ଶାନ୍ତିଲାଲ, ଶାନ୍ତୁ, ଟିଣ୍ୟୋ : ଜଣେ ବ୍ୟକ୍ତିଙ୍କର – ତିନୋଟି ନାଁ। କିନ୍ତୁ ଆମେ ଆଉ ଏକ ଚତୁର୍ଥ ନାଁରେ ତାଙ୍କୁ ସମ୍ବୋଧନ କରିପାରିବା। ସାବରକଣ୍ଠା ଜିଲ୍ଲା ଅନ୍ତର୍ଗତ ୱଡ଼ାଲି ଗ୍ରାମର କଥିତ ଭାଷାରେ ତାଙ୍କର ନାଁ ହୋଇଯାଏ ‘ଶୋନ୍ତୁ’। ତେଣୁ ଆସନ୍ତୁ ତାଙ୍କୁ ଏହି ନାଁରେ ଡାକିବା।

ଶୋନ୍ତୁ ଏକ ଭିନ୍ନ ଚରିତ୍ର। ତାଙ୍କ କ୍ଷେତ୍ରରେ ଅସାଧାରଣ, ଅନନ୍ୟ, ଲୋକପ୍ରିୟ ଭଳି ବିଶେଷଣ ଲଗାଯାଇ ପାରିବ ନାହିଁ। ବରଂ, ସଚ୍ଚୋଟ, ଗରିବ, ପଛୁଆ କିମ୍ବା ଦଳିତ ବୋଲି ତାଙ୍କୁ ଆମ କହିପାରିବା। ତାଙ୍କର ଚରିତ୍ର ସହନଶୀଳ, ସଂଘର୍ଷପୂର୍ଣ୍ଣ ଏବଂ ଦିଗହରା ଭଳି ଲାଗେ। ବେଳେବେଳେ ଶୋନ୍ତୁ ସମ୍ପୂର୍ଣ୍ଣ ଭାବେ ଅସ୍ତିତ୍ୱହୀନ ଲାଗିଥାନ୍ତି। ଅନ୍ୟ ସମୟରେ, ଜଣେ ସାଧାରଣ ଲୋକ ପାଇଁ ଯେତିକି ଆବଶ୍ୟକ, କେବଳ ସେତିକି ସେ ନିଜକୁ ପରିପ୍ରକାଶ କରନ୍ତି।

ପରିବାରରେ ଛଅ ଜଣଙ୍କୁ ନେଇ ସେ ବଡ଼ ହୋଇଛନ୍ତି – ମାତାପିତା, ଜଣେ ବଡ଼ ଭାଇ ଏବଂ ଦୁଇ ଜଣ ଭଉଣୀ (ଜଣେ ତାଙ୍କ ଠାରୁ ସାନ)। ସେମାନଙ୍କ ପରିବାର ଅତି ଗରିବ। ପରିବାରର ବର୍ଦ୍ଧିତ ଚାହିଦାକୁ ସବୁଦିନ ପାଇଁ ସମାପ୍ତ କରି ଦିଆଯାଇଥିଲା। ମାତାପିତା ଓ ବଡ଼ ଭାଇଭଉଣୀ ଯେତିକି ରୋଜଗାର କରୁଥିଲେ, ପରିବାର ପାଇଁ ଦୁଇ ବେଳା ଖାଦ୍ୟ ଯୋଗାଡ଼ କରିବା ଲାଗି ସେତିକି ଯଥେଷ୍ଟ ହେଉଥିଲା। ବାପା ଗୋଟିଏ ମାଟାଡୋରରେ ମାଲ ପରିବହନ କରୁଥିଲେ, କିନ୍ତୁ କୌଣସି ଅନ୍ୟ ଯାତ୍ରୀଙ୍କୁ ନେଉନଥିଲେ, ସେଥିପାଇଁ କୌଣସି ଅତିରିକ୍ତ ରୋଜଗାର ନଥିଲା। ମା’ ଜଣେ ଦିନ ମଜୁରିଆ ଥିଲେ, ତାଙ୍କୁ କେବେ କାମ ମିଳୁଥିଲା, ଆଉ କେବେ ମିଳୁନଥିଲା। ସୌଭାଗ୍ୟବଶତଃ ତା’ର ବାପା ମଦ୍ୟପ ନଥିଲେ, ତେଣୁ ଘରେ ସେତେଟା ଅଶାନ୍ତି ନଥିଲା। କିନ୍ତୁ ଶୋନ୍ତୁ ଅନେକ ଦିନ ପରେ ଏହାକୁ ହୃଦୟଙ୍ଗମ କରିପାରିଥିଲେ।

ଶୋନ୍ତୁ ଯେତେବେଳେ ୱଡ଼ାଲିର ଶାରଦା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିଲେ, ସେହି ସମୟରେ ଗାଁକୁ ଏକ ସର୍କସ ଆସିଥିଲା। କିନ୍ତୁ ଟିକେଟ ଦର ମହଙ୍ଗା ଥିଲା। ତେବେ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଟିକେଟ୍‌ ଦର ୫ ଟଙ୍କା ରଖାଯାଇଥିଲା। ସ୍କୁଲ ନେଇକି ଯିବା ଲାଗି ଶୋନ୍ତୁଙ୍କ ପାଖରେ ଆଦୌ ଟଙ୍କା ନଥିଲା। ‘‘ଛିଡ଼ା ହୁଅ,’’ ଶିକ୍ଷକ ଆଦେଶ ଦେଲେ। ‘‘ତୁମେ କାହିଁକି ଟଙ୍କା ଆଣିନାହଁ, ପୁଅ?’’ ତାଙ୍କ କଥା ସ୍ନେହବୋଳା ଲାଗୁଥିଲା। ‘‘ମେମ୍‌, ମୋ ବାପା ଅସୁସ୍ଥ ଏବଂ ମା’ଙ୍କୁ ତାଙ୍କର ସୂତାକଳରୁ ଟଙ୍କା ମିଳି ନାହିଁ,’’ ଶୋନ୍ତୁ କାନ୍ଦିବାକୁ ଲାଗିଲେ।

ପରଦିନ ତା’ର ସହପାଠିନୀ କୁସୁମ ପଠାନ ‘ରମଜାନର ଆଶୀର୍ବାଦ ପାଇବା ଲାଗି’ ତା’କୁ ୧୦ ଟଙ୍କା ଦେଲେ।  ପରଦିନ ସେ ପଚାରିଲା, ‘‘ମୁଁ ଦେଇଥିବା ଟଙ୍କା ନେଇ ତୁମେ କ’ଣ କଲ?’’ ଶୋନ୍ତୁ ଗମ୍ଭୀର ଭାବେ କହିଲା : ‘‘ପାଞ୍ଚ ଟଙ୍କା ମୁଁ ସର୍କସରେ ଖର୍ଚ୍ଚ କଲି ଏବଂ ଆଉ ପାଞ୍ଚ ଟଙ୍କା ମୁଁ ଘରଖର୍ଚ୍ଚରେ ସହାୟତା କରିବା ଲାଗି ଘରେ ନେଇ ଦେଲି।’’ କୁସୁମ, ରମଜାନ, ଶୋନ୍ତୁ ଓ ସର୍କସ – ଏକ ସୁନ୍ଦର ଦୁନିଆ।

ସେ ଯେତେବେଳେ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ ତାଙ୍କ ମାଟି ଘରକୁ ଇଟା ଓ ସିମେଣ୍ଟରେ ଆଉ ଥରେ ଗଢ଼ିବାର ଥିଲା, ଯଦିଓ ବିନା ପ୍ଲାଷ୍ଟରରେ। ଯାହାର ଖର୍ଚ୍ଚ ତୁଲାଇବା ଲାଗି ସେମାନେ ଅସମର୍ଥ ଥିଲେ। ଜଣେ ରାଜମିସ୍ତ୍ରୀଙ୍କୁ ଦିନ ମଜୁରିରେ ଡକାଗଲା, ଏବଂ ଅବଶିଷ୍ଟ କାମ ପରିବାର ଲୋକମାନେ କରିଥିଲେ। ଏସବୁ କାମରେ ଅନେକ ଦିନ ଲାଗିଥିଲା ଏବଂ ଶୋନ୍ତୁ କିଛି ଜାଣିବା ପୂର୍ବରୁ ତାଙ୍କର ଫାଇନାଲ ପରୀକ୍ଷା ପାଖେଇ ଆସିଥିଲା। ହେଲେ ତାଙ୍କର ଶ୍ରେଣୀ ଉପସ୍ଥିତି ଯଥେଷ୍ଟ ନଥିଲା। ପ୍ରଧାନ ଶିକ୍ଷକଙ୍କୁ ଗୁହାରି କରିବା ଏବଂ ନିଜର ପରିସ୍ଥିତି ସମ୍ପର୍କରେ କହିବା ପରେ, ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଲା।

ସେ ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ ଏବଂ ଅଧିକ ଭଲ କରିବାକୁ ସଂକଳ୍ପ ନେଲେ। ଶୋନ୍ତୁ କଠିନ ପରିଶ୍ରମ କରିବା ଆରମ୍ଭ କଲେ, କିନ୍ତୁ ଠିକ୍‌ ଏହି ସମୟରେ, ତାଙ୍କର ମା’ ଅସୁସ୍ଥ ହୋଇପଡ଼ିଲେ। ମା’ଙ୍କର ଅସୁସ୍ଥତା ଦିନକୁ ଦିନ ଅଧିକ ଖରାପ ହେବାକୁ ଲାଗିଲା ଏବଂ ତାଙ୍କର ଫାଇନାଲ ପରୀକ୍ଷା ପୂର୍ବରୁ ମା’ ଆରପାରିକୁ ଚାଲିଗଲେ। ଏହି କ୍ଷତି, ଯନ୍ତ୍ରଣା, ଜଣେ ୧୮ ବର୍ଷ ବୟସର ବାଳକ ପାଇଁ ଅସହନୀୟ ଥିଲା। ପରୀକ୍ଷା ପାଖେଇ ଆସିବାର ଚାପ ସେ ଅନୁଭବ କରିପାରୁଥିଲେ, ପୂର୍ବରୁ ସେ ଯେତେ କଠିନ ପରିଶ୍ରମ କରିଥିଲେ ସୁଦ୍ଧା କିଛି କାମ ଦେଲା ନାହିଁ। ସେ ୬୫ ପ୍ରତିଶତ ମାର୍କ ପାଇଲେ। ଶୋନ୍ତୁ ଆଗକୁ ପାଠ ପଢ଼ିବାର ଆଗ୍ରହ ଛାଡ଼ି ଦେଲେ।

ସେ ପଢ଼ିବାକୁ ଭଲ ପାଉଥିଲେ, ତେଣୁ ସେ ସର୍ବସାଧାରଣ ପାଠାଗାରକୁ ଯିବା ଆରମ୍ଭ କଲେ ଏବଂ ଘରକୁ ପଢ଼ିବା ଲାଗି ବହି ଆଣିଲେ। ତାଙ୍କର ଏହି ଆଗ୍ରହ ଦେଖି, ଜଣେ ବନ୍ଧୁ ତାଙ୍କୁ ୱଡ଼ାଲି ଆର୍ଟସ୍‌ କଲେଜରେ ଇତିହାସ ସ୍ନାତକ ଶ୍ରେଣୀରେ ନାମ ଲେଖାଇବାକୁ ରାଜି କରାଇଲେ। ‘‘ତୁମେ କେତେକ ଶ୍ରେଷ୍ଠ ପୁସ୍ତକ ପଢ଼ିବା ଲାଗି ସୁଯୋଗ ପାଇବ,’’ ସେ କହିଲେ। ଶୋନ୍ତୁ ଶ୍ରେଣୀରେ ନାମ ଲେଖାଇଲେ କିନ୍ତୁ କେବଳ ପାଠାଗାରରୁ ବହି ଆଣିବା ଏବଂ ଫେରାଇବା ପାଇଁ କଲେଜ ଯାଉଥିଲେ। ଦିନର ବାକି ସମୟ ସେ ସୂତା କଳରେ କାମ କରୁଥିଲେ। ସନ୍ଧ୍ୟାରେ ସେ ବହି ପଢ଼ୁଥିଲେ, ଆଉ ହଁ, ଏଣେତେଣେ ବୁଲୁଥିଲେ। କଳା ସ୍ନାତକ ପ୍ରଥମ ବର୍ଷରେ ସେ ୬୩ ପ୍ରତିଶତ ନମ୍ବର ରଖିଲେ।

ପ୍ରାଧ୍ୟାପକ ଯେତେବେଳେ ତାଙ୍କର ପରୀକ୍ଷା ଫଳ ଦେଖିଲେ, ସବୁଦିନ କଲେଜ ଆସିବା ପାଇଁ ତାଙ୍କୁ ଅନୁରୋଧ କଲେ। ଏହାପରେ ଶୋନ୍ତୁ ନିଜ ପାଠପଢ଼ାକୁ ଉପଭୋଗ କରିବାକୁ ଲାଗିଲେ। ଏହା ଥିଲା ତାଙ୍କର ତୃତୀୟ ବର୍ଷ ପାଠପଢ଼ା। ଅସାଧାରଣ ପଠନ କୌଶଳ ଥିବା ଜଣେ ବିଦ୍ୟାର୍ଥୀକୁ ଏକ ମେଧାବୀ ପ୍ରମାଣପତ୍ର ଦେବାକୁ ୱଡ଼ାଲି ଆର୍ଟସ୍‌ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଲେ। ଶୋନ୍ତୁ ସେହି ପ୍ରମାଣପତ୍ର ପାଇଲେ। ‘‘ପାଠାଗାରକୁ ଯାଇ ବହି ଆଣିବା ଲାଗି ତୁମେ କେତେବେଳେ ସମୟ ପାଅ ଶାନ୍ତିଲାଲ?’’ ତାଙ୍କର ପ୍ରଫେସର ଚକିତ ହୋଇ ପଚାରିଥିଲେ। ୨୦୦୩ରେ ଶୋନ୍ତୁ ୬୬ ପ୍ରତିଶତ ନମ୍ବର ରଖି କଳା ସ୍ନାତକ ତୃତୀୟ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

PHOTO • Shantilal Parmar
PHOTO • Shantilal Parmar

ଆମ ଆଡ଼କୁ ମୁହଁ କରି ଫଟୋର ଡାହାଣ ପଟେ ଥିବା ଘରର ଉପର ମହଲାରେ ଏବେ ଶୋନ୍ତୁ ରହୁଛନ୍ତି। ଶୋନ୍ତୁ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ତା’ଙ୍କର ପରିବାର ଲୋକ ଏହି ଘରକୁ ହିଁ ଇଟା ଓ ସିମେଣ୍ଟରେ ତିଆରି କରିଥିଲେ। ଆମେ ଦେଖୁଥିବା ପ୍ଲାଷ୍ଟର ବହୁ ଦିନ ପରେ ହୋଇଥିଲା

ପଡ଼ୋଶୀ ଜିଲ୍ଲା ମେହସାନାର ୱିସନଗରରେ ଥିବା ଏକ ସରକାରୀ କଲେଜକୁ ସେ ସ୍ନାତକୋତ୍ତର ପଢ଼ିବାକୁ ଗଲେ ଏବଂ ସେଠାରେ ହଷ୍ଟେଲରେ ରହିଲେ। ହଷ୍ଟେଲରେ ଗୋଟିଏ କୋଠରୀ ପାଇବାକୁ ହେଲେ ଫାଇନାଲ ପରୀକ୍ଷାରେ ତାଙ୍କୁ ୬୦ ପ୍ରତିଶତ ନମ୍ବର ରଖିବାର ଥିଲା। ସ୍ନାତକ ପାଠ୍ୟକ୍ରମରେ ଏତିକି ନମ୍ବର ରଖିଥିବା କାରଣରୁ ସେ ଏହି ଆବଶ୍ୟକତାକୁ ପୂରଣ କରିପାରିଥିଲେ। ତେବେ ପରବର୍ତ୍ତୀ ବର୍ଷ ଶୋନ୍ତୁ ହଷ୍ଟେଲରେ ରହିପାରିଲେ ନାହିଁ, କାରଣ ପ୍ରଥମ ବର୍ଷ ଫାଇନାଲ ପରୀକ୍ଷାରେ ସେ ୫୯ ପ୍ରତିଶତ ମାର୍କ ରଖିବା ଯୋଗୁଁ ଏହି ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଥିଲେ।

ସେ କଲେଜକୁ ଯିବା ଆସିବା କରିବା ଆରମ୍ଭ କଲେ। ୱଡ଼ାଲିରୁ ୱିସନଗରରେ ପହଞ୍ଚିବାକୁ ହେଲେ ଦେଢ଼ ଘଣ୍ଟା ସମୟ ଲାଗୁଥିଲା। ସେହିବର୍ଷ, ଦୀପାବଳି ପରେ, ବାପାଙ୍କ ପାଖରେ କିଛି କାମ ନଥିଲା। ଟେମ୍ପୋ କିଣିବା ଲାଗି ସେ ବ୍ୟାଙ୍କରୁ ନେଇଥିବା ଋଣ ସୁଝିବା ତ’ ଦୂରର କଥା ଖାଇବା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ସମ୍ବଳ ନଥିଲା। ତାଙ୍କର ବଡ଼ ଭାଇ ରାଜୁ ନିଜ ଟେଲର କାମ ଜରିଆରେ ପରିବାର ଖର୍ଚ୍ଚ ଚଳାଇବାକୁ ଚେଷ୍ଟା କରିଥିଲେ।  ବାରମ୍ବାର ଭାଇଠାରୁ ସାହାଯ୍ୟ ନେବାକୁ ଶୋନ୍ତୁ ଏବେ କୁଣ୍ଠାବୋଧ କରୁଥିଲେ। ପୁଣିଥରେ ତାଙ୍କର ନିୟମିତ କଲେଜ ଯିବା ବନ୍ଦ ହୋଇଯାଇଥିଲା।

ବଜାରରେ ତାଙ୍କୁ ଏକ କାମ ମିଳିଗଲା, ସେ ବସ୍ତାରେ ତୁଳା ଭରୁଥିଲେ ଏବଂ ସେସବୁକୁ ନେଇ ଟ୍ରକରେ ଲଦୁଥିଲେ, ଏଥିରୁ ଦିନକୁ ୧୦୦ରୁ ୨୦୦ ଟଙ୍କା ମିଳୁଥିଲା। ସେହିବର୍ଷ ମାର୍ଚ୍ଚ ମାସରେ, ସେ ପୁଣିଥରେ କଲେଜରେ ସମ୍ପୂର୍ଣ୍ଣ ଉପସ୍ଥିତି ପ୍ରମାଣିତ କରିବାରେ ବିଫଳ ହେଲେ ଏବଂ ତା’କୁ ପରୀକ୍ଷା ଦେବାକୁ ଅନୁମତି ମିଳିଲା ନାହିଁ। କିଛି ବନ୍ଧୁମାନେ ହସ୍ତକ୍ଷେପ କରିବାରୁ ସେ ୫୮.୩୮ ପ୍ରତିଶତ ମାର୍କ ରଖି କଳା ସ୍ନାତକୋତ୍ତର (ଏମ.ଏ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। ଶୋନ୍ତୁ ଏମ.ଫିଲ୍‌ କରିବାକୁ ଭାବିଥିଲେ, କିନ୍ତୁ ସେଥିପାଇଁ ଯଥେଷ୍ଟ ଟଙ୍କା ନଥିବାରୁ ସେ ଡରୁଥିଲେ।

ସମ୍ପୂର୍ଣ୍ଣ ଗୋଟିଏ ବର୍ଷର ବିରତି ପରେ, ଶୋନ୍ତୁ ଆବଶ୍ୟକ ଫର୍ମ ପୂରଣ କଲେ ଏବଂ ୱିସନଗରରେ ଥିବା ଏକ ସରକାରୀ ବି.ଏଡ୍‌ କଲେଜରେ ନାମ ଲେଖାଇଲେ। ତୁରନ୍ତ, ରାଜୁ ଭାଇ ତାଙ୍କ ପାଇଁ ୩ ପ୍ରତିଶତ ସୁଧରେ ୭,୦୦୦ ଟଙ୍କା ଋଣ ନେଲେ। ନାମ ଲେଖା ଶୁଳ୍କ ବାବଦରେ ପ୍ରାୟ ୩,୫୦୦ ଟଙ୍କା ଖର୍ଚ୍ଚ ହୋଇଗଲା। ଆଉ ୨,୫୦୦ ଟଙ୍କା ବାଧ୍ୟତାମୂଳକ ବିଷୟ – କମ୍ପ୍ୟୁଟର୍ସ ପଢ଼ିବା ଶୁଳ୍କ ବାବଦରେ ଦେବାକୁ ପଡ଼ିଲା। ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଶୋନ୍ତୁଙ୍କ ପାଖରେ ୧,୦୦୦ ଟଙ୍କା ଥିଲା। ପାଠପଢ଼ା ପାଇଁ ସେ ୱିସନଗର ଆସିବାର ଏହା ଥିଲା ତୃତୀୟ ବର୍ଷ।

ସବୁବେଳେ, ସେ ନିଜ ପରିବାରର ଆର୍ଥିକ ସମସ୍ୟା ବିଷୟରେ ଚିନ୍ତା କରି ଦୁଃଖିତ ହେଉଥିଲେ। ଏପରିକି, ପାଠପଢ଼ା ଛାଡ଼ି ଦେବାକୁ ଚିନ୍ତା କରୁଥିବା ସମ୍ପର୍କରେ ରାଜୁ ଭାଇଙ୍କୁ ସେ କହିଥିଲେ। ‘‘ଆର୍ଥିକ ସମସ୍ୟା ମଧ୍ୟରେ ତୁମେ ପାଠପଢ଼ି ବଞ୍ଚିବା ଶିଖିଲେ ଭଲ ହେବ,’’ ତାଙ୍କ ବଡ଼ ଭାଇ ଉତ୍ତର ଦେଇଥିଲେ। ‘‘ଘର କଥା ଚିନ୍ତା ନକରି ପାଠପଢ଼ାରେ ମନ ଦିଅ। ଖୁବଶୀଘ୍ର, ଏ ସମୟ ବିତିଯିବ। ଭଗବାନଙ୍କ କୃପାରୁ, ବିଏଡ ସରିବା ପରେ ଚାକିରି ମିଳିଯିବ।’’ ଭାଇଙ୍କ କଥା ଶୋନ୍ତୁ ମନରେ ଏକ ନୂଆ ଆଶା ଜଗାଇଥିଲା ଏବଂ ଗ୍ରୀଷ୍ମ ଋତୁରେ ତାଙ୍କର ପାଠପଢ଼ା ଧୀରେ ଧୀରେ ଆଗେଇ ଚାଲିଥିଲା।

ଶୀତ ଋତୁ ଆସିଲା, ବାପା ଅସୁସ୍ଥ ହୋଇପଡ଼ିଲେ। ତାଙ୍କର ଅସୁସ୍ଥତାରେ ଘରର ସବୁ ରୋଜଗାର ଖର୍ଚ୍ଚ ହୋଇଗଲା। ରାଜୁ ଭାଇ ଏକାକୀ ତାଙ୍କୁ ସବୁତକ ପାଠପଢ଼ା ଖର୍ଚ୍ଚ ବହନ କରୁଥିବା କାରଣରୁ ଶୋନ୍ତୁ ଚିନ୍ତିତ ହୋଇପଡ଼ିଥିଲେ। ବିଏଡ ପଢ଼ିବା ସମୟରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ପାଠପଢ଼ା ଏବଂ ଖର୍ଚ୍ଚ ପରସ୍ପର ସହ ଯୋଡ଼ି ହୋଇ ରହିଛି; ଗୋଟିଏ ବିନା ଅନ୍ୟଟି ତିଷ୍ଠି ପାରିବ ନାହିଁ। ଇଣ୍ଟର୍ଣ୍ଣଶିପ ଏବଂ ସର୍ବ ଶିକ୍ଷା ଅଭିଯାନ (ଜାତୀୟ ସାର୍ବଜନୀନ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ) ପାଇଁ କାମ କରିବା ଲାଗି ତାଙ୍କୁ ୧୦ ଦିନ ପାଇଁ ୱିସନଗର ତାଲୁକାରେ ଥିବା ବୋକରୱଡ଼ା ଏବଂ ଭାଣ୍ଡୁ ଗ୍ରାମକୁ ଯିବାକୁ ହେଲା। ବୋକରୱାଡ଼ା ପ୍ରାଥମିକ ସ୍କୁଲରେ ରହିବା ଲାଗି ସୁବିଧା ଥିଲା, କିନ୍ତୁ ନିଜ ଖାଇବା ଖର୍ଚ୍ଚ ପାଇଁ ଟଙ୍କା ଯୋଗାଡ଼ କରିବା ନୂଆ ସମସ୍ୟା ନେଇ ଆସିଲା। ସେ ରାଜୁ ଭାଇଙ୍କୁ ମାଗିବା ପାଇଁ ଚାହୁଁନଥିଲେ। ତେଣୁ କଲେଜ ପ୍ରଶାସନିକ କାର୍ଯ୍ୟାଳୟରେ ଥିବା ମହେନ୍ଦ୍ର ସିଂ ଠାକୁରଙ୍କଠାରୁ ସେ ୩୦୦ ଟଙ୍କା ଉଧାର ଆଣିଲେ।

‘‘ଆମେ ଗାଁର ପୂଜାରୀଙ୍କୁ ଅନୁରୋଧ କଲୁ। ଆମ ପାଇଁ ରୋଷେଇ କରିପାରିବେ ବୋଲି ସେ କହିଲେ, କିନ୍ତୁ ଗୋଟିଏ ପ୍ଲେଟକୁ ୨୫ ଟଙ୍କା ପଡ଼ିବ ବୋଲି ଜଣାଇ ଦେଲେ। ଆମେ ସାଙ୍ଗମାନେ ଚାରି ଦିନ ଧରି ପୂଜାରୀଙ୍କ ଘରେ ଖାଇଲୁ। ମୁଁ ସପ୍ତାହକୁ ଦୁଇ ଦିନ ଉପବାସ କରୁଥିଲି ଏବଂ ୫୦ ଟଙ୍କା ସଞ୍ଚୟ କରିଥିଲି,’’ ସେଦିନ କଥା ମନେ ପକାଇ ଶୋନ୍ତୁ କହିଥାନ୍ତି। ଏହାପରେ, ତାଙ୍କୁ ପଡ଼ୋଶୀ ଭାଣ୍ଡୁ ଗ୍ରାମରେ ଆଉ ପାଞ୍ଚ ଦିନ ପାଇଁ ଯିବାକୁ ପଡ଼ିଲା। ସେଠାରେ ସେମାନଙ୍କୁ ରହିବା ସୁବିଧା ମିଳିଲା ନାହିଁ। ଅର୍ଥାତ୍‌ ସେମାନଙ୍କୁ ବୋକରୱାଡ଼ାରୁ ଯିବା ଆସିବା କରିବାକୁ ପଡ଼ିଲା। ଏଥିପାଇଁ ଦିନକୁ ଅତିରିକ୍ତ ୨୦ ଟଙ୍କା ଖର୍ଚ୍ଚ ପଡ଼ିଲା। ଶୋନ୍ତୁ ମହେନ୍ଦ୍ର ସିଂଙ୍କଠାରୁ ଆଉ ୨୦୦ ଟଙ୍କା ଉଧାର ଆଣିଥିଲେ।

ଭାଣ୍ଡୁରେ ଥିବା ଇଞ୍ଜିନିୟରିଂ କଲେଜରେ ଖାଇବା ଯୋଗାଡ଼ ହୋଇଗଲା, କିନ୍ତୁ ଏଠି ମଧ୍ୟ ପ୍ଲେଟ ୨୫ ଟଙ୍କା ଥିଲା। ଶୋନ୍ତୁ ଆଉ ଦୁଇ ଦିନ ପାଇଁ ଉପବାସ ରଖିଲେ। ବନ୍ଧୁମାନେ ଏହାକୁ ପସନ୍ଦ କଲେ ନାହିଁ। ‘‘ଶୋନ୍ତିଲାଲ,’’ ସେମାନଙ୍କ ମଧ୍ୟରୁ ଜଣେ ପରାମର୍ଶ ଦେଲେ, ‘‘ଆମେ ପାଞ୍ଚ ଦିନ ପାଇଁ ଅଗ୍ରୀମ ଟଙ୍କା ପଇଠ କଲୁ। କେବଳ ତୁମେ ହିଁ ଖାଇବା ପରେ ଟଙ୍କା ଦେଉଛ। ଖାଇ ସାରି ଉଠିଯିବା ସମୟରେ ଆମକୁ କେହି ଟଙ୍କା ମାଗନ୍ତି ନାହିଁ। ତୁମେ ମଧ୍ୟ ଭିଡ଼ରେ ଆମ ସହ ବସିଯାଅ ଏବଂ ଆମ ସହ ଖାଇସାରି ଚାଲି ଆସିବ !’’ ଶୋନ୍ତୁ ତାହା ହିଁ କଲେ। ‘‘ମୁଁ ସେମାନଙ୍କ କଥା ଶୁଣିଲି ଏବଂ ଟଙ୍କା ନଦେଇ ପରବର୍ତ୍ତୀ କିଛି ଦିନ ପାଇଁ ଖାଇଲି।’’

ଏହି କାମ କରି ସେ ଖୁସି ନଥିଲେ, ଏତେସବୁ କରିବା ପରେ ମଧ୍ୟ ତାଙ୍କୁ ପ୍ରଫେସର ଏଚ.କେ. ପଟେଲଙ୍କଠାରୁ ଆଉ ୫୦୦ ଟଙ୍କା ଉଧାର ଆଣିବାକୁ ପଡ଼ିଲା। ‘‘ମୋ ବୃତ୍ତି ଅର୍ଥ ମିଳିବା ପରେ ମୁଁ ଏ ଟଙ୍କା ଫେରାଇଦେବି,’’ ସେ କହିଥିଲେ। ସବୁ ଦିନ ଆହୁରି ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ଭାଣ୍ଡୁରେ ଥିବା ସ୍କୁଲ ଶିକ୍ଷକମାନେ ମଧ୍ୟ ସେମାନଙ୍କଠାରୁ ଚା’ ଜଳଖିଆ ଆଶା କରୁଥିଲେ।

ଏଚ.କେ. ପଟେଲ ଦିନେ ତାଙ୍କୁ କର୍ମଚାରୀଙ୍କ କୋଠରୀକୁ ଡାକିଲେ। ‘‘ତୁମ ବାପା ଖୁବ ଅସୁସ୍ଥ ଅଛନ୍ତି,’’ ସେ ସୂଚନା ଦେଇଥିଲେ ଏବଂ ତାଙ୍କୁ ଏକ ୧୦୦ ଟଙ୍କିଆ ନୋଟ୍‌ ବଢ଼ାଇ ଦେଇ କହିଲେ, ‘‘ଘରକୁ ଯାଅ, ଶୀଘ୍ର।’’ ଘରେ, ‘‘ସମସ୍ତେ ମୋତେ ଅପେକ୍ଷା କରି ରହିଥିଲେ,’’ ଶୋନ୍ତୁ କୁହନ୍ତି। ‘‘ସେମାନେ ମୋତେ ତାଙ୍କ ମୁହଁ ଦେଖାଇଲେ ଏବଂ ଶବକୁ ନେଇଯିବା ଲାଗି ପ୍ରସ୍ତୁତି କଲେ।’’ ପରିବାର ପାଇଁ ଏକ ବଡ଼ ସଙ୍କଟ ଅପେକ୍ଷା କରି ରହିଥିଲା। ମାତାପିତାଙ୍କ ମୃତ୍ୟୁରେ ଦ୍ୱାଦଶାହ ସମାରୋହ ପାଳନ କରିବା ଏକ ବାଧ୍ୟତାମୂଳକ ପ୍ରଥା ଥିଲା। ଏହାର ଅର୍ଥ ହେଉଛି ଅତିକମ୍‌ରେ ୪୦,୦୦୦ ଟଙ୍କା ଖର୍ଚ୍ଚ କରାଯିବାକୁ ଥିଲା।

PHOTO • Shantilal Parmar
PHOTO • Shantilal Parmar

ଏସବୁ ରାସ୍ତାକୁ ଶୋନ୍ତୁ ଖୁବ ଭଲ ଭାବେ ଜାଣିଛନ୍ତି, ଠିକ୍‌ ରାସ୍ତା କଡ଼ରେ ଥିବା ଘର ଭଳି। ପ୍ରତିଥର ସେ ସ୍କୁଲ ଏବଂ ପରେ କଲେଜ ଯିବା ସମୟରେ ୱଡ଼ାଲିରୁ ୱିସନଗର କିମ୍ବା ବିଜୟନଗରକୁ ସେ ଏହି ରାସ୍ତା ଦେଇ ଯିବାଆସିବା କରୁଥିଲେ

ମା’ଙ୍କ ଦେହାନ୍ତ ସମୟରେ ସେମାନେ ଏହା କରିପାରିନଥିଲେ, ତେଣୁ ଏଥର ରକ୍ଷା ପାଇବାର କୌଣସି ଉପାୟ ନଥିଲା। ଗାଁ ଲୋକଙ୍କ ବୈଠକ ଡକାଗଲା। ୱଡ଼ାଲିର ବରିଷ୍ଠ ବାସିନ୍ଦାମାନେ ଏଥିରୁ ଛାଡ଼ ପାଇଁ ଅନୁରୋଧ କଲେ। ‘‘ପିଲାମାନେ ଛୋଟ ଅଛନ୍ତି; ଗୋଟିଏ ଭାଇ ଏବେବି ପଢ଼ୁଛି, ଏବଂ ଅନ୍ୟମାନେ ଘର ପରିବାର ଚଳାଉଛନ୍ତି। ଜଣଙ୍କ ଉପରେ ସବୁ ଦାୟିତ୍ୱ ପଡ଼ିଛି, ଏହି ଖର୍ଚ୍ଚ ତୁଲାଇବାକୁ ସେମାନେ ସକ୍ଷମ ହେବେ ନାହିଁ,’’ ସେମାନେ କହିଲେ। ପରିବାର ଏକ ବଡ଼ ଆର୍ଥିକ ବିପର୍ଯ୍ୟୟରୁ ମୁକ୍ତି ପାଇଗଲା।

ଶୋନ୍ତୁ ୭୬ ପ୍ରତିଶତ ନମ୍ବର ରଖି ବିଏଡ ପାସ କଲେ ଏବଂ ଚାକିରି ଖୋଜିବାକୁ ଲାଗିଲେ। ଇତିମଧ୍ୟରେ, ମୌସୁମୀ ଆସିବାରୁ ରାଜୁ ଭାଇଙ୍କ ରୋଜଗାର କମିଗଲା। ‘‘ମୁଁ ଚାକିରି ସ୍ୱପ୍ନ ଛାଡ଼ିଦେଲି ଏବଂ ଚାଷ ଜମିରେ କାମ କରିବା ଆରମ୍ଭ କଲି,’’ ଶୋନ୍ତୁ କୁହନ୍ତି। କେତେଗୁଡ଼ିଏ ସେଲ୍‌ଫ ଫାଇନାନ୍ସ ବିଏଡ କଲେଜ ନୂଆ କରି ଖୋଲିଥିଲା, କିନ୍ତୁ ସେଠି ଶିକ୍ଷକ ଚାକିରି ପାଇଁ ଆବେଦନ କରିବା ଲାଗି ପ୍ରାର୍ଥୀ ଉଚ୍ଚ ମେଧାସମ୍ପନ୍ନ ହୋଇଥିବାର ଆବଶ୍ୟକ ଥିଲା। ସେମାନଙ୍କ ମଧ୍ୟରେ ସେ କିଭଳି ଭାବେ ନିଜର ସ୍ଥିତି ଜାହିର କରିପାରିଥାନ୍ତେ? ଆହୁରି, ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହେଉଥିଲା। ଏସବୁ ଶୋନ୍ତୁଙ୍କୁ ସମସ୍ୟାରେ ପକାଇଲା।

କିଛି ଦିନ ପରେ ସେ ନିଜର ମାର୍ଗ ବଦଳାଇଲେ ଏବଂ କମ୍ପ୍ୟୁଟର କ୍ଷେତ୍ରରେ ଭାଗ୍ୟ ପରୀକ୍ଷା ପାଇଁ ଉଦ୍ୟମ କଲେ। ନିଜ ଜିଲ୍ଲା ସବରକଣ୍ଠା ଅଧୀନ ବିଜୟନଗରରେ ଥିବା ଏକ ବୈଷୟିକ କଲେଜରେ ଗୋଟିଏ ବର୍ଷୀୟା ପିଜିଡିସିଏ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ସେ ଆବେଦନ କରିଥିଲେ। ଏପରିକି ମେରିଟ୍‌ ତାଲିକାରେ ତାଙ୍କର ନାଁ ଆସିଲା। କିନ୍ତୁ ଶୁଳ୍କ ଦେବା ପାଇଁ ଶୋନ୍ତୁଙ୍କ ପାଖରେ ଟଙ୍କା ନଥିଲା।

ୱଡ଼ାଲିରୁ ଦୁଇ କିଲୋମିଟର ଦୂର କୋଠିକମ୍ପାର ଚିନ୍ତନ ମେହଟାଙ୍କୁ ସେ ସାକ୍ଷାତ କଲେ। ମେହତା କଲେଜର ଟ୍ରଷ୍ଟିଙ୍କ ସହିତ କଥା ହେଲେ ଏବଂ ଏକ ଛାତ୍ରବୃତ୍ତି ମାଧ୍ୟମରେ ଶୋନ୍ତୁଙ୍କ ପାଠପଢ଼ା ଖର୍ଚ୍ଚ ଆଡଜଷ୍ଟ କରିବା ଲାଗି ସେମାନେ ରାଜି ହେଲେ। ପରଦିନ ଶୋନ୍ତୁ ବିଜୟନଗରକୁ ଗଲେ। କିନ୍ତୁ କଲେଜ କାର୍ଯ୍ୟାଳୟରେ ଥିବା କିରାଣୀ ଏହାକୁ ମାନିବା ଲାଗି ପ୍ରସ୍ତୁତ ହେଲେ ନାହିଁ। ‘‘ପ୍ରଶାସନିକ ପରିଚାଳନା ପାଇଁ ଆମେ ଏଠାରେ ଅଛୁ,’’ ସେ କହିଥିଲେ। ଲଗାତାର ତିନି ଦିନ ପର୍ଯ୍ୟନ୍ତ ଶୁଳ୍କ ଜମା ନକରିବା କାରଣରୁ ମେରିଟ୍‌ ତାଲିକାରୁ ଶୋନ୍ତୁଙ୍କ ନାଁ ବାଦ୍‌ ଦିଆଗଲା।

ଶୋନ୍ତୁ ଆଶା ହରାଇଲେ ନାହିଁ। ସେ କିରାଣୀଙ୍କଠାରୁ ସୂଚନା ପାଇଲା ଯେ ଅତିରିକ୍ତ ସିଟ୍‌ ପାଇଁ କଲେଜ ପକ୍ଷରୁ ଆବେଦନ କରାଯାଇଛି। ସେସବୁ ସିଟ ପାଇଁ ମଞ୍ଜୁରି ମିଳିବା ପର୍ଯ୍ୟନ୍ତ ଶ୍ରେଣୀରେ ବସିବା ଲାଗି ସେ ଅନୁମତି ମାଗିଲେ। ତାଙ୍କୁ ଅନୁମତି ମିଳିଗଲା। ତାଙ୍କର ନାମ ଲେଖାକୁ ନେଇ ଏବେ ସୁଦ୍ଧା ଅନିଶ୍ଚିତତା ଲାଗି ରହିଥିଲା, ତଥାପି ସେ ୱଡ଼ାଲିରୁ ବିଜୟନଗର ଯିବାଆସିବା ଜାରି ରଖିଥିଲେ। ଏଥିପାଇଁ ଦିନକୁ ୫୦ ଟଙ୍କା ଖର୍ଚ୍ଚ ହେଉଥିଲା। ବନ୍ଧୁମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ସେମାନଙ୍କ ମଧ୍ୟରୁ ଜଣେ, ଶଶିକାନ୍ତ, ବସ୍‌ ପାସ୍‌ ବାବଦରେ ତାଙ୍କୁ ୨୫୦ ଟଙ୍କା ଦେଲା। ବାରମ୍ବାର ଅନୁରୋଧ କରିବା ପରେ, ତାଙ୍କର ସର୍ବସାଧାରଣ ଯାତ୍ରା ପାସ୍‌ରେ କଲେଜର ଷ୍ଟାମ୍ପ ମାରିବା ଲାଗି କିରାଣୀ ରାଜି ହୋଇଗଲେ।  ସେଠାରେ ପାଠ୍ୟକ୍ରମରେ ନାମ ଲେଖାଇବାର ଆଶା ନେଇ, ଶୋନ୍ତୁ ଦେଢ଼ ମାସ ପର୍ଯ୍ୟନ୍ତ ନିଜର ଯାତ୍ରା ଜାରି ରଖିଲେ। କିନ୍ତୁ କଲେଜକୁ ଅତିରିକ୍ତ ନୂଆ ସିଟରେ ନାମ ଲେଖାଇବାକୁ ଅନୁମତି ମିଳିଲା ନାହିଁ। ଏକଥା ଜାଣିବା ପରେ, ସେ ଯିବା ବନ୍ଦ କରି ଦେଲେ।

ଶୋନ୍ତୁ ପୁଣିଥରେ ଚାଷ ଜମିରେ ଶ୍ରମିକ ଭାବେ କାମ ଆରମ୍ଭ କରିଦେଲେ। ମୋରାଡ଼ ଗାଁରେ ଏକ ଚାଷ ଜମିରେ ଗୋଟିଏ ମାସ ଧରି କାମ କରିବା ପରେ, ସେ ରାଜୁ ଭାଇ ସହିତ କପଡ଼ା ସିଲେଇ କାମ ଆରମ୍ଭ କଲେ। ୱଡ଼ାଲି ଗ୍ରାମର ରେପଦିମାତା ମନ୍ଦିର ନିକଟରେ ରାସ୍ତାକଡ଼ରେ ସେମାନେ ଟେଲର ଦୋକାନ ଖୋଲିଥିଲେ। ଏହାପରେ, ପୂର୍ଣ୍ଣିମାକୁ ତିନି ଦିନ ବାକିଥାଏ, ଶୋନ୍ତୁ ନିଜ ବନ୍ଧୁ ଶଶିକାନ୍ତ ପାଖକୁ ଯାଇଥିଲେ। ‘‘ଶାନ୍ତିଲାଲ, ଅଧିକାଂଶ ଛାତ୍ରଛାତ୍ରୀ ଶ୍ରେଣୀରେ କ’ଣ ପଢ଼ା ହେଉଛି ବୁଝିନପାରି ଅଧାରୁ ପିଜିଡିସିଏ ପାଠ ଛାଡ଼ି ଦେଇଛନ୍ତି। ଶ୍ରେଣୀରେ ବିଦ୍ୟାର୍ଥୀଙ୍କ ସଂଖ୍ୟା କମିଯାଇଛି। ତେଣୁ ତୁମକୁ ପୁଣିଥରେ ସେଠାରୁ ଫେରିବା ଲାଗି ସୁଯୋଗ ମିଳିପାରେ,’’ ଶଶିକାନ୍ତ କହିଲେ।

ପରଦିନ, ଶୋନ୍ତୁ ପୁଣିଥରେ ବିଜୟନଗର ଯାଇ କିରାଣୀଙ୍କୁ ଦେଖା କଲେ। ସେ ବ୍ୟକ୍ତି ଜଣଙ୍କ ତାଙ୍କଠାରୁ ପାଠପଢ଼ା ଶୁଳ୍କ ଦାବି କଲେ। ଶୋନ୍ତୁ ରାଜୁଭାଇଙ୍କ ସହ କାମ କରି ରୋଜଗାର କରିଥିବା ୧,୦୦୦ ଟଙ୍କା ତାଙ୍କୁ ଦେଲେ। ‘‘ଅବଶିଷ୍ଟ ୫,୨୦୦ ଟଙ୍କା ମୁଁ ଦୀପାବଳି ସୁଦ୍ଧା ଯେମିତି ହେଲେ ଯୋଗାଡ଼ କରିଦେବି,’’ ସେ କହିଲେ ଏବଂ ନିଜର ନାମଲେଖା ସୁରକ୍ଷିତ କଲେ।

ନାମ ଲେଖାଇବାର ୧୫ ଦିନ ପରେ ଇଣ୍ଟରନାଲ ପରୀକ୍ଷା ହେଲା। ଶୋନ୍ତୁ ଫେଲ୍‌ ହୋଇଗଲେ। ସେ କିଛି ଅଭ୍ୟାସ କରିନଥିଲେ। ସେ ଖୁବ୍‌ ବିଳମ୍ବରେ ନାମ ଲେଖାଇଥିବାରୁ ଶିକ୍ଷକମାନେ ତାଙ୍କୁ ଟଙ୍କା ନଷ୍ଟ ନକରିବାକୁ ଚେତାଇ ଦେଇଥିଲେ। ସେମାନେ କହିଥିଲେ ଯେ ସେ ଏହି ପରୀକ୍ଷାରେ ପାସ କରିପାରିବେ ନାହିଁ। କିନ୍ତୁ ଶୋନ୍ତୁ ଆଶା ଛାଡ଼ିଲେ ନାହିଁ। ୱଡ଼ାଲିର ହିମାଂଶୁ ଭାବସାର ଏବଂ ଗଜେନ୍ଦ୍ର ସୋଲାଙ୍କୀ ଏବଂ ଇଦାରର ଶଶିକାନ୍ତ ପରମାର ଛାଡ଼ି ଯାଇଥିବା ପାଠ ସମ୍ପୂର୍ଣ୍ଣ କରିବାରେ ତାଙ୍କୁ ସାହାଯ୍ୟ କଲେ। ପ୍ରଥମ ସେମିଷ୍ଟର ପରୀକ୍ଷାରେ ସେ ୫୦ ପ୍ରତିଶତ ନମ୍ବର ରଖିଲେ। ଶିକ୍ଷକମାନେ ଏହା ଦେଖି ବିଶ୍ୱାସ କଲେ ନାହିଁ।

PHOTO • Labani Jangi

ଶୋନ୍ତୁ ଫେଲ୍‌ ହୋଇଗଲେ। ସେ କିଛି ଅଭ୍ୟାସ କରିନଥିଲେ। ସେ ଖୁବ୍‌ ବିଳମ୍ବରେ ନାମ ଲେଖାଇଥିବାରୁ ଶିକ୍ଷକମାନେ ତାଙ୍କୁ ଟଙ୍କା ନଷ୍ଟ ନକରିବାକୁ ଚେତାଇ ଦେଇଥିଲେ। ସେମାନେ କହିଥିଲେ ଯେ ସେ ଏହି ପରୀକ୍ଷାରେ ପାସ୍‌ କରିପାରିବେ ନାହିଁ। କିନ୍ତୁ ଶୋନ୍ତୁ ଆଶା ଛାଡ଼ିଲେ ନାହିଁ

ଦ୍ୱିତୀୟ ସେମିଷ୍ଟର ପାଇଁ ୯,୩୦୦ ଟଙ୍କା ଶୁଳ୍କ ଥିଲା। ଶୋନ୍ତୁଙ୍କ ଉପରେ ଏବେ ସୁଦ୍ଧା ପୂର୍ବ ସେମିଷ୍ଟରର ୫,୨୦୦ ଟଙ୍କା ବାକି ରହିଥିଲା। ସବୁ ମିଶାଇ ୧୪,୫୦୦ ଟଙ୍କା ହେଉଥିଲା। ଏତିକି ଟଙ୍କା ଦେବା ତାଙ୍କ ପାଇଁ ଅସମ୍ଭବ ଥିଲା। ନାନା ଅନୁରୋଧ ଓ ସୁପାରିସ ପରେ, ସେ ଦ୍ୱିତୀୟ ସେମିଷ୍ଟର ଫାଇନାଲ ପରୀକ୍ଷା ପର୍ଯ୍ୟନ୍ତ ଯାଇପାରିଲେ। କିନ୍ତୁ ଏବେ ଟଙ୍କା ଦାଖଲ କରିବା ଜରୁରି ଥିଲା। ଶୋନ୍ତୁ କ’ଣ କରିବେ କିଛି ବୁଝିପାରୁନଥିଲେ। ଆଗକୁ କିଛି ବାଟ ଦେଖାଯାଉନଥିଲା। ଶେଷରେ, ଏକ ଛାତ୍ରବୃତ୍ତି ତାଙ୍କ ମନରେ  ଆଶା ଜଗାଇଲା।

ସେ କିରାଣୀଙ୍କୁ ଭେଟିଲେ। ଛାତ୍ରବୃତ୍ତି ଟଙ୍କା ଆସିଲେ ତା’ର ପାଠପଢ଼ା ଶୁଳ୍କ ସେଥିରୁ କାଟିନେବାକୁ ତାଙ୍କୁ ଅନୁରୋଧ କଲେ। ସେ ରାଜି ହେଲେ – କିନ୍ତୁ ଗୋଟିଏ ସର୍ତ୍ତରେ। ଶୋନ୍ତୁଙ୍କୁ ଦେନା ବ୍ୟାଙ୍କର ବିଜୟନଗର ଶାଖାରେ ଏକ ଆକାଉଣ୍ଟ ଖୋଲିବାକୁ ହେବ ଏବଂ ସିକ୍ୟୁରିଟୀ ଡିପୋଜିଟ୍‌ ଆକାରରେ ଦସ୍ତଖତ ହୋଇଥିବା ବ୍ଲାଙ୍କ ଚେକ୍‌ ଦେବାକୁ ହେବ। ହେଲେ ଏକ ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଆବଶ୍ୟକ ୫୦୦ ଟଙ୍କା ଶୋନ୍ତୁଙ୍କ ପାଖରେ ନଥିଲା।

ପୂର୍ବରୁ ତାଙ୍କ ପାଖରେ ବ୍ୟାଙ୍କ ଅଫ୍‌ ବରୋଦାର ଏକ ଆକାଉଣ୍ଟ ଥିଲା, କିନ୍ତୁ ମାତ୍ର ୭୦୦ ଟଙ୍କା ଜମାରେ, ଗୋଟିଏ ଚେକ୍‌ ବୁକ ଦେବାକୁ ବ୍ୟାଙ୍କ ତାଙ୍କୁ ମନା କରି ଦେଲା। ସେ ଜଣେ ପରିଚିତ ବ୍ୟକ୍ତି ରମେଶଭାଇ ସୋଲାଙ୍କିଙ୍କୁ ନିଜର ପରିସ୍ଥିତି ବିଷୟରେ କହିଲେ। ରମେଶଭାଇ ଶୋନ୍ତୁଙ୍କ କଥାକୁ ବିଶ୍ୱାସ କଲେ ଏବଂ ନିଜର ଦସ୍ତଖତ ଥିବା ଦେନା ବ୍ୟାଙ୍କର ଏକ ବ୍ଲାଙ୍କ ଚେକ୍‌ ତାଙ୍କୁ ଦେଲେ। ଶୋନ୍ତୁ କଲେଜରେ ସେହି ବ୍ଲାଙ୍କ ଚେକ୍‌ ଜମା କଲେ ଏବଂ ତା’ପରେ ଯାଇ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଲା।

ଉତ୍ତର ଗୁଜରାଟର ହେମଚନ୍ଦ୍ରାଚାର୍ଯ୍ୟ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଫାଇନାଲ ପରୀକ୍ଷାରେ ସେ ୫୮ ପ୍ରତିଶତ ମାର୍କ ରଖିଲେ। କିନ୍ତୁ ତାଙ୍କୁ ମାର୍କସିଟ୍‌ ଦିଆଗଲା ନାହିଁ।

ନିଯୁକ୍ତି ପତ୍ର ଆସିବା ପୂର୍ବରୁ, ତାଙ୍କୁ ମାର୍କସିଟ୍‌ ମିଳିଯିବ ବୋଲି ଆଶା କରି ସେ ଚାକିରି ପାଇଁ ଆବେଦନ କଲେ। ହେଲେ ଛାତ୍ରବୃତ୍ତି ମିଳିବା ଏବଂ ପାଠପଢ଼ା ଶୁଳ୍କ ପୈଠ ନହେବା ପର୍ଯ୍ୟନ୍ତ ତାଙ୍କୁ ମାର୍କସିଟ ମିଳିଲା ନାହିଁ। ଆବଶ୍ୟକତା ମୁତାବକ, ମୂଳ ମାର୍କସିଟ୍‌ ନଥିବା କାରଣରୁ ଶୋନ୍ତୁ ନିଯୁକ୍ତି ସାକ୍ଷାତକାର ଦେବାକୁ ଯାଉନଥିଲେ।

ସେ ସାବରକଣ୍ଠାର ଇଦାରଠାରେ ନୂଆ କରି ଆରମ୍ଭ ହୋଇଥିବା ଆଇଟିଆଇ କଲେଜରେ କାମ କରିବା ଆରମ୍ଭ କଲେ। ମାସିକ ବେତନ ୨,୫୦୦ ଟଙ୍କା ଥିଲା। ଗୋଟିଏ ମାସ ମଧ୍ୟରେ ନିଜର ମାର୍କସିଟ୍‌ ଦାଖଲ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗୋଟିଏ ମାସ ବିତିଯିବା ପରେ ମଧ୍ୟ ମାର୍କସିଟ୍‌ ମିଳିଲା ନାହିଁ। ସେ ସାମାଜିକ କଲ୍ୟାଣ ବିଭାଗ କାର୍ଯ୍ୟାଳୟରେ ଯୋଗାଯୋଗ କଲେ ଏବଂ ଜାଣିବାକୁ ପାଇଲେ ଯେ ଛାତ୍ରବୃତ୍ତି ଅର୍ଥ କଲେଜକୁ ହସ୍ତାନ୍ତର କରାଯାଇସାରିଛି। ଶୋନ୍ତୁ ପୁଣିଥରେ ବିଜୟନଗର ଗଲେ ଏବଂ କଲେଜର କିରାଣୀଙ୍କ ସହ କଥା ହେଲେ। କିରାଣୀ ତାଙ୍କୁ କହିଲେ ଯେ ଅନୁଦାନ ମିଳିସାରିଛି କିନ୍ତୁ ଏହାକୁ କଲେଜର ମଞ୍ଜୁରି ମିଳିଲେ ଯାଇ ତାଙ୍କର ପାଠପଢ଼ା ଶୁଳ୍କ କାଟି ରଖାଯିବ। ଏବଂ ତା’ପରେ ଯାଇ ସେ ମାର୍କସିଟ୍‌ ପାଇପାରିବେ।

ଶୋନ୍ତୁ ତାଙ୍କୁ ରମେଶଭାଇଙ୍କ ଦସ୍ତଖତ ଥିବା ବ୍ଲାଙ୍କ ଚେକ୍‌ ଫେରାଇ ଦେବାକୁ ଅନୁରୋଧ କଲେ। ‘‘ତୁମେ ତା’କୁ ପାଇଯିବ,’’ କିରାଣୀ ବେପରୁଆ ଭାବେ ଉତ୍ତର ଦେଇଥିଲେ ଏବଂ ପୁଣିଥରେ ନଆସିବା ଲାଗି ତା’କୁ କହିଥିଲେ। ‘‘ତୁମେ ମୋତେ ଫୋନ୍‌ କରିବ ଏବଂ ନିଜର ଆକାଉଣ୍ଟ ନମ୍ବର କହିବ,’’ ସେ କହିଥିଲେ। ଦୀପାବଳିରୁ ନୂଆ ବର୍ଷ ମଧ୍ୟରେ ପଡ଼ୁଥିବା ଏକ ଖାଲି ଦିନରେ ଶୋନ୍ତୁ ସେହି କିରାଣୀଙ୍କୁ ଫୋନ୍‌ କଲେ। ‘‘ତୁମର କେଉଁ ବ୍ୟାଙ୍କରେ ଆକାଉଣ୍ଟ ଥିଲା ବୋଲି କହୁଥିଲ?’’ କିରାଣୀ ପଚାରିଲେ। ‘‘ବରୋଦା ବ୍ୟାଙ୍କ,’’ ଶୋନ୍ତୁ କହିଲେ। ‘‘ପ୍ରଥମେ ଦେନା ବ୍ୟାଙ୍କରେ ତୁମକୁ ଆକାଉଣ୍ଟ ଖୋଲିବାକୁ ହେବ,’’ କିରାଣୀ ଉତ୍ତର ଦେଲେ।

ଶେଷରେ ଶୋନ୍ତୁ ଙ୍କୁ ସର୍ବ ଶିକ୍ଷା ଅଭିଯାନରେ କାମ ମିଳିଲା ଏବଂ ଜୁନ୍ ୨୦୨୧ ପରଠାରୁ ସେ ୧୧ ମାସିଆ ଚୁକ୍ତି ଭିତ୍ତିରେ ବିଆରସି ଭବନ ଖେଦବ୍ରହ୍ମାଠାରେ କାମ କରି ଆସୁଛ ନ୍ତି ଏବେ ସେ ଜଣେ ଡାଟା ଏଣ୍ଟ୍ରି ଅପରେଟର ଏବଂ କାର୍ଯ୍ୟାଳୟ ସହାୟକ ଭାବେ କାମ କରି ମାସିକ ୧୦ , ୫୦୦ ଟଙ୍କା ବେତନ ପାଉଛ ନ୍ତି

ଗୁଜରାଟୀରେ ଲେଖକଙ୍କ ସୃଜନଶୀଳ ବାସ୍ତବଧର୍ମୀ କାହାଣୀ ସଂଗ୍ରହ ମାଟି ରୁ ଏହି କାହାଣୀ ନିଆଯାଇଛି

ଅନୁବାଦ : ଓଡ଼ିଶାଲାଇଭ୍‍

Umesh Solanki

Umesh Solanki is an Ahmedabad-based photographer, documentary filmmaker and writer, with a master’s in Journalism. He loves a nomadic existence. He has three published collections of poetry, one novel-in-verse, a novel and a collection of creative non-fiction to his credit.

Other stories by Umesh Solanki
Illustration : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Editor : Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE