‘‘ଦୟାକରି ସେମାନଙ୍କ ପାଖକୁ ଯାଆନ୍ତୁ ନାହିଁ । ନଚେତ ସେମାନେ ଡରିଯାଇ ଦୌଡ଼ି ପଳାଇ ପାରନ୍ତି। ଏହାପରେ ଏହି ବିଶାଳ କ୍ଷେତ୍ରରେ ସେମାନଙ୍କୁ ଖୋଜିବା ମୋ ପାଇଁ ଏକ କଠିନ କାର୍ଯ୍ୟ ହେବ – କେବଳ ସେମାନଙ୍କ ଗତିକୁ ଆମେ ନିୟନ୍ତ୍ରିତ କରିବା,’’ ଜେଠାଭାଇ ରବାରୀ କୁହନ୍ତି ।

‘ସେମାନଙ୍କ’, ‘ସେମାନେ’ ହେଉଛନ୍ତି ଅତି ମୂଲ୍ୟବାନ ଓଟ ଯେଉଁମାନଙ୍କ ବିଷୟରେ ଯାଯାବର ପଶୁପାଳକ କଥା ହେଉଛନ୍ତି । ଏବଂ ସେମାନେ ଖାଇବା ସନ୍ଧାନରେ ଏଣେ ତେଣେ ପହଁରୁଛନ୍ତି।

ଓଟ? ପହଁରୁଛନ୍ତି? ପ୍ରକୃତରେ?

ଆରେ, ହଁ । ସେହି ‘ବିଶାଳ କ୍ଷେତ୍ର’ ଯାହା ବିଷୟରେ ଜେଠା ଭାଇ ଉଲ୍ଲେଖ କରୁଛନ୍ତି ତାହା ହେଉଛି ସାମୁଦ୍ରିକ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ (ଏମଏନପିଏଣ୍ଡଏସ) ଯାହାକି କଛ ଉପସାଗରୀୟ କ୍ଷେତ୍ରର ଦକ୍ଷିଣ ଉପକୂଳରେ ରହିଛି । ଆହୁରି ଏଠାରେ, ଯାଯାବର ପଶୁପାଳକମାନେ ରଖିଥିବା ଓଟମାନେ ସେମାନଙ୍କ ଖାଦ୍ୟ ପାଇଁ ଜରୁରି ହେନ୍ତାଳ ବୃକ୍ଷ (ଆଭିସେନିଆ ମରିନା) ସନ୍ଧାନରେ ଗୋଟିଏ ଦ୍ୱୀପରୁ ଆଉ ଏକ ଦ୍ୱୀପ ପହଁରି ବୁଲିଥାନ୍ତି ।

‘‘ଏହି ପ୍ରଜାତିମାନେ ଦୀର୍ଘ ସମୟ ଧରି ହେନ୍ତାଳ ଖାଇନପାରିଲେ, ସେମାନେ ଅସୁସ୍ଥ, ଦୁର୍ବଳ ହୋଇଯାଇ ପାରନ୍ତି, ଏପରିକି ମୃତ୍ୟୁବରଣ ମଧ୍ୟ କରିପାରନ୍ତି’’ କାରୁ ମେରୁ ଜାଟ୍‌ କୁହନ୍ତି । ‘‘ତେଣୁ ସାମୁଦ୍ରିକ ଉଦ୍ୟାନ ମଧ୍ୟରେ, ଆମର ଓଟ ପଲ ହେନ୍ତାଳ ସନ୍ଧାନରେ ଘୂରି ବୁଲନ୍ତି।’’

Jethabhai Rabari looking for his herd of camels at the Marine National Park area in Khambaliya taluka of Devbhumi Dwarka district
PHOTO • Ritayan Mukherjee

ଦେବଭୂମି ଦ୍ୱାରକା ଜିଲ୍ଲାର ଖମ୍ବାଲିୟା ତାଲୁକାରେ ଥିବା ସାମୁଦ୍ରିକ ଜାତୀୟ ଉଦ୍ୟାନ ଅଞ୍ଚଳରେ ନିଜ ଓଟ ପଲଙ୍କ ସନ୍ଧାନରେ ଘୂରି ବୁଲୁଛନ୍ତି ଜେଠାଭାଇ ରବାରୀ

ଏମଏନପିଏବଂଏସ କ୍ଷେତ୍ର ମୋଟ୍‌ ୪୨ଟି ଦ୍ୱୀପକୁ ନେଇ ଗଠିତ ଏଥିମଧ୍ୟରୁ ୩୭ଟି ଦ୍ୱୀପ ସାମୁଦ୍ରିକ ଜାତୀୟ ଉଦ୍ୟାନ ଅଧୀନରେ ଆସୁଥିବା ବେଳେ ୫ଟି ଅଭୟାରଣ୍ୟ କ୍ଷେତ୍ରରେ ରହିଛି । ଏହି ସମ୍ପୂର୍ଣ୍ଣ ଅଞ୍ଚଳ ଗୁଜରାଟ ସୌରାଷ୍ଟ୍ର କ୍ଷେତ୍ର ଅଧୀନରେ ଜାମନଗର, ଦେବଭୂମି ଦ୍ୱାରକା (୨୦୧୩ରେ ଜାମନଗର ଠାରୁ ଅଲଗା ହୋଇ ଗଠିତ) ଓ ମୋରବୀ ଜିଲ୍ଲା ଦେଇ ବ୍ୟାପି ରହିଛି।

ମୁସା ଜାଟ୍‌ କୁହନ୍ତି, ‘‘ଆମେ ସବୁ ଏଠାରେ ଅନେକ ପିଢ଼ି ଧରି ରହି ଆସୁଛୁ ।’’ କାରୁ ମେରୁଙ୍କ ଭଳି, ସେ ମଧ୍ୟ ସାମୁଦ୍ରିକ ଜାତୀୟ ଉଦ୍ୟାନରେ ରହୁଥିବା ଫକିରାନୀ ଜାଟ୍‌ ସମ୍ପ୍ରଦାୟର ଜଣେ ସଦସ୍ୟ। ଏମଏନପି ଏବଂ ଏସ ଭିତରେ ସେମାନଙ୍କ ଭଳି ଆଉ ଏକ ସମୁଦାୟ ରୁହନ୍ତି । ସେମାନେ ହେଲେ – ଭୋପା ରବାରୀ (ସେମାନଙ୍କୁ ରେବାରୀ ମଧ୍ୟ କୁହାଯାଏ)। ଜେଠାଭାଇ ଏହି ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି । ଏହି ଦୁଇ ସମୁଦାୟ ପାରମ୍ପରିକ ଗୋପାଳକ ଅଟନ୍ତି ଯେଉଁମାନଙ୍କୁ ଏଠାରେ ମାଲଧାରୀ ବୋଲି କୁହାଯାଏ। ଗୁଜରାଟୀ ଭାଷାରେ ‘ ମାଲ ’ର ଅର୍ଥ ହେଉଛି ପଶୁ ଏବଂ ‘ ଧାରୀ ’ର ଅର୍ଥ ହେଉଛି ରକ୍ଷକ ବା ମାଲିକ। ସାରା ଗୁଜରାଟରେ, ମାଲଧାରୀ ମାନେ ଗାଈ, ମଇଁଷି, ଓଟ, ମେଣ୍ଢା ଏବଂ ଛେଳି ପାଳିଥାନ୍ତି ।

ମୁଁ ଏହି ଦୁଇ ସମୁଦାୟର ସଦସ୍ୟଙ୍କୁ ଭେଟୁଛି, ଯେଉଁମାନେ ସାମୁଦ୍ରିକ ଜାତୀୟ ଉଦ୍ୟାନ ପରିଧି ଆଖପାଖରେ ଥିବା ଗାଁରେ ରହିଥାନ୍ତି, ଏହି ସ୍ଥାନରେ ପ୍ରାୟ ୧୨ଶହ ଲୋକ ରୁହନ୍ତି ।

‘‘ଆମେ ଏ ମାଟିକୁ ସମ୍ମାନ କରୁ,’’ ମୁସା ଜାଟ କୁହନ୍ତି । ‘‘ଶହ ଶହ ବର୍ଷ ପୂର୍ବରୁ ଜାମନଗର ରାଜା ଆମକୁ ଏଠାରେ ରହିବା ଲାଗି ଡାକି ଆଣିଥିଲେ। ଏହି ସ୍ଥାନ ୧୯୮୨ରେ ସାମୁଦ୍ରିକ ଜାତୀୟ ଉଦ୍ୟାନ ଘୋଷଣା ହେବାର ବହୁପୂର୍ବରୁ ।’’

Jethabhai Rabari driving his herd out to graze in the creeks of the Gulf of Kachchh
PHOTO • Ritayan Mukherjee

ଜେଠାଭାଇ ରବାରୀ ତାଙ୍କର ଓଟପଲକୁ କଚ୍ଛ ଉପସାଗରୀୟ କ୍ଷେତ୍ରର ତଟବର୍ତ୍ତୀ ଅଞ୍ଚଳରେ ଚରାଇବାକୁ ନେଉଛନ୍ତି

ଭୁଜରେ ପଶୁପାଳନ କେନ୍ଦ୍ର ଚଳାଉଥିବା ସ୍ୱେଚ୍ଛାସେବୀ ସଂସ୍ଥା ସହଜୀବନର ରିତୁଜା ମିତ୍ର ଏହି ଦାବିକୁ ସମର୍ଥନ କରିଥାନ୍ତି । ‘‘ଲୋକମୁଖରୁ ଶୁଣିବାକୁ ମିଳେ ଯେ ଜଣେ ରାଜକୁମାର ଦୁଇ ସମ୍ପ୍ରଦାୟକୁ ନିଜ ନବଗଠିତ ରାଜ୍ୟ ନାବନଗରରେ ରହିବା ଲାଗି ନିମନ୍ତ୍ରଣ କରି ଆଣିଥିଲେ, ଯାହା ପରବର୍ତ୍ତୀ ସମୟରେ ‘ଜାମନଗର’ ନାମରେ ଖ୍ୟାତ ହୋଇଥିଲା। ଏବଂ ସେବେଠାରୁ, ଏହି ପଶୁପାଳକ ବଂଶଜମାନେ ଏହି ମାଟିରେ ବସବାସ କରି ଆସୁଛନ୍ତି ।’’

ସହଜୀବନରେ, ଜଙ୍ଗଲ ଅଧିକାର ଆଇନର ରାଜ୍ୟ ସଂଯୋଜିକା ରିତୁଜା କୁହନ୍ତି, ‘‘ଏହି ଅଞ୍ଚଳର କେତେକ ଗାଁର ନାଁରୁ ଜଣାପଡ଼ିଥାଏ ଯେ ଦୀର୍ଘ ସମୟ ହେବ ଏଠାରେ ଜନବସତି ରହିଛି ।’’ ‘‘ସେମିତି ଏକ ଗାଁ ହେଉଛି ଉଣ୍ଠବେଟ ଶମ୍ପର – ଯାହାର ଅର୍ଥ ହେଉଛି ‘ଓଟମାନଙ୍କର ଦ୍ୱୀପ’।’’

ଏହାବ୍ୟତୀତ, ଦୀର୍ଘ ଦିନ ଧରି ଏଠାରେ ରହି ଆସିଥିବା କାରଣରୁ ଓଟମାନେ ସନ୍ତରଣ ଶିଖି ଯାଇଛନ୍ତି । ସସେକ୍ସରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡେଭଲପମେଣ୍ଟ ଷ୍ଟଡିଜ୍‌ର ଗବେଷିକା ଲୀଲା ମେହତା କୁହନ୍ତି : ‘‘ପାରମ୍ପରିକ ଭାବେ ହେନ୍ତାଳ ସହିତ ସହାବସ୍ଥାନ କରିନଥିଲେ ଓଟମାନେ ପହଁରା ଶିଖିଥାନ୍ତେ କିପରି?’’

ରିତୁଜା ଆମକୁ କହିଥିଲେ, ଏମଏନପି ଏବଂ ଏସ ପରିସର ମଧ୍ୟରେ ପ୍ରାୟ ୧,୧୮୪ଟି ଓଟ ଚରୁଥିବେ। ଏସବୁ ଓଟ ୭୪ଟି ମାଲଧାରୀ ପରିବାର ମାଲିକାନାରେ ଅଛନ୍ତି ।

ତତକାଳୀନ ଦେଶୀୟ ରାଜ୍ୟ ନବନଗରର ରାଜଧାନୀ ଭାବେ ୧୫୪୦ ଖ୍ରୀଷ୍ଟାବ୍ଦରେ ଜାମନଗର ପ୍ରତିଷ୍ଠା କରାଯାଇଥିଲା। ମାଲଧାରୀ ମାନେ ଏଠାକୁ ସପ୍ତଦଶ ଶତାବ୍ଦୀର କୌଣସି ଏକ ସମୟରେ ଆସିଥିଲେ ଏବଂ ସେମାନେ କୁହନ୍ତି ଯେ, ସେବେଠାରୁ ଏଠାରେ ସେମାନେ ରହିଆସୁଛନ୍ତି ।

The Kharai camels swim to the mangroves as the water rises with high tide
PHOTO • Ritayan Mukherjee

ଉଚ୍ଚ ଜୁଆର ଆସି ଜଳସ୍ତର ବୃଦ୍ଧି ପାଉଥିବାରୁ ଓଟମାନେ ପହଁରି ପହଁରି ହେନ୍ତାଳ ନିକଟରେ ପହଞ୍ଚିଥାନ୍ତି

ସେମାନେ କାହିଁକି ‘‘ଏ ମାଟିକୁ ସମ୍ମାନ ଦିଅନ୍ତି’’ ତାହା କହିବା ଏତେ କଷ୍ଟକର ନୁହେଁ। ବିଶେଷ କରି ଯଦି ଆପଣ ଜଣେ ଯାଯାବର ପଶୁପାଳକ ହୋଇଥାନ୍ତି ଯିଏକି ଏଠାକାର ଆଶ୍ଚର୍ଯ୍ୟଜନକ ସାମୁଦ୍ରିକ ବିବିଧତାକୁ ଜାଣିଛନ୍ତି ଏବଂ ଏହା ସହିତ ସହାବସ୍ଥାନ କରୁଛନ୍ତି । ଏହି ଉଦ୍ୟାନରେ, ସାମୁଦ୍ରିକ ପ୍ରବାଳ ଚଟାଣ, ହେନ୍ତାଳ ବଣ, ବାଲୁକାପୂର୍ଣ୍ଣ ବେଳାଭୂମି, କାଦୁଆଭୂମି, ତଟବର୍ତ୍ତୀ ଅଞ୍ଚଳ, ପଥୁରିଆ ଉପକୂଳ, ସାମୁଦ୍ରିକ ଘାସ ଶଯ୍ୟା ଏବଂ ଆହୁରି ଅନେକ ବିବିଧତା ସାମିଲ ରହିଛି ।

ଇଣ୍ଡୋ-ଜର୍ମାନ ଜୈବ ବିବିଧତା କାର୍ଯ୍ୟକ୍ରମ, ଜିଆଇଜେଡ ପକ୍ଷରୁ ୨୦୧୬ରେ ପ୍ରକାଶିତ ଏକ ଗବେଷଣା ପତ୍ରରେ ଏହି ପ୍ରାକୃତିକ କ୍ଷେତ୍ରର ଅଭିନବତା ସମ୍ପର୍କରେ ଖୁବ ଭଲ ଭାବେ ଉଲ୍ଲେଖ କରାଯାଇଛି । ଏହି ଅଞ୍ଚଳରେ ୧୦୦ରୁ ଅଧିକ ଶୈବାଳ ପ୍ରଜାତି, ୭୦ ପ୍ରଜାତିର ସ୍ପଞ୍ଜ ଏବଂ ୭୦ରୁ ଅଧିକ ପ୍ରକାରର କଠିନ ଏବଂ ନରମ ପ୍ରବାଳ ଦେଖିବାକୁ ମିଳିଥାଏ। ଏହା ବ୍ୟତୀତ ୨୦୦ ପ୍ରଜାତିର ମାଛ, ୨୭ ପ୍ରକାରର ଚିଙ୍ଗୁଡ଼ି, ୩୦ ପ୍ରକାରର କଙ୍କଡ଼ା ଏବଂ ଚାରି ପ୍ରକାରର ସାମୁଦ୍ରିକ ଘାସ ଏଠାରେ ରହିଛନ୍ତି ।

ଏଠାକାର ବିବିଧତା କେବଳ ଏତିକିରେ ସରେ ନାହିଁ । ଉକ୍ତ ଗବେଷଣା ପତ୍ରରେ ଥିବା ତଥ୍ୟ ଅନୁଯାୟୀ: ଆପଣ ଏଠାରେ ତିନୋଟି ଲେଖାଏଁ ପ୍ରକାରର ସାମୁଦ୍ରିକ କଇଁଛ ଏବଂ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ, ୨୦୦ରୁ ଅଧିକ ପ୍ରକାରର ସନ୍ଧିପଦ ପ୍ରାଣୀ, ୯୦ରୁ ଅଧିକ ପ୍ରକାରର ଶାମୁକା ଜାତୀୟ ପ୍ରାଣୀ, ୫୫ ପ୍ରକାରର ଗ୍ୟାଷ୍ଟ୍ରୋପଡ୍‌ ବା ଶଙ୍ଖଜାତୀୟ ପ୍ରାଣୀ ଏବଂ ୭୮ ପ୍ରକାରର ପକ୍ଷୀ ଦେଖିବାକୁ ପାଇ ପାରିବେ ।

ଏଠାରେ, ଫକିରାନୀ ଜାଟ୍‌ ଏବଂ ରବାରୀମାନେ ଅନେକ ପିଢ଼ି ଧରି ଖରାଇ ଓଟ ଚରେଇ ଆସୁଛନ୍ତି । ଗୁଜରାଟୀରେ ‘ଖରାଇ’ର ଅର୍ଥ ହେଉଛି ‘ଲବଣାକ୍ତ’। ଖରାଇ ହେଉଛି ଓଟମାନଙ୍କର ଏକ ବିଶେଷ ପ୍ରଜାତି ଯେଉଁମାନେ ଏଠାକାର ଇକୋଜୋନ ସହ ଭଲ ଭାବେ ମିଶିଯାଇଛନ୍ତି ଏବଂ ଆପଣମାନେ ସାଧାରଣତଃ ଜାଣିଥିବା ଓଟମାନଙ୍କ ଠାରୁ ଏଗୁଡ଼ିକ ଅଲଗା। ଏମାନଙ୍କ ଖାଦ୍ୟରେ ବିଭିନ୍ନ ବୃକ୍ଷ, ଗୁଳ୍ମ ଏବଂ ସବୁଠୁ ଜରୁରି ହେନ୍ତାଳ ସାମିଲ ରହିଛି ବୋଲି କାରୁ ମେରୁ ଜାଟ୍‌ କୁହନ୍ତି ।

ଏସବୁ ପ୍ରାଣୀ – ପହଁରିବା ପାଇଁ ପରିଚିତ ଏକମାତ୍ର ଓଟ – ଙ୍କ ସହିତ ନିର୍ଦ୍ଦିଷ୍ଟ ମାଲଧାରୀ ସମୁଦାୟ ବା ବଂଶର ପଶୁପାଳକ ଦଳ ରହିଥାନ୍ତି, ଯେଉଁମାନେ ଏମାନଙ୍କର ମାଲିକ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ସାଧାରଣତଃ ଦୁଇ ଜଣ ମାଲଧାରୀ ପୁରୁଷ ସାମିଲ ଥାଆନ୍ତି ଯେଉଁମାନେ ଓଟଙ୍କ ସହିତ ପହଁରନ୍ତି। ବେଳେବେଳେ, ସେମାନଙ୍କ ମଧ୍ୟରୁ ଜଣେ ଛୋଟିଆ ଡଙ୍ଗାରେ ଖାଦ୍ୟ ଓ ପିଇବା ପାଣି ନେଇ ସାଥୀରେ ଚାଲିଥାନ୍ତି ଏବଂ ବେଳେ ବେଳେ ଗାଁକୁ ଫେରି ଆସନ୍ତି । ଅନ୍ୟ ପଶୁପାଳକ ଜଣଙ୍କ ଓଟଙ୍କ ସହିତ ଦ୍ୱୀପରେ ରହିଯାଆନ୍ତି ଏବଂ ଓଟ କ୍ଷୀର ସହିତ ହାଲୁକା ଖାଦ୍ୟ ଖାଇଥାନ୍ତି, ଯାହାକି ଏହି ସମୁଦାୟର ଖାଦ୍ୟପ୍ରଣାଳୀରେ ଏକ ଜରୁରି ଅଂଶବିଶେଷ।

Jethabhai Rabari (left) and Dudabhai Rabari making tea after grazing their camels in Khambaliya
PHOTO • Ritayan Mukherjee

ଖମ୍ବାଲିୟାରେ ସେମାନଙ୍କର ଓଟ ଚରାଇବା ପରେ ଚା ତିଆରି କରୁଛନ୍ତି ଜେଠାଭାଇ ରବାରୀ ( ବାମ ) ଏବଂ ଦୁଦାଭାଇ ରବାରୀ

ଯଦିଓ ସବୁକିଛି ଦ୍ରୁତ ଗତିରେ ବଦଳିବାରେ ଲାଗିଛି, ମାଲଧାରୀ ଙ୍କ ପାଇଁ ସବୁଠୁ ଖରାପ ସ୍ଥିତି ଆସିଛି। ‘‘ନିଜକୁ ଏବଂ ନିଜ ବେଉସାକୁ ବଜାୟ ରଖିବା କଠିନ ହୋଇଯାଇଛି,’’ ଜେଠାଭାଇ ରବାରୀ କୁହନ୍ତି । ‘‘ଏହି କ୍ଷେତ୍ରର ଅଧିକରୁ ଅଧିକ ଅଞ୍ଚଳ ବନ ବିଭାଗ ନିୟନ୍ତ୍ରଣକୁ ଆସିବା ଫଳରେ ଆମର ଚାରଣ ଭୂମି ଦିନକୁ ଦିନ ସଙ୍କୁଚିତ ହୋଇଯାଇଛି। ପୂର୍ବରୁ ଆମେ ସହଜରେ ହେନ୍ତାଳ ବନକୁ ଯାଇପାରୁଥିଲୁ। ୧୯୯୫ ପରଠାରୁ, ଚାରଣ ଉପରେ ନିଷିଦ୍ଧାଦେଶ ଜାରି ହୋଇଛି। ତା’ଛଡ଼ା ଲବଣ କ୍ଷେତ୍ର ରହିଛି ଯାହା ଆମକୁ ସମସ୍ୟାରେ ପକାଉଛି । ଏହାଛଡ଼ା, ପ୍ରବାସ ପାଇଁ ଖୁବ କମ ସୁଯୋଗ ରହିଛି। ଏହାଠାରୁ ଅଧିକ ଆମ ଉପରେ ଏବେ ଅତ୍ୟଧିକ ଚାରଣ ନେଇ ଅଭିଯୋଗ କରାଯାଉଛି। ଏହା କିଭଳି ସମ୍ଭବ?’’

ରିତୁଜା ମିତ୍ର ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ଏଫଆରଏ ଉପରେ କାମ କରିଛନ୍ତି। ସେ ପଶୁପାଳକମାନଙ୍କ ଦାବିକୁ ସମର୍ଥନ କରିଥାନ୍ତି। ‘‘ଯଦି କେହି ଓଟମାନଙ୍କ ଚରିବା [କିମ୍ବା ବରଂ ଖାଇବା] ପାଟର୍ଣ୍ଣକୁ ଦେଖିବ ତା’ହେଲେ ସେମାନେ ବୃକ୍ଷ ପ୍ରଜାତିର ଉପର ଭାଗରୁ ଖାଇଥାନ୍ତି ଯାହାକି ବାସ୍ତବରେ ଗଛ ବଢ଼ିବାରେ ସହାୟକ ହୋଇଥାଏ! ସାମୁଦ୍ରିକ ଜାତୀୟ ଉଦ୍ୟାନର ବେଟ୍ସ (ଦ୍ୱୀପପୁଞ୍ଜ) ସବୁବେଳେ ବିଲୁପ୍ତପ୍ରାୟ ଖରାଇ ଓଟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିଆସିଛି, ଏମାନେ ହେନ୍ତାଳ କିମ୍ବା ସମାନ ପ୍ରଜାତିର ଗଛକୁ ଖାଇଥାନ୍ତି।’’

ବନ ବିଭାଗ କିନ୍ତୁ ଅନ୍ୟ କଥା କହିଥାଏ। ଏହା ଦ୍ୱାରା ଲିଖିତ କେତେକ ଦସ୍ତାବିଜ ଏବଂ କିଛି ଶିକ୍ଷାବିତ୍‌ମାନେ ମଧ୍ୟ ଦାବି କରିଥାନ୍ତି ଯେ ଓଟମାନଙ୍କୁ ଖୁଆଇବା ଦ୍ୱାରା ‘ଅତି ଚାରଣ’ ବା ଓଭରଗ୍ରେଜିଂ ହୋଇଥାଏ। ଏ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ଥିବା ସେମାନେ ଦାବି କରିଥାନ୍ତି ।

ହେନ୍ତାଳ ବନ କ୍ଷତିଗ୍ରସ୍ତ ହେବା ପଛରେ ଅନେକ କାରଣ ରହିଥିବା ୨୦୧୬ର ଗବେଷଣା ପତ୍ରରେ ଉଲ୍ଲେଖ କରାଯାଇଛି। ଶିଳ୍ପାୟନ ଏବଂ ଅନ୍ୟ କାରଣକୁ ଏଥିପାଇଁ ଦାୟୀ କରାଯାଇଛି। କିନ୍ତୁ କୌଣସି ସ୍ଥାନରେ ହେନ୍ତାଳ ଜଙ୍ଗଲ କ୍ଷୟ ହେବା ପାଇଁ ମାଲଧାରୀ କିମ୍ବା ସେମାନଙ୍କ ଓଟମାନଙ୍କୁ ଦାୟୀ କରାଯାଇନାହିଁ।

ସେହି ଏକାଧିକ କାରଣଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ

ଏସବୁ ପ୍ରାଣୀ – ପହଁରିବା ପାଇଁ ପରିଚିତ ଏକମାତ୍ର ଓଟ – ଙ୍କ ସହିତ ନିର୍ଦ୍ଦିଷ୍ଟ ମାଲଧାରୀ ସମୁଦାୟ ବା ବଂଶର ପଶୁପାଳକ ଦଳ ରହିଥାନ୍ତି, ଯେଉଁମାନେ ଏମାନଙ୍କର ମାଲିକ ହୋଇଥାନ୍ତି

ଭିଡ଼ିଓ ଦେଖନ୍ତୁ : ଗୁଜରାଟର ଭୋକିଲା ସନ୍ତରଣକାରୀ ଓଟମାନେ

୧୯୮୦ ପରଠାରୁ ଜାମନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଯଥେଷ୍ଟ ଶିଳ୍ପାୟନ ଦେଖିବାକୁ ମିଳିଛି। ‘‘ଲବଣ ଉଦ୍ୟୋଗ, ତୈଳ ଜେଟୀ ଏବଂ ଅନ୍ୟ ଶିଳ୍ପାୟନ ଏହି ଅଞ୍ଚଳରେ ମୁଣ୍ଡ ଟେକିଛି,’’ ରିତୁଜା କୁହନ୍ତି। ‘‘ବ୍ୟବସାୟିକ ସୁଗମତା ପାଇଁ ଜମି ପ୍ରଦାନ କରାଯିବା ସମୟରେ ସେମାନେ ଅତି କମ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ! କିନ୍ତୁ ପଶୁପାଳକମାନଙ୍କ ବେଉସା କଥା ଉଠିଲେ, ବିଭାଗ ସଂରକ୍ଷକ ପାଲଟିଯାଏ। ଏହା, ଘଟଣାକ୍ରମେ, ସମ୍ବିଧାନର ଅନୁଚ୍ଛେଦ ୧୯ (ଜି)ର ଉଲ୍ଲଙ୍ଘନ, ଯେଉଁଥିରେ ‘କୌଣସି ଜୀବିକା ନିର୍ବାହ କରିବା, କିମ୍ବା ଯେକୌଣସି ପେସା, ବାଣିଜ୍ୟ କିମ୍ବା ବ୍ୟବସାୟ ଚଳାଇବା’ ପାଇଁ ଅଧିକାର ଦିଆଯାଇଛି ।’’

ସାମୁଦ୍ରିକ ପାର୍କ ଭିତରେ ପଶୁପାଳକମାନଙ୍କୁ ଓଟ ଚରାଇବାକୁ ନିଷେଧ କରାଯାଇଥିବା କାରଣରୁ ଓଟ ପାଳକମାନେ ଅଧିକାଂଶ ସମୟରେ ଜଙ୍ଗଲ ବିଭାଗ ଠାରୁ ନିର୍ଯାତନାର ଶିକାର ହୋଇଥାନ୍ତି। ଏପରି ଶୋଷଣର ଶିକାର ହୋଇଥିବା ଜଣେ ମାଲଧାରୀ ହେଉଛନ୍ତି ଆଦମ ଜାଟ। ‘‘କିଛି ବର୍ଷ ପୂର୍ବରୁ,’’ ସେ କୁହନ୍ତି, ‘‘ଏଠାରେ ଓଟ ଚରାଇବା ପାଇଁ ବନ ବିଭାଗ ଅଧିକାରୀମାନେ ମୋତେ ଅଟକ ରଖିଥିଲେ ଏବଂ ଏଥିପାଇଁ ମୁଁ ୨୦,୦୦୦ ଟଙ୍କାର ଜୋରିମାନା ଦେଇଥିଲି।’’ ଏଠାକାର ଅନ୍ୟ ପଶୁପାଳକମାନେ ମଧ୍ୟ ସମାନ ସମସ୍ୟାର ସମ୍ମୁଖିନ ହୋଇଥିବା କୁହନ୍ତି।

‘‘କେନ୍ଦ୍ର ସରକାରଙ୍କ  ୨୦୦୬ର ଆଇନ ଏବେ ସୁଦ୍ଧା କୌଣସି ସହାୟତା କରିପାରୁନାହିଁ,’’ ରିତୁଜା ମିତ୍ର କୁହନ୍ତି। ଜଙ୍ଗଲ ଅଧିକାର ଆଇନ ୨୦୦୬ର ଧାରା ୩(୧) (ଘ)ରେ ଉପଯୋଗ ଏବଂ ଚାରଣ (ଉଭୟ ସ୍ଥାୟୀ ବାସିନ୍ଦା କିମ୍ବା ଯାଯାବର ପଶୁପାଳକଙ୍କ ପାଇଁ) ଅଧିକାର ପ୍ରଦାନ କରାଯାଇଛି। ଯାଯାବର କିମ୍ବା ପଶୁପାଳକ ସମୁଦାୟକୁ ପାରମ୍ପରିକ ଋତୁକାଳୀନ ସମ୍ବଳର ଉପଯୋଗ ଅଧିକାର ମଧ୍ୟ ଏଥିରେ ଦିଆଯାଇଛି।

‘‘ତଥାପି, ଜଙ୍ଗଲ ବିଭାଗ ସୁରକ୍ଷା କର୍ମୀମାନେ ପଶୁ ଚରାଇବା ଲାଗି ଏହି ମାଲଧାରୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରିଥାନ୍ତି। ଧରାପଡ଼ିଲେ ଏମାନେ ୨୦,୦୦୦ରୁ ଆରମ୍ଭ କରି ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ବାଧ୍ୟ ହୁଅନ୍ତି,’’ ରିତୁଜା କୁହନ୍ତି। ଏଫଆରଏ ଅଧୀନରେ ଏମାନଙ୍କ ସୁରକ୍ଷା ପାଇଁ କରାଯାଇଥିବା ବିଭିନ୍ନ ନିୟମ କେବଳ କାଗଜପତ୍ରରେ ସୀମିତ ରହିଯାଇଥିବା ସେ କହିଥାନ୍ତି।

ଅନେକ ପିଢ଼ି ଧରି ଏଠାରେ ରହିଆସିଥିବା ତଥା ଅନ୍ୟ କାହା ଅପେକ୍ଷା ଏହି କ୍ଷେତ୍ରର ଜଟିଳ ଢାଞ୍ଚାକୁ ଭଲ ଭାବେ ଜାଣିଥିବା ପଶୁପାଳକମାନଙ୍କୁ ସମ୍ପୃକ୍ତ ନକରି ହେନ୍ତାଳ ଜଙ୍ଗଲ ଘନତ୍ୱ ବଢ଼ାଇବା ଲାଗି ଚେଷ୍ଟା କରିବା ନିଷ୍ଫଳ ପ୍ରତୀୟମାନ ହୋଇଥାଏ। ‘‘ଆମେ ଏ ଭୂମିକୁ ଭଲ ଭାବେ ଜାଣିଛୁ, ଏଠାକାର ପରିବେଶ କିଭଳି କାର୍ଯ୍ୟ କରିଥାଏ ଜାଣିଛୁ ଏବଂ ବିଭିନ୍ନ ପ୍ରଜାତି, ହେନ୍ତାଳର ସୁରକ୍ଷା ପାଇଁ ସରକାରଙ୍କ ନୀତି ବିରୋଧରେ ଆମେ କାମ କରୁନାହୁଁ,’’ ଜଗାଭାଇ ରବାରୀ କୁହନ୍ତି। ‘‘ଆମର କହିବା କଥା ହେଉଛି: କୌଣସି ନୀତି ପ୍ରଣୟନ କରିବା ପୂର୍ବରୁ ଦୟାକରି ଆମ କଥା ଶୁଣନ୍ତୁ। ନଚେତ୍‌ ଏହି ଅଞ୍ଚଳ ଆଖପାଖରେ ରହୁଥିବା ୧,୨୦୦ ଲୋକଙ୍କ ଜୀବନଜୀବିକା ଏବଂ ଏମାନଙ୍କ ସହ ରହୁଥିବା ଓଟମାନଙ୍କର ଜୀବନ ବାଜି ଲାଗିଯିବ।’’

The thick mangrove cover of the Marine National Park and Sanctuary located in northwest Saurashtra region of Gujarat
PHOTO • Ritayan Mukherjee

ଗୁଜରାଟର ଉତ୍ତରପଶ୍ଚିମ ସୌରାଷ୍ଟ୍ର କ୍ଷେତ୍ରରେ ଅବସ୍ଥିତ ସାମୁଦ୍ରିକ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟର ଘନ ହେନ୍ତାଳ ଜଙ୍ଗଲ


Bhikabhai Rabari accompanies his grazing camels by swimming alongside them
PHOTO • Ritayan Mukherjee

ଭିକାଭାଇ ରବାରୀ ନିଜ ଓଟମାନଙ୍କୁ ଚରାଇବାକୁ ନେବା ସମୟରେ ସେମାନଙ୍କ ସହିତ ପହଁରି ଯାଇଥାନ୍ତି


Aadam Jat holding his homemade polystyrene float, which helps him when swims with his animals
PHOTO • Ritayan Mukherjee

ଆଦମ ଜାଟ ନିଜ ଘରେ ତିଆରି ପଲିଷ୍ଟାଇନ ଫ୍ଲୋଟକୁ ଧରିଛନ୍ତି, ଯାହାକି ତାଙ୍କୁ ପଶୁଙ୍କ ସହିତ ପହଁରିବାରେ ସହାୟକ ହୋଇଥାଏ


Magnificent Kharai camels about to get into the water to swim to the bets (mangrove islands)
PHOTO • Ritayan Mukherjee

ଚମତ୍କାର ଖରାଇ ଓଟମାନେ ବେଟ୍ସ (ହେନ୍ତାଳ ଦ୍ୱୀପପୁଞ୍ଜ )କୁ ପହଁରି ଯିବା ଲାଗି ପାଣିରେ ପ୍ରବେଶ କରୁଛନ୍ତି


Kharai camels can swim a distance of 3 to 5 kilometres in a day
PHOTO • Ritayan Mukherjee

ଖରାଇ ଓଟମାନେ ଗୋଟିଏ ଦିନରେ ୩ରୁ ୫ କିଲୋମିଟର ପର୍ଯ୍ୟନ୍ତ ପହଁରି ପାରନ୍ତି

The swimming camels float through the creeks in the Marine National Park in search of food
PHOTO • Ritayan Mukherjee

ସନ୍ତରଣକାରୀ ଓଟମାନେ ଖାଦ୍ୟ ସନ୍ଧାନରେ ସାମୁଦ୍ରିକ ଜାତୀୟ ଉଦ୍ୟାନର ତଟବର୍ତ୍ତୀ କ୍ଷେତ୍ରରେ ଗୋଟିଏ ସ୍ଥାନରୁ ଅନ୍ୟତ୍ର ପହଁରିଥାଆନ୍ତି


Hari, Jethabhai Rabari's son, swimming near his camels. ‘I love to swim with the camels. It’s so much fun!’
PHOTO • Ritayan Mukherjee

ଜେଠାଭାଇ ରବାରିଙ୍କ ପୁଅ ହରି ତାଙ୍କ ଓଟ ପାଖରେ ପହଁରୁଛନ୍ତି । ‘ଓଟଙ୍କ ସହିତ ପହଁରିବାକୁ ମୋତେ ଭାରି ଭଲ ଲାଗେ। ଏଥିରେ ଖୁବ ମଜା ଲାଗେ !’

The camels’ movement in the area and their feeding on plants help the mangroves regenerate
PHOTO • Ritayan Mukherjee

ଏହି ଅଞ୍ଚଳରେ ଓଟମାନେ ଚଳପ୍ରଚଳ ହେବା ଏବଂ ବୃକ୍ଷଲତାକୁ ଖାଇବା ଦ୍ୱାରା ହେନ୍ତାଳ ପୁନଃବଢ଼ିବାରେ ସହାୟତା ମିଳିଥାଏ


A full-grown Kharai camel looking for mangrove plants
PHOTO • Ritayan Mukherjee

ହେନ୍ତାଳ ବୃକ୍ଷ ସନ୍ଧାନରେ ଏକ ପ୍ରାପ୍ତବୟସ୍କ ଖରାଇ ଓଟ

Aadam Jat (left) and a fellow herder getting on the boat to return to their village after the camels have left the shore with another herder
PHOTO • Ritayan Mukherjee

ଆଦମ ଜାଟ (ବାମ) ଏବଂ ତାଙ୍କର ଜଣେ ସାଥୀ ପଶୁପାଳକ ଓଟମାନଙ୍କୁ ଅନ୍ୟ ଜଣେ ପଶୁପାଳକଙ୍କ ସହ କୂଳରେ ଛାଡ଼ିବା ପରେ ଗାଁକୁ ଫେରିବା ଲାଗି ଡଙ୍ଗାରେ ବସୁଛନ୍ତି


Aadam Jat, from the Fakirani Jat community, owns 70 Kharai camels and lives on the periphery of the Marine National Park in Jamnagar district
PHOTO • Ritayan Mukherjee

ଫକିରାନୀ ଜାଟ୍‌ ସମୁଦାୟର ଆଦମ ଜାଟଙ୍କର ୭୦ଟି ଖରାଇ ଓଟ ରହିଛି ଏବଂ ସେ ଜାମନଗର ଜିଲ୍ଲାର ସାମୁଦ୍ରିକ ଜାତୀୟ ଉଦ୍ୟାନ ପରିସରରେ ରହିଥାନ୍ତି

Aadam Jat in front of his house in Balambha village of Jodiya taluka. ‘We have been here for generations. Why must we face harassment for camel grazing?’
PHOTO • Ritayan Mukherjee

ଜୋଡ଼ିୟା ତାଲୁକାର ବଳମ୍ଭା ଗ୍ରାମରେ ଥିବା ନିଜ ଘର ଆଗରେ ବସିଛନ୍ତି ଆଦମ ଜାଟ। ‘ଅନେକ ପିଢ଼ି ଧରି ଆମେ ଏଠାରେ ରହିଆସୁଛୁ। ଓଟ ଚରେଇବା ପାଇଁ ଆମେ କାହିଁକି ନିର୍ଯାତନାର ଶିକାର ହେବୁ?’


Jethabhai's family used to own 300 Kharai camels once. ‘Many died; I am left with only 40 now. This occupation is not sustainable anymore’
PHOTO • Ritayan Mukherjee

ଏକଦା ଜେଠାବାଇଙ୍କ ପରିବାର ମାଲିକାନାରେ ୩୦୦ ଖରାଇ ଓଟ ଥିଲେ। ‘ଅନେକ ମୃତ୍ୟୁବରଣ କଲେ; ଏବେ ମୋ ପାଖରେ ମାତ୍ର ୪୦ଟି ଓଟ ଅଛନ୍ତି। ଏ ବେଉସା ଆଉ ଦୀର୍ଘସ୍ଥାୟୀ ହୋଇନାହିଁ’


Dudabhai Rabari (left) and Jethabhai Rabari in conversation. ‘We both are in trouble because of the rules imposed by the Marine National Park. But we are trying to survive through it,’ says Duda Rabari
PHOTO • Ritayan Mukherjee

ଦୁଦାଭାଇ ରବାରୀ (ବାମ) ଏବଂ ଜେଠାଭାଇ ରବାରୀ ପରସ୍ପର ସହ କଥା ହେଉଛନ୍ତି। ‘ସାମୁଦ୍ରିକ ଜାତୀୟ ଉଦ୍ୟାନ ଯୋଗୁ ଲାଗୁ ହୋଇଥିବା ନିୟମ କାରଣରୁ ଆମେ ଉଭୟ ସମସ୍ୟାରେ ପଡ଼ିଛୁ। କିନ୍ତୁ ଏହା ଭିତରେ ଆମେ ବଞ୍ଚି ରହିବା ଲାଗି ଚେଷ୍ଟା କରୁଛୁ,’ ଦୁଦା ରବାରୀ କୁହନ୍ତି

As the low tide settles in the Gulf of Kachchh, Jethabhai gets ready to head back home
PHOTO • Ritayan Mukherjee

କଚ୍ଛ ତଟରେ ଜୁଆର କମିବା ପରେ, ଜେଠାଭାଇ ଘରକୁ ଫେରିବା ଲାଗି ପ୍ରସ୍ତୁତ ହେଉଛନ୍ତି


Jagabhai Rabari and his wife Jiviben Khambhala own 60 camels in Beh village of Khambaliya taluka, Devbhumi Dwarka district. ‘My livelihood depends on them. If they are happy and healthy, so am I,’ Jagabhai says
PHOTO • Ritayan Mukherjee

ଦେବଭୂମୀ ଦ୍ୱାରକା ଜିଲ୍ଲା ର ଖମ୍ବାଲିୟା ତାଲୁକାର ବେହ ଗ୍ରାମରେ ୬୦ ଓଟଙ୍କ ମାଲିକ ଜଗଭାଇ ରବାରୀ ଏବଂ ତାଙ୍କ ପତ୍ନୀ ଜିଭିବେନ ଖମ୍ଭାଲା। ‘ମୋର ଜୀବିକା ସେମାନଙ୍କ ଉପରେ ନିର୍ଭରଶୀଳ। ସେମାନେ ସୁଖୀ ଓ ସୁସ୍ଥ ରହିଲେ, ମୁଁ ମଧ୍ୟ ରହିପାରିବି,’ ଜଗାଭାଇ କୁହନ୍ତି


A maldhari child holds up a smartphone to take photos; the back is decorated with his doodles
PHOTO • Ritayan Mukherjee

ଫଟୋ ଉଠାଇବା ଲାଗି ସ୍ମାର୍ଟଫୋନଟିଏ ଧରିଛନ୍ତି ଜଣେ ମାଲଧାରୀ ଶିଶୁ; ଫୋନର ପଛ ଭାଗ ଡୁଡଲ୍ସରେ ସଜେଇ ହୋଇଛି


A temple in Beh village. The deity is worshipped by Bhopa Rabaris, who believe she looks after the camels and their herders
PHOTO • Ritayan Mukherjee

ବେହ ଗ୍ରାମରେ ଥିବା ଏକ ମନ୍ଦିର। ଏଠି ଥିବା ଦେବୀଙ୍କୁ ଭୋପା ରବାରୀ ପୂଜା କରିଥାନ୍ତି, ଓଟ ଏବଂ ସେମାନଙ୍କର ପାଳକମାନଙ୍କୁ ଦେବୀ ସୁରକ୍ଷା ଦିଅନ୍ତି ବୋଲି ତାଙ୍କର ବିଶ୍ୱାସ ରହିଛି


There are about 1,180 camels that graze within the Marine National Park and Sanctuary
PHOTO • Ritayan Mukherjee

ସାମୁଦ୍ରିକ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ କ୍ଷେତ୍ର ମଧ୍ୟରେ ପ୍ରାୟ ୧,୧୮୦ଟି ଓଟ ଚରି ବୁଲିଥାନ୍ତି


ଏହି ରିପୋର୍ଟ  ପ୍ରସ୍ତୁତି ସମୟରେ ସହଜୀବନର ଓଟ କାର୍ଯ୍ୟକ୍ରମର ପୂର୍ବତନ ସମନ୍ୱୟକାରୀ, ମହେନ୍ଦ୍ର ଭନାନିଙ୍କର ଦକ୍ଷତା ଓ ସହାୟତା ପାଇଁ  ରିପୋର୍ଟର ତାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହାନ୍ତି।

ସେଣ୍ଟର ଫର ପାଷ୍ଟରାଲିଜିମ୍‌ ଠାରୁ ମିଳିଥିବା ନିରପେକ୍ଷ ଯାତ୍ରା ଅନୁଦାନ ଜରିଆରେ ରିତାୟନ ମୁଖାର୍ଜୀ ପଶୁପାଳକ ଏବଂ ଯାଯାବର ସମୁଦାୟଙ୍କ ଉପରେ ଖବର ସଂଗ୍ରହ କରିଥାନ୍ତି । ଏହି କାହାଣୀର ବିଷୟବସ୍ତୁ ଉପରେ ସେଣ୍ଟର କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ପ୍ରୟୋଗ କରିନଥାଏ।

ଅନୁବାଦ: ଓଡ଼ିଶାଲାଇଭ୍‍

Photos and Text : Ritayan Mukherjee

Ritayan Mukherjee is a Kolkata-based photographer and a PARI Senior Fellow. He is working on a long-term project that documents the lives of pastoral and nomadic communities in India.

Other stories by Ritayan Mukherjee
Video : Urja

Urja is a Video Editor and a documentary filmmaker at the People’s Archive of Rural India

Other stories by Urja

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath
Photo Editor : Binaifer Bharucha

Binaifer Bharucha is a freelance photographer based in Mumbai, and Photo Editor at the People's Archive of Rural India.

Other stories by Binaifer Bharucha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE