ବାଲାପାର୍ଲା ତିରୁପତାମ୍ମାଙ୍କ ଚିନ୍ତାର ଅନ୍ତ ଘଟିଥିଲା। ତାଙ୍କୁ ଚାକିରି ମିଳିଯାଇଥିଲା। ତାଙ୍କ କାମ ଥିଲା, ଗୁଣ୍ଟୁର ଜିଲ୍ଲା ନୀରୁକୁଣ୍ଡା ଗାଁରେ ନୂଆ କରି ଗଢ଼ା ହୋଇଥିବା ଏସ୍ଆର୍ଏମ୍ବିଶ୍ୱବିଦ୍ୟାଳୟ କୋଠାର ଚଟାଣରେ ପଡ଼ିଥିବା ରଙ୍ଗ ସଫା କରିବା। ସେ କହନ୍ତି, "ତିନି-ଚାରି ବର୍ଷ ହେଲା ଆମକୁ ବେଶି କିଛି କାମ ମିଳି ନଥିଲା। ଚାକିରି ପାଇ ଆମେ ଖୁସି ହୋଇଥିଲୁ। କିନ୍ତୁ ସେ ଖୁସି ବେଶି ଦିନ ରହିଲାନି।" ଦୁଇ ସପ୍ତାହ ପରେ, କୌଣସି କାରଣ ନ ଜଣାଇ, ୨୯ ବର୍ଷୀୟା ବାଲାପାର୍ଲାଙ୍କୁ କାମ ଛାଡ଼ି ଚାଲିଯିବାକୁ କୁହାଯାଇଥିଲା।

୪୦ ବର୍ଷୀୟା ଉସ୍ତଲା ମେରି ମାତାଙ୍କୁ ବି ଚାକିରିରୁ ବିଦା କରାଯାଇଥିଲା। ସେ କହନ୍ତି, "ରଙ୍ଗ ସଫା କରିବା ଲାଗି ଆମକୁ ଦିନକୁ ୨୫୦ ଟଙ୍କା ଦିଆଯାଉଥିଲା। ଯେତେବେଳେ କାମ ସରିଗଲା, ଆମକୁ ଚାଲିଯିବାକୁ କୁହାଗଲା। ସେମାନେ କହିଲେ ଆମେ କୁଆଡ଼େ 'ବୁଢ଼ାବୁଢ଼ୀ' ଏବଂ କାମ ପାଇଁ ଅଯୋଗ୍ୟ।"

୨୦୧୮ମେ ମାସରେ ନୀରୁକୁଣ୍ଡାର ଦଳିତ କଲୋନିକୁ କେତେକ ଠିକାଦାର ଶ୍ରମିକ ଖୋଜିବାକୁ ଆସିଥିଲେ। ପ୍ରାୟ ୧୫୦୦ ଲୋକଙ୍କର ଏହି ଗାଁରୁ ସେମାନେ ୨୦ ଜଣ ପୁରୁଷ ଓ ମହିଳାଙ୍କର ଏକ ଦଳକୁନିଯୁକ୍ତ କରିଥିଲେ। ୬୦ ବର୍ଷର କୁରାଗାନ୍ତି ବଜ୍ରମ୍କହନ୍ତି, "କାମ ଥିଲା ବେଳେ ସେମାନେ ଆସି ଆମକୁ ନେଇଯାଆନ୍ତି। କାମ ସରିଗଲେ କୌଣସି ନା କୌଣସି ଆଳ ଦେଖାଇ ଆମକୁ ବିଦା କରି ଦିଅନ୍ତି। ଯାହାହେଲେ ବି ଏଠି ଶ୍ରମିକଙ୍କ ଅଭାବ ନାହିଁ, କାରଣ ଆମେ ସମସ୍ତେ ବେକାର।"

