ି ହରାଇବା ପରେ ସେ ଚଳିତବର୍ଷ ଜୁଲାଇ ଦ୍ୱିତୀୟ ସପ୍ତାହରେ ସେ ମାସିକ ୧୮୦୦ ଟଙ୍କା ଭଡ଼ାରେ ଏକ ଗାଡ଼ି ନେଇଥିଲେ। ତାଙ୍କୁ କରଜ ସୁଝିବାର ଚିନ୍ତା ଘାରିଛି କାରଣ ତାଙ୍କ ଭଉଣୀ ବାହାଘର ପାଇଁ ସେ ୧ ଲକ୍ଷ ଟଙ୍କା କରଜ ନେଇଥିଲେ। ସେଥିରୁ ସେ ମାତ୍ର ଅଧା ଋଣ ସୁଝିଛନ୍ତି। ଏହାଛଡ଼ା ପିଲାମାନଙ୍କର ସ୍କୁଲ ଫି’ ବାକି ରହିଛି। ସେ କୁହନ୍ତି, “ମୋର ସବୁ ଜମାପୁଞ୍ଜି ଏବଂ ସବୁତକ ଟଙ୍କା ସରିଯାଇଛି। ମୋତେ କାମ ଖୋଜିବାର ଥିଲା।”

ଉତ୍ତର ମୁମ୍ବାଇର ପୋଇସର ବସ୍ତି କଲୋନୀରେ ଥିବା ତାଙ୍କ ଘରକୁ ମୁଁ ଯେତେବେଳେ ଯାଇଥିଲି, ତିନି ଦିନ ପର୍ଯ୍ୟନ୍ତ ଭଡ଼ା ଟ୍ୟାକ୍ସି ଚଲାଇବା ପରେ ମାତ୍ର ୮୫୦ଟଙ୍କା ରୋଜଗାର କରି ସେ ଅପରାହ୍ଣ ପ୍ରାୟ ୨ଟା ସମୟରେ ଘରକୁ ଫେରିଥିଲେ। ସନ୍ଧ୍ୟାରେ ସେ ପୁଣିଥରେ କାମକୁ ଫେରିଯିବେ।

ତାଙ୍କ ପଛରେ ବସିଥିବା ତାଙ୍କର ବିବ୍ରତ ପତ୍ନୀ ସାଧନା ମାଲି କୁହନ୍ତି, “ଯେବେଠାରୁ ସେ ପୁଣିଥରେ କାମ ଆରମ୍ଭ କରିଛନ୍ତି, ତାଙ୍କୁ ଶାନ୍ତିରେ ଥିବା ମୁଁ କେବେ ଦେଖିନାହିଁ। ତାଙ୍କର ସୁଗାର (ମଧୁମେହ) ସମସ୍ୟା ରହିଛି ଏବଂ କିଛି ବର୍ଷ ପୂର୍ବେ ତାଙ୍କର ଏକ ହୃତପିଣ୍ଡ ଅସ୍ତ୍ରୋପଚାର ହୋଇଥିଲା। ଔଷଧ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଅସମର୍ଥ ଥିବାରୁ ସେ ଆଦୌ ଔଷଧ ଖାଇନଥାନ୍ତି କିମ୍ବା ଦିନରେ ଗୋଟିଏ ଥର ଔଷଧ ଖାଇଥାନ୍ତି। ଏବେ ଟ୍ୟାକ୍ସି ହରାଇବା ପରେ ସେ ଖୁବ ମାନସିକ ଚାପରେ ରହୁଛନ୍ତି।”

ସେମାନଙ୍କର ଝିଅ ତମନ୍ନା ନବମ ଏବଂ ପୁଅ ଆକାଶ ଷଷ୍ଠ ଶ୍ରେଣୀରେ ପଢ଼ୁଛି। ସେମାନେ ଗାଁରେ ରହି ଅନଲାଇନ ପାଠପଢ଼ା ଜାରି ରଖିଥିଲେ। କିନ୍ତୁ ସେମାନେ ପୋଇସରରେ ପଢ଼ୁଥିବା ଘରୋଇ ସ୍କୁଲ ସେମାନଙ୍କ ଠାରୁ ଗତବର୍ଷ ଏବଂ ଚଳିତ ବର୍ଷର ସ୍କୁଲ୍ ଫି’ ମାଗୁଛି (କିଛି ରିହାତି ପରେ)। ମାଲି ପରିବାର କେବଳ ତମନ୍ନାଙ୍କ ଗତବର୍ଷର ସ୍କୁଲ ଫି’ ଦେବାକୁ ସକ୍ଷମ ହୋଇଛନ୍ତି। “ଆମେ ଆକାଶକୁ ସ୍କୁଲ୍ ନଛାଡ଼ିବା (ଚଳିତ ଆର୍ଥିକ ବର୍ଷ) ଲାଗି ବାଧ୍ୟ, କାରଣ ଆମେ ଷଷ୍ଠ ଶ୍ରେଣୀର ସ୍କୁଲ ଫି’ ଦେଇପାରିବୁ ନାହିଁ। ହେଲେ ସେ ଗୋଟିଏ ବର୍ଷ ହାତଛଡ଼ା କରିବାକୁ ଚାହୁଁନାହିଁ। ଆମେ ମଧ୍ୟ ତାହା ଚାହୁଁନାହିଁ”, ସଞ୍ଜୟ କୁହନ୍ତି।

The Mali family: Sadhana, Tamanna, Sanjay, Akash
PHOTO • Aakanksha

ମାଲି ପରିବାର : ସାଧନା, ତମନ୍ନା, ସଞ୍ଜୟ, ଆକାଶ

ପରିବାର କେବଳ ତମନ୍ନାଙ୍କ ଗତବର୍ଷର ସ୍କୁଲ ଫି’ ଦେବାକୁ ସକ୍ଷମ ହୋଇଛନ୍ତି। “ଆମେ ଆକାଶକୁ ସ୍କୁଲ୍ ନଛାଡ଼ିବା (ଚଳିତ ଆର୍ଥିକ ବର୍ଷ) ଲାଗି ବାଧ୍ୟ, କାରଣ ଆମେ ଷଷ୍ଠ ଶ୍ରେଣୀର ସ୍କୁଲ ଫି’ ଦେଇପାରିବୁ ନାହିଁ। ହେଲେ ସେ ଗୋଟିଏ ବର୍ଷ ହାତଛଡ଼ା କରିବାକୁ ଚାହୁଁନାହିଁ। ଆମେ ମଧ୍ୟ ତାହା ଚାହୁଁନାହୁଁ”, ସଞ୍ଜୟ କୁହନ୍ତି

କ୍ରିଷ୍ଣକାନ୍ତ, ଉତ୍ତର ମୁମ୍ବାଇର ବସ୍ତି କଲୋନୀରେ ରହିଥାନ୍ତି (ତାଙ୍କ ପରିବାରରେ ଅନ୍ୟ ସମସ୍ତେ ଗାଁରେ ରୁହନ୍ତି)। ସେ କେବଳ କିଛି ମାସ ପାଇଁ ତାଙ୍କ ଘରଭଡ଼ା ୪୦୦୦ ଟଙ୍କା ଦେବାକୁ ସକ୍ଷମ ହୋଇପାରିଛନ୍ତି। ମେ ୨୦୨୧ରେ ସେ ନିଜ ମୃତ ସାନଭାଇଙ୍କ ଟ୍ୟାକ୍ସି ଚଳାଇବା ଆରମ୍ଭ କରିଛନ୍ତି, ଏକ ପୁରୁଣା କଳା-ହଳଦିଆ ଟ୍ୟାକ୍ସି ଯାହା ସାଧାରଣତଃ ଭଡ଼ାରେ ଦିଆଯାଇଥାଏ। ସେ କୁହନ୍ତି, “ମୁଁ ଦିନକୁ ୨୦୦-୩୦୦ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରୁଛି।”

ସେ ନିଜର ଟ୍ୟାକ୍ସି ହରାଇବା ମାମଲା ନେଇ ଅଦାଲତକୁ ଯିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ ଟ୍ୟାକ୍ସି ଚାଳକ ସଂଘ ନାମକ ଏକ ସଂଗଠନ ସହାୟତାରେ ସେ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଛନ୍ତି। ସଂଘର ଉପସଭାପତି ରାକେଶ ମିଶ୍ରା କୁହନ୍ତି ଯେ, ସୁରକ୍ଷା ଉଦ୍ଦେଶ୍ୟରେ ନିଲାମୀ କରାଯାଇଥିବା ସେମାନେ ବୁଝିଛନ୍ତି, କିନ୍ତୁ ଏହାର ସମୟ ଠିକ୍ ନଥିଲା।

“କିଛି ମାସ (ମାର୍ଚ୍ଚ ୨୦୨୧ ବେଳକୁ) ପୂର୍ବ ପର୍ଯ୍ୟନ୍ତ ଆମେ ମଧ୍ୟ ନୋଟିସ ବିଷୟରେ ଜାଣିନଥିଲୁ। ଆମ ଅଧିକାରୀମାନେ ନିରବ ରହିଥିଲେ। ଏହା ଯେତେବେଳେ ଆମ ଧ୍ୟାନକୁ ଆସିଲା, ଆମେ ସେମାନଙ୍କୁ (ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ) ପାର୍କିଂ ପାଇଁ ଆଉ ଏକ ସ୍ଥାନ ଦେବାକୁ କହିଲୁ। ଲକଡାଉନରେ, ଆମେ କେଉଁଠାରେ ପାର୍କିଂ କରିଥାନ୍ତୁ? କିଛି ଉତ୍ତର ମିଳିଲା ନାହିଁ। ମୁଁ ଡ୍ରାଇଭରଙ୍କ ସହ ଯୋଗାଯୋଗ କରିବା ଲାଗି ଚେଷ୍ଟା କଲି। ନୋଟିସ କେବଳ ସେମାନଙ୍କର ମୁମ୍ବାଇ ଠିକଣାରେ ପଠାଯାଇଥିଲା। କିନ୍ତୁ ଗାଁରେ ଥିବା ଡ୍ରାଇଭରମାନଙ୍କ ନିକଟରେ ଏହା କିଭଳି ପହଞ୍ଚି ଥାଆନ୍ତା? ଯେଉଁମାନେ ମୁମ୍ବାଇରେ ଥିଲେ, ସେମାନେ ନିଜର ଟ୍ୟାକ୍ସିକୁ ପାର୍କିଂ ସ୍ଥାନରୁ ହଟାଇ ଦେଇଥିଲେ।

Left: Rakesh Mishra, vice-president, Bhartiya Taxi Chalak Sangh, says they understand that the auction was undertaken for security purposes, but its timing was wrong. Right: The papers and documents  Krishnakant has put together to legally challenge the move: 'I don’t want to keep quiet but I am losing hope'
PHOTO • Aakanksha
Left: Rakesh Mishra, vice-president, Bhartiya Taxi Chalak Sangh, says they understand that the auction was undertaken for security purposes, but its timing was wrong. Right: The papers and documents  Krishnakant has put together to legally challenge the move: 'I don’t want to keep quiet but I am losing hope'
PHOTO • Aakanksha

ବାମ : ରାକେଶ ମିଶ୍ରା, ଭାରତୀୟ ଟ୍ୟାକ୍ସି ଚାଳକ ସଂଘର ଉପସଭାପତି କୁହନ୍ତି, ସୁରକ୍ଷା ଉଦ୍ଦେଶ୍ୟରେ ନିଲାମୀ କରାଯାଇଥିବା ଆମେ ବୁଝୁଛୁ କିନ୍ତୁ ଏହାର ସମୟ ଭୁଲ ଥିଲା। ଡାହାଣ : ଏହି ପଦକ୍ଷେପ ବିରୋଧରେ ଆଇନର ଆଶ୍ରୟ ନେବାକୁ ଚାହୁଁଥିବା କ୍ରିଷ୍ଣକାନ୍ତ କାଗଜପତ୍ର ସହିତ : ‘ମୁଁ ନିରବ ହୋଇ ବସି ରହିବାକୁ ଚାହୁଁନାହିଁ କିନ୍ତୁ ମୁଁ ଆଶା ହରାଉଛି’

ଏମଆଇଏଏଲର ଡାକ୍ତର ଲାମ୍ବା କୁହନ୍ତି, “ଯଦି ସେମାନେ ଆଇନର ଆଶ୍ରୟ ନେବାକୁ ଚାହୁଁଛନ୍ତି, ଏହା ସେମାନଙ୍କର ଅଧିକାର।” ସେ କୁହନ୍ତି ଯେ, ଯେଉଁ ପାର୍କିଂ ସ୍ଥଳରେ ନିଲାମୀ ହୋଇଥିବା ଗାଡ଼ି ରଖାଯାଇଛି ତାହା ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ। “ଏତେ ବଡ଼ ସ୍ଥାନକୁ ଟ୍ୟାକ୍ସି ପାର୍କିଂ ପାଇଁ ସଂରକ୍ଷିତ କରି ରଖିବାର କୌଣସି ଆବଶ୍ୟକତା ନାହିଁ। କଳା-ହଳଦିଆ ଟ୍ୟାକ୍ସିର ଚାହିଦା ବେଶ କମି ଯାଇଛି। ଯାତ୍ରୀମାନେ ଏବେ ଓଲା ଏବଂ ଉବର ଅଧିକ ବ୍ୟବହାର କରୁଛନ୍ତି। ଆହୁରି ବିମାନବନ୍ଦର ନିକଟରେ ପାର୍କିଂ ପାଇଁ ଛୋଟିଆ ସ୍ଥାନ ରହିଛି, (ଏହା ଏବେ ସୁଦ୍ଧା କାର୍ଯ୍ୟକ୍ଷମ ରହିଛି)”।

ଯେଉଁ ୪୨ ଜଣ ଡ୍ରାଇଭରଙ୍କ ଟ୍ୟାକ୍ସି ନିଲାମ ହୋଇଛି କ୍ରିଷ୍ଣକାନ୍ତ ସେମାନଙ୍କ ସହ ଯୋଗାଯୋଗ କରିବା ଲାଗି ଚେଷ୍ଟା କରୁଛନ୍ତି (ସଞ୍ଜୟ ମାଲି ଏଥିରେ ତାଙ୍କୁ ସହାୟତା କରୁଛନ୍ତି)। “କିଛି ଲୋକ ଏବେ ବି ସେମାନଙ୍କ ଗାଁରେ ଅଛନ୍ତି ଏବଂ ସେମାନେ ଏ ବିଷୟରେ ଜାଣନ୍ତି ନାହିଁ। ମୁଁ ସମସ୍ତଙ୍କୁ ଜାଣେ ନାହିଁ ଏବଂ ସେମାନଙ୍କୁ ଖୋଜିବା ଲାଗି ଚେଷ୍ଟା କରୁଛି । ଏସବୁ ସେମାନଙ୍କୁ କହିବା ଲାଗି ମୁଁ ଚାହୁଁନାହିଁ, କିନ୍ତୁ ଯଦି ମୁଁ କହିବି ନାହିଁ, ତା’ହେଲେ କିଏ କହିବ? କିଛି ଲୋକଙ୍କ ପାଖରେ ମୁମ୍ବାଇ ଆସିବା ଲାଗି ଟିକେଟ୍ କରିବା ପାଇଁ ମଧ୍ୟ ଟଙ୍କା ନାହିଁ”।

ଜଣେ ଓକିଲ ପ୍ରସ୍ତୁତ କରିଥିବା ଅଭିଯୋଗପତ୍ରରେ ସେ କିଛି ଟ୍ୟାକ୍ସି ଡ୍ରାଇଭରଙ୍କ ଦସ୍ତଖତ କରାଇଛନ୍ତି। ଜୁଲାଇ ୯ ତାରିଖ ଉଲ୍ଲେଖ ଥିବା ଏହି ଅଭିଯୋଗପତ୍ର ସହାର ପୁଲିସ ଷ୍ଟେସନରେ ଜମା କରି ଦିଆଯାଇଛି। ସେ କୁହନ୍ତି, “ଏବେ କ’ଣ କରିବୁ? ମୁଁ ପଢ଼ିପାରିବି, ସେଥିପାଇଁ ମୁଁ (ଆଇନଗତ) ଦାୟିତ୍ୱ ନେଇଛି। ମୁଁ ଦ୍ୱାଦଶ ଶ୍ରେଣୀ ପାସ କରିଛି। ଏବେ ମୋ ପାଠପଢ଼ା କିଛି କାମରେ ଲାଗିଛି।” ରାତିରେ କ୍ରିଷ୍ଣକାନ୍ତ ପୁରୁଣା ଟ୍ୟାକ୍ସି ଚଳାଇଥାନ୍ତି। “ମୋ ପାଖରେ ଅନ୍ୟ କୌଣସି ପନ୍ଥା ନାହିଁ। ମୁଁ ନ୍ୟାୟ ବିଷୟରେ ଜାଣେ ନାହିଁ, କିନ୍ତୁ ସେମାନେ ଆମ ପେଟରେ ଲାତ ମାରିଛନ୍ତି। ଏହା କେବଳ ମୋ ଟ୍ୟାକ୍ସି ନଥିଲା, ବରଂ ମୋ ରୋଜଗାର ଥିଲା, ଯାହାକୁ ସେମାନେ ମୋ ଠାରୁ ଛଡ଼ାଇ ନେଲେ।”

ସେ ଓ ଅନ୍ୟ ଡ୍ରାଇଭର କିଛି ସମାଧାନ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବା ଆଶାରେ ଏବେ ବି ରହିଛନ୍ତି। ସେ କୁହନ୍ତି, “ଏବେ କ’ଣ କରିବାକୁ ହେବ ମୁଁ ଜାଣେ ନାହିଁ? ଦୁଇ ମାସ ଧରି ମୁଁ ଏଣେତେଣେ ଦୌଡ଼ୁଛି। ମୁଁ ଏହି କେସ୍ ଛାଡ଼ିଦେବା ଉଚିତ୍ କି? କେହି କିଛି କରିବେ କି? ମୁଁ ଚୁପ୍ ହୋଇ ବସିବାକୁ ଚାହୁଁନାହିଁ, କିନ୍ତୁ ମୁଁ ଆଶା ହରାଉଛି।”

ଅନୁବାଦ: ଓଡ଼ିଶାଲାଇଭ୍‍

Aakanksha

Aakanksha (she uses only her first name) is a Reporter and Content Editor at the People’s Archive of Rural India.

Other stories by Aakanksha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE