ସତ୍ୟଭାନ ଓ ଶୋଭା ଯାଦବ ଟ୍ରାକ୍ଟରରେ ଚଢିବାକୁ ପ୍ରସ୍ତୁତ ହେଉଥିଲେ। ସତ୍ୟଭାନ କହିଲେ, ‘‘ଆମେ ଯେତେ ସମ୍ଭବ ସାଙ୍ଗରେ ନେଇ ଆସୁ - ଏହା ସହ ରୋଷେଇ ପାଇଁ ବାଜରା, ଅଟା ଆଉ ଲୁଣ’’। ‘‘ତେଣୁ ଯାତ୍ରା ବେଳେ ଏବଂ ବେଲଗାମ ଜିଲ୍ଲାରେ ଆମକୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ନାହିଁ।’’

ଅକ୍ଟୋବର ମାସର ଶେଷ ଭାଗ, ମଙ୍ଗଳବାରର ଉତ୍ତପ୍ତ ଅପରାହ୍‌ଣ। ବୋଡ଼ଖା ଗାଁର ଅଧିକାଂଶ ଲୋକ ଯାତ୍ରା ପାଇଁ ତରତର ହଉଛନ୍ତି। ଲୁଗାପଟା, ବାସନକୁସନ ଏବଂ ଚପାତି ସହ ଅନ୍ୟାନ୍ୟ ଜିନିଷ ପ୍ୟାକିଂ କରୁଛନ୍ତି। ​‌ବସ୍ତା ଏବଂ ବ୍ୟାଗ ଟ୍ରାକ୍ଟରରେ ଲଦୁଛନ୍ତି। ମହାରାଷ୍ଟ୍ର ବେଦ୍ ଜିଲ୍ଲାର ଏହି ଉପାନ୍ତ ଗାଁର ଲୋକସଂଖ୍ୟା ପ୍ରାୟ ୧,୨୦୦। ଲୋକଙ୍କ ଛୋଟଛୋଟ ଘରେ ଲାଗିଥିବା କାଠ କବାଟରେ ମଜବୁତ ତାଲା ଲଗାଇ ବାରମ୍ବାର ପରୀକ୍ଷା କରୁଥିଲେ। ଆସନ୍ତା ପାଞ୍ଚ ମାସ ପର୍ଯ୍ୟନ୍ତ ଏହି ତାଲା ଝୁଲିବ।

ଏଭଳି ବାହାରକୁ ଯିବା ଏକ ବାର୍ଷିକ ପ୍ରକ୍ରିୟା। ପ୍ରତିବର୍ଷ ପ୍ରାୟ ଅକ୍ଟୋବର-ନଭେମ୍ବର ମାସରେ କେବଳ ବେଦ୍ ଜିଲ୍ଲା ମରାଠାଓ୍ୱାଡ଼ାରୁ ୧୨୫,୦୦୦ ଜଣ କୃଷକ ଓ ଶ୍ରମିକ ସ୍ଥାନାନ୍ତର ହୁଅନ୍ତି। ଆଖୁ କ୍ଷେତରେ କାମ କରିବାକୁ ୪-୫ ମାସ ପାଇଁ ପଶ୍ଚିମ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯାଆନ୍ତି। ଗାଁରେ କାମ ଧନ୍ଦା ନପାଇବାରୁ ଏମାନେ ବାଧ୍ୟ ହୋଇ ବାହାରକୁ ଯାଅନ୍ତି। ଅନ୍ୟ କାରଣଟି ହେଉଛି, ଚାଷରେ ଖର୍ଚ୍ଚ ବଢିବା, ଉତ୍ପାଦର ଅନିଶ୍ଚିତ ବଜାର ମୂଲ୍ୟ, ଖରାପ କ୍ରେଡିଟ୍ ବ୍ୟବସ୍ଥା, ପାଣି ଅଭାବ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ବଢୁଥିବା କୃଷି ସଂକଟ।

A family travelling on a tractor
PHOTO • Parth M.N.

ସତ୍ୟଭାନ ଓ ଶୋଭା ଯାଦବ ଅର୍ଜୁନକୁ ନେଇ ଯାତ୍ରା କରୁଛନ୍ତି କିନ୍ତୁ ସେମାନଙ୍କର ଦୁଇ ବଡ଼ ପୁଅଙ୍କୁ ଛାଡ଼ି ଯାଉଛନ୍ତି

ସେମାନେ ବାହାରକୁ ଚାଲିଯିବା ପରେ ଗାଁ ପ୍ରାୟ ଶୂନଶାନ ହୋଇଯାଏ। କେବଳ ଅଳ୍ପ ସଂଖ୍ୟକ ବୟସ୍କ ଲୋକ, ଅକ୍ଷମ ଏବଂ କିଛି ପିଲା ପଛରେ ରହିଯାଆନ୍ତି। ବେଳେବେଳେ ବୟସ୍କ ଲୋକେ ନାତି ନାତୁଣୀଙ୍କୁ ପାଖରେ ରଖିବାର କ୍ଷମତା ନଥିଲେ ବାପା ମାଆମାନେ ସାଙ୍ଗରେ ନେଇ ଯାଆନ୍ତି। ଏଥିପାଇଁ ପିଲାଙ୍କୁ ସ୍କୁଲ ବନ୍ଦ କରିବାକୁ ହୁଏ। ସତ୍ୟଭାନ ଓ ଶୋଭା ମଧ୍ୟ ତାଙ୍କ ୬ ବର୍ଷର ପୁଅକୁ ସାଙ୍ଗରେ ନେଉଛନ୍ତି। ଜଣେ ୯ ବର୍ଷ ଓ ଜଣେ ୧୨ ବର୍ଷର ପୁଅକୁ ଘରେ ଛାଡ଼ି ଯାଉଛନ୍ତି। ଶୋଭା କହିଲେ, ‘‘ସେ ମୋ ସାଙ୍ଗରେ ଯିବାକୁ ଜିଦ୍ ଧରିଲା’’। ‘‘ଅନ୍ୟ ଦୁଇ ଜଣ ମୋ ଶାଶୁ ଶ୍ୱଶୁରଙ୍କ ପାଖରେ ଅଛନ୍ତି।’’

ବୋଡ଼ଖା ଗାଁର ଯାଦବ ପରିବାର ଏବଂ ଆହୁରି ଅନେକ ଲୋକ କିଛି ଦିନ ଭିତରେ କର୍ଣ୍ଣାଟକର ଗୋକାକ ତାଲୁକରେ ପହଞ୍ଚିବେ। ବେଦ୍ ଠାରୁ ଗୋକାକ ପ୍ରାୟ ୪୫୦ କିଲୋମିଟର ଦୂର। ବୋଡ଼ଖା ଗାଁର ଏହି ଲୋକମାନେ ପ୍ରାୟ ଦଳିତ ଏବଂ ବଞ୍ଜାରା ସଂପ୍ରଦାୟର। ସେଠି ପହଞ୍ଚିବାକୁ ପାଖାପାଖି ଅଢେଇ ଦିନ ଯାତ୍ରା କରିବାକୁ ହୁଏ। ଟ୍ରାକ୍ଟର ସାଙ୍ଗରେ ଯୋଖା ଯାଇଥିବା ଟ୍ରଲି ଭଳି ଖୋଲା ଗାଡ଼ିରେ ବସି ସେମାନେ ଯାତ୍ରା କରିଥାନ୍ତି।

କର୍ଣ୍ଣାଟକର ଅଧିକାଂଶ ଚିନି କାରଖାନାକୁ ଶ୍ରମିକ ଚାଲାଣ କରନ୍ତି ଠିକାଦାର ସଦାଶିବ ବଡ଼େ। ପ୍ରତି ଟ୍ରାକ୍ଟରରେ ଦୁଇଟି ଟ୍ରଲି ସଂଯୋଗ ହୋଇଛି। ପୂରା ପ୍ରକ୍ରିୟାର ସେ ତଦାରଖ କରୁଛନ୍ତି। ସେ କହନ୍ତି, ‘‘ମୋ ଦାୟିତ୍ଵରେ ୨୦୦ ଟ୍ରକ୍ ଓ ଟ୍ରାକ୍ଟର [ଏଥିରୁ ଅଧିକାଂଶ ପ୍ରାୟ ବେଦ୍‌ର ବିଭିନ୍ନ ଗାଁରୁ ଯାଇଥାଏ]।’’ ‘‘ପ୍ରତି ଗାଡ଼ିରେ ୧୦ ଯୋଡ଼ି ଦମ୍ପତି ଯାଆନ୍ତି। ସେମାନଙ୍କୁ ମୁଁ ଏଭଳି ୫୦ଟି ଗାଡ଼ି ଦେଇଛି। ଆଉ ଦୁଇଟି ଏବେ ବୋଡ଼ଖାରୁ ବାହାରିବ। ଏଥିରେ ଏହି ଗାଁ ଏବଂ ପାଖ ଗାଁରୁ ଲୋକ ଯିବେ। ’’

ଅପରାହ୍‌ଣ ଯାଇ ଧୀରେ ଧୀରେ ସଂଧ୍ୟା ନଉଁଥିଲା। ଲୋକେ ସେମାନଙ୍କ ବାଜରା ଭର୍ତ୍ତି ଅଖା ବ୍ୟାଗ ଗାଡ଼ିରେ ଲଦୁଥିଲେ, ଅଟା, ଲୁଣ ଓ ଲୁଗାପଟା ଥିବା କାଠ ବାକ୍ସ ଏବଂ ବାସନକୁସନ ଥିବା ବସ୍ତା ଟ୍ରଲିରେ ରଖୁଥିଲେ। ପାଣି ରଖାଯାଇଥିବା କମଳା ରଂଗର ପ୍ଲାଷ୍ଟିକ୍ ପାତ୍ର ରଶିରେ ବନ୍ଧାଯାଇ ଗାଡ଼ିର ଦୁଇ ପାର୍ଶ୍ୱରେ ଟଙ୍ଗାଯାଇଛି।

ଗାଡ଼ିରେ ଜିନିଷପତ୍ର ଲଦି ସାରିବା ପରେ ସମସ୍ତେ ଘରକୁ ଫେରି ପରିବାର ଲୋକଙ୍କ ସହ ରାତ୍ରି ଭୋଜନ କଲେ - କିଛି ମୁହୂର୍ତ୍ତର ଶେଷ ସାକ୍ଷାତ। ଯଦିଓ ଏହା ବାର୍ଷିକ ମେଲାଣି, ତଥାପି ଘର ଛାଡ଼ୁଥିବା ଲୋକ ଗାଡ଼ିରେ ଚଢିବା ବେଳେ ଅନ୍ୟମାନଙ୍କ ଆଖି ଛଳଛଳ ହୋଇଯାଏ। ମହିଳା ଓ ଛୋଟ ପିଲାମାନେ ପ୍ରଥମ ଟ୍ରଲିରେ ବସନ୍ତି। ଦ୍ୱିତୀୟ ଟ୍ରଲିରେ ବୟସ୍କ ପୁରୁଷ ଓ ପୁଅପିଲା ବସନ୍ତି। ମା’ମାନେ ଟ୍ରାକ୍ଟରରେ ବସିବା ବେଳେ ଜେଜେ ବାପା ଜେଜେମା’ଙ୍କ ସହ ଥିବା ବଡ଼ ପିଲାମାନେ ପାଟିକରି କାନ୍ଦନ୍ତି। ମାଆ ମଧ୍ୟ ନିଜକୁ ଅପରାଧୀ ଭଳି ଭାବେ ଏବଂ ମନ ଆନ୍ଦୋଳିତ ହୁଏ।

କିନ୍ତୁ ଗତ ୧୭ ବର୍ଷ ହେବ ସତ୍ୟଭାନଙ୍କ ସାଙ୍ଗରେ ଯାଉଥିବା ଶୋଭା ଏଥର ପ୍ରଫୁଲ୍ଲ ଜଣାପଡ଼ୁଛନ୍ତି। ଉଭୟଙ୍କ ବୟସ ୪୦ ଉପରେ। ଶୋଭା କହିଲେ, ‘‘ଏ ବର୍ଷ ଶୀଘ୍ର ଦୀପାବଳି ଆସିଲା।’’ ‘‘ସେଥିପାଇଁ ଉତ୍ସବରେ ମୁଁ ପୂରା ପରିବାର ସହ ଥିଲି। ପରିବାର ସହ ଦୀପାବଳି ପାଳନର ଆନନ୍ଦ ମୁଁ ଭୁଲି ଯାଇଥିଲି।’’

A tractor parked near sugarcane field
PHOTO • Parth M.N.
People loading gunny bags of bajra and utensils onto tractors
PHOTO • Parth M.N.

ତି ଟ୍ରାକ୍ଟରରେ ସଂଯୋଗ ହୋଇଥିବା ଟ୍ରଲିରେ ୧୦ଟି ପରିବାର ଏବଂ ସେମାନଙ୍କ ବାଜରାଭର୍ତ୍ତି ବ୍ୟାଗ୍ ଓ ଅଟା, ଲୁଣ, ଲୁଗାପଟା ଥିବା କାଠ ବାକ୍ସ ଏବଂ ବାସନକୁସନ

ଦକ୍ଷିଣକୁ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଜଣେ ଭୂଇଁରେ ନଡ଼ିଆ ପିଟିଲେ ଆଉ ତା ପରେ ୨୪ ବର୍ଷୀୟ ଟ୍ରାକ୍ଟର ଡ୍ରାଇଭର ମହାଦେବ ଟିଡ଼୍‌କେ ଇଞ୍ଜିନ ଷ୍ଟାର୍ଟ କଲେ। ସମୟ ପ୍ରାୟ ରାତି ୧୦ଟା। ଟିଡ଼୍‌କେ ମଧ୍ୟ ବୋଡ଼ଖା ଗାଁର ବାସିନ୍ଦା। ସେ କହନ୍ତି, ତାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା ସେ ସମୟରୁ ସେ ଲୋକଙ୍କୁ ନେଉଛନ୍ତି।

ସତ୍ୟଭାନ ବଡ଼ ପାଟିରେ ‘‘ଜୟ ଭୀମ୍’’ କହିଲେ। ଏହା ପରେ ଅନ୍ଧାରୁଆ ଗଳିରାସ୍ତା ଦେଇ ଟ୍ରାକ୍ଟର ଆଗକୁ ଗଡ଼ିଲା। ମୁଣ୍ଡ ଉପରେ ତାରା ଫୁଟିଥିବା ପରିସ୍କାର ଆକାଶ। ଦେହରେ ଛୁଞ୍ଚି ମାରୁଥିଲା ପବନ। ମହାଦେବ ତାଙ୍କ ସିଟ୍ ପାଖରେ ଥିବା ଏକ ସକେଟ୍‌ରେ ପେନ୍ ଡ୍ରାଇଭ୍ ଗୁଞ୍ଜିଲେ ଏବଂ ଉଚ୍ଚ ଶବ୍ଦରେ ହିନ୍ଦୀ ସିନେମା ଗୀତ ବଜାଇଲେ। ରାତିର ନିସ୍ତବ୍ଧତାକୁ ଗୁଞ୍ଜରିତ କରୁଥିଲା ସିନେମା ସଂଗୀତ। ଟ୍ରାକ୍ଟର ଉପରେ ବସିଥିବା ଲୋକେ ତଳେ ଛିଡା ହୋଇଥିବା ଲୋକଙ୍କୁ ହାତ ହଲେଇ ବିଦାୟ ମାଗୁଥିଲେ। ଅଖା ବ୍ୟାଗ ଏବଂ ବାସନକୁସନ ଭିତରେ ନିଜ ବସିବା ପାଇଁ ଜାଗା ସଜାଡ଼ି ନେଇଥିଲେ ଲୋକେ।

ଟ୍ରଲି ଉପରେ ଦୁଇଟି ଛେଳି ମଧ୍ୟ ଦେଖିବାକୁ ମିଳିଲା। ଶୋଭା କହିଲେ, ‘‘ସେମାନେ ବେଲଗାମ୍‌ରେ କ୍ଷୀର ପାଇଁ ବ୍ୟବହରେ ହେବେ।’’ ଆବଡ଼ାଖାବଡ଼ା ରାସ୍ତାରେ ଟ୍ରାକ୍ଟର ଧକଡ଼ ଚକଡ଼ ହୋଇ ଯିବାବେଳେ ଶୋଭା ତାଙ୍କ ପୁଅ ଅର୍ଜୁନକୁ କୋଳରେ ଜାକି ଧରିଥିଲେ। କାର୍ ଏବଂ ଟ୍ରକ୍ ଗୁଡ଼ିକ ଦ୍ରୁତ ଗତିରେ ଯାଉଥିଲେ। ଖୋଲା ଟ୍ରଲିରେ ଥଣ୍ଡା ପବନ ପିଟୁଥିଲା। ବ୍ୟାଗ ଭିତରୁ ଅର୍ଜୁନ ପାଇଁ ମଙ୍କି ଟୋପି ବାହାର କଲେ। ନିଜର ଦୁଇ କାନକୁ କାନିରେ ଘୋଡ଼ାଇ ଦେଲେ। ଅନ୍ୟମାନେ ମଧ୍ୟ ତାଙ୍କ ବ୍ୟାଗ ଭିତରୁ ଖୋତରା ଆଉ ଚିରା କମ୍ବଳ ବାହାର କଲେ। ଏଥିରେ ଥଣ୍ଡାରୁ କିଛିଟା ରକ୍ଷା ପାଇ ହେବ। ଆଉ କିଛି ଲୋକ ଶୋଇ ପଡ଼ିଲେ।

ଡ୍ରାଇଭର ସିଟ୍‌ରେ ବସିଥିବା ମହାଦେବ ତାଙ୍କ ବେକରେ ମଫଲର ଗୁଡ଼ାଇଥିଲେ ଏବଂ ପୁରା ସାର୍ଟ ପିନ୍ଧିଥିଲେ। ଅନ୍ଧାର ରାତିରେ, ଷ୍ଟ୍ରିଟ୍ ଲାଇଟ୍ ନଥିବା ବଙ୍କାଟଙ୍କା ଗଳିଆ ରାସ୍ତାରେ ବେଶ୍ ଦକ୍ଷତାର ସହ ଟ୍ରାକ୍ଟର ଚଳାଉଥିଲେ। ରାତି ପ୍ରାୟ ୩ଟା ୩୦ ବେଳକୁ ଗାଡ଼ି ବନ୍ଦ କଲେ। ନିଶ୍ୱାସ ନେଇ କହିଲେ, ‘‘ବହୁତ ବାଧା’’। ‘‘ଗୋଟେ ସେକେଣ୍ଡ ପାଇଁ ବି ଆଖି ବନ୍ଦ କରିପାରିନି। ଅନେକ ପରିବାରକୁ ନେଇ ନେଉଛି।’’

ରାଜପଥ କଡ଼ରେ ଏକ ସେଡ୍ ଖାଲି ଥିବା ଦେଖି ଗାଡ଼ି ବନ୍ଦ କଲେ। ଗୋଟିଏ କମ୍ବଳ ବାହାର କରି ଭୂଇଁରେ ବିଛେଇ ଶୋଇ ପଡ଼ିଲେ। ଅଧିକାଂଶ ଯାତ୍ରୀ- ଛୋଟ ପିଲାଙ୍କୁ ମିଶାଇ ପ୍ରାୟ ୨୪ ଜଣ- ଟ୍ରଲିରେ ଢୋଳେଇ ପଡ଼ିଥିଲେ। ଦୁଇ ଘଣ୍ଟା ପରେ ମହାଦେବ ପୁଣି ଡ୍ରାଇଭର ସିଟ୍‌ରେ ବସିଲେ।

ଭିଡିଓ ଦେଖନ୍ତୁ : କୃଷି ଶ୍ରମିକ ସତ୍ୟଭାନ ଯାଦବ ଓ ଟ୍ରାକ୍ଟର ଡ୍ରାଇଭର ମହାଦେବ ଟିଡ୍‌କେ ଯାତ୍ରା ସଂପର୍କରେ କଥା ହେଉଛନ୍ତି

ଆଖୁ କାଟିବାରେ ବେଶି ପଇସା ନାହିଁ ଯଦିଓ ଆଗରୁ ହେଉଥିଲା। ତେବେ ନିୟମିତ କାମ ମିଳିବା ନେଇ ନିଶ୍ଚିତତା ରହିଛି। ସେଥିପାଇଁ ନିକଲଜେସ୍ ଓ ଅନ୍ୟ ପରିବାରମାନେ ପ୍ରତିବର୍ଷ ଘର ଛାଡ଼ନ୍ତି।

ବୁଧବାର ଶୋଭା, ସତ୍ୟଭାନ ଓ ଅନ୍ୟମାନେ ଟ୍ରାକ୍ଟରରୁ ଓହ୍ଲାଇବାକୁ ନିଦରୁ ଉଠିଲେ। ଓସମାନାବାଦ କଲାମ୍ବ ତାଲୁକ ର ଏକ ଜଳାଶୟ ପାଖରେ ଥିବା ନିଛାଟିଆ ଜାଗାରେ ମହାଦେବ ଗାଡ଼ି ଅଟକାଇଲେ। ସମସ୍ତେ ଗାଡ଼ିରୁ ଓହ୍ଲାଇଲେ। ରାତିର ଯାତ୍ରା କ୍ଳାନ୍ତିକର ଥିଲା। ଟିକେ ଥକା ମାରିଲେ, ଦାନ୍ତପତ୍ର ଘଷିଲେ ଆଉ ଶୌଚ ହେଲେ (ମହିଳାମାନେ ଗଛ କିମ୍ବା ବୁଦା ଉହାଡରେ ଏକାନ୍ତ ସ୍ଥାନ ଖୋଜିଲେ)।

ଏକ ଘଣ୍ଟା ପରେ, ସକାଳ ପ୍ରାୟ ୮ଟା ୩୦ରେ ୟେରମାଲାରେ ଜଳଖିଆ ଖାଇବା ପାଇଁ ଏକ ଢାବାରେ ଗାଡ଼ି ଅଟକିଲା। ପ୍ରାୟ ଶ୍ରମିକମାନେ ଜଳଖିଆ ଖାଇବାକୁ ଏଇଠି ଅଟକନ୍ତି। ପାଖରେ ଆହୁରି ଅନେକ ଟ୍ରାକ୍ଟର ଟ୍ରଲି ଛିଡ଼ା ହୋଇଥିଲା। ପୋହା ପ୍ଲେଟ୍ ଧରି ୪୮ ବର୍ଷୀୟ ଶିବାଜୀ ନିକଲଜେ କହିଲେ ଆଖୁ କାଟିବା କାମ ପ୍ରତି ବର୍ଷ କମି କମି ଚାଲିଛି। ନିକଲଜେଙ୍କ ଘର ବୋଡ଼ଖା ଗାଁରୁ ୧୨ କିଲୋମିଟର ଦୂର ଯୋଦ୍ଧାଙ୍ଗନା ଗାଁରେ। ନିକଲଜେ ୧୫ ବର୍ଷ ହେବ କର୍ଣ୍ଣାଟକ ଆସୁଛନ୍ତି। ସେ କହନ୍ତି, ‘‘ଗୋଟିଏ ଦମ୍ପତି ପ୍ରାୟ ୭୫,୦୦୦ ଟଙ୍କା ରୋଜଗାର କରନ୍ତି’’। ‘‘ପ୍ରତି ୧ ଟନ୍ ଆଖୁ କାଟିବା ପାଇଁ ଆମକୁ ୨୨୮ ଟଙ୍କା ମିଳେ। ନିର୍ଦ୍ଧାରିତ ସମୟ ପରେ ଆମେ କେତେ ଟନ୍ ଆଖୁ କାଟିଲୁ ଠିକାଦାର ତାର ହିସାବ କରନ୍ତି। ତା ପରେ ମୋଟ ଟଙ୍କାରୁ ମିଶାନ୍ତି କିମ୍ବା ଫେଡ଼ନ୍ତି।’’ ୭୫,୦୦୦ ଟଙ୍କା ରୋଜଗାର ପାଇଁ ଦମ୍ପତିଙ୍କୁ ନିହାତି ୩୩୫ ଟନ୍ ଆଖୁ କାଟିବାକୁ ହେବ।

ନିକଲଜେ ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଓ ୧୫-ବର୍ଷର ଝିଅ ସରସ୍ୱତୀଙ୍କ ସହ ଯାଉଥିଲେ। ସରସ୍ୱତୀ ବାପା ମାଆଙ୍କ ସହ ୩ ବର୍ଷ ହେବ ଯାଉଛନ୍ତି। ସେ କହିଲେ, ‘‘ସପ୍ତମ ଶ୍ରେଣୀରୁ ମୁଁ ସ୍କୁଲ ଛାଡ଼ିଲି’’। ‘‘ତାଙ୍କ କାମ ହାଲୁକା କରିବାକୁ ମୁଁ ସାଙ୍ଗରେ ଯାଉଛି। ସେମାନେ ଆଖୁ ବିଲରେ ଦିନ ତମାମ କାମ କରନ୍ତି। ଯଦି ମୁଁ ପାଖରେ ଥିଲେ, ତାଙ୍କୁ କ୍ଳାନ୍ତ ହୋଇ ଫେରିବା ପରେ ଆଉ ରୋଷେଇ କରିବାକୁ ପଡ଼ିବ ନାହିଁ।’’

Migrants eating on the go in a trailer
PHOTO • Parth M.N.
A family sitting on top of a trailer
PHOTO • Parth M.N.

ପରିବାରମାନେ ରାସ୍ତା ଉପରେ ଖାଉଛନ୍ତି (ବାମ) ଏବଂ ସରସ୍ୱତୀ ନିକଲଜେ (ଡାହଣ, ମଝି) ତାଙ୍କ ବାପା ଶିବାଜୀ ଓ ମାଆ ଅର୍ଚ୍ଚନାଙ୍କ ସହ ଯାଉଛନ୍ତି, ବାପା ମାଆଙ୍କୁ ସେ କାମରେ ସହଯୋଗ କରିବେ

ଟ୍ରାକ୍ଟର ଗଡ଼ିବା ମାତ୍ରେ ଅର୍ଚ୍ଚନା ତାଙ୍କ କାହାଣୀ ଆରମ୍ଭ କଲେ, କାହିଁକି ସେମାନେ ପ୍ରତିବର୍ଷ ଲମ୍ବା ଯାତ୍ରାରେ ଆସୁଛନ୍ତି : ‘‘ଆମର ନିଜର ଜମି ନାହିଁ। ଆମେ କୃଷି ଶ୍ରମିକ ଭାବେ ବୋଡ଼ଖା ଏବଂ ଆଖପାଖ ଅଞ୍ଚଳରେ କାମ କରୁ। ଦିନକୁ ମୋର ମଜୁରୀ ୧୦୦ ଟଙ୍କା, ଶିବାଜୀ ପାଆନ୍ତି ୨୦୦ ଟଙ୍କା। କିନ୍ତୁ ତାହା ବି ଅନିଶ୍ଚିତ। କାରଣ ଅନିୟମିତ ବର୍ଷା ଯୋଗୁଁ ଆଜିକାଲି ଚାଷ ଜମିରେ କାମ କମି ଗଲାଣି। ଗତମାସରେ ଆମେ ଦି ଜଣ ମିଶି ୧,୦୦୦ ଟଙ୍କା ରୋଜଗାର କରିଥିଲୁ।’’ ଯାହା କିଛି ସଂଚୟ ଥିଲା ଏବଂ ‘‘ଏଠୁ ସେଠୁ’’ ଅଳ୍ପ କିଛି ଧାର ଉଧାର କରି ସେମାନେ ଚଳିଗଲେ।

ଆଖୁ କଟାରୁ ଗୋଟିଏ ସମୟରେ ଯେଭଳି ଅଧିକ ରୋଜଗାର ହେଉଥିଲା, ଏବେ ଆଉ ସେମିତି ନାହିଁ। କିନ୍ତୁ ନିୟମିତ କାମ ପାଇଁ ପ୍ରତିଶ୍ରୁତି ଅଛି। ସେଥିପାଇଁ ନିକଲଜେ ଓ ଅନ୍ୟ ପରିବାରମାନେ ପ୍ରତିବର୍ଷ ୫ ମାସ ପାଇଁ ଘର ଛାଡ଼ନ୍ତି। ଅର୍ଚ୍ଚନା କହନ୍ତି, ‘‘ଗତବର୍ଷ ଆମେ ମାତ୍ର ୪୦ ହଜାର ଟଙ୍କା ରୋଜଗାର କରିଥିଲୁ କାରଣ ଅଧିକାଂଶ ଚିନି କଳରେ ବେଶି କାମ ନଥିଲା।’’ ‘‘କିଛି ବର୍ଷ ତଳେ ଲକ୍ଷେ ପାଖାପାଖି ରୋଜଗାର କରୁଥିଲୁ। ବର୍ଷା କମ୍‌ମାନେ ଆଖୁ ଉତ୍ପାଦନ କମ୍‌।’’

କିଛି ସମୟ ଭିତରେ, ଆମେ ପଶ୍ଚିମ ମହାରାଷ୍ଟ୍ର ସୋଲାପୁର ଜିଲ୍ଲାର ଏକ ଛୋଟ ସହର କୁର୍ଦ୍ଦୁୱାଡ଼ିରେ ପହଞ୍ଚିଲୁ। ସେଠି ମଧ୍ୟାହ୍ନ ଭୋଜନ କଲୁ। ସମସ୍ତେ ଆଉ ଥରେ ଟ୍ରାକ୍ଟରରୁ ଓହ୍ଲାଇଲେ। ଲୁଗାପଟା ଲୋଚାକୋଚା, ଅଲରା କେଶ ଏବଂ ମୁହଁରେ କ୍ଳାନ୍ତି ବାରି ହୋଇ ପଡ଼ୁଥିଲା।

୧୭ ବର୍ଷୀୟ ଆଦିନାଥ ଟିଡ଼କେଙ୍କ ପାଦରେ ସ୍ପ୍ରିଙ୍ଗ ଲାଗିଛି। ତଥାପି ସେ ଦୁଇ ବର୍ଷ ହେଲା ଆସୁଛନ୍ତି। ପ୍ରଥମ ଥର ପାଇଁ ସେ ତାଙ୍କ ମାମୁଁଙ୍କ ସହ ସମାନ ମଜୁରୀ ପାଇବେ। ସେ ବି ଏହି ଟ୍ରାକ୍ଟରରେ ଅଛନ୍ତି। ସେ କହନ୍ତି, ‘‘ଗତ ବର୍ଷ ପୂର୍ବ ପର୍ଯ୍ୟନ୍ତ ୧ ଟନ୍ ଆଖୁ କାଟିବାକୁ ମୁଁ ୧୯୦ ଟଙ୍କା ପାଉଥିଲି।’’ ‘‘ଏଥର ବଡ଼ଙ୍କ ମଜୁରୀ ସାଙ୍ଗରେ ସମାନ ହୋଇଛି।

କୁର୍ଦ୍ଦୱାଡ଼ି ହୋଟେଲରେ କ୍ଳାନ୍ତ ଯାତ୍ରୀମାନେ ଡାଲି ମଗାଇଥିଲେ। ସେମାନେ ସାଙ୍ଗରେ ଭାକ୍ରି ଓ ଚଟ୍‌ନୀ ଆଣିଥିଲେ। ଶୋଭା କହିଲେ, ‘‘ସଂଧ୍ୟା ପାଇଁ ଆମ ପାଖରେ ଲଡ଼ୁ ଓ ଚିୱଡ଼ା ଅଛି। ଦୀପାବଳିରେ ଆମେ ବନେଇଥିଲୁ।’’

The migrants freshen up at Belgaum ahead of their first day at a sugar factory
PHOTO • Parth M.N.

ପ୍ରଥମ ଦିନର କାମ ଆରମ୍ଭ ପୂର୍ବରୁ କର୍ଣ୍ଣାଟକ ବେଲଗାମ୍‌ରେ କ୍ଳାନ୍ତ ଯାତ୍ରୀମାନେ ଶୌଚ ହେଲେ

ପଶ୍ଚିମ ମହାରାଷ୍ଟ୍ର ସୋଲାପୁର ଜିଲ୍ଲାର ତୀର୍ଥ ସହର ପନ୍ଧାରପୁରରେ ଟ୍ରାକ୍ଟର ପ୍ରବେଶ କଲା। ସମୟ ରାତି ୮ଟା ୩୦। ବେଦ୍ ଜିଲ୍ଲାରୁ ଏହା ୧୮୦ କିଲୋମିଟର ଦୂର। ଢାବାରେ ରାତି ଭୋଜନ ପରେ ପବନ ହେମାଳ ହେଲା। ପୁଣି ଥରେ ବ୍ୟାଗରୁ ମଫଲର, ସୁଇଟର ଆଉ କମ୍ବଳ ବାହାରିଲା।

ଗୁରୁବାର ମଧ୍ୟ ରାତ୍ରୀ। କ୍ଳାନ୍ତ ଶ୍ରମିକମାନେ ଗୋକାକ୍ ସ୍ଥିତ ସତିଶ ଚିନି କଳରେ ପହଞ୍ଚିଲେ। ଆଖୁ ଲଦା ଯାଇଥିବା ବହୁ ଟ୍ରକ୍ ଛିଡ଼ା ହୋଇଥିଲେ। ସତ୍ୟଭାନ କହିଲେ, ‘‘ଟିକେ ଆରାମରେ ଶୋଇବା ପାଇଁ ଏଇଟା ସବୁଠାରୁ ଭଲ ସମୟ।’’ ଚିନି କଳ ପରିସରରେ ଥିବା ଚଟାଣରେ ବିଛଣା କରି ସମସ୍ତେ ଶୋଇଗଲେ। ସକାଳ ହେଲେ ଆରମ୍ଭ ହୋଇଯିବ ଆଖୁ କାଟିବାର କଷ୍ଟସାଧ୍ୟ କାର୍ଯ୍ୟ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.