ପାଉଁଶିଆ ଦେଖାଯାଉଥିବା ଅନୁ କେଶ ଖୋଲା କରି ଦିନେ ସକାଳେ ଗୋଟିଏ ଗଛ ତଳେ ଏକ ଅଧାଚିରା ପ୍ଳାଷ୍ଟିକ ମସିଣା ଉପରେ ବସି ରହିଛନ୍ତି। ସେହି ବାଟ ଦେଇ ଯାଉଥିବା ଲୋକମାନେ ତାଙ୍କ ସହ ଦୂରରେ ଛିଡାହୋଇ କଥା ହେଉଛନ୍ତି। ଗୃହପାଳିତ ପଶୁମାନେ ପାଖରେ ବିଶ୍ରାମ କରୁଛନ୍ତି ଏବଂ ନଡା ବିଡାଗୁଡିକ ଖରାରେ ଶୁଖୁଥାଏ।

ଅନୁ କୁହନ୍ତି, "ଏପରିକି ଯେତେବେଳେ ବର୍ଷା ହୁଏ, ମୁଁ ଛତା ଧରି ଗଛ ମୂଳେ ଛିଡାହୋଇଥାଏ ଏବଂ ଘର ଭିତରକୁ ଯାଏ ନାହିଁ। ଏପରିକି ମୋର ଛାୟା କାହାରି ଉପରେ ପଡିବା ଉଚିତ୍‍ ନୁହେଁ। ଆମେ ଆମର ଭଗବାନଙ୍କୁ କ୍ରୋଧିତ କରିପାରିବୁ ନାହିଁ।"

ପ୍ରତ୍ୟେକ ମାସରେ ଋତୁସ୍ରାବ ଆରମ୍ଭ ହେବା ପରେ ତିନି ଦିନ ଯାଏଁ ତାଙ୍କର ଘର ଠାରୁ ୧୦୦ ମିଟର ଦୂର ପଡିଆରେ ଥିବା ଏହି ଗଛଟି ତାଙ୍କର ଘର ହୋଇଯାଏ।

ଅନୁ (ନାମ ପରିବର୍ତ୍ତନ କରାଯାଇଛି ) କୁହନ୍ତି, "ମୋର ଝିଅ ଏକ ପ୍ଲେଟରେ ମୋ ପାଇଁ ଖାଇବା ଆଣି ରଖିଦିଏ"। ଏହି ପୃଥକ୍‍ ବାସର ଦିନଗୁଡିକରେ ସେ ଅଲଗା ବାସନ ବ୍ୟବହାର କରନ୍ତି। "ମୁଁ ଏଠାରେ ଖୁସିରେ ବିଶ୍ରାମ କରିବା ଭଳି ନୁହେଁ। ମୁଁ କାମ କରିବାକୁ ଚାହେଁ[ଘରେ], କିନ୍ତୁ ଆମର ପରମ୍ପରାକୁ ସମ୍ମାନ ଦେବା ପାଇଁ ବାହାରେ ଏଠାରେ ରହୁଛି। କ୍ଷେତରେ ଅଧିକ କାର୍ଯ୍ୟ କରିବାକୁ ଥିବା ସମୟରେ ମୁଁ ସେଠାରେ ମଧ୍ୟ କାର୍ଯ୍ୟ କରେ।" ଅନୁଙ୍କ ପରିବାର ତାଙ୍କର ୧.୫ ଏକର କୃଷି କ୍ଷେତ୍ରରେ ମାଣ୍ଡିଆ ଚାଷ କରନ୍ତି।

ଯଦିଓ  ନିଜ ଇଚ୍ଛାରେ ଏହି ଦିନଗୁଡିକରେ ସଂଗରୋଧରେ  ଅଛନ୍ତି, ଅନୁ ଏକୁଟିଆ ନୁହଁନ୍ତି ଯିଏକି ଏହି ପ୍ରଥା ଅନୁସାରେ କାର୍ଯ୍ୟ କରିଥାନ୍ତି। ତାଙ୍କର ୧୭ ବର୍ଷ ଓ ୧୯ ବର୍ଷର ଝିଅମାନେ (ଅନ୍ୟ ଜଣେ ଝିଅ ୨୧ ବର୍ଷର ବିବାହିତ) ଠିକ୍‍ ଏହି ଭଳି କରିଥାନ୍ତି। ଏବଂ ତାଙ୍କ ଗାଁରେ ଥିବା କାଡୁଗୋଲ୍ଲା ସଂପ୍ରଦାୟର ୨୫ଟି ପରିବାରର ସମସ୍ତ ମହିଳା ଠିକ୍‍ ଏହି ଭଳି ପୃଥକ୍‍ ବାସରେ ରହିଥାନ୍ତି।

ଯେଉଁ ମହିଳାମାନେ ପ୍ରସବ ବେଦନା ଦେଇ ଗତି କରିଛନ୍ତି ସେମାନେ ମଧ୍ୟ କଠୋର ପ୍ରତିବନ୍ଧକର ସାମ୍ନା କରିଥାନ୍ତି। ଅନୁର ବୃକ୍ଷ-ଆଶ୍ରୟସ୍ଥଳ ନିକଟରେ ପ୍ରାୟ ଛଅଟି କୁଡିଆ ରହିଛି, ପ୍ରତ୍ୟେକଟି ଅନ୍ୟଠାରୁ କିଛି ଦୂରରେ, ସେମାନଙ୍କ ଓ ସେମାନଙ୍କ ଶିଶୁମାନଙ୍କର ଘର। ଏଗୁଡିକ ଅନ୍ୟ ସମୟରେ ଖାଲି ରହିଥାଏ। ଯେଉଁମାନେ ଋତୁସ୍ରାବ କରୁଛନ୍ତି ସେମାନେ କେବଳ ଗଛ ମୂଳରେ ସମୟ ଅତିବାହିତ କରିବେ ବୋଲି ଆଶା କରାଯାଏ।

The tree and thatched hut in a secluded area in Aralalasandra where Anu stays during three days of her periods
PHOTO • Tamanna Naseer

ପ୍ରତ୍ୟେକ ମାସର ତିନି ଦିନ ଅନୁ ଏକ ମସିଣା ଉପରେ ଗଛ ଛାୟା ତଳେ, ଏବଂ ତାଙ୍କ ଘର ନିକଟରେ ଥିବା କୁଡିଆଗୁଡିକ ନବଜାତ ଶିଶୁ ପ୍ରସବ କରିଥିବା ମହିଳାମାନଙ୍କର ଘର ଅଟେ

ଏକା ପରି ଦେଖାଯାଉଥିବା କୁଡିଆ ଏବଂ ଗଛଗୁଡିକ ଗାଁର ‘ପଛପଟେ’ ରହିଛି, ଯାହାକି କର୍ଣ୍ଣାଟକର ରାମାନଗର ଜିଲ୍ଲାର ଚନ୍ନପାଟନା ତାଲୁକାରେ ୧୦୭୦ (୨୦୧୧ ଜନଗଣନା ଅନୁସାରେ) ଜନସଂଖ୍ୟା ବିଶିଷ୍ଟ ଗାଁ ଆରାଲାଲାସାନ୍ଦ୍ରାର ଉତ୍ତରରେ ଅବସ୍ଥିତ।

ସଂଗରୋଧରେ ଋତୁମତୀ ମହିଳାମାନେ ସେମାନଙ୍କର ବ୍ୟକ୍ତିଗତ ଆବଶ୍ୟକତା ପାଇଁ ବୁଦା କିମ୍ବା ଖାଲି କୁଡିଆଗୁଡିକୁ ବ୍ୟବହାର କରନ୍ତି। ପରିବାର ସଦସ୍ୟ କିମ୍ବା ପଡ଼ୋଶୀମାନେ ଢାଳ ଏବଂ ବାଲ୍ଟିରେ ଜଳ ଯୋଗାଇଦେଇଥାନ୍ତି।

ନବଜାତ ଶିଶୁମାନଙ୍କ ସହ ମହିଳାମାନଙ୍କୁ ସେହି ଏକାନ୍ତ କୁଡିଆରେ ଅତିକମ୍‌ରେ ଏକ ମାସ ରହିବାକୁ ପଡିଥାଏ। ସେମାନଙ୍କ ମଧ୍ୟରୁ ପୁଜା (ତାଙ୍କର ନିଜ ନାମ ନୁହେଁ), ଜଣେ ଗୃହିଣୀ ଯିଏକି ୧୯ ବର୍ଷରେ ବିବାହ ପରେ ତାଙ୍କର ବିକମ୍‍ ଡିଗ୍ରୀ ପାଇଥିଲେ। ୨୦୨୧ ମସିହା ଫେବୃଆରୀ ମାସରେ ୭୦ କିଲୋମିଟର ଦୂର ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ସେ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କର ପିତାମାତାଙ୍କ ଘର ସାମ୍ନାରେ ଥିବା ଏକ ନଡା ଗଦାକୁ ଦେଖାଇ ପୁଜା କୁହନ୍ତି, "ମୋର ଅସ୍ତ୍ରୋପଚାର କରାଯାଇଥିଲା [C-ବିଭାଗ]. । ମୋର ଶାଶୁ ଘର ଲୋକ ଓ ସ୍ୱାମୀ ଚିକିତ୍ସାଳୟକୁ ଆସିଥିଲେ, କିନ୍ତୁ ପ୍ରଥା ଅନୁସାରେ ଏକ ମାସ ପର୍ଯ୍ୟନ୍ତ ସେମାନେ ଶିଶୁକୁ ସ୍ପର୍ଶ କରିପାରିବେ ନାହିଁ। ମୋର ବାପ ଘର ଗାଁକୁ ଫେରିବା ପରେ [ଆରଲାଲାସାନ୍ଦ୍ରା ଜିଲ୍ଲାର କାଡୁଗୋଲ୍ଲା ଗାଁ; ସେ ଓ ତାର ସ୍ୱାମୀ ସେହି ଜିଲ୍ଲାର ଅନ୍ୟ ଏକ ଗାଁରେ ରୁହନ୍ତି], ମୁଁ ଏକ କୁଡିଆରେ ୧୫ ଦିନ ରହିଥିଲି। ପରେ ସ୍ଥାନ ପରିବର୍ତ୍ତନ କରି ଏହି କୁଡିଆକୁ ଆସିଥିଲି"। ସେ ଶିଶୁ ସହିତ ବାହାରେ ୩୦ ଦିନ କାଟି ସାରିବା ପରେ ହିଁ ମୁଖ୍ୟ ଘରକୁ ଯାଇଥିଲେ।

ସେ କହିବା ଆରମ୍ଭ କରିବା ମାତ୍ରେ ତାଙ୍କର ପିଲାଟି କାନ୍ଦିବାକୁ ଲାଗିଲା। ତାଙ୍କ ମା’ଙ୍କ ଶାଢୀରେ ତିଆରି କରାଯାଇଥିବା ଏକ ଦୋଳିରେ ସେ ତାକୁ ଶୁଆଇ ଦେଇଥିଲେ। ୪୦ ବର୍ଷୀୟା ପୁଜାର ମା ଗଙ୍ଗାମ୍ମା କୁହନ୍ତି, "ସେ [ପୁଜା] ମାତ୍ର ୧୫ ଦିନ ପାଇଁ ଏକାନ୍ତ କୁଡିଆଟିରେ ରହିଥିଲେ। ଆମ ଗାଁରେ ସମସ୍ତେ ସହାନୁଭୁତିଶୀଳ ହୋଇଯାଇଛନ୍ତି। ଅନ୍ୟ [କାଡୁଗୋଲ୍ଲା] ଗାଁଗୁଡିକରେ, ପ୍ରସବ ପରେ, ମା’କୁ ତାର ଶିଶୁ ସହ ଦୁଇ ମାସରୁ ଅଧିକ ଦିନ ଏକ କୁଡିଆରେ ରହିବାକୁ ପଡିଥାଏ"। ସେମାନେ ମେଣ୍ଢା ପାଳନ୍ତି ଓ ଆମ୍ବ ଚାଷ ଏବଂ ତାଙ୍କର ଏକ ଏକର ଚାଷ ଜମିରେ ମାଣ୍ଡିଆ ଚାଷ କରନ୍ତି।

ପୂଜା ତାଙ୍କ ମାଆଙ୍କ କଥା ଶୁଣନ୍ତି, ତାଙ୍କ ଶିଶୁ ବର୍ତ୍ତମାନ ଦୋଳିରେ ଶୋଇଛି।  ସେ କୁହନ୍ତି, “ମୁଁ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନାହିଁ। ମୋର ମାର୍ଗଦର୍ଶନ କରିବାକୁ ମୋ ମା’ ଏଠାରେ ଅଛନ୍ତି। ବାହାରେ ବହୁତ ଗରମ ହେଉଛି’’। ତାଙ୍କୁ ଏବେ ୨୨ ବର୍ଷ, ସେ ଏମକମ ଡିଗ୍ରୀ ପାଇଁ ଅଧ୍ୟୟନ କରିବାକୁ ଚାହୁଁଛନ୍ତି। ତାଙ୍କ ସ୍ୱାମୀ ବେଙ୍ଗାଲୁରୁର ଏକ ଘରୋଇ କଲେଜରେ ପରିଚାରକ ଭାବରେ କାର୍ଯ୍ୟ କରନ୍ତି।  ସେ କୁହନ୍ତି, "ସେ ମଧ୍ୟ ଚାହାଁନ୍ତି ଯେ ମୁଁ ଏହି ପ୍ରଥାକୁ ଅନୁସରଣ କରିବି।" "ମୁଁ ଏହା କରେ ବୋଲି ସମସ୍ତେ ଚାହାଁନ୍ତି। ମୁଁ ଏଠାରେ ରହିବାକୁ ଚାହୁଁନଥିଲି। କିନ୍ତୁ ମୁଁ ବିରୋଧ କରି ନାହିଁ। ଏହା ଆମେ ସମସ୍ତେ କରିବା ଉଚିତ୍"।

*****

ଏହି ପ୍ରଥା ମଧ୍ୟ କାଡୁଗୋଲ୍ଲା ଅନ୍ୟ ଗାଁଗୁଡିକରେ ବିସ୍ତାର କରିଛି - ଏହି ବାସସ୍ଥାନଗୁଡିକ ସ୍ଥାନୀୟ ଭାଷାରେ ଗୋଲ୍ଲାରଡୋଡ୍ଡି କିମ୍ବା ଗୋଲ୍ଲାରହାଟ୍ଟି କୁହାଯାଏ।  ଏହି କାଡୁଗୋଲ୍ଲାସ, ଐତିହାସିକ ଯାଯାବର ମେଷପାଳକ କର୍ଣ୍ଣାଟକରେ ପଛୁଆ ବର୍ଗ ତାଲିକାରେ ଅନ୍ତର୍ଭୁକ୍ତ (ଯଦିଓ ସେମାନେ ଅନୁସୁଚିତ ଜନଜାତିର ତାଲିକାଭୁକ୍ତ ହେବାକୁ ଚାହୁଁଛନ୍ତି)। କର୍ଣ୍ଣାଟକରେ ସେମାନଙ୍କର ସଂଖ୍ୟା ପାଖାପାଖି ୩,୦୦,୦୦୦ ରୁ (ରାମନଗର ପଛୁଆ ବର୍ଗ କଲ୍ୟାଣ ବିଭାଗର ଡେପୁଟି ଡାଇରେକ୍ଟର ପି. ବି. ବସବାରାଜୁଙ୍କ ଆକଳନ ଅନୁସାରେ) ୧ ନିୟୁତ ମଧ୍ୟରେ (କର୍ଣ୍ଣାଟକର ପଛୁଆ ବର୍ଗ ଆୟୋଗର ପୂର୍ବତନ ସଦସ୍ୟ ଅନୁସାରେ ଯିଏକି ନିଜର ନାମ ପ୍ରକାଶ କରିବାକୁ ଅନିଚ୍ଛୁକ ଥିଲେ)। ବସବାରାଜୁ କୁହନ୍ତି ଯେ ଏହି ସଂପ୍ରଦାୟ ମୁଖ୍ୟତଃ ଏହି ରାଜ୍ୟର ଦକ୍ଷିଣ ଓ ମଧ୍ୟ ଭାଗରେ ଥିବା ୧୦ଟି ଜିଲ୍ଲାରେ ବସବାସ କରୁଛନ୍ତି।

Left: This shack right in front of Pooja’s house is her home for 15 days along with her newborn baby. Right: Gangamma says, 'In our village, we have become lenient. In other [Kadugolla] villages, after delivery, a mother has to stay in a hut with the baby for more than two months'
PHOTO • Tamanna Naseer
Left: This shack right in front of Pooja’s house is her home for 15 days along with her newborn baby. Right: Gangamma says, 'In our village, we have become lenient. In other [Kadugolla] villages, after delivery, a mother has to stay in a hut with the baby for more than two months'
PHOTO • Tamanna Naseer

ବାମ: ପୁଜାଙ୍କ ଘର ସାମ୍ନାରେ ଥିବା ଏହି କୁଡିଆ ଘରଟି ତାଙ୍କ ଓ ତାଙ୍କ ନବଜାତ ଶିଶୁ ପାଇଁ ୧୫ ଦିନର ଘର ଥିଲା ଡାହାଣ: ଗଙ୍ଗାମ୍ମ କୁହନ୍ତି, ‘ଆମ ଗାଁରେ, ଆମେମାନେ ଏବେ ସହାନୁଭୁତିଶୀଳ ହୋଇଯାଇଛୁ ଅନ୍ୟ [କାଡୁଗୋଲ୍ଲା] ଗାଁଗୁଡିକରେ, ପ୍ରସବ ପରେ, ମା’କୁ ତାର ଶିଶୁ ସହ ଦୁଇ ମାସରୁ ଅଧିକ ଦିନ ଏକ କୁଡିଆରେ ରହିବାକୁ ପଡିଥାଏ"

ପୁଜାଙ୍କ କୁଡିଆଠାରୁ ପାଖାପାଖି ୭୫ କିଲୋମିଟର ଦୂରରେ, ଟୁମକୁର ଜିଲ୍ଲାର ଡି. ହୋସାହଳି ଗାଁର ଛୋଟିଆ ଗାଁ କାଡୁଗୋଲ୍ଲାରେ ଜୟାମ୍ମା ମଧ୍ୟ ଅପରାହ୍ନରେ ନିଜ ଘର ସାମ୍ନାରେ ଯାଇଥିବା ରାସ୍ତା କଡରେ ଥିବା ଏକ ଗଛକୁ ଆଉଜି ବିଶ୍ରାମ କରୁଛନ୍ତି। ଏହା ତାଙ୍କର ମାସିକ ଋତୁସ୍ରାବର ପ୍ରଥମ ଦିନ। ଏହାର ପଛପଟେ ଗୋଟିଏ ସଂକିର୍ଣ୍ଣ ନଳା ଯାଇଛି, ଏକ ଷ୍ଟିଲ ଥାଳି ଓ ଗ୍ଳାସ୍‍ ତାଙ୍କ ପାଖରେ ଭୂମି ଉପରେ ରଖାଯାଇଛ।  ସେ ପ୍ରତି ମାସରେ ତିନି ଏହି ଗଛ ତଳେ ଶୁଅନ୍ତି- ସେ ଦାବି କରନ୍ତି ଏପରିକି ବର୍ଷା ସମୟରେ ମଧ୍ୟ। ଘରେ ରୋଷେଇ କାର୍ଯ୍ୟରୁ ତାଙ୍କୁ ବିରତି ଦିଆଯାଏ, କିନ୍ତୁ ତାଙ୍କୁ ନିକଟସ୍ଥ ଖୋଲା ଅଞ୍ଚଳକୁ ମେଣ୍ଢାମାନଙ୍କୁ ଚରେଇବାକୁ ନେବାକୁ ପଡେ।

ସେ ପଚାରନ୍ତି, “କିଏ ବା ବାହାରେ ଶୋଇବାକୁ ଭଲପାଏ? ସେ କୁହନ୍ତି, "କିନ୍ତୁ ସମସ୍ତେ ଏହା କରନ୍ତି କାରଣ ଏହା ଭଗବାନଙ୍କର [କାଡୁଗୋଲ୍ଲାର ଜନସାଧାରଣମାନେ କୃଷ୍ଣ ଭକ୍ତ ଅଟନ୍ତି] ଇଚ୍ଛା ଅଟେ। "ଗତକାଲି ମୁଁ ଏକ ଆବରଣ [କେରପାଲ ଚାଦର] ଧରିଥିଲି ଏବଂ ବର୍ଷା ସମୟରେ ଏଠାରେ ବସି ରହିଥିଲି।"

ଉଭୟ ଜୟାମ୍ମା ଏବଂ ତାଙ୍କର ସ୍ୱାମୀ ମେଣ୍ଢା ପାଳିଥାନ୍ତି। ୨୦ବର୍ଷ ବୟସର ତାଙ୍କର ଦୁଇ ପୁଅ, ବେଙ୍ଗାଲୁରୁରେ ଏକ କାରଖାନାରେ କାମ କରନ୍ତି। ସେ କୁହନ୍ତି, "ଯେତେବେଳେ ସେମାନେ ବିବାହ କଲେ, ସେମାନଙ୍କର ସ୍ତ୍ରୀମାନେ ମଧ୍ୟ ଏହି ଅସୁବିଧା ସମୟରେ ବାହାରେ ଶୋଇବେ କାରଣ ଆମେ ସବୁବେଳେ ଏହି ପ୍ରଥାକୁ ମାନି ଆସିଛୁ"। "ମୁଁ ଏହାକୁ ପସନ୍ଦ କରେନି ବୋଲି ଏହା କେବେବି ବଦଳିବ ନାହିଁ। ମୋର ସ୍ୱାମୀ ଓ ଗାଁର ଅନ୍ୟମାନେ ଯଦି ଏହି ପ୍ରଥାକୁ ବନ୍ଦ କରିବା ପାଇଁ ରାଜି ହୋଇଯିବେ, ମୁଁ ଏହି ଅସୁବିଧା ସମୟଗୁଡିକରେ ଘରେ ରହିବା ଆରମ୍ଭ କରିଦେବି।"

କୁନିଗାଲ ତାଲୁକାର ଡି. ହୋସାହାଲ୍ଲି ଗାଁର ଏକ ଛୋଟିଆ ଗାଁ କାଡୁଗୋଲ୍ଲାର ଅନ୍ୟ ମହିଳାମାନେ ମଧ୍ୟ ଏହି ପରି କରିଥାନ୍ତି। ଜଣେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ୩୫ ବର୍ଷୀୟା ଲିଲା ଏମ.ଏନ (ପ୍ରକୃତ ନାମ ନୁହେଁ) କୁହନ୍ତି, "ମୋର ଗାଁରେ ମହିଳାମାନେ ସେମାନଙ୍କର ଋତୁସ୍ରାବ ସମୟର ପ୍ରଥମ ତିନି ରାତି ବାହାରେ ରହିଥାଆନ୍ତି ଏବଂ ଚତୁର୍ଥ ଦିନ ସକାଳେ ଘରକୁ ଫେରି ଆସିଥାନ୍ତି"। ସେ ନିଜେ ମଧ୍ୟ ଋତୁସ୍ରାବ ସମୟରେ ବାହାରେ ରହିଥାନ୍ତି। ସେ କୁହନ୍ତି, "ଏହା ଏକ ଅଭ୍ୟାସ। ଭଗବାନଙ୍କ ଭୟରେ କେହିବି ଏହି ପ୍ରଥାକୁ ବନ୍ଦ କରିବାକୁ ରାଜି ହେଉନାହାଁନ୍ତି"। ଲିଲା କୁହନ୍ତି, "ରାତିରେ ପରିବାର କେହିବି ଜଣେ ପୁରୁଷ ସଦସ୍ୟ - ଭାଇ,ଜେଜେ ବାପା କିମ୍ବା ସ୍ୱାମୀ - ଘର ଭିତରୁ କିମ୍ବା ବାହାରେ କିଛି ଦୂରରେ ଜଗି ରହିଥାନ୍ତି"। "ଚତୁର୍ଥ ଦିନ, ଯଦି ମହିଳା ଜଣଙ୍କର ଋତୁସ୍ରାବ ହେଉଥାଏ ତେବେ ଘର ଭିତରେ ପରିବାରର ସଦସ୍ୟମାନଙ୍କ ଠାରୁ ଦୂରରେ ରହିଥାନ୍ତି। ସ୍ତ୍ରୀମାନେ ସ୍ୱାମୀଙ୍କ ସହ ଶୋଇ ନଥାନ୍ତି। କିନ୍ତୁ ଆମେ ଘରେ କାମ କରିଥାଉ।"

ଯଦିଓ ପ୍ରତି ମାସରେ ବାହାରେ ରହିବା ଏହି ଏବଂ ଅନ୍ୟ କାଡୁଗୋଲ୍ଲା ଗାଁର ମହିଳାମାନଙ୍କ ପାଇଁ ଏକ ନିୟମିତ ନିର୍ବାସନରେ ପରିଣତ ହୋଇଛି, ଋତୁସ୍ରାବ କିମ୍ବା ପ୍ରସବ ପରେ ମହିଳାଙ୍କୁ ପୃଥକ ରଖିବାର ପ୍ରଥା ଆଇନରେ ବାରଣ କରାଯାଇଛି। ଅମାନୁଷିକ ମନ୍ଦ ଅଭ୍ୟାସ ଏବଂ ବ୍ଲାକ୍ ମ୍ୟାଜିକ୍ ଆକ୍ଟ, ୨୦୧୭(ଜାନୁଆରୀ ୪, ୨୦୨୦ ରେ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି) କର୍ଣ୍ଣାଟକରେ ରୋକିବା ଏବଂ ବିଲୋପ କରିବା ସହିତ ମୋଟ ୧୬ ଟି ଅଭ୍ୟାସ ସମେତ "ମହିଳାଙ୍କୁ ଅଲଗା ହେବା, ଗାଁରେ  ପୁନଃ ପ୍ରବେଶକୁ ବାରଣ କରିବା କିମ୍ବା ଋତୁସ୍ରାବ କିମ୍ବା ପ୍ରସବ ପରେ ପୃଥକ ବାସରେ ରହିବାକୁ ବାଧ୍ୟ କରିବାର ମନ୍ଦ ପ୍ରଥା ଉପରେ ନିଷେଧାଦେଶ ଦିଆଯାଇଛି" । ଏଥିରେ ଉଲ୍ଲଂଘନକାରୀଙ୍କ ପାଇଁ ୧ ବର୍ଷ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି।

କିନ୍ତୁ ଏହି ଆଇନ୍‍ ଗୋଷ୍ଠୀ ସ୍ୱାସ୍ଥ୍ୟସେବା ଦାୟିତ୍ୱ ତୁଲାଉଥିବା କାଡୁଗୋଲ୍ଲା ସଂପ୍ରଦାୟର ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ଏହି ପ୍ରଥା ପାଳନ କରିବାକୁ ନିରୁତ୍ସାହ କରିପାରିନାହିଁ। ଡି. ହୋସାହାଲ୍ଲିରେ ଜଣେ ଆଶା କର୍ମୀ ଡି. ଶର୍ଦମା (ପ୍ରକୃତ ନାମ ନୁହେଁ) ନିଜେ ମଧ୍ୟ ପ୍ରତ୍ୟେକ ମାସରେ ଋତୁସ୍ରାବ ସମୟରେ ବାହାରେ ରହିଥାନ୍ତି।

Jayamma (left) sits and sleeps under this tree in the Kadugolla hamlet of D. Hosahalli during her periods.  Right: D. Hosahalli grama panchayat president Dhanalakshmi K. M. says, ' I’m shocked to see that women are reduced to such a level'
PHOTO • Tamanna Naseer
Jayamma (left) sits and sleeps under this tree in the Kadugolla hamlet of D. Hosahalli during her periods.  Right: D. Hosahalli grama panchayat president Dhanalakshmi K. M. says, ' I’m shocked to see that women are reduced to such a level'
PHOTO • Tamanna Naseer

ଜୟ ମ୍ମା (ବାମ) ବସିଛନ୍ତି ଏବଂ ଡି. ହୋସାହାଲ୍ଲିର କାଡୁଗୋଲ୍ଲା ଗାଁର ଏହି ଗଛ ମୂଳରେ ଋତୁସ୍ରାବ ସମୟରେ ଶୋଇଥାନ୍ତି ଡାହାଣ: ଡି. ହୋସାହାଲ୍ଲି ଗ୍ରାମ ପଞ୍ଚାୟତର ପ୍ରେସିଡେଣ୍ଟ ବା ସଭାପତି ଧନଲକ୍ଷ୍ମୀ କେ. ଏମ. କୁହନ୍ତି, ‘ ମହିଳାମାନେ ଏପରି ସ୍ତରକୁ ଖସି ଯାଇଥିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି’

ପାଖାପାଖି ୪୦ ବର୍ଷୀୟା ଶର୍ଦମ୍ମା କୁହନ୍ତି, "ଏହି ଗ୍ରାମରେ ସମସ୍ତେ ଏହା କରିଥାନ୍ତି। ଚିତ୍ରଦୁର୍ଗା [ପଡୋଶୀ ଜିଲ୍ଲା] ଯେଉଁଠାରେ ମୁଁ ବଡ ହୋଇଛି, ସେମାନେ ଏହାକୁ ବନ୍ଦ କରିଦେଇଛନ୍ତି କାରଣ ସେମାନେ ଅନୁଭବ କଲେ ମହିଳାମାନଙ୍କର ବାହାରେ ରହିବା ନିରାପଦ ନୁହେଁ। ଏଠାରେ ସମସ୍ତେ ଅନୁଭବ କରନ୍ତି ଯେ ଯଦି ଆମେ ଏହି ପରମ୍ପରାକୁ ଅନୁସରଣ କରିବା ନାହିଁ ତେବେ ଭଗବାନ ଆମକୁ ଅଭିଶାପ ଦେବେ। ସମ୍ପ୍ରଦାୟର ଏକ ଅଂଶ ଭାବରେ, ମୁଁ ମଧ୍ୟ ଏହା କରେ। ମୁଁ ଏକୁଟିଆ କିଛି ବି ପରିବର୍ତ୍ତନ କରିପାରିବି ନାହିଁ। ଏବଂ ବାହାରେ ରହିବାରେ ମୁଁ କେବେବି କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହିଁ।"

ଏହି ପ୍ରଥା କାଡୁଗୋଲ୍ଲା ସମ୍ପ୍ରଦାୟର ସରକାରୀ କର୍ମଚାରୀମାନଙ୍କ ଘରେ ମଧ୍ୟ ପ୍ରଚଳିତ - ଯେପରିକି ୪୩ ବର୍ଷୀୟ ମୋହନ ଏସ. (ପ୍ରକୃତ ନାମ ନୁହେଁ)ଙ୍କ ଘରେ ଏହାକୁ ପାଳନ କରାଯାଏ, ଯିଏକି ଡି. ହୋସାହାଲ୍ଲି ଗ୍ରାମ ପଞ୍ଚାୟତରେ କାମ କରନ୍ତି। ଯେତେବେଳେ ତାଙ୍କର ଭାଇଙ୍କର ସ୍ତ୍ରୀ, ଯାହାର କି ଏମଏ-ବିଏଡ ଡିଗ୍ରୀ ରହିଛି, ଯେତେବେଳେ ୨୦୨୦ ମସିହାରେ ଏକ ଶିଶୁକୁ ଜନ୍ମ ଦେଇଥିଲେ, ଶିଶୁ ସହିତ ସେ ଦୁଇ ମାସ ବାହାରେ ସ୍ୱତନ୍ତ୍ର ଭାବରେ ସେମାନଙ୍କ ପାଇଁ ତିଆରି କରାଯାଇଥିବା ଏକ କୁଡିଆରେ ରହିଥିଲେ। ମୋହନ କୁହନ୍ତି, "ବାହାରେ ଆଗରୁ ଧାର୍ଯ୍ୟ ସମୟ ରହି ସାରିବା ପରେ ହିଁ ଆମ ଘର ଭିତରକୁ ସେମାନେ ଆସିପାରିବେ"। ତାଙ୍କର ୩୨ ବର୍ଷୀୟା ସ୍ତ୍ରୀ ଭାରତୀ (ତାଙ୍କର ପ୍ରକୃତ ନାମ ନୁହେଁ) ମୁଣ୍ଡ ହଲାଇ ସମ୍ମତି ଦେଇଥିଲେ: "ମୁଁ ମଧ୍ୟ ମୋର ଋତୁସ୍ରାବ ସମୟରେ କୌଣସି ବସ୍ତୁକୁ ସ୍ପର୍ଶ କରିନଥାଏ। ମୁଁ ଚାହେଁ ନାହିଁ ସରକାର ଏହି ପ୍ରଥାରେ ପରିବର୍ତ୍ତନ ଆଣନ୍ତୁ। ସେମାନେ ଆମ ପାଇଁ ଏକ ଘର ତିଆରି କରିଦିଅନ୍ତୁ ଯେଉଁଠାରେ କି ଆମେ ଗଛ ତଳେ ଶୋଇବା ପରିବର୍ତ୍ତେ ରହିପାରିବୁ।"

*****

ସମୟକ୍ରମେ, ଏହିପରି ଘର ତିଆରି କରିବା ପାଇଁ ଅନେକ ଉଦ୍ୟମ କରାଯାଇଛି। ୨୦୦୯ ଜୁଲାଇ ୧୦ ତାରିଖରେ ପ୍ରକାଶିତ ଗଣମାଧ୍ୟମ  ରିପୋର୍ଟ ଅନୁସାରେ କର୍ଣ୍ଣାଟକ ସରକାର ପ୍ରତ୍ୟେକ କାଡୁଗୋଲ୍ଲା ଗାଁ ବାହାରେ ଏକା ଥରକେ ୧୦ ଜଣ ଋତୁମତୀ ମହିଳା ରହିଲା ଭଳି ମହିଳା ଭବନ ନିର୍ମାଣ କରିବା ପାଇଁ ଏକ ଆଦେଶ ପାରିତ କରିଛନ୍ତି।

ଏହି ଆଦେଶ ପାରିତ ହେବାର ବହୁତ ପୂର୍ବରୁ ଜୟାମ୍ମାଙ୍କ ଗାଁ ଡି. ହୋସାହାଲ୍ଲିରେ ସ୍ଥାନୀୟ ପଞ୍ଚାୟତ ଦ୍ୱାରା ଏକ କୋଠରୀ ବିଶିଷ୍ଟ ପକ୍କା ଗୃହ ନିର୍ମାଣ କରାଯାଇଛି। କୁନିଗଲ ତାଲୁକ ପଞ୍ଚାୟତ ସଭ୍ୟ କ୍ରିଷ୍ନାପ୍ପା ଜି.ଟି କୁହନ୍ତି ଯେ ସେହି ଘରଟି ୫୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା, ଯେତେବେଳେ ସେ ଛୋଟ ପିଲା ଥିଲେ। ଗାଁର ମହିଳାମାନେ ଗଛ ମୂଳେ ଶୋଇବା ପରିବର୍ତ୍ତେ ଏହି ଘରଟିକୁ କିଛି ବର୍ଷ ପାଇଁ ବ୍ୟବହାର କରୁଥିଲେ। ଏବେ ଏହି ଭଙ୍ଗା ଘରଟି ବଣୁଆ ଘାସ ଓ ସରୀସୃପରେ ଭରି ଯାଇଛି।

ସେହିପରି, ଆରାଲାଲାସାନ୍ଦ୍ରାର କାଡୁଗୋଲ୍ଲା ଗାଁରେ ଏଥିପାଇଁ ନିର୍ମିତ ଘରଟି ଏବେ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ବ୍ୟବହାର ଅନୁପଯୋଗୀ ହୋଇ ରହିଛି। ଅନୁ ମନେପକାନ୍ତି,"ପ୍ରାୟ ପାଞ୍ଚ ବର୍ଷ ପୂର୍ବେ କିଛି ଜିଲ୍ଲା ଅଧିକରୀ ଓ ପଞ୍ଚାୟତ ସଭ୍ୟମାନେ ଆମ ଗାଁ ପରିଦର୍ଶନରେ ଆସିଥିଲେ"। ସେମାନେ ବାହାରେ ରହୁଥିବା (ଋତୁମତୀ) ମହିଳାମାନଙ୍କୁ ଘରକୁ ଯିବା ପାଇଁ କହିଲେ। ସେମାନେ କହିଲେ ବାହାରେ ରହିବା ଠିକ୍‍ ନୁହେଁ। ଆମେ ଘରଟି ଖାଲି କରିବା ପରେ ସେମାନେ ଚାଲିଗଲେ। ତା’ପରେ ସମସ୍ତେ ରୁମକୁ ଫେରିଗଲେ। କିଛି ମାସ ପରେ ସେମାନେ ପୁନର୍ବାର ଆସିଲେ ଓ ଋତୁସ୍ରାବ ସମୟରେ ଆମକୁ ଘରେ ରହିବାକୁ କହିଲେ ଏବଂ ସେହି ଘରଟିକୁ ଭାଙ୍ଗିବାକୁ ଆରମ୍ଭ କଲେ। କିନ୍ତୁ ସେହି ଘରଟି ଆମ ପାଇଁ ପ୍ରକୃତରେ ଦରକାରୀ ଥିଲା। କିଛି ନହେଲେ ମଧ୍ୟ କୌଣସି ଅସୁବିଧା ବିନା ଆମେ ଶୌଚାଳୟ ବ୍ୟବହାର  କରି ପାରୁଥିଲୁ।"

୨୦୧୪ ମସିହାରେ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉମାଶ୍ରୀ, କାଡୁଗୋଲ୍ଲା ମମ୍ପ୍ରଦାୟରେ ପ୍ରଚଳିତ ଏହି ସବୁ ବିଶ୍ୱାସ ବିରୋଧରେ ସ୍ୱର ଉତ୍ତୋଳନ କଲେ। ଏକ ପ୍ରତୀକାତ୍ମକ କାର୍ଯ୍ୟ ସ୍ୱରୂପ ସେ ଡି. ହୋସାହାଲ୍ଲିର କାଡୁଗୋଲ୍ଲା ଗାଁରେ ଋତୁସ୍ରାବ ସମୟରେ ମହିଳାମାନଙ୍କ ରହିବା ପାଇଁ କରାଯାଇଥିବା ଘରର ଏକ ଅଂଶ ଭାଙ୍ଗିଦେଲେ। ‘‘ଉମାଶ୍ରୀ ମାଡାମ୍‍ ଆମର ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଘରେ ରହିବା ପାଇଁ କହିଥିଲେ। ସେ ଯେତେବେଳେ ଆମ ଗାଁ ପରିଦର୍ଶନରେ ଆସିଥିଲେ, କିଛି ମହିଳା ରାଜି ହେଲେ, କିନ୍ତୁ ଏହି ପ୍ରଥାକୁ କେହି ବନ୍ଦ କଲେ ନାହିଁ। ସେ ପୋଲିସ ସୁରକ୍ଷା ଓ ଗାଁର ହିସାବରକ୍ଷକଙ୍କ ସହ ଆସିଲେ ଏବଂ ସେହି ଘରର କବାଟ ଓ କିଛି ଅଂଶ ଭାଙ୍ଗିଦେଲେ। ତାଲୁକ ପଞ୍ଚାୟତ ସଭ୍ୟ କ୍ରିଷ୍ଣାପ୍ପା ଜି. ଟି. କୁହନ୍ତି, "ସେ ଆମ ଅଞ୍ଚଳର ଉନ୍ନତି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବାସ୍ତବରେ କିଛି ହେଲା ନାହିଁ"।

A now-dilapidated room constructed for menstruating women in D. Hosahalli. Right: A hut used by a postpartum Kadugolla woman in Sathanur village
PHOTO • Tamanna Naseer
A now-dilapidated room constructed for menstruating women in D. Hosahalli. Right: A hut used by a postpartum Kadugolla woman in Sathanur village
PHOTO • Tamanna Naseer

ଡି. ହୋସାହାଲ୍ଲିରେ ଋତୁସ୍ରାବରେ ଥିବା ମହିଳାମାନଙ୍କ ପାଇଁ କରାଯାଇଥିବା କୋଠରୀଟି ଏବେ ଭାଙ୍ଗି ଯାଇଛି ଡାହାଣ: ପ୍ରସବ  ପରେ କାଡୁଗୋଲ୍ଲା ମହିଳାମାନଙ୍କ ଦ୍ୱାରା ସଥନୁର ଗାଁରେ ବ୍ୟବହାର କରାଯାଉଥିବା ଏକ କୁ ଡ଼ି

୨୦୨୧ ମସିହା ଫେବୃଆରୀ ମାସରେ ଡି. ହୋସାହାଲ୍ଲି ଗ୍ରାମ ପଞ୍ଚାୟତର ସଭାପତି ହୋଇଥିବା ଧନଲକ୍ଷ୍ମୀ କେ.ଏମ (ସେ କାଡୁଗୋଲ୍ଲା ସମ୍ପ୍ରଦାୟର ନୁହଁନ୍ତି) ଏବେବି, ଅଲଗା ଗୃହ ନିର୍ମାଣ କରିବାର ପ୍ରସ୍ତାବକୁ ପୁନର୍ବିଚାର କରୁଛନ୍ତି। ସେ କୁହନ୍ତି, "ମୁଁ ଦେଖି ଆଶ୍ଚର୍ଯ୍ୟ ହେଉଛି ଯେ ମହିଳାମାନେ ଏପରି ସ୍ତରକୁ ଖସି ଯାଇଛନ୍ତି ଯେ ସେମାନେ ନିଜର ଅତି ଗୁରୁତ୍ୱପୂର୍ଣ୍ଣ ଅବସ୍ଥା ଯଥା ପ୍ରସବ ପରେ ଓ ଋତୁସ୍ରାବ ସମୟରେ ସେମାନଙ୍କୁ ଘର ବାହାରେ ରହିବାକୁ ପଡୁଛି"। ‘‘ମୁଁ ଅତିକମ୍‌ରେ ସେମାନଙ୍କ ପାଇଁ ଅଲଗା ଘର ତିଆରି ପାଇଁ ପ୍ରସ୍ତାବ ଦେଇପାରିବି। ଦୁଃଖର କଥା ହେଉଛି ଏପରିକି ଶିକ୍ଷିତ ଯୁବତୀମାନେ ଏହା କରିବା ପାଇଁ ମନା କରୁ ନାହାନ୍ତି। ମୁଁ କିପରି ପରିବର୍ତ୍ତନ ଆଣିପାରିବି ଯେତେବେଳେ କି ସେମାନେ ଏହାର ବିରୋଧ କରୁନାହାନ୍ତି?"

ଅନ୍ୟମାନେ କୁହନ୍ତି, କୋଠରୀ ଉପରେ ବିତର୍କ, ନିର୍ଣ୍ଣାୟକ ଭାବରେ ବନ୍ଦ କରାଯିବା ଉଚିତ୍‍। ଜିଲ୍ଲା ପଛୁଆ ବର୍ଗ କଲ୍ୟାଣ ବିଭାଗର ପି.ବି ବସବାରାଜୁ କୁହନ୍ତି,"ଯଦିଓ ଅଲଗା କୋଠରୀ ମହିଳାମାନଙ୍କୁ ସାହାଯ୍ୟ କରିପାରେ, ଆମେ ଚାହୁଁଛୁ ସେମାନେ ଏହି ପ୍ରଥାକୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିଦିଅନ୍ତୁ"। "ଆମେ କାଡୁଗୋଲ୍ଲା ମହିଳାମାନଙ୍କ ସହ କଥା ହେବା ଓ ସେମାନଙ୍କୁ ଏହି କୁପ୍ରଥା ବନ୍ଦ କରିବାକୁ ପରାମର୍ଶ ଦେବା। ପୂର୍ବରୁ ମଧ୍ୟ, ଆମେ ଅନେକ ସଚେତନତା ଶିବିର ଆୟୋଜନ କରିଥିଲୁ।"

ଋତୁସ୍ରାବ ସମୟରେ ମହିଳାମାନଙ୍କ ରହିବା ପାଇଁ କୋଠରୀ ନିର୍ମାଣ କରିବା ଏହାର ସମାଧାନ ନୁହେଁ, ଆରାଲାଲାସାନ୍ଦ୍ରା ନିକଟ ଏକ ଗାଁର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଅବସରପ୍ରାପ୍ତ ଇନ୍ସପେକ୍ଟର ଜେନେରାଲ କେ. ଅର୍କେଶ ଗୁରୁତ୍ୱାରୋପ କରନ୍ତି। ସେ କୁହନ୍ତି, "ଏହି କୃଷ୍ଣ କୁଟୀର [କୋଠରୀଗୁଡିକୁ ନାମିତ କରାଯାଇଥିଲା] ଏହି ପ୍ରଥାକୁ ବିଧି ସଙ୍ଗତ ବୋଲି ବିବେଚନା କରେ। ଯେ କୌଣସି ପ୍ରସଙ୍ଗରେ ମହିଳାମାନେ ଅପବିତ୍ରର ମୌଳିକ ଧାରଣାକୁ ବର୍ଜନ କରାଯିବା ଉଚିତ୍‍ ଏବଂ ଏହାକୁ ବିଧିସିଦ୍ଧ କରିବା ଅନୁଚିତ୍‍"।

ସେ କୁହନ୍ତି, "ଏହି ଅପରିବର୍ତ୍ତନୀୟ ପ୍ରଥାଗୁଡିକ ଅତିଶୟ ଭାବରେ ନିର୍ଦ୍ଦୟ"। "କିନ୍ତୁ ସାମାଜିକ ଚାପ ଏପରି ଯେ ମହିଳାମାନେ ସଙ୍ଗଠିତ ହୁଅନ୍ତି ନାହିଁ କିମ୍ବା ସ୍ୱର ଉତ୍ତୋଳନ କରନ୍ତି ନାହିଁ। ସାମାଜିକ ବିପ୍ଳବ ପରେ ହିଁ କେବଳ ସତୀ ପ୍ରଥା ଉଚ୍ଛେଦ କରାଯାଇଥିଲା। ପରିବର୍ତ୍ତନ ଆଣିବାକୁ ସମସ୍ତଙ୍କର ଇଚ୍ଛା ଥିଲା। ନିର୍ବାଚନ ରାଜନୀତି କାରଣରୁ ଆମର ନେତାମାନେ ଏହି ବିଷୟରେ ଆଲୋଚନା କରିବା ପାଇଁ ଆଗ୍ରହୀ ହୁଅନ୍ତି ନାହିଁ। ରାଜନେତା, ସାମାଜିକ କର୍ମୀ ଓ ସମ୍ପ୍ରଦାୟର ଲୋକମାନଙ୍କର ଏକ ମିଳିତ ଉଦ୍ୟମ ଏହା ଆବଶ୍ୟକ କରେ।"

*****

ଯେ ପର୍ଯ୍ୟନ୍ତ, ଦୈବୀ ଅଭିଶାପ ଓ ସାମାଜିକ କଳଙ୍କର ଭୟ ସମସ୍ତଙ୍କ ମନରେ ଗଭୀର ପ୍ରଭାବ ପକାଇ ଏହି ପ୍ରଥାକୁ ଆଗେଇ ନେଉଛି।

ଆରାଲାଲାସାନ୍ଦ୍ରାର କାଡୁଗୋଲ୍ଲା ଗାଁର ଅନୁ କୁହନ୍ତି, "ଯଦି ଆମେ ଏହି ପ୍ରଥାକୁ ପାଳନ ନକରିବୁ, ଆମର ଅନେକ କ୍ଷତି ଘଟିବ"। "ଅନେକ ବର୍ଷ ପୂର୍ବେ, ଆମେ ଶୁଣିଛୁ ଟୁମକୁର ନାମକ ମହିଳା ଏହି ସମୟରେ ବାହାରେ ରହିବାକୁ ମନା କରିଦେଇଥିଲେ ଏବଂ ରହସ୍ୟମୟ ଭାବରେ ତାଙ୍କର ଘର ଜଳି ଯାଇଥିଲା।"

Anganwadi worker Ratnamma (name changed at her request; centre) with Girigamma (left) in Sathanur village, standing beside the village temple. Right: Geeta Yadav says, 'If I go to work in bigger cities in the future, I’ll make sure I follow this tradition'
PHOTO • Tamanna Naseer
Anganwadi worker Ratnamma (name changed at her request; centre) with Girigamma (left) in Sathanur village, standing beside the village temple. Right: Geeta Yadav says, 'If I go to work in bigger cities in the future, I’ll make sure I follow this tradition'
PHOTO • Tamanna Naseer

ଅଙ୍ଗନବାଡି କର୍ମୀ ରତ୍ନମ୍ମା (ମଝିରେ; ତାଙ୍କ ଅନୁରୋଧ କ୍ରମେ ନାମ ପରିବର୍ତ୍ତନ କରାଯାଇଛି) ସହିତ ଗିରିଗାମ୍ମା (ବାମ) ସଥନୁର ଗ୍ରାମରେ, ଗାଁ ମନ୍ଦିର ପାଖରେ ଛିଡା ହୋଇଛନ୍ତି। ଡାହାଣ: ଗୀତା ଯାଦବ କୁହନ୍ତି, ‘ମୁଁ ଯଦି ଭବିଷ୍ୟତରେ ବଡ଼ ସହରକୁ କାମ କରିବାକୁ ଯାଏ, ମୁଁ ଏହି ପ୍ରଥାକୁ ନିଶ୍ଚିନ୍ତ ପାଳନ କରିବି’

ଡି. ହୋସାହାଲ୍ଲି ଗ୍ରମପଞ୍ଚାୟତର ମୋହନ ଏସ. କୁହନ୍ତି, "ଆମେ ସେହିପରି ରହୁଛୁ ଯେପରି ଆମର ଭଗବାନ ଇଚ୍ଛା କରନ୍ତି ଏବଂ ଯଦି ଆମେ ଅବଜ୍ଞା କରୁ ତେବେ ଆମକୁ ଏହାର ଫଳାଫଳ ଭୋଗିବାକୁ ପଡ଼ିବ"। ସେ କୁହନ୍ତି, ଯଦି ଏହି ପ୍ରଥା ଉଠିଯାଏ, "ରୋଗ ସବୁଆଡେ ବ୍ୟାପିଯିବ, ଆମର ଛେଳି ଓ ମେଣ୍ଢାମାନେ ମରିଯିବେ। ଆମର ଅନେକ ଅସୁବିଧା ହେବ, ଲୋକମାନଙ୍କର ବହୁତ କ୍ଷତି ହେବ। ଏହି ପ୍ରଥା ବନ୍ଦ ହେବା ଉଚିତ୍‍ ନୁହେଁ। ଆମେ କିଛିବି ପରିବର୍ତ୍ତନ ଚାହୁଁ ନାହୁଁ।"

ରାମନଗର ଜିଲ୍ଲାର ସାଥାନୁର ଗାଁର କାଡୁଗୋଲ୍ଲା ତାଲୁକାର ଗିରିଗାମ୍ମା କୁହନ୍ତି, "ମାଣ୍ଡ୍ୟା ଜିଲ୍ଲାରେ, ଜଣେ ମହିଳା ଋତୁସ୍ରାବ ସମୟରେ ଘରେ ଥିବାରୁ ଏକ ସାପ ତାଙ୍କୁ କାମୁଡି ଦେଇଥିଲା"। ଏଠାରେ ସରକାରଙ୍କ ଦ୍ୱାରା ନିର୍ମିତ ସଂଲଗ୍ନ ବାଥରୁମ ଥିବା ଏକ ପକ୍କା କୋଠରୀ ଏବେ ମଧ୍ୟ ଋତୁମତୀ ମହିଳାମାନଙ୍କୁ ଆଶ୍ରୟ ଦେଇଥାଏ। ମୁଖ୍ୟ ଗ୍ରାମ ରାସ୍ତାରୁ ଏକ ସଂକୀର୍ଣ୍ଣ ରାସ୍ତା ଏହି କୋଠରୀ ଆଡ଼କୁ ଯାଏ।

ଗୀତା ଯାଦବ ଡରିଯାଇଥିଲେ ବୋଲି ମନେପକାନ୍ତି ଯେତେବେଳେ ତିନି ବର୍ଷ ପୂର୍ବେ ତାଙ୍କର ପ୍ରଥମ ଋତୁସ୍ରାବ ସମୟରେ ତାଙ୍କୁ ଏଠାରେ ପ୍ରଥମ ଥର ପାଇଁ ଏକୁଟିଆ ରହିବାକୁ ପଡ଼ିଥିଲା। ‘‘ମୁଁ କାନ୍ଦିଲି ଓ ମୋ ମା’କୁ ମୋତେ ସେଠାକୁ ନ ପଠେଇବା ପାଇଁ କହିଲି। କିନ୍ତୁ ସେ ଶୁଣିଲେ ନାହିଁ। ବର୍ତ୍ତମାନ, ସେଠାରେ ସବୁବେଳେ କିଛି ମାଉସୀ [ଅନ୍ୟ ଋତୁସ୍ରାବ କରୁଥିବା ମହିଳାମାନେ] ସାଥିରେ ରହୁଛନ୍ତି, ତେଣୁ ମୁଁ ଶାନ୍ତିରେ ଶୋଇପାରୁଛି। ମୁଁ ପାଠ ପଢିବାକୁ ଯାଏ ଓ ସେଠାରୁ ସିଧା କୋଠରୀକୁ ଯାଇଥାଏ। ଏକାଦଶ ଶ୍ରେଣୀରେ ପଢୁଥିବା,୧୬ ବର୍ଷର ଗୀତା କୁହନ୍ତି, "ମୋ ଇଚ୍ଛା ଆମ ପାଖରେ ଶୋଇବା ପାଇଁ ଖଟ ଯଦି ଥାଆନ୍ତା ଓ ଆମକୁ ତଳେ ଶୋଇବାକୁ ପଡୁନଥାନ୍ତା"। ସେ କୁହନ୍ତି, "ମୁଁ ଯଦି ଭବିଷ୍ୟତରେ ବଡ ସହରକୁ କାମ କରିବାକୁ ଯାଏ, ମୁଁ ଏକ ଅଲଗା କୋଠରୀରେ ରହିବି ଏବଂ କିଛି ସ୍ପର୍ଶ କରିବି ନାହିଁ । ମୁଁ ଏହି ପ୍ରଥାକୁ ନିଶ୍ଚିନ୍ତ ପାଳନ କରିବି’। ଏହାକୁ ଆମ ଗାଁରେ ବହୁତ ପ୍ରାଧାନ୍ୟ ଦିଆଯାଏ"।

ଯେତେବେଳେ ୧୬ ବର୍ଷ ବୟସରେ ଗୀତା ଏହି ପରମ୍ପରାକୁ ଆଗକୁ ନେବାକୁ ଚାହୁଁଛି, ୬୫ ବର୍ଷୀୟା ଗିରିଗାମ୍ମା ସୂଚାଇ ଦିଅନ୍ତି ଯେ ଏହି ସମ୍ପ୍ରଦାୟରେ ଯେହେତୁ ମହିଳାମାନଙ୍କୁ ଏହି ବାଧ୍ୟତାମୂଳକ ସଙ୍ଗରୋଧ ସମୟରେ ବିଶ୍ରାମ ଦିଆଯାଉଛି ତେଣୁ ସେମାନଙ୍କ ପାଖରେ ଅଭିଯୋଗ କରିବାର କୌଣସି କାରଣ ନାହିଁ। ସେ କୁହନ୍ତି, "ଆମେ ମଧ୍ୟ ଖରା ଓ ବର୍ଷାରେ ବାହାରେ ରହୁଥିଲୁ। ବାତ୍ୟା ସମୟରେ ମୋତେ ଅନ୍ୟ ଜାତିର ଲୋକଙ୍କ ଘରେ ଆଶ୍ରୟ ନେବାକୁ ପଡୁଥିଲା ଯେହେତୁ ଆମ ଜାତିର କୌଣସି ଲୋକଙ୍କ ଘରକୁ ପ୍ରବେଶ କରିବା ନିଷେଧ ଥିଲା"। "ବେଳେବେଳେ ଆମକୁ ଭୂମି ଉପରେ ପଡିଥିବା ପତ୍ରରେ ରଖାଯାଇଥିବା ଖାଦ୍ୟ ଖାଇବାକୁ ପଡୁଥିଲା। ବର୍ତ୍ତମାନ ମହିଳାମାନଙ୍କ ପାଖରେ ଅଲଗା ବାସନ ରହିଛି। ଆମେ କୃଷ୍ଣଙ୍କର ଭକ୍ତ, ଏଠାର ମହିଳାମାନେ କିପରି ଏହି ପ୍ରଥାକୁ ଅନୁସରଣ କରିବେ ନାହିଁ?"

କନକପୁର ତାଲୁକ (ଯେଉଁଠାରେ ସାଥାନୁର ଗ୍ରାମ ଅବସ୍ଥିତ) ରେ କବ୍ବାଲା ଗ୍ରାମ ପଞ୍ଚାୟତର ଅଙ୍ଗନବାଡି କର୍ମୀ ୨୯ ବର୍ଷୀୟା ରତ୍ନାମ୍ମା (ପ୍ରକୃତ ନାମ ନୁହେଁ) କୁହନ୍ତି, "ଏହି ତିନି-ଚାରି ଦିନରେ ଆମର କାମ ହେଉଛି କେବଳ ବସିବା, ଶୋଇବା ଓ ଖାଇବା। ନହେଲେ, ଆମେ ରୋଷେଇ, ସଫା ଓ ଛେଳିମାନଙ୍କ ପଛରେ ଦୌଡିବା କାମରେ ବ୍ୟସ୍ତ ରହୁ। ଋତୁସ୍ରାବ ଗୃହରେ ରହିଲେ ଆମକୁ ଏହି ସବୁ କାମ କରିବାକୁ ପଡିବ ନାହିଁ।"

A state-constructed room (left) for menstruating women in Sathanur: 'These Krishna Kuteers were legitimising this practice. The basic concept that women are impure at any point should be rubbished, not validated'. Right: Pallavi segregating with her newborn baby in a hut in D. Hosahalli
PHOTO • Tamanna Naseer
A state-constructed room (left) for menstruating women in Sathanur: 'These Krishna Kuteers were legitimising this practice. The basic concept that women are impure at any point should be rubbished, not validated'. Right: Pallavi segregating with her newborn baby in a hut in D. Hosahalli
PHOTO • Tamanna Naseer

ରାଜ୍ୟ ସରକାରଙ୍କ ଦ୍ୱାରା ଋତୁମତୀ ମହିଳାଙ୍କ ପାଇଁ ନିର୍ମାଣ କରାଯାଇଥିବା କୋଠରୀ (ବାମ): ଏହି ପ୍ରଥାକୁ  କ୍ରିଷ୍ଣା କୁଟୀରଗୁଡିକ ବିଧି ସଂଗତ  ବୋଲି ବିବେଚନା କରୁଛି ଯେ କୌଣସି ପ୍ରସଙ୍ଗରେ ମହିଳାମାନେ ଅପବିତ୍ରର ମୌଳିକ ଧାରଣାକୁ ବର୍ଜନ କରାଯିବା ଉଚିତ୍‍ ଏବଂ ଏହାକୁ ବିଧିସିଦ୍ଧ କରିବା ଅନୁଚିତ୍‍ ଡାହାଣ: ଡି.ହୋସାହାଲ୍ଲିର ଏକ କୁଟୀରରେ ପଲ୍ଲବି ନିଜର ନବଜାତ ଶିଶୁ ସହ ରହୁଛନ୍ତି

ଯଦିଓ ଗିରିଗାମ୍ମା ଏବଂ ରତ୍ନାମ୍ମା ପୃଥକ୍‍ ବାସରେ  ସୁବିଧା ଦେଖନ୍ତି, ଏହି ପ୍ରଥା ଦ୍ୱାରା ଅନେକ ଦୁର୍ଘଟଣା ଏବଂ ମୃତ୍ୟୁ ଘଟିଛି । ଡିସେମ୍ବର ୨୦୧୪ ର ଏକ ଖବରକାଗଜ ରିପୋର୍ଟରେ ଦର୍ଶାଯାଇଛି ଯେ ଟୁମକୁରରେ ବର୍ଷା ପରେ ଥଣ୍ଡା ହେତୁ ନିଜ ମା ସହିତ ଏକ କୁଟୀରରେ ରହୁଥିବା ଏକ ନବଜାତ କାଡୁଗୋଲ୍ଲା ଶିଶୁର ମୃତ୍ୟୁ ଘଟିଛି। ଅନ୍ୟ ଏକ ରିପୋର୍ଟରେ ୨୦୧୦ ରେ ମାଣ୍ଡ୍ୟାର ମଦଦୁର ତାଲୁକର ଏକ କାଡୁଗୋଲ୍ଲା ଗାଁରେ କୁକୁର ଦ୍ୱାରା ଟାଣି ନିଆଯାଇଥିବା ୧୦ଦିନର ଶିଶୁ ବିଷୟରେ କୁହାଯାଇଛି ।

ଗତ ବର୍ଷ ଫେବୃଆରୀରେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇଥିବା ଡି ହୋସାହାଲ୍ଲୀ ଗାଁର କାଡୁଗୋଲ୍ଲା ତାଲୁକର ୨୨ ବର୍ଷୀୟ ଗୃହିଣୀ ପଲ୍ଲବୀ ଜୀ ଏହି ବିପଦକୁ ଖଣ୍ଡନ କରିଛନ୍ତି। “ଯଦି ଏତେ ବର୍ଷ ମଧ୍ୟରେ ଦୁଇ-ତିନୋଟି ମାମଲା ହୋଇଛି, ତେବେ ଏହା ମୋତେ ବ୍ୟଥିତ କରେ ନାହିଁ। ଏହି କୁଡ଼ିଆ ବାସ୍ତବରେ ଆରାମଦାୟକ । ମୁଁ କାହିଁକି ଭୟଭୀତ ହେବି? ମୋର ଋତୁସ୍ରାବ ସମୟରେ ମୁଁ ସବୁବେଳେ ଅନ୍ଧାରରେ ରହି ଆସିଛି । ସେ ନିଜର ଶିଶୁକୁ ଦୋଳିରେ ଝୁଲାଇ କୁହନ୍ତି,"ଏହା ମୋ ପାଇଁ ନୂଆ ନୁହେଁ"।

ପଲ୍ଲବୀ, ଯାହାର ସ୍ୱାମୀ ଟୁମକୁରର ଏକ ଗ୍ୟାସ୍ କାରଖାନାରେ କାମ କରନ୍ତି, ସେ ନିଜ ପିଲା ସହିତ ଅନ୍ୟ କିଛି ମିଟର ଦୂରରେ ଥିବା ଅନ୍ୟ ଏକ କୁଟୀରରେ ଶୋଇଥାନ୍ତି ଯେଉଁଠାରେ ତାଙ୍କ ମା’ କିମ୍ବା ଜେଜେବାପା ପାଖରେ ରୁହନ୍ତି। ଦୁଇଟି ଛୋଟ ସଂରଚନା ମଧ୍ୟରେ ଏକ ଷ୍ଟାଣ୍ଡିଂ ଫ୍ୟାନ୍ ଏବଂ ଏକ ବଲ୍ବ ଅଛି, ଏବଂ ଏକ ବାହାର ଅଞ୍ଚଳ ଯେଉଁଠାରେ ଜଳ ଗରମ କରିବା ପାଇଁ ଏକ ପାତ୍ରକୁ ଅଗ୍ନି ସଂଯୋଗ କରାଯାଇଥିବା କାଠରେ ରଖାଯାଇଛି । ପାଲାଭି ଏବଂ ତାଙ୍କ ଶିଶୁର ପୋଷାକ ତାଙ୍କ କୁଟୀର ଉପରେ ଶୁଖିବା ପାଇଁ ରଖାଯାଇଛି। ଦୁଇ ମାସ ତିନି ଦିନ ପରେ, ମାଆ ଏବଂ ଶିଶୁକୁ କୁଟୀରଠାରୁ ୧୦୦ ମିଟର ଦୂରରେ ଥିବା ଘର ଭିତରକୁ ନିଆଯିବ।

କିଛି କାଡୁଗୋଲ୍ଲା ପରିବାର ନବଜାତ ଶିଶୁ ଓ ମା’ଙ୍କୁ ଘରକୁ ଆଣିବା ପୂର୍ବରୁ ରୀତିନୀତି ଅନୁଯାୟୀ ଏକ ମେଣ୍ଡା ବଳି ଦେଇଥାନ୍ତି। ସାଧାରଣତଃ ଏକ ପବିତ୍ରୀକରଣ ବିଧି କରାଯାଏ ଏବଂ କୁଟୀର ସମେତ ପିଲା ଓ ମା’ଙ୍କର ସମସ୍ତ ଲୁଗାପଟା ଓ ଆସବାପତ୍ର ସଫା କରାଯାଏ। ଗାଁର ବୟୋଯେଷ୍ଠ ବ୍ୟକ୍ତିମାନେ କିଛି ଦୂରରୁ ଏହି ଦମ୍ପତ୍ତିଙ୍କୁ ପଥ ପଦର୍ଶନ କରିଥାନ୍ତି। ତା’ ପରେ ସେମାନଙ୍କୁ ସ୍ଥାନୀୟ ମନ୍ଦିରକୁ ନାମକରଣ ଉତ୍ସବ ନିମନ୍ତେ ନିଆଯାଏ; ସେଠାରେ ସେମାନେ ପ୍ରର୍ଥନା କରନ୍ତି ଓ ପ୍ରସାଦ ସେବନ କରନ୍ତି - ଏବଂ ତା ପରେ ସେମାନଙ୍କୁ ଘର ଭିତରକୁ ଯିବାପାଇଁ ଅନୁମତି ଦିଆଯାଏ।

*****

କିନ୍ତୁ ସେଠାରେ ମଧ୍ୟ କ୍ଷୀଣ ପ୍ରତିରୋଧ ରହିଛି

ଡି. ଜୟଲକ୍ଷମ୍ମା, ଯିଏକି ଆରାଲାଲାସାନ୍ଦ୍ରା ଗ୍ରାମର ଛୋଟିଆ ଗାଁ କାଡୁଗୋଲ୍ଲାରେ ରୁହନ୍ତି, ଋତୁସ୍ରାବ ସମୟରେ ଘର ବାହାରେ ରୁହନ୍ତି ନାହିଁ, ଯେତେବେଳେକି ତାଙ୍କୁ ଏହି ପ୍ରଥାକୁ ଅନୁସରଣ କରିବା ପାଇଁ ତାଙ୍କ ସମ୍ପ୍ରଦାୟର ଲୋକମାନେ ବାରମ୍ବାର ବାଧ୍ୟ କରନ୍ତି। ୪୫ ବର୍ଷୀୟା ଅଙ୍ଗନବାଡି କର୍ମୀ ନିଜର ସମସ୍ତ ଚାରୋଟି ପ୍ରସବ ପରେ ନିଜର ପଡୋଶୀ କାଡୁଗୋଲ୍ଲା ପରିବାରଗୁଡିକୁ କ୍ରୋଧିତ କରି ଚିକିତ୍ସାଳୟରୁ ସିଧା ଘରକୁ ଆସିଥିଲେ।

Aralalasandra village's D. Jayalakshmma and her husband Kulla Kariyappa are among the few who have opposed this practice and stopped segeragating
PHOTO • Tamanna Naseer
Aralalasandra village's D. Jayalakshmma and her husband Kulla Kariyappa are among the few who have opposed this practice and stopped segeragating
PHOTO • Tamanna Naseer

ଆରାଲାଲାସାନ୍ଦ୍ରା ଗାଁର ଡି. ଜୟଲକ୍ଷମ୍ମା ଓ ତାଙ୍କର ସ୍ୱାମୀ କୁଲ୍ଲା କରିୟାପ୍ପା ହେଉଛନ୍ତି ଏହି ପ୍ରଥାକୁ ବିରୋଧ କରୁଥିବା ଓ ପୃଥକ୍‍ ବାସ ବନ୍ଦ କରିଥିବା ଲୋକମାନଙ୍କ ମଧ୍ୟରୁ କିଛି

୧୦ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା,ଯୟଲକ୍ଷମ୍ମା କୁହନ୍ତି, "ମୁଁ ଯେତେବେଳେ ବିବାହ କଲି, ସମସ୍ତ ମହିଳାମାନେ ଋତୁସ୍ରାବ ସମୟରେ ଗାଁ ବାହାରେ ଥିବା ଛୋଟ କୁଡିଆରେ ରହିବାପାଇଁ ଯାଉଥିଲେ ବେଳେବେଳେ ଗଛ ତଳେ ମଧ୍ୟ। ମୋର ସ୍ୱାମୀ ଏହି ପ୍ରଥାକୁ ବିରୋଧ କଲେ। ମୁଁ ମଧ୍ୟ ବିବାହ ପୂର୍ବରୁ ମୋର ବାପା-ମାଙ୍କ ଘରେ ଏହାକୁ ପସନ୍ଦ କରୁନଥିଲି। ତେଣୁ ମୁଁ ଏହା କରିବା ବନ୍ଦ କରିଦେଲି। କିନ୍ତୁ ଲୋକମାନେ ଏବେବି ଆମକୁ ଉପହାସ କରୁଛନ୍ତି"। ୧୯ ରୁ ୨୩ ବର୍ଷ ମଧ୍ୟରେ ଥିବା ତାଙ୍କର ତିନୋଟି ଝିଅ ଋତୁସ୍ରାବ ସମୟରେ ମଧ୍ୟ ବାହାରେ ରୁହନ୍ତି ନାହିଁ।

"ସେମାନେ[ଗ୍ରାମବାସୀ] ଆମକୁ ଉପହାସ ଓ ହଇରାଣ କରନ୍ତି। ଆମେ ଯେତେବେଳେ କୌଣସି ଅସୁବିଧାର ସମ୍ମୁଖୀନ ହେଉ,ସେମାନେ କୁହନ୍ତି ଯେ ଆମେ ଏହି ପ୍ରଥା ଅନୁସରଣ କରୁନଥିବାରୁ  ଏସବୁ ଘଟୁଛି, ଆମ ସହ ଆହୁରି ବହୁତ କିଛି ଅଘଟଣା ଘଟିବ ବୋଲି ସେମାନେ କୁହନ୍ତି। ସେମାନେ ଆମଠାରୁ  ଅନେକ ସମୟରେ ଦୂରେଇ ରୁହନ୍ତି। ଜୟଲକ୍ଷମ୍ମାଙ୍କର ୬୦ ବର୍ଷୀୟ ସ୍ୱାମୀ କୁଲ୍ଲା କରିୟାପ୍ପା କୁହନ୍ତି,"ଆଇନ୍‍ ଭୟରେ କିଛି ବର୍ଷ ହେଲାଣି ସେମାନେ ଆମକୁ ଆଉ ଉପେକ୍ଷା କରୁ ନାହାନ୍ତି"। ସେ ହେଉଛନ୍ତି ଏମ.ଏ ବି.ଏଡ ଡିଗ୍ରୀଧାରୀ ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟାପକ। ସେ କ୍ରୋଧରେ କୁହନ୍ତି,"ଗ୍ରାମବାସୀମାନେ ଯେତେବେଳେ ମୋତେ ପ୍ରଶ୍ନ ପଚାରନ୍ତି ଓ ଏହି ପ୍ରଥାକୁ ଅନୁସରଣ କରିବାକୁ କୁହନ୍ତି, ମୁଁ କୁହେ ମୁଁ ଜଣେ ଶିକ୍ଷକ, ମୁଁ ଏହିପରି କାର୍ଯ୍ୟ କରିପାରିବି ନାହିଁ। ଆମ ଝିଅମାନଙ୍କର ଧାରଣାକୁ ବିଧିବଦ୍ଧ ଭାବରେ ପରିବର୍ତ୍ତନ କରିଦିଆଯାଇଛି ଯେ ସେମାନଙ୍କୁ ସବୁବେଳେ ତ୍ୟାଗ କରିବାକୁ ପଡିବ "।

ଜଯଲକ୍ଷମ୍ମା ପରି ଆରାଲାଲାସାନ୍ଦ୍ରାର ଦୁଇଟି ସନ୍ତାନର ଜନନୀ ୩୦ ବର୍ଷୀୟା ଅମ୍ରିତା(ପ୍ରକୃତ ନାମ ନୁହେଁ) ମଧ୍ୟ ଏହି ବାଧ୍ୟତାମୂଳକ ପୃଥକବାସକୁ ବନ୍ଦ କରିବାକୁ ଇଚ୍ଛା ପ୍ରକାଶ କରନ୍ତି- କିନ୍ତୁ ସେ ବନ୍ଦ କରିବାକୁ ଅସମର୍ଥ। "କୌଣସି ଉଚ୍ଚ ପଦାଧିକାରୀଙ୍କୁ(ସରକାରୀ ବା ରାଜନେତା ) ଆମ ଗାଁର ମୁରବୀମାନଙ୍କୁ ବୁଝାଇବାକୁ ପଡିବ। ଯେପର୍ଯ୍ୟନ୍ତ ମୋର ପାଞ୍ଚ ବର୍ଷର ଝିଅକୁ ଏହାକୁ କରିବାକୁ ବାଧ୍ୟ କରାଯିବ [ଯେତେବେଳେ ସେ ବଡ ହୋଇଯିବ]। ତାକୁ ଏହା କରିବା ପାଇଁ ମୋତେ କହିବାକୁ ପଡିବ। ମୁଁ ଏହି ପ୍ରଥାକୁ ଏକୁଟିଆ ବନ୍ଦ କରି ପାରିବି ନାହିଁ।"

ପରୀ ଓ କାଉଣ୍ଟର ମେଡିଆ ଟ୍ରଷ୍ଟର ସାରା ଦେଶରେ ଗ୍ରାମୀଣ ଭାରତର କିଶୋର ବାଳିକା ଓ ତରୁଣ ମହିଳାମାନଙ୍କ ଉପରେ ଗବେଷଣା ବିବରଣୀ ପ୍ରସ୍ତୁତ କରିବା ଯାହାକି ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆଙ୍କର ସହାୟତାରେ ଏହି ଗୁରୁତ୍ୱପୂର୍ଣ୍ଣ ତଥା ଅବହେଳିତ ବର୍ଗଙ୍କ ଅବସ୍ଥା ବିଷୟରେ ସେମାନଙ୍କ ଠାରୁ ଶୁଣି ଓ ସାଧାରଣ ଲୋକଙ୍କ ଜୀବନ୍ତ ଅନୁଭୂତିକୁ ଅନୁଭବ କରି ପରିପ୍ରକାଶ କରିବା ହେଉଛି ଲକ୍ଷ୍ୟ।

ଏହି ପ୍ରବନ୍ଧ ପୁନଃ ପ୍ରକାଶିତ କରିବାକୁ ଚାହାଁନ୍ତି, ଦୟାକରି [email protected] କୁ ଏକ ସିସି ସହିତ [email protected] କୁ ଲେଖନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

Tamanna Naseer

Tamanna Naseer is a freelance journalist based in Bengaluru.

Other stories by Tamanna Naseer
Illustration : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE