html ଟ୍ୟାଙ୍କର୍‌ର ପବିତ୍ର ଜଳ

ସେ ଶାନ୍ତ ଚିତ୍ତରେ ପ୍ରାର୍ଥନା ଭଙ୍ଗୀରେ ରାମକୁଣ୍ଡ ଦାଢରେ ଛିଡା ହୋଇଥିଲେ। ଏହା ଏକ ପୁରାତନ ସ୍ନାନ ଘାଟ। ବୋଧହୁଏ ଗୋଦାବରୀ ନଦୀର ସବୁଠାରୁ ପବିତ୍ର ସ୍ନାନ ଘାଟ। ତା ପରେ ସେ ପୁଷ୍କରିଣୀର ପବିତ୍ର ଜଳରେ ଗୋଡ ବୁଡାଇଲେ ଆଉ ସ୍ନାନ କଲେ।

ମହାନ ଗୋଦାବରୀର ଉତ୍ପତ୍ତି ସ୍ଥଳରେ ମହାରାଷ୍ଟ୍ରର ଜଳସଂକଟକୁ ସ୍ୱାଗତ।

୧୩୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଐତିହାସିକ ରାମକୁଣ୍ଡ ସ୍ନାନ ଘାଟ ଏପ୍ରିଲ ମାସରେ ଶୁଖି ଯାଇଥିଲା। ଏହା ପରଠାରୁ ଦୁଇ ମାସ ପର୍ଯ୍ୟନ୍ତ ଏହି କୁଣ୍ଡରେ ପ୍ରତିଦିନ ୬୦ରୁ ୯୦ ଟ୍ୟାଙ୍କର ପାଣି ଭର୍ତ୍ତି କରାଯାଉଥିଲା। ସଂକ୍ଷେପରେ କହିଲେ, ନଦୀରେ ଟ୍ୟାଙ୍କର ପାଣି ଭରୁଛି ମହାରାଷ୍ଟ୍ର। ଗୋଦାବରୀ ନିଜେ ବି ଦୁଃଖରେ ଥିଲା। ଗୋଦାବରୀର ଉଭୟ ପାର୍ଶ୍ୱ ଶୁଖି ଯାଉଥିଲା। ଆଗରୁ ଏମିତି ଘଟଣା ଆଦୌ ଘଟି ନଥିଲା। ଜନଶ୍ରୁତିରେ ମଧ୍ୟ ଏହା ଶୁଣାଯାଏ ନାହିଁ। ନାସକ୍‌ର ତ୍ରିମ୍ବକ ସହର ମଥାରେ ଛିଡା ହୋଇଥିବା ବ୍ରହ୍ମଗିର ପର୍ବତର ଉତ୍ପତ୍ତି ସ୍ଥଳରେ ମଧ୍ୟ ମେ ମାସରେ ଗୋଦାବରୀ ଶକ୍ତିହୀନ ହୋଇପଡୁଥଲା। (ଉତ୍ପତ୍ତି ସ୍ଥଳକୁ ପବିତ୍ର କରୁଥିବା ମନ୍ଦିର ନାମରେ ତ୍ରିମ୍ବକେଶ୍ୱର କହନ୍ତି) ମୌସୁମୀ ବର୍ଷାର ଆଗମନକୁ ଲୋକେ ଅପେକ୍ଷା କରିଥିଲେ।

PHOTO • P. Sainath

ଗୋ ଟିଏ ଟ୍ୟାଙ୍କର ନଦୀରେ ପାଣି ଭର୍ତ୍ତି କରୁଛି। ଦକ୍ଷିଣ: ଜଣେ ତୀର୍ଥଯାତ୍ରୀ ଟ୍ୟାଙ୍କର ପାଣିରେ ସ୍ନାନ କରୁଛନ୍ତି, ନଦୀ ପାଣିରେ ନୁହେଁ।

କମଲାକର ଆକୋଲକର ହେଉଛନ୍ତି ତ୍ରିମ୍ବକ ମନ୍ଦିରର ପୂଜକ ଏବଂ ଜଣେ ପ୍ରେସ୍ ଫଟୋଗ୍ରାଫର। ସେ ସ୍ମିତ ହସି କହିଲେ, “ଗୋଦାବରୀ ଉତ୍ପତି ସ୍ଥଳରେ ଅବସ୍ଥିତି ଏହି ସହର ମଧ୍ୟ ଅଣମୌସୁମୀ ସମୟରେ ପ୍ରତି ତିନି ଦିନରେ ଥରେ ଜଳ ସଂକଟର ସାମ୍ନା କରୁଛି। ଏଠି ଦୀର୍ଘ ୨୦ ବର୍ଷ ହେବ ଗଛକଟା ଚାଲିଛି। ଏଠିକାର ସବୁଜିମା ହଜି ଗଲାଣି। ଏଠି ଏବେ ଅଶଂଖ୍ୟ ରାସ୍ତା, ମାଳମାଳ ହୋଟେଲ, ଭୋଜନାଳୟ, ବହୁ ସଂଖ୍ୟାରେ କୋଠାବାଡି। ଧାର୍ମିକ ପର୍ଯ୍ୟଟନକୁ ନେଇ ଗଢି ଉଠିଥିବା ଏହି ସହରର ପ୍ରକୃତ ଲୋକସଂଖ୍ୟା ୧୦,୦୦୦। କିନ୍ତୁ ତୀର୍ଥଯାତ୍ରୀ, ବ୍ୟବସାୟୀଙ୍କ ସମେତ ଏଠାରେ ପ୍ରାୟ ୫୦.୦୦୦ ଲୋକ ରହନ୍ତି। ଏହି ଲୋକସଂଖ୍ୟା ଜଳଭାବକୁ ବେଶୀ ଗମ୍ଭୀର କରୁଛି। ଦୁଇ ଦଶନ୍ଧି ପୂର୍ବରୁ ଏଠାରେ ୪ ମାସ ଧରି ବର୍ଷା ହୋଉଥିଲା। ଏବେ ଦେଢ ମାସ ବର୍ଷା ହେଉଛି।”

ଅଳ୍ପ କେଇ କିଲୋମିଟର ତଳେ ରାମକୁଣ୍ଡ। ଏହାର ମୁଖ୍ୟ ପୂଜକ ଶତିଶ ଶୁକ୍ଳା କହନ୍ତି, “ପୌର ପରିଷଦ ଆମକୁ ଧ୍ଵଂସ କରି ଦେଇଛି। “ କିଛି ବର୍ଷ ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର କର୍ପୋରେଟର ଥିଲେ। ଏବେ ଗୋଦାବରୀ ପଞ୍ଚକୋଠି ପୂଜକ ସଂଘର ସଭାପତି ଅଛନ୍ତି। ଏହା ୭୦ ବର୍ଷର ପୂଜକ ସଂଘ। ଏହି ନଦୀ ନାମରେ ସଂଘ ନାମିତ ହୋଇଛି। ସେ କହିଲେ, “ପୌର ପରିଷଦ ଏକ ପୁରାତନ ପଥର ଘାଟକୁ ଭାଂଗି ସେଠାରେ ଏକ କଂକ୍ରିଟ ଘାଟ ନିର୍ମାଣ କଲା। ମୁହଁ ଚାହୁଁଥିଲି ସେମାନେ ଏହା ନଭାଙ୍ଗନ୍ତୁ। ଗଲା ଦୁଇ ବର୍ଷରେ ଯେଉଁ କ୍ଷତି ହେଲା, ତାହା ଶହଶହ ବର୍ଷ ଧରି ହୋଇ ନଥିଲା। ବେଲଗାମ ଭାବେ ଚାଲିଥିବା କଂକ୍ରିଟ୍ କାମ ନଦୀକୁ ମାରି ଦେଉଛି। ପୁରୁଣା ଜଳବାହୀ ସ୍ତର ସବୁ ମୃତ ପ୍ରାୟ। ଝରଣା ସବୁ ଶୁଷ୍କ ହୋଇ ଯାଇଛି। ସେମାନେ ଥରଟିଏ ବି ଆମକୁ(ପୂଜକ) ପଚାରି ନାହାନ୍ତି। ଯାହା ମନକୁ ଆସିଲା କରି ଚାଲିଛନ୍ତି। ନଦୀର ପ୍ରାକୃତିକ ସ୍ରୋତ ଆଉ ନାହିଁ। ଆମ ପୁରୋହିତଙ୍କ ଦ୍ୱାରା ବର୍ଷା ପାଇଁ ପ୍ରାର୍ଥନାର ଉତ୍ତର ଦେଉଛନ୍ତି ବରୁଣ ଦେବ। ହାୟ, ଆଉ ନୁହେଁ।”

PHOTO • P. Sainath

ରାମକୁଣ୍ଡ ପାର୍ଶ୍ୱରେ ତୀର୍ଥଯାତ୍ରୀଙ୍କ ଗହଳି ଲାଗିଥିଲା। ଦକ୍ଷିଣ: ଶତିଶ ଶୁକ୍ଳା, ଗୋଦବରୀ ପୂଜକ ସଂଘର ସଭାପତି।

ପୂଜକମାନଙ୍କ ପାଇଁ ଭଗବାନ ବରୁଣ ବଧିର ପାଲିଟି ଯାଇଛନ୍ତି, ହେଲେ ନାଶିକ କୁମ୍ଭମେଳାରେ ଭଗବାନ ଇନ୍ଦ୍ରଙ୍କୁ ନଚାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କୁମ୍ଭମେଳା ପାଇଁ ଜଳସେଚନ ବିଭାଗ ୧.୩ ହଜାର ମିଲିୟନ ଘନଫୁଟ (ଟିଏମସି) ପାଣି ଛାଡିଛି। ଗୋଦାବରୀର ମୁଖ୍ୟ ଡ୍ୟାମ୍ ଗଙ୍ଗାପୁର ଏବଂ ଦୁଇଟି ଶାଖା ନଦୀ ଗୌତମୀ ଏବଂ କାଶ୍ୟପୀରୁ ଏହି ପାଣି ଛଡାଯାଇଛି। ୨୦୧୫ ଅଗଷ୍ଟ-ସେପଟେମ୍ବରରେ ତିନି ଦିନ ଲାଗି ଶାନି ସ୍ନାନ ବା ରାଜକୀୟ ସ୍ନାନ ପାଇଁ ଏହି ପାଣି ଛଡାଯାଇଥିଲା। କୁମ୍ଭ ମେଳାର ଏହା ଗୋଟିଏ ଭାଗ। ଜାନୁଆରୀରେ ହୋଇଥିବା ଶେଷ କୁମ୍ଭମେଳାକୁ ମଧ୍ୟ ପ୍ରଚୁର ପାଣି ଦିଆଯାଇଥିଲା। ପବିତ୍ର ସ୍ନାନ ଯୋଗୁ ନଦୀ ଯେପରି ମଇଳା ହୋଇଥିଲା, ତାକୁ ସଫା କରିବା ପାଇଁ ଆହୁରି ପାଣି ଆବଶ୍ୟକ ହେଲା।

ମେଳା ଏବଂ ତତ୍ ସଂବନ୍ଧିତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସଂପୃକ୍ତ  ମାସ ଗୁଡିକରେ ୧.୩ ଟିଏମ୍‌ସି ପାଣି ଛଡାଯାଇଥିଲା। ଏହା ନାସିକ ସହରର ବାର୍ଷିକ ଆବଶ୍ୟକ ପଡୁଥିବା ପାଣିର ପ୍ରାୟ ଅଧା। ୨୦୧୫-୧୬ରେ ନାସିକ ସହରକୁ ୩.୭ ଟିଏମ୍‌ସି ପାଣି ଦିଆଯାଇଥିଲା। ଏହାକୁ ନେଇ ହୋଇଥିବା ଏକାଧିକ ମାମଲା କୋର୍ଟରେ ପଡିଛି। ଏହି ଧାର୍ମିକ ମେଳାର ପ୍ରାର୍ଥନା ଶୁଣାଯାଉଛି କିନ୍ତୁ ଚାଷୀଙ୍କ ଚିତ୍କାର ଶୁଣାଯାଉନି। ଗଙ୍ଗାପୁରରୁ ନିର୍ଦ୍ଧାରିତ ସମୟରେ ଦିଆଯାଉଥିବା ପାଣିକୁ ସେମାନେ ଅପେକ୍ଷା କରିଥାନ୍ତି। 

PHOTO • P. Sainath

କ୍ଷେତର ପାଣି କୁମ୍ଭମେଳାକୁ ଦିଆଯିବା ଫଳରେ ହେଉଥିବା କ୍ଷତି ସଂପର୍କରେ କହନ୍ତି ପ୍ରଶାନ୍ତ ନିମ୍‌ସେ

ପ୍ରଶାନ୍ତ ନିମ୍‌ସେ କହନ୍ତି, “ଯେତେବେଳେ ୩ ଥର ପାଣିର ଆବଶ୍ୟକତା ଥାଏ, ସେତେବେଳେ ଆମକୁ ଗୋଟିଏ ଥର ମିଳେ। ଆପଣ ଏହାକୁ ଦେଢଟି ବୋଲି କହିପାରିବେ। କିନ୍ତୁ ପ୍ରଥମ ଥର ପାଣି ଦେବାବେଳେ ଆମକୁ କିଛି ସୂଚନା ଦିଆଯାଇ ନଥାଏ। “ ନନ୍ଦୁରଗାଓଁ ଗାଁର ସେ ଜଣେ ଚାଷୀ। ଗଙ୍ଗାପୁର ଡ୍ୟାମ୍‌ର ବାମ କେନା ତାଙ୍କ ଗାଁ ଚାଷ ଜମିକୁ ଜଳସେଚିତ କରିଥାଏ। ସେ ଅଙ୍ଗୁର ଏବଂ ଆଉ କିଛି ଫଳ ଚାଷ କରନ୍ତି। କିନ୍ତୁ ତାଙ୍କର ଏକ ବିବାହ ମଣ୍ଡପ ଅଛି। ସେଥିରୁ ସେ ଭଲ ଦିପଇସା ରୋଜଗାର ହୁଏ ବିବାହ ମଣ୍ଡପରୁ। ତାଙ୍କ ଗାଁ ନାସିକ ସହର ପରିସୀମାରେ ମିଶିଯିବାରୁ ଗ୍ରାହକ ସଂଖ୍ୟା ବଢୁଛି। ସେ ପହନ୍ତି ଯେ, “ମୁଁ ସିନା ତିଷ୍ଠି ଯାଇଛି, ହେଲେ ଚାଷ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ସେମାନେ ବିପର୍ଯ୍ୟସ୍ତ ହୋଇପଡିଛନ୍ତି। “  

ଆଉ ଜଣେ ଚାଷୀ ବାସୁଦେବ ଖାଟେ। ସେ କହନ୍ତି, “ବିଭିନ୍ନ ବାଟରେ ଅଙ୍ଗୁର ଚାଷର ସ୍ଥିତି ବର୍ତ୍ତମାନ ଗମ୍ଭୀର। ଜଳଭାବ ଯୋଗୁ ଅଙ୍ଗୁର ଚାଷ ବାଧାପ୍ରପ୍ତ ହେଉଛି। ଯେଉଁଠି କୌଣସି ପ୍ରକାରେ ଚାଷ କରାଯାଉଛି, ଫଳର ମାନ ଠିକ୍ ରହୁନି। ଗୋଟିଏ ଏକର ଅଙ୍ଗୁର ଚାଷ ପାଇଁ ବର୍ଷରେ ୧୦୦ ଦିନର ମଜୁରି ଲାଗେ। ପ୍ରାୟ ୪୦,୦୦୦ ଏକର ଜମିରେ ଅଙ୍ଗୁର ଚାଷ ବାଧାପ୍ରାପ୍ତ ହୋଇଛି। ଏହାର ଅର୍ଥ ଶ୍ରମ ସଂକଟ। ପ୍ରାୟ କ୍ଷତିରେ ୩୦ ଲକ୍ଷ ଶ୍ରମ ଦିବସ କ୍ଷତିଗ୍ରସ୍ତ। ଏଠାକୁ ମରାଥାଓ୍ୱାଡ଼ା, ଲାଟୁର, ବିଦ୍, ଔରଙ୍ଗାବାଦ ଏବଂ ଓସମାନାବାଦ ସମେତ ବିଭିନ୍ନ ଅଞ୍ଚଳରୁ ଶ୍ରମିକ ଆସନ୍ତି। “ କାମ ଅଭାବରୁ ମରାଠାଓ୍ୱାଡାର ହଜାରହଜାର ପରିବାର ସଂକଟରେ।

ରାଜ୍ୟର ଚାରିଆଡେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ତଥାପି ଚାଷୀ, ଶ୍ରମିକ ଏବଂ ଅନ୍ୟମାନେ ଜାଣିଥିଲେ ଯେ ଗୋଟିଏ ଭଲ ମୌସୁମୀରେ ସମସ୍ୟା ସରି ଯିବନି। ଫଟୋଗ୍ରାଫର ପୁରୋହିତ ଆକୋଲକର କହିଲେ, “ଏହା ଆଶ୍ୱସ୍ତି ଆଣିବ। କିନ୍ତୁ ଲାଗି ରହିଥିବା ସଂକଟ ବଢି ଚାଲିଛି ଏବଂ ଏହା ଏବେ ସରିଯିବନି। “

ନାସିକ ଜିଲ୍ଲାର ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ପି.ବି. ମିଶାଲ। ସମସ୍ୟା ସଂପର୍କରେ ତାଙ୍କର ଭିନ୍ନ ମତାମତ। ସେ କହନ୍ତି, “ମହାରାଷ୍ଟ୍ରରେ ପ୍ରକୃତରେ ଚିରସ୍ରୋତା ନଦୀ ନାହିଁ। ଗତ ୨୦ ବର୍ଷ ହେବ ଭୂତଳ ଜଳ ସ୍ତର ସାଂଘାତିକ ଭାବେ କମିକମି ଚାଲିଛି। କୃଷି ପାଇଁ ପ୍ରଚୁର ପରମାଣରେ ଭୂତଳ ଜଳ ନିଷ୍କାସନ ହେଉଛି। ନାସିକ ସହରର ଜନସଂଖ୍ୟା ପ୍ରାୟ ୨୦ ଲକ୍ଷରେ ପହଞ୍ଚି ସାରିଲାଣି। ଏହା ବାଦ ଆଉ ପ୍ରାୟ ୩ ଲକ୍ଷ ଲୋକ ସହରରେ ରହୁଛନ୍ତି। ଜମିର ବ୍ୟବହାରରେ ମଧ୍ୟ ବଡ ପରିବର୍ତ୍ତନ ଘଟିଛି। ସହର ଚାରିପାଖରେ ଥିବା ସବୁଜିମାରେ ଏବେ କୋଠା ଛିଡା ହୋଇଛି। ବେଳକୁ ବେଳ ମୌସୁମୀ ଅନିୟମିତ ହୋଇପଡୁଛି। ବୃଷ୍ଟି ପରିମାଣ ସବୁବେଳେ କମ୍ ବେଶୀ ରହୁଛି। “ ପରିବେଶବିତ୍ ପ୍ରଫେସର ମାଧବ ଗାଡଗିଲ କହନ୍ତି, “ମହାରାଷ୍ଟ୍ରରେ ଚିରସ୍ରୋତା ନଦୀ ଥିଲା। କିନ୍ତୁ ଏଗୁଡିକ ବଦଳି ଯାଇଛନ୍ତି। “

ମହାରାଷ୍ଟ୍ରର ଏହି ସାଂଘାତିକ ଜଳ ସଂକଟ ମାନବକୃତ। ତ୍ରିମ୍ବକେଶ୍ୱର ଜଳ ସମସ୍ୟା ସହ କ୍ରିଷ୍ଣା ନଦୀର ଉତ୍ପତ୍ତି ସ୍ଥଳ ପୁରୁଣା ସତାରା ଜିଲ୍ଲାର ମହାବଳେଶ୍ୱର ସହ ସାମଞ୍ଜସ୍ୟ ରହିଛି। (ଯେଉଁଠିକୁ ମେ ମାସରେ ଶୁଖା ସମୟରେ ମୁଁ ଏବଂ ମୋର ଅନେକ ସହକର୍ମୀ ଯାଇଛୁ: ନଦୀର ଉତ୍ପତ୍ତି, ଶାସକଙ୍କ ଦୁର୍ନୀତି)

ଆକୋଲକାର କହିଲେ, “ମନେ ରଖନ୍ତୁ ଯେ ନାସିକ୍ ଏବେ ବଡ ଶିଳ୍ପାଞ୍ଚଳରେ ପରିଣତ ହେଲାଣି। ଏହି ଅଞ୍ଚଳରେ ଜଳ ବଣ୍ଟନ ବ୍ୟବସ୍ଥା ବଦଳି ଯାଇଛି। ପ୍ରତ୍ୟେକ ସ୍ଥାନରେ ଅନିୟନ୍ତ୍ରିତ ଭାବେରେ ପାଣିର ଆବଶ୍ୟକତା ରହୁଛି। ଏପରିକି ଖୁବ୍ ଭଲ ବର୍ଷା ହେଲେ ବି ଏହା ଉପରେ ପ୍ରଭାବ ପଡୁନି। ପର୍ଯ୍ୟଟନ ଅର୍ଥ ସହରର ପ୍ରତି ପାଦ କଂକ୍ରିଟ୍। ପାଣିକୁ ନିଃଶ୍ୱାସ ମାରିବାକୁ ବି ଜାଗା ନାହିଁ।”

PHOTO • P. Sainath

ତ୍ରିମ୍ବକେଶ୍ୱର ମନ୍ଦିର ନିକଟରେ ଥିବା ଗଂଗାସାଗରର ଜଳସ୍ତର ମଧ୍ୟ ସାଧାରଣଠାରୁ କମ୍ ରହୁଛି। ଏହା ଗୋଦାବରୀ ନଦୀର ଉପରମୁଣ୍ଡରେ ଥିଲେ ବି ଜଳପତ୍ତନ କମିବାରେ ଲାଗିଛି।

ବ୍ରହ୍ମଗିରି ପର୍ବତରୁ ଗଂଗାସାଗର ଡ୍ୟାମ୍‌କୁ ଝରି ଆସିଥିବା କିଛି ଝରଣା ଏବେ କ୍ଷୀଣ ହୋଇ ଗଲେଣି। ପର୍ବତ ଉପରେ ଧଳା ରଂଗର ଗାରଟିଏ ଭଳି ଦିଶୁଛନ୍ତି। ଦେଖା ଯାଉଥିବା ଏହି ଝରଣାଗୁଡିକ ଶୁଖି ଯାଇଥିଲା। ବର୍ଷା ଆସିବା ପରେ ଏମାନେ ପୁଣି ଜୀବନ୍ତ ହୋଇଛନ୍ତି।

ସାରା ରାଜ୍ୟରେ ବ୍ୟାପକ ଜଙ୍ଗଲ କଟା, ନଦୀ ଉପରେ ଏକାଧିକ ବନ୍ଧ, ଶିଳ୍ପକୁ ପାଣି ଏବଂ ସଂଭ୍ରାନ୍ତ ହୋଟେଳ ଭଳି ଜୀବନ ଶୈଳୀ ପ୍ରକଳ୍ପ ଦେଖିବାକୁ ମିଳୁଛି। ସେହିଭଳି ନଦୀର ଉତ୍ପତ୍ତି ଅଞ୍ଚଳରେ ଦରଦହୀନ ଭାବେ କଂକ୍ରିଟ୍ କରିବା, ବ୍ୟାପକ ଏବଂ ଅନିୟନ୍ତ୍ରିତ ଭାବେ ଭୂତଳ ଜଳ ନିଷ୍କାସନ ଏବଂ ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ। ଏସବୁ ମହାରାଷ୍ଟ୍ରର ଭୟାନକ ଜଳସଂକଟର କାରଣ। ବର୍ଷା ଆରମ୍ଭରେ ବି ମହାରାଷ୍ଟ୍ରରେ ଜଳ ସଂକଟ ଜାରି ରହିଛି। ଏପରିକି ଗଣମାଧ୍ୟମରେ ଏ ସଂପର୍କିତ ଖବର ମଧ୍ୟ ଶୁଖି ଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath
psainath@gmail.com

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath