ଅକ୍‌ସିଜେନ୍‌, ହସ୍‌ପିଟାଲରେ ଶଯ୍ୟା ଓ ଅତ୍ୟାବଶ୍ୟକ ଔଷଧପତ୍ର ପାଇଁ ନିବେଦନ କରି ଅସଂଖ୍ୟ ପୋଷ୍ଟ, କାହାଣୀ ଓ ବାର୍ତ୍ତାରେ ଭରି ଯାଇଥିଲା ସାରା ସୋସିଆଲ ମିଡିଆ । ମୋ ଫୋନ୍‌ଟା ବି ଅବିରତ ବାଜୁଥିଲା। ଗୋଟିଏ ମେସେଜ୍‌ରେ ଲେଖା ଥିଲା ‘ତୁରନ୍ତ ଅକ୍‌ସିଜେନ୍‌ ଆବଶ୍ୟକ’। ଏମିତି ଏକ ରବିବାର ଦିନ ସକାଳ ପ୍ରାୟ ୯ଟାରେ ମୁଁ ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ପାଖରୁ ଫୋନ୍‌ କଲ୍‌ଟିଏ ପାଇଲି । ତାଙ୍କ ବନ୍ଧୁଙ୍କ ବାପା କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନେ କୌଣସି ହସ୍‌ପିଟାଲରେ ଖାଲି ବେଡ୍‌ଟିଏ ଖୋଜି ପାଇବାକୁ ସଂଘର୍ଷ କରୁଥିଲେ । ସେତେବେଳକୁ ଭାରତରେ ଦୈନିକ କୋଭିଡ୍‌ ସଂକ୍ରମିତ ବ୍ୟକ୍ତି ସଂଖ୍ୟା ୩୦୦,୦୦୦କୁ ଟପିଯାଇଥାଏ । ମୁଁ କେତେକ ପରିଚିତ ଲୋକଙ୍କୁ ଫୋନ୍‌ କଲି, କିନ୍ତୁ ସେ ଉଦ୍ୟମ ବ୍ୟର୍ଥ ହେଲା । ଏବଂ ସେସବୁ ଝଞ୍ଜଟ ଭିତରେ ମୁଁ ଏହି ନିର୍ଦ୍ଦିଷ୍ଟ ଘଟଣାଟିକୁ ଭୁଲିଗଲି । କିଛି ଦିନ ପରେ ମୋର ବନ୍ଧୁ ପୁଣି ଥରେ ଫୋନ୍‌ କରି କହିଲେ, “ମୋ ବନ୍ଧୁଙ୍କ ବାପା...ଚାଲିଗଲେ ।”

ଏପ୍ରିଲ ୧୭ ତାରିଖରେ, ତାଙ୍କ ଶରୀରର ଅକ୍‌ସିଜେନ୍‌ ସ୍ତର ବିପଜ୍ଜନକ ଭାବେ ୫୭ ପ୍ରତିଶତକୁ ଖସି ଆସିଥିଲା (୯୨-୯୦ରୁ ତଳକୁ ଖସିଲେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି)। କେଇ ଘଣ୍ଟା ଭିତରେ, ତାଙ୍କର ଅକ୍‌ସିଜେନ ସ୍ତର ୩୧କୁ ହ୍ରାସ ପାଇଲା ଏବଂ ଏହାର ଠିକ୍‌ ପରେ ପରେ ତାଙ୍କର ମୃତ୍ୟୁ ହେଲା । ତାଙ୍କର ସେହି ଶୋଚନୀୟ ଅବସ୍ଥା ସଂପର୍କରେ ସେ ଟୁଇଟ୍‌ କରି ଜଣାଇଥିଲେ ଏବଂ ତାଙ୍କର ଶେଷ ଟୁଇଟ୍‌ ଥିଲା: “ମୋର ଅକ୍‌ସିଜେନ ସ୍ତର ୩୧। କେହି ମୋତେ ସାହାଯ୍ୟ କରିବେ କି ?”

ଏମିତି ଅନେକ ଏସ୍‌ଓଏସ୍‌ ମେସେଜ୍‌, ଅନେକ ଟୁଇଟ୍‌, ଅନେକ ଫୋନ୍‌ କଲ୍‌ । ଗୋଟିଏ ପୋଷ୍ଟରେ ଲେଖା ହୋଇଥିବ:“ହସ୍‌ପିଟାଲରେ ବେଡ୍‌ ଦରକାର” କିନ୍ତୁ ପରଦିନ ହିଁ ଅପ୍‌ଡେଟ୍‌ ମିଳିବ-“ରୋଗୀଙ୍କର ମୃତ୍ୟୁ ହୋଇଯାଇଛି ।”

ସେହି ବନ୍ଧୁ, ଯାହାଙ୍କୁ ମୁଁ କେବେ ଭେଟିନାହିଁ, କେବେ କଥାବାର୍ତ୍ତା କରିନାହିଁ କିମ୍ବା ତାଙ୍କୁ ଜାଣିନାହିଁ; ସେହି ବନ୍ଧୁ.ଯେ କି ଏକ ସୁଦୂର ରାଜ୍ୟରେ ରହନ୍ତି ଏବଂ ଭିନ୍ନ ଏକ ଭାଷା କହନ୍ତି, କୌଣସି ଏକ ସ୍ଥାନରେ ତାଙ୍କର ମୃତ୍ୟୁ ଘଟିଲା, ସେ ନିଶ୍ୱାସ ନେଇପାରିଲେ ନାହିଁ, ଏବେ ଏକ ଅଜଣା ଚିତାରେ ଜଳୁଛନ୍ତି ସେ ।

The country is ablaze with a thousand bonfires of human lives. A poem about the pandemic

ଚିତା

ତୁମ ପାଇଁ କାନ୍ଦେ ମୋ ଅନ୍ତର, ପ୍ରିୟ ବନ୍ଧୁ,
ମୃତ୍ୟୁର ଶୁଭ୍ର ଚାଦର ଢାଙ୍କି ହୋଇ,
ଶବର ଉପତ୍ୟକାରେ ଏକା ଏକା,
ମୁଁ ଜାଣେ ତୁମେ ଡରି ଯାଇଛ।

ତୁମ ପାଇଁ କାନ୍ଦେ ମୋ ଅନ୍ତର, ପ୍ରିୟ ବନ୍ଧୁ,
ସୂର୍ଯ୍ୟ ଅସ୍ତ ହେବା ବେଳେ,
ତୁମ ଉପରେ ପଡ଼େ ରକ୍ତାକ୍ତ ଗୋଧୂଳିର ଛିଟା,
ମୁଁ ଜାଣେ ତୁମେ ଡରି ଯାଇଛ।
ତୁମେ ପଡ଼ିଥାଅ ଅଚିହ୍ନା ଲୋକଙ୍କ ସହ,
ତୁମେ ଜଳିଯାଅ ଅଚିହ୍ନା ଲୋକଙ୍କ ସହ,
ତୁମର ଏ ଯାତ୍ରା ବି ଥିଲା ଅଚିହ୍ନା ଲୋକଙ୍କ ସହ।
ମୁଁ ଜାଣେ ତୁମେ ଡରି ଯାଇଛ।

ତୁମ ପାଇଁ କାନ୍ଦେ ମୋ ଅନ୍ତର, ପ୍ରିୟ ବନ୍ଧୁ।
ବୁନ୍ଦାଏ ନିଶ୍ୱାସ ପାଇଁ ତୁମେ ଯେବେ କାନ୍ଦୁଥିଲ,
ଶ୍ୱେତ ପ୍ରାଚୀର ଘେରା ପ୍ରକୋଷ୍ଠରେ,
ମୁଁ ଜାଣେ ତୁମେ ଡରି ଯାଇଥିଲ।
ଯେବେ ସେଇ ଶେଷ ଦୁଇ ବୁନ୍ଦା ଲୁହ
ତୁମ ମୁହଁ ଦେଇ ଝରିଗଲା;
ଯେବେ ସେଇ ଅନ୍ତିମ ମୁହୂର୍ତ୍ତରେ,
ତୁମେ ଦେଖିଲ ତୁମ ମାଆଙ୍କ ଅସହାୟ ଅଶ୍ରୁ,
ମୁଁ ଜାଣେ ତୁମେ ଡରି ଯାଇଥିଲ ।

ସାଇରନ୍‌ର ଆର୍ତ୍ତନାଦ,
ମାଆଙ୍କ କ୍ରନ୍ଦନ,
ଚିତାର ଦହନ।
ମୋର ଏହା କହିବା କ’ଣ ଠିକ୍‌ ହେବ,
“ଡର ନାହିଁ !”
ମୋର ଏହା କହିବା କ’ଣ ଠିକ୍‌ ହେବ,
“ଡର ନାହିଁ !”
ତୁମ ପାଇଁ କାନ୍ଦେ ମୋ ଅନ୍ତର, ପ୍ରିୟ ବନ୍ଧୁ।

ଅନୁବାଦ: ଓଡ଼ିଶାଲାଇଭ୍‍

Poem and Text : Gokul G. K.

Gokul G.K. is a freelance journalist based in Thiruvananthapuram, Kerala.

Other stories by Gokul G. K.
Painting : Antara Raman

Antara Raman is an illustrator and website designer with an interest in social processes and mythological imagery. A graduate of the Srishti Institute of Art, Design and Technology, Bengaluru, she believes that the world of storytelling and illustration are symbiotic.

Other stories by Antara Raman
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE