ସାଧାରଣ ପରିସ୍ଥିତିରେ, ଜଣେ ବ୍ୟକ୍ତି ଯିଏ ଦୁଇ ଦୁଇ ଥର ବିସ୍ଥାପନର ଯନ୍ତ୍ରଣା ସହ୍ୟ କରିଛି, ସେ ଏପରି ଅନ୍ୟ ଏକ ସମ୍ଭାବନା କଥା ଭାବି ନିଶ୍ଚିତ ଭାବେ ଭୟଭୀତ ହୋଇଯିବ । କିନ୍ତୁ ଯଦି ଆପଣ ଉତ୍ତର ପ୍ରଦେଶର ସୋନଭଦ୍ରା ଜିଲ୍ଲା ଅନ୍ତର୍ଗତ ଚିଲିକା ଦାଦ୍‌ ଗ୍ରାମର ନିବାସୀ, ତେବେ ନୁହେଁ । “ଆମେ ନିଶ୍ୱାସରେ କୋଇଲା କଣିକା ଗ୍ରହଣ କରିଥାଉ, ବାୟୁ ନୁହେଁ” ବୋଲି ୬୨ବର୍ଷ ବୟସ୍କ ରାମ୍‌ଶୁବାଘ୍‌ ଶୁକ୍ଲା, ଚିଲିକା ଦାଦ୍‌ ସ୍ଥିତ ନିଜ ଘରର ବାରଣ୍ଡା ଉପରେ ବସି କୁହନ୍ତି । କୋଇଲା ଓଭର୍‌ବର୍ଡନର ପାହାଡ଼ –  ଯାହାର ଉଚ୍ଚତା ସାଧାରଣ ଗ୍ରହଣୀୟ ଉଚ୍ଚତାଠାରୁ ଅଧିକ – ଯାହା ଆମେ ପ୍ରଥମେ ଦେଖିବାକୁ ପାଇଲୁ ।

ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ଖଣି ଅଞ୍ଚଳ ଗ୍ରାମ ଠାରୁ ୫୦୦ମିଟର୍‌ ଦୂରତାରେ ରହିବା ବାଧ୍ୟତାମୂଳକ କରାଯାଇଛି, ଅତଏବ ନର୍ଦେନ୍‌ କୋଲ୍‌ଫିଲ୍ଡ୍‌ସ ଲିମିଟେଡ୍‌(ଏନ୍‌ସିଏଲ୍‌)ର ଖଣି ଅଞ୍ଚଳ ଚିଲିକା ଦାଦ୍‌ର ଅବସ୍ଥିତିକୁ ବିଚାରକୁ ନେଇ ଯଥା ସ୍ଥାନରେ ରହିଛି । ତେବେ, ନିବାସୀମାନେ ଏହି ଦୂରତାକୁ ଅନୁଭବ କରିବା ପାଇଁ କୌଣସି ସୁଯୋଗ ପାଇପାରୁ ନାହାନ୍ତି । ଡମ୍ପରରେ କୋଇଲା ପରିବହନ କରିବା ପାଇଁ ବ୍ୟବହାର କରାଯାଉଥିବା ରାସ୍ତାକୁ ଚିଲିକା ଦାଦ୍‌ର ଉତ୍ତରରେ ୫୦ମିଟର ମଧ୍ୟରେ ବିପଦସଂଙ୍କୁଳ ଭାବେ ନିର୍ମାଣ କରାଯାଇଛି । କୋଇଲା ପରିଚାଳନା ପ୍ଲାଣ୍ଟ ସେହି ସ୍ଥାନରେ ଅବସ୍ଥିତ ଯେଉଁଠାରେ ଗ୍ରାମ ସରିଛି, ପୂର୍ବରେ । ପଶ୍ଚିମରେ କୋଇଲା ଡମ୍ପିଂ ୟାର୍ଡ ରହିଛି । ଆହୁରିକହିଲେ, ଏକ ସଂକୀର୍ଣ୍ଣ ଅବପଥ ହେଉଛି ଗ୍ରାମକୁ ଯିବା ପାଇଁ ଏକମାତ୍ର ରାସ୍ତା ଯାହା ଉପର ଦେଇ କୋଇଲା ପରିବହନ କରିବା ପାଇଁ ଏକ ରେଳ ଲାଇନ୍‌ ଯାଇଛି । ଗୋଟିଏ ସ୍ଥାନରେ ଗଦା ହୋଇଥିବା କୋଇଲା ଓଭର୍‌ବର୍ଡନ୍‌ ଗୁଡ଼ିକ ରାତି ୭ଟାର ଝାପ୍‌ସା ଆଲୋକରେ ଆମ ମନରେ ପାହାଡ଼ର ଭ୍ରମ ସୃଷ୍ଟି କଲା, ଏହା ହେଉଛି ସେହି ଦୃଶ୍ୟ ଯାହା ଜଣେ ସେହି ଅଞ୍ଚଳକୁ ପ୍ରବେଶ କରିବା ପରେ ପ୍ରଥମେ ଦେଖିବାକୁ ପାଇଥାଏ ।

“ଗୋଟିଏ ଦୃଷ୍ଟିରୁ ଆମେ ହେଉଛୁ ଏକ ସ୍ୱତନ୍ତ୍ର ଉଦାହରଣ,”ବୋଲି ବିଦ୍ରୁପ କରି ଶୁକ୍ଳା ଦୁଖଃରେ ହସି କହିଲେ ।

କୋଇଲା ପରିବହନ କରୁଥିବା ଡମ୍ପରଗୁଡ଼ିକ ଗମନାଗମନ ପଥରେ ନିଜ କାମ ପ୍ରତି ସମର୍ପିତ ଓ ଶୃଙ୍ଖଳିତ ମନେ ହୁଅନ୍ତି । “ସେଗୁଡିକ ସରକାରୀ ଛୁଟି ଓ ରବିବାର ଦିନ ମଧ୍ୟ ବିରତି ନିଅନ୍ତି ନାହିଁ,” ବୋଲି ଶୁକ୍ଳା କହିଲେ । “ଆମେ ବିଷ୍ଫୋରଣ ଯୋଗୁଁ ହେଉଥିବା ଭୟଙ୍କର ଶବ୍ଦକୁ ମଧ୍ୟ ସହ୍ୟ କରିଥାଉ ଯାହା ଦିନକୁ ଦୁଇଥର ହୋଇଥାଏ । କୋଇଲା ବୋଝେଇ ଡମ୍ପରଗୁଡ଼ିକ ନିରନ୍ତର ଯିବାଆସିବା କରିବା ଯୋଗୁଁ କୋଇଲା ଜନିତ ପ୍ରଦୂଷଣ ହେଉଛି, ଯାହା ଅସହ୍ୟ ଅଟେ । ଆମେ ସାଂଘାତିକ ଭାବେ ଅନ୍ୟତ୍ର ଥଇଥାନ ହେବା ଆବଶ୍ୟକ କରୁଛୁ ।

ଚିଲିକା ଦାଦ୍‌ରେ ପ୍ରାୟ ୮୦୦ପରିବାର ରୁହନ୍ତି ଯେଉଁମାନଙ୍କୁ  ପ୍ରଥମେ ଶିଂଗ୍ରୋଲି ଜିଲ୍ଲାର ଶିଂଗ୍ରୋଲି ଅଞ୍ଚଳରୁ ଓ ଦ୍ୱିତୀୟରେ ଉତ୍ତର ପ୍ରଦେଶର ସୋନ୍‌ଭଦ୍ରା ଜିଲ୍ଲାରୁ ବିକାଶମୂଳକ କାର୍ଯ୍ୟ ଯୋଗୁଁ ଦୁଇ ଦୁଇ ଥର ବିସ୍ଥାପିତ ହେବାକୁ ପଡିଛି । 

୧୯୬୦ରେ, ଆଠ-ବର୍ଷ-ବୟସ୍କ ରାମ୍‌ଶୁବାଘ ଶୁକ୍ଳା  ପ୍ରଥମ ଥର ରିହାନ୍ଦ ଡ୍ୟାମ କାମ ପାଇଁ ରେଣୁକୋଟ୍‌ରୁ ଶକ୍ତିନଗରକୁ ବିସ୍ଥାପିତ ହୋଇଥିଲେ । ତା’ପରେ ୧୯୭୫ରେ, ନ୍ୟାସ୍‌ନାଲ୍‌ ଥର୍ମାଲ୍‌ ପାୱାର୍‌ କର୍ପୋରେସନ୍‌ (ଏନ୍‌ଟିପିସି) ଏହାର ଶକ୍ତିନଗର ପାୱାର୍‌ ପ୍ଲାଣ୍ଟ ସ୍ଥାପନ କଲା, ଯେଉଁ କାରଣରୁ ସେମାନଙ୍କୁ ସେଠାରୁ ବାହାର କରିଦିଆଗଲା ଓ ଏନ୍‌ଟିପିସି ସେମାନଙ୍କୁ ୧୯୭୭ରେ ଚିଲିକା ଦାଦ୍‌ରେ ପୁଣି ଥଇଥାନ କଲା ।

PHOTO • Srijan Lokhit Samiti

“ ଆମେ ଯେତେବେଳେ ପ୍ରଥମେ ଏଠାକୁ ଆସିଥିଲୁ, ସେତେବେଳେ ଏହି ଅଞ୍ଚଳ ଚାରିପାଖରେ ପାହାଡ ଜଙ୍ଗଲ ଘେରି ରହିଥିଲା । ଏହାର ପ୍ରୀତିକର ପରିବେଶ, ତାଜା ବାୟୁ ଓ ଆନନ୍ଦଦାୟକ ପ୍ରକୃତି ଯୋଗୁଁ ଆମର ସକାଳ ଖୁବ୍‌ ଆନନ୍ଦମୟ ମନେ ହେଉଥିଲା,” ବୋଲି ଶୁକ୍ଳା କୁହନ୍ତି । ପ୍ରାୟ ଚାରି ବର୍ଷ ପରେ, ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ସତ୍ତ୍ୱେ ଏନ୍‌ସିଏଲ୍‌ ଏଠାରେ ତାହାର ଖାଡିଆ ଖଣି ପ୍ରକଳ୍ପ ଆରମ୍ଭ କଲା । କାଳକ୍ରମେ, ସରକାରୀ ଯୋଜନା ଯୋଗୁଁ ବିରୋଧ ବନ୍ଦ ହୋଇଗଲା ।

“ପ୍ରାରମ୍ଭରେ ସବୁ କିଛି ଠିକ୍‌ ଥିଲା । ଗତ ୧୦ବର୍ଷ ମଧ୍ୟରେ ଏଠାରେ ପ୍ରଦୂଷଣ ହାର ବହୁ ପରିମାଣରେ ବୃଦ୍ଧି ପାଇଛି କିନ୍ତୁ ଗତ ଚାରି ବର୍ଷ ହେବ ଏହା ଅସହ୍ୟ ମନେ ହେଉଛି” ବୋଲି ଶୁକ୍ଳା କହିଲେ । “ବର୍ତ୍ତମାନ ଆମେ ଯେଉଁ ଜିନିଷ ସଂସ୍ପର୍ଶରେ ଆସୁଛୁ ତାହା କେବଳ କୋଇଲା ଅଟେ” । ଏହି ପ୍ରଦୂଷଣ କେତେ ଦୂର ପର୍ଯ୍ୟନ୍ତ ହାନିକାରକ ହୋଇପାରିବ? “ଖୋଲା ସ୍ଥାନରେ ଗୋଟିଏ ଦର୍ପଣ ରଖନ୍ତୁ । ୨୦ମିନିଟ୍‌ ପରେ ଆପଣ ଆଉ ଏଥିରେ ନିଜ ମୁଁହ ଦେଖିପାରିବେ ନାହିଁ । ସେ ଆମର ସମସ୍ତ ସନ୍ଦେହ, ଯଦି କିଛି ରହିଥାଏ, ରେ ପୂର୍ଣ୍ଣଚ୍ଛେଦ ପକାଇ ଏହା ଏତେ ପରିମାଣରେ ଧୂଳିରେ ଭରିଯାଏ,” ବୋଲି ତତ୍‌କ୍ଷଣାତ୍‌ ଉତ୍ତର ଦେଲେ । 

ପରିବେଶ ଧ୍ୱଂସ ହେବା ଯୋଗୁଁ ଅତ୍ୟନ୍ତ କଠୋର ପରିଣତି ଭୋଗିବାକୁ ପଡୁଛି, ଜଳ ଜନିତ ଓ ବାୟୁ ଜନିତ ବିଭିନ୍ନ ପ୍ରକାର ରୋଗ ସଂଖ୍ୟା ପ୍ରବଳ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । “ମୋର ଚାରି-ବର୍ଷ-ବୟସ୍କ ନାତିକୁ ଶ୍ୱାସକ୍ରିୟା ଜନିତ ସମସ୍ୟା ଭୋଗିବାକୁ ପଡୁଛି,” ବୋଲି ଶୁକ୍ଳା ବର୍ଣ୍ଣନା କରି କହିଲେ । “କର୍କଟ, ଶ୍ୱାସନଳୀ ସମ୍ବନ୍ଧୀୟ ରୋଗ, ମାନସିକ ରୋଗ, ଟ୍ୟୁବର୍‌କ୍ୟୁଲୋସିସ୍‌, ଫୁସ୍‌ଫୁସ୍‌ ସଂକ୍ରମଣ, ଚର୍ମ ରୋଗ ଆଦିର ହାର ବୃଦ୍ଧି ପାଇବାରେ ଲାଗିଛି । ଏବେ ଏକ ତିନି-ବର୍ଷ-ବୟସ୍କ ପିଲା ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି’’।

“କୋଇଲା ଓଭର୍‌ବର୍ଡନ୍‌ର ଥାକଗୁଡିକ ଗ୍ରାମଆଡ଼କୁ ରହିଥିବାରୁ, ବର୍ଷାଦିନ ଆସିଲେ ସ୍ଥାନୀୟ ନିବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ। “ଭାରି ବର୍ଷା ସହିତ କୋଇଲା ବର୍ଜ୍ୟ ଭାସି ଆସେ । ସଂକ୍ରମିତ ହୋଇଥିବା ଏହି ପାଣି ଗ୍ରାମ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ, ଯାହାଦ୍ୱାରା ଜଳ ଜନିତ ସଂକ୍ରମଣ ବ୍ୟାପିଥାଏ” ବୋଲି ଶୁକ୍ଳାଙ୍କ ପଡୋଶୀ ରାମ ପ୍ରତାପ ମିଶ୍ର, ୪୭, କୁହନ୍ତି, ଏହା ସହିତ ସେ ସ୍ୱଭାବ ଗତ ସମସ୍ୟା ବିଷୟରେ ମଧ୍ୟ କୁହନ୍ତି । “ବେଳେବେଳେ ଗ୍ରାମବାସୀମାନେ ଛୋଟ ଛୋଟ ସମସ୍ୟାକୁ ନେଇ ପରସ୍ପର ମଧ୍ୟରେ କଳହ କରିବା ନଜରକୁ ଆସିଥାଏ,” ବୋଲି ସେ କୁହନ୍ତି । “କିନ୍ତୁ ଗତ ଚାରି ବର୍ଷ ହେବ, ଲୋକମାନେ ହଠାତ୍‌ କ୍ରୋଧିତ ହେଉଥିବା ନଜରକୁ ଆସୁଛି, ଏପରିକି ଛୋଟ ଛୋଟ କଥାରୁ ମଧ୍ୟ ବଡଧରଣର ଝଗଡାର ସୂତ୍ରପାତ ହେଉଛି’’।

ଚିଲିକା ଦାଦ୍‌ ଗ୍ରାମର ୩୦ପ୍ରତିଶତ ଲୋକ ଦୁଗ୍ଧ ଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି । ଦୁର୍ଭାଗ୍ୟବଶତଃ, ପରିବେଶ ପ୍ରଦୂଷଣ ଗୁଣବତ୍ତା ଉପରେ ବିଶ୍ୱାସ କରିଥାଏ । ଗାଈ ଓ ମଇଁଷି, ମନୁଷ୍ୟଙ୍କ ଭଳି, ଏହାର କୁପରିଣତିଠାରୁ ନିଜକୁ ବଞ୍ଚେଇ ପାରିନାହାନ୍ତି । ୬୧ବର୍ଷୀୟ ପନ୍ନା ଲାଲ୍‌, ଯିଏ ପ୍ରାୟ ଅର୍ଦ୍ଧ-ଶତକରୁ ଅଧିକ ସମୟ ହେବ ଏହି ବ୍ୟବସାୟ ସହିତ ଯୋଡ଼ି ହୋଇ ରହିଛନ୍ତି, ସେ କହିଲେ ଯେ, “ସର୍ବଶେଷରେ ଅସମୟରେ ଜନ୍ମ ଓ ଗର୍ଭପାତ ସଂଖ୍ୟା ବୃଦ୍ଧି ପାଇଛି, ଯାହା ଦ୍ୱାରା ପ୍ରାକୃତିକ ଚକ୍ର ନଷ୍ଟ ହୋଇଯାଇଛି।’’ ଏହା ଦ୍ୱାରା ଦୁଗ୍ଧ ଜାତ ଉତ୍ପାଦର ଗୁଣବତ୍ତା ପ୍ରଭାବିତ ହୋଇଛି ।

ଶିଂଗ୍ରୋଲିରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉପସ୍ଥିତି ଯୋଗୁଁ କୃଷକମାନଙ୍କୁ ସେମାନଙ୍କ ଭୂମି ଛାଡ଼ିବାକୁ ପଡୁଛି, ଯେଉଁଥିପାଇଁ କୃଷିଭିତ୍ତିକ କାର୍ଯ୍ୟହ୍ରାସ ପାଇବାରେ ଲାଗିଛି । ପରିଣାମ ସ୍ୱରୂପ, ଗାଈମାନଙ୍କ ପାଇଁ ଖାଦ୍ୟ ସଂକଟ ଦେଖାଦେଇଛି । “ପୂର୍ବେ, ଆମେ ନିକଟସ୍ଥ ଚାଷଜମିରୁ ମାଗଣାରେ ଏସବୁ ପ୍ରଚୁର ପରିମାଣରେ ପାଇପାରୁଥିଲୁ । ବର୍ତ୍ତମାନ ଏଥିପାଇଁ ଆମକୁ ପଇସା ଖର୍ଚ୍ଚ କରିବାକୁ ପଡୁଛି,” ବୋଲି ପନ୍ନା ଲାଲ୍‌ କୁହନ୍ତି । ସ୍ଥାନୀୟ ଲୋକମାନେ, ଯେଉଁମାନେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଦୁଗ୍ଧ ଉପରେ ନିର୍ଭର କରୁଥିଲେ, ବର୍ତ୍ତମାନେ ସେମାନେ ଅନ୍ୟ ଉପାର୍ଜନ ପନ୍ଥା ବିଷୟରେ ଭାବିବାକୁ ଆରମ୍ଭ କଲେଣି । “ମୁଁ ଯେତେବେଳେ ପିଲା ଥିଲି ସେତେବେଳେ ଆମ ପାଖରେ ୩୫ଟି ଗାଇ ଓ ୧୨ଟି ମଇଁଷି ଥିଲା । ବର୍ତ୍ତମାନ ମୋ ପାଖରେ କେବଳ ଗୋଟିଏ ଗାଈ ଓ ଗୋଟିଏ ମଇଁଷି ଅଛି । ଆର୍ଥିକ କ୍ଷତି ଏବେ ସହିବା କଷ୍ଟକର ହୋଇଗଲାଣି,” ବୋଲି ସେ କହିଲେ ।

ଅଧିକନ୍ତୁ, ଚିଲିକା ଦାଦ୍‌ରେ ସ୍ୱାସ୍ଥ୍ୟ ସେବା ସ୍ଥିତି ଅତ୍ୟନ୍ତ ଦୁର୍ବଳ ଅଟେ ବା ପ୍ରାୟତଃ ନାହିଁ ବୋଲି କୁହାଯାଇପାରେ। “ଏହିପରି ଏକ ସ୍ଥାନ ଯେଉଁଠାରେ ଅଧିକାଂଶ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ଅଧିକ, ସେଠାର ସ୍ୱାସ୍ଥ୍ୟ ସେବା ମଧ୍ୟ ଅନୁକୂଳତମ ହେବା ଆବଶ୍ୟକ,” ବୋଲି ମିଶ୍ର ନିଜ ମତ ଦିଅନ୍ତି । କିନ୍ତୁ “ଦୁଃଖର କଥା ହେଉଛି, ଏଠାରେ ଏହା ଶୂନ୍ୟ ଅଟେ। ଯେ କୌଣସି ପ୍ରକାରର ଚିକିତ୍ସା ପାଇଁ ଆମକୁ ଆଖପାଖ ଅଞ୍ଚଳକୁ ଯିବାକୁ ପଡିଥାଏ’’।

ଶିଂଗ୍ରୋଲି ଅଞ୍ଚଳରେ ବହୁ ସଂଖ୍ୟକ ପାୱାର୍‌ ପ୍ଲାଣ୍ଟ ଓ ଖଣି ରହିଛି । ଯାହା ଫଳରେ, ଏହି ଅଞ୍ଚଳର ଲୋକମାନେ ବାରମ୍ବାର ବିସ୍ଥାପିତ ହେଉଥିବା ଦେଖାଯାଉଛି । ସେମାନେ ଯେଉଁମାନଙ୍କ ଜମି ‘ବିକାଶ ପ୍ରକଳ୍ପ’ ପାଇଁ ବାଜ୍ୟାପ୍ତ କରାଯାଇଛି, ସେମାନେ ଅଳ୍ପ ଲାଭ ବଦଳରେ ନିଜର ପାରମ୍ପରିକ ଜୀବୀକା ଅର୍ଜନ ପନ୍ଥା ଛାଡ଼ି ଦେଇଥିବାରୁ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି । ଏହା ଏକ ପାୱାର୍‌ହବ୍‌ ହୋଇଥିବାରୁ, ଶିଂଗ୍ରୋଲି ଯେ ଦିନେ ସମୃଦ୍ଧଶାଳୀ ହେବ, ସେଥିରେ ସନ୍ଦେହ ନାହିଁ । ତେବେ ବିଡ଼ମ୍ବନା ଏହା ଯେ, ଏହି ଅଞ୍ଚଳ ଅତ୍ୟନ୍ତ ଗରିବ ଅଟେ ଓ ବିସ୍ଥାପିତମାନଙ୍କୁ ନିକୃଷ୍ଟ ସ୍ତରରେ ଥଇଥାନ କରାଯାଇଛି, ଯେଉଁଠି ସ୍ୱାସ୍ଥ୍ୟ, ଶିକ୍ଷା, ପରିଷ୍କାର ଜଳ ଓ ବିଦ୍ୟୁତ୍‌ ପରି ମୌଳିକ ସୁବିଧା ମଧ୍ୟ ଉପଲବ୍ଧ କରାଯାଇନି । ଶିଂଗ୍ରୋଲି ଉପରେ ଆଧାରିତ ଏକ ଗ୍ରୀନ୍‌ପିସ୍‌ ସତ୍ୟ-ଅନୁସନ୍ଧାନ ରିପୋର୍ଟକୁ “ଶିଂଗ୍ରୋଲି: ଦ କୋଲ୍‌ କର୍ସ’ ଶିରୋନାମା ଦିଆଯାଇଛି ।

“ଶିଂଗ୍ରୋଲି ଅଞ୍ଚଳରେ ୫୦ କିଲୋମିଟର୍‌ ଏୟାର୍‌ ରେଞ୍ଜ ମଧ୍ୟରେ ୨୦,୦୦୦ ମେଗାୱାଟ୍‌ ପାୱାର୍‌ ଉତ୍ପନ୍ନ କରାଯାଏ," ବୋଲି ଗିରିଶ ଦ୍ୱିବେଦୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ଜଣେ ସଦସ୍ୟ କହିଛନ୍ତି । “ଏହିପରି ଏକ ପ୍ରକଳ୍ପର ଗୁରୁତ୍ୱକୁ କେହି ମଧ୍ୟ ଅଣଦେଖା କରିପାରିବେ ନାହିଁ । ତେବେ ଥଇଥାନ ପ୍ରକ୍ରିୟାକୁ ଆହୁରି ଉତ୍କୃଷ୍ଟ ଢଙ୍ଗରେ କରାଯାଇ ପାରିବ ସେଥିରେ କୌଣସି ସନ୍ଦେହ ନାହିଁ’’। 

ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଏହି ଅଞ୍ଚଳର କେତେକ ପରିବାରକୁ କମ୍ପାନି ତରଫରୁ ଚାକିରି ଯୋଗେଇ ଦିଆଯାଇଛି । କିନ୍ତୁ ଏହି ଗ୍ରାମର ଅଧିକାଂଶ ଯୁବକ ବିଭିନ୍ନ ଠିକାଦାରଙ୍କ ଅଧିନରେ ଚୁକ୍ତିବଦ୍ଧ ଶ୍ରମିକ ଭାବେ କାମ କରନ୍ତି, ବୋଲି ଶୁକ୍ଳା କୁହନ୍ତି । ଶୁକ୍ଳାଙ୍କ ପୁଅ ମଧ୍ୟ ଓଭର୍‌ବର୍ଡନ୍‌ ନିଷ୍କାସନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅବଧେଶ କୁମାର, ଶିଂଗ୍ରୋଲିର ଜଣେ ସମ୍ମାନିତ ସମାଜସେବୀ , କୁହନ୍ତି ଯେ “ସେମାନେ ସମସ୍ତେ ସାମୟିକ ଭାବେ ବୃତ୍ତିହୀନ ଅଟନ୍ତି। ସେମାନେ ଯେକୌଣସି ମସୟରେ ମଧ୍ୟ ନିଜ ବୃତ୍ତି ହରାଇବା ସମ୍ଭାବନା ରହିଛି’’।

ଭାରତର ଶକ୍ତି ରାଜଧାନୀ ଭାବେ ଶିଂଗ୍ରୋଲି ଅଞ୍ଚଳକୁ ପ୍ରୋତ୍ସାହିତ କରାଯାଉଛି ଯାହା ସହରଗୁଡିକୁ ଆଲୋକମୟ କରୁଛି ଓ କାରଖାନାଗୁଡିକୁ ପାୱାର୍‌ ଯୋଗାଉଛି । ଏହି ପରିପ୍ରେକ୍ଷୀରେ, ବିରୋଧାଭାସ ସୁସ୍ପଷ୍ଟ । ଚିକିଲା ଦାଦ୍‌ରେ ରାତି ୮ଟା ବେଳେ ଲାଗୁଥିଲା ଯେପରି ମଧ୍ୟରାତ୍ରି ହୋଇଗଲାଣି । ଆମେ ଆମ ମୋବାଇଲ୍‌ର ଲାଇଟ୍‌ ବ୍ୟବହାର କରି ଆମ ନୋଟ୍‌ପ୍ୟାଡ୍‌ରେ ଲେଖିଲୁ। ତେବେ, ଏହିକାରଣରୁ ଶୁକ୍ଳାଙ୍କ ସ୍ତ୍ରୀ ଆମକୁ ତାଜା କରିବା ଭଳି କିଛି ଚାହା ଓ ଜଳଖିଆ ଦେବାକୁ ଭୁଲି ଯାଇନଥିଲେ। ତାଙ୍କର ଗତି ଆମକୁ ଚିକିଲା ଦାଦ୍‌ରେ ଏହା ହେଉଛି ଆଉ ଏକ ଦିନ ବୋଲି ସୂଚୀତ କରିଦେଇଥିଲା। ସେମାନଙ୍କୁ ଦିନକୁ କେତେ ପରିମାଣର ବିଦ୍ୟୁତ୍‌ ମିଳିଥାଏ ବୋଲି ପଚାରିବାରୁ “ଆଠ ଘଣ୍ଟାରୁ ଅଧିକ ସମୟ ହେବନି,” ବୋଲି ଶୁକ୍ଳା ଆମକୁ କହିଲେ।

ସେଣ୍ଟର୍‌ ଫର୍‌ ସାଇନ୍ସ୍‌ ଓ ଏନ୍‌ଭାଇରୋନ୍‌ମେଣ୍ଟ ଦ୍ୱାରା ୨୦୧୧ରେ ଏଠାରୁ ଜଳ, ମାଟି, ଶସ୍ୟ ଓ ସୋନ୍‌ଭଦ୍ରାର ମାଛ ଓ ଏଠାରେ ବସବାସ କରୁଥିବା ଲୋକମାନଙ୍କ ରକ୍ତ, କେଶ ଓ ନଖର ନମୂନା ସଂଗ୍ରହ କରି କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି ଯେ ଏହି ଜିଲ୍ଲାର ପରିବେଶରେ ପାରଦର ସ୍ତର ବିପଜ୍ଜନକ ଭାବେ ଉଚ୍ଚ ସ୍ତରରେ ରହିଛି ।

କିନ୍ତୁ ବର୍ତ୍ତମାନ, ଶୁକ୍ଳା ଏସବୁ ଆଉ ସହିବାକୁ ପ୍ରସ୍ତୁତ ନାହାନ୍ତି । “ପ୍ରଶାସନ ନିଶ୍ଚିତ ଭାବେ କିଛି କରିବା ଉଚିତ । କିଛି ନ ହେଲେ, ମୋର ନାତିର ପିଢି ଶାନ୍ତିରେ ଜୀବନଯାପନ କରିବା ଉଚିତ,’’ ସେ କହିଲେ ।

PHOTO • Srijan Lokhit Samiti

ତେବେ, ସୋନ୍‌ଭଦ୍ରାର ସବ୍‌ ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌, ଅଭୟ କୁମାର ପାଣ୍ଡେ, ଏହା ତାଙ୍କର ଉତ୍ତରଦାୟିତ୍ୱ ନୁହେଁ କହି ଏହା ଉପରେ ଗୁରୁତ୍ୱାରୋପ କରୁନାହାନ୍ତି । “ଆମେ କଣ କରିପାରିବୁ? ଏହା ହେଉଛି ସ୍ଥାନୀୟ ବାସିନ୍ଦା ଓ କମ୍ପାନି ମଧ୍ୟର କଥା ।’’

“ଏହି ଅଞ୍ଚଳରେ ହେଉଥିବା ସମସ୍ତ କାମ କ୍ଷମତାସମ୍ପନ୍ନଙ୍କ ନିର୍ଦ୍ଦେଶରେ ହୋଇଥାଏ,” ବୋଲି କୁମାର କହିଲେ । “କମ୍ପାନିଗୁଡିକ ପରିବେଶ ଧ୍ୱଂସ କରିଛନ୍ତି, ମାନୁଛି । କିନ୍ତୁ ଏହିପରି କରିବା ପାଇଁ ସରକାର ସେମାନଙ୍କୁ ଅଧିକାର ପ୍ରଦାନ କରୁଛି ।

ଛୋଟେ ଲାଲ୍‌ ଖର୍‌ୱାର୍‌, ଏହି ଅଞ୍ଚଳର ବିଜେପି ସାଂସଦ, କହିଲେ ଯେ “ସେ କେବେ ମଧ୍ୟ ସେହି ଗ୍ରାମ ଗ୍ରାମ ପରିଦର୍ଶନରେ ଯାଇନାହାନ୍ତି’’ କିନ୍ତୁ ଯଦି ସେଠାର ସ୍ଥାନୀୟ ବାସିନ୍ଦାମାନେ ଆସି ତାଙ୍କୁ ସେମାନଙ୍କ ଅସୁବିଧା ବିଷୟରେ ଜଣାଇବେ, ତେବେ “ସେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ” ।

ମିଶ୍ର କହିଲେ, “ସେମାନେ ସମସ୍ତେ ଏକହୋଇ କାମ କରୁଛନ୍ତି । ସରକାର ବଦଳୁଛି କିନ୍ତୁ କେହି ମଧ୍ୟ କୌଣସି ପ୍ରକାରର ସହାୟତାର ପ୍ରସ୍ତାବ ଦେଇନାହାନ୍ତି । ସମସ୍ତ ବିତ୍ତଶାଳୀ ଉଦ୍ୟୋଗପତିମାନେ ଏହି ବଡ ବଜେଟ୍‌ ପ୍ରକଳ୍ପର ମାଲିକ । କିନ୍ତୁ ଏହି ପଇସାରେ ଆମର ନଦୀ, ହ୍ରଦ, ଜଙ୍ଗଲ ଯାହା ସଂକୁଚିତ ହୋଇଗଲାଣି ତାହା ଆଉ ଫେରିଆସିବନି’’।

ରାତ୍ରି ଭୋଜନ ସରି ଅନେକ ସମୟ ହୋଇଗଲାଣି ଓ ଆମେ ଆମ ଆଲୋଚନା ଯେତେବେଳେ ସାରିଲୁ ଠିକ୍‌ ସେତେବେଳେ ଆଲୁଅ ଜଳିଲା । ଆମେ ଆମର ପ୍ରତ୍ୟାବର୍ତ୍ତନ ଯାତ୍ରାରେ ବାହାରିଲୁ ଯେତେବେଳେକି ଶୁକ୍ଳା, ପନ୍ନା ଲାଲ୍‌ ଓ ମିଶ୍ର ସେହି ଅପରିବର୍ତ୍ତନୀୟ କୋଇଲା ସହିତ ଜୀବନ ପୁନର୍ବାର ଆରମ୍ଭ କଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.