ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ମୋ ଗାଁ ନିମ୍ବାଭାଲିର ଏକ ଗଛମୂଳେ ଏକତ୍ରିତ ହୋଇ ମଧ୍ୟବୟସ୍କ ପୁରୁଷମାନଙ୍କର ଏକ ଗୋଷ୍ଠୀ ପ୍ରାୟ ୧୦ ବର୍ଷ ତଳେ ଘଟିଥିବା ଏହି ଘଟଣା ସଂପର୍କରେ ଆଲୋଚନା କରୁଥିଲେ ଯାହାର ପ୍ରଭାବ ଏବେ ମଧ୍ୟ୍ ଅନୁଭବ ହେଉଛି। ସରକାରୀ ଅଧିକାରୀମାନଙ୍କର ଏକ ଟିମ୍ ଏକ ବଡ଼ କାର୍‌ରେ ନିକଟରେ ଅଟକିଲେ, ସେମାନେ କାଗଜପତ୍ର, ମାପ ଉପକରଣ, ରୁଲର ଓ ଟେପ୍ ସାଙ୍ଗରେ ଆଣିଥିଲେ। ସେମାନେ ଭୂତଳ ଜଳକୁ ପାଇବା ପାଇଁ ଖୋଳିବାକୁ ସ୍ଥାନଗୁଡ଼ିକର ସନ୍ଧାନ କରିଛନ୍ତି, ମୋ ବାବା ୫୫ ବର୍ଷୀୟ ପର୍ଶୁରାମ ପରେଡ୍ ମନେ ପକାଇଲେ ।

“ମୁଁ ଭଲ ଭାବେ ସେମାନଙ୍କୁ ମନେ ରଖିଛି। ଯେତେବେଳେ ଆମେ ସେମାନେ କ’ଣ କରୁଛନ୍ତି ବୋଲି ବାରମ୍ବାର ପଚାରିଲୁ, ସେମାନେ ପୁଣି ଗୁଳି ଚଳାଇଲେ, ‘ତୁମକୁ ପାଣି ଆବଶ୍ୟକ, ନୁହେଁ କି?’ ଆମେ କହିଲୁ ଆମର ଦରକାର ଅଛି । ପାନି କିସେ ନେହିଁ ମାଙ୍ଗତା [ପାଣି କାହାର ଦରକାର ନାହିଁ]?’’ ବାବା ମନେ ପକାଇଲେ । ପାଣିର ସଙ୍କଟ ଥିବା ଅଞ୍ଚଳରେ ସରକାର ଯେକୌଣସି ଜଳଉତ୍ସର ସନ୍ଧାନ କରିପାରିବେ ତାହା ସ୍ୱାଗତଯୋଗ୍ୟ ଥିଲା, କିନ୍ତୁ ଗ୍ରାମବାସୀମାନେ ଆଶା କରୁଥିବା ଏହି ଖୁସି କ୍ଷଣସ୍ଥାୟୀ ଥିଲା ।

କିଛି ମାସ ପରେ, ୱାଡା ତାଲୁକାର ନିମ୍ବାଭାଲିର ୱର୍ଲି ସଂପ୍ରଦାୟର ଲୋକମାନେ ଉଚ୍ଛେଦ ଲାଗି ସରକାରୀ ନୋଟିସ୍ ପାଇଲେ। ସେଠାରେ କୌଣସି ଜଳପ୍ରକଳ୍ପ ହେଉନଥିଲା, ତା ବଦଳରେ ଗାଁର ଜମିକୁ ମୁମ୍ବାଇ-ବଡୋଦରା ଜାତୀୟ ଏକ୍ସପ୍ରେସ୍ ରାଜପଥ ଲାଗି ନିର୍ଦ୍ଧାରିତ କରାଯାଇଥିଲା ।

୫୦ ବର୍ଷୀୟ ବାଳକୃଷ୍ଣ ଲିପଟ କହିଲେ, “ସେତେବେଳେ ଯାଇ ଆମେ ରାଜପଥ ସଂପର୍କରେ ଜାଣିବାକୁ ପାଇଲୁ।’’ ତାହା ୨୦୧୨ ମସିହାର କଥା ଥିଲା। ଏକ ଦଶନ୍ଧି ପରେ ମୋ’ ଗାଁ ଏବେ ମଧ୍ୟ ପ୍ରତାରଣାକାରୀ ଜମି ଅଧିଗ୍ରହଣର ସର୍ତ୍ତକୁ ନେଇ ସଂଘର୍ଷ କରୁଛି। ଅଧିକାଂଶ ଲୋକ ଜାଣିଛନ୍ତି ରାଜ୍ୟର ଶକ୍ତି ବିରୋଧରେ ଏହା ଏକ ହାରିଯାଉଥିବା ଲଢ଼େଇ ଏବଂ ସେମାନେ ସେତେବେଳେ କରୁଥିବା ଅଧିକ କ୍ଷତିପୂରଣ ଏବଂ ବିକଳ୍ପ ଜମି ଫେରାଇବାର ଦାବିରୁ ପୂରା ଗାଁକୁ ଉଚିତ୍ ପୁନର୍ବାସ ପ୍ରଦାନ ଯାଏ ସୀମିତ କରିଦେଇଛନ୍ତି ।

Parashuram Pared (left) and Baban Tambadi, recall how land in Nimbavali was acquired for the Mumbai-Vadodara National Express Highway.
PHOTO • Mamata Pared
Residents of the village discussing their concerns about resettlement
PHOTO • Mamata Pared

ବାମ : ମୁମ୍ବାଇ-ଭଦୋଦରା ଏକ୍ସପ୍ରେସ ହାଇୱେ ପାଇଁ ନିମ୍ବାୱଲିରେ କିପରି ଜମି ଅଧିଗ୍ରହଣ କରାଯାଇଥିଲା ସେ ସମ୍ପର୍କରେ ସ୍ମରଣ କରି ପର୍ଶୁରାମ ପରେଡ (ବାମ) ଏବଂ ବବନ ତଂବାଡ଼ି କହିଥିଲେ । ଡାହାଣ : ଗାଁ ଲୋକମାନେ ପୁନର୍ବସତିକୁ ନେଇ ରହିଥିବା ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରୁଛନ୍ତି

କେନ୍ଦ୍ରରେ ଥିବା ଭାରତୀୟ ଜନତା ପାର୍ଟି ସରକାର ମହାରାଷ୍ଟ୍ର, ଗୁଜରାଟ, ଦାଦ୍ରା ଓ ନଗର ହାବେଳି ଦେଇ ଯାଉଥିବା ଆଠ ଲେନ୍ ବିଶିଷ୍ଟ ୩୭୯-କିମି ଦୀର୍ଘ ରାଜପଥ ଲାଗି ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତି କରିଛନ୍ତି । ମହାରାଷ୍ଟ୍ରର ଭାଗର କିଛି ଅଂଶ ପାଲଘର ଜିଲ୍ଲାର ୩ଟି ତାଲୁକାର ୨୧ଟି ଗାଁ ଦେଇ ଯାଉଛି । ୱାଡା ସେଥିମଧ୍ୟରୁ ଏକ ତାଲୁକା ହୋଇଥିବା ବେଳେ ନିମ୍ବାଭାଲି ସେଥିରେ ଥିବା ଏକ ଛୋଟ ଗାଁ, ଯେଉଁଠାରେ ପ୍ରାୟ ୧୪୦ଟି ପରିବାର ରୁହନ୍ତି ।

ନିମ୍ବାଭାଲି ଦେଇ ରାଜପଥର ପ୍ରାୟ ୫.୪ କିମି ଯାଇଥାଏ । ନିମ୍ବାଭାଲିରେ ମୋଟ ୭୧,୦୩୫ ବର୍ଗ ମିଟର ଚିହ୍ନଟ କରାଯାଇଥିଲା ଏବଂ ଗ୍ରାମବାସୀମାନେ ଏହାକୁ ପଥର ପାଚେରୀ କରିବା ପୂର୍ବରୁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ।

ଯେତେବେଳେ ଗ୍ରାମବାସୀମାନେ ପ୍ରକଳ୍ପ ସଂପର୍କରେ ସତ୍ୟତାକୁ ବୁଝିଲେ, ସେତେବେଳେ ଲୋକମାନଙ୍କୁ ସେମାନଙ୍କର ଘର ଲାଗି ଉପଯୁକ୍ତ ଆର୍ଥିକ କ୍ଷତିପୂରଣ ଦିଆଯିବ ବୋଲି ବୟସ୍କ ଲୋକଙ୍କୁ ପ୍ରତିଶ୍ରୁତି ଦିଆଗଲା । ସେହି ଟଙ୍କା ନୂଆ ଜମି କିଣିବା ଓ ଘର ତିଆରି ଲାଗି ଉଦ୍ଦିଷ୍ଟ ଥିଲା । କିନ୍ତୁ ଆମ ଗାଁର ବାସିନ୍ଦାମାନେ ଏହାକୁ ପ୍ରତ୍ୟାଖ୍ୟାନ କଲେ ଏବଂ  ସ୍ଥାନାନ୍ଥର ଲାଗି ବିକଳ୍ପ ଜମି ଦିଆନଯିବା ଯାଏ କେହି  ଆମ ଜମି ବା ଘର ଛାଡ଼ିବେ ନାହିଁ ବୋଲି ଘୋଷଣା କଲେ ।

୪୫ ବର୍ଷୀୟ ଚନ୍ଦ୍ରକାନ୍ତ ପରେଡ୍ କହିଲେ, “କ୍ଷତିପୂରଣ ଭାବେ ଆମକୁ ହାରାହାରି ୯ ଲକ୍ଷ ଟଙ୍କାର ନୋଟିସ୍ ମିଳିଲା।’’ “କ’ଣ ପାଇଁ? ଏହି ସବୁ ଗଛକୁ ଦେଖନ୍ତୁ-ଶେବଗା, ସୀତାଫଳ, ଚିକୁ ଓ ଭୃସଙ୍ଗଗଛ । ଏହି ଜମିରେ ଆମେ ସମସ୍ତ କନ୍ଦ ଓ ମାଟି ତଳେ ଫଳୁଥିବା ପନିପରିବା ଚାଷ କରିଥିଲୁ। ଏଥିପାଇଁ ସେମାନେ କେତେ ଟଙ୍କା ଦେବାକୁ ଘୋଷଣା କରିଛନ୍ତି? କିଛି ନାହିଁ । ୯ ଲକ୍ଷ ଟଙ୍କାରେ କ’ଣ ତୁମେ ଜମି କିଣି ଏକ ଘର ତିଆରି କରି ଏହି ସବୁ ଗଛ ଲଗାଇ ପାରିବ?’’ ସେ ପଚାରିଲେ ।

Chandrakant Pared at his home in the village. "Can you buy land, build a house and plant all these trees for nine lakhs?” he asks.
PHOTO • Mamata Pared
Rajashree Pared shows the tubers and root vegetables cultivated by them
PHOTO • Mamata Pared

ବାମ : ଗାଁରେ ଥିବା ନିଜ ଘରେ ଚନ୍ଦ୍ରକାନ୍ତ ପରେଡ । ‘‘ମାତ୍ର ନଅ ଲକ୍ଷ ଟଙ୍କାରେ ଆପଣ ଜମି କିଣି, ସେଥିରେ ଏକ ଘର ତୋଳି, ଏସବୁ ଗଛ ଲଗାଇ ପାରିବେ କି?’’ ସେ ପଚାରନ୍ତି । ଡାହାଣ : ରାଜଶ୍ରୀ ପରେଡ଼ କିଛି କନ୍ଦ ଏବଂ ମୂଳଜାତୀୟ ପରିବା ଦେଖାଉଛନ୍ତି ଯାହାକୁ ସେମାନ ଚାଷ କରିଥାନ୍ତି

ଆଉ ଏକ ସମସ୍ୟା ମଧ୍ୟ ଥିଲା: ରାଜପଥଟି ଗାଁକୁ ଦୁଇଭାଗରେ ବିଭକ୍ତ କରି ଗାଁ ମଧ୍ୟ ଦେଇ ଗଲା । ବିନୋଦ କାକଡ ପଚାରିଲେ, “ନିମ୍ବାଭାଲିର ଲୋକମାନେ ଏକାଠି ରହିବାକୁ ଚାହାନ୍ତି ଯେପରିକି ଆମେ ଯୁଗ ଯୁଗ ଧରି କରିଆସିଛୁ । ଆମର ବର୍ତ୍ତମାନ ଥିବା ଗାଓଠାଣ ଲାଗି ଆମେ ଜମି କ୍ଷତିପୂରଣ ଭାବେ ଚାହୁଁ, କିନ୍ତୁ ଆମେ ମଧ୍ୟ ସରକାର ସମସ୍ତ ଘରକୁ କ୍ଷତିପୂରଣ ପ୍ୟାକେଜ୍‌ରେ ସାମିଲ କରିବାକୁ ଚାହୁଁ । ଆମେ ଏଠାକାର ସମସ୍ତ ଲୋକଙ୍କ ଲାଗି ଉଚିତ୍ କ୍ଷତିପୂରଣ ଚାହୁଁ । ତୁମେ ଏହି ରାସ୍ତାକୁ ବିକାଶର ପ୍ରତୀକ ଭାବେ ନିର୍ମାଣ କରିବାକୁ ଚାହୁଁଛ? ଦୟାକରି କର । ଆମର କିଛି ସମସ୍ୟା ନାହିଁ । କିନ୍ତୁ କ’ଣ ପାଇଁ ଆମକୁ ନଷ୍ଟ କରୁଛ?’’

ଏହି ପ୍ରକଳ୍ପ ଆମ ଜୀବନରେ ଅନିଶ୍ଚିତତା ଆାଣିଛି । ୪୯ଟି ଘରର ୨୦୦-୨୨୦ଜଣ ଲୋକ ଏହି ରାସ୍ତା ଯୋଗୁ ସିଧାସଳଖ ଭାବେ ପ୍ରଭାବିତ ହୋଇଥିବାବେଳେ ୪ଟି ଘର ଉଚ୍ଛେଦରୁ ବର୍ତ୍ତିଯାଇଛି କାରଣ ରାସ୍ତା ସେମାନଙ୍କୁ ସ୍ପର୍ଶ କରୁନାହିଁ। ନୂଆ ରାସ୍ତା ଦ୍ୱାରା ପ୍ରଭାବିତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଜଙ୍ଗଲ ଜମିରେ ଘର କରିଛନ୍ତି, ସରକାର ସେମାନେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ବୋଲି ଜାଣି ମଧ୍ୟ ସେମାନଙ୍କୁ ଏଥିରୁ ବଞ୍ଚିତ କରିଛନ୍ତି ।

ଆମେ, ୱର୍ଲି ସଂପ୍ରଦାୟର ଲୋକମାନେ ଏହି ମାଟିରେ ଶହ ଶହ ବର୍ଷ ଧରି ବାସ କରୁଛୁ। ଆାମେ ଏଠାରେ କେବଳ ଆମର ଘର କରିନାହୁଁ ବରଂ ଜମି ସହ ଏକ ନିବିଡ଼ ସଂପର୍କ ସ୍ଥାପନ କରିଛୁ। ତେନ୍ତୁଳି, ଆମ୍ବ ଓ ଅନ୍ୟାନ୍ୟ ଗଛର ଛାଇ ଆମକୁ ନିଦାଘ ଗ୍ରୀଷ୍ମ ଦିନରେ ଶାନ୍ତି ଦେଇଛି, ଏବଂ ସପନ୍ୟା ପର୍ବତ ଆମକୁ ଜାଳେଣି ଦେଇଛି। ଏସବୁକୁ ଛାଡ଼ି ଅନ୍ୟ କେଉଁ ସ୍ଥାନକୁ ଯିବା ଆମକୁ କଷ୍ଟ ଦେଉଛି। ଆମ ନିଜର କିଛି ଲୋକଙ୍କୁ ଛାଡ଼ିଯିବା, ଆମ ସଂପ୍ରଦାୟକୁ ଭାଙ୍ଗିଦେବା ମଧ୍ୟ ସମାନ ଭାବେ ଯନ୍ତ୍ରଣାଦାୟକ।

୪୫ ବର୍ଷୀୟ ସବିତା ଲିପଟ କହିଲେ, “ଜମି ମାପିବାକୁ ଆାସିଥିବା ଅଧିକାରୀମାନେ ଆମର ଏକତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ ଯେଉଁମାନେ ନିଜ ଘର ହରାଉଛନ୍ତି ସେମାନେ ସ୍ୱାଭାବିକ ଭାବେ ସଙ୍କଟରେ ଅଛନ୍ତି। କିନ୍ତୁ ଏଠାରେ, ଯେଉଁମାନଙ୍କର ସ୍ଥାନାନ୍ତର ହେବାର ନାହିଁ ସେମାନେ ବି କାନ୍ଦୁଛନ୍ତି।’’ “ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲି ଯେ ଆମ ଘର ସାମ୍ନାରେ ଥିବା ଘର ଏବଂ ପଛରେ ଥିବା ଘରକୁ ରାସ୍ତା ପାଇଁ ଅଧିଗ୍ରହଣ କରାଯାଉଛି। ଆମ ଘର ଠିକ୍ ମଝିରେ ଅଛି। ଏହି ରାସ୍ତା ଆମ ପାଇଁ ଏକ ବଡ଼ ସମସ୍ୟା ଆଣିବାକୁ ଯାଉଛି।’’

Balakrushna Lipat outside his house in Nimbavali
PHOTO • Mamata Pared
As many as 49 houses in the village are directly affected by the road alignment
PHOTO • Mamata Pared

ବାଲକୃଷ୍ଣ ଲିପଟ (ବାମ), ନିମ୍ବାୱଲିରେ ଥିବା ତାଙ୍କ ଘର ବାହାରେ ଛିଡ଼ା ହୋଇଛନ୍ତି । ଡାହାଣ : ରାସ୍ତା ନିର୍ମାଣ ହେବା କାରଣରୁ ଗାଁର ପ୍ରାୟ ୪୯ଟି ପରିବାର ସିଧାସଳଖ ପ୍ରଭାବିତ ହୋଇଛନ୍ତି

ଯଦି ଦଶନ୍ଧି ଧରି ଏକାଠି ରହୁଥିବା ଲୋକଙ୍କୁ ରାସ୍ତା ଅଲଗା କରିବା ଖରାପ ଥିଲା, ତା’ହେଲେ ଆହୁରି ଖରାପ ଆଗକୁ ଆସୁଥିଲା। ରାଜପଥର ଉଭୟ ପାଖରେ ଥିବା କିଛି ଘରକୁ ମାନଚିତ୍ର କିମ୍ବା ସରକାରୀ କାଗଜପତ୍ରରେ ଦର୍ଶା ବି ଯାଇନଥିଲା; ସେଗୁଡ଼ିକୁ ସଂପୂର୍ଣ୍ଣ ଭାବେ ବାଦ୍ ଦିଆଯାଇଥିଲା। ଆଉ ୩-୪ଟି ଘରକୁ ଜଙ୍ଗଲ ଜମିରେ ନିର୍ମିତ ହୋଇଥିବା ପ୍ରଦର୍ଶିତ କରାଯାଇଥିଲା। ଗ୍ରାମବାସୀମାନେ ସରକାରଙ୍କ ସହ ଯୁକ୍ତି କରୁଛନ୍ତି ଯେ ସମସ୍ତ ପରିବାର ଏକାଠି ସ୍ଥାନାନ୍ତର ହେବା କଥା, କିନ୍ତୁ ଅଧିକାରୀମାନେ ଏକାଠି ରହିବାର ୱର୍ଲିର ସାମୂହିକ ଆବଶ୍ୟକତାକୁ ଜାଣିବାରେ ବିଫଳ ହୋଇଛନ୍ତି ।

୮୦ ବର୍ଷୀୟ ଡମୁ ପରେଡ୍ କିଛି ପୁରୁଣା ସରକାରୀ କାଗଜପତ୍ରକୁ ମୋ’ ଆଡ଼କୁ ହଲାଇ ଦେଖାଇ ପଚାରିଲେ, “ମୁଁ ଏଠାରେ ବହୁ ବର୍ଷ ଧରି ରହି ଆସୁଛି। ଘରର ପୁରୁଣା ଟିକସ ରସିଦ୍‌କୁ ଦେଖ। କିନ୍ତୁ ବର୍ତ୍ତମାନ ସରକାର ମୁଁ ଜଙ୍ଗଲ ଜମିକୁ କବ୍‌ଜା କରିଥିବା କଥା କହୁଛନ୍ତି ଏବଂ ମୁଁ କ୍ଷତିପୂରଣ ପାଇଁ ଉପଯୁକ୍ତ ନୁହେଁ। ମୁଁ ଏବେ କେଉଁଠାକୁ ଯିବି?’’ ସେ ମୋ’ ଜେଜେବାପାଙ୍କର ଭାଇ। “ମୁଁ ଏସବୁ ବୁଝିପାରୁନାହିଁ। ତୁମେ ଶିକ୍ଷିତ ଓ ଯୁବତୀ। ଏଥରକ ତୁମେ ଏହାକୁ ବୁଝ,’’ ସେ ଆହୁରି ଏହା କହିଲେ ଓ ନିରବ ହୋଇଗଲେ।

୪୫ ବର୍ଷୀୟ ଦର୍ଶନ ପରେଡ୍ ଓ ୭୦ ବର୍ଷୀୟ ଗୋବିନ୍ଦ କାକଡ ସେହି କେତେଜଣ ଲୋକଙ୍କ ମଧ୍ୟରେ ସାମିଲ ଥିଲେ ଯେଉଁମାନଙ୍କ ଘର ଜଙ୍ଗଲ ଜମିରେ ନିର୍ମିତ ହୋଇଥିବା ଦର୍ଶାଯାଇଥିଲା। ଉଭୟ ସେମାନଙ୍କର ଘରକୁ ଇନ୍ଦିରା ଆବାସ ଯୋଜନା ଅନୁସାରେ ନିର୍ମାଣ କରିଥିଲେ, ପ୍ରତିବର୍ଷ ସମ୍ପତ୍ତି ଟିକସ ଦେଇଥିଲେ ଏବଂ ସେମାନଙ୍କର ଘରକୁ ରାଜ୍ୟ ସରକାରଙ୍କ ଦ୍ୱାରା ମିଟର ବିଜୁଳି ସଂଯୋଗ ଯୋଗା ଯାଇଥିଲା। କିନ୍ତୁ, ରାଜପଥ ପାଇଁ ମାନଚିତ୍ରଣ ସମୟରେ ସେମାନଙ୍କର ଘର ଜଙ୍ଗଲ ଜମି ଉପରେ କବ୍‌ଜା ହୋଇଥିବା ଦର୍ଶାଯାଇଥିଲା, ଯାହାର ଅର୍ଥ ସେମାନେ କ୍ଷତିପୂରଣ ଲାଗି ଯୋଗ୍ୟ ନୁହନ୍ତି ।

ଏହା ବର୍ଷ ବର୍ଷ ଧରି ଚାଲିଥିବା ଏକ ଜଟିଳ ସଂଘର୍ଷ ଯାହାକି ପ୍ରଥମେ ଲୋକମାନଙ୍କୁ ଏକତ୍ରିତ କଲା କିନ୍ତୁ ପରେ ସେମାନଙ୍କର ଦାବି ଅଲଗା ହୋଇଗଲା। ଏହା ପ୍ରକଳ୍ପକୁ ବିରୋଧ କରିବାରୁ ଆରମ୍ଭ ହେଲା, ଏହାପରେ ଲୋକମାନେ ସାମୂହିକ ଭାବେ ଅଧିକ କ୍ଷତିପୂରଣ ଦାବି ଲାଗି ନିଷ୍ପତ୍ତି ନେଲେ ଏବଂ ପରେ ଏହା ନିମ୍ବାଭାଲିର ସମସ୍ତ ପରିବାରକୁ ଉପଯୁକ୍ତ ପୁନର୍ବାସ ଯୋଗାଇବା ଲାଗି ଏକ ଲଢ଼େଇରେ ପରିଣତ ହୋଇଗଲା ।

Damu Pared with old tax receipts of his home (right). He says, “I have lived here for many years, but now the government is saying that I have encroached on forest land"
PHOTO • Mamata Pared
Old house
PHOTO • Mamata Pared

ପୁରୁଣା ଟିକସ ରସିଦ୍‌ ସହିତ ଦାମୁ ପରେଡ୍‌ ନିଜ ଘର ବାହାରେ (ଡାହାଣ)। ସେ କୁହନ୍ତି, ‘'ମୁଁ ଏଠାରେ ବହୁବର୍ଷ ଧରି ରହି ଆସୁଥିଲି, କିନ୍ତୁ ଏବେ ସରକାର କହୁଛନ୍ତି ଯେ ମୁଁ ଜଙ୍ଗଲ ଜମି ଜବରଦଖଲ କରିଛି'

ବାବା କହିଲେ, “ବିଭିନ୍ନ ରାଜନୈତିକ ଦଳ, ସଂସ୍ଥା ଓ ସଂଘର ଲୋକମାନେ ଏକ ସ୍ୱାଧୀନ ମଞ୍ଚ-ଶେତକରି କଲ୍ୟାଣକାରୀ ସଂଗଠନ ଅଧୀନରେ ଏକତ୍ରିତ ହେଲେ। ଏହି ସଂଘ ଲୋକମାନଙ୍କୁ ଏକତ୍ରିତ କଲା, ରାଲି ବାହାର କଲା, ବିକ୍ଷୋଭ ପ୍ରଦର୍ଶନ କଲା ଏବଂ ଠିକ କ୍ଷତିପୂରଣ ଲାଗି ସରକାରଙ୍କ ସହ ଆଲୋଚନା କଲା। କିନ୍ତୁ ଏହା ହୋଇଗଲା ପରେ ସଂଗଠନର ଚାଷୀ ଓ ନେତାମାନେ ଆମ ମଧ୍ୟରୁ ବାକି ଲୋକଙ୍କୁ ଭାଗ୍ୟ ହାତରେ ଛାଡ଼ି ପଳାଇଲେ। ଉପଯୁକ୍ତ ପୁନର୍ବାସ ପ୍ରସଙ୍ଗ ଥଣ୍ଡା ପଡ଼ିଗଲା।’’

ଶେତକରୀ କଲ୍ୟାଣକାରୀ ସଂଗଠନର ପୂର୍ବତନ ଅଧ୍ୟକ୍ଷ କ୍ରିଷ୍ଣା ଭୋଇର ଏହାକୁ ଖଣ୍ଡନ କଲେ। “ଆମେ ଲୋକଙ୍କୁ ଉଚିତ୍ କ୍ଷତିପୂରଣ ଲାଗି ଲଢ଼ିବାକୁ ଏକାଠି କଲୁ । ରାଜପଥ ନିର୍ମାଣ ହୋଇଯିବା ପରେ ଯେଉଁ ସବୁ ପ୍ରସଙ୍ଗ ଲୋକମାନଙ୍କର ନିତିଦିନିଆ ଜୀବନକୁ ପ୍ରଭାବିତ କରିବାର ଥିଲା ସେଥିନେଇ ପ୍ରଶ୍ନ ଉଠାଇଲୁ। ଉଦାହରଣସ୍ୱରୂପ, ଲୋକମାନେ କିପରି ରାଜପଥ ଅତିକ୍ରମ କରପାରିବେ, ଛାତ୍ରଛାତ୍ରୀମାନେ କିଭଳି ସ୍କୁଲ ଓ କଲେଜକୁ ଯିବେ, ଯଦି ଝରଣାର ପାଣି ଗାଁ ଓ ଚାଷ ଜମିରେ ପଶିଯାଏ ତା’ହେଲେ ସେମାନେ କ’ଣ କରିବେ? ଆମେ କଠିନ ସଂଘର୍ଷ କଲୁ, କିନ୍ତୁ ଯେତେବେଳେ ଲୋକମାନେ କିଛି କ୍ଷତିପୂରଣ ପାଇଗଲେ, ସେମାନେ ସବୁ ଭୁଲିଗଲେ,’’ ସେ ବୁଝାଇଲେ ।

ଏସବୁ ମଧ୍ୟରେ ଜଣେ ଅଣ ଆଦିବାସୀ କୁନ୍‌ବୀ ଚାଷୀ ଅରୁଣ ପାଟିଲ ଦାବି କଲେ ଯେ, ତାଙ୍କ ଚାଷ ଜମି ନିକଟରେ ୱର୍ଲିମାନେ ବାସ କରୁଥିବା କିଛି ଜମି ହେଉଛି ତାଙ୍କର। ତେଣୁ ତାଙ୍କୁ ବି କ୍ଷତିପୂରଣ ମିଳିବା କଥା। କିନ୍ତୁ ତାହା ଭୁଲ ବୋଲି ଜଣାପଡ଼ିଲା । ୬୪ ବର୍ଷୀୟ ଦିଲ୍ଲୀପ ଲୋଖଣ୍ଡେ ମନେ ପକାଇଲେ ‘‘ଆମେ ଆମର ସବୁ କାମକୁ ପଛରେ ରଖି ରାଜସ୍ୱ ଅଫିସ୍‌କୁ ବାରମ୍ବାର ଦୌଡ଼ିଲୁ। ଶେଷରେ ଏହା ନିଶ୍ଚିତ ହେଲା ଯେ ଆମର ଘରଗୁଡ଼ିକ ଗାଓଠାଣ ଅଞ୍ଚଳରେ ରହିଛି ।’’

Children playing in the village
PHOTO • Mamata Pared
Houses at the foot of Saparya hill, which the government claims is on forest land and ineligible for compensation
PHOTO • Mamata Pared

ବାମ : ଗାଁରେ ପିଲାମାନେ ଖେଳୁଛନ୍ତି । ଡାହାଣ : ସପନ୍ୟା ପର୍ବତ ପାଦଦେଶରେ ଥିବା ଘରଗୁଡ଼ିକ ଜଙ୍ଗଲ ଜମିରେ ରହିଥିବା ସରକାର ଦାବି କରୁଛନ୍ତି ଏବଂ ଏଗୁଡ଼ିକ କ୍ଷତିପୂରଣ ପାଇବାକୁ ଯୋଗ୍ୟ ନୁହନ୍ତି

