ଏଠାରେ, ଅନନ୍ତପୁର ରବିବାର ଏପ୍ରିଲ ୫ ତାରିଖ ପାଇଁ ନିଜକୁ ପ୍ରସ୍ତୁତ କରୁଛି। “ଆମମାନଙ୍କୁ ଘେରି ରହିଥିବା ଅନ୍ଧକାର ଦୂର କରିବା’’ ଲାଗି ମହମବତି, ଲ୍ୟାମ୍ପ, ମୋବାଇଲ ଟର୍ଚ୍ଚ ରାତି ୯ଟାରେ ୯ ମିନିଟ ପାଇଁ ଜଳାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ଡାକରାକୁ ଏହା କିଭଳି ଭାବେ ଗ୍ରହଣ କରିବ? ଏହା ସାମାନ୍ୟ ବିପଜ୍ଜନକ ହୋଇପାରେ, କାରଣ ଏଠାରେ ମୋର ପଡ଼ୋଶୀ ଅଞ୍ଚଳ ସଙ୍ଗମେଶ ନଗରରେ ଚାରିଆଡ଼େ ବାଉଁଶ ଗଦା ହୋଇପଡ଼ିଛି, ଯାହାକି ଖୁବ ସହଜରେ ଜଳିଯାଇପାରେ, ଏବଂ ଏଠି ୫ରୁ ୬ଟି ପରିବାର ପାଇଁ ଗୋଟିଏ ବାଲକୋନି ରହିଛି ଯେଉଁଠି ସେମାନଙ୍କୁ ଏକ ସମୟରେ ଛିଡ଼ା ହେବାକୁ ପଡ଼ିବ ।

ମାର୍ଚ୍ଚ ୧୯ ପରଠାରୁ ମୋ ପରିବାର ଆତ୍ମଘୋଷିତ ଲକଡାଉନକୁ ଚାଲିଯାଇଥିଲା। କମ୍ ଆୟକାରୀ, ଅଧିକାଂଶ ଶ୍ରମିକ ଶ୍ରେଣୀର ଲୋକଙ୍କୁ ନେଇ ଏ ସହର କିଭଳି ଭାବେ ଏଥିପାଇଁ ସହଯୋଗ କରିବ ତାହା ଦେଖିବା ଓ ହୃଦବୋଧ କରିବା ଲାଗି ଏହା ମୋତେ ଯଥେଷ୍ଟ ସମୟ ଦେଇଥିଲା।

“କରୋନା ଭୂତାଣୁ ଚିତ୍ତୁରରେ ପହଞ୍ଚିସାରିଛି, କିନ୍ତୁ ଏହା ଅନନ୍ତପୁରକୁ ଆସିବ ନାହିଁ। ଏଠାରେ ଅତି ଗରମ ପରିବେଶ, ତେଣୁ ଭୂତାଣୁ ତିଷ୍ଠି ପାରିବ ନାହିଁ,” ବୋଲି ମୋ ପୁରୁଣା ସ୍କୁଲର ବସ ଡ୍ରାଇଭର ମୋତେ ମାର୍ଚ୍ଚ ୧୭ ତାରିଖରେ କହିଥିଲେ । ଏହା ଅତ୍ୟନ୍ତ ସରଳ ପ୍ରତିକ୍ରିୟା ଥିଲା କିନ୍ତୁ ଅଧିକାଂଶ ଲୋକଙ୍କ ଚିନ୍ତାଧାରାକୁ ପ୍ରତିଫଳିତ କରୁଥିଲା। ମହାମାରୀର ଜରୁରି ସ୍ଥିତି ଅନନ୍ତପୁରରେ ଅଧିକାଂଶ ଲୋକଙ୍କୁ ପ୍ରଭାବିତ କରିନଥିଲା। ସେତେବେଳେ, ଆଦୌ ନୁହେଁ ।

ଆନ୍ଧ୍ର ପ୍ରଦେଶର ରାୟଲସୀମା ଅଞ୍ଚଳରେ ଥିବା ଅନନ୍ତପୁର ଜିଲ୍ଲାର ମୁଖ୍ୟାଳୟ ଅନନ୍ତପୁର ସହରସ୍ଥିତ ସଙ୍ଗମେଶ ନଗରର ସଙ୍କୀର୍ଣ୍ଣ ଗଳିରେ କିଛି ପିଲା ଏଣେତେଣେ ଦୌଡ଼ାଦୌଡ଼ି କରୁଛନ୍ତି । ସ୍କୁଲ ଛୁଟି ଓ ପରୀକ୍ଷା ବାତିଲ ହୋଇଯାଇଥିବା କାରଣରୁ ସେମାନଙ୍କ ଭିତରେ ଏକ ନୂତନ ଉତ୍ସାହ ଦେଖିବାକୁ ମିଳିଛି । ମାର୍ଚ୍ଚ ୨୯ ରବିବାର ବିଳମ୍ବିତ ପ୍ରହରରେ ପରିବା ବଜାରରେ ଲୋକମାନେ ଭିଡ଼ ଜମାଇଥିଲେ । ଚିକେନ ଦର ବୃଦ୍ଧି ପାଇଛି ।

PHOTO • Rahul M.

ମୋ ଘର ବାଲକୋନିରୁ ମୁଁ ସଙ୍ଗମେଶ ନଗରର ସମ୍ପୂର୍ଣ୍ଣ ଚିତ୍ର ଦେଖିପାରୁଥିଲି, ଏହା ସହରର କମ୍ ଆୟବର୍ଗର ଶ୍ରମଜୀବୀମାନେ ରହୁଥିବା ଅଞ୍ଚଳ ଥିଲା। ମୋ ପଡ଼ୋଶୀ ପରିବାର ଭଙ୍ଗା ଘରେ ରହୁଥିଲେ, ଅନନ୍ତପୁରର ଗରମ ଜଳବାୟୁରେ ଗୋଟିଏ ଛୋଟ ଘର ଭିତରେ ଗୋଟିଏ ପଙ୍ଖା ତଳେ ରହିବା ସେମାନଙ୍କ ପାଇଁ ସହଜ ନଥିଲା।

“ସକାଳେ ପୋଲିସ ପାଟ୍ରୋଲିଂ ଆରମ୍ଭ କରିବା ପୂବର୍ରୁ ମୋ ବଡ଼ ପୁଅ (ଜଣେ ଅଟୋ ରିକ୍ସା ଡ୍ରାଇଭର), ଓ ମୋର ବୋହୂ କାମ କରିବାକୁ ଯାଇଥିଲେ । ମୋ ପୁଅ ଅଟୋରେ ବୋହୂକୁ ନେଇ ଛାଡ଼ି ଦେଇଥାଏ, ସେ ଏକ ପରିବାରରେ ରୋଷେଇ କରିଥାଏ ଓ ସନ୍ଧ୍ୟା ହେଲେ ଉଭୟ ଘରକୁ ଫେରନ୍ତି,” ଜଣେ ବୃଦ୍ଧା କୁହନ୍ତି । କିଛି ଶ୍ରମଜୀବୀ ଶ୍ରେଣୀର ଲୋକ ଗୋପନୀୟ ଭାବେ କୁହାକୁହି ହେଉଥିଲେ, ଏହି ମହାମାରୀ ସେମାନଙ୍କ ଜୀବନରେ ଅତିଆବଶ୍ୟକ ବିରତି ଆଣିଛି। “କରୋନା ଭୂତାଣୁ ଛୁଟି ଆସିଯାଇଛି”, ଜଣେ ବ୍ୟକ୍ତି ମାର୍ଚ୍ଚ ୧୯ ତାରିଖରେ ସୁପରମାର୍କେଟ ଅଞ୍ଚଳରେ କହୁଥିବା ମୁଁ ଶୁଣିପାରିଲି ।

ଆମ ଘର ବାଲକୋନିରୁ ସଙ୍ଗମେଶ ନଗରର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖି ହେଉଥିଲା। ଆମ ପଡ଼ୋଶୀ ପରିବାରଗୁଡ଼ିକ ଗୋଟିଏ କିମ୍ବା ଦୁଇ ବଖରା ଥିବା ଛୋଟିଆ ଘରେ ରହୁଥିଲେ। ସେମାନଙ୍କ ଜୀବନର ଅଧିକାଂଶ ସମୟ ଘର ବାହାରେ ହିଁ କଟୁଥିଲା। ଯଦିଓ ଆମେ ଶାରୀରିକ ଦୂରତାର ଗୁରୁତ୍ୱ ବିଷୟରେ ଆମର କେତେକ ପଡ଼ୋଶୀମାନଙ୍କୁ ବୁଝାଉଥିଲୁ, ଅନନ୍ତପୁରର ଗରମ ଜଳବାୟୁରେ ଛୋଟିଆ ଘର ଭିତରେ ଗୋଟିଏ ପଙ୍ଖା ତଳେ ରହିବା ସହଜ ନଥିଲା। ଆମ ପଡ଼ୋଶୀମାନଙ୍କ ମଧ୍ୟରେ ଥିଲେ ଅଟୋ ଚାଳକ, ପରିବା ବିକାଳି, ଘୁଷୁରି ପାଳକ, ଶିକ୍ଷକ ଓ ଘରୋଇ ସହାୟକ। ଆହୁରି କିଛି ଲୋକ ଝୁଡ଼ି ବୁଣୁଥିଲେ କିମ୍ବା କୁଲା ତିଆରି କରୁଥିଲେ। ଏହି ଶେଷ ଦୁଇ ଗୋଷ୍ଠୀଙ୍କ ପାଇଁ ଘରୁ ଥାଇ କାମ କରିବା ନିତିଦିନିଆ ଘଟଣା ଥିଲା। ଲକଡାଉନ ସତ୍ତ୍ୱେ ସେମାନଙ୍କର କାମ ଜାରି ରହିଥିଲା।

ଅଧିକାଂଶ ଦିନ, ପିଲାମାନେ ସକାଳୁ ଉଠିପଡ଼ୁଥିଲେ ଏବଂ ପାଣି ସଂଗ୍ରହ ପାଇଁ ସେମାନଙ୍କର ଅଭିଭାବକମାନଙ୍କୁ ସହାୟତା କରୁଥିଲେ। ଜଳ ସଙ୍କଟଗ୍ରସ୍ତ ଅନନ୍ତପୁର ଜିଲ୍ଲା ପାଇଁ ପାଣି ଅତି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ। କିଛି ସ୍ଥାନୀୟ କମ୍ପାନୀ ଅଟୋ ଡାଲାରେ ‘ବିଶୋଧିତ ପାନୀୟ ଜଳ’ ବିକ୍ରି କରିଥାନ୍ତି । ଏଥିମଧ୍ୟରୁ ଗୋଟିଏ କମ୍ପାନୀ ମାଇକରେ ୨୦୧୪ର ଏକ ତେଲୁଗୁ ଚଳଚ୍ଚିତ୍ର ଗୀତ ବଜାଇ ପ୍ରତିଦିନ ପାଣି ବିକ୍ରି କରିବାକୁ ଆସିଥାଏ। ମାର୍ଚ୍ଚ ୩୦ ତାରିଖରେ ମଧ୍ୟ କମ୍ପାନୀର ଗାଡ଼ି ଆସି ପାରି ବିକ୍ରି କରିଥିଲା ଓ କିଛି ମହିଳା ପ୍ଲାଷ୍ଟିକ ପାତ୍ରରେ ପାଣି ଭର୍ତ୍ତି କରି ନେଇଥିଲେ । ଅନ୍ୟ ଉତ୍ସରୁ ମିଳୁଥିବା ପାଣି “ଜୀବାଣୁ, ଭୂତାଣୁ ସଂକ୍ରମିତ” ହୋଇଥିବା ସମୟରେ କମ୍ପାନୀ ମାଇକ ଜରିଆରେ ପ୍ରଚାର କରି ‘ବିଶୁଦ୍ଧ’ ଜଳ ବିକ୍ରି କରୁଥିଲେ।

ଯଦିଓ ଲକଡାଉନ ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ଅତି ମନ୍ଥର ପରିବର୍ତ୍ତନ ଆଣିଥିଲା, ଲୋକମାନେ ସରକାରଙ୍କ ଆଦେଶ ମାନିବାକୁ ପ୍ରସ୍ତୁତ ନଥିଲେ, ଯାହାକି ବ୍ୟକ୍ତିବାଦର ସହରୀ ଧାରଣା ଉପରେ କେନ୍ଦ୍ରିତ ଥିଲା। ପିଲାମାନେ ଗଳିକନ୍ଦିରେ ସେମାନଙ୍କର ଖେଳ (ଲୁଚକାଳି, ଚୋର ଓ ପୁଲିସ, ଯେଉଁଥିରେ କୌଣସି ସରଞ୍ଜାମ ଅନାବଶ୍ୟକ) ଜାରି ରଖିଥିଲେ। ଏ ପିଲାମାନଙ୍କ ପାଇଁ ଲକଡାଉନ ଏକ ପରିବର୍ଦ୍ଧିତ ଛୁଟିଦିନ ଭଳି ଥିଲା । ଏଇ ନିକଟରେ ମିଠେଇ ବିକାଳିମାନେ ଆସିବା ବନ୍ଦ କରି ଦେଇଥିଲେ । ଭଜା ଚିନାବାଦାମ ବିକ୍ରି କରିବା ଲାଗି ଆମ ଗଳିକୁ ଆସି ଡାକୁଥିବା ବୁଲାବିକାଳିମାନେ ମାର୍ଚ୍ଚ ୨୧ ବେଳକୁ ଆସିବା ବନ୍ଦ କରି ଦେଇଥିଲେ। ମାର୍ଚ୍ଚ ୨୮ବେଳକୁ ଆଇସକ୍ରିମ ବିକାଳିକୁ ଦେଖିବାକୁ ମିଳିଲା ନାହିଁ । ପରିବା ବିକାଳି କିନ୍ତୁ ଆସିବା ଜାରି ରଖିଥିଲା।

ଆମର ଚାରି ଜଣ ପଡ଼ୋଶୀ, ଯେଉଁମାନଙ୍କ ପାଇଁ ସାରା ଦିନ ପରିବାର ସବୁ ସଦସ୍ୟ ଏକତ୍ର ଘର ଭିତରେ ରହିବା ସମ୍ଭବପର ନୁହେଁ, ସେମାନଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ କରି ରଖିବା କିମ୍ବା ‘ସାମାଜିକ ଦୂରତା’ ପାଖାପାଖି ଅସମ୍ଭବ। ବୟସ୍କ ଲୋକମାନେ ଚଟାଣରେ ଅଙ୍କା ହୋଇଥିବା ବାକ୍ସ ଚାରି ପାଖରେ ବସି ରହୁଥିଲେ ଏବଂ ସେମାନଙ୍କର ପ୍ରିୟ ଖେଳ, ମେକା-ପୁଲି (ବାଘ ଓ ଛେଳି) ଖେଳୁଥିଲେ ।

PHOTO • Rahul M.

ମାର୍ଚ୍ଚ ୧୮-୧୯ରେ ଅନନ୍ତପୁରର ବିଭିନ୍ନ ସ୍ଥାନରୁ ନିଆଯାଇଥିବା ଫଟୋ। ଏଠାକାର ଲୋକମାନେ ଭାବୁଥିଲେ ଯେ ଅନନ୍ତପୁରକୁ କୋଭିଡ-୧୯ ଆସିବ ନାହିଁ, କିନ୍ତୁ ମହାମାରୀର ପ୍ରଭାବ ଯଥେଷ୍ଟ ଆଗୁଆ ଅନୁଭୂତ ହେଲା।

ଅଧିକନ୍ତୁ, ମହାମାରୀର ଜରୁରୀ ପରିସ୍ଥିତି ସମ୍ପର୍କରେ ରାଜନୈତିକ ଦ୍ୱନ୍ଦ୍ୱ କାରଣରୁ ଲୋକମାନଙ୍କୁ ଆଗୁଆ ସତର୍କ କରିବା ସମ୍ଭବ ହୋଇପାରିଲା ନାହିଁ । ବୋଧହୁଏ ଏହି କାରଣରୁ ଲକଡାଉନର ପୂର୍ବ ସପ୍ତାହଗୁଡ଼ିକରେ ଲୋକମାନଙ୍କ ମଧ୍ୟରେ ଏକ ବେପରୁଆ ମନୋଭାବ ଦେଖିବାକୁ ମିଳିଲା । ସ୍ଥାନୀୟ ପ୍ରଶାସନିକ ନିର୍ବାଚନ ଘୁଞ୍ଚାଇବାକୁ ନେଇ ନିର୍ବାଚନ ଆୟୋଗଙ୍କ ସହିତ ମୁକାବିଲା କରିବାରେ ରାଜ୍ୟ ସରକାର ବ୍ୟସ୍ତ ଥିଲେ। ଏହି ନିର୍ବାଚନ ମାର୍ଚ୍ଚ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ କରୋନା ଭୂତାଣୁ କାରଣରୁ ନିର୍ବାଚନ ଆୟୋଗ ଏହାକୁ ଘୁଞ୍ଚାଇ ଦେଇଥିଲେ। ଏହି ନିର୍ବାଚନ ଡ୍ରାମାକୁ ତେଲୁଗୁ ଗଣମାଧ୍ୟମ ଟିଡିପି ଏବଂ ୱାଇଏସଆର କଂଗ୍ରେସ ପାର୍ଟି ମଧ୍ୟରେ ଲଢ଼େଇ ଭାବେ ଦର୍ଶାଇଥିଲା। ବହୁଦିନ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ଦ୍ୱାର ଦ୍ୱାର ବୁଲି ପ୍ରଚାର ଅଭିଯାନ ଜାରି ରଖିଥିଲେ। ଅଧିକାଂଶ ଲୋକ ସେମାନଙ୍କୁ ହିଁ ସେମାନଙ୍କ କଥାକୁ ବିଶ୍ୱାସକୁ ନେଇଯାଇଥିଲେ, ସେମାନଙ୍କ ପାଇଁ ବିଶେଷଜ୍ଞଙ୍କ ମତ ସେତେଟା ଗୁରୁତ୍ୱ ବହନ କରୁନଥିଲା। ଗଣମାଧ୍ୟମ ମଧ୍ୟ ଲୋକମାନଙ୍କୁ ଏହି ବିଷୟରେ ଅବଗତ କରାଇବାରେ ବିଫଳ ହୋଇଥିଲା।

ଏଠାକାର ଲୋକମାନେ ଭାବୁଥିଲେ ଯେ ଅନନ୍ତପୁରକୁ କୋଭିଡ-୧୯ ଆସିବ ନାହିଁ, କିନ୍ତୁ ମହାମାରୀର ପ୍ରଭାବ ଯଥେଷ୍ଟ ଆଗୁଆ ଅନୁଭୂତ ହେଲା। ମାର୍ଚ୍ଚ ୧୩ ତାରିଖରେ ମୋ ଘରେ ଲାଗି ଥିବା ଡିଶରେ କେତେକ ଚ୍ୟାନେଲ ଆକ୍ଟିଭ କରିପାରୁନଥିଲି, କାରଣ ଆମର କେବୁଲ ଟେକ୍ନିସିଆନ ପି. ସୁବାୟା, ଯିଏକି ଜଣେ କୃଷକ, (ଅନନ୍ତପୁର ଜିଲ୍ଲାର ନାରପାଲା ମଣ୍ଡଳ)ରେ ଥିବା ବି. ପାପ୍ପୁରୁରେ ନିଜ କଦଳୀ ଚାଷ ପାଇଁ ଅଟକି ରହିଥିଲେ। କ୍ରେତାମାନେ ସାଧାରଣତଃ ବିଳମ୍ବରେ କ୍ରୟ କରିଥାନ୍ତି, କାରଣ ସେମାନେ କମ ଦରରେ କୃଷି ଉତ୍ପାଦ କିଣିବା ଲକ୍ଷ୍ୟରେ ଥାଆନ୍ତି। “ଏଥର ମଧ୍ୟ କ୍ରେତା ସଂଘ ସେପରି ଚେଷ୍ଟା କରିଥିଲେ। କିନ୍ତୁ ଏହି ବିପର୍ଯ୍ୟୟ କାରଣରୁ କେହି କିଣିବାକୁ ଆସିଲେ ନାହିଁ”, ସେ କୁହନ୍ତି । ଅନନ୍ତପୁର ଫେରିବା ପରେ ସୁବାୟା ମୋତେ କହିଲେ ଯେ : “ମୁଁ ଗାଁରେ ମୋ କଦଳିକୁ ଛାଡ଼ି ଦେଇ ଆସିଲି। ଏବେ ସେଗୁଡ଼ିକ ଖରାରେ ଜଳିଯିବ। ମୁଁ ପାଖାପାଖି ୧୫ ଲକ୍ଷ ଟଙ୍କା ହରାଇଲି।”

ଏପ୍ରିଲ ୧ ତାରିଖରେ, ମାତ୍ର ଗୋଟିଏ ଦିନରେ ଆନ୍ଧ୍ରପ୍ରଦେଶରେ ୬୭ ଜଣ ସଂକ୍ରମିତଙ୍କୁ ଠାବ କରାଯିବା ପରେ ଧାରଣା ବଦଳୁଥିଲା। କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ରାଜ୍ୟ ପ୍ରଥମେ ସବୁଠୁ ତଳେ ରହିଥିଲା। ଏବେ ୧୩୨ଟି ମାମଲା ସହିତ ପଞ୍ଚମ ସ୍ଥାନକୁ ଚାଲିଆସିଛି। ଅନନ୍ତପୁରରେ ଏବେ ୨ଜଣ ପଜିଟିଭ ଅଛନ୍ତି। ମହାମାରୀର ପ୍ରଭାବ ଏବେ ସୁଦ୍ଧା ଜିଲ୍ଲାସ୍ତରରେ ପହଞ୍ଚି ପାରିନାହିଁ । ବିଭିନ୍ନ ମଣ୍ଡଳରେ ଦାତବ୍ୟ ସଂଗଠନ ଓ ସହୃଦୟ ବ୍ୟକ୍ତିମାନେ ଖାଦ୍ୟ, ଚାଉଳ, ପନିପରିବା ଓ ମାସ୍କ ବିତରଣ କରୁଥିବାର ଖବର ସ୍ଥାନୀୟ ଅନନ୍ତ ଚ୍ୟାନେଲରେ ପ୍ରସାରିତ ହୋଇଛି। ଦୁର୍ଭାଗ୍ୟବଶତଃ ଏହି ସାମଗ୍ରୀ ବିତରଣ କରୁଥିବା ଓ ଗ୍ରହଣ କରୁଥିବା ଲୋକମାନେ ମାସ୍କ, ଗ୍ଲୋବ୍ସ ପିନ୍ଧିବା ଭଳି ସାଧାରଣ ସତର୍କତା ଅବଲମ୍ବନ କରୁନଥିବା ଦେଖାଯାଇଛି ।

ଏପ୍ରିଲ ୫, ରାତି ୯ଟା ପାଇଁ ପ୍ରସ୍ତୁତ ହୁଅନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Rahul M.

Rahul M. is an independent journalist based in Anantapur, Andhra Pradesh, and a 2017 PARI Fellow.

Other stories by Rahul M.