ଯେତେବେଳେ ଶାନ୍ତି ଗୁରୁମା ଗୁଦାଲୁରର ବିଦ୍ୟୋଦୟ ସ୍କୁଲରେ ନିଜ ଶ୍ରେଣୀରେ ଗଣିତ ପଢ଼ାଇବାକୁ ଆସନ୍ତି, ସେତେବେଳେ ଜଙ୍ଗଲ ଶ୍ରେଣୀଗୃହ ଭିତରକୁ ପଶିଆସେ। ଏହି ଶ୍ରେଣୀର ଆଦିବାସୀ ପିଲାମାନେ ପ୍ରାୟ ୯ବର୍ଷ ବୟସର। ସେମାନେ ବାହାରକୁ ଦୌଡ଼ନ୍ତି, ଗଛରେ ଚଢ଼ନ୍ତି ଓ ଲମ୍ବା ବାଡ଼ି ପାଇଁ ଜଙ୍ଗଲ ଭୂମି ଦରାଣ୍ଡନ୍ତି। ଏହାପରେ ସେମାନେ ସେହି ବାଡ଼ିର ଲମ୍ବକୁ ମିଟର ମାପ ଦ୍ୱାରା ଚିହ୍ନଟ କରି ନିଜ ନିଜ ଘରର କାନ୍ଥ ମାପନ୍ତି। ସାଧାରଣ ମାପର ଶିକ୍ଷା ଏମିତି ଭାବରେ ହିଁ ଆରମ୍ଭ ହୁଏ।

ତାମିଲନାଡ଼ୁର ନୀଳଗିରି ଜିଲ୍ଲାର ଗୁଦାଲୁର ତାଲୁକରେ ଥିବା ଏହି ସ୍କୁଲର ଅଧିକାଂଶ ପାଠ୍ୟକ୍ରମ ଜଙ୍ଗଲ ଓ ଆଦିବାସୀ ଜୀବନଶୈଳୀ ଉପରେ ଆଧାରିତ। ସକାଳ ପ୍ରାର୍ଥନା ସଭାରେ ଆଦିବାସୀ ଗୀତ ଓ ନୃତ୍ୟ ସାମିଲ। ଅପରାହ୍ନରେ ଆଦିବାସୀ ହସ୍ତଶିଳ୍ପ ଶିଖାଯାଏ। ପ୍ରକୃତି ସହ ଘନିଷ୍ଠ ହେବା ପାଇଁ ଜଙ୍ଗଲ ଭିତରକୁ ଭ୍ରମଣ ପାଇଁ ନିଆଯାଏ। ବେଳେବେଳେ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପିତାମାତା ମଧ୍ୟ ଯାଆନ୍ତି। ପିଲାମାନଙ୍କୁ ଗଛ, ରାସ୍ତା, ନିରୀକ୍ଷଣ କରିବା ଅଭ୍ୟାସ ଓ ନିରବତାର ଗୁରୁତ୍ୱ ବିଷୟରେ ଶିକ୍ଷା ଦିଆଯାଏ। 

ବିଦ୍ୟୋଦୟର ଏକ ପାଠ୍ୟପୁସ୍ତକ ‘ଦି ଫୁଡ୍ ବୁକ୍’ରେ ଥିବା ପାଠ୍ୟ ବିଷୟବସ୍ତୁରେ ସ୍ଥାନୀୟ ଆଦିବାସୀ ଗୋଷ୍ଠୀଗୁଡ଼ିକର ଶିକାର, ମାଛଧରା ଓ କୃଷି ପରମ୍ପରା ଆଦି ସାମିଲ ରହିଛି। ଲାଇବ୍ରେରୀ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ପାନିଆନ୍ ଆଦିବାସୀ ଗୋଷ୍ଠୀର କ୍ଷୁଦ୍ର ଗଳ୍ପ ପୁସ୍ତକ କିଲିନା ପେଙ୍ଗା (ଶୁଆମାନଙ୍କର ଭଉଣୀ) ବହିଟିଏ ନେଇ ପଢ଼ିପାରନ୍ତି। ଏ ବହି ସ୍କୁଲ ଦ୍ୱାରା ପ୍ରସ୍ତୁତ କରାଯାଇଛି। ପିତାମାତା ଓ ଅଭିଭାବକମାନେ ନିୟମିତ ଭାବେ ସ୍କୁଲ ପରିଦର୍ଶନରେ ଆସନ୍ତି। କେହି କେହି ଅତିଥି ଶିକ୍ଷକ ଭାବରେ ଯୋଗଦେଇ ଆଦିବାସୀ ପରମ୍ପରା ସମ୍ପର୍କରେ ଶିକ୍ଷା ଦିଅନ୍ତି। ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୂର୍ଣ୍ଣାଙ୍ଗ ପାଠ୍ୟ ଖସଡ଼ାର ମୁଖ୍ୟ ବିନ୍ଧାଣୀ ରମା ଶାସ୍ତ୍ରୀ କୁହନ୍ତି, “ଆମେ ଏହା ସୁନିଶ୍ଚିତ କରିବାକୁ ଉଦ୍ୟମ କରିଛୁ, ଯେପରି ସ୍କୁଲ ପିଲାମାନଙ୍କଠାରେ ଆଦିବାସୀ ସଂସ୍କୃତିର ପରିପୋଷଣ କରିବ ଏବଂ ସେମାନଙ୍କୁ ପିତାମାତାଙ୍କ ଠାରୁ ଦୂରେଇ ନ ନେବ। ଏଥିରେ ଆଦିବାସୀ ଶିକ୍ଷକଙ୍କୁ ସାମିଲ କରିବା ଦ୍ୱାରା ଏହି ଲକ୍ଷ୍ୟ ପ୍ରତି ସେମାନଙ୍କର ନିଷ୍ଠା ଓ ସହୃଦୟତା ରହୁଛି। ସ୍କୁଲର ଜନୈକ ବରିଷ୍ଠ ଶିକ୍ଷୟିତ୍ରୀ ଜାନକୀ କାରପଗମ୍ ନିଜେ ଜଣେ ପାନିଆନ୍ ଆଦିବାସୀ। ସେ କୁହନ୍ତି, ‘ଯଦି ଆମ ସଂସ୍କୃତି ବିଷୟରେ ସ୍କୁଲରେ ଶିକ୍ଷା ଦିଆଯିବ, ତେବେ ପିଲାମାନେ ବଡ଼ ହେଲା ପରେ ବି ଏହାକୁ ଭୁଲିବେ ନାହିଁ କିମ୍ବା ଜୀବନର ପରବର୍ତ୍ତୀ ସମୟରେ ହୀନମନ୍ୟତାର ଶିକାର ହେବେନାହିଁ।”

