୧୮ ବର୍ଷ ବୟସରେ ୧୨ଶ ଶ୍ରେଣୀ ପାସ୍‌ କରିବା ପରେ ପାଣ୍ଡିଆ ଲକ୍ଷ୍ମଣା ରାଓ ଆଉ ଆଗକୁ ପଢ଼ିପାରିଲେ ନାହିଁ । ସେ କହନ୍ତି, “ଅଶ୍ୱାରାଓପେଟା ସହରର ଏକ ଡିଗ୍ରୀ କଲେଜ୍‌ରେ ନାମଲେଖା ପାଇଁ ମୋତେ ଏକ ଜାତିଗତ ପ୍ରମାଣପତ୍ର ଦେବାକୁ କୁହାଗଲା । ଯେହେତୁ ମୋର ତାହା ନ ଥିଲା, ମୁଁ ପାଠପଢ଼ା ବନ୍ଦ କରିବାକୁ ବାଧ୍ୟ ହେଲି ।”

ଲକ୍ଷ୍ମଣଙ୍କ ବୟସ ଏବେ ୨୩ ବର୍ଷ ଏବଂ ତାଙ୍କ ପରିବାରର ଏକ ଏକର ପୋଡୁ ଜମିରେ (ଚାଷ ପାଇଁ ବ୍ୟବହୃତ ଜଙ୍ଗଲ ଜମିରେ) କାମ ନଥିବା ସମୟରେ, ସେ ଜଣେ କୃଷି ଶ୍ରମିକ ଭାବେ ନାୟକୁଲାଗୁଡ଼େମ୍‌ ପଲ୍ଲୀରେ କାମ କରନ୍ତି ।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଟି.ନରସାପୁରମ୍‌ ଏବଂ ଚିନ୍ତାଲାପୁଡ଼ି ମଣ୍ଡଳ ଅନ୍ତର୍ଗତ ପ୍ରାୟ ୩୦ଟି ଗାଁରେ ରହୁଥିବା ନାଇକପୋଡ୍‌ ଜନଜାତିର ବହୁ ଯୁବକଙ୍କର କାହାଣୀ ଏକାଭଳି। କୁସିନି ସୀତା ଏବଂ କୁସିନି ନାଗମଣି, ଦୁହିଁଙ୍କ ବୟସ ଏବେ ୧୮ ଏବଂ ୫ମ ଶ୍ରେଣୀ ପଢ଼ିବା ପରେ ଦୁହିଁଙ୍କୁ ସ୍କୁଲ୍‌ ଛାଡ଼ିବାକୁ ପଡ଼ିଲା। କାରଣ, ସେମାନଙ୍କ ପଲ୍ଲୀରୁ ପ୍ରାୟ ୫ କିଲୋମିଟର ଦୂର ମାରିଗୁଡ଼େମ୍‌ରେ ଆଦିବାସୀଙ୍କ ପାଇଁ ଥିବା ଆବାସିକ ବିଦ୍ୟାଳୟରେ ସେମାନଙ୍କୁ ଅଧିସୂଚିତ ଜନଜାତି (ଏସ୍‌ଟି) ପ୍ରମାଣପତ୍ର ଦାଖଲ କରିବାକୁ କୁହାଗଲା । ନାଗମଣି କହନ୍ତି, “ଯେହେତୁ ଆମେ ଆଉ ଆଗକୁ ପଢ଼ି ପାରିବୁନି’’, ‘‘ଆମେ ଜଲ୍‌ଦି ବାହା ହୋଇଗଲୁ ଏବଂ ଏବେ ହୁଏତ ଆମେ ପୋଡୁ ଜମିରେ କାମ କରୁ କିମ୍ବା ଅନ୍ୟମାନଙ୍କ ମାଲିକାନାରେ ଥିବା ଜମିରେ କୃଷି ଶ୍ରମିକ ଭାବେ କାମ କରୁ ।”

ନାୟକୁଲାଗୁଡେମ୍‌ (ଏହି ଜନଜାତି ନାମରେ ନାମିତ) ପଲ୍ଲୀରେ ପ୍ରାୟ୧୦୦ ନାଇକପୋଡ୍‌ ପରିବାର ରହନ୍ତି। ସେମାନେ ପାଖ ଜଙ୍ଗଲ ଜମିରେ ଧାନ, ରାଜ୍‌ମା ଏବଂ ଅନ୍ୟାନ୍ୟ ଫସଲ କରନ୍ତି । ଜୀବିକା ପାଇଁ ସେମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି । ମହୁ ସଂଗ୍ରହ କରି କିମ୍ବା ଜଙ୍ଗଲି ଜୀବ ଶିକାର କରି (ଖାଇବା ପାଇଁ) ସେମାନେ ଟି.ନରସାପୁରମ୍‌ ସହର ନିକଟ ସାପ୍ତାହିକ ବଜାରରେ ବିକ୍ରି କରନ୍ତି ।

PHOTO • Rahul Maganti

ସେମାନଙ୍କ ପାଖରେ ଜାତିଗତ ପ୍ରମାଣପତ୍ର ନ ଥିବା କାରଣରୁ ପାଣ୍ଡଲା ଲକ୍ଷ୍ଣଣ ରାଓ (ବାମ) ଏବଂ ଆଲାମ୍‌ ଚନ୍ଦର ରାଓ (ଡାହାଣ) ଅଧାରୁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହେଲେ

“ଏଠାକାର ଅଧିକାଂଶ ଛାତ୍ରଛାତ୍ରୀ ପ୍ରାଥମିକ ସ୍କୁଲ୍‌ରୁ ହିଁ ଅଧାରୁ ପାଠ ଛାଡ଼ି ଦିଅନ୍ତି । କାରଣ ଛାତ୍ରବୃତ୍ତି ପାଇବାକୁ ହେଲେ ମାଧ୍ୟମିକ ସ୍କୁଲ୍‌ରେ ବି ଜାତିଗତ ପ୍ରମାଣପତ୍ର ଦରକାର ହୁଏ । ବିନା ଛାତ୍ରବୃତ୍ତିରେ ଆମ ଭିତରୁ ଅଧିକାଂଶ ଆମ ପିଲାମାନଙ୍କୁ ସ୍କୁଲ୍‌କୁ ପଠାଇ ପାରିବୁ ନାହିଁ”, ଏହା କହନ୍ତି ୨୫ ବର୍ଷୀୟ ନାଗରାଜୁ କୁସିନି, ଯେ ନିଜେ ବି ଅଧାରୁ ସ୍କୁଲ୍‌ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। “ଅଧାରୁ ପାଠ ଛାଡୁଥିବା ପିଲାମାନେ (ହାଇସ୍କୁଲ୍‌ କିମ୍ବା କଲେଜରୁ) ଆସି ଗାଁରେ ପହଞ୍ଚିବା ସଙ୍ଗେ ସଙ୍ଗେ ସେମାନଙ୍କର ବିବାହ କରିଦିଆାଯାଏ ।”

ନାୟକୁଲାଗୁଡ଼େମ୍‌ର ପିଲାମାନେ ସ୍ଥାନୀୟ ମଣ୍ଡଳ ପରିଷଦ ପ୍ରାଥମିକ ସ୍କୁଲ୍‌ରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିପାରନ୍ତି । ତା’ପରେ ସେମାନେ, ଚାଲି ଚାଲି ହେଉ କିମ୍ବା ସାଇକେଲ୍‌ରେ, ଦୁଇ କିଲୋମିଟର ଦୂର ମାରାକାବାଣୀଗୁଡ଼େମ୍‌ରେ ଥିବା ଏକ ସରକାରୀ ସ୍କୁଲ୍‌କୁ ଯାଆନ୍ତି । ନହେଲେ ସେମାନେ ମାରିଗୁଡ଼େମ୍‌ରେ ଥିବା ଆଦିବାସୀ ଆବାସିକ ବିଦ୍ୟାଳୟକୁ ଯିବା ପାଇଁ ଚେଷ୍ଟା କରନ୍ତି । ଦୁଇଟି ମଣ୍ଡଳରେ ଏହା ଏକମାତ୍ର ଆବାସିକ ବିଦ୍ୟାଳୟ ଏବଂ ଏଥିରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଠିକ୍‌ ୧୮୦-୨୦୦ ଛାତ୍ରଛାତ୍ରୀ (ପୃଥକ୍‌ ପୃଥକ୍‌ ହଷ୍ଟେଲ୍‌ରେ ପୁଅ ଏବଂ ଝିଅ) ରହିବାର ବ୍ୟବସ୍ଥା ରହିଛି । ଏଠାରେ ନାମଲେଖା ପାଇଁ ଜାତିଗତ ପ୍ରମାଣପତ୍ର ଦରକାର ହୁଏ, ଯାହାକି ବର୍ତ୍ତମାନ ପିଢ଼ିର ନାଇକ୍‌ପୋଡ୍‌ମାନଙ୍କର ନାହିଁ । ତେଣୁ ଯଦି କୌଣସି ସିଟ୍‌ ଖାଲି ପଡ଼େ ତେବେ ସେଥିରେ ନାମ ଲେଖାଇବା ସ୍କୁଲ୍‌ ଅଧିକାରୀମାନଙ୍କର ପରିବର୍ତ୍ତନଶୀଳ ଇଚ୍ଛା ଉପରେ ନିର୍ଭର କରେ ।

ଆଦିବାସୀ କଲ୍ୟାଣ ବିଭାଗରୁ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ମାସିକ ୧୦୦-୧୫୦ ଟଙ୍କା ଏବଂ ଡିଗ୍ରୀ କଲେଜରେ ପଢ଼ିବା ବେଳେ ବାର୍ଷିକ ୫,୦୦୦ ଟଙ୍କା ଛାତ୍ରବୃତ୍ତି ପାଇବା କଥା । କିନ୍ତୁ ଏଥିପାଇଁ ମଧ୍ୟ ଜାତିଗତ ପ୍ରମାଣପତ୍ର ଆବଶ୍ୟକ ହୁଏ; ତେଣୁ ଯଦି ବା କେତେକ ନାଇକ୍‌ପୋଡ୍‌ ପିଲା କୌଣସି ପ୍ରକାରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ନ୍ତି, ତା’ପରେ ଶିକ୍ଷାଲାଭ କରିବା ଅତି କଷ୍ଟକର ହୁଏ ।

PHOTO • Rahul Maganti

ନାୟକୁଲାଗୁଡ଼େମ୍‌ ମଣ୍ଡଳ ପରିଷଦ ପ୍ରାଥମିକ ସ୍କୁଲ୍‌ (ଡାହାଣ)ରେ ପିଲାମାନେ କେବଳ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିପାରନ୍ତି

ସେମାନଙ୍କ ନିକଟରେ ଜାତିଗତ ପ୍ରମାଣପତ୍ର ନ ଥିବା କାରଣରୁ ଗତ କିଛି ବର୍ଷ ମଧ୍ୟରେ ନାଇକ୍‌ପୋଡ୍‌ ଆଦିବାସୀ ସଂପ୍ରଦାୟର ପ୍ରାୟ ୪,୦୦୦ ଛାତ୍ରଛାତ୍ରୀ ଶିକ୍ଷା ବ୍ୟବସ୍ଥାକୁ ଅଧାରୁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ବୋଲି ଅନୁମାନ କରନ୍ତି ଆଲାମ ମାରେସୁ, ଯିଏ କି, ଗାଁ ଲୋକଙ୍କ କହିବା ଅନୁସାରେ, ନାୟକୁଲାଗୁଡ଼େମ୍‌ର ସବୁଠାରୁ ଉଚ୍ଚ ଶିକ୍ଷିତ ବ୍ୟକ୍ତି । “ଏମିତି କି ଯେଉଁମାନେ ବେସରକାରୀ ସ୍କୁଲ୍‌ ଓ କଲେଜ୍‌ରେ ପଢ଼ନ୍ତି, ସେମାନେ ବି ଆଦିବାସୀମାନଙ୍କ ପାଇଁ ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ସଂରକ୍ଷଣ ପାଇପାରନ୍ତି ନାହିଁ, କାରଣ ସେମାନଙ୍କ ପାଖରେ ଅଧିସୂଚିତ ଜନଜାତି ସଂପର୍କିତ ପ୍ରମାଣପତ୍ରଟିଏ ନଥାଏ ।”

୨୭ ବର୍ଷୀୟ ମାରେସୁ, ନାୟକୁଲାଗୁଡ଼େମ୍‌ଠାରୁ ପ୍ରାୟ ୧୮ କିଲୋମିଟର ଦୂର ଅଶ୍ୱାରାଓପେଟା ସହରର (ବର୍ତ୍ତମାନ ତେଲଙ୍ଗାନାର କୋଥାଗୁଡ଼େମ୍‌ ଜିଲ୍ଲାରେ) ଏକ ବେସରକାରୀ କଲେଜରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ । ଦିନରେ ସେ କଲେଜ ଯାଉଥିଲେ ଏବଂ ରାତିରେ ଅନ୍ୟାନ୍ୟ କାମ ସହିତ ଜଣେ ୱେଟର୍‌, ଜଗୁଆଳ କିମ୍ବା ଏକ ପେଟ୍ରୋଲ୍‌ ପମ୍ପ୍‌ରେ କାମ କରୁଥିଲେ। ସେ କହନ୍ତି, “ମତେ ଛାତ୍ରବୃତ୍ତି ମିଳିଲାନି କି ମୁଁ ଗିରିଜନ କଲ୍ୟାଣ ହଷ୍ଟେଲ୍‌ରେ ଭର୍ତ୍ତି ହୋଇପାରିଲିନି, କାରଣ ମୁଁ ଅଧିସୂଚିତ ଜନଜାତିର ବୋଲି ପ୍ରମାଣପତ୍ରଟିଏ ଦାଖଲ କରିପାରିଲିନି । ତେଣୁ ମୋର ଫି’ ଏବଂ ଅନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡୁଥିଲା ।” ମାରେସୁ ଏବେ ଜଣେ ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି; ଅଧିସୂଚିତ ଜନଜାତିର ପ୍ରମାଣପତ୍ରଟିଏ ଥିଲେ ସେ ହୁଏତ ସରକାରୀ ଚାକିରିରେ ସଂରକ୍ଷଣ ସୁବିଧା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଆନ୍ତେ ।

ପ୍ରାୟ ଗୋଟିଏ ଦଶନ୍ଧି ପୂର୍ବରୁ ନାଇକ୍‌ପୋଡ୍‌ମାନେ ମଣ୍ଡଳ ରାଜସ୍ୱ କାର୍ଯ୍ୟାଳୟ ପ୍ରଦାନ କରୁଥିବା ଜାତିଗତ ପ୍ରମାଣପତ୍ର ପାଉଥିଲେ, ଯେଉଁଥିରେ ସେମାନେ ଏକ ଅଧିସୂଚିତ ଜନଜାତିର ବୋଲି ଦର୍ଶାଯାଉଥିଲା । କିନ୍ତୁ ଚିନ୍ତଲାପୁଡ଼ିର ମଣ୍ଡଳ ରାଜସ୍ୱ ଅଧିକାରୀ ମାଇକେଲ ରାଜୁ କହନ୍ତି ଯେ, ନାଇକ୍‌ପୋଡ୍‌ମାନଙ୍କର ଆଦିବାସୀମାନ୍ୟତା ନେଇ ବିବାଦ ଲାଗି ରହିଥିଲା ଏବଂ ସେମାନେ ଅଧିସୂଚିତ ଜନଜାତିର ନୁହନ୍ତି ବୋଲି ୨୦୧୧ର ଏକ ସରକାରୀ ଆଦେଶନାମା (ଜିଓ)ରେ ଦର୍ଶାଯିବା ପରେ ତାଙ୍କ ଅଫିସ୍‌ରୁ ଏହି ପ୍ରମାଣପତ୍ର ଦେବା ବନ୍ଦ କରିଦିଆଗଲା । ସେ କହନ୍ତି, ‘‘ସରକାର ଜାରି କରିଥିବା ଏକ ସରକାରୀ ଆଦେଶନାମା (ଜିଓ) ଅନୁସାରେ ସମତଳ ଅଞ୍ଚଳ (ଅଣ-ଅଧିସୂଚିତ ଅଞ୍ଚଳ)ରେ ରହୁଥିବା ନାଇକ୍‌ପୋଡ୍‌ମାନେ ଆଦିବାସୀ ରୂପେ ଗଣା ହୋଇପାରିବେ ନାହିଁ । ଏହି କାରଣରୁ ସେମାନେ ଏକ ଅଧିସୂଚିତ ଜନଜାତି ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ନୁହନ୍ତି ।’’

୨୦୧୪ ନିର୍ବାଚନ ପୂର୍ବରୁ ଅଳ୍ପ କେତେ ଜଣ ନାଇକପୋଡ୍‌ ଏହି ପ୍ରମାଣପତ୍ର ପାଇବାରେ ସଫଳ ହେଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରମୁଖ ରାଜନୈତିକ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ନାୟକୁଲାଗୁଡ଼େମ୍‌ର ଜଣେ କୃଷି ଶ୍ରମିକ ଭୁଜଙ୍ଗ ରାଓ କହନ୍ତି, “ଅଳ୍ପ କେଇ ଜଣ ଲୋକଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା, କାରଣ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାର କେତେକ ଆସନ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିଲା ଏବଂ କେହି ପ୍ରତିଯୋଗିତା କରିବାକୁ ହେଲେ ଏହି ପ୍ରମାଣପତ୍ର ଦରକାର ହେଉଥିଲା ।”

PHOTO • Rahul Maganti

୫ମ ଶ୍ରେଣୀ ପରେ ପାଠ ଛାଡ଼ିଥିବା କୁସିନି ରାମୁଲାମ୍ମା, କୁସିନି ସୀତା ଏବଂ କୁସିନି ନାଗମଣି (ବାମରୁ ଡାହାଣକୁ) ଜଙ୍ଗଲରେ ଥିବା ସେମାନଙ୍କ ପରିବାରର ପୋଡୁ ଜମିରେ କୃଷି ଶ୍ରମିକ ଭାବେ କାମ କରନ୍ତି

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଏବଂ କ୍ରିଷ୍ଣା ଜିଲ୍ଲାର କେତେକ ଭାଗରେ ନାଇକ୍‌ପୋଡ୍‌ (କିମ୍ବା ନାୟକ) ସଂପ୍ରଦାୟର ପ୍ରାୟ ୧୨,୦୦୦ଲୋକ ବସବାସ କରନ୍ତି ବୋଲି କେତେକ ସାମାଜିକ କର୍ମୀ ଆକଳନ କରନ୍ତି । କିନ୍ତୁ, ରାଜ୍ୟ ସରକାର କେବଳ ପଞ୍ଚମ ଅନୁସୂଚୀ ଅନ୍ତର୍ଭୁକ୍ତ ଅଞ୍ଚଳରେ ରହୁଥିବା ନାଇକ୍‌ପୋଡ୍‌ମାନଙ୍କୁ ଅଧିସୂଚିତ ଜନଜାତିର ବୋଲି ବିଚାର କରନ୍ତି । ସମ୍ବିଧାନର ପଞ୍ଚମ ଅନୁସୂଚୀରେ ୫୦ ପ୍ରତିଶତରୁ ଅଧିକ ଆଦିବାସୀ ଲୋକସଂଖ୍ୟା ଥିବା ଭାରତର ସମସ୍ତ ଅଞ୍ଚଳ ତାଲିକାଭୁକ୍ତ ହୋଇଛି ଏବଂ ଏହା ଆଦିବାସୀମାନଙ୍କର ସାଂସ୍କୃତିକ ପରିଚୟକୁ ସ୍ୱୀକୃତି ଓ ସୁରକ୍ଷା ପ୍ରଦାନ କରେ । ପ୍ରତିଶତ ହିସାବରେ କମ୍‌ ସଂଖ୍ୟକ ଆଦିବାସୀ ରହୁଥିବା କାରଣରୁ ଟି.ନରସାପୁରମ୍‌ ଏବଂ ଚିନ୍ତାଲାପୁଡ଼ି ମଣ୍ଡଳ ଦୁଇଟି ପଞ୍ଚମ ଅନୁସୂଚୀ ଅନ୍ତର୍ଭୁକ୍ତ ଅଞ୍ଚଳର ମାନ୍ୟତା ପାଇନାହିଁ । ହେଲେ, ନିକଟବର୍ତ୍ତୀ ଜୀଲୁଗୁମିଲ୍ଲି ଏବଂ ବୁଟ୍ଟାୟାଗୁଡ଼େମ୍‌ ମଣ୍ଡଳ ଦୁଇଟି ପଞ୍ଚମ ଅନୁସୂଚୀ ଅନ୍ତର୍ଭୁକ୍ତ ହୋଇଛନ୍ତି ଏବଂ ସେଠାରେ ରହୁଥିବା ନାଇକ୍‌ପୋଡ୍‌ମାନଙ୍କର ଅଧିସୂଚିତ ଜନଜାତି ପ୍ରମାଣପତ୍ର ରହିଛି ।

ଆନ୍ଧ୍ରପ୍ରଦେଶ ବ୍ୟବସାୟ ବୃତ୍ତିଦାରୁଲା (କୃଷି ଓ ସମ୍ବନ୍ଧିତ ଜୀବିକା) ସଂଘ ସହ କାର୍ଯ୍ୟରତ ଜଣେ ସାମାଜିକ କର୍ମୀ ଜୁଭାଲା ବାବ୍‌ଜି କହନ୍ତି, “ସମ୍ବିଧାନର ଧାରା ୧୪ (ଆଇନ ଆଗରେ ସମାନତା) ଅନୁସାରେ ଏହା ଏକ ଉଲ୍ଲଂଘନ, କାରଣ ଅନୂସୂଚିତ ଅଞ୍ଚଳ ଏବଂ ଅଣ-ଅନୂସୂଚିତ ଅଞ୍ଚଳ ନାଁରେ ସରକାର ସେଇ ସମାନ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ପାତରଅନ୍ତର କରୁଛନ୍ତି ।’’ ‘‘ଏହି ଲୋକମାନେ ଆଦିବାସୀ ବୋଲି ବିବେଚିତ ହୁଅନ୍ତି ନାହିଁ । ସେମାନେ ଅଧିସୂଚିତ ଜାତିର କିମ୍ବା ଅନ୍ୟ ପଛୁଆ ବର୍ଗର ବୋଲି ବି ବିବେଚିତ ହୁଅନ୍ତି ନାହିଁ । ତାହେଲେ ସେମାନେ କେଉଁ ଜାତି ଅନ୍ତର୍ଭୁକ୍ତ ?”

ଆନ୍ଧ୍ର ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱବିତ୍‌ମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ପଶ୍ଚିମ ଗୋଦାବରୀ ଏବଂ କ୍ରିଷ୍ଣା ଜିଲ୍ଲାରେ ରହୁଥିବା ନାଇକ୍‌ପୋଡ୍‌ମାନେ ଏବଂ ତେଲଙ୍ଗାନାର ଆଦିଲାବାଦ ଜିଲ୍ଲାର ରାଜ୍‌ ଗୋଣ୍ଡ୍‌ ଏବଂ ୱାରାଙ୍ଗଲ ଜିଲ୍ଲାର ନାୟକମାନେ ସେହି ଗୋଟିଏ ଆଦିବାସୀ ଗୋଷ୍ଠୀ ଅନ୍ତର୍ଭୁକ୍ତ । ଭୁଜଙ୍ଗ ରାଓ ପଚାରନ୍ତି, “ଯଦି ରାଜ୍‌ ଗୋଣ୍ଡ ଏବଂ ନାୟକମାନେ ଅଧିସୂଚିତ ଜନଜାତି ପ୍ରମାଣପତ୍ର ପାଇବାକୁ ଯୋଗ୍ୟ, ତେବେ ଏହା ଆମକୁ କାହିଁକି ଦିଆଯାଉନାହିଁ ?”

PHOTO • Rahul Maganti

ଜୀବିକା ପାଇଁ ନାଇକ୍‌ପୋଡ୍‌ମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି । ଡାହାଣ: ପାଣ୍ଡଲା ମାଙ୍ଗା ରାଓ ଏବଂ କୁସିନି ସୀତାୟା ସେମାନେ ତିଆରି କରୁଥିବା ବାଉଁଶଚାଞ୍ଚଡ଼ା ଦେଖାଉଛନ୍ତି

ଶିକ୍ଷାଲାଭ ଉପରେ ପ୍ରତ୍ୟକ୍ଷ ପ୍ରଭାବ ବ୍ୟତୀତ ଅଧିସୂଚିତ ଜନଜାତି ପ୍ରମାଣପତ୍ରର ଅଭାବ ନାଇକ୍‌ପୋଡ୍‌ମାନଙ୍କୁ ବିକାଶମୂଳକ ଏବଂ ରାଜନୀତିକ ପ୍ରକ୍ରିୟାରୁ ଦୂରେଇ ରଖିଛି । ରାଓ କହନ୍ତି, “ଅଧିସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ବର୍ଗରେ ଆମେ ନିର୍ବାଚନ ଲଢ଼ିପାରିବୁ ନାହିଁ ’’। ‘‘ସମ୍ମିଳିତ ଆଦିବାସୀ ବିକାଶ ସଂସ୍ଥା ପାଖରୁ ଆମେ ପଇସାଟିଏ ହେଲେ ପାଉନାହୁଁ, କିନ୍ତୁ ଅନ୍ୟ ଆଦିବାସୀ ଗୋଷ୍ଠୀଗୁଡ଼ିକ କୃଷି ସାଧନ ଏବଂ ଗୃହପାଳିତ ପଶୁ କିଣିବା ଏବଂ ଦୋକାନ ଖୋଲିବା ଲାଗି ଋଣ ପାଉଛନ୍ତି ।”

ନାଇକ୍‌ପୋଡ୍‌ମାନେ ଏହା ବି କହନ୍ତି ଯେ, ଅଧିସୂଚିତ ଜାତି/ଅଧିସୂଚିତ ଜନଜାତି ଗୋଷ୍ଠୀ ସମୂହ ପାଇଁ ଥିବା କଲ୍ୟାଣମୂଳକ ଯୋଜନାଗୁଡ଼ିକ ପାଖରେ ସେମାନେ ପହଞ୍ଚିପାରନ୍ତି ନାହିଁ । ମାରେସୁ କହନ୍ତି, “ଗୃହନିର୍ମାଣ ଯୋଜନାରେ ଅନ୍ୟ ଆଦିବାସୀମାନଙ୍କୁ ମିଳୁଥିବା ଋଣ ଆମକୁ ମିଳେନାହିଁ । ଆମେ ଦାବି କଲେ ଅଧିକାରୀମାନେ ଉତ୍ତର ଦିଅନ୍ତି ଯେ, ସେମାନଙ୍କ ପାଖରେ ଥିବା ନଥିପତ୍ରରେ ଆମେ ଆଦିବାସୀ ବୋଲି ବିବେଚିତ ହେଉନାହିଁ । ନିକଟରେ ଚନ୍ଦ୍ରାନ୍ନା ବୀମା ଯୋଜନାର ହିତାଧିକାରୀମାନଙ୍କ ପାଇଁ ହୋଇଥିବା ସର୍ଭେ ସମୟରେ ଆମକୁ ଗଣନା କରାଗଲା ନାହିଁ । କାରଣ, ଆମ ପାଖରେ ଜାତିଗତ ପ୍ରମାଣପତ୍ର ନାହିଁ ।” ଚନ୍ଦ୍ରାନ୍ନା ବୀମା ହେଉଛି ସାରା ରାଜ୍ୟର ଅଣ ଆନୁଷ୍ଠାନିକ ଶ୍ରମିକମାନଙ୍କ ପାଇଁ ଏକ ବୀମା ଯୋଜନା, ଯାହାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନାଁରେ ନାମିତ କରାଯାଇଛି ।  ବାବ୍‌ଜୀ କହନ୍ତି, “ପ୍ରକୃତରେ ଏହି ବୀମା ସୁବିଧା ପାଇବା ପାଇଁ ଆପଣଙ୍କର ଜାତିଗତ ପ୍ରମାଣପତ୍ର ଦରକାର ନାହିଁ । କିନ୍ତୁ ଅଧିକାରୀମାନେ ସାମାଜିକ ସୁରକ୍ଷା ଯୋଜନାରେ କାଣ୍ଟଛାଣ୍ଟ କରିବାକୁ ଏହାକୁ ଏକ ବାହାନା ରୂପେ ବ୍ୟବହାର କରନ୍ତି କାରଣ, ସେମାନଙ୍କ ହାତରେ ପର୍ଯ୍ୟାପ୍ତ ପାଣ୍ଠି ନ ଥାଏ ।”

୨୦୦୮ରୁ ନାଇକ୍‌ପୋଡ୍‌ମାନେ ସଂଗଠିତ ହେବା ସହିତ ଜାତିଗତ ପ୍ରମାଣପତ୍ର ସମେତ ସେମାନଙ୍କ ଅଧିକାର ସବୁ ଦାବି କରିବା ଆରମ୍ଭ କରିଛନ୍ତି । ଗୋଟିଏ ପରେ ଗୋଟିଏନିର୍ବାଚନ ସମୟରେ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ କିଛି କରନ୍ତି ନାହିଁ । ୨୦୧୫ରେ ଯୁବ ନାଇକ୍‌ପୋଡ୍‌ମାନେ ନାଇକ୍‌ପୋଡ୍‌ ସଂଘମ୍‌ ଗଠନ କଲେ ଏବଂ ସେମାନଙ୍କ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣିବା ପାଇଁ ଧାରଣା ଓ ଶୋଭାଯାତ୍ରା ଆୟୋଜନ କରିଆସୁଛନ୍ତି । ଏ ପର୍ଯ୍ୟନ୍ତ, ଜାତିଗତ ପ୍ରମାଣପତ୍ର ପାଇଁ ସେମାନଙ୍କ ଦାବିକୁ ସରକାର ଅଣଦେଖା କରିଆସିଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Rahul Maganti

Rahul Maganti is an independent journalist and 2017 PARI Fellow based in Vijayawada, Andhra Pradesh.

Other stories by Rahul Maganti