“ଆମକୁ ଖାଦ୍ୟ ପୁଡ଼ିଆ ଦିଅନ୍ତୁ ନାହିଁ, ଆମେ ରାସନ ଦୋକାନରୁ ଚାଉଳ କିଣିପାରିବୁ। ବନ୍ୟାଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ!” ସେମାଞ୍ଜରିରେ ଏକତ୍ରିତ ହୋଇଥିବା ମହିଳାମାନଙ୍କର ଏକ ଦଳ ଏହା କହିଥିଲେ।

ସେହି ଅଞ୍ଚଳ, ଚେନ୍ନାଇ ସହରଠାରୁ ୩୦ କିଲୋମିଟର ଦୂର, ପୁରୁଣା ମହାବଳୀପୁରମ ରାସ୍ତାରେ ପଡ଼ିଥାଏ। କାଞ୍ଚିପୁରମ ଜିଲ୍ଲା ଅଧୀନରେ ଆସୁଥିବା ସିମାଞ୍ଜେରି ନଭେମ୍ବର୨୫,୨୦୨୦ରେ ସମ୍ପୂର୍ଣ୍ଣ ଭାବେ ବନ୍ୟା ଜଳ ପ୍ଳାବିତ ହୋଇପଡ଼ିଥିଲା।

ତଳିଆ ଅଞ୍ଚଳ ହୋଇଥିବାରୁ ଏଠାକାର ବାସିନ୍ଦାଙ୍କ ପାଇଁ ବନ୍ୟା ପାଣିରେ ବୁଡ଼ି ରହିବା ସମସ୍ୟା ନୂଆ କିମ୍ବା ଅସ୍ୱାଭାବିକ ନୁହେଁ। ୨୦୧୫ରେ ସମ୍ପୂର୍ଣ୍ଣ ଚେନ୍ନାଇ ପାଣି ଘେରରେ ରହିଥିଲା, ଯାହାକି ବିପର୍ଯ୍ୟସ୍ତ ବନ୍ୟା ଜଳ ପରିଚାଳନାକୁ ପଦାରେ ପକାଇଥିଲା, ଏହି ସମୟରେ ସିମାଞ୍ଜେରି ମଧ୍ୟ ବନ୍ୟା ପାଣିରେ ବୁଡ଼ିଯାଇଥିଲା। ତେବେ ବିଗତ ବର୍ଷଗୁଡ଼ିକରେ, କେତେକ ଆଖାପାଖ ଅଞ୍ଚଳରେ ରାସ୍ତା ଏବଂ ବର୍ଷା ଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ଡ୍ରେନଗୁଡ଼ିକ ଅତିକମ୍‌ରେ ଭଲ ଭାବେ ନିର୍ମାଣ କରାଯାଇଛି।

ହେଲେ ସିମାଞ୍ଜେରି (ବା ସିମାଞ୍ଚେରି) ହାଉସିଂବୋର୍ଡ ଅଞ୍ଚଳରେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ବୋଧହୁଏ ବିଭିନ୍ନ ସହରାଞ୍ଚଳ ‘ବିକାଶ’ ଏବଂ ଭିତ୍ତିଭୂମି ପ୍ରକଳ୍ପ ପାଇଁ ସ୍ଥାନାନ୍ତରିତ ଲୋକମାନଙ୍କୁ ଏଠାରେ ଥଇଥାନ କରାଯାଇଥିବାରୁ ଏହି ଅଞ୍ଚଳ ଅବହେଳିତ ହୋଇରହିଛି। ଏହି ଅଞ୍ଚଳରେ ରହୁଥିବା ଅଧିକାଂଶ ବାସିନ୍ଦା ଚେନ୍ନାଇ ସହରରେ ଘରୋଇ ଚାକର, ସଫେଇ କର୍ମୀ, ଅଟୋ ଡ୍ରାଇଭର କିମ୍ବା ଅନ୍ୟାନ୍ୟ ଅସଂଗଠିତ କ୍ଷେତ୍ରରେ କାମ କରିଥାନ୍ତି।

ତେଣୁ ନିଭାର ମହାବାତ୍ୟା ଯେତେବେଳେ ତାମିଲନାଡ଼ୁରେ ସ୍ଥଳଭାଗ ଛୁଇଁଲା, କୁଡ୍ଡାଲୋରରେ ୨୫୦ ମିଲିମିଟର ବର୍ଷା ଏବଂ ଚେନ୍ନାଇରେ ୧୦୦ ମିଲିମିଟର ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ସିମାଞ୍ଜେରିରେ ଲୋକମାନଙ୍କ ଘର ଭିତରେ ପାଣି ପଶିଯାଇଥିଲା। ଅନେକ ଦିନ ଧରି ରାସ୍ତାରେ ଆଣ୍ଠୁଏ ଏବଂ ଘର ଭିତରେ ପାଦେ ଲେଖାଏଁ ପାଣି ରହିଥିଲା।

PHOTO • M. Palani Kumar

ସିମାଞ୍ଜେରିର ପିଲାମାନେ ନୂଆ କରି ସୃଷ୍ଟି ହୋଇଥିବା ‘କୃତ୍ରିମ ନଦୀ’ ପାର କରାଇବାକୁ ଏକ ଅଟୋରିକ୍ସାକୁ ଠେଲୁଛନ୍ତି

ଚେନ୍ନାଇର ଦକ୍ଷିଣ ଉପକୂଳ ଦେଇ, ପୁଡୁଚେରୀ ନିକଟରେ (ନଭେମ୍ବର ୨୫ ରାତି ସାଢ଼େ ୧୧ଟାରେ) ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲା। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧.୩୮ ଲକ୍ଷ ଲୋକ ସ୍ଥାନାନ୍ତରିତ ହୋଇଥିଲେ, ୧୬,୫୦୦ ହେକ୍ଟର ଚାଷ ନଷ୍ଟ ହୋଇଥିଲା (କେତେକ ସମ୍ବାଦପତ୍ରରେ ରିପୋର୍ଟ ଅନୁଯାୟୀ) ଏବଂ ଉପକୂଳବର୍ତ୍ତୀ ନଗର ଓ ସହର ଜଳମଗ୍ନ ହୋଇପଡ଼ିଥିଲା। ଏହାର ଦିନକ ପରେ ନଭେମ୍ବର ୨୭ ତାରିଖରେ ପରୀ ସିମାଞ୍ଜେରି ଗସ୍ତ କରିଥିଲା।

ସିମାଞ୍ଜେରିର ପାଖାପାଖି ୩୦,୦୦୦ ବାସିନ୍ଦାଙ୍କ ପାଇଁ, ବର୍ଷା ଜଳ ସେମାନଙ୍କ ଘର ଭିତରେ ପଶିଯିବା, ବ୍ୟକ୍ତିଗତ ଆସବାବପତ୍ର ନଷ୍ଟ ହୋଇଯିବା, ଅନେକ ଦିନ ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବା, ସେମାନେ ବାଧ୍ୟ ହୋଇ ପଡ଼ୋଶୀ ଘରର ଛାତ ଉପରେ ରହିବା, ଭଳି ଘଟଣା ଅତି ସାଧାରଣ କଥା ଥିଲା। ଶୌଚାଳୟରେ ପାଣି ପଶିଯାଇଥିଲା, ଡ୍ରେନ ବୁଡ଼ିଯାଇଥିଲା; ସାପ ଓ ବିଚ୍ଛା ଆଦି ଘର ଭିତରକୁ ପଶି ଆସିଥିଲେ ଏବଂ ଘରର କାନ୍ଥ ଭାଙ୍ଗି ଯାଇଥିଲା।

ଏହା କାହିଁକି ଘଟିଥିଲା? କେବଳ ତଳିଆ ଅଞ୍ଚଳ ହୋଇଥିବା କାରଣରୁ ନୁହେଁ। ସମସ୍ୟା ହେଉଛି ଆଖପାଖ ଅଞ୍ଚଳରେ ନିର୍ମାଣ ହେଉଥିବା ବଡ଼ ବଡ଼ ଅଟ୍ଟାଳିକା, ଯାହାକି ପୂର୍ବରୁ ଯଥେଷ୍ଟ ନଥିବା ଜଳ ନିଷ୍କାସନ ବ୍ୟବସ୍ଥାକୁ ଆହୁରି ବିପର୍ଯ୍ୟସ୍ତ କରି ପକାଇଛି। ସ୍ଥାନୀୟ ହ୍ରଦଗୁଡ଼ିକ ଜଳପୂର୍ଣ୍ଣ ହୋଇଯିବା, ରାଜ୍ୟରେ ଥିବା ନଦୀବନ୍ଧଗୁଡ଼ିକରୁ ଅଥିକ ପାଣି ଛଡ଼ାଯିବା-ଏହିସବୁ କାରଣ ଯୋଗୁ ନିୟମିତ ବନ୍ୟା ଆସୁଛି। ଏହାବ୍ୟତୀତ ବିସ୍ଥାପିତ କଲୋନୀଗୁଡ଼ିକର ଅତି ଉଚ୍ଚ ପାଚେରି-କେତେକ ୧୦ ଫୁଟରୁ ମଧ୍ୟ ଅଧିକ, ଏହି କାରଣରୁ ବୋଧହୁଏ କମ୍‌ ଆୟ ବର୍ଗର ଏହି ଅଞ୍ଚଳ ବାସିନ୍ଦା ଅନେକ ସମୟରେ ବାହାରୁ ଅଣଦେଖା ହୋଇ ରହୁଛନ୍ତି।

ତେଣୁ ପ୍ରତ୍ୟେକ ଥର ଅଧିକ ବର୍ଷା ହେଲେ, ରାସ୍ତାରେ କୃତ୍ରିମ ନଦୀ ସୃଷ୍ଟି ହେଉଛି, ଗାଡ଼ିଗୁଡ଼ିକ ଡଙ୍ଗା ଭଳି ପାଣିରେ ଭାସୁଛନ୍ତି। ଏଭଳି ସ୍ଥିତିରେ ପିଲାମାନେ କପଡ଼ା ଜାଲ ଧରି ରାସ୍ତା ମଝିରେ ମାଛ ଧରିବା ଏବଂ ସେମାନଙ୍କ ମା’ମାନେ ୫ଲିଟର ବିଶିଷ୍ଟ ବାଲ୍ଟିରେ ଘର ଭିତରେ ପଶିଯାଇଥିବା ପାଣି ବାହାର କରିବା ଏଠାକାର ନିୟମିତ ଦୃଶ୍ୟ ପାଲଟିଯାଇଛି।

“ଆମେ ପ୍ରତିବର୍ଷ ସୁନାମିର ସମ୍ମୁଖୀନ ହୋଇଥାଉ, କିନ୍ତୁ କେହି ଆମ ପାଖକୁ ଆସନ୍ତି ନାହିଁ, କେବଳ ଭୋଟ ମାଗିବାକୁ ଆସିବା ଛଡ଼ା”, ଜଣେ ମହିଳା କହିଥିଲେ। “ଆମେ ୨୦୦୫ରେ ଫୋରଶୋର ଇଷ୍ଟେଟ, ଉରୁର କୁପ୍ପାମ ଏବଂ ଚେନ୍ନାଇର ଅନ୍ୟ ଅଞ୍ଚଳରୁ ଏଠାକୁ ଆସିଥିଲୁ। ଆମମାନଙ୍କୁ ଏଠାକୁ ସ୍ଥାନାନ୍ତରିତ କରିଥିବା କର୍ତ୍ତୃପକ୍ଷ ଏବଂ ରାଜନେତମାନେ, ସୁଖରେ ମାଲିଗାଇସ (ବଡ଼ ଘରେ) ରହୁଛନ୍ତି। ଆମ ଅବସ୍ଥା ଦେଖନ୍ତୁ!”

ମହିଳା ଓ ପିଲାମାନେ ପାଦ ବୁଡ଼ିଯାଉଥିବା ପାଣିରେ ଛିଡ଼ା ହୋଇ ଜଳ ନିଷ୍କାସନ ପାଇଁ ମାର୍ଗ ଖୋଜୁଛନ୍ତି।

PHOTO • M. Palani Kumar

ପ୍ରତିଥର ବଡ଼ ବର୍ଷା ହେଲେ, ରାସ୍ତା ନଦୀରେ ପରିଣତ ହୋଇଯାଏ, ଏବଂ ପିଲାମାନେ ପାଣିରେ ଖେଳିବା, ପହଁରିବା ଓ ଡେଇଁବା ଲାଗି ଦୌଡ଼ି ଯାଆନ୍ତି।

PHOTO • M. Palani Kumar

କିମ୍ବା ସେମାନେ ଏଠାକାର ହାଉସିଂ ବୋର୍ଡ ଆବାସଗୁଡ଼ିକ ଠାରୁ ଅଳ୍ପ ଦୂରରେ ଥିବା ଜଳପ୍ଳାବିତ ରାସ୍ତା ମଝିରେ କପଡ଼ା ଜାଲରେ ମାଛ ଧରିଥାନ୍ତି, ପୁଅମାନେ କୋରାଭା ମିନ (ଶେଉଳ ମାଛ) ଧରିଥାନ୍ତି।

PHOTO • M. Palani Kumar

ସାରା ପରିବାର ରାସ୍ତା ମଝିରେ ବସି ବନ୍ୟା ପାଣିରେ କପଡ଼ା ସଫା କରିଥାନ୍ତି। ପୁରୁଷମାନେ ବାହାରକୁ ମଜୁରି ଖଟିବାକୁ ଯାଇନପାରି ମଧ୍ୟ ସହାୟତା କରିଥାନ୍ତି।

PHOTO • M. Palani Kumar

ଏକ ଚାରି ଜଣିଆ ପରିବାର ବନ୍ୟା ପାଣିକୁ କାଟି ଘରକୁ ଫେରୁଛନ୍ତି।

PHOTO • M. Palani Kumar

ଶୁଖିଲାରେ ରହିବା ଲାଗି, ଏକ ପରିବାର (ବାମ) ଘର ଦ୍ୱାରବନ୍ଧରେ ଉଚ୍ଚ ଭାବେ ନିର୍ମିତ ଏକ ଛୋଟିଆ କାନ୍ଥ ପଛରେ ଛିଡ଼ା ହୋଇଛନ୍ତି, ଯାହାକୁ ବନ୍ୟା ଆସିବା ପୂର୍ବରୁ ତରବରିଆ ଭାବେ ନିର୍ମାଣ କରାଯାଇଛି।

PHOTO • M. Palani Kumar

ଘର ଭିତରେ ପାଣି ପଶିଯାଇଥିବାରୁ ବୟସ୍କ ଲୋକମାନେ ଘର ବାହାରେ ପ୍ଲାଷ୍ଟିକ ଚେୟାରରେ ବସି ଦିନ କାଟୁଛନ୍ତି।

PHOTO • M. Palani Kumar

ଜ୍ୱରରେ ପୀଡ଼ିତ ଜଣେ ଅଳ୍ପବୟସ୍କା ମହିଳା ଲୁହା ଫ୍ରେମରେ ‘ବନ୍ୟା ଥଇଥାନ’ ଲେଖା ହୋଇଥିବା ଏକ ଖଟ ଉପରେ ବସିଛନ୍ତି।

PHOTO • M. Palani Kumar

ଏକ ପରିବାର, ଯଥାସମ୍ଭବ ଭଲ ଭାବେ, ସାବୁନ ସାହାଯ୍ୟରେ ସେମାନଙ୍କ ଘର ସଫା କରୁଛନ୍ତି। ନର୍ଦ୍ଦମା ପାଣି ସହିତ ବର୍ଷା ପାଣି ମିଶି ଅତି ଦୁର୍ଗନ୍ଧ ହେଉଛି।

PHOTO • M. Palani Kumar

ମହିଳା ଓ ଶିଶୁମାନେ ପାଣିରେ ଛିଡ଼ା ହୋଇଛନ୍ତି, ବର୍ଷା ଜଳ ନିଷ୍କାସନ ପାଇଁ ମାର୍ଗ ଖୋଜୁଛନ୍ତି।

PHOTO • M. Palani Kumar

ବାସିନ୍ଦାମାନେ ଶୁଖିଲା ବସ୍ତ୍ର ପାଇଁ ସଂଘର୍ଷ କରୁଛନ୍ତି, ସେଗୁଡ଼ିକୁ ଶୁଖାଇବା ପାଇଁ ଶିଢ଼ିକୁ ଲାଗି ରହିଥିବା କାନ୍ଥରେ ଝୁଲାଇଛନ୍ତି।

PHOTO • M. Palani Kumar

ସିମାଞ୍ଜେରିର ଲୋକମାନେ ବନ୍ୟା ପାଣିରେ ବୁଡ଼ିଯାଉଥିବା ଏକ କାର୍‌କୁ ବାହାର କରୁଛନ୍ତି।

PHOTO • M. Palani Kumar

ଚିହ୍ନିତ କରାଯାଇଥିବା ପ୍ଲଟଗୁଡ଼ିକ ମଧ୍ୟ ପାଣିରେ ବୁଡ଼ିଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

M. Palani Kumar

M. Palani Kumar is Staff Photographer at People's Archive of Rural India. He is interested in documenting the lives of working-class women and marginalised people. Palani has received the Amplify grant in 2021, and Samyak Drishti and Photo South Asia Grant in 2020. He received the first Dayanita Singh-PARI Documentary Photography Award in 2022. Palani was also the cinematographer of ‘Kakoos' (Toilet), a Tamil-language documentary exposing the practice of manual scavenging in Tamil Nadu.

Other stories by M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE