ରାମକ୍ରିଷ୍ଣ ରେଡ୍ଡି କ୍ରିଷ୍ଣା ଜିଲ୍ଲାର ବଡ୍ଲାମାନୁ ଗାଁରେ ୨.୫ ଏକର ଭାଗ ଜମିରେ ମକା ଚାଷ କରନ୍ତି । ଆନ୍ଧ୍ରପ୍ରଦେଶର ଆଗିରିପାଲେ ମଣ୍ଡଳରେ ସେ ଏବଂ ଗାଁର ଅନ୍ୟ ୮ଜଣ ଚାଷୀ ହାଇଦ୍ରାବାଦସ୍ଥିତ ଆଇଏମ୍ଏଲ୍ ସିଡ୍ସ ପ୍ରାଇଭେଟ୍ ଲିମିଟେଡ୍କୁ ମଞ୍ଜି ବିକ୍ରି କରିବା ପାଇଁ ସମୁଦାୟ ୩୦ ଏକର ଜମିରେ ମକା ଚାଷ କରିଛନ୍ତି । ୪୫ବର୍ଷ ବୟସ୍କ ରାମକ୍ରିଷ୍ଣ କୁହନ୍ତି“ଆମେ ୨୦୧୬ ସେପ୍ଟେମ୍ବର ମାସରେ ମଞ୍ଜି ବୁଣିଥିଲୁ ଏବଂ ୨୦୧୭ ମାର୍ଚ୍ଚରେ (ପ୍ରାୟ ୮୦ ଟନ୍) ମଞ୍ଜି ବିକ୍ରି କଲୁ । ଏ ମଧ୍ୟରେ ବର୍ଷେରୁ ଅଧିକ ସମୟ ହୋଇଗଲାଣି, କିନ୍ତୁ କମ୍ପାନୀ ଏ ପର୍ଯ୍ୟନ୍ତ ଆମ ୯ଜଣଙ୍କୁ ଆମର ୧୦ ଲକ୍ଷ ଟଙ୍କା ପାଉଣା ପୈଠ କରିନାହିଁ । ”

ଏହି ବ୍ୟବସାୟରେ କମ୍ପାନୀ ଚାଷୀମାନଙ୍କୁ ପ୍ରତିବର୍ଷ ପ୍ରାୟ ସେପ୍ଟେମ୍ବର ମାସରେ ହାଇବ୍ରିଡ୍ ବିହନ ପ୍ରଦାନ କରେ । ବିହନ ଚାଷୀମାନେ ଏହି ବିହନ ଚାଷ କରନ୍ତି ଏବଂ ବର୍ଦ୍ଧିତ ବିହନକୁ ପରବର୍ଷ ମାର୍ଚ୍ଚ ମାସରେ କମ୍ପାନୀକୁ ଫେରାନ୍ତି । କମ୍ପାନୀ ଏହି ମଞ୍ଜିକୁ ମକା ଚାଷୀମାନଙ୍କୁ ଲାଭଜନକ ଦରରେ କ୍ରୟ କରେ । ବିହନ ଚାଷୀମାନେ କମ୍ପାନୀଠାରୁ ସେମାନଙ୍କର ପାଉଣାର କିଛି ଅଂଶ କୀଟନାଶକ, ରୋଗନାଶକ ଭାବରେ ପାଆନ୍ତି ଏବଂ ବାର୍ଷିକ ୨୪ରୁ ୩୬ ପ୍ରତିଶତ ସୁଧ ହାରରେ କରଜ ମଧ୍ୟ ପାଇଥାଆନ୍ତି । ଏହି ଋଣ ଅର୍ଥ-କରଜ ଏବଂ ସୁଧ- ଚାଷୀମାନଙ୍କ ବାର୍ଷିକ ପାଉଣାରୁ କାଟିଦିଆଯାଏ । 

କମ୍ପାନୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସେମାନଙ୍କ ପାଉଣା ପୈଠ କରିବା କଥା । କିନ୍ତୁ ଏହି ଅର୍ଥ ସାଧାରଣତଃ ୨-୩ ମାସ ପରେ ଆସେ । ୨୦୧୭ ମସିହାରେ ଆଇଏମ୍ଏଲ୍ସିଡ୍ସ ଚାଷୀମାନଙ୍କୁ ଆଦୌ ଅର୍ଥ ପୈଠ କରିନାହିଁ। ସେମାନଙ୍କର ବକୈୟା ପାଉଣା ଗତ କେଇବର୍ଷ ଧରି ନିବେଶ ରାଶି ସହ ମେଳ ଖାଉନାହିଁ । ଏହା ଅନେକ ମକା ବିହନ ଚାଷୀଙ୍କୁ ଅଧିକ ଋଣ ଭିତରକୁ ନେଇଯିବା ସହ କେତେକଙ୍କୁ କୃଷି ଛାଡ଼ିବାକୁ ବାଧ୍ୟ କରୁଛି । 

୪୦ବର୍ଷ ବୟସ୍କ ପିଲି ଶ୍ରୀନିବାସ ବାଡଲାମାନୁ ଗ୍ରାମର ୯ଜଣ ଚାଷୀଙ୍କ ମଧ୍ୟରୁ ଜଣେ । ୧୫ବର୍ଷ ଧରି ମକା ବିହନ ଚାଷ କରୁଥିବା ଶ୍ରୀନିବାସ କୁହନ୍ତି, “ମୋର ସମୁଦାୟ ୧୫ଲକ୍ଷ ଟଙ୍କା ଋଣ ଅଛି (ଘରୋଇ ଋଣ ପ୍ରଦାନକାରୀଙ୍କଠାରୁ) । ମୋର ଅଧିକ ଜମି ନଥିବାରୁ ଜମିର ଭଡ଼ା ବାବଦରେ ମୋତେ ବାର୍ଷିକ ୧୫ ହଜାର ଟଙ୍କା ଦେବାକୁ ହେଉଛି । ତେଣୁ ମୁଁ କୃଷି ଛାଡ଼ିବାକୁ ଏବଂ କୃଷି ଶ୍ରମିକ ଭାବରେ କାମ କରିବାକୁ ନିଷ୍ପତ୍ତି ନେଇଛି।” ଶ୍ରୀନିବାସ ବର୍ତ୍ତମାନ ଦିନ ମଜୁରିରେ ୨୫୦-୩୦୦ ଟଙ୍କା ରୋଜଗାର କରୁଛନ୍ତି ଏବଂ ନିଜର ଅଧ ଏକର ଜମି ବିକ୍ରି କରି କିଛି କରଜ ଶୁଝିବାକୁ ଆଶା କରୁଛନ୍ତି । 

Pilli Srinivas
PHOTO • Rahul Maganti
PHOTO • Rahul Maganti

ପିଲି ଶ୍ରୀନିବାସ (ବାମ)  ଏବଂ ରାମକ୍ରିଷ୍ଣା ରେଡ୍ଡି (ଡାହାଣ) ଏକ ବିହନ କମ୍ପାନୀଠାରୁ ନିଜ ନିଜର ପାଉଣାକୁ ଅପେକ୍ଷା କରିଥିବା ବଡଲାମାନୁ ଗ୍ରାମର ବିହନ ଚାଷୀଙ୍କ ଦଳ ମଧ୍ୟରୁ ଅନ୍ୟତମ 

କିନ୍ତୁ ଆଇଏମ୍ଏଲ୍ ସିଡ୍ସ ଲିମିଟେଡ୍ ଏମିତି କୌଣସି ଅର୍ଥ ଦେୟ ସମସ୍ୟା ଥିବା ଅସ୍ୱୀକାର କରୁଛି । କ୍ରିଷ୍ଣା ଜିଲ୍ଲାରେ କମ୍ପାନୀର କାର୍ଯ୍ୟ ପରିଚାଳନା କରୁଥିବା ଚେରୁକୁରୀ ଭେଙ୍କଟ ସୁବା ରାଓ କହିଥିଲେ, “ଏହି ବିହନଗୁଡ଼ିକରେ (ସେହି ଚାଷୀମାନଙ୍କ ଦ୍ୱାରା ଚାଷ କରାଯାଇଥିବା) ‘ଗଜା ହେବାର ସମସ୍ୟା’ ରହିଛି । ତଥାପି ଆମେ ସେମାନଙ୍କୁ ୧୦ ଦିନରେ ପାଉଣା ଦେଇଦେବୁ ।” ୨୦୧୮ ମେ’ ମାସରେ ମୁଁ ତାଙ୍କ ସହ ଆଲୋଚନା କଲାବେଳେ ସେ ଏହା କହିଥିଲେ । ଚାଷୀମାନେ ତଥାପି ସେମାନଙ୍କର ପାଉଣା ପାଇନାହାନ୍ତି । ଜୁଲାଇ ମାସର ମଝାମଝି ମୁଁ ଯେତେବେଳେ ତାଙ୍କୁ ଆଉଥରେ ଫୋନ୍ କଲି ସେ ପୁଣି ଥରେ କହିଲେ, ଚାଷୀମାନଙ୍କୁ ୧୦-୧୫ ଦିନରେ ସେମାନଙ୍କ ପାଉଣା ଦିଆଯିବ । 

ରାମକ୍ରିଷ୍ଣା କୁହନ୍ତି, “କମ୍ପାନୀ ବର୍ଷେ ହେବ କହିଆସୁଛି ଯେ ସେମାନେ ଆମକୁ ଅର୍ଥ ଦେଇଦେବେ । କମ୍ପାନୀ ଆମକୁ ଯେଉଁ ବିହନ ଦେଇଥିଲା, ଆମେ ସେହି ବିହନ ଚାଷ କରିଥିଲୁ ।  ସେମାନଙ୍କ ନିଜ ବିହନ ଯଦି ଗଜା ହେବାରେ ସମସ୍ୟା ହେଲା, ତା’ହେଲେ ଆମେ ସେଥିପାଇଁ ଦାୟୀ କେମିତି?

ବିହନ ମଞ୍ଜିର ମାନ ଉପରେ କମ୍ପାନୀ ଚାଷୀମାନଙ୍କୁ ଟନ୍ ପିଛା କେତେ ଦାମ୍ ଦେବ ତାହା ନିର୍ଣ୍ଣୟ କରେ । କିନ୍ତୁ ପ୍ରାୟ ୨୦୦୨-୨୦୦୪ ପରଠାରୁ ଦାମ ବିଶେଷ ବଢ଼ିନାହିଁ ବୋଲି କୃଷକମାନେ କୁହନ୍ତି । ଏହି ସମୟ ବେଳକୁ ପଶ୍ଚିମ କ୍ରିଷ୍ଣା ଅଞ୍ଚଳ ଯଥା- ନୁଜଭିଦ୍, ଆଗିରିପାଲେ, ଚତ୍ରାଇ ଏବଂ ମୁସୁନୁର ମଣ୍ଡଳରେ ପ୍ରଥମକରି ବିହନ ନିମନ୍ତେ ମକା ଚାଷ କରାଯାଇଥିଲା ବୋଲି ଚାଷୀମାନେ କୁହନ୍ତି ।

କ୍ରିଷ୍ଣା ଜିଲ୍ଲାର କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ମୋହନ ରାଓ କୁହନ୍ତି, “୨୦୧୭-୧୮ କୃଷି ଋତୁରେ ପ୍ରାୟ ୪ହଜାର ଚାଷୀ ୧୫,୮୮୭ ଏକର ଜମିରେ ୨୦ ଟି କମ୍ପାନୀ ପାଇଁ ବିହନ ଉଦ୍ଦେଶ୍ୟରେ ମକା ଚାଷ କରିଥିଲେ।” ରାଜ୍ୟର ପଶ୍ଚିମ ଗୋଦାବରୀ, ପୂର୍ବ ଗୋଦାବରୀ ଏବଂ ପ୍ରକାଶମ୍ ସହ ଅନ୍ୟ ଜିଲ୍ଲାମାନଙ୍କରେ ବୀହନ ପାଇଁ ମକା ଚାଷ କରାଯାଏ।

ମୁସୁନୁରୁ ମଣ୍ଡଳର ଚିନ୍ତଲାଭାଲି ଗ୍ରାମର ପେଡିନେନି ଭେଙ୍କଟ ଶ୍ରୀନିବାସ ରାଓ ପ୍ରଥମ ବ୍ୟକ୍ତି ଭାବରେ ମକା ବିହନ ବିକ୍ରି ପାଇଁ ଚାଷ କରିଥିଲେ । ତାଙ୍କର ନିଜର ୧୧ ଏକର ଜମି ଅଛି ଏବଂ ସେ ବେଙ୍ଗାଲୁରୁସ୍ଥିତ ସିପି ସିଡ୍ସ ଇଣ୍ଡିଆ ପାଇଁ ୧୦ ଏକର ଜମିରେ ମକା ଚାଷ କରିଥିଲେ । ଏହି କମ୍ପାନୀର ନୁଜଭିଡ୍ ସହରରେ ଏକ ଫ୍ୟାକ୍ଟ୍ରି ଅଛି । ୫୪ବର୍ଷ ବୟସ୍କ ଶ୍ରୀ ରାଓ କୁହନ୍ତି, “୮ ବର୍ଷ ତଳେ (୨୦୧୦ ମସିହାରେ), ଟନ୍ ପିଛା ଦର ପ୍ରାୟ ୧୨,୦୦୦-୧୪,୦୦୦ ଟଙ୍କା ଥିଲା ଏବଂ ଚଳିତବର୍ଷ ଏହି ଦାମ୍ ୧୬,୦୦୦-୧୮,୦୦୦ ଟଙ୍କା ଅଛି, କିନ୍ତୁ ଏ ମଧ୍ୟରେ ଚାଷରେ ନିବେଶ ୨ରୁ ୩ଗୁଣ ବୃଦ୍ଧି ପାଇଛି । ”

“ଆମେ କେବେ ବି କମ୍ପାନୀ କିମ୍ବା ସେମାନଙ୍କର ମାଲିକଙ୍କୁ ଦେଖିନୁ । କମ୍ପାନୀଗୁଡ଼ିକ ସେମାନଙ୍କ ସଂଯୋଜକ ଜରିଆରେ କାମ କରନ୍ତି । ତେଣୁ ଦର ବୃଦ୍ଧି ପାଇଁ ଆମ ଦାବି ସେମାନେ କେବେ ଶୁଣିପାରନ୍ତି ନାହିଁ । ”

ବେଙ୍ଗାଲୁରୁସ୍ଥିତ ସିପି ସିଡ୍ସ ଇଣ୍ଡିଆ ପାଇଁ ୩ଏକର ଜମିରେ ମକା ଚାଷ କରିଥିବା ଚିନ୍ତଲାଭାଲି ଗ୍ରାମର ୪୫ବର୍ଷ ବୟସ୍କ ତାଲକୋଣ୍ଡା ଶ୍ରୀନୁ କୁହନ୍ତି, “ଜମି ଭଡ଼ା ଏ ମଧ୍ୟରେ ୨,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଇଲାଣି । ଏଥିସହ ଏକର ପିଛା ଚାଷ ଖର୍ଚ୍ଚ ୭୫,୦୦୦ ଟଙ୍କା ହୋଇଯାଉଛି । କମ୍ପାନୀ ଟନ୍ ପିଛା ୧୬,୦୦୦ ଟଙ୍କା ଦେଉଛି । ଯଦି ଆମେ ଏକର ପିଛା ହାରାହାରି ୩ ଟନ୍ ଅମଳ ହେବ ବୋଲି ଧରିନେବା ତଥାପି ଆମେ ମାତ୍ର ୪୮,୦୦୦ ଟଙ୍କା ପାଇବା । ” ଶ୍ରୀନୁଙ୍କର ବର୍ତ୍ତମାନ ବାର୍ଷିକ ୩୬ ପ୍ରତିଶତ ବାର୍ଷିକ ସୁଧହାରରେ ଘରୋଇ ଋଣ ପ୍ରଦାନକାରୀଙ୍କ ଠାରୁ ୨ଲକ୍ଷ ଟଙ୍କାର ଋଣ ରହିଛି । ଏହାଛଡ଼ା ସେହି ସୁଧ ହାରରେ କମ୍ପାନୀ ସହ ଆଉ ଏକ କରଜ ରହିଛି । 

କିନ୍ତୁ ଶ୍ରୀନୁ କହନ୍ତି, “ଯଦିଓ ଆମର କ୍ଷତି ହେଉଛି ତଥାପି ଆମେ କମ୍ପାନୀ ପାଇଁ ବିହନ ଚାଷ କରୁଛୁ । କାରଣ ଆମର ଅନ୍ୟ କୌଣସି ବିକଳ୍ପ ନାହିଁ । ବ୍ୟବସାୟିକ ଭାବରେ ମକା ବିକ୍ରିର ଦାମ ଆହୁରି କମ୍ (ବଜାରରେ) ଏବଂ ଏହି ଅଞ୍ଚଳରେ ଅନ୍ୟ କୌଣସି ଫସଲ ହୁଏନାହିଁ । ଏଥିସହ ମୁଁ ଜଣେ ଚାଷୀ ହୋଇ ଏବେ (କୃଷି) ଶ୍ରମିକ ଭାବରେ କିପରି କାମ କରିବି?

ଆନ୍ଧ୍ରପ୍ରଦେଶ ଅନୁମୋଦିତ ଚାଷୀ ଆଇନ ଭାଗ ଚାଷୀମାନଙ୍କୁ ଏକ ଋଣ ଯୋଗ୍ୟତା କାର୍ଡ ଏବଂ ଶୂନ୍ୟ ସୁଧ ହାରରେ ବ୍ୟାଙ୍କ ଋଣ ପାଇଁ ଅନୁମୋଦନ କରିଛି । କିନ୍ତୁ ଅଧିକାଂଶ ମକା ବିହନ ଚାଷୀ ଭାଗ ଚାଷ କରନ୍ତି ଏବଂ ସେମାନଙ୍କର ବ୍ୟାଙ୍କ ଋଣ ପାଇବା ପାଇଁ କୌଣସି ପ୍ରକାର ସୁବିଧା ହେଉନାହିଁ । ଏହି କାରଣରୁ ଅଧିକାଂଶ ବିହନ ଚାଷୀ କୃଷି ଶ୍ରମିକ କିମ୍ବା ମନରେଗା ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । 

ଯେତେବେଳେ କୃଷକମାନେ କ୍ଷତିରେ ପଡ଼ନ୍ତି, ବିହନ କମ୍ପାନୀଗୁଡ଼ିକ ପ୍ରଚୁର ଲାଭ କରନ୍ତି । ଶ୍ରୀନୁଙ୍କ ଆକଳନ ଅନୁଯାୟୀ, “କମ୍ପାନୀଗୁଡ଼ିକ (ବିଭିନ୍ନ ନର୍ସରୀ ଜରିଆରେ) ଚାଷୀମାନଙ୍କୁ ଏକ କିଲୋ ବିହନ ୩୨୦ ଟଙ୍କା ଦରରେ ବିକ୍ରି କରନ୍ତି । ଫଳରେ ଏକର ପିଛା ସେମାନେ ୭ରୁ ୮ଲକ୍ଷ ଟଙ୍କା ଲାଭ କରନ୍ତି ।”

୨୦୧୭ ସେପ୍ଟେମ୍ବର ମାସରେ, ବଡ୍ଲାମାନୁ ଗ୍ରାମର  ୯ଜଣ ଚାଷୀଙ୍କ ମଧ୍ୟରୁ କେଇଜଣ ଅନ୍ୟ ଚାଷୀମାନେ ବେଙ୍ଗାଲୁରୁସ୍ଥିତ ଆଗ୍ରୋ-ବାୟୋଟେକ୍ କମ୍ପାନୀ ମେଟାହେଲିକ୍ସ ଲାଇଫ୍ ସାଇନ୍ସ ଦ୍ୱାରା ପ୍ରଦାନ କରାଯାଇଥିବା ବିହନ ନେଇଥିଲେ ଏବଂ ବହୁଗୁଣିତ ବିହନ ୨୦୧୮ ମାର୍ଚ୍ଚ ମାସରେ କମ୍ପାନୀକୁ ଦେଇଥିଲେ । ସେହି ମାସରେ ମେଟା ହେଲିକ୍ସ ଚାଷୀମାନଙ୍କୁ ଟନ୍ ପିଛା ୧୯,୭୦୦ ଟଙ୍କା ଦରରେ  ପାଉଣା ଦେଇଥିଲା । କିନ୍ତୁ ଆଇଏମ୍ଏଲ୍ର ଦର (ଯେତେବେଳେ ଅର୍ଥ ପ୍ରଦାନ କରାଯାଇଛି)ଟନ୍ ପିଛା ୧୭,୫୦୦ ଟଙ୍କା ।

କିନ୍ତୁ ଏ ପ୍ରକାର ବିକଳ୍ପ ଖୁବ୍ ସୀମିତ ଏବଂ ‘ସଂଯୋଜକମାନଙ୍କ’ ଦ୍ୱାରା ସ୍ଥିରୀକୃତ । ବିହନ ଚାଷ କରାଯାଉଥିବା ଅଞ୍ଚଳଗୁଡ଼ିକରେ, ପ୍ରତ୍ୟେକ ଗ୍ରାମରେ ଜଣେ ବା ଦୁଇଜଣ ବ୍ୟକ୍ତି କମ୍ପାନୀ ଓ କୃଷକଙ୍କ ମଧ୍ୟରେ ସଂଯୋଜକ ବା ମଧ୍ୟସ୍ଥି ଭାବରେ କାମ କରନ୍ତି । ସେମାନେ ଗାଁରୁ ବିହନ ସଂଗ୍ରହ କରନ୍ତି ଏବଂ କମ୍ପାନୀକୁ ଏହା ପଠାନ୍ତି । ଏ ବାବଦରେ ସେମାନେ ୨୦୦ ଟଙ୍କା କମିଶନ ପାଆନ୍ତି । 

PHOTO • Rahul Maganti

କୃଷକମାନେ ସେମାନଙ୍କର ଅମଳ ବିହନ କମ୍ପାନୀକୁ ଦେବା ପରେ ,ସାଧାରଣତଃ ଅର୍ଥ ପାଇବାରେ ବିଳମ୍ବ ହୋଇଥାଏ  

ଶ୍ରୀନୁ କୁହନ୍ତି, “ ଆମେ କେବେ ବି କମ୍ପାନୀ କିମ୍ବା ସେଗୁଡ଼ିକର ମାଲିକମାନଙ୍କୁ ଦେଖିନୁ । କମ୍ପାନୀଗୁଡ଼ିକ ସେମାନଙ୍କ ସଂଯୋଜକ ଜରିଆରେ କାମ କରନ୍ତି । ବୋଧହୁଏ ସେହି କାରଣରୁ ଦରବୃଦ୍ଧି ପାଇଁ ଆମର ଦାବି ସେମାନଙ୍କୁ ଶୁଣାଯାଉନି । ” ଏଥିସହ ଯେତେବେଳେ ଆମେ ସଂଯୋଜକଙ୍କୁ ଆମର ଉତ୍ପାଦ ବିକ୍ରି କରିଦେଉ, ଏହାପରେ ଆମର ପାଉଣା ଅର୍ଥ ପାଇଁ କେହି ଦାୟୀ ରୁହନ୍ତି ନାହିଁ । ଏହି କାରଣରୁ ଅନେକ ମାସ ହେବ ବିକ୍ରି କରିବା ପରେ (୨୦୧୮ ମାର୍ଚ୍ଚରେ) ଆଜି ବି ମୁଁ ସିପି ସିଡ୍ସରୁ ଅର୍ଥ ପାଇବା ପାଇଁ ଅପେକ୍ଷା କରିଛି ।

ଅନେକ ଚାଷୀ ଜାଣନ୍ତି ନାହିଁ, ସେମାନେ କେଉଁ କମ୍ପାନୀ ପାଇଁ ବିହନ ଚାଷ କରୁଛନ୍ତି । ସେମାନେ କେବଳ ସେମାନଙ୍କ ଗାଁର ସଂଯୋଜକଙ୍କୁ ହିଁ ଜାଣନ୍ତି । ସିପି ସିଡ୍ସର ନୁଜଭିଡ୍ ଶାଖାର ପ୍ରବକ୍ତା କୁମାର ମୋତେ କହିଲେ, “ଆମର ରେକର୍ଡ ଦର୍ଶାଉଛି ସମସ୍ତ ଦେୟ ସଂଯୋଜକଙ୍କୁ ପୈଠ କରାଯାଇଛି । ଯଦି ସେମାନେ ଚାଷୀମାନଙ୍କୁ ଅର୍ଥ ପୈଠ କରିବାରେ ବିଳମ୍ବ କରନ୍ତି, ସେଥିପାଇଁ ଆମେ ଦାୟୀ ନୁହେଁ । ଆମର ଆଇନଗତ ଚୁକ୍ତି ସଂଯୋଜକଙ୍କ ସହ । ତେଣୁ ଦୟାକରି ତାଙ୍କୁ ପଚାରନ୍ତୁ ।”

ଯେତେବେଳେ ମୁଁ ସିପି ସିଡ୍ସ ଇଣ୍ଡିଆର ଚିନ୍ତଲାଭାଲି ଗାଁର ସଂଯୋଜକ ବଲ୍ଲଭନେନି ମୁରଲୀଙ୍କୁ ପଚାରିଲି, ସେ କହିଲେ, “ମୁଁ କମ୍ପାନୀଠାରୁ ଅର୍ଥ ପାଇବା ପାଇଁ ଅପେକ୍ଷା କରିଛି । ମୁଁ କିପରି ନିଜ ପକେଟରୁ ଚାଷୀମାନଙ୍କୁ ଅର୍ଥ ପୈଠ କରିପାରିବି?” ଏହା ସଂଯୋଜକମାନଙ୍କୁ ଉତ୍ତରଦାୟୀ କରି କୃଷକମାନଙ୍କ ଅଭିଯୋଗ ଏବଂ ଯେ କୌଣସି ପ୍ରକାରର ଦାୟିତ୍ୱରୁ ନିଜକୁ ମୁକ୍ତ ରଖିବା ପାଇଁ କମ୍ପାନୀଗୁଡ଼ିକର କୌଶଳ ।

“ଏପିଏସ୍ଏସ୍ସିଏ (ଆନ୍ଧ୍ରପ୍ରଦେଶ ଷ୍ଟେଟ୍ ସିଡ୍ ସାର୍ଟିଫିକେସନ ଅଥରିଟି) ଚାଷୀ ଏବଂ ବିହନ କମ୍ପାନୀ ଭିତରେ ହୋଇଥିବା ଚୁକ୍ତି ଦେଖିବା କଥା । କିନ୍ତୁ ସେମାନେ ତାହା କରନ୍ତି ନାହିଁ ।” ଏକଥା କହିଥିଲେ କ୍ରିଷ୍ଣା ଜିଲ୍ଲାର ଅଖିଳ ଭାରତୀୟ କୃଷକ ସଭାର ସମ୍ପାଦକ ନିମ୍ମଗଡ୍ଡା ନରସିଂହା । “ଏପିଏସ୍ଏସ୍ସିଏ ବିହନଗୁଡ଼ିକୁ ଅନୁମୋଦନ କରିବା ଉଚିତ୍ । କିନ୍ତୁ ଏହା ପ୍ରାୟ କରେ ନାହିଁ । ଫଳରେ ଏହା ଖରାପ ବିହନ ସୃଷ୍ଟି କରେ, ଯାହା ବଡ୍ଲାମାନୁରେ ହେଲା।’’

ଶ୍ରୀନିବାସ ରାଓ (ଉପରେ ପ୍ରଚ୍ଛଦ ଫଟୋରେ) ହତାଶାର ସହ କୁହନ୍ତି, “ଆମେ କମ୍ପାନୀର କ୍ରୀତଦାସ । ବିହନ କମ୍ପାନୀଗୁଡ଼ିକ ଭାରତରେ ଇଂରେଜ ଶାସନ ପରି ।”  ତା’ହେଲେ କୃଷକମାନଙ୍କୁ ବ୍ୟବସାୟିକ ଭାବରେ ମକା ଚାଷ କରି ସେଗୁଡ଼ିକୁ ନିଜେ ବଜାରରେ ବିକ୍ରି କରିବାକୁ କ’ଣ ଅଟକାଉଛି? ରାଓଙ୍କର ଉତ୍ତର ଥିଲା, “ବର୍ତ୍ତମାନ ବଜାରରେ ମକାର ଦାମ ଟନ୍ ପିଛା ୧୧,୦୦୦ ଟଙ୍କା । ଅସ୍ଥିର ବଜାର ଦରରେ କିଣାବିକା କରିବା ଅପେକ୍ଷା କମ୍ପାନୀଗୁଡ଼ିକୁ ୧୬,୦୦୦ ଟଙ୍କା ଦରରେ ବିକ୍ରି କରିବା ଆମ ପାଇଁ ଭଲ ।”

ବିକଳ୍ପର ସନ୍ଧାନ । ଚିନ୍ତଲାଭାଲି ଗ୍ରାମର ୪୪ବର୍ଷ ବୟସ୍କ ସୁଗାସନି ଭେଙ୍କଟ ନଗେନ୍ଦ୍ରବାବୁ ୩ବର୍ଷ ତଳୁ ବଡ଼ କମ୍ପାନୀଗୁଡ଼ିକ ପାଇଁ ନିଜର ୧୩ ଏକର ଜମିରେ ମକା ଚାଷ କରିବା ବନ୍ଦ କରିଦେଇଛନ୍ତି । ସେ କୁହନ୍ତି, “ମକା ପାଇଁ କୌଣସି ଭଲ ଦର ନାହିଁ । ଅଧିକ କୀଟନାଶକ ଏବଂ ଉର୍ବରକର ବ୍ୟବହାର ଯୋଗୁ ଜମିର ଉର୍ବରତା ନଷ୍ଟ ହେଉଛି । ବର୍ତ୍ତମାନ ମୁଁ ପ୍ରାକୃତିକ କୃଷି ପ୍ରଣାଳୀ ଦ୍ୱାରା ପ୍ରଭାବିତ ଏବଂ ଏହି ପଦ୍ଧତିରେ କଦଳୀ ଓ ଆଖୁ ଚାଷ କରୁଛି। ତେଣୁ ପରିସ୍ଥିତି ଏବେ ଟିକେ ଭଲ ।”

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Other stories by Rahul Maganti