ବିଶ୍ୱବିଦ୍ୟାଳୟର ଉଦ୍ୟାନ ଓ ଗୃହକାର୍ଯ୍ୟ ବିଭାଗରେ କେତେକ ଗ୍ରାମବାସୀ କାମ କରୁଛନ୍ତି ସତ, କିନ୍ତୁ ଏହି କାମ କେତେଦିନ ଯାଏ ଚାଲିବ ତାହା ସେମାନେ ଜାଣିନାହାନ୍ତି। ବେସରକାରୀ ଏସ୍ଆର୍ଏମ୍ବିଶ୍ୱବିଦ୍ୟାଳୟ ସହିତ ଅନ୍ୟ କେତେକ ଶିକ୍ଷାନୁଷ୍ଠାନ, ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ଅମରାବତୀର ଏକ 'ନଲେଜ୍ହବ୍' – ଅମରାବତୀ 'ନଲେଜ୍ସିଟି'ରେ ସ୍ଥାନ ପାଇବେ। ଏଥିରେ ସାମିଲ ହେବ ଉଚ୍ଚତର ଶିକ୍ଷା ପାଇଁ ଶିକ୍ଷାନୁଷ୍ଠାନ, କର୍ପୋରେଟ୍ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ଗବେଷଣା ଏବଂ ବିକାଶ ବିଭାଗ ସମୂହ, 'ଦକ୍ଷତା ବିକାଶ' ସଂସ୍ଥା ଏବଂ ଏକ 'ଷ୍ଟାର୍ଟ୍ଅପ୍ହବ୍'। ୭୫ ଏକର ବ୍ୟାପୀ ଏହି କ୍ଲଷ୍ଟର୍ର ପ୍ରଥମ ପର୍ଯ୍ୟାୟ ୨୦୨୨ ସୁଦ୍ଧା ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୦୩୭ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଆନ୍ଧ୍ରପ୍ରଦେଶ ରାଜଧାନୀ ଅଞ୍ଚଳ ବିକାଶ ପ୍ରାଧିକରଣ (APCRDA) ର ଏକ ଦସ୍ତାବିଜ୍ରୁ ଜଣାଯାଏ।

PHOTO • Rahul Maganti
PHOTO • Rahul Maganti

ଉସ୍ତଲା ଆଜାରାୟା ଏବଂ ଉସ୍ତଲା ମେରି ମାତା: 'ଚାଷୀମାନେ ସେମାନଙ୍କ ଚାଷଜମିକୁ ପୁଲିଂରେ ଦେଇଦେବା ପର୍ଯ୍ୟନ୍ତ ଆମେ ଶ୍ରମିକ ଭାବେ କାମ କରୁଥିଲୁ'

ଏହି 'ହବ୍'ର ଚାରିପାଖେ ପଡ଼ିରହିଛି ବିଲୁପ୍ତ କୃଷିକର୍ମର ଏକ ପତିତ ଜମି। ପ୍ରାୟ ସବୁ ଶ୍ରମିକ – ଯେଉଁମାନେ ବିଶ୍ୱବିଦ୍ୟାଳୟରେ ଏବେ ବି କାମ କରୁଛନ୍ତି ଏବଂ ଯେଉଁମାନେ ଚାକିରି ହରାଇଛନ୍ତି – ଭୂମିହୀନ ଦଳିତ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଲା ସଂପ୍ରଦାୟର। ୨୦୧୪ରୁ, ଅମରାବତୀ ଲାଗି ପ୍ରଣୀତ ଏକ ଜମି ଏକତ୍ରୀକରଣ ଯୋଜନା (LPS) ରେ ଜମି ମାଲିକମାନେ 'ସ୍ୱେଚ୍ଛାକୃତ' ଭାବେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ  ସେମାନଙ୍କ ପ୍ଲଟ୍ଦେବା ଆରମ୍ଭ କରିବା ପରେ ଏ ଅଞ୍ଚଳରେ କୃଷି କାର୍ଯ୍ୟ ଲୋପ ପାଇଗଲାଣି। ମେରିଙ୍କ ସ୍ୱାମୀ, ୫୨ ବର୍ଷୀୟ ଉସ୍ତଲା ଆଜାରାୟା କହନ୍ତି, "ଚାଷୀମାନେ ପୁଲିଂ ପାଇଁ ସେମାନଙ୍କ ଜମି ଦେଇଦେବା ପର୍ଯ୍ୟନ୍ତ ମୁଁ ଓ ମୋ ସ୍ତ୍ରୀ ଶ୍ରମିକ ଭାବେ କାମ କରୁଥିଲୁ। ସେବେଠାରୁ ଆମକୁ ଆଉ ସେତେ କାମ ମିଳୁନାହିଁ।"

ନୀରୁକୁଣ୍ଡାର ଅବସ୍ଥିତି ଉର୍ବର କ୍ରିଷ୍ଣା-ଗୋଦାବରୀ ତ୍ରିକୋଣ ଭୂମିରେ, ଯାହାକି ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ. କ୍ରିଷ୍ଣା ଏବଂ ଗୁଣ୍ଟୁର ଭଳି ଚାରିଟି ଜିଲ୍ଲାକୁ ବ୍ୟାପିଛି। ଏକ ପର୍ବତର ପାଦଦେଶରେ ଏବଂ କୋଣ୍ଡାଭିଟି ଭାଗୁ (କେନାଲ) ନିକଟରେ ରହିଛି ଏହି ଗାଁ। ତ୍ରିକୋଣ ଭୂମି ଅଞ୍ଚଳରେ ଥିବା ଗାଁଗୁଡ଼ିକରେ କୃଷି ଶ୍ରମିକମାନଙ୍କ ଦୈନିକ ମଜୁରି ରାଜ୍ୟରେ ସର୍ବାଧିକ ରୂପେ ପରିଗଣିତ। ପୁରୁଷମାନେ ଦୈନିକ ୪୦୦ରୁ ୫୦୦ ଟଙ୍କା ଏବଂ ମହିଳାମାନେ ୧୫୦ରୁ ୨୦୦ ଟଙ୍କା ମଜୁରି ପାଇଥାଆନ୍ତି। ମେରି କହନ୍ତି, "ଦୁଇ ଜଣ କୃଷି ଶ୍ରମିକ ଥିବା ପରିବାରଟିଏ ମାସକୁ ୧୨,୦୦୦ରୁ ୧୫,୦୦୦ ଟଙ୍କା ଭିତରେ ଆୟ କରିପାରେ।" ୨୦୧୫ର ପ୍ରଥମ ଭାଗରେ ସେ ଓ ତାଙ୍କ ସ୍ୱାମୀ ଶେଷ ଥର ପାଇଁ ଏତେ ଟଙ୍କା ଯାହା ଆୟ କରିଥିଲେ। ସେତେବେଳକୁ ଅମରାବତୀ କାମ ଆରମ୍ଭ ହେବାର ବେଶି ଦିନ ହୋଇ ନଥାଏ।

LPS ଅନୁସାରେ, କେବଳ ଯେଉଁ ଜମି ମାଲିକମାନେ ରାଜ୍ୟର ନୂତନ 'ସବୁଜକ୍ଷେତ୍ର' ରାଜଧାନୀ ଲାଗି ସେମାନଙ୍କ ଜମି ପ୍ରଦାନ କରିବେ, ସେମାନେ ହିଁ କ୍ଷତିପୂରଣ ପାଇବେ। ଭାଗଚାଷୀ କିମ୍ବା କୃଷି ଶ୍ରମିକମାନେ ପାଇବେ ନାହିଁ। ଜୀବିକା ଅର୍ଜନରୁ ବଞ୍ଚିତ କୃଷି ଶ୍ରମିକମାନଙ୍କ ପାଇଁ ୧୦ବର୍ଷ ପର୍ଯ୍ୟନ୍ତ ପରିବାର ପିଛା ମାସିକ ୨,୫୦୦ ଟଙ୍କା ଲେଖାଏଁ ପେନ୍ସନ୍ଦେବାକୁ ସରକାର LPSରେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏ ଅଞ୍ଚଳର ଭୂମିହୀନ ଶ୍ରମିକଙ୍କ ହାରାହାରି ମାସିକ ଆୟ ୮୪୭୬ ଟଙ୍କା ବୋଲି ୨୦୧୭ ମସିହା ସେପ୍ଟେମ୍ବରରେ ବିଶ୍ୱ ବ୍ୟାଙ୍କ୍ର ଏକ ପରିଦର୍ଶନ ପ୍ୟାନେଲ୍ଦେଇଥିବା ରିପୋର୍ଟରେ ଯାହା କୁହାଯାଇଛି ତାହାଠାରୁ ଏହି ରାଶି ଖୁବ୍କମ୍। ଏହି ସ୍ୱଳ୍ପ ରାଶିକୁ ୨୦୧୫ ମସିହା ମଧ୍ୟଭାଗରେ ମଞ୍ଜୁର କରାଗଲା। ତାହା ମଧ୍ୟ ନୀରୁକୁଣ୍ଡାଠାରୁ ୧୨ କିଲୋମିଟର ଦୂର ବିଜୟୱାଡ଼ାର ଥୁଲୁର ମଣ୍ଡଳରେ ଥିବା APCRDAର ଶାଖା କାର୍ଯ୍ୟାଳୟ ପାଖରେ ଶ୍ରମିକମାନଙ୍କ କ୍ରମାଗତ ପ୍ରତିବାଦ ପରେ।

PHOTO • Rahul Maganti

ନେଲାପାଡୁ ଗାଁରେ, ଭୂମିହୀନ ଦଳିତ ମହିଳା ଏବଂ ବୟସ୍କମାନେ ଆଉ କାମ ପାଉନାହାନ୍ତି ଏବଂ ପରିବାରର ପୁରୁଷମାନେ ଏବେ ସ୍ୱଳ୍ପ ପାଉଣାରେ କାମ କରିବା ପାଇଁ ଦୂରବର୍ତ୍ତୀ ସ୍ଥାନକୁ ଯିବାରେ ଲାଗିଛନ୍ତି

"ଚାରିଜଣିଆ ପରିବାର ଚଳାଇବାକୁ ୨,୫୦୦ ଟଙ୍କା କେମିତି ଅଣ୍ଟିବ?" ମେରି ପଚାରନ୍ତି। "ଏତିକି ଟଙ୍କା ମିଳିବାରେ ମଧ୍ୟ ବିଳମ୍ବ ହୁଏ ଏବଂ ଆମକୁ ଦୁଇ କିମ୍ବା ତିନି ମାସରେ ଥରେ ଦିଆଯାଏ।" ଗାଁର ଉଚ୍ଚଜାତି କୃଷକମାନଙ୍କଠାରୁ ଋଣ ନେଇ ପରିସ୍ଥିତି ସହ ଖାପଖୁଆଇ ଚଳିବାକୁ ତାଙ୍କ ପରିବାର ଚେଷ୍ଟା କରୁଛି।

ନୀରୁକୁଣ୍ଡା ସେହି ୨୯ଟି ଗାଁ ମଧ୍ୟରୁ ଗୋଟିଏ ଯେଉଁଠି ଜମି ମାଲିକମାନେ ଜମି 'ପୁଲିଂ' କରି ରାଜ୍ୟ ସରକାରଙ୍କୁ ଦେଉଛନ୍ତି। ଅମରାବତୀର ଦକ୍ଷିଣ ମୁଣ୍ଡରେ ଏହି ଗାଁ ଅବସ୍ଥିତ ଏବଂ ଏହାର ଉତ୍ତରପଟ ସୀମାରେ କୃଷ୍ଣା ନଦୀ ତଟବର୍ତ୍ତୀ ଅନ୍ୟାନ୍ୟ ଗାଁ ରହିଛି। ସମଗ୍ର ରାଜଧାନୀ ନଗରୀ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୩୩,୦୦୦ ଏକର (ଏବଂ ତୃତୀୟ ପର୍ଯ୍ୟାୟରେ ୨୦୫୦ ମସିହା ସୁଦ୍ଧା ମୋଟ ୧୦୦,୦୦୦ ଏକର ଜମି) ଅଧିଗ୍ରହଣ କରିବେ।

ନଦୀର ଅପର ତଟରେ ରହିଛି ନେଲାପାଡୁ, ୨୯ଟି ଗାଁ ମଧ୍ୟରୁ ଆଉ ଗୋଟିଏ। ନେଲାପାଡୁର ୪୦ ବର୍ଷୀୟା ବି.ମାରିୟାମ୍ମା କହନ୍ତି, "ଆମକୁ କ୍ଷେତରେ ୫-୬ (ସପ୍ତାହରେ) ଦିନ କାମ ମିଳିଯାଉଥିଲା। କାମର ଅଭାବ ନଥିଲେ ଆପଣ ହୁଏତ ଆମକୁ ଏଠି (ଘରେ) ପାଇ ନଥାଆନ୍ତେ।"

ନେଲାପାଡୁର ପ୍ରାୟ ୧୦୦ ଭୂମିହୀନ ଦଳିତ ପରିବାର କୃଷି କାର୍ଯ୍ୟ ଉପରେ ନିର୍ଭର କରନ୍ତି। କିନ୍ତୁ, ୨୦୧୪ରେ ଜମି 'ପୁଲିଂ' ଆରମ୍ଭ ହେବା ପରଠାରୁ ସେମାନେ କାମ ଖୋଜିବା ପାଇଁ ବହୁ ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି। ମାଲା ଦଳିତ ସଂପ୍ରଦାୟର ୩୫ ବର୍ଷୀୟା କୋମ୍ମୁରି ଚିତ୍ତାମ୍ମା କହନ୍ତି, "ଆମେ ୩୦-୪୦ କିଲୋମିଟର ଦୂରରେ ଥିବା ବୈକୁଣ୍ଠପୁରମ୍, ଗାରାପାଡୁ ଏବଂ ଲିଙ୍ଗାପୁରମ୍ଗାଁକୁ ଯାଉଛୁ ଏବଂ ସେଠାରେ କେବଳ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ କାମ (ଲଙ୍କାମରିଚ କାଟିବା) ମିଳେ। ଏହି ପାଞ୍ଚ ମାସରେ ମଧ୍ୟ ଆମେ ପ୍ରାୟ ୫୦-୭୦ ଦିନ କାମ ପାଉ (ଦିନକୁ ୧୫୦-୨୦୦ ଟଙ୍କା ରୋଜଗାର କରୁ)।"

PHOTO • Rahul Maganti
PHOTO • Rahul Maganti

ମାରିୟାମ୍ମା ଏବଂ ବାକ୍କା ଦୋନେଶ: 'ଯେତେବେଳେ ଆମକୁ କାମ ମିଳେ ଆମେ ଖାଉ । ନହେଲେ ଆମେ ଭୋକରେ ଶୋଇଯାଉ’

କୋମ୍ମୁରି ଚିତ୍ତାମ୍ମା (୩୫) କହନ୍ତି, "ଆମକୁ ବଡ଼ି ଭୋରରୁ, ୫ଟାରେ ଉଠିବାକୁ ପଡ଼େ। ଖାଦ୍ୟ ରାନ୍ଧି, ମଧ୍ୟାହ୍ନ ଭୋଜନ ଲାଗି ପ୍ୟାକ୍କରି ୭ଟା ସୁଦ୍ଧା କାମ ପାଇଁ ବାହାରି ଯିବାକୁ ହୁଏ। ଆମେ ଗାଁକୁ ଫେରିବା ବେଳକୁ ରାତି ୮ଟା ହୋଇଯାଏ।" ସେ ଆହୁରି କହନ୍ତି ଯେ, ସବୁଦିନ ଏଭଳି ଯା’ଆସ କରିବାର ଖୁବ୍କ୍ଳାନ୍ତିକର।

ଥୁଲୁରରେ ଅନୁଷ୍ଠିତ କେତେକ ପ୍ରତିବାଦ ସଭାରେ ଅଂଶଗ୍ରହଣ କରିଥିବା ୫୦ ବର୍ଷୀୟା କୋୟାଗୁରା ନିର୍ମଲା କହନ୍ତି, "ସବୁ ଭୂମିହୀନ ପରିବାରକୁ (ପେନ୍ସନ୍ରୂପେ) ମାସକୁ ଅତି କମ୍ରେ ୧୦,୦୦୦ ଟଙ୍କା ଲେଖାଏଁ ଦେବା ଲାଗି ଆମେ ଦାବି କରୁଛୁ। ଥୁଲୁରୁରେ ଘରୋଇ ଡାକ୍ତରଖାନାକୁ ଥରେ ଗଲେ ୫୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨,୫୦୦ ଟଙ୍କାରେ କେଉଁ କାମରେ ବା ଲାଗିବ?"

ସରକାର ଶ୍ରମିକମାନଙ୍କୁ ଏହି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ ବର୍ଷକୁ ୩୬୫ ଦିନ MGNREGAରେ କାମ ମିଳିବ। କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଯେ ୨୦୧୪ ମସିହାରୁ ଏହି ଯୋଜନାରେ ସେମାନଙ୍କୁ ଦିନଟିଏ ବି କାମ ମିଳିନାହିଁ। ହେଲେ ନେଲାପାଡୁରେ ଲାଗିଥିବା ବୋର୍ଡରେ ତେଲୁଗୁରେ କୁହାଯାଇଛି ଯେ MGNREGA ପାଣ୍ଠି ବିନିଯୋଗ କରି ଅନେକ ସିମେଣ୍ଟ ରାସ୍ତା ନିର୍ମାଣ କରାଯାଇଛି। ମୁଁ ଏହି ବୋର୍ଡକୁ ପଢ଼ି ତାଙ୍କୁ ଶୁଣାଇବା ପରେ  ନିର୍ମଲା କହନ୍ତି, "MGNREGAରେ ଆମ ଭିତରୁ କାହାରିକୁ କୌଣସି କାମ ମିଳିନାହିଁ। କେବେ ଆଉ କେମିତି ଏସବୁ ବୋର୍ଡ ଲାଗିଲା, ମୁଁ ଜାଣିନି।"

ସେ ଯାହାହେଉ, ଯେତେବେଳେ ମୁଁ ଥୁଲୁର ମଣ୍ଡଳର ରାଜସ୍ୱ ଅଧିକାରୀ ଏ. ସୁଧୀର ବାବୁଙ୍କ ସହ ଯୋଗାଯୋଗ କଲି, ସେ କହିଲେ, "୨୦୧୭ ମସିହାରେ ଯେତେବେଳେ ଏହି ରାସ୍ତାଗୁଡ଼ିକ ତିଆରି କରାଗଲା, APCRDAର ନିୟମ ଅନୁସାରେ  ନେଲାପାଡ଼ୁ ଗ୍ରାମବାସୀଙ୍କୁ MGNREGA ଅଧୀନରେ କାର୍ଯ୍ୟ ଦିଆଯାଇଥିଲା।"

ରାଜଧାନୀ ଅଞ୍ଚଳର ଯେଉଁ ତିନିଟି କିମ୍ବା ଚାରିଟି ଗାଁରେ ନୂଆ ନୂଆ କୋଠାଘର ନିର୍ମାଣ ଆରମ୍ଭ ହୋଇଛି ସେ ମଧ୍ୟରୁ ନେଲାପାଡୁ ଗୋଟିଏ। ଲାର୍ସନ୍ଆଣ୍ଡ ଟୁବ୍ରୋ ଏବଂ ଶାପୁରଜୀ ପାଲୋନଜୀ ଭଳି ବଡ଼ ବଡ଼ କମ୍ପାନି ଏଠାରେ ଏକ 'ଜଷ୍ଟିସ୍ସିଟି' (ହାଇକୋର୍ଟ ପରିସର), ଏମ୍ଏଲ୍ଏ କ୍ୱାଟର୍ସ ଏବଂ ଏକ ଆଇଏଏସ୍ଅଫିସର୍ସ କଲୋନି ସହିତ ଅନ୍ୟାନ୍ୟ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି।

PHOTO • Rahul Maganti
PHOTO • Rahul Maganti

ବାମ: ନେଲାପାଡୁ ଗାଁରେ ଥିବା ଏକ ବୋର୍ଡ କହେ ଯେ ଗାଁରେ MGNREGA କାମ ହୋଇଛି, କିନ୍ତୁ ଏଠାକାର ଲୋକେ କହନ୍ତି ଯେ ସେମାନେ ୨୦୧୪ରୁ ଏହି ଯୋଜନାରେ କୌଣସି କାମ ପାଇନାହାନ୍ତି। ଡାହାଣ: ନୀରୁକୁଣ୍ଡାରୁ ଅନତି ଦୂରରେ ଏସ୍ଆର୍ଏମ୍ବିଶ୍ୱବିଦ୍ୟାଳୟର ଖେଳପଡ଼ିଆ; ଏହି ବିଶ୍ୱବିଦ୍ୟାଳୟ ଅମରାବତୀର ‘ନଲେଜ୍ହବ୍’ରେ ସ୍ଥାନ ପାଇବ

ମାରିୟାମ୍ମାଙ୍କ ସ୍ୱାମୀ ୪୮ ବର୍ଷୀୟ ବାକ୍କା ଦୋନେଶ କହନ୍ତି, "ନିର୍ମାଣ କାମରେ ଲାଗିଥିବା ସବୁ ଶ୍ରମିକ ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡରୁ ଆସିଛନ୍ତି। ଏ ଗାଁ କଥା ଭୁଲି ଯାଆନ୍ତି, ଜଣେ ହେଲେ ଶ୍ରମିକ ଆନ୍ଧ୍ରପ୍ରଦେଶର ବି ନୁହନ୍ତି। ସେମାନେ ଅଳ୍ପ ମଜୁରିରେ କାମ କରୁଥିବାରୁ କମ୍ପାନିଗୁଡ଼ିକ ସେମାନଙ୍କୁ କାମ ଦିଅନ୍ତି।"

ଥରେ ଦୋନେଶ ଏକ ନିର୍ମାଣ ସ୍ଥଳରେ ଗାର୍ଡ ଚାକିରି କରିବାକୁ ଯାଇଥିଲେ। ତାଙ୍କ କହିବା କଥା "ସେମାନେ ମତେ ଗୋଟିଏ ସାପ ଧରିବାକୁ କହିଲେ। ମୁଁ ସାପଟିକୁ ମାରିଦେଲି। ସେମାନେ ମତେ କହିଲେ ତାକୁ ଜୀଅନ୍ତା ଧରିବାକୁ ହେବ। ସାରା ଜିଲ୍ଲାରେ ଏମିତି ଚୌକିଦାର ମିଳିବେନି ବୋଲି ମୁଁ ସେମାନଙ୍କୁ କହିଲି ଏବଂ ଫେରି ଆସିଲି।" ଆଜିକାଲି ଯେବେ ବି ସେଠାକାର ନିର୍ମାଣ ସ୍ଥଳରେ କାମ ମିଳେ, ଦୋନେଶ ଥୁଲୁର ଯାଆନ୍ତି।

ଖୁବ୍କମ୍କାମ ଏବଂ ପ୍ରାୟ କୌଣସି ସରକାରୀ ସହାୟତା ମିଳୁ ନଥିବା ବେଳେ ନେଲାପାଡୁର ଦଳିତ ପରିବାର ସମୂହ ଚଳୁଛନ୍ତି କେମିତି? ମାରିୟାମ୍ମା ହସି ଦେଇ କହନ୍ତି, "ଯେତେବେଳେ ଆମକୁ କାମ ମିଳେ, ଆମେ ଖାଉ। ନହେଲେ ଆମେ ଭୋକରେ ଶୋଇଯାଉ।"

ତେଣେ ନୀରୁକୁଣ୍ଡା ଗାଁ ଉପକଣ୍ଠରେ, ତାର୍ପୁଲିନ୍ତମ୍ବୁ ଭିତରେ ଆଶ୍ରୟ ନେଇଛନ୍ତି ଗୁଣ୍ଟୁର ଓ ପ୍ରକାଶମ ଜିଲ୍ଲାର ମରୁଡ଼ି ପ୍ରପୀଡ଼ିତ କେତେକ ଗାଁରୁ ଆସିଥିବା ୨୦ଟି ପରିବାର। ସେମାନେ ବି ବିଶ୍ୱବିଦ୍ୟାଳୟରେ କାମ କରନ୍ତି। ଦିନକୁ ୨୫୦ ଟଙ୍କା ରୋଜଗାର କରୁଥିବା ୪୦ ବର୍ଷୀୟା ରମାଦେବୀ କହନ୍ତି, "ଠିକାଦାର (ବଗିଚା କାମ) ଆମକୁ ଏଠାକୁ ଆଣିଲେ ଏବଂ ଆମେମାନେ ଏଠାରେ ବର୍ଷେରୁ ଅଧିକ (ଅକ୍ଟୋବର ୨୦୧୭ରୁ) ସମୟ ହେଲା ରହିଆସୁଛୁ। ଠିକା କେବେ ସରିବ, ଆମକୁ ଜଣାନାହିଁ।"

PHOTO • Rahul Maganti
PHOTO • Rahul Maganti

ନୀରୁକୁଣ୍ଡା ଗାଁ ଉପକଣ୍ଠରେ ଅସ୍ଥାୟୀ ତମ୍ବୁରେ ରହୁଥିବା ପ୍ରକାଶମ ଗୁଣ୍ଟୁର ଜିଲ୍ଲାର ମରୁଡ଼ି ପ୍ରପୀଡ଼ିତ କେତେକ ଗାଁର ଲୋକ। ରମାଦେବୀ କହନ୍ତି , " ଠିକାଦାର ଆମକୁ ଆଣିଲେ ... କେବେ ଠିକା ଶେଷ ହେବ , ଆମକୁ ଜଣାନାହିଁ।"

ପ୍ରକାଶମ୍ଜିଲ୍ଲା ମାର୍କପୁର ଗାଁର ୩୫ ବର୍ଷୀୟା ଗୋର୍ଲାମ୍ମା କହନ୍ତି, "ପାଣି ଅଭାବରୁ ଆମ ଗାଁରେ କୌଣସି ଚାଷବାସ କାମ ନାହିଁ। ତେଣୁ ଆମେ ଗାଁ ଛାଡ଼ି ଏଠାକୁ ଆସିଛୁ।" ଗୋର୍ଲାମ୍ମା ତାଙ୍କ ପିଲାମାନଙ୍କୁ ଗାଁରେ ସେମାନଙ୍କ ଜେଜେବାପା ଓ ଜେଜେମାଆଙ୍କ ପାଖରେ ଛାଡ଼ି ଆସିଛନ୍ତି। ସେ କହନ୍ତି, "ମୁଁ ଫେରିଯିବାକୁ ଚାହେଁ, କିନ୍ତୁ ଆମ ଗାଁରେ କିଛି ହେଲେ କାମ ନାହିଁ।"

ନୀରୁକୁଣ୍ଡା ନିକଟ ପାହାଡ଼ ଶୀର୍ଷରେ ତେଲୁଗୁ ଦେଶମ୍ର ପ୍ରତିଷ୍ଠାତା ଏବଂ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଟି. ରାମାରାଓଙ୍କ ଏକ ବିରାଟକାୟ ପ୍ରତିମୂର୍ତ୍ତି ଏବଂ ସ୍ମାରକୀ ନିର୍ମାଣ ଲାଗି ଅମରାବତୀ ରାଜଧାନୀ ନଗରୀ ଯୋଜନାରେ ପରିକଳ୍ପନା କରାଯାଇଛି। ଏହାଦ୍ୱାରା ଗ୍ରାମବାସୀମାନେ ବାସଚ୍ୟୁତ ହେବେ। କିନ୍ତୁ ସରକାର ଏ ପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି କରି ସେମାନଙ୍କୁ ଜଣାଇନାହାନ୍ତି। ଅନ୍ୟ ଦଳିତ ପରିବାର ସହ ପାହାଡ଼ରେ ରହୁଥିବା ମେରିଙ୍କର ଆଶଙ୍କା ଯେ, ସେ ତାଙ୍କ ଘର ହରାଇବେ, କାରଣ ତାଙ୍କ ପରିବାର ପାଖରେ ଘରର ମାଲିକାନା ଦଲିଲ ନାହିଁ । ସେ କହନ୍ତି, "ଆମେ ଘରର ମାଲିକାନା ଦଲିଲ ଚାହୁଁଛୁ ଯାହାଫଳରେ ସରକାର ଆମକୁ ହଟାଇଲେ ବି ଅତି କମ୍ରେ କିଛି କ୍ଷତିପୂରଣ ତ ମିଳିବ।"

ନୀରୁକୁଣ୍ଡା ଅଧିବାସୀଙ୍କ ଆଶା ଯେ, ଦୀର୍ଘ ବର୍ଷ ଧରି ରହିଆସିଥିବା ସେମାନଙ୍କ ଗାଁକୁ ଛାଡ଼ିଯିବାକୁ ବାଧ୍ୟ ହେଲା ବେଳେ ଏହି କ୍ଷତିପୂରଣ ବଳରେ ସେମାନେ ଅନ୍ୟ କୌଣସି ସ୍ଥାନରେ ଅତି କମ୍ରେ ଘରଟିଏ ତ କରିପାରିବେ। ଏବେ ସେମାନଙ୍କୁ ଲାଗୁଛି, ଯେଉଁ ବଡ଼ ନଗରୀକୁ ସେମାନେ ବାଟ ଦେଖାଇବେ ସେଠାରେ ସେମାନଙ୍କ ଭଳି କ୍ଷୁଦ୍ର ଲୋକଙ୍କ ଲାଗି ସ୍ଥାନ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Rahul Maganti

Rahul Maganti is an independent journalist and 2017 PARI Fellow based in Vijayawada, Andhra Pradesh.

Other stories by Rahul Maganti