“ମୋର ଦୁଇ ବଡ଼ ପୁଅ ପାଟିଲ (ଚାଷ ଜମି ମାଲିକ)ଙ୍କ ପାଖରେ ଦୁଇ ଦିନ ପର୍ଯ୍ୟନ୍ତ କାମ କଲେ ଏବଂ ୧୫୦ ଟଙ୍କା ଲେଖାଏଁ ଆୟ କରିଥିଲେ। ସେମାନେ ସେହି ଟଙ୍କାରେ ତାଙ୍କ ଠାରୁ କାନ୍ୟା କିଣିଥିଲେ”, ବନୀତା ଭୋଏର ମୋତେ କହିଥିଲେ। ସେ ଏକ ହଳଦିଆ ପ୍ଲାଷ୍ଟିକ ଡବା ଖୋଲି ସେଥିରୁ କିଛି ଚାଉଳ ଖୁଦ ବାହାର କରି ହାତରେ ମୋତେ ଦେଖାଇଥିଲେ। ଚାଷ ହୋଇଥିବା ଧାନ କୁଟା ହୋଇ ଚାଉଳ ଅଲଗା କରାଯିବା ପରେ ଏଗୁଡ଼ିକ ସେଥିରୁ ବାହାରିଥାଏ, ଏବଂ ଏହା ଚାଉଳ ଠାରୁ ଶସ୍ତା ହୋଇଥାଏ। ଏହି କାନ୍ୟା ସହିତ ୫୨ ବର୍ଷୀୟା ବନୀତାଙ୍କ ଚାଳ ଛପର ଓ ମାଟି ଘରେ ଗୋଟିଏ ସପ୍ତାହ ପାଇଁ ଲୁଣ, ଲଙ୍କାଗୁଣ୍ଡ, ହଳଦୀ, ଖାଇବା ତେଲ ଏବଂ କିଛି ଆଳୁ ରହିଥିଲା। ତେବେ ଏସବୁ ସ୍ଥାନୀୟ ସମାଜସେବୀମାନେ ତାଙ୍କ ପରିବାରକୁ ଦେଇଥିଲେ।

“ଯେଉଁମାନଙ୍କର ରାସନ କାର୍ଡ ଅଛି ସେମାନେ ସରକାରଙ୍କଠାରୁ ଖାଦ୍ୟସାମଗ୍ରୀ ପାଇଛନ୍ତି। ସେମାନେ ମଧ୍ୟ ଚାଉଳ ପାଇଛନ୍ତି (ମାର୍ଚ୍ଚରେ ଲକଡାଉନ ଆରମ୍ଭ ହେବା ପରଠାରୁ ପ୍ରତି ମାସ)। କିନ୍ତୁ ମୋର ରାସନ କାର୍ଡ ନାହିଁ। ମୋ ପରିବାର କ’ଣ କରିବ?”, ବନୀତାଙ୍କ ପତି ୫୫ ବର୍ଷୀୟ ନବସୁ ଭୋଏର ପ୍ରଶ୍ନ କରିଥାନ୍ତି। “ସରକାର ଆମକୁ ସାହାଯ୍ୟ କରିନାହାନ୍ତି। ଆମର କାମ ମଧ୍ୟ ବନ୍ଦ ହୋଇଯାଇଛି। ଆମେ କ’ଣ ଖାଇବୁ?”

ନବସୁ କେବେ ରାସନ କାର୍ଡ ପାଇଁ ଆବେଦନ କରିନାହାନ୍ତି। ସେ କୁହନ୍ତି, “ଆମେ ସବୁବର୍ଷ କାମ ପାଇଁ ଘର ଛାଡ଼ିଥାଉ। କିପରି ଆବେଦନ କରାଯିବ ମୁଁ ଜାଣେ ନାହିଁ।” ସେ ଅଶିକ୍ଷିତ; ତାଙ୍କର ଓ ବନୀତାଙ୍କ ତିନି ପିଲାଙ୍କ ମଧ୍ୟରୁ ଆନନ୍ଦ (୧୮) ଓ ଶିବା (୧୨) ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଥିବା ବେଳେ ରାମଦାସ (୧୬) ଚତୁର୍ଥ ଶ୍ରେଣୀ ପରେ ସ୍କୁଲ ଛାଡ଼ିଛନ୍ତି। ସେମାନଙ୍କର ଦୁଇ ଛୋଟ ପିଲା- କ୍ରିଷ୍ଣା (୮) ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସବୁଠୁ ସାନ ସଙ୍ଗୀତା (୪) ସ୍ଥାନୀୟ ଅଙ୍ଗନବାଡ଼ିକୁ ଯାଉଛନ୍ତି।

ପାଲଘର ଜିଲ୍ଲାର ୱାଡା ସହରଠାରୁ ପାଖାପାଖି ୨୦ କିମି ଦୂର ବୋରନ୍ଦା ଗ୍ରାମରେ ଭୋଏର ପରିବାର ରହିଥାନ୍ତି। ସେମାନେ ରହୁଥିବା ପଡ଼ାରେ ଅତି ବେଶୀରେ ଆଠଟି କାତକରୀ ଆଦିବାସୀ ସମୁଦାୟର କୁଡ଼ିଆ ରହିଛି।

ଗତ ବର୍ଷ ନଭେମ୍ବର ମାସରେ, ଏହି ଶ୍ରମିକ ପରିବାର ଭିୱାଣ୍ଡି ତାଲୁକାରେ ଥିବା ଇଟାଭାଟିରେ କାମ କରିବାକୁ ଯାଇଥିଲେ। ଇଟାଭାଟିରେ କାମ କରିବାମାନେ ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରିବା। ସପ୍ତାହକୁ ଥରେ ଇଟାଭାଟି ମାଲିକ ୪୦୦-୫୦୦ ଟଙ୍କା ଖର୍ଚ୍ଚି (ଖର୍ଚ୍ଚ) ଦେଇଥାନ୍ତି, ସେଥିରେ ସେମାନେ ରାସନ ଓ ଅନ୍ୟାନ୍ୟ ଜରୁରି ସାମଗ୍ରୀ କିଣିଥାନ୍ତି। ମାସ ଶେଷରେ ଯେତେବେଳେ ସେମାନଙ୍କ ପାରିଶ୍ରମିକ ହିସାବ କରାଯାଇଥାଏ, ଏସବୁ ଖର୍ଚ୍ଚ ସେମାନଙ୍କର ମୋଟ ଆୟରୁ କାଟି ଦିଆଯାଇଥାଏ। ଯଦି ପରିବାର ଉପରେ କୌଣସି ଋଣ ନଥାଏ ତା’ହେଲେ ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ୭ ମାସ ଧରି କାମ କରିବା ପରେ ସେମାନେ ୧୦,୦୦୦-୧୨୦୦୦ ଟଙ୍କା ପାଇଥାନ୍ତି।

Vanita Bhoir had a week's stock of food for her family (here with her daughter Sangeeta and son Krishna) in her straw-and-mud hut
PHOTO • Mamata Pared
Vanita Bhoir had a week's stock of food for her family (here with her daughter Sangeeta and son Krishna) in her straw-and-mud hut
PHOTO • Mamata Pared

ବନୀତା ଭୋଏରଙ୍କ ଚାଳ ଓ ମାଟି କୁଡ଼ିଆରେ ତାଙ୍କ ପରିବାର (ଏଠାରେ ତାଙ୍କ ଝିଅ ସଙ୍ଗୀତା ଓ ପୁଅ କ୍ରିଷ୍ଣା ସହ)ପାଇଁ ଗୋଟିଏ ସପ୍ତାହର ଖାଦ୍ୟ ମହଜୁଦ ହୋଇ ରହିଛି।

ଏହି ଟଙ୍କାରେ ସେମାନେ ମୌସୁମୀ ଋତୁ ପାଇଁ ଖାଦ୍ୟ ଯୋଗାଡ଼ କରିଥାନ୍ତି। ଘର ମରାମତି କରିବା ପାଇଁ ମଧ୍ୟ କିଛି ଟଙ୍କା ଦରକାର ହୋଇଥାଏ। ପିଲାଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ ଅଛି। ସବୁଦିନ ଏମିତି ଚାଲିଥାଏ। କିନ୍ତୁ ଋଣ ଭାର ଅଧିକ ହୋଇଗଲେ ସେମାନଙ୍କ ହାତରେ ଟଙ୍କାଟିଏ ସୁଦ୍ଧା ନଥାଏ। ଏହାଛଡ଼ା ସେମାନଙ୍କ ମୁଣ୍ଡ ଉପରେ ଅଧିକ ଉଧାର ରହିଯାଇଥାଏ-ପରବର୍ତ୍ତୀ କିଛି ମାସ ସେମାନେ ଜୀବିକା ନିର୍ବାହ ପାଇଁ ସଂଘର୍ଷ କରିଥାନ୍ତି, ସେମାନଙ୍କୁ ଇଟାଭାଟି ମାଲିକଙ୍କ ଠାରୁ ପୁଣିଥରେ ଋଣ ଆଣିବାକୁ ପଡ଼ିଥାଏ। ଏସବୁ ସୁଝିବା ଲାଗି, ସେମାନଙ୍କ ପାଖରେ ପୁଣିଥରେ କାମ କରିବାକୁ ଯିବା ଏବଂ ସେହି ଋଣଦାତାଙ୍କ ପାଖରେ କାମ କରିବା ବ୍ୟତୀତ ଆଉ କିଛି ଚାରା ନଥାଏ।

ପ୍ରତିବର୍ଷ ମେ ମାସ ପର୍ଯ୍ୟନ୍ତ ଚାଲୁଥିବା ଏହି କାମ ଚଳିତ ବର୍ଷ କୋଭିଡ-19 କାରଣରୁ ମାର୍ଚ୍ଚ ମାସରେ ହିଁ ବନ୍ଦ ହୋଇଯାଇଥିଲା। ବନୀତା, ନବସୁ ଏବଂ ସେମାନଙ୍କ ପିଲାମାନେ ଘରକୁ ଫେରିଆସିଲେ। “ଆମେ ପ୍ରତି ମାସ ଆୟ କରୁଥିବା (ଇଟାଭାଟିରୁ) ଟଙ୍କା ସାପ୍ତାହିକ ଖର୍ଚ୍ଚରେ ସରିଯାଇଥିଲା। ଅଧିକ ମାସ କାମ ହୋଇଥିଲେ ଆମ ହାତରେ କିଛି ଟଙ୍କା ଥାଆନ୍ତା। କିନ୍ତୁ ଚଳିତ ବର୍ଷ ଆଗୁଆ କାମ ସରିଯିବା ଫଳରେ ସେଠ୍ ଆମକୁ ମାତ୍ର ୨୦୦୦ ଟଙ୍କା ଦେଇଥିଲେ। ତାହା କେତେଦିନ ଯାଇଥାନ୍ତା? ଆଉ କିଛି ବଳି ନାହିଁ। ଆମେ ଫେରିବା ପରେ କୁଡ଼ିଆ ମରାମତି କରିଥିଲୁ- ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚାଳରେ ଜରି ପାଲ ଟଣା ହୋଇଛି। କିଛି ଟଙ୍କା ଘରକୁ ଫେରିବା ପାଇଁ ବାଟ ଖର୍ଚ୍ଚ (ଟେମ୍ପୋରେ ଘରକୁ ଫେରିବା ଲାଗି)ରେ ସରିଗଲା,” ବନୀତା ଖୁବ ଧୀର ଭାବେ କହିଥିଲେ।

ମାର୍ଚ୍ଚ ଶେଷରେ ଇଟାଭାଟି ଛାଡ଼ି ସେମାନେ ଯେତେବେଳେ ବରୋନ୍ଦାରେ ଥିବା ଘରକୁ ଫେରିଲେ ଠିକାଦାର ସେମାନଙ୍କ ରୋଜଗାର ଓ ଖର୍ଚ୍ଚ ହିସାବ କରିନଥିଲେ। ତେଣୁ ସେମାନେ ପ୍ରକୃତରେ ଜାଣିନଥିଲେ ଯେ ସେମାନେ କେତେ ଟଙ୍କା ରୋଜଗାର କରିଛନ୍ତି ଏବଂ ସେମାନଙ୍କୁ କେତେ ଟଙ୍କା ପାଇବାର ଅଛି। ବନୀତା ଓ ନବସୁ ଚିନ୍ତାରେ ଥିଲେ। ପତି, ପତ୍ନୀ ଓ ପାଞ୍ଚ ଜଣ ପିଲାଙ୍କୁ ମିଶାଇ ସେମାନଙ୍କର ୭ ଜଣିଆ ପରିବାରକୁ ପୋଷିବାର ଥିଲା। ସେମାନେ ଭୂମିହୀନ କୃଷକ। ଖୁବକଷ୍ଟରେ ଯାହାଙ୍କ ଜୀବନ କଟିଥାଏ। କାମ ପାଇଁ ଯିବା ପରିବର୍ତ୍ତେ ସେମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ। କିନ୍ତୁ ଏହି ସମୟ ମଧ୍ୟରେ ସେମାନେ କେଉଁ କାମ କରିବେ- ଭୋଏର ପରିବାରକୁ ଏହି ଚିନ୍ତା ଘାରୁଥିଲା।

ସେମାନଙ୍କ ଗାଁ ଆଖପାଖ ଅଞ୍ଚଳରେ କୃଷି ଶ୍ରମିକଭାବେ ଖୁବ କମ୍ କାମ ମିଳିଥାଏ। କୃଷକମାନଙ୍କର ଛୋଟ ଛୋଟ ଜମି ରହିଛି ଏବଂ ସେମାନେ ବୁଣା ଓ ଫସଲ ଅମଳ ସମୟରେ ଦିନକୁ ୧୫୦ ଟଙ୍କା ମଜୁରିରେ ଅତି ବେଶୀରେ ଦୁଇ ସପ୍ତାହ ପର୍ଯ୍ୟନ୍ତ କାମ ଦେଇପାରିଥାନ୍ତି। କେହି ଯଦି ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରିବାକୁ କୁହନ୍ତି, ତା’ହେଲେ ଭୋଏର ଓ ଅନ୍ୟମାନେ ୧୫୦ ଟଙ୍କା ରୋଜଗାର କରିବାକୁ ଆଶା କରିପାରନ୍ତି। ସେମାନଙ୍କ ଭାଗ୍ୟରେ ଥିଲେ ନିକଟସ୍ଥ ନିର୍ମାଣ କ୍ଷେତ୍ରରେ ସେମାନେ ଦିନକୁ ୨୫୦ ଟଙ୍କା ମଜୁରିରେ କାମ ପାଇଥାନ୍ତି-କିନ୍ତୁ ଏହି କାମ ସବୁବେଳେ ମିଳିନଥାଏ।

In Boranda, a group sat talking about the present situation. The annual market, where some of the Katkaris sell mahua (right), was cancelled due to the lockdown
PHOTO • Mamata Pared
In Boranda, a group sat talking about the present situation. The annual market, where some of the Katkaris sell mahua (right), was cancelled due to the lockdown
PHOTO • Mamata Pared

ବୋରନ୍ଦାରେ, କିଛି ଲୋକ ବସି ବର୍ତ୍ତମାନର ପରିସ୍ଥିତି ବିଷୟରେ ଚିନ୍ତା କରୁଛନ୍ତି। ବାର୍ଷିକ ବଜାର, ଯେଉଁଠି କିଛି କାତକରୀମାନେ ବସି ମହୁଆ (ଡାହାଣ) ବିକ୍ରି କରିଥାନ୍ତି, ଏଥର ଲକଡାଉନ ପାଇଁ ଉଠିଯାଇଛି।

ସାଧାରଣତଃ ସଙ୍କଟ ସମୟରେ ସେମାନଙ୍କ ଭଳି ପରିବାର ସେଠଙ୍କ ଠାରୁ ଋଣ ନେଇଥାନ୍ତି। କିନ୍ତୁ ଚଳିତ ବର୍ଷ, ସମସ୍ତ ଇଟାଭାଟି ମାଲିକମାନେ କହିଛନ୍ତି, ଯେତିକି କାମ ହୋଇଛି କେବଳ ସେତିକି ପାଇଁ ପାରିଶ୍ରମିକ ମିଳିବ। ତେଣୁ ଋଣ ପାଇଁ ସେମାନଙ୍କର ଆଶା ମଉଳି ଯାଇଛି।

ମୁଁ ଥରେ ବୋରନ୍ଦା ଯାଇଥିବା ସମୟରେ ଦେଖିଲି ଯେ ମାଟି ଘର ଆଗରେ ଆଠରୁ ଦଶ ଜଣ ପୁରୁଷ ଓ ମହିଳା ଏକ ନିଚା ଚଟାଣ ଉପରେ ବସି କଥାବାର୍ତ୍ତା ହେଉଛନ୍ତି। ସେତେବେଳେ ସମୟ ଅପରାହ୍ଣ ୨ଟା ହୋଇଥିଲା। “ସରକାର ଅନେକ ପରିବାରକୁ ଚାଉଳ (ଲକଡାଉନ ପରେ) ଦେଇଛନ୍ତି। ଆମେ ଶୁଣିଛୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି। ଲୋକମାନଙ୍କଠାରୁ ଆମେ ଏହା ଶୁଣିଛୁ। କିନ୍ତୁ ଆମକୁ ଏଥିପାଇଁ ବୋରନ୍ଦାଠାରୁ (ଚାରି କିମି ଦୂର ଖାରିଭଲି ଗ୍ରାମରେ ଥିବା ବ୍ୟାଙ୍କକୁ) ଯିବାକୁ ହେବ। ଏବଂ ସେଠାରେ ଏହି ରୋଗ ବ୍ୟାପଛି। ଆମେ କ’ଣ କରିବୁ? ଆମେ ସେଠାକୁ କିପରି ଯାଇପାରିବୁ? ଯିବା ପାଇଁ କୌଣସି ଗାଡ଼ି ସୁବିଧା ମଧ୍ୟ ନାହିଁ,” ବୋଲି ସେଠାରେ ବସିଥିବା ଅନ୍ୟମାନଙ୍କୁ କହୁଥିଲେ ବନୀତାଙ୍କ ପଡ଼ୋଶୀ ୬୫ ବର୍ଷ ବୟସ୍କା ବୃଦ୍ଧା ବାଇଜି ଭୋଏର।

ସେଦିନ କେତେକ ଘର ଆଗରେ ମହୁଆ ଫୁଲ ଶୁଖା ହୋଇଥିଲା। ଏହି ଶୁଖିଲା ମହୁଆ ଫୁଲ ନେଇ ସେମାନେ କ’ଣ କରିବେ, ମୁଁ ପଚାରିଲି। “ବର୍ଷା ଋତୁ ପୂର୍ବରୁ, ଉରୁସ ଅନୁଷ୍ଠିତ ହୋଇଥାଏ। ଆମେ ଏହି ଫୁଲ ସେଠି ବିକି ସେଥିରୁ ମିଳିବାକୁ ଥିବା ଟଙ୍କାରେ ପିଆଜ-ଆଳୁ କିଣିଥାଉ,” ଜଣେ ମହିଳା ଉତ୍ତର ଦେଲେ।

ମୌସୁମୀ ଋତୁ ପୂର୍ବରୁ ମେ’ ମାସରେ ଉରୁସ ନାମକ ବଡ଼ ହାଟ ବସିଥାଏ ଯାହାକି ୧୦-୧୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଚଳିତ ବର୍ଷ, ଲକଡାଉନ ଏବଂ କୋଭିଡ-19 ସଂକ୍ରମଣ ଭୟ କାରଣରୁ ଉରୁସ ଅନୁଷ୍ଠିତ ହୋଇନାହିଁ।

ସବୁ ବର୍ଷ ଏଠାରେ ଖାଦ୍ୟଶସ୍ୟ, ମସଲା, ପିଆଜ, ଆଳୁ, ମାଛ, ଘରକରଣା ପ୍ଲାଷ୍ଟିକ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ବିକ୍ରି ହୋଇଥାଏ। ବୋରନ୍ଦାଠାରୁ ପାଖାପାଖି ୩୫ କିମି ଦୂର ୱାଡା ତାଲୁକାର କୁଦୁସ ସହରରେ ପଡ଼ୁଥିବା ଏହି ହାଟକୁ ବିଭିନ୍ନ ଗ୍ରାମରୁ ଲୋକମାନେ ଆସିଥାନ୍ତି। ମୌସୁମୀ ଋତୁରେ ସେତେ କାମ ମିଳିନଥାଏ। ତେଣୁ ଆଦିବାସୀ ପରିବାରଗୁଡ଼ିକ ଏଠାକୁ ଆସି ମହୁଆ ଫୁଲ ଏବଂ ଡିଙ୍କା (ପ୍ରାକୃତିକ ଅଠା) ବିକ୍ରି କରିଥାନ୍ତି ଓ ସେହି ଟଙ୍କାରେ କେତେକ ଜରୁରି ସାମଗ୍ରୀ କିଣିଥାନ୍ତି। ସଞ୍ଚିତ ଖାଦ୍ୟଶସ୍ୟ ସାହାଯ୍ୟରେ ସେମାନେ ଏହି ଦିନଗୁଡ଼ିକୁ କାଟିଥାନ୍ତି।

ବନୀତା ଓ ନବସୁ ଚଳିତ ବର୍ଷ ମଧ୍ୟ ସମାନ ଆଶା ରଖିଥିଲେ- ଦୁଇ ମାସ ପର୍ଯ୍ୟନ୍ତ ସଞ୍ଚିତ ଖାଦ୍ୟ ଶସ୍ୟରେ କାମ ଚଳାଇ ନେଇଥାନ୍ତେ। କିନ୍ତୁ ସେମାନଙ୍କ କୁଡ଼ିଆରେ ଥିବା ଖାଦ୍ୟସାମଗ୍ରୀ ଧୀରେ ଧୀରେ ସରି ଆସୁଛି।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Mamata Pared

Mamata Pared is a 2018 PARI intern; she is doing a Masters in Journalism and Mass Communication at the Abasaheb Garware College in Pune.

Other stories by Mamata Pared