Morning assembly in school
PHOTO • Priti David
Shanthi Kunjan holding sticks that the children will use to measure their homes
PHOTO • Priti David

ଛାତ୍ରଛାତ୍ରୀମାନେ ସକାଳ ପ୍ରାର୍ଥନା ସଭାରେ ଆଦିବାସୀ ଗୀତ ଗାଉଛନ୍ତି (ବାମ) ଏବଂ ଜଙ୍ଗଲରୁ ପାଇଥିବା ବାଡ଼ିକୁ ଗଣିତ ଶ୍ରେଣୀରେ ମାପ ପାଇଁ ବ୍ୟବହାର କରୁଛନ୍ତି (ଡାହାଣ)

୧୯୯୦ ଦଶକର ଆଦ୍ୟଭାଗରେ ଏକ ଅନୌପଚାରିକ ବିଦ୍ୟାଳୟ ଭାବରେ ବିଦ୍ୟୋଦୟ ଆରମ୍ଭ ହୋଇଥିଲା। ଗୁଦାଲୁରରେ ଆଦିବାସୀ ପ୍ରତିନିଧି ସଂଗଠନ ଆଦିବାସୀ ମୁନେତ୍ରା ସଂଗମ ବିଦ୍ୟାଳୟକୁ ଏକ ମଡେଲ୍ ସ୍କୁଲ ଭାବରେ ଗଠନ କରିବାକୁ ପ୍ରସ୍ତାବ ଦେଲା। ସ୍କୁଲକୁ ପରିଚାଳନା କରୁଥିବା ବିଶ୍ୱ ଭାରତୀ ବିଦ୍ୟୋଦୟ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ବି. ରାମଦାସ କୁହନ୍ତି, ‘ଆଦିବାସୀମାନେ କ୍ରମେ ବିଶ୍ୱାସ କରିବାରେ ଅଭ୍ୟସ୍ତ ହୋଇଯାଇଥିଲେ ଯେ ସେମାନେ ଅଛୁଆଁ। କିନ୍ତୁ ଯେତେବେଳେ ସେମାନେ ଦେଖିଲେ ଆମେ ସ୍କୁଲରେ ପଢ଼ୁଥିବା କିଛି ଆଦିବାସୀ ପିଲା ସଫଳ ହେଉଛନ୍ତି, ସେତେବେଳେ ସେମାନଙ୍କର ହୃଦୟଙ୍ଗମ ହେଲା ଯେ ପିଲାଙ୍କର କିଛି ଭୁଲ୍ ନାହିଁ। ବରଂ ବ୍ୟବସ୍ଥାରେ ଭୁଲ୍ ଅଛି। ’ ସେ ନିଜ ପତ୍ନୀ ତଥା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରମାଙ୍କ ସହ ମିଶି ନିଜ ଘରେ ଏହି ସ୍କୁଲ କରିଥିଲ। 

ପିତାମାତାମାନେ ଆସି ଏହି ସ୍କୁଲକୁ ଆସି ଟିକେ ପ୍ରସାରିତ କରି ନଡ଼ା ଛପର ହୋଇଥିବା ମାଟିଘରଟିଏ ତୋଳିଦେଲେ। ଏହାପରେ ସ୍କୁଲର ଉପସ୍ଥାନ ବୃଦ୍ଧି ପାଇଁ ଶିଶୁମାନଙ୍କ ସହ ସେମାନଙ୍କ ଜେଜେ ବାପା-ମା’ମାନଙ୍କ ନାମ ମଧ୍ୟ ଲେଖାଗଲା। କାରଣ ସେମାନେ ହିଁ ପିଲାମାନଙ୍କୁ କୋଳେଇ କାଖେଇ ବାଟରେ ଗପ କହି, ଗୀତ ଶୁଣାଇ ଏତେ ଦୂର ସ୍କୁଲକୁ ଆଣୁଥିଲେ। ଅନେକ ପିଲା ୫କିଲୋମିଟର ଦୂରରୁ ମଧ୍ୟ ଆସୁଥିଲେ। ଏହି ଜେଜେ ବାବା-ଜେଜେମାଆମାନଙ୍କୁ ମାସିକ ୩୫୦ ଟଙ୍କା ଲେଖାଏଁ ଚା’ ଜଳଖିଆ ଖର୍ଚ୍ଚ ସ୍କୁଲ ତରଫରୁ ଦିଆଗଲା। କାରଣ ସେମାନେ ହିଁ ପିଲାମାନେ ଫେରିବା ପର୍ଯ୍ୟନ୍ତ ଚା’ ଦୋକାନରେ ବସି ଅପେକ୍ଷା କରୁଥିଲେ। 

ବର୍ତ୍ତମାନ ୪୨ ବର୍ଷୀୟା ବୟସ୍କା ଶାନ୍ତି କୁଞ୍ଜନ୍ ନୀଳଗିରିର ଏହି ମାଗଣା ପ୍ରାଥମିକ ସ୍କୁଲର ପ୍ରମୁଖ। ସେ ମଧ୍ୟ ଜଣେ ପାନିଆନ୍ ଆଦିବାସୀ। ସବୁ ଶିକ୍ଷକ ଓ ଛାତ୍ରଛାତ୍ରୀ ଆଦିବାସୀ, ମୁଖ୍ୟତଃ ପାନିଆନ୍। ଅନ୍ୟମାନେ ବେଟା କୁରୁମ୍ବା, କୁଟୁନାୟକନ୍ ଏବଂ ମୁଲୁକୁରୁମ୍ବା। ଭାରତ ସରକାରଙ୍କ ୨୦୧୧ ଜନଗଣନା ଅନୁଯାୟୀ ପାନିଆନ୍ ଆଦିବାସୀଙ୍କ ସଂଖ୍ୟା ୧୦,୧୩୪।  ଏମାନଙ୍କ ମଧ୍ୟରୁ ୪୮.୩ ପ୍ରତିଶତ ଅଶିକ୍ଷିତ। ଏହା ଅନ୍ୟ ଅନୁସୂଚିତ ଜନଜାତି ତୁଳନାରେ ୧୦ ପ୍ରତିଶତ କମ୍ ଏବଂ ଜାତୀୟ ସାକ୍ଷରତା ହାର ୭୨.୯୯ ପ୍ରତିଶତ ଠାରୁ ଅନେକ ପଛରେ। 

ଇତିହାସରେ ଗ୍ରାଜୁଏସନ୍ କରିଥିବା ଶାନ୍ତି ନିଜ ଜନଜାତିର ଏହି ପରିସଂଖ୍ୟାନକୁ ବ୍ୟାଖ୍ୟା କରିଛନ୍ତି। ଦେବଲା ସହରଠାରୁ ୧୭ କିଲୋମିଟର ଦୂରରେ ଥିବା ନିଜ ଗାଁ ବାଲୟବାୟାଲ୍ରେ ତାଙ୍କ ବୈଠକ ଘର ବିଭିନ୍ନ କାହାଣୀ ଥିବା ଛୋଟ ଛୋଟ କାର୍ଡ ଏବଂ ଛୋଟ ଗଳ୍ପ ବହିରେ ଭର୍ତ୍ତି ହୋଇଛି। ଆଖପାଖର ପିଲମାନେ ଏସବୁ ବହି ନେଇ ପଢ଼ନ୍ତି। କାନ୍ଥରେ ଟଙ୍କା ହୋଇଥିବା କ୍ୟାଲେଣ୍ଡରରେ ସ୍କୁଲ ଯାଉଥିବା ପୁଅର ପରୀକ୍ଷା ତାରିଖ ଚାରି ପାଖରେ ଗୋଲ୍ ବୁଲାଯାଇଛି ଏବଂ ଝିଅର ପିଜି ବହିଗୁଡ଼ିକ ଥାକରେ ସୁନ୍ଦର ଭାବରେ ରଖାଯାଇଛି। ପାଠପଢ଼ା ଏବଂ ଦୈନନ୍ଦିନ ଜୀବନକୁ ଟିକେ ହାଲ୍କା କରିବାକୁ ଟେଲିଭିଜନ ସେଟଟିଏ ମଧ୍ୟ ଅଛି। 

Shanthi Kunjan teaching a young student math
PHOTO • Priti David
Adivasi children making bead chains in craft class
PHOTO • Priti David

ବିଦ୍ୟୋଦୟ ସ୍କୁଲର ପାଠ୍ୟଖସଡ଼ାରେ ଆଦିବାସୀ ଜୀବନଶୈଳୀ ଖୁବ୍ ସୁନ୍ଦର ଭାବେ ସ୍ଥାନିତ ହୋଇଛି। ଅପରାହ୍ନରେ ଛାତ୍ରଛାତ୍ରୀମାନେ ମାଳି ଗୁନ୍ଥନ୍ତି ଏବଂ ଆଦିବାସୀ ହସ୍ତକଳା ଶିଖନ୍ତି (ଡାହାଣ)। 

ସ୍କୁଲ ଯିବା ନୀଳଗିରି ଜଙ୍ଗଲ ଭିତରେ ରହୁଥିବା ଆଦିବାସୀ ଝିଅମାନଙ୍କ ପାଇଁ ଜରୁରୀ ବା ପ୍ରାଥମିକତା ବୋଲି କେବେ ବି ଗ୍ରହଣ କରାଯାଉନଥିଲା। ଆଠ ଭାଇଭଉଣୀଙ୍କ ଭିତରେ ସବୁଠୁ ବଡ଼ ଶାନ୍ତି। ନିଜ ପିଲାଦିନର ଅଧିକାଂଶ ସମୟ ଖେଳକୁଦରେ ଏବଂ ଜେଜେ ବାପା- ଜେଜେ ମା’ଙ୍କ ନଜର ମଧ୍ୟରେ ସାନ ଭାଇଭଉଣୀଙ୍କ ଯତ୍ନ ନେବାରେ କଟାଇଥିଲେ। ତାଙ୍କ ପିତାମାତା ଦିନ ମଜୁରିଆ ଥିଲେ। ବାପା ନୀଳଗିରି ଜଙ୍ଗଲରୁ ମାଛ ପ୍ୟାକିଂ କରିବାରେ ବ୍ୟବହୃତ ହେଉଥିବା ମୂଲ୍ୟବାନ କୁବାଲ୍ଲାଇ ପତ୍ର ଖୋଜୁଥିଲେ। ମା’ ଅଞ୍ଚଳରେ ଥିବା ଚା’ ବଗିଚାରେ କାମ କରୁଥିଲେ। ଛଅବର୍ଷ ବୟସରେ  ସେ ଦେବଲାସ୍ଥିତ ସରକାରୀ ଆବାସିକ ଆଦିବାସୀ (ଜିଟିଆର୍) ବିଦ୍ୟାଳୟରେ ଯୋଗଦେଲେ। 

ନୀଳଗିରି ଜିଲ୍ଲାରେ ଏହିପରି ସମୁଦାୟ ୨୫ଟି ସରକାରୀ ଆବାସିକ ଆଦିବାସୀ ବିଦ୍ୟାଳୟ ଥିଲା। ଆଦିବାସୀ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ବିଦ୍ୟାଳୟରେ ମାଗଣା ପାଠପଢ଼ା ସହ ଖାଇବା ଓ ରହିବା ବ୍ୟବସ୍ଥା ଥିଲା। କିନ୍ତୁ ଅଧିକାଂଶ ଶିକ୍ଷକ ଥିଲେ ସମତଳ ଅଞ୍ଚଳର, କଦବା କ୍ୱଚିତ୍ ସ୍କୁଲ ଆସୁଥିଲେ ଏବଂ ଅପେକ୍ଷା କରୁଥିଲେ କେବେ ଏଠାରୁ ବଦଳି ହୋଇଯିବ। ସରକାରୀ ଆଦିବାସୀ ବିଦ୍ୟାଳୟର ଜଣେ ପୂର୍ବତନ ଶିକ୍ଷକ, ୫୭ ବର୍ଷ ବୟସ୍କ ମୁଲୁକୁରୁମ୍ବା ଗଙ୍ଗାଧରନ୍ ପାୟନ୍ କୁହନ୍ତି, ଶ୍ରେଣୀ ଗୃହ ଏବଂ ହଷ୍ଟେଲ୍ କହିଲେ ମାତ୍ର ଗୋଟିଏ କୋଠରି ଥିଲା। ସୁବିଧା ଖୁବ୍ କମ୍ ଥିଲା। ସେଥିପାଇଁ ପିଲାମାନେ କେହି ରାତିରେ ରହିବାକୁ ଚାହୁଁନଥିଲେ। ସ୍କୁଲରେ କମ୍ପ୍ୟୁଟର ଏବଂ ବହି ଥିଲା। କିନ୍ତୁ ସେଗୁଡ଼ିକ ତାଲା ପଡ଼ି ରହୁଥିଲା। 

ଶାନ୍ତି କୁହନ୍ତି, ମୁଁ କିଛି ବି ଶିଖି ପାରିନଥିଲି। କେବଳ ମୁଁ ନୁହେଁ, ମୋ ସହିତ ସ୍କୁଲକୁ ଯାଉଥିବା ଅଧିକାଂଶ ପାନିଆନ୍ ପିଲାଙ୍କର ଏହି ଅବସ୍ଥା ଥିଲା। ସେତେବେଳେ ସେ କେବଳ ପାନିଆନ୍ ଭାଷା କହିପାରୁଥିଲେ। ସ୍କୁଲରେ ପାଠପଢ଼ାର ମାଧ୍ୟମ ଥିଲା ତାମିଲ, ଯାହା ସେ ଖୁବ୍ କମ୍ ବୁଝିପାରୁଥିଲେ। ଯାହା ପଢ଼ା ହେଉଥିଲା, ତାହା ଘୋଷି ଘୋଷି ମନେ ରଖିବାକୁ କୁହାଯାଉଥିଲା। କିନ୍ତୁ ଭାରତୀୟ ସମ୍ବିଧାନର (ଧାରା ୩୫୦ ଏ) ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ଭାଷାଗତ ସଂଖ୍ୟାଲଘୁ ଗୋଷ୍ଠୀର ପିଲାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦେବା ନିମନ୍ତେ ପର୍ଯ୍ୟାପ୍ତ ସୁବିଧା କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ବର୍ତ୍ତମାନ ଜଣେ ଅନୁଭବୀ ଶିକ୍ଷକ ଭାବରେ ସେ ଭୁଲଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିପାରୁଛନ୍ତି। ସେ କୁହନ୍ତି, ‘ଯଦି ପିଲାମାନେ ସ୍କୁଲରେ ଯୋଗାଯୋଗ କରିନପାରିବେ, ତାହେଲେ ସେମାନେ କୁଣ୍ଠିତ ହେବେ ଏବଂ ସ୍କୁଲଠାରୁ ଦୂରେଇ ରହିବାକୁ ପସନ୍ଦ କରିବେ। ଏହିଠାରୁ ହିଁ ଭୟ ଆରମ୍ଭ ହୁଏ। ’

Adivasi children learning in a classroom
PHOTO • Priti David
Books used by Adivasi children to learn about their culture
PHOTO • Priti David

ଲାଇବ୍ରେରୀ ଶ୍ରେଣୀରେ ପାନିଆନ୍, ବେଟାଗୁରୁମ୍ବା, କଟ୍ଟୁନାୟକନ୍ ଓ ମୂଲୁକୁରୁମ୍ବା ଆଦିବାସୀ ଛାତ୍ରଛାତ୍ରୀମାନେ ନିଜ ନିଜର ସ୍ଥାନୀୟ ପରମ୍ପରା ବିଷୟରେ ଲେଖାଯାଇଥିବା ବହି ପଢ଼ିପାରନ୍ତି। 

ସରକାରୀ ଆବାସିକ ଆଦିବାସୀ ବିଦ୍ୟାଳୟକୁ ଯାଉଥିବା ଅଧିକାଂଶ ପିଲା ପ୍ରଥମ ପିଢ଼ିର ଛାତ୍ରଛାତ୍ରୀ ଥିଲେ। ସେମାନଙ୍କ ପିତାମାତା କିମ୍ବା ଜେଜେ ବାପା-ଜେଜେମା’ ସେମାନଙ୍କୁ ସ୍କୁଲ ପାଠପଢ଼ାରେ କିଛି ସାହାଯ୍ୟ କରିପାରୁନଥିଲେ। ତେଣୁ ଉପସ୍ଥାନ ଖୁବ୍ କମ୍ ରହୁଥିଲା। ପାଠ ପଢ଼ା ଆହୁରି କମ୍ ଏବଂ ଅଧାରୁ ସ୍କୁଲ ଛାଡ଼ିବା ଖୁବ୍ ସାଧାରଣ କଥା ଥିଲା। ଶାନ୍ତିଙ୍କ ସବୁ ଭାଇଭଉଣୀ ଏହି ସ୍କୁଲକୁ ଯାଇଥିଲେ। କେବଳ ଜଣକ ବ୍ୟତୀତ ସମସ୍ତେ ଅଧାରୁ ସ୍କୁଲ ଛାଡ଼ିଲେ। ଏହା କିଛି ଅସ୍ୱାଭାବିକ ଘଟଣା ମଧ୍ୟ ନଥିଲା। ଜନଗଣନା ତଥ୍ୟରୁ ଜଣାପଡ଼ିଛି ଆଦିବାସୀ ଗୋଷ୍ଠୀଗୁଡ଼ିକରେ ୧ମ ଶ୍ରେଣୀରୁ ୧୦ମ ଶ୍ରେଣୀ ମଧ୍ୟରେ ସ୍କୁଲ ଛାଡ଼ିବା ହାର ୭୦.୯ ପ୍ରତିଶତ। କିନ୍ତୁ ସାଧାରଣ ଗୋଷ୍ଠୀଗୁଡ଼ିକରେ ଏହାର ପରିମାଣ ୪୯ ପ୍ରତିଶତ। 

ଶାନ୍ତିଙ୍କ ଶିକ୍ଷା ଏକ ଭିନ୍ନ ମୋଡ଼ ନେଲା ଯେତେବେଳେ ମିଶନାରୀ ସିଷ୍ଟରମାନେ ତାଙ୍କୁ ସେମାନଙ୍କ ସ୍କୁଲକୁ ପଠାଇବା ପାଇଁ ଶାନ୍ତିଙ୍କ ପିତାମାତାଙ୍କୁ ଅନୁରୋଧ କଲେ। ଏହି ସ୍କୁଲ ଥିଲା ଇରୋଡ୍ ଜିଲ୍ଲାର ସତ୍ୟମଙ୍ଗଳମ୍ ସହର ନିକଟସ୍ଥ ପେରିଆକୋଡିବେରି ଗ୍ରାମରେ, ଶାନ୍ତିଙ୍କ ଗାଁଠାରୁ ପାଞ୍ଚଘଣ୍ଟାର ରାସ୍ତା। ସେ ସେଠାରେ ପରବର୍ତ୍ତୀ ପାଞ୍ଚବର୍ଷ ରହିଲେ ଏବଂ ୧୦ମ ଶ୍ରେଣୀ ପାଠପଢ଼ା ଶେଷ କରି ଘରକୁ ଫେରିବା ପରେ କୁଞ୍ଜନଙ୍କୁ ବିବାହ କଲେ। କୁଞ୍ଜନ ପାନିଆନ୍ ଆଦିବାସୀ ଗୋଷ୍ଠୀର ଜଣେ ଅଣକୁଶଳୀ ଶ୍ରମିକ। 

ଦେବଲାକୁ ଫେରିବା ପରେ ଅନେକେ ଶାନ୍ତିଙ୍କୁ ନିଯୁକ୍ତି ଦେବାକୁ ଚାହିଁଲେ। ସେ ସେହି ଅଞ୍ଚଳର ସବୁଠାରୁ ଉଚ୍ଚଶିକ୍ଷିତ ଆଦିବାସୀ ଥିଲେ। ସେ ନର୍ସ ଚାକିରି ପାଇଁ ମିଳିଥିବା ଏକ ସୁଯୋଗକୁ ମନା କରିଦେଲେ। କିନ୍ତୁ ଯେତେବେଳେ ଗୁଦାଲୁରରେ ଥିବା ଏକ ଏନଜିଓ ଆକର୍ଡ (ଏସିସିଓଆରଡି) ପକ୍ଷରୁ ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ନିମନ୍ତେ ଦୁଇ ବର୍ଷିଆ ଶିକ୍ଷକ ତାଲିମ୍ କାର୍ଯ୍ୟକ୍ରମରେ ପ୍ରସ୍ତାବ ମିଳିଲା ସେତେବେଳ ସେ ରାଜି ହୋଇଗଲେ। ଶାନ୍ତି ହସି ହସି କୁହନ୍ତି, ‘ମୁଁ ସବୁବେଳେ ଶିକ୍ଷକ ହେବାକୁ ଚାହୁଁଥିଲି, ହାତରେ ଗୋଟେ ଲମ୍ବା ବାଡ଼ି ଧରି ସମସ୍ତଙ୍କୁ ନିର୍ଦ୍ଦେଶ ଦେବାକୁ ଚାହୁଁଥିଲି’। 

Shanthi with her mother Karupi
PHOTO • Priti David
Vidyodaya students, brothers Murali and Arjun going home to Gundital,          Sreemadurai
PHOTO • Priti David

ବାମ: ପ୍ରଥମ ପିଢ଼ିର ପାଠ ପଢ଼ୁଆ ଶାନ୍ତି ନିଜ ମା’ କାରୁପେଇଙ୍କ ସହ। ଡାହାଣ: ସ୍କୁଲ ପରେ ଦୁଇ ଭାଇ ମୁରଲୀ ଓ ଅର୍ଜୁନ ଗୁଣ୍ଟିତାଲ, ସୀମାଦୁରାଇସ୍ଥ ନିଜ ଘରକୁ ଫେରୁଛନ୍ତି। 

ଶାନ୍ତିଙ୍କ ପତି କୁଞ୍ଜନ ଯେ କି କିଛିବର୍ଷ ସାଧାରଣ ସ୍କୁଲରେ ପାଠ ପଢ଼ିଥିଲେ, ଖୁବ୍ ସହଯୋଗୀ। ସେ ଟ୍ରେନିଂ ସେଣ୍ଟର ନିକଟକୁ ଘର ବଦଳାଇ ନେଇଥିଲେ। ଶାନ୍ତିଙ୍କ ମା’ ଓ ଉଭଣୀ ମଧ୍ୟ ତାଙ୍କ ଶିଶୁକନ୍ୟାର ଯତ୍ନ ନେବା ସହ ଘର କାମରେ ସହଯୋଗ କରିବା ପାଇଁ  ଚାଲିଆସିଲେ। ତାଙ୍କ ତାଲିମ ସମୟର ସହପାଠୀମାନେ ଥିଲେ ୧୪ଜଣ ଅନ୍ୟ ଆଦିବାସୀ ଯୁବକ ଯୁବତୀ। ସେମାନଙ୍କୁ ମାସିକ ୮୦୦ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା। ଶ୍ରେଣୀ ସମୟ ଥିଲା ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ। ଶନିବାର ଦିନ ସେମାନଙ୍କୁ ଆଦିବାସୀ ଗାଁଗୁଡ଼ିକୁ ପରିଦର୍ଶନରେ ଯିବାକୁ ହେଉଥିଲା। ଯଦ୍ୱାରା ସେମାନେ ଜାଣିପାରିବେ ଭବିଷ୍ୟତରେ ପାଠପଢ଼ାଇବା ସମୟରେ କ’ଣ କ’ଣ ସମସ୍ୟା ଆସିପାରେ। 

ଶାନ୍ତିଙ୍କର ଦୃଢ଼ ନିଷ୍ଠା ଏବଂ ପାରିବାରିକ ସହଯୋଗ ଥାଇ ବି  ବିଭିନ୍ନ  ଭୂମିକା ମଧ୍ୟରେ ତାଳମେଳ ରଖି ଏ ତାଲିମ୍ ନେବା ଖୁବ୍ କଷ୍ଟକର ହେଉଥିଲା ତାଙ୍କୁ। ତାଙ୍କ ଶ୍ରେଣୀର କିଛି ସହପାଠୀ ମଧ୍ୟ ଅଧାରୁ ତାଲିମ ଛାଡ଼ିଦେଲେ। କିନ୍ତୁ ସେ ରହିଲେ। ଶାନ୍ତି କୁହନ୍ତି, ‘ମୁଁ ସବୁବେଳେ ନୂଆ କିଛି ଶିଖିବାକୁ ଆଗ୍ରହୀ ଥିଲି। ବିଜ୍ଞାନର ପ୍ରୟୋଗ କରିବା ନିମନ୍ତେ ମୋତେ ସୁଯୋଗ ମିଳିଥିଲା, ଯାହାକି ମୁଁ କେବେ କରିନଥିଲି’। ଆଦିବାସୀ ଇତିହାସ ସମ୍ପର୍କରେ ପଢ଼ିବାବେଳେ ସେ ନିଜକୁ ଏବଂ ନିଜ ସମୂହକୁ ଭିନ୍ନ ଭାବରେ ଜାଣିଲି। ସେ ନିଜର ତାଲିମ ଶେଷ କଲେ ଏବଂ ଉଚ୍ଚଶିକ୍ଷା ପାଇଁ ଆଗକୁ ବଢ଼ିଲେ। ମାଡ୍ରାସ ବିଶ୍ୱବିଦ୍ୟାଳୟର ଦୂର ଶିକ୍ଷା କାର୍ଯ୍ୟକ୍ରମରେ ସେ ଇତିହାସରେ ଗ୍ରାଜୁଏସନ୍ ଶେଷ କଲେ। 

୧୫ବର୍ଷ ତଳେ ଶାନ୍ତି ବିଦ୍ୟୋଦୟରେ ଯୋଗଦେଇଥିଲେ।  ବର୍ତ୍ତମାନ ସେ ଖୁବ୍ ଗୌରାବନ୍ୱିତ ଯେ ତାଙ୍କ ଆଖପାଖର ସମସ୍ତ ପାନିଆନ୍ ପିଲା ଗୁଦାଲୁର  ତାଲୁକରେ ଥିବା ୧୦୦ରୁ ଅଧିକ ସ୍କୁଲ ମଧ୍ୟରୁ ଯେ କୌଣସିଥିରେ ପାଠ ପଢ଼ୁଛନ୍ତି। କିନ୍ତୁ ମାଛିକୁଣ୍ଡୁ ପରି ଅଞ୍ଚଳରେ ଏବେ ବି ଉପସ୍ଥାନ ସଂଖ୍ୟା କମ୍ ରହିଛି। ଶାନ୍ତି ମଧ୍ୟ ଏକଦା ମାଛିକୁଣ୍ଡୁରେ ରହୁଥିଲେ। କିନ୍ତୁ ଥରେ ହାତୀଟିଏ ତାଙ୍କ ଘର ଭାଙ୍ଗି ଦେବାରୁ ସେ ସେଠାରୁ ଚାଲିଆସିଥିଲେ। ଏହି ଅଞ୍ଚଳ ଖୁବ୍ ଅଗମ୍ୟ। ଶାନ୍ତି କୁହନ୍ତି, ପିତାମାତାଙ୍କ ସହ ଆଲୋଚନା କରି ମୁଁ ଏଠାରେ ପିଲାଙ୍କର ପାଠ ପଢ଼ା ଅଧାରୁ ଛାଡ଼ିବା ହାର କମ୍ କରିବା ଚାହେଁ। 

ଅଧିକାଂଶ ପିତାମାତା ଦିନ ମଜୁରିଆ, ଦିନକୁ ୧୫୦ ଟଙ୍କା ଲେଖାଏଁ ରୋଜଗାର କରନ୍ତି। ସେମାନେ ପିଲାଙ୍କ ସ୍କୁଲ ଦରମା, ପୋଷାକ, ବହି ଖାତା ଏବଂ ଯିବା ଆସିବାର ଖର୍ଚ୍ଚ ନେଇ ଖୁବ୍ ବ୍ୟସ୍ତ ହୁଅନ୍ତି। କାରଣ ସରକାରୀ ବା ଘରୋଇ ସ୍କୁଲ ଉପରେ ନିର୍ଭର କରି ଏହି ଖର୍ଚ୍ଚ ବାର୍ଷିକ ୮,୦୦୦ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଦୂର ଦୂରାନ୍ତ ସ୍ଥାନଗୁଡ଼ିକରୁ ଯିବା ଆସିବା ଖର୍ଚ୍ଚ ମଧ୍ୟ ଖୁବ୍ ଅଧିକ ହୋଇଯାଏ। କିନ୍ତୁ ବିଦ୍ୟୋଦୟ ପିଲାଙ୍କ ଠାରୁ କୌଣସି ଦେୟ ନିଏ ନାହିଁ ଏବଂ ଗମନାଗମନ ଖର୍ଚ୍ଚରେ ରିହାତି ଦିଏ। ପିଲାମାନଙ୍କୁ ବାର୍ଷିକ ୩୫୦ ଟଙ୍କା ଦେବାକୁ ହୁଏ। ତାହା ପୁଣି ଯଦି ସେମାନେ ପାରନ୍ତି। 

ଏ ମଧ୍ୟରେ ସ୍କୁଲ ବେଲ୍ ବାଜିଲା। ପିଲାମାନେ ନିଜ ନିଜ ଶ୍ରେଣୀ କକ୍ଷ ଓଳାଇଲେ। ବହି ଫାଇଲ୍ ଏବଂ ଶିଳ୍ପ କର୍ମଗୁଡ଼ିକୁ ସଜାଡ଼ି ରଖିଲେ। ଶାନ୍ତି ଉପସ୍ଥାନ ଖାତା ତଦାରଖ କରି ହସ୍ତାକ୍ଷର କଲେ। ସ୍ଥାନୀୟ ଜିପ୍ ଟ୍ୟାକ୍ସି ଅପେକ୍ଷା କରିଥିଲା। ସେ ଆଖପାଖର କିଛି ପିଲାଙ୍କୁ ନେଇ ଗାଡ଼ିରେ ବସିଲେ। ସବୁଠୁ ଛୋଟ ପିଲାଟି ତାଙ୍କ କୋଳରେ ବସିଲା। ସ୍କୁଲରୁ ସେମାନଙ୍କୁ ଘରକୁ ଯିବା ପାଇଁ ଅର୍ଥାତ୍ ଜଙ୍ଗଲ ମଧ୍ୟରୁ ସହରକୁ ଯିବା ପାଇଁ ୪୫ ମିନିଟ୍ ସମୟ ଦରକାରୂ ହୁଏ। ଏହା ସ୍କୁଲରେ ତାଙ୍କର ଏବଂ ତାଙ୍କ ଆଦିବାସୀ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱାଭାବିକ ଦିନ।  

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Priti David

ଲେଖକ ପରିଚୟ: ପ୍ରୀତି ଡେଭିଡ୍ ବାଙ୍ଗାଲୋରର ଜଣେ ଲେଖିକା, ସମ୍ପାଦିକା ତଥା ଶିକ୍ଷୟିତ୍ରୀ। ହାଇସ୍କୁଲରେ ୧୦ ବର୍ଷ ପର୍ଯ୍ୟନ୍ତ ଇଂରାଜୀ ଓ ଅର୍ଥନୀତି ପଢ଼ାଇବା ପରେ ସେ ସାମ୍ବାଦିକତା କ୍ଷେତ୍ରକୁ ଫେରିଲେ ତାଙ୍କର ନଜର ଗ୍ରାମୀଣ ସମୁଦାୟ, ଶିକ୍ଷା, ହସ୍ତଶିଳ୍ପ ଓ ବାହ୍ୟ ଜଗତ ପ୍ରତି।

Other stories by Priti David