ଦୀର୍ଘଦିନ ହେବ ବି. କିସ୍ତାଙ୍କ ମନରେ ଆଶା ଥିଲା ଯେ ଫଳ ଚାଷ କ୍ଷେତ୍ରରେ ସେ ନିଜର ଭାଗ୍ୟ ପରୀକ୍ଷା କରିବେ। “ଚାଷରୁ ହେଉଥିବା ଆୟ ବ୍ୟତୀତ ଋଣ ସୁଝିବା ନିମନ୍ତେ ମୋ ପାଖରେ ଆଉ କୌଣସି ମାର୍ଗ ନଥିଲା”, ବୋଲି ସେ କୁହନ୍ତି। ଗତବର୍ଷ ଶେଷରେ ସେ ୪ ଏକର ଜମି ଭାଗକୁ ନେଲେ। “ଚାରି ଏକର ଜମି ପାଇଁ ମୁଁ ଏକର ପିଛା ବାର୍ଷିକ ୨୦,୦୦୦ ଟଙ୍କା ଲେଖାଏଁ ଭଡ଼ା ଦେଲି”, ବୋଲି ବୋଡିଗାଣିଡୋଡ୍ଡି ଗ୍ରାମରେ ରହୁଥିବା କିସ୍ତା କୁହନ୍ତି। “ମୁଁ ଚାଷ ଆରମ୍ଭ କଲି,  ଆଶା ଥିଲା ଗତ ତିନି ବର୍ଷ ଧରି ଝିଅ ଓ ପୁଅଙ୍କ ବାହାଘର ପାଇଁ ମୁଁ କରିଥିବା ଋଣକୁ ସୁଝିପାରିବି।”

କିନ୍ତୁ ଲକ୍‌ଡାଉନ୍‌ର କିଛି ସପ୍ତାହ ପୂର୍ବରୁ ଅନନ୍ତପୁର ଜିଲ୍ଲାର ବୁକ୍କାରାୟସମୁଦ୍ରମ ମଣ୍ଡଳରେ ଖୁବ ଜୋରରେ ପବନ ଓ ବର୍ଷା ହୋଇଥିଲା। କିସ୍ତାଙ୍କ ଗ୍ରାମ ଓ ଅନ୍ୟ ଗ୍ରାମଗୁଡ଼ିକରେ ଏପରି ଖରାପ ପାଗ ଯୋଗୁଁ ତାଙ୍କ ଜମିରେ ପାଖାପାଖି ୫୦ ଟନ୍ କଦଳୀ ଓ ତରଭୁଜ ଚାଷ ନଷ୍ଟ ହୋଇଯାଇଥିଲା। ସେ ଫଳ ବିକ୍ରି କରି ମାତ୍ର ୧ ଲକ୍ଷ ଟଙ୍କା ଆୟ କରିପାରିଥିଲେ-ଏବଂ ତାଙ୍କର ପାଖାପାଖି ୪ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା। ଫଳରେ ପୂର୍ବରୁ ଥିବା ଋଣ ସୁଝିବା ତ’ ଦୂରର କଥା ସାହୁକାରଙ୍କ ଠାରୁ ସେ ଆଣିଥିବା ଋଣ ପରିମାଣ ୩.୫ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୭.୫ ଲକ୍ଷ ଟଙ୍କାରେ ପହଞ୍ଚିଥିଲା।

ଅନନ୍ତପୁରର ଚାଷୀମାନେ ୨୦୧୯ରେ ଭଲ ମୌସୁମୀ କାରଣରୁ ଲାଭବାନ ହୋଇଥିଲେ। କିସ୍ତାଙ୍କ ଭଳି ସେମାନେ ମଧ୍ୟ ଚଳିତ ବର୍ଷ ରବି ଫସଲରୁ ଭଲ ଆୟ କରିବେ ବୋଲି ଆଶା ରଖିଥିଲେ। କଦଳୀ ଚାଷୀମାନେ ପ୍ରତି ଟନ କଦଳୀ ପିଛା ୮୦୦୦ଟଙ୍କା ପାଇବେ ବୋଲି ଆଶା କରୁଥିଲେ।

ହେଲେ ରବି ଋତୁ ଶେଷ ଆଡ଼କୁ ମାର୍ଚ୍ଚ ୨୫ ତାରିଖରେ ଲକଡାଉନ ଲାଗୁ ହୋଇଗଲା। ବଜାରରେ ଅନିଶ୍ଚିତତା ରହିବା କାରଣରୁ ବ୍ୟବସାୟୀମାନେ ଉତ୍ପାଦିତ ଫଳ କିଣିବା ଲାଗି କୁଣ୍ଠା ପ୍ରକାଶ କଲେ। ଏହାର କୁପ୍ରଭାବ ଚାଷୀଙ୍କ ଉପରେ ପଡ଼ିଲା। ରବି ଋତୁରେ ଏପ୍ରିଲ ପର୍ଯ୍ୟନ୍ତ ପ୍ରତି ଦୁଇ ସପ୍ତାହରେ ଥରେ କଦଳୀ ଅମଳ ହୋଇଥାଏ, ଏବଂ ପ୍ରତ୍ୟେକ ରାଉଣ୍ଡ ହିଟ୍ ହୋଇଥିଲା ।

ବୁକ୍କାରାୟସମୁଦ୍ରମ ଗ୍ରାମର କ୍ଷତି ସହିଥିବା ଚାଷୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜି. ସୁବ୍ରମଣ୍ୟମ। ସେ ୩.୫ ଏକର ଜମିରେ ୩.୫ ଲକ୍ଷ ଖର୍ଚ୍ଚ କରି କଦଳୀ ଚାଷ କରିଥିଲେ। ଏପ୍ରିଲରେ ସେ ୭୦ ଟନ କଦଳୀ ଉତ୍ପାଦନ କରିଥିଲେ। ହେଲେ ଗାଁକୁ ଆସିଥିବା ବ୍ୟବସାୟୀଙ୍କୁ ଟନ ପ୍ରତି ମାତ୍ର ୧୫୦୦ ଟଙ୍କାରେ ସେ କଦଳୀ ବିକ୍ରି କରିଥିଲେ। ସେହି ମାସ, ପ୍ରତି ଟ୍ରକରେ ୮ -୯ ଟନ୍ ଲେଖାଏଁ ଲଦା ହୋଇଥିବା କଦଳୀ ବିକ୍ରି ହୋଇଥିଲା। କିନ୍ତୁ ଟନ୍ ପ୍ରତି ମାତ୍ର ୫୦୦୦ ଟଙ୍କାରେ-ଯାହାକି କୃଷକମାନଙ୍କ ହିସାବ ଠାରୁ ୩୦୦୦ ଟଙ୍କା କମ୍ ଥିଲା।

Tons of bananas were dumped in the fields of Anantapur (left), where activists and farm leaders (right) say they have collated details of the harvest in many villages
Tons of bananas were dumped in the fields of Anantapur (left), where activists and farm leaders (right) say they have collated details of the harvest in many villages

ଅନନ୍ତପୁରର ଚାଷ ଜମିରେ ଟନ୍ ଟନ୍ କଦଳୀ ଗଦା ହୋଇଛି (ବାମ), ଯେଉଁଠି କୃଷି ଅଧିକାର କର୍ମୀ ଓ କୃଷକ ନେତାମାନେ (ଡାହାଣ) ରହି ବିଭିନ୍ନ ଗାଁରେ ହୋଇଥିବା ସଂଗ୍ରହ ହୋଇଥିବା ଫସଲର ବିବରଣୀର ତୁଳନା କରୁଛନ୍ତି

“(କୋଭିଡ-19 ଲକଡାଡନ) ଜନିତ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତିରେ, ସରକାର ଯଦି କଦଳୀ କିଣିଥାନ୍ତେ ତା’ହେଲେ ଲୋକମାନେ ପୁଷ୍ଟିକର ଖାଦ୍ୟ ପାଇପାରିବା ସହିତ ଚାଷ ଜମିରେ ଫସଲ ନଷ୍ଟ ହୋଇନଥା’ନ୍ତା। ଚାଷୀଙ୍କୁ କିଛିଦିନ ପରେ ଟଙ୍କା ଦିଆଯାଇ ପାରିଥା’ନ୍ତା,” ସୁବ୍ରମଣ୍ୟମ କହିଛନ୍ତି।

ରପ୍ତାଡ଼ୁ ମଣ୍ଡଳର ଗୋଣ୍ଡିରେଡ୍ଡିପଲ୍ଲୀ ଗ୍ରାମର ସି. ରାମ ମୋହନ ରେଡ୍ଡୀ ନିଜର ସାତ ଏକର ଚାଷ ଜମି ମଧ୍ୟରୁ ତିନି ଏକର ଜମିରେ କଦଳୀ ଚାଷ କରିଥିଲେ। ସେ କୁହନ୍ତି, ବ୍ୟବସାୟୀମାନେ ଟନ ପ୍ରତି ୧୫୦୦ ଟଙ୍କାରେ ମଧ୍ୟ କଦଳୀ କିଣିବା ଲାଗି ପଛଘୁଞ୍ଚା ଦେଉଛନ୍ତି କାରଣ ସେମାନେ ସେହି ଉତ୍ପାଦଗୁଡ଼ିକୁ ବିକ୍ରି କରିପାରିବେ କି ନାହିଁ ସେ ନେଇ ସନ୍ଦିହାନ ଅଛନ୍ତି। ସାଧାରଣତଃ ସେ କୁହନ୍ତି, କଦଳୀଗୁଡ଼ିକୁ ଟନ ପ୍ରତି ୧୧,୦୦୦ରୁ ୧୨୦୦୦ ଟଙ୍କାରେ ବିକ୍ରି ହେବା କଥା। ମିଳିଥିବା ରିପୋର୍ଟ ଅନୁଯାୟୀ, ଜାନୁଆରୀ ୩୧ ତାରିଖରେ ଏହି ଫଳ ଟନ୍ ପ୍ରତି ୧୪,୦୦୦ ଟଙ୍କାରେ ବିକ୍ରି ହୋଇଥିଲା, ଯେତେବେଳେ କୃଷି ମନ୍ତ୍ରୀ କୁରାସାଲ କାନ୍ନନବାବୁ ତାଡ଼ପତ୍ରୀ ସହରରୁ ମୁମ୍ବାଇ ଅଭିମୁଖେ ଯାଉଥିବା ‘ଫଳ ଟ୍ରେନ’କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନରେ ୯୮୦ ମେଟ୍ରିକ ଟନ୍ ସ୍ଥାନୀୟ ଉତ୍ପାଦିତ କଦଳୀ ମୁମ୍ବାଇରୁ ଇରାନ ରପ୍ତାନି ହେବାକୁ ଯାଇଥିଲା।

ଶୁଷ୍କ ରାୟଲସୀମା କ୍ଷେତ୍ରରେ ଥିବା ଅନନ୍ତପୁର ଜିଲ୍ଲାରେ ମୋଟ ୧୧.୩୬ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ୧୫୮,୦୦୦ ହେକ୍ଟର ଜମିରେ ଫଳ ଏବଂ ୩୪,୦୦୦ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଥାଏ। ଜିଲ୍ଲା ଉଦ୍ୟାନକୃଷି ଉପନିର୍ଦ୍ଦେଶକ ବି.ଏସ ସୁବ୍ବାରାୟୁଡ଼ୁ ଫୋନରେ କହିଥିଲେ ଯେ, ଜିଲ୍ଲାରେ ବାର୍ଷିକ ମୋଟ ୫୮ ଲକ୍ଷ ମେଟ୍ରିକ ଟନ ଉଦ୍ୟାନ କୃଷି ଉତ୍ପାଦ ଉତ୍ପାଦିତ ହେଉଥିବା ସମୟରେ ଏହାର ମୂଲ୍ୟ ୧୦,୦୦୦ କୋଟି ଟଙ୍କା ହେବ।

ଲକ୍‌ଡାଉନ୍ କାରଣରୁ ଦର ହ୍ରାସ ହେବା କଥାରେ ସହମତ ହୋଇନଥାନ୍ତି ସୁବ୍ବାରାୟୁଡ଼ୁ।  ସେ କୁହନ୍ତି ପ୍ରତି ବର୍ଷ ଏହି ସମୟରେ (୨୦୨୦ ଲକ୍‌ଡାଉନ୍ ମାସଗୁଡ଼ିକରେ), କଦଳୀ ଦର କିଲୋପ୍ରତି ୮-୧୧ ଟଙ୍କାରୁ ହ୍ରାସ ପାଇ ୩ ରୁ ୫ ଟଙ୍କାରେ ପହଞ୍ଚିଥାଏ। ଏପ୍ରିଲ ୨୦୧୪ ରେ ଫଳ କିଲୋପ୍ରତି ମାତ୍ର ୨ ଟଙ୍କାରେ ମଧ୍ୟ ଚାଷୀମାନେ ବିକ୍ରି କରିପାରିନଥିଲେ। “ଉତ୍ପାଦନ ଏକର ପ୍ରତି ୨୦ ଟନ୍‌ରୁ ବୃଦ୍ଧି ପାଇ ୪୦-୪୫ ଟନ୍‌ରେ ପହଞ୍ଚିଥିଲା। ଚାଷୀମାନେ ସେମାନଙ୍କର ଉତ୍ପାଦକୁ ଚାଷ ଜମିରୁ ନୁହେଁ ବରଂ କୃଷି ଉତ୍ପାଦ ଏପିଏମସି (କୃଷି ଉତ୍ପାଦ ବିପଣନ ସମିତି) ବଜାରରେ ବିକ୍ରି କରିବା ଉଚିତ”, ବୋଲି ସେ କୁହନ୍ତି। “ଏହି ମାର୍ଗରେ, ସେମାନେ ଭଲ ଦର ପାଇପାରିବେ।”

ତେବେ ସୁବ୍ବାରାୟୁଡ଼ୁଙ୍କ ଦାବି ମୁତାବକ କଦଳୀ ଦର ହ୍ରାସ ପାଇବା କଥାରେ ଚାଷୀମାନେ ସହମତ ହୁଅନ୍ତି ନାହିଁ। ଚଳିତ ବର୍ଷ ଏପ୍ରିଲରେ କଦଳୀର କିଲୋପ୍ରତି ଦର ୮ ରୁ ୧୧ ଟଙ୍କା ରହିବ ବୋଲି ସେମାନେ ଆଶାବ୍ୟକ୍ତ କରୁଥିଲେ।

Banana cultivators C. Linga Reddy (left) and T. Adinarayana are steeped in debt due to the drastic drop in banana prices during the lockdown
Banana cultivators C. Linga Reddy (left) and T. Adinarayana are steeped in debt due to the drastic drop in banana prices during the lockdown
PHOTO • T. Sanjay Naidu

ଲକ୍‌ଡାଉନ୍ ସମୟରେ କଦଳୀ ଦର ବ୍ୟାପକ ଭାବେ ହ୍ରାସ ପାଇବା କାରଣରୁ କଦଳୀ ଚାଷୀ ସି. ଲିଙ୍ଗା ରେଡ୍ଡୀ (ବାମ) ଏବଂ ଟି. ଆଦିନାରାୟଣ ଋଣ ଭାରରେ ବୁଡ଼ି ଯାଇଛନ୍ତି।

ବୁକ୍କାରାୟସମୁଦ୍ରମ ମଣ୍ଡଳର ବୋଡିଗାଣିଡୋଡ୍ଡି ଗ୍ରାମରେ ୬ ଏକର ଜମିରେ କଦଳୀ ଚାଷ କରିଥିବା ଟି. ଆଦିନାରାୟଣ (କଭର ଫଟୋ ଉପରେ) କୁହନ୍ତି, “ଲକ୍‌ଡାଉନ୍ କାରଣରୁ କଦଳୀ ଅତି କଷ୍ଟରେ କିଲୋପ୍ରତି ୨ ଟଙ୍କାରେ ବିକ୍ରି ହୋଇଥିଲା। ମୁଁ ଜଣେ ଭାଗ ଚାଷୀ ହୋଇଥିବା କାରଣରୁ ମୋତେ ବ୍ୟାଙ୍କରୁ କିଛି ଋଣ ମିଳିଲା ନାହିଁ ଏବଂ ମୁଁ ଚାଷରେ ୪.୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି…”

ଏହି ମଣ୍ଡଳର ରେଡ୍ଡିପଲ୍ଲୀ ଗ୍ରାମର ସି. ଲିଙ୍ଗା ରେଡ୍ଡୀ ୧୦ ଲକ୍ଷ ଟଙ୍କା ନିବେଶ କରି ନିଜର ୫ ଏକର ଚାଷ ଜମିରେ କଦଳୀ ଚାଷ କରିଥିବା ବେଳେ ତାଙ୍କୁ ମାତ୍ର ଅଢ଼େଇ ଲକ୍ଷ ଟଙ୍କା ମିଳିଲା। ସେ ବ୍ୟାଙ୍କରୁ, ସାର ଦୋକାନରୁ ଏବଂ ଅନ୍ୟମାନଙ୍କ ଠାରୁ ଉଧାର ନେଇଥିଲେ। “ମୁଁ ୧୫ ଲକ୍ଷ ଟଙ୍କା ଆୟ କରିଥାନ୍ତି, କିନ୍ତୁ ଲକ୍‌ଡାଉନ୍ କାରଣରୁ ତାହା ହୋଇପାରିଲା ନାହିଁ। ମୁଁ କ୍ଷତିପୂରଣ ଲାଗି ଆବେଦନ କରିଛି,” ସେ କହିଛନ୍ତି।

କୃଷକ ନେତା ଏବଂ ଚାଷୀମାନେ କୁହନ୍ତି, ଅନନ୍ତପୁରର ବିଭିନ୍ନ ଗ୍ରାମରେ ହୋଇଥିବା ଫସଲର ବିବରଣୀ ସେମାନେ ସଂଗ୍ରହ କରୁଛନ୍ତି। ସ୍ଥାନୀୟ ବଜାର ସମିତି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଲାଗି ସେମାନଙ୍କ ପାସବୁକର ଫଟୋ କପି ସଂଗ୍ରହ କରିଛି। କିନ୍ତୁ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ମାଗିନାହାନ୍ତି କିମ୍ବା ଏ ଦିଗରେ ଆଗେଇ ନାହାନ୍ତି ବୋଲି ଚାଷୀମାନେ କୁହନ୍ତି।

“ଅଧିକାରୀମାନଙ୍କ ନିକଟରେ କୌଣସି ଯୋଜନା ନାହିଁ ଏବଂ ସେମାନେ କହୁଛନ୍ତି ଯେ ଯେଉଁ ଚାଷୀମାନେ ସେମାନଙ୍କ ଫସଲ ବିକ୍ରି କରିପାରିନାହାନ୍ତି ବ୍ୟକ୍ତିଗତ ଭାବେ ସେମାନଙ୍କ ସମ୍ପର୍କରେ ସୂଚୀତ କରାଯାଉ। କିନ୍ତୁ ସମ୍ପୂର୍ଣ୍ଣ ଗ୍ରାମବାସୀ ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତି,” ବୋଲି କୁହନ୍ତି ଅନନ୍ତପୁର ଅଲଇଣ୍ଡିଆ କିଷାନ ସଭାର ଜିଲ୍ଲା ସମ୍ପାଦକ ଆର. ଚନ୍ଦ୍ର ଶେଖର ରେଡ୍ଡୀ। (ଏପ୍ରିଲ ୨୦୧୬ରେ ଆନ୍ଧ୍ର ପ୍ରଦେଶରେ ଇ-ନାମ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏଥିରେ ସର୍ବାଧିକ ନିଲାମଧାରୀଙ୍କୁ ଚାଷୀମାନେ ସେମାନଙ୍କ ଉତ୍ପାଦ ଅନଲାଇନ ବିକ୍ରି କରିପାରିବେ ବୋଲି ବ୍ୟବସ୍ଥା ଥିଲା। କିନ୍ତୁ ଲକ୍‌ଡାଉନ୍ ଜନିତ ଅନିଶ୍ଚିତତା କାରଣରୁ, ବ୍ୟବସାୟୀମାନେ ବିଡିଂ ଠାରୁ ଦୂରେଇ ରହିଥିଲେ)

କିସ୍ତା କୁହନ୍ତି, ତାଙ୍କର କ୍ଷତି ସମ୍ପର୍କରେ ବର୍ତ୍ତମାନସୁଦ୍ଧା ଅଧିକାରୀମାନେ କୌଣସି ଅନୁସନ୍ଧାନ କରିନାହାନ୍ତି। “ମୋର ଭାଗ ଚାଷୀ କାର୍ଡ ନାହିଁ ଏବଂ ରାୟତୁ ଭରୋସା (ଚାଷୀଙ୍କ ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ସବସିଡି ଯୋଜନା) ଟଙ୍କା ଜମି ମାଲିକଙ୍କ ନିକଟକୁ ଚାଲିଯାଇଛି। ସରକାର କିଛି କ୍ଷତିପୂରଣ ଦେଲେ ତାହା ତାଙ୍କ ପାଖକୁ ଚାଲିଯିବ ଏବଂ ସେ ମୋତେ ତାହା ଦେବେ କି ନାହିଁ ମୋର ସନ୍ଦେହ। ଅବଶ୍ୟ ସେ ମୋତେ ଅର୍ଥ ପ୍ରଦାନ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।”

କିସ୍ତାଙ୍କୁ ଏବେ ସାହୁକାରଙ୍କ ଠାରୁ ଅତିକମରେ ୧ ଲକ୍ଷ ଟଙ୍କାର ଋଣ ବାର୍ଷିକ ୨୪ ପ୍ରତିଶତ ସୁଧ ହାରରେ ଆଣିବାକୁ ପଡ଼ିବ। “କଦଳୀ ଚାଷ ତିନି ବର୍ଷ ପାଇଁ ହୋଇଥାଏ। ତେଣୁ ବର୍ତ୍ତମାନ, ମୁଁ ଚାଷ ଜାରି ରଖିବି…” ବୋଲି ସେ କୁହନ୍ତି। ପରବର୍ତ୍ତୀ ଚାଷ ତାଙ୍କ ପାଇଁ ସୌଭାଗ୍ୟ ଆଣିବ ବୋଲି ତାଙ୍କର ଆଶା ରହିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

G. Ram Mohan

G. Ram Mohan is a freelance journalist based in Tirupati, Andhra Pradesh. He focuses on education, agriculture and health.

Other stories by G. Ram Mohan