“ଆଗାମୀ ଦିନରେ ଆଦୌ ଏମଏସପି ରହିବ ନାହିଁ, ସେମାନେ ଧୀରେ ଧୀରେ ଏପିଏମସିକୁ ବନ୍ଦ କରିଦେବେ ଏବଂ ବିଦ୍ୟୁତର ଘରୋଇକରଣ କରିଦେବେ। ସେଥିପାଇଁ ଆମେ ଚିନ୍ତିତ ଅଛୁ”, କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଜଣେ କୃଷକ, ଡି. ମଲ୍ଲିକାର୍ଜ୍ଜୁନପା କହିଥିଲେ।

ଗଣତନ୍ତ୍ର ଦିବସରେ କୃଷକମାନଙ୍କ ଟ୍ରାକ୍ଟର ପ୍ୟାରେଡରେ ସାମିଲ ହେବା ଲାଗି ୬୧ ବର୍ଷୀୟ ମଲ୍ଲିକାର୍ଜ୍ଜୁନପ୍ପା, ହୁଲୁଗିନକୋପ୍ପା ଗ୍ରାମରୁ ୨୫ ଜାନୁଆରୀରେ ବେଙ୍ଗାଲୁରୁ ଆସିଥିଲେ। ସେ ଶିକାରପୁର ତାଲୁକାରେ ଥିବା ନିଜର ଗ୍ରାମ ଠାରୁ ପ୍ରାୟ ୩୫୦ କିମି ଦୂର ଅତିକ୍ରମ କରି ଏଠାରେ ପହଞ୍ଚିଥିଲେ। “ବଡ଼ କମ୍ପାନୀ କଥା ଶୁଣିବା ବଦଳରେ, ସେ (କେନ୍ଦ୍ର ସରକାର) ଏପିଏମସିରେ ସଂସ୍କାର ଆଣିବା ଉଚିତ୍”, ବୋଲି କହିଥିଲେ।

ନୂଆ କୃଷି ଆଇନ ସେମାନଙ୍କର ଚିନ୍ତା ବଢ଼ାଇ ଦେଇଛି-ଏଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି)କୁ ଦୁର୍ବଳ କରିଦେବ, ଯେଉଁଗୁଡ଼ିକ କୃଷକମାନଙ୍କୁ ସେମାନଙ୍କ ଖାଦ୍ୟଶସ୍ୟ କ୍ରୟର ଗ୍ୟାରେଣ୍ଟି ଦେଉଥିଲା।

ମଲ୍ଲିକାର୍ଜ୍ଜୁନପ୍ପା ନିଜର ୧୨ ଏକର ଜମି ମଧ୍ୟରୁ ୩-୪ ଏକରରେ ଧାନ ଚାଷ କରିଥାନ୍ତି। ବାକି ଜମିରେ ସେ ଗୁଆ ଚାଷ କରିଥାନ୍ତି। “ବିଗତ ବର୍ଷ ଗୁଆ ଅମଳ ଭଲ ନଥିଲା, ଏବଂ ମୋତେ ସେତିକି ଧାନ ମଧ୍ୟ ମିଳିନଥିଲା”, ସେ କହିଥିଲେ। “ବ୍ୟାଙ୍କରୁ ନେଇଥିବା ୧୨ ଲକ୍ଷ ଟଙ୍କାର ଋଣ ମୋତେ ସୁଝିବାର ଅଛି। ସେମାନେ (ରାଜ୍ୟ ସରକାର) କହିଥିଲେ ଯେ ଋଣ ଛାଡ଼ କରିଦେବେ। କିନ୍ତୁ ବ୍ୟାଙ୍କ ଏବେ ମଧ୍ୟ ମୋତେ ଲଗାତର ନୋଟିସ ପଠାଉଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଚେତାବନୀ ଦେଉଛି। ମୁଁ ଏହାକୁ ନେଇ ଚିନ୍ତିତ”, ସେ ରାଗରେ କହିଥିଲେ।

ମଲ୍ଲିକାର୍ଜ୍ଜୁନପ୍ପାଙ୍କ ଭଳି କୃଷକ, କର୍ଣ୍ଣାଟକର ଦୂରବର୍ତ୍ତୀ ଜିଲ୍ଲାରୁ, ପ୍ୟାରେଡର ଗୋଟିଏ ଦିନ ପୂର୍ବରୁ ବେଙ୍ଗାଲୁରୁରେ ପହଞ୍ଚିଥିଲେ। କିନ୍ତୁ ମାଣ୍ଡ୍ୟା, ରାମନଗର, ତୁମକୁର ଓ ଆଖପାଖର ଅନ୍ୟ ଜିଲ୍ଲାର କୃଷକ ୨୬ ଜାନୁଆରୀରେ ଟ୍ରାକ୍ଟର, କାର ଓ ବସ୍ ରେ ବେଙ୍ଗାଲୁରୁ ସହରର ବାହ୍ୟ ଅଞ୍ଚଳରେ ସକାଳ ୯ଟା ସମୟରେ ଏକତ୍ରିତ ହେବାକୁ ଲାଗିଥିଲେ। ସେମାନେ ମଧ୍ୟାହ୍ନ ବେଳକୁ କେନ୍ଦ୍ରୀୟ ବେଙ୍ଗାଲୁରୁର ଗାନ୍ଧୀ ନଗର ଅଞ୍ଚଳରେ ଥିବା ଫ୍ରିଡମ ପାର୍କରେ ପହଞ୍ଚିବାର ଥିଲା, ଏବଂ ଦିଲ୍ଲୀରେ କୃଷକମାନଙ୍କର ଟ୍ରାକ୍ଟର ପ୍ୟାରେଡକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ। ୨୬, ନଭେମ୍ବରଠାରୁ ଦିଲ୍ଲୀ ସୀମାରେ ତିନୋଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନେ ଜାତୀୟ ରାଜଧାନୀରେ ଗଣତନ୍ତ୍ର ଦିବସ ପ୍ୟାରେଡ ଆୟୋଜନ କରିଥିଲେ।

Left: D. Mallikarjunappa (centre), a farmer from Shivamogga. Right: Groups from across Karnataka reached Bengaluru for the protest rally
PHOTO • Tamanna Naseer
Left: D. Mallikarjunappa (centre), a farmer from Shivamogga. Right: Groups from across Karnataka reached Bengaluru for the protest rally
PHOTO • Tamanna Naseer

ବାମ : ଶିବମୋଗ୍ଗାର ଜଣେ କୃଷକ, ଡି ମଲ୍ଲିକାର୍ଜ୍ଜୁନପ୍ପା (ମଝି)। ଡାହାଣ: ବିରୋଧ ଶୋଭାଯାତ୍ରାରେ ସାମିଲ ହେବା ଲାଗି ସମଗ୍ର କର୍ଣ୍ଣାଟକରୁ କୃଷକମାନେ ଆସିଛନ୍ତି।

କୃଷକମାନେ ବିରୋଧ କରୁଥିବା କୃଷି ଆଇନଗୁଡ଼ିକ ହେଉଛି: କୃଷକ ଉତ୍ପାଦ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ) ମୂଲ୍ୟ ସୁନିଶ୍ଚିତତା ଓ କୃଷି ସେବା ଉପରେ ଚୁକ୍ତି ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଏଗୁଡ଼ିକୁ ସର୍ବପ୍ରଥମେ, ୫ ଜୁନ, ୨୦୨୦ରେ ଅଧ୍ୟାଦେଶ ଆକାରରେ ପାରିତ କରାଯାଇଥିଲା, ଏହାପରେ ୧୪ ସେପ୍ଟେମ୍ବରରେ କୃଷି ବିଲ ଭାବେ ଉପସ୍ଥାପନ କରାଯାଇଥିଲା। ପରେ ସେହି ମାସର ୨୦ ତାରିଖ ହିଁ ବର୍ତ୍ତମାନର ସରକାର ଅତି ତରବରିଆ ଭାବେ ଏହାକୁ ଆଇନରେ ପରିଣତ କରି ଦେଇଥିଲେ।

କୃଷକମାନେ ଏହି ଆଇନଗୁଡ଼ିକୁ ନିଜ ଜୀବିକା ପାଇଁ ବିନାଶକାରୀ ବୋଲି ଭାବୁଛନ୍ତି କାରଣ ଏହିସବୁ ଆଇନ ବଡ଼ କର୍ପୋରେଟଗୁଡ଼ିକୁ କୃଷକ ଏବଂ କୃଷି ଉପରେ ଅଧିକ କ୍ଷମତା ପ୍ରଦାନ କରିବ। ଏହି ଆଇନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି), କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସରକାରୀ କ୍ରୟ ଆଦି ସମେତ, କୃଷକମାନଙ୍କୁ ସହାୟତା କରୁଥିବା ମୁଖ୍ୟ ଆଧାରଗୁଡ଼ିକୁ ଦୁର୍ବଳ କରିଦେବ। ଏହି ଆଇନକୁ ଏଥିପାଇଁ ମଧ୍ୟ ସମାଲୋଚନା କରାଯାଉଛି ଯେ ଏହା ପ୍ରତ୍ୟେକ ନାଗରିକଙ୍କୁ ପ୍ରଭାବିତ କରିବ। ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨କୁ ଦୁର୍ବଳ କରି ସମସ୍ତ ନାଗରିକମାନଙ୍କର ଆଇନଗତ ପଦକ୍ଷେପ ନେବାର ଅଧିକାରକୁ ଅକ୍ଷମ କରିଦେବ।

ଟିସି ବସନ୍ତା ବେଙ୍ଗାଲୁରୁ ନିକଟବର୍ତ୍ତୀ ବିଦାଦୀ ଠାରୁ ଆନ୍ଦୋଳନକାରୀମାନଙ୍କ ସହିତ ସାମିଲ ହୋଇଥିଲେ। ସେ ଓ ତାଙ୍କର ଭଉଣୀ, ପୁତ୍ତା ଚନ୍ନମ୍ମା, ଉଭୟ ଚାଷୀ, ବିରୋଧ ପ୍ରଦର୍ଶନରେ ସାମିଲ ହେବା ଲାଗି ମାଣ୍ଡ୍ୟା ଜିଲ୍ଲାର ମଦ୍ଦୁର ତାଲୁକାରେ ଆସିଥିଲେ। ନିଜ ଗ୍ରାମ, କେଏମ ଡୋଡ୍ଡିରେ ବସନ୍ତା ଓ ତାଙ୍କର ସ୍ୱାମୀ, କେବି ନିଙ୍ଗେଗୌଡ଼ା, ଦୁଇ ଏକର ଜମିରେ ଧାନ, ମାଣ୍ଡିଆ ଏବଂ ଯଅ ଚାଷ କରିଥାନ୍ତି। ତାଙ୍କର ଚାରି ଜଣିଆ ପରିବାର-ସେମାନଙ୍କର ୨୩ ବର୍ଷୀୟ ପୁଅ ନର୍ସିଂ ଛାତ୍ର ହୋଇଥିବା ବେଳେ ୧୯ ବର୍ଷୀୟା ଝିଅ ସୋସିଆଲ ୱାର୍କ ପଢ଼ୁଛନ୍ତି-ଏମାନେ ମୁଖ୍ୟତଃ ଚାଷରୁ ହେଉଥିବା ଆୟ ଉପରେ ନିର୍ଭରଶୀଳ। ବସନ୍ତା ଓ ତାଙ୍କର ସ୍ୱାମୀ ବର୍ଷରେ ୧୦୦ ଦିନ ପାଇଁ ମନରେଗା କାମ ମଧ୍ୟ କରିଥାନ୍ତି।

“ନୂଆ କୃଷି ଆଇନ କେବଳ କମ୍ପାନୀଗୁଡ଼ିକୁ ଲାଭ ଦେବ, ଯେପରିକି ଜମି ଆଇନରୁ ହେଉଛି”, ବସନ୍ତା କର୍ଣ୍ଣାଟକର ଜମି ସଂସ୍କାର (ସଂଶୋଧନ) ଆଇନ, ୨୦୨୦ର ଉଦାହରଣ ଦେଇ କହିଥିଲେ, ଯାହାକି ଅଣ-ଚାଷୀଙ୍କ ଉପରେ ଚାଷ ଜମି କିଣିବା ଏବଂ ବିକ୍ରି କରିବା ଲାଗି ରହିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। କର୍ପୋରେଟଗୁଡ଼ିକ ଚାଷକୁ ହଡ଼ପ କରିନେବା ଭୟରେ ଏହି ଆଇନକୁ ପ୍ରତ୍ୟାହାର କରିବା ଲାଗି କର୍ଣ୍ଣାଟକର କୃଷକମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

“ସେ (ସରକାର) କହୁଛନ୍ତି କୃଷକ ଅନ୍ନଦାତା, କିନ୍ତୁ ଆମକୁ ହଇରାଣ କରୁଛନ୍ତି। ଉଭୟ (ପ୍ରଧାନମନ୍ତ୍ରୀ) ମୋଦୀ ଏବଂ (ମୁଖ୍ୟମନ୍ତ୍ରୀ) ୟେଦିୟୁରପ୍ପା, ଉଭୟ କୃଷକଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ୟେଦିୟୁରପ୍ପା ଏଠାରେ ଜମି ଆଇନରେ ସଂଶୋଧନ କଲେ। ସରକାର ଏହି ଆଇନକୁ ପ୍ରତ୍ୟାହାର କରିନେବା ଉଚିତ ଏବଂ କୃଷକମାନଙ୍କୁ ଏକ ପ୍ରତିଶ୍ରୁତି ଦେବା ଉଚିତ। ଆଜି ଶତାଧିକ କୃଷକ ନିଜ ଟ୍ରାକ୍ଟରରେ ଆସୁଛନ୍ତି ଏବଂ ଆମେ ଭୟଭୀତ ନାହୁଁ”, ବସନ୍ତା କହିଥିଲେ।

Top left: T.C. Vasantha (in orange saree), Putta Channamma (in yellow) and other farmers from Mandya assembled in Bidadi, near Bengaluru. Top right: R.S. Amaresh arrived from Chitradurga. Bottom: Farmers on their way to Bengaluru's Freedom Park
PHOTO • Tamanna Naseer

ଉପର ବାମ : ଟି . ସି ବସନ୍ତା (ନାରଙ୍ଗୀ ଶାଢ଼ୀରେ), ପୁଟ୍ଟା ଚନ୍ନାମ୍ମା (ହଳଦିଆ ଶାଢ଼ୀରେ) ଏବଂ ମାଣ୍ଡ୍ୟାର ଅନ୍ୟ କୃଷକମାନେ ବେ ଙ୍ଗା ଲୁରୁ ନିକଟରେ ବିଦାଦୀରେ ଏକତ୍ରିତ ହୋଇଥିଲେ। ଉପରେ ଡାହାଣ : ଆରଏସ ଅମରେଶ ଚିତ୍ରଦୁର୍ଗରୁ ଆସିଥିଲେ। ତଳ : ବେ ଙ୍ଗା ଲୁରୁର ଫ୍ରିଡମ ପାର୍କ ଆଡ଼କୁ ଯାଉଥିବା କୃଷକ

ପଞ୍ଜାବ ଓ ହରିୟାଣାର କୃଷକମାନଙ୍କ ତୁଳନାରେ କର୍ଣ୍ଣାଟକର କୃଷକ ଦୀର୍ଘ ସମୟ ଧରି ଆନ୍ଦୋଳନ କରି ଆସୁଛନ୍ତି, କୃଷକ ସଂଗଠନ, କର୍ଣ୍ଣାଟକ ରାଜ୍ୟ ରୈୟତ ସଂଘ (କେଆରଆରଏସ)ର ନେତା ବଦଗଲପୁରା ନାଗେନ୍ଦ୍ର କହିଥିଲେ। “ଆମେ ସର୍ବପ୍ରଥମେ ଜମି ଆଇନ ବିରୋଧରେ ମେ ୨୦୨୦ରେ ଆନ୍ଦୋଳନ କରିବା ଆରମ୍ଭ କଲୁ, ଏବଂ ଆମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ତିନୋଟି ନୂଆ କୃଷି ଆଇନ ବିରୋଧରେ ଆମର ସ୍ୱର ଉତ୍ତୋଳନ କରୁଛୁ”, କେଆରଆରଏସ, ବେଙ୍ଗାଲୁରୁରେ ଗଣତନ୍ତ୍ର ଦିବସ ରାଲିରେ ମୁଖ୍ୟ ଆୟୋଜକଙ୍କ ମଧ୍ୟରୁ ଅନ୍ୟତମ ଥିଲା। ସଂଗଠନ ପକ୍ଷରୁ ସାରା ରାଜ୍ୟରୁ ୨,୦୦୦ ଟ୍ରାକ୍ଟର ଆଣିବା ଲାଗି ଯୋଜନା କରାଯାଇଥିଲା। “କିନ୍ତୁ ପୋଲିସ ମାତ୍ର ୧୨୫ଟି ଟ୍ରାକ୍ଟର ପାଇଁ ଅନୁମତି ଦେବାକୁ ରାଜି ହୋଇଥିଲା”, କୃଷକ ନେତା କହିଥିଲେ।

ନୂଆ କୃଷି ଆଇନ ଫଳରେ କୃଷକଙ୍କ ଲାଗି ଆୟ ଅର୍ଜନ କରିବା କଷ୍ଟକର ହୋଇଯିବ, ଚିତ୍ରଦୁର୍ଗ ଜିଲ୍ଲାର ଚଲ୍ଲକେରେ ତାଲୁକାର ରେଣୁକାପୁରା ଗ୍ରାମର ୬୫ ବର୍ଷୀୟ କୃଷକ, ଆରଏସ ଅମରେଶ କହିଥିଲେ। “କୃଷକ ଭାବେ ବଞ୍ଚି ରହିବା କଷ୍ଟକର। ଆମ ଫସଲର କୌଣସି ମୂଲ୍ୟ ନାହିଁ। ଆମେ ଚାଷରୁ ସବୁ ଆଶା ଛାଡ଼ି ଦେଇଛୁ। ଯଦି ଏପରି ଚାଲିବ, ତା’ହେଲେ ଏମିତି ଦିନ ଆସିବ ଯେତେବେଳେ କେହି କୃଷକ ନଥିବେ’’।

ଅମରେଶ ଚାହୁଁନଥିଲେ ଯେ ତାଙ୍କର ପିଲାମାନେ କୃଷକ ହୁଅନ୍ତୁ, ସେଥିପାଇଁ ସେମାନେ ଅନ୍ୟ ବ୍ୟବସାୟ କରନ୍ତୁ ତାହା ସେ ସୁନିଶ୍ଚିତ କରିଥିଲେ। “ମୁଁ ନିଜର ଦୁଇ ପିଲାଙ୍କୁ ଶିକ୍ଷିତ କରିଛି ଯାହାଫଳରେ ସେମାନଙ୍କୁ ଚାଷ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଆମର ଉତ୍ପାଦନ ବ୍ୟୟ ଖୁବ ଅଧିକ। ମୋ ଜମିରେ ତିନି ଜଣ ଶ୍ରମିକ କାମ କରିଥାନ୍ତି ଏବଂ ମୁଁ ପ୍ରତ୍ୟେକଙ୍କୁ (ଦୈନିକ) ୫୦୦ ଟଙ୍କା ପଇଠ କରିଥାଏ। ମୋର ଆୟ କେବେ ଯଥେଷ୍ଟ ନୁହେଁ”, ସେ କହିଥିଲେ। ତାଙ୍କର ୨୮ ବର୍ଷୀୟ ପୁଅ ଚାର୍ଟାର୍ଡ ଆକାଉଣ୍ଟାନ୍ସିର ଛାତ୍ର ଅଟେ ଏବଂ ୨୦ ବର୍ଷୀୟା ଝିଅ ଏମଏସସି ପଢ଼ୁଛି।

ବିଦାଦୀର ବୀରାମଙ୍ଗଲା ଚୌକରେ ୨୬ ଜାନୁଆରୀରେ ଆସି ପହଞ୍ଚିଥିବା ପ୍ରଥମ ଆନ୍ଦୋଳନକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗଜେନ୍ଦ୍ର ରାଓ, ଯିଏ କୃଷକ ନୁହନ୍ତି। ସେ ଜଣେ କ୍ୟାବ୍ ଡ୍ରାଇଭର ଏବଂ ସେ ରାଜ୍ୟର ଏକ ଅଧିକାର ସମୂହ, କର୍ଣ୍ଣାଟକ ଜନଶକ୍ତି ସହ ଜଡ଼ିତ ଜଣେ କର୍ମୀ ଅଟନ୍ତି। “ମୁଁ ଏଠାକାର ଆନ୍ଦୋଳନରେ ନିଜର ଭୋଜନ ପାଇଁ ଆସିଛି”, ସେ କହିଥିଲେ। “ସରକାର ଏବେ ଏଫସିଆଇ (ଭାରତୀୟ ଖାଦ୍ୟ ନିଗମ) ଖାଦ୍ୟଶସ୍ୟ ଭଣ୍ଡାରଣ କରୁଛନ୍ତି। ଏହି ବ୍ୟବସ୍ଥା ଧୀରେ ଧୀରେ ବଦଳିବ। ଆମେ ସେହି ଦିଗରେ ଗତି କରୁଛୁ। ଖାଦ୍ୟସାମଗ୍ରୀ ମୂଲ୍ୟ ନିଶ୍ଚିତ ଭାବେ ବୃଦ୍ଧି ପାଇବ କାରଣ ବ୍ୟବସ୍ଥାକୁ ସରକାରଙ୍କ ପରିବର୍ତ୍ତେ କର୍ପୋରେଟମାନେ ନିୟନ୍ତ୍ରଣ କରିବେ। ବିରୋଧ କରିବା ଲାଗି ମୋର ସମ୍ପୂର୍ଣ୍ଣ ଅଧିକାର ରହିଛି”, ସେ କହିଥିଲେ।

Left: Gajendra Rao, a cab driver in Bengaluru, joined the protestors in Bidadi. Right: Farmers' groups came in buses, tractors and cars
PHOTO • Tamanna Naseer
Left: Gajendra Rao, a cab driver in Bengaluru, joined the protestors in Bidadi. Right: Farmers' groups came in buses, tractors and cars
PHOTO • Tamanna Naseer

ବାମ : ଗଜେନ୍ଦ୍ର ରାଓ, ବେ ଙ୍ଗା ଲୁରୁର ଜଣେ କ୍ୟାବ୍ ଡ୍ରାଇଭର ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଡାହାଣ : କୃଷକ ସମୂହ ବସ, ଟ୍ରାକ୍ଟର ଓ କାରରେ ଆସିଥିଲେ।

ଗଜେନ୍ଦ୍ରଙ୍କ ଜେଜେବାପାଙ୍କର ଉଡ଼ୁପି ଜିଲ୍ଲାରେ ଏକ ଚାଷ ଜମି ରହିଥିଲା। “କିନ୍ତୁ ପାରିବାରିକ ବିବାଦ କାରଣରୁ ଆମେ ତାହାକୁ ହରାଇଲୁ। ମୋର ପିତା ପ୍ରାୟ ୪୦ ବର୍ଷ ପୂର୍ବରୁ ବେଙ୍ଗାଲୁରୁ ଆସିଥିଲେ ଏବଂ ଏକ ରେସ୍ତୋରାଁ ଆରମ୍ଭ କରିଥିଲେ। ମୁଁ ଏବେ ସହରରେ ଟ୍ୟାକ୍ସି ଚଳାଇଛି”, ସେ କହିଥିଲେ।

କେଆରଏସଏସ ନେତା ନାଗେନ୍ଦ୍ର କହିଥିଲେ ଯେ ତିନୋଟି କୃଷି ଆଇନ ସାରା ଭାରତର କୃଷକମାନଙ୍କୁ ପ୍ରଭାବିତ କରିବ। “କର୍ଣ୍ଣାଟକରେ ମଧ୍ୟ ଏମଏସପି ଉପରେ ପ୍ରଭାବ ପଡ଼ିବ। ଏପିଏମସି ଆଇନ ୧୯୬୬ ଅନୁଯାୟୀ, (କର୍ଣ୍ଣାଟକରେ) କେତେକ ପ୍ରତିବନ୍ଧକ ରହିଛି। ନୂଆ ଆଇନ କେବଳ ଘରୋଇ ବଜାର ଏବଂ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବ। କୃଷି ଆଇନ ବାସ୍ତବରେ ଗ୍ରାମୀଣ ଭାରତର ଲୋକମାନଙ୍କର ବିରୋଧୀ”।

ଅମରେଶ କହିଥିଲେ ଯେ ଏହି ଆଇନ କୃଷକମାନଙ୍କର ସ୍ଥିତିକୁ ଆହୁରି ଜଟିଳ କରିଦେବ। “ସରକାର ଆମର ଉତ୍ପାଦନ ବ୍ୟୟକୁ ଦେଖିବା ଉଚିତ ଏବଂ ଲାଭ ରୂପରେ ମାର୍ଜିନକୁ ଅନୁମତି ଦେବା ଉଚିତ, ଏବଂ ସେହି ଅନୁଯାୟୀ ଏମଏସପି ନିର୍ଦ୍ଧାରଣ କରିବା ଉଚିତ। ଏହି ଆଇନ ଆଣି ସେମାନେ କୃଷକମାନଙ୍କୁ କ୍ଷତି ପହଞ୍ଚାଇବା ଲାଗି ଚାହୁଁଛନ୍ତି। ବଡ଼ କମ୍ପାନୀ ନିଜର ରଣନୀତି ଉପଯୋଗ କରିବେ ଏବଂ ଆମକୁ କମ ଟଙ୍କା ପରିଶୋଧ କରିବେ”, ସେ କହିଥିଲେ।

କିନ୍ତୁ ବସନ୍ତା ଦୃଢ଼ ସଂକଳ୍ପ ରହିଛନ୍ତି ଯେ ସେ ଏପରି ହେବାକୁ ଦେବେ ନାହିଁ। “ଆମେ ଯେତେ କଷ୍ଟ କରୁଛୁ ସେହି ହିସାବରେ ଆମକୁ ପ୍ରତ୍ୟେକ ଏକର ଜମି ପାଇଁ ୫୦,୦୦୦ ଟଙ୍କାରୁ ଆରମ୍ଭ କରି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବା ଆବଶ୍ୟକ, କିନ୍ତୁ ଆମକୁ କିଛି ମିଳୁନାହିଁ”, ସେ କହିଥିଲେ, ଏବଂ ସେ ଆହୁରି ମଧ୍ୟ କହିଥିଲେ: “କେବଳ ଗୋଟିଏ ମାସ ନୁହେଁ, ଆବଶ୍ୟକ ପଡ଼ିଲେ ଆମେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରିବୁ।”

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Tamanna Naseer

Tamanna Naseer is a freelance journalist based in Bengaluru.

Other stories by Tamanna Naseer