ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାର ମରୁଡ଼ି ପ୍ରଭାବିତ ତାଡିମାରି ମଣ୍ଡଳରେ ସାର ବିକ୍ରି କରୁଥିବା ପି. ଉମେଶ କହିଲେ, ‘‘ଜଣେ ଚାଷୀଙ୍କର ୫୦୦ ଟଙ୍କିଆ ନୋଟ୍‌ରେ ସବୁବେଳେ ମାଟି ଲାଗିଥାଏ ଏବଂ ସେଥିରୁ ରଙ୍ଗ ଉଡ଼ିଯାଇଥାଏ ବା ଅତିକମ୍‌ରେ ଏହା ଭଙ୍ଗା ହୋଇଥାଏ ।’’

ଏବେ ସୁଦ୍ଧା, ଉମେଶ ପ୍ରାୟ କେବେ ବି ତାଙ୍କର ଗ୍ରାହକଙ୍କ ପାଖରେ ଗୋଟିଏ ନୂଆ ଖଡ଼ଖଡ଼ିଆ ୫୦୦ ଟଙ୍କିଆ ନୋଟ୍‌ ଥିବା ଦେଖି ନ ଥିଲେ। ତାଡିମାରି ଗାଁରେ ଥିବା ତାଙ୍କ ଦୋକାନରୁ ମଞ୍ଜି ଓ ସାର କିଣୁଥିବା ଚାଷୀମାନେ ହେଲେ ତାଙ୍କର ଗ୍ରାହକ। ତେଣୁ ସେ ସତର୍କ ହୋଇଗଲେ ଯେତେବେଳେ ନଭେମ୍ବର ୨୩ ତାରିଖରେ, ଜଣେ ଚାଷୀ ପୂର୍ବରୁ କିଣିଥିବା ସାର ବାବଦକୁ ତାଙ୍କୁ ନିଜ ଆଡୁ ଚାରିଟି ଭଲ ଦେଖାଯାଉଥିବା ୫୦୦ ଟଙ୍କିଆ ନୋଟ୍‌ ଦେଲେ। ନୋଟ୍‌ଗୁଡ଼ିକ ୨୦୧୪ରେ ଛପା ହୋଇଥିଲା।

ସେ କହିଲେ, ‘‘ଯଦି ଦୁଇ ବର୍ଷ ହେଲା ସେଗୁଡ଼ିକ ଚଳୁଥାଆନ୍ତା, ତେବେ ସେଗୁଡ଼ିକ ଏଭଳି ନୂଆ ଦେଖାଯିବା ଅସମ୍ଭବ ଥିଲା।’’ ଉମେଶଙ୍କର ପ୍ରଥମ ଅନୁମାନ ଥିଲା ଯେ ସେଗୁଡ଼ିକ ଜାଲ୍‌ ନୋଟ୍‌ । ଯଦିଓ ନଭେମ୍ବର ୮ ତାରିଖର ବିମୁଦ୍ରିକରଣ ପୂର୍ବରୁ ତାଡିମାରିରେ ଜାଲ୍‌ ନୋଟ୍‌ ଖୁବ୍‌ ବିରଳ ଥିଲା, ତାଙ୍କ ଦୋକାନରୁ ବାରମ୍ବାର କିଣାକିଣି କରୁଥିବା ଲୋକଙ୍କଠାରୁ ସେ କେତେକ ଏହି ନୋଟ୍‌ ଚିହ୍ନଟ କରିଥିଲେ। ତେଣୁ ଉମେଶ ଏହି ସମ୍ପୂର୍ଣ୍ଣ ନୂଆ ନୋଟ୍‌ଗୁଡ଼ିକୁ ନିଜର ମନି କାଉଣ୍ଟରରେ ଯାଂଚ କଲେ। ସେଗୁଡ଼ିକ ଜାଲ୍‌ ନୋଟ୍‌ ନ ଥିଲା।

PHOTO • Rahul M.

ସାର ଦୋକାନୀ ପି. ଉମେଶ ସତର୍କ ହୋଇଗଲେ ଯେତେବେଳେ, ନଭେମ୍ବର ୨୩ ତାରିଖରେ, ଜଣେ ଚାଷୀ ପୂର୍ବ କିଣା ବାବଦକୁ ତାଙ୍କୁ ନିଜ ଆଡୁ ଚାରିଟି ଖଡ଼ଖଡ଼ିଆ ୫୦୦ ଟଙ୍କିଆ ନୋଟ୍‌ ପ୍ରଦାନ କଲେ

ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ତୁରନ୍ତ ଲକ୍ଷ୍ୟ କଲେ ଯେ ଏହି ନୋଟ୍‌ଗୁଡ଼ିକର ନମ୍ବର କ୍ରମାଗତ ଭାବରେ ଥିଲା-ଯେମିତିକି ସେଗୁଡ଼ିକ ଗୋଟିଏ ବ୍ୟାଙ୍କରୁ ନଗଦ ଅଣାଯାଇଥିଲା । ତେଣୁ ସେ ଜାଣିଲେ ଯେ ଏହି ଅବ୍ୟବହୃତ ଟଙ୍କା କୌଣସି ଗୁପ୍ତ ଖଜଣାରୁ ବାହାରିଛି । ସେ ସନ୍ଦେହ କଲେ ଯେ ଅନନ୍ତପୁରର ବ୍ୟବସାୟୀଙ୍କ ଦ୍ୱାରା ବହୁ ପରିମାଣର କଳାଧନ ବ୍ୟବହାର ହେଉଛି ଏବଂ ସେମାନେ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରୁ ବା ତାମିଲନାଡୁରୁ ଆସିଥାଆନ୍ତି ତାଡିମାରି ମଣ୍ଡଳ ଅନ୍ତର୍ଗତ ୧୧ଟି ଗାଁର ଚାଷୀଙ୍କଠାରୁ ଫସଲ କିଣିବା ପାଇଁ, ଯେଉଁଠାରେ ୩୨,୩୮୫ ଜନସଂଖ୍ୟା ମଧ୍ୟରୁ ସମସ୍ତେ ଗ୍ରାମୀଣ ଏବଂ ସାକ୍ଷରତା ହାର ଖୁବ୍‌ କମ୍‌ ।

ଉମେଶଙ୍କ ଭଳି କେତେକଙ୍କ ବ୍ୟତୀତ, ବିମୁଦ୍ରିକରଣ ତାଡିମାରୀ ଗାଁର ସମସ୍ତଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏବଂ ଯେହେତୁ ଉମେଶ ପୁରୁଣା ନୋଟ୍‌ (ଯାହାକୁ ସେ ନିଜ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କ ଆୟର ବୈଧ ଅଂଶ ଭାବେ ଜମା କରନ୍ତି) ଗ୍ରହଣ କରନ୍ତି, ଏଠାକାର ଚାଷୀମାନେ ସେମାନଙ୍କର ଦୀର୍ଘ ଦିନ ହେଲା ବାକିଥିବା ସାର ବକେୟା ପୈଠ କରୁଛନ୍ତି।

ଏହି ସମୟରେ, ସାର ଦୋକାନଠାରୁ ଅନତି ଦୂରରେ ତାଡିମାରି ଗାଁରେ ଥିବା ମଦ ଦୋକାନଗୁଡ଼ିକ ମଧ୍ୟ ପ୍ରଚୁର ବ୍ୟବସାୟ କରୁଛନ୍ତି - କାରଣ ଏହି ଦୋକାନଗୁଡ଼ିକ, ଅନୁମତିପ୍ରାପ୍ତ ହୁଅନ୍ତୁ ବା ବେଆଇନ, ସମସ୍ତେ ଏହି ପୁରୁଣା ନୋଟ୍ ମଧ୍ୟ ଗ୍ରହଣ କରୁଛନ୍ତି।

ଟିକିଏ ନିଶାରେ ଥିବା ଚାଇନା ଗଙ୍ଗାନ୍ନା ଆମକୁ ଦେଖାଇଲେ, ‘‘ଏହି ୫୦ ଟଙ୍କା ଆମକୁ ଫେରସ୍ତ ମିଳିଛି’’ । ସେ ମଦ କିଣିବା ପାଇଁ ଏବେ ଏବେ ଗୋଟିଏ ୧୦୦୦ ଟଙ୍କିଆ ନୋଟ୍‌ର ବ୍ୟବହାର କରିଛନ୍ତି – ଆଠ ଜଣ ଅନ୍ୟ ବେରୋଜଗାର କୃଷି ଶ୍ରମିକଙ୍କ ମଧ୍ୟରେ ଭାଗ କରିବା ପାଇଁ । ଗୋଟିଏ ୫୦୦ ଟଙ୍କିଆ ନୋଟ୍‌ ବଦଳାଇବା ପାଇଁ ଅତିକମ୍‌ରେ ୪୦୦ ଟଙ୍କା ମୂଲ୍ୟର ମଦ କିଣିବାକୁ ହେବ ।

ତାଡିମାରିରେ ଅନେକ ଲୋକଙ୍କୁ ଲାଗୁଛି ଯେ ନିଜର ପୁରୁଣା ନୋଟ୍‌କୁ ବଦଳାଇବାର ସବୁଠାରୁ ସହଜ ଉପାୟ ହେଲା ମଦ କିଣିବା । ଚାଷୀଙ୍କ ଜମିରେ ଟ୍ରାକ୍ଟର ଚଳାଉଥିବା ଏସ୍‌ ନାଗଭୂଷଣମ୍‌ କହନ୍ତି, ‘‘ମୁଁ ସବୁଦିନ [କାମ ପରେ] ଗୋଟିଏ ବୋତଲର ଏକ ଚତୁର୍ଥାଂଶ ପିଉଥିଲି । ଏଠାରେ ଦେଶୀ ମଦର ଗୋଟିଏ କ୍ବାର୍ଟରର ମୂଲ୍ୟ ପ୍ରାୟ ୬୦-୮୦ ଟଙ୍କା ପଡ଼େ । ନାଗଭୂଷଣ ଏବେ ତାଙ୍କର ସାଧାରଣ କୋଟାରୁ ୪-୫ ଗୁଣା ଅଧିକ ପିଉଛନ୍ତି । ତାଙ୍କର ଦୈନିକ ମଜୁରୀ ହେଲା ୫୦୦ ଟଙ୍କା – କିନ୍ତୁ ସେ ଏବେ ବେରୋଜଗାର, ତେଣୁ ତାଙ୍କ ରୋଜଗାରର ସମସ୍ତ ଟଙ୍କାଗୁ଼ଡ଼ିକ ହେଉଛି ପୁରୁଣା ନୋଟ୍‌ । ସେ ଏ ସବୁ ମଦ ଦୋକାନରେ ଖର୍ଚ୍ଚ କରନ୍ତି ।

ନାଗଭୂଷଣଙ୍କ ଭଳି, ତାଡିମାରିରେ କୃଷି ଶ୍ରମିକମାନଙ୍କୁ କାମ ପାଇବା କଷ୍ଟକର ହୋଇପଡୁଛି । ଅନନ୍ତପୁରରେ ଅଭାବୀ ମୌସୁମୀ ବର୍ଷା ଯୋଗୁଁ ଏଥର ଚିନାବାଦାମ ଚାଷ ଭଲ ହୋଇନାହିଁ । ବହୁତ ଚାଷୀଙ୍କର ଫସଲ ବରବାଦ ହୋଇଯାଇଛି, ଏବଂ କୃଷି ଶ୍ରମିକଙ୍କର ପାଉଣାଯୁକ୍ତ ଶ୍ରମ ଦିବସ କମିଯାଇଛି ।

ତାଡିମାରି ମଣ୍ଡଳରେ ଚାଷୀମାନେ ସେମାନଙ୍କର ଚିନାବାଦମ ଫସଲ ଦୀପାବଳି ପରେ ପ୍ରାୟ ନଭେମ୍ବରରେ ଅମଳ କରନ୍ତି ଏବଂ ଡିସେମ୍ବର ମାସ ଭିତରେ ବିକ୍ରି କରନ୍ତି । ଚାଷୀମାନେ ସେମାନଙ୍କ ଜମିରେ କାମ କରୁଥିବା କୃଷି ଶ୍ରମିକମାନଙ୍କୁ ପ୍ରତିଦିନ ବା ପ୍ରତି ସପ୍ତାହରେ ପଇଠ କରନ୍ତି ନାହିଁ । ଶ୍ରମିକମାନଙ୍କର ମଜୁରୀ ଏକାବେଳକେ ଋତୁର ଅମଳ ସରିବା ପରେ ପଇଠ କରାଯାଏ। ତେଣୁ ଚାଷୀମାନେ ବର୍ଷର ଏହି ସମୟରେ ବହୁ ପରିମାଣର ଟଙ୍କା ଆବଶ୍ୟକ କରନ୍ତି ।

ଚାଷୀମାନେ ଏହି ଟଙ୍କାର ଉପଯୋଗ ପରସ୍ପର ମଧ୍ୟରେ ନିଜର ଅନୌପଚାରିକ ଋଣ ପରିଶୋଧ କରିବା ପାଇଁ ବି କରନ୍ତି, ଯାହା ୨ ପ୍ରତିଶତ ମାସିକ ସୁଧ ହାରରେ ନିଆଯାଏ । ତାଡିମାରି ଗାଁ ଆଖପାଖରେ ପ୍ରାୟ ୧୬ ଏକର ଜମି ମାଲିକାନା ଥିବା ଚାଷୀଟି ବ୍ରହ୍ମାନନ୍ଦ ରେଡ୍ଡି କହନ୍ତି ‘‘ଯଦି ଆମେ ସମସ୍ତେ ଏହି ଟଙ୍କା ପରିଶୋଧ ନ କରିବୁ ତେବେ ସୁଧ ବଢ଼ିଚାଲିବ।’’

ରେଡ୍ଡି ବିମୁଦ୍ରିକରଣରର ଏକ ସପ୍ତାହ ପରେ ନିଜର ଚିନାବାଦାମ ଫସଲ ବିକ୍ରି କଲେ, ଏବଂ ଅନ୍ୟ ଜିଲ୍ଲାର ବ୍ୟବସାୟୀମାନେ ତାଙ୍କୁ ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍‌ ଆକାରରେ ପଇଠ କଲେ । ସେ ନିଜ ଆକାଉଣ୍ଟରେ ସେହି ଟଙ୍କା ଜମା କଲେ, କିନ୍ତୁ ବକେୟା ଏବଂ ଶ୍ରମିକମାନଙ୍କୁ ପଇଠ କରିବାକୁ ତାଙ୍କୁ ବହୁତ ପରିମାଣର ନୂଆ ନୋଟ୍‌ ଆବଶ୍ୟକ-ଏବଂ ତାଡିମାରିର ତିନିଟି ବ୍ୟାଙ୍କରେ ଏହି ନୋଟଗୁଡ଼ିକ ଏବେ ବି ପର୍ଯ୍ୟାପ୍ତ ନାହିଁ ।

PHOTO • Rahul M.

ତାଡିମାରି ମଣ୍ଡଳର ବ୍ୟାଙ୍କଗୁଡ଼ିକ ମଧ୍ୟରୁ ଗୋଟିଏ ସାମ୍ନାରେ ଚାଷୀମାନେ : ଟି ବ୍ରହ୍ମାନନ୍ଦ ରେଡ୍ଡୀଙ୍କ ଭଳି ଚାଷୀମାନେ ବକେୟା ଏବଂ ଶ୍ରମିକମାନଙ୍କୁ ପଇଠ କରିବାକୁ ବହୁତ ପରିମାଣର ନୂଆ ନୋଟ୍‌ ଆବଶ୍ୟକ କରନ୍ତି - ଏବଂ ଏଠାକାର ବ୍ୟାଙ୍କଗୁଡ଼ିକରେ  ଏହି ନୋଟ୍‌ ଏବେ ବି ପର୍ଯ୍ୟାପ୍ତ ନାହିଁ

ଅମଳ ଋତୁରେ ରେଡ୍ଡୀ ଏବଂ ଅନ୍ୟ ଚାଷୀମାନେ ପ୍ରତ୍ୟେକ କୃଷି ଶ୍ରମିକଙ୍କୁ ଦୈନିକ ୨୦୦ ଟଙ୍କା ମଜୁରୀ ଦିଅନ୍ତି। କାମର ପ୍ରକାର ଏବଂ ଶ୍ରମିକଙ୍କ ଚାହିଦା ଉପରେ ନିର୍ଭର କରି ବେଳେବେଳେ, ଏହା ୪୫୦ ଟଙ୍କା ଯାଏଁ ହୋଇପାରେ।

ଏବେ ଯେହେତୁ କାମର ଅଭାବ ରହୁଛି ଏବଂ ବୈଧ ମୁଦ୍ରା କୁଆଡ଼େ ଉଭେଇ ଯାଇଛି, ଏହାର ଫଳ ଶ୍ରମିକମାନେ ଭୋଗୁଛନ୍ତି। ଏହି ଦିନ କାମ ପାଇ ନ ଥିବା କୃଷି ଶ୍ରମିକ ନାରାୟଣ ସ୍ୱାମୀ କହନ୍ତି, ‘‘ପ୍ରାୟ ମାସେ ହେଲା ଆମେ ପାଉଣା ପାଇନାହୁଁ।’’

୨୨ ଏକର ଜମିର ମାଲିକ ଚିନାବାଦାମ ଚାଷୀ ଭି ସୁଧାକର କହନ୍ତି, ‘‘ଥରେ ଅଧେ, ଯେତେବେଳେ ବି ଜଣେ ମଦ ପିଇଥିବା (ବା ପିଇବାକୁ ବ୍ୟଗ୍ର ଥିବା) ଶ୍ରମିକ ଟଙ୍କା ମାଗନ୍ତି, ଆମର ସମ୍ମାନ ରକ୍ଷା କରିବାକୁ ତାଙ୍କୁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ଦେଇଦେଉ ।’’

ଅଧିକାଂଶ କୃଷି ଶ୍ରମିକଙ୍କ ପକ୍ଷରେ କାମ ଖୋଜିବା ବଦଳରେ ବ୍ୟାଙ୍କକୁ ଯିବା ଏବଂ ସେଠାରେ ଲମ୍ବା ଧାଡ଼ିରେ ଛିଡ଼ା ହେବା ଅସମ୍ଭବ । ଅଧିକାଂଶଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନାହିଁ । ତେଣୁ ଯଦି ଦିନେ କେହି କାମ ପାଆନ୍ତି ନାହିଁ ତେବେ ସେମାନେ ନିଜର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ସେହି ପରିଚିତ ସ୍ଥାନକୁ ନେଇ ଯାଆନ୍ତି ଯାହା ଏବେ ବି ସେସବୁକୁ ଗ୍ରହଣ କରୁଛନ୍ତି : ତାହା ହେଲା ସ୍ଥାନୀୟ ମଦ ଦୋକାନ ।

PHOTO • Rahul M.

ତାଡ଼ିମାରିରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବାହାରେ ଲମ୍ବା ଧାଡ଼ି – ଏଠାରେ ଅଧିକାଂଶ କୃଷି ଶ୍ରମିକଙ୍କ ପକ୍ଷରେ କାମ ଖୋଜିବା ବଦଳରେ ବ୍ୟାଙ୍କକୁ ଯିବା ଏବଂ ସେଠାରେ ଲମ୍ବା ଧାଡ଼ିରେ ଛିଡ଼ା ହେବା ଅସମ୍ଭବ; ଅଧିକାଂଶଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନାହିଁ

ସକାଳ ୧୦ଟା ସୁଦ୍ଧା ପିଇ ସାରିଥିବା ସ୍ୱାମୀ କହନ୍ତି ‘‘କଷ୍ଟ ଅନୁଭବ ନ କରିବା ପାଇଁ(ଚାଷ ଜମିରେ କଠିନ ପରିଶ୍ରମ ଫଳରେ) ଆମେ ପିଉ । ଅଧିକାଂଶ ସମୟରେ ଚାଷୀମାନେ ମଧ୍ୟ ପିଇବାର ଅଭ୍ୟାସକୁ ପ୍ରୋତ୍ସାହିତ କରନ୍ତି – ସେମାନେ ଏହାକୁ ନିଜର କାମ ଅଧିକ ସଫଳତାପୂର୍ବକ କରାଇ ନେବା ଏକ ଉପାୟର ଅଂଶ ଭାବେ ଦେଖନ୍ତି ।

ସୁଧାକର କହନ୍ତି, ‘‘ଆମେ ସେମାନଙ୍କୁ ସେମାନଙ୍କର ମଜୁରୀକୁ ଛାଡ଼ି [ଯାହାକି ଋତୁ ଶେଷରେ ପଇଠ କରାଯାଏ] ଦୈନିକ ପ୍ରାୟ ୩୦ ବା ୪୦ ଟଙ୍କା ଦେଉ, ଯାହା ଫଳରେ ସେମାନେ ସେମାନଙ୍କର ଦିନକ ପାଇଁ ଥ୍ରି ଆଉନ୍ସ (ମଦ) କିଣିପାରିବେ।’’ ଚାଷୀ ପ୍ରକୃତ ମଜୁରୀ ଦେଉ ନ ଥିଲେ ମଧ୍ୟ ଏହି ପାରସ୍ପରିକ ବୁଝାମଣା ଶ୍ରମିକଙ୍କୁ ତାଙ୍କୁ ମୁନିବଙ୍କ ଉପରେ ବିଶ୍ୱାସ ରଖିବା ଏବଂ ପରଦିନ କାମକୁ ଆସିବାକୁ ପ୍ରେରିତ କରେ ।

ଇତିମଧ୍ୟରେ, ତାଡିମାରିରେ ଶ୍ରମିକ, ଯେଉଁମାନେ ସାଧାରଣତଃ କାମ ପରେ ସଂଧ୍ୟାରେ ମଦ ପିଅନ୍ତି, ଏବେ ଯେତେବେଳେ ବି ସେମାନଙ୍କୁ କାମ ମିଳେ ନାହିଁ, ସେମାନେ ଦିନ ସାରା ମଦ ଖୋଜନ୍ତି – ଏବଂ ଏଥିପାଇଁ ନିଜର ବଳକା ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ପଇଠ କରନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Rahul M.

Rahul M. is an independent journalist based in Anantapur, Andhra Pradesh, and a 2017 PARI Fellow.

Other stories by Rahul M.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE