“ଏହାର ମୂଲ୍ୟ ହେଉଛି ୩୫୦ଟଙ୍କା । ଏହାର ମୂଲ୍ୟ ହ୍ରାସ କରିବାକୁ କୁହନ୍ତୁ ନାହିଁ କାରଣ କରୋନା କାରଣରୁ ଅନେକ ଦିନ ହେଲାଣି ଆମର କିଛି ଆୟ ହେଉନାହିଁ” ବୋଲି ଜଣେ କ୍ରେତା ମୂଲଚାଲ କରିବାକୁ ଚେଷ୍ଟା କରିବାରୁ ପ୍ରକାଶ କୋକ୍‌ରେ କହିଲେ । ସେ ଏକ ଧଳା ଅଣ୍ଡିରା ମେଣ୍ଡା ଉଠାଇଲେ ଓ ଏହାକୁ ଏକ ଭୂମି ଉପରେ ରଖା ଯାଇଥିବା ଏକ ତରାଜୁ ଉପରେ ରଖିଦେଲେ । “ତିନ୍‌ କିଲୋ [ ତିନି କେଜି],’’ ବୋଲି କେଜି ପିଛା ୨୦୦ଟଙ୍କାରେ ଦେବା ପାଇଁ ବାରମ୍ବାର କହୁଥିବା ଗ୍ରାହକମାନଙ୍କ ଉଦ୍ଦେଶ୍ୟରେ ପାଟି କରି କହିଲେ । “ତାହା ଅତି କମ୍‌ ଅଟେ, ହେଲେ ମୋର ପଇସା ଦରକାର ଅଛି ,”  ବୋଲି ପ୍ରକାଶ ଏହାକୁ ଏହାର ନୂଆ ମାଲିକମାନଙ୍କୁ ହସ୍ତାନ୍ତର କରିବା ବେଳେ କହିଲେ ।

“ଏବେ ଏକଥା ଭାବି ଲାଭ ନାହିଁ, ଆମେ କ’ଣ କରିପାରିବୁ? ବୋଲି ଜୁନ୍‌ ଶେଷ ସପ୍ତାହରେ ଦିନେ ଦ୍ୱିପହର ସମୟରେ ବଦା ତାଲୁକାରେ  ଅବସ୍ଥିତ ଦେଶାଇପଡା ଗ୍ରାମରେ ମୋର ତାଙ୍କ ପରିବାର ସହିତ ଭେଟ ହେବାବେଳେ ସେ ମତେ କହିଥିଲେ । ସେତେବେଳକୁ କୋଭିଡ୍‌- ୧୯ ତାଲାବନ୍ଦକୁ ତିନିମାସ ଚାଲିଥିଲା । 

ପ୍ରକାଶଙ୍କ ପରିବାର, ଅନ୍ୟ ଛଅ ପରିବାର ସହିତ - ସମସ୍ତେ ଧାଙ୍ଗର ସମ୍ପ୍ରଦାୟର ଯାଯାବର ମେଷପାଳକ - ମହାରାଷ୍ଟ୍ରର ପାଳଘର ଜିଲ୍ଲାର ସେହି ଜମିରେ ଦୁଇ ଦିନ ପାଇଁ ଆଶ୍ରୟ ନେଇଥିଲେ । କିଛି ମହିଳା ମେଣ୍ଢା ଛୁଆମାନଙ୍କୁ ଏଣେତେଣେ ବୁଲିବାଠାରୁ ପ୍ରତିବନ୍ଧିତ କରିବା ପାଇଁ ନାଇଲନ୍‌ ଜାଲଗୁଡିକୁ ସଜାଡୁଥିଲେ । ଶସ୍ୟ ଭର୍ତ୍ତି ଅଖା, ଆଲୁମିନିୟମ୍‌ ପାତ୍ର, ପ୍ଲାଷ୍ଟିକ ବାଲ୍‌ଟି ଓ ଅନ୍ୟ ସାମଗ୍ରୀଗୁଡିକ ପଡିଆରେ ଚାରିଆଡେ ବିଛାଡି ହୋଇ ପଡିଥିଲା । କିଛି ପିଲା ମେଣ୍ଡା ଛୁଆଁଙ୍କ ସହିତ ଖେଳୁଥିଲେ । 

ମେଣ୍ଢା ଛୁଆ, ମେଣ୍ଢା ଓ ଛେଳି ବିକ୍ରି କରିବା – ଯେପରି ଏବେ ପ୍ରକାଶ ମୂଲଚାଲ କରି ଦେଲେ – ହେଉଛି ଧାଙ୍ଗେର୍‌ ସମୁଦାୟର ଜୀବନଧାରଣର ମୁଖ୍ୟ ପନ୍ଥା। ସାତଟି ପରିବାର ପାଖରେ ମୋଟ ୫୦୦ଟି ପଶୁ ଅଛନ୍ତି, ଯାହା ମଧ୍ୟରେ ୨୦ଟି ଘୋଡା ମଧ୍ୟ ଅଛନ୍ତି । ସେମାନେ ମେଣ୍ଡାଗୁଡିକର ଲାଳନପାଳନ କରନ୍ତି ଓ ତାପରେ ନଗଦ ରାଶି ବା ଶସ୍ୟ ବଦଳରେ ବିକ୍ରି କରନ୍ତି । ଛେଳିମାନଙ୍କୁ ସାଧାରଣତଃ ସେମାନଙ୍କ ନିଜ ପରିବାରର ଦୁଧ ଚାହିଦା ପୂରଣ କରିବ ପାଇଁ ରଖିଥାନ୍ତି ଓ ବେଳେବେଳେ ମାଂସ ବ୍ୟବସାୟୀମାନଙ୍କୁ ବିକ୍ରି କରିଥାନ୍ତି । ଅନେକ ସମୟରେ ସେମାନଙ୍କର ପଶୁମାନେ ଚାଷଜମିରେ ଚରିଥାନ୍ତି ଓ ସେହି ପଶୁଗୁଡିକଠାରୁ ମିଳୁଥିବା ଖତ ବଦଳରେ ଜମି ମାଲିକ କିଛି ଦିନ ପାଇଁ ସେମାନଙ୍କ ପରିବାରକୁ ଖାଦ୍ୟ, ପାଣି ଓ ରହିବାକୁ ସ୍ଥାନ ଯୋଗାଇ ଦିଅନ୍ତି ।

“ଆମେ କେବଳ ମେଣ୍ଢା [ଅଣ୍ଡିରା ମେଣ୍ଢା଼ ବିକ୍ରି କରିଥାଉ ଓ [ମାଇ ମେଣ୍ଢା]ଗୁଡିକୁ ଆମ ପାଖରେ ରଖିଦେଉ,’’ ବୋଲି ଏହି ମେଷପାଳକ ଦଳର ମୁଖିଆ ୫୫ବର୍ଷ ବୟସ୍କ ପ୍ରକାଶ କୁହନ୍ତି । “ଚାଷୀମାନେ ଆମ ଠାରୁ ମେଣ୍ଢା କିଣନ୍ତି କାରଣ ସେମାନେ ସେମାନଙ୍କ ଜମିରେ ଚରି ସେମାନଙ୍କ ଉପକାର କରିଥାନ୍ତି । ସେମାନଙ୍କ ଠାରୁ ମିଳୁଥିବା ଖତ ସେମାନଙ୍କ ଜମିକୁ ଉର୍ବର କରିଥାଏ।’’

In June, Prakash’s family – including his daughter Manisha, and grandchildren (left) – and others from this group of Dhangars had halted in Maharashtra's Vada taluka
PHOTO • Shraddha Agarwal
In June, Prakash’s family – including his daughter Manisha, and grandchildren (left) – and others from this group of Dhangars had halted in Maharashtra's Vada taluka
PHOTO • Shraddha Agarwal

ଜୁନ୍‌ରେ ପ୍ରକାଶ ଓ ତାଙ୍କର ପରିବାର - ଯେଉଁଥିରେ ତାଙ୍କର ଝିଅ ମନିଷା ଓ ନାତିନାତୁଣୀ (ବାମ) ମଧ୍ୟ  ଅଛନ୍ତି – ଓ ଧାଙ୍ଗର୍‌ମାନଙ୍କ ଏହି ଦଳର ଅନ୍ୟ ସଦସ୍ୟମାନେ ମହାରାଷ୍ଟ୍ରର ବଦା ତାଲୁକାରେ କିଛି ସମୟ ପାଇଁ ରହିଥିଲେ

ଧାଙ୍ଗର ସମ୍ପ୍ରଦାୟର ଏହି ସାତଟି ପରିବାର – ଯେଉଁମାନେ ମହାରାଷ୍ଟ୍ରର ଯାଯାବର ଜାତି ତାଲିକାଭୂକ୍ତ – ଖରିଫ୍‌ ଶସ୍ୟ ଅମଳ ହୋଇ ସାରିବା ପରେ, ପ୍ରାୟ ନଭେମ୍ବର ମାସ ପାଖାପାଖି ସେମାନଙ୍କ ବାର୍ଷିକ ଯାତ୍ରା ଆରମ୍ଭ କରନ୍ତି । (ଭାରତରେ ପାଖାପାଖି ୩.୬ ଲକ୍ଷ ଧାଙ୍ଗର ଅଛନ୍ତି – ମହାରାଷ୍ଟ୍ର ବ୍ୟତୀତ ଏମାନେ ମୁଖ୍ୟତଃ ବିହାର, ଛତିଶଗଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା ଓ ପଶ୍ଚିମବଙ୍ଗରେ ଅଛନ୍ତି ।)

ଥରେ ଯାତ୍ରା ଆରମ୍ଭ କରିବା ପରେ, ଏହି ସାତଟି ପରିବାର – ଯେଉଁଥିରେ ପ୍ରାୟ ୪୦ ଲୋକ ଅଛନ୍ତି- ପ୍ରତ୍ୟେକ ଗ୍ରାମରେ ଏକ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଥାନ୍ତି, ଯେଉଁଠାରେ ସେମାନେ ସାଧାରଣତଃ ପ୍ରତି ୨-୩ ଦିନ ବ୍ୟବଧାନରେ ଗୋଟିଏ ଜମିରୁ ଆଉ ଏକ ଜମିକୁ ଯାଇଥାନ୍ତି, ସେଠାରେ ଟ୍ରାପ୍‌ଲିନ୍‌ ସିଟ୍‌ ପକାଇ ନିଜପାଇଁ ଆଶ୍ରୟସ୍ଥଳି ତିଆରି କରିଥାନ୍ତି । ଗ୍ରାମରୁ ଦୂରରେ, ରାସ୍ତାରେ ଥିବାବେଳେ, ସେମାନେ ସାଧାରଣତଃ ଜଙ୍ଗଲ ଅଞ୍ଚଳ ଦେଖି ରୁହନ୍ତି ।

ପ୍ରକାଶ ଓ ତାଙ୍କ ସହିତ ଥିବା ଅନ୍ୟ ସଦସ୍ୟମାନେ ଅହମଦ୍‌ନଗର ଜିଲ୍ଲାର ଧବଳପୁରି ଅଞ୍ଚଳର ମୂଳ ବାସିନ୍ଦା । ହେଲେ, ରାଜ୍ୟ ଭିତରେ ସେମାନଙ୍କର ବାର୍ଷିକ ପ୍ରବାସ ସାଧାରଣତଃ ଜୁନ୍‌ରେ ନାସିକ୍‌ ଜିଲ୍ଲାରେ ସମାପ୍ତ ହୋଇଥାଏ, ଯେଉଁଠାରେ ସେମାନେ ବିଭିନ୍ନ ଗ୍ରାମରେ ଥିବା ଚାଷ ଅନୁପୋଯୁକ୍ତ ଜମିରେ ଅସ୍ଥାୟୀ କୁଡିଆ ନିର୍ମାଣ କରି, ସେଥିରେ ରହି ବର୍ଷାଋତୁ ଅତିବାହିତ କରନ୍ତି ।

ହେଲେ, ମାର୍ଚ୍ଚ ୨୫ରେ କୋଭିଡ୍‌ -୧୯ ତାଲାବନ୍ଦ ଘୋଷଣା ହେବା ପରେ ସେମାନେ ଯେଉଁ ରାସ୍ତାରେ ସାଧାରଣତଃ ଆତଯାତ ହେଉଥିଲେ, ସେହି ରାସ୍ତାରେ ଚଳପ୍ରଚଳ ହେବା କୋକରେ ସମୁଦାୟ ପାଇଁ କଠିନ ହୋଇଗଲା । “ଆମେ ପ୍ରତିଦିନ ପ୍ରାୟ ୩୦ କିଲୋମିଟର ରାସ୍ତା ଚାଲିଥାଉ, ହେଲେ, ଏହି ତାଲାବନ୍ଦ ସମୟରେ ଲୋକମାନେ ଆମକୁ ସେମାନଙ୍କ ଜମିରେ ରହିବାକୁ ବାରଣ କରୁଛନ୍ତି,” ବୋଲି ପ୍ରକାଶ କହିଲେ । 

ବଡା ତାଲୁକାରେ ସେମାନେ ପହଞ୍ଚିବା ପୂର୍ବରୁ, ଏହି ପରିବାରଗୁଡିକ ବଡା ଠାରୁ ପ୍ରାୟ ୫୫ କିଲୋମିଟର ଦୂରରେ ଅବସ୍ଥିତ ପାଳଘରର ବଣଗାଁରେ କିଛି ସମୟ ପାଇଁ ରହିଥିଲେ –  ୪୦ଦିନ ପର୍ଯ୍ୟନ୍ତ, ତାଲାବନ୍ଦର କଟକଣା କୋହଳ ହେବା ଅପେକ୍ଷାରେ । ଜୁନ୍‌ ବେଳକୁ ଯେତେବେଳେ କଟକଣା କୋହଳ ହେବା ଯୋଗୁଁ ଲୋକମାନେ ସୁବିଧାରେ ଆତଯାତ ହୋଇପାରିଲେ, ସେତେବେଳେ ସେମାନେ ପୁଣି ଥରେ ନିଜର ଯାତ୍ରା ଆରମ୍ଭ କଲେ । “ଆମକୁ ଆମ ପଶୁଙ୍କ କାରଣରୁ ସେହି ସ୍ଥାନ ଛାଡିବାକୁ ପଡିଲା, ଫଳରେ ପୋଲିସ୍‌ମାନେ ଆମକୁ ଆଉ ହଇରାଣ କରିପାରିବେ ନାହିଁ,” ବୋଲି ପ୍ରକାଶ କହିଲେ । “ଲୋକମାନେ ମଧ୍ୟ ଆମେ ସେମାନଙ୍କ ଗ୍ରାମ ଛାଡି ଅନ୍ୟତ୍ର ଚାଲିଯିବାକୁ ଚାହୁଁଥିଲେ” ।

Selling lambs, sheep and goats is the main source of sustenance for the Dhangar families, headed by Prakash (right image) – with his wife Jayshree (left) and niece Zai
PHOTO • Shraddha Agarwal
Selling lambs, sheep and goats is the main source of sustenance for the Dhangar families, headed by Prakash (right image) – with his wife Jayshree (left) and niece Zai
PHOTO • Shraddha Agarwal

ଧାଙ୍ଗର ପରିବାରଗୁଡିକ ଜୀବନଧାରଣ କରିବା ପାଇଁ ମୁଖ୍ୟତଃ ମେଣ୍ଢା ଛୁଆ, ମେଣ୍ଢା ଓ ଛେଳି ଆଦି ବିକ୍ରି ଉପରେ ନିର୍ଭର କରିଥାନ୍ତି। ଏହାର ମୁଖିଆ ହେଉଛନ୍ତି ପ୍ରକାଶ (ଡାହାଣ ଛବି) – ତାଙ୍କ ସ୍ତ୍ରୀ ଜୟଶ୍ରୀ (ବାମ) ଓ ଝିଆରୀ ଜୈଙ୍କ ସହିତ

ସେ ଏପ୍ରିଲ୍‌ ମାସରେ ଘଟିଥିବା ଏକ ଘଟଣା କଥା ମନେପକାଇଲେ, ଯେତେବେଳେ ବଣଗାଁର କିଛି ଲୋକ ତାଙ୍କ ପରିବାର ଉପରେ ପାଟି କରିଥିଲେ । “ସେମାନେ କହିଲେ ଯେ ଆମେ ସେମାନଙ୍କ ଜମିକୁ ଯାଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ଓ ସେମାନେ ଆମକୁ ଘର ଭିତରେ ରହିବାକୁ କହିଲେ । ହେଲେ, ଆମେ ତ ସବୁବେଳେ ଏପରି ରହି ଆସୁଛୁ । ଆମର ବାପା ଓ ତାଙ୍କର ବାପା, ଆମେ ସମସ୍ତେ, ଆମ ପଶୁପଲ ସହିତ ଚାରିଆଡେ ବୁଲିଥାଉ । ଆମେ କେବେ ମଧ୍ୟ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବେ ରହିନୁ । ଘର ଭିତରେ ରହିବାକୁ ଆମ ପାଖରେ କୌଣସି ଘର ମଧ୍ୟ ନାହିଁ ’’।

ସେ ଯାହାହେଉ, ତାଲାବନ୍ଦରେ ସମ୍ମୁଖୀନ ହେଉଥିବା ଅସୁବିଧା ଯୋଗୁଁ ସେମାନେ ଏକ ସ୍ଥାୟୀ ଘର କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । “ଏହି କାରଣରୁ ଆମକୁ ଅନେକ ଅସୁବିଧାର ସମ୍ମଖୀନ ହେବାକୁ ପଡୁଛି,” ବୋଲି ପ୍ରକାଶ କହିଲେ । “ଯଦି ଆମ ପାଖରେ ଗୋଟିଏ ଘର ଥାଆନ୍ତା ତାହାହେଲେ ବହୁତ ସୁବିଧା ହୋଇଥାନ୍ତା…”

ତାଲାବନ୍ଦ ସମୟରେ, ପରିବହନ ବିକଳ୍ପ ପ୍ରାୟତଃ ଶୂନ ହୋଇ ଯାଇଥିବାରୁ, ଧାଙ୍ଗର ପରିବାରଗୁଡିକୁ ଅନ୍ୟାନ୍ୟ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥିଲା। ମେଷପାଳକମାନଙ୍କୁ ଡାକ୍ତରୀ ସେବା ସହଜରେ ଉପଲବ୍ଧ ହୋଇପାରେ ନାହିଁ କାରଣ ସେମାନେ ପ୍ରାୟ ସମୟରେ ଯାତ୍ରା କରୁଥାନ୍ତି ବା ଏହିପରି ସ୍ଥାନରେ ରୁହନ୍ତି ଯେଉଁ ସ୍ଥାନକୁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ନାହିଁ । ପ୍ରକାଶ କହିଲେ ଯେ “ଜୁନ୍‌ ମଧ୍ୟ ଭାଗରେ, ଆମେ ମୋର ଭାଇର ଝିଅ ଓ ପିଲାକୁ ହରାଇଲୁ। ସେ ଗର୍ଭବତୀ ଥିଲା ।’’

ସୁମନ କୋକ୍‌ରେ ପାଖରେ ଥିବା ଏକ ଟ୍ୟାପ୍‌ରୁ ପାଣି ଆଣିବାକୁ ଯାଇଥିବା ବେଳେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । ଏହି ଦଳର ଜଣେ ବ୍ୟକ୍ତି ତାଙ୍କୁ ସେଠାରେ ଦେଖିଲେ । ଅଟୋରିକ୍ସା ନମିଳିବାରୁ ସେମାନେ ଏକ ଘରୋଇ ଯାନକୁ ଡାକିଲେ । ହେଲେ, ପାଳଘରରେ ଥିବା ଡାକ୍ତରଖାନାଗୁଡିକରେ  ସଂଖ୍ୟାଧିକ କୋଭିଡ୍‌ -୧୯ ଆକ୍ରାନ୍ତ ଥିବାରୁ ସେମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ମନାକଲେ । “ଆମେ ତାକୁ ଧରି ବହୁ ସମୟ ପର୍ଯ୍ୟନ୍ତ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଡାକ୍ତରଖାନାକୁ ବୁଲିଲୁ, ହେଲେ, କେହି ମଧ୍ୟ ଆମକୁ ସାହାଯ୍ୟ କଲେ ନାହିଁ । ରାତିରେ ଆମେ ଉଲ୍ଲାସନଗର [ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ] ଯିବାକୁ ବାହାରିଲୁ, ହେଲେ, ସେ ରାସ୍ତାରେ ମରିଗଲା। ସେଠାରେ ଥିବା ଡାକ୍ତରଖାନା ଦୁଇଦିନ ପରେ ଆମକୁ ତାର ମୃତଦେହ ହସ୍ତାନ୍ତର କଲେ,” ବୋଲି ପ୍ରକାଶ କହିଲେ ।  

“ମୋର ପୁଅମାନେ [୩ ଓ ୪ ବର୍ଷର] ମତେ ସେମାନଙ୍କ ଆଇ କୁଆଡେ ଯାଇଛି ବୋଲି ପଚାରୁଛନ୍ତି,” ବୋଲି ସୁମନର ସ୍ୱାମୀ, ୩୦ ବର୍ଷ ବୟସ୍କ ସନ୍ତୋଷ କୁହନ୍ତି । “ମୁଁ ସେମାନଙ୍କୁ କି ଉତ୍ତର ଦେବି? ମୋର [ ଅଜନ୍ମା] ପିଲା ଓ ସ୍ତ୍ରୀର ମୃତ୍ୟୁ ହୋଇଯାଇଛି । ଏ କଥା ମୁଁ ସେମାନଙ୍କୁ କିଭଳି କହିବି?”

'We will take care of ourselves, but our sheep need fodder and water', says Zai Kokre (left and centre), with her aunt Jagan, her son (centre) and others from her family
PHOTO • Shraddha Agarwal
'We will take care of ourselves, but our sheep need fodder and water', says Zai Kokre (left and centre), with her aunt Jagan, her son (centre) and others from her family
PHOTO • Shraddha Agarwal
'We will take care of ourselves, but our sheep need fodder and water', says Zai Kokre (left and centre), with her aunt Jagan, her son (centre) and others from her family
PHOTO • Shraddha Agarwal

‘ଆମେ ଆମ ନିଜର ଯତ୍ନ ନେଇ ପାରିବୁ ହେଲେ ଆମର ମେଣ୍ଢାଗୁଡିକୁ  ଖାଦ୍ୟ ଓ ପାଣି ଆବଶ୍ୟକ, ବୋଲି ଜୈ କୋକ୍‌ରେ (ବାମ ଓ କେନ୍ଦ୍ର), କୁହନ୍ତି । ସେ ତାଙ୍କର ଖୁଡି ଜଗନ୍‌, ତାଙ୍କ ପୁଅ (କେନ୍ଦ୍ର) ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଅଛନ୍ତି

ମେଷପାଳକମାନେ ଏଭଳି ମହାମାରୀ ସମୟରେ ଯେଉଁସବୁ ସତର୍କତା ଅବଲମ୍ବନ କରିବାକୁ ହୁଏ, ସେ ବିଷୟରେ ଜାଣନ୍ତି, ହେଲେ ଜଙ୍ଗଲ ଅଞ୍ଚଳରେ ଖରାପ ନେଟ୍‌ୱର୍କ ଯୋଗୁଁ ସେମାନେ ସବୁବେଳେ ଦେଶ ଦୁନିଆର ଖବର ବିଷୟରେ ଜାଣିବା ଓ ଅନ୍ୟ ତଥ୍ୟ ପାଇବା ସମ୍ଭବ ହୋଇପାରେନାହିଁ । “ଆମେ ରେଡିଓ ଶୁଣୁ,” ବୋଲି ଜୈ କୋକ୍‌ରେ ମତେ କହିଲେ । “ସେମାନେ ଆମକୁ ହାତ ଧୋଇବାକୁ ଓ ମାସ୍କ ପିନ୍ଧିବାକୁ କହିଲେ । ଆମେ ଯେତେବେଳେ ଗ୍ରାମକୁ ଯାଉ, ସେତେବେଳେ ଆମ ମୁହଁକୁ ଆମର ପଦର [ଶାଢୀ କାନୀ]ରେ ଘୋଡେଇ ଦେଉ” ।

ପାଳଘରରେ ରହୁଥିବା ବେଳେ, ସେଦିନ ୨୩ ବର୍ଷୀୟ ଜୈ, ପ୍ରକାଶଙ୍କ ଝିଆରୀ ଏକ ଅସ୍ଥାୟୀ ଚୁଲ୍‌ହାରେ କାଠରେ ନିଆଁ ଲଗାଇ ଜୱାର୍‌ ଭାକ୍ରି ପ୍ରସ୍ତୁତ କରୁଥିଲା, ଯେତେବେଳେକି ତାଙ୍କର ଏକ ବର୍ଷର ପୁଅ ଦିନେଶ ତାଙ୍କ ଆଖପାଖରେ ଖେଳୁଥିଲା । “ଆମକୁ ଗୋଟିଏ ବେଳା ଖାଇବାକୁ ମିଳିଗଲେ ଯଥେଷ୍ଟ, ହେଲେ ଦୟାକରି ଆମର ପଶୁମାନଙ୍କ ଯତ୍ନ ନିଅନ୍ତୁ,” ବୋଲି ବଣଗାଁର ଲୋକମାନେ ଧାଙ୍ଗରମାନଙ୍କୁ ଗ୍ରାମ ଛାଡି ଅନ୍ୟତ୍ର ଚାଲିଯିବାକୁ କହିବା କଥା ମନେପକାଇ କହିଲେ । “ଯଦି ଆପଣମାନେ ଆମକୁ ଆମ ମେଣ୍ଢାଗୁଡିକ ବଞ୍ଚିବା ପରି ଏକ ସ୍ଥାନ ଯୋଗାଇଦେବେ, ତାହାହେଲେ ଆମେ ଖୁସିର ସହିତ ସେଠାକୁ ରହିବାକୁ ଚାଲିଯିବୁ । ସେହି ସ୍ଥାନ ଜଙ୍ଗଲ ଭିତରେ ରହିଥିଲେ ମଧ୍ୟ । ଆମେ ଆମ ନିଜର ଯତ୍ନ ନେବୁ, ହେଲେ, ଆମର ମେଣ୍ଢାଗୁଡିକ ପାଇଁ ଖାଦ୍ୟ ଓ ପାଣି ଆବଶ୍ୟକ’’। 

ତାଲାବନ୍ଦ ପୂର୍ବରୁ ସାତଟି ଯାକ ପରିବାର ମିଶି ସପ୍ତାହରେ ପ୍ରାୟ ୫ ରୁ ୬ଟି ମେଣ୍ଢା ବିକ୍ରି କରୁଥିଲେ- ଯଦିଓ ବେଳେବେଳେ ସପ୍ତାହରେ କେବଳ ଗୋଟିଏ ପଶୁ ବିକ୍ରି ହୋଇଥାଏ,” ବୋଲି ପ୍ରକାଶ କୁହନ୍ତି । ଆଉ କେବେକେବେ ଆର୍ଥିକ ସ୍ୱଚ୍ଛଳତା ଥିବା ଚାଷୀମାନେ ସେମାନଙ୍କଠାରୁ ବହୁସଂଖ୍ୟକ ପଶୁ କ୍ରୟ କରିଥାନ୍ତି, ବୋଲି ମଧ୍ୟ ପ୍ରକାଶ କୁହନ୍ତି । ସାଧାରଣତଃ ସେମାନେ ମାସରେ ୧୫ଟି ଛେଳି ବିକ୍ରି କରନ୍ତି ଓ ସମସ୍ତେ ମିଳିମିଶି ଆୟ କରନ୍ତି ଓ ବ୍ୟୟ ମଧ୍ୟ କରନ୍ତି। “ଆମେ ସମସ୍ତେ ଗୋଟିଏ ପରିବାର ଭଳି, ଆମେ ସମସ୍ତେ ମିଳିମିଶି ଚଳୁ,” ବୋଲି ପ୍ରକାଶ କୁହିଲେ । 

ତାଲାବନ୍ଦ ସମୟରେ ଏଗୁଡିକର ବିକ୍ରି କମ୍‌ ହୋଇଗଲା- କେତେ ପରିମାଣ ହ୍ରାସ ପାଇଥିଲା ତାହା ପ୍ରକାଶ ମନେ ପକାଇ ପାରିଲେ ନାହିଁ, ହେଲେ କହିଲେ ଯେ ସେମାନେ ନିଜ ସଞ୍ଚିତ ରାଶି ବ୍ୟବହାର କରି ଯେକୌଣସି ପ୍ରକାରେ ଚଳିଗଲେ – ଯଦିଓ କେଜି ପିଛା ୫୦ଟଙ୍କାରେ ମିଳୁଥିବା ଚାଉଳ ଏବେ ୯୦ଟଙ୍କାରେ ମିଳୁଛି ଓ ଗହମର ମୂଲ୍ୟ କେଜି ପିଛା ୩୦ଟଙ୍କାରୁ ବୃଦ୍ଧି ପାଇ ୬୦ଟଙ୍କାରେ ପହଞ୍ଚିଛି । “ଏଠାରେ ଥିବା ସମସ୍ତ ଦୋକାନ [ବଡା ରେ] ଆମକୁ ଲୁଟୁଛନ୍ତି,” ବୋଲି ଜୈ କହିଲେ । “ସେମାନେ ଅତି ଚଢା ଦରରେ ଆମକୁ ଶସ୍ୟ ବିକ୍ରି କରୁଛନ୍ତି । ଏବେ ଆମେ କୌଣସି ନୂଆ ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ଆମକୁ ଆମର ରାସନ୍‌ ବଞ୍ଚେଇ ରଖିବାକୁ ହେବ । ଆଜିକାଲି ଆମେ ଦିନକୁ କେବଳ ଗୋଟିଏ ଓଳି ଖାଉଛୁ’’।

ପରିବାରଗୁଡିକ ସେମାନେ ମଧ୍ୟ ସରକାରଙ୍କ ଦ୍ୱାରା ବିତରଣ କରାଯାଉଥିବା କିଛି ରାସନ୍‌ ପାଇଛନ୍ତି ବୋଲି କହିଲେ । “ସାତଟି ପରିବାର ପାଇଁ ଆମେ କେବଳ ୨୦କେଜି ଚାଉଳ ପାଇଛୁ [ଅହମଦ୍‌ନଗର ଅଧିକାରୀଙ୍କ ଠାରୁ],” ବୋଲି ପ୍ରକାଶ କହିଲେ । “ଆପଣ ମତେ କୁହନ୍ତୁ, କ’ଣ ଆମ ପରିବାର ପାଇଁ ୨୦କେଜି ଚାଉଳ ପର୍ଯ୍ୟାପ୍ତ ଅଟେ? ଆମ ଗ୍ରାମରେ [ଧବଲ୍‌ପୁରୀ, ଯେଉଁଠାକୁ ଏହି ପରିବାରଗୁଡିକ କେବେ କେମିତି ଯାଆନ୍ତି] ଆମକୁ କମ୍‌ ମୂଲ୍ୟରେ ରାସନ୍‌ ସାମଗ୍ରୀ କିଣିବାକୁ ମିଳିଯାଏ [ପିଡିଏସ୍‌ ଅନ୍ତର୍ଗତ], ହେଲେ ଅନ୍ୟ ସ୍ଥାନରେ ଆମକୁ ପୂରା ମୂଲ୍ୟ ଦେଇ କିଣିବାକୁ ପଡେ…”

While travelling, this group – which includes Gangadhar (left) and Ratan Kurhade – carries enough rations on their horses to last nearly a month
PHOTO • Shraddha Agarwal
While travelling, this group – which includes Gangadhar (left) and Ratan Kurhade – carries enough rations on their horses to last nearly a month
PHOTO • Shraddha Agarwal

ଯାତ୍ରା କରିବା ସମୟରେ, ଏହି ଦଳ – ଯେଉଁଥିରେ ଗଗାଁଧର (ବାମ) ଓ ରତନ ଖୁରାଡେ ଅଛନ୍ତି- ସେମାନଙ୍କ ଘୋଡା ଉପରେ ପ୍ରାୟ ଏକ ମାସ ପାଇଁ ପର୍ଯ୍ୟାପ୍ତ ପରିମାଣର ରାସନ ବୋହି ନିଅନ୍ତି

ଯାତ୍ରା କରିବା ସମୟରେ, ଏକାଧିକ ପରିବାରକୁ ନେଇ ଗଠିତ ଏହି ଦଳ ସେମାନଙ୍କ ଘୋଡା ଉପରେ ପ୍ରାୟ ଏକ ମାସ ପାଇଁ ଆବଶ୍ୟକ ରାସନ୍‌ ସାମଗ୍ରୀ ଲଦି ନେଇଥାନ୍ତି ।  “ବେଳେବେଳେ, ଜଙ୍ଗଲରେ ରହିବା ବେଳ ତେଲ ସମୟ ପୂର୍ବରୁ ସରିଯାଏ ବା ଚାଉଳ ମାତ୍ର ୧୫ଦିନରେ ସରିଯାଏ । ସେତେବେଳେ ଆମକୁ ପୁଣି ନିକଟସ୍ଥ ଗ୍ରାମଗୁଡିକୁ ଯାଉ ଓ ଆବଶ୍ୟକ ସାମଗ୍ରୀ କିଣିଥାଉ,” ବୋଲି ପ୍ରକାଶ କହିଲେ । 

“ଆଉ ଏହି ରୋଗ କାରଣରୁ [କୋଭିଡ୍‌- ୧୯] ମୋର ପିଲାମାନେ ମଧ୍ୟ ମୋ ସହିତ ବୁଲୁଛନ୍ତି । ସେମାନେ ପାଠ ପଢିବା ପାଇଁ ସେମାନଙ୍କ ବିଦ୍ୟାଳୟକୁ ଯିବା କଥା, ବୋଲି ପ୍ରକାଶଙ୍କ ଭଉଣୀ ୩୦ବର୍ଷୀୟ ଜଗନ କକ୍‌ରେ କହିଲେ । ସାଧାରଣତଃ, କେବଳ ଛୋଟ ପିଲାମାନେ ସେମାନଙ୍କ ବାପାମା’ଙ୍କ ସହିତ ମିଶି ଯାତ୍ରା କରିଥାନ୍ତି, ଯେତେବେଳେକି ୬ ରୁ ୮ବର୍ଷର ପିଲାମାନେ ଧବଳପୁରିରେ ଥିବା ଆବାସିକ ବିଦ୍ୟାଳୟରେ[ଆଶ୍ରମଶାଳା] ରହିଥାନ୍ତି । କେବଳ ଗ୍ରୀଷ୍ମ ଋତୁରେ, ଯେତେବେଳେ ସେମାନଙ୍କ ବିଦ୍ୟାଳୟ ଛୁଟି ହୋଇଯାଏ, ସେତେବେଳେ ବଡ ପିଲାମାନେ ମଧ୍ୟ ସେମାନଙ୍କ ସହିତ ଯାତ୍ରାରେ ସାମିଲ ହୋଇଥାନ୍ତି । “ମୋର ପୁଅ ଏବେ ମେଣ୍ଢାଗୁଡିକର ଯତ୍ନ ନେଉଛି , ବୋଲି ଜଗନ କହିଲେ । “ମୁଁ ଆଉ କ’ଣ କରିପାରିଥାନ୍ତି? କରୋନା ଯୋଗୁଁ ଆଶ୍ରମଶାଳାଗୁଡିକ ବନ୍ଦ ହୋଇଗଲା, ଏଣୁ ଆମକୁ ତାକୁ ଆମ ସହିତ ଆଣିବାକୁ ପଡିଲା ।

ଜଗନଙ୍କର ଦୁଇଟି ପୁଅ – ସନି ଓ ପ୍ରସାଦ, ଯଥାକ୍ରମେ ଧବଳପୁରିରେ ୯ଓ ୭ ଶ୍ରେଣୀରେ ପଢନ୍ତି; ତାଙ୍କର ଛଅ ବର୍ଷର ଝିଅ ତୃପ୍ତି ଆହୁରି ବିଦ୍ୟାଳୟକୁ ଯାଇନାହିଁ ଓ ସେ ସେମାନଙ୍କ ବ୍ୟବହାର ହେଉଥିବା ଜିନିଷଗୁଡିକ ଘୋଡା ଉପରେ ଲଦିବାରେ ତାଙ୍କ ମାଁଙ୍କ ସହାୟତା କରୁଛନ୍ତି । “ଆମ ପିଲାମାନେ ମଧ୍ୟ ଆମଭଳି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଘୁରି ବୁଲନ୍ତୁ. ତାହା ଆମେ ଚାହୁନାହୁଁ,” ବୋଲି ଜଗନ କହିଲେ । “ଯାତ୍ରା କରିବା ଅତ୍ୟନ୍ତ କଷ୍ଟଦାୟକ, ହେଲେ ଏହା ଆମେ ଆମର ପୁଶୁଗୁଡିକ ପାଇଁ ଏହା କରୁଛୁ’’।

ଜୁନ୍‌ ମାସ ଶେଷ ଆଡକୁ ସେମାନଙ୍କ ସହିତ ମୋର ସାକ୍ଷାତ ହେବା ବେଳକୁ ଏହି ସାତଟି ପରିବାର ପାଳଘରକୁ ସ୍ଥାନାନ୍ତରିତ ହେବା ପାଇଁ ପ୍ରସ୍ତୁତ ହେଉଥିଲେ । “ଆମର ମେଣ୍ଢାଗୁଡିକ ଏହି ଅଞ୍ଚଳର ବର୍ଷାକୁ ସହ୍ୟ କରିପାରିବେ ନାହିଁ । ଏଠାର ମାଟି ଚିକିଟା ଓ ଏହା ସେମାନଙ୍କ ବେମାର କରିଦିଏ,” ବୋଲି ପ୍ରକାଶ କହିଲେ । “ଏଣୁ ଆମକୁ ନାସିକ୍‌ ଫେରିବାକୁ ହେବ, ସେଠାରେ କମ୍‌ ପରିମାଣର ବର୍ଷା ହୋଇଥାଏ’’। 

କିଛିଦିନ ପୂର୍ବେ ଆମେ ଯେତେବେଳେ ଫୋନ୍‌ ଯୋଗେ ପରସ୍ପର ସହିତ କଥା ହୋଇଥିଲୁ, ସେତେବେଳେ ଏହି ମେଷପାଳକ ଗୋଷ୍ଠୀ ନାସିକ ଜିଲ୍ଲାର ସିନ୍ନାର ତାଲୁକା ରେ ଯାତ୍ରା କରୁଥିଲେ, ସେହି ରାସ୍ତାରେ ଓ ସେହି ତାଳରେ ଯେଉଁଥିରେ ପିଢି ପରେ ପିଢି ଏହି ଜାତି ଯାତ୍ରା କରିଆସୁଛି । 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Other stories by Shraddha Agarwal