ଗରେଲପାଡ଼ାରେ ଲୋଖଣ୍ଡେଙ୍କ ଘର ଥିବା ନିମ୍ବାଭାଲିର ଆଦିବାସୀ ଗାଁ ପାଞ୍ଚ ଏକର ଗାଓଠାଣ (ସରକାରଙ୍କ ପକ୍ଷରୁ ଆବଣ୍ଟିତ ଗ୍ରାମ ଭୂମି)ରେ ପରିବ୍ୟାପ୍ତ । ୱର୍ଲିମାନେ ଜମିର ଠିକ୍‌ ଚିହ୍ନଟ ପାଇଁ ଜମି ରେକର୍ଡ ବିଭାଗକୁ ଆବେଦନ କରିଥିଲେ। ଅଧିକାରୀମାନେ ଆସିଥିଲେ, କିନ୍ତୁ ବନ ଅଧିକାରୀମାନେ ଏହି ସମୟରେ ଉପସ୍ଥିତ ନ ଥିବା ବାହାନା କରି ସେମାନଙ୍କର କାମକୁ ସମ୍ପୂର୍ଣ୍ଣ କରି ନ ଥିଲେ ।

ଯେଉଁମାନେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ସେମାନେ ବି ଭବିଷ୍ୟତ ଲାଗି ଚିନ୍ତିତ। ପରିବାରର ମୁଖିଆମାନେ କହୁଛନ୍ତି ଯେ ଯେଉଁ କ୍ଷତିପୂରଣ ରାଶି ଘୋଷଣା ହୋଇଛି ସେଥିରେ ଆଉ ଏକ ଘର ନିର୍ମାଣ କରିବା ପ୍ରାୟତଃ ଅସମ୍ଭବ। ‘‘ଆମକୁ ଜଙ୍ଗଲ ଜମିରେ ତିଆରି କରିବାକୁ ଅନୁମତି ନାହିଁ । ଆମେ ଆଦିବାସୀମାନେ ତୁମର ବିକାଶମୂଳକ ପ୍ରକଳ୍ପ ଲାଗି ବାଟ ଛାଡ଼ିବାକୁ କେଉଁଠାକୁ ଯିବୁ ?’’ ୫୨ ବର୍ଷୀୟ ବବନ ତଂବାଡ଼ି ପଚାରିଲେ ।

ପ୍ରତିଥର ସେମାନେ ସବ୍‌-ଡିଭିଜନାଲ୍‌ ଅଧିକାରୀଙ୍କ ନିକଟକୁ ଯିବା ସମୟରେ ନିମ୍ବାଭାଲିର ବାସିନ୍ଦାମାନଙ୍କୁ ପ୍ରତିଶ୍ରୁତି ଓ ଆଶ୍ୱାସନା ମିଳୁଛି । ବାବା କହିଲେ, ‘‘ଏହା ସତ୍ୟରେ ପରିଣତ ହେବାକୁ ଆମେ ଅପେକ୍ଷା କରିଛୁ । ସେବେଯାଏଁ ଜମି ପାଇଁ ସଂଘର୍ଷ ଜାରି ରହିବ ।’’

ନିମ୍ବାଭାଲିର ୱର୍ଲିମାନଙ୍କ ପାଇଁ ରାଜପଥର କୌଣସି ଲାଭ ନାହିଁ, କିନ୍ତୁ ସମ୍ପୂର୍ଣ୍ଣ ପୁନର୍ବାସ ଲାଗି ଯୋଜନା ବିନା ସେମାନଙ୍କୁ ଗାଓଠାଣରୁ ବିସ୍ଥାପିତ କରାଯାଉଛି । ମୁଁ ମୋର ସାଥୀ ଗ୍ରାମବାସୀଙ୍କୁ ବହୁବର୍ଷ ହେଲା ସଂଘର୍ଷ କରୁଥିବା ଦେଖିଛି ଏବଂ ଏହା ଏକ ହାରୁଥିବା ଯୁଦ୍ଧ ଭଳି ଲାଗୁଥିବା ସତ୍ୱେ ସେମାନେ ସଂଗ୍ରାମ ଜାରି ରଖିଛନ୍ତି ।

ଏହି କାହାଣୀଟି ଜଣେ ସ୍ଵାଧୀନ ସାମ୍ବାଦିକ ତଥା ସ୍ତମ୍ଭକାର ତଥା ଗଣମାଧ୍ୟମ ଶିକ୍ଷାବିତ୍ ସ୍ମୃତି କପ୍ପିକରଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Mamata Pared

Mamata Pared is a journalist and a 2018 PARI intern. She has a Master’s degree in Journalism and Mass Communication from Abasaheb Garware College, Pune.

Other stories by Mamata Pared
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE