ଦିନେ ତାଙ୍କ ପରିବାର ଲୋକେ ସେମାନଙ୍କ ଚାଷଜମିରେ ଯେଉଁ ଘର ତୋଳିଥିଲେ, ଆଜି ସେହି ଘରର ଭଗ୍ନାବଶେଷ ଦେଇ ଆଗେଇ ଚାଲିଲେ ୭୦ ବର୍ଷୀୟା ବଲଦେବ କୌର । ଏବେ ବି ମାଟି ଉପରେ ମୁଣ୍ଡ ଟେକି ଠିଆ ହୋଇଥିବା କେତେକ କୋଠରିର କାନ୍ଥରେ ସୃଷ୍ଟ ବଡ଼ ବଡ଼ ଫାଟ ଦିଶୁଥିଲା ।
ମୁଣ୍ଡରେ ପାଚିଲା କେଶ ଏବଂ ଦେହରେ ସୂତାର ଶାଲୱାର କମିଜ୍, ଦୁପଟ୍ଟାରେ ମୁଣ୍ଡ ଢାଙ୍କିଥିବା ବଲଦେବ କହିଲେ, “ଯେଉଁଦିନ ବର୍ଷା ଆଉ କୁଆପଥର ଆମ ଛାତ ଉପରେ ପିଟିହେଉଥିଲା, ସେହି ରାତିକୁ ଆମେ ସମସ୍ତେ ପୂରା ଅନିଦ୍ରାରେ କାଟିଲୁ । କ’ଣ ସବୁ ଘଟିଯାଉଛି ବୋଲି ଆମେ ଠିକ୍ ଭାବରେ ଜାଣିପାରୁ ନଥିଲୁ । ସକାଳେ, ଯେତେବେଳେ ଛାତରୁ ପାଣି ଗଳିଲା, ଆମେ ସମସ୍ତେ ବାହାରକୁ ଦୌଡ଼ିଲୁ ।”
ବଲଦେବଙ୍କ ସାନବୋହୂ, ୨୬ ବର୍ଷୀୟା ଅମନଦୀପ କୌର କହିଲେ, ସକାଳେ ସିନ୍ଦୂରା ଫାଟିବା ବେଳକୁ, ଘର ଭୁଶୁଡ଼ିବା ଆରମ୍ଭ ହେଲା । ବଲଦେବଙ୍କ ବଡ଼ପୁଅ, ୩୫ ବର୍ଷୀୟ ବଲଜିନ୍ଦର ସିଂହ କହିଲେ, “ସାଡ଼ା ପାସେ ଘର ହି ପଟ୍ଟ ଗୟା (ଘର ଭାଙ୍ଗି ଆମ ଚାରିପାଖେ ଖଣ୍ଡ ଖଣ୍ଡ ହୋଇ ପଡ଼ିଲା) ।”
ବଲଦେବ କୌର ଏବଂ ତାଙ୍କର ତିନି ସନ୍ତାନଙ୍କ ସମେତ ସାତ ଜଣିଆ ପରିବାରର କେହି ହେଲେ ଆଗରୁ ଏଭଳି ଧ୍ୱଂସଲୀଳା ଦେଖି ନଥିଲେ । ୨୦୨୩ ମାର୍ଚ୍ଚରେ ଅଦିନିଆ ବର୍ଷା ସହିତ କୁଆପଥର ମାଡ଼ ଯୋଗୁଁ ଶ୍ରୀ ମୁକ୍ତସର ସାହିବ ଜିଲ୍ଲା ଅନ୍ତର୍ଗତ ଗିଦ୍ଦଡ଼ବାହା ବ୍ଲକ୍ସ୍ଥିତ ସେମାନଙ୍କ ଗାଁ ଭଲାଇଆଣାରେ ବ୍ୟାପକ ଫସଲ ଓ ଘରଦ୍ୱାର ନଷ୍ଟ ହୋଇଗଲା । ଦକ୍ଷିଣ-ପଶ୍ଚିମ ପଞ୍ଜାବର ଏହି ଅଞ୍ଚଳ, ଦକ୍ଷିଣରେ ରାଜସ୍ଥାନ ଏବଂ ପୂର୍ବରେ ହରିଆଣାର ସୀମାକୁ ଲାଗି ରହିଛି ।
ତିନି ଦିନ ଧରି ବର୍ଷା ଓ କୁଆପଥର ମାଡ଼ ଲାଗି ରହିବାରୁ ବଲଜିନ୍ଦର ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ତାଙ୍କ ପରିବାରର ୫ ଏକର ଜମି ସହିତ ଅନ୍ୟ ୧୦ ଏକର ଜମିରେ ଚାଷକାମ କରିବା ଲାଗି ସେ ଜଣେ ଅର୍ଥିଆ (କୃଷିଜାତ ସାମଗ୍ରୀ ବିକାକିଣା କରୁଥିବା ମଧ୍ୟସ୍ଥ) ପାଖରୁ ୬ ଲକ୍ଷ ୫୦ ହଜାର ଟଙ୍କା ଧାର ଆଣିଥିଲେ । ଗହମ ଫସଲ ବିନା ସେମାନଙ୍କ ପାଖରେ ନା ପରିବାର ଭରଣପୋଷଣର, ନା ଋଣ ପରିଶୋଧ କରିବାର କୌଣସି ଉପାୟ ଥିଲା ।
ବଲଜିନ୍ଦର କହିଲେ, “ପ୍ରଥମେ ଗହମ ପାଚିବା ଆରମ୍ଭ ହେଉଥିବା ବେଳେ କୁଆପଥର ମାଡ଼ରେ ଫସଲ ନଷ୍ଟ ହୋଇଗଲା । ତା’ପରେ ବର୍ଷା ଯୋଗୁଁ ବହୁ ଦିନ ଧରି ସମଗ୍ର କ୍ଷେତରେ ପାଣି ଜମି ରହିଲା । କ୍ଷେତରୁ ପାଣି ବାହାରିବାର ବାଟ ନଥିଲା ଏବଂ ତେଣୁ ଫସଲ ପଚିଯିବାରେ ଲାଗିଲା ।” ଏପ୍ରିଲ ମଧ୍ୟ ଭାଗରେ ବଲଜିନ୍ଦର ଆମକୁ କହିଲେ, “ଏବେ ବି ୧୫ ଏକର ଜମିରେ ଫସଲ ତଳେ ଲୋଟି ପଡ଼ିଛି ।”


ବାମ: ପଞ୍ଜାବର ଶ୍ରୀ ମୁକ୍ତସର ସାହିବ ଜିଲ୍ଲା ଅନ୍ତର୍ଗତ ଭଲାଇଆଣା ଗାଁରେ ଥିବା ତାଙ୍କ ଘରର ଭଗ୍ନାବଶେଷ ମଧ୍ୟରେ ଠିଆ ହୋଇଛନ୍ତି ବଲଦେବ କୌର । ତାଙ୍କ ପରିବାର ଲୋକେ ଏହି ଘରକୁ ସେମାନଙ୍କ ଚାଷଜମିରେ ତିଆରି କରିଥିଲେ । ଡାହାଣ: ନଷ୍ଟ ହୋଇଯାଇଥିବା ଘରର ଭଙ୍ଗା କାନ୍ଥ ପାଖରେ ବଲଦେବ କୌରଙ୍କ ସାନବୋହୂ ଅମନଦୀପ କୌର


ବାମ: ଭଡ଼ା ସୂତ୍ରରେ ଅନ୍ୟ ୧୦ ଏକର ଜମି ନେଇ ଚାଷ କରିବାକୁ ଋଣ କରିଥିଲେ ବଲଦେବ କୌରଙ୍କ ବଡ଼ପୁଅ ବଲଜିନ୍ଦର ସିଂହ । ଡାହାଣ: ବଲଦେବ କୌରଙ୍କ ପରିବାର ଚାଷ କରିଥିବା ୧୫ ଏକର ଜମିରେ ନଷ୍ଟ ହୋଇଯାଇଥିବା ଗହମ ଫସଲ
ଦେଶର ଏହି ଭାଗରେ ଗହମ ରବି ଫସଲରେ ଗଣାଯାଏ ଏବଂ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ବିହନ ବୁଣାଯାଏ । ଗହମ ଚାଷ କ୍ଷେତ୍ରରେ ଫେବ୍ରୁଆରୀ ଏବଂ ମାର୍ଚ୍ଚ ମାସ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ଗହମ ଦାନା ବାନ୍ଧିଥାଏ ଏବଂ ଏହା ଭିତରେ ଶ୍ୱେତସାର ଓ ପୁଷ୍ଟିସାର ଜମା ହେବାରେ ଲାଗିଥାଏ ।
ଚଣ୍ଡୀଗଡ଼ସ୍ଥିତ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ତଥ୍ୟ ଅନୁସାରେ, ମାର୍ଚ୍ଚ ୨୪ରୁ ୩୦ ତାରିଖ ମଧ୍ୟରେ ପଞ୍ଜାବରେ ୩୩.୮ ମି.ମି. ବୃଷ୍ଟିପାତ ହୋଇଥିଲା । ସ୍ୱାଭାବିକ ଭାବରେ ପୂରା ମାର୍ଚ୍ଚ ମାସରେ ୨୨.୨ ମି.ମି. ବୃଷ୍ଟିପାତ ହୋଇଥାଏ । ଲୁଧିଆନାର ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ ଦ୍ୱାରା ସଂପାଦିତ ତଥ୍ୟ ଅନୁସାରେ କେବଳ ମାର୍ଚ୍ଚ ୨୪ ତାରିଖ ଦିନ ହିଁ ପାଖାପାଖି ୩୦ ମି.ମି. ବୃଷ୍ଟିପାତ ରେକର୍ଡ କରାଯାଇଥିଲା ।
ବଲଦେବ ଜାଣିଥିଲେ ଯେ, ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ଫସଲ ଉଜୁଡ଼ି ଯାଇଛି ଏବଂ ଏହା ସେମାନଙ୍କୁ ଶକ୍ତ ଧକ୍କା ଦେଇଛି । ହେଲେ, ତା ସାଙ୍ଗକୁ ବର୍ଷ ବର୍ଷ ଧରି ତାଙ୍କ ପରିବାର ଗଢ଼ିଥିବା ଘରଟି ମଧ୍ୟ ନଷ୍ଟ ହୋଇଯିବା କଥା ତାଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ।
ବଲଦେବ କୌର କହିଲେ, “ଯେତେବେଳେ ବି ମୁଁ ବାହାରୁ ଆସି କେବଳ ଆମ ଘର ଉପରେ ନଜର ପକେଇ ଦିଏ, ଚିନ୍ତାରେ ମୋ ମନ ଭରିଯାଏ । ଜୀ ଘବରାନ୍ଦା ହୈ (ମୁଁ ଉଦ୍ବିଗ୍ନ ହୋଇଉଠେ) ।”
ତାଙ୍କ ପରିବାରର ଆକଳନ ଅନୁସାରେ ଫସଲହାନି ଯୋଗୁଁ ସେମାନଙ୍କର ୬ ଲକ୍ଷରୁ ଅଧିକ ଟଙ୍କାର କ୍ଷତି ହୋଇଛି । ଗୋଟିଏ ଏକରରେ ୬୦ ମାଣ ( ଗୋଟିଏ ମାଣ ୩୭ କିଲୋଗ୍ରାମ) ଗହମ ଅମଳ ହୋଇଥାଏ ଏବଂ ସେମାନେ ଏବେ ଏକର ପିଛା ମାତ୍ର ୨୦ ମାଣ ଅମଳ କରିବେ । ଭଙ୍ଗାଘରକୁ ପୁଣି ଗଢ଼ିବା ଲାଗି ଅତିରିକ୍ତ ଖର୍ଚ୍ଚର ବୋଝ ବୋହିବାକୁ ପଡ଼ିବ ଏବଂ ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ଏହାକୁ ଅତି ଶୀଘ୍ର ତିଆରି କରିବାକୁ ପଡ଼ିବ ।
ବଲବିନ୍ଦର କହିଲେ, “କୁଦରତ କରକେ (ଏସବୁ କେବଳ ପ୍ରକୃତି ଯୋଗୁଁ)।”


ବାମ: ତାଙ୍କ ପୈତୃକ ଘରର ଧ୍ୱଂସାବଶେଷ ଭିତର ଦେଇ ଯାଉଛନ୍ତି ବଲଦେବ କୌର । ଡାହାଣ: ୨୦୨୩ ମାର୍ଚ୍ଚ ମାସର ଅଦିନିଆ ବର୍ଷାରେ ଧ୍ୱଂସମୁଖରୁ ରକ୍ଷା ପାଇଯାଇଥିବା ଏକମାତ୍ର କୋଠରି ଭିତରକୁ ସେମାନେ ପରିବାରର ସବୁ ଜିନିଷପତ୍ର ନେଇଯାଇଛନ୍ତି


ବାମ: ଜଳବାୟୁ ପରିବର୍ତ୍ତନ କାରଣରୁ ନଷ୍ଟ ହୋଇଯାଇଥିବା ଭଲିୟାଣା ଗାଁର ଚାଷଜମି । ଡାହାଣ: ଭଲିୟାଣା ଗାଁରେ ତାଙ୍କ ଘରେ ଅଛନ୍ତି ଭାରତୀୟ କିଷାନ ୟୁନିଅନ (ଏକତା-ଉଗ୍ରାହାଁ)ର ଜଣେ କର୍ମୀ ଗୁରବକତ୍ ସିଂହ
ଜଳବାୟୁର ଅପ୍ରତ୍ୟାଶିତ ଧାରା ହିଁ ଚାଷୀମାନଙ୍କ ପାଇଁ ଆତଙ୍କର କାରଣ ବୋଲି କହିଲେ ୬୪ ବର୍ଷୀୟ ଗୁରବକତ୍ ସିଂହ । ସେ ବି ଭଲାଇଆଣା ଗାଁର ବାସିନ୍ଦା ଏବଂ ଭାରତୀୟ କିଷାନ ୟୁନିଅନ (ଏକତା-ଉଗ୍ରାହାଁ)ର ଜଣେ କର୍ମୀ । ସେ କହିଲେ, “ସରକାରଙ୍କ ଭୁଲ ନୀତି ଯୋଗୁଁ ଏହା ଘଟୁଛି । ସରକାର ଯଦି ଅନ୍ୟାନ୍ୟ ଫସଲ ପାଇଁ ଦର ନିର୍ଦ୍ଧାରଣ କରନ୍ତେ, ତେବେ ଆମେ ଅଧିକ ପାଣି ଦରକାର କରୁଥିବା ଧାନ ଭଳି ଫସଲ ନ କରି ସେସବୁ ଚାଷ ବି କରନ୍ତୁ ।”
ବିଭିନ୍ନ କୃଷକ ସଂଗଠନର ଏକ ମିଳିତ ମଞ୍ଚ ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ସମସ୍ତ ଫସଲ ପାଇଁ ନ୍ୟୂନତମ ସମର୍ଥନ ମୂଲ୍ୟ (ଏମ୍ଏସ୍ପି) ନିମନ୍ତେ ଆଇନ ପ୍ରଣୟନର ପ୍ରତିଶ୍ରୁତି । ଏମିତି ଏକ ଆଇନ ପ୍ରଣୟନ ନିମନ୍ତେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ପଞ୍ଜାବର ଅନେକ ଚାଷୀ ସଂଗଠନ ୨୦୨୩ ମାର୍ଚ୍ଚରେ ଦିଲ୍ଲୀରେ ବିକ୍ଷୋଭ କରିଥିଲେ ।
ଗୁରବକତ୍ଙ୍କ ସାନପୁଅ ଲଖୱିନ୍ଦର ସିଂହ କହିଲେ ଯେ, ସେମାନଙ୍କ ଫସଲ ସହିତ ତୁରି ମଧ୍ୟ ନଷ୍ଟ ହୋଇଯାଇଥିଲା । ତୁରି ହେଉଛି ଗହମ ଗଛର ଥୁଣ୍ଟାରୁ ପ୍ରସ୍ତୁତ ଏକ ଶୁଖିଲା ଗୋଖାଦ୍ୟ । ଗୁରବକତ୍ ଙ୍କ ପରିବାର ୬ରୁ ୭ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି । ଏହି ଫସଲ ଋତୁରେ ଚାଷକାମ କରିବା ଲାଗି ସେମାନେ ମଧ୍ୟ ଜଣେ ଅର୍ଥିଆଙ୍କ ପାଖରୁ ୧୦୦ ଟଙ୍କାରେ ୧ ଟଙ୍କା ୫୦ ପଇସା ସୁଧହାରରେ ୭ ଲକ୍ଷ ଟଙ୍କା ଋଣ ନେଇଥିଲେ । ଏହା ପୂର୍ବରୁ ସେମାନେ ପରିବାରର ଜମି ବନ୍ଧକ ରଖି ୯ ପ୍ରତିଶତ ସୁଧ ହାରରେ ବ୍ୟାଙ୍କରୁ ନେଇଥିବା ୧୨ ଲକ୍ଷ ଟଙ୍କାର ଋଣ ପରିଶୋଧ ଏବେ ବି ବାକି ଅଛି ।
ରବି ଫସଲରୁ ଯାହା ଆୟ ହେବ ସେଥିରୁ କିଛି ବକେୟା ଋଣ ପରିଶୋଧ କରିଦେବେ ବୋଲି ସେମାନେ ଆଶା କରିଥିଲେ । କିନ୍ତୁ ତାହା ଏବେ ଅସମ୍ଭବ ହୋଇପଡ଼ିଛି । ଗୁରଭକ୍ତ କହିଲେ, “ଏଥର ପେନ୍ଦୁ ବେର ( ବଡ଼ ବରକୋଳି) ଆକାରର କୁଆପଥର ପଡ଼ିଥିଲା ।”
*****
୨୦୨୩ ଏପ୍ରିଲ ମାସରେ ‘ପରୀ’ ଟିମ୍ ବୁଟ୍ଟର ବଖୁଆ ଗାଁର ୨୮ ବର୍ଷୀୟ ବୁଟା ସିଂହଙ୍କୁ ସାକ୍ଷାତ କରିବା ସମୟର ସେ ଅଦିନିଆ ଏବଂ ପ୍ରବଳ ବର୍ଷା କାରଣରୁ ନିଦ୍ରାହୀନତା ରୋଗରେ ଗୁରୁତର ପୀଡ଼ିତ ଥିଲେ ।
ସେ ଶ୍ରୀ ମୁକ୍ତସର ସାହିବ ଜିଲ୍ଲା ଅନ୍ତର୍ଗତ ଗିଦ୍ଦଡ଼ବାହା ବ୍ଲକ୍ର ଜଣେ ଚାଷୀ ଏବଂ ତାଙ୍କ ପରିବାରର ମାଲିକାନାରେ ସାତ ଏକର ଜମି ରହିଛି । ଏହା ସହିତ ସେ ଗହମ ଚାଷ କରିବା ଲାଗି ଆଉ ୩୮ ଏକର ଜମି ଲିଜ୍ରେ ନେଇଥିଲେ । ଏବେ ଗାଁର ତଳିଆ ଅଞ୍ଚଳରେ ଥିବା ଅନ୍ୟୂନ ୨୦୦ ଏକର ଚାଷଜମି ସହିତ ଏହି ୪୫ ଏକର ଜମି ମଧ୍ୟ ପାଣିରେ ବୁଡ଼ି ରହିଛି । ବୁଟା ସିଂହ ମଧ୍ୟ ପ୍ରତି ୧୦୦ ଟଙ୍କାରେ ୧ ଟଙ୍କା ୫୦ ପଇସା ସୁଧହାରରେ ଜଣେ ଅର୍ଥିଆଙ୍କ ପାଖରୁ ୧୮ ଲକ୍ଷ ଟଙ୍କା ଋଣ ନେଇଥିଲେ ।


ବାମ: ଗହମ ଚାଷ କରିବା ପାଇଁ ବୁଟା ସିଂହ ତାଙ୍କ ପରିବାରର ମାଲିକାନାରେ ଥିବା ସାତ ଏକର ଚାଷଜମି ସହିତ ଆଉ ୩୮ ଏକର ଜମି ଲିଜ୍ରେ ନେଇଥିଲେ । ଗାଁର ତଳିଆ ଅଞ୍ଚଳରେ ଥିବା ଅନ୍ୟୂନ ୨୦୦ ଏକର ଜମି ସହିତ ଏହି ୪୫ ଏକର ଜମି ଏବେ ପାଣିରେ ବୁଡ଼ି ରହିଛି । ଡାହାଣ: ବୁଟ୍ଟାର ବଖୁଆ ଗାଁରେ ଶୁଖିଯାଇଥିବା ଗହମ କ୍ଷେତରୁ ଫସଲକଟା ମେସିନ୍ ଲଗାଇ ଅମଳ କରାଯାଉଛି । ଏହି ଫସଲ କଟା ଯନ୍ତ୍ରର ଭଡ଼ା ବାବଦରେ, ଗଛ ଠିଆ ହୋଇ ରହିଥିଲେ ଏକର ପିଛା ୧,୩୦୦ ଟଙ୍କା ଏବଂ ନଇଁ ଯାଇଥିଲେ ଏକର ପିଛା ୨,୦୦୦ ଟଙ୍କା ଦେବାକୁ ପଡ଼େ
ବାପାମାଆ, ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସମେତ ତାଙ୍କର ଛଅ ଜଣିଆ ପରିବାର ଚାଷବାସରୁ ହେଉଥିବା ରୋଜଗାର ଉପରେ ନିର୍ଭର କରେ ।
ସେ କହିଲେ, “ଦିନକୁ ଦିନ ଗରମ ବଢ଼ିବାରେ ଲାଗିଥିବାରୁ କ୍ଷେତ ଶୁଖିଯିବ ଏବଂ ଆମେ ଫସଲ ଅମଳ କରିପାରିବୁ ବୋଲି ଆଶା ରଖିଥିଲୁ ।” ଏହି ଫସଲକଟା ଯନ୍ତ୍ର ମାଟି ଓଦା ଥିବା ଜମିରେ ଚାଲିପାରିବ ନାହିଁ । ଯାହାହେଲେ ବି କ୍ଷେତ ଶୁଖି ଆସିବା ବେଳକୁ ଅଧିକାଂଶ ଫସଲ ନଷ୍ଟ ହୋଇଯାଇଥିଲା ।
ଜମିରେ ଗଛ ଲୋଟି ଯାଇଥିଲେ ଅମଳ ବାବଦରେ ଅଧିକ ଖର୍ଚ୍ଚ କରିବାକୁ ପଡ଼େ । ଜମିରେ ଗଛ ଠିଆ ହୋଇ ରହିଥିଲେ ଫସଲକଟା ଯନ୍ତ୍ର ଭଡ଼ା ବାବଦରେ ଏକର ପିଛା ୧,୩୦୦ ଟଙ୍କା ଏବଂ ଗଛ ନଇଁ ଯାଇଥିଲେ ଏକର ପିଛା ୨,୦୦୦ ଟଙ୍କା ଦେବାକୁ ପଡ଼େ ।
ଏହି ସବୁ କାରଣ ଜନିତ ମାନସିକ ଚାପ ଯୋଗୁଁ ବୁଟାଙ୍କୁ ରାତିରେ ନିଦ ହୁଏନାହିଁ । ଏପ୍ରିଲ ୧୭ ତାରିଖ ଦିନ ସେ ଗିଦ୍ଦଡ଼ବାହାର ଜଣେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କର ଉଚ୍ଚ ରକ୍ତଚାପ ଅଛି ବୋଲି କହି ସେ ତାଙ୍କୁ ଔଷଧ ଲେଖି ଦେଇଥିଲେ ।
ଏହି ଅଞ୍ଚଳର ଚାଷୀମାନଙ୍କ ପାଇଁ ‘ମାନସିକ ଚାପ’ ଏବଂ ‘ଅବସାଦ’ ଭଳି ଶବ୍ଦ ସାଧାରଣ କଥା ଥିଲା ।
ତାଙ୍କ ଛଅ ଏକର ଚାଷ ଜମିରୁ ମୋଟର ପମ୍ପ୍ ଲଗାଇ ବର୍ଷାପାଣି ବାହାର କରୁଥିବା ବେଳେ ବୁଟ୍ଟାର ବଖୁଆ ଗାଁର ୪୦ ବର୍ଷୀୟ ଗୁରପାଲ ସିଂହ କହନ୍ତି, “ଡିପ୍ରେସନ୍ ତ ପାଏନ୍ଦା ହି ହୈ । ଅପ୍ସେଟ୍ ବାଲା କାମ୍ ହୋନ୍ଦା ହୈ (ଏମିତିରେ ଜଣେ ମାନସିକ ଚାପରେ ରହିବ ଏବଂ ବ୍ୟତିବ୍ୟସ୍ତ ତ ହେବ) ।” ଗୁରପାଲ କହିଲେ, ଯଦି ସେମାନେ ଚାଷବାସ ଋତୁର ପ୍ରତି ଛଅ ମାସ ପରେ କିଛି ହେଲେ ସଞ୍ଚି ପାରିଲେ ନାହିଁ ତେବେ ସେମାନଙ୍କ ମାନସିକ ସ୍ଥିତି ଉପରେ ଏହାର ପ୍ରଭାବ ପଡ଼ିବା ସ୍ୱାଭାବିକ କଥା ।


ବାମ: ବୁଟ୍ଟାର ବଖୁଆ ଗାଁର ୪୦ ବର୍ଷୀୟ ଗୁରପାଲ ସିଂହ ତାଙ୍କ ଚାଷଜମିରେ ପମ୍ପ ଲଗାଇ ପାଣି ବାହାର କରୁଛନ୍ତି । ଡାହାଣ: ଗୁରପାଲଙ୍କ ଚାଷଜମିରେ ବ୍ୟବହାର କରାଯାଉଥିବା ପାଣି ପମ୍ପ
ପଞ୍ଜାବରେ ଆତ୍ମହତ୍ୟା କରୁଥିବା ଚାଷୀମାନଙ୍କ ପରିବାରକୁ ସହାୟତା ଦେବା ଲାଗି ଗଠିତ ଏକ ସଂଗଠନ ‘କିଷାନ ମଜଦୁର ଖୁଦକୁଶୀ ପୀଡ଼ିତ ପରିବାର କମିଟି’ର ପ୍ରତିଷ୍ଠାତା, ୨୭ ବର୍ଷୀୟା ସାମାଜିକ କର୍ମୀ କିରଣଜିତ କୌର କହିଲେ ଯେ, ଉଦ୍ବେଗ ଅନୁଭବ କରୁଥିବା ଥିବା ଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । “ଫସଲହାନି ଘଟିଲେ ୫ ଏକରରୁ କମ୍ ଜମିର ମାଲିକାନା ଥିବା କ୍ଷୁଦ୍ର ଚାଷୀମାନଙ୍କୁ ସଂପୂର୍ଣ୍ଣ କ୍ଷତି ସହିବାକୁ ପଡ଼େ । ତେଣୁ, ଚାଷୀ ଓ ତାଙ୍କ ପରିବାର ଲୋକେ କେବଳ ନେଇଥିବା ଋଣର ସୁଧ ଗଣିବାକୁ ବାଧ୍ୟ ହୁଅନ୍ତି ଏବଂ ଏହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତର ଭାବରେ ପ୍ରଭାବିତ କରେ । ଏହି କାରଣରୁ ଚାଷୀମାନେ ଆତ୍ମହତ୍ୟା କରୁଥିବା ଦେଖାଯାଏ ।” କିରଣଜିତ କହିଲେ ଯେ, ନିଶାସକ୍ତ ହୋଇପଡ଼ିବା କିମ୍ବା ଏଭଳି ଚରମ ପଦକ୍ଷେପ ନେବାରୁ ଚାଷୀମାନଙ୍କୁ ବିରତ କରାଇବାକୁ ହେଲେ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ।
ପୂର୍ବରୁ ମଧ୍ୟ ଅମଳ ସମୟରେ ଅନିୟମିତ ଜଳବାୟୁର ପ୍ରଭାବକୁ କେତେକ ଚାଷୀ ଅଙ୍ଗେ ନିଭାଇଛନ୍ତି । ୨୦୨୨ ସେପ୍ଟେମ୍ବର ମାସରେ ଅଦିନିଆ ବର୍ଷା ଯୋଗୁଁ ବହୁ କଷ୍ଟରେ ଧାନ ଅମଳ କରାଯାଇଥିଲା ବୋଲି ବୁଟା କହିଲେ । ତା ପୂର୍ବର ରବି ଋତୁରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଥିଲା ଏବଂ ଏହା ଫଳରେ ଗହମ ଦାନା ଶୁଖିଯାଇଥିଲା ।
ଏଥର ଏହି ଅମଳ ଋତୁରେ, ସେ କହିଲେ, “ୱାଡାଁ ଦି ଆସ କାଥ ହୈ (ଫସଲ ଅମଳ ଆଶା ଖୁବ୍ କମ) । ଆଗାମୀ ଦିନରେ ଆମେ କିଛିଟା ଅମଳ କରିପାରିଲେ ବି ଏହାକୁ କେହି କିଣିବେ ନାହିଁ । କାରଣ, ସେତେବେଳକୁ ଗହମ ଦାନା କଳା ପଡ଼ିଯାଇଥିବ ।”
ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ପ୍ରମୁଖ ବିଜ୍ଞାନୀ (କୃଷି-ପାଣିପାଗ ବିଜ୍ଞାନ) ଡକ୍ଟର ପ୍ରଭଜ୍ୟୋତ କୌର ସିଦ୍ଧୁ କହିଲେ, ଫେବ୍ରୁଆରୀ ଏବଂ ମାର୍ଚ୍ଚ ମାସରେ ତାପମାତ୍ରା ସ୍ୱାଭାବିକ କିମ୍ବା ତା’ଠାରୁ କମ୍ ରହିଲେ ଏହା ଗହମ ଦାନା ବାନ୍ଧିବା ପାଇଁ ଉପଯୁକ୍ତ ହୋଇଥାଏ ।
ଏହି ସବୁ ମାସରେ ତାପମାତ୍ରା ଅଧିକ ରହିଥିବାରୁ ୨୦୨୨ର ରବି ଋତୁରେ ଗହମ ଉତ୍ପାଦନ ହ୍ରାସ ପାଇଥିବା ବେଳେ ୨୦୨୩ ମାର୍ଚ୍ଚ ଓ ଏପ୍ରିଲ ମାସରେ ବୃଷ୍ଟିପାତ ଏବଂ ଘଣ୍ଟା ପ୍ରତି ୩୦/୪୦ କିଲୋମିଟର ବେଗରେ ପବନ ବହିବା କାରଣରୁ ପୁଣି ଉତ୍ପାଦନ ହାର ହ୍ରାସ ପାଇଥିଲା । ଡକ୍ଟର ସିଦ୍ଧୁ କହିଲେ, “ବର୍ଷା ସହିତ ଅଧିକ ବେଗରେ ପବନ ବହିଲେ ଗହମ ଗଛ ତଳେ ପଡ଼ିଯାଏ । ଏହି ପ୍ରକ୍ରିୟାକୁ ‘ଲଜିଂ’ କହନ୍ତି । ପୁଣି ତାପମାତ୍ରା ବଢ଼ିବାରେ ଲାଗିଲେ ଗଛଗୁଡ଼ିକ ଠିଆ ହୋଇଯାଏ । କିନ୍ତୁ ଏପ୍ରିଲରେ ତାହା ହେଲା ନାହିଁ । ସେହି କାରଣରୁ ଗହମର ଦାନା ବଢ଼ି ପାରିଲା ନାହିଁ ଏବଂ ଏପ୍ରିଲ ମାସରେ ଅମଳ ହୋଇପାରିଲା ନାହିଁ । ଏହି ସ୍ଥିତି ଯୋଗୁଁ ପୁଣି ଉତ୍ପାଦନ ହାର ହ୍ରାସ ପାଇଲା । ପଞ୍ଜାବର କେତେକ ଜିଲ୍ଲାରେ, ଯେଉଁଠାରେ ପବନ ନ ବହି ବର୍ଷା ହୋଇଛି, ସେଠାକାର ସ୍ଥିତି ଅପେକ୍ଷାକୃତ ଭଲ ଥିଲା ।”
ଡକ୍ଟର ସିଦ୍ଧୁଙ୍କ କହିବା ଅନୁସାରେ ମାର୍ଚ୍ଚରେ ହୋଇଥିବା ଅଦିନିଆ ବର୍ଷାକୁ ପାଣିପାଗ କ୍ଷେତ୍ରରେ ଏକ ଚରମ ପ୍ରକରଣ ବୋଲି ଗ୍ରହଣ କରିନେବାକୁ ପଡ଼ିବ ।


ବୁଟ୍ଟାର ବଖୁଆ ଗାଁର କ୍ଷତିଗ୍ରସ୍ତ ଚାଷଜମି । ବର୍ଷା ସହିତ ପ୍ରବଳ ବେଗରେ ପବନ ବହିବା କାରଣରୁ ଗହମ ଫସଲ ତଳେ ଲୋଟିଯାଇଥିଲା ଏବଂ ଗହମ କ୍ଷେତ ମାସ ମାସ ଧରି ପାଣିରେ ବୁଡ଼ି ରହିଥିଲା
ମେ ମାସ ସୁଦ୍ଧା ବୁଟ୍ଟା ତାଙ୍କ ଚାଷଜମିରୁ ଏକର ପିଛା ୨୦ ମାଣ (କିମ୍ବା ୭.୪ କୁଇଣ୍ଟାଲ) ଗହମ ଅମଳ କରିବାରେ ସକ୍ଷମ ହେଲେ । କିନ୍ତୁ ଏକର ପିଛା ୨୦-୨୫ କୁଇଣ୍ଟାଲ ଅମଳ ହେବ ବୋଲି ସେ ଆଶା ରଖିଥିଲେ । ଗୁରଭକ୍ତ ସିଂହଙ୍କ ଫସଲରୁ ଏକର ପିଛା ୨୦ ମାଣରୁ ୪୦ ମାଣ ଅମଳ ହୋଇଥିଲା ଏବଂ ବଲଜିନ୍ଦର ସିଂହ ଏକର ପିଛା ୨୫ ମାଣରୁ ୨୮ ମାଣ ଅମଳ କରିଥିଲେ ।
ଗହମ ଦାନାର ଗୁଣମାନ ଭିତ୍ତିରେ ବୁଟ୍ଟା କୁଇଣ୍ଟାଲ ପିଛା ୧,୪୦୦ ଟଙ୍କାରୁ ୨,୦୦୦ ଟଙ୍କା ପାଇଲେ । କିନ୍ତୁ ୨୦୨୩ ମସିହା ପାଇଁ ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ଗହମର କିଣାମୂଲ୍ୟ (ଏମ୍ଏସ୍ପି) କୁଇଣ୍ଟାଲ ପିଛା ୨,୧୨୫ ଟଙ୍କା ସ୍ଥିର କରାଯାଇଥିଲା ।
ବର୍ଷାରେ ଫସଲହାନି ହୋଇଯିବା ପରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଦ୍ୱାରା ‘ମୂଲ୍ୟ କାଟ’ ସ୍ଥିର କରାଯିବା ପରେ ହିଁ ଏହା ହୋଇଥିଲା । ଏହି ‘ମୂଲ୍ୟ କାଟ’, ଗହମ ଦାନା ଶୁଖିଯାଇଥିବା କିମ୍ବା ଭାଙ୍ଗି ଯାଇଥିବା କ୍ଷେତ୍ରରେ କୁଇଣ୍ଟାଲ ପିଛା ୫ ଟଙ୍କା ୩୧ ପଇସାରୁ ୩୧ ଟଙ୍କା ୮୭ ପଇସା ମଧ୍ୟରେ ରହିଥିଲା । ଏହା ସହିତ ଚମକ ହରାଇଥିବା ଦାନା କ୍ଷେତ୍ରରେ କୁଇଣ୍ଟାଲ ପିଛା ୫ ଟଙ୍କା ୩୧ ପଇସା ମୂଲ୍ୟ କାଟ ଲାଗୁ କରାଯାଇଥିଲା ।
ଅତି କମ୍ରେ ୭୫% ଫସଲ ହରାଇଥିବା ଚାଷୀମାନଙ୍କୁ ଏକର ପିଛା ୧୫,୦୦୦ ଟଙ୍କାର ସହାୟତା ଦେବାକୁ ପଞ୍ଜାବ ସରକାର ଘୋଷଣା କରିଥିଲେ । ସେହିଭଳି ୩୩%ରୁ ୭୫% ଭିତରେ ଫସଲ ହରାଇଥିବା ଚାଷୀଙ୍କୁ ଏକର ପିଛା ୬,୮୦୦ ଟଙ୍କା ହିସାବରେ ସହାୟତା ଦିଆଯାଇଥିଲା ।
ସରକାରୀ କ୍ଷତିପୂରଣ ବାବଦରେ ବୁଟା ୨ ଲକ୍ଷ ଟଙ୍କା ପାଇଥିଲେ । ସେ କହିଲେ, “ଏହା ଏକ ମନ୍ଥର ପ୍ରକ୍ରିୟା । ଏ ଯାଏଁ ମୋତେ ପୂରା କ୍ଷତିପୂରଣ ରାଶି ମିଳିନାହିଁ ।” ତାଙ୍କ କହିବା ଅନୁସାରେ ଋଣ ପରିଶୋଧ କରିବା ଲାଗି ତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବା ଉଚିତ ।
ଗୁରଭକ୍ତ ଏବଂ ବଲଜିନ୍ଦରଙ୍କୁ ଏ ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ମିଳିନାହିଁ ।


ବାମ: ବଲଦେବ ସିଂହ ୧୫ ଏକର ଜମିର ମାଲିକ । ଡାହାଣ: ବହୁ ଦିନ ଧରି ଅତ୍ୟଧିକ ପାଣିରେ ରହିବା କାରଣରୁ ତାଙ୍କ ଜମିର ଗହମ ସବୁ କଳା ଏବଂ ବାଦାମୀ ରଙ୍ଗର ହୋଇଗଲା ଏବଂ ସେଗୁଡ଼ିକରେ ଫିମ୍ପି ମାରିଗଲା ଏବଂ ପଚିଗଲା । ସେ କହିଲେ, ଏହି ଜମିରେ ହଳ କଲେ ଏଭଳି ଦୁର୍ଗନ୍ଧ ବାହାରିବ ଯେ ଲୋକେ ରୋଗରେ ପଡ଼ିଯିବେ
ବୁଟ୍ଟାର ବଖୁଆ ଗାଁରେ ୧୫ ଏକ ଜମିର ମାଲିକ ୬୪ ବର୍ଷୀୟ ବଲଦେବ ସିଂହ ମଧ୍ୟ ୯ ଏକର ଜମି ଲିଜରେ ନେବାକୁ ଜଣେ ଅର୍ଥିଆଙ୍କ ପାଖରୁ ୫ ଲକ୍ଷ ଟଙ୍କା ଋଣ ନେଇଥିଲେ । ପ୍ରାୟ ମାସେ ହେଲା ସେ ପମ୍ପ୍ ଲଗାଇ ଜମିରୁ ପାଣି ବାହାର କରିଥିଲେ ଏବଂ ଏଥିରେ ପ୍ରତିଦିନ ୧୫ ଲିଟର ଡିଜେଲ ପୋଡ଼ିଯାଉଥିଲା ।
ବହୁ ଦିନ ଧରି ଜମି ପାଣିରେ ବୁଡ଼ି ରହିବା ପରେ ଗହମ କ୍ଷେତ କଳା ଓ ବାଦାମୀ ରଙ୍ଗର ହୋଇଗଲା ଏବଂ ଏଥିରେ ଫିମ୍ପି ମାରିଯାଇ ଫସଲ ପଚିଗଲା । ସେ କହିଲେ, ଏହି ଜମିରେ ଏବେ ହଳ କଲେ ଏଭଳି ଦୁର୍ଗନ୍ଧ ବାହାରିବ ଯେ ଲୋକେ ରୋଗରେ ପଡ଼ିଯିବେ ।
ତାଙ୍କ ୧୦ ଜଣିଆ ପରିବାର ସଂପର୍କରେ ବଲଦେବ କହିଲେ, “ମାତମ ୱର୍ଗା ମାହୋଲ ସି (ଘରର ବାତାବରଣ ଏବେ ଅନ୍ତ୍ୟେଷ୍ଟି କ୍ରିୟା ସମୟ ଭଳି) ।” ଏଥର ଫସଲ ଅମଳ ସମୟରେ ପାଳନ କରାଯାଉଥିବା ଏବଂ ନୂଆ ବର୍ଷ ଆରମ୍ଭକୁ ସୂଚାଉଥିବା ବୈଶାଖୀ ପର୍ବ ଆଦୌ ପାଳିତ ହୋଇନାହିଁ ।
ଫସଲ ନଷ୍ଟ ହେବା ଯୋଗୁଁ ସେ ନିଜେ ଭୂମିଚ୍ୟୁତ ହୋଇପଡ଼ିଥିବା ଭଳି ବଲଦେବଙ୍କୁ ଲାଗୁଛି । ସେ କହିଲେ, “ମୋ ଜମିକୁ ମୁଁ ଏମିତି ଛାଡ଼ି ପାରିଲି ନାହିଁ । ଏହା ଆମ ପିଲାମାନେ ପାଠ ପଢ଼ି ସାରିବା ପରେ ଚାକିରି ନ ପାଇବା ଭଳି କଥା ନୁହେଁ ।” ସେ କହିଲେ, ଏଭଳି ପରିସ୍ଥିତିରେ ହିଁ ଚାଷୀମାନେ ନିଜ ହାତରେ ନିଜ ଜୀବନ ହରାଇବାକୁ କିମ୍ବା ଦେଶ ଛାଡ଼ି ଚାଲି ଯିବାକୁ ବାଧ୍ୟ ହୁଅନ୍ତି ।
ବର୍ତ୍ତମାନ, ସହାୟତା ପାଇଁ ବଲଦେବ ସିଂହ ତାଙ୍କ ଯୌଥ ପରିବାରର ଅନ୍ୟ ଚାଷୀମାନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ ପାଖରୁ ସେ ଗୃହପାଳିତ ପ୍ରାଣୀମାନଙ୍କୁ ଖୁଆଇବା ଲାଗି ତୁରୀ ନେଇଛନ୍ତି ଏବଂ ତାଙ୍କ ପରିବାର ପାଇଁ ଶସ୍ୟ ବି ନେଇଛନ୍ତି ।
ସେ କହିଲେ, “ଆମେ କେବଳ ନାଁକୁ ମାତ୍ର ଜମିଦାର”
ଅନୁବାଦ: ଓଡ଼ିଶାଲାଇଭ୍