“ବର୍ତ୍ତମାନ ଜୋମୋ  ଆମମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଯାଇଛି,’’ ବୋଲି ପେମ୍ପା ସୁରିଙ୍ଗ୍‌ ୩୫, ପଶ୍ଚିମ କାମେଙ୍ଗ ଜିଲ୍ଲାର ଲାଗମ୍‌ ଗ୍ରାମର ଜଣେ ଯାଯାବର ପଶୁପାଳକ କୁହନ୍ତି ।

ଜୋମୋ ? ତାହା କ’ଣ? ଅରୁଣାଚଳ ପ୍ରଦେଶରେ ୯,୦୦୦ ଫୁଟ୍‌ ଓ ଏହାଠାରୁ ଅଧିକ ଉଚ୍ଚତାରେ ଥିବା ସ୍ଥାନଗୁଡିକରେ ସେମାନଙ୍କର ଲୋକପ୍ରିୟତାର କାରଣ କ’ଣ ହୋଇପାରେ ?

ଜୋମୋ ହେଉଛି ୟାକ୍‌ ଓ କଟ୍‌ର ମିଳନରୁ ସୃଷ୍ଟି ହୋଇଥିବା ଏକ ଶଙ୍କର ପ୍ରଜାତିର ପଶୁ, ଏକ ପ୍ରକାରର ଗୋରୁ ଯାହା ଉଚ୍ଚ ଭୂମିରେ ରହେ । ପୁରୁଷ ଶଙ୍କରକୁ ଜୋ କୁହାଯାଏ, ଯାହା ନପୁଂଷକ ଅଟେ । ଏହା ଏକ ନୂତନ ପ୍ରଜାତି ହୋଇନଥିଲେ ମଧ୍ୟ, ବ୍ରୋକ୍ପା, ଏକ ଅର୍ଦ୍ଧ-ଯାଯାବର ପଶୁଚାରଣକାରୀ ସମ୍ପ୍ରଦାୟ, ବର୍ତ୍ତମାନ ନିଜ ପଶୁପଲରେ ଏମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ କରୁଛନ୍ତି – ପୂର୍ବ ହିମାଳୟରେ ଜଳବାୟୁ ପରିବର୍ତ୍ତନ ସହିତ ନିଜକୁ ଖାପ ଖୁଆଇବା ପାଇଁ । 

ପେମ୍ପା, ଯାହାର ୪୫ଟି ପଶୁ ଥିବା ପଶୁପଲରେ ଉଭୟ ୟାକ୍‌ ଓ ଜୋମୋ ମଧ୍ୟ ଅଛନ୍ତି, କୁହନ୍ତି ଯେ ଏହି ୟାକ୍‌-ଗୋରୁଙ୍କ ଶଙ୍କର ପ୍ରଜାତିଗୁଡିକର ‘‘ତାତି ସହ୍ୟ କରିବା ସାମର୍ଥ୍ୟ ଅଧିକ ଓ ଏଗୁଡିକ ସମୁଦ୍ର ପତ୍ତନଠାରୁ କମ୍‌ ଉଚ୍ଚତାରେ ଓ କ୍ରମଶଃ ବୃଦ୍ଧି ପାଉଥିବା ତାପମାତ୍ରାରେ ମଧ୍ୟ ବଞ୍ଚିପାରିବେ ।’’

ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚତାରେ ରହିଥିବା ଏହି ସ୍ଥାନଗୁଡିକରେ, ଉତ୍ତାପ ବା ‘ଉଷ୍ମତା’, ଉଭୟ ବାସ୍ତବ ଓ ଆପେକ୍ଷିକ । ଏଠାରେ ତାପମାତ୍ରା ବର୍ଷରେ କେବେ ମଧ୍ୟ ୩୨ ଡିଗ୍ରୀ ହୁଏ ନାହିଁ । କିନ୍ତୁ ୟାକ୍‌, ଯାହା ମାଇନସ୍‌ ୩୫ ଡିଗ୍ରୀରେ ସହଜରେ ବଞ୍ଚିପାରେ, ଯଦି ତାପମାତ୍ରା ବୃଦ୍ଧି ପାଇ ୧୨ ବା ୧୩ ଡିଗ୍ରୀ ହୋଇଯାଏ, ତେବେ ବଞ୍ଚିବା ପାଇଁ ଏହାକୁ ସଂଘର୍ଷ କରିବାକୁ ପଡିଥାଏ । ପ୍ରକୃତରେ, ଏପରି କୌଣସି ପରିବର୍ତ୍ତନ ଦେଖାଦେଲେ, ସମ୍ପୂର୍ଣ୍ଣ ପରିସଂସ୍ଥାନକୁ ସଂଘର୍ଷ କରିବାକୁ ପଡିଥାଏ – ଯେପରି ଗତ କିଛି ବର୍ଷ ହେବ ଏହି ପର୍ବତଗୁଡିକରେ ସେମାନଙ୍କୁ କରିବାକୁ ପଡୁଛି ।

ବ୍ରୋକ୍ପା, ଯାହା ହେଉଛି ବିରାଟ ମୋମ୍ପା ଜନଜାତି (୨୦୧୧ ସେନ୍‌ସସ୍‌ ମୁତାବକ ଅରୁଣାଚଳ ପ୍ରଦେଶରେ ଏମାନଙ୍କ ସଂଖ୍ୟା ପ୍ରାୟ ୬୦,୦୦୦ ହେବ) ଅନ୍ତର୍ଗତ ଏକ ଯାଯାବର ପଶୁପାଳକ ଗୋଷ୍ଠୀ, ଶହ ଶହ ବର୍ଷ ଧରି ୟାକ୍‌ମାନଙ୍କ ଲାଳନପାଳନ କରିଆସୁଛନ୍ତି  ଓ ପାହାଡିଆ ଚାରଣ ଭୂମିରେ ସେମାନଙ୍କ ଯତ୍ନ ନେଇଥାନ୍ତି। ଶୀତଋତୁରେ ଶୀତର ପ୍ରକୋପ ସମ୍ଭାଳି ନପାରିଲେ, ସେମାନେ ନିମ୍ନ ଅଞ୍ଚଳରେ ରୁହନ୍ତି ଓ ଗ୍ରୀଷ୍ମ ଋତୁରେ ଉଚ୍ଚରେ ଥିବା ସ୍ଥାନକୁ ଚାଲି ଯାଆନ୍ତି – ୯,୦୦୦ ଏବଂ ୧୫,୦୦୦ ଫୁଟ୍‌ ମଧ୍ୟରେ ଆତଯାତ ହୋଇଥାନ୍ତି ।

କିନ୍ତୁ ଲଦାଖ୍‌ ଚଙ୍ଗଥାଙ୍ଗ ଅଞ୍ଚଳର ଚଙ୍ଗପା୍‌ଙ୍କ ଭଳି, ବ୍ରୋକ୍ପାମାନେ ମଧ୍ୟ ଜଳବାୟୁରେ ଦେଖାଯାଇଥିବା ଅନିୟମିତତା ଯୋଗୁଁ ଗମ୍ଭୀର ଭାବେ ପ୍ରଭାବିତ ହେଉଛନ୍ତି । ଶହ ଶହ ବର୍ଷ ଧରି, ସେମାନେ ୟାକ୍‌, ଗାଇଗୋରୁ, ଛେଳି ଓ ମେଣ୍ଡା ଆଦି ପଶୁପାଳନ କରି ନିଜର ଜୀବିକା ନିର୍ବାହ କରିଆସୁଛନ୍ତି ତଥା ସେମାନଙ୍କ ସମାଜ ମଧ୍ୟ ଏଗୁଡିକ ଆଧାରରେ ଗଢିଉଠିଛି । ଏହା ମଧ୍ୟରୁ, ସେମାନେ ମୁଖ୍ୟତଃ ୟାକ୍‌ ଉପରେ ନିର୍ଭର କରିଥାନ୍ତି – ଅର୍ଥନୈତିକ, ସାମାଜିକ ଓ ଏପରିକି ଧାର୍ମିକସ୍ତରରେ ମଧ୍ୟ । ସମ୍ପର୍କର ସେହି ସେତୁ ଆଜି ଅତି ବେଶୀ ଦୁର୍ବଳ ହୋଇଯାଇଛି ।

“ଫେବୃୟାରୀ ଶେଷ ଆଡକୁ ଉତ୍ତାପ ବୃଦ୍ଧି ପାଇବା ସହିତ ୟାକ୍‌ କ୍ଳାନ୍ତି ଅନୁଭବ କରିଥାଏ,” ବୋଲି ଚାଣ୍ଡର୍‌ ଗ୍ରାମ (ସ୍ଥାନୀୟ ଭାଷାରେ ଏହାକୁ ଚାଣ୍ଡେର୍‌ ବୋଲି ମଧ୍ୟ ଉଚ୍ଚାରଣ କରାଯାଏ)ର ଜଣେ ପଶୁପାଳକ ଲେକି ସୁଜୁକ୍‌ ମୋତେ କହିଲେ । ମେ ମାସରେ ମୁଁ ଯେତେବେଳେ ପଶ୍ଚିମ କାମେଙ୍ଗର ଦିରାଂଗ ବ୍ଲକ୍‌ଯାଇଥିଲି, ସେତେବେଳେ ମୁଁ ତାଙ୍କ ପରିବାର ସହିତ ମିଶି ରହିଥିଲି । “ଗତ କିଛି ବର୍ଷ ହେବ ଗ୍ରୀଷ୍ମଋତୁର ସମୟ ଅବଧି ବଢିଯାଇଛି, ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି । ୟାକ୍‌ଗୁଡିକ ଦୁର୍ବଳ ହୋଇଯାଇଛନ୍ତି.” ବୋଲି ଲେକି, ଯାହାର ବୟସ ୪୦ ପାଖାପାଖି ହେବ, କୁହନ୍ତି । 

PHOTO • Ritayan Mukherjee

ଜୋମୋ ହେଉଛି ୟାକ୍‌ ଓ କଟ୍‌ର ମିଳନରୁ ସୃଷ୍ଟି ହୋଇଥିବା ଏକ ଶଙ୍କର ଜାତୀୟ ପଶୁ, ଏକ ପ୍ରକାରର ଗୋରୁ ଯାହା ଉଚ୍ଚ ଭୂମିରେ ରହେ । ବ୍ରୋକ୍ପା, ଏକ ଯାଯାବର ପଶୁଚାରଣକାରୀ ସମ୍ପ୍ରଦାୟ, ପୂର୍ବ ହିମାଳୟରେ ଜଳବାୟୁ ପରିବର୍ତ୍ତନ ସହିତ ନିଜକୁ ବ୍ୟବସ୍ଥିତ କରି ଚଳିବା ପାଇଁ ବର୍ତ୍ତମାନ ନିଜ ପଶୁପଲରେ ଏହି ପଶୁଗୁଡିକୁ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ କରୁଛନ୍ତି ।

ବ୍ରୋକ୍ପାଙ୍କ କହିବା ମୁତାବକ, ତାପମାତ୍ରା ବୃଦ୍ଧି ହେବା ସହିତ, ଅରୁଣାଚଳ ପ୍ରଦେଶର ଏହି ପର୍ବତଗୁଡିକ, ଯାହା ଚୀନ୍‌ ସୀମାରେ ଥିବା ତୀବ୍ବତ୍‌ର ସ୍ୱୟଂଶାସିତ ଅଞ୍ଚଳ ସୀମାରେ ଅବସ୍ଥିତ, ସେଠାରେ ଗତ ଦୁଇ ଦଶନ୍ଧି ହେବ ଜଳବାୟୁର ପୂର୍ବାନୁମାନ କରିବା ସମ୍ଭବ ହୋଇ ପାରୁନାହିଁ ।

“ସବୁକିଛି ବିଳମ୍ବରେ ହେଉଛି,” ବୋଲି ପେମା ୱାଙ୍ଗେ କୁହନ୍ତି । “ଗ୍ରୀଷ୍ମ ଆସିବାରେ ବିଳମ୍ବ ହେଉଛି । ତୁଷାରପାତ ମଧ୍ୟ ବିଳମ୍ବରେ ଆରମ୍ଭ ହେଉଛି । ଋତୁଭିତ୍ତିକ ସ୍ଥାନାନ୍ତରଣ ମଧ୍ୟ ବିଳମ୍ବିତ ହେଉଛି। ବ୍ରୋକ୍ପାମାନେ ଉଚ୍ଚ ସ୍ଥାନରେ ଥିବା ଚାରଣ ଭୂମିରେ ପହଞ୍ଚିବାବେଳକୁ ତାହା ତୁଷାରରେ ଢାଙ୍କି ହୋଇ ରହିଥିବା ଦେଖିବାକୁ ମିଳୁଛି । ତାହାର ଅର୍ଥ ହେଉଛି ତୁଷାର ତରଳିବାରେ ମଧ୍ୟ ବିଳମ୍ବ ହେଉଛି ।’’ ପେମା, ଯାହାର ବୟସ ପ୍ରାୟ ୪୦ ବର୍ଷ ପାଖାପାଖି ହେବ, ଯିଏ ବ୍ରୋକ୍ପା ନୁହନ୍ତି, କିନ୍ତୁ ସେ ଜଣେ ପରିବେଶ ସୁରକ୍ଷା ସମର୍ଥକ, ଯିଏ ଥେମ୍ବାଙ୍ଗ ଗ୍ରାମରେ ରୁହନ୍ତି ଓ ମୋନ୍‌ପା ଜନଜାତିର ଅଟନ୍ତି ଓ ସେ ୱାର୍ଲଡ ୱାଇଲ୍‌ଡ ଲାଇଫ୍‌ ଫଣ୍ଡ ପାଇଁ କାମ କରନ୍ତି ।

ମୁଁ ଯେଉଁସବୁ ସ୍ଥାନକୁ ସାଧାରଣତଃ ଯାଇଥାଏ, ବର୍ଷା ଯୋଗୁଁ ସେହି ସବୁ ସ୍ଥାନରେ ପହଞ୍ଚିବା ସମ୍ଭବପର ନହେବାରୁ, ମୁଁ ଏଥର ତାଙ୍କ ସହିତ ଫୋନ୍‌ରେ କଥା ହେଉଛି । କିନ୍ତୁ ମେ ମାସରେ ମୁଁ ସେଠାକୁ ଯାଇଥିଲି ଓ ସେଠାରେ ନାଗୁଲି ସୋପା ନାମକ ଚଣ୍ଡାର୍‌ ଗ୍ରାମର ଜଣେ ବ୍ରୋକ୍ପା ୟାକ୍‌ ପାଳକଙ୍କ ସହିତ ଏକ ଚଟାଣ ଉପରେ ଠିଆ ହୋଇ, ତଳେ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଥିବା ଘଞ୍ଚ ଜଙ୍ଗଲ ସବୁ ଦେଖିଥିଲି । ତାଙ୍କ ସମ୍ପ୍ରଦାୟର ପ୍ରାୟ ଲୋକ ଏଠାରେ ଓ ତାୱଙ୍ଗ ଜିଲ୍ଲାରେ ରୁହନ୍ତି ।

“ଆମର ଗ୍ରୀଷ୍ମକାଳୀନ ଚାରଣ ଭୂମି ମାଗୋ ଏଠାରୁ ବହୁ ଦୂରରେ ଅବସ୍ଥିତ,” ବୋଲି ନାଗୁଲି କୁହନ୍ତି, ଯାହାର ବୟସ ପ୍ରାୟ ୫୦ପାଖାପାଖି ହେବ । “ସେଠାରେ ପହଞ୍ଚିବା ପାଇଁ ଆମକୁ ଜଙ୍ଗଲ ମଧ୍ୟଦେଇ ୩-୪ ରାତି ଯାତ୍ରା କରିବାକୁ ହୋଇଥାଏ । ପୂର୍ବରୁ [୧୦-୧୫ ବର୍ଷ ପୂର୍ବେ ], ମେ ବା ଜୁନ୍‌ ମାସରେ ଆମେ ଯାତ୍ରା ଆରମ୍ଭ କରୁଥିଲୁ [ଉପରକୁ ସ୍ଥାନାନ୍ତରିତ ହେବା ପାଇଁ] । କିନ୍ତୁ ବର୍ତ୍ତମାନ ଆମକୁ ଆହୁରି ଆଗରୁ ଆରମ୍ଭ କରିବାକୁ ହେବ, ପ୍ରାୟ ଫେବ୍ରୁଆରୀ ବା ମାର୍ଚ୍ଚ ସୁଦ୍ଧା ଓ ବିଳମ୍ବରେ ଫେରିବାକୁ ହେବ, ପ୍ରାୟ ୨-୩ମାସ ପରେ।’’

ନାଗୁଲି, ଯାହା ସହିତ ମୁଁ ଘନ କୁହୁଡି ଘେରା ଏକ ଜଙ୍ଗଲ ମଧ୍ୟକୁ ସେହି ଅଞ୍ଚଳରେ ହେଉଥିବା ସର୍ବୋତ୍କୃଷ୍ଟ ବାଉଁଶ ସଂଗ୍ରହ କରିବାକୁ ଯାଇଥିଲି, ସେ ମୋତେ ଆହୁରି ଅନେକ ସମସ୍ୟା ବିଷୟରେ ଜଣାଇଥିଲେ । “ସମ୍ପ୍ରସାରିତ ଗ୍ରୀଷ୍ମଋତୁ ଯୋଗୁଁ’’,  ସେ କହିଲେ, “କେତେକ ସ୍ଥାନୀୟ ଔଷଧୀୟ ଗୁଳ୍ମ ଯାହା ଆମେ ୟାକ୍‌ମାନଙ୍କ ଚିକିତ୍ସା ପାଇଁ ବ୍ୟବହାର କରୁଥିଲୁ-ତାହା ବର୍ତ୍ତମାନ ଏଠାରେ ଆଉ ହେଉନଥିବା ଜଣାପଡୁଛି । ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ, ଆମେ କିଭଳି ଭାବେ ସେମାନଙ୍କ ଯତ୍ନ ନେବୁ?’’

ଅରୁଣାଚଳ ପ୍ରଦେଶରେ ସାଧାରଣତଃ ଅଧିକ ବୃଷ୍ଟିପାତ ହୋଇଥାଏ, ଯାହାର ପରିମାଣ ବାର୍ଷିକ ପ୍ରାୟ ହାରାହାରି ୩୦୦୦ମିଲିମିଟର ହେବ । କିନ୍ତୁ ଗତ ଦଶନ୍ଧିରେ ବହୁ ବର୍ଷ ଧରି ଏଠାରେ ଅଭାବୀ ବର୍ଷା ହୋଇଥିବା ଦେଖାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ସେହି ବର୍ଷଗୁଡିକ ମଧ୍ୟରେ ପ୍ରାୟ ଚାରି ବର୍ଷ ୨୫ ଓ ୩୦ପ୍ରତିଶତ ବୃଷ୍ଟିପାତ ହୋଇଥିବା ଜଣାପଡିଛି । ଯଦିଓ, ଚଳିତ ବର୍ଷ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ଦେଖାଯାଇଥିଲା, ଯେଉଁଥିରେ କିଛି ରାସ୍ତା ଧୋଇ ହୋଇଯାଇଥିଲା ଓ ଅନ୍ୟ କେତେକ ରାସ୍ତା ବୁଡିଯାଇଥିବା ନଜରକୁ ଆସିଥିଲା ।

ଏହି ଉତ୍ଥାନ- ପତନ ମଧ୍ୟରେ, ପାହାଡରେ ଯାହା ସ୍ଥିର ରହୁଛି, ତାହା ହେଉଛି ବୃଦ୍ଧି ପାଉଥିବା ତାପମାତ୍ରା ।

PHOTO • Ritayan Mukherjee

ନାଗୁଲି ସୋପା, ପଶ୍ଚିମ କାମେଙ୍ଗ ଜିଲ୍ଲାର ଉଚ୍ଚ ସ୍ଥାନରେ ଥିବା ଏକ ଘାସ ପଡିଆରେ ତାଙ୍କର ପଶୁଗୁଡିକ ଚରୁଥିବା ବେଳେ ସେ ଏକ ଟି-ବ୍ରେକ୍‌ ନେଇଛନ୍ତି । ‘ସମ୍ପ୍ରସାରିତ ଗ୍ରୀଷ୍ମଋତୁ ଯୋଗୁଁ,  ସେ କୁହନ୍ତି, କେତେକ ସ୍ଥାନୀୟ ଔଷଧୀୟ ଗୁଳ୍ମ ଯାହା ଆମେ ୟାକ୍‌ମାନଙ୍କ ଚିକିତ୍ସା ପାଇଁ ବ୍ୟବହାର କରୁଥିଲୁ, ତାହା ବର୍ତ୍ତମାନ ଏଠାରେ ଆଉ ହେଉନଥିବା ଜଣାପଡୁଛି । ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ, ଆମେ କିଭଳି ଭାବେ ସେମାନଙ୍କ ଯତ୍ନ ନେବୁ?’

୨୦୧୪ ମସିହାରେ ପୂର୍ବ ତୀବ୍ବତ୍‌ର ମାଳ ଅଞ୍ଚଳରେ (ସୁଦୀର୍ଘ ଭୌଗୋଳିକ ଅଞ୍ଚଳ, ଯେଉଁଥିରେ ଅରୁଣାଚଳ ପ୍ରଦେଶ ଅବସ୍ଥିତ) ୟୁନିଭର୍ସିଟି ଅଫ୍‌ ୱିନ୍‌କନ୍‌ସିନ୍‌ – ମାଡିସନ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ପୂର୍ବ ମାଳଭୂମିରେ ତାପମାତ୍ରାରେ ହେଉଥିବା ପରିବର୍ତ୍ତନଗୁଡ଼ିକ ରେକର୍ଡ କରାଯାଇଛି । “ଗତ  ୨୪ ବର୍ଷରେ (୧୯୮୪  ଓ ୨୦୦୮ ମଧ୍ୟରେ) ଦୈନିକ ସର୍ବନିମ୍ନ ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇଛି ’’। ଦୈନିକ ସର୍ବାଧିକ ତାପମାତ୍ରା ଗତ ୧୦୦ ବର୍ଷରେ ୫ ଡିଗ୍ରୀ ସେଲ୍‌ସିୟସ୍‌  ହାରରେ ବୃଦ୍ଧି ପାଇଛି ।

“ଆମେମାନେ ସମ୍ମୁଖୀନ ହେଉଥିବା ଅନିର୍ଦ୍ଦିଷ୍ଟ ଜଳବାୟୁ ଜନିତ ସମସ୍ୟାଗୁଡ଼ିକର ମୁକାବିଲା କରିବା ପାଇଁ ଚେଷ୍ଟା କରୁଛୁ,’’ ବୋଲି ସେରିଙ୍ଗ ଡୋଣ୍ଡପ୍‌, ଅନ୍ୟ ଜଣେ ପଶୁପାଳକ, ଯାହାର ବୟସ ୩୦ରୁ ସାମାନ୍ୟ ଅଧିକ ହେବ, ଯାହା ପାଖକୁ ଆମେ ଯାଇଥିଲୁ, ସେ କୁହନ୍ତି । “ଆମେ ଅଧିକ ଦୁଇ ବା ତିନି ମାସ ପର୍ଯ୍ୟନ୍ତ ସ୍ଥାନାନ୍ତରଣ ସମୟ ଅବଧି ବୃଦ୍ଧି କରିଛୁ । ଆମେ ଚାରଣ ଭୂମିଗୁଡିକର ସଠିକ୍‌ ଉପଯୋଗ କରୁଛୁ [ଏଠି ସେଠି ଚରାଇବା ପରିବର୍ତ୍ତେ, ଏକ ନିର୍ଦ୍ଦିଷ୍ଟ ଶୈଳୀ ଅବଲମ୍ବନ କରୁଛୁ] ।’’

ତାଙ୍କ ପରି, ବ୍ରୋକ୍ପା ସମ୍ପ୍ରଦାୟର ଅଧିକାଂଶ ଲୋକ ଜଳବାୟୁ ପରିବର୍ତ୍ତନ ନେଇ ସଚେତନ ଅଛନ୍ତି । ଏପରି କାହିଁକି ହେଉଛି, ସେ ବିଷୟରେ ସେମାନେ ଅଧିକ କିଛି କହି ପାରୁନାହାନ୍ତି କିନ୍ତୁ ଏହା ଦ୍ୱାରା ହେଉଥିବା କ୍ଷୟକ୍ଷତି ବିଷୟରେ ସେମାନେ ଜାଣିଛନ୍ତି । ଏଠାରେ କିଛି ଉତ୍ସାହଜନକ ବିଷୟ ରହିଛି : ପରିବର୍ତ୍ତିତ ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇ ଚଳିବା ପାଇଁ ସେମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି, ବୋଲି ଅନେକ ଗବେଷକ ମତ ଦିଅନ୍ତି । ଗୋଟିଏ ଦଳ ଯାହା ଏହି ସମ୍ପ୍ରଦାୟର ସର୍ବେକ୍ଷଣ କରିଥିଲା, ତାହା ୨୦୧୪ରେ ଏ ସମ୍ବନ୍ଧରେ ଇଣ୍ଡିଆନ୍‌ ଜର୍ଣ୍ଣାଲ୍‌ ଅଫ୍‌ ଟ୍ରାଡିସନାଲ୍‌ ନଲେଜ୍‌ରେ ସୂଚନା ପ୍ରଦାନ କରିଥିଲେ । ଏହି ଗବେଷଣାରୁ ଯେଉଁ ତଥ୍ୟଗୁଡିକ ସାମନାକୁ ଆସିଥିଲା ତାହା ହେଉଛି, ପଶ୍ଚିମ କାମେଙ୍ଗର ୭୮.୩ ପ୍ରତିଶତ ଓ ତାୱଙ୍ଗର ୮୫ ପ୍ରତିଶତ ଲୋକ – ଅର୍ଥାତ୍‌ ଅରୁଣାଚଳରେ ବସବାସ କରୁଥିବା ଏହି ଯାଯାବର ସମ୍ପ୍ରଦାୟର ୮୧.୬ ପ୍ରତିଶତ ଲୋକ- “ପରିବର୍ତ୍ତନଶୀଳ ଜଳବାୟୁ ଦୃଶ୍ୟପଟ ବିଷୟରେ ସଚେତନ ଅଛନ୍ତି’’ ।  ଏହା ମଧ୍ୟରୁ, ପ୍ରାୟ ୭୫ ପ୍ରତିଶତରୁ ଅଧିକ ଲୋକ “ପରିବର୍ତ୍ତିତ ଜଳବାୟୁ ସହିତ ତାଳମେଳ ରଖିବା ପାଇଁ ଅତି କମ୍‌ରେ ଗୋଟିଏ ପ୍ରୟୋଜନୀୟ ରଣନୀତି ଗ୍ରହଣ କରିଛନ୍ତି ।’’

ଗବେଷକମାନେ ଅନ୍ୟାନ୍ୟ ରଣନୀତିଗୁଡିକ ମଧ୍ୟ ଲକ୍ଷ୍ୟ କରିଛନ୍ତି – “ପଶୁପଲ-ବିବିଧୀକରଣ’’, ଉଚ୍ଚତାରେ ଥିବା ସ୍ଥାନକୁ ସ୍ଥାନାନ୍ତରଣ, ସ୍ଥାନାନ୍ତର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ଆଦି । ସେମାନଙ୍କ ପେପର୍‌ରେ “ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବ”ର ମୁକାବିଲା କରିବା ପାଇଁ “୧୦ଟି ପ୍ରକ୍ରିୟା ବିଷୟରେ’’ କୁହାଯାଇଛି । ଅନ୍ୟାନ୍ୟ ରଣନୀତିଗୁଡିକ ହେଉଛି ବ୍ୟବହାର ହେଉଥିବା ଚାରା ପରିବର୍ତ୍ତନ କରିବା, ଉଚ୍ଚ ପତ୍ତନରେ ଥିବା ନିମ୍ନମାନର ଚାରଣ ଭୂମିର ପୁନଃରୁତ୍ଥାନ କରିବା, ପଶୁପାଳନ ପଦ୍ଧତିରେ ସଂଶୋଧନ କରିବା ଓ ଗୋରୁ-ୟାକ୍‌ର ଶଙ୍କର ପ୍ରଜାତି ବିକଶିତ କରିବା । ଏହା ସହିତ ଯେଉଁଠାରେ ଘାସର ଅଭାବ ରହିଛି, ସେଠାରେ ଅନ୍ୟ ବିକଳ୍ପ ଖାଦ୍ୟ ବ୍ୟବସ୍ଥା କରିବା, ପଶୁସମ୍ପଦ ପାଇଁ ନୂତନ ସ୍ୱାସ୍ଥ୍ୟ ସେବା ପ୍ରଣାଳୀ ଗ୍ରହଣ କରିବା ଓ ଆୟର ଅତିରିକ୍ତ ପନ୍ଥା ଖୋଜି ବାହାର କରିବା ଯେପରିକି ରାସ୍ତା ନିର୍ମାଣ ଶ୍ରମିକ ଭାବେ କାମ କରିବା, କ୍ଷୁଦ୍ର ବ୍ୟବସାୟ କରିବା ଓ ଫଳ ସଂଗ୍ରହ କରିବା ଆଦି ।

ଏ ସମସ୍ତ ମଧ୍ୟରୁ କେଉଁ ଗୋଟିଏ ବା ସମସ୍ତ ଉପାୟ ଫଳପ୍ରଦ ହେବ ତାହା ଜାଣିବା ପାଇଁ କୌଣସି ରାସ୍ତା ନାହିଁ ତଥା କୌଣସି ବଡ଼ ପ୍ରକ୍ରିୟା ଦ୍ୱାରା ଆବିଭୂତ ହେବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ । କିନ୍ତୁ  ସେମାନେ ନିଶ୍ଚିତ ଭାବେ କିଛି କରୁଛନ୍ତି – ଓ ସେମାନଙ୍କୁ କରିବାକୁ ହେବ । ୟାକ୍‌ ଭିତ୍ତିକ ଅର୍ଥନୀତିରେ ଅବନତି ଯୋଗୁଁ ଏକ ସାଧାରଣ ପରିବାରର ବାର୍ଷିକ ଆୟ ୨୦ – ୩୦ ପ୍ରତିଶତ ହ୍ରାସ ପାଇଥିବା କଥା ମୋତେ ପଶୁପାଳକମାନେ କହିଲେ । କ୍ଷୀର ଉତ୍ପାଦନ ହ୍ରାସ ପାଇବା ଅର୍ଥ ଘରେ ପ୍ରସ୍ତୁତ କରାଯାଉଥିବା ଘିଅ ଓ ଚୁର୍ପିୀ (କିଣ୍ୱନ ପ୍ରକ୍ରିୟାରେ ୟାକ୍‌ କ୍ଷୀରରୁ ଚିଜ୍‌ ପ୍ରସ୍ତୁତ କରିବା)ର ଉତ୍ପାଦନ ହ୍ରାସ ପାଇବା। ଜୋମୋ ଶକ୍ତିଶାଳୀ ହୋଇପାରେ କନ୍ତୁ ୟାକ୍‌ର କ୍ଷୀର ଓ ଚିଜ୍‌ର ଗୁଣବତ୍ତା ବା ଏପରିକି ଏହାର ଧାର୍ମିକ ଗୁରୁତ୍ୱର ସମକକ୍ଷ ହୋଇପାରିବ ନାହିଁ ।

“ୟାକ୍‌ ପଲର ଆକାର ହ୍ରାସ ପାଇବା ସହିତ ବା ସେଥିରେ ଅବନତି ଆସିବା ସହିତ, ବ୍ରୋକ୍ପାମାନଙ୍କ ଆୟ ମଧ୍ୟ କମ୍‌ ହେବାରେ ଲାଗିଛି” ବୋଲି ମୋ ଯାତ୍ରା ସମୟରେ ପେମା ୱାଙ୍ଗେ କହିଥିଲେ । “ବର୍ତ୍ତମାନ [ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରକ୍ରିୟାକରଣ ହୋଇଥିବା] ସ୍ଥାନୀୟ ବଜାରରେ ପେକେଟ୍‌ ଚିଜ୍‌ ସହଜରେ ଉପଲବ୍ଧ ହେଉଛି । ଏଣୁ ଚୂର୍ପୀ  ବିକ୍ରି ହ୍ରାସ ପାଇବାରେ ଲାଗିଛି । ଉଭୟ ରାସ୍ତାରେ ବ୍ରୋକ୍ପାମାନଙ୍କୁ କଷ୍ଟ ସହିବାକୁ ପଡୁଛି ।’’

ମୁଁ ଘରକୁ ଫେରିବା ପାଇଁ ବାହାରିବାର ଅଳ୍ପ କିଛି ସମୟ ପୂର୍ବରୁ, ମୁଁ ୧୧ବର୍ଷର ନୋର୍ବୁ ଥପ୍ଟେନ୍‌ଙ୍କ ପାଖକୁ ଯାଇଥିଲି । ବ୍ରୋକ୍ପାମାନଙ୍କ ସ୍ଥାନାନ୍ତରଣ ପଥରେ ଏକ ଛୋଟ ନିର୍ଜନ ଗ୍ରାମରେ ସେ ନିଜ ପଶୁପଲ ସହିତ ଥିଲେ । “ମୋ ଜେଜେବାପାଙ୍କ ସମୟ ଭଲ ଥିଲା,” ବୋଲି ସେ ଆତ୍ମବିଶ୍ୱାସ ସହିତ ନିଜ ମତ ପ୍ରକାଶ କଲେ । ଏହା ସହିତ ସମ୍ଭବତଃ ସେ ବୟସରେ ତାଙ୍କଠାରୁ ବଡ ବ୍ୟକ୍ତିମାନଙ୍କ  କଥା ପ୍ରତିଫଳିତ କରୁଥିବା ଗୋଟିଏ କଥା ମଧ୍ୟ କହିଲେ: “ଅଧିକ ତୃଣଭୂମି ଓ କମ୍‌ ଲୋକ । ବୟସ୍କମାନେ କୁହନ୍ତି ଯେ ଆମ ସମୟରେ ସୀମାର ପ୍ରତିବନ୍ଧକ ନଥିଲା କିମ୍ବା ଜଳବାୟୁ ଜନିତ ଅସୁବିଧା ମଧ୍ୟ ନଥିଲା । କିନ୍ତୁ ଆଜି ସେହିସବୁ ସୁଖର ଦିନଗୁଡିକ ଅତୀତର ସ୍ମୃତି ହୋଇ ରହିଯାଇଛି ।’’

PHOTO • Ritayan Mukherjee

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଓ ତାୱାଙ୍ଗ ଜିଲ୍ଲାରେ ବାସ କରୁଥିବା ବ୍ରୋକ୍ପାମାନେ, ଯେଉଁମାନେ ହେଉଛନ୍ତି ମୋମ୍ପା ଜନଜାତିର ନିର୍ଜନତା ପ୍ରିୟ ପଶୁପାଳକ ସମ୍ପ୍ରଦାୟର, ସେମାନେ ୯,୦୦୦ ରୁ ୧୫,୦୦୦ ଫୁଟ୍‌ ଉଚ୍ଚ ପର୍ବତମାନଙ୍କରେ ବସବାସ କରନ୍ତି । ସେମାନେ କୁହନ୍ତି ଯେ ଅନିର୍ଦ୍ଦିଷ୍ଟ ପାଣିପାଗ ଢାଞ୍ଚା ସହିତ ସେମାନଙ୍କ ସ୍ଥାନାନ୍ତରଣ ଶୈଳୀରେ ମଧ୍ୟ ପରିବର୍ତ୍ତନ ଘଟୁଛି ।

PHOTO • Ritayan Mukherjee

ଏକ ଯୁବ ବାହିନୀ ରାସନ୍‌ ପ୍ୟାକ୍‌ କରିବା ବେଳେ ବୟସ୍କ ପଶୁପାଳକମାନେ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତି କରିଥାନ୍ତି । ‘ସବୁକିଛି ବିଳମ୍ବରେ ହେଉଛି’ ବୋଲି ପେମା ୱାଙ୍ଗେ କୁହନ୍ତି । ‘ଗ୍ରୀଷ୍ମ ଆସିବାରେ ବିଳମ୍ବ ହେଉଛି । ତୁଷାରପାତ ବିଳମ୍ବରେ ଆରମ୍ଭ ହେଉଛି। ଋତୁ ଭିତ୍ତିକ ସ୍ଥାନାନ୍ତରଣ ମଧ୍ୟ ବିଳମ୍ବିତ ହେଉଛି ।’

PHOTO • Ritayan Mukherjee

ଚାଣ୍ଡର୍‌ ଗ୍ରାମ ବାହାରେ, ବ୍ରୋକ୍ପା ପଶୁପାଳକମାନଙ୍କ ଏକ ଦଳ ପରସ୍ପର ମଧ୍ୟରେ ସ୍ଥାନାନ୍ତରଣ ପଥ ବିଷୟରେ ଆଲୋଚନା କରୁଛନ୍ତି । କାରଣ ଉଚ୍ଚ ପତ୍ତନରେ ଥିବା ସ୍ଥାନଗୁଡିକରେ ବିଳମ୍ବରେ ତୁଷାର ତରଳିବା ଆରମ୍ଭ ହେଉଥିବାରୁ, ସେମାନଙ୍କୁ ବାରମ୍ବାର ନିଜ ଗତିପଥ ବଦଳାଇବାକୁ ହୋଇଥାଏ ବା ନିଜ ପଶୁପଲ ସହିତ ରାସ୍ତାରେ ଅପେକ୍ଷା କରିବାକୁ ପଡିଥାଏ ।

PHOTO • Ritayan Mukherjee

ବ୍ରୋକ୍ପା ପଶୁପାଳକମାନଙ୍କ ଏକ ଦଳ, ଉଚ୍ଚ ପତ୍ତନରେ ଥିବା ତିନିଟି ଗିରିପଥ ଦେଇ, ମାଗୋଠାରେ ଥିବା ଚାରଣ ଭୂମି ଆଡକୁ ଯାତ୍ରା କରୁଛନ୍ତି : ପୂର୍ବରୁ, ଆମେମାନେ ମେ ବା ଜୁନ୍‌ରେ ବାହାରୁଥିଲୁ । କିନ୍ତୁ ବର୍ତ୍ତମାନ ଆମକୁ ଅତିଶୀଘ୍ର ଯାତ୍ରା ଆରମ୍ଭ କରିବାକୁ ହେଉଛି, ପ୍ରାୟ ଫେବୃୟାରୀ ବା ମାର୍ଚ୍ଚ ଆଡକୁ ଓ ବିଳମ୍ବରେ ଫେରୁଛୁ, ପ୍ରାୟ ୨ -୩ ମାସ ପରେ ।

PHOTO • Ritayan Mukherjee

ତାଶି ସେରିଙ୍ଗ ଲଗାମ୍‌ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଏକ ଜୋମୋର କ୍ଷୀର ଦୁହୁଁଛନ୍ତି । ଜୋମୋ ଅଧିକ ଉତ୍ତାପ ସହ୍ୟ କରିବା ପାଇଁ ସମର୍ଥ ହୋଇପାରେ କିନ୍ତୁ ଏହାର କ୍ଷୀର ଓ ଏଥିରୁ ପ୍ରସ୍ତୁତ ହେଉଥିବା ଚିଜ୍‌ର ଗୁଣବତ୍ତା ୟାକ୍‌ କ୍ଷୀର ଓ ଏଥିରୁ ପ୍ରସ୍ତୁତ ହେଉଥିବା ଚେଜ୍‌ର ଗୁଣବତ୍ତା  ବା ଏପରିକି ଏହାର ଧାର୍ମିକ ଗୁରୁତ୍ୱର ସମକକ୍ଷ ହୋଇପାରିବ ନାହିଁ ; ସେଗୁଡିକର ଆକାର ମଧ୍ୟ ଛୋଟ ଓ ସେମାନେ ବାରମ୍ବାର ରୋଗାକ୍ରାନ୍ତ ହୋଇଥାନ୍ତି ଓ ଏହାଦ୍ୱାରା ବ୍ରୋକ୍ପାମାନଙ୍କ ଅର୍ଥନୀତି ପ୍ରଭାବିତ ହୋଇଥାଏ ।

PHOTO • Ritayan Mukherjee

ଜଙ୍ଗଲରେ ଫଳ ସଂଗ୍ରହ କରି ଫେରୁଛନ୍ତି : ପରିବର୍ତ୍ତନ ସହିତ ତାଳମେଳ ରକ୍ଷା କରି ଆଗେଇବା ପାଇଁ, ବ୍ରୋକ୍ପା ପଶୁପାଳକମାନେ ଆୟର ଅନ୍ୟ ପନ୍ଥା ମଧ୍ୟ ଆପଣାଉଛନ୍ତି, ଯେପରିକି ରାସ୍ତା ନିର୍ମାଣକାରୀ ଶ୍ରମିକ, କ୍ଷୁଦ୍ର ବ୍ୟବସାୟ ଓ ଫଳ ସଂଗ୍ରହକାରୀ – ଯେଉଁଥିପାଇଁ କାଦୁଅ ରାସ୍ତାରେ ଘଣ୍ଟା ଘଣ୍ଟା ଚାଲିବାକୁ ପଡିଥାଏ ।

PHOTO • Ritayan Mukherjee

ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ଫେରୁଛନ୍ତି : ବ୍ରୋକ୍ପାମାନଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ବାଉଁଶର ସ୍ଥାନ ସ୍ୱତନ୍ତ୍ର ଓ ସେମାନେ ଏହାକୁ ଅସ୍ଥାୟୀ ରୋଷେଇ ଘର ଓ ଘରର ଆବଶ୍ୟକ ଜିନିଷ ତିଆରି କରିବା ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ମଧ୍ୟ ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି ।

PHOTO • Ritayan Mukherjee

ଜଣେ ବ୍ରୋକ୍ପା ପଶୁପାଳକ ଏକ ଜୋ ସହିତ, ଯାହା ପାହାଡରୁ ଖସିବା ବେଳେ ମରିଯାଇଛି । ଉଚ୍ଚ ପତ୍ତନରେ ଥିବା ଏହି ସ୍ଥାନମାନଙ୍କରେ ଆବଶ୍ୟକ ଖାଦ୍ୟ ଉପଲବ୍ଧ ହେଉନଥିବାରୁ, କିଛି ନଷ୍ଟ କରାଯାଏ ନାହିଁ ।

PHOTO • Ritayan Mukherjee

ବ୍ରୋକ୍ପାଙ୍କ ରୋଷେଇ ଘରେ ସବୁବେଳେ ନିଆଁ ଜଳାଇ ରଖାଯାଏ । ଏହା ସେମାନଙ୍କୁ – ଓ ସେମାନଙ୍କ ପଶୁମାନଙ୍କୁ ପ୍ରଚଣ୍ଡ ଶୀତରେ ଉଷୁମ ରହିବାରେ ସହାୟତା କରିଥାଏ । ୨୦୧୪ରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି ଯେ ଏହି ଅଞ୍ଚଳର ଦୈନିକ ସର୍ବନିମ୍ନ ତାପମାତ୍ରା ୧୯୮୪  ଓ ୨୦୦୮ମଧ୍ୟରେ ‘ବହୁମାତ୍ରାରେ ବୃଦ୍ଧି ପାଇଛି’  ଓ ଦୈନିକ ସର୍ବୋଚ୍ଚ ତାପମାତ୍ରା ୧୦୦ବର୍ଷ ମଧ୍ୟରେ ୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି ।

PHOTO • Ritayan Mukherjee

ନାଗୁଲି ସୋପା, ଏକ ପାରମ୍ପରିକ ଚିଜ୍‌ ଚୁର୍ପୀ ସହିତ ନିଜ ଘରେ । ୟାକ୍‌ମାଙ୍କ ସଂଖ୍ୟା କମିବା ସହିତ ଓ ନିକଟ ଥିବା ବଜାରରେ ପ୍ୟାକେଟ୍‌ ଚିଜ୍‌ ଉପଲବ୍ଧ ହେବା ଯୋଗୁଁ ବ୍ରୋକ୍ପା ପଶୁପାଳକମାନଙ୍କ ଆୟର ଏହି ପ୍ରମୁଖ ସ୍ରୋତ ମଧ୍ୟ ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି ।

PHOTO • Ritayan Mukherjee

ଚାଣ୍ଡରରେ ନିଜ ଘରେ : ଲେକି ସୁଜୁକ୍‌ ଓ ନାଗୁଲି ସୋପା । ଯେତେବେଳେ ଏକ ବ୍ରୋକ୍ପା ଦମ୍ପତି ଏକ ସଙ୍ଗେ ଯାଆନ୍ତି, ସେମାନେ ତୃଣଭୂମି ଥିବା ଉତ୍ସର ସୁବିନିଯୋଗ ପାଇଁ ସେମାନଙ୍କ ପଶୁପଲକୁ ଏକତ୍ର ନେଇଥାନ୍ତି ।

PHOTO • Ritayan Mukherjee

ବାଳକ ନୋର୍ବୁ, ଲେକି ସୁଜୁକ ଓ ନାଗୁଲି ସୋପାଙ୍କ ଛୋଟ ପୁଅ, ପ୍ରବଳ ପବନରେ ନିଜ ଛତାକୁ ଧରି ରଖିବାପାଇଁ ସଂଘର୍ଷ କରୁଛନ୍ତି।

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ୟୁଏନ୍‌ଡିପିର ମିଳିତ ସହଯୋଗରେ ଚାଲିଥିବା ପରୀର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଜନତାଙ୍କ ସ୍ୱର ଓ ଅଙ୍ଗେନିଭା କଥା ମାଧ୍ୟମରେ ଏହାର ସତ୍ୟତାକୁ ତୋଳିବା ।

ଆପଣ କ’ଣ ଏହି ଆଲେଖ୍ୟକୁ ପୁଣି ପ୍ରକାଶ କରିବାକୁ ଚାହୁଁଛନ୍ତି? ତେବେ, ଦୟାକରି [email protected]କୁ ଲେଖନ୍ତୁ ଓ [email protected]କୁ acc କରନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

Other stories by Ritayan Mukherjee