୭୦ ବର୍ଷ ଧରି କୃଷି ଶ୍ରମିକ ଭାବେ କରିବା ପରେ ଗଙ୍ଗାପ୍ପା (ବର୍ତ୍ତମାନ ପ୍ରାୟ ୮୩ ବର୍ଷ) ନିଜକୁ ମହାତ୍ମା ଗାନ୍ଧୀ ଭାବେ ଭୂଷିତ କରିନେଇଛନ୍ତି । ଅଗଷ୍ଟ ୨୦୧୬ରୁ ସେ ଗାନ୍ଧୀଙ୍କ ଭଳି ବେଶଭୂଷା ହୋଇଆସୁଛନ୍ତି ଏବଂ ପଶ୍ଚିମ ଆନ୍ଧ୍ରପ୍ରଦେଶର ଅନନ୍ତପୁର ସହରରେ ଥିବା ସର୍ବସାଧାରଣ ସ୍ଥାନମାନଙ୍କର  ସେ ଛିଡ଼ା ହେଉଛନ୍ତି । କୃଷି ଶ୍ରମିକ ଭାବେ ସେ ଯେତିକି ଅର୍ଥ ରୋଜଗାର କରୁଥିଲେ ଏହି ଉପାୟରେ ସେ ତା’ ଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ।

“ଯେତେବେଳେ ମୁଁ ଆପଣଙ୍କ ବୟସର ହୋଇଯିବି, ମୁଁ ମଧ୍ୟ ଆପଣଙ୍କ ଭଳି ବେଶଭୂଷା ହେବି, ସ୍ୱାମୀ”, ପିଲାଦିନେ ଅନନ୍ତପୁରରେ ଏକ ଗସ୍ତ କାର୍ଯ୍ୟକ୍ରମରେ ଗାନ୍ଧିଜୀଙ୍କୁ ଭେଟିବା ଅବସରରେ ଗଙ୍ଗାପ୍ପା ଗାନ୍ଧିଜୀଙ୍କୁ ଏହା କହିଥିବାର ଦାବି କରନ୍ତି । ‘‘ସେ ସମୟରେ ମୁଁ ମୋର ବାପା ମା’ଙ୍କ ସହିତ ଥିଲି ଯେଉଁମାନେ କି ପେରୁରୁ ଟ୍ୟାଙ୍କରେ ଶ୍ରମିକ ଭାବେ କାମ କରୁଥିଲେ ।’’ ଚେନ୍ନାମପାଲ୍ଲୀ ଯେଉଁଠାରେ ଗଙ୍ଗାପ୍ପା ଜନ୍ମଗ୍ରହଣ କରିଥିଲେ ତାହା ପେରୁରୁଠାରୁ ବେଶୀ ଦୂର ନୁହଁ । ଗାନ୍ଧିଜୀ ଯାହାବି ହାସଲ କଲେ ତାକୁ  ହାସଲ କରିବାରେ ଗାନ୍ଧିଜୀଙ୍କର କ୍ଷମତା, ଶକ୍ତିଶାଳୀମାନଙ୍କୁ ଆଦେଶ ଦେବାରେ ତାଙ୍କର ଦକ୍ଷତା ସାନ ଗଙ୍ଗାପ୍ପାଙ୍କୁ ପ୍ରଭାବିତ କରିଥିଲା ।

ଯଦିଓ ମହାତ୍ମା ଗାନ୍ଧୀଙ୍କୁ ଭେଟିବା ସଂପର୍କରେ ଗଙ୍ଗାପ୍ପାଙ୍କର ଦାବିର ଯାଞ୍ଚ କରିବା କିମ୍ବା ସେ ସାକ୍ଷାତର ତାରିଖ ନିର୍ଦ୍ଧାରଣ କରିବା ଖୁବ୍ କଷ୍ଟକର, ଗାନ୍ଧୀଜୀଙ୍କ ସଂପର୍କରେ ତାଙ୍କର ସ୍ମୃତି ତାଙ୍କର ଜୀବନକୁ ପ୍ରଭାବିତ କରିଛି । ଗଙ୍ଗାପ୍ପା ଯାତ୍ରା କରିବାକୁ ଭଲ ପାନ୍ତି- ଗାନ୍ଧୀଙ୍କ ଭଳି ହେବା ଲାଗି ଭ୍ରମଣ କରିବା ଏବଂ ଧୈର୍ଯ୍ୟ ଆବଶ୍ୟକ ବୋଲି ସେ ବିଶ୍ୱାସ କରନ୍ତି ।

ଗଙ୍ଗାପ୍ପା (ଯିଏକି କେବଳ ଏହି ନାଁରେ ପରିଚିତ) କହନ୍ତି ଏବେ ତାଙ୍କର ନାଁ ହେଉଛି ଗଙ୍ଗୁଲାପ୍ପା କାରଣ ଲୋକମାନେ ତାଙ୍କୁ ଭୁଲ୍‌ରେ ତାହା ହିଁ ଡାକୁଛନ୍ତି । ଗାନ୍ଧୀଙ୍କ ଭଳି ନିଜର ଲୁକ୍ ଦେଖାଯିବା ଲାଗି ସେ ଛାତିରେ ଧାର୍ମିକ ପଇତା ପିନ୍ଧିଛନ୍ତି । ଗାନ୍ଧୀଙ୍କ ବେଶଭୂଷାରେ ଥିବାବେଳେ ସେ ତାଙ୍କର ମଥା ଓ ପାଦରେ କୁଙ୍କୁମ ଲଗାନ୍ତି ଏବଂ ସମୟ ସମୟରେ ନିଜର ହାତ ଉଠାଇ ଲୋକଙ୍କୁ  ‘ପୁରୋହିତ’ଙ୍କ ଭଳି ଆଶୀର୍ବାଦ ଦିଅନ୍ତି ।

ତାଙ୍କର ଗ୍ରହଣୀୟ ଜାତି ପରିଚୟ ତାଙ୍କ ପାଇଁ ଏକ ସ୍ଥାନୀୟ ମନ୍ଦିରର ଦ୍ୱାର ଖୋଲି ଦେଇଛି । ଦିନବେଳା ମନ୍ଦିର ପରିସରରେ ଥିବା ପଥର ବେଞ୍ଚରେ ଆରାମ କରିବାକୁ ତାଙ୍କୁ ଅନୁମତି ମିଳିଛି । ମନ୍ଦିରର ଟ୍ୟାପରେ ସେ ଗାଧୋଇବା ସହିତ ତାଙ୍କର ମେକଅପ୍‌କୁ ଧୋଇଥାନ୍ତି ।

PHOTO • Rahul M.

ଗଙ୍ଗାପ୍ପାଙ୍କ ବେଶଭୂଷାରେ ପରିବର୍ତ୍ତନ ତାଙ୍କ ପାଇଁ ଦ୍ୱାର ଖୋଲି ଦେଇଛି

ଗତ ପ୍ରାୟ ଏକ ଦଶନ୍ଧି ହେଲା ପତ୍ନୀ ମିଧି ଅଞ୍ଜନାମ୍ମା ଓ ତାଙ୍କର ପରିବାର ସହିତ ଗଙ୍ଗାପ୍ପାଙ୍କର ସଂପର୍କ ତିକ୍ତ ରହିଆସିଛି । ଯେତେବେଳେ ସେମାନଙ୍କର ବଡ଼ ଝିଅ ଆତ୍ମହତ୍ୟା କଲା ସେତେବେଳଠାରୁ ଏହି ସମସ୍ୟା ହେଲା । ନିଜ ଝିଅକୁ ମନେ ପକାଇ ଆଖିରୁ ଲୁହ ଝରାଇ ସେ କହିଲେ, “ମୁଁ ଏକ ଜଙ୍ଗଲରେ ଗାତ ଖୋଳିବା ପାଇଁ କୋଲ୍ଲାପାଲ୍ଲି ଯାଇଥିଲି । ଯେତେବେଳେ ମୁଁ ଘରକୁ ଫେରିଲି ମୋ ଝିଅ ମରିସାରିଥିଲା ।’’ “ମୁଁ ଏବେ ମଧ୍ୟ ଜାଣିନାହିଁ କାହିଁକି ମୋ’ ଝିଅ ମରିଗଲା ଏବଂ ମୋତେ କେହି ସେ କାହିଁକି ମଲା ତାହା କହୁନାହାନ୍ତି । ମୁଁ କିପରି ସେହି ପରିବାର ପାଖକୁ ଫେରିପାରିବି?’’

ଯଦିଓ ଅଞ୍ଜନାମ୍ମା ଦୁଇ ବର୍ଷ ହେଲା ଗଙ୍ଗାପ୍ପାଙ୍କ ସହିତ କଥା ହୋଇନାହାନ୍ତି ଏବଂ ତାଙ୍କର ଅପ୍ରତ୍ୟାଶିତ ରାସ୍ତାକୁ ଘୃଣା କରନ୍ତି, ତଥାପି ସେ ତାଙ୍କୁ ମନେ ପକାନ୍ତି ଏବଂ ସେ ଫେରିଆସନ୍ତୁ ବୋଲି ଏବେ ଚାହାନ୍ତି । ଅନନ୍ତପୁରଠାରୁ ପ୍ରାୟ ୧୦୦ କିମି ଦୂରରେ ଥିବା ଏକ ଗାଁ ଗୋରନ୍ତଲାରେ ଅଞ୍ଜନାମ୍ମା ତାଙ୍କର ସାନ ଝିଅଙ୍କ ସହ ରହୁଛନ୍ତି ଯେଉଁଠାରେ ମୁଁ ତାଙ୍କୁ ଭେଟିଲି । “ଦୟାକରି ତାଙ୍କୁ ଫେରି ଆସିବାକୁ କୁହ। ମୋ ପାଖରେ ଏକ ମୋବାଇଲ ଫୋନ୍ ନାହିଁ କିମ୍ବା ମାସକ ଯାଏ ଚଳିବା ଲାଗି କଫି ପାଉଡ଼ର କିଣିବାକୁ ଟଙ୍କା ନାହିଁ । ପିଲାମାନେ (ସେମାନଙ୍କ ସାନ ଝିଅର ଦୁଇ ପୁଅ)ମୋତେ ମାଗିଲେ ସେମାନଙ୍କ ପାଇଁ ମୋ ପାଖରେ ଖୁଚୁରା ନାହିଁ ।’’

PHOTO • Rahul M.

ଗଙ୍ଗାପ୍ପାଙ୍କ ପରିତ୍ୟକ୍ତା ପତ୍ନୀ ମିଧି ଅଞ୍ଜନାମ୍ମା, ବାମରୁ ତୃତୀୟ, ତାଙ୍କ ପରିବାର ସହ

ଗଙ୍ଗାପ୍ପା ଘର ଛାଡ଼ିବା ପରେ ଚାଷ ଜମିରେ କାମ କରିବା ଜାରି ରଖିଲେ । ସେ ଅଧିକ ମଦ ପିଇବା ଆରମ୍ଭ କଲେ । ୨୦୧୬ରେ କୃଷି କ୍ଷେତରେ କାମ କରିବା ସମୟରେ ସେ ବେହୋସ ହୋଇଗଲେ । ଗଙ୍ଗାପ୍ପା ମନେ ପକାଇଲେ , “ମାଲା ପୂନ୍ନମୀ (ଏକ ବାର୍ଷିକ ଉତ୍ସବ) ପରେ ମୁଁ କୃଷି ଶ୍ରମିକ ଭାବେ କାମ କରିବା ବନ୍ଦ କଲି ।’’ “କିଛି ଦିନ ପାଇଁ ମୁଁ ଦଉଡ଼ି ଲଟକାଇଲି, କିନ୍ତୁ ସେଥିରୁ ବେଶୀ ଟଙ୍କା ମିଳୁନଥିଲା ।’’

ସେତେବେଳେ ଗାନ୍ଧୀଙ୍କ ସ୍ମୃତି ସଂପର୍କରେ ତାଙ୍କର ମନେ ପଡ଼ିଲା ଏବଂ ସେ ନିଜକୁ ସେହିଭଳି ବେଶଭୂଷା କରିବାକୁ ମନସ୍ଥ କଲେ ।

ସବୁଦିନିଆ କାମ ପାଇଁ ଗଙ୍ଗାପ୍ପା ତାଙ୍କର ଗାନ୍ଧୀ ବେଶଭୂଷାକୁ ଟିକେ ଅଲଗା ଭାବେ ବଦଳାଇ ଦେଇଛନ୍ତି । ଗାନ୍ଧୀଙ୍କ ଭଳି “ଚିକଚିକ୍” ଦେଖାଯିବା ପାଇଁ ଏକ ପ୍ଲାଷ୍ଟିକ୍ ଡବାରେ ଥିବା ୧୦ ଟଙ୍କିଆ ପଣ୍ଡସ ପାଉଡର ସେ ବ୍ୟବହାର କରନ୍ତି । ଏକ ରାସ୍ତାକଡ଼ ଦୋକାନରୁ କିଣିଥିବା ଶସ୍ତା ସନଗ୍ଲାସ୍ ହେଉଛି ତାଙ୍କର ଗାନ୍ଧୀଙ୍କ ଚଷମା । ସ୍ଥାନୀୟ ବଜାରରୁ କିଣିଥିବା ଏକ ୧୦ ଟଙ୍କିଆ ବେତବାଡ଼ି ହେଲା ତାଙ୍କର ଆଶାବାଡ଼ି। ନିଜର ମେକଅପ୍ ଏବଂ କଷ୍ଟ୍ୟୁମକୁ ଚେକ୍ କରିବା ଲାଗି ସେ କେଉଁ ଏକ ସ୍ଥାନରୁ ପାଇଥିବା ମୋଟରବାଇକରେ ପଛର ଦୃଶ୍ୟ ଦେଖିବା ପାଇଁ ଯେଉଁ ମିରର୍ ଥାଏ ତାକୁ ବ୍ୟବହାର କରୁଛନ୍ତି ।

PHOTO • Rahul M.

ବାମ: ଟଙ୍କା ରୋଜଗାର କରିବା ଲାଗି ଗଙ୍ଗାପ୍ପା ବିଭିନ୍ନ ଗାଁ ଓ ସହରର ମେଳା ଏବଂ ବଜାରକୁ ଯାଇଥାନ୍ତି । ଡାହାଣ: ନିଜର ମେକଅପ୍ ଏବଂ କଷ୍ଟ୍ୟୁମକୁ ଚେକ୍ କରିବା ଲାଗି ସେ କେଉଁ ଏକ ସ୍ଥାନରୁ ପାଇଥିବା ବାଇକ୍‌ର ପଛର ଦୃଶ୍ୟ ଦେଖିବା ପାଇଁ ଯେଉଁ ମିରର୍ ଥାଏ ତାକୁ ବ୍ୟବହାର କରୁଛନ୍ତି ।

କୃଷି କ୍ଷେତରେ କାମ କରିବା ସମୟରେ ଗଙ୍ଗାପ୍ପା ପ୍ରାୟତଃ ସର୍ଟସ ପିନ୍ଧୁଥିଲେ । ସେ କହିଲେ, “ବର୍ତ୍ତମାନ ମୁଁ ଏକ ଧୋତି ପିନ୍ଧୁଛି ଏବଂ ୩-୪ ଦିନରେ ଥରେ ଲଣ୍ଡା ହେଉଛି ।’’ ଯଦିଓ ସେ ଧୂମପାନ ଓ ମଦ୍ୟପାନ କରୁଛନ୍ତି, ତେବେ ଗାନ୍ଧୀଙ୍କ ଭଳି ବେଶଭୂଷା ହେବା ସମୟରେ ସେ ସଫାସୁତୁରା ରହିବା ପ୍ରତି ଧ୍ୟାନ ଦିଅନ୍ତି । ନିକଟବର୍ତ୍ତୀ ଗାଁ ଓ ସହରରେ ପଡ଼ିଥିବା ମେଳା ଏବଂ ମାସିକିଆ ବଜାରକୁ ସେ ଯାଇଥାନ୍ତି, ସେଠାରେ ଦିନକୁ ସେ ୧୫୦-୬୦୦ ଟଙ୍କା ରୋଜଗାର କରନ୍ତି । ସେ ଗର୍ବର ସହିତ କହିଲେ, “ନିକଟରେ ଗୋଟିଏ ପର୍ସା (ଗ୍ରାମୀଣ ମେଳା)ରେ ମୁଁ ଦିନକୁ ପ୍ରାୟ ୧୦୦୦ ଟଙ୍କା ରୋଜଗାର କରିଛି ।’’

ସେ ଆହୁରି କହିଲେ “କଦିରି ପୁନ୍ନମୀ ହୋଇଥିବାରୁ ଆଜି ମୁଁ ପ୍ରାୟ ୬ ଘଣ୍ଟା ଧରି ଛିଡ଼ା ହୋଇରହିଥିଲି ।’’ ଅନନ୍ତପୁର ଜିଲ୍ଲାର କଦିରି ଅଞ୍ଚଳରେ ଯେତେବେଳେ ପୂର୍ଣ୍ଣମୀର ଜହ୍ନ ସବୁଠୁ ଉଜ୍ଜ୍ୱଳ ହୋଇଥାଏ ସେତେବେଳେ ବର୍ଷକୁ ଥରେ ଏହି ପର୍ବ ପାଳନ କରାଯାଏ ।

PHOTO • Rahul M.

କୁରୁବା ପୁଜାମ୍ମା, ତାଙ୍କର କିଛି ଦିନର ଭ୍ରମଣ ସାଥୀ ଯିଏକି ଏବେ ନିଜେ ଅଲଗା ହୋଇଯାଇଛନ୍ତି

କିଛି ମାସ ପୂର୍ବରୁ ନିକଟବର୍ତ୍ତୀ ସହର ପୁଟ୍ଟପର୍ତ୍ତିକୁ ଯିବା ସମୟରେ ଗଙ୍ଗାପ୍ପା କୁରୁବା ପୂଜାମ୍ମାଙ୍କୁ ଭେଟିଥିଲେ । ବିଧବା ପୂଜାମ୍ମାଙ୍କୁ ପ୍ରାୟ ୭୦ ବର୍ଷ ହୋଇଥିବା ବେଳେ ସେ ପୁଟ୍ଟପର୍ତ୍ତି ଏବଂ ପେନୁକୋଣ୍ଡା ମଧ୍ୟରେ ଥିବା ୩୫ କିମି ରାସ୍ତାରେ ଭିକ୍ଷା କରିଥାନ୍ତି । ପୂଜାମ୍ମା କହିଲେ, “ଦିନେ ସନ୍ଧ୍ୟାରେ ମୁଁ ଘରକୁ ଯିବା ସମୟରେ ତାଙ୍କୁ ଏକୁଟିଆ ବସିଥିବାର ଦେଖିଲି ।’’ “ମୁଁ ତାଙ୍କୁ ପଚାରିଲି ଯେ ସେ କ’ଣ କରନ୍ତି । ସେ ମୋତେ ତାଙ୍କ ବିଷୟରେ କହିଲେ ଏବଂ ମୁଁ ତାଙ୍କ ସାଙ୍ଗରେ ଯିବାକୁ ଚାହିଁବି କି ବୋଲି ପଚାରିଲେ । ମୁଁ ରାଜିହେଲି । ସେ କହିଲେ ‘ଦୟାକରି ଆସ । ଯେଉଁଠାକୁ ଆମେ ଯିବା, ମୁଁ ତୁମକୁ ସବୁଆଡ଼ ଦେଖାଇବି ।’’ ତେଣୁ ପୂଜାମ୍ମା ଗଙ୍ଗାପ୍ପାଙ୍କ ସହିତ ଯିବା ଆରମ୍ଭ କରିଦେଲେ, ତାଙ୍କୁ ତାଙ୍କର ଗାନ୍ଧୀ କଷ୍ଟ୍ୟୁମ୍ ପାଇଁ ସହାୟତା କଲେ, ତାଙ୍କ ପଛରେ ପାଉଡର ପକାଇଦେଲେ ଏବଂ ତାଙ୍କର ଲୁଗାପଟା ସଫା କଲେ ।

ପୂଜାମ୍ମାଙ୍କ ସହିତ ଗଙ୍ଗାପ୍ପାଙ୍କର ସହଭାଗିତା ସେତେ ସହଜ ହୋଇନାହିଁ । ପୂଜାମ୍ମା କହିଲେ, “ଦିନେ ରାତିରେ’’, “ସେ  କେଉଁଠାକୁ ଗଲେ ଏବଂ ଦୀର୍ଘ ସମୟ ଧରି ଫେରିଲେ ନାହିଁ । ମୁଁ ଏକୁଟିଆ ଥିଲି । ମୋତେ ପ୍ରକୃତରେ ଭୟ ଲାଗିଲା । ପାଖରେ ଲୋକମାନେ ଥିଲେ ଏବଂ ମୁଁ ଏକ ଧାତବ ସେଡ୍ ତଳେ ବସିଥିଲି । ମୁଁ କ’ଣ କରିବି ବୋଲି ଆଶ୍ଚର୍ଯ୍ୟ ହେଉଥିଲି । ମୋତେ କାନ୍ଦିବା ଭଳି ଲାଗୁଥିଲା କାରଣ ଏବେ ମୋର କେହି ନାହାନ୍ତି । ସେ ପରେ ରାତ୍ରିଭୋଜନ ଆଣି ଫେରିଲେ!’’

PHOTO • Rahul M.

ଗାଁର ଏକ ମେଳା ପାଇଁ ପ୍ରସ୍ତୁତି: ପୂଜାମ୍ମା ଗଙ୍ଗାପ୍ପାଙ୍କୁ ତାଙ୍କର ଗାନ୍ଧୀ ‘କଷ୍ଟ୍ୟୁମ’ ପାଇଁ ସହାୟତା କରୁଛନ୍ତି, ତାଙ୍କ ପଛରେ ପାଉଡର ପକାଇ ଦେଉଛନ୍ତି-ଏବଂ ସେ ନିଜେ ନିଜର କିଛି ମେକଅପ୍ କରୁଛନ୍ତି

ଗଙ୍ଗାପ୍ପା ଏବଂ ପୂଜାମ୍ମା ରାଜପଥ ନିକଟରେ ଥିବା ଅନନ୍ତପୁର ସହରର ଉପକଣ୍ଠରେ ରହନ୍ତି । ସେମାନେ ଏକ ରେସ୍ତୋରାଁ ବାହାରେ ଶୁଅନ୍ତି ଯାହାର ମାଲିକ ଗାନ୍ଧୀଙ୍କର ପ୍ରଶଂସକ । ଗଙ୍ଗାପ୍ପା ସାଧାରଣତଃ ସକାଳ ୫ଟାରୁ ଉଠିଯାଆନ୍ତି ଏବଂ ରାତି ୯ଟାରେ ବିଛଣାକୁ ଯାଇଥାନ୍ତି ଯେପରି ସେ କୃଷି କ୍ଷେତ୍ରରେ କାମ କରିବା ସମୟରେ କରୁଥିଲେ ।

ସମୟ ସମୟରେ ଗଙ୍ଗାପ୍ପାଙ୍କୁ ସେ ଯେଉଁ ଖାଇବା ଦୋକାନ ବାହାରେ ଶୋଇଥାନ୍ତି ତା’ ତରଫରୁ ରାତ୍ରୀଭୋଜନ ମିଳେ । ସେ ରାସ୍ତାକଡ଼ ଦୋକାନରୁ ଜଳଖିଆ ପାଇଁ କିଛି କିଣିଥାନ୍ତି ଏବଂ ମଧ୍ୟାହ୍ନଭୋଜନ କରନ୍ତି ନାହିଁ । ପୂଜାମ୍ମା ଯେପରି ଖାଇବେ ତାହା ମଧ୍ୟ ଗଙ୍ଗାପ୍ପା ସୁନିଶ୍ଚିତ କରନ୍ତି । ଯେତେବେଳେ ସେ ହୃଦୟର ସହ କିଛି ଖାଇବାକୁ ଚାହାନ୍ତି ସେ ମକା, ଚାଉଳ ଏବଂ ଚିକେନ୍ କିଣି ଆଣନ୍ତି ଏବଂ ରାସ୍ତା ଉପରେ ଏକ ଷ୍ଟୋଭରେ ପୂଜାମ୍ମା ମୁଧା (ମାଣ୍ଡିଆ ଓ ଚାଉଳରୁ ପ୍ରସ୍ତୁତ ଗୋଲାକାର ପିଠା ଭଳି ଖାଦ୍ୟ, ରୟାଲସୀମା ଅଞ୍ଚଳରେ ପ୍ରସିଦ୍ଧ) ଏବଂ ଚିକେନ୍ ତରକାରୀ ପ୍ରସ୍ତୁତ କରିଥାନ୍ତି ।

ଏହା ଏକ ସରଳ ଜୀବନ । ପୂର୍ବାପେକ୍ଷା ଏହା ଅଧିକ ଭଲ । ଗାନ୍ଧୀ ହେବାର ଅର୍ଥ ହେଲା ତାଙ୍କୁ ତାଙ୍କର ଖାଇବା ଓ ବାସସ୍ଥାନର ଚିନ୍ତା କରିବାକୁ ପଡ଼ୁନାହିଁ । ଅବଶ୍ୟ ଗଙ୍ଗାପ୍ପା ଦୁଃଖିତ ଯେ ଆଜିକାଲି କେହି ଗାନ୍ଧୀଙ୍କୁ ଶ୍ରଦ୍ଧା କରୁନାହାନ୍ତି । ସେମାନେ କିପରି ଶ୍ରଦ୍ଧା କରିବେ ନାହିଁ? ସେ ମନେ ପକାଇଲେ, “କିଛି ଯୁବକ ମୋ ପାଖକୁ ଆସିଲେ  ଏବଂ ମୋତେ ଗାନ୍ଧୀଙ୍କ ଭଳି ବେଶଭୂଷା ହେବାକୁ ମନା କଲେ।’’ “ସେମାନେ ମୋତେ କହିଲେ ଯେ ସରକାର ଏବେ ମୁଦ୍ରା ନୋଟ୍‌ରୁ ଗାନ୍ଧୀଙ୍କୁ ବାହାର କରିଦେବାକୁ ଉଦ୍ୟମ କରୁଛନ୍ତି, ତେଣୁ ତୁମେ କ’ଣ ପାଇଁ ତାଙ୍କ ଭଳି ବେଶଭୂଷା ହେବାକୁ ଚାହୁଁଛ?’’

ପୋଷ୍ଟସ୍କ୍ରିପ୍ଟ: ପୂଜାମ୍ମା ଗଙ୍ଗାପ୍ପାଙ୍କୁ ଛାଡ଼ି କିଛି ଦିନ ତଳେ ଘରକୁ ଯାଇଥିଲେ । ସେ କହିଲେ, “ସେ ପ୍ରାୟ ଉଗଡ଼ି ଉତ୍ସବ ସମୟରେ ଯାଇଥିଲା ।’’ “ସେ ଫେରୁନାହିଁ, ସେଠାରେ ସେ ଭିକ୍ଷା ମାଗିବାକୁ ଯାଉଛି । ମୁଁ ତାକୁ ୪୦୦ ଟଙ୍କା ଦେଇଥିଲି । ଏବେ ମୋତେ ଏକୁଟିଆ ରହିବାକୁ ହେବ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Rahul M.

Rahul M. is an independent journalist based in Anantapur, Andhra Pradesh, and a 2017 PARI Fellow.

Other stories by Rahul M.