ପୋଲୋ ଖେଳ ଆୟୋଜନ କରାଯାଉଥିବା ଭାରତର ବିଭିନ୍ନ ସ୍ଥାନ ସମ୍ପର୍କରେ ତାଲିକା ଦେଇ ରଞ୍ଜିତ ମଲ କୁହନ୍ତି, ‘‘କୋଲକାତା ହେଉ, କିମ୍ବା ଜୟପୁର, ଦିଲ୍ଲୀ ହେଉ ଅଥବା ମୁମ୍ବାଇ, ବାଉଁଶର ପୋଲୋ ବଲ୍‌ ସିଧାସଳଖ ଦିଓଲପୁରରୁ ଯାଉଥିଲା।’’

ପଶ୍ଚିମବଙ୍ଗର ଜନବହୁଳ ସହର ଦିଓଲପୁରର ଜଣେ ପୋଲୋ ବଲ୍‌ କାରିଗର ରଞ୍ଜିତ (୭୧) ପ୍ରାୟ ୪୦ ବର୍ଷ ଧରି ଗୁଆଡୁଆ ବାଉଁଶ ମୂଳରେ ବଲ୍‌ ତିଆରି କରି ଆସୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ବାଁଶେ-ର୍‌ ଗଡ଼ା କୁହାଯାଉଥିବା ବାଉଁଶ ଗଛର ମୂଳ ଅଂଶ ମାଟି ତଳେ ରହିଥାଏ ଏବଂ ଏହା ଗଛକୁ ବଢ଼ିବା ଓ ବିସ୍ତାରିତ ହେବାରେ ସହାୟକ ହୋଇଥାଏ। ବର୍ତ୍ତମାନ ସେ ଏହି ଶିଳ୍ପର ଅନ୍ତିମ ଶିଳ୍ପକାର (କାରିଗର) ଅଟନ୍ତି; ଏହି କୌଶଳ ଏବେ ଇତିହାସ ଗର୍ଭରେ ଲୀନ ହୋଇଗଲାଣି ବୋଲି ସେ କୁହନ୍ତି।

କିନ୍ତୁ, ୧୬୦ ବର୍ଷରୁ ଅଧିକ ସମୟ ଧରି ଖେଳାଯାଇ ଆସୁଥିବା ଆଧୁନିକ ପୋଲୋ ଖେଳକୁ ପ୍ରାରମ୍ଭିକ ଅବସ୍ଥାରେ ସେନା ଅଧିକାରୀ, ରାଜବଂଶଜ ଓ ବିଶିଷ୍ଟ କ୍ଲବ୍‌ଗୁଡ଼ିକ ଦ୍ୱାରା ଖେଳାଯାଉଥିଲା। ଏଥିପାଇଁ ବାଉଁଶ ବଲ୍‌ ଦିଓଲପୁରରୁ ଆସୁଥିଲା। ବାସ୍ତବରେ, ବିଶ୍ୱର ପ୍ରଥମ ପୋଲୋ କ୍ଲବ୍‌ ୧୮୫୯ରେ ଆସାମର ସିଲଚରରେ ପ୍ରତିଷ୍ଠା କରାଯାଇଥିଲା; ଦ୍ୱିତୀୟ କ୍ଲବ୍‌ ୧୮୬୩ରେ କଲିକତାରେ ସ୍ଥାପନ ହେଲା। ଆଧୁନିକ ପୋଲୋ ଖେଳ ସଗୋଲ କାଙ୍ଗଜେଇ (ମଣିପୁରରେ ମୈତୈ ସମ୍ପ୍ରଦାୟର ଏକ ପାରମ୍ପରିକ ଖେଳ)ର ଏକ ନୂଆ ସଂସ୍କରଣ। ମୈତୈ ଲୋକମାନେ ହିଁ ଖେଳରେ ବାଉଁଶ ମୂଳରେ ତିଆରି ହୋଇଥିବା ବଲ୍‌ ବ୍ୟବହାର କରୁଥିଲେ ।

୧୯୪୦ ଦଶକର ପ୍ରାରମ୍ଭିକ ଭାଗରେ, ଦିଓଲପୁର ଗାଁରେ ଛଅରୁ ସାତଟି ପରିବାର ୧୨୫ରୁ ଅଧିକ କାରିଗରଙ୍କୁ ରୋଜଗାର ଦେଇଥିଲେ, ଯେଉଁମାନେ ସାମୂହିକ ରୂପରେ ବାର୍ଷିକ ଏକ ଲକ୍ଷ ପୋଲୋ ବଲ୍‌ ତିଆରି କରୁଥିଲେ। ରଞ୍ଜିତ କୁହନ୍ତି, ‘‘ଆମ କୁଶଳୀ ଶିଳ୍ପକାର ମାନେ ପୋଲୋ ବଜାରକୁ ଜାଣିଥିଲେ।’’ ତାଙ୍କର ଏହି ଦାବିକୁ ହାଓଡ଼ା ଜିଲ୍ଲାର ଏକ ବ୍ରିଟିଶ କାଳର ସର୍ବେକ୍ଷଣ ଏବଂ ବନ୍ଦୋବସ୍ତ ରିପୋର୍ଟ ପ୍ରମାଣିତ କରିଥାଏ, ଯେଉଁଥିରେ କୁହାଯାଇଛି : ‘‘ଦିଓଲପୁର ଭାରତର ଏକମାତ୍ର ସ୍ଥାନ ଯେଉଁଠି ପୋଲୋ ବଲ୍‌ ତିଆରି କରାଯାଇଥାଏ।’’

ରଞ୍ଜିତଙ୍କ ପତ୍ନୀ ମିନୋତୀ ମଲ କୁହନ୍ତି, ‘‘ପୋଲୋ ବଲ୍‌ ତିଆରି କରିବାର ବ୍ୟବସାୟ ଖୁବ୍‌ ଭଲ ଚାଲୁଥିବା କାରଣରୁ ମୋ ବାପା ମାତ୍ର ୧୪ ବର୍ଷ ବୟସରେ ଏଠାରେ ମୋ ବାହାଘର କରାଇ ଦେଇଥିଲେ।’’ ଏବେ ତାଙ୍କ ବୟସ ଷାଠିଏ ବର୍ଷରୁ ଅଧିକ ହେବ ଏବଂ ଦଶ ବର୍ଷ ପୂର୍ବରୁ ସେ ଏହି କାମରେ ନିଜ ସ୍ୱାମୀଙ୍କୁ ସାହାଯ୍ୟ କରୁଥିଲେ। ସେମାନଙ୍କ ପରିବାର ପଶ୍ଚିମବଙ୍ଗରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ମଲ ସମ୍ପ୍ରଦାୟର ବାସିନ୍ଦା ଅଟନ୍ତି; ରଞ୍ଜିତ ତାଙ୍କ ଜୀବନର ଅଧିକାଂଶ ସମୟ ଦିଓଲପୁରରେ ବିତାଇଛନ୍ତି।

ନିଜ ଘରେ ଏକ ମଦୁର ଘାସ ଚଟେଇ ଉପରେ ବସି ସେ ପୁରୁଣା ସମ୍ବାଦପତ୍ର ଏବଂ ପତ୍ରିକାରେ ପ୍ରକାଶ ପାଇଥିବା ଖବର ଓ ଲେଖାଗୁଡ଼ିକୁ ନେଇ ତାଙ୍କର ମୂଲ୍ୟବାନ ସଂଗ୍ରହକୁ ଖୋଜୁଛନ୍ତି । ସେ ଗର୍ବର ସହ କହିଥାନ୍ତି, ‘‘ଯଦି ଆପଣଙ୍କୁ ଏ ଦୁନିଆରେ କେଉଁଠି ଲୁଙ୍ଗି ପିନ୍ଧି ପୋଲୋ ବଲ୍‌ ତିଆରି କରୁଥିବା ବ୍ୟକ୍ତିର ଫଟୋ ମିଳେ, ତା’ହେଲେ ସେହି ଫଟୋ ମୋର ହୋଇଥିବ।’’

Ranjit shows his photographs of ball-making published in a Bangla magazine in 2015 (left) and (right) points at his photograph printed in a local newspaper in 2000
PHOTO • Shruti Sharma
Ranjit shows his photographs of ball-making published in a Bangla magazine in 2015 (left) and (right) points at his photograph printed in a local newspaper in 2000
PHOTO • Shruti Sharma

ରଞ୍ଜିତ ୨୦୧୫ରେ ଏକ ବଙ୍ଗଳା ପତ୍ରିକାରେ ପ୍ରକାଶିତ ନିଜ ବଲ୍‌ ତିଆରି ଫଟୋ ଦେଖାଉଛନ୍ତି (ବାମ) ଏବଂ ୨୦୦୦ ମସିହାରେ ଏକ ସ୍ଥାନୀୟ ସମ୍ବାଦପତ୍ରରେ ଛପା ହୋଇଥିବା ତାଙ୍କର ଫଟୋକୁ ସେ ଦେଖାଉଛନ୍ତି (ଡାହାଣ)

ସୁଭାଷ ବାଗଙ୍କ କର୍ମଶାଳାରେ କାମ କରିବାର ଏକ ସାଧାରଣ ଦିନ କଥା ରଞ୍ଜିତ ମନେ ପକାଇଥାନ୍ତି ଯେତେବେଳେ ତାଙ୍କ ଟେପ୍‌ ରେକର୍ଡରୁ ମହମ୍ମଦ ରଫିଙ୍ଗ ଗୀତ ବାଜୁଥିଲା। ‘‘ମୁଁ ରଫିଙ୍କର ଜଣେ ବଡ଼ ଭୋକ୍ତୋ (ପ୍ରଶଂସକ)। ମୁଁ ତାଙ୍କ ଗୀତର କ୍ୟାସେଟ୍‌ ମଧ୍ୟ ପ୍ରସ୍ତୁତ କରିଥିଲି,’’ ସେ ସ୍ମିତ ହସି କୁହନ୍ତି। କୋଲକାତାର ଫୋର୍ଟ ୱିଲିୟମରୁ ପୋଲୋ ଖେଳୁଥିବା ସେନା ଅଧିକାରୀମାନେ ଆସିଥିଲେ। ‘‘ ଗାନ୍‌ ସୁନେ ପୋଛୋନ୍ଦୋ ହୋଏ ଗେଛିଲୋ। ସୋବ୍‌ କ୍ୟାସେଟେ ନିୟେଗେଲୋ (ଅଧିକାରୀମାନେ ଗୀତ ଶୁଣି ପସନ୍ଦ କଲେ। ତା’ପରେ ସେମାନେ ନିଜ ସହିତ ସବୁ କ୍ୟାସେଟ୍‌ ନେଇ ଚାଲିଗଲେ),’’ ରଞ୍ଜିତ ସ୍ମରଣ କରି କୁହନ୍ତି।

ସ୍ଥାନୀୟ ଅଞ୍ଚଳରେ ଘୋରୋ ବାଁଶ ନାମରେ ପରିଚିତ ଗୁଆଡୁଆ ବାଉଁଶର ସହଜ ଉପଲବ୍ଧତା କାରଣରୁ ଦିଓଲପୁରର ଗୌରବ ବୃଦ୍ଧି ପାଇଥିଲା। ହାଓଡ଼ା ଜିଲ୍ଲାର ଏହି ଅଞ୍ଚଳରେ ଗୁଆଡୁଆ ବାଉଁଶ ପ୍ରଚୁର ମାତ୍ରାରେ ଦେଖିବାକୁ ମିଳିଥାଏ। ଗୁଆଡୁଆ ବାଉଁଶ ଗୁଚ୍ଛ ହୋଇ ବଢ଼ିଥାଏ, ଯାହାଫଳରେ ଜମି ତଳେ ମଜବୁତ ଓ ଲମ୍ବା ମୂଳ ସୃଷ୍ଟି ହୋଇଥାଏ, ଯେଉଁଥିରେ ପୋଲୋ ବଲ୍‌ ତିଆରି ହୋଇଥାଏ।

ରଞ୍ଜିତ କୁହନ୍ତି, ‘‘ପୋଲୋ ବଲ୍‌ ଓଜନ ଓ ଆକାର ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ମୂଳ ସବୁ ବାଉଁଶ ପ୍ରଜାତିରେ ଦେଖିବାକୁ ମିଳିନଥାଏ।’’ ଭାରତୀୟ ପୋଲୋ ସଂଘ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ, ପ୍ରତ୍ୟେକ ବଲ୍‌ ପାଖାପାଖି ୭୮-୯୦ ମିଲିମିଟର ବ୍ୟାସାର୍ଦ୍ଧ ଏବଂ ୧୫୦ ଗ୍ରାମ ଓଜନରେ ସଠିକ ଭାବେ ପ୍ରସ୍ତୁତ ହେବାର ଥିଲା।

୯୦ ଦଶକ ପର୍ଯ୍ୟନ୍ତ, ସବୁ ପୋଲୋ ବଲ୍‌ କେବଳ ଏହି ସାମଗ୍ରୀରେ ତିଆରି ହେଉଥିଲା। ‘‘ଧୀରେ ଧୀରେ ଏହି ବଲଗୁଡ଼ିକ ସ୍ଥାନରେ ଆର୍ଜେଣ୍ଟିନାରୁ ଆସୁଥିବା ଫାଇବର କାଚ ବଲ୍‌ ବ୍ୟବହାର କରାଗଲା,’’ ଏହି ଅଭିଜ୍ଞ କାରିଗର ଜଣଙ୍କ କୁହନ୍ତି।

ଫାଇବର କାଚ ବଲଗୁଡ଼ିକ ଅଧିକ ସ୍ଥାୟୀ ଏବଂ ବାଉଁଶ ବଲ୍‌ ତୁଳନାରେ ଅଧିକ ଦାମୀ। କିନ୍ତୁ ‘‘ପୋଲୋ ପ୍ରୋଚୋର ଧୋନୀ ଲୋକ (ଅତ୍ୟନ୍ତ ଧନୀ ଲୋକ)ଙ୍କ ଖେଳ ଭାବେ ରହି ଆସିଛି, ତେଣୁ ବଲ୍‌ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବା ସେମାନଙ୍କ ଲାଗି ଆଦୌ ଏକ ସମସ୍ୟା ନଥିଲା,’’ ରଞ୍ଜିତ କୁହନ୍ତି। ବଜାରରେ ଆସିଥିବା ଏହି ପରିବର୍ତ୍ତନ ଦିଓଲପୁରରେ ଏହି କାରୀଗରୀକୁ ସମ୍ପୂର୍ଣ୍ଣ ବୁଡ଼ାଇ ଦେଲା। ‘‘୨୦୦୯ ପୂର୍ବରୁ ୧୦୦-୧୫୦ ବଲ୍‌ ନିର୍ମାତା ଥିଲେ,’’ ସେ କୁହନ୍ତି, ‘‘ହେଲେ ୨୦୧୫ ବେଳକୁ ମୁଁ ହିଁ ଏକମାତ୍ର ପୋଲୋ ବଲ୍‌ ନିର୍ମାତା ଭାବେ ତିଷ୍ଠି ରହିଥିଲି।’’ କିନ୍ତୁ କିଣିବା ଲୋକ କେହି ନଥିଲେ।

*****

Left: Carrying a sickle in her hand, Minoti Mal leads the way to their six katha danga-zomin (cultivable piece of land) to show a bamboo grove.
PHOTO • Shruti Sharma
Right: She demarcates where the rhizome is located beneath the ground
PHOTO • Shruti Sharma

ବାମ : ହାତରେ ଏକ ଦା’ ଧରି, ମିନୋତୀ ମଲ ଗୋଟିଏ ବାଉଁଶ ବଗିଚା ଦେଖାଇବା ପାଇଁ ସେମାନଙ୍କ ଛଅ କଠା ଡାଙ୍ଗା- ଜୋମିନ୍‌ (କୃଷି ଉପଯୋଗୀ ଜମି) ଆଡ଼କୁ ନେଇ ଯାଉଛନ୍ତି। ଡାହାଣ : ବାଉଁଶ ମୂଳ ମାଟି ତଳେ କେଉଁଠି ଅଛି ତାହା ସେ ଦର୍ଶାଇ ଦେଉଛନ୍ତି

Left: The five tools required for ball-making. Top to bottom: kurul (hand axe), korath (coping saw), batali (chisel), pathor (stone), renda (palm-held filer) and (bottom left) a cylindrical cut rhizome - a rounded ball.
PHOTO • Shruti Sharma
Right: Using a katari (scythe), the rhizome is scraped to a somewhat even mass
PHOTO • Shruti Sharma

ବାମ : ବଲ୍‌ ତିଆରି ପାଇଁ ଆବଶ୍ୟକ ପାଞ୍ଚଟି ଉପକରଣ। ଉପରୁ ତଳ : କୁରୁଲ୍‌ (ହାତ କୁରାଢ଼ି), କୋରାଥ (ଛୋଟ ଆରି), ବଟାଳି, ପଥୋର (ପଥର), ରେନ୍ଦା (ହାତ ରନ୍ଦା) ଏବଂ (ତଳେ ବାମ) ସିଲିଣ୍ଡର ଆକୃତିରେ କଟା ହୋଇଥିବା ବାଉଁଶ ମୂଳ - ଗୋଲାକାର ବଲ୍‌ । ଡାହାଣ : କଟାରୀ (ଖୁରୁପି) ଉପଯୋଗ କରି, ମୂଳକୁ ପ୍ରାୟ ଏକ ସମାନ ଆକାର ଦେବା ପାଇଁ ରାମ୍ପି ବାହାର କରି ଦିଆଯାଇଥାଏ।

ହାତରେ ଏକ ଦାଆ ଧରି ମିନୋତୀ ବାଁଶେର ବାଗାନ୍‌ (ବାଉଁଶ ବଗିଚା) ଆଡ଼କୁ ଚାଲନ୍ତି, ରଞ୍ଜିତ୍‌ ଓ ମୁଁ ତାଙ୍କ ପଛରେ ଅନୁସରଣ କରୁ। ଏହି ଦମ୍ପତିଙ୍କର ଛଅ କଠା ଜମି ତାଙ୍କ ଘରଠାରୁ ୨୦୦ ମିଟର ଦୂରରେ ରହିଛି ଯେଉଁଠି ସେମାନେ ଫଳ ଓ ପନିପରିବା ଚାଷ କରି ନିଜ ଘରେ ଖାଇବା ପାଇଁ ଉପଯୋଗ କରନ୍ତି ଏବଂ ଅବଶିଷ୍ଟ ପରିବା ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି।

‘‘ବାଉଁଶର ଗଣ୍ଡିକୁ କାଟି ଦେବା ପରେ ଏହାର ମୂଳ ଭାଗକୁ ମାଟି ତଳୁ ବାହାର କରାଯାଏ,’’ ମିନୋତୀ ଏହାକୁ ବାହାର କରିବାର ପ୍ରକ୍ରିୟା ବିଷୟରେ ସୂଚନା ଦେଇ କୁହନ୍ତି। ମୁଖ୍ୟତଃ ଦିଓଲପୁରର ସର୍ଦ୍ଦାର ସମୁଦାୟ ଦ୍ୱାରା ଏହି କାର୍ଯ୍ୟ କରାଯାଇଥାଏ। ରଞ୍ଜିତ ସେମାନଙ୍କଠାରୁ ବାଉଁଶ ମୂଳ ଆଣନ୍ତି - ୨-୩ କିଲୋଗ୍ରାମ ଓଜନର ବାଉଁଶ ମୂଳକୁ ୨୫-୩୨ ଟଙ୍କାରେ ବିକ୍ରି କରାଯାଉଥିଲା।

ମୂଳକୁ ଚାରି ମାସ ପର୍ଯ୍ୟନ୍ତ ଖରାରେ ଶୁଖାଯାଏ। ‘‘ ନା ଶୁକ୍‌ଲେ କାଚା ଅବସ୍ଥା ତେ ବଲ୍‌ ଚିଟ୍‌-କେ ଜାବେ। ତେଢ଼ା ବେକା ହୋଏ ଜାବେ (ଭଲ ଭାବେ ନଶୁଖିଲେ, ବଲ୍‌ ଫାଟି ଯିବ ଏବଂ ଆକାର ବିଗିଡ଼ିଯିବ,’’ ରଞ୍ଜିତ କୁହନ୍ତି।

ଏହାପରେ, ସେଗୁଡ଼ିକୁ ୧୫-୨୦ ଦିନ ପର୍ଯ୍ୟନ୍ତ ପୋଖରୀରେ ଭିଜା ହୋଇଥାଏ। ‘‘ମୂଳକୁ ରୋଦେ ପାକା (ନିଆଁରେ ଶେକିବା) ପାଇଁ ଭିଜାଇବା ଜରୁରି ହୋଇଥାଏ - ନହେଲେ ଆପଣ ମୂଳକୁ କାଟି ପାରିବେ ନାହିଁ,’’ ଏହି ଅଭିଜ୍ଞ କାରିଗର କୁହନ୍ତି, ‘‘ଆମେ ପୁଣିଥରେ ୧୫-୨୦ ଦିନ ପର୍ଯ୍ୟନ୍ତ ଏହାକୁ ଶୁଖାଇଥାଉ। ତା’ପରେ ଏହା ତିଆରି ହେବାକୁ ପ୍ରସ୍ତୁତ ହୋଇଯାଏ।’’

କଟାରୀ (ଖୁରୁପି) କିମ୍ବା କୁରୁଲ (ହାତ କୁରାଢ଼ି)ରେ ବାଉଁଶ ମୂଳକୁ ରାମ୍ପିବାଠାରୁ ଆରମ୍ଭ କରି ଅସମାନ ଆକାରକୁ ସିଲିଣ୍ଡର ଆକୃତିରେ କାଟିବା ପାଇଁ କୋରାଥ (ଆରି)ର ଉପଯୋଗ କରିବା ପର୍ଯ୍ୟନ୍ତ, ‘‘ପ୍ରକ୍ରିୟାରେ ପ୍ରତ୍ୟେକ ପର୍ଯ୍ୟାୟକୁ ଆଣ୍ଠୁ ଟେକି ବସି କରିବାକୁ ପଡ଼ୁଥିଲା,’’ ରଞ୍ଜିତ କୁହନ୍ତି। ସେ ଦୀର୍ଘଦିନ ହେବ ପିଠି ଯନ୍ତ୍ରଣାରେ ପୀଡ଼ିତ ଏବଂ ଖୁବ୍‌ ଧୀରେ ଧୀରେ ଚାଲି ପାରୁଛନ୍ତି। ସେ କୁହନ୍ତି, ‘‘ପୋଲୋ ଖେଳ ଆମ ଶିଳ୍ପକାର ଙ୍କ ପିଠି ଉପରେ ଖେଳାଯାଉଥିଲା।’’

‘‘ଥରେ ବାଉଁଶମୂଳକୁ ମୋଟାମୋଟି ଭାବେ ସିଲିଣ୍ଡର ଆକୃତିରେ କାଟି ଦେବା ପରେ, ଏହାକୁ ଏକ ବଟାଳି ସହାୟତାରେ ନିର୍ଦ୍ଧାରିତ ଗୋଲ ଆକୃତି ଦିଆଯାଉଥିଲା, ଯାହାକୁ ଗୋଟିଏ ପଥର ସାହାଯ୍ୟରେ ଏହାର ହ୍ୟାଣ୍ଡେଲ ଉପରେ ପିଟାଯାଉଥିଲା। ମୂଳର ଆକାର ଆଧାରରେ, ଆମେ ଗୋଟିଏ ଖଣ୍ଡରୁ ଦୁଇଟି, ତିନୋଟି କିମ୍ବା ଚାରିଟି ବଲ୍‌ ତିଆରି କରିପାରୁଥିଲୁ,’’ ରଞ୍ଜିତ କୁହନ୍ତି। ଏହାପରେ ଏକ ଛୋଟ ରନ୍ଦା ସାହାଯ୍ୟରେ ସେ ବଲରେ ଫାଇଲ୍‌ ମାରୁଥିଲେ।

ସ୍ଥାନୀୟ ଅଞ୍ଚଳରେ ଘୋରୋ ବାଁଶ ନାମରେ ପରିଚିତ ଗୁଆଡୁଆ ବାଉଁଶର ସହଜ ଉପଲବ୍ଧତା କାରଣରୁ ଦିଓଲପୁର ନିଜର ଏକ ଗୌରବମୟ ସ୍ଥାନ ପାଇଥିଲା। ଏହି ବାଉଁଶ ହାଓଡ଼ା ଜିଲ୍ଲାରେ ପ୍ରଚୁର ମାତ୍ରାରେ ଦେଖିବାକୁ ମିଳିଥାଏ

କାରିଗରୀ ଉପରେ ଏକ ଛୋଟ ଭିଡିଓ ଦେଖନ୍ତୁ

ଗୋଟିଏ ପୁରୁଣା ବଲ୍ ଧରି, ମିନୋତୀ ଚମକାଇବାର କାର୍ଯ୍ୟକୁ ପ୍ରଦର୍ଶିତ କରିଥା’ନ୍ତି : ‘‘ଘର କାମ ଭିତରେ, ଶିରିଶ ପେପର ନି ବଲ୍‌ ଆମି ମାଝତମ (ବାଲି କାଗଜରେ ମୁଁ ବଲକୁ ଚିକ୍କଣ କରୁଥିଲି ଓ ଫିନିଶିଂ ଦେଉଥିଲି)। ତା’ପରେ ଏହାକୁ ଧଳା ରଙ୍ଗ ଦିଆଯାଉଥିଲା। ବେଳେ ବେଳେ ଆମେ ଏଥିରେ ଷ୍ଟାମ୍ପ ମାରୁଥିଲୁ,’’ ସେ କହିଥାନ୍ତି।

ପ୍ରତ୍ୟେକ ବଲ୍‌ ସମ୍ପୂର୍ଣ୍ଣ ଭାବେ ତିଆରି ହେବାକୁ ପାଇଁ ୨୦-୨୫ ମିନିଟ୍‌ ଲାଗୁଥିଲା। ‘‘ଗୋଟିଏ ଦିନରେ ଆମେ ଉଭୟ ମିଶି ୨୦ଟି ବଲ୍‌ ତିଆରି କରୁଥିଲୁ ଏବଂ ୨୦୦ ଟଙ୍କା ରୋଜଗାର କରୁଥିଲୁ।

ଏହି କାମ ପାଇଁ ଆବଶ୍ୟକ କୌଶଳ, ଜ୍ଞାନ ଓ ବିସ୍ତାର ଉପରେ ଧ୍ୟାନ ଦେବା ସତ୍ତ୍ୱେ, ରଞ୍ଜିତଙ୍କୁ ବିଗତ କିଛି ବର୍ଷ ମଧ୍ୟରେ ବହୁତ କମ୍‌ ଲାଭ ହୋଇଥିଲା। ଯେତେବେଳେ ସେ ଗୋଟିଏ କାରଖାନାରେ ପୋଲୋ ବଲ୍‌ ତିଆରି କରିବା ଆରମ୍ଭ କଲେ, ତାଙ୍କୁ ଗୋଟିଏ ବଲ୍‌ ତିଆରି ପାଇଁ ମାତ୍ର ୩୦ ପଇସା ମିଳୁଥିଲା। ୨୦୧୫ ପର୍ଯ୍ୟନ୍ତ ପ୍ରତି ବଲ୍‌ ପାଇଁ ମାତ୍ର ୧୦ ଟଙ୍କାର ମଜୁରି ମିଳୁଥିଲା।

ସେ କୁହନ୍ତି, ଦିଓଲପୁରରୁ ପ୍ରତ୍ୟେକ ବଲ୍‌ ୫୦ ଟଙ୍କାରେ ବିକ୍ରି ହେଉଥିଲା।’’ କାଲକାଟା ପୋଲୋ କ୍ଲବ୍‌ ୱେବସାଇଟ୍‌ ରେ ସାମାନ୍ୟ ନଜର ବୁଲାଇ ଆଣିଲେ ଶିଳ୍ପକାର ଙ୍କ ପରିଶ୍ରମରୁ ଭାରୀ ଅର୍ଥ ଉପାର୍ଜନ କରାଯାଇଥିବା ଜଣାପଡ଼ିଥିଲା।

ୱେବସାଇଟ୍‌ରେ ବଲଗୁଡ଼ିକୁ ‘‘ପଶ୍ଚିମବଙ୍ଗର ଗ୍ରାମୋଦ୍ୟୋଗ ଦ୍ୱାରା ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ବାଉଁଶ ବଲ’’ ଭାବେ ବର୍ଣ୍ଣନା କରାଯାଇଥିଲା ଏବଂ ବର୍ତ୍ତମାନ ପ୍ରତ୍ୟେକ ବଲର ମୂଲ୍ୟ ୧୫୦ ଟଙ୍କା ଥିଲା, ଯାହାକି ଗୋଟିଏ ବଲରୁ ରଞ୍ଜିତ ପାଉଥିବା ମଜୁରୀର ୧୫ ଗୁଣା ଅଧିକ ଥିଲା।

‘‘ଗୋଟିଏ ପୋଲୋ ମ୍ୟାଚ୍‌ ପାଇଁ ୨୫-୩୦ରୁ ଅଧିକ ବାଉଁଶ ବଲ୍‌ର ଆବଶ୍ୟକତା ପଡ଼ିଥାଏ।’’ ଅଧିକ ସଂଖ୍ୟା ବିଷୟରେ ସୂଚନା ଦେଇ ସେ କୁହନ୍ତି, ‘‘ବାଉଁଶ ମୂଳ ପ୍ରାକୃତିକ ତେଣୁ ଓଜନ ଅଲଗା ଅଲଗା ହୋଇଥାଏ। ପୋଲୋ ମ୍ୟାଚ୍‌ ସମୟରେ ଏହା ଉପରେ ମ୍ୟାଲେଟ୍‌ ସହାୟତାରେ ବାରମ୍ବାର ମାଡ଼ ହେବା ଫଳରେ ଏହା ଅତିଶୀଘ୍ର ନିଜ ଆକାର ହରାଇ ଦେଇଥାଏ ଏବଂ ଏଥିରେ ଫାଟ ସୃଷ୍ଟି ହୁଏ।’’ ଅନ୍ୟପକ୍ଷରେ ଫାଇବର କାଚ ବଲ୍‌ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ : ରଞ୍ଜିତ କୁହନ୍ତି, ‘‘ପୋଲୋ ମ୍ୟାଚ୍‌ ପାଇଁ ଏଥିମଧ୍ୟରୁ କେବଳ ତିନିରୁ ଚାରଟି ବଲ୍‌ ଆବଶ୍ୟକ ହୋଇଥାଏ।’’

A sack full of old bamboo rhizome balls (left).
PHOTO • Shruti Sharma
Minoti (right) demonstrating the task of glazing a polo ball with sand paper. 'Between housework, I used to do the smoothening and finishing,' she says
PHOTO • Shruti Sharma

ପୁରୁଣା ବାଉଁଶ ମୂଳ ବଲରେ ଭର୍ତ୍ତି ଗୋଟିଏ ବସ୍ତା (ବାମ)। ମିନୋତୀ (ଡାହାଣ) ପୋଲୋ ବଲ୍‌କୁ ବାଲି କାଗଜରେ ଘସି ଚିକ୍କଣ କରିବାର କାମ ପ୍ରଦର୍ଶନ କରୁଛନ୍ତି । ସେ କୁହନ୍ତି, ‘ଘର କାମ ଭିତରେ ସଫେଇ ଓ ଫିନିଶିଂ କାମ କରିବାକୁ ହେଉଥିଲା’

Left : Ranjit holds a cut rhizome and sits in position to undertake the task of chiselling.
PHOTO • Shruti Sharma
Right: The renda (palm-held file) is used to make the roundedness more precise
PHOTO • Shruti Sharma

ବାମ : ରଞ୍ଜିତ ଗୋଟି କଟା ହୋଇଥିବା ବାଉଁଶ ମୂଳକୁ ଧରିଛନ୍ତି ଏବଂ ବଟାଳିରେ ଛେଲିବା କାମ କରିବା ପାଇଁ ବସିଯାଆନ୍ତି। ଡାହାଣ : ଅଧିକ ସଠିକ୍‌ ଗୋଲାକାର କରିବା ପାଇଁ ରେନ୍ଦା (ରନ୍ଦା ବା ଫାଇଲ) ଉପଯୋଗ କରାଯାଏ

୧୮୬୦ ଦଶକର ପ୍ରାରମ୍ଭରେ ମାତ୍ର ୩୦ କିଲୋମିଟର ଦୂର କାଲକାଟା ପୋଲୋ କ୍ଲବ୍‌ ପ୍ରତିଷ୍ଠା ଦିଓଲପୁରରେ ପୋଲୋ ବଲ୍‌ ତିଆରିକୁ ପ୍ରୋତ୍ସାହନ ଦେଇଥିଲା, କିନ୍ତୁ ଏହି ବଲ୍‌ର ଚାହିଦାରେ ହ୍ରାସ କାରଣରୁ କ୍ଲବ୍‌ ୨୦୧୫ ବେଳକୁ ବାଉଁଶ ବଲ ନେବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଲା।

*****

ରଞ୍ଜିତ ଖେଳ କିମ୍ବା ଖେଳୁଆଡ଼ ଭାବନା ପ୍ରତି ଅପରିଚିତ ନୁହନ୍ତି - ଗାଁ କ୍ରୀଡ଼ା କ୍ଲବ ଦିଓଲପୁର ପ୍ରଗତି ସଂଘ ପାଇଁ ସେ ଫୁଟବଲ ଓ କ୍ରିକେଟ୍‌ ଖେଳୁଥିଲେ ଏବଂ କ୍ଲବର ପ୍ରଥମ ସମ୍ପାଦକ ଥିଲେ। ‘‘ ଖୁବ୍‌ ନାମ୍‌ ଥା ହମରା ଗାଓଁ ମେ’’ (ମୁଁ ଗାଁରେ ଜଣେ ଦ୍ରୁତ ବୋଲର ଏବଂ ଡିଫେଣ୍ଡର ରୂପରେ ପ୍ରସିଦ୍ଧ ଥିଲି,’’ ସେ ସ୍ମରଣ କରି କୁହନ୍ତି।

ସେ ସୁଭାଷ ବାଗଙ୍କ ମାଲିକାନାରେ ଥିବା କାରଖାନାରେ କାମ କରିବା ଆରମ୍ଭ କରିଥିଲେ, ଯାହାଙ୍କ ଜେଜେବାପା ଦିଓଲପୁରରେ ପୋଲୋ ବଲ୍‌ ନିର୍ମାଣର ଶିଳ୍ପକୁ ଆରମ୍ଭ କରିବାର ଶ୍ରେୟ ଦିଆଯାଇଥାଏ। ଏବେ ୫୫ ବର୍ଷ ବୟସ୍କ ସୁଭାଷ ପୋଲୋ ଏବଂ ଦିଓଲପୁର ମଧ୍ୟରେ ଏକମାତ୍ର ସମ୍ପର୍କ ସେତୁ ଅଟନ୍ତି - କିନ୍ତୁ ସେ ପୋଲୋ ମ୍ୟାଲେଟ୍‌ ତିଆରି କାମ ଆରମ୍ଭ କରି ଦେଇଛନ୍ତି।

ପଚାଶ ବର୍ଷ ପୂର୍ବରୁ, ଦିଓଲପୁର ବାସିନ୍ଦାମାନେ ଆପଣାଇଥିବା ଅନେକ କାରିଗରୀ ମଧ୍ୟରୁ ପୋଲୋ ବଲ୍‌ ତିଆରି କରିବା ଜୀବିକାର୍ଜ୍ଜନ ପାଇଁ ଅନ୍ୟତମ ଉପାୟ ଥିଲା। ମିନୋତୀ କୁହନ୍ତି, ‘‘ ଜରୀ -ର୍‌ କାଜ୍‌ (ଧାତବ ପଟି ତିଆରି କାମ), ବିଡ଼ି ବାନ୍ଧିବା (ବିଡି ତିଆରି), ପୋଲୋ ବଲ୍‌ ତିଆରି କରିବା ପର୍ଯ୍ୟନ୍ତ, ଆମେ ନିଜ ଜୀବିକାର୍ଜ୍ଜନ ପାଇଁ ସବୁପ୍ରକାର ଚେଷ୍ଟା କରିଥିଲୁ।’’ ‘‘ ସୋବ୍‌ ଅଲ୍‌ପୋପୋଇସା-ର୍‌ କାଜ୍‌ ଛିଲୋ। ଖୁବ୍‌ କଷ୍ଟୋ ହୋୟଛିଲୋ (ଅଳ୍ପ ଟଙ୍କାରେ ଅଧିକ କଷ୍ଟକର କାମ କରିବାକୁ ହେଉଥିଲା। ଆମେ ଅନେକ ସଂଘର୍ଷ କରିଥିଲୁ),’’ ରଞ୍ଜିତ କହିଥାନ୍ତି।

ଦିଓଲପୁର ବାସିନ୍ଦାଙ୍କୁ ଘର ପାଖରେ ଭଲ କାମ ମିଳିବାକୁ ନେଇ ଖୁସି ବ୍ୟକ୍ତି କରି ରଞ୍ଜିତ କୁହନ୍ତି, ‘‘ପ୍ରାୟ ଚାରି କିଲୋମିଟର ଦୂର ଧୁଲାଗଡ଼ ଚୌରସ୍ତା ପାଖରେ ଏବେ ବହୁତ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଲାଣି।’’ ମିନୋତୀ କୁହନ୍ତି, ‘‘ପ୍ରାୟ ପ୍ରତ୍ୟେକ ପରିବାରରେ ଅତିକମରେ ଜଣେ ଲୋକ ଏକ ବେତନଯୁକ୍ତ ଚାକିରି କରିଛନ୍ତି । କିନ୍ତୁ କିଛି ଲୋକ ଏବେ ବି ଘରେ ଜରି-ର୍‌ କାଜ୍‌ କରୁଛନ୍ତି ।’’ ଦିଓଲପୁର ପ୍ରାୟ ୩,୨୫୩ ଜଣ ଲୋକ ଘରକରଣା ଉଦ୍ୟୋଗ (୨୦୧୧ ଜନଗଣନା)ରେ ନିୟୋଜିତ ରହିଛନ୍ତି।

ଏହି ଦମ୍ପତି ସେମାନଙ୍କ ସାନ ପୁଅ ସୌମିତ (୩୧) ଏବଂ ବୋହୂ ସୁମୋନା ସହ ରହୁଛନ୍ତି । ସୌମିତ କୋଲକାତାର ଏକ ସିସିଟିଭି କ୍ୟାମେରା କମ୍ପାନୀରେ କାମ କରିଥାଏ ଏବଂ ସୁମୋନା ଏବେ ସ୍ନାତକ ଅଧ୍ୟୟନ କରୁଛନ୍ତି ଏବଂ ଏହାପରେ ଚାକିରିଟିଏ ପାଇବା ପାଇଁ ଆଶା ରଖିଛନ୍ତି।

Left : Sumona, Ranjit and Minoti on the road from where Mal para (neighbourhood) begins. The localities in Deulpur are segregated on the basis of caste groups.
PHOTO • Shruti Sharma
Right : Now, there are better livelihood options for Deulpur’s residents in the industries that have come up closeby. But older men and women here continue to supplement the family income by undertaking low-paying and physically demanding zari -work
PHOTO • Shruti Sharma

ବାମ : ସୁମୋନା, ରଞ୍ଜିତ ଓ ମିନୋତୀ ମାଲ ପାଡ଼ା (ପଡ଼ା) ଆରମ୍ଭ ହେଉଥିବା ରାସ୍ତା ଉପରେ ଛିଡ଼ା ହୋଇଛନ୍ତି । ଜାତି ସମ୍ପ୍ରଦାୟ ଆଧାରରେ ଦିଓଲପୁରର ବିଭିନ୍ନ ଅଞ୍ଚଳକୁ ଅଲଗା କରାଯାଇଛି । ଡାହାଣ : ଆଖପାଖ ଅଞ୍ଚଳରେ ଖୋଲିଥିବା ଶିଳ୍ପାନୁଷ୍ଠାନ କାରଣରୁ ଏବେ ଦିଓଲପୁର ବାସିନ୍ଦାଙ୍କ ପାଇଁ ଜୀବିକାର ଅନେକ ସୁଯୋଗ ସୃଷ୍ଟି ହୋଇଛି । କିନ୍ତୁ ଏଠାକାର ବୃଦ୍ଧ ପୁରୁଷ ଓ ମହିଳାମାନେ କମ୍‌ ମଜୁରିରେ ଅଧିକ ଶାରୀରିକ ପରିଶ୍ରମ ଆବଶ୍ୟକ ହେଉଥିବା ଜରି କାମ କରି ପାରିବାରିକ ଆୟରେ ଯୋଗଦାନ ଦେବା ଜାରି ରଖିଛନ୍ତି

*****

‘‘ଆମ ଭଳି ଶିଳ୍ପକାର ମାନେ ଏହି କାରୀଗରୀକୁ ସବୁକିଛି ଦେଇଥିଲୁ, କିନ୍ତୁ ପୋଲୋ ଖେଳାଳୀ କିମ୍ବା ସରକାରଙ୍କ ତରଫରୁ ଆମକୁ କିଛି ମିଳିଲା ନାହିଁ,’’ ରଞ୍ଜିତ କୁହନ୍ତି।

ସାରା ରାଜ୍ୟରେ ପାରମ୍ପରିକ ଶିଳ୍ପ ଓ କାରୀଗରୀକୁ ବିକଶିତ କରିବା ଲାଗି ୨୦୧୩ରେ ପଶ୍ଚିମବଙ୍ଗ ସରକାର ୟୁନେସ୍କୋ ସହ ମିଶି ଗ୍ରାମୀଣ ଶିଳ୍ପ କେନ୍ଦ୍ର ପ୍ରକଳ୍ପ ଆରମ୍ଭ କରିଥିଲେ। ଆଜି ଏହି ଭାଗିଦାରୀ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ସାରା ରାଜ୍ୟର ୫୦,୦୦୦ ହିତାଧିକାରୀ ଏଥିରେ ସାମିଲ ହୋଇଛନ୍ତି - କିନ୍ତୁ ସେମାନଙ୍କ ମଧ୍ୟରେ ବାଉଁଶ ପୋଲୋ ବଲ୍‌ ତିଆରି କରୁଥିବା କାରିଗରମାନଙ୍କୁ ସାମିଲ କରାଯାଇନାହିଁ।

‘‘ଆମ ଶିଳ୍ପ ଯେମିତି ବୁଡ଼ି ନଯାଉ ତାହା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ୨୦୧୭-୧୮ରେ ଆମେ ନବାନ୍ନ (ରାଜ୍ୟ ସରକାରଙ୍କ ମୁଖ୍ୟାଳୟ)କୁ ଯାଇଥିଲୁ। ଆମେ ଆମ ପରିସ୍ଥିତି ବିଷୟରେ କହିଲୁ, ଆବେଦନପତ୍ର ଦେଲୁ, କିନ୍ତୁ ସେଥିରୁ କିଛି ଲାଭ ହେଲା ନାହିଁ,’’ରଞ୍ଜିତ କୁହନ୍ତି। ‘‘ଆମ ଆର୍ଥିକ ପରିସ୍ଥିତି କ’ଣ ହେବ? ଆମେ ଖାଇବୁ କ’ଣ? ଆମ ଶିଳ୍ପ ଓ ଜୀବିକା ମରିଯାଇଛି, ଆମେ ସେମାନଙ୍କୁ ପଚାରିଥିଲୁ।’’

‘‘ହୁଏତ’ ପୋଲୋ ବଲ୍‌ଗୁଡ଼ିକ ଦେଖିବାକୁ ସୁନ୍ଦର ନଥିଲା, ଯାହାକି କିଛି ଲୋକଙ୍କ ପାଇଁ ଗୁରୁତ୍ୱ ବହନ କରୁଥିଲା,’’ ରଞ୍ଜିତ କୁହନ୍ତି, କିଛି ସମୟ ନିରବ ରହି ସେ ପୁଣି କହିଥାନ୍ତି,’’… କେହି କେବେ ଆମ ବିଷୟରେ ଚିନ୍ତା କଲେ ନାହିଁ।’’

ମିନୋତୀ କିଛି ଦୂରରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ଲାଗି ବାଟା (ମଧୁର ଜଳ ଛୋଟ ଭାକୁର) ମାଛ କାଟି ସଫା କରୁଛନ୍ତି। ରଞ୍ଜିତଙ୍କ କଥା ଶୁଣି ସେ କୁହନ୍ତି, ‘‘ଆମର ନିରନ୍ତର ପରିଶ୍ରମ ପାଇଁ କିଛି ପରିଚୟ ମିଳିବ ବୋଲି ଏବେ ବି ମୋର ବିଶ୍ୱାସ ରହିଛି।’’

ତେବେ ରଞ୍ଜିତ୍‌ ସେତେଟା ଆଶାବାଦୀ ନୁହନ୍ତି। ‘‘କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ପୋଲୋ ଦୁନିଆ ସମ୍ପୂର୍ଣ୍ଣ ଭାବେ ଆମ କାରିଗର ଉପରେ ନିର୍ଭର କରୁଥିଲା। କିନ୍ତୁ ସେମାନେ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ିଗଲେ,’’ ସେ କୁହନ୍ତି। ‘‘ଏବେ ମୁଁ ବିଲୁପ୍ତ ଶିଳ୍ପର ଏକମାତ୍ର ପ୍ରମାଣ ଅଟେ।’’

ଅନୁବାଦ : ଓଡ଼ିଶାଲାଇଭ୍‍

Shruti Sharma

Shruti Sharma is a MMF-PARI fellow (2022-23). She is working towards a PhD on the social history of sports goods manufacturing in India, at the Centre for Studies in Social Sciences, Calcutta.

Other stories by Shruti Sharma
Editor : Dipanjali Singh

Dipanjali Singh is an Assistant Editor at the People's Archive of Rural India. She also researches and curates documents for the PARI Library.

Other stories by Dipanjali